অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭୂବିଜ୍ଞାନରେ କ୍ୟାରିୟର

ଉପକ୍ରମ

ଭୂମି ଓ ସମୁଦ୍ର ଗର୍ଭରେ  ଲୁଚି ରହିଥିବା ରହସ୍ୟରେ ଜିଜ୍ଞାସା ରଖିଥିବା ଛାତ୍ରୀଛାତ୍ର ମାନଙ୍କ ପାଇଁ ଏକ ପ୍ରଯୁଜ୍ୟ କ୍ୟାରିୟର ହେଉଛି ଜିଓଲୋଜି ବା ଭୂବିଜ୍ଞାନ । ଏହି କ୍ୟାରିୟରରେ ସେମାନେ ଅଧ୍ୟୟନ କରି ଭୂତତ୍ତ୍ଵ ଓ ଭୂସମ୍ପଦ ସମ୍ପର୍କରେ ଜ୍ଞାନ ଆହରଣ କରିବା ସହିତ ଆକର୍ଷଣୀୟ ଅର୍ଥ ଉପାର୍ଜନର ସୁଯୋଗ ପାଇପାରିବେ ।

ଭୂବିଜ୍ଞାନ ବିଶେଷକରି ଭୂମି, ଏଥିରେ ରହିଥିବା ଖଣିଜ, ପରିବେଶ, ଇତିହାସ ଆଦି ସହ ଜଡିତ ।  ଏସବୁ ଅଧ୍ୟୟନ କରୁଥିବା ବ୍ୟକ୍ତିଙ୍କୁ ଭୁବୈଜ୍ଞାନିକ କୁହାଯାଏ । ଏଭଳି ବୃତ୍ତିଧାରୀ ଭୂମି ଆଭ୍ୟନ୍ତରର ଅଧ୍ୟୟନ କରି ଏହାର ଗଠନ ଓ ଉପାଦାନ ସମ୍ପର୍କରେ ତଥ୍ୟ ସଂଗ୍ରହ କରନ୍ତି । ଖଣିଜ ଓ ପ୍ରାକୃତିକ ସମ୍ପଦର ଅନୁସନ୍ଧାନରେ ସେମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥାଏ । ଆଜିକାଲି ଏଭଳି କାର୍ଯ୍ୟର ଚାହିଦା ରହିଥିବାରୁ ଭୂବିଜ୍ଞାନରେ କ୍ୟାରିୟରର ଲୋକପ୍ରିୟତା ବଢିବାରେ ଲାଗିଛି ।

ଭୂବୈଜ୍ଞାନିକଙ୍କ ମୁଖ୍ୟ ଦାୟିତ୍ଵ ହୋଇଥାଏ ପ୍ରାକୃତିକ ବିପର୍ଯ୍ୟୟ  ଓ ପରିବେଶ ଉପରେ ତାହାର ପ୍ରଭାବ ଆକଳନ କରିବା । ଏଥିସହିତ ସେମାନେ ସମୁଦ୍ର ତଳେ ରହିଥିବା ତୈଳ, ବାଷ୍ପ ଓ ଖଣିଜର  ଅନ୍ଵେଷଣ କରନ୍ତି । ଜଳଭଣ୍ଡାର, ରାସ୍ତା, ସେତୁ ଆଦିର ନିର୍ମାଣ ଭୂବୈଜ୍ଞାନିକଙ୍କ ରିପୋର୍ଟକୁ ଭିତ୍ତି କରି କରାଯାଏ ।

ଶିକ୍ଷାଗତ ଯୋଗ୍ୟତା

ଭୂବିଜ୍ଞାନରେ  ଶିକ୍ଷା ଗ୍ରହଣ ଲାଗି ଦେଶରେ ଅନେକ ବିଶ୍ଵବିଦ୍ୟାଳୟ ଓ ଅନୁଷ୍ଠାନ ରହିଛି । ଏଥିରେ ସ୍ନାତକ କରିବା ଲାଗି ଯୁକ୍ତ ୨ ବିଜ୍ଞାନରେ ସର୍ବନିମ୍ନ ୫୦% ମାର୍କ ଥିବା ଆବଶ୍ୟକ । ସେହିପରି ମାଷ୍ଟର ଡିଗ୍ରୀରେ ୫୫% ମାର୍କ ରଖିଥିଲେ ଭୂବିଜ୍ଞାନରେ ପିଏଚ୍ଡି କରିପାରନ୍ତି । ବିଭିନ୍ନ  ବିଶ୍ଵବିଦ୍ୟାଳୟରେ ଯୋଗ୍ୟତା ମାପଦଣ୍ଡ ଭିନ୍ନ ଭିନ୍ନ ଥାଏ । ଭୂବିଜ୍ଞାନରେ ଉତ୍ତର କ୍ୟାରିୟର ଗଢିବାକୁ ହେଲେ ପ୍ରାର୍ଥୀ ଅତିକମ୍ ରେ ଏଥିରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିବା ଉଚିତ ।

ଶିକ୍ଷାନୁଷ୍ଠାନ

ଆଲିଗଡ ମୁସ୍ଲିମ୍ ବିଶ୍ଵବିଦ୍ୟାଳୟ, ଆନ୍ଧ୍ର ବିଶ୍ଵବିଦ୍ୟାଳୟ, ଆନ୍ନାମଲାଇ ବିଶ୍ଵବିଦ୍ୟାଳୟ, ଅମରାବତୀ ବିଶ୍ଵବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ ଆଦିରେ ଭୂବିଜ୍ଞାନରେ କୋର୍ସ ପ୍ରଦାନ କରାଯାଉଛି ।

ନିଯୁକ୍ତ ସୁଯୋଗ

ଭୂବିଜ୍ଞାନରେ ବିଭିନ୍ନ ପ୍ରକାର ନିଯୁକ୍ତି ସୁଯୋଗ ରହିଛି । ସରକାରୀ ବିଭାଗ ଓ ଅନୁଷ୍ଠାନ ସହ ଭୁବୈଜ୍ଞାନିକମାନେ  ବିଭିନ୍ନ ଘରୋଇ ସଂସ୍ଥା, ସଂଗ୍ରହାଳୟ, କଲେଜ୍, ବିଶ୍ଵବିଦ୍ୟାଳୟ ଆଦିରେ କାର୍ଯ୍ୟ କରିପାରିବେ । ଭାରତୀୟ ଭୂବିଜ୍ଞାନ ସର୍ବେକ୍ଷଣ ଓ  କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡରେ ଭୁବୈଜ୍ଞାନିକ ନିଯୁକ୍ତି ଲାଗି କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପରୀକ୍ଷା କରିଥାଏ। କୋଲ୍ ଇଣ୍ଡିଆ, ଖଣିଜ ଉତ୍ତୋଳନ କର୍ତ୍ତୃପକ୍ଷ, ଓଏନ୍ଜିସି, ହିନ୍ଦୁସ୍ତାନ୍ ଜିଙ୍କ୍ ଆଦି ଅନୁଷ୍ଠାନ ସହିତ ପ୍ରତିରକ୍ଷା ଓ ଅର୍ଦ୍ଧସାମରିକ ବଳ ଦ୍ଵାରା ମଧ୍ୟ ଭୂବୈଜ୍ଞାନିକ ନିଯୁକ୍ତ ହୁଅନ୍ତି । ସରକାରୀ ଓ ଘରୋଇ ସଂସ୍ଥାଗୁଡିକରେ ସେମାନେ ଉଭୟ ଗବେଷଣା ଓ ପ୍ରଶାସନିକ କାର୍ଯ୍ୟ କରନ୍ତି । ଏମ୍.ଫିଲ୍. ପିଏଚ୍ଡି କରିଥିବା ଏନ୍ଇଟିରେ ଉତ୍ତୀର୍ଣ୍ଣ ପ୍ରାର୍ଥୀ ଉଚ୍ଚତର ପଦ ପଦବୀରେ ନିଯୁକ୍ତି ସୁଯୋଗ ପାଆନ୍ତି । ଭୂବୈଜ୍ଞାନିକଙ୍କ ମଧ୍ୟରେ ପ୍ରକାରଭେଦ ଥାଏ । କେତେକ ଭୂବୈଜ୍ଞାନିକ ଜୀବାଶ୍ମ ଓ ପଥର ସମ୍ବନ୍ଧୀୟ ଗବେଷଣା କରନ୍ତି । ଆଉ କେତେକ ଭୂତଳ ଜଳ, ପରିବେଶ, ବର୍ଜ୍ୟ ବସ୍ତୁ  ନିଷ୍କାସନ, ସହରାଞ୍ଚଳ ଯୋଜନା ପ୍ରସ୍ତୁତି, ସେତୁ, ରାସ୍ତା ନିର୍ମାଣ, ବନ୍ୟା ଓ ଭୂସ୍ଫଳନ ଆଦି କ୍ଷେତ୍ରରେ କାର୍ଯ୍ୟ କରନ୍ତି ।

ସରକାରୀ ସଂସ୍ଥାଗୁଡିକରେ ଭୁବୈଜ୍ଞାନିକଙ୍କୁ ଉଚ୍ଚ ବେତନ ଓ ଅନ୍ୟ ସୁବିଧା ମିଳେ । ତେବେ ଘରୋଇ ସଂସ୍ଥାଗୁଡିକରେ ଏଭଳି ବୃତ୍ତିଧାରୀଙ୍କ ପାଇଁ ଅଧିକ ଆକର୍ଷଣୀୟ ଅର୍ଥ ଉପାର୍ଜନର ସୁଯୋଗ ଥାଏ । ଜଣେ ନବନିଯୁକ୍ତ ଭୁବୈଜ୍ଞାନିକଙ୍କ ପ୍ରାରମ୍ଭିକ ଦରମା ମାସିକ ୧୫-୨୫ ହଜାର ଟଙ୍କା ମଧ୍ୟରେ ରୁହେ । ଅଭିଜ୍ଞତା ଓ ଦକ୍ଷତା ଅନୁଯାୟୀ ଦରମା ବଢେ । ଭୁବୈଜ୍ଞାନିକମାନଙ୍କୁ କାର୍ଯ୍ୟକାଳର କିଛି ଅଂଶ ଦୁର୍ଗମ ଅଞ୍ଚଳରେ ବିତାଇବାକୁ ପଡେ । ଦୀର୍ଘଦିନ ପର୍ଯ୍ୟନ୍ତ ସେମାନେ ପରିବାରଠାରୁ ଦୂରେଇ ରହି ଗବେଷଣା କାର୍ଯ୍ୟ କରନ୍ତି ।

ଆଧାର – ଦୈନିକ ଧରିତ୍ରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate