ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଅସହଯୋଗ ଆନ୍ଦୋଳନ
ସେଆର କରନ୍ତୁ

ଅସହଯୋଗ ଆନ୍ଦୋଳନ

ଅସହଯୋଗ ଆନ୍ଦୋଳନ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

ଉପକ୍ରମ

ଅସହଯୋଗ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ପରିଚାଳିତ ଇଂରେଜ ସରକାରଙ୍କ ବିରୁଦ୍ଧରେ ଥିଲା ପ୍ରଥମ ଜନ ଆନ୍ଦୋଳନ। ଏହି ଆନ୍ଦୋଳନ ବ୍ରିଟିଶ ସାମ୍ରାଜ୍ୟର ମୂଳଭିତ୍ତିକୁ ଦୋହଲାଇ ଦେଇଥିଲା। କେତେକ କାରଣ ଯୋଗୁଁ ଗାନ୍ଧିଜୀ ଇଂରେଜ ସରକାର ବିରୁଦ୍ଧରେ ଏହି ଆନ୍ଦୋଳନ କରିବା ପାଇଁ ସ୍ଥିର କରିଥିଲେ।

ସୂତ୍ରପାତ

ପ୍ରଥମତଃ ଭାରତୀୟମାନେ ପ୍ରଥମ ବିଶ୍ଵଯୁଦ୍ଧରେ ଇଂଲଣ୍ଡକୁ ଅକାରଣରେ ସାହାଯ୍ୟ କରିଥିଲେ। ତେଣୁ ଭାରତୀୟମାନେ ଆଶା କରିଥିଲେ ଯେ ବିଶ୍ଵଯୁଦ୍ଧ ପରେ ଇଂରେଜ ସରକାର ସ୍ଵାୟତ ଶାସନ ମାଧ୍ୟମରେ କିଛି ସଂସ୍କାର ପ୍ରଦାନ କରିବେ। କିନ୍ତୁ ଯୁଦ୍ଧ ଶେଷରେ ଭାରତୀୟମାନଙ୍କୁ ଦମନ କରିବା ପାଇଁ ଇଂରେଜ ସରକାର ରାଓଲାତ୍ ଆଇନ(Rawlatt Act) ପ୍ରଚଳନ କଲେ। ୧୯୧୯ ମସିହାରେ ସାରା ଭିରତରେ ରାଓଲାତ୍ ଆଇନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କିନ୍ତୁ ଇଂରେଜ ସରକାର ଏଥିପ୍ରତି କର୍ଣ୍ଣପାତ କଲେ ନାହିଁ। ଅପରପକ୍ଷେ ସରକାର ଭାରତୀୟମାନଙ୍କ ବିରୁଦ୍ଧରେ ଦମନମୂଳକ ନୀତି ପ୍ରୟୋଗ କଲେ। ରାଓଲାତ୍ ଆଇନ ପରେ ଜଳିଆନାୱାଲାବାଗ୍ ହତ୍ୟାକାଣ୍ଡ, ଖିଲାଫତ୍ ଘଟଣା ପରି ପ୍ରତାରଣାମୂଳକ ଓ ଆମାନୁଷିକ ଘଟଣାମାନ ଘଟିଥିଲା। ୧୯୧୯ ମସିହା ଏପ୍ରିଲ ମାସରେ ପଞ୍ଜାବର ଜାଲିଆନାୱାଲାବାଗରେ ଜେନେରାଲ୍ ଡାୟାର ନିରୀହ ପ୍ରଜାମାନଙ୍କୁ ଆଖିବୁଜା ଗୁଳିଚାଳନା କରିଥିଲେ। ଗାନ୍ଧିଜୀ ଓ ଭାରତୀୟ ଜାତୀୟ କଂଗ୍ରେସ ଏହି ହତ୍ୟାକାଣ୍ଡର ନ୍ୟାୟ ବିଚାର ପାଇଁ ଇଂରେଜ ସରକାରଙ୍କ ନିକଟରେ ଆପତ୍ତି ଜଣାଇଥିଲେ ମଧ୍ୟ ସରକାର ଏହି ହତ୍ୟାକାଣ୍ଡକୁ ଶାସନର ଏକ ଅଙ୍ଗ ରୂପେ ଘୋଷଣା କରିଥିଲେ। ଏହି ଘଟଣାମାନ ଭାରତୀୟମାନଙ୍କର ବ୍ରିଟିଶ ଶାସନ ଉପରେ ଥିବା ବିଶ୍ଵାସକୁ ପରିବର୍ତ୍ତନ କଲା। ଇଂରେଜ ଜାତିର ଉଦାରତା ଉପରେ ଥିବା ଗାନ୍ଧିଙ୍କର ବିଶ୍ୱାସ ଲୋପ ପାଇବାରୁ ସେ ଦୃଢ କଣ୍ଠରେ ଘୋଷଣା କଲେ, "ଜାତିର ସମ୍ନାନ ରକ୍ଷା ପାଇଁ ଏକମାତ୍ର ଉପାୟ ହେଉଛି ସ୍ୱରାଜ ସ୍ଥାପନ"।

୧୯୨୦ ମସିହା ସେପ୍ଟେମ୍ବର ମାସରେ ଭାରତୀୟ ଜାତୀୟ କଂଗ୍ରେସର ଏକ ବିଶେଷ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ବାଲ୍ ଗଙ୍ଗାଧର ତିଳକଙ୍କ ତିରୋଧାନ ହେତୁ ଉକ୍ତ ଅଧିବେଶନରେ ନେତୃତ୍ଵ ପଡିଥିଲା ଗାନ୍ଧିଜୀଙ୍କ ଉପରେ। ସେଠାରେ ସେ ପ୍ରସ୍ତୁତ କରିଥିବା ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ଅଧିବେଶନରେ ଉପସ୍ଥାପନ କରିଥିଲେ। ଏହା ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସର ଅନ୍ୟାନ୍ୟ ଜାତୀୟତାବାଦୀ ନେତାମାନଙ୍କ ଦ୍ୱାରା ସମର୍ଥନ ଲାଭ କରିଥିଲା। ଏହିପରି ଉପରୋକ୍ତ ଘଟଣାମାନଙ୍କ ଦ୍ୱାରା ଅସହଯୋଗ ଆନ୍ଦୋଳନର ସୂତ୍ରପାତ ହୋଇଥିଲା।

ଅସହଯୋଗ ଓ ଏହାର କାର୍ଯ୍ୟକ୍ରମ

  • ଅସହଯୋଗର ଅର୍ଥ ଓ ଏହାର ଲକ୍ଷ୍ୟ
  • ଅସହଯୋଗର ଅର୍ଥ ହେଉଛି ଇଂରେଜ ସରକାରଙ୍କଠାରୁ ସବୁ କ୍ଷେତ୍ରରେ ସହଯୋଗ ପ୍ରତ୍ୟାହାର କରିନେବା। ଗାନ୍ଧିଜୀ ହିଁ ଥିଲେ ଏହାର ମୁଖ୍ୟ ଯୋଜନାକାରୀ। ଇଂରେଜ ଅନୁଷ୍ଠାନ ଏବଂ ବିଦେଶୀ ଦ୍ରବ୍ୟ ବର୍ଜନ କରିବା ଥିଲା ଏହି ଅସହଯୋଗର ମୂଳନୀତି। ଏହା ଯଦି କାର୍ଯ୍ୟକାରୀ ହୋଇପାରି୍ବ ତାହାଲେ ଇଂରେଜ ସରକାରଙ୍କ ଶାସନ ପରିଚାଳନାରେ ବ୍ୟାଘାତ ସୃଷ୍ଟି ହେବ। ଏଥିସହିତ ଶାସନକାଳ ମଧ୍ୟ ଅଚଳ ହୋଇପଡିବ। ପୁନଶ୍ଚ ବିଦେଶୀ ଦ୍ରବ୍ୟ ବର୍ଜନ ଦ୍ୱାରା ବ୍ରିଟିଶର ଅର୍ଥନୀତି ଧ୍ୱଂସାଭିମୁଖୀ ହୋଇପଡିବ। ଫଳରେ ଇଂରେଜମାନେ ଭାରତ ଛାଡିବାକୁ ବାଧ୍ୟ ହେବେ। ଏହିପରି ରଣନୀତି ପ୍ରସ୍ତୁତ ହୋଇଥିଲା।

  • ପ୍ରଥମ ପର୍ଯ୍ୟାୟରେ ଅସୋହଯୋଗ କାର୍ଯ୍ୟକ୍ରମ
  • ଅସହଯୋଗ କାର୍ଯ୍ୟକ୍ରମ ଦୁଇଗୋଟି ପର୍ଯ୍ୟାୟରେ ପର୍ଯ୍ୟବେଶିତ ହୋଇଥିଲେ । ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକ୍ରମ ଥିଲା ସବୁକ୍ଷେତ୍ରରେ ଭାରତୀୟମାନେ ତାଙ୍କର ସମର୍ଥନ ପତ୍ୟାହାର କରିନେଇ ଭାରତରେ ବ୍ରିଟିଶ ଶାସନକୁ ଅଚଳ ଚରିଦେବେ। ସେଥିପାଇଁ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ଥିର ହୋଇଥିଲା।

    1. ୧୯୧୯ ଭାରତ ସରକାର ଆଇନ ଅନୁଯାୟୀ କାର୍ଯ୍ୟ କରାଯାଉଥିବା ଆଗାମୀ ନିର୍ବାଚନକୁ ବର୍ଜନ କରାଯିବ।
    2. ଆଇନଜୀବୀମାନେ ବିଚାରାଳୟକୁ ବାସନ୍ଦ କରିବେ।
    3. ସଦସ୍ୟମାନେ ବିଧାନସଭା ବର୍ଜନ କରିବେ।
    4. ଛାତ୍ରମାନେ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ନିଜକୁ ପ୍ରତ୍ୟାହାର କରିବେ।
    5. ସମ୍ମାନସୂଚକ ପଦବୀ ଓ ଉପାଧିଗୁଡିକ ଫେରସ୍ତ ଦିଆଯିବ।
    6. ସରକାରଙ୍କ ଦ୍ଵାରା ଆୟୋଜିତ ଦରବାର ଓ ଉତ୍ସବାଦି ବର୍ଜନ କରାଯିବ।
    7. ସୈନ୍ୟ, କିରାଣି ଓ ଶ୍ରମିକମାନେ ମେସୋପଟାମିଆ ସରକାରୀ କାର୍ଯ୍ୟରେ ଯୋଗ ଦେବେ ନାହିଁ।
    8. ଏବଂ ପରିଶେଷରେ ବିଦେଶୀ ଦ୍ରବ୍ୟ ବର୍ଜନ କରାଯିବ।
  • ଅସହଯୋଗ କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟ
  • ଦ୍ଵିତୀୟ ପର୍ଯ୍ୟାୟରେ କେତେକ ଗଠନମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସେଗୁଡିଚ ନିମ୍ନରେ ପ୍ରଦତ୍ତ ହୋଇଛି-

    1. ଗ୍ରାମାଞ୍ଚଳରେ ପଞ୍ଚାୟତ ଅଦାଲତ ପ୍ରତିଷ୍ଠା କରାଯାଇ ସେଠାରେ ସମସ୍ତ ମାଲିମୋକଦ୍ଦମା ବିଚାର କରାଯିବ।
    2. ଛାତ୍ରମାନଙ୍କୁ ଶିକ୍ଷାଦେବା ନିମନ୍ତେ ଜାତୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ଥାପିତ ହେବ।
    3. ହାତକଟାଓ ହାତବୁଣା ଖଦି ସମେତ ସ୍ଵଦେଶୀ ଦ୍ରବ୍ୟ ବ୍ୟବହାର କରାଯିବ।
    4. ସାମ୍ପ୍ରଦାୟିକ ଐକ୍ୟ ଓ ଅସ୍ପୃଶ୍ୟତା ଦୂରୀକରଣ ଉପରେ ଗୁରୁତ୍ଵ ଦିଆଯିବ।

ଅସହଯୋଗ ଆନ୍ଦୋଳନର ଅଗ୍ରଗତି

ଅସହଯୋଗ ଆନ୍ଦୋଳନ ଆଶାତୀତ ଭାବେ ସଫଳତା ହାସଲ କରିଥିଲା। ଏଥିରେ ସହସ୍ର ସହସ୍ର ଜନତା ଯୋଗଦେଇ ଏହାଚୁ ସାଫଲ୍ୟମଣ୍ଡିତ କରିଥିଲେ। ବିଭିନ୍ନ ପଦକ୍ଷେପମାନ ସଫଳ ହୋଇଥିଲା, ଯଥା;

  • ଆଇନ ଅଦାଲତ ବର୍ଜନ କରାଯାଇଥିଲା।
  • ମୋତିଲାଲ ନେହେରୁ, ବିଠଲ ଭାଇ ପଟେଲ, ଚିତରଞ୍ଜନ ଦାସ, ରାଜେନ୍ଦ୍ରପ୍ରସାଦ, ବଲ୍ଲଭଭାଇ ପଟେଲ ଓ ଅନ୍ୟାନ୍ୟ କେତେଚ ଖ୍ୟାତିନାମା ଆଇନଜୀବୀ ନିଜ ନିଜର ଲାଭଜନକ ଓକିଲାତି ବ୍ୟବସାୟ ବର୍ଜନ କରିଥିଲେ।
  • ଓକିଲାତି ବର୍ଜନ କରିଥିବା ଆଇନଜୀବୀମାନଙ୍କ ପାଇଁ ଶେଠ୍ ଯମୂନା ଲାଲ୍ ବଜାଜ୍ ବାର୍ଷିକ ଏକ ଲକ୍ଷ ଟଙ୍କା ଦାନ ଦେବା ପାଇଁ ଘୋଷଣା କରିଥିଲେ।
  • ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବର୍ଜନ କରାଯାଇଥିଲା।
  • ଅଧିକାଂସ ସ୍ଥାନରେ ଇଂରେଜ ତିଆରି ବସ୍ତ୍ରଗୁଡିକ ସର୍ବସାଧାରଣରେ ପୋଡି ଦିଆଯାଇଥିଲା।
  • ସମ୍ମାନସୂଚକ ଉପାଧିଗୁଡିକ ମଧ୍ୟ ଇଂରେଜ ସରକାରଙ୍କୁ ଫେରସ୍ତ ଦିଆଯାଇଥିଲା। ଗାନ୍ଧିଜୀ ନିଜେ ତାଙ୍କର କିଇଜର-ଇ-ହିନ୍ଦ ଉପାଧି ଫେରସ୍ତ ଦେଇଥିଲେ।

ଏଥି ସହିତ କେତେକ ଗଠନମୂଳକ କାର୍ଯ୍ୟ ମଧ୍ୟ ଗ୍ରହଣ କରାଯାଇଥିଲା। ବଙ୍ଗୀୟ ଜାତୀୟ ବିଶ୍ଵବିଦ୍ୟାଳୟ, ଦିଲ୍ଲୀର ଜାମିଆ ମିଲିଆ ବିଶ୍ଵବିଦ୍ୟାଳୟ, ତିଳକ ମହାରାଷ୍ଟ୍ର ବିଦ୍ୟାଳୟ, ବିହାର ବିଦ୍ୟାପୀଠ, ଗୁଜୁରାଟ ବିଦ୍ୟାପୀଠ, ବନାରସ ବିଦ୍ୟାପୀଠ, ଲାହୋର ଜାତୀୟ ବିଦ୍ୟାଳୟ ପରି କେତେକ ଜାତୀୟ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇଥିଲା। ସ୍ଵଦେଶୀ ବସ୍ତ୍ର ଉପାଦନ ପାଇଁ, ୨୦,୦୦୦ ଚରଖା ନିର୍ମିତ ହୋଇଥିଲା। ସେହି ଦିନଠାରୁ ଚରଖା ଜାତୀୟ ଆନ୍ଦୋଳନର ପ୍ରତୀକ ଭାବେ ଗ୍ରହଣ କରାଯାଇ କଂଗ୍ରେସ ପତାକାରେ ସ୍ଥାନ ପାଇଥିଲା। ସେବେଠାରୁ ମଧ୍ୟ ନିଜେ ଗାନ୍ଧିଜୀ କୁର୍ତ୍ତା ପରିଧାନ ପରିହର କରି କେବଳ ଧୋତି ପରିଧାନ କରିଥିଲେ। ଏହି ଆନ୍ଦୋଳନକୁ ଅର୍ଥ ଯୋଗାଇବା ପାଇଁ "ତିଳକ ସ୍ଵରାଜ୍ୟ ଫଣ୍ଡ' ଗଠିତ ହୋଇଥିଲା ଏବଂ ସ୍ୱଳ୍ପ ସମୟ ମଧ୍ୟରେ ବିପୁଳ ଟଙ୍କା ଉକ୍ତ ଫଣ୍ଡରେ ଜମା କକରି ରଖାଯାଇଥିଲା। ମହିଳାମାନେ ନିଜ ନିଜର ଅଳଙ୍କାର ବିନା ଦ୍ଵାଧାରେ ଦାନ କରିଥିଲେ।

ଅସହଯୋଗ ଆନ୍ଦୋଳନ ପ୍ରତି ଦମନନୀତି ପ୍ରୟୋଗ ଓ ତାର ପ୍ରତିକ୍ରିୟା

ଅସହଯୋଗ ଆନ୍ଦୋଳନ ଅପ୍ରତ୍ୟାଶିତ ସଫଳତା ହାସଲ କରୁଥିବାର ଦେଖି ଇଂରେଜ ସରକାର ଏହାର ଦମନ ପାଇଁ କେତୋଟି ପଦକ୍ଷେପମାନ ଗ୍ରହଣ କରିଥିଲେ। ଆନ୍ଦୋଳନର ସୂତ୍ରପାତ ହେବାର ଠିକ୍ ପରେ ପରେ ନେତାମାନଙ୍କୁ ଜେଲଖାନାରେ ରଖାଯାଇଥିଲା। ମାତ୍ର ସରକାରଙ୍କ ଏତାଦୃଶ କାର୍ଯ ଆନ୍ଦୋଳନର ନିର୍ବିପାତ କରିବା ପରିବର୍ତ୍ତେ ଏହାକୁ ଇନ୍ଧନ ଯୋଗାଇଥିଲା। ଭାରତୀୟ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ କମିଟିର ସରକାରଙ୍କର ଏହି କାର୍ଯ୍ୟକଳାପକୁ ନିନ୍ଦା କରିବା ସଙ୍ଗେ ସଙ୍ଗେ ୱେଲସର ଯୁବରାଜଙ୍କ ଭାରତ ପରିଦର୍ଶନକୁ ବର୍ଜନ କରିବା ପାଇଁ ଏକ ନିଷ୍ପତ୍ତି ଗ୍ରହଣ କରିଥିଲେ। ୧୯୨୧ ମସିହା ନଭେମ୍ବର ୧୭ ତାରିଖ ଦିନ ସେ ବମ୍ବେଠାରେ ପଦାର୍ପଣ କରିବା ମାତ୍ରେ ତାଙ୍କୁ ହରତାଳ ମାଧ୍ୟମରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା। ଏଥିରେ କ୍ରୋଧାନ୍ୱିତ ହୋଇ ଇଂରେଜମାନେ ୫୦ ଜଣଙ୍କୁ ହତ୍ୟା କରିବା ସଙ୍ଗେ ସଙ୍ଗେ ୪୦୦ ଲୋକଙ୍କୁ ଆହାତ କରିଥିଲେ। ଫଳରେ ବମ୍ବେର ହରତାଳ କ୍ରମଶଃ ଅନ୍ୟ ଆଡକୁ ସଂକ୍ରାମିତ ହୋଇଥିଲା। ରାଜକୁମାର ପରିଦର୍ଶନ କରିଥିବା ସବୁ ଅଞ୍ଚଳରେ ଅନୁରୂପ ହରତାଳ ପାଳନ କରାଯାଇଥିଲା। ତେଣୁ ଇଂରେଜ ସରକାର ଆରମ୍ଭ କରିଥିଲେ ଦମନ ତାଣ୍ଡବଲୀଳା। ଗୁଳି ଓ ଲାଠି ଚାଳନା ନିତ୍ୟ ନୈମିତ୍ତିକ ଘଟଣା। ସର୍ବସାଧାରଣ ସଭା ଅସିଦ୍ଧ ବୋଲି ଘୋଷଣା କରାଯାଇଥିଲା। ବ୍ୟାପକ ଗିରଫ କରି ୩୦,୦୦୦ ପର୍ଯ୍ୟନ୍ତ ଭାରତୀୟଙ୍କୁ କାରାଗାର ମଧ୍ୟରେ ନିକ୍ଷପ କରାଯାଇଥିଲା। ଗାନ୍ଧିଜୀଙ୍କ ବ୍ୟତୀତ ମୋତିଲାଲ୍ ନେହେରୁ, ଲାଜପତ ରାୟ, ଆବୁଲ କାଲାମ ଆଜାଦ ଏବଂ ଅନ୍ୟ କେତେକ ତୃଙ୍ଗ ନେତ୍ରୁବର୍ଗଙ୍କୁ ବନ୍ଦୀଶାଳାରେ ରଖାଯାଇଥିଲା। ମାତ୍ର ଏସବୁ ପ୍ରତିଷେଧମୂଳକ ଦମନଲୀଳା ସତ୍ତ୍ୱେ ଏହି ଆନ୍ଦୋଳନ ବନାଗ୍ନି ସଦୃଶ ପ୍ରସାରଲାଭ କରିଥିଲା।

ଆନ୍ଦୋଳନ ସ୍ଥଗିତ

ଅସହଯୋଗ ଆନ୍ଦୋଳନ କ୍ରମେ ସଫଳତା ଆଡକୁ ଗତି କରୁଥିବା ସମୟରେ ହଠାତ୍ ଗାନ୍ଧିଜୀ ଏହାକୁ ସ୍ଥଗିତ ରଖିବା ପାଇଁ ଆଦେଶ ଦେଇଥିଲେ। କାରଣ କେତେକ ସ୍ଥାନରେ ତାଙ୍କର ଅହିଂସା ଓ ଅସହଯୋଗ ନୀତିକୁ ଆନ୍ଦୋଳନକାରୀମାନେ ଉଲଂଘନ କରିଥିଲେ। ବିଶେଷତଃ ୧୯୨୨ ମସିହା ଫେବୃୟାରୀ ୫ ତାରିଖ ଦିନ ଉତ୍ତର-ପ୍ରଦେଶସ୍ଥ ଗୋରଖପୁର ଜିଲ୍ଲାର ଚୌରିଚୌରାଠାରେ ଉତ୍ତ୍ୟକ୍ତ ଜନତା ଗୋଟିଏ ଥାନାରେ ଅଗ୍ନି ସଂଯୋଗ କରିଦେବାରୁ ୨୧ ଜଣ ପୋଲିସ କର୍ମଚାରୀ ମୃତ୍ୟୁବରଣ କରିଥିଲେ। ଏହି ଘଟଣା ପରେ ଗାନ୍ଧିଜୀ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ଏହି ଆନ୍ଦୋଳନକୁ ସ୍ଥଗିତ ରଖିବାପରେ ମଧ୍ୟ ୧୯୨୨ ମସିହା ମାର୍ଚ୍ଚ ୧୦ ତାରିଖ ଦିନ ଗାନ୍ଧିଜୀଙ୍କୁ ବନ୍ଦୀ କରାଯାଇଥିଲା। ସେ ୬ ବର୍ଷ କାରାବରଣ ଦଣ୍ଡରେ ଦଣ୍ଡିତ ହୋଇଥିଲେ। ମାତ୍ର ୧୯୨୪ ଫେବୃୟାରୀ ୫ ତାରିଖ ଦିନ ଅସୁସ୍ଥତା ପାଇଁ ତାଙ୍କୁ ମୁକ୍ତି ଦିଆଯାଇଥିଲା।

ଅସହଯୋଗ ଆନ୍ଦୋଳନର ଫଳାଫଳ

ସ୍ଵାଧୀନତା ଆନ୍ଦୋଳନର ଇତିହାସରେ ଅସହଯୋଗ ଆନ୍ଦୋଳନ ଥିଲା ଏକ ଜାଜ୍ଵଲ୍ୟମାନ ଅଧ୍ୟାୟ। ଏହା ଆଶୁ ଫଳପ୍ରଦ ହୋଇନଥିଲେ ମଧ୍ୟ ଭବିଷ୍ୟତ ପାଇଁ ବହୁ ଆର୍ଶିବାଦ ଆଣିପାରିଥିଲା। ଭାରତୀୟଙ୍କ ହୃଦୟରେ ଏହା ଏକ ନୂତନ ଚେତନା ସୃଷ୍ଟି କରିଥିଲା। ସେମାନେ ଏହାପରେ ଅଧିକ ନିର୍ଭିକ ଓ କର୍ମତତ୍ପର ହୋଇ ଉଠିଥିଲେ। ସେମାନଙ୍କ ମଧ୍ୟରେ ମଧ୍ୟ ଅଧିକ ଆତ୍ମବିଶ୍ଵାସ ଭାବ ଜାଗ୍ରତ ହୋଇଥିଲା। ପୁନଶ୍ଚ ଏହି ଅସହଯୋଗ ଆନ୍ଦୋଳନ ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସ କାର୍ଯ୍ୟକଳାପରେ ଏକ ନୂତନ ଅଧ୍ୟୟ ସୃଷ୍ଟି କରିଥିଲା। ବିଶେଷତଃ ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ୟ ଓ ପନ୍ଥାରେ ଏକ ପରିବର୍ତ୍ତନ ଦେଖାଯାଇଥିଲା। ତା ପରଠାରୁ କେବଳ ସ୍ଵରାଜ ହୋଇଥିଲା ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ୟ। ସେହିପରି ଆବେଦନ ନୁହେଁ, ପ୍ରତ୍ୟକ୍ଷ କାର୍ଯ୍ୟ ଗ୍ରହଣ ହେଲା ଏହି ଲକ୍ଷ୍ୟ ହାସଲ କରିବାର ପନ୍ଥା। ତା ପରଠାରୁ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟ କେବଳ ଶିକ୍ଷିତମାନଙ୍କ ଅନୁଷ୍ଠାନ ହୋଇ ରହିନଥିଲା। ଆନ୍ଦୋଳନରେ ସର୍ବସାଧାରଣ ଜନତା ବହୁସଂଖ୍ୟାରେ ଯୋଗଦେବା ଫଳରେ ଏହା ଏକ ସାର୍ବଜନୀନ ଅନୁଷ୍ଠାନରେ ପରିଣତ ହୋଇଥିଲା। ପୁନଶ୍ଚ ଏହି ଆନ୍ଦୋଳନ ପରେ ହିଁ ସ୍ଵଦେଶୀ ବସ୍ତ୍ର ଲୋକପ୍ରିୟ ହୋଇଥିଲା।ଫଳରେ ବହୁ ବୁଣାକାରଙ୍କୁ ଏହା କର୍ମସଂସ୍ଥାନ ଯୋଗାଇଥିଲା। ପରେ ପରେ ଖଦଡ ଲୋକମାନଙ୍କ ମଧ୍ୟରେ ଆଦୃତି ଲାଭ କରିବା ସଙ୍ଗେ ସଙ୍ଗେ ଭାରତୀୟ ଜାତୀୟ କଂଗ୍ରେସ ନେତାଙ୍କର ଏହା ସମ୍ମାନଜନକ ପୋଷାକ ହୋଇଥିଲା।

ଆଧାର -

"www.historydiscussion.net"

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top