ସେଆର କରନ୍ତୁ

ଅନନ୍ତ ବିଶ୍ଵ

ସୌରମଣ୍ଡଳ ଓ ତା’ ଚାରିପାଖେ ଥିବା ସ୍ଥିର ନକ୍ଷତ୍ର ହିଁ ବିଶ୍ଵକୁ ବୁଝାଉଥିଲା

ଉପକ୍ରମ

ସୌରଜଗତର କେନ୍ଦ୍ରରେ ସୂର୍ଯ୍ୟ ଅଛି ଏବଂ ଏହା ଚାରିପଟେ ଆଠଟି ଗ୍ରହ, ଅନେକ ଉପଗ୍ରହ, ଗ୍ରହାଣୁ ଓଧୂମକେତୁ ଆଦି ପରିକ୍ରମଣ କରୁଛନ୍ତି । ସୌରମଣ୍ଡଳ ଓ ତା’ ଚାରିପାଖେ ଥିବା ସ୍ଥିର ନକ୍ଷତ୍ର ହିଁ ବିଶ୍ଵକୁ ବୁଝାଉଥିଲା ।

ଅନ୍ତହୀନ ବିଶ୍ଵ

ବିଶ୍ଵ ହେଉଛି ଅନ୍ତହୀନ ଓ ସୀମାହୀନ । ଏହା ମଧ୍ୟରେ ସମସ୍ତ ଗାଲାକ୍ସି, ନକ୍ଷତ୍ର, ଗ୍ରହ ଆଦି ରହିଛି । ଖାଲି ଆଖିରେ ଆମେ ଯେତିକି ନକ୍ଷତ୍ର ଦେଖିପାରୁଛେ, ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ତା’ର ଅନେକ ଗୁଣ ନକ୍ଷତ୍ର ଦେଖିପାରୁଛେ । ତା’ହେଲେ ପ୍ରଶ୍ନ ଉଠେ, ବିଶ୍ଵ କେଡ଼େ ବଡ ? ଆଜିକୁ ତିନିଶହ ବର୍ଷ ପୂର୍ବ ପର୍ଯ୍ୟନ୍ତ ବିଶ୍ଵାସ କରଯାଇଥିଲା ଯେ ଆମ ସୌରଜଗତ ହେଉଛି ବିଶ୍ଵ । ସୌରଜଗତର କେନ୍ଦ୍ରରେ ସୂର୍ଯ୍ୟ ଅଛି ଏବଂ ଏହା ଚାରିପଟେ ଆଠଟି ଗ୍ରହ, ଅନେକ ଉପଗ୍ରହ, ଗ୍ରହାଣୁ ଓ ଧୂମକେତୁ ଆଦି ପରିକ୍ରମଣ କରୁଛନ୍ତି । ସୌରମଣ୍ଡଲ ଓ ତା’ ଚାରିପାଖେ ଥିବା ସ୍ଥିର ନକ୍ଷତ୍ର ହିଁ ବିଶ୍ଵକୁ ବୁଝାଉଥିଲା ।

ଦୂରବୀକ୍ଷଣ ଯନ୍ତ୍ରର ଉଦ୍ଭାବନ

ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ରର ଉଦ୍ଭାବାନ ଏବଂ ବିଜ୍ଞାନର ବିକାଶ ଫଳରେ ବିଶ୍ଵର ଦୂର ସ୍ଥାନକୁ ଦେଖିହେଲା । ଜଣାଗଲା ଯେ, ସୂର୍ଯ୍ୟ ପରି ଅନେକ ନକ୍ଷତ୍ରକୁ ନେଇ ଗୋଟିଏ ଗାଲାକ୍ସି ଗଠିତ । ଏହାର ନାମ ହେଉଛି ଆକାଶ ଗଙ୍ଗା । ଏହାର ଗୋଟିଏ କୋଣରେ ସୂର୍ଯ୍ୟ ସପରିବାର ଅଛି । କ୍ରମେ ଜଣାଗଲା ଯେ ବିଶ୍ଵ କୋଟି କୋଟି ଗାଲାକ୍ସି ନେଇ ଗଠିତ ଏବଂ ପ୍ରତ୍ୟେକ ଗାଲାକ୍ସିରେ କୋଟି କୋଟି ନକ୍ଷତ୍ର ରହିଛି । ଆକାଶ ଗଙ୍ଗା ଗାଲାକ୍ସି ଆବିଷ୍କାର ପରେ ଏହାକୁ ବିଶ୍ଵ ମନେ କରାଯାଉଥିଲା । ମାତ୍ର ବର୍ତ୍ତମାନ ବିଶ୍ଵର ଆକାର ଆମ ପାଖରେ ବହୁତ ବଢିଗଲା ।

ଜ୍ୟୋତିର୍ବିଦ୍ ଏଡ୍ ଉଇନ୍ ହବଲ୍

ଯୁକ୍ତରାଷ୍ଟ୍ର ଆମେରିକାର ଜ୍ୟୋତିର୍ବିଦ୍ ଏଡ୍ ଉଇନ୍ ହବଲ୍ ୧୯୨୯ ମସିହାରେ ଗୋଟିଏ ବିସ୍ଫୋରଣ ତଥ୍ୟ ପ୍ରକାଶ କଲେ। ସେ ପ୍ରକାଶ କାଲେ ଯେ ବିଶ୍ଵ ସ୍ଥିର ନୁହେଁ । ଏହା ଅବିରତ ପ୍ରସାରିତ ହେଉଛି । ଏହି ତତ୍ତ୍ଵ ଅନୁଯାୟୀ ଗାଲାକ୍ସିଗୁଡିକ ଆମଠାରୁ  ଅନବରତ ଦୂରେଇ ଯାଉଛନ୍ତି । ଗାଲାକ୍ସିରୁ ଆସୁଥିବା ଆଲୋକ ବର୍ଣ୍ଣାଳୀକୁ ଅଧ୍ୟୟନ କରି ସେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ । ଯଦି ଆଲୋକ ଉତ୍ସ ଆମଠାରୁ ଦୂରକୁ ଚାଲିଯାଉଥାଏ, ତା’ହେଲେ ଏଠାରୁ ଆସୁଥିବା ଆଲୋକ ବର୍ଣ୍ଣାଳୀ ଲାଲ୍ ଦିଗ ଆଡକୁ ପ୍ରସାରିତ ହୋଇଥାଏ । ଏହାକୁ ଲାଲ୍ ବିସ୍ଥାପନ କୁହାଯାଏ ।

ବିଶ୍ଵ ସୃଷ୍ଟି

ହବଲ୍ ଙ୍କ ତତ୍ତ୍ଵରୁ ବିଶ୍ଵ ସୃଷ୍ଟି ସମ୍ବନ୍ଧୀୟ ନୂତନ ତତ୍ତ୍ଵ ବାହାରିଲା । ପୂର୍ବରୁ ବିଶ୍ଵାସ କରାଯାଉଥିଲା ଯେ ବିଶ୍ଵ ହେଉଛି ସ୍ଥିର ଏବଂ ଏହା ସୃଷ୍ଟି ସମୟରୁ ଆଜି ପର୍ଯ୍ୟନ୍ତ ସମାନ ଆକାରର ଅଛି । କିନ୍ତୁ ହବଲ୍ ଙ୍କ ତତ୍ତ୍ଵରୁ ଜଣାପଡିଲା ଯେ ଯଦି ଗାଲାକ୍ସିଗୁଡିକ ପରସ୍ପରଠାରୁ ଦୂରେଇ ଯାଉଛନ୍ତି, ତା’ହେଲେ ଅତୀତରେ ସେଗୁଡିକ ଗୋଟିଏ ଜାଗାରେ ଏକାଠି ରହିଥିବେ । ଏଥିରୁ ବିଶ୍ଵ ସୃଷ୍ଟିର ବୃହତ୍ ବିସ୍ଫୋରଣ ବା ବିଗ୍ ବ୍ୟାଙ୍ଗ୍ ତତ୍ତ୍ଵର ଉଦ୍ଭବ ହେଲା । ଏହି ଅନୁଯାୟୀ ବିଶ୍ଵର ସମସ୍ତ ବସ୍ତୁ ପୂର୍ବରୁ ଏକାଠି ଥିଲା ଏବଂ ଆଜକୁ ୧୩.୮ ବିଲିୟନ ବର୍ଷ ପୂର୍ବେ ବିସ୍ଫୋରଣ ହୋଇ ବିଶ୍ଵ ପ୍ରସାରିତ ହେଲା ଏବଂ ଆଜି ପର୍ଯ୍ୟନ୍ତ ପ୍ରସାରିତ ହେଉଛି ।

ବିଜ୍ଞାନର ବିକାଶ

ବିଜ୍ଞାନର ବିକାଶ ସହିତ ଆମେମାନେ ବିଶ୍ଵର ଦୂରଦୂରାନ୍ତ ଜାଗାକୁ ଦେଖିପାରୁଛେ । ବାସ୍ତବରେ ଆମେମାନେ ସେଥିରୁ ନିର୍ଗତ ଆଲୋକକୁ ଶକ୍ତିଶାଳୀ ଦୂରବୀକ୍ଷଣ  ଯନ୍ତ୍ର ସାହାଯ୍ୟରେ ଦେଖିପାରୁଛେ ଏବଂ ସେଥିରୁ ତାହାର ଦୂରତା ନିର୍ଦ୍ଧାରଣ  କରୁଛେ । ନିକଟରେ ଆମଠାରୁ ଅନେକ ଦୂରରେ ଥିବା ଗୋଟିଏ ଗାଲାକ୍ସିର ଆଲୋକକୁ ମହାକାଶରେ ଅବସ୍ଥାପିତ ହବଲ୍ ମହାକାଶ ଦୂରବୀକ୍ଷଣ ଯନ୍ତ୍ର ଠାବ କରିଛି । ମହାକାଶର ବିଭିନ୍ନ ବସ୍ତୁପିଣ୍ଡକୁ ଅଧ୍ୟୟନ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ନାସା ଏବଂ ୟୁରୋପୀୟ ମହାକାଶ ସଂସ୍ଥା ୧୯୯୦ ମସିହାରେ ଅନ୍ତରୀକ୍ଷରେ ହବଲ୍ ଦୂରବୀକ୍ଷଣ ଯନ୍ତ୍ରକୁ ଅବସ୍ଥାପନ କରିଛନ୍ତି । ଏହା ଆମକୁ ବିଶ୍ଵର ଅନେକ ଅଜଣା ତଥ୍ୟ ପ୍ରଦାନ କରିଛି ।

ଆମେ ଜାଣିଥିବା ବିଶ୍ଵର ସବୁଠାରୁ ଦୂରତମ ଗାଲାକ୍ସି ହେଉଛି ଜିଏନ୍-ଜେଡ୍୧୧ ଏବଂ ଏହା ଆମାଠାରୁ ୧୩.୪ ବିଲିୟନ ଆଲୋକବର୍ଷ ଦୂରରେ ଅଛି । ଆଲୋକର ବେଗ ହେଉଛି ସେକେଣ୍ଡ ପ୍ରତି ତିନି ଲକ୍ଷ କି.ମି. ଏବଂ ଏହା ଏକ ବର୍ଷରେ ଯେତେ ଦୂର ଯାଇପାରେ, ତାକୁ ଏକ ଆଲୋକବର୍ଷ କୁହାଯାଏ । ବିଶ୍ଵର ଦୂର ନକ୍ଷତ୍ର ଓ ଗାଲାକ୍ସିର ଦୂରତା ପ୍ରକାଶ କରିବା ପାଇଁ ଏହି ଏକକ ସୁବିଧାଜନକ ହୋଇଥାଏ । ଆମେ ଏହି ଗାଲାକ୍ସିର ଯେଉଁ ଆଲୋକ ଆଜି ଦେଖିପାରିଲେ, ତାହା ବିଗ୍ ବ୍ୟାଙ୍ଗ୍ ଯୋଗୁ ବିଶ୍ଵ ସୃଷ୍ଟି ହେବାର ଚାରି ଶହ ନିୟୁତ ବର୍ଷ ପରେ ନିର୍ଗତ ହୋଇଥିଲା । ଏହି ଗାଲାକ୍ସି ବର୍ତ୍ତମାନ ହେଉଛି ଆମଠାରୁ ଦୂରତମ । ଏଥିରୁ ବିଶ୍ଵର ବ୍ୟାସାର୍ଦ୍ଧ ୧୩.୪ ବିଲିୟନ ଆଲୋକବର୍ଷକୁ ବୃଦ୍ଧି ପାଇଲା । ମାତ୍ର ଏଥିରୁ ଆମେ ଏବେ ଯେଉଁ ଆଲୋକ ଦେଖିପାରିଲେ ତାହା ଅନେକ ବର୍ଷ ତଳେ ସେଥିରୁ ବାହାରିଛି । ବୈଜ୍ଞାନିକମାନେ ଗଣନାକରି ପ୍ରକାଶ କରିଛନ୍ତି ଯେ ଏହି ଗାଲାକ୍ସି ବର୍ତ୍ତମାନ ଆମଠାରୁ ପ୍ରାୟ ୩୨ ବିଲିୟନ ଆଲୋକବର୍ଷ ଦୂରରେ ରହିଥିବ ।

ଆଧାର :ଦୈନିକ ଧରିତ୍ରୀ ୧୪ ମାର୍ଚ୍ଚ ୨୦୧୬

1.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top