ନୂଆ ଟେକ୍ନୋଲୋଜି ସାହାଯ୍ୟରେ ସହରର ବର୍ଜ୍ୟଜଳ ଟ୍ରିଟମେଣ୍ଟ (Wastewater Treatment) କରିହେବ। କମ୍ ଖର୍ଚ୍ଚ ଓ ବିଦ୍ୟୁତ ଆଉ ବିନା ରାସାୟନିକ ପଦ୍ଧତିରେ ଏହା କାର୍ଯ୍ୟ କରିବ । ସିଏସ୍ଆଇଆର - ଇନଷ୍ଟିଚୁ୍ୟଟ୍ ଅଫ୍ ମିନେରାଲ ଆଣ୍ଡ ମ୍ୟାଟେରିଆଲ୍ ଟେକ୍ନୋଲୋଜି (IIMT)ର ଜଣେ ଯୁବ ବୈଜ୍ଞାନିକ ଡ.ଆଶିଷ କୁମାର ଯାଦବ ଏହି ନୂଆ ଟେକ୍ନୋଲୋଜିର ବିକାଶ କରିଛନ୍ତି ।
ଏହି ଟେକ୍ନୋଲୋଜିକୁ ବ୍ୟବହାର କରି ରାଜଧାନୀସ୍ଥିତ ସିଆରପିଏଫ୍ କ୍ୟାମ୍ପସରେ ଏକ ମଡେଲ୍ ବର୍ଜ୍ୟଜଳ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାଯାଇଛି । ଏକ ଆର୍ଦ୍ରଭୂମି ତିଆରି କରି(Constructed Wetland) ପ୍ରାକୃତିକ ଉପାୟରେ ଏଥିରେ ବର୍ଜ୍ୟଜଳକୁ ଟ୍ରିଟମେଣ୍ଟ କରାଯାଉଛି । ଏହା ଉପରେ ଏକ ଛୋଟ ବଗିଚା କରାଯାଇଛି । ପ୍ରାକୃତିକ ଉପାୟରେ ଟ୍ରିଟମେଣ୍ଟ ହେଉଥିବାରୁ ଏହାର ଆଖପାଖରେ କୌଣସି ଦୁର୍ଗନ୍ଧ ହେଉନି। ମାତ୍ର ୮ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ଆର୍ଦ୍ରଭୂମିରେ ସିଆରପିଏଫ୍ କଲୋନୀରୁ ବାହାରୁଥିବା ସବୁ ବର୍ଜ୍ୟଜଳ ଟ୍ରିଟମେଣ୍ଟ ହେଉଛି ।
ଆର୍ଦ୍ରଭୂମିରେ ଥିବା ଚାମ୍ବର ମାଧ୍ୟମରେ ପ୍ରଥମେ ବର୍ଜ୍ୟଜଳରୁ କଠିନ ଓ ତରଳ ବର୍ଜ୍ୟକୁ ଅଲଗା କରାଯାଉଛି । ପରେ ଛୋଟ ଚିପ୍ସ(ବଜୁରୀ) ଥିବା ୪ଟି ଚାମ୍ବରରେ କେବଳ ବର୍ଜ୍ୟଜଳକୁ ଆଉ ଥରେ ଛଣା ଯାଉଛି । ବଳକା ରହି ଯାଇଥିବା କଠିନ ବର୍ଜ୍ୟକୁ ଖତ ଓ ଟ୍ରିଟମେଣ୍ଟ ଜଳକୁ ସିଆରପିଏଫ୍ କ୍ୟାମ୍ପସ୍ ର ବଗିଚାରେ ପାଣି ଦେବାରେ ବ୍ୟବହାର କରାଯାଉଛି ।
ଏହି ଟେକ୍ନୋଲୋଜି ଉପରେ ଗବେଷଣା କରୁଥିବା ତଥା ପ୍ରକଳ୍ପ ଦାୟିତ୍ୱରେ ଥିବା ଡ. ଯାଦବ କହିଛନ୍ତି, ଅନ୍ୟ ସବୁ ୱେଷ୍ଟ ୱାଟର ଟ୍ରିଟମେଣ୍ଟ ପଦ୍ଧତିରେ ୧ହଜାର ଲିଟର ବର୍ଜ୍ୟଜଳ ଟ୍ରିଟମେଣ୍ଟ କରିବା ଓ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଖର୍ଚ୍ଚ(ଅପରେସନାଲ କଷ୍ଟ) ପ୍ରାୟ ୧୦ ଟଙ୍କା ପଡେ । ମାତ୍ର ନୂଆ କରି ତିଆରି ହୋଇଥିବା ଏହି ଆର୍ଦ୍ରଭୂମିରେ ବର୍ଜ୍ୟଜଳ ଟ୍ରିଟମେଣ୍ଟ କରିବା ଓ ଦୈନିକ ଏହାକୁ କାର୍ଯ୍ୟକ୍ଷମ କରିବାକୁ କୌଣସି ଖର୍ଚ୍ଚ ପଡେନି । ଏବେ ସିଆରପିଏଫ୍ କଲୋନୀରେ ପ୍ରତିଦିନ ପ୍ରାୟ ୧ଲକ୍ଷ ଲିଟର ବର୍ଜ୍ୟଜଳ ଟ୍ରିଟମେଣ୍ଟ ହେଉଛି।
ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଏକ ଟିମ୍ ମଧ୍ୟ ପ୍ରକଳ୍ପ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଛନ୍ତି । । ପ୍ରାଥମିକ ଅବସ୍ଥାରେ ପୂରା ସହରର ବର୍ଜ୍ୟଜଳକୁ କିପରି ଟ୍ରିଟମେଣ୍ଟ କରାଯିବ ସେ ନେଇ ବିଏମସି ଏକ ବିସ୍ତୃତ ପ୍ରସ୍ତାବ ମାଗିଛି । ବୈଜ୍ଞାନିକ ଶ୍ରୀ ଯାଦବ କହିଛନ୍ତି, ଆମେ ଏହାକୁ ପ୍ରସ୍ତୁତ କରି ବିଏମସିକୁ ଦେବୁ। ସୁଯୋଗ ମିଳିଲେ କମ୍ ଖର୍ଚ୍ଚ ଓ ବିନା କୌଣସି ଅପରେସନାଲ୍ ଖର୍ଚ୍ଚରେ ଆମେ ଏହାକୁ କାର୍ଯ୍ୟକ୍ଷମ କରିବୁ। କିଛି ସରକାରୀ ସଂସ୍ଥାର କ୍ୟାମ୍ପସ୍ ଓ ଅନ୍ୟ ଜାଗାରେ ଏହି ପଦ୍ଧତିରେ ନିର୍ଗତ ବର୍ଜ୍ୟଜଳକୁ ଟ୍ରିଟମେଣ୍ଟ କରିବାକୁ ଆଲୋଚନା ଚାଲିଛି।
ଆଧାର -smruti ranjan biswal social worker, freelance journalist
Last Modified : 1/26/2020