ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ,୨୦୦୯
ସେଆର କରନ୍ତୁ

ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ,୨୦୦୯

୬ ରୁ ୧୪ ବର୍ଷ ଭିତରେ ଥିବା ରାଜ୍ୟର ସମସ୍ତ ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଦେବା ପାଇଁ ୨୦୦୯ ରେ ଆଇନ ପ୍ରଣୟନ କରାଗଲା ।

ପ୍ରାରମ୍ଭିକ ପରିଚୟ

୧. (୧) ଏହି ଆଇନକୁ ଶିଶୁର ‘ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାରୀ ଆଇନ,୨୦୦୯”ରେ ନାମିତ କରାଯିବ ।

(୨) ଜାମ୍ମ ଓ କାଶ୍ମୀର ବ୍ୟତୀତ ଭାରତର ଅନ୍ୟ ସବୁ ରାଜ୍ୟ ପ୍ରତି ଏହି ଆଇନ ଲାଗୁ ହେବ ।

(୩) କେନ୍ଦ୍ର ସରକାରଙ୍କ ରାଜପତ୍ରରେ ବିଜ୍ଞାପିତ ନିର୍ଦ୍ଦିଷ୍ଟ ତାରିଖ ଠାରୁ ଏହି ଆଇନ କାର୍ଯ୍ୟକାରୀ ହେବ ।

୨. ଏହା ଆଇନରେ ସଂଯୋଜିତ ଶବ୍ଦଗୁଡିକ ଭିନ୍ନ ଅର୍ଥ ଆବଶ୍ୟକ କରୁନଥିଲେ,ତାହା ନିମ୍ନମତେ ବୁଝାଇବ –

(କ) “ଉପଯୁକ୍ତ ସରକାର” ଅର୍ଥ –

  1. I.            କେନ୍ଦ୍ର ସରକାରଙ୍କ ଦ୍ଵାରା ବା ବିଧାନସଭା ନଥିବା କେନ୍ଦ୍ରଶାସିତ ଅଞ୍ଚଳର  ପ୍ରଶାସନ ଦ୍ଵାରା ପ୍ରତିଷ୍ଠିତ,ସ୍ଵତ୍ତ୍ଵାଧୀନ ବା ନିୟନ୍ତ୍ରିତ ବିଦ୍ୟାଳୟଗୁଡିକ କ୍ଷେତ୍ରରେ –‘କେନ୍ଦ୍ର ସରକାର’ ;
  2. II.            ଉପଧାରା (I)ରେ ଦିଆଯାଇଥିବା ବିଦ୍ୟାଳୟ ବ୍ୟତୀତ ଯଦି ଅନ୍ୟ କୌଣସି ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥାଏ, ତେବେ –
    1. ରାଜ୍ୟସରକାରଙ୍କ ଶାସନଭୁକ୍ତ ଅଞ୍ଚଳରେ ରାଜ୍ୟ ସରକାର
    2. ରାଜ୍ୟରେ ବିଧାନସଭା ଅଥବା ବିଧାନସଭା ଥିବା କେନ୍ଦ୍ରଶାସିତ ଅଞ୍ଚଳର ସରକାର ।

(ଖ) “କ୍ୟାପିଟେସନ୍” ଅର୍ଥାତ୍ ଶିକ୍ଷାନୁଷ୍ଠାନ ବା ବିଦ୍ୟାଳୟ ଦ୍ଵାରା ବିଜ୍ଞାପିତ ହୋଇ ନଥିବା ମୁଣ୍ଡପିଛା ଦେୟ,ଦାନ କିମ୍ବା ସହାୟତା ରାଶି ଦାବି

(ଗ)”ଶିଶୁ “ ଅର୍ଥାତ୍ ୬ବର୍ଷରୁ ୧୪ ବଯସର ବାଳକ କିମ୍ବା ବାଳିକା

(ଘ ) “ଅସୁବିଧାରେ ଚାଲୁଥିବା ବର୍ଗର ଶିଶୁ “ଅର୍ଥାତ୍ ଅନୁସୂଚିତଜାତି,ଅନୁସୂଚିତ ଜନଜାତି,ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ଶ୍ରେଣୀ ଅଥବା ଉପଯୁକ୍ତ ସରକାରଙ୍କ ଦ୍ଵାରା ଅଧିସୂଚିତ ନିର୍ଦ୍ଦିଷ୍ଟ ଅଞ୍ଚଳର ପଛୁଆବର୍ଗ , ଅର୍ଥନୈତିକ,ସାମାଜିକ, ଭାଷାଗତ, ସାଂସ୍କୃତିକ,ଲିଙ୍ଗଗତ,ସ୍ଥାନବିଶେଷରେ ଭୌଗୋଳିକ ଅବସ୍ଥିତି ଜନିତ ଅନୁନ୍ନତତାକୁ ବୁଝାଏ ।

(ଙ )“ଦୁର୍ବଳ ସାମାଜିକ ଶ୍ରେଣୀର ଶିଶୁ “ ଅର୍ଥାତ୍,ଉପଯୁକ୍ତ ସରକାରଙ୍କ ଦ୍ଵାରା ଅଧିସୂଚିତ ସର୍ବନିମ୍ନ ବାର୍ଷିକ ଆୟରୁ କମ୍ ଆୟ ସଂପନ୍ନ ପିତାମାତା /ଅଭିଭାବକଙ୍କର ସନ୍ତାନ

(ଚ) ‘ଏଲିମେଣ୍ଟାରୀ ଶିକ୍ଷା’ ବା ‘ପ୍ରାରମ୍ଭିକ ଶିକ୍ଷା’ ଅର୍ଥାତ୍ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିର୍ଦ୍ଧାରିତ ପାଠ୍ୟକ୍ରମ ଅନୁସାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ;

(ଛ) ‘ଅଭିଭାବକ’ ଅର୍ଥାତ୍ ଶିଶୁର  ଯତ୍ନ  ଓ ସୁରକ୍ଷା ଦାୟିତ୍ଵ ନେଉଥିବା ବ୍ୟକ୍ତି । ଶିଶୁର ସେ ପ୍ରାକୃତିକ ଅଭିଭାବକ (ମାଆ ବାପା) ବା ନିଯୁକ୍ତି ଅଭିଭାବକ ଅଥବା ଅଦାଲତ ବା ଆଇନ ଦ୍ଵାରା ଘୋଷିତ ଅଭିଭାବକ ହୋଇପାରନ୍ତି;

(ଜ )’ସ୍ଥାନୀୟ କର୍ତ୍ତୃପକ୍ଷ’ ଅର୍ଥାତ୍ ନଗରନିଗମ,ପୌରପରିଷଦ ବା ଜିଲ୍ଲା ପରିଷଦ କିମ୍ବା ନଗର ପଞ୍ଚାୟତ ବା ପଞ୍ଚାୟତର କର୍ତ୍ତୃପକ୍ଷ ଏବଂ ବିଦ୍ୟାଳୟ ଉପରେ ପ୍ରାଶାସନିକ ନିୟନ୍ତ୍ରଣ ଥିବା କୌଣସି କର୍ତ୍ତୃପକ୍ଷ;

(ଝ) ‘ଶିଶୁ ଅଧିକାର ସୁରକ୍ଷା ପାଇଁ ଜାତୀୟ ଆୟୋଗ  “ଅର୍ଥାତ୍ ଶିଶୁ ଅଧିକାର ସୁରକ୍ଷା ଆଇନ,୨୦୦୫ (୨୦୦୬ର ଆଇନ )ର ଧାରା ୩ରେ ଗଠିତ ‘ଶିଶୁ ସୁରକ୍ଷା ପାଇଁ ଜାତୀୟ ଆୟୋଗ’ ;

(ଞ) ‘ବିଜ୍ଞପ୍ତି’ ଅର୍ଥ ସରକାରୀ ରାଜପତ୍ରରେ ପ୍ରକାଶିତ ବିଜ୍ଞପ୍ତି ;

(ଟ) ’ମାତାପିତା’ ଅର୍ଥାତ୍ ପ୍ରାକୃତିକ କିମ୍ବା ଆଇନ ଅନୁସାରେ ପୋଷ୍ୟ ମାତାପିତା କିମ୍ବା ସାବତ ମାଆବାପା ;

(ଠ) ‘ଧାର୍ଯ୍ୟ’ ଅର୍ଥାତ୍ ଏହି ଆଇନ ଅନୁସାରେ ଧାର୍ଯ୍ୟ

(ଡ )’ଅନୁସୂଚୀ’ ଅର୍ଥାତ୍ ଏହି ଆଇନରେ ଯୋଗଯାଇଥିବା ଅନୁସୂଚୀ

(ଢ )’ବିଦ୍ୟାଳୟ’ ଅର୍ଥାତ୍ ପ୍ରାରମ୍ଭିକ/ପ୍ରାଥମିକ ଶିକ୍ଷା ଯୋଗାଉଥିବା କୌଣସି ସ୍ଵୀକୃତିପ୍ରାପ୍ତ ବିଦ୍ୟାଳୟ ଏବଂ ଏଥିରେ ସାମିଲ ରହିଛି-

  1. I.            ଉପଯୁକ୍ତ ସରକାରୀ କିମ୍ବା କୌଣସି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତିଷ୍ଠିତ, ସ୍ଵତ୍ତ୍ଵଅଧିକାରୀ ସମ୍ପନ୍ନ ବା ନିୟନ୍ତ୍ରିତ ବିଦ୍ୟାଳୟ;
  2. II.            ଉପଯୁକ୍ତ  ସରକାର ବା ଆଞ୍ଚଳିକ କତ୍ତୃପକ୍ଷଙ୍କ ଠାରୁ ସଂପୂର୍ଣ୍ଣଭାବେ ବା ଆଂଶିକ ଭାବେ ନିଜର ବ୍ୟୟ ଭରଣା ପାଇଁ ସହାୟତା ବା ଅନୁଦାନ ପାଉଥିବା ଏକ ସହାୟତାପ୍ରାପ୍ତ ବିଦ୍ୟାଳୟ;
  3. III.            ସ୍ଵତନ୍ତ୍ର ବର୍ଗର କୌଣସି ବିଦ୍ୟାଳୟ,ଏବଂ
  4. IV.            ବ୍ୟୟ ଭରଣା ପାଇଁ ଉପଯୁକ୍ତ ସରକାରଙ୍କ ଠାରୁ କୌଣସି ସହାୟତା/ଅନୁଦାନ ନେଉ ନଥିବା ବିଦ୍ୟାଳୟ ।

(ଣ)’ବିଦ୍ୟାଳୟରେ ନାମ ଲେଖା ନିମନ୍ତେ ଯାଞ୍ଚ ପ୍ରଣାଳୀ” ଅର୍ଥ – ଶିଶୁର ନାମ ଲେଖା ପାଇଁ ରେଣ୍ଡମ୍ ପଦ୍ଧତିର ଅନୁସରଣ ନ କରି ଯେ କୌଣସି ପ୍ରକାର ଚୟନ ପ୍ରଣାଳୀ ।

(ତ) ‘ଏକ ବିଦ୍ୟାଳୟ ସଂପର୍କିତ ନିର୍ଦ୍ଧାରିତ ବର୍ଗର” ଅର୍ଥ – କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ଓ ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ସୈନିକ ସ୍କୁଲ୍ କିମ୍ବା ଉପଯୁକ୍ତ ସରକାର (କେନ୍ଦ୍ର ସରକାର/ରାଜ୍ୟ ସରକାର)ଙ୍କ ବିଜ୍ଞପ୍ତିମତେ  ନିର୍ଦ୍ଦିଷ୍ଟ /ପୃଥକ୍ ବର୍ଗର ଅନ୍ୟ କୌଣସି ବିଦ୍ୟାଳୟ ।

(ଥ) ‘ଶିଶୁ ଅଧିକାର ସୁରକ୍ଷା ପାଇଁ ରାଜ୍ୟ ଆୟୋଗର” ଅର୍ଥ – ଶିଶୁ ସୁରକ୍ଷା ଆଇନ,୨୦୦୫ ପାଇଁ ଆୟୋଗସମୂହର ଧାରା-୩ ଅଧୀନରେ ଗଠିତ ‘ଶିଶୁ ଅଧିକାର ସୁରକ୍ଷା ପାଇଁ ରାଜ୍ୟ ଆୟୋଗ’

 

ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର

୩.(୧) ୬ ରୁ ୧୪ ବର୍ଷ ବୟସର ପ୍ରତ୍ୟେକ ଶିଶୁର ପ୍ରାଥମିକ ଶିକ୍ଷା ସରିବା ପର୍ଯ୍ୟନ୍ତ ପାଖ ବିଦ୍ୟାଳୟରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇବାର ଅଧିକାର ରହିବ ।

(୨) ଉପଧାରା (୧): କୌଣସି ଶିଶୁକୁ କୌଣସି ପ୍ରକାର ଚାନ୍ଦା,ଦେୟ ବା ଫିସ୍ ଦେବାକୁ ପଡିବ ନାହିଁ । କାରଣ ତାହା ହୁଏତ     ଶିଶୁକୁ ପଢିବାରୁ ବଞ୍ଚିତ କରିବ ବା ପ୍ରାଥମିକଶିକ୍ଷା ସାରିବାରେ ବାଧା ସୃଷ୍ଟି କରିବ ।

ଭିନ୍ନକ୍ଷମ ବ୍ୟକ୍ତିଙ୍କ ନିମିତ୍ତ (ସମାନ ସୁବିଧା ସୁଯୋଗ,ଅଧିକରାର ସୁରକ୍ଷା ଓ ସଂପୂର୍ଣ୍ଣ ସହଯୋଗିତା ପ୍ରଦାନ )ର ଧାରା -୨(i)  ଅନୁଯାୟୀ ଅକ୍ଷମତା ଭୋଗୁଥିବା ଶିଶୁ ଏହି ଆଇନର ପଞ୍ଚମ ଅଧ୍ୟାୟରେ ଥିବା ବ୍ୟବସ୍ଥାମତେ ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ପାଇପାରିବେ ।

୪. ଯଦି ୬ବର୍ଷରୁ ବେଶି ସମୟର କୌଣସି ବିଦ୍ୟାଳୟରେ ନାମ ଲେଖାଈ  ନାହିଁ କିମ୍ବା ବିଦ୍ୟାଳୟକୁ ଯାଇ ପ୍ରାଥମିକ ଶିକ୍ଷା ସାରି ନାହିଁ,ତେବେ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ତାଙ୍କର  ନାମ ଲେଖାଇ ଦିଆଯିବ ।

ଯଦିଓ ସିଧାସଳଖ ଭାବେ ଜଣେ ଶିଶୁକୁ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇ ଦିଆଯାଏ,ସେଠାରେ ଶିଶୁଟି ଅନ୍ୟ ଶିଶୁମାନଙ୍କ ସମକକ୍ଷ ହେବାକୁ ସ୍ଵତନ୍ତ୍ର ପ୍ରଶିକ୍ଷଣ  ପାଇବାର ଅଧିକାରୀ ରହିଛି; ଏବଂ ସେହି ଶିଶୁ ୧୪ ବର୍ଷ ପରେ ମଧ୍ୟ ପ୍ରାଥମିକ ଶିକ୍ଷା ସମାପ୍ତ ହେବା ପର୍ଯ୍ୟନ୍ତ ମାଗଣା ଶିକ୍ଷା ପାଇବାକୁ ସମୟସୀମା ଧାର୍ଯ୍ୟ ହୋଇପାରେ ।

୫. (୧) ଯେଉଁ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ସାରିବାର ବ୍ୟବସ୍ଥା ନାହିଁ,ସେଠାରେ ନାମ ଲେଖାଇଥିବା ଶିଶୁମାନେ ପ୍ରାଥମିକ ଶିକ୍ଷା ସମାପ୍ତି ପାଇଁ ଉପରଶ୍ରେଣୀ ଥିବା ଅନ୍ୟ ବିଦ୍ୟାଳୟକୁ ଯିବାର ଅଧିକାର ରହିଛି । ତେବେ ଶିକ୍ଷା ଆଇନର ଧାରା ୨(ଏନ୍) ର ଉପଧାରା (iii)  ଓ  (iv)ରେ ସୂଚିତ ବିଦ୍ୟାଳୟଗୁଡିକ ଏଥିରୁ ବାଦ୍ ପଡିବ ।

(୨) କୌଣସି ବି କାରଣ ପାଇଁ ଯଦି ରାଜ୍ୟ ମଧ୍ୟରେ କିମ୍ବା ରାଜ୍ୟ ବାହାରେ ଥିବା କୌଣସି ବିଦ୍ୟାଳୟକୁ  ଶିଶୁ ବଦଳି ହେବାକୁ ଚାହୁଁଥାଏ,ତେବେ ସେ ବଦଳି ପ୍ରମାଣପତ୍ର ପାଇବାକୁ ହକ୍ ଦାର। ତେବେ ଶିକ୍ଷା ଆଇନର ଭାଗ -୨ର ଧାରା (ଢ )ର ଉପଧାରା (iii)  ଏବଂ  (iv)ରେ ସୂଚିତ ବିଦ୍ୟାଳୟଗୁଡିକ ଏଥିରୁ ବାଦ୍ ପଡିବ ।

(୩ ) ବିଦ୍ୟାଳୟ ପରିବର୍ତ୍ତନ କରିବାକୁ ଚାହୁଁଥିବା ଶିଶୁକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତତ୍ କ୍ଷଣାତ୍ ବଦଳି ପ୍ରମାଣପତ୍ର ପ୍ରଦାନ କରିବେ । ପରନ୍ତୁ ‘ବଦଳି ପ୍ରମାଣପତ୍ର ‘ ପ୍ରଦାନରେ ବିଳମ୍ବଜନିତ କାରଣ ଯେପରି ଶିଶୁକୁ ଅନ୍ୟ ବିଦ୍ୟାଳୟରେ ପ୍ରବେଶାନୁମତିର କାରଣ ହେବ ନାହିଁ । ଅଧିକନ୍ତୁ,ବଦଳି ପ୍ରମାଣପତ୍ର ଦେବାରେ ବିଳମ୍ବ କରିଥିବା ପ୍ରଧାନଶିକ୍ଷକଙ୍କୁ ତାଙ୍କ ପ୍ରତି ପ୍ରଯୋଜ୍ୟ ଚାକିରି ସର୍ତ୍ତାବଳୀ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ଉପଯୁକ୍ତ ସରକାର,ସ୍ଥାନୀୟ କର୍ତ୍ତୃପକ୍ଷ ଓ ମାତାପିତାଙ୍କ କର୍ତ୍ତବ୍ୟ

୬. ଏହି ଆଇନ ଲାଗୁ ହେବାର ୩ ବର୍ଷ ମଧ୍ୟରେ ଏହାର ବିଧିବିଧାନଗୁଡିକୁ କାର୍ଯ୍ୟକାରୀ କରିବାକୁ ଉପଯୁକ୍ତ ସରକାର ଓ ସ୍ଥାନୀୟ କର୍ତ୍ତୃପକ୍ଷ, ଯେଉଁଠାରେ ପ୍ରାଥମିକ ବିଦ୍ୟାଳୟ ନାହିଁ ,ସେଠାରେ ବିଦ୍ୟାଳୟ ପ୍ରତିଷ୍ଠା କରିବେ । ଘରଠାରୁ ତେବେ ଦୂରରେ କେଉଁପ୍ରକାର ବିଦ୍ୟାଳୟ ପ୍ରତିଷ୍ଠା କରିବେ, ତାହା କରିବେ ।

୭.(୧) ଏହି ଆଇନର ବ୍ୟବସ୍ଥାଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ପାଣ୍ଠିଯୋଗାଡ ବ୍ୟବସ୍ଥା ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ମିଳିତ ଦାୟିତ୍ଵ ରହିବ ।

(୨) ଆଇନର ବ୍ୟବସ୍ଥାଗୁଡିକର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଭିତ୍ତିଭୂମି ବିକାଶର ଅଟକଳ ଓ ଦୈନନ୍ଦିନ ବ୍ୟୟର ଏକ ଅଟକଳ ପ୍ରସ୍ତୁତି କରିବେ ।

(୩) ରାଜ୍ୟ ସରକାରଙ୍କ ସହ ପରାମର୍ଶ କ୍ରମେ, ଏହି ଆଇନର ଉପଧାରା (୨) ରେ ପ୍ରଦତ୍ତ ଓ ନିର୍ଦ୍ଧାରିତ ମତେ, ବିଦ୍ୟାଳୟ ପ୍ରତିଷ୍ଠା ଓ ପରିଚାଳନାଜନିତ ବ୍ୟୟଭାରର ନିର୍ଦ୍ଦିଷ୍ଟ  ପ୍ରତିଶତ ପରିମାଣର ଅର୍ଥରାଶି ରାଜସ୍ଵ ଅନୁଦାନ ଆକାରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ।

(୪) ସମ୍ବିଧାନ ନିୟମ ୨୮୦ ର ଧାରା-୩ର ଉପଧାରା (ଘ) ଅଧୀନରେ କୌଣସି ରାଜ୍ୟ ସରକାରଙ୍କୁ ଅତିରିକ୍ତ ଆର୍ଥିକ ସମ୍ବଳ ଅନୁଦାନର ଆବଶ୍ୟକତା ସଂପର୍କରେ ପରୀକ୍ଷଣ ପାଇଁ ଜାତୀୟ ଅର୍ଥ ଆୟୋଗଙ୍କୁ ନିର୍ଦେଶ ଦେବା ପାଇଁ କେନ୍ଦ୍ର ସରକାର ମାନ୍ୟବର ରାଷ୍ଟ୍ରପତିଙ୍କୁ ଅନୁରୋଧ କରିପାରନ୍ତି,ଯଦ୍ୱାରା ସେହି ରାଜ୍ୟ ସରକାର,ଆଇନର ବ୍ୟବସ୍ଥାଗୁଡିକୁ କାର୍ଯ୍ୟକାରୀ କରିବା ନିମନ୍ତେ ନିଜ ଅଂଶ ପାଇଁ ପାଣ୍ଠି ବ୍ୟବସ୍ଥା କରିବେ ।

(୫) ଉପଧାରା (୪) ର ବିଧିବ୍ୟବସ୍ଥାକୁ ଖିଲାପ ନ କରି,ରାଜ୍ୟ ସରକାର ଉପଧାରା (୩) ଅନୁସାରେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଅନୁଦାନ ଓ ଅତିରିକ୍ତ ସମ୍ବଳ ଓ ଅନ୍ୟାନ୍ୟ ଉତ୍ସରୁ ପ୍ରାପ୍ତ ସମ୍ବଳକୁ ନେଇ ସଂପୃକ୍ତ ରାଜ୍ୟ ସରକାର ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ଉତ୍ତରଦାୟୀ ରହିବେ ।

(୬) କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟ –

କ) ଧାରା -୨୯ରେ ନିର୍ଧାରିତ କର୍ତ୍ତୃପକ୍ଷଙ୍କ ସହଯୋଗରେ ଜାତୀୟ ପାଠ୍ୟକ୍ରମର ଏକ ଖସଡା ପ୍ରସ୍ତୁତ କରିବେ ।

ଖ) ଶିକ୍ଷକମାନଙ୍କର ପ୍ରଶିକ୍ଷଣ ପାଇଁ ମାନକ ପ୍ରସ୍ତୁତି କରି ତାହାକୁ କାର୍ଯ୍ୟକ୍ଷମ କରିବେ ।

ଗ) ଗବେଷଣା,ଯୋଜନାପ୍ରସ୍ତୁତି,ସାମର୍ଥ୍ୟ ଗଠନ ଓ ନୂତନତ୍ଵ ଆଣିବା ପାଇଁ ବୈଷୟିକ ଓ ସମ୍ବଳ ସହାୟତା ରାଜ୍ୟ ସରକାରଙ୍କୁ ଯୋଗାଇ ଦେବେ ।

୮. ଉପଯୁକ୍ତ ସରକାର

କ)    ସବୁ ଶିଶୁଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା କରିବେ :

ଏଥିପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଉପଯୁକ୍ତ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତିଷ୍ଠିତ,ମାଲିକାନାରେ ଚାଳିତ,ନିୟନ୍ତ୍ରିତ କିମ୍ବା ଆର୍ଥିକ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ ବ୍ୟତୀତ ଅନ୍ୟ କୌଣସି ବିଦ୍ୟାଳୟରେ ଯଦି ଶିଶୁ ପଢୁଥାଏ ବା ଅଭିଭାବକ ପଢାଉଥାନ୍ତି,ତେବେ ସରକାରଙ୍କ ପ୍ରଣୀତ ‘ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଆଇନ ‘ଅନୁଯାୟୀ ସେହି ବିଦ୍ୟାଳୟରୁ ସେହି ଶିଶୁ ବା ତା’ର ଅଭିଭାବକ କୌଣସି ପ୍ରକାର ଆର୍ଥିକ ସହଯୋଗ ବା ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ଦାବୀ କରିପାରିବେ ନାହିଁ ।

ବ୍ୟାଖ୍ୟା :- ‘ ବାଧ୍ୟତାମୂଳକ ଶିକ୍ଷା ‘ର ଅର୍ଥ ହେଉଛି ନିମ୍ନଲିଖିତ ନିୟମଗୁଡିକ ପ୍ରତି ସରକାରଙ୍କର ଦାୟିତ୍ଵବଦ୍ଧତା ।

(i)                ୬ ରୁ ୧୪ ବର୍ଷ ବୟସର ପ୍ରତ୍ୟେକ ଶିଶୁଙ୍କୁ ମାଗଣା ପ୍ରାଥମିକ ଶିକ୍ଷା ଯୋଗାଇବା ; ବା

(ii)              ୬ ରୁ ୧୪ ବର୍ଷ ବୟସର ପ୍ରତ୍ୟେକ ଶିଶୁଙ୍କର ବିଦ୍ୟାଳୟରେ ନାମଲେଖା, ଉପସ୍ଥାନ  ଓ ପ୍ରାଥମିକ ଶିକ୍ଷା ସମାପ୍ତି ନିଶ୍ଚିତ  କରିବା ।

(ଖ) ଆଇନର ଧାରା ୬ ମତେ ଶିଶୁର ଘରପାଖରେ ବିଦ୍ୟାଳୟ ବ୍ୟବସ୍ଥା ନିଶ୍ଚିତ କରାଇବେ ।

(ଗ) ଦୁର୍ବଳ ଶ୍ରେଣୀର ଶିଶୁ ଓ ସୁବିଧାରୁ ବଞ୍ଚିତ ଶ୍ରେଣୀର ଶିଶୁମାନେ ବିଦ୍ୟାଳୟରେ ଯେପରି କୌଣସି ବାଛବିଚାରର ଶିକାର ନହେବେ ଏବଂ ବାଧାମୁକ୍ତ ଭାବେ ପ୍ରାଥମିକ ଶିକ୍ଷା ଶେଷ କରିବେ,ତାହାକୁ ନିଶ୍ଚିତ କରିବେ ।

(ଘ) ବିଦ୍ୟାଳୟ ଗୃହ,ଶିକ୍ଷା ଓ ଶିକ୍ଷଣ ସାମଗ୍ରୀ ସମେତ ଆନୁଷଙ୍ଗିକ ଉତ୍ତମ ଭିତ୍ତିଭୂମି ଯୋଗାଇ ଦେବା ।

(ଙ) ଧାରା-୪ ମତେ ସ୍ଵତନ୍ତ୍ର ପ୍ରଶିକ୍ଷଣ ସୁବିଧା ଯୋଗାଇ ଦେବା

(ଚ) ପ୍ରାଥମିକ ଶିକ୍ଷା ଅନୁସୂଚୀ ମତେ ଗୁଣାତ୍ଜକ ମାନର ପ୍ରାଥମିକ ଶିକ୍ଷା ପ୍ରଦାନକୁ ନିଶ୍ଚିତ କରିବା

(ଛ ) ପ୍ରାଥମିକ ଶିକ୍ଷା ନିମନ୍ତେ ଯଥାସମୟରେ ପାଠ୍ୟଖସଡା ସଂପୂର୍ଣ୍ଣ କରିବା ଓ ଶିକ୍ଷାର ବିଷୟ ନିର୍ଧାରଣ କରିବା ।

(ଜ) ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ସୁବିଧା ଯୋଗାଇ ଦେବା ।

୯. ପ୍ରତ୍ୟେକ ସ୍ଥାନୀୟ କର୍ତ୍ତୃପକ୍ଷ –

(କ) ପ୍ରତ୍ୟେକ ଶିଶୁକୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇଦେବା । ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଉପଯୁକ୍ତ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତିଷ୍ଠିତ,ମାଲିକାନାରେ ଚାଳିତ,ନିୟନ୍ତ୍ରିତ କିମ୍ବା ଆର୍ଥିକ ସାହାଯ୍ୟପ୍ରାପ୍ତ କୌଣସି ବିଦ୍ୟାଳୟ ଭିନ୍ନ ଅନ୍ୟ କୌଣସି ବିଦ୍ୟାଳୟରେ ଶିଶୁ ପଢୁଥିଲେ,ସେହି ଶିଶୁ ବା ଅଭିବାବକ ଏହି ସରକାରୀ ‘ମାଗଣା’ ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଆଇନ’ ଅନୁଯାୟୀ କୌଣସି ପ୍ରକାର ଆର୍ଥିକ ସହଯୋଗ ଓ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ଦାବି କରିପାରିବେ ନାହିଁ ।

(ଖ) ଧାରା – ୬ ମତେ ବସତିର ଆଖପାଖରେ ଗୋଟିଏ ବିଦ୍ୟାଳୟ ବ୍ୟବସ୍ଥା କରିବେ ।

 

(ଗ) ଦୁର୍ବଳ ଶ୍ରେଣୀର ଓ ସୁବିଧାରୁ ବଞ୍ଚିତ ଶ୍ରେଣୀର କୌଣସି ଶିଶୁ ଯେପରି ପ୍ରାଥମିକ ବିଦ୍ୟାଳୟରେ ଭେଦଭାବର ଶିକାର ନହୋଇ ବାଧାମୁକ୍ତ ଭାବେ ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ କରିବେ, ତାହା ସୁନିଶ୍ଚିତ କରାଇବେ ।

(ଘ) ବିଦ୍ୟାଳୟର ଆଖପାଖ ଅଞ୍ଚଳରେ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ସବୁ ଶିଶୁଙ୍କର ‘ସାମୁଦାୟକ ବିବରଣୀ’ ଲିପିବଦ୍ଧ କରିବେ।

(ଙ) ବିଦ୍ୟାଳୟ ଆଖପାଖ ଅଞ୍ଚଳରେ ରହୁଥିବା ସବୁ ଶିଶୁ ଯେପରି ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବେ, ଶ୍ରେଣୀରେ ନିୟମିତ ଉପସ୍ଥିତ ରହିବେ; ଏବଂ ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ କରିବେ ,ତାହା ସୁନିଶ୍ଚିତ କରାଇବେ ।

(ଚ) ବିଦ୍ୟାଳୟ ଗୃହ , ଶିକ୍ଷକ,କର୍ମଚାରୀ ଓ ଶିକ୍ଷଣସାମଗ୍ରୀ ସମେତ ସବୁ ଆନୁଷଙ୍ଗିକ ଭିତ୍ତିଭୂମିର ସୁବ୍ୟବସ୍ଥା କରିବେ ।

(ଛ) ଧାରା-୪ ଅନୁଯାୟୀ ସ୍ଵତନ୍ତ୍ର ପ୍ରଶିକ୍ଷଣର ସୁବିଧା ଯୋଗାଇବେ ।

(ଜ) ଉପଯୁକ୍ତ ଗୁଣାତ୍ଜକ ପ୍ରାଥମିକ ଶିକ୍ଷା ପ୍ରଦାନ ହେଉଥିବା ନିଶ୍ଚିତ କରାଇବେ ।

(ଝ) ଠିକ୍ ସମୟରେ ପ୍ରାଥମିକ ଶିକ୍ଷାର ପାଠ୍ୟକ୍ରମ ଓ ଶିକ୍ଷାର ବିଷୟବସ୍ତୁ ଧାର୍ଯ ହେଉଥିବା ସଂକ୍ରାନ୍ତେ ନିଶ୍ଚିତ ହେବେ ।

(ଞ) ଶିକ୍ଷକମାନଙ୍କ ପାଇଁ ପ୍ରଶିକ୍ଷଣର ସୁବିଧା କରିବେ ।

(ଟ) ଜୀବିକା ପାଇଁ ଦେଶାନ୍ତର ହେଉଥିବା ପରିବାରର ଶିଶୁମାନଙ୍କର ବିଦ୍ୟାଳୟରେ ନାମଲେଖାକୁ ନିଶ୍ଚିତ କରିବେ ।

(ଠ) ଆଖପାଖ ଅଞ୍ଚଳର ବିଦ୍ୟାଳୟଗୁଡିକର କାର୍ଯ୍ୟ ପର୍ଯବେକ୍ଷଣ କରିବେ ,ଏବଂ

(ଡ) ଶିକ୍ଷାପ୍ରଦାନର ଦିନପଞ୍ଜିକା ସ୍ଥିର କରିବେ ।

୧୦. ଆଖପାଖ ବିଦ୍ୟାଳୟରେ ନିଜର ଝିଅପୁଅ ବା ପାଳିତ ଝିଅପୁଅ ଯେପରି ନାମଲେଖାଇ ପ୍ରାଥମିକ ଶିକ୍ଷା ପାଇବେ, ତାହା ସବୁ ମାଆବାପା, ଅଭିଭାବକଙ୍କର ଦାୟିତ୍ଵ ।

୧୧. ୩ ବର୍ଷରୁ ଅଧିକ ବୟସର ଶିଶୁଙ୍କୁ ୬ ବର୍ଷ ହେବା ପର୍ଯ୍ୟନ୍ତ ଯତ୍ନ ଓ ଶିକ୍ଷା ଯୋଗାଇ ଦେବା ନିମନ୍ତେ ଉପଯୁକ୍ତ ସରକାର ଶିଶୁମାନଙ୍କ ପାଇଁ ମାଗଣା  ପ୍ରାକ୍  ବିଦ୍ୟାଳୟ ଶିକ୍ଷା ଯୋଗାଇବାରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବେ ।

ବିଦ୍ୟାଳୟଗୁଡିକର ଓ ଶିକ୍ଷକମାନଙ୍କର ଦାୟିତ୍ଵ

୧୨. (୧)  ଏହି ଆଇନର ଉଦ୍ଦେଶ୍ୟଗୁଡିକର ପୂରଣ ପାଇଁ ଏକ ବିଦ୍ୟାଳୟ –

(କ)  ଧାରା – ୨ (ଢ) (i) ର ବିଧି ଅନୁସାରେ ନାମ ଲେଖାଯାଇଥିବା ସବୁ ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଯୋଗାଇଦେବେ ।

(ଖ) ଧାରା – ୨ (ଢ) (ii) ର ବିଧି  ଅନୁସାରେ ବାର୍ଷିକ ଆବର୍ତ୍ତିକ ଖର୍ଚ୍ଚ ଭରଣା ନିମିତ୍ତ ସଂପୂର୍ଣ୍ଣ ବା ଆଂଶିକ ଅନୁଦାନ ପାଇଥିବା ବିଦ୍ୟାଳୟଗୁଡିକ ପାଉଥିବା ଅନୁଦାନର ଆନୁପାତିକ ହାରରେ ଶିଶୁମାନଙ୍କୁ ମାଗଣା ଶିକ୍ଷା ଯୋଗାଇଦେବା । ଏହି ହାର ୨୫ ପ୍ରତିଶତରୁ କମ୍ ହେବ ନାହିଁ ।

(ଗ) ଧାରା – ୨(ଢ) (iii) ଓ (iv)ର ବିଧି ଅନୁସାରେ ପ୍ରଥମ ଶ୍ରେଣୀରେ (୧) ସେହି ଶ୍ରେଣୀ କ୍ଷମତାର ଅନ୍ୟୂନ ୨୫ପ୍ରତିଶତ ଶିଶୁ ଆଖପାଖର ଦୁର୍ବଳ ଶ୍ରେଣୀର ଓ ସୁବିଧାରୁ ବଞ୍ଚିତ ଗୋଷ୍ଠୀର ଶିଶୁଙ୍କ ନାମ ଲେଖାଇ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇବେ ।

ପୁନଶ୍ଚ, ଧାରା (୨)(ଢ) ର ବିଧି ମତେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଦେଉଥିବା ବିଦ୍ୟାଳୟଗୁଡିକର ପ୍ରାକ୍ ପ୍ରାଥମିକ ଶ୍ରେଣୀରେ ନାମ ଲେଖାଇବା ପାଇଁ ଧାରା (a) ରୁ  (c) ପ୍ରଯୁଜ୍ୟ ହେବ ।

(୨) ଧାରା ୨ ର (n) (iv) ର ବିଧି ଅନୁସାରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇଥିବା ଗୋଟିଏ ବିଦ୍ୟାଳୟ ଉପଧାରା (୧) (c) ଅନୁସାରେ ପ୍ରତି ଶିଶୁ ପିଛା ରାଜ୍ୟ କରୁଥିବା ଖର୍ଚ କିମ୍ବା ପ୍ରତି ଶିଶୁ ଠାରୁ ନିଆଯାଉଥିବା ପ୍ରକୃତ ପରିମାଣର ଅର୍ଥ ମଧ୍ୟରୁ ଯେଉଁଟି କମ୍ ବା ଯେଉଁପରି ଭାବରେ ଧାର୍ଯ୍ୟ କରାଯାଇଥିବ, ତାହା ଫେରି ପାଇବ ।

  • ପୁନଶ୍ଚ ଧାରା ୨(n) (i) ଅନୁସାରେ ଶିଶୁ ପିଛା କରାଯାଉଥିବା ଖର୍ଚ ଠାରୁ ପ୍ରାପ୍ତ ଅର୍ଥ ପରିମାଣ ଅଧିକ ହେବ ନାହିଁ ।
  • ପୁନଶ୍ଚ କୌଣସି ବିଦ୍ୟାଳୟ ଯଦି ସରକାରଙ୍କ ଠାରୁ ମାଗଣାରେ ବା ରିହାତି ଦରରେ ଜମି, କୋଠାଘର, ଶିକ୍ଷଉପକରଣ କିମ୍ବା ଅନ୍ୟାନ୍ୟ ସୁବିଧା ପାଇଥିଲେ ସେହି ବିଦ୍ୟାଳୟ ନିର୍ଦ୍ଧାରିତ ସଂଖ୍ୟକ ଶିଶୁଙ୍କୁ ମାଗଣା ଶିକ୍ଷା ଦେବାକୁ ବାଧ୍ୟ ହେବ । କିନ୍ତୁ ସେହି ବାବଦରେ ଆନୁପାତିକ ପରିମାଣର ଅର୍ଥ ଫେରସ୍ତ ପାଇବାକୁ ବିବେଚିତ ହେବ ନାହିଁ ।

(୩) ରାଜ୍ୟ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ ଲୋଡୁଥିବା ସୂଚନା ସବୁକୁ ସଂପୃକ୍ତ ପ୍ରତ୍ୟେକ ବିଦ୍ୟାଳୟ ଯୋଗାଇଦେବେ ।

୧୩ (୧) ଶିଶୁର ନାମଲେଖା ସମୟରେ କୌଣସି ବିଦ୍ୟାଳୟ କିମ୍ବା ବ୍ୟକ୍ତି କୌଣସି ପ୍ରକାର ମୁଣ୍ଡପିଛା ଚାନ୍ଦା ସଂଗ୍ରହ କରିପାରିବେ ନାହିଁ  ଏବଂ ଶିଶୁ ବା ତା’ର ମାଆବାପା/ଅଭିଭାବକଙ୍କୁ କୌଣସି ପ୍ରକାର ଚୟନ ପ୍ରଣାଳୀର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

(୨) ଯଦି କୌଣସି ବିଦ୍ୟାଳୟ କିମ୍ବା ବ୍ୟକ୍ତି ଉପରୋକ୍ତ ଉପଧାରା (୧)ର ଉଲ୍ଲଂଘନ କରି –

(କ) ମୁଣ୍ଡପିଛା ଚାନ୍ଦା ସଂଗ୍ରହ କରୁଥାଆନ୍ତି, ତେବେ ତାଙ୍କୁ ଜୋରିମାନା କରାଯିବ । ଜୋରିମାନା ପରିମାଣ, ସେ ଆଦାୟ କରିଥିବା ଚାନ୍ଦାରାଶିର ୧୦ ଗୁଣ ହୋଇପାରେ ।

(ଖ) କୌଣସି ଚୟନ ପ୍ରଣାଳୀ ଅବଲମ୍ବନ କରୁଥା’ନ୍ତି ତେବେ ତାଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯିବ । ଯାହା ପ୍ରଥମ ଥରର ଉଲ୍ଲଂଘନ ପାଇଁ ୨୫,୦୦୦ ଟଙ୍କା ଏବଂ ପ୍ରତି ପରିବର୍ତ୍ତୀ ଉଲ୍ଲଂଘନ ପାଇଁ ୫୦,୦୦୦  ଟଙ୍କା ପର୍ଯ୍ୟନ୍ତ ହୋଇପାରେ ।

୧୪ (୧) ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଯିବା ବେଳେ ଜନ୍ମ, ମୃତ୍ୟୁ ଓ ବିବାହ ପଞ୍ଜିକରଣ ଆଇନ, ୧୮୮୬ ଅନୁସାରେ ‘ ଜନ୍ମ ପ୍ରମାଣପତ୍ର ‘ ଅଧାରରେ କିମ୍ବା ଧାର୍ଯ୍ୟ ହୋଇଥିବା ଅନ୍ୟ କୌଣସି ପ୍ରମାଣପତ୍ର ଆଧାରରେ ଶିଶୁର ବୟସ ନିର୍ଦ୍ଧାରଣ କରାଯିବ।

(୨) ବୟସ ପ୍ରମାଣପତ୍ର ଅଭାବକୁ କୌଣସି ଶିଶୁକୁ ପ୍ରାଥମିକ ବିଦ୍ୟାଳୟରେ ନାମଲେଖାରୁ ବଞ୍ଚିତ କରାଯିବ ନାହିଁ ।

୧୫. ଶିକ୍ଷାବର୍ଷ ଆରମ୍ଭରେ କିମ୍ବା ସଂପ୍ରସାରିତ ସମୟସୀମା ମଧ୍ୟରେ ଶିଶୁଟିଏ ବିଦ୍ୟାଳୟରେ ନାମ ଲେଖାଇପାରିବ ।

ଯଦି ସଂପ୍ରସାରିତ ସମୟସୀମା ପରେ , ବିଦ୍ୟାଳୟରେ କୌଣସି ଶିଶୁ ନାମ ଲେଖିବାକୁ ଚାହୁଁଥାଏ, ତେବେ ତାକୁ ନାମଲେଖାରୁ ବାରଣ କରାଯିବ ନାହିଁ ।

ଏଭଳି ଭାବେ ନାମ ଲେଖାଇ ଥିବା ପିଲା ଜଣକ ,ସରକାରଙ୍କ ନିର୍ଦ୍ଧାରିତ ପଦ୍ଧତି ଅନୁସାରେ ନିଜର ଶିକ୍ଷା ସମାପ୍ତ କରିବ ।

(୧୬) ପ୍ରାଥମିକ ଶିକ୍ଷା ଶେଷ ହେବା ପର୍ଯ୍ୟନ୍ତ, ବିଦ୍ୟାଳୟରେ ନାମ ଲେଖାଇଥିବା କୌଣସି ଶିଶୁକୁ ଶ୍ରେଣୀରେ ଅଟକାଯିବ ନାହିଁ ।

୧୭. ୧)କୌଣସି ଶିଶୁକୁ ଶାରୀରିକ ଦଣ୍ଡ କିମ୍ବା ମାନସିକ ନିର୍ଯାତନା ଦିଆଯିବ ନାହିଁ

୨) ଉପଧାରା (୧) ର ବିଧି ଉଲ୍ଲଂଘନ କରୁଥିବା ଶିକ୍ଷକ ବା ବ୍ୟକ୍ତିଙ୍କ ବିରୋଧରେ ‘ସେବା ନିୟମାବଳୀ’ ଅନୁଯାୟୀ  ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

୧୮. ଉପଯୁକ୍ତ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତିଷ୍ଠିତ, ସ୍ଵତ୍ତ୍ଵାଧୀନ ଓ ନିୟନ୍ତ୍ରିତ ବିଦ୍ୟାଳୟଗୁଡିକ ବ୍ୟତୀତ ଏହି ଆଇନ ଲାଗୁ ହେବା ପରେ ଉପଯୁକ୍ତ ସରକାର  ଓ କର୍ତ୍ତୃପକ୍ଷଙ୍କ ନିର୍ଦ୍ଧାରିତ ପ୍ରଣାଳୀ ଓ ମାର୍ଗରେ ସ୍ଵୀକୃତି ହାସଲ ନକରି କୌଣସି ବିଦ୍ୟାଳୟ ପ୍ରତିଷ୍ଠା କରାଯାଇପାରିବ ନାହିଁ  ।

(୨) ଉପଧାରା (୧)ରେ ସୂଚୀତ ମତେ ,ଯଦି ଏହା ଉପଯୁକ୍ତ ଭିତ୍ତିଭୂମି ଓ ନିର୍ଦ୍ଧାରିତ ମାନଦଣ୍ଡକୁ ପରିପୂରଣ କରୁ ନଥାଏ,ତେବେ ସେହି ବିଦ୍ୟାଳୟକୁ ସ୍ଵୀକୃତି ଦିଆଯିବ ନାହିଁ ।

(୩) ସ୍ଵୀକୃତି ହାସଲ ପାଇଁ ନିର୍ଦ୍ଧାରିତ ସର୍ତ୍ତାବଳୀର ଖିଲାପ କରୁଥିଲେ, ସଂପୃକ୍ତ କର୍ତ୍ତୃପକ୍ଷ ଏକ ଲିଖିତ ଆଦେଶନାମା ଜରିଆରେ ସ୍ଵୀକୃତି ପ୍ରତ୍ୟାହାର କରିପାରିବେ । ତେବେ ସ୍ଵୀକୃତି ପ୍ରତ୍ୟାହୃତ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ଆଖପାଖର ବିଦ୍ୟାଳୟରେ ନାମଲେଖାଇବା ସଂକ୍ରନ୍ତେ ସେହି ଲିଖିତ ଆଦେଶନାମାରେ ଉଲ୍ଲେଖ ରହିବ ।

  • ପୁନଶ୍ଚ ଧାର୍ଯ ପଦ୍ଧତି ପ୍ରକାରେ କୌଣସି ବିଦ୍ୟାଳୟରୁ ଶୁଣିବାକୁ ସୁଯୋଗ ନଦେଇ ସ୍ଵୀକୃତି ପ୍ରତ୍ୟାହାର କରାଯିବ ନାହିଁ ।

(୪) ଉପଧାରା (୩) ଅନୁସାରେ ସ୍ଵୀକୃତି ପ୍ରତ୍ୟାହାର ତାରିଖ ଠାରୁ ସେଭଳି ବିଦ୍ୟାଳୟ ସ୍ଵତଃ ଅଚଳ ହୋଇଯିବ ।

(୫) ସ୍ଵୀକୃତି ପ୍ରମାଣପତ୍ର ନପାଇ କେହି ବିଦ୍ୟାଳୟ ପ୍ରତିଷ୍ଠା କଲେ ବା ଚଳାଇଲେ କିମ୍ବା ସ୍ଵୀକୃତି ପ୍ରତ୍ୟାହାର ପରେ ବିଦ୍ୟାଳୟ  ଚାଲୁ ରଖିଲେ ସେ ଅର୍ଥଦଣ୍ଡରେ ଦଣ୍ଡିତ ହେବେ । ଯାହା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ବରଂମ୍ବାର ଉଲ୍ଲଂଘନ କାଲେ ପ୍ରତିଟି  ଉଲ୍ଲଂଘନ ଦିନ ପାଇଁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ପଡିପାରେ ।

୧୯.(୧) ଶିକ୍ଷା ଅନୁସୂଚୀରେ ନିର୍ଧାରିତ ସର୍ତ୍ତ ଓ ମାନଦଣ୍ଡ ପୂରଣ କରୁନଥିବା କୌଣସି ବିଦ୍ୟାଳୟ ଲେଖାଯାଇପାରିବ ନାହିଁ  ଏବଂ ସେହି ବିଦ୍ୟାଳୟଗୁଡିକୁ ସ୍ଵୀକୃତି ଦିଆଯିବ ନାହିଁ  ।

(୨) ଏହି ଆଇନ ଲାଗୁ ହେବା ପୂର୍ବରୁ ପ୍ରତିଷ୍ଠିତ ବିଦ୍ୟାଳୟ ଯଦି ଅନୁସୂଚୀର ସର୍ତ୍ତାବଳୀ ଓ ମାନଦଣ୍ଡ ପୂରଣ କରୁ ନଥିବ, ସେହି ବିଦ୍ୟାଳୟ ଆଇନ ଲାଗୁ ହେବା ଦିନ ଠାରୁ ୩ ବର୍ଷ ମଧ୍ୟରେ ନିଜ ଖର୍ଚରେ  ମାନଦଣ୍ଡ ଓ ସର୍ତ୍ତାବଳୀ ପୂରଣ କରିବାକୁ ପଦକ୍ଷେପ ନେବେ ।

(୩) ଉପଧାରା (୨) ଅନୁସାରେ ପ୍ରଦତ୍ତ ଅବଧି ମଧ୍ୟରେ ସର୍ତ୍ତପୂରଣ ଓ ମାନଦଣ୍ଡ ପୂରଣରେ ବିଫଳ ବିଦ୍ୟାଳୟଗୁଡିକରୁ ସ୍ଵୀକୃତି ପ୍ରତ୍ୟାହାର କରାଯିବ । ଧାରା୧୮ (୧) ରେ ବର୍ଣ୍ଣିତ କର୍ତ୍ତୃପକ୍ଷ ଉପଧାରା (୩) ମତେ ଏହି ପଦକ୍ଷେପ ନେବେ ।

(୪) ଉପଧାରା (୩) ମତେ,ସ୍ଵୀକୃତି ପ୍ରତ୍ୟାହୃତ ବିଦ୍ୟାଳୟ ସ୍ଵତଃ ଅଚଳ ହୋଇଯିବ ।

(୫) ସ୍ଵୀକୃତି ପ୍ରତ୍ୟାହୃତ କୌଣସି ବିଦ୍ୟାଳୟକୁ ଯଦି କୌଣସି ବ୍ୟକ୍ତି ଚଳାନ୍ତି, ତେବେ ତାଙ୍କୁ ଅର୍ଥଦଣ୍ଡ ଲାଗୁ ହେବ । ଯାହା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ ଏବଂ ନିରନ୍ତର ଉଲ୍ଲଂଘନ କରାଯାଉଥିଲେ ପ୍ରତିଟି ଦିବସ ପାଇଁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ପଡିପାରେ । କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜରିଆରେ ପ୍ରଦତ୍ତ ଅନୁସୂଚୀକୁ ସେଥିରେ ଯୋଗ କରି ବା ତହିଁରୁ ବାଦ୍ ଦେଇ ପରିବର୍ତ୍ତନ କରି ପାରିବେ ।

୨୧  (୧) ଧାରା ୨ (ଢ ) (iv) ରେ ସୂଚିତ ମତେ ବିଦ୍ୟାଳୟ ବ୍ୟତୀତ ଅନ୍ୟ ବିଦ୍ୟାଳୟ ବ୍ୟତୀତ ଅନ୍ୟ ବିଦ୍ୟାଳୟଗୁଡିକରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କର ନିର୍ବାଚିତ ପ୍ରତିନିଧି,ଏହି ବିଦ୍ୟାଳୟରେ ନାମ ଲେଖାଇଥିବା ଶିଶୁମାନଙ୍କର ମାଆବାପା,ଅଭିଭାବକ ଓ ଶିକ୍ଷକ ମାନଙ୍କ ସଦସ୍ୟତାରେ ଗୋଟିଏ ଲେଖାଏଁ ପରିଚାଳନା କମିଟି ଗଢାଯିବ ।

  • ଏଭଳି କମିଟିର ତିନି ଚତୁର୍ଥାଂଶ ସଦସ୍ୟ ହେବେ ବିଦ୍ୟାଳୟ ଶିଶୁମାନଙ୍କର ମାଆବାପା କିମ୍ବା ଅଭିଭାବକ ।
  • ଦୁର୍ବଳ ଓ ସୁବିଧାରୁ ବଞ୍ଚିତ ଶ୍ରେଣୀର ଶିଶୁମାନଙ୍କ ସଂଖ୍ୟାନୁପାତରେ ସେମାନଙ୍କ ମାଆବାପା ,ଅଭିଭାବକ ଏହି କମିଟିର ସଦସ୍ୟ ହେବେ ।
  • ସମୁଦାୟ ସଦସ୍ୟ ସଂଖ୍ୟାର ୫୦ ଭାଗ ସଦସ୍ୟ ମହିଳା ରହିବେ ।

(୨) ବିଦ୍ୟାଳୟ ପରିଚାଳନା କମିଟି ନିମ୍ନଲିଖିତ କାର୍ଯ୍ୟଗୁଡିକର ପରିଚାଳନା କରିବ ।

(କ) ବିଦ୍ୟାଳୟର କାର୍ଯ୍ୟଧାରାକୁ ସଂଚାଳିତ କରିବ ।

(ଖ)ବିଦ୍ୟାଳୟ ବିକାଶ ଖସଡା ପ୍ରସ୍ତୁତି ଓ ସୁପାରିଶ କରିବ ।

(ଗ) ଉପଯୁକ୍ତ ସରକାର ବା ସ୍ଥାନୀୟ କର୍ତ୍ତୃପକ୍ଷ କିମ୍ବା ଅନ୍ୟ କୌଣସି ସୂତ୍ର ରୁ ପାଇଥିବା ଆର୍ଥିକ ଅନୁଦାନର ଉପଯୁକ୍ତ ବିନିଯୋଗ କରାଇବ ।

୨୨ (୧) ଧାରା ୨୧ର ଉପଧାରା (୧) ଅନୁସାରେ ଗଠିତ ପ୍ରତ୍ୟେକ ବିଦ୍ୟାଳୟ ପରିଚାଳନା କମିଟି ବିଦ୍ୟାଳୟର ବିକାଶ ଖସଡାକୁ  ପ୍ରବତ୍ତ ପଦ୍ଧତିରେ ପ୍ରସ୍ତୁତ କରିବେ ।

(୨) ଉପଧାରା (୧) ପ୍ରକାରେ ପ୍ରସ୍ତୁତ ‘ ବିଦ୍ୟାଳୟ ବିକାଶ ଖସଡା ‘ପାଇଁ  ଉପଯୁକ୍ତ ସରକାର ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପ୍ରଦତ୍ତ  ଅନୁଦାନ ହିଁ ଯୋଜନା ପ୍ରସ୍ତୁତି ଆଧାର ହେବ ।

୨୩. (୧) କେନ୍ଦ୍ର ସରକାରଙ୍କ ଜାରି ବିଜ୍ଞାପନ ମାଧ୍ୟମରେ କ୍ଷମତାପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ, ନିର୍ଦ୍ଧାରିତ ମତେ ସର୍ବନିମ୍ନ ଯୋଗ୍ୟତା ଥିବା ବ୍ୟକ୍ତି ଶିକ୍ଷକ ରୂପେ ନିଯୁକ୍ତ ହେବାକୁ ଯୋଗ୍ୟ ବିବେଚିତ ହେବେ ।

(୨) କୌଣସି ରାଜ୍ୟରେ ଶିକ୍ଷକମାନଙ୍କୁ ତାଲିମ ଦେବା ପାଇଁ ଉପଯୁକ୍ତ ସଂଖ୍ୟକ  ତାଲିମ ଅନୁଷ୍ଠାନର ଅଭାବ ରହିଥିଲେ, କିମ୍ବା ଉପଧାରା(୧) ଅନୁଯାୟୀ ସର୍ବନିମ୍ନ ଯୋଗ୍ୟତା ସଂପନ୍ନ ଶିକ୍ଷକ ନମିଳିଲେ;ସେ କ୍ଷେତ୍ରରେ କେନ୍ଦ୍ର ସରକାର ଆବଶ୍ୟକ ମନେ କଲେ ବିଜ୍ଞପ୍ତି ଜାରି କରି ଶିକ୍ଷକଙ୍କର ସର୍ବନିମ୍ନ ଯୋଗ୍ୟତାକୁ କୋହଳ କରିପାରନ୍ତି। ମାତ୍ର ଏହି ବ୍ୟବସ୍ଥା ସେହି ବିଜ୍ଞପ୍ତିର ସୂଚନା ମତେ ୫ ବର୍ଷ ଅବଧିରୂ ଅଧିକ ହେବ ନାହିଁ ।

ପୁନଶ୍ଚ,ଏହି ଆଇନ ଲାଗୁ ହେବାର ଅବ୍ୟବହିତ ପରେ,ନିଯୁକ୍ତ ହୋଇଥିବା ଶିକ୍ଷକ ଉପଧାରା(୧) ଅନୁସାରେ ଯଦି ସର୍ବନିମ୍ନ ଯୋଗ୍ୟତା ହାସଲ କରି ନଥାନ୍ତି,ତେବେ ତାଙ୍କୁ ଆଗାମୀ ୫ ବର୍ଷ ଅବଧି ମଧ୍ୟରେ ଆବଶ୍ୟକ ଯୋଗ୍ୟତା ହାସଲ କରିବାକୁ  ପଡିବ ।

(୩) ଆଇନରେ ନିର୍ଦ୍ଧାରିତ ମତେ ଶିକ୍ଷକମାନଙ୍କୁ ଦିଆଯିବାକୁ ଥିବା ଦରମା,ଭତ୍ତା ଏବଂ ସେବା-ସର୍ତ୍ତାବଳୀ ନିର୍ଦ୍ଦିଷ୍ଟ କରାଯିବ ।

୨୪.(୧) ଧାରା୨୩ (୧) ଅନୁଯାୟୀ ନିଯୁକ୍ତି ଶିକ୍ଷକ ନିମ୍ନଲିଖିତ ଦାୟିତ୍ଵଗୁଡିକ ସଂପାଦନ କରିବେ –

(କ) ନିୟମିତ ଓ ସମୟାନୁବର୍ତ୍ତୀ ଭାବେ ବିଦ୍ୟାଳୟରେ ଉପସ୍ଥିତ ହେବେ ।

(ଖ) ଧାରା -୨୯(୨)ର ବ୍ୟବସ୍ଥାସମୂହ ଅନୁଯାୟୀ ପାଠ୍ୟକ୍ରମର ପରିଚାଳନା କରିବା ସହ ପାଠ୍ୟକ୍ରମ ସଂପୂର୍ଣ୍ଣ  କରିବେ ।

(ଗ) ଉର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ ପାଠ୍ୟକ୍ରମକୁ ଶେଷ କରିବେ ।

(ଘ) ପ୍ରତି ଶିଶୁର ଶିକ୍ଷଣ – ସାମର୍ଥ୍ୟ ଆକଳନ କରି ସେହି ଅନୁଯାୟୀ ଆବଶ୍ୟକ ଅତିରିକ୍ତ ପରାମର୍ଶ (ଶିକ୍ଷଣ ସଂପର୍କିତ)ପ୍ରଦାନ  କରିବେ ।

(ଙ)  ଶିଶୁର ମାଆବାପା ଓ ଅଭିଭାବକଙ୍କ ସହ ନିୟମିତ ସାକ୍ଷାତ ଆଲୋଚନା କରି ଶିଶୁର ଉପସ୍ଥାନର ନିୟମିତତା,ଶିକ୍ଷଣ ସାମର୍ଥ୍ୟ,ଶିକ୍ଷଣରେ ଅଭିବୃଦ୍ଧି ଏବଂ ଅନ୍ୟ ଆନୁଷଙ୍ଗିକ ସୂଚନା ଜଣାଇବେ; ଏବଂ

(ଚ) ଆଇନରେ ନିର୍ଦ୍ଧାରିତ ମତେ ଅନ୍ୟାନ୍ୟ ଦାୟିତ୍ଵସମୂହର ସଂପାଦନ କରିବେ ।

(୨) ଉପଧାରା (୧            ) ମତେ,ଜଣେ ଶିକ୍ଷକ ନିଜର ଦାୟିତ୍ଵ ପାଳନରେ ତ୍ରୁଟି କଲେ,ତାଙ୍କ ପ୍ରତି ପ୍ରଯୋଜ୍ୟ ସେବା – ନିୟମାବଳୀ ଅନୁଯାୟୀ ଶୃଙ୍ଖଳାଗତ ଶାସ୍ତି ବିଧାନ କରାଯିବ ।

ତେବେ ଶାସ୍ତିବିଧାନ ପୂର୍ବରୁ ସେହି ଶିକ୍ଷକଙ୍କୁ ନିଜର ତ୍ରୁଟିର କାରଣ ଦର୍ଶାଇବାର ଯୁକ୍ତିଯୁକ୍ତ ସୁଯୋଗ ଦିଆଯିବ ।

(୩) ଶିକ୍ଷକମାନଙ୍କର କୌଣସି ଆପତ୍ତିଅଭିଯୋଗ  ଥିଲେ, ତାହାକୁ ବ୍ୟବସ୍ଥିତ ଉପାୟରେ ପ୍ରତିବିଧାନ କରାଯିବ ।

୨୫. (୧) ଏହି ଆଇନ ଲାଗୁ ହେବାର ୬ ମାସ ମଧ୍ୟରେ ଉପଯୁକ୍ତ ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ନିଶ୍ଚିତ କରିବେ ଯେ ଅନୁସୂଚୀ ମୁତାବକ ସବୁ ବିଦ୍ୟାଳୟ ଶିକ୍ଷାର୍ଥୀ – ଶିକ୍ଷକ ଅନୁପାତ ରକ୍ଷା କରାଯାଉଛି ।

(୨) ଉପଧାରା -୧ ମୁତାବକ ବିଦ୍ୟାଳୟରେ ଶିକ୍ଷାର୍ଥୀ – ଶିକ୍ଷକ  ସଂଖ୍ୟାର ଅନୁପାତ, ନିୟମ ଅନୁସାରୀ ରଖାଯିବା ଉଦ୍ଦେଶ୍ୟରେ ଧାରା -୨୭ ଅନୁସାରେ, କୌଣସି ଶିକ୍ଷକଙ୍କୁ ନିଯୁକ୍ତି ହୋଇଥିବା ବିଦ୍ୟାଳୟ ବ୍ୟତୀତ ଅନ୍ୟ କୌଣସି ବିଦ୍ୟାଳୟ କିମ୍ବା କାର୍ଯ୍ୟଳୟ କିମ୍ବା ଅନ୍ୟ କୌଣସି ଅଣଶୈକ୍ଷିକ କାର୍ଯ୍ୟରେ  ନିୟୋଜିତ କରାଯିବ ନାହିଁ ।

୨୬. ଉପଯୁକ୍ତ ସରକାର ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତିଷ୍ଠିତ /ମାଲିକାନାରେ ଚଳିତ / ନିୟନ୍ତ୍ରିତ କିମ୍ବା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଆର୍ଥିକ ସାହାଯ୍ୟପ୍ରାପ୍ତ ହୋଇଥିବ ଯେ, ବିଦ୍ୟାଳୟ ଖାଲି ପଡୁଥିବା ଶିକ୍ଷକ ପଦବୀର ସଂଖ୍ୟା ଯେପରି ସମୁଦାୟ ଶିକ୍ଷକ ପଦବୀ ସଂଖ୍ୟାର ୧୦ ପ୍ରତିଶତରୁ ଅଧିକ ନ ହୁଏ  ।

୨୭. ୧୦ବର୍ଷିଆ  ଜନଗଣନା, ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟ କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ ଅଥବା ରାଜ୍ୟ ବିଧାନସଭା ବା ସଂସଦ ନିର୍ବାଚନ ସଂପର୍କିତ କାର୍ଯ୍ୟ ବ୍ୟତୀତ କୌଣସି ଶିକ୍ଷକଙ୍କୁ ଅନ୍ୟ କୌଣସି ପ୍ରକାରର ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଗ କରାଯିବ ନାହିଁ ।

୨୮. ବିଦ୍ୟାଳୟର କୌଣସି ଶିକ୍ଷକ ଘରୋଇ ଟ୍ୟୁସନ କିମ୍ବା କୌଣସି ପ୍ରକାର ଘରୋଇ ଶିକ୍ଷାଦାନ କାର୍ଯ୍ୟ ଜାରି ରଖିପାରିବେ ନାହିଁ।

୨୯. (୧) ଉପଯୁକ୍ତ ସରକାରଙ୍କୁ ବିଜ୍ଞପ୍ତି ଆଧାରରେ ନିର୍ଧାରିତ ଏକାଡେମିକ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରାଥମିକ ଶିକ୍ଷାର ପାଠ୍ୟକ୍ରମ ଓ ମୂଲ୍ୟାୟନ ପଦ୍ଧତି ସ୍ଥିରୀକୃତ ହେବ ।

(୨) ଉପଧାରା -୨ ଅନୁଯାୟୀ, ଏକାଡେମିକ କର୍ତ୍ତୃପକ୍ଷ ପାଠ୍ୟକ୍ରମ ଓ ମୂଲ୍ୟାୟନ ପଦ୍ଧତିର ସ୍ଥିରୀକରଣ ବେଳେ ନିମ୍ନ ପ୍ରସଙ୍ଗଗୁଡିକୁ ବିଚାରକୁ ନେବେ –

(କ) ସାମ୍ବିଧାନିକ ମୂଲ୍ୟବୋଧ ;

(ଖ ) ଶିଶୁର ସର୍ବାଙ୍ଗୀନ ବିକାଶ ;

(ଗ) ଶିଶୁର ଜ୍ଞାନବୃଦ୍ଧି, ଅନ୍ତନିର୍ହିତ ଶକ୍ତି ଓ ପ୍ରତିଭାର ଅଭିବୃଦ୍ଧି ସାଧନ ;

(ଘ ) ଶିଶୁର ଶାରୀରିକ ଓ ମାନସିକ ଦକ୍ଷତାର ପୂର୍ଣ୍ଣାଙ୍ଗ ବିକାଶ ସାଧନ ;

(ଙ) ଶିଶୁ ସହାୟକ ଓ ଶିଶୁ – କୈନ୍ଦ୍ରିକ ଢାଞ୍ଚାରେ ନାନାବିଧ କାର୍ଯ୍ୟକଳାପ,ଆବିଷ୍କାର ଓ ଉଭାବନ ପ୍ରକ୍ରିୟା ଜରିଆରେ ଶିକ୍ଷଣ ପ୍ରାପ୍ତିର ନିର୍ଯାସ ନିହିତ ଥିବ ।

(ଚ) ଶିକ୍ଷାଦାନର ମାଧ୍ୟମ     ଯଥାସମ୍ଭବ ଶିଶୁର ମାତୃଭାଷା ହେବ ;

(ଛ) ଶିଶୁକୁ ଆଶଙ୍କା,ଉଦ୍ ବେଗ ଓ ମାନସିକଚାପ ମୁକ୍ତ କରି ନିଜର ଖୋଲା ମତ ପ୍ରକାଶର ସୁଯୋଗ ପ୍ରଦାନ;

(ଜ) ଶିଶୁର ଜ୍ଞାନର ଅବବୋଧ ଓ ସେହି ଜ୍ଞାନକୁ ଉପଯୋଗ କରିବାର ଦକ୍ଷତା ପ୍ରାପ୍ତି ପାଇଁ ସାମଗ୍ରିକ ଓ ନିରନ୍ତର ମୂଲ୍ୟାୟନ ।

(୩୦) (୧) ପ୍ରାଥମିକ ଶିକ୍ଷା ଶେଷ ପର୍ଯ୍ୟନ୍ତ କୌଣସି ପିଲାକୁ ବୋର୍ଡ ପରୀକ୍ଷାର ସମ୍ମୁକ୍ଷୀନ ହେବାକୁ ପଡିବ ନାହିଁ ।

(୨) ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ କରୁଥିବା ପ୍ରତ୍ୟେକ ଶିଶୁକୁ ନିର୍ଦ୍ଧାରିତ ଫର୍ମ ଓ ଢାଞ୍ଚାରେ ଏକ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଶିଶୁ ଅଧିକାରର ସୁରକ୍ଷା

୩୧ (୧) ‘ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆଇନ  -୨୦୦୫ (୨୦୦୬ ର ଧାରା ୪)ର ଧାରା ୩ ଅଧୀନରେ ଗଠିତ ଶିଶୁ ଅଧିକାର ସୁରକ୍ଷା ନିମିତ୍ତ ଜାତୀୟ ଆୟୋଗ, ସ୍ଥଳବିଶେଷରେ ଧାରା ୧୭ ଅଧୀନରେ ଗଠିତ ଶିଶୁ ଅଧିକାର ସୁରକ୍ଷା ପାଇଁ ରାଜ୍ୟ ଆୟୋଗ ନିମ୍ନୋକ୍ତ ଦାୟିତ୍ଵ ଓ କର୍ତ୍ତବ୍ୟ ସଂପାଦନ କରିବେ –

(କ) ଏହି ଆଇନର ବ୍ୟବସ୍ଥିତ ଶିଶୁ ଅଧିକାରୀ ସୁରକ୍ଷା ନିମିତ୍ତ ପଦକ୍ଷେପଗୁଡିକୁ ପରୀକ୍ଷା ନିରୀକ୍ଷା କରି ସେଗୁଡିକର ସଫଳ କାର୍ଯ୍ୟକାରିତା ପାଇଁ ସୁପାରିଶ କରିବେ ;

(ଖ) ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାଲାଭ ପାଇଁ ଶିଶୁ ଅଧିକାର ସଂକ୍ରାନ୍ତ ଆପତ୍ତି ଅଭିଯୋଗର  ତଦନ୍ତ କରିବେ ;

(ଗ)’ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆଇନ’ ର ଧାରା ୧୫ ଓ ୨୪ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ।

(୨) ଉପଧାରା(୧) (c) ଅଧୀନରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ସଂକ୍ରାନ୍ତ କୌଣସି ତଦନ୍ତ ସମୟରେ ଏହି ଆୟୋଗ ଯଥାକ୍ରମେ ଧାରା ୧୪ ଓ ୨୪ ରେ ସେମାନଙ୍କ ଉପରେ ନ୍ୟସ୍ତ କ୍ଷମତା ଉପଭୋଗ କରିବେ ।

(୩) ‘ଶିଶୁ ଅଧିକାର ସୁରକ୍ଷା’ ନିମିତ୍ତ ରାଜ୍ୟ ଆୟୋଗ ଗଢା ଯାଇ ନଥିବା ରାଜ୍ୟରେ ଉପଧାରା (୧) (a) ଠାରୁ (c)  ପର୍ଯ୍ୟନ୍ତ ସୂଚିତ କର୍ତ୍ତବ୍ୟ ସଂପାଦନ ଉଦ୍ଦେଶ୍ୟରେ, ଧାର୍ଯ୍ୟ ପଦ୍ଧତିରେ ଏବଂ ନିୟମ ଓ ସର୍ତ୍ତାବଳୀ ଆଧାରରେ ‘କର୍ତ୍ତୃପକ୍ଷ’ ଗଢିବେ ।

୩୨(୧) ଧାରା -୩୧ର କୌଣସି ବ୍ୟବସ୍ଥାକୁ ବିରୋଧ ନକରି ଯେକୌଣସି ବ୍ୟକ୍ତି ଏହି ଆଇନର ଅଧୀନରେ ଶିଶୁ ଅଧିକାରର ସୁରକ୍ଷା ସଂକ୍ରାନ୍ତ କୌଣସି ଅଭିଯୋଗକୁ ସଂପୃକ୍ତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପାଖରେ ଲିଖିତ ଅଭିଯୋଗ କରିପାରିବେ ।

(୨) ଉପଧାରା-୧ ଅଧୀନରେ ଅଭିଯୋଗ ଗ୍ରହଣ ପରେ ସ୍ଥାନୀୟ କର୍ତ୍ତୃପକ୍ଷ ୩ ମାସ ମଧ୍ୟରେ ସଂପୃକ୍ତ ପକ୍ଷମାନଙ୍କୁ ଶୁଣିବା ପରେ ସେହି ଅଭିଯୋଗ ଉପରେ ନିଷ୍ପତ୍ତି ନେବେ  ।

(୩) ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଓ ଶୁଣାଣିରେ କୌଣସି ବ୍ୟକ୍ତିବିଶେଷଙ୍କର ଅସନ୍ତୋଷ/କ୍ଷୋଭ ରହିଥିଲେ,ସେହି ବ୍ୟକ୍ତି ଆଇନର ଧାରା -୩୧ (୩) ଅଧୀନରେ ନିର୍ଦ୍ଧାରିତ କୌଣସି କର୍ତ୍ତୃପକ୍ଷ କିମ୍ବା ‘ଶିଶୁ ଅଧିକାର ସୁରକ୍ଷା ଆୟୋଗ’ଙ୍କୁ ଅଭିଯୋଗ ସଂପର୍କରେ ପୁନଃଆବେଦନ କରିପାରିବେ,ଏବଂ ଆୟୋଗ ଆଇନର ଭାଗ -୩୧ ର ଉପଭାଗ (୧)ର ଧାରା (ଗ)ଅଧିନସ୍ଥ ବ୍ୟବସ୍ଥାମତେ ଅଭିଯୋଗର ନିଷ୍ପତ୍ତି କରିବେ ।

୩୩ (୧) କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରି ଏକ ଜାତୀୟ ଉପଦେଷ୍ଟା ପରିଷଦ ଗଠନ କରିବେ । ଏଥିପରି ସର୍ବାଧିକ ୧୫ ଜଣ ସଦସ୍ୟ ରହିବେ,ଯେଉଁମାନଙ୍କର ପ୍ରାଥମିକ ଶିକ୍ଷା ଓ ଶିଶୁ ବିକାଶ କ୍ଷେତ୍ରରେ ଜ୍ଞାନ ଓ ବାସ୍ତବ ଅଭିଜ୍ଞତା ରହିଥିବ ।

(୨) ଆଇନର ବ୍ୟବସ୍ଥା ସମୂହର ସଫଳ କାର୍ଯ୍ୟକାରିତା ପାଇଁ ଜାତୀୟ ଉପଦେଷ୍ଟା ପରିଷଦ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେବା ହିଁ ଏହାର ପ୍ରମୁଖ କାର୍ଯ୍ୟ ହେବ ।

(୩) ଉପଦେଷ୍ଟା ପରିଷଦର ସଦସ୍ୟମାନଙ୍କର ନିଯୁକ୍ତି ଜନିତ ସର୍ତ୍ତାବଳୀ ଓ ଭତ୍ତା ଆଦି, ଆଇନ ନିର୍ଦ୍ଧାରିତ ମତେ ସ୍ଥିର କରାଯିବ ।

୩୪(୧) ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ଏକ ରାଜ୍ୟ ଉପଦେଷ୍ଟା ପରିଷଦ ଗଠନ କରିବେ । ଏଥିରେ  ସର୍ବାଧିକ ୧୫ ଜଣ ସଦସ୍ୟ ରହିବେ, ପ୍ରାଥମିକ ଶିକ୍ଷା ଓ ଶିଶୁ ବିକାଶ କ୍ଷେତ୍ରରେ ଜ୍ଞାନ ଓ ଅଭିଜ୍ଞତା ଥିବା ବ୍ୟକ୍ତିବିଶେଷ ହିଁ  ସଦସ୍ୟ ଭାବେ ନିଯୁକ୍ତି ହେବେ।

(୨) ଆଇନର ବ୍ୟବସ୍ଥାସମୂହର ସଫଳ କାର୍ଯ୍ୟକାରିତା ପାଇଁ ରାଜ୍ୟ ଉପଦେଷ୍ଟା ପରିଷଦ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ହିଁ ଏହାର ପ୍ରମୁଖ କାର୍ଯ୍ୟ ହେବ ।

(୩) ଉପଦେଷ୍ଟା ପରିଷଦ ନିଯୁକ୍ତିର ବିଭିନ୍ନ ସର୍ତ୍ତାବଳୀ ଓ ଭତ୍ତା ଆଦି ଅନୁମୋଦନ ଭିତ୍ତିରେ ଲାଗୁ ହେବ ।

ବିବିଧ

୩୫.(୧) ଏହି ଆଇନରେ ବ୍ୟବସ୍ଥାସମୂହରେ କାର୍ଯ୍ୟକାରିତା ପାଇଁ ଉପଯୁକ୍ତ ସରକାର ଅଥବା ଆବଶ୍ୟକ ମନେ କଲେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ କେନ୍ଦ୍ରସରକାର ବିଭିନ୍ନ ପାଳନୀୟ ନିର୍ଦ୍ଦେଶନାମା ଦେଇପାରିବେ ।

(୨) ଏହି ଆଇନ୍ ର ବ୍ୟବସ୍ଥାସମୂହର କାର୍ଯ୍ୟକାରିତା ପାଇଁ ବିଦ୍ୟାଳୟ ପରିଚାଳନା କମିଟିଗୁଡିକ ମାନିବା ପାଇଁ ରାଜ୍ୟ ସରକାର ମାର୍ଗଦର୍ଶିକା ପ୍ରସ୍ତୁତ କରିବା ସହ ନିର୍ଦେଶନାମା ଦେଇ ପାରନ୍ତି ।

(୩) ସେହିପରି ବିଦ୍ୟାଳୟ ପରିଚାଳନା କମିଟି ଏହି ଆଇନର ବିଧିବିଧାନକୁ ମାନି କାର୍ଯ୍ୟ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ମାର୍ଗଦର୍ଶିକା ସହ  ନିର୍ଦେଶନାମା ଜାରି କରିପାରିବେ ।

୩୬. ଉପରୋକ୍ତ କାର୍ଯ୍ୟ ପାଇଁ ଜଣେ ଅଧିକାରୀ ନିଯୁକ୍ତ ନହେବା ପର୍ଯ୍ୟନ୍ତ ଆଇନ କାର୍ଯ୍ୟକାରିତାରେ ଖିଲାପି ପାଇଁ କାହା ବିରୋଧରେ କୌଣସି ଦଣ୍ଡବିଧାନ ବିଶେଷତଃ ଆଇନର ଧାରା ୧୩(୨), ଧାରା୧୮(୫) ଏବଂ ଧାରା ୧୯(୫)କୁ କେନ୍ଦ୍ର କରି ହେବ ନାହିଁ ।

୩୭. ଏହି ଆଇନ ଅଧୀନରେ ବିଶ୍ଵାସରେ ହୋଇଥିବା କୌଣସି କାମ ବା ହେବାକୁ ଥିବା କାମକୁ କେନ୍ଦ୍ର କରି କେନ୍ଦ୍ର ସରକାର,ରାଜ୍ୟ ସରକାର,ଶିଶୁ ଅଧିକାରୀ ସୁରକ୍ଷାସକାଶେ ରାଜ୍ୟ ଆୟୋଗ,ସ୍ଥାନୀୟ କର୍ତ୍ତୃପକ୍ଷ,ବିଦ୍ୟାଳୟ ପରିଚାଳନା କମିଟି ବା ଏହାର କୌଣସି ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟା ଚଲାଯାଇ ପାରିବ ନାହିଁ ବା କୌଣସି ଆଇନଗତ ପଦକ୍ଷେପ ନିଆଯିବ ନାହିଁ ।

୩୮. (୧) ଏହି ଆଇନରେ କାର୍ଯ୍ୟକାରିତା ନିମନ୍ତେ ଉପଯୁକ୍ତ ସରକାର ବିଜ୍ଞପ୍ତି ଜାରି କରି ନିୟମ ପ୍ରଣୟନ କରିପାରିବେ ।

(୨)ଆଇନମୁତାବକ ପ୍ରଦତ୍ତ କ୍ଷମତାଗୁଡିକ କୌଣସି ବିଦ୍ଵେଷହୀନ ଭାବେ ସମସ୍ତଙ୍କ ପାଇଁ ଅଥବା ନିମ୍ନୋକ୍ତ ମତେ ଉଦ୍ଦିଷ୍ଟ ...

(କ) ଧାରା -୪ ର ପ୍ରଥମ ବ୍ୟବସ୍ଥା ଅନୁଯାୟୀ ସ୍ଵତନ୍ତ୍ର ତାଲିମ ପ୍ରଦାନ ପାଇଁ ପଦ୍ଧତି ଓ ସମୟ – ସୀମା ନିର୍ଧାରଣ;

(ଖ) ଧାରା -୬ ଅନୁଯାୟୀ ପଡୋଶୀ ବିଦ୍ୟାଳୟ ସ୍ଥାପନ ପାଇଁ ଅଞ୍ଚଳ ବା ସୀମା ନିର୍ଧାରଣ ;

(ଗ) ଧାରା -୯ (d)  ଅନୁଯାୟୀ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କର ବିବରଣୀ ରଖିବାକୁ ଅନୁସରଣୀୟ ପଦ୍ଧତି ;

(ଘ) ଧାରା -୧୨ ର ଉପଧାରା (୨) ଅନୁଯାୟୀ ଖର୍ଚଭରଣାର ଢଙ୍ଗ ଓ ପରିସର

(ଙ)   ଧାରା – ୧୪ର ଉପଧାରା (୧) ଅନୁଯାୟୀ ଶିଶୁର ସଠିକ୍ ବୟସ ନିର୍ଦ୍ଧାରଣ ପାଇଁ ଅନ୍ୟ କୌଣସି ଦଲିଲପତ୍ର ;

(ଚ) ଧାରା -୧୫ ଅନୁଯାୟୀ ବିଦ୍ୟାଳୟରେ ନାମଲେଖା ପାଇଁ ପରିବର୍ଦ୍ଧିତ  ସମୟସୀମା ଏବଂ  ପରିବର୍ଦ୍ଧିତ ସମୟସୀମା ପରେ ନାମଲେଖାଇଥିବା ଶିଶୁର ଶିକ୍ଷା ସଂପୂର୍ଣ୍ଣ କରିବାର ଉପାୟ ;

(ଛ) ଧାରା -୧୮ର ଉପଧାରା (୧) ଅନୁଯାୟୀ ସ୍ଵୀକୃତି ପ୍ରମାଣପତ୍ର ନିମିତ୍ତ କର୍ତ୍ତୃପକ୍ଷ,ନିର୍ଦ୍ଧାରିତ ଫର୍ମାଟ୍ ଓ ଆବେଦନ କରିବାର ଢାଞ୍ଚା ;

(ଜ) ଧାରା-୧୮ ର ଉପଧାରା (୨)ଅନୁଯାୟୀ ସ୍ଵୀକୃତି ପ୍ରମାଣପତ୍ର ପ୍ରଦାନ ପାଇଁ ତହିଁର ଫର୍ମ, ସମୟ, ଢାଞ୍ଚା ଓ ସର୍ତ୍ତାବଳୀ ନିର୍ଧାରଣ ;

(ଝ ) ଧାରା – ୧୮ ର ଉପଧାରା (୩) ଅନୁଯାୟୀ କୌଣସି ନିଷ୍ପତ୍ତିର ଶୁଣାଣି ସମୟରେ ପକ୍ଷମାନଙ୍କୁ ବୟାନ ଦେବା ପାଇଁ ସୁଯୋଗ ଦେବାର ଢାଞ୍ଚା ;

(ଞ) ଧାରା – ୨୧ ର ଉପଧାରା (୨) (d) ଅନୁଯାୟୀ ବିଦ୍ୟାଳୟ ପରିଚାଳନା କମିଟିର ଅନ୍ୟାନ୍ୟ କାର୍ଯ୍ୟ ନିର୍ଧାରଣ ;

(ଟ)ଧାରା – ୨୨ର ଉପଧାରା (୧) ଅନୁଯାୟୀ ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତିର ଢାଞ୍ଚା ନିର୍ଣ୍ଣୟ;

(ଠ) ଧାରା -୨୩ ର ଉପଧାରା (୩) ଅନୁଯାୟୀ ଶିକ୍ଷକମାନଙ୍କ ଚାକିରି ସର୍ତ୍ତାବଳୀ ଏବଂ ସେମାନଙ୍କୁ ଦିଆଯିବାକୁ ଥିବା ବେତନ ଓ ଭତ୍ତା;

(ଡ଼) ଧାରା -୨୪ ର ଉପଧାରା (୧) (f) ଅନୁଯାୟୀ ଶିକ୍ଷକମାନଙ୍କର କର୍ତ୍ତବ୍ୟ ନିର୍ଧାରଣ ;

(ଢ) ଧାରା – ୨୪ର ଉପଧାରା (୩) ଅନୁଯାୟୀ ଶିକ୍ଷକମାନଙ୍କର ଅଭିଯୋଗ ପ୍ରତିବିଧାନ ଢାଞ୍ଚା ନିର୍ଣ୍ଣୟ;

(ଣ) ଧାରା-୩୦ ର ଉପଧାରା (୨)ଅନୁଯାୟୀ ପ୍ରାଥମିକ ଶିକ୍ଷା ସମାପ୍ତି ସଂକ୍ରାନ୍ତି ପ୍ରମାଣପତ୍ର ପ୍ରଦାନର ଢାଞ୍ଚା ଓ ପ୍ରମାଣପତ୍ରର ଫର୍ମ ନିର୍ଣ୍ଣୟ ;

(ତ)ଧାରା-୩୧ର ଉପଧାରା (୩) ଅନୁଯାୟୀ କର୍ତ୍ତୃପକ୍ଷ ଗଠନର ପଦ୍ଧତି ଓ ତହିଁର ସର୍ତ୍ତାବଳୀ ନିର୍ଣ୍ଣୟ ;

(ଥ ) ଧାରା-୩୩ ର ଉପଧାରା (୩) ଅନୁଯାୟୀ ଜାତୀୟ ଉପଦେଷ୍ଟା ପରିଷଦର ସଦସ୍ୟ ନିଯୁକ୍ତି ପାଇଁ ସର୍ତ୍ତାବଳୀ ଓ ସେମାନଙ୍କ ଭତ୍ତା ନିର୍ଧାରଣ ;

(ଦ) ଧାରା-୩୪ ର ଉପଧାରା (୩) ଅନୁଯାୟୀ ରାଜ୍ୟ ଉପଦେଷ୍ଟା ପରିଷଦର ସଦସ୍ୟ ନିଯୁକ୍ତି ପାଇଁ ସର୍ତ୍ତାବଳୀ ଓ ସେମାନଙ୍କ ଭତ୍ତା ନିର୍ଧାରଣ;

(୩) ଏହି ଆଇନର ଅଧୀନରେ ପ୍ରଣୀତ ସମସ୍ତ ନିୟମ ,ଏବଂ ଆଇନର ଧାରା ୨୦ ଓ ୨୩ ଅଧୀନରେ କେନ୍ଦ୍ର ସରକାର ଜାରି କରିଥିବା ପ୍ରତିଟି ବିଜ୍ଞପ୍ତି ଆଧାରରେ ନିୟମ ପ୍ରଣୟନ ଅଥବା ବିଜ୍ଞପ୍ତି ଜାରି ପରି ଯଦି ସଂସଦ (ଲୋକସଭା ଓ ରାଜ୍ୟସଭା )ର ଅଧିବେଶନ ବସୁଥାଏ,ତେବେ ତାହା ଉଭୟ ସଦନରେ ଉପସ୍ଥାପିତ ହେବ । ଗୋଟିଏ ବା ଦୁଇଟି ବା କ୍ରମାନ୍ଵୟ ରେ ତତୋଧିକ ଅଧିକ ଅଧିବେଶନ ସମୁଦାୟ ସମୁଦାୟ ୩୦ ଦିନ ପାଇଁ ହୋଇଥିଲେ ଉପରୋକ୍ତ ଅଧିବେଶନର ଠିକ୍ ପରିବର୍ତ୍ତୀ ଅଧିବେଶନ ଶେଷ ହେବା ପୂର୍ବରୁ ବା ପଛକୁ ପଛ ଅଧିବେଶନଗୁଡିକ ସରିବା ପୂର୍ବରୁ ଯଦି ଏଭଳି ନିୟମ/ସଂଶୋଧିତ ନିୟମ/ବିଜ୍ଞପ୍ତିର ପରିବର୍ତ୍ତନ ପିନ ଉଭୟ ସଦନ ଏକମତ ହୁଅନ୍ତି ଯେ ଏପରି ନିୟମ ବା ବିଜ୍ଞାପନ କରାଯିବା ଉଚିତ,ତେବେ ତାହା କାର୍ଯ୍ୟକାରୀ ହେବ । କିନ୍ତୁ ଉଭୟ ସଦନ ବା କୌଣସି ସଦନ ଅସହମତି ପ୍ରକାଶ କାଲେ, ତାହାକୁ ଅକାମୀ ଘୋଷଣା କରାଯିବ । କିନ୍ତୁ ସଂସଦର ସହମତି ବା ଅସହମତି ଯେପରି ଆଇନର ପୂର୍ବ ନିର୍ଦ୍ଧାରିତ ନିୟମାବଳୀ ବା ସରକାରଙ୍କ ଦ୍ଵାରା ପୂର୍ବରୁ ଜାରି କାରଯାଇଥିବା ବିଜ୍ଞପ୍ତିର  ପ୍ରତି କ୍ଷତିକାରକ ବା ବ୍ୟତିକ୍ରମ ସାବ୍ୟସ୍ତ ନହୁଏ, ସେଥିପ୍ରତି ସଂସଦ ଦ୍ରୁଷ୍ଟି ଦେବ ।

(୪)ଏହି ଆଇନ ଅଧୀନରେ ରାଜ୍ୟ ସରକାରଙ୍କ ଦ୍ଵାରା ପରବର୍ତ୍ତିତ ପ୍ରତିଟି ନିୟମ/ବିଜ୍ଞପ୍ତି ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯିବ ।

ଅନୁସୂଚୀ

(ଧାରା ୧୯ ଓ ୨୫ ଦ୍ରଷ୍ଟବ୍ୟ )

ବିଦ୍ୟାଳୟ ପାଇଁ ସର୍ତ୍ତ ଓ ମାନ

କ୍ରମିକ                                                                 ସର୍ତ୍ତ ଓ ମାନ

୧. ଶିକ୍ଷକଙ୍କ ସଂଖ୍ୟା

(କ) ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ           ନାମଲେଖାଇଥିବା   ଶିଶୁସଂଖ୍ୟା   ଶିକ୍ଷକସଂଖ୍ୟା

୬୦ଜଣ ପର୍ଯ୍ୟନ୍ତ                        ୦୨ଜଣ

୬୧ ରୁ ୯୦ପର୍ଯ୍ୟନ୍ତ                    ୦୩

୯୧ ରୁ ୧୨୦ ମଧ୍ୟରେ                  ୦୪

୧୨୦  ରୁ ୨୨୦                       ୦୫

୧୫୦  ରୁ ବେଶି                    ୫+୧ଜଣ ପ୍ରଧାନଶିକ୍ଷକ

୨୦୦  ରୁ ବେଶି                     ପ୍ରଧାନଶିକ୍ଷକ ବ୍ୟତୀତ

ବିଦ୍ୟାର୍ଥୀ – ଶିକ୍ଷକ ଅନୁପାତ        ୪୦:୧ ରୁ ବେଶି ହେବ ନାହିଁ

 

(ଖ) ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପାଇଁ            ୧. ଅନ୍ତତଃ ଶ୍ରେଣୀୱାରୀ ଜଣେ ଶିକ୍ଷକ (ପ୍ରତି ବିଷୟରେ )

(୧) ବିଜ୍ଞାନ ଓ ଗଣିତ

(୨) ସାମାଜିକପାଠ

(୩) ଭାଷା

୨.ପ୍ରତି ୩୫ ବିଦ୍ୟାର୍ଥୀଙ୍କୁ ଅନ୍ୟୂନ ଜଣେ ଶିକ୍ଷକ

୩. ନାମଲେଖାଇଥିବା ଶିଶୁ ସଂଖ୍ୟା ୧୦୦ରୁ

ବେଶି

(କ)ଜଣେ ପୂର୍ଣସମୟ ପ୍ରଧାନଶିକ୍ଷକ

(ଖ) ସାମୟିକ ଅନୁଦେଶକ

(୧)କଳା ଶିକ୍ଷା ପାଇଁ

(୨) ସ୍ୱାସ୍ଥ୍ୟ ଓ ବ୍ୟାୟମ

(୩) କାର୍ଯ୍ୟ ଶିକ୍ଷା

 

୨) ବିଦ୍ୟାଳୟ କୋଠା                 ସବୁ ଋତୁ ଉପଯୋଗୀ ଗୃହ,ଯାହା ମଧ୍ୟରେ

(କ) ପ୍ରତି ଶିକ୍ଷକଙ୍କ ପାଇଁ ଅନ୍ତତଃ ଗୋଟିଏ ଶ୍ରେଣୀକକ୍ଷ

ଏକ କାର୍ଯ୍ୟ।ଳୟ- ଭଣ୍ଡାର-ପ୍ରଧାନଶିକ୍ଷକ କକ୍ଷ

(ଖ)ସବୁକକ୍ଷ ହେବ ଅବାଧ ପ୍ରବେଶଯୋଗ୍ୟ

(ଗ) ଯଥେଷ୍ଟ ଓ ନିରାପଦ ପିଇବାପାଣିର ବ୍ୟବସ୍ଥା

(ଘ ) ଏକ ପାକଶାଳା (ମଧ୍ୟାହ୍ନଭୋଜନ ରନ୍ଧନ ପାଇଁ)

(ଙ) ଖେଳପଡିଆ

(ଚ) ପାଚେରୀ ବା ତାରବାଡ ଘେରା ବିଦ୍ୟାଳୟ

୩. ଏକ ଶିକ୍ଷାବର୍ଷରେ ସର୍ବନିମ୍ନ ଧାର୍ଯ୍ୟ କାର୍ଯ୍ୟଦିବସ/ପାଠପଢା ଘଣ୍ଟା

(କ)ପ୍ରଥମରୁ ପଞ୍ଚମ ଶ୍ରେଣୀ =୨୦୦ କାର୍ଯ୍ୟଦିବସ

(ଖ) ଷଷ୍ଠରୁ ଅଷ୍ଟମ ଶ୍ରେଣୀ =୨୨୦ କାର୍ଯ୍ୟଦିବସ

(ଗ)ପ୍ରଥମରୁ ପଞ୍ଚମ ଶ୍ରେଣୀ = ୮୦୦ ଘଣ୍ଟା ଶିକ୍ଷାଦାନ

(ଖ) ଷଷ୍ଠରୁ ଅଷ୍ଟମ ଶ୍ରେଣୀ = ୧୦୦୦  ଘଣ୍ଟା ଶିକ୍ଷାଦାନ

୪. ଶିକ୍ଷକଙ୍କ ପାଇଁ ସାପ୍ତାହିକ ସର୍ବନିମ୍ନ କାର୍ଯ୍ୟ = ପ୍ରସ୍ତୁତି ସହ ଶିକ୍ଷାଦାନ ୪୫ ଘଣ୍ଟା

୫. ଶିକ୍ଷାଦାନ ଓ ଶିକ୍ଷଣ ସାମଗ୍ରୀ = ଆବଶ୍ୟକତାନୁସାରେ ପ୍ରତି ଶ୍ରେଣୀକୁ ମିଳିବ ।

୬. ୧ଟି ଲେଖାଏଁ ପାଠାଗାର = ସମ୍ବାଦପତ୍ର, ପତ୍ରିକା ,ଗପବହି ଓ ସବୁ ବିଷୟରେ ବହି ରହିବ

୭. କ୍ରୀଡା ସାମଗ୍ରୀ, ଖେଳକୁଦ ସରଞ୍ଜାମ = ପ୍ରତି ଶ୍ରେଣୀକୁ   ଆବଶ୍ୟକତାନୁସାରେ

ଆଧାର - ଆଇନ ଓ ନ୍ୟାୟ ମନ୍ତ୍ରାଳୟ

(ବିଧାନ ସଭା)

ନୂଆ ଦିଲ୍ଲୀ

2.75
ସନ୍ତୋଷ କୁମାର ମହାରଣା Nov 13, 2017 08:40 PM

୩୨ ବର୍ଷ ବୟସ ସୀମା ,ଚାକିରି ପାଇଁ, ପୁଣି ସ୍କୁଲ୍ ରେ ନିଯୁକ୍ତି ନିମନ୍ତେ,୪୨ ବର୍ଷ ଭଲ ହୁଅନ୍ତା,ନିଯୁକ୍ତି ଆଇନରେ କଣ ଉଲ୍ଲେଖଅଛି। RTE, SSA, କେଉଁଠି ନାହିଁ।

ଲୋଚନ ମେହେର Sep 17, 2017 03:00 PM

ଏହା ପ୍ରକୃତରେ ଏକ ଉଚିତ ପଦକ୍ଷ୍ୟେପ ,ଏହା ଦ୍ଵାରା ସମସ୍ତେ ପ୍ରଥମିକ ସ୍ରଶିକ୍ଷ୍ୟାପାଇଁ ପାରୁଛନ୍ତି

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top