ବର୍ତ୍ତମାନ ଅଧିକାଂଶ ଛାତ୍ରୀଛାତ୍ର ଇଞ୍ଜିନିୟର ହେବା ଲାଗି ଇଚ୍ଛା ପ୍ରକାଶ କରୁଛନ୍ତି । ଛାତ୍ରୀଛାତ୍ରଙ୍କୁ ଯଦି କ୍ୟାରିୟର ସମ୍ପର୍କରେ ପ୍ରଶ୍ନ କରାଯାଏ ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଇଞ୍ଜିନିୟର କିମ୍ବା ଡାକ୍ତର ହେବେ ବୋଲି କହିଥାନ୍ତି । ବଦଳୁ ଥିବା ସମୟ ଅନୁଯାୟୀ ବର୍ତ୍ତମାନ ଏକ ଉନ୍ନତ କ୍ୟାରିୟର ଅଭିବୃଦ୍ଧି, ଭଲ ବେତନ, ଏକ ଭଲ ଜୀବନ ଶୈଳୀର ଆବଶ୍ୟକତା ବଢିଗଲାଣି । ଜବ୍ ମାର୍କେଟରେ ବିଭିନ୍ନ ପରିବର୍ତ୍ତନ ଆସୁଥିଲେ ମଧ୍ୟ ଏବେ ମଧ୍ୟ ଇଞ୍ଜିନିୟରିଂ ପ୍ରମୁଖ ପସନ୍ଦ ହୋଇ ରହିଛି । ନିକଟରେ ସରକାର ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ସାଧାରଣ ବଜେଟ ଘୋଷଣା କରିଛନ୍ତି । ଏଥିରେ ଭିତ୍ତିଭୂମିକୁ ବିଶେଷ ଭାବେ ପ୍ରାଥମିକତା ଦିଆଯାଇଛି । ଏହି ପ୍ରସଙ୍ଗକୁ ଧ୍ୟାନରେ ରଖିଲେ ଜଣାଯିବ ଯେ, ଭିତ୍ତିଭୂମି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରାଥମିକ ଭାବେ ମେକାନିକାଲ, ଇଲେକ୍ଟ୍ରିକାଲ ଏବଂ ସିଭିଲ ଇଞ୍ଜିନିୟରଙ୍କର ଏହି କ୍ଷେତ୍ରରେ ଚାହିଦା ରହିବ ।
ଦେଶର ଉନ୍ନତି ଏବଂ ଅଭିବୃଦ୍ଧି ସହ ଭିତ୍ତିଭୂମି କ୍ଷେତ୍ରର ପ୍ରତ୍ୟକ୍ଷ ସମ୍ପର୍କ ରହିଛି । ଭାରତ ଭଳି ଏକ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ଇଞ୍ଜିନିୟରମାନଙ୍କ ଲାଗି ଉନ୍ନତ କ୍ୟାରିୟର ସୁଯୋଗ ରହିଛି । ଇସ୍ପାତ ତଥା ଶକ୍ତି କ୍ଷେତ୍ର ଦେଶର ବିକାଶ ଲାଗି ବିଭିନ୍ନ କାରକ ନିର୍ଦ୍ଧାରଣ କରୁଥିବା ବେଳେ ଭିତ୍ତିଭୂମି ଏବଂ ମାନୁଫାକଚରିଂ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଏହି ଭଳି କ୍ଷେତ୍ରଗୁଡିକରେ ବିଦେଶୀ ନିବେଶକ ମାନେ ପୁଞ୍ଜି ଖଟାଇବା ଲାଗି ଆଗେଇ ଆସନ୍ତି । ସେହିଭଳି ଭିତ୍ତିଭୂମି କ୍ଷେତ୍ରରେ ନିବେଶ ଦ୍ଵାରା ବାଣିଜ୍ୟ ସୁଯୋଗ ମଧ୍ୟ ସୃଷ୍ଟି ହୋଇଥାଏ ।
ସରକାର ଭିତ୍ତିଭୂମିକୁ ପ୍ରାଥମିକତା ଦେଇଥିବା ବେଳେ ଏହା ବଜାର ଲାଗି ଭଲ ସଙ୍କେତ । ଭିତ୍ତିଭୂମି କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ମେକାନିକାଲ, ଇଲେକ୍ଟ୍ରିକାଲ ଏବଂ ସିଭିଲ ଇଞ୍ଜିନିୟରମାନେ ଆବଶ୍ୟକ ହୋଇଥାନ୍ତି । ମାତ୍ର ଯେଉଁ ଛାତ୍ରୀଛାତ୍ର ମାନେ ଇଞ୍ଜିନିୟରିଂ ପାଠ୍ୟକ୍ରମ କ୍ଷେତ୍ରରେ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ସେମାନେ ଫାବ୍ରିକେଶନ ବା ଷ୍ଟ୍ରକଚରାଲ ଇଞ୍ଜିନିୟର ଭାବେ କ୍ୟାରିୟର କରିପାରିବେ ।
ପ୍ଲାଣ୍ଟ, ୱାର୍କଶପ୍, ବ୍ରିଜ, ବିଲଡିଂ, ରୋଡ, ଇଣ୍ଡଷ୍ଟ୍ରିଆଲ ସେଡ଼, ମନୋରଞ୍ଜନ ପାର୍କ ଭଳି ବିଭିନ୍ନ ଷ୍ଟ୍ରକଚର ନିର୍ମାଣ ଲାଗି ଇସ୍ପାତ ତଥା ଆଲୁମିନିୟମ ବର୍ତ୍ତମାନ ବହୁଳ ଭାବେ ବ୍ୟବହାର ହେଉଛି । ବେଜିଂ ଅଲମ୍ପିକ ସମୟରେ ଏହାର ମୁଖ୍ୟ ଷ୍ଟାଡିୟମରେ ନିର୍ମିତ ହୋଇଥିବା ବାର୍ଡନେଷ୍ଟ ଡିଜାଇନ ଷ୍ଟ୍ରକଚରାଲ ଇଞ୍ଜିନିୟରିଂ ଏକ ଉଦ୍ଦାହରଣ । ଏହିଭଳି ଏକ ଅଭିନବ ଷ୍ଟ୍ରକଚରର ନିର୍ମାଣ ନିୟୁତାଧିକ ଟନର ଷ୍ଟିଲକୁ ବ୍ୟବହାର କରି କରାଯାଇଥିଲା । ଏହି କାର୍ଯ୍ୟକୁ ଷ୍ଟ୍ରକଚରାଲ ତଥା ଫାବ୍ରିକେଶନ ଇଞ୍ଜିନିୟରମାନେ କରିଥିଲେ ।
କୌଣସି ମେକାନିକାଲ ଇଞ୍ଜିନିୟରିଂ ଛାତ୍ରୀଛାତ୍ର ଗ୍ରାଜୁଏଟ, ପୋଷ୍ଟ ଗ୍ରାଜୁଏଟ ହୋଇଥିଲେ, ଡିପ୍ଲୋମାଧାରୀ କିମ୍ବା ଆଇଟିଆଇର ଛାତ୍ର ହୋଇଥିଲେ ସେମାନେ ଫାବ୍ରିକେଶନ ଇଞ୍ଜିନିୟରିଂର ଏକ ଅଂଶ ହୋଇ ପାରିବେ ।
ଫାବ୍ରିକେଶନ ଇଞ୍ଜିନିୟରମାନଙ୍କର କାର୍ଯ୍ୟ ପରିସର ବ୍ୟାପକତା ରହିଛି । କୌଣସି ମେକାନିକାଲ କିମ୍ବା ସିଭିଲ କନଷ୍ଟ୍ରକଶନ କାର୍ଯ୍ୟ ଆରମ୍ଭ କରିବା ଆଗରୁ ଏହାର ଡିଜାଇନ ତଥା ଲେଆଉଟ କାର୍ଯ୍ୟ ହୋଇଥାଏ । ଏହିଠାରୁ ହିଁ ଫାବ୍ରିକେଶନ ଇଞ୍ଜିନିୟରଙ୍କ କାର୍ଯ୍ୟ ଆରମ୍ଭ ହୋଇଥାଏ । ସେମାନେ ପ୍ରାଥମିକ ଫାବ୍ରିକେଶନ ଏବଂ ଆନୁଷଙ୍ଗିକ କାର୍ଯ୍ୟ କରିଥାନ୍ତି । କୌଣସି ପ୍ଲାଣ୍ଟ କିମ୍ବା ପ୍ରକଳ୍ପରୁ ଏକ ଆକାର ଦେବାରେ ଏମାନେ କାର୍ଯ୍ୟ କରନ୍ତି ।
କୌଣସି ଧାତୁକୁ ଇଚ୍ଛା ମୁତାବକ ଆକାର ଦେବା ଲାଗି ଏହାର କଟିଂ ।
ଧାତୁର ୱେଲଡିଂ ଦ୍ଵାରା ବିଭିନ୍ନ ଧାତୁ ଖଣ୍ଡକୁ ଏକତ୍ର କରାଇବା । ଏଥିଲାଗି ଇଲେକ୍ଟ୍ରୋଡସର ବ୍ୟବହାର କରାଯିବା ସହ ନୂତନ ଅଂଶ ସଂଯୋଗ କରାଇବା ଲାଗି ବ୍ୟବସ୍ଥା ହୋଇଥାଏ ।
ଧାତୁ, ପାଇପ, ଇସ୍ପାତ ରଡର ଫୋଲଡିଂ କିମ୍ବା ବ୍ଲେଣ୍ଡିଂ ।
ମେଟାଲ ଆକାରକୁ ସିଧା କରିବା, ପାଇପ୍, ରଡ୍ ଆକାର ଉପରେ ବିଭିନ୍ନ କାର୍ଯ୍ୟ ।
ବିଭିନ୍ନ ଉତ୍ପାଦ ନିର୍ମାଣ ଲାଗି ଫାବ୍ରିକେଶନ ଧାରାରେ ଆବଶ୍ୟକ ଧାତୁକୁ ମେଶିନ ବ୍ୟବହାର ଦ୍ଵାରା ସିଧା କରିବା ।
କୌଣସି ଧାତୁରେ ହୋଲ୍, ସିଟ୍ ଉପରେ ଗ୍ୟାପ୍ ଲାଗି ପଞ୍ଚିଙ୍ଗ୍ କରିବା ।
ଧାତୁର ଷ୍ଟାମ୍ପିଂ ଭଳି ବିଭିନ୍ନ କାର୍ଯ୍ୟ । ଅଟୋ ମୋବାଇଲ୍, ଏରୋସ୍ପେଶ, ରେଲୱେ ଇଞ୍ଜିନ, ୱାଗନ, କୋଚ୍, ଜାହାଜ ନିର୍ମାଣ ଅନ୍ୟାନ୍ୟ ନିର୍ମାଣ ସଂକ୍ରାନ୍ତ କାର୍ଯ୍ୟ ଲାଗି ଏହିଭଳି ପଦ୍ଧତି ଗ୍ରହଣ କରାଯାଇଥାଏ । ଉକ୍ତ କ୍ଷେତ୍ରରେ ଫାବ୍ରିକେଶନ ଇଞ୍ଜିନିୟରମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥାଏ ।
ଏହିଭଳି ବିଭିନ୍ନ କାର୍ଯ୍ୟ ଫାବ୍ରିକେଶନ ଇଞ୍ଜିନିୟର ନିଜେ କିମ୍ବା ତାଲିମପ୍ରାପ୍ତ ମେକାନିକାଲ ଫିଟର, ୱେଲଡର, ଟର୍ନରଙ୍କ ସହଯୋଗରେ କରିପାରିବେ ।ଷ୍ଟିଲ, ଶକ୍ତି ପ୍ଲାଣ୍ଟ, ଜାହାଜ ନିର୍ମାଣ ୟାର୍ଡ, ଭେଇକିଲ ମାନୁଫାକଚରିଂରେ ବଡ ବଡ ଷ୍ଟକଚର ଲାଗି ବିଭିନ୍ନ ମେଟାଲଗୁଡିକ ବ୍ୟବହାର ହୋଇଥାଏ । ଜଣେ ତାଲିମପ୍ରାପ୍ତ ଫାବ୍ରିକେଶନ ଇଞ୍ଜିନିୟର ଧାତୁର କଟିଂ ଅଂଶଗୁଡିକର ୱେଲଡିଂ, ୱେଲଡିଂ ପିସ୍ ର ପଞ୍ଚିଙ୍ଗ ଲାଗି କାର୍ଯ୍ୟକୁ ତଦାରଖ କରନ୍ତି । ବିଭିନ୍ନ ପ୍ରକାର ଇଲେକଟ୍ରୋଡସକୁ ବ୍ୟବହାର କରି କୌଣସି ଷ୍ଟ୍ରକଚରକୁ ଇଚ୍ଛା ମୁତାବକ ଆକାର ପ୍ରଦାନ କରିବା ସହ ଆକୃତି, ଉଚ୍ଚତା, ଭାର ବହନ ଭଳି ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ବିଭିନ୍ନ ପଦକ୍ଷେପ ନେବାକୁ ହୁଏ ।
ଜଣେ ଫାବ୍ରିକେଶନ ଇଞ୍ଜିନିୟର ଷ୍ଟ୍ରକଚରାଲ କନଷ୍ଟ୍ରକଶନ ୱେଲଡିଂ ଲାଗି ବିଭିନ୍ନ ପ୍ରକାରର ଇଲେକଟ୍ରୋଡସର ବ୍ୟବହାର ହୋଇଥାଏ । ଇ୭୦୧୮ ଭଳି ଇଲେକଟ୍ରୋଡସ ବିଶେଷ ଭାବେ ଧାତୁ ସହ ଧାତୁଯୋଡିବା ଲାଗି ବ୍ୟବହାର ହୋଇଥାଏ । ସେହିଭଳି ଅନେକ ଇଲେକଟ୍ରୋଡସ ମଧ୍ୟରେ ଇ୬୦୧୦, ଇ ୬୦୧୩ ଭଳି ଲୋକପ୍ରିୟ ଇଲେକଟ୍ରୋଡ ରହିଛି । ଏହା ବିଶେଷ କରି ଟି ଜଏଣ୍ଟ, ସ୍ଲାଇଡ ଜଏଣ୍ଟ, କର୍ନର ଜଏଣ୍ଟ ଲାଗି ବ୍ୟବହାର ହୋଇଥାଏ ।
ଫାବ୍ରିକେଶନ ଇଞ୍ଜିନିୟରମାନେ ବିଭିନ୍ନ ପ୍ରକାରର ୱେଲଡିଂ ସମ୍ପର୍କରେ ଜାଣିବା ଆବଶ୍ୟକ । ଏହା ମଧ୍ୟରେ ସିଲଡ ମେଟାଲ ଆର୍କ ୱେଲଡିଂ, ଗ୍ୟାସ ମେଟାଲ ଆର୍କ ୱେଲଡିଂ, ଟଙ୍ଗଷ୍ଟେନ ଇନର୍ଟ ଗ୍ୟାସ ୱେଲଡିଂ ମେଟାଲ ଏନର୍ଟ ଗ୍ୟାସ ୱେଲଡିଂ ଆଦି ରହିଛି ।
ଫାବ୍ରିକେଶନ ଇଞ୍ଜିନିୟରମାନେ ଅଭିଜ୍ଞତା ତଥା କାର୍ଯ୍ୟ ଦକ୍ଷତାକୁ ନେଇ ଭଲ ବେତନ ଲାଭ କରିବାକୁ ସମର୍ଥ ହେବେ । ତୈଳ ଏବଂ ବାଷ୍ପ ଶିଳ୍ପରେ ପାଇପ୍ ଲାଇନ ୱେଲଡିଂ ଏକ ପ୍ରମୁଖ ଆବଶ୍ୟକତା ହୋଇଥିବା ବେଳେ ଫାବ୍ରିକେଶନ ସେଗମେଣ୍ଟରେ ଏକ୍ସପର୍ଟମାନେ ୪୦ ହଜାରରୁ ଆରମ୍ଭ କରି ୨ ଲକ୍ଷରୁ ଉର୍ଦ୍ଧ୍ଵ ବେତନ ଲାଭ କରିଥାନ୍ତି । ସେହିଭଳି ଜାହାଜ ନିର୍ମାଣ, ରେଳ କୋଚ ନିର୍ମାଣ ଶିଳ୍ପରେ କାର୍ଯ୍ୟରତ ଇଞ୍ଜିନିୟରମାନେ ଉଚ୍ଚ ହାରରେ ବେତନ ଲାଭ କରିଥାନ୍ତି । ଅଧିକାଂଶ ଶିଳ୍ପ କ୍ଷେତ୍ରରେ ୱେଲଡରମାନଙ୍କର ସର୍ବନିମ୍ନ ବେତନ ୧୫ ହଜାର ଟଙ୍କା ରହିଥିବା ବେଳେ ଇଞ୍ଜିନିୟରଙ୍କୁ ମାସିକ ୨୫ ହଜାରଠାରୁ ୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟରେ ବେତନ ମିଳି ପାରିବ ।
ଆଧାର - ପି .କେ ପ୍ରାମାଣିକ
Last Modified : 6/23/2020