ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ଈଶ୍ଵର କଣିକା ଓ ଷ୍ଟିଫେନ୍ ହକିଙ୍ଗ୍
ସେଆର କରନ୍ତୁ

ଈଶ୍ଵର କଣିକା ଓ ଷ୍ଟିଫେନ୍ ହକିଙ୍ଗ୍

ଈଶ୍ଵର କଣିକା ସମ୍ପର୍କରେ ଷ୍ଟିଫେନ୍ ହକିଙ୍ଗ୍ ଦେଇଥିବା ମନ୍ତବ୍ୟ ।

ଉପକ୍ରମ

ଈଶ୍ଵର କଣିକାକୁ ନେଇ ଷ୍ଟିଫେନ୍ ହକିଙ୍ଗ୍ ଦେଇଥିବା ମନ୍ତବ୍ୟ ଅନେକ ସମୟରେ ଆଲୋଡନ ସୃଷ୍ଟି କରିଛି । ୧୯୨୪ ଜାନୁୟାରୀ ୮ରେ ଅକ୍ସଫୋର୍ଡଠାରେ ଜନ୍ମିତ ଷ୍ଟିଫେନ୍ ହକିଙ୍ଗ୍ ହେଉଛନ୍ତି ଜଣେ ମହାନ୍ ଚିନ୍ତାନାୟକ ।

ଇତିହାସ

୧୩୭୦ କୋଟି ବର୍ଷ ତଳେ ଆମର ବିଶାଳ ବିଶ୍ଵବ୍ରହ୍ମାଣ୍ଡ ବିନ୍ଦୁ ସଦୃଶ ଥିଲା । ନଥିବା ଭିତରେ ସବୁକିଛି ଥିଲା ସମ୍ଭବନାମୟ ଅସ୍ତିତ୍ଵ ରୂପରେ । ବିଗ୍ ବ୍ୟାଙ୍ଗ୍ ବିସ୍ଫୋରଣ ପରେ ସେହି ବିନ୍ଦୁର ପ୍ରସାରଣ ପୂର୍ବକ ବ୍ରହ୍ମାଣ୍ଡର ସଂରଚନା ସଭାବ ହେଲା । ବିସ୍ଫୋରଣରୁ ଅମାପ ତାପ ସୃଷ୍ଟି ହେଲା । ତାପଶକ୍ତିରୁ ତିଆରି ହେଲା ହେଲା ବାସ୍ତୁକଣିକା । ଯେଉଁ ଗୁରୁତ୍ଵପୂର୍ଣ୍ଣ କଣିକାର ଈଶ୍ଵର କଣିକାମଧ୍ୟସ୍ଥିରେ ଏହି ପ୍ରକ୍ରିୟା ସମ୍ଭବ ହେଲା, ତାହା ହେଉଛି ‘ହିଗ୍ସ ବୋଜନ୍’ ବା ‘ଈଶ୍ଵର କଣିକା’ । ‘ଈଶ୍ଵର କଣିକା’ ଏକ ଓଜନିଆ କଣିକ । ତାହା ନ ଥିଲେ ବସ୍ତୁର ବସ୍ତୁତ୍ଵ ନ ଥାନ୍ତା, ଅଥବା ବିଶ୍ଵବ୍ରହ୍ମାଣ୍ଡର ନିର୍ମାଣ ସମ୍ଭବ ହେଇ ନ ଥାନ୍ତା । ୧୯୬୪ ମସିହାରେ ଏଡିନ୍ବର୍ଗ ବିଶ୍ଵବିଦ୍ୟାଳୟ ପ୍ରଫେସର ପିଟର୍ ହିଗ୍ସ ଏହି ଓଜନିଆ କଣିକା ବିଷୟରେ ସୂଚନା ଦେଇଥିବାରୁ ତାଙ୍କ ନାମ ଅନୁସାରେ  କଣିକାର ଏଭଳି ନାମକରଣ କରାଯାଇଛି । ଈଶ୍ଵର କଣିକା ସମ୍ପର୍କିତ ଗବେଷଣା ଓ ଏହାର ସନ୍ଧାନ ସକାଶେ ଜେନିଭାରେ ଏକ ଯନ୍ତ୍ର ନିର୍ମାଣ କରାଯାଇଛି, ଯାହାର ନାମ ହେଉଛି ‘ଲାର୍ଜ ହାଡ୍ରନ୍ କୋଲାଇଡ଼ର୍’ । ଭୁପୃଷ୍ଠରୁ ୧୦୦ ମିଟର ତଳେ ୩୫,୦୦୦ କୋଟି ଟଙ୍କା ଖର୍ଚ୍ଚରେ ୪ ମିଟର ମୋଟେଇ ଓ ୨୭ କିଲୋମିଟର ଲମ୍ବର ଏହି ବିଶାଳ ଯନ୍ତ୍ର ନିର୍ମିତ ହୋଇଛି । ଈଶ୍ଵର କଣିକା ସମ୍ପର୍କିତ ପରୀକ୍ଷଣ ସକାଶେ ପୃଥିବୀ ଧ୍ଵଂସ ହେବ ବୋଲି ଗୁଜବକୁ ନେଇ ୨୦୦୮ ମସିହାରେ ସାରା ପୃଥିବୀରେ ବଡଧରଣର ଆଲୋଡନ ସୃଷ୍ଟି ହୋଇଥିଲା । କିନ୍ତୁ ତାହା ମିଛ ବୋଲି ପରେ ପରେ ଲୋକମାନେ ଅନୁଭବ କଲେ । ସେ ଯାହାହେଉ, ୨୦୦୮ସେପ୍ଟେମ୍ବର ୧୦ରେ ମେଶିନ୍ ଚାଲୁ ହେଲା । ୨୦୧୨ ଜୁଲାଇ ୪ରେ ଈଶ୍ଵର କଣିକାର ସନ୍ଧାନ ସମଗ୍ର ବିଶ୍ଵବାସୀଙ୍କୁ  ଉଲ୍ଲସିତ କରିଥିଲା । ତେଣୁ ପିଟର୍ ହିଗ୍ସଙ୍କୁ ୨୦୧୩ରେ ପଦାର୍ଥ ବିଜ୍ଞାନରେ ଉଲ୍ଲେଖନୀୟ ଅବଦାନ ସକାଶେ ନୋବେଲ ପୁରସ୍କାର ପ୍ରଦାନ କରଯାଇଥିଲା ।

ଈଶ୍ଵର କଣିକାକୁ ନେଇ ଷ୍ଟିଫେନ୍ ହକିଙ୍ଗ୍ ଙ୍କ ମନ୍ତବ୍ୟ

ଈଶ୍ଵର କଣିକାକୁ ନେଇ ଷ୍ଟିଫେନ୍ ହକିଙ୍ଗ୍ ଦେଇଥିବା ମନ୍ତବ୍ୟ ଅନେକ ସମୟରେ ଆଲୋଡନ ସୃଷ୍ଟି କରିଛି । ୧୯୪୨ ଜାନୁଆରୀ ୮ରେ ଅକ୍ସଫୋର୍ଡଠାରେ ଜନ୍ମିତ ଷ୍ଟିଫେନ୍ ହକିଙ୍ଗ୍ ହେଉଛନ୍ତି ଜଣେ ମହାନ୍ ଚିନ୍ତାନାୟକ।  ୨୨ବର୍ଷ ବୟସରେ ସେ ମୋଟର ନିଉରନ୍ ରୋଗରେ ଆକ୍ରାନ୍ତ  ହେଲେ, ଯାହା ତାଙ୍କର ମେରୁଦଣ୍ଡର ସ୍ନାୟୁକୁ ଅକାମୀ କରିଦେଇଛି ଏବଂ ମସ୍ତିଷ୍କକୁ ଦୁର୍ବଳ କରିଚାଲିଛି । ଏବେ ତାଙ୍କୁ ହୁଇଲ୍ ଚେୟାରରେ ବସେଇ ନେବାଆଣିବା କରାଯାଉଛି । ସେ କଥା କହିପାରନ୍ତି ନାହିଁ । କମ୍ପ୍ୟୁଟର  ସହାୟତାରେ ସେ ନିଜ ଭାବର ଆଦାନ ପ୍ରଦାନ କରନ୍ତି । ବିଶ୍ଵବ୍ରହ୍ମାଣ୍ଡର ସୃଷ୍ଟି ସମ୍ପର୍କିତ ତାଙ୍କର ମୌଳିକ ଗବେଷଣା ପାଇଁ ସେ ବିଶ୍ଵବିଖ୍ୟାତ । ସ୍କଏ ବ୍ରିଫ୍ ହିଷ୍ଟ୍ରି ଅଫ୍ ଟାଇମ୍ ସ୍କ ଭଳି ପୁସ୍ତକର ସେ ରଚୟିତା । ଯେତେବେଳେ ବୈଜ୍ଞାନିକମାନେ ଈଶ୍ଵର କଣିକାର ସନ୍ଧାନରେ ବାହାରିଥିଲେ, ସେତେବେଳେ ଷ୍ଟିଫେନ୍ ହକିଙ୍ଗ୍ ଦେଇଥିବା ମନ୍ତବ୍ୟ ବେଶ୍ ଚହଳ ସୃଷ୍ଟି କରିଥିଲା । କାରଣ ଈଶ୍ଵର କଣିକାର ସନ୍ଧାନ ମିଳିବ ନାହିଁ ବୋଲି ସେ କହିଥିଲେ । କେବଳ ସେତିକି ନୁହେଁ, ମିଚିଗାନ୍ ବିଶ୍ଵବିଦ୍ୟାଳୟର ଗର୍ଡନ କାନେଙ୍କ ସହିତ ୧୦୦ ଡଲାର ମୁଦ୍ରା ବି ବାଜି ଲଗେଇଥିଲେ । ଯଦି ଏହି କଣିକାର ସନ୍ଧାନ ମିଳେ, ତେବେ ଗର୍ଡନ୍ ଙ୍କୁ ୧୦୦ ଡଲାର ଦେବେ ବୋଲି ଉପହାସ କରି କହିଥିଲେ । ତାଙ୍କର ଦୁର୍ଭାଗ୍ୟକୁ ଦୀର୍ଘ ଅର୍ଦ୍ଧଶତାଦ୍ଦୀର ଗବେଷଣା ପରେ ୨୦୧୨ ମସିହାରେ ଈଶ୍ଵର କଣିକାର  ସନ୍ଧାନ ମିଳିଲା । ଷ୍ଟିଫେନ୍ ହକିଙ୍ଗ୍ ତାଙ୍କର ବାଜି ହାରିଗଲେ ସତ, କିନ୍ତୁ ଏହି ଆବିଷ୍କାରକୁ ପଦାର୍ଥ ବିଜ୍ଞାନର ଅଲୌକିକ ଆବିଷ୍କାର ବୋଲି ସ୍ଵୀକାର କରିଥିଲେ । ଏହି ଆବିଷ୍କାର ପାଇଁ  ପିଟର୍ ହିଗ୍ସଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ ବୋଲି ଦାବି କରିଥିଲେ । ଯେଉଁଦିନ ପିଟର୍ ହିଗ୍ସ ନୋବେଲ ପୁରସ୍କାର ପାଇଲେ, ସେଦିନ ହକିଙ୍ଗ୍ ମଜାରେ ବିଭିନ୍ନ ଗଣମାଧ୍ୟମକୁ କହିଥିଲେ, ‘ପଦାର୍ଥ ବିଜ୍ଞାନର ଏକ ଅଲୌକିକ ଆବିଷ୍କାର ସକାଶେ ମୁଁ ୧୦୦ ଡଲାର ହାରିଗଲି ।‘

ଈଶ୍ଵର କଣିକାକୁ ନେଇ ଷ୍ଟିଫେନ୍ ହକିଙ୍ଗ୍ ଙ୍କର ମନ୍ତବ୍ୟ ସେତିକିରେ ସରିଲା ନାହିଁ । ୨୦୧୪ ମସିହା ସେପ୍ଟେମ୍ବର ମାସରେ ତାଙ୍କର ଏଭଳି ମନ୍ତବ୍ୟ ଆଲୋଡନ ସୃଷ୍ଟି କରିଥିଲା । ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିବା ଈଶ୍ଵର କଣିକା ଭବିଷ୍ୟତରେ ପୃଥିବୀ ଧ୍ଵଂସ କାରଣ ହେଇପାରେ ବୋଲି ସେ କହିଥିଲେ । ଏକ ପୁସ୍ତକର ମୁଖ୍ୟବନ୍ଧରେ ହକିଙ୍ଗ୍ ଏହି ବିଷୟରେ ସତର୍କ ସୂଚନା ଦେଇଥିଲେ । ସେହି ପୁସ୍ତକର ନାମ ‘ଷ୍ଟାରମସ୍ – ଫିଫ୍ଟି ଇୟର୍ସ ଅଫ୍ ମ୍ୟାନ୍ ଇନ୍ ସ୍ପେଶ୍’ । ଦୀର୍ଘ ୫୦ ବର୍ଷ ଧରି ମହାକାଶଚାରୀ ଓ ଗବେଷକମାନଙ୍କର ମହାକାଶ ସଂପର୍କିତ ବିଶେଷ ଅନୁଭୂତିକୁ ନେଇ ସେହି ପୁସ୍ତକ ଲେଖାଯାଇଛି । ଚନ୍ଦ୍ରପୃଷ୍ଠରେ  ପାଦ ଦେଇଥିବା ମହାକାଶଚାରୀ ବଜ୍ ଆଲ୍ଡ୍ରିନ୍ ଭଳି ବ୍ୟକ୍ତିଙ୍କର ବକ୍ତବ୍ୟ ସେଥିରେ ସ୍ଥାନିତ ହୋଇଛି । ଏଭଳି ଏକ ଆନ୍ତର୍ଜାତିକ ପୁସ୍ତକରେ ହକିଙ୍ଗ୍ ମନ୍ତବ୍ୟ ରଖିଥିବାରୁ ତାହା ବିଶ୍ଵସ୍ତରରେ ଚହଳ ସୃଷ୍ଟି କରିଥିଲା । ଏହି ମନ୍ତବ୍ୟ ପଛରେ ରହିଥିବା କାରଣ ସଂପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ ।

ଯେମିତି ଧାନଚାଉଳ ମାପିବା ପାଇଁ ‘କିଲୋଗ୍ରାମ୍’ ଏକକ ବ୍ୟବହୃତ ହୁଏ, ଯେମିତି ଦୂରତା ମାପିବା ପାଇଁ ‘କିଲୋମିଟର ‘ ଏକକ ବ୍ୟବହୃତ ହୁଏ, ସେହିପରି କ୍ଷୁଦ୍ର କଣିକାର ଶକ୍ତି ମାପିବା ପାଇଁ ‘ଇଲେକ୍ଟ୍ରନ୍ ଭୋଲ୍ଟ’ ଏକକ ଦରକାର ହୁଏ । ଏହାକୁ ସଂକ୍ଷେପରେ କୁହାଯାଏ ‘ଇଭି’ । ଈଶ୍ଵର କଣିକାର ଶକ୍ତିକୁ ‘ଇଭି’ ଏକକରେ ପ୍ରକାଶ କରାଯାଏ । ‘ଲାର୍ଜ ହାଡ୍ରନ୍ କୋଲାଇଡ଼ର’ ଭିତରେ ପୁରସ୍ପର ବିପରୀତ ଦିଗକୁ କ୍ଷିପ୍ର ବେଗରେ ଆସୁଥିବା ପ୍ରୋଟନ୍  କଣିକାଗୁଡ଼ିକର ସଂଘର୍ଷରୁ ପ୍ରଚଣ୍ଡ ଶକ୍ତି ଜାତ ହୁଏ । ସଂଘର୍ଷ ପୂର୍ବରୁ ପ୍ରତ୍ୟେକ ପ୍ରୋଟନ୍ ର ଶକ୍ତି ଥାଏ ପ୍ରାୟ ୭ ଲକ୍ଷ କୋଟି ଇଭି । ଏହି ଶକ୍ତି ନୀଳ ଆଲୋକକୁ ମିଳୁଥିବା ଶକ୍ତିର ୨,୬୦,୦୦୦ କୋଟି ଗୁଣ । ଏକ ସେକେଣ୍ଡ ମଧ୍ୟରେ ପ୍ରାୟ ୩ କୋଟି ପ୍ରୋଟନ୍ ପରସ୍ପର ସହିତ ବାଡେଇ ହୁଅନ୍ତି । ଫଳରେ ସେଠାକାର ତାପମାତ୍ରା ସୂର୍ଯ୍ୟ ତାପମାତ୍ରାର ୧ ଲକ୍ଷ ଗୁଣରେ ପହଞ୍ଚିଥାଏ । ସେଭଳି ଭୟଙ୍କର ଉତ୍ତପ୍ତ ପରିବେଶରେ ଈଶ୍ଵର କଣିକାର ସନ୍ଧାନ ସମ୍ଭବ ହୁଏ । କେବଳ ସେତିକି ନୁହେଁ, ଭବିଷ୍ୟତରେ ଏହାର ୮୦ଗୁଣ ଅଧିକ ତାପମାତ୍ରାରେଈଶ୍ଵର କଣିକା ନିଜର ସ୍ଥିରତା ହରାଏ। ତାହା ଏକ କ୍ଷୁଦ୍ର ଶୂନ୍ୟସ୍ଥାନ ସୃଷ୍ଟି କରିପାରେ । ଏହି ଶୂନ୍ୟସ୍ଥାନର ଆଲୋକ ବେଗରେ ସଂପ୍ରସାରଣ ସମ୍ଭବ । ଆମେ କିଛି ବୁଝିବା ପୂର୍ବରୁ ଏହା ଆମର ପୃଥିବୀକୁ ଗିଳିଦେଇ ପାରିବ ।

ବାସ୍ତବତା

କହିବା ବାହୁଲ୍ୟ, ଏହା ଲେଖାପଢାରେ ସମ୍ଭବ । ବାସ୍ତବ କ୍ଷେତ୍ରରେ ଏହା ସମ୍ଭବ ନୁହେଁ ବୋଲି ହକିଙ୍ଗ୍ ସୂଚନା ମଧ୍ୟ ଦେଇଛନ୍ତି । ଏହାର ଅନେକ କାରଣ ରହିଛି । ପ୍ରଥମତଃ ଏତେ ତାପମାତ୍ରା ସୃଷ୍ଟି କରିବା ପାଇଁ ପୃଥିବୀଠାରୁ ବଡ କୋଲାଇଡ଼ର ଜରୁରୀ । ଏହାର ଲମ୍ବ ଅତି କମ୍ ରେ ୪୦,୦୦୦ କିଲୋମିଟର ହେବା ଦରକାର । ଏବେ ଜେନିଭାରେ କାର୍ଯ୍ୟକ୍ଷମ କୋଲାଇଡ଼ର ଲମ୍ବ  ମାତ୍ର ୨୭ କିଲୋମିଟର । ଏହାକୁ ନିର୍ମାଣ କରିବା ସକାଶେ ଖର୍ଚ୍ଚ ହୋଇଥିଲା ଭାରତୀୟ ମୁଦ୍ରାରେ ୩୫,୦୦୦ କୋଟି ଟଙ୍କା । ଯଦି ୨୭ କିଲୋମିଟର ଲମ୍ବର ମେଶିନ୍ ନିର୍ମାଣ ପାଇଁ ୩୫,୦୦୦ କୋଟି ଟଙ୍କା ଖର୍ଚ୍ଚ  ହେଲା, ତେବେ ୪୦,୦୦୦  କିଲୋମିଟର ଲମ୍ବର ମେଶିନ୍ ନିର୍ମାଣ ପାଇଁ କେତେ ଅର୍ଥ ଆବଶ୍ୟକ ସହଜେ ଅନୁମେୟ । ତେଣୁ ବର୍ତ୍ତମାନର ବିଶ୍ଵ ଅର୍ଥନୀତିକୁ ଦେଖିଲେ ସେଭଳି ଅତିବିଶାଳ କୋଲାଇଡ଼ର ନିର୍ମାଣ କରିବା ସମ୍ଭବ ନୁହେଁ ।

ଓଡିଶା ଶିକ୍ଷା ସେବା (ଫିଜିକ୍ସ), ଭଦ୍ରକ

ଆଧାର – ଦୈନିକ ଧରିତ୍ରୀ ୨୨ ଫେବୃୟାରୀ

3.4
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top