অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରେଡିଓ ଜକିରେ କ୍ୟାରିୟର

ଉପକ୍ରମ

ଟେଲିଭିଜନ ଏବଂ ଇଣ୍ଟର୍ନେଟ୍ ର ପ୍ରଭାବରେ ରେଡିଓର ଲୋକପ୍ରିୟତାରେ କିଛିଟା ହ୍ରାସ ଘଟିଛି ସତ, କିନ୍ତୁ ଏଫ୍ଏମ୍ ରେଡିଓ ଆସିବା ଫଳରେ ଏହାକୁ ନୂଆ ଜୀବନ ମିଳିଛି । ମ୍ୟୁଜିକ୍ ପ୍ରତି ଦୁର୍ବଳତା ଥିବା ଯୁବପିଢିଙ୍କ ପାଇଁ ରେଡିଓ ଜକି ଏକ ଆକର୍ଷଣୀୟ ତଥା ଚାଲେଞ୍ଜପୂର୍ଣ୍ଣ କ୍ୟାରିୟର ହୋଇପାରିବ । ଏହା ଏକମାତ୍ର ପେସା, ଯେଉଁଥିରେ ଜଣେ ନିଜ ସ୍ଵର ବା କଣ୍ଠରୁ ଅନ୍ୟମାନଙ୍କ ଦ୍ଵାରା ଚିହ୍ନିତ ହୋଇଥାନ୍ତି ।

ରେଡିଓ ଜକି ହେଉଛନ୍ତି ଜଣେ ବ୍ୟକ୍ତି, ଯିଏକି ରେଡିଓରେ ମ୍ୟୁଜିକ୍ ପ୍ରୋଗ୍ରାମଗୁଡିକୁ ଆଙ୍କର୍ କରିଥାନ୍ତି । ମ୍ୟୁଜିକ୍ ଶୁଣାଇ ତଥା ମେସେଜ୍ ପାସ୍ କରି ଏମାନେ ଶ୍ରୋତାଙ୍କ ମନୋରଞ୍ଜନ କରିଥାନ୍ତି । ଶ୍ରୋତାଙ୍କ ଅନୁରୋଧ ଅନୁଯାୟୀ ସେମାନଙ୍କୁ ଗୀତଶୁଣାଇବା ସହ ଏମାନେ ଅତିଥିମାନଙ୍କ ଇଣ୍ଟର୍ଭ୍ୟୁ ନିଅନ୍ତି । ବିଭିନ୍ନ ପ୍ରତିଯୋଗିତାର ପରିଚାଳନା କରିବା ସହ ମ୍ୟୁଜିକ୍, ପାଣିପାଗ ଏବଂ ଟ୍ରଫିକ୍କୁ ନେଇ ଜରୁରୀ ସୂଚନାମାନ ମଧ୍ୟ ଦେଇଥାନ୍ତି । ଏହା ଏକ ପେସା, ଯେଉଁଥିରେ କଠିନ ପରିଶ୍ରମ ସହିତ ଉପସ୍ଥିତ ବୁଦ୍ଧିର ଆବଶ୍ୟକ ପଡିଥାଏ । ନୂଆ ନୂଆ ଆଇଡିଆ ଏବଂ କନ୍ସେପ୍ଟ ପାଇଁ ଏହି ପେସାରେ ସାଧାରଣତଃ ଯୁବପିଢିଙ୍କୁ ଅଧିକ ଗୁରୁତ୍ଵ ଦିଆଯାଇଥାଏ ।

ରେଡିଓ ଜକିଙ୍କର ଉପସ୍ଥାପନ

ପ୍ରତ୍ୟେକ ସଫଳ ରେଡିଓ ଜକିଙ୍କର ଉପସ୍ଥାପନ କରିବାର ନିଜସ୍ୱ ଷ୍ଟାଇଲ୍ ଥାଏ । ମଧୁର ସ୍ଵର ସହିତ ଶ୍ରୋତାଙ୍କ ହୃଦୟରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସଂରକ୍ଷଣ କରିବା ଲାଗି ଜଣେ ରେଡିଓ ଜକି ମେଳାପୀ ହେବା ସହ ଦକ୍ଷ ସଞ୍ଚାଳକ ହୋଇଥିବା ଦରକାର। ତାଙ୍କର କମ୍ୟୁନିକେଶନ ଦକ୍ଷତା ନିଶ୍ଚିତ ଭାବେ ଭଲ ହୋଇଥିବା ଦରକାର । ଶ୍ରୋତାଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ତାଙ୍କ ନିକଟରେ ଉପସ୍ଥିତ ବୁଦ୍ଧି ରହିଥିବା ଦାରକାର । ଏ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ବହୁଳ ଭାବେ ରେଡିଓ ଶୁଣିବା ଉଚିତ । ଏହା ମାଧ୍ୟମରେ ସେ ନୂଆ ନୂଆ ଆଇଡିଆ ଆଣିପାରିବେ । ଫଳରେ ଆତ୍ମବିଶ୍ଵାସର ସହ ଉପସ୍ଥାପନ କରିବା ପାଇଁ ସେମାନଙ୍କୁ ସାହସ ମିଳିବ ।

ଯୋଗ୍ୟତା

ଏହା ଏକ ଦକ୍ଷତାଭିତ୍ତିକ କ୍ଷେତ୍ର । ଏଥିପାଇଁ କୌଣସି ଔପଚାରିକ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକନ ଥିବାବେଳେ ଅତିକମ୍ ରେ ଯୁକ୍ତ ଦୁଇ ଡିଗ୍ରୀ ରହିଥିବା ଦରକାର । ରେଡିଓ ଜକି କ୍ଷେତ୍ରରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା ହେଉଛି ଏକ ଭଲ ସ୍ଵର ଏବଂ ପରିସ୍ଥିତି ଅନୁସାରେ ସ୍ଵର ବଦଳାଇବାର ଦକ୍ଷତା । ଏହାସହିତ ଶବ୍ଦର ଠିକ୍ ଉଚ୍ଚାରଣ ଏବଂ ଭାଷାରେ ଫ୍ଲୁଏନ୍ସି ଆବଶ୍ୟକ। ଭଏସ୍ ପିଚ୍ କୁ ସେ ସମ୍ଭାଳିପାରୁଥିବା ଦରକାର । ଏହି ଭଏସ୍ ପିଚ୍ କୁ ଆକର୍ଷଣୀୟ ଭାବେ ଉପଯୋଗ କରିବାର ଜ୍ଞାନ ତାଙ୍କ ନିକଟରେ ଉତ୍ତର ପ୍ରସ୍ତୁତ ହୋଇ ରହିଥିବା ଦରକାର । ରଚନାତ୍ମକ ମନ ଏବଂ ସଙ୍ଗୀତ ବିଷୟରେ ପ୍ରଗାଢ ଜ୍ଞାନ ତାଙ୍କ ନିକଟରେ ଥିବା ଉଚିତ । ସଫଳ ଆର୍ଜେମାନେ ପରିସ୍ଥିତିକୁ ଦେଖି ସ୍ଵର ବଦଳାଇପାରନ୍ତି । ରେଡିଓ ଜକିଙ୍କ ପାଇଁ ସବୁଠାରୁ ଗୃରୁତ୍ଵପୂର୍ଣ୍ଣ ହେଉଛି ସେମାନଙ୍କୁ ସର୍ବଦା ଅପ୍ ଡେଟ୍ ରହିବାକୁ ପଡିବ । ସହର ମଧ୍ୟରେ ଘଟୁଥିବା ଘଟଣାବାଳୀ ବିଷୟରେ ତାଙ୍କର ଯଥେଷ୍ଟ ଜ୍ଞାନ ରହିଥିବା ଦରକାର । ଖାଲି ସେତିକି ନୁହେଁ ମିମିକ୍ରି କିମ୍ବା କମେଡି ଜଣାଥିଲେ ଜଣେ ଆର୍ଜେ ଅନ୍ୟମାନଙ୍କଠାରୁ ସ୍ଵତନ୍ତ୍ର ଲାଗିବେ ଏବଂ ଶ୍ରୋତା ତାଙ୍କୁ ଅଧିକ ଶୁଣିବାକୁ ଚାହିଁବେ ।

ବ୍ୟକ୍ତିଗତ ଦକ୍ଷତା

ଭିନ୍ନ ଭିନ୍ନ ସ୍ଵଭାବର ଲୋକଙ୍କ ସହ ମିଶିବାକୁ ପଡୁଥିବାରୁ ରେଡିଓ ଜକିମାନେ ଡିପ୍ଲୋମାଟିକ୍ ହୋଇଥିବା ଦରକାର । ଲୋକମାନେ ଯେପରି ତାଙ୍କ ସହ ସହଜ ହୋଇପାରୁଥିବେ ତାହା ପ୍ରତି ସେ ଦୃଷ୍ଟିଦେବା ଉଚିତ । କାର୍ଯ୍ୟ ପରିସର ଓ ନିଯୁକ୍ତି ସୁଯୋଗ : ରେଡିଓ ଜକିଙ୍କ ଚାକିରି ସକାଳ ୯ଟାରୁ ଅପରାହ୍ନ ୫ଟା ହୋଇ ନ ଥାଏ । ଦିନ ହେଉ କିମ୍ବା ରାତି ଯେକୌଣସି ସମୟରେ ତାଙ୍କୁ କୌଣସି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିବାକୁ ଡାକରା ଆସିପାରେ । ତାଙ୍କର ଜବ୍ ପ୍ରୋଫାଇଲ ହେଉଛି ମ୍ୟୁଜିକ୍ ଚୟନ କରିବା, ସ୍କ୍ରିପ୍ଟିଙ୍ଗ୍ ଏବଂ ରେଡିଓ ଶୋ’ଗୁଡିକୁ ଉପସ୍ଥାପନ କରିବା । ଆର୍ଜେଙ୍କ ସଫଳତା ତାଙ୍କର କାର୍ଯ୍ୟକ୍ରମ ଉପସ୍ଥାପନା ଉପରେ ନିର୍ଭର କରିଥାଏ । ତାଙ୍କର ଉପସ୍ଥାପନ ଦ୍ଵାରା ଶ୍ରୋତା ବଢିଥାଆନ୍ତି କିମ୍ବା କମିଯାଆନ୍ତି । ଆଙ୍କରିଂ ବାସ୍ତବ ଲାଗିବା ଦରକାର ଏବଂ ଶ୍ରୋତାମାନଙ୍କୁ ଉପସ୍ଥାପନା ମଜାଦାର ଲାଗିବା ଉଚିତ । ଜଣେ ରେଡିଓ ଜକି ସ୍କିପ୍ଟ ଲେଖିପାରୁଥିବା ଦରକାର ଏବଂ ନୂଆ ନୂଆ ଫିଲ୍ମ ଏବଂ ଗୀତ ବିଷୟରେ ଜ୍ଞାନ ରହିଥିବା ଦରକାର । ସାଉଣ୍ଡ୍ ଇକ୍ଵିପ୍ମେଣ୍ଟ ଏବଂ କମ୍ପ୍ୟୁଟରରେ ସେ କାର୍ଯ୍ୟ କରିପାରୁଥିବେ । ଅଲ୍ ଇଣ୍ଡିଆ ରେଡିଓ(ଏଆଇଆର୍), ଟାଇମ୍ସ ଏଫ୍ଏମ୍, ରେଡିଓ ମିଡ୍-ଡେ’ ଏବଂ ଅନ୍ୟ ସ୍ଵାଧୀନ ରେଡିଓ ଷ୍ଟେଶନରେ ଆର୍ଜେମାନଙ୍କ ପାଇଁ ବିପୁଳ ସୁଯୋଗ ରହିଛି । ଏଆଇଆର୍ ପ୍ରତି ୩ ମାସରେ ବିଭିନ୍ନ ସହରରେ ଥିବା ଏହାର ରେଡିଓ ଷ୍ଟେଶନମାନଙ୍କରେ ଆର୍ଜେମାନଙ୍କ ପାଇଁ ଅଡିଶନ୍ ନେଇଥାଏ । ଏଥିରେ ଚୟନ ପ୍ରକ୍ରିୟା ଅତ୍ୟନ୍ତ ପ୍ରତିଯୋଗୀତାମୂଳକ ହୋଇଥାଏ। ଏଥିରେ ଚୟନ ପ୍ରକ୍ରିୟା ଅତ୍ୟନ୍ତ ପ୍ରତିଯୋଗିତାମୂଳକ ହୋଇଥାଏ । ଚୟନ ହୋଇଥିବା ଆର୍ଜେମାନଙ୍କୁ ୨ ମାସିଆ ଇନ୍- ହାଉସ୍ ଟ୍ରେନିଂ ଦିଆଯାଇଥାଏ । ଏମାନଙ୍କୁ ସିଡୀ ପ୍ଲେୟରଠାରୁ ଆରମ୍ଭ କରି ଡିଜିଟାଲ ଅଡିଓ ଟେକ୍ନୋଲୋଜି ପର୍ଯ୍ୟନ୍ତ କ୍ଷେତ୍ରରେ ତାଲିମ ଦିଆଯାଇଥାଏ । ଭଏସ୍ ଷ୍ଟାଣ୍ଡାର୍ଡ ଅନୁସାରେ ଆର୍ଜେମାନେ ଟେଲିଭିଜନ ଏବଂ ରେଡିଓରେ ବିଜ୍ଞାପନରେ ଭଏସ୍ ଓଭର୍ ଦେଇପାରିବେ । ଅଡିଓ ମାଗାଜିନ୍ ଏବଂ ଡକ୍ୟୁମେଣ୍ଟାରୀଗୁଡିକ ପାଇଁ ସେମାନେ ଭଏସ୍ ଦେଇପାରିବେ । ଏମାନେ ଟିଭି ଶୋ, ଲାଇଭ୍ ଶୋ ଏବଂ ଅନ୍ୟାନ୍ୟ ଇଭେଣ୍ଟଗୁଡିକରେ ଆଙ୍କରିଂ କରିପାରିବେ ।

ବେତନ

ଘରୋଇ କମ୍ପାନୀଗୁଡିକୁ ଏୟାର୍ୱେଭ୍ ଦିଆଯିବା ପରେ ରେଡିଓ ଜକିଙ୍କ ଚାହିଦା ବଢିଯାଇଛି । କ୍ୟାରିୟର ଆରମ୍ଭ କରିବା ସମୟରେ ପ୍ରଫେଶନାଲମାନେ ମାସିକ ୭,୦୦୦ ରୁ ୧୫,୦୦୦ଟଙ୍କା ପର୍ଯ୍ୟନ୍ତ ଦରମା ପାଇପାରିବେ । ପ୍ରାଯୋଜିତ କାର୍ଯ୍ୟକ୍ରମ ପାଇଁ ସଫ୍ଟୱେର ପ୍ରଡ୍ୟୁସିଂ କମ୍ପାନୀଗୁଡିକ ଶୋ ପିଛା ୧୪୦୦ରୁ ୨୫୦୦ ଟଙ୍କା ଦେଇଥାନ୍ତି । କିଛି ଦ୍ଵିଗୁଣିତ ହୋଇଥାଏ । ଲୋକପ୍ରିୟତା ବଢିଲେ ଆର୍ଜେମାନେ ମାସିକ ୧୫,୦୦୦ ଟଙ୍କାରୁ ୮୫,୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ପାଇପାରିବେ ।

ଆଧାର – ଦୈନିକ ଧରିତ୍ରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate