ଡିସେମ୍ବର ସୁଦ୍ଧା ଆଧାର ପଞ୍ଜୀକରଣ
ଓଡ଼ିଶାରେ ଆଧାର ପଞ୍ଜୀକରଣ କାର୍ଯ୍ୟ ତ୍ଵରାନ୍ଵିତ ହୋଇଛି । ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ୟୁଆଇଡିଏଆଇର ଉପମହାନିର୍ଦ୍ଦେଶକ କହିଛନ୍ତି । ଖୁବ୍ ଶୀଘ୍ର ରାଜ୍ୟରେ ଅଧିକ ସଂଖ୍ୟକ କିଟ୍ ନିୟୋଜିତ କରାଯିବ । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଆଧାର ପଞ୍ଜୀକରଣ କାର୍ଯ୍ୟକୁ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଆସନ୍ତା ଡିସେମ୍ବର ଶେଷସୁଦ୍ଧା ୧୦୦% ପଞ୍ଜୀକରଣ ହେବ ବୋଲି ସେ କହିଛନ୍ତି । ଗତ ଦୁଇ ମାସ ମଧ୍ୟରେ ଏ କ୍ଷେତ୍ରରେ ପ୍ରାୟ ୭୮% ଭାଗ ସଫଳତା ହାସଲ କରାଯାଇଛି । ପଞ୍ଚାୟତ ୱାରି ପଞ୍ଜୀକରଣ କାର୍ଯ୍ୟକ୍ରମ କରିବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ହଷ୍ଟେଲ ଛାତ୍ରୀଛାତ୍ରଙ୍କ ପାଇଁ ଅଭିଯାନ
ଗୋଟିଏ ପଞ୍ଚାୟତରେ ଆରମ୍ଭ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଅଙ୍ଗନୱାଡି କେନ୍ଦ୍ର, ସ୍କୁଲ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ହଷ୍ଟେଲ ଗୁଡ଼ିକରେ ଥିବା ଛାତ୍ରଛାତ୍ରୀମାନଙ୍କର ପଞ୍ଜୀକରଣ ପାଇଁ ସ୍ଵତନ୍ତ୍ର କ୍ୟାମ୍ପ ଆୟୋଜନ କରିବା ନିମନ୍ତେ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ୨୦୧୫ ଜନସଂଖ୍ୟାକୁ ଆଖିରେ ରଖି ରାଜ୍ୟରେ ପ୍ରାୟ ୪.୪୩ କୋଟି ଲୋକଙ୍କର ଆଧାର ପଞ୍ଜୀକରଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ସେଥିରୁ ଅଗଷ୍ଟ ମାସ ଶେଷ ସୁଦ୍ଧା ପ୍ରାୟ ୩.୪୫ କୋଟି ଲୋକଙ୍କର ଆଧାର ନମ୍ବର ପ୍ରସ୍ତୁତ କରାଯାଇଛି । ଅବଶିଷ୍ଟ ପ୍ରାୟ ୯୯.୩୬ ଲକ୍ଷ ଲୋକଙ୍କର ପଞ୍ଜୀକରଣ ପାଇଁ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଇସିଆଇଏଲ୍ ଙ୍କ ଛଡା ୨୪ଟି ଅନ୍ୟାନ୍ୟ ଅଣ-ସରକାରୀ ସଂସ୍ଥାଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇ ରାଜ୍ୟରେ ନିୟୋଜିତ ପଞ୍ଜୀକରଣ କିଟ୍ ସଂଖ୍ୟା ୨୫୫୦କୁ ବୃଦ୍ଧି କରିବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଭାରତୀୟ ସ୍ଵତନ୍ତ୍ର ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ଙ୍କୁ ଅନୁରୋଧ କରାଯାଇଛି ।
ଆଧାର – ଦୈନିକ ସମାଜ