ହୋମ / ଶିକ୍ଷା / କ୍ୟାରିୟର ମାର୍ଗଦର୍ଶକ / କେଉଁ କାରଣ ପାଇଁ କ୍ୟାରିୟର ବିଗାଡିପାରେ
ସେଆର କରନ୍ତୁ

କେଉଁ କାରଣ ପାଇଁ କ୍ୟାରିୟର ବିଗାଡିପାରେ

ଚାକିରି ପାଇବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେଥିରେ ତିଷ୍ଠି ରହିବା ମଧ୍ୟ ସେତିକି ଗୁରୁତ୍ଵପୂର୍ଣ୍ଣ ।ନିଜ ଦାୟିତ୍ଵ ଠିକ୍ ଭାବେ ସମ୍ପାଦନ କରନ୍ତି ନାହିଁ । ଏଭଳି ଅବହେଳା କ୍ୟାରିୟରର ଭେଳା ବୁଡାଇ ଦେବା ସମ୍ଭାବନା ଥାଏ ।

ଉପକ୍ରମ

ଏକ ଭଲ ଚାକିରି ପାଇବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେଥିରେ ତିଷ୍ଠି ରହିବା ମଧ୍ୟ ସେତିକି ଗୁରୁତ୍ଵପୂର୍ଣ୍ଣ । ହେଲେ ଅନେକ ଲୋକ ଚାକିରି ମିଳିଯିବା ପରେ ସେଥିପ୍ରତି ଖାମଖିଆଲ ହୋଇଯାଆନ୍ତି । ନିଜ ଦାୟିତ୍ଵ ଠିକ୍ ଭାବେ ସମ୍ପାଦନ କରନ୍ତି ନାହିଁ । ଏଭଳି ଅବହେଳା କ୍ୟାରିୟରର ଭେଳା ବୁଡାଇ ଦେବା ସମ୍ଭାବନା ଥାଏ । ପରେ ନିଜ ଭୁଲ୍ ବୁଝିବାବେଳକୁ ତାହାକୁ ସୁଧାରିବାର ସୁଯୋଗ ହାତରୁ ଖସିଯାଇଥାଏ । ଏଭଳି ସ୍ଥିତିରେ ପଶ୍ଚାତାପ କରିବା ବ୍ୟତିତ ଅନ୍ୟ ଚାରା ନଥାଏ । ଯଦି ଏଭଳି ପରିସ୍ଥିତିରେ ସମ୍ମୁଖୀନ ନ ହୋଇ ଜ୍ୟାରିୟରେ ଅଗ୍ରଗତି କରିବାକୁ ଚାହାନ୍ତି ତା’ ହେଲେ କେତେକ ପରାମର୍ଶ ପ୍ରତି ଧ୍ୟାନ ଦିଅନ୍ତୁ ।

ନିର୍ଦ୍ଧାରିତ ସମୟ

ନିର୍ଦ୍ଧାରିତ ସମୟ ସୀମାରେ କାର୍ଯ୍ୟ ସମ୍ପାଦନ କରିବାରେ ଯଦି ବିଫଳ ହେଉଛନ୍ତି ତା’ ହେଲେ ଏହାର କାରଣ ମାତ୍ରାଧିକ କାର୍ଯ୍ୟଭାର ହୋଇଥାଇପାରେ । ହୁଏତ ଆପଣ ନିଜ କ୍ଷମତାଠାରୁ ଅଧିକ ଦାୟିତ୍ଵ ମୁଣ୍ଡାଉଛନ୍ତି । ଅଥବା ଯେତିକି କାର୍ଯ୍ୟ କରିବା କଥା ସେତେ କରୁନାହାଁନ୍ତି । ଏଥିପାଇଁ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଛବି ବିଗିଡିପାରେ । ତେଣୁ ପୂରଣ କରି ନ ପାରିବା ଭଳି ପ୍ରତିଶ୍ରୁତି ନଦେଇ ନିଜ ସାମର୍ଥ୍ୟ ଅନୁଯାୟୀ ଉପରିସ୍ଥ ଅଧିକାରୀଙ୍କଠାରୁ କାର୍ଯ୍ୟ ଗ୍ରହଣ କରନ୍ତୁ । କୌଣସି ସୁଯୋଗକୁ ହାତଛଡା କରନ୍ତୁ ନାହିଁ । ସବୁବେଳେ ଜ୍ଞାନ ଆହରଣ ପାଇଁ ମନରେ ଆଗ୍ରହ ରଖନ୍ତୁ । ନିଜେ ନିଜ ପ୍ରଦର୍ଶନର ସମୀକ୍ଷା କରନ୍ତୁ ।

ଅଧିକ ଦରମା

ଟଙ୍କା ପଛରେ ଗୋଡାଇବା କ୍ୟାରିୟରରେ ଏକ ବଡ ଭୁଲ୍ । କେବଳ ଅଧିକ ଦରମା ପାଇଁ ଅନେକ ବ୍ୟକ୍ତି ଚାକିରି ବଦଳାଇଥାନ୍ତି । ଏପରି କରିବା ଦ୍ଵାରା ସେମାନେ ନିଜ କର୍ମକୁଶଳତା ହରାଇଥାନ୍ତି । ଏଥିସହିତ ସେମାନଙ୍କ ମଧ୍ୟରେ ସଫଳତା ହାସଲ କରିବାର ଉନ୍ମାଦନା କମିଯାଏ । ତେଣୁ ଏଭଳି କ୍ୟାରିୟର ବାଛନ୍ତୁ ଯେଉଁଥିରେ ଆପଣଙ୍କର ଆଗ୍ରହ ରହିଥିବ ଓ ନିଜର ଦକ୍ଷତା ପରିପ୍ରକାଶ କରିପାରୁଥିବେ ।

ଉଦ୍ଦେଶ୍ୟ ସାଧନ

ନିଜ ଉଦ୍ଦେଶ୍ୟ ସାଧନ ପାଇଁ ସହକର୍ମୀଙ୍କ ସହ ସମ୍ପର୍କରେ ତିକ୍ତତା ସୃଷ୍ଟି କରନ୍ତୁ ନାହିଁ । ନିଜ କାର୍ଯ୍ୟଦକ୍ଷତା ବୃଦ୍ଧି ସହିତ ସମ୍ପର୍କ ସ୍ଥାପନରେ ନିପୁଣତା ହାସଲ ଦ୍ଵାରା କ୍ୟାରିୟରରେ ସଫଳତା ମିଳିପାରିବ । ଆଧୁନିକ ସମୟରେ କାର୍ଯ୍ୟର ପରିଭାଷା ବଦଳି ଚାଲିଛି । ନୂଆ ନୂଆ ଟେକ୍ନୋଲୋଜିର ବ୍ୟବହାର ବଢୁଛି । ତେଣୁ କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ଲାଗି ପଛଘୁଞ୍ଚା ଦିଅନ୍ତୁ ନାହିଁ । ପ୍ରତ୍ୟେକ ପରିବର୍ତ୍ତନରୁ କିଛି ନା କିଛି ଶିଖିବାକୁ ମିଳିଥାଏ । ନକାରାତ୍ମକ ମନୋଭାବ ନ ରଖି କଠିନ କାର୍ଯ୍ୟ ଓ ଅସୁବିଧା ପାଇଁ ବିକଳ୍ପ ଦୃଷ୍ଟିକୋଣ ଗ୍ରହଣ କରନ୍ତୁ । ଏପରି କଲେ ଆପଣ ପଛରେ ପଡିନଯାଇ କ୍ୟାରିୟର ଅଗ୍ରଗତି କରିପାରିବେ ।

ଆଧାର – ଦୈନିକ ଧରିତ୍ରୀ

 

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top