ବହି ପ୍ରତି ଯଦି ମୋହ ରହିଛି, ତା’ହେଲେ ଆପଣଙ୍କ ପାଇଁ ଏକ ପ୍ରକୃଷ୍ଟ କ୍ୟାରିୟର ହେଉଛି ପୁସ୍ତକ ପ୍ରକାଶନ ବା ବୁକ୍ ପବ୍ଲିଶିଂ । ଏଥିରେ ଆପଣ ସବୁବେଳେ ନିଜ ପ୍ରିୟ ଜିନିଷ ସହ ଯୋଡିହୋଇ ରହିବା ସହ ଉତ୍ତର ଅର୍ଥ ଉପାର୍ଜନ କରିପାରିବେ ।
ପବ୍ଲିଶିଂ ହେଉଛି ଏକ ପାରମ୍ପରିକ ଓ ସୃଜନାତ୍ମକ ଶିଳ୍ପ । ଏଥିରେ ବହି, ଖବରକାଗଜ ଓ ପତ୍ରପତ୍ରିକା ଆଦିର ପ୍ରକାଶନ କରାଯାଏ । ସମ୍ପାଦନା, ପ୍ରିଣ୍ଟିଙ୍ଗ ବିଜ୍ଞାପନ, ଡିଜାଇନିଙ୍ଗ, ମାର୍କେଟିଙ୍ଗ ଆଦି ଭାଗରେ ବିଭକ୍ତ ହୋଇଛି ଏହି ଶିଳ୍ପ । ବର୍ତ୍ତମାନ ଡିଜିଟାଲ ଟେକ୍ନୋଲୋଜିର ଆବିର୍ଭାବ ଯୋଗୁ ଅନେକ ବହି ଓ ଖବରକାଗଜକୁ ଇ-ବୁକ୍ସ, ଇ-ପେପର ରୂପେ ପ୍ରକାଶ କରାଯାଉଛି । ଅନ୍ଲାଇନ୍ ଓ ଅଡିଓ – ଭିଡିଓବିଷୟବସ୍ତୁଭାବେ ମଧ୍ୟ ପୁସ୍ତକ, ପତ୍ରପତ୍ରିକା ପ୍ରକାଶ କରାଯାଉଛି ।
ଇଲେକ୍ଟ୍ରୋନିକ ଉପାୟରେ ପ୍ରକାଶନ ବଢୁଥିବା ଯୋଗୁ ଏହି ପ୍ରକାଶନ ବଢୁଥିବା ଯୋଗୁ ଏହି କ୍ୟାରିୟରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାରେ ଲାଗିଛି । ବହି ପଢିବା ଅଭ୍ୟାସ ସହ ବ୍ୟବସାୟ ପ୍ରତି ରୁଚି ରଖିଥିବା ବ୍ୟକ୍ତିଙ୍କୁ ପ୍ରକାଶନ କ୍ୟାରିୟର ସୁହାଇବ । ପ୍ରକାଶନ ହେବା ସହିତ ଏହି କ୍ଷେତ୍ରରେ ଜଣେ ଅନୁବାଦନ, ଲେଖକ କିମ୍ବା ପ୍ରିଣ୍ଟିଙ୍ଗ ଟେକ୍ନିସିଆନ୍ ବୃତ୍ତି ଆପଣାଇପାରିବେ । ଏହି ବୃତ୍ତିଧାରାମାନେ ପୁସ୍ତକ ପ୍ରକାଶନ ପ୍ରକ୍ରିୟାରେ ଲେଖା ବିଷୟବସ୍ତୁ ପ୍ରସ୍ତୁତିଠାରୁ ଆରମ୍ଭ କରି ଛପା, ମାର୍କେଟିଂ ଆଦି ବିଭିନ୍ନ ଦାୟିତ୍ଵ ତୁଲାଇଥାଆନ୍ତି । ବଜାରରେ ଯେଭଳି ପ୍ରକାଶିତ ବିଷୟବସ୍ତୁର ଚାହିଦା ରହିବ, ତାହା ସୁନିଶ୍ଚିତ କରିବା ପ୍ରକାଶକଙ୍କର ମୁଖ୍ୟ କାର୍ଯ୍ୟ ହୋଇଥାଏ ।
କଳା, ବିଜ୍ଞାନ ବାଣିଜ୍ୟ ଯେକୌଣସିରେ ସ୍ନାତକଧାରୀମାନେ ପୁସ୍ତକ ପ୍ରକାଶନ କ୍ୟାରିୟର ଗଢିପାରିବେ । ତେବେ ପ୍ରକାଶନୀ ସଂସ୍ଥାଗୁଡିକ ନିଯୁକ୍ତି ପାଇଁ ପବ୍ଲିଶିଂ କୋର୍ସରେ ପି.ଜି/ ଡିପ୍ଲୋମା କରିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଅନ୍ତି । ଏକ ପ୍ରକାଶନୀ ସଂସ୍ଥାରେ ସମ୍ପାଦନା ପ୍ରଡ଼କ୍ସନ, ମାର୍କେଟିଂ, ଡିଷ୍ଟ୍ରିବ୍ୟୁଶନ ଆଦି ବିଭାଗ ରହିଥାଏ । ଏସବୁ ବିଭାଗରେ କାର୍ଯ୍ୟ କରିବା ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ହୋଇଥାଏ ।
ସମ୍ପାଦନା ବିଭାଗରେ ସମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକ କିମ୍ବା ସ୍ନାତକତ୍ତୋର କୋର୍ସ କରିଥିବା ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଥାଏ । ସେହିପରି ପ୍ରିଣ୍ଟିଙ୍ଗ ଡିପ୍ଲୋମା, କମ୍ପ୍ୟୁଟର ଡିଭାଇନିଂ କୋର୍ସ କରିଥିବା ଓ ଚିତ୍ରାଙ୍କନରେ ନିପୁଣ ପ୍ରାର୍ଥୀଙ୍କୁ ଛପା ବିଭାଗରେ ନିଯୁକ୍ତି ମିଳେ । ମାର୍କେଟିଂ ବିଭାଗରେ ନିଯୁକ୍ତି ପାଇଁ ଏମ୍ବିଏ କରିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯାଏ ।
ଦେଶରେ ଅନେକ ଶିକ୍ଷାନୁଷ୍ଠାନ ବୁକ୍ ପବ୍ଲିଶିଂ ପାଇଁ ଡିଗ୍ରୀ, ଡିପ୍ଲୋମା, ପି.ଜି. ଡିପ୍ଲୋମା ଓ ସାର୍ଟିଫିକେଟ୍ କୋର୍ସ ପ୍ରଦାନ କରୁଛନ୍ତି । ଯୁକ୍ତ ୨ ପରେ ଜଣେ ଏଭଳି ଡିପ୍ଲୋମା ଓ ସାର୍ଟିଫିକେଟ୍ କୋର୍ସ କରିପାରିବ । ସେହିପରି ସ୍ନାତକଧାରୀମାନେ ସମ୍ବାଦିକତା ଓ ଗଣ ଯୋଗାଯୋଗ କୋର୍ସ କରିପାରିବେ । ଦିଲ୍ଲୀ ସ୍ଥିତ ନ୍ୟାଶନାଲ ବୁକ୍ ଟ୍ରଷ୍ଟ, ସେଣ୍ଟର ଫର ଷ୍ଟଡିଜ୍ ଇନ୍ ବୁକ୍ ପବ୍ଲିଶିଂ ଓ କଲିକତା ବିଶ୍ଵବିଦ୍ୟାଳୟ ଭଳି ଅନୁଷ୍ଠାନରେ ବୁକ୍ ପବ୍ଲିଶିଂ ପାଇଁ ସ୍ଵତନ୍ତ୍ର ଧରଣର କୋର୍ସ ଦିଆଯାଉଛି ।
ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀ ପାଠ୍ୟପୁସ୍ତକ, ପତ୍ର ପତ୍ରିକା ପ୍ରକାଶନ ସହ ସମ୍ପୃକ୍ତ ସରକାରୀ ଓ ଘରୋଇ ସଂସ୍ଥାରେ ନିଯୁକ୍ତି ପାଇପାରିବେ । ଏଥିସହିତ ଛାପାଖାନ, ଅନ୍ଲାଇନ୍ ବୁକ୍ ପବ୍ଲିଶିଂ କମ୍ପାନୀ, ଖବରକାଗଜ, ଟେଲିଭିଜନ ଓ ୱେବ୍ ଚ୍ୟାନେଲଗୁଡିକରେ ନିଯୁକ୍ତି ସୁଯୋଗ ରହିଛି । ବୁକ୍ ପବ୍ଲିଶିଂ ସହ ଜଡିତ କୌଣସି ଗୋଟିଏ କୋର୍ସ କରିବା ପରେ ଛାତ୍ରୀଛାତ୍ର ଉକ୍ତ କୋର୍ସ ମୁତାବକ ଉପଯୁକ୍ତ ଚାକିରି ଖୋଜିପାରିବେ ।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶିକ୍ଷା ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ, କେନ୍ଦ୍ର ସାହିତ୍ୟ ଏକାଡେମୀ, ଭାରତୀୟ ସାମାଜିକ ବିଜ୍ଞାନ ପରିଷଦ, ନ୍ୟାଶନାଲ ବୁକ୍ ପବ୍ଲିଶିଂ ଟ୍ରଷ୍ଟ, ଏନ୍ସିଇଆରଟି ଆଦି ସହ ସଂଶ୍ଲିଷ୍ଟ କୋର୍ସ କରିଥିବା ପ୍ରାର୍ଥୀ ନିଯୁକ୍ତି ପାଇପାରିବେ । ପେଙ୍ଗୁଇନ୍, ହାର୍ପର କଲିନ୍ସ, ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ୍, ମ୍ୟାକ୍ ମିଲେନ୍ ଆଦି ଅନ୍ତର୍ଜାତୀୟ ପ୍ରକାଶନୀ ସଂସ୍ଥାରେ ମଧ୍ୟ ଏଭଳି କୋର୍ସ କରିଥିବା ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି । ବୁକ୍ ପବ୍ଲିଶିଂ କ୍ୟାରିୟରରେ ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ଅନୁଯାୟୀ, ଦରମା / ପାରିଶ୍ରମିକ ମିଳେ ।
ଆଧାର – ଦୈନିକ ଧରିତ୍ରୀ
Last Modified : 1/26/2020