ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଅଗଷ୍ଟ ବିପ୍ଳବର କାଇପଡ଼ାର ମୁକ୍ତି ସଂଗ୍ରାମୀ
ସେଆର କରନ୍ତୁ

ଅଗଷ୍ଟ ବିପ୍ଳବର କାଇପଡ଼ାର ମୁକ୍ତି ସଂଗ୍ରାମୀ

ଅଗଷ୍ଟ ବିପ୍ଳବର କାଇପଡ଼ାର ମୁକ୍ତି ସଂଗ୍ରାମୀ ବିଷୟରେ ସୂଚନା I

‘ଅସହଯୋଗ ଆନ୍ଦୋଳନ’ ଡାକରା

ମହାତ୍ମା ଗାନ୍ଧୀଙ୍କର ଭାରତୀୟ ରାଜନୀତିରେ ପ୍ରବେଶ, ଅଭ୍ୟୁଥାନ ଏବଂ କ୍ରମବର୍ଦ୍ଧନ ଭାରତବର୍ଷର ରାଜନୈତିକ ଜୀବନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା । ସର୍ବୋପରି ୧୯୨୧ ମସିହା ଜାନୁଆରୀ ମାସର ପ୍ରଥମ ସପ୍ତାହର ‘ଅସହଯୋଗ ଆନ୍ଦୋଳନ’ ଡାକରା । କେବଳ ବ୍ରିଟିଶ ମାନଙ୍କୁ ସ୍ତମ୍ଭୀଭୂତ କରିଥିଲା, ତାହା ନୁହେଁ ଦେଶର କୋଣ ଅନୁକୋଣର ନାଗରିକ ମାନଙ୍କ ମନରେ ଏକ ନୂତନ ଆଶା ଓ ଚିନ୍ତାଧାରାର ସଂଚାର ମଧ୍ୟ କରିଥିଲା । ସତ୍ୟ ଓ ଅହିଂସାର ମୂଳମନ୍ତ୍ର ଉପରେ ପର୍ଯ୍ୟବସିତ ଗାନ୍ଧୀଙ୍କର ରାଜନୈତିକ କାର୍ଯ୍ୟକ୍ରମର ପ୍ରତିଫଳନ ସମଗ୍ର ଦେଶରେ ସଂଚରି ଯାଇଥିଲା । ଏହାର ବିଶେଷ ପ୍ରଭାବ ମଧ୍ୟ ଓଡ଼ିଶା ଉପରେ ପଡ଼ିଥିଲା । ଏହା ଓଡ଼ିଶାର ଜନନାୟକ ଏବଂ ଓଡ଼ିଆ ଜାତିର ଜନକ କୁଳବୃଦ୍ଧ ମଧୁସୂଦନଙ୍କର ପ୍ରାଧାନ୍ୟକୁ ସଂକୁଚିତ କରି ଗାନ୍ଧୀ ଅନୁପ୍ରେମୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଓଡ଼ିଆ ଲୋକ ନାୟକ ହିସାବରେ ପ୍ରତିଷ୍ଠିତ କରିଥିଲା।

ସର୍ବୋପରି ମାର୍ଚ୍ଚ ୨୩ ତାରିଖ ୧୯୨୧ ମସିହା ସନ୍ଧ୍ୟାରେ କାଠଯୋଡ଼ି ନଦୀଶଯ୍ୟାରେ ଗାନ୍ଧିଜୀ ପ୍ରଥମ କରି ଓଡ଼ିଶା ଗସ୍ତରେ ଆସି ଏକ ବିଶାଳ ଜନସମାବେଶକୁ ଉଦ୍‌ବୋଧନ ଦେଇଥିଲେ । ମୂଳ ଲକ୍ଷ୍ୟ ଥିଲା ତାଙ୍କର ଛୁଆଁଅଛୁଆଁ ଭେଦଭାବ, କୁସଂସ୍କାର, ସାଂପ୍ରଦାୟିକ ବିଦ୍ଵେଶର ଦୂରୀକରଣ, ଆତ୍ମନିର୍ଭରଶୀଳ ଏବଂ ନାରୀ ଜାଗରଣ ପ୍ରସାର କରିବା । ଓଡ଼ିଶାରେ ୬ ଦିନ ରହଣି କାଳରେ ସେ ଭଦ୍ରକ, ସତ୍ୟବାଦୀ, ପୁରୀ, ବ୍ରହ୍ମପୁର ଇତ୍ୟାଦି ଅଞ୍ଚଳ ଭ୍ରମଣ କରି ଓଡ଼ିଶାର ଲୋକ ମାନଙ୍କ କାନରେ ସ୍ଵାଧୀନତାର ମନ୍ତ୍ର ଫୁଙ୍କି ଦେଇ ଗଲେ । ତାଙ୍କର ଆଗମନର ପ୍ରଭାବ ଓଡ଼ିଶାର ତୁଙ୍ଗ ନେତାଗଣ ଓ ସମଗ୍ର ଓଡ଼ିଶାବାସୀଙ୍କ ଉପରେ ପ୍ରଭାବ ବିସ୍ତାର କରିଥିଲା । ଫଳସ୍ଵରୂପ ଓଡ଼ିଆ ଲୋକ ମାନେ ନିଜକୁ ଜାତୀୟ ମୁଖ୍ୟ ସ୍ରୋତର ଧାରାରେ ମିଶାଇ ଦେଇଥିଲେ ଏବଂ ତତ୍ସହିତ ନିଜ ଭିତରେ ଥିବା ପ୍ରାଦେଶିକତା ତଥା ଆଞ୍ଚଳିକତାର ବିକାଶଧାରାକୁ ତନ୍ମଧ୍ୟରେ ନିକ୍ଷେପ କରିଥିଲେ ।

ଅସହଯୋଗ ଆନ୍ଦୋଳନ ପରିପ୍ରେକ୍ଷୀରେ ଓଡ଼ିଶାର ଅନେକ ଛାତ୍ରମାନେ ସ୍କୁଲ, କଲେଜ ବର୍ଜନ କରିଥିଲେ । ତନ୍ମଧ୍ୟରୁ ହରେକୃଷ୍ଣ ମହତାବ, ନନ୍ଦକିଶୋର ଦାସ, ନିତ୍ୟାନନ୍ଦ କାନୁନ୍‌ଗୋ, ନବକୃଷ୍ଣ ଚୌଧୁରୀ ଏବଂ ରାଜକୃଷ୍ଣ ବୋଷ ଅନ୍ୟତମ । ଭାଗିରଥୀ ମହାପାତ୍ର ଓ ଜଗବନ୍ଧୁ ସିଂ ସେମାନଙ୍କର ଆଇନ ବ୍ୟବସାୟ ବର୍ଜନ ଗୋପବନ୍ଧୁ ଚୌଧୁରୀଙ୍କର ସରକାରୀ ଚାକିରିରୁ ଇସ୍ତଫା ପ୍ରଦାନ ଏବଂ ପଣ୍ଡିତ ନୀଳକଣ୍ଠ ଦାସଙ୍କର କଲିକତା ବିଶ୍ୱବିଦ୍ୟାଳୟରୁ ଶିକ୍ଷକତା ପଦବୀରୁ ଇସ୍ତଫା ପ୍ରଦାନ ଉଲ୍ଲେଖନୀୟ ଘଟଣା ଅଟେ । ପଣ୍ଡିତ ଲିଙ୍ଗରାଜ ମିଶ୍ର, ସୁରେନ୍ଦ୍ରନାଥ ଦାସ ଏବଂ ମହମ୍ମଦ ହାନିଫ୍ ପ୍ରଭୃତି କେତେକ ବିଶିଷ୍ଟ ବ୍ୟକ୍ତିଗଣ ସରକାରୀ ଚାକିରିରୁ ଇସ୍ତଫା ପ୍ରଦାନ କରି ଅସହଯୋଗ ଆନ୍ଦୋଳନରେ ଲମ୍ଫ ପ୍ରଦାନ କରିଥିଲେ । ବାସ୍ତବପକ୍ଷେ ଓଡ଼ିଶା ବାସୀ ବିଦେଶୀ ଶାସନରୁ ନିଜକୁ ମୁକ୍ତ କରିବା ଲାଗି ଭାରତୀୟ ଜାତୀୟ ସଂଗ୍ରାମରେ ଦେଶର ଅନ୍ୟାନ୍ୟ ଅଞ୍ଚଳ ପରି ମଧ୍ୟ ଏକ ବଳିଷ୍ଠ ଭୂମିକା ନିର୍ବାହ କରିଥିଲେ ।

ଏହି ଆନ୍ଦୋଳନର ଅନ୍ୟ ଦିଗକୁ ଉନ୍ମୋଚନ କଲେ, କେତେକ ଗଠନମୂଳକ କାର୍ଯ୍ୟର ଶୁଭାରମ୍ଭ ହୋଇଥିବାର ଉପଲ ମଧ୍ୟ ହୁଏ । ଏହାର ଫଳସ୍ଵରୂପ ଓଡ଼ିଶାର ଉତ୍କଳ ସ୍ଵରାଜ୍ୟ ଶିକ୍ଷାପରିଷଦ ଜନ୍ମ ନେଲା । ଯାହାର ଫଳସ୍ଵରୂପ ପ୍ରଥମକରି ସତ୍ୟବାଦୀ ବିଦ୍ୟାଳୟକୁ ୧୯୨୧ ମସିହାର ପ୍ରଥମ ଭାଗରେ ଜାତୀୟ ଶିକ୍ଷାନୁଷ୍ଠାନ ରୂପେ ଓଡ଼ିଆ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା । ତତ୍ସହିତ ଜଗତ୍‌ସିଂହପୁର, କଟକ ଏବଂ ସୋର ଇତ୍ୟାଦି ସ୍ଥାନ ମାନଙ୍କରେ ଜାତୀୟ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ଜାତୀୟ ଚିନ୍ତାଧାରାର ପ୍ରସାର ନିମନ୍ତେ କଟକରେ ସ୍ଵରାଜ ଆଶ୍ରମ’ ଜଗତସିଂହପୁରରେ ‘ଅଳକା ଆଶ୍ରମ’ ଏବଂ ବାଲେଶ୍ଵରରେ ‘ସ୍ଵରାଜ ଆଶ୍ରମ’ ଗଠନ କରାଯାଇଥିଲା । କଟକ, ପୁରୀ, ବ୍ରହ୍ମପୁର, ଭଦ୍ରକ, ସମ୍ବଲପୁର ଇତ୍ୟାଦି ସହର ମାନଙ୍କରେ ବିଦେଶୀ ମଦ ଦୋକାନ ଏବଂ ବିଦେଶୀ ଲୁଗା ବିକ୍ରୟ ଅନୁଷ୍ଠାନ ଗୁଡ଼ିକ ସମ୍ମୁଖରେ ଅନେକ ଲୋକ ଗଣଧାରଣା ଦେଇ ବସିଥିଲେ । ଏଇଠି ମନେପକାଇ ଦିଆଯାଇପାରେ ଯେ, ଗାନ୍ଧିଜୀ ତାଙ୍କର ପୁରୀ ଜନତାଙ୍କୁ ଉଦ୍‌ବୋଧନୀ ଭାଷଣରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ବିଦେଶୀ ବସ୍ତ୍ର ବ୍ୟବହୃତ ହେଉଥିବା ସମ୍ପର୍କରେ ଏକ ଟିପ୍ପଣୀ ପ୍ରଦାନ କରିଥିଲେ । ଯାହାର ଫଳସ୍ଵରୂପ ପୁରୀର ଜନତାମାନେ ଶ୍ରୀମନ୍ଦିର ପରିଚାଳନା ପରିଷଦକୁ ଏହି ବିଦେଶୀ ବସ୍ତ୍ର ବ୍ୟବହାର ନକରିବା ପାଇଁ ଅନୁରୋଧ କରିଥିଲେ । ଏହାର ଫଳସ୍ଵରୂପ ଗୋପବନ୍ଧୁ ୧୮ ଜୁନ୍, ୧୯୨୧ ସମାଜର ସମ୍ପାଦକୀୟ ସ୍ତମ୍ଭରେ ଉଲ୍ଲେଖ କରିଥିଲେ ଯେ, ଶ୍ରୀମନ୍ଦିର ରୀତିନୀତିରେ ବିଦେଶୀ ଦ୍ରବ୍ୟ ବ୍ୟବହୃତ ହେବା ଲାଗି କୌଣସି ପରମ୍ପରା ନାହିଁ । ଏଣୁ ଏହା ଆଶା କରାଯାଏ ଯେ, ଶ୍ରୀମନ୍ଦିରରୁ ଯଦି ବିଦେଶୀ ବସ୍ତ୍ର ଓ ବିଦେଶୀ ଦ୍ରବ୍ୟ ବ୍ୟବହୃତ ହେବାର ନିଷେଧ କରାଯାଏ, ତା’ ହେଲେ ଏହାର ଏକ ସୁପ୍ରଭାବ ଧର୍ମଵେଷୀ ଜନତାଙ୍କ ଉପରେ ବିସ୍ତାର କରିବ । ପ୍ରକୃତରେ ଏହାର ବର୍ଷକ ପରେ ଶ୍ରୀମନ୍ଦିରର ମୁଖ୍ୟପଣ୍ଡା ଦେଶବାସୀଙ୍କୁ ଏକ ନିବେଦନ କଲେ ଯେ, ମହାପ୍ରଭୁଙ୍କ ଲାଗି କୌଣସି ବିଦେଶୀ ଦ୍ରବ୍ୟ ଓ ବିଦେଶୀ ବସ୍ତ୍ର ନଦେବାକୁ । (ସମାଜ ୨୨ ଜୁନ୍ ୧୯୨୨) ୧୪ ଅଗଷ୍ଟ ୧୯୨୧ ମସିହା କଟକ ଟାଉନ୍ ହଲ୍‌ଠାରେ ଏକ ବିଶାଳ ଜନସମାବେଶ ସମ୍ମୁଖରେ ପୂର୍ବରୁ ସଂଗୃହୀତ ହୋଇଥିବା । ବିଦେଶୀ ବସ୍ତ୍ରଗୁଡ଼ିକୁ ଏକ ଆନୁଷ୍ଠାନିକ ରୀତିରେ ଅଗ୍ନି ସଂଯୋଗ କରାଯାଇଥିଲା ଏବଂ ଏହାକୁ ଯଜ୍ଞ ନାମରେ ମଧ୍ୟ ନାମିତ କରାଗଲା ।

ଅସହଯୋଗ ଆନ୍ଦୋଳନ ପରେ ୧୯୩୦ ରେ ଗାନ୍ଧିଜୀଙ୍କର ଆଇନ ଅମାନ୍ୟ ଆନ୍ଦୋଳନରେ ଓଡ଼ିଶାର ଭୂମିକା ମଧ୍ୟ ନ୍ୟୁନ ନୁହେଁ । ୧୨ ମାର୍ଚ୍ଚ, ୧୯୩୦ ମସିହା ସାବରମତି ଆଶ୍ରମରୁ ଲବଣ ସତ୍ୟାଗ୍ରହ ନିମନ୍ତେ ଦାଣ୍ଡିଯାତ୍ରା ସମୟରେ ଗାନ୍ଧିଜୀଙ୍କର ୭୮ ଜଣ ଅନୁଗାମୀଙ୍କ ମଧ୍ୟରୁ ଓଡ଼ିଶାର ବିଂଶ ବର୍ଷିୟ ଛାତ୍ର ମୋତିବାସ ଦାସ ଅନ୍ୟତମ । ଏହି ଆଇନ ଅମାନ୍ୟ ଆନ୍ଦୋଳନର ନିଆଁ ମଧ୍ୟ ଓଡ଼ିଶାରେ ସଂଚରୀ ଯାଇଥିଲା । ଗୋପବନ୍ଧୁ ଚୌଧୁରୀଙ୍କ ତତ୍ତ୍ଵବଧାନରେ ହରେକୃଷ୍ଣ ମହତାବ ଏବଂ ସୁରେନ୍ଦ୍ରନାଥ ଦାସ ବାଲେଶ୍ଵର ଠାରୁ ୧୦ କି.ମି. ଦୂରବର୍ତ୍ତୀ ସମୁଦ୍ର   କୂଳବର୍ତ୍ତୀ ଇଞ୍ଜୁଡ଼ି ଠାରେ କ୍ଷେତ୍ର ପ୍ରସ୍ତୁତି କରିଥିଲେ । ୬ ଏପ୍ରିଲ୍ ୧୯୩୦ରେ କଟକର ସ୍ଵରାଜ ଆଶ୍ରମ ଠାରୁ ଇଞ୍ଚୁଡ଼ି ଅଭିମୁଖେ ୨୧ ଜଣିଆ ଦଳ ନେଇ ଗୋପବନ୍ଧୁ ଚୌଧୁରୀ ଏବଂ ଆଚାର୍ଯ୍ୟ ହରିହର ଦାସ ଯାତ୍ରା କରିଥିଲେ । ଅବଶ୍ୟ ଚାନ୍ଦୋଳ ଠାରେ ଗୋପବନ୍ଧୁ ନିଷେଧାଜ୍ଞା ଅବମାନନା ଅଭିଯୋଗରେ ପୁଲିସ ମାନଙ୍କ ଦ୍ଵାରା ଗିରଫ ହୋଇ କଟକ ଜେଲ୍‌ରେ ବନ୍ଦୀ ହୋଇଥିଲେ । ହେଲେ ୧୩ ତାରିଖ ଏପ୍ରିଲ୍ ୧୯୩୦, ଆଚାର୍ଯ୍ୟ ହରିହର ଦାସ ଏବଂ ତାଙ୍କର ୧୨ ଜଣ ସହଯୋଗୀଙ୍କ ସହିତ ଇଞ୍ଚୁଡ଼ି ଠାରେ ପହଞ୍ଚି ଲବଣ ଆଇନ ଅମାନ୍ୟ କରି ଲବଣ ପ୍ରସ୍ତୁତ କରିଥିଲେ । ସମଗ୍ର ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁତ ଦଳୀୟ କର୍ମୀ ଏହି ଇଞ୍ଚୁଡ଼ି ଠାରେ ମଧ୍ୟ ଏକତ୍ରିତ ହୋଇଥିଲେ । ପ୍ରକୃତ ପକ୍ଷେ ଦେଖବାକୁ ଗଲେ ଦାଣ୍ଡି ପରେ ହିଁ ଇଞ୍ଚୁଡ଼ି ଭାରତର ଦ୍ଵିତୀୟ ସ୍ଥାନ ଯେଉଁ ଠାରେ କି ଲବଣ ଆଇନ ଅମାନ୍ୟ କରାଯାଇଥିଲା । ଜାତୀୟ ସଂଗ୍ରାମରେ ଲମ୍ଫ ପ୍ରଦାନ କରିଥିବା ଓଡ଼ିଶାର ପ୍ରଥମ ନାରୀ ନେତ୍ରୀ ଭାବେ ରମାଦେବୀ ଏବଂ ମାଳତୀ ଦେବୀ ଇଞ୍ଚୁଡି ଠାରେ ଶହ ଶହ ନାରୀ ମାନଙ୍କୁ ଏକତ୍ରିତ କରି ଲବଣ ସତ୍ୟାଗ୍ରହରେ ଅଂଶ ଗ୍ରହଣ କରିଥିଲେ । କୁଜଙ୍ଗର ତତ୍କାଳୀନ ରାଣୀ ଭାଗ୍ୟବତୀ ଦେବୀ ଏହି ଜାତୀୟ ସଂଗ୍ରାମରେ ଯୋଗଦାନ ସ୍ଵରୂପ ଅନ୍ୟୁନ ୫୦୦ ଜଣ ମହିଳା କର୍ମୀଙ୍କୁ ଉତ୍ସାହିତ କରି ଲବଣ ସତ୍ୟାଗ୍ରହରେ ଭାଗ ନେବା ଲାଗି ଅନୁପ୍ରାଣିତ କରିଥିଲେ । ଏହି ମହିଳାଗଣ ରାଣୀଙ୍କ ଦ୍ଵାରା ପ୍ରଭାବିତ ହୋଇ କୁଜଙ୍ଗର ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ । ପୁରୀରେ ମଧ୍ୟ ଏହାର ବେଶ୍ ସୁପ୍ରଭାବ ପଡ଼ିଥିଲା ।

ଲବଣ ସତ୍ୟାଗ୍ରହ ସହିତ ବିଦେଶୀ ଦ୍ରବ୍ୟ ବିକ୍ରୟ, ଦୋକାନ ସମ୍ମୁଖରେ ଗଣଧାରଣା, ବିଦେଶୀ ଦ୍ରବ୍ୟ ବର୍ଜନ, ଚୌକିଦାରୀ କର ନଦେବା, ଗ୍ରାମପଞ୍ଚାୟତ ଗଠନ, ନିଶା ନିବାରଣ ଲାଗି ଗ୍ରାମାଞ୍ଚଳ ଗୁଡ଼ିକରୁ ତାଳ ଗଛ କାଟି ଦେବା ପ୍ରଭୃତି କାର୍ଯ୍ୟଗୁଡ଼ିକ ମଧ୍ୟ ଚାଲୁ ରହିଲା । ଆଇନ ଅମାନ୍ୟ ଆନ୍ଦୋଳନର ବିଫଳତା ପରେ ଗାନ୍ଧିଜୀ ଅନ୍ୟାନ୍ୟ ଗଠନ ମୂଳକ କାର୍ଯ୍ୟରେ ଲିପ୍ତ ରହିବା ଲାଗି କଂଗ୍ରେସ କର୍ମୀ ମାନଙ୍କୁ ଉତ୍ସାହିତ କଲେ ।

୧୯୩୯ ମସିହାରେ ଗାନ୍ଧିଜୀ ଅନୁଭବ କଲେ ଯେ, ବ୍ରିଟିଶ୍ ସରକାର ଭାରତୀୟ ପ୍ରତିନିଧି ମାନଙ୍କ ସହିତ ବିନା ଆଲୋଚନାରେ ଭାରତକୁ ମିତ୍ର ପକ୍ଷର ଏକ ଯୁଦ୍ଧରତ ଅଂଶୀଦାର ଦେଶ ହିସାବରେ ଘୋଷଣା କରିବା ଅନୈତିକ କାର୍ଯ୍ୟ ନୁହେଁ, ବରଂ ଏହା ଭାରତବାସୀଙ୍କ ପ୍ରତି ଚରମ ଉଦାସୀନତା ଓ ଚରମ ଉପେକ୍ଷା । ତହିତ ୧୯୪୦ ମସିହାର ମଧ୍ୟଭାଗରେ ଯୁଦ୍ଧ ପରିସ୍ଥିତି ଭୀଷଣ ଭାବରେ ଗମ୍ଭୀର ହୋଇ ଉଠିବାରୁ, ଏହି ପରିପ୍ରେକ୍ଷୀରେ କଂଗ୍ରେସ ଭାରତର ପୂର୍ଣ୍ଣ ସ୍ଵାଧୀନତା ଦାବୀକରି ତୁରନ୍ତ କେନ୍ଦ୍ରରେ ଏକ କାମଚଳା ଜାତୀୟ ସରକାର ପ୍ରତିଷ୍ଠା ପାଇଁ ମଧ୍ୟ ଆବେଦନ କଲା । ଏହାର ଉତ୍ତରରେ ତତ୍କାଳୀନ ଭାଇସ୍‌ରାୟ ଏକ ନୂଆ ସର୍ତ୍ତମୂଳକ ପ୍ରସ୍ତାବ ଦେଲେ, ଯାହାକୁ ଅଗଷ୍ଟ ଅଫର ବୋଲି କୁହାଯାଏ । ଏହା ମଧ୍ୟ କଂଗ୍ରେସ ଦ୍ଵାରା ସମ୍ପୂର୍ଣ୍ଣ ପ୍ରତ୍ୟାକ୍ଷିତ ହୋଇଥିଲା ଏବଂ ଗାନ୍ଧିଜୀ ବ୍ୟକ୍ତିଗତ ସତ୍ୟାଗ୍ରହ ଲାଗି ଡାକରା ଦେଲେ । ଏହାର ଫଳ ସ୍ଵରୂପ ଓଡ଼ିଶାରୁ ହରେକୃଷ୍ଣ ମହତାବ କଂଗ୍ରେସ କାର୍ଯ୍ୟକାରୀ ପରିଷଦର ଜଣେ ସଦସ୍ୟ ଭାବେ ଡିସେମ୍ବର ପହିଲା ୧୯୪୦ରେ ବାଲେଶ୍ଵର ଠାରେ ସରକାରଙ୍କ ଯୁଦ୍ଧ ନୀତି ବିରୁଦ୍ଧରେ ଏକ ଅଗ୍ନିବର୍ଷୀ ଭାଷଣ ଦେଇ କାରାବରଣ କରିଥିଲେ । ଏହାପରେ ପରେ ଓଡ଼ିଶାର ବିଶିଷ୍ଟ ଲବ୍ଧ ପ୍ରତିଷ୍ଠିତ ନେତାଗଣମାନେ ମଧ୍ୟ ତଦନୁରୂପ କାର୍ଯ୍ୟକଳାପ ଯୋଗୁଁ କାରାବରଣ କରିଥିଲେ । କ୍ରିପସ୍ ମିଶନ୍‌ର ବିଫଳତା ପରେ କଂଗ୍ରେସ କାର୍ଯ୍ୟକାରୀ କମିଟି ୱାଧୀ ସଭାରେ ଏକ ସଂକଳ୍ପ ଗ୍ରହଣ କରିଥିଲେ । ଯାହାକୁ ଭାରତ ଛାଡ଼ ସଂକଳ୍ପ ବୋଲି କୁହାଯାଏ । ୭ ଅଗଷ୍ଟ, ୧୯୪୨ ରେ ବମ୍ବେ ଠାରେ ସର୍ବଭାରତୀୟ କଂଗ୍ରେସ ପରିଷଦର ଆଲୋଚନାରେ ଏହାର ଚୂଡ଼ାନ୍ତ ରୂପ ଦେବା ଲାଗି ନିଷ୍ପତ୍ତି ଗ୍ରହଣ କରାଗଲା ଏବଂ ୮ ଅଗଷ୍ଟ ମଧ୍ୟରାତ୍ରିରେ କଂଗ୍ରେସ୍ ପରିଷଦ ଭାରତଛାଡ଼ ଆନ୍ଦୋଳନ କାର୍ଯ୍ୟକାରୀ କରିବା ପାଇଁ ଏକ ଐତିହାସିକ ଦୃଢ଼ସଂକଳ୍ପ ନେଲା । ହେଲେ ବ୍ରିଟିଶ୍ ସରକାର ଏହାର ସୁରାକ୍ ଖୁବ୍ ଆଗରୁ ପାଇ ଏହାକୁ ମୂଳରୁ ବିଫଳ କରିବା ଲାଗି ସମସ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ କରିସାରିଥିଲେ । ଯାହାଫଳରେ କି ଠିକ୍ ୯ ତାରିଖ ଭୋରୁ ଭୋରୁ ଦେଶର ସମସ୍ତ ତୁଙ୍ଗ ନେତାମାନଙ୍କୁ ଗିରଫ କରାଯାଇ ଜେଲ୍‌ରେ ନିକ୍ଷେପ କରାଯାଇଥିଲା । ଓଡ଼ିଶାରେ ମଧ୍ୟ ଭୋର ୯ ତାରିଖ ପ୍ରତ୍ୟୁଷରୁ ସବୁଦଳୀୟ କଂଗ୍ରେସ କର୍ମୀମାନଙ୍କୁ ବନ୍ଦୀ କରାଗଲା ଏବଂ ସେହିଦିନ ମଧ୍ୟ ସମଗ୍ର କଂଗ୍ରେସ ଅନୁଷ୍ଠାନ, ଅଫିସ୍ ଏବଂ ତାଙ୍କର ସହଯୋଗୀ ଅନୁଷ୍ଠାନ ଗୁଡ଼ିକୁ ବେଆଇନ ବୋଲି ଘୋଷଣା କରି ସବୁ ବିଜ୍ଞାପିତ ସ୍ଥାନମାନଙ୍କୁ ନିଜ ଅକ୍ତିଆରକୁ ନେଇଗଲା । ହେଲେ ସରକାରୀ କର୍ମଚାରୀ ମାନଙ୍କ ଭାବନାକୁ ଧକ୍କା ଦେଇ ଅଗଷ୍ଟ ତୃତୀୟ ସପ୍ତାହରେ ଓଡ଼ିଶାର ଗାଁଗହଳିରେ ଏହି ଅଗଷ୍ଟ ବିପ୍ଳବ ତୀବ୍ରତର ହୋଇ ଉଠିଲା । ଯାହାକୁ କି ଇଂରେଜ ସରକାର ସହଜରେ ଦମନ କରିପାରିଲେ ନାହିଁ ।

ଓଡ଼ିଶାର ରାଜନୈତିକ ପରିସ୍ଥିତି ସମ୍ପର୍କରେ ଏକ ସମୀକ୍ଷା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏକ ସରକାରୀ ଇସ୍ତାହାରରେ ପ୍ରକାଶ ପାଇଥିଲା । ଏଥିରେ କୁହାଯାଇଥିଲା ଯେ ଗଞ୍ଜାମ, ପୁରୀ, ସମ୍ବଲପୁର ଜିଲ୍ଲାର ଅବସ୍ଥା ସମ୍ପୂର୍ଣ୍ଣ ସ୍ଵଭାବିକ ଥିଲାବେଳେ କଟକ, ବାଲେଶ୍ଵର ଏବଂ କୋରାପୁଟରେ ଗଣହିଂସା ସଂଗଠିତ ହୋଇଛି । ପ୍ରକୃତରେ ଦେଖବାକୁ ଗଲେ ଅଗଷ୍ଟ ବିପ୍ଳବର ନିଆଁ ରେଭେନ୍ସା କଲେଜ ପ୍ରାଙ୍ଗଣରୁ ଆରମ୍ଭ ହୋଇ ଚାରିଆଡ଼କୁ ସଂକ୍ରମିତ ହୋଇଥିଲା । ରେଭେନ୍ସା କଲେଜର କେତେକ ଛାତ୍ର ଦଲିଲ ଏବଂ ନଥିପତ୍ର ଥିବା ଅଫିସ୍ କୋଠରୀରେ ଅଗ୍ନି ସଂଯୋଗ କରି ଏକ ଯୁଗାନ୍ତକାରୀ ଉଦାହରଣ ସୃଷ୍ଟି କରିଥିଲେ । ଯାହାଫଳରେ କି ସେମାନଙ୍କ ମଧ୍ୟରୁ ଅନେକଙ୍କୁ କାରାବରଣ କରିବାକୁ ପଡ଼ିଥିଲା । ତତ୍କାଳୀନ ଅବିଭକ୍ତ କଟକ ଜିଲ୍ଲାର ଯାଜପୁର ଏବଂ କେନ୍ଦ୍ରାପଡ଼ାରେ ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା । ପୋଷ୍ଟ ଅଫିସ୍, ତହସିଲ୍ ଅଫିସ୍, ରେଭିନ୍ୟୁ ଅଫିସ୍ ଏବଂ ଡାକବଙ୍ଗଳା ଗୁଡ଼ିକ ବିପ୍ଳବୀ ଜନତା ମାନଙ୍କ ଆକ୍ରମଣର ଶିକାର ହେଲେ । ଚୌକିଦାର ମାନଙ୍କ ଠାରୁ ସେମାନଙ୍କ ପୋଷାକପତ୍ର ଛଡ଼ାଇ ନିଆଯାଇ ପୋଡ଼ି ଦିଆଯାଇଥିଲା ଏବଂ ଅନେକ ଜାଗାରେ ଟେଲିଗ୍ରାଫ୍ ଓ ଟେଲିଫୋନ୍ ତାର କାଟି ଦିଆଯାଇଥିଲା ।

କାଇପଡ଼ାର ମୁକ୍ତି ସଂଗ୍ରାମୀ

ଅଗଷ୍ଟ ୯, ୧୯୪୨ରେ ବରୀ ସେବାଶ୍ରମକୁ ମଧ୍ୟ ପୋଲିସ ନିଜ ଅକ୍ତିଆରକୁ ନେଇ ତାଲା ପକାଇ ଦେଇଥିଲା । ଏହାର ଉତ୍ତରରେ ଅଗଷ୍ଟ ୨୪ରେ ଉଭ୍ୟକ୍ତ ଜନତା କେବଳ ବରୀ ଆଶ୍ରମକୁ ପୁନର୍ବାର
ଦଖଲ କରିଥିଲେ ତାହା ନୁହେଁ ବରଂ ପି.ଡ଼ବ୍ଲ୍ୟୁ.ଡ଼ି କୋଠରୀ, ଯେଉଁ ଠାରେ ବରୀ ଆଶ୍ରମର ନଥିପତ୍ର ସୁରକ୍ଷିତ ଅବସ୍ଥାରେ ରଖାଯାଇଥିଲା, ସେଥିରେ ମଧ୍ୟ ଅଗ୍ନି ସଂଯୋଗ କରିଥିଲେ ଏବଂ ସେହି ଦିନ ମଧ୍ୟ ବରୀର ବାନର ସେନା ମାନେ ପୋଷ୍ଟ ଅଫିସ୍ ପୋଡ଼ି ଦେଇଥିଲେ ।

ବରୀ ଆଶ୍ରମର ଶାଖା କାଇପଡ଼ା, ଅଣିକଣା, ରାମଚନ୍ଦ୍ରପୁର ଏବଂ ସନ୍ନ୍ୟାସୀ ପୁର ଠାରେ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା । କାଇପଡ଼ାର ଅନେକ ବ୍ୟକ୍ତି ଏହି ବରୀ ଆଶ୍ରମର ପୁନରୁଦ୍ଧାର, ନଥିପତ୍ର ଥିବା ପିଡବ୍ଲଡ଼ି କୋଠରୀରେ ଅଗ୍ନି ସଂଯୋଗ ଏବଂ ବାନର ସେନା ସହିତ ପୋଷ୍ଟ ଅଫିସ୍‌ରେ ଅଗ୍ନି ସଂଯୋଗ କାର୍ଯ୍ୟରେ ଲିପ୍ତ ଥିଲେ ।

ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଯାଜପୁର ସବ୍‌ଡିଭିଜନ୍ ଅଫିସର । ଦ୍ଵିତୀୟ କିରାଣୀ ସୁଧାକର ଦାସଙ୍କ ସହିତ ଯାଜପୁରର ତତ୍କାଳୀନ ଏସ୍.ଡି.ଓ. ରତ୍ନାକର ଷଡ଼ଙ୍ଗୀ, ଡି.ଏସ୍.ପି. ଲକ୍ଷ୍ମଣ ରାଓ ପଟ୍ଟନାୟକ ଏବଂ ୨୭ ଜଣ ପୋଲିସ୍‌ କର୍ମଚାରୀ ସଂପୃକ୍ତ ଦୋଷୀମାନଙ୍କୁ ଧରିବା ପାଇଁ କାଇପଡ଼ାରେ ଆସି ପହଞ୍ଚିଥିଲେ ।

କାଇପଡ଼ାରେ ଏହି ଖବର ମଧ୍ୟ ସଂଚରି ଯାଇଥିଲା । ପୋଲିସ୍ ପହଞ୍ଚିବା ପରେ କାଇପଡ଼ାର ଗ୍ରାମବାସୀ ମାନେ ଏହାର ବିରୁଦ୍ଧାଚରଣ କରିବା ଲାଗି ଏକ ନିଷ୍ପତ୍ତି ନେଲେ । ୨୬ ଅଗଷ୍ଟ, ୧୯୪୨, ଗହ୍ମାପୂର୍ଣ୍ଣମୀ ଦିନ ଯାଜପୁରର ବିଭିନ୍ନ ପ୍ରାନ୍ତରୁ କର୍ମୀମାନେ ଆସି କାଇପଡ଼ାର ଶସ୍ୟ ଭଣ୍ଡାର ଅଫିସ୍ ସାମ୍ନାରେ ଏକତ୍ରିତ ହୋଇଥିଲେ । ତତ୍‌ପରେ ସେଠାରୁ ଯାଇ ନିକଟବର୍ତ୍ତୀ ସନ୍ନ୍ୟାସୀପୁର ଗ୍ରାମରେ ଏକ ସଭା କଲେ । ଅନ୍ନପୂର୍ଣ୍ଣା ମହାରଣା ଯାହାଙ୍କୁ କି ଶ୍ରଦ୍ଧାରେ ସମସ୍ତେ ଚୁନୀ ଦେଈ ବୋଲି ଡାକୁଥିଲେ ସିଏ ଏହି ସଭାରେ ଭାଷଣ  ସେଠାରେ ଡି.ଏସ୍.ପି. ପହଞ୍ଚି ଯାଇଥିଲେ । ଇତ୍ୟବସରରେ ପୋଲିସ୍ ଅନେକ ଗୁଡ଼ିଏ ଲୋକଙ୍କୁ
ଗିରଫ କରି ନେଇଥିଲେ ଏବଂ ଅଳ୍ପ କେତେକ ପୁଲିସ୍ ସେମାନଙ୍କୁ ଯାଜପୁର କୋର୍ଟକୁ ଚାଲାଣ କରି ବା
କାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ସେଠାରେ ଉପସ୍ଥିତ ଥିବା ଜନତା ଏହାର ତୀବ୍ର ପ୍ରତିବାଦ କରି
ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ମୁକ୍ତ କରି ଦେବାଲାଗି ଦାବୀ କରିଥିଲେ । ହାଡ଼ିବନ୍ଧୁ ପଣ୍ଡା
ଏହାର ନେତୃତ୍ଵ ନେଇଥିଲେ । ପୋଲିସ୍‌ର ବାରମ୍ବାର ତାଗିଦ୍ ସତ୍ତ୍ୱେ ସେମାନେ ବିଚ୍ୟୁତ ନହେବାରୁ
ପୁଲିସ୍ ତରଫରୁ ଏକ ଅମାନୁଷିକ ଗୁଳିଚାଳନା କରାଯାଇଥିଲା । ଯେଉଁଥିରେ କି ୫ ଜଣ ବ୍ୟକ୍ତି ପ୍ରାଣ
ହରାଇ ଥିଲେ ଏବଂ ଅଧିକାଂଶ  ବ୍ୟକ୍ତି କ୍ଷତବିକ୍ଷତ ହୋଇଥିଲେ । ଏହା ପରେ ପରେ ଅନ୍ନପୂର୍ଣ୍ଣା ମହାରଣା ଅନ୍ୟ କେତେ ଜଣ ସହଯୋଗୀଙ୍କ ସହିତ ସେଠାରୁ ଯାଇ କଳା ମାଠିଆ ଠାରେ ପୁଲିସ୍ ଅଫିସରଙ୍କୁ ଏକ ଚେତାବନୀ ଦେଇଥିଲେ । ସେ କହିଥିଲେ ଯେ, “ଗିରଫ ହୋଇଥିବା ବନ୍ଦୀମାନଙ୍କୁ ମୁକ୍ତକର, ନଚେତ୍ ଆମ୍ଭମାନଙ୍କୁ ଗିରଫ କର ।” ତାଙ୍କର କଥାପ୍ରତି ପୁଲିସ୍ ଭୂକ୍ଷେପ କରି ନଥିଲା ଯାହା ଫଳରେ କି ହାଡ଼ିବନ୍ଧୁ ପଣ୍ଡା, ନିସାମଲ ଏବଂ ନରହରି ପଣ୍ଡା ପୁଲିସ୍‌ର ସୁରକ୍ଷା ବଳୟ ଭାଙ୍ଗି ଜଣେ ବନ୍ଦୀଙ୍କୁ ମୁକ୍ତ କରିଥିଲେ ଏବଂ ସେହି ଠାରେ ମଧ୍ୟ ପୁଲିସ ଦ୍ଵାରା ଗୁଳି ବିଦ୍ଧ ହୋଇ ପ୍ରାଣ ତ୍ୟାଗ କଲେ ।

ସୁନ୍ଦର ସୌମ୍ୟ ୩୫ ବର୍ଷିୟ ଯୁବକ ହାଡ଼ିବନ୍ଧୁ ପଣ୍ଡା, ଛନ୍ଦା ଦେବୀ ଏବଂ ମହେଶ୍ଵର ପଣ୍ଡାଙ୍କର ସୁପୁତ୍ର ଥିଲେ । ସୁଦୂର କଲିକତାରୁ ପିତାଙ୍କର ଶୁଦ୍ଧିକ୍ରିୟାରେ ଯୋଗଦେବା ଲାଗି ସେ ତାଙ୍କର ଗ୍ରାମକୁ ଆସିଥିଲେ । ପିତାଙ୍କ ମୃତ୍ୟୁର ଠିକ୍ ୯ ଦିନ ପରେ ହସି ହସି ଦେଶମାତୃକା ପାଇଁ ଶହୀଦ ହୋଇଥିଲେ । ହାଡ଼ିବନ୍ଧୁ ପଣ୍ଡାଙ୍କର ମୃତ୍ୟୁରେ ମର୍ମାହତ ଜନତା ହଠାତ୍ ଉଭ୍ୟକ୍ତ ହୋଇ କିଛି ଭୂକ୍ଷେପ ନକରି ପୁଲିସ୍‌ ବାହିନୀ ଆଡ଼କୁ ଅଗ୍ରସର ହୋଇ ଯାଇଥିଲେ । ହେଲେ ନିର୍ମମ ପୁଲିସର ଗୁଳିଚାଳନା ୨୩ ବର୍ଷିୟ ଦିନ ମଜୁରିଆ ସାଉଁଟି ମଳିକ ଯିଏକି ଗୟା ଦେବୀ ଏବଂ ମୃତ ବିମ୍ବାଧରଙ୍କ ପୁତ୍ର ଥିଲେ ତାଙ୍କରି କପାଳକୁ ବିଦ୍ଧ କରିଥିଲା । ଏହା ପରେ ହାତୀ ସାହିର ସୁଲୋଚନା ଦେବୀ ଏବଂ ମୃତ ଘନଭୂୟାଁଙ୍କର ପୁତ୍ର ମାୟାଧର ଭୂୟୀ ଯିଏକି ମରଣସେନାର ଏକ ସକ୍ରିୟ ସଦସ୍ୟ ଥିଲେ । ପୁଲିସ୍ ହାତରୁ ବନ୍ଧୁକ ଛଡ଼ାଇବା ଲାଗି ପ୍ରଚେଷ୍ଟାରେ ଥିବାବେଳେ ୨ ଜଣ ପୁଲିସ୍‌ ତାଙ୍କର ଗଳାରେ ବନ୍ଧୁକ ରଖୁ ଗୁଳି ଚାଳନା କରିଥିଲେ । ଯାହାଫଳରେ କି ସେହିଠାରେ ସିଏ ଟଳି ପଡ଼ିଲେ । ସଂପ୍ରତି ଅନ୍ନପୂର୍ଣ୍ଣା ମହାରଣା ରେଭେନ୍ସା କଲେଜର ସ୍ନାତକୋତ୍ତର ଇତିହାସ ବିଭାଗର ଛାତ୍ରୀ ଦେବଯାନୀ ପତିଙ୍କୁ ଏକ ସାକ୍ଷାତକାର ଦେଇ ସ୍ଵହସ୍ତରେ ଲିଖୁତ ବିବରଣୀ ୨୩ ମେ, ୨୦୦୪ରେ ପ୍ରଦାନ କରିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି ‘କାଇପଡ଼ାର ହୋଇଥିବା ଗୁଳିକାଣ୍ଡରେ ସେ ଉପସ୍ଥିତ ଥିଲେ । ସେହି ସ୍ଥାନରେ ସଂଗିନୀର ଆକ୍ରମଣରେ ଦେହତ୍ୟାଗ କରିଥିବା ଶହୀଦ ମାୟାଧର ଭୂୟାଁଙ୍କର ମୃତଦେହକୁ ହାଟସାହି ଗ୍ରାମର ଶ୍ରୀମାନ କୃଷ୍ଣଙ୍କ ସାହାଯ୍ୟରେ ବହନ କରି ଆଣିଥିଲେ ।’ ସନନ୍ଦ ସ୍ୱାଇଁ ଯିଏ ଜଣେ ସୁକବି ହିସାବରେ ଖ୍ୟାତି ଲାଭ କରିଥିଲେ ଏବଂ ମରଣ ସେନାର ଅନ୍ୟତମ ସଦସ୍ୟ ଥିଲେ ପୁଲିସ୍‌ର ଗୁଳିରୁ ମଧ୍ୟ ନିଷ୍ପଭି ପାଇ ନଥିଲେ । ସେହି ରାତିରେ ସେ ଇହଧାମ ତ୍ୟାଗ କରିଥିଲେ । ସବୁ ଠାରୁ ସ୍ମରଣୀୟ ଘଟଣା ହେଉଛି କୁନିଝିଅ ଅବଳାର ତ୍ୟାଗ । ନିଜ ବନ୍ଦୀ ପିତାଙ୍କର ପଛରେ ଦୌଡ଼ି ଦୌଡ଼ି ଯାଇ ଏକ ବର୍ଷା ପାଣି ଭରା ଖାଲ ଭିତରେ ପଡ଼ି ମୃତ୍ୟୁବରଣ କରିଥିଲା । ଏହି ଗୁଳି କାଣ୍ଡରେ ଅନ୍ୟୁନ ୧୭ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ଏବଂ ପୁଲିସ୍ ଅଧିକାଂଶ  ଉପସ୍ଥିତ ବ୍ୟକ୍ତି ଓ ବାନରସେନା ମାନଙ୍କୁ ବନ୍ଦୀ କରି ଜେଲ୍କୁ ପଠାଇ ଦେଇଥିଲେ । ଏହି କାଇପଡ଼ା ଗୁଳିକାଣ୍ଡର ପ୍ରତ୍ୟକ୍ଷଦର୍ଶୀ କେତେକ ବିଶିଷ୍ଟ ବ୍ୟକ୍ତି ଯେଉଁ ମାନେ କି କାରାବରଣ କରିଥିଲେ, ସେମାନଙ୍କ ବିଷୟରେ ଏଠାରେ କିଛି ଉଲ୍ଲେଖ କରାଯାଉଅଛି । ଅନାମ ଚରଣ ଦାସ ଜଣେ ରାଜନୈତିକ ବନ୍ଦୀ ହିସାବରେ ୨୬ ଅଗଷ୍ଟ, ୧୯୪୨ ମସିହାରେ ବରପୁର ଏବଂ କଟକ କାରାଗାରରେ ୧୪ ମାସ ଅତିବାହିତ କରିଥିଲେ । ତାଙ୍କ ପଛକୁ ସେହି କୃଷ୍ଣ ନଗର ଗାଁର ବେଣୁଧର ସାମଲ ଓ ଡମ୍ବରୁଧର ରାୟ ମଧ୍ୟ କାରାବରଣ କରିଥିଲେ । ଇନ୍ଦ୍ରମଣି ତ୍ରିପାଠୀ ଏବଂ ମୁକ୍ତେଶ୍ଵର ମିଶ୍ରଙ୍କ ନାମ ମଧ୍ୟ ଉଲ୍ଲେଖନୀୟ । ବିଶିଷ୍ଟ ନାରୀନେତ୍ରୀ ଅନ୍ନପୂର୍ଣ୍ଣ ମହାରଣା ଏକ କ୍ଷତବିକ୍ଷତ ବାଳକକୁ କୋଳରେ ଧରି ଖୁବ୍ ସାହସର ସହିତ ପିଲାଟିକୁ ଦେଖାଇ ପୁଲିସ୍ ଅଫିସରମାନଙ୍କୁ ପଚାରିଥିଲେ, 'ଏହି ପିଲାଟି ତୁମର କ’ଣ କ୍ଷତି କରି ଥିଲା ଯେ ତୁମେ ତା’ ଉପରକୁ ଗୁଳି ଚାଳନା କଲ ? ତୁମେ ଯେଉଁ ଦରମା ପାଉଛି ତାହା ଏହି ଲୋକ ମାନଙ୍କ ଦ୍ଵାରା ହିଁ ଦିଆଯାଉଛି ଏବଂ ତା’ର ପ୍ରତ୍ୟୁତ୍ତରରେ ତୁମେ ସେହି ମାନଙ୍କୁ ଗୁଳିଚାଳନା କଲ । ତୁମ୍ଭେମାନେ ଅକୃତଜ୍ଞ ।

କାଇପଡ଼ା ପରି ବାଲେଶ୍ଵରର ଭଣ୍ଡାରୀପୋଖରୀ, ତୁଳିଗଡ଼ିଆ ଏବଂ ଇରମ୍ଭଠାରେ ମଧ୍ୟ ଅଗଷ୍ଟ ବିପ୍ଳବୀମାନଙ୍କୁ ନେଇ ପୁଲିସ୍ ସାହାଯ୍ୟରେ ବ୍ରିଟିଶ୍ ସରକାର ରକ୍ତର ହୋଲି ଖେଳିଥିଲେ । ଓଡ଼ିଶାର ଅନେକ ମୁକ୍ତି ସଂଗ୍ରାମୀ ନିଜର ଆତ୍ୟାଗ, ସ୍ଵାର୍ଥ ତ୍ୟାଗ ଏବଂ ଭାବାବେଗ ତ୍ୟାଗ କରି ଇତିହାସର ମାନସପଟରେ ଚିର ଅମର ଓ ଚିର ସ୍ମରଣୀୟ ହୋଇ ରହିଛନ୍ତି ।

‘ହେ ଅଗଷ୍ଟ ବିପ୍ଳବୀର ମୁକ୍ତି ସଂଗ୍ରାମୀ ଗଣ

ତୁମରି ଦାୟାଦ ମୁଁ ତୁମ ପାଶେ କରେ ନିବେଦନ

ପ୍ରସ୍ତୁଟିତ ହେଉ ମୋର ମାନସିକ ଚେତନା

ହେଉ ମୋର ଅଣୁ ପ୍ରତିରେଣୁ ସ୍ଵାକ୍ଷରିତ

ତୁମରି ଆଦର୍ଶ ତୁମରି ତ୍ୟାଗରେ ।‘

ସଂଗୃହିତ - ଡଃ ବିନୋଦିନୀ ଦାସ, ବରିଷ୍ଠ ଅଧ୍ୟାପିକା, ଇତିହାସ ବିଭାଗ ରେଭେନ୍‌ସା କଲେଜ, କଟକ

ଆଧାର - ଇ ମଗାଜିନ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top