ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ଟିଚର୍ ଅନ୍ କଲ୍ ଯୋଜନା
ସେଆର କରନ୍ତୁ

ଟିଚର୍ ଅନ୍ କଲ୍ ଯୋଜନା

ଶିକ୍ଷକ ଅଭାବ ପୂରଣ ପାଇଁ ଲାଗୁ ହେବ ଟିଚର୍ ଅନ୍ କଲ୍ ଯୋଜନା

ଉପକ୍ରମ

ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକୀୟ ସଂଖ୍ୟକ ଶିକ୍ଷକ ଉପଯୁକ୍ତ ପରିମାଣରେ ଉପଲବ୍ଧ ହେଉନଥିବା ଦୃଷ୍ଟିରୁ ଶିକ୍ଷକମାନଙ୍କ ଅଭାବ ଦୂର କରି ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ନିମନ୍ତେ ୨୦୧୬-୧୭ ଶିକ୍ଷାବର୍ଷରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ନିର୍ଦ୍ଧିଷ୍ଟ ସମୟ ପାଇଁ କିମ୍ବା ଖାଲିଥିବା ପଦବୀଗୁଡ଼ିକ ପୂରଣ ହେବା ପର୍ଯ୍ୟନ୍ତ ଏହି ଯୋଜନା ମାଧ୍ୟମରେ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି। ‘ଟିଚର୍ ଅନ୍ କଲ୍ ’ ନାମରେ ନାମିତ ଏହି ଯୋଜନାରେ ବିଦ୍ୟାଳୟଗୁଡ଼ିକର ପ୍ରକୃତ ଆବଶ୍ୟକତାକୁ ଦୃଷ୍ଟିରେ ରଖି କରାଯିବ। ମାତ୍ର ଏହି ନିୟୋଜନ ଉକ୍ତ ବିଦ୍ୟାଳୟର ଅନୁମୋଦିତ ପଦବୀ ସଂଖ୍ୟାରୁ କୌଣସି ପରିସ୍ଥିତିରେ ଅଧିକ ହେବ ନାହିଁ। ଏହି ଯୋଜନା ପ୍ରଣୟନ ଦ୍ୱାରା ଶିକ୍ଷକ ଅଭାବଜନିତ ସମସ୍ୟା ଦୂର କରାଯାଇ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ କରାଯାଇ ପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ମତବ୍ୟକ୍ତ କରିଛନ୍ତି।

ଯୋଜନାର ଉପକାରିତା

ଏହି ଯୋଜନାକୁ ୨୦୧୬-୧୭ ଶିକ୍ଷାବର୍ଷରେ ତଥା ପରବର୍ତ୍ତୀ ଶିକ୍ଷାବର୍ଷମାନଙ୍କରେ ପ୍ରାରମ୍ଭରେ ଥିବା ଖାଲି ପଦବୀଗୁଡ଼ିକୁ ବିଚାରକୁ ନେଇ ନିୟୋଜନ କରାଯିବ। ‘ଟିଚର୍ ଅନ୍ କଲ୍ ’ ଯୋଜନାରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ନିୟୋଜନ କରିବା ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ଉକ୍ତ ବ୍ଲକ୍ ରେ ଥିବା ଅବସରପ୍ରାପ୍ତ ଶିକ୍ଷକମାନଙ୍କର ମତାମତ ସଂଗ୍ରହ କରି ବ୍ଲକ୍ ୍ ୱାରୀ ତାଲିକା ପ୍ରସ୍ତୁତ କରିବେ। ଜିଲ୍ଲାର ଇଚ୍ଛୁକ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ମଧ୍ୟରୁ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିବା ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଇଚ୍ଛୁକ ଶିକ୍ଷକମାନଙ୍କୁ ଅଗ୍ରାଧିକାର ଭିତିରେ ନିଜ ବ୍ଲକ୍ ରେ ନିୟୋଜିତ କରାଯିବ। ଏହି କମିଟି ଅବସରପ୍ରାପ୍ତ ଶିକ୍ଷକମାନଙ୍କର ଚୟନ ନିମନ୍ତେ ପ୍ରତି ୬ ମାସରେ ଥରେ ବୈଠକ କରିବେ। ବିଦ୍ୟାଳୟର ଖାଲି ପଦବୀରେ ନିୟମିତ/ଚୁକ୍ତିଭିତିକ ଶିକ୍ଷକମାନଙ୍କର ନିଯୁକ୍ତି ପରେ, ଅବସରପ୍ରାପ୍ତ ଶିକ୍ଷକମାନଙ୍କର ନିୟୋଜନ ସ୍ୱତଃ ସମାପ୍ତ ହୋଇଯିବ। ଉକ୍ତ ଅବସରପ୍ରାପ୍ତ ଶିକ୍ଷକ ବ୍ଲକ୍ ର ଅନ୍ୟ ବିଦ୍ୟାଳୟରେ ଖାଲିଥିବା ମଞ୍ଜୁରୀପ୍ରାପ୍ତ ପଦବୀରେ ଅଗ୍ରାଧିକାର ଭିତିରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ପୁନଃନିୟୋଜିତ ହୋଇପାରନ୍ତି।

 

ଏହି ଅବସରପ୍ରାପ୍ତ ଶିକ୍ଷକମାନଙ୍କର ସର୍ବୋଚ୍ଚ ବୟସସୀମା ୬୫ ବର୍ଷରୁ ଉର୍ଦ୍ଧ୍ୱ ହେବ ନାହିଁ ଏବଂ ସେମାନେ କୌଣସି ଭିଜିଲାନ୍ସ ମକଦ୍ଧମା କିମ୍ବା ବିଭାଗୀୟ କାର୍ଯ୍ୟବିଧିରେ କିମ୍ବା ଅପରାଧିକ ଦଣ୍ଡ ଅଭିଯୋଗ ମାଧ୍ୟମରେ ଦଣ୍ଡିତ ହୋଇନଥିବେ ଓ କୌଣସି ରାଜନୈତିକ ଦଳର ସଭ୍ୟ ହୋଇନଥିବେ। ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସେମାନଙ୍କର ପ୍ରାପ୍ୟ ପେନ୍ ସନ ଆଦି ସୁବିଧା ବ୍ୟତୀତ ମାସିକ ୧୦ହଜାର ଟଙ୍କା ଏକତ୍ରିକୃତ ପାରିଶ୍ରମିକ ପ୍ରଦାନ କରାଯିବ। ଏଥିପାଇଁ ଅର୍ଥ ବିଭାଗର ଅନୁମୋଦନ କ୍ରମେ ବଜେଟ୍ ରେ ୨୭ କୋଟି ଟଙ୍କା ବରାଦ କରାଯାଇଛି। ଆବଶ୍ୟକ ସ୍ଥଳେ ଏହାର ପରିବର୍ତନ କରାଯିବ।

 

ସେହିପରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସମ୍ପୃକ୍ତ ଶିକ୍ଷକଙ୍କ ଶିକ୍ଷାଦାନ କାର୍ଯ୍ୟକୁ ଆଧାର କରି ତାଙ୍କ ପାରିଶ୍ରମିକର ପରିମାଣ ହିସାବ କରି ଉକ୍ତ ଅର୍ଥରାଶିକୁ ତାଙ୍କ ବ୍ୟାଙ୍କ ଆକାଉଂଟରେ ପ୍ରତିମାସ ୧୫ ତାରିଖ ସୁଦ୍ଧା ଅନ୍ତରଣ ଜମା କରିବା ବ୍ୟବସ୍ଥା ଦୃଷ୍ଟିରୁ ଶିକ୍ଷକମାନେ ସେମାନଙ୍କ ପ୍ରାପ୍ୟ ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ସେମାନେ ସରକାର ଛୁଟି ଦିବସ ବ୍ୟତୀତ ଅତି କମ୍ ରେ ମାସରେ ୨୦ ଦିନ କାର୍ଯ୍ୟ କରିବେ। ଶିକ୍ଷକମାନେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସମାନୁପାତିକ ଭାବରେ ଶିକ୍ଷାଦାନ କରିବେ ଏବଂ ଆବଶ୍ୟକ ସ୍ଥଳେ ଦଶମ ଶ୍ରେଣୀକୁ ଅଧିକ ଗୁରୁତ୍ୱ ଦିଆଯିବ। ଏହି ଶିକ୍ଷକମାନଙ୍କର କାର୍ଯ୍ୟଦକ୍ଷତା ନିୟମିତ ଆଧାରରେ ସମୀକ୍ଷା କରାଯିବ।

ସେହିପରି ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକଙ୍କୁ ଖାଲି ପଡ଼ିଥିବା ଶିକ୍ଷକ ପଦବୀରେ ନିୟୋଜନ ନିମନ୍ତେ ମନ୍ତ୍ରୀ ଶ୍ରୀ ମିଶ୍ର ବିଭାଗୀୟ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରାଙ୍କ ସହିତ ଆଲୋଚନା କରି ଅର୍ଥ ବିଭାଗର ଅନୁମୋଦନ ଆଣିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

ଆଧାର : "odiapua"

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top