ସମ୍ପ୍ରତି ଦେଶର ଯେକୌଣସି ପ୍ରାନ୍ତରେ ନିଯୁକ୍ତି ବଜାର ବର୍ତ୍ତମାନ ମାନ୍ଦା ରହିଛି। ଦକ୍ଷ ମାନବ ସମ୍ବଳ ପାଇବା କମ୍ପାନୀଗୁଡିକ ପାଇଁ ଚିନ୍ତାର ବିଷୟ ହୋଇଥିବାବେଳେ ନିଜ ପସନ୍ଦ ମୁତାବକ ଚାକିରି ପାଇବା ମଧ୍ୟ ନିଯୁକ୍ତି ଆଶାୟୀଙ୍କ ଲାଗି ମୁଣ୍ଡବ୍ୟଥାର କାରଣ ହୋଇଛି । ବେଳେ ବେଳେ ଦକ୍ଷତା ଥାଇ ମଧ୍ୟ କର୍ମଚାରୀମାନେ ନିଜ ମନ ମୁତାବକ ଚାକିରି ପାଆନ୍ତି ନାହିଁ। ବିକଳ୍ପ ଅଭାବରୁ ଏମାନେ କମ୍ପାନୀ ମଧ୍ୟ ଛାଡିପାରନ୍ତି ନାହିଁ। ଫଳରେ ସର୍ବଦା ମାନସିକ ବିଷାଦ ମଧ୍ୟରେ ରୁହନ୍ତି । ଚାକିରିକୁ ଉପଭୋଗ କରିପାରନ୍ତି ନାହିଁ । ଅଭିବୃଦ୍ଧି ଘଟୁ ନଥିବାରୁ ଅସନ୍ତୁଷ୍ଟ ରୁହନ୍ତି । ଅନ୍ୟ ପକ୍ଷରେ ନିଯୁକ୍ତିଦାତା ଉତ୍ତମ କର୍ମଚାରୀ ନ ପାଇବା ହେଉ ବା କର୍ମଚାରୀ ଉତ୍ତମ କମ୍ପାନୀ ନ ପାଇବା ହେଉ ଉଭୟ କ୍ଷେତ୍ରରେ ଶିଳ୍ପ ହିଁ ପ୍ରଭାବିତ ହୋଇଥାଏ । ଅଣକୁଶଳୀ କର୍ମଚାରୀ ଏକ କମ୍ପାନୀ ପାଇଁ ବୋଝ ହୋଇଥିବା ବେଳେ କୁଶଳୀ କର୍ମଚାରୀଙ୍କ ଅଭାବ ହେତୁ କମ୍ପାନୀଗୁଡିକ ପାଖରେ କୌଣସି ଦ୍ଵିତୀୟ ବିକଳ୍ପ ମଧ୍ୟ ନ ଥାଏ ।
ନିଜ ମନ ମୁତାବକ ଚାକିରିଟିଏ ପାଇବା ପ୍ରତ୍ୟେକ ପ୍ରଫେସନାଲ ମାନଙ୍କ ସ୍ଵପ୍ନ ଥାଏ । ନିଯୁକ୍ତି ବଜାରର ସ୍ଥିତି ସର୍ବଦା ପରିବର୍ତ୍ତନଶୀଳ । ସରକାରୀ କ୍ଷେତ୍ରରେ ନୀତି ନିୟମରେ ପରିବର୍ତ୍ତନ, ଜାତୀୟ ଅନ୍ତର୍ଜାତୀୟ ବଜାର ସ୍ଥିତି ଏବଂ ବୃହତ୍ ଶିଳ୍ପ ସଂସ୍ଥାଗୁଡିକର ନିଷ୍ପତ୍ତି ଉପରେ ମଧ୍ୟ ନିଯୁକ୍ତି ବଜାର ନିର୍ଭର କରିଥାଏ ।
ଆମକୁ ସ୍ପଷ୍ଟଭାବେ ବୁଝିନେବାକୁ ହେବ ଯେ ନିଜ କ୍ୟାରିୟର ବଦଳାଇବା ଏବଂ ନିଜ ଚାକିରି ବଦଳାଇବା ମଧ୍ୟରେ ଏକ ବୃହତ୍ ପାର୍ଥକ୍ୟ ରହିଛି। ଅଫିସ୍ ପରିବେଶ, ସହକର୍ମୀଙ୍କ ମଧରେ ମତାନ୍ତର, ମ୍ୟାନେଜରଙ୍କ ବ୍ୟବହାର, ସ୍ୱଳ୍ପ ବେତନ, ପଦୋନ୍ନତି ନ ହେବା ଆଦି ଅନେକ କାରଣରୁ କର୍ମଚାରୀ ଚାକିରି ଛାଡନ୍ତି । କିନ୍ତୁ କ୍ୟାରିୟର ବଦଳାଇବା ତୁଳନାରେ ଚାକିରି ଛାଡିବାରେ ରିସ୍କର ମାତ୍ରା ଅଧିକ ନୁହେଁ । ଯିଏ ଶିଳ୍ପ ଓ ବଜାର ସ୍ଥିତିକୁ ଭଲଭାବେ ଅନୁଧ୍ୟାନ କରୁଛି ତା ପାଇଁ ଚାକିରି ଛାଡିବା ସେତେ ରିସ୍ଫୁଲ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି । କିନ୍ତୁ କ୍ୟାରିୟର ପରିବର୍ତ୍ତନ କରିବା କ୍ଷେତ୍ରରେ ତାହା ଆମେ କହିପାରିବା ନାହିଁ। ଯେତେବେଳେ କ୍ୟାରିୟର ପରିବର୍ତ୍ତନର କାରଣ ନିରୂପଣ କରାଯାଏ ସେତେବେଳ ବହୁ ସିରିୟସ ବିଷୟ ସାମ୍ନାକୁ ଆସିଥାଏ ।
ଯେତେବେଳେ ଆମେ ଆମ କାମକୁ ଉପଭୋଗ କରୁ, ସେତେବେଳେ ଏହାର ଗୁଣାତ୍ମକ ମାନ ବୃଦ୍ଧି ପାଏ । ଅନ୍ୟମାନଙ୍କ ତୁଳନାରେ କିଛି ସ୍ୱତନ୍ତ୍ର କରିବା ପାଇଁ ଆଗ୍ରହ ବୃଦ୍ଧି ପାଏ । କିନ୍ତୁ ଯେତେବେଳେ ଆମେ ଆମ କର୍ମକୁ ବାଧ୍ୟବାଧକତାରେ କରୁ, ମାସ ଶେଷରେ କେବଳ ବେତନ ପାଇବାର ସାମିୟକ ଖୁସି ପରିବର୍ତ୍ତେ ମାସ ସାରା ସୁଖ ଅନୁଭବ ନ କରୁ ବା କାମରୁ ଆମେ ମଜା ନେଇ ନ ପାରୁ ସେତେବେଳେ ଆମର ଦକ୍ଷତା ହାନି ହୁଏ ଏବଂ ଆମର ପ୍ରଦର୍ଶନ ଭଲ ହୋଇ ନ ଥାଏ ।
ଯେତେବେଳେ ଆମେ ଚାକିରି ବଦଳାଇବାକୁ ଚାହୁଁ ସେତେବେଳେ ହୁଏତ କିଛି ଭଲ କାରଣ ପାଇଁ ଏହା ହୋଇଥାଇ ପାରେ । କିନ୍ତୁ କ୍ୟାରିୟର ପରିବର୍ତ୍ତନ କରିବା ପାଇଁ ନିଷ୍ପରି ନେଲା ବେଳେ ଏଥିରେ ବହୁ ଆବେଗିକ ଓ ମାନସିକ ଚାପ ଜଡ଼ିତ ଥାଇପାରେ । ଫଳରେ ଅନେକ ସମୟରେ ଭୂଲ୍ ନିଷ୍ପତ୍ତିମଧ୍ୟ ନେଇଥାଉ ।
କର୍ମ ସଂସ୍ଥାନ ବା ଚାକିରି ଛାଡିବା ଉପରେ ଦରମା, ପଦୋନ୍ନତି, କର୍ମ ସଂସ୍ଥାନ ପରିବେଶ ଆଦି କେତେକ କାରଣ ନିର୍ଭର କରିଥାଏ, ଯାହାକି ପରବର୍ତ୍ତୀ ମୂହୁର୍ତ୍ତରେ ସମାଧାନ ହୋଇପାରେ । କିନ୍ତୁ କ୍ୟାରିୟର ପରିବର୍ତ୍ତନ ବେଳେ ସଫଳତା ଓ ବିଫଳତାର ଅନୁପାତ ସମାନ ବୋଲି କୁହାଯାଏ ।
ବର୍ତ୍ତମାନର ଅଭାବୀ ନିଯୁକ୍ତି ବଜାରରେ ନିଜ ପସନ୍ଦ ମୁତାବକ ଚାକିରି ପାଇବା ସହଜ ନୁହେଁ। ଏହାକୁ ବ୍ୟାପକ ତର୍ଜମା କରୁଥିବା ଯୁବପିଢି ବର୍ତ୍ତମାନର ଆବଶ୍ୟକତା ଅନୁସାରେ ପ୍ରାରମ୍ଭିକ ସ୍ତରରୁ ନିଜ କ୍ୟାରିୟର ପରିବର୍ତ୍ତନ କରୁଛନ୍ତି । ବଜାରରେ ଯେଉଁ ମାନଙ୍କର ଆବଶ୍ୟକତା ରହିଛି ସେହି କ୍ଷେତ୍ରରେ ସେମାନେ ନିଜକୁ ଦକ୍ଷ କରାଉଛନ୍ତି । ଦକ୍ଷ ଓ କୁଶଳୀ ମାନବ ସମ୍ବଳଙ୍କ ସ୍ଥାନ ସର୍ବଦା ସ୍ଵତନ୍ତ୍ର । ସେମାନଙ୍କୁ ସଦାବେଳେ ଉତ୍ତମ ବିକକୁ ମିଳିଥାଏ । ସେମାନଙ୍କ ଉପସ୍ଥିତି କର୍ମ ସଂସ୍ଥାନକୁ ବିଭିନ୍ନ କ୍ଷେତ୍ରରେ ସହାୟକ ହୋଇଥାଏ । କମ୍ ସମୟରେ ବହୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସମାପନ କରି ସମୟ ସଞ୍ଚୟ କ୍ଷେତ୍ରରେ ମଧ୍ୟ ଏମାନେ ସହାୟ ହୋଇଥାଆନ୍ତି । କମ୍ପାନୀକୁ ବିଭିନ୍ନ କ୍ଷେତ୍ରରେ ଲାଭଦାୟକ ହୋଇଥାଆନ୍ତି ।
ପୂର୍ବରୁ ଏକ କଥା ରହି ଆସିଛି ଯେ, ସବୁ ଝଟକୁ ଅବା ଜିନିଷ ସୁନା ନୁହେଁ । ତେଣୁ ବାହାରୁ ଚକ୍ ଚକ୍ ଦେଖା ଯାଉଥିବା କୌଣସି ସଂସ୍ଥା ପଛରେ ପତି ଯେଉଁମାନେ ନିଜ କ୍ୟାରିୟର ବଦଳାଇ ଦିଅନ୍ତି ସେମାନେ ପରବର୍ତ୍ତୀ ସମୟରେ ସାରା ଜୀବନ ପସ୍ତେଇ ହୁଅନ୍ତି।
ନିଜ କ୍ୟାରିୟର ପରିବର୍ତ୍ତନ କରିବା ପୂର୍ବରୁ ଆମେ ଆମ ପାଠକମାନଙ୍କୁ ଏଠାରେ କହିଦେବାକୁ ଚାହୁଁଛୁ ଯେ, ଯେଉଁମାନେ ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛନ୍ତି ସେମାନେ ନିଜ କ୍ୟାରିୟର ପରିବର୍ତ୍ତନ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରି ନିଷ୍ପତ୍ତି ନିଅନ୍ତୁ ।
ଶିକ୍ଷାଗତ ଯୋଗ୍ୟତା, ବୟସ, ଉତ୍ତମ ସ୍ଵାସ୍ଥ୍ୟ, ନୂଆ କାମ କରିବା ପାଇଁ ମନ ଭିତରେ ଉସାହ ଅଲେ କ୍ୟାରିୟରରେ ପରିବର୍ତ୍ତନ ଆଣିବା ଅଧିକ ବିପଦପୂର୍ଣ୍ଣ ନୁହେଁ । କିନ୍ତୁ ଯଦି ଏହି ସବୁ ଦିଗରୁ ଆମେ ଅସମର୍ଥ ତେବେ କ୍ୟାରିୟର ପରିବର୍ତ୍ତନ କରିବା ସହଜ ନୁହେଁ।
ଯେଉଁମାନେ ଦୀର୍ଘ ବର୍ଷର କାର୍ଯ୍ୟଦକ୍ଷତା, ପରିବର୍ତ୍ତନଶୀଳ ବଜାର ସମ୍ପର୍କରେ ବ୍ୟାପକ ଜ୍ଞାନ, ହାତରେ ଯଥେଷ୍ଟ ପରିମାଣର ପୁଞ୍ଜି ଏବଂ ବ୍ୟବସାୟ କରିବାର କୌଶଳ ସହିତ ପଦକ୍ଷେପ ଗ୍ରହଣ କରନ୍ତି ସେମାନେ ସଫଳତା ହାସଲ କରନ୍ତି । କିନ୍ତୁ ଏସବୁ ଅଭାବରେ ହଠାତ୍ ବଜାରକୁ ଅନ୍ଧ ଭାବେ ଡେଇଁ ପଡିଲେ ଯଦି ନିଜର ତ୍ରିମ୍ ପ୍ରୋଜେକ୍ସ ଫେଲ୍ ହୁଏ ତେବେ ନିରାଶ ହେବା ସାର ହେବ । ପୂର୍ବରୁ ଯେଉଁ ଚାକିରିକୁ ନିଜେ ପ୍ରତ୍ୟାଖ୍ୟାନ କରିଥିବେ ତାହାକୁ ପାଇବା ମଧ୍ୟ କଷ୍ଟକର ହୋଇପଡିବ ।
ଏଭଳି ମଧ୍ୟ ଦେଖିବାକୁ ମିଳିଛି ଯେ, ଅନେକ ଉଚ୍ଚପଦସ୍ଥ ଅଧ୍ୟକାରୀ ନିଜ ଚାକିରି ଛାଡି ସମାଜ ସେବାରେ ନିଜକୁ ନିୟୋଜିତ କରନ୍ତି । ନିଜ ଅର୍ଜିତ ଅର୍ଥକୁ ସେଥିରେ ବିନିଯୋଗ କରନ୍ତି । କିନ୍ତୁ ମନେ ରଖିବାକୁ ହେବ ଯେ କୌଣସି କାର୍ଯ୍ୟ କରିବାକୁ ହେଲେ କିଛି ନା କିଛି ଅର୍ଥ ନିହାତି ଆବଶ୍ୟକ । ଅର୍ଥ ବିନା ବିଭିନ୍ନ ଆବଶ୍ୟକତା ପୂରଣ ହୋଇ ପାରିବ ନାହିଁ, ଫଳରେ ଏହା ଅସନ୍ତୋଷର କାରଣ ପାଲଟିଥାଏ ।
ଯଦି ସବୁ ସତ୍ତ୍ୱେ ଆପଣ ନିଜ କ୍ୟାରିୟରରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ଆପଣ ନିମ୍ନୋକ୍ତ ଦିଗ ପ୍ରତି ଦୃଷ୍ଟିଦେବା ଉଚିତ ହେବ।
ଯଦି ପ୍ରାରମ୍ଭିକ ପର୍ଯ୍ୟାୟରୁ ଦେଖା ଦେବାକୁ ଥିବା ବିଭିନ୍ନ ସମସ୍ୟା ତଥା ନିଜ ସମ୍ମୁଖରେ ରହିଥିବା ଆହ୍ଵାନକୁ ସାମ୍ନା କରିବା ପାଇଁ ବଦ୍ଧପରିକର ତେବେ ଆପଣ ନିଜ କ୍ୟାରିୟର ପରିବର୍ତ୍ତନ ପାଇଁ ଯୋଜନା କରିପାରନ୍ତି ।
ସଂଗୃହିତ – ପି.କେ.ପ୍ରାମାଣିକ, କ୍ୟାରିୟର କନ୍ସଲଟାଣ୍ଟ
Last Modified : 1/26/2020