ହୋମ / ଶିକ୍ଷା / କ୍ୟାରିୟର ମାର୍ଗଦର୍ଶକ / ମହିଳାଙ୍କ ମଧ୍ୟରେ ଔଦ୍ୟୋଗିକ ବିକାଶ
ସେଆର କରନ୍ତୁ

ମହିଳାଙ୍କ ମଧ୍ୟରେ ଔଦ୍ୟୋଗିକ ବିକାଶ

ମହିଳାଙ୍କ ମଧ୍ୟରେ ଔଦ୍ୟୋଗିକ ବିକାଶ ଘଟିଲେ ପରିବାରର ଆର୍ଥିକ କ୍ଷେତ୍ରରେ ବିକାଶ ଘଟିବ ।

ଶିକ୍ଷାହିଁ ନାରୀକୁ ସଶକ୍ତ କରାଏ

ପରିବାର ଏବଂ ସମାଜକୁ ଆକାର ଦେଇଥାନ୍ତି ମହିଳା । ଜଣେ କ୍ଷମତାସମ୍ପନ୍ନ ମହିଳା ନିଜ ପରିବାରର ଭାଗ୍ୟ ବଦଳାଇ ଦେଇପାରନ୍ତି । ସମାଜ ଏବଂ ପରିବାରକୁ ସଶକ୍ତ କରିବାରେ ମହିଳାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ପୂର୍ବେ ଲୋକମାନଙ୍କ ମଧ୍ୟରେ ଏହି କନ୍ସେପ୍ଟ ରହୁଥିଲା ଯେ, ମହିଳାମାନେ କେବଳ ଘରର ୪ କାନ୍ଥ ମଧ୍ୟରେ ରହି ପିଲା ସମ୍ଭାଳିବା ଦରକାର । ସମାଜର ଆଗଧାଡିକୁ ଆସିବା ପାଇଁ ସେମାନଙ୍କୁ ସୁଯୋଗ ମିଳୁ ନ ଥିଲା । ବର୍ତ୍ତମାନ କିନ୍ତୁ ସମାଜ ବହୁ ଆଗକୁ ଅଗ୍ରସର ହୋଇଛି । ଏହାସହିତ ଲୋକମାନଙ୍କ ମଧ୍ୟରେ ଥିବା ପୁରୁଣା ଚିନ୍ତାଧାରା ବଦଳିଯାଇଛି । ସମାଜର ପରିବର୍ତ୍ତନ ସହ ମଣିଷ ଆଧୁନିକତାକୁ ଆପଣେଇଛି । ନାରୀଶିକ୍ଷାକୁ ପ୍ରାଥମିକତା ଦେଇଛି । ସମାଜକୁ ଗଢୁଥିବା ନାରୀ ଯଦି ଶିକ୍ଷିତ ନ ହେବେ ତା’ହେଲେ ଏହାର ବିକାଶ ସମ୍ଭବ ନୁହେଁ, ତାହା ଆଜିର ମଣିଷ ହୃଦୟଙ୍ଗମ କରିଛି । ଜଣେ ଶିକ୍ଷିତ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ଵଚ୍ଛଳ ମହିଳା ହିଁ ସମାଜ ତଥା ନିଜ ପରିବାର ପାଇଁ ସହାୟିକା ହୋଇପାରିବେ । ମହିଳାମାନେ ନିଜ ମଧ୍ୟରେ ଔଦ୍ୟୋଗିକତାର ବିକାଶ କରି ପରିବାରର ପୁରୁଷ ସଦସ୍ୟଙ୍କୁ ସାହାଯ୍ୟ କରିପାରିବ । ଫାଙ୍କା ସମୟର ବ୍ୟବଧାନ ମାଧ୍ୟମରେ କିଛି ରୋଜଗାର କରି ସେମାନେ ସମାଜରେ ସମ୍ମାନର ସହ ଜୀବନ ନିର୍ବାହ କରିପାରିବେ । ଅନେକ ବିକଶିତ ରାଷ୍ଟ୍ରରେ ମହିଳାମାନେ ସବୁ କ୍ଷେତ୍ର ଯଥା ବିଜ୍ଞାନ, ପ୍ରଯୁକ୍ତି, ଶିକ୍ଷା, ଗବେଷଣା ଏପରି କି ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ।

ଓଡିଶାରେ ନାରୀଙ୍କ ସ୍ଥିତି

ଆମ ରାଜ୍ୟ ଓଡିଶାରେ ପରିବାର ଚଳାଇବା କ୍ଷେତ୍ରରେ ପୁରୁଷ ସଦସ୍ୟଙ୍କ ଉପରେ ଅଧିକ ନିର୍ଭରତା ଦେଖାଯାଏ । ପ୍ରତିକୂଳ ପରିସ୍ଥିତିରେ ରୋଜଗାର କରିବା ପାଇଁ ମହିଳାମାନଙ୍କୁ ବାଧ୍ୟ କରାଯାଇଥାଏ। ଅନେକ ପରିସ୍ଥିତିରେ କମ୍ ପାଠ ପଢିଥିବା ମହିଳାମାନଙ୍କୁ ରୋଜଗାର କରିବା ଲାଗି ଚାପ ପଡିଥାଏ । ଘର ଚଳାଇବା ଲାଗି ତାଙ୍କର ଯୋଗଦାନ ଆବଶ୍ୟକ ହୋଇଥାଏ । ତେବେ ଶିକ୍ଷାଗତ ଯୋଗ୍ୟତା କମ୍ ହେତୁ ସେମାନଙ୍କୁ ସେତେ ଭଲ ବେତନ ଥିବା କାମ ମିଳେନାହିଁ ।

ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ

ସ୍ଵୟଂ ସହାୟକ ଗୋଷ୍ଠୀର ଗଠନ ଫଳରେ କମ୍ ପାଠ ପଢିଥିବା ଲକ୍ଷ ଲକ୍ଷ ଗ୍ରାମୀଣ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆସିଛି । ସମ୍ପ୍ରତି ସହରାଞ୍ଚଳରେ ମହିଳାମାନଙ୍କ ପାଇଁ ଅନେକ କାର୍ଯ୍ୟ ରହିଛି, ଯାହାକୁ ଆଧାର କରି ସେମାନେ ମୋଟା ଅଙ୍କର ରୋଜଗାର କରିପାରିବେ । ତାହା ପୁଣି ଘରେ ବସି । ଆଜି ଆମେ ଏଭଳି କିଛି ପେସା ବିଷୟରେ ସୂଚନା ପ୍ରଦାନ କରିବାକୁ ଯାଉଛୁ, ଯାହାକୁ ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳ ମହିଳାମାନେ ଘରେ ବସି କରିପାରିବେ  ବାହାରକୁ ନ ଯାଇ ଘରେ ବସି ଅର୍ଥ ରୋଜଗାର କରିପାରିବେ ।

  • ଯଦି ଜଣେ ମହିଳା ଉଦ୍ୟୋଗୀ ହେବା ପାଇଁ ଚାହାନ୍ତି ତା’ହେଲେ ସେମାନେ ସହଜରେ ବ୍ୟାଙ୍କ ଋଣ ମଧ୍ୟ ପାଇପାରିବେ । ବ୍ୟାଙ୍କଗୁଡିକ ଏଭଳି ଉଦ୍ୟୋଗୀମାନଙ୍କୁ ଋଣ ଦେବା ଲାଗି ବହୁ ମାତ୍ରାରେ ଆଗ୍ରହ ଦେଖାଉଛନ୍ତି । ନୂଆ କରି ଖୋଲିଥିବା ମୁଦ୍ରା ବ୍ୟାଙ୍କ ଯାହାକି ବିଭିନ୍ନ ଯୋଜନା ଅଧୀନରେ ଷ୍ଟାର୍ଟ ଅପ୍ କମ୍ପାନୀ ତଥା କ୍ଷୁଦ୍ର ବ୍ୟବସାୟ ବିଶେଷ କରି ମହିଳା ଉଦ୍ୟୋଗୀକମାନଙ୍କୁ ଋଣ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି । ସେଠାରୁ ପୁଞ୍ଜି ନେଇ ମହିଳାମାନେ ନିଜସ୍ୱ ବ୍ୟବସାୟ ଆରମ୍ଭ କରିପାରିବେ ଏବଂ ଆତ୍ମବିଶ୍ଵାସର ସହ ସମାଜର ମୁଖ୍ୟସ୍ରୋତରେ ଚାଲିପାରିବେ ।
  • ଶିକ୍ଷକତା, ନର୍ସିଙ୍ଗ, କମ୍ପ୍ୟୁଟର ଅପରେଟର ତଥା ଅନ୍ୟ କୌଣସି ପାରମ୍ପରିକ ଚାକିରି ଛଡା ମହିଳାମାନେ ଅନେକ କିଛି କରିପାରିବେ । ଡ୍ରେସ୍ ଡିଜାଇନିଂ, ଇଣ୍ଟେରିୟର ଡେକୋରେଶନ୍, ୱେଡିଙ୍ଗ୍ ପ୍ଲାନିଂ, ଇଭେଣ୍ଟ୍ ମ୍ୟାନେଜ୍ମେଣ୍ଟ, ରୋଷେଇ ପସନ୍ଦ ଥିଲେ କ୍ୟାଟରିଂ, ବେକିଂ, ସାମ୍ବାଦିକତା କିମ୍ବା ଫଟୋଗ୍ରାଫିରେ ଫ୍ରିଲାନ୍ସିଂ ଆଦି ସେମାନେ କରିପାରିବେ । ଘରେ ଫାଙ୍କା ସମୟରେ କିଛି କିଛି ଅବଦାନ ଦେଇ ଏମାନେ ନିଜର ତଥା ପରିବାରର ଆର୍ଥିକ ଆବଶ୍ୟକତା ପୂରଣ କରିବା ସହ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ।
  • ଜଣେ ମହିଳା ଯଦି ଅଧିକ ପାଠ ପଢି ନ ଥିବେ କିନ୍ତୁ କାହା ଉପରେ ନିର୍ଭର ନ କରି ସ୍ୱାବଲମ୍ବୀ ହେବା ପାଇଁ ଚାହୁଁଥିବେ ସେମାନଙ୍କ ନିମନ୍ତେ ଅନେକ ବିକଳ୍ପ ଅଛି । ସହରାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ ମହିଳାମାନେ ଏହି ପନ୍ଥା ଆପଣେଇ ବୃହତ୍ ମାତ୍ରାରେ ଅର୍ଥ ଉପାର୍ଜନ କରିପାରିବେ । ବିଭିନ୍ନ ପ୍ରକାର ପର୍ବପର୍ବାଣି ଅବସରରେ ଲୋକମାନେ ରଙ୍ଗିନ ସାଜସଜ୍ଜା ସାମଗ୍ରୀ, ଟେରାକୋଟା ସାମଗ୍ରୀ, କୃତ୍ରିମ ଫୁଲ, କାଗଜରେ ପ୍ରସ୍ତୁତ ସାମଗ୍ରୀ, ମହମବତି, ଦୀପ ଆଦି ଚାହିଁଥାନ୍ତି । ଲୋକଙ୍କ ଏହି ଚାହିଦା ଅନୁଯାୟୀ ସାମଗ୍ରୀ ପ୍ରସ୍ତୁତ କରି ମହିଳାମାନେ ଏହାର ବିପଣନ କରି ମୋଟା ଅଙ୍କର ଅର୍ଥ ରୋଜଗାର କରିପାରିବେ । ଘରେ ବସି କ୍ଲାଏଣ୍ଟମାନଙ୍କ ଚାହିଦା ପୂରଣ କରିପାରିବେ । ରାଖୀ ସମୟରେ ଏହାକୁ ପ୍ରସ୍ତୁତ କରି ବିକ୍ରେତାଙ୍କୁ ଯୋଗାଇ ପାରିବେ । ରାଜସ୍ଥାନ, ଗୁଜୁରାଟ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏପରି କି ଦିଲ୍ଲୀରେ ମଧ୍ୟ ମହିଳାମାନେ ରାଖୀ ପ୍ରସ୍ତୁତ କରି ଘରେ ବସି ଅର୍ଥ ରୋଜଗାର କରିଥାନ୍ତି । ଅତ୍ୟାଧୁନିକ ଡିଜାଇନ୍ ରାଖୀ ଲାଗି ଅନେକ କମ୍ପାନୀ ବଡ ବଡ ଅଫର ମଧ୍ୟ ଦେଇଥାନ୍ତି । ବାହାରକୁ ଯିବାକୁ ଚାହୁଁ ନ ଥିବା ମହିଳାମାନଙ୍କଠାରୁ ଏମାନେ ଘରୁ ଆସି ଡେଲିଭରୀ ନେଇଯାଆନ୍ତି । ଏଥିରେ ଲାଭ ବହୁତ ଥାଏ । ଘରେ ଖଲିରେ ବସି ସମୟ ନଷ୍ଟ କରିବା ଅପେକ୍ଷା ଏଭଳି କାର୍ଯ୍ୟରେ ସମୟ ଦେଇ ନିଜକୁ ସ୍ୱାବଲମ୍ବୀ କରିପାରିବେ ।
  • ଅନେକ ସରକାରୀ ଏଜେନ୍ସି ଅଛନ୍ତି, ଯେଉଁମାନେ ଘରକରଣା ଜିନିଷ ପ୍ରସ୍ତୁତ କରିବା ପାଇଁ ମହିଳାମାନଙ୍କୁ ମାଗଣାରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରୁଛନ୍ତି । ତାଲିମ ସହିତ ଏମାନେ କ୍ଵାଲିଟି ଉପରେ ମଧ୍ୟ ଶିକ୍ଷା ପ୍ରଦାନ କରୁଛନ୍ତି । ମହିଳାମାନେ ଏଭଳି ମାଗଣା ତାଲିମ ପ୍ରୋଗ୍ରାମର ଲାଭ ଉଠାଇପାରିବେ ।
  • ଡ୍ରେସ୍ ଡିଜାଇନିଂ, ଜୁଏଲେରୀ ଡିଜାଇନିଂ, ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତି ଏବଂ ପେପର ବ୍ୟାଗ୍ ମେକିଙ୍ଗକୁ କ୍ୟାରିୟର କରାଯାଇପାରିବ ।
  • ଇ-କମର୍ସ କମ୍ପାନୀ ଯଥା ସ୍ନାପ୍ଡିଲ୍ ଏବଂ ଫ୍ଲିପ୍କାର୍ଟ ଏହି ମହିଳା ଉଦ୍ୟୋଗୀମାନଙ୍କୁ ନିଜ ସହ ପଞ୍ଜୀକୃତ ମଧ୍ୟ କରାଉଛନ୍ତି । ଫଳରେ ମହିଳାମାନଙ୍କୁ ନିଜ ସାମଗ୍ରୀର ବିପଣନ ପାଇଁ ବଡ ପ୍ଲାଟ୍ଫର୍ମ ମିଳିପାରୁଛି । ବିଶ୍ଵର ବିଭିନ୍ନ ପ୍ରାନ୍ତରେ ନିଜ ସାମଗ୍ରୀକୁ ପହଞ୍ଚାଇ ଘରୋଇ ମହିଳାମାନେ ଧନୀ ହୋଇପାରୁଛନ୍ତି ।
  • ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଗୁଡିକ ଦ୍ଵାରା ପ୍ରସ୍ତୁତ ସାମଗ୍ରୀର ପ୍ୟାକେଜିଂ ଏବଂ ବିପଣନ କରାଇ ମଧ୍ୟ ଘରୋଇ ମହିଳାମାନେ ନିଜକୁ ଆତ୍ମନିର୍ଭରଶୀଳ କରିପାରିବେ ।
  • ଶେଷ କଥା

    ସମ୍ପ୍ରତି ସମାଜରେ ଆତ୍ମବିଶ୍ଵାସର ସହ ବଞ୍ଚିବା ପାଇଁ ତଥା ପରିବାର ଚଳାଇବା ଲାଗି ଚାକିରି କେବଳ ଏକ ମାଧ୍ୟମ ହୋଇ ରହିନାହିଁ । ଉପରୋକ୍ତ କାର୍ଯ୍ୟଗୁଡିକୁ ହାତକୁ ନେଇ ଜଣେ ମହିଳା ସମାଜରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ । ଏଥିପାଇଁ କେବଳ ଆବଶ୍ୟକ ହୋଇଥାଏ ଆତ୍ମବିଶ୍ଵାସ ଏବଂ କିଛି ଭିନ୍ନ କରିବାର ଜିଜ୍ଞାସା । ଆର୍ଥିକ ଦୃଷ୍ଟିରୁ ସ୍ଵାଧୀନ ମହିଳା ପୁରୁଷଙ୍କଠାରୁ ମଧ୍ୟ କ୍ଷମତାସମ୍ପନ୍ନ ହୋଇପାରିବେ ।

    ଆଧାର –ଦୈନିକ ଧରିତ୍ରୀ ୨ ଏପ୍ରିଲ ୨୦୧୬

2.2
Sagarika Bardhan Apr 12, 2016 10:57 AM

ବର୍ତ୍ତମାନ ମଣିଷ ମାନଙ୍କର ଚିନ୍ତା ଧାରାରେ ପରିବର୍ତ୍ତନ ହେଲାଣି ସେଥିପାଇଁ ମହିଳା ମାନେ ଶିକ୍ଷିତ ହେଉଛନ୍ତି । ଯାହା ଦ୍ଵାରା ସମାଜର ବିକାଶ ସହିତ ପରିବାରର ଆର୍ଥିକ କ୍ଷେତ୍ରରେ ସାହାଯ୍ୟ କରୁଛନ୍ତି ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top