ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଆଧୁନିକ ପୃଥିବୀ – ୨
ସେଆର କରନ୍ତୁ

ଆଧୁନିକ ପୃଥିବୀ – ୨

ଆଧୁନିକ ପୃଥିବୀ – ୨

ଆଧୁନିକ ପୃଥିବୀ

ପୂର୍ବ ଅଧ୍ୟାୟରେ ତୁମେ ପୁନର୍ଜାଗରଣ ସମୟରେ ହୋଇଥିବା ଉନ୍ନତି ଯାହାକି ଇଉପୋପୀୟ ସମାଜରେ ଅନେକ ପରିବର୍ତ୍ତନ ଆଣିଥିଲା, ତାହା ଅଧ୍ୟୟନ କଲ  । ବିଜ୍ଞାନ କ୍ଷେତ୍ରରେ ଅସାଧାରଣ ଉନ୍ନତି ଘଟିଲା  । ଲୋକମାନେ ଅନ୍ଧବିଶ୍ଵାସ ଓ ପ୍ରଥାକୁ ଗ୍ରହଣ ନକରି ନିରୀକ୍ଷଣ ଉପରେ ଅଧିକ ଗୁରୁତ୍ଵ ଦେଲେ  । ଛାପାଖାନାର ପ୍ରସାର ଫଳରେ ନୂତନ ମୂଲ୍ୟବୋଧ ଓ ଚିନ୍ତାଧାରା ଯଥା – ସ୍ଵାଧୀନତା,ସମାନତା ଓ ଭ୍ରାତୃତ୍ଵ ସମ୍ପର୍କରେ ରାଜନୈତିକ ସଚେତନତା ସୃଷ୍ଟି ହେଲା  । ଇଉରୋପର ଅନେକ ଦେଶର ରାଜନୈତିକ ଅବସ୍ଥା ଦୁଃସାହାସିକ ଯାତ୍ରା କରି ପୃଥିବୀର ବିଭିନ୍ନ ଦେଶକୁ ଜଳପଥ ଆବିଷ୍କାର କରିବାକୁ ପ୍ରେରଣା ଦେଲା  । ଧର୍ମଯାଜକମାନେ ନୂତନ ଅଞ୍ଚଳକୁ ପ୍ରବେଶ କରି ଖ୍ରୀଷ୍ଟିଆନ ଧର୍ମ ପ୍ରସାର କଲେ ଏବଂ ବଣିକମାନେ ପୃଥିବୀର ବିଭିନ୍ନ ଭାଗରୁ ଜିନିଷ ଆଣିଲେ  । ଏହି ସମୟଟି ଯାନ୍ତ୍ରିକ ଉନ୍ନତି ପାଇଁ ଉପଯୁକ୍ତ ସମୟ ଥିଲା  । ଯାହାକି ଶିଳ୍ପ ବିପ୍ଳବର ଆରମ୍ଭ କରିବା ସଙ୍ଗେ ସଙ୍ଗେ ଇଉରୋପର ଶ୍ରମିକ ଶ୍ରେଣୀର ଲୋକମାନଙ୍କର ଜୀବନକୁ ବିପ୍ଳବମୟ କରିଦେଲା  । ବର୍ତ୍ତମାନ ଆମେ ଶିଳ୍ପ ବିପ୍ଳବର ପ୍ରଭାବ, ଏସିଆ ଓ ଆଫ୍ରିକାରେ ସାମ୍ରାଜ୍ୟବାଦ ଓ ଉପନିବେଶବାଦ ବିଷୟରେ ପଢିବା  । ଆମେ ମଧ୍ୟ ଦୁଇ ବିଶ୍ଵଯୁଦ୍ଧ ଏବଂ ମିଳିତ ଜାତିସଂଘର ଗଠନ ବିଷୟରେ ପଢିବା  ।

ଉଦ୍ଦେଶ୍ୟ

  • ଶିଳ୍ପ ବିପ୍ଳବକୁ ବର୍ଣ୍ଣନା କରିବାକୁ ସକ୍ଷମ ହେବ  ।
  • ଶିଳ୍ପ ବିପ୍ଳବ ଦ୍ଵାରା ଆସିଥିବା ନୂତନ ପରିବର୍ତ୍ତନ ଓ ବୈଷୟିକ ପରିବର୍ତ୍ତନ ବିଷୟରେ ଆଲୋଚନା କରିପାରିବ  ।
  • ଶିଳ୍ପ ବିପ୍ଳବର ସମାଜ ଉପରେ ଥିବା ପ୍ରଭାବର ମୂଲ୍ୟାୟନ କରିପାରିବ  ।
  • ସାମ୍ରାଜ୍ୟବାଦ ଓ ଉପନିବେଶବାଦର ବୃଦ୍ଧିର କାରଣ ଚିହ୍ନିତ କରିପାରିବ  ।
  • ଏସିଆ ଓ ଆଫ୍ରିକାରେ ସାମ୍ରାଜ୍ୟବାଦ ବୃଦ୍ଧିର ବିଭିନ୍ନ ସ୍ତର ବିଷୟରେ ଆଲୋଚନା କରିପାରିବ  ।
  • କେଉଁ ଘଟଣାଗୁଡିକ ପାଇଁ ଦୁଇଟିଯାକ ବିଶ୍ଵଯୁଦ୍ଧର ସବଗଠିତ ହେଲା, ତାହା ଚିହ୍ନଟ କରିପାରିବ  ।
  • ମିଳିତ ଜାତି ସଂଘର ଲକ୍ଷ୍ୟଗୁଡିକର ଏକ ତାଲିକା କରିପାରିବ  ।

ଶିଳ୍ପ ବିପ୍ଳବ

ଅଷ୍ଟାଦଶ ଶତାବ୍ଦୀରେ ଶିଳ୍ପ ବିପ୍ଳବ ଆରମ୍ଭ ହେଲା  । ଏହା ଏକ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଆଣିଲା ଯାହାକି ସ୍ଥିର କୃଷି ଓ ବାଣିଜ୍ୟ ଭିତ୍ତିକ ସମାଜକୁ ଆଧୁନିକ ଶିଳ୍ପ ଭିତ୍ତିକ ସମାଜରେ ପରିବର୍ତ୍ତନ କରିଦେଲା  । ଐତିହାସିକ ଦୃଷ୍ଟିରୁ ଏହା ଇଉରୋପ ଇତିହାସର ୧୭୫୦ ରୁ ୧୮୫୦ ମସିହା ପର୍ଯ୍ୟନ୍ତ ସମୟକୁ ସୂଚୀତ କରେ  । ସାମାଜିକ ଓ ଅର୍ଥନୈତିକ ଗଠନ କ୍ଷେତ୍ରରେ ଏକ ନାଟକୀୟ ପରିବର୍ତ୍ତନ ଘଟିଲା କାରଣ ଉଦ୍ଭାବନ ଓ ନୂତନ ବୈଷୟିକ ଜ୍ଞାନ ସମ୍ପନ୍ନ କାରଖାନା ବ୍ୟବସ୍ଥାର ଯନ୍ତ୍ର ସାହାଯ୍ୟରେ ପ୍ରଚୁର ପରିମାଣରେ ଉତ୍ପାଦନ ଓ ଉଚ୍ଚତର ଆର୍ଥିକ ସ୍ଵତନ୍ତ୍ର୍ୟ ସୃଷ୍ଟି ହେଲା  । ଯେଉଁ ଲୋକମାନେ କୃଷିକ୍ଷେତ୍ରରେ କାର୍ଯ୍ୟ କରୁଥିଲେ, ସେମାନେ ସହରର କାରଖାନାଗୁଡିକରେ ଏକତ୍ରିତ ହେଲେ  । ତୁମେ ଜାଣିଛ କାହିଁକି ଏପରି ହେଲା ? ପୂର୍ବରୁ ବଣିକମାନେ ପରିବାରଗୁଡିକରେ କଞ୍ଚାମାଲ ଆଣି ଦେଉଥିଲେ ଏବଂ ତିଆରି ଜିନିଷ ସଂଗ୍ରହ କରି ନେଉଥିଲେ  । ଏହି ବ୍ୟବସ୍ଥା ବଜାରର ବର୍ଦ୍ଧିଷ୍ଣୁ ଆବଶ୍ୟକତାକୁ ବେଶୀଦିନ ପୂରଣ କରିପାରିଲା ନାହିଁ  । ତେଣୁ ଅଷ୍ଟାଦଶ ଶତାବ୍ଦୀର ଶେଷଭାଗକୁ ଧନୀ ବଣିକମାନେ କାରଖାନାମାନ ପ୍ରତିଷ୍ଠା କଲେ  । ସେମାନେ ନୂଆ ପ୍ରକାରର ଯନ୍ତ୍ରପାତି ସ୍ଥାପନା କଲେ, କଞ୍ଚାମାଲ ଆଣିଲେ ଓ ଶ୍ରମିକମାନଙ୍କୁ ନିର୍ଦ୍ଧିଷ୍ଟ ମଜୁରୀ ଦେଇ ଯନ୍ତ୍ର ଦ୍ଵାରା ଜିନିଷ ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟରେ ଲଗାଇଲେ  । ଏହିଭଳି କାରଖାନା ବ୍ୟବସ୍ଥାର ସୃଷ୍ଟି ହେଲା  ।

ଶିଳ୍ପ ବିପ୍ଳବ ଇଂଲଣ୍ଡରେ ବାଷ୍ପଶକ୍ତିକୁ ବ୍ୟବହାର କରି ଆରମ୍ଭ ହୋଇଥିଲା  । ୧୭୬୯ ମସିହାରେ ଜେମ୍ସ ୱାଟ ବାଷ୍ପ ଇଞ୍ଜିନ ଉଦ୍ଭାବନ କରିବା ଫଳରେ ଏହା ସମ୍ଭବ ହୋଇପାରିଲା  । ୧୭୩୩ ମସିହାରେ ଜନ୍ କେ “ଫ୍ଲାଇସଟଲ୍” ଉଦ୍ଭାବନ କଲେ, ଯାହାକି ଲୁଗାବୁଣିବା ପଦ୍ଧତିକୁ ଅଧିକ ସରଳ କରିଦେଲା ଏବଂ ଉତ୍ପାଦନ ଚାରିଗୁଣ ବଢାଇ ଦେଲା  । ଜେମ୍ସ ହାରଗ୍ରିଭ୍ସ ‘ସ୍ପିନିଂ ଜେନି’ ନାମକ ହସ୍ତଚାଳିତ ସୂତାକଟା ଚକ ଉଦ୍ଭାବନ କଲେ ଯେଉଁଥିରେ ଏକାଥରକେ ଅନେକଗୁଡିଏ ସୂତାଖିଅ କଟାଯାଇପାରିଲା  । ସ୍ପିନିଂଜେନିର ଉଦ୍ଭାବର ପରେ ଲୁଗାକଳ ଏହି ସମୟରେ ମୁଖ୍ୟ ଶିଳ୍ପ ଭାବରେ ପରିଗଣିତ ହେଲା  । ପ୍ରଚୁର କୋଇଲା ଓ ଲୁହାର ଅବସ୍ଥିତି ଇଂଲଣ୍ଡର ଦୃତ ଶିଳ୍ପ ବିକାଶର ମୁଖ୍ୟ କାରଣ ବୋଲି ପ୍ରମାଣିତ ହେଲା  । କେନାଲ ଓ ରାସ୍ତା ନିର୍ମାଣ, ଏବଂ ରେଳପଥ ଓ ବାଷ୍ପଚାଳିତ ଜାହାଜର ଉଦ୍ଭାବନ କାରଖାନା ପ୍ରସ୍ତୁତ ଜିନିଷ ପାଇଁ ବିସ୍ତୃତ ବଜାର ସୃଷ୍ଟି କଲା  । ତାପରେ ବିଦ୍ୟୁତ ଓ ତୈଳବାହିତ ଇଞ୍ଜିନର ବିକାଶ ଘଟିଲା  । ନିଜକୁ ଶିଳ୍ପଶକ୍ତି ସମ୍ପନ୍ନ କରିବ ପାଇଁ ଆବଶ୍ୟକ ପଡୁଥିବା ସମସ୍ତ କଞ୍ଚାମାଲ ଇଂଲଣ୍ଡରେ ଥିଲା  । ୧୮୫୦ ମସିହା ବେଳକୁ ଏହି ବିପ୍ଳବ ସଫଳତା ପ୍ରାପ୍ତ ହୋଇଥିଲା କାରଣ ଶିଳ୍ପ କାରଖାନାଗୁଡିକ ଇଂଲଣ୍ଡର ଜୀବନଯାତ୍ରାର ଏକ ପ୍ରଭାବଶାଳୀ ଉପାଦାନରେ ପରିଣତ ହେଲା  । ଶିଳ୍ପ ବିପ୍ଳବର ପ୍ରଭାବ ପୃଥିବୀର ଚାରିଆଡେ ଅନୁଭୂତ ହେଲା  । ୧୮୩୦ ମସିହା ପରେ ଫ୍ରାନ୍ସ, ୧୮୫୦ ମସିହା ପରେ ଜର୍ମାନୀ, ଏବଂ ଗୃହଯୁଦ୍ଧ ପରେ ଯୁକ୍ତରାଷ୍ଟ୍ର ଆମେରିକା ଶିଳ୍ପକ୍ଷେତ୍ରରେ ବିକାଶ ପାଇଁ କାର୍ଯ୍ୟ ଆରମ୍ଭ କଲେ  । କିପରି ଔଦ୍ୟୋଗିକ ବିକାଶ ଘଟିଲା ତାହା ଆଗକୁ ଅଧ୍ୟୟନ କରିବା  ।

ମୁଖ୍ୟ ଉଦ୍ଭାବନ ଓ ପୁନର୍ଗଠନ ଇଂଲଣ୍ଡରେ କୃଷିକୁ ଆଗେଇନେଲା  । କୃଷି ପାଇଁ ଗୁରୁତ୍ୱପୂର୍ଣ୍ଣ ନୂତନ ଉଦ୍ଭାବନ ସବଗଠିତ ହେଲା ଯଥା – ‘ଯେଥ୍ରୋ ଟୁଲସ୍ ସିଡ୍ ପ୍ଲାଣ୍ଟିଂ ଡ୍ରିଲ୍’ ଓ ଏହା ମଞ୍ଜିଗୁଡିକ ସମାନ ଦୂରତା ଓ ଗଭୀରତାରେ କୌଣସି ନଷ୍ଟ ନହୋଇ ବୁଣାଯିବାରେ ସାହାଯ୍ୟ କଲା  । ୧୭୬୦ରୁ ୧୮୩୦ ମସିହା ମଧ୍ୟରେ ଇଂଲଣ୍ଡ ପାର୍ଲାମେଣ୍ଟରେ ପ୍ରାୟ ୧୦୦୦ଟି Encloser Acts ପାରିତ କଲା ଯାହାଫଳରେ ଯେଉଁ ଜମିଗୁଡିକ ଆଗରୁ ବିଭିନ୍ନ ଗୋଷ୍ଠୀଙ୍କର ଥିଲା, ତାହା ଏକତ୍ରିତ ହୋଇ ବଡ ବଡ କ୍ଷେତ୍ରରେ ପରିଣତ ହେଲା  । ଯଦିଓ କୃଷିର ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କଲା, କିନ୍ତୁ ଏହା ଫଳରେ ବହୁସଂଖ୍ଯାରେ ଲୋକ ଭୂମିହୀନ ହୋଇଗଲେ  । ଅଳ୍ପକେତେକ ଲୋକ କୃଷିକ୍ଷେତ୍ରରେ କାମ କରିବା ପାଇଁ ଆବଶ୍ୟକ ପଡିଲା  । ତେଣୁ ବହୁ ସଂଖ୍ୟାରେ ଲୋକ ନିଯୁକ୍ତି ଅନ୍ଵେଷଣରେ ସହରକୁ ସ୍ଥାନ ପରିବର୍ତ୍ତନ କରିବାକୁ ଆରମ୍ଭ କଲେ  । ଏହା କାରଖାନାରେ କାମ କରିବା ପାଇଁ ବହୁ ସଂଖ୍ୟାରେ ଶସ୍ତା ଶ୍ରମିକ ମିଳିବାରେ ସାହାଯ୍ୟ କଲା । ଇଂଲଣ୍ଡର ଅନୁକୂଳ ରାଜନୈତିକ ପରିସ୍ଥିତି ଶିଳ୍ପ ବିପ୍ଳବର ବୃଦ୍ଧି ପାଇଁ ସାହାଯ୍ୟ କଲା  । ବାଣିଜ୍ୟ ପ୍ରତିବନ୍ଧକ ଦୂର ଓ ସାଧାରଣ ବଜାର ଆଦିକାର୍ଯ୍ୟ ବଣିକମାନଙ୍କୁ ସାହାଯ୍ୟ କଲା  । ମୌଳିକତଃ ପରିବହନର ବିକାଶ ଫଳରେ ଇଂଲଣ୍ଡ ଦରିଆପାରି ବଜାରକୁ ଅଧିକାର କରିବାକୁ ସକ୍ଷମ ହେଲା  । ବହୁତ ଇଉରୋପୀୟ ରାଷ୍ଟ୍ର ସେହି ବାଣିଜ୍ୟିକ ପଦ୍ଧତି ଅନୁସରଣ କରିବାକୁ ଆରମ୍ଭ କଲେ  । ଏହି ପଦ୍ଧତି ଅନୁସାରେ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ସରକାରୀ କର୍ତ୍ତୃତ୍ଵ କାର୍ଯ୍ୟକାରୀ ହେଉଥିଲା  । ଏହା ପ୍ରତିଷ୍ଠିତ ଥିବା ସାଧାରଣ ନିୟମ ହେଉଛି ଯେ, ଅଧିକ ରପ୍ତାନୀ ଓ କମ୍ ଆମଦାନୀ ଦ୍ଵାରା ଜାତୀୟ ଶକ୍ତି ସୂଚୀତ ହୋଇଥାଏ  । ଏହି ସାଧାରଣ ସତ୍ୟରେ ବିଶ୍ଵାସ କରାଯାଏ ଯେ, ଗୋଟିଏ ରାଷ୍ଟ୍ରର ସମ୍ପତ୍ତି ସେ ରାଷ୍ଟ୍ର ପାଖରେ ଥିବା ସୁନା ଓ ରୂପା ଉପରେ ନିର୍ଭର କରେ ଓ ବାଣିଜ୍ୟ କ୍ଷେତ୍ରରେ ସରକାରୀ ପ୍ରଭାବ ଖୁବ୍ ସୀମିତ ହେବା ଉଚିତ୍  ।

ଇଂଲଣ୍ଡ ପ୍ରଥମ ରାଷ୍ଟ୍ର ଭାବରେ ଔଦ୍ୟୋଗିକ ବିକାଶ ଘଟିବାର କାରଣଗୁଡିକ କ’ଣ ବୋଲି ତୁମେ ଭାବୁଛ ? ଅନ୍ୟ ରାଷ୍ଟ୍ର ତୁଳନାରେ ଇଂଲଣ୍ଡରେ ଅଧିକ ଭୌଗଳିକ ଦୃଷ୍ଟିରୁ ସୁଯୋଗ ରହିଥିଲା  । ଏହାର ଏକ ସୁରକ୍ଷିତ ଦ୍ଵୀପ ଅବସ୍ଥିତି ଯୋଗୁଁ ସମୁଦ୍ରକୁ ପ୍ରବେଶ ସହଜ ସାଧ୍ୟ ଥିଲା ଏବଂ ଏହା ଇଉରୋପର ଅନ୍ୟାନ୍ୟ ରାଷ୍ଟ୍ରଠାରୁ ବିଚ୍ଛିନ୍ନ ହୋଇଥିବାରୁ ତାର ବିକାଶ ବାଧାପ୍ରାପ୍ତ ହୋଇନଥିଲା  । କେନାଲ, ନଦୀ ଓ ସମୁଦ୍ରର ଜଳପଥ ପାଇଁ ଇଂଲଣ୍ଡ ସୁଦୂରପ୍ରସାରୀ ବାଣିଜ୍ୟିକ ଅଞ୍ଚଳବିନା ପ୍ରତିବନ୍ଧକ ପାଇପାରିଲା  । ଏହି ସୁବିଧାଗୁଡିକ ଇଂଲଣ୍ଡକୁ ଶିଳ୍ପବିପ୍ଳବ ପାଇଁ ଗୋଟିଏ ସୁବିଧାଜନକ ଅବସ୍ଥିତି ଆଣି ଦେଲା  ।

ଶିଳ୍ପ ବିପ୍ଳବ ସମୟରେ ନୂତନ ପ୍ରବର୍ତ୍ତକ ଓ ଔଦ୍ୟୋଗିକ ପରିବର୍ତ୍ତନ

ଅନେକ ନୂତନ ପ୍ରବର୍ତ୍ତନ, ଉଦ୍ଭାବନ ଓ ଔଦ୍ୟୋଗିକ ପରିବର୍ତ୍ତନ ଏହି ସମୟରେ ଘଟିଥିଲା  । ଏହା ଶିଳ୍ପ ସମୃଦ୍ଧ ଦେଶଗୁଡିକୁ ଅଧିକ କ୍ଷମତାଶାଳୀ ଓ ଦକ୍ଷ କରାଇଥିଲା  । ବର୍ତ୍ତମାନ ଉତ୍ପାଦନ ଖୁବ୍ ଶୀଘ୍ର ଓ ଅଧିକ ପରିମାଣରେ ହୋଇପାରିଲା ଯାହାକି ଜିନିଷଗୁଡିକୁ ଶସ୍ତା କରିଦେଲା  । ଏହି ଉଦ୍ଭାବନଗୁଡିକ ସବୁଠାରୁ ଅଧିକ ବୟନ ଓ ପରିବହନ ଶିଳ୍ପକୁ ପ୍ରଭାବିତ କରିଥିଲା  ।

ବୟନ ଶିଳ୍ପ

ବୟାନଶିଳ୍ପ କ୍ଷେତ୍ରରେ ଔଦ୍ୟୋଗିକ ବିକାଶ ଫଳରେ ଲୌହ ଓ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ବହୁ ସଂଖ୍ୟାରେ ଉଦ୍ଭାବନ ଆରମ୍ଭ ହେଲା  । ଅନ୍ୟ ରାଷ୍ଟ୍ରଗୁଡିକ ମଧ୍ୟ ଇଂଲଣ୍ଡର ଉଦାହରଣ ଦ୍ଵାରା ଉତ୍ସାହିତ ହେଲେ  । କାରଣ ଇଂଲଣ୍ଡ ପ୍ରସ୍ତୁତ ପଦାର୍ଥ ସମୁଦାୟ ବିଶ୍ଵବଜାରରେ ଭର୍ତ୍ତି ହୋଇଗଲା  । ନିଜର ସ୍ଵାର୍ଥର ସୁରକ୍ଷା ପାଇଁ ଇଂଲଣ୍ଡ ଆଇନ ତିଆରି କରି ବୟନ ଶିଳ୍ପ କାରିଗରମାନଙ୍କୁ ଶିଳ୍ପର ଯାନ୍ତ୍ରିକ କୌଶଳର ସୂଚନା ପ୍ରକାଶ କରିବାରୁ ବିରାଟ କରାଇବା ସଙ୍ଗେ ସଙ୍ଗେ ଅନ୍ୟଦେଶକୁ ଯାତ୍ରା କରିବା ପାଇଁ ବାରଣ କଲେ  । କିନ୍ତୁ ୧୭୮୯ ମସିହାରେ ସାମୁଏଲ ସ୍ଲଟର ଇଂଲଣ୍ଡରୁ ଆମେରିକାକୁ ଖସି ଚାଲିଗଲେ  । ସେ ତାଙ୍କ ସହିତ ଇଂଲଣ୍ଡ ବୟାନ ଶିଳ୍ପର ଜ୍ଞାନ ନେଇଗଲେ ଯାହାକି ଆମେରିକାରେ ଶିଳ୍ପ ବିପ୍ଳବର ଆରମ୍ଭ କଲା  । ଆମେରିକାରେ ବିସ୍ତୃତ ନୁନତ ଅଞ୍ଚଳରେ କପାଚାଷ କରାଗଲା  । ତେଣୁ କ୍ରୀତଦାସମାନଙ୍କର ଅଧିକ ଆବଶ୍ୟକତା ପଡିଲା  । ସେହିପରେ ଫ୍ରାନ୍ସ ଓ ଜର୍ମାନୀରେ ଶିଳ୍ପ ବିପ୍ଳବ ଏହିପରି ଘଟଣାରୁ ମଧ୍ୟ ଆରମ୍ଭ ହୋଇଗଲା  ।

ତୁମେ ଜାଣ କି, ଆର୍କାଇଟଙ୍କୁ ‘କାରଖାନା ବ୍ୟବସ୍ଥାର ଜନକ’ କୁହାଯାଏ  । ସେ ପ୍ରଥମ କାରଖାନା ତିଆରି କଲେ ଯାହା ଘରୋଇ ଯନ୍ତ୍ରପାତି ତିଆରି ପାଇଁ ମୁଖ୍ୟତଃ ତିଆରି ହୋଇଥିଲା  । ସେଥିରେ କାମ କରିବାର ସମୟସୀମା ସ୍ଥିରୀକୃତ ହୋଇଥିଲା ଏବଂ ସେଥିରେ ଲୋକମାନଙ୍କୁ ଠିକା ଭିତ୍ତିରେ ନରଖି ନିୟମିତ ନିଯୁକ୍ତି ଦିଆଗଲା  । ୧୭୭୯ ମସିହାରେ ସାମୁଏଲ କ୍ରମ୍ପଟନ ସ୍ପିନିଂ ମୁଲ ଉଦ୍ଭାବନ କଲେ ଏବଂ ଏଡମଣ୍ଡ କାର୍ଟରାଇଟ ପ୍ରଥମ ଜଳଚାଳିତ ଶକ୍ତିଚାଳିତ ତନ୍ତ ବାହାର କଲେ  । ବୟନଶିଳ୍ପ ଅନ୍ୟାନ୍ୟ ଶିଳ୍ପଗୁଡିକ ଯଥା ରଙ୍ଗ କରିବା, ଧୂଲେଇ କରିବା ଓ ମୁଦ୍ରଣ ପ୍ରତିଷ୍ଠା କରିବା ପାଇଁ ଉତ୍ସାହିତ କଲା  ।

ବାଷ୍ପଚାଳିତ ଇଞ୍ଜିନ

ଶିଳ୍ପ ବିପ୍ଳବର ଅନ୍ୟଏକ ମୁଖ୍ୟ ସଫଳତା ହେଉଛି, ବାଷ୍ପଶକ୍ତିର ଉଦ୍ଭାବନ ଓ ତାର ବ୍ୟବହାର  । ଏପରିକି ପୂର୍ବବର୍ତ୍ତୀ ଉଦ୍ଭାବନଗୁଡିକ ବିକଶିତ ହୋଇ ନୂତନ ଯନ୍ତ୍ରପାତି ତିଆରି ହେଲା  କାରଣ ବହୁସଂଖ୍ୟାରେ କଳକାରଖାନା ଗଢିଉଠିଲା  । ତେଣୁ ଉତ୍ପାଦନ ପାଇଁ ପ୍ରଚୁର ଶକ୍ତିର ଆବଶ୍ୟକତା ପଡିଲା  । ୧୭୦୫ ମସିହାରେ ଥୋମାସ୍ ନିଉକୋମେନ୍ କୋଇଲା ଖଣିରୁ ଜଳ ବାହାର କରିବା ପାଇଁ ଗୋଟିଏ ଇଞ୍ଜିନ ତିଆରି କଲେ  । ୧୭୬୪ ମସିହାରେ ଜେମ୍ସୱାଟ ନିଉକୋମେନ୍ ଙ୍କର ଇଞ୍ଜିନର ଗଠନ ପ୍ରକ୍ରିୟା ପରିବର୍ତ୍ତନ କଲେ ଓ ତାର କାର୍ଯ୍ୟ କରିବାର ଶକ୍ତିର ଉନ୍ନତି କରି ଚାରିଗୁଣ ବଢାଇଦେଲେ  । ସେ ଗୋଟିଏ କୋଠରି ବାହାର କଲେ ଯେଉଁଠାରେ ଥଣ୍ଡାପାଣି ପ୍ରବାହ କରି ବାଷ୍ପାକୁ ସଙ୍କୁଚିତ କରିରଖିଲେ ଓ ଶୂନ୍ୟସ୍ଥାନ ସୃଷ୍ଟିକଲେ  । ଏହା ମଧ୍ୟ ଗୋଟିଏ ଯାନ୍ତ୍ରିକ ପଦ୍ଧତିରୁ ଅନ୍ୟଗୋଟିଏକୁ ପରିବର୍ତ୍ତନ  । ୱାଟ ଜନ୍ ୱିଲକିସନଙ୍କ କଣାକରିବା ଯନ୍ତ୍ର ଏହି ଇଞ୍ଜିନରେ କଣାଟିଏ କରିବା ପାଇଁ ବ୍ୟବହାର କରିଥିଲେ  । ଏହି ବାଷ୍ପଇଞ୍ଜିନ ଖୁବ୍ ଶୀଘ୍ର କୋଇଲା ଚାଳିତ ରେଳ ଇଞ୍ଜିନ ପରିବର୍ତ୍ତନରେ ବ୍ୟବହାର କରାଗଲା  । ଏହା ରେଳଧାରଣା ନିର୍ମାଣର ଆବଶ୍ୟକତା ବୃଦ୍ଧି କଲା  । ଏହି ଷ୍ଟିମଇଞ୍ଜିନର ଯାନ୍ତ୍ରିକ କୌଶଳ ଅନ୍ୟ ଶିଳ୍ପରେ ମଧ୍ୟ ବ୍ୟବହାର କରାଗଲା  । ତେଣୁ ବର୍ତ୍ତମାନ ଆଉ ନଦୀ ବା ହ୍ରଦ କୂଳରେ କାରଖାନା ବସାଇବା ଆବଶ୍ୟକ ପଡିଲା ନାହିଁ  ।

କୋଇଲା ଓ ଲୁହା

ଷ୍ଟିମ୍ ଇଞ୍ଜିନ, କୋଇଲା ଓ ଲୁହା ଆଧୁନିକ ଶିଳ୍ପର ମୂଳଦୁଆ ସ୍ଥାପନ କଲେ  । ଏହା ବିଶ୍ଵାସ କରାଯାଉଥିଲା ଯେ କେବଳ ‘ମୃତ୍ୟୁ ଇଚ୍ଛା’ କରୁଥିବା ବ୍ୟକ୍ତି ଖଣିରେ କାମ କରୁଥିଲେ  । କୋଇଲା ଗୋଟିଏ ଭୂସମାନ୍ତରାଳ ଗର୍ଭରୁ ଟୋକେଇରେ ସଂଗ୍ରହ କରାଯାଉଥିଲା ଓ ତାପରେ ଗୋଟିଏ ଭୂଆଲମ୍ବ ପଥ ଦେଇ ଭୂପୃଷ୍ଠକୁ ଟାଣିଆଣୁଥିଲେ  । ଖଣିରୁ କୋଇଲା ବାହାର କରିବା ସମ୍ପୂର୍ଣ୍ଣ ପଶୁ, ମନୁଷ୍ୟ, ସ୍ତ୍ରୀଲୋକ ଓ ପିଲାମାନଙ୍କର ଶାରୀରିକ ଶକ୍ତି ଉପରେ ନିର୍ଭର କରୁଥିଲା  । କୋଇଲା କାରଖାନାରେ ମଧ୍ୟ ଖୁବ୍ ଭୟଙ୍କର କାର୍ଯ୍ୟ କରିବାର ସର୍ତ୍ତ ଥିଲା  । ଦୁର୍ଭାଗ୍ୟ ବଶତଃ କ୍ଷୁଦ୍ର ଶରୀର ଗଠନ ପାଇଁ ପିଲାମାନଙ୍କୁ ଏହି କାର୍ଯ୍ୟ ପାଇଁ ଅଧିକ ପସନ୍ଦ କରାଯାଉଥିଲା  । ଷ୍ଟିମ ଶକ୍ତିର ବ୍ୟବହାର ଫଳରେ କୋଇଲାର ଆବଶ୍ୟକତା କ୍ରମଶଃ ବଢିଗଲା  । କୋଇଲା ଉତ୍ତୋଳନରେ ବିଶେଷ ଉନ୍ନତି ଘଟିଲା ଯଥା – ଗର୍ଭମଧ୍ୟରେ ଶ୍ଵାସ ନେବା ବ୍ୟବସ୍ଥା, କୋଇଲା ପରିବହନ, କୋଇଲାକୁ ଫଟାଇବା ପାଇଁ ତୋପ ଶକ୍ତିର ବ୍ୟବହାର ଓ ନିରାପଦ ବତୀର ବ୍ୟବହାର ଇତ୍ୟାଦି  । କିନ୍ତୁ କୋଇଲା ଖଣିରେ କାମ କରୁଥିବା ଲୋକମାନେ ଅନେକ ବିପଦ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଯଥା – ଫୁସୁଫୁସ୍ ରୋଗରେ ଆକ୍ରାନ୍ତ ହେଉଥିଲେ  ।

ଏହି ସମୟରେ ଲୌହ ଶିଳ୍ପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିକାଶ ଘଟିଥିଲା  । ୧୭୦୯ ମସିହାରେ ଆବ୍ରାହାମ ଡରବୀ କୋଇଲା ଦ୍ଵାରା ତରଳାଇ ପିଗ୍ ଲୁହା ବାହାର କଲେ ଆଗରୁ ପିଗ୍ ଲୁହା କାଠ ଅଙ୍ଗାର ଦ୍ଵାରା ତରଳା ଯାଉଥିଲା ଯାହାଫଳରେ ଇଂଲଣ୍ଡର ଜଙ୍ଗଲ ଦ୍ରୁତ ଗତିରେ କ୍ଷୟ ହେବାକୁ ଲାଗିଲା  । ୧୭୮୪ ମସିହାରେ ହେନେରୀ କୋର୍ଟ ଅପେକ୍ଷାକୃତ କମ୍ ଭଙ୍ଗୁର ଲୁହା ଉତ୍ପାଦନର ପଦ୍ଧତି ବାହାର କଲେ  । ଏହାକୁ ରଟ ଲୁହା କୁହାଗଲା  । ଏହା ଶିଳ୍ପ ପଦ୍ଧତିରେ ବିଶେଷ ଦରକାରୀ ଧାତୁ ଭାବରେ ପ୍ରମାଣିତ ହେଲା  । ୧୭୭୪ ମସିହାରେ ଜନୱାକିସନ ଗୋଟିଏ ଛିଦ୍ର କରିବା ଯନ୍ତ୍ର ବ୍ୟବହାର କଲେ, ଯାହାକି ବିଶେଷ ନିର୍ଦ୍ଧିଷ୍ଟ ଭାବରେ ଛିଦ୍ର କରିପାରିଲା  । ୧୭୮୮ ରୁ ୧୮୦୬ ମସିହା ମଧ୍ୟରେ ଲୁହାର ଉତ୍ପାଦନ ବହୁଗୁଣରେ ବୃଦ୍ଧି ପାଇଲା ଓ ଲୁହାର ୟବାହାର କୃଷି କ୍ଷେତ୍ରୀୟ ଯନ୍ତ୍ରପାତି, ଧାତୁ ନିର୍ମିତ ଜିନିଷ ଓ ଜାହାଜ ନିର୍ମାଣ ଆଦି କ୍ଷେତ୍ରକୁ ପ୍ରସାରିତ ହେଲା  ।

ଲୌହ ଓ ବୟନ ଶିଳ୍ପର ବିକାଶ, ଜିନିଷଗୁଡିକ ଶସ୍ତା ହେବା ଓ ଦ୍ରୁତ ପରିବହନ ପାଇଁ ଉନ୍ନତ ପରିବହନ ବ୍ୟବସ୍ଥାର ଉଦ୍ଭାବନ ଆବଶ୍ୟକ ପଡିଲା  । ସ୍ଵଦେଶ ଓ ବିଦେଶର ବଜାରର ଆବଶ୍ୟକତା ପୂରଣ କରିବା ଜରୁରୀ ଆବଶ୍ୟକ ହୋଇ ପଡିଲା  ।

ପରିବହନ ଓ ଯୋଗାଯୋଗର ମାଧ୍ୟମ

ପରିବହନ ଓ ଯୋଗାଯୋଗ ମାଧ୍ୟମରେ ଉନ୍ନତି ଶିଳ୍ପ ବିପ୍ଳବ ପାଇଁ ବିଶେଷ ଉତ୍ସାହପ୍ରଦ ଥିଲା  । କଞ୍ଚାମାଲ, ପ୍ରସ୍ତୁତ ଉତ୍ପାଦନ, ଖାଦ୍ୟ ଆଦିର ଗୋଟିଏ ବିଶ୍ଵାସ ଯୋଗ୍ୟ ପରିବହନ ଲୋକମାନେ ଆବଶ୍ୟକ କରୁଥିଲେ  । ୧୭୦୦ ମସିହା ଆଦ୍ୟଭାଗରେ ପୋଲ ଓ ରାସ୍ତା ନିର୍ମାଣରେ ଉନ୍ନତି ଘଟିଲା  । କଞ୍ଚାମାଲ ଓ କାରଖାନାରୁ ଉତ୍ପାଦିତ ଦ୍ରବ୍ୟଗୁଡିକୁ ଲକ୍ଷ୍ୟ ସ୍ଥଳକୁ ପରିବହନ କରିନେବା ପାଇଁ ଏହା ସାହାଯ୍ୟ କଲା  । ୧୮୧୪ ମସିହାରେ ଜର୍ଜ ଷ୍ଟିଫେନସନ ପ୍ରଥମ ଷ୍ଟିମ ଚାଳିତ ରେଳ ଇଞ୍ଜିନ ତିଆରି କଲେ ଯାହା ରେଳ ଧାରଣା ଉପରେ ଚାଲିଲା  । ଖୁବ୍ ଶୀଘ୍ର ଷ୍ଟିମ ଇଞ୍ଜିନ ଓ ରେଳପଥ ସାରା ଇଂଲଣ୍ଡରେ ଜିନିଷ ପରିବହନ କଲା ଓ ଏହା କେନାଲ ଦ୍ଵାରା ପରିବହନକୁ ସାହାଯ୍ୟ କଲା  ।

ତୁମେ ଜାଣ କି

୧୮୨୫ ମସିହାରେ ଷ୍ଟକଟନରୁ ଡାର୍ଲିଟନ ମଧ୍ୟରେ ନିର୍ମିତ ପ୍ରଥମ ରେଳ ଧାରଣାରେ ରେଳ ଇଞ୍ଜିନ ଲୋକ ଓ ମାଲପତ୍ର ପରିବହନ କରିଥିଲା  ।

ଉନ୍ନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ପାଲଟଣା ଜାହାଜ ବଦଳରେ ବାଷ୍ପଚାଳିତ କାଠ ନିର୍ମିତ ଜାହାଜ ଚାଲିଲା  । ଏହାପରେ ସମୁଦ୍ର ମଧ୍ୟରେ ଯାତାୟାତ ପାଇଁ ଲୌହ ନିର୍ମିତ ଜାହାଜ ବ୍ୟବହୃତ ହେଲା  । ଶିଳ୍ପ ବିପ୍ଳବର ପ୍ରଥମ ଭାଗ ବାଷ୍ପଶକ୍ତି ଉପରେ ନିର୍ଭରଶୀଳ ଥିଲା  । ପରେ ଦ୍ଵିତୀୟ ଭାଗରେ ବିଦ୍ୟୁତ ଶକ୍ତି ଉପରେ ନିର୍ଭର କଲା  । ତୁମେ ଜାଣକି ମାଇକେଲ ଫାରାଡେ ପ୍ରଥମ ବିଦ୍ୟୁତଚାଳିତ ମୋଟର ଉଦ୍ଭାବନ କରିଥିଲେ  ? ବର୍ତ୍ତମାନ ବିଦ୍ୟୁତ ଶକ୍ତି ବ୍ୟବସାୟିକ ସୂତ୍ରରେ ମିଳୁଛି ଓ କାରଖାନା ଚାଲିବା ପାଇଁ ବ୍ୟବହାର କରାଯାଉଛି  । ପରିବହନ ଓ ଯୋଗାଯୋଗର ଦ୍ରୁତ ଅଭିବୃଦ୍ଧି ବ୍ୟବସାୟିକ କାରବାର, ସେନାବାହିନୀ, ଉପନିବେଶ ସମୂହ, ରାଜ୍ୟ ସମୂହ ଏବଂ ସାଧାରଣ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଦ୍ରୁତତର ହୋଇପାରୁଛି  । ଟେଲିଫୋନ ଓ ଟେଲିଗ୍ରାଫର ଉଦ୍ଭାବନ ଦ୍ଵାରା ପୃଥିବୀର ଯେକୌଣସି ଅଞ୍ଚଳକୁ ସଙ୍ଗେ ସଙ୍ଗେ ଯୋଗାଯୋଗ କରିବା ସମ୍ଭବ ହୋଇପାରୁଛି  ।

ଶିଳ୍ପ ବିପ୍ଳବର ପରିଣାମ

ଶିଳ୍ପ ବିପ୍ଳବ ବହୁସଂଖ୍ୟାରେ ଲୋକଙ୍କୁ ସହରକୁ ଯିବାପାଇଁ ଉତ୍ସାହିତ କଲା  । ତେଣୁ ସହରୀ ସମାଜ ଜନ୍ମଲାଭ କଲା  । ଶ୍ରମିକମାନେ ତାଙ୍କର କାର୍ଯ୍ୟସ୍ଥଳୀ ବା କାରଖାନାର ନିକଟରେ ରହିଲେ ଯେଉଁଠାରେ ତାଙ୍କୁ ଚାକିରୀର ସୁଯୋଗ ମିଳିଲା  । କିନ୍ତୁ କାରଖାନାରେ କାମ କରିବା ପଦ୍ଧତି ବଡ ଦୟନୀୟ ଥିବା ସହିତ ଗୃହ ଏବଂ ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟରକ୍ଷା ବ୍ୟବସ୍ଥା ମଧ୍ୟ ବଡ ଖରାପ ଥିଲା  । କାରଖାନା ମାଲିକମାନଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଲାଭ କରିବା  । ତେଣୁ ସେମାନେ ଶ୍ରମିକମାନଙ୍କୁ କମ ଦରମାରେ ଅଧିକ ସମୟ କାମ କରିବାକୁ ବାଧ୍ୟ କରୁଥିଲେ  । ଏପରିକି କେତେକ ସମୟରେ ୧୨ରୁ ୧୪ ଘଣ୍ଟା କାମ କରୁଥିଲେ  । ସ୍ତ୍ରୀଲୋକମାନେ ଓ ପିଲାମାନେ ଖୁବ୍ କମ୍ ମଜୁରୀ ପାଉଥିଲେ  । କାରଖାନାଗୁଡିକରେ ଭଲ ବାୟୁ ଚଳାଚଳ ସୁବିଧା ନଥିଲା ଓ ସେଗୁଡିକ କୋଳାହଳପୂର୍ଣ୍ଣ, ଅପରିଷ୍କାର, ଓଦା ଓ ଅନ୍ଧାର ଥିଲା  । ତୁମେ ଭାବୁଛ କି, ଏହି ପରିସ୍ଥିତି ବହୁଦିନ ରହିଲା ? କ୍ରମେ କ୍ରମେ ଶ୍ରମିକମାନେ ସେମାନଙ୍କର ଶକ୍ତି ସମ୍ପର୍କରେ ସଚେତନ ହେଲେ  । ଶ୍ରମିକ ସଂଗଠନ ଗୁଡିକ ପକ୍ଷରୁ ଦାବୀ ହେଲା  । ଶ୍ରମିକମାନଙ୍କୁ କାରଖାନା ବ୍ୟବସ୍ଥାର ଅନ୍ୟାୟରୁ ରକ୍ଷା ପାଇବା ପାଇଁ ଆନ୍ଦୋଳନ ଆରମ୍ଭ ହେଲା  । ସେମାନଙ୍କର କାର୍ଯ୍ୟକାରିତା ଓ ରହିବା ଅବସ୍ଥାକୁ ସୁଧାର ଆଣିବା ଲାଗି ଅନେକ ଆଇନ ତିଆରି କରାଗଲା  ।

ସାମ୍ରାଜ୍ୟବାଦ ଓ ଉପନିବେଶବାଦର ବୃଦ୍ଧି

ଗତ ଅଧ୍ୟାୟରେ ତୁମେ ଶିଳ୍ପ ବିପ୍ଳବ ବିଷୟରେ ଓ ତାହା କିପରି ପାଶ୍ଚାତ୍ୟ ଦେଶରେ ବିସ୍ତାର ଲାଭ କଲା ତାହା ପଢିଲ  । ଉନ୍ନବିଂଶ ଶତାବ୍ଦୀ ବେଳକୁ ଅହିକାଂଶ ଇଉରୋପୀୟ ଦେଶଗୁଡିକ ଶିଳ୍ପ ସମୃଦ୍ଧ ହୋଇ ସାରିଥିଲା  । ସେହି ଦେଶଗୁଡିକ ନିୟମିତ କଞ୍ଚାମାଲ ଯୋଗାଣ ଓ ପ୍ରସ୍ତୁତ ହୋଇଥିବା ଜିନିଷଗୁଡିକର ବିକ୍ରୟ ପାଇଁ ବଜାର ଆବଶ୍ୟକ କଲେ  । ତେଣୁ ସେମାନେ ଶିଳ୍ପ ସମୃଦ୍ଧ ହୋଇ ନଥିବା ଅଞ୍ଚଳଗୁଡିକୁ ନିଜର ଅଧିକାରକୁ ଆଣିବାକୁ ଚେଷ୍ଟା କଲେ  । ପୁଞ୍ଜିପତିମାନେ ମଧ୍ୟ ତାଙ୍କର ବଳକା ପୁଞ୍ଜିକୁ ବିନିଯୋଗ କରିବା ପାଇଁ ନୂତନ ସ୍ଥାନ ଓ ନୂତନ ଶିଳ୍ପ ଆବଶ୍ୟକ କଲେ  । କାରଣ ତାଙ୍କର ଏହି ଆବଶ୍ୟକତା ତାଙ୍କର ନିଜ ଦେଶରେ ବା ନିକଟବର୍ତ୍ତୀ ଅନହଳରେ ପୂରଣ ହୋଇ ପାରିଲା ନାହିଁ  । ନିଜର ଅଧିକାର ପରିବ୍ୟାପ୍ତ କରିବା କିମ୍ବା ଅନ୍ୟ ରାଷ୍ଟ୍ରର ରାଜନୈତିକ ଓ ଅର୍ଥନୈତିକ ଜୀବନ ଉପରେ ଶାସନ କରିବାକୁ ସାମ୍ରାଜ୍ୟବାଦ କୁହାଯାଏ  । ଏହା ସୈନ୍ୟମାନଙ୍କ ଦ୍ଵାରା ବା ଅନ୍ୟ କୌଣସି ମାଧ୍ୟମରେ କରାଯାଇପାରେ  । ଉପନିବେଶବାଦର ଅର୍ଥ ଉପନିବେଶ ଅଧିକାର କରିବା ଏବଂ ସେମାନଙ୍କୁ ବିଜୟଲାଭ ଦ୍ଵାରା ବା ଅନ୍ୟ କୌଣସି ଉପାୟରେ ନିର୍ଭରଶୀଳ କରିରଖିବା  । କଞ୍ଚାମାଲ, ବଜାର ଓ ପୁଞ୍ଜିବିନିଯୋଗ କରିବା ସ୍ଥାନର ଆବଶ୍ୟକତା ସାମ୍ରାଜ୍ୟବାଦୀ ରାଷ୍ଟ୍ରଗୁଡିକୁ ନିଜ ଦେଶ ବାହାରେ ଅନ୍ୟ ଅଞ୍ଚଳ ଅଧିକାର କରିବା ପାଇଁ ଉତ୍ସାହିତ କଲା  । ସାମ୍ରାଜ୍ୟବାଦର ମୁଖ୍ୟ ବିଶେଷତ୍ଵ ହେଉଛି, ଯୁଦ୍ଧ ଦ୍ଵାରା ବିଜୟଲାଭ, ରାଜନୈତିକ ଶାସନ ବା ଅନ୍ୟ କୌଣସି ପଦ୍ଧତିରେ ସାମ୍ରାଜ୍ୟବାଦୀ ରାଷ୍ଟ୍ର ଉପନିବେଶଗୁଡିକ ଉପରେ ଅର୍ଥନୈତିକ ପ୍ରାଧାନ୍ୟ ବିସ୍ତାର କରିବା  । ଉପନିବେଶଗୁଡିକର ସମସ୍ତ ସମ୍ପତ୍ତି ଓ ପ୍ରାକୃତିକ ସମ୍ପଦ ସାମ୍ରାଜ୍ୟବାଦୀ ରାଷ୍ଟ୍ରଗୁଡିକୁ ନିଜଦେଶକୁ ବୋହି ନେଉଥିଲେ  । ଉପନିବେଶ ଗୁଡିକର ସ୍ଵାର୍ଥ ସାମ୍ରାଜ୍ୟବାଦୀ ରାଷ୍ଟ୍ରରେ ସ୍ଵାର୍ଥର ଅଧିନ ଥିଲା ଯେଉଁ ରାଷ୍ଟ୍ର ଅନ୍ୟ ରାଷ୍ଟ୍ରକୁ ଅଧିକାର କରୁଥିଲା, ତାକୁ ସାମ୍ରାଜ୍ୟବାଦୀ ରାଷ୍ଟ୍ର ଓ ବିଜିତ ରାଷ୍ଟ୍ରକୁ ଉପନିବେଶ କୁହାଯାଉଥିଲା  । ଉନ୍ନବିଂଶ ଶତାବ୍ଦୀର ଶେଷ ବେଳକୁ ଏସିଆ ଓ ଆଫ୍ରିକାର ପ୍ରାୟ ସମସ୍ତରାଷ୍ଟ୍ର ଇଉରୋପର କୌଣସି ଏକ ରାଷ୍ଟ୍ରରେ ଅଧିନରେ ଥିଲା  ।

ତୁମେ କାହିଁକି ଭାବୁଛ ଯେ, ଏହି ଶିଳ୍ପ ସମୃଦ୍ଧ ରାଷ୍ଟ୍ରଗୁଡିକ ଏସିଆ ଓ ଆଫ୍ରିକାରେ ନିଜର ପ୍ରାଧାନ୍ୟ ବିସ୍ତାର ପାଇଁ ପସନ୍ଦ କଲେ  । ଏହାର କାରଣ ହେଉଛି, ଏହି ଦେଶଗୁଡିକରେ ପ୍ରଚୁର ପ୍ରାକୃତିକ ସମ୍ପଦ ଭରି ରହିଥିଲା ଓ ସେମାନେ ରାଜନୈତିକ ଓ ପ୍ରତିରକ୍ଷା କ୍ଷେତ୍ରରେ ଦୁର୍ବଳ ଥିଲେ ଏବଂ ଶିଳ୍ପ କ୍ଷେତ୍ରରେ ପଛୁଆ ଥିଲେ  । ଦୁର୍ଭାଗ୍ୟବଶତଃ ସେହି ଦେଶଗୁଡିକ ବହୁତ ଦୂରରେ ଥିଲା  । ଭଲ ଯୋଗାଯୋଗ ମାଧ୍ୟମ ବିନା କୌଣସି ଦେଶ ସେମାନଙ୍କଠାରୁ ଲାଭ ଉଠାଇ ପାରିବ ନାହିଁ  । ସାମ୍ରାଜ୍ୟବାଦର ବୃଦ୍ଧି ସହିତ ଏକ ସମୟରେ ପରିବହନ ଓ ଯୋଗାଯୋଗର ମଧ୍ୟ ବିକାଶ ଘଟିଲା  । ଭଲରାସ୍ତା, ବାଷ୍ପଚାଳିତ ଜାହାଜ, ରେଳରାସ୍ତା ଓ କେନାଲ ଆଦି ଶିଳ୍ପ ସମୃଦ୍ଧ ରାଷ୍ଟ୍ରଗୁଡିକ ଦ୍ଵାରା ନିଜ ରାଷ୍ଟ୍ରରେ ଓ ଉପନିବେଶଗୁଡିକରେ ନିର୍ମିତ ହେଲା  । ଉପନିବେଶକୁ ଓ ଉପନିବେଶରୁ ଜିନିଷର ସହଜରେ ପରିବହନ ଏହି ଦେଶଗୁଡିକ ପାଇଁ ସବୁ ସହଜ କରିଦେଲା  । ସୈନ୍ୟବାହିନୀ ମଧ୍ୟ ସହଜରେ ଉପନିବେଶକୁ ପଠାଯାଇପାରିଲା  । ଟେଲିଗ୍ରାଫ ଓ ଟେଲିଫୋନର ବିକାଶ ଫଳରେ ସମ୍ବାଦ ସହଜରେ ପଠାଯାଇ ପାରିଲା  । ପ୍ରାୟ ପ୍ରତ୍ୟକ ରାଷ୍ଟ୍ର ଏହି ସାମ୍ରାଜ୍ୟବାଦୀ ରାଷ୍ଟ୍ରଗୁଡିକ ସହଜରେ ପହଞ୍ଚିବାର ସୀମା ଭିତରେ ରହିଲେ  ।

ଅତ୍ୟଧିକ ଜାତୀୟତାଭାବ ସାମ୍ରାଜ୍ୟବାଦର ପ୍ରସାର ପାଇଁ ଏକ ମୁଖ୍ୟ ଶକ୍ତି ଭବାରେ କାର୍ଯ୍ୟକଲା  । ଗୌରବ, ସମ୍ମାନ ଓ ମର୍ଯ୍ୟାଦା ପାଇଁ ଇଟାଲୀ ଓ ଜର୍ମାନୀ ଭଳି କେତେକ ରାଷ୍ଟ୍ର ଅନ୍ୟ ରାଷ୍ଟ୍ର ଅଧିନରେ ଥିବା ଅଞ୍ଚଳକୁ ଅଧିକାର କଲେ  । ଏହି ସମୟ ମଧ୍ୟରେ ଇଉରୋପର ଲୋକମାନେ ଗୋଟିଏ ଜାତିଗତ ପ୍ରାଧାନ୍ୟର ପ୍ରସାର କରାଇଥିଲେ  । ଏସିଆ ଓ ଆଫ୍ରିକାର ଲୋକମାନଙ୍କୁ ପଛୁଆ ବୋଲି କହୁଥିଲେ  । ସେମାନଙ୍କ ମତଥିଲା ଯେ, ଗୋରା ଲୋକମାନଙ୍କର ଦାୟିତ୍ଵ ପଛୁଆ ଲୋକମାନଙ୍କୁ ସଭ୍ଯ କରାଇବା  । ତେଣୁ ଏହା ତାଙ୍କର କର୍ତ୍ତବ୍ୟ  । ଏହି ଦେଶଗୁଡିକ ଅଧିକାର କରିବା, ଖ୍ରୀଷ୍ଟିଆନ ଧର୍ମ ପ୍ରସାର କରାଇବା ଓ ତାଙ୍କୁ ଜ୍ଞାନ ଆଲୋକ ପ୍ରଦାନ କରିବା  । ଏହି ଧାରଣା ସେମାନଙ୍କୁ ଏହି ଦେଶଗୁଡିକ ଅଧିକାର କରିବା ପାଇଁ ନୈତିକ ଦୃଷ୍ଟିରୁ ଯୁକ୍ତି ସଙ୍ଗତ ବୋଧ ହେଲା  ।

ଏହା ବିଶେଷ କଷ୍ଟକର ନଥିଲା କାରଣ ଦୁଃସାହାସିକ ଆବିଷ୍କାରକମାନେ ଇଉରୋପୀୟମାନଙ୍କ ମଧ୍ୟରେ ରାଜ୍ୟ ଅଧିକାର କରିବାର ଇଚ୍ଛାକୁ ଉତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ  । ସେମାନେ ଯେଉଁଦେଶ ଆବିଷ୍କାର କରୁଥିଲେ, ସେ ଦେଶ ସମ୍ପର୍କରେ ମୁଲ୍ୟବାନ ସୂଚନା ପ୍ରଦାନ କରିବା ସହ ସେମାନେ ଏହି ଅନୁନ୍ନତ ଅଞ୍ଚଳରେ ଯେଉଁ ସମ୍ପତ୍ତି ଓ ପ୍ରାକୃତିକ ସମ୍ପଦ ଦେଖିଲେ, ତାହା ବର୍ଣ୍ଣନା କଲେ  । ତୁମେ ପଢିଥିବା ଅନେକ ଆବିଷ୍କାରକ ଯଥା ଖ୍ରୀଷ୍ଟଫର କଲମ୍ବସ, ଭାସ୍କୋଡାଗାମା ଓ ଫର୍ଡିନାର୍ଡ ମେଗାଲନଙ୍କ ନାମ ତୁମର ମନେଅଛି କି ?

ଆଫ୍ରିକାରେ ସାମ୍ରାଜ୍ୟବାଦ

ତୁମେ ଜାଣକି ଗୋଟିଏ ସମୟରେ ଆଫ୍ରିକାକୁ ଅନ୍ଧକାର ମହାଦେଶ କୁହାଯାଉଥିଲା  ? ଏହି ମହାଦେଶ ବିଷୟରେ ଖୁବ୍ ସୂଚନା ମିଳୁଥିଲା  । ଧର୍ମଯାଜକ ଓ ଆବିଷ୍କାରକମାନେ ଆଭ୍ୟନ୍ତରୀଣ ଅଞ୍ଚଳକୁ ପ୍ରଥମେ ପ୍ରବେଶ କରିଥିଲେ  । ସେଠାରେ ସେମାନେ ପ୍ରଚୁର ସମ୍ପତ୍ତି ଯଥା ହାତୀଦାନ୍ତ, ସୁନା, ହୀରା, ବାଉଁଶ ଏବଂ କ୍ରୀତଦାସ ଭଳି କାର୍ଯ୍ୟ କରିପାରିବା ଲୋକମାନଙ୍କୁ ଆବିଷ୍କାର କଲେ  । ଆଫ୍ରିକାର ରାଜନୈତିକ ବ୍ୟବସ୍ଥା ବଡ ଦୁର୍ବଳ, ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ପଛୁଆ ଏବଂ ସାମରିକ କ୍ଷେତ୍ର ମଧ୍ୟ ଦୁର୍ବଳ ଥିଲା  । ଇଉରୋପୀୟ ଦେଶମାନଙ୍କ ମଧ୍ୟରେ କ୍ଷମତା ଓ ସମ୍ମାନ ଲାଭ, କଞ୍ଚାମାଲ ଓ ଉତ୍ପାଦିତ ଜିନିଷର ବଜାର ପାଇଁ ପ୍ରତିଯୋଗିତା ଆରମ୍ଭ ହେଲା  । ଇଉରୋପର ଲୋକମାନେ ଅନ୍ୟପକ୍ଷରେ ଯାନ୍ତ୍ରିକ କୌଶଳରେ ଉନ୍ନତ ଅସ୍ତ୍ରଶସ୍ତ୍ରର ଅଧିକାରୀ ହେଲେ ଯାହାକି ସେମାନଙ୍କୁ ରାଜ୍ୟଜୟ କ୍ଷେତ୍ରରେ ସାହାଯ୍ୟ କଲା  । ୧୮୭୫ ମସିହା ପର୍ଯ୍ୟନ୍ତ ଆଫ୍ରିକାରେ ଇଉରୋପୀୟମାନଙ୍କର ଅଧିକୃତ ଅଞ୍ଚଳ ସମୁଦ୍ର କୂଳରେ ଥିବା କେତେକ ଦୁର୍ଗ ଓ ବାଣିଜ୍ୟ କେନ୍ଦ୍ର ଏବଂ ଅଳ୍ପ କେତେଆ କ୍ଷୁଦ୍ର ଉପନିବେଶ ମଧ୍ୟରେ ସୀମିତ ଥିଲା  । କିନ୍ତୁ ୧୮୮୦ ଏବଂ ୧୯୧୦ ମଧ୍ୟରେ ସମୁଦାୟ ଆଫ୍ରିକା ଇଉରୋପୀୟମାନଙ୍କ ମଧ୍ୟରେ ଭାଗଭାଗ ହୋଇଗଲା  । ଆଫ୍ରିକା ଓ ତାର ଅଧିବାସୀମାନଙ୍କ ସମ୍ପର୍କରେ ସମସ୍ତ ଗୁରୁତ୍ଵପୂର୍ଣ୍ଣ ସିଦ୍ଧାନ୍ତମାନ ଲଣ୍ଡନ, ପ୍ୟାରିସ, ଲିସବନ୍ ଓ ଅନ୍ୟ ଇଉରୋପୀୟ ରାଷ୍ଟ୍ରର ରାଜଧାନୀମାନଙ୍କ ସମ୍ମିଳନୀରେ ପରବର୍ତ୍ତୀ ୫୦ ବର୍ଷ ପାଇଁ ଗ୍ରହଣ କରାଯାଉଥିଲା  ।

ଫ୍ରାନ୍ସ ଉତ୍ତର ପଶ୍ଚିମ ଆଫ୍ରିକାରେ ବୃହତ୍ ସାମ୍ରାଜ୍ୟ ଅଧିକାର କରିଥିଲା  । ଆଲଜେରିଆ, ଟୁନେସିଆ, ମରୋକୋ, ଆଇଭରିକୋଷ୍ଟ, ତାହେମି, ମାଲି ଓ ପଶ୍ଚିମ ଆଫ୍ରିକାର ଅନ୍ୟ ଅଞ୍ଚଳଗୁଡିକ ଫ୍ରାନ୍ସର ଶାସନାଧିକାରରେ ଥିଲା  । ଗାମ୍ବିଆ, ସିଏରା ଲିଓନ, ଗେଲ୍ଡକୋଷ୍ଟ ନାଇଜେରିଆ, ଦକ୍ଷିଣଆଫ୍ରିକା, ରୋଡେସିଆ, ଉଗାଣ୍ଡା, କେନିଆ, ଇଜିପ୍ଟ, ସୁଦାନ, ଇରିଟ୍ରେ, ସୋମାଲିଲାଣ୍ଡର ଗୋଟିଏ ଅଂଶ ଏବଂ ଲିବ୍ୟା ଇଂଲଣ୍ଡ ଦ୍ଵାରା ଶାସିତ ହେଉଥିଲା  । ଦକ୍ଷିଣ ପଛିମ ଆଫ୍ରିକା, ଟାଙ୍ଗାନାଇକା, ଟୋଗୋଲାଣ୍ଡ, କାମେରୁନ, ପ୍ରଥମ ବିଶ୍ଵଯୁଦ୍ଧରେ ପରାଜିତ ହେଲା ପର୍ଯ୍ୟନ୍ତ ଜର୍ମାନୀ ଶାସନ କରୁଥିଲା  । ୧୯୧୪ରେ ଯୁଦ୍ଧ ଆରମ୍ଭ ହେଲା ବେଳକୁ ଆଫ୍ରିକାରେ ମାତ୍ର ଦୁଇଟି ସ୍ଵାଧୀନ ଦେଶ ଥିଲା ଯଥା – ଳିବେରିଆ ଓ ଇଥିଓପିଆ  । କିନ୍ତୁ ପରେ ୧୯୫ ମସିହାରେ ଇଥିଓପିଆ ଇଟାଲୀଦ୍ଵାରା ଅଧିକୃତ ହେଲା  । ସାମ୍ରାଜ୍ୟବାଦର ଏକ କୌତୁହଳପୂର୍ଣ୍ଣ ବିଶେଷତ୍ଵ ହେଉଛି ଆଫ୍ରିକାର କ୍ରୀତଦାସ ପ୍ରଥା  । ଇଉରୋପୀୟମାନେ ଆଫ୍ରିକାର କ୍ରୀତଦାସମାନକୁ ଆମେରିକାରେ ଥିବା ତାଙ୍କର ଉପନିବେଶରେ କାମ କରିବା ପାଇଁ ଆମଦାନୀ କରୁଥିଲେ  । ପର୍ତ୍ତୁଗାଲର ରାଜଧାନୀ ଲିସବନରେ ଗୋଟିଏ କ୍ରୀତଦାସ ବଜାର ଥିଲା  । ୧୫୦୦ରୁ ୧୮୦୦ ମସିହା ମଧ୍ୟରେ ପ୍ରାୟ ୧୫ ନିୟୁତ ଆଫ୍ରିକୀୟ ଧରାଯାଇ କ୍ରୀତଦାସ ଭାବରେ ବିକ୍ରୟ ହୋଇଥିଲେ  ।

ଏସିଆରେ ସାମ୍ରାଜ୍ୟବାଦ

ଆଫ୍ରିକା ଭଳି ଏସିଆରେ ମଧ୍ୟ ଇଉରୋପୀୟମାନେ ଉପନିବେଶ ସ୍ଥାପନ କଲେ  । ଇଂରେଜ ଓ ଫରାସୀମାନେ ପର୍ତ୍ତୁଗାଲ ଓ ହଲାଣ୍ଡ ଦ୍ଵାରା ଚାଲିଥିବା ଉନ୍ନତ ବାଣିଜ୍ୟକୁ ଭଲ ପାଉନଥିଲେ ଯାହାକୁ ସେମାନେ ସର୍ବଶେଷରେ ଭାରତରୁ ବାହାର କରିଦେଲେ  । ଇଂରେଜ ଓ ଫରାସୀ କମ୍ପାନୀଗୁଡିକ ଏଠାରେ ବସତିସ୍ଥାପନ କଲେ  । ୧୭୬ ମସିହାରେ ଇଂରେଜମାନେ ଭାରତରେ ଫରାସୀମାନଙ୍କର ପ୍ରଭାବକୁ ଲୋପ କରିଦେଲେ ଓ ସେମାନଙ୍କର ନିଜର କ୍ଷମତା ବିସ୍ତାର କଲେ  । ତୁମେ ପରବର୍ତ୍ତୀ ଅଧ୍ୟାୟରେ ଭାରତରେ ଇଂରେଜ ଶାସନ ସମ୍ପର୍କରେ ଅଧିକ ପଢିବ  । ଜାପାନ ଓ ଚୀନ ଭଳି ଦେଶମାନେ ବିଦେଶୀ ସଂସ୍କୃତି ଓ ଜୀବନଯାପନ ପଦ୍ଧତି ଗ୍ରହଣ କଲେ ନାହିଁ କାରଣ ସେମାନେ ସେମାନଙ୍କର ପ୍ରଚଳିତ ପଦ୍ଧତିରେ ବିଶ୍ଵାସ କରୁଥିଲେ  । ବକ୍ସର ବିଦ୍ରୋହ ଏବଂ ଓପିଅମ ଯୁଦ୍ଧ ଶିଳ୍ପ ସମୁଦ୍ଧ ଦେଶଗୁଡିକୁ ଚୀନ୍ ଘଟଣାରେ ସଂଶ୍ଳିଷ୍ଟ ହେବାପାଇଁ କ୍ଷମତା ପ୍ରଦାନ କଲା  । କ୍ରମେ କ୍ରମେ ସେମାନେ ଶିଳ୍ପ ବିକାଶକୁ ପାଶ୍ଚାତ୍ୟ ପ୍ରଭାବକୁ ଗ୍ରହଣ କଲେ  । ବର୍ତ୍ତମାନ ଆମେ କ’ଣ ଘଟିଲା ଅଧ୍ୟୟନ କରିବା  ।

ଚୀନ

ଇଉରୋପୀୟ ଦେଶଗୁଡିକରେ ଚୀନ ଜିନିଶହର ବିଷେୟା ଚାହିଦା ଥିବାବେଳେ ଇଉରୋପୀୟ ଜିନିଷର ଚାହିଦା ଚୀନରେ ନଥିଲା  । ଏହି ଏକପାଖିଆ ବାଣିଜ୍ୟ ଇଉରୋପୀୟ ବଣିକମାନଙ୍କ ପାଇଁ ଲାଭ ଦାୟକ ନଥିଲା  । ତେଣୁ ସେମାନେ ଚୀନର ଯୁବକମାନଙ୍କର ମନୋବଳ କମାଇବା ସହିତ ଜିନିଷର ଆଦାନ ପ୍ରଦାନ ପାଇଁ ଚୀନକୁ ଅଫିମ ଚୋରା କାରବାର କରିବା ଆରମ୍ଭ କେରିଦେଲେ  । ଏହା ଫଳରେ ଚୀନ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଅଫିମସମର ସଂଗଠିତ ହେଲା ଯେଉଁଥିରେ ଚୀନ ସହଜରେ ପରାସ୍ତ ହେଲା ଏବଂ ଇଂଲଣ୍ଡ ନିଜପାଇଁ ଅନେକ ରିହାତି ପାଇଲେ  । ଚୀନର ପାଞ୍ଚଟିଯାକ ବନ୍ଦର ଇଂଲଣ୍ଡ ବଣିକମାନଙ୍କ ପାଇଁ ମୁକ୍ତ କରିବାରେ ସଫଳ ହେଲେ  । ଚୀନ ସରକାର ବିଦେଶୀ ଜିନିଷ ଉପରେ କୌଣସି ଶୁଳ୍କ ବସାଇ ପାରିଲେ ନାହିଁ  । ସେମାନେ ଚୀନ ନ୍ୟାୟାଳୟରେ କୌଣସି ଇଂଲଣ୍ଡ ନାଗରିକଙ୍କ ବିରୁଦ୍ଧରେ ମକଦ୍ଦମା ଚଳାଇ ପାରିବେ ନାହିଁ  । ହଂଙ୍ଗକଙ୍ଗ ଦ୍ଵୀପ ଇଂଲଣ୍ଡକୁ ହସ୍ତାନ୍ତର କରାଗଲା  ।

ଦ୍ଵିତୀୟ ଅଫିମସମର ଇଂଲଣ୍ଡ ଜାତୀୟ ପତାକାର ଅସମ୍ମାନ ଓ ଫରାସୀ ଧର୍ମଯାଜକଙ୍କର ହତ୍ୟାର ପ୍ରତିଶୋଧ ନେବା ପାଇଁ ସଂଗଠିତ ହୋଇଥିଲା  । ଚୀନ ଦୁଇଟିଯାକ ଇଉରୋପୀୟ ଶକ୍ତିଙ୍କଠାରୁ ପରାଜିତ ହେଲା ଓ ଅଧିକ ଆଞ୍ଚଳିକ ଅଧିକାର ପ୍ରଦାନ କରିବାକୁ ବାଧ୍ୟ ହେଲା  ।

ବକ୍ସରଙ୍କ ବିଦ୍ରୋହ ଖ୍ରୀଷ୍ଟିଆନ ଧର୍ମଯାଜକ ଏବଂ ଅଧିକାର ଦାବି କରିବା ଦ୍ଵାରା ଚୀନର ବିଭାଜନ ପରେ ଚୀନର ଶୋଷଣ ବିରୁଦ୍ଧରେ ଏକ ସଂଗଠିତ ଆତଙ୍କ  । ଚୀନର ଯୁବକମାନେ ବିଦେଶୀ ନାଗରିକମାନଙ୍କୁ ସେମାନଙ୍କ ମୁଥା ସାହାଯ୍ୟରେ ଉତ୍ପୀଡନ କଲେ  । ସେମାନଙ୍କୁ ରାଜନ୍ୟାୟାଳୟର ଗୁପ୍ତ ସମର୍ଥନ ଥିଲା  ।

ଜାପାନ

୧୮୬୮ ମସିହାରେ “Meiji Restoration” ସହିତ “Enlightened rule” ର ଯୁଗ ଆରମ୍ଭ ହେଲା  ଯାହା ଜାପାନକୁ ଗୋଟିଏ ସଙ୍କୁଚିତ ସାମନ୍ତବାଦୀ ସମାଜରୁ ଏକ ଦ୍ରୁତ ଶିଳ୍ପ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିଦେଲା  । ତାଙ୍କର କୌଣସି ପ୍ରାକୃତିକ ସମ୍ପଦ ନଥିଲା ଏବଂ ଉଭୟ ଦରିଆପାରି ବଜାର ଓ କଞ୍ଚାମାଲ ଉତ୍ସ ଉପରେ ନିର୍ଭର କରୁଥିଲା  ।

୧୮୭୧ ମସିହାରେ ଦଳେ ଜାପାନୀ ରାଜନୀତିଜ୍ଞ ଇଉରୋପ ଓ ଯୁକ୍ତରାଷ୍ଟ୍ର ଭ୍ରମଣ କଲେ  । ଜାପାନ ରାଷ୍ଟ୍ରଦ୍ଵାରା ପରିଚାଳିତ ଗୋଟିଏ ଶିଳ୍ପନୀତି ପ୍ରସ୍ତୁତ କଲେ  । ୧୮୭୭ ମସିହାରେ  “ଦି ବ୍ୟାଙ୍କ ଅଫ ଜାପାନ” ପ୍ରତିଷ୍ଠା ହେଲା  । ଅନେକ ଇସ୍ପାତ ଓ ବୟନ ଶିଳ୍ପ କାରଖାନା ପ୍ରତିଷ୍ଠା ହେଲା  । ଶିକ୍ଷାକୁ ସାର୍ବଜନୀନ କରାଗଲା ଓ ଜାପାନୀ ଛାତ୍ରମାନଙ୍କୁ ବିଦେଶରେ ଅଧ୍ୟୟନ କରିବା ପାଇଁ ପଠାଗଲା  । ୧୯୦୫ ମସିହା ସୁଦ୍ଧା “ଦେଶକୁ ସମୃଦ୍ଧକର, ସୈନ୍ୟ ବିଭାଗକୁ ସୁଦୃଢକର” ଏହି ସ୍ଲୋଗାନ ମାଧ୍ୟମରେ ଜାପାନ ଏକ ଅଗ୍ରଗାମୀ ଶିଳ୍ପ ସମୃଦ୍ଧ ଓ ସୁଦୃଢ ସାମରିକ ବାହିନୀର ଦେଶରେ ପରିଣତ ହେଲା  । ସେ ଫର୍ମୋଜା, ଦକ୍ଷିଣ ସାଖାଲିନ, କୋରିଆ, ମାଞ୍ଚୁରିଆ, ଇଣ୍ଡୋଚୀନ, ବର୍ମା, ମାଳୟ, ସିଙ୍ଗାପୁର, ଇଣ୍ଡୋନେସିଆ ଓ ଫିଲିଫାଇନ୍ସ ଅଧିକାର କରିବାରେ ସଫଳ ହେଲା  ।

ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆରେ ସାମ୍ରାଜ୍ୟବାଦ

ନେପାଳ, ବର୍ମା, ଶ୍ରୀଲଙ୍କା, ମାଳୟ, ଇଣ୍ଡୋନେସିଆ, ଇଣ୍ଡୋଚୀନ, ଥାଇଲାଣ୍ଡ, ଇଣ୍ଡୋଫିଲିଫାଇନ୍ସ, ଦକ୍ଷିଣ ଏବଂ ଦକ୍ଷିଣପୂର୍ବ ଏସିଆର ଅନ୍ତର୍ଭୁକ୍ତ  । ନୂତନ ସାମ୍ରାଜ୍ୟବାଦର ଉଦ୍ଭବ ପୂର୍ବରୁ ମଧ୍ୟ ଏହି ଦେଶଗୁଡିକ ମଧ୍ୟରୁ ଅନେକ ଇଉରୋପୀୟମାନଙ୍କ ଅଧିନରେ ଥିଲେ  । ଶ୍ରୀଲଙ୍କା ପର୍ତ୍ତୁଗୀଜମାନଙ୍କ ଅଧିକାରରେ ଥିଲା, ତାପରେ ଡଚ୍ ମାନଙ୍କ ଅଧିନକୁ ଓ ପରେ ଇଂରେଜମାନଙ୍କ ଅଧିନକୁ ଆସିଲା  । ଇଂଲଣ୍ଡ ଚା ଓ ରବର ଚାଷ ଆରମଭ କଲା ଯାହାକି ଶ୍ରୀଳଙ୍କାର ରପ୍ତାନି ବାଣିଜ୍ୟର ୭/୮ ଅଂଶରେ ପରିଣତ ହେଲା  ।

ଦକ୍ଷିଣପୂର୍ବ ଏସିଆର ଅନ୍ୟାନ୍ୟ ଦେଶଗୁଡିକ ମଧ୍ୟ ସାମ୍ରାଜ୍ୟବାଦ ଦ୍ଵାରା କ୍ଷତିଗ୍ରସ୍ତ ହୋଇଥିଲେ  । ଫ୍ରାନ୍ସର ସୈନ୍ୟବାହିନୀ ଭିଏତନାମା ଆକ୍ରମଣ କଲେ ଓ ଦାବି କଲେଯେ,  ସେମାନେ ଇଣ୍ଡୋଚୀନର ଖ୍ରୀଷ୍ଟିଆନମାନଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି  । କ୍ରମେ କ୍ରମେ ଭିଏତନାମା ଲାଓସ ଓ କାମ୍ବୋଡିଆ ଫରାସୀ ଔପନିବେଶିକ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହେଲା  । ଇଂଲଣ୍ଡ ମାଳୟ ରାଷ୍ଟ୍ର ଉପରେ କର୍ତ୍ତୃତ୍ଵ ବିସ୍ତାର ପାଇଁ ବର୍ମା ଓ ସିଙ୍ଗାପୁରର ବନ୍ଦର ଅଧିକାର କଲା  ।

ସାମ୍ରାଜ୍ୟବାଦର ପ୍ରଭାବ

ସାମ୍ରାଜ୍ୟବାଦର ଉପନିବେଶଗୁଡିକ ଉପରେ କେତେକ ଭଲ ପ୍ରଭାବ ହେଉଛି, ରେଳଲାଇନ୍, କେନାଲ୍, ତ୍ଲିଗ୍ରାଫ ଓ ଟେଲିଫୋନ ଆଦି ପରିବହନ ଓ ଯୋଗାଯୋଗର ପ୍ରଚଳନ  । ଏହା ମଧ୍ୟ ଉପନିବେଶଗୁଡିକରେ ରାଜନୈତିକ ସଚେତନତାର ବିକାଶ ଓ ଜାତୀୟତାବାଦୀ ଚିନ୍ତାଧାରା ସୃଷ୍ଟି କଲା  । ଏହା ଆଧୁନିକ ଶିକ୍ଷା ଓ ବିଜ୍ଞାନର ବିକାଶ କଲା ଯାହାକି ସ୍ଵାଧିନତା ଲାଭ କଲା ପରେ ଏହି ରାଷ୍ଟ୍ରଗୁଡିକୁ ଉନ୍ନତ କରିବାରେ ସାହାଯ୍ୟ କଲା  ।

ସାମ୍ରାଜ୍ୟବାଦର ଉପନିବେଶଗୁଡିକ ଉପରେ ଏକ ଭୟଙ୍କର କୁପ୍ରଭାବ ପଡିଲା  । ସ୍ଵଦେଶୀ ଶିଳ୍ପଗୁଡିକ ଧ୍ଵଂସ ହୋଇଗଲା ଓ ପ୍ରାକୃତିକ ସମ୍ପଦଗୁଡିକୁ ନିର୍ଦ୍ଦୟ ଭାବରେ ଲୁଣ୍ଠନ କରାଗଲା  । ଚୀନକୁ ଭାଗଭାଗ କରାଗଲା ଓ ଆନ୍ତର୍ଜାତିକ ବାଣିଜ୍ୟ ପାଇଁ ସଂପୂର୍ଣ୍ଣ ମୁକ୍ତ କରିଦିଆଗଲା  । ଲିବରିଆ ଓ ଇଥିଓପିଆକୁ ଛାଡି ସମୁଦାୟ ଆଫ୍ରିକା ଇଉରୋପୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାଗ କରି ଦିଆଗଲା  । ବହୁ ସଂଖ୍ୟାରେ ଆଫ୍ରିକୀୟ କ୍ରୀତଦାସ ଭାବରେ ବିକ୍ରୟ ହେଲେ  । ଦକ୍ଷିଣ ଆଫ୍ରିକାରେ ଗୋରା ଇଉରୋପୀୟ ଗୋଷ୍ଠୀ କଳାମାନଙ୍କୁ ସେମାନଙ୍କର କଳାଚମଡା ପାଇଁ ଦୁର୍ବ୍ୟବହାର କଲେ  । ଏହାକୁ ବର୍ଣ୍ଣବୈଷମ୍ୟ କୁହାଯାଏ ଯାହା ସାମ୍ରାଜ୍ୟବାଦର ସବୁଠାରୁ ଖରାପ ପ୍ରଭାବ ଅଟେ  ।

ସାମ୍ରାଜ୍ୟବାଦର କୁପ୍ରଭାବ ଏହାର ସୁପ୍ରଭାବକୁ ଗୁରୁତ୍ଵହୀନ କରିଦିଏ କାରଣ ଏହା ଉଭୟ ଏସିଆ ଓ ଆଫ୍ରିକାର ସମ୍ପଦ, କଞ୍ଚାମାଲ ଶୂନ୍ୟ କରିଦେଲା, ସେମାନଙ୍କର ଶିଳ୍ପଜାତ ଦ୍ରବ୍ୟ ବିକ୍ରୟ କରି ଏହାର ବଜାରକୁ ଲୁଣ୍ଠନ କଲେ  । ଯାହାଦ୍ଵାରା ଉପନିବେଶଗୁଡିକର ଆର୍ଥିକ ଅବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଗଲା  । ସେମାନଙ୍କର ବର୍ଣ୍ଣଗତ ବୈଷମ୍ୟ ନୀତି ଯୋଗୁଁ ଲୋକମାନେ ଆତ୍ମାସମ୍ମାନ ଏବଂ ବିଶ୍ଵାସ ହରାଇଲେ  । ତୁମେ ଏ ବିଷୟରେ ଅଧିକ ପରବର୍ତ୍ତୀ ଭାରତ ସମ୍ପର୍କିତ ଅଧ୍ୟାୟରେ ପଢିବ  । ଭାରତକୁ ଇଉରୋପୀୟମାନେ ବଣିକ ଭାବରେ ଆସିଥିଲେ କିନ୍ତୁ ପରେ ଶାସକ ହୋଇଗଲେ  । ସେମାନେ ଆମର ଉନ୍ନତ ଅର୍ଥନୀତିକୁ ନଷ୍ଟ କରିଦେଲେ  । ଭାରତ ଯେକି ବୟନ ଶିଳ୍ପଜାତ ଦ୍ରବ୍ୟର ରପ୍ତାନିକାରୀ ଥିଲା, ସେ ତିଆରି ଜିନିଷର କ୍ରେତା ହେଲା ଓ କଞ୍ଚାମାଲର ରପ୍ତାନିକାରୀ ହେଲା  । ଅତ୍ୟଧିକ ଶୁଳ୍କ ଆଦାୟ ଲୋକମାନଙ୍କର ଦାରିଦ୍ର୍ୟ ଆଣିଦେଲା  ।

ବିଂଶ ଶତାବ୍ଦୀରେ ମାନବ ଇତିହାସର ଯେକୌଣସି ଯୁଗ ତୁଳନାରେ ଅଧିକ ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ହୋଇଥିଲା  । ଯଥା ବାଷ୍ପଶକ୍ତି ଦ୍ଵାରା ପରିଚାଳିତ ଜାହାଜଠାରୁ ଆରମ୍ଭହୋଇ ମହାକାଶ ଭ୍ରମଣ, ଚନ୍ଦ୍ରପୃଷ୍ଠରେ ଅବତରଣ ଓ କମ୍ପ୍ୟୁଟର ଦ୍ଵାରା ସଂଯୋଗୀକରଣ ପର୍ଯ୍ୟନ୍ତ  । ମୁହୂର୍ତ୍ତକ ମଧ୍ୟରେ ଯୋଗାଯୋଗ ଓ ଦ୍ରୁତ ପରିବହନ ଦ୍ଵାରା ପୃଥିବୀ ସଙ୍କୁଚିତ ହୋଇଯାଇଛି  । ଦୁର୍ଭାଗ୍ୟବଶତଃ ସମୁଦାୟ ପୃଥିବୀ ସାମ୍ରାଜ୍ୟବାଦୀ ପ୍ରତିଦ୍ୱନ୍ଦିତା ଓ ଅର୍ଥନୈତିକ ସ୍ଵାର୍ଥ ଦ୍ଵାରା କ୍ଷତିଗ୍ରସ୍ତ ହେଉଛି  । ଏହା ଇଉରୋପୀୟ ଦେଶଗୁଡିକ ମଧ୍ୟରେ ଚାପ ବୃଦ୍ଧି କରୁଛି  । ଯୁକ୍ତରାଷ୍ଟ୍ର ଓ ଜାପାନ ଯେଉଁମାନେ ଦୁଇଟି ବିଶ୍ଵଯୁଦ୍ଧରେ ନିଜକୁ ସାମିଲ କରିଥିଲେ, ସେ ବିଷୟରେ ତୁମେ ପରବର୍ତ୍ତୀ ପାଠରେ  ଅଧ୍ୟୟନ କରିବ  ।

ପ୍ରଥମ ବିଶ୍ଵଯୁଦ୍ଧ

ଶିଳ୍ପାୟନ, ଉପନିବେଶବାଦ ଓ ସାଂରାଜ୍ୟବାଦ ଇଉରୋପୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଏସିଆ ଓ ଆଫ୍ରିକାରେ ଥିବା ଉପନିବେଶ ଉପରେ ଅଧିକାରକୁ ନେଇ ପ୍ରବଳ ଶତ୍ରୁତା ସୃଷ୍ଟି ହେଲା  । ଉନବିଂଶ  ଶତାବ୍ଦୀର ଶେଷ ଭାଗକୁ ଯେତେବେଳେ ଏସିଆ ଓ ଆଫ୍ରିକାରେ ଆଉ ଉପନିବେଶ ମିଳିପାରିଲା ନାହିଁ  । ସେତେବେଳେ ଏହି ପ୍ରତିଯୋଗିତା ଭୟଙ୍କର ରୂପ ଧାରଣ କଲା  । ପରସ୍ପର ମଧ୍ୟରେ ଅବିଶ୍ଵାସ ଓ ଶତ୍ରୁତା ପାଇଁ ସମାଧାନ ସମ୍ଭବ ହେଲା ନାହିଁ ଏବଂ ୧୯୧୪ ମସିହାରେ ଇଉରୋପରେ ଯୁଦ୍ଧ ଆରମଭ ହୋଇ ଦ୍ରୁତବେଗରେ ସମୁଦାୟ ସ୍ପୃଥିବୀକୁକବଳିତ କଲା  । ଏହା ପୃଥିବୀର ସମସ୍ତ ମୁଖ୍ୟ ରାଷ୍ଟ୍ର ଓ ସେମାନଙ୍କ ଉପନିବେଶଗୁଡିକୁ ଅନ୍ତର୍ଭୁକ୍ତ କଲା  । ଏହି ଯୁଧା ଦ୍ଵାରା ହୋଇଥିବା କ୍ଷତି ଇତିହାସରେ ପୂର୍ବରୁ କେବେ ହୋଇ ନଥିଲା  । ଇତିହାସରେ ପ୍ରଥମଥର ପାଇଁ ଯୁଦ୍ଧରେ ଯୋଗଦାନ କରିଥିବା ଦେଶର ସମସ୍ତ ସମ୍ପଦ ବ୍ୟବହାର କରାଯାଇଥିଲା  । ସେମାନଙ୍କର ସ୍ଥଳବାହିନୀ, ଜଳବାହିନୀ ଓ ଆକାଶ ବାହିନୀ ଏଥିରେ ଯୋଗଦାନ କରିଥିଲେ  । ସାଧାରମ ଲୋକମାନେ ବିନା ବାଛବିଚାରରେ ବୋମା ବିସ୍ଫୋରଣ ଯୋଗୁଁ ବହୁ ସଂଖ୍ୟାରେ ମୃତ୍ୟୁବରଣ କରିଥିଲେ  । ପ୍ରଥମଥର ପାଇଁ ଯେହେତୁ ଏହିଯୁଦ୍ଧ ପୃଥିବୀର ବିସ୍ତ୍ରୁତ ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିଲା, ତେଣୁ ଏହାକୁ ପ୍ରଥମ ବିଶ୍ଵଯୁଦ୍ଧ କୁହାଯାଏ  । ଏହା ପୃଥିବୀ ଇତିହାସର ଏକ ପରିବର୍ତ୍ତନର ସମୟ  । ଏହା କୌଣସି ଏକ ହଠାତ୍ ଘଟିଥିବା ଘଟନା ନଥିଲା, କିନ୍ତୁ ୧୯୧୪ ପୂର୍ବରୁ ଦୀର୍ଘସମୟ ଧରି ଲାଗି ରହିଥିବା ବହୁସଂଖ୍ୟାରେ ଚାପ ଓ କ୍ରମୋନ୍ନତିର ଚରମ ପରିଣତି ଥିଲା  ।

ପ୍ରଥମ ବିଶ୍ଵଯୁଦ୍ଧର କାରଣ

ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ ଓ ଅନ୍ୟାନ୍ୟ ଦେଶମାନଙ୍କ ମଧ୍ୟରେ ଥିବା ସାମ୍ରାଜ୍ୟବାଦୀ ଶତ୍ରୁତା ଯୁଦ୍ଧର ମୁଖ୍ୟ କାରଣ  । ପୂର୍ବରୁ ଯୁଦ୍ଧକୁ ଏଡାଇ ଦିଆଯାଇ ପାରୁଥିଲା  । କାରଣ ଅଧିକ ଉପନିବେଶ ଅଧିକାର କରିବାର ସମ୍ଭାବନା ରହିଥିଲା  । କିନ୍ତୁ ପରିସ୍ଥିତି ବଦଳିଗଲା  । ଏସିଆ ଓ ଆଫ୍ରିକାର ଅଧିକାଂଶ ଅଞ୍ଚଳ ଭାଗବଣ୍ଟା ସାରିଥିଲା ଓ ଆଉ ଅଧିକ ବିସ୍ତାର କରିବାର ସମ୍ଭାବନା ନଥିଲା  । କେବଳ କେତେକ ସାମ୍ରାଜ୍ୟବାଦୀ ରାଷ୍ଟ୍ରକୁ ତାର ଉପନିବେଶରୁ ଅଧିକାରଚ୍ୟୁତ କରିବାର ସମ୍ଭାବନା ଥିଲା  । ଏହି ଉପନିବେଶଗୁଡିକର ବିଭାଜନ ଯୁଦ୍ଧ ପରିସ୍ଥିତି ସୃଷ୍ଟି କଲା  । ଉନବିଂଶ ଶତାବ୍ଦୀର ଶେଷ ଚତୁର୍ଥାଂଶରେ ଜର୍ମାନୀରେ ଅଦ୍ଭୁତପୂର୍ବ ଆର୍ଥିକ ଓ ଔଦ୍ୟୋଗିକ ବିକାଶ ଘଟିଲା ଏବଂ ଇଂଲଣ୍ଡ ଓ ଫ୍ରାନ୍ସକୁ ଶିଳ୍ପ ଜାତ ଦ୍ରବ୍ୟ ଉତ୍ପାଦନରେ ବହୁ ପଛରେ ପକାଇଦେଲା  । ନିଜର ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ସେ ଇଂଲଣ୍ଡ ସହ ସମପରିମାନର ଉପନିବେଶ ଆବଶ୍ୟକ କଲା  । ସାମ୍ରାଜ୍ୟବାଦୀ ପ୍ରତିଯୋଗିତାରେ ଜର୍ମାନୀ ଇଂଲଣ୍ଡର ମୁଖ୍ୟ ପ୍ରତିଯୋଗୀ ହେଲା  ।

ଇଂରେଜମାନଙ୍କର ଜଳବାହିନୀର ଶ୍ରେଷ୍ଠତ୍ଵ ପ୍ରତି ଏକ ଆହ୍ଵାନ ହେଲା ଯେତେବେଳେ ଜର୍ମାନୀ ସର୍ବବୃହତ୍ ଯୁଦ୍ଧଜାହାଜ ‘ଇମ୍ପରେଟର’ନିର୍ମାଣ କଲା ଓ ଉତ୍ତରସାଗର ଏବଂ ବଲଟିକ୍ ସାଗରକୁ ଯୋଗକରି କିଏଲ କେନାଲ ନିର୍ମାଣ କଲା ଯାହାକି ଇଂରେଜ ସାମୁଦ୍ରିକ ତଟରେଖା ପ୍ରତି ବିପଦ ସୃଷ୍ଟିକଲା  । ଜର୍ମାନୀ ମଧ୍ୟ ବର୍ଲିନ ଓ ବାଗବାଦକୁ ସଂଯୋଗ କରି ରେଳଲାଇନ୍ ତିଆରି କଲା  । ଓ ଏହା ଜର୍ମାନୀକୁ ପ୍ରାଚ୍ୟଦେଶକୁ ସୈନ୍ୟବାହିନୀ ଓ ଅନ୍ୟାନ୍ୟ ଜିନିଷ ପଠାଇବା ପାଇଁ ସହଜ ହେଲା  । କିନ୍ତୁ ଏହା ସେଠାରେ ଥିବା ଇଂଲଣ୍ଡ ଉପନିବେଶପ୍ରତି ବିପଦ ଦେଖାଦେଲା  ।

ଜର୍ମାନୀ ଭଳି ଅନ୍ୟ ସମସ୍ତ ଇଉରୋପୀୟ ମୁଖ୍ୟ ଶକ୍ତି ଓ ଜାପାନର ମଧ୍ୟ ସାମ୍ରାଜ୍ୟବାଦୀ ଅଭିଳାଷ ଥିଲା  । ଇଟାଲୀ ତାର ଏକତ୍ରୀକରଣ ପରେ ଉତ୍ତର ଆଫ୍ରିକାର ତ୍ରିପୋଲୀ ଦାବୀକଲା  । ଯାହାକି ଅଟୋମ୍ୟାନ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା  । ଫ୍ରାନ୍ସ ମରୋକୋକୁ ଯୋଗ କରିବାକୁ ଇଚ୍ଛା କଲା ଓ ଋଷିଆ ଇରାନ୍ ପ୍ରତି ଅଭିଳାଷ ଥିଲା  । ଜାପାନ ପୂର୍ବାଞ୍ଚଳ ଅଧିକାର ପାଇଁ ଇଚ୍ଛା କରୁଥିଲା ଯେଉଁଠାରେ ସେ ୧୯୦୫ର ଋଷ ଜାପାନ ଯୁଦ୍ଧପରେନିଜର ପ୍ରଭାବ ବିସ୍ତାର କରିବାକୁ ସକ୍ଷମ ହେଲା  । ଅଷ୍ଟ୍ରିଆର ଅଟୋମ୍ୟାନ ସାମ୍ରାଜ୍ୟ ଅଧିକାରର ଅଭିଳାଷ ଥିଲା ଓ ଯୁକ୍ତରାଷ୍ଟ୍ର ଆମେରିକା ଧୀରେ ଧୀରେ ଗୋଟିଏ ବୃହତ ଶକ୍ତି ଭାବରେ ନିଜର ପ୍ରଭାବ ବିସ୍ତାର କରୁଥିଲା  । ଯେହେତୁ ତାର ବାଣିଜ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଥିଲା  ତେଣୁ ତାଙ୍କର ମୁଖ୍ୟ ଉଦ୍ଦେଶଥିଲା ବାଣିଜ୍ୟିକ ସ୍ଵାଧୀନତାର ସୁରକ୍ଷା କରିବା  । କୌଣସି ଗୋଟିଏ ବୃହତ୍ ଶକ୍ତିର ପ୍ରଭାବ ବୃଦ୍ଧି ପାଇବା ବିଶ୍ଵଶାନ୍ତି ପ୍ରତି ବିପଦ ଥିଲା  ।

ମେଣ୍ଟ ଗଠନ ପଦ୍ଧତି

କଳହ ଓ ଅଧିକ ଉପନିବେଶ ଲାଭ ପାଇଁ ବିବାଦ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କୁ ମିତ୍ର ଶକ୍ତିର ସନ୍ଧାନ କରିବାକୁ ପ୍ରବର୍ତ୍ତାଇ ଥିଲା  । ୧୮୮୨ ମସିହାରେ ଜର୍ମାନୀ, ଅଷ୍ଟ୍ରିଆ ଓ ଇଟାଲୀ ତ୍ରିପାକ୍ଷିକ ମୈତ୍ରୀ ସ୍ଥାପନ କଲେ ଯଦ୍ୱାରା ସେମାନେ ପ୍ରତିଦ୍ଵନ୍ଦୀଙ୍କ ବିରୁଦ୍ଧରେ ପରସ୍ପର ସାମରିକ ସହାୟତା ଦେବା ପାଇଁ ପ୍ରତିଶୃତି ବଦ୍ଧ ହେଲେ  । ଇଂଲଣ୍ଡ, ଫ୍ରାନ୍ସ ଓ ଋଷିଆ ୧୯୦୭ ମସିହାରେ ତ୍ରିପାକ୍ଷିକ ବନ୍ଧୁତା ସ୍ଵାକ୍ଷର କଲେ  । ଦୁଇଟି ପାରସ୍ପରିକ ବିରୋଧି ଶକ୍ତିର ଉତ୍ପତ୍ତି ଇଉରୋପକୁ ଦୁଇଟି ବିରୋଧି ଶିବିରରେ ବିଭକ୍ତ କଲା ଯାହା ଇଉରୋପୀୟ ଶକ୍ତିମାନଙ୍କ ମଧ୍ୟରେ ଚିନ୍ତା ଓ କଳହର କାରଣ ହେଲା  । ଏହି ଦେଶଗୁଡିକ ପରସ୍ପର ସହ ପ୍ରତିଦ୍ୱନ୍ଦିତା କରିବାକୁ ଲାଗିଲେ ଓ ଘାତକ ଅସ୍ତ୍ର ଉତ୍ପାଦନ କରିବାରେ ପ୍ରତିଯୋଗିତା ଆରମ୍ଭ କରିଦେଲେ  । ପରସ୍ପର ମଧ୍ୟରେ ଶତ୍ରୁତା ଓ ସନ୍ଦେହ ଶାନ୍ତିର ବାତାବରଣକୁ ନଷ୍ଟ କଲା  । ପ୍ରଚାରରୁ ଏହା ସ୍ପଷ୍ଟ ହୋଇଥିଲା ଯେ, ଯଦି ଯୁଦ୍ଧ ହୁଏ, ତେବେ ସମଗ୍ର ଇଉରୋପ ଏଥିରେ ଜାଗିଦାର ହେବେ  ।

ପାନସ୍ଲାଭ ଆନ୍ଦୋଳନ ଏବଂ ବଲକାନ ରାଜନୀତି

ପୂର୍ବ ଇଉରୋପର ଅନେକ ଦେଶ ଯଥା ଗ୍ରୀସ୍, ରୋମାନିଆ, ବୁଲଗେରିଆ, ସର୍ବିଆ, ମଣ୍ଟନିଗ୍ରୋ ଓ ଅନ୍ୟକେତେକ କ୍ଷୁଦ୍ର ରାଜ୍ୟ ବଲକାନଅଞ୍ଚଳ ଗଠିତ ହୋଇଥିଲା  । ଆରମ୍ଭରେ ଏହି ଦେଶଗୁଡିକ ଅଟୋମାନ ସମ୍ରାଟ ବା ତୁର୍କୀର ଶାସକଙ୍କ ନିୟନ୍ତ୍ରଣାଧୀନ ଥିଲେ  । ବିଂଶଶତାବ୍ଦୀର ଆରମ୍ଭରେ ଅଟୋମାନ ସାମ୍ରାଜ୍ୟର ପାଟଣା ଆରମ୍ଭ ହେଲା  । ଅଷ୍ଟ୍ରିଆ ଓ ଋଷିଆ ସହିତ ଅନେକ ଇଉରୋପୀୟ ରାଷ୍ଟ୍ର ନିଜନିଜର ସୁରକ୍ଷିତ ସ୍ଥାନ ଅକ୍ତିଆର କରିବା ପାଇଁ ସେହି ଅଞ୍ଚଳରେ ପହଞ୍ଚିଲେ  । କିନ୍ତୁ ସେଠାରେ ପରିସ୍ଥିତି ଜଟିଳ ହେବାକୁ ଆରମ୍ଭ କଲା  । ଯେତେବେଳେ ସେଠାରେ ଅଧିକାଂଶ ଲୋକମାନଙ୍କ ମଧ୍ୟରେ ଜାତୀୟତାବାଦର ପୁନରୁତ୍ଥାନ ଘଟିଲା  । ସେମାନଙ୍କୁ ସ୍ଲାଭ ବୋଲି କୁହାଗଲା  । ଯେହେତୁ ସେମାନେ ପୂର୍ବ ଇଉରୋପୀୟ ଦେଶମାନଙ୍କ ମଧ୍ୟରେ ବିଛୁରିତ ହୋଇଗଲେ, ସେମାନେ ‘ପାନସ୍ଲାଭ’ ନାମରେ ଏକ ଜାତୀୟ ଆନ୍ଦୋଳନ ଆରମ୍ଭ କଲେ  । ସମସ୍ତ ସ୍ଲାଭମାନଙ୍କୁ ଏକତ୍ର କରି ସର୍ବିଆ ଅଧିନରେ ଏକ ରାଜ୍ୟଗଠନ କରିବା ସେମାନଙ୍କର ମୁଖ୍ୟ ଦାବୀ ଥିଲା କାରଣ, ଏହି ଆନ୍ଦୋଳନରେ ସର୍ବିଆରେ ସବୁଠାରୁ ଅଧିକ ସ୍ଲାଭମାନେ ବାସ କରୁଥିଲେ  । ସର୍ବିଆ ଋଷିଆଠାରୁ ସମର୍ଥନ ପାଇଲା ବେଳେ ଅଷ୍ଟ୍ରିଆ ସର୍ବିଆ ଓ ସେମାନଙ୍କର ଜାତୀୟ ଆନ୍ଦୋଳନକୁ ବିରୋଧ କଲା  । ଏହା ଋଷିଆ ଓ ଅଷ୍ଟ୍ରିଆ ମଧ୍ୟରେ ଦ୍ଵନ୍ଦର କାରଣ ହେଲା  ।ଅଷ୍ଟ୍ରିଆ ଏକ ଶକ୍ତିଶାଳୀ ସର୍ବିଆ ଚାହୁଁ ନଥିଲା କାରଣ ଏହା ତାହାର ଆଧିପତ୍ୟ ବିସ୍ତାର ଉଦ୍ଦେଶ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବାର ସମ୍ଭାବନା ରହିଥିଲା  । ୧୯୦୮ ମସିହାରେ ଅଷ୍ଟ୍ରିଆ ଦୁଇଟି ସ୍ଲାଭ ରାଜ୍ୟ ଯଥା – ବୋସନିଆ ଓ ହର୍ଜଗୋଭିନା ଅଧିକାର କରିବାରୁ ଅଷ୍ଟ୍ରିଆ ଓ ସର୍ବିଆ ମଧ୍ୟରେ ଶତ୍ରୁତା ସୃଷ୍ଟି ହେଲା  । ୧୯୧୨ ଏବଂ ୧୯୧୪ ମସିହା ମଧ୍ୟରେ ଚାରୋଟି ବଲକାନ ରାଷ୍ଟ୍ର ସ୍ଵାଧିନତା ପାଇଁ ଅଟୋମାନ ସମ୍ରାଟଙ୍କ ବିରୁଦ୍ଧରେ ଯୁଦ୍ଧ ଲଢିଲେ  । ତୁର୍କୀ ପରାସ୍ତ ହେଲା ଏବଂ ଇଉରୋପରେ ତାର ସମସ୍ତ ଅଧିକୃତ ଅଞ୍ଚଳ ହରାଇ ବସିଲା  । ଅଷ୍ଟ୍ରିଆ କେବଳ ସର୍ବିଆର ‘ବୃହତ ସର୍ବିଆ’ ଗଠନର ଲକ୍ଷ୍ୟକୁ ରୋକିବା ପାଇଁ ତୁରନ୍ତ ଆଲବାନିଆ ନାମକ ଏକ ସ୍ଵତନ୍ତ୍ର ରାଷ୍ଟ୍ର ସ୍ଥାପନ କଲା  । ଗୋଟିଏ ପକ୍ଷରେ ଅଷ୍ଟ୍ରିଆ ଏବଂ ଅନ୍ୟପକ୍ଷରେ ସର୍ବିଆ ଓ ଋଷିଆ କଳହ ବଢିବାକୁ ଲାଗିଲା  ।

ତୁମେ ଜାଣି ପାରୁଥିବ ଯେ, କିଭଳି ୧୯୧୪ ମସିହା ସୁଦ୍ଧା ଇଉରୋପର ବାତାବରଣରେ ବିସ୍ଫୋଟକ ପରିସ୍ଥିତି ସୃଷ୍ଟି ହୋଇଥିଲା  । ଏହି ପୃଷ୍ଠଭୂମି ସଂସ୍ପର୍ଶରେ ଅଷ୍ଟ୍ରିଆ ରାଜଗାଦିର ଉତ୍ତରାଧିକାରୀ ଆର୍କଡ୍ୟୁକ ଫ୍ରାନସିସ୍ ଫର୍ଡିନାଣ୍ଡ ବୋସନିଆର ରାଜଧାନୀ ସାରେଜେଭୋକୁ ଏକ ରାଷ୍ଟ୍ର ଗସ୍ତରେ ଯାଇଥିଲେ  । ୧୯୧୪ ମସିହା ଜୁନ ୨୮ ତାରିଖରେ ଯେତେବେଳେ ସେ ନିଜ ଗାଡିରୁ ଓହ୍ଲାଉଥିଲେ, ସେତେବେଳେ ସର୍ବିଆର ଏକ ଯୁବକ ଦ୍ଵାରା ନିହତ ହୋଇଥିଲେ  । ଆର୍କଡ୍ୟୁକଫ୍ରାନସିସ୍ ଫର୍ଡିନାଣ୍ଡଙ୍କ ହତ୍ୟା ଯୁଦ୍ଧର ଆଶୁକାରଣ ଥିଲା  । ଅଷ୍ଟିଆ ତାର ଯୁବରାଜଙ୍କର ହତ୍ୟା ନିମିତ୍ତ ସର୍ବିଆକୁ ଦାୟୀ କଲା ଓ ବିଭିନ୍ନ ସର୍ତ୍ତାବଳୀ ସହ ଏକ ଚରମପତ୍ର ପ୍ରେରଣ କଲା  । ଋଷିଆର ସହଯୋଗର ଆଶ୍ଵସ୍ତିପାଇ ସର୍ବିଆ ଏହି ଚରମପତ୍ର ଗ୍ରହଣ କରିବାକୁ ମନା କଲା ଓ ଯୁଦ୍ଧ ପାଇଁ ନିଜ ସୀମାରେ ସୈନ୍ୟ ପ୍ରସ୍ତୁତିକରଣ କାର୍ଯ୍ୟ ଆରମ୍ଭ କରିଦେଲେ  । ୧୯୧୪ ମସିହା ଜୁଲାଇ ୨୮ ତାରିଖରେ ଅଷ୍ଟ୍ରିଆ ସର୍ବିଆ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା  । ୧୯୧୪ ମସିହା ଅଗଷ୍ଟ ୧ ତାରିଖରେ ଜର୍ମାନୀ ଋଷିଆ ଉପରେ ଯୁଦ୍ଧ ଘୋଷଣା କଲା  । ୧୯୧୪ ମସିହା ଅଗଷ୍ଟ ୩ ତାରିଖରେ ଜର୍ମାନୀ ଫ୍ରାନ୍ସ ଉପରେ ଯୁଦ୍ଧ ଘୋଷଣା କଲା  । ଯେତେବେଳେ ଜର୍ମାନ ସୈନ୍ୟ ବେଲଜିୟମରେ ପ୍ରବେଶ କଲେ, ୧୯୧୪ ଅଗଷ୍ଟ ୪ ତାରିଖରେ ଇଂଲଣ୍ଡ ଜର୍ମାନୀ ଉପରେ ଯୁଦ୍ଧ ଘୋଷଣା କଲା  । ଏହିପରି ଇଉରୋପର ଏକ ଛୋଟ ଘଟନା ଯୋଗଦାନ କରିଥିବା ସମସ୍ତ ଦେଶରେ ଯୁଦ୍ଧ ଆରମ୍ଭ କରିଦେଲା । ଯାହାକି ଅତିଶୀଘ୍ର ପ୍ରଥମ ବିଶ୍ଵଯୁଦ୍ଧର ରୂପ ନେଲା  ।

ଯୁଦ୍ଧ ସମୟର ଘଟଣାବଳୀ (୧୯୧୪-୧୯୧୮)

ପ୍ରଥମ ବିଶ୍ଵଯୁଦ୍ଧ ୧୯୧୪ ମସିହା ଅଗଷ୍ଟରୁ ଆରମ୍ଭ ହୋଇ ୧୯୧୮ ମସିହା ନଭେମ୍ବର ପର୍ଯ୍ୟନ୍ତ ଚାଲିଥିଲା  । ଏହି ସମୟ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୁଧା ହୋଇଥିଲା ଯଥା – ୧୯୧୪ରେ ମାର୍ନଯୁଦ୍ଧ, ୧୯୧୬ରେ ଭେର୍ଦ୍ଦୁଯୁଦ୍ଧ, ସମ ଯୁଦ୍ଧ ଓ ଜୁଟଲ୍ୟାଣ୍ଡ ଯୁଦ୍ଧ  । ୧୯୧୭ ମସିହାରେ ଦୁଇ ମହତ୍ଵପୂର୍ଣ୍ଣ ବିକାଶ ଘଟିଥିଲା – ଗୋଟିଏ ହେଉଛି ଏପ୍ରିଲ ମାସରେ ଯୁକ୍ତରାଷ୍ଟ୍ର ଆମେରିକାର ଯୁଦ୍ଧରେ ଯୋଗଦାନ ଏବଂ ଦ୍ଵିତୀୟଟି ହେଉଛି ନଭେମ୍ବର ମାସରେ ଋଷିଆର ଯୁଦ୍ଧରୁ ଓହରିଯିବା  ।

୧୯୧୫ ମସିହାରେ ବ୍ରିଟେନର ଏକ ଯାତ୍ରୀବାହିଜାହାଜ, ଲୁସିଟାନିଆ, ଜର୍ମାନୀର ଯୁବୋଟମାନଙ୍କ ଆକ୍ରମଣରେ ବୁଡିଯାଇଥିଲା  । ଫଳରେ ଏଥିରେ ଯାତ୍ରା କରୁଥିବା ୧୨୮ ଆମେରିକୀୟ ବେସାମରିକ ଯାତ୍ରୀ ମୃତ୍ୟୁବରଣ କରିଥିଲେ  । ଆମେରିକାର ସିନେଟ ଏହି ଘଟଣାକୁ ଖୁବ ଗୁରୁତ୍ଵର ସହ ଗ୍ରହଣ କଲା  । ଗୋଟିଏ ଶକ୍ତିଶାଳୀ ଦେଶ ହେବା ସହିତ ଜର୍ମାନୀ ମଧ୍ୟ ଆମେରିକାର ଆଧିପତ୍ୟ ପ୍ରତି ବିପଦ ହୋଇପାରେ  । ଆହୁରି ମଧ୍ୟ, ଆମେରିକା ଯେହେତୁ ଅସ୍ତ୍ରଶସ୍ତ୍ର ଯୋଗାଣରେ ଏକ ପ୍ରଧାନ ଶକ୍ତି ଥିଲା, ଏହି ଯୁଦ୍ଧର ଦୀର୍ଘତା ଯୁକ୍ତରାଷ୍ଟ୍ର ପାଇଁ ଅର୍ଥନୈତିକ ସୁଯୋଗ ଆଣିଦେଲା  । ଏସବୁକୁ ଦ୍ରୁଷ୍ଟିରେ ରଖି ସେ ଅ୧୯୧୭ ମସିହାରେ ଯୁଦ୍ଧରେ ଯୋଗଦେବାର ସିଦ୍ଧାନ୍ତ ନେଲା  ।

ତୁମେମାନେ ୧୯୧୭ର ଋଷିଆରେ ଅକ୍ଟୋବର ବିଦ୍ରୋହ ପଢିଛ  । ବିଦ୍ରୋହୀମାନଙ୍କର ଗୋଟିଏ ମୁଖ୍ୟ ଦାବୀ ଥିଲା ଶାନ୍ତି  । ତେଣୁ ସେହି ବିଦ୍ରୋହ ଶେଷ ହେବା ସଙ୍ଗେ ସଙ୍ଗେ ଲେନିନ୍ ଙ୍କ ନେତୃତ୍ଵରେ ଋଷିଆ ଯୁଦ୍ଧରୁ ଅପସରିଗଲା ଏବଂ ୧୯୧୮ ମସିହାରେ ଜର୍ମାନୀ ସହ ଏକ ଶାନ୍ତିଚୁକ୍ତି ସ୍ଵାକ୍ଷର କଲା  । ଜୁଲାଇ ୧୯୧୮ରେ ଜର୍ମାନୀର ପତନ ଆରମ୍ଭ ହେଲା  । ସେପ୍ଟେମ୍ବର ଓ ଅକ୍ଟୋବରରେ ଯଥାକ୍ରମେ ବୁଲଗେରିଆ ଓ ତୁର୍କୀ ଆତ୍ମ ସମର୍ପଣ କଲେ  । ୧୯୧୮ ମସିହା ନଭେମ୍ବର ୩ ତାରିଖରେ ଅଷ୍ଟ୍ରିଆରେ ତୀବ୍ର ଅଶାନ୍ତି ପାଇଁ ଅଷ୍ଟ୍ରିଆର ସମ୍ରାଟ ଆତ୍ମସମର୍ପଣ କଲେ  । ଜର୍ମାନୀ ଲୋକଙ୍କର ସେହିଭଳି ବିଦ୍ରୋହ ଯୋଗୁଁ ଜର୍ମାନ ସମ୍ରାଟ ଦ୍ଵିତୀୟ ଉଇଲିୟମ ହଲାଣ୍ଡକୁ ପଳାୟନ କଲେ ଏବଂ ଜର୍ମାନୀରେ ସାଧାରଣତନ୍ତ୍ର ପ୍ରତିଷ୍ଠା ହେଲା  । ନୂତନ ସରକାର ୧୯୧୮ ନଭେମ୍ବର ୧୧ ତାରିଖରେ ଗୋଟିଏ ସାମରିକ ସନ୍ଧି ସ୍ଵାକ୍ଷର କଲେ ଯଦ୍ୱାରା ପ୍ରଥମ ବିଶ୍ଵଯୁଦ୍ଧର ପରିସମାପ୍ତି ଘଟିଲା  ।

ଏହି ଯୁଦ୍ଧ ସମୟରେ ଅନେକ ନୂତନ ଅସ୍ତ୍ର ଯଥା – ସ୍ଵୟଂଚାଳିତ ବନ୍ଧୁକ, ବିଷାକ୍ତ ବାଷ୍ପ, ତରଳ ଅଗ୍ନି, ବୁଡାଜାହାଜ ଓ ଟ୍ୟାଙ୍କମାନ ବ୍ୟବହୃତ ହୋଇଥିଲା  । ନୂତନ କୌଶଳ ଓ ସାମରିକ ଜନ୍ତ୍ର କୌଶଳମାନ ପକ୍ଷ ଦ୍ଵାରା ପରିକ୍ଷିତ ହେଲା  । ଇଂଲଣ୍ଡ ସାମୁଦ୍ରିକ ଓ ଅର୍ଥନୈତିକ କଟକଣା, ଟ୍ୟାଙ୍କ ଏବଂ ବାୟୁସେନା ଚଢାଉ ପ୍ରଭୃତି ବ୍ୟବହାର କରିଥିଲା  । ଫ୍ରାନ୍ସ ସୁଡଙ୍ଗ ଯୁଦ୍ଧ କରିଥିଲା  ଏବଂ ଜର୍ମାନୀ ୟୁବୋଟ ଓ ବୁଡାଜାହାଜର ବ୍ୟବହାର କରି ଯୁଦ୍ଧ ଜାହାଜଗୁଡିକୁ ସମୁଦ୍ରରେ ବୁଡାଇ ଦେଉଥିଲା  ।

ପ୍ରଥମ ବିଶ୍ଵଯୁଦ୍ଧର ଆଶୁ ପରିଣାମ

ପ୍ରଥମ ବିଶ୍ଵଯୁଦ୍ଧ ହେଉଛି ପୃଥିବୀ ସମ୍ମୁଖୀନ ହୋଇଥିବା ସର୍ବାପେକ୍ଷା ଅଧିକ ଧ୍ଵଂସକାରୀ ଓ ଭୟଙ୍କର ଘଟଣା ମଧ୍ୟରୁ ଅନ୍ୟତମ  । ନିରୀହ ବେସାମରିକ ଲୋକଙ୍କ ସହ ପ୍ରାୟ ଏକ ନିୟୁତଲୋକଙ୍କର ପ୍ରାଣହାନୀ ଘଟିଥିଲା  । ଅଧିକାଂଶ ଇଉରୋପୀୟ ରାଷ୍ଟ୍ରମାନଙ୍କରେ ବହୁମାତ୍ରାରେ କ୍ଷୟକ୍ଷତି ଘଟିଥିଲା  । ସମୁଦାୟ ବ୍ୟୟ ପ୍ରାୟ ୧୮୦ ନିୟୁତ ଡଲାର  । ଅଧିକାଂଶ ଦେଶର ଅର୍ଥନୀତି ଧ୍ଵଂସ ହୋଇଥିଲା ଯଦ୍ୱାରା ସାମରିକ ଅସ୍ଥିରତା, ବେରୋଜଗାରୀ ଓ ଦାରିଦ୍ର୍ୟ ଦେଖାଦେଲା  ।

୧୯୧୯ ମସିହା ଜାନୁୟାରୀରୁ ଜୁନ ମଧ୍ୟରେ ମିଳିତ ଶକ୍ତିମାନ ପ୍ୟାରିସ ନିକଟସ୍ଥ ଭର୍ସାଇଲସ ପ୍ରାସାଦରେ ପରାଜିତ ଶକ୍ତିମାନଙ୍କର ଭାଗ୍ୟ ନିର୍ଣ୍ଣୟ କରିବା ପାଇଁ ଏକ ସମ୍ମଳନୀରେ ଯୋଗ ଦେଲେ  । ଯଦି ପ୍ରାୟ ୨୭ଟି ଦେଶର ପ୍ରତିନିଧି ସମ୍ମେଳନୀରେ ଯୋଗ ଦେଇଥିଲେ, ବ୍ରିଟେନ, ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କ ଦ୍ଵାରା ନିଷ୍ପତ୍ତି ନିଆଗଲା  । ଋଷିଆକୁ ବାଦ ଦିଆଯାଇଥିଲା ଓ ପରାଜିତ ରାଷ୍ଟ୍ରମାନଙ୍କୁ ଯୋଗଦେବାକୁ ଅନୁମତି ଦିଆଯାଇ ନଥିଲା  । ମିଳିତ ଶକ୍ତିଗଣ ପରାଜିତ ଦେଶମାନଙ୍କ ସହିତ ଅନେକ ଚୁକ୍ତି ସ୍ଵାକ୍ଷର କରିଥିଲେ  । ସେଗୁଡିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଜର୍ମାନୀ ସହ ସ୍ଵାକ୍ଷରିତ ହୋଇଥିବା ଭର୍ସାଇଲସଚୁକ୍ତି, ଅଷ୍ଟ୍ରିଆ ସହ ମେଣ୍ଟ ଜର୍ମେନ ଚୁକ୍ତି ଓ ତୁର୍କୀସହ ସଭର୍ସ ଚୁକ୍ତି  ।

ଭର୍ସାଇଲସ ଚୁକ୍ତି ଜର୍ମାନୀକୁ ରାଜନୈତିକ, ଅର୍ଥନୈତିକ ଓ ସାମରିକ ଦୃଷ୍ଟିରୁ ପଙ୍ଗୁ କରି ଦେଇଥିଲା  । ଜର୍ମାନୀକୁ ଯୁଦ୍ଧ ଆରମ୍ଭ କରିବା ପାଇଁ ଦୋଷୀସାବ୍ୟସ୍ତ କରାଯାଇଥିଲା ଓ ସେଥିପାଇଁ ଏକ ବଡ ପରିମାଣର କ୍ଷତି ପୂରଣ ଦେବା ପାଇଁ କୁହାଯାଇଥିଲା  । ଆଲସାସ ଓ ଲୋରେନ ଯେଉଁଗୁଡିକୁ ୧୮୭୧ ମସିହାରେ ଜର୍ମାନୀ ଫ୍ରାନ୍ସଠାରୁ ଅକ୍ତିଆର କରିଥିଲା, ତାହା ପୁନଶ୍ଚ ଫ୍ରାନ୍ସକୁ ଫେରସ୍ତ କରାଯାଇଥିଲା  । ଫ୍ରାନ୍ସ ଓ ଜର୍ମାନୀ ମଧ୍ୟରେ ଥିବା ରାହିନଲାଣ୍ଡକୁ ସେନାମୁକ୍ତ କରାଯାଇଥିଲା ଓ ମିଳିତ ଶକ୍ତିର ନିୟନ୍ତ୍ରଣକୁ ଅଣାଯାଇଥିଲା  । କୋଇଲା ପ୍ରାଚୁର୍ଯ୍ୟପୂର୍ଣ୍ଣ  ‘ସାର’ ଉପତ୍ୟକାକୁ ଫ୍ରାନ୍ସକୁ ୧୫ ବର୍ଷ ପାଇଁ ଦିଆଗଲା  । ଜର୍ମାନୀ ସୈନ୍ୟଦଳକୁ ଭଙ୍ଗ କରାଗଲା  । ଯୁଦ୍ଧପୋତଗୁଡିକୁ ବୁଡାଇ ଦିଆଗଲା ଓ ସୈନ୍ୟବାହିନୀରେ ସୈନ୍ୟଙ୍କ ସଂଖ୍ୟା ୧,୦୦,୦୦୦ରେ ସୀମିତ କରାଗଲା  । ଜର୍ମାନୀକୁ ତାର ସମସ୍ତ ଉପନିବେଶରୁ ବଞ୍ଚିତ କରାଗଲା  । ଇଉରୋପରେ ତାର ଅଧିକାଂଶ ଅଞ୍ଚଳ ବେଲଜିଅମ ଓ ପୋଲାଣ୍ଡକୁ ହସ୍ତାନ୍ତର କରାଗଲା  ।

ସେଣ୍ଟଜର୍ମେନ ଚୁକ୍ତି ଦ୍ଵାରା ଅଷ୍ଟ୍ରିଆକୁ ହଙ୍ଗେରୀଠାରୁ ପୃଥକ କରାଗଲା  ଏବଂ ହଙ୍ଗେରୀକୁ ଏକ ସ୍ଵତନ୍ତ୍ର ରାଷ୍ଟ୍ର ଆରାଗଲା  । ଅଷ୍ଟ୍ରିଆ ହଙ୍ଗେରୀର ସ୍ଵାଧିନତାକୁ ସ୍ଵିକୃତି ଦେବାକୁ ବାଧ୍ୟ ହେଲା ଏବଂ ତାକୁ ତାର କେତେକ ଅଞ୍ଚଳ ଚେକୋସ୍ଲୋଭାକିଆ, ରୋମାନିଆ, ଯୁଗୋସ୍ଲୋଭିଆକୁ ହସ୍ତାନ୍ତର କରିବାକୁ ପଡିଲା  । ସଭର୍ସ ଚୁକ୍ତି ଅଟୋମାନ ସାମ୍ରାଜ୍ୟକୁ ଭଙ୍ଗ କରିଥିଲା  । ଏହାର କେତେକ ରାଜ୍ୟ ମିଳିତ ଶକ୍ତିମାନଙ୍କୁ ଆଦେଶନାମା ହିସାବରେ ଦିଆଯାଇଥିଲା  । ଉଦାହରଣ ସ୍ୱରୂପ ପାଲେଷ୍ଟାଇନ ଏବଂ ମେସୋପଟାମିଆ ବ୍ରିଟେନକୁ ଏବଂ ସିରିଆ ଫ୍ରାନ୍ସକୁ ଦିଆଗଲା  । ଏହି ଦେଶଗୁଡିକ ଆତ୍ମନିର୍ଭରଶୀଳ ହେବା ପର୍ଯ୍ୟନ୍ତ ମିଳିତ ଶକ୍ତିମାନଙ୍କୁ ତାଙ୍କର ଦେଖାଶୁଣା କରିବାକୁ ପଡିଥିଲା  ।

ଯୁଦ୍ଧ ଏବଂ ଶାନ୍ତିଚୁକ୍ତିଗୁଡିକ ପୃଥିବୀର ରାଜନୈତିକ ମାନଚିତ୍ରକୁ ବଦଳାଇ ଦେଇଥିଲା, ନିର୍ଦ୍ଧିଷ୍ଟ ଭାବରେ ଇଉରୋପର  । ଋଷିଆର ଅକ୍ଟୋବର ବିପ୍ଳବ ପରେ ସେଠାରେ ରାଜୁତି କରୁଥିବା ରୋମାନୋଭ ରାଜବଂଶକୁ ବିତାଡିତ କରାଯାଇଥିଲା  । ଯୁଦ୍ଧର ପରିଶେଷ ବେଳକୁ ଜର୍ମାନୀର ହୋହେନିଜୋଲନି ରାଜବଂଶ ଏବଂ ଅଷ୍ଟ୍ରିଆର ହ୍ୟାପ୍ସ ବର୍ଗ ରାଜବଂଶକୁ କ୍ଷମତାଚ୍ୟୁତ କରାଯାଇଥିଲା ଓ ସେଠାରେ ଗଣତନ୍ତ୍ର ସ୍ଥାପନ କରାଯାଇଥିଲା  । ୧୯୨୨ ମସିହାରେ ଏକ ବିଦ୍ରୋହ ପରେ ତୁର୍କୀରୁ ରାଜତନ୍ତ୍ରର ଲୋପ କରାଯାଇଥିଲା  । ପରାଜିତ ଶକ୍ତିମାନଙ୍କଠାରୁ ଅଧିକାର କରାଯାଇଥିବା ଅଞ୍ଚଳଗୁଡିକର ଦୁଇଟି ନୂତନ ରାଷ୍ଟ୍ର ଚେକୋସ୍ଲୋଭାକିଆ ଏବଂ ଯୁଗୋସ୍ଲୋଭାକିଆ ସୃଷ୍ଟି କରାଯାଇଥିଲା  । ହଙ୍ଗେରୀ ଏକ ସ୍ଵାଧୀନ ରାଷ୍ଟ୍ର ରୂପେ ଜନ୍ମ ନେଲା  । ବଲଟିକ୍ ରାଷ୍ଟ୍ରଗୁଡିକ ଯଥା – ଳିଧୁଆନିଆ, ଲାଟିଭିଆ, ଇସ୍ତୋନିଆ ଓ ଫିନଲାଣ୍ଡକୁ ସ୍ଵାଧୀନରାଷ୍ଟ୍ରରେ ପରିଣତ କରାଗଲା  । ରୋମାନିଆ ଓ ପୋଲାଣ୍ଡ ରାଷ୍ଟ୍ରର ପରିସୀମା ବୃଦ୍ଧି କରାଗଲା  । ଏହିସବୁ ପରିବର୍ତ୍ତନ ଇଉରୋପର ଅଧିକାଂଶ ରାଷ୍ଟ୍ରର ସୀମା ପରିବର୍ତ୍ତନ କରିଦେଲା  ।

ଏହା ନିଶ୍ଚିତ ଯେ, ଶାନ୍ତି ରାଜିନାମାଗୁଡିଆ ନିର୍ଦ୍ଦେଶିତ ଏବଂ ବୈଶମ୍ୟପୂର୍ଣ୍ଣ ରାଜିନାମା ଥିଲା ଏବଂ ସେଗୁଡିକ ପରାଜିତ ଶକ୍ତିମାନଙ୍କ ଉପରେ ଲଦିଦିଆଯାଇଥିଲା  । ଏହି ଆଲୋଚନାରେ ସେମାନଙ୍କର କୌଣସି ମତଦେବାର ଅଧିକାର ନଥିଲା  । ଯୁଦ୍ଧର ଅବସାନ ପରେ ଇଉରୋପୀୟ ପ୍ରାଧାନ୍ୟର ସମାପ୍ତି ଘଟିଥିଲା ଏବଂ ଋଷିଆ ଓ ଆମେରିକା ପ୍ରଧାନ ଶକ୍ତି ରୂପେ ମୁଣ୍ଡ ଟେକିଲା  । ଏହି ଯୁଗ ମଧ୍ୟ ଏସିଆ ଏବଂ ଆଫ୍ରିକାର ଦେଶଗୁଡିକରେ ଜାତୀୟ ଆନ୍ଦୋଳନ ଦୃଢୀଭୂତ ହେବାର ଦେଖିଲା  । ୧୯୧୮ ମସିହା ନଭେମ୍ବରରେ ଯୁଦ୍ଧର ପରିସମାପ୍ତି ପୂର୍ବରୁ ମଧ୍ୟ ଆମେରିକାର ରାଷ୍ଟ୍ରପତି ଉଡ ଉଇଲସନ ତାଙ୍କର ୧୪ ସୂତ୍ରୀଶାନ୍ତି କାର୍ଯ୍ୟକ୍ରମର ପ୍ରସ୍ତାବ ଦେଇଥିଲେ  । ତନ୍ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଥିଲା, ବିଶ୍ଵରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମିତ୍ତ ଏକ ଆନ୍ତର୍ଜାତିକ ସଂଗଠନର ନିର୍ମାଣ  । ଏହି ପ୍ରସ୍ତାବକୁ ଆଧାର କରି ୧୯୨୦ ମସିହାରେ ଜାତିସଂଘର ସ୍ଥାପନା କରାଯାଇଥିଲା  ।

ଜାତିସଂଘ

ଏହି ସଂଘ ପ୍ରଥମ ଆନ୍ତର୍ଜାତିକ ସଂଗଠନ ଥିଲା ଯାହାକୁ ୧୯୨୦ ମସିହାରେ ସ୍ଥାପିତ କରାଯାଇଥିଲା ଓ ଏହାର ମୁଖ୍ୟ କାର୍ଯ୍ୟାଳୟ ଜେନେଭାରେ ଅବସ୍ଥାପିତ କରାଗଲା  । ଏହାର ମୁଖ୍ୟ ଲକ୍ଷ୍ୟଗୁଡିକ ଥିଲା – ବିଶ୍ଵରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା, ଭାବିଯୁଦ୍ଧକୁ ରୋକିବା, ଆନ୍ତର୍ଜାତିକ ସହଯୋଗ ବୃଦ୍ଧିକରିବା, ଆନ୍ତର୍ଜାତିକ କଳହର ଶାନ୍ତିପୂର୍ଣ୍ଣ ସମାଧାନ କରିବା, ସଦସ୍ୟ ରାଷ୍ଟ୍ରଗୁଡିକର ଶ୍ରମିକମାନଙ୍କର ଅବସ୍ଥାର ଉନ୍ନତି କରିବା  । କିନ୍ତୁ ଦୁର୍ଭାଗ୍ୟବଶତଃ ଜାତିସଂଘ ଯୁଦ୍ଧ ଏବଂ ବିବାଦ ରୋକିବାକୁ ଅସମର୍ଥ ହୋଇଥିଲା, ଯେଉଁଥିପାଇଁକି ଏହାର ପ୍ରାତିଷ୍ଠା ହୋଇଥିଲା  । ଯେତେବେଳେ ୧୯୩୫ ମସିହାରେ ଇଟାଲୀ ଇଥିଓପିଆ ଆକ୍ରମଣ କଲା ଓ ୧୯୩୬ ମସିହାରେ ଜାପାନ ମାଞ୍ଚୁରିଆ ଆକ୍ରମଣ କଲା, ଜାତିସଂଘ କିଛି ପଦକ୍ଷେପ ନେଇ ପାରିଲା ନାହିଁ  । ଏପରିକି ଉପନିବେଶଗୁଡିକୁ ଅଧିକାର ପାଇଁ ରାଷ୍ଟ୍ରମାନଙ୍କ ମଧ୍ୟରେ ପାରସ୍ପରିକ ଶତ୍ରୁତା ଲାଗି ରହିଲା ଯାହାକି ସେମାନଙ୍କର ସାମ୍ରାଜ୍ୟବାଦୀ ଅଭିଳାଷକୁ ପ୍ରକାଶିତ କରୁଥିଲା  ।

ଦୁଇ ବିଶ୍ଵଯୁଦ୍ଧ ମଧ୍ୟବର୍ତ୍ତୀ ପୃଥିବୀ

ଦୁଇଟି ବିଶ୍ଵଯୁଦ୍ଧ ମଧ୍ୟବର୍ତ୍ତୀ ୨୦ ବର୍ଷର ସମୟ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନମାନ ଅନୁଭବ କରିଥିଲା  । ଏସିଆ ଓ ଆଫ୍ରିକାର ଦେଶମାନଙ୍କରେ ଜାତୀୟ ଜାଗରଣ ଏବଂ ସୋଭିଏତ ଋଷିଆ ଓ ଅନ୍ୟକେତେକ ଦେଶମାନଙ୍କରେ  ସମାଜବାଦୀ ଆନ୍ଦୋଳନର ଲୋକପ୍ରିୟତା ଭଳି ସକାରାତ୍ମକ ବିକାଶ ଘଟିଥିଲା  । ଇଉରୋପର କେତେକ ଦେଶ ବିଶେଷ କରି ଇଟାଲୀ ଓ ଜର୍ମାନୀରେ ଏକଛତ୍ର ଶାସନ କୁରୂପ ଦେଖିବାକୁ ମିଳିଥିଲା  । ଗୋଟିଏ ମୁଖ୍ୟ ଅର୍ଥନୈତିକ ସଙ୍କଟ ଦେଖାଦେଲା, ଯାହାକି ପୃଥିବୀର ପ୍ରାୟ ସମସ୍ତ ଭାଗକୁ ପ୍ରଭାବିତ କରିଥିଲା  । ନିର୍ଦ୍ଧିଷ୍ଟ ଭାବରେ ପାଶ୍ଚାତ୍ୟ ଦେଶର ବିଶେଷ ପ୍ରଗତିଶୀଳ ଦେଶ ଗୁଡିକ  । ୧୯୨୯ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଗୁରୁତର ଅର୍ଥନୈତିକ ମାନ୍ଦା ଅବସ୍ଥା ଦେଖାଦେଇଥିଲା ଯାହା ସାରାବିଶ୍ଵର ଅର୍ଥନିତୀକୁ ପ୍ରଭାବିତ କରିଥିଲା  ।

ଫାସୀବାଦୀ ଓ ନାଜୀବାଦର ଉତ୍ଥାନର କାରଣ

ଯୁଦ୍ଧ ପରେ ଅନେକ ରାଜନୈତିକ ଆନ୍ଦୋଳନ ଇଉରୋପରେ ହୋଇଥିଲା, ଯାହାକୁ ଫାସିବାଦୀନାମରେ ନାମିତ କରାଯାଏ  । ତାର ଅନେକଗୁଡିଏ ବିଶେଷତ୍ଵ ମଧ୍ୟରୁ ଅତିସାଧାରଣ ହେଉଛି, ଗଣତନ୍ତ୍ର ଓ ସମାଜବାଦ ପ୍ରତି ଶତ୍ରୁତା ଏବଂ ଏକଛତ୍ରବାଦ ପ୍ରତିଷ୍ଠା କରିବାର ଅଭିପ୍ରାୟ  । ସେମାନେ ଶାସକ, ଉଚ୍ଚଶ୍ରେଣୀର ନାଗରିକ ଓ ପୁଞ୍ଜିପତିମାନଙ୍କ ସମର୍ଥନ ଲାଭ କଲେ କାରଣ ସେମାନଙ୍କୁ ସମାଜବାଦୀମାନଙ୍କଠାରୁ ସୁରକ୍ଷା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ  । ସେମାନେ ଯୋଜନାବଦ୍ଧ ଭାବରେ ଆତଙ୍କ ଓ ହତ୍ୟାର ଅଭିଯାନକୁ ଉନ୍ମୁକ୍ତ କରିଦେଲେ  । କିନ୍ତୁ ସରକାର ତାହା ବନ୍ଦ କରିବା ପାଇଁ କୌଣସି ଆଗ୍ରହ ପ୍ରକାଶ କଲେ ନାହିଁ  । ଇଟାଲୀରେ ଏକଛତ୍ରବାଦୀ ଶାସନ ମୁସୋଲିନଙ୍କ ଦ୍ଵାରା ଆରମ୍ଭ ହୋଇଥିଲା ଯାହାକୁ ଫାସିବାଦୀକୁହାଯାଉଥିଲା  । ଏହି ଫାସିବାଦ ଶବ୍ଦ ଲାଟିନ ଶବ୍ଦ “ଫାସେଜ” ରୁ ଉଦ୍ଧୃତ ହୋଇଛି ଯାହା ପ୍ରାଚୀନ ରୋମରେ କ୍ଷମତାର ଏକ ପ୍ରତୀକ ଥିଲା  । ୧୯୨୨ ମସିହାରେ ଇଟାଲୀ ସମ୍ରାଟଙ୍କ ସମର୍ଥନରେ ମୁସୋଲିନ କ୍ଷମତାକୁ ଆସିଲେ ଏବଂ ଏକଛତ୍ର ଶାସକ ଭାବରେ ୧୯୨୫ ରୁ ୧୯୪୩ ପର୍ଯ୍ୟନ୍ତ ଶାସନ କଲେ  । ମୁସୋଲିନ ସମସ୍ତ ରାଜନୈତିକ ଦଳକୁ ନିଷେଧ କରିଥିଲେ ଏବଂ ଲୋକମାନଙ୍କ ସମର୍ଥନ ପାଇବା ପାଇଁ କେତେଗୁଡିଏ ସୁଧାର ଆଣିଥିଲେ  ।

ଜର୍ମାନୀରେ ଫାସିବାଦକୁ ନାଜିବାଦ ବୋଲି କୁହାଯାଏ  । ଏହା ଅଡଲଫ୍ ହିଟଲର ଙ୍କ ଦ୍ଵାରା ସ୍ଥାପିତ ହୋଇଥିଲା  । ହିଟଲର ଯୁଦ୍ଧ ପରବର୍ତ୍ତୀ ରାଜିନାମାଗୁଡିକର ପ୍ରତ୍ୟାବର୍ତ୍ତନ କରିବା ପାଇଁ ଏବଂ ଜର୍ମାନୀର ଶକ୍ତି ଓ ଗୌରବକୁ ପୁନଃସ୍ଥାପନ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ  । ଜର୍ମାନୀ ପୁନର୍ଗଠନ କରି ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବା ନିମନ୍ତେ ତାଙ୍କର ଦୃଷ୍ଟିଭାଙ୍ଗିକୁ ଅନେକ ଜର୍ମାନୀବାସୀଙ୍କୁ ତାଙ୍କ ସହଯୋଗ ଦେବାପାଇଁ ଉତ୍ସାହିତ କରିଥିଲା  । ପ୍ରଥମ ବିଶ୍ଵଯୁଦ୍ଧ ପରର କ୍ଷତିପାଇଁ ଏହା ଏକ ଔଷଧ ରୂପେ କାମ କରିଥିଲା  । ଅନେକ ଲୋକ ଏହି ନାଜିବାଦର ସମର୍ଥନ କରିଥିଲେ, କାରଣ ଏହା ଅର୍ଥନୈତିକ ପତନ ଓ ମାନ୍ଦା ଅବସ୍ଥାରୁ ବାହାରିବା ପାଇଁ ଏକ ରାସ୍ତା ଦେଖାଇଥିଲା  । ନାଜିବାଦର ସଫଳତା କେବଳ ଜର୍ମାନୀ ପାଇଁ ନୁହେଁ ସାରା ଇଉରୋପ ଏବଂ ପୃଥିବୀର ଏନୟା କେତେକ ଅଞ୍ଚଳ ପାଇଁ ମଧ୍ୟ ବିପଦପୂର୍ଣ୍ଣ ପ୍ରମାଣିତ ହୋଇଥିଲା  । ଏହା ମଧ୍ୟ ହଙ୍ଗେରୀ, ରୋମାନିଆ, ପର୍ତ୍ତୁଗାଲ ଓ ସ୍ପେନରେ ଏକଛତ୍ର ଶାସନ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲା  । ଏତେଗୁଡିଏ ଦେଶରେ ଗଣତନ୍ତ୍ର ବିରୋଧି ସରକାରର ଉତ୍ଥାନ ଦ୍ଵିତୀୟ ବିଶ୍ଵଯୁଦ୍ଧ ପାଇଁ ପଥ ପରିଷ୍କାର କରିଦେଲା  ।

ପୃଥିବୀର ଅନ୍ୟ ଅଞ୍ଚଳରେ ବିକାଶ

ଯଦିଓ ଇଂଲଣ୍ଡ ଏବଂ ଫ୍ରାନ୍ସ ଅନ୍ୟଦେଶମାନଙ୍କ ଭଳି ଗୁରୁତର ଅର୍ଥନୈତିକ ସଙ୍କଟ, ଅଭାବ ଓ ବେରୋଜଗାର ସମ୍ମୁଖୀନ ହୋଇଥିଲେ, ତଥାପି  ସେଠାରେ ଗଣତାନ୍ତ୍ରିକ ସରକାର ତିଷ୍ଟିରହିଥିଲା  । ଇଂଲଣ୍ଡରେ ଶ୍ରମିକ ଆନ୍ଦୋଳନ ଏବଂ ଅନ୍ୟାନ୍ୟ ବିଶୃଙ୍ଖଳା ସତ୍ତ୍ୱେ ୧୯୩୧ ମସିହାରେ ଶ୍ରମିକ, ଉଦାରବାଦୀ, ରକ୍ଷଣଶୀଳ ଦଳଗୁଡିକର ମିଳିତ ସରକାର ଗଠନ କରି ସମସ୍ୟାଗୁଡିକର ସମାଧାନ ନିମନ୍ତେ ଉଦ୍ୟମ କରାଯାଇଥିଲା  । ଫ୍ରାନ୍ସରେ ୧୯୩୬ ମସିହାରେ ବାମପନ୍ଥୀ ଦଳକୁ ନେଇ ଏକ ମିଳିତ ଲୋକପ୍ରିୟ ସରକାର ସ୍ଥାପନ କରାଗଲା  ।

ସୋଭିଏତ ଋଷିଆ ପୃଥିବୀର ପ୍ରଥମ ସମାଜବାଦୀ ରାଷ୍ଟ୍ରରୂପେ ମୁଣ୍ଡଟେକି ଥିଲା । ଏହି ନୂତନ ସରକାରଙ୍କ ଅମଳରେ ଅର୍ଥନୀତିରେ ସମାଜବାଦୀ ନୀତି ନିୟମମାନ ପ୍ରବେଶ କରିଥିଲା ଏବଂ ଏହା ଏକମାତ୍ର ଦେଶ ଥିଲା ଯାହା ୧୯୨୯ ମସିହାରେ ଘଟିଥିବା ଅର୍ଥନୈତିକ ମାନ୍ଦା ଅବସ୍ଥା ଦ୍ଵାରା ପୁଞ୍ଜିପତି ରାଷ୍ଟ୍ରମାନଙ୍କ ଭଳି ଦୁର୍ଦ୍ଦଶା ଭୋଗ କରିନଥିଲା  ।

ଯଦିଓ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ବିଶ୍ଵଯୁଦ୍ଧରେ ଯୋଗ ଦେଇଥିଲା, ଏହି ଦେଶ ବିଶେଷ ବସ୍ତୁଗତ କ୍ଷୟକ୍ଷତିର ସମ୍ମୁଖୀନ ହୋଇ ନଥିଲା  । ଔଦ୍ୟୋଗିକ ସମୃଦ୍ଧି, ରାଜନୈତିକ ସ୍ଥିରତା ଏବଂ ଅର୍ଥନୈତିକ ଅଭିବୃଦ୍ଧି ଏହାକୁ ଏକ ମହାଶକ୍ତିରେ ପରିଣତ କରିଥିଲା  । ତଥାପି ସତ୍ତ୍ୱେ ଆମେରିକା ୧୯୨୯ ମସିହାରେ ମାତ୍ରାଧିକ ଉତ୍ପାଦନ ଯୋଗୁଁ ଗୁରୁତର ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଥିଲା  । ଜିନିଷ ପତ୍ରର ମୂଲ୍ୟହ୍ରାସ ଯୋଗୁଁ ଶେୟାରର ମୂଲ୍ୟ ମଧ୍ୟ ହ୍ରାସ ପାଇଲା  ।  ବ୍ୟାଙ୍କଗୁଡିକ ବନ୍ଦ ହୋଇଗଲା ଓ ଲୋକମାନେ ନିଜର ସାରାଜୀବନର ସଞ୍ଚୟ ହରାଇ ବସିଲେ  । ଆମେରିକା ଇଉରୋପୀୟ ଦେଶମାନଙ୍କୁ ବିଶ୍ଵଯୁଦ୍ଧ ପରେ ଯେଉଁ ଋଣ ଦେଇଥିଲା, ସେଗୁଡିକୁ ପ୍ରତ୍ୟାହାର କରିଦେଇଥିଲା  । ଫଳରେ ଇଉରୋପୀୟ ଦେଶମାନଙ୍କରେ ଅର୍ଥନୈତିକ ଅସ୍ଥିରତା ଦେଖାଦେଲା  । ଆମେରିକାରେ ଫ୍ରାଙ୍କଲିନ ରୁଜଭେଲଟଙ୍କ ନେତୃତ୍ଵରେ ଯେଉଁ ନୂତନ ସରକାର କ୍ଷମତାକୁ ଆସିଲା, ତାହା ଅର୍ଥନୀତିରେ ଉତ୍ଥାନ ପାଇଁ ‘ନିଉଡିଲ୍’ ନାମକ ଏକ ନୂଆ କାର୍ଯ୍ୟକ୍ଷମା ଲାଗୁକରିଥିଲା  । ଏହି କାର୍ଯ୍ୟକ୍ରମ ଅଧିନରେ ଅନେକ ସଂସ୍କାର କରାଯାଇଥିଲା ଯଥା ନୂତନ ରୋଜଗାରର ସୁଯୋଗ ଯୋଗାଇବା, କୃଷକମାନଙ୍କୁ ସହାୟତା ପ୍ରଦାନ କରିବା ଇତ୍ୟାଦି  ।

ଜାପାନ ଏସିଆର ଏକମାତ୍ର ରାଷ୍ଟ୍ର ଯାହା ସାମ୍ରାଜ୍ୟବାଦୀ ରାଷ୍ଟ୍ର ଭାବରେ ମୁଣ୍ଡ ଟେକିଥିଲା  । ତୁମେମାନେ ପଢିଛ ଯେ, ଏହା ୧୯୦୫ ମସିହାରେ ଋଷିଆକୁ ପରାସ୍ତ କରିଥିଲା  । ଦୁଇ ବିଶ୍ଵଯୁଦ୍ଧ ମଧ୍ୟରେ ଏହି ସମୟରେ ଜାପାନ ଶକ୍ତିଶାଳୀ ସାମରିକ ଶକ୍ତିରେ ପରିଣତ ହୋଇଥିଲା ଏବଂ ଏହା ଫାସିବାଦକୁ ସମର୍ଥନ କରୁଥିଲା  । ସେ ଫାନିଷ୍ଟ ଶକ୍ତିମାନଙ୍କ ସହିତ ରୋମ – ଟୋକିଓ ଆକ୍ସିସ ନାମକ ଚୁକ୍ତି ସ୍ଵାକ୍ଷର କଲା  । ସାମ୍ୟବାଦର ପ୍ରସାରକୁ ରୋକିବା ପାଇଁ ଇଟାଲୀ ଏବଂ ଜର୍ମାନୀ ସହିତ ସାମ୍ୟବାଦ ବିରୋଧି ସନ୍ଧି ସ୍ଵାକ୍ଷର କରିଥିଲା  ।

ଦ୍ଵିତୀୟ ବିଶ୍ଵଯୁଦ୍ଧ

ଆମେ ଜାତିସଂଘ ବିଷୟରେ ପାଠକଲେ ଏବଂ ଯଦିଓ ଏହା ଭବିଷ୍ୟତର ଯୁଦ୍ଧ ରୋକିବା ପାଇଁ ଗଠିତ ହୋଇଥିଲା, ଏହା ଗଠନରେ ୨୦ ବର୍ଷ ମଧ୍ୟରେ ଏହାର ଲକ୍ଷ୍ୟ ହାସଲରେ ବିଫଳ ହେଲା  । ଦ୍ଵିତୀୟ ବିଶ୍ଵଯୁଦ୍ଧ ୧୯୩୯ ମସିହା ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିଲା  । ବର୍ତ୍ତମାନ ଦେଖିବା ଯୁଦ୍ଧ କାହିଁକି ଆରମ୍ଭ ହେଲା  ।

ଦ୍ଵିତୀୟ ବିଶ୍ଵଯୁଦ୍ଧର କାରଣ

ଦ୍ଵିତୀୟ ବିଶ୍ଵଯୁଦ୍ଧ, ପୂର୍ବବର୍ତ୍ତୀ ଯୁଦ୍ଧ ଭଳି, ଇଉରୋପରୁ ଆରମ୍ଭ ହୋଇଥିଲା ଏବଂ ଗୋଟିଏ ବିଶ୍ଵ ଯୁଦ୍ଧରେ ପରିଣତ ହୋଇଥିଲା  । ଫାସିଷ୍ଟ ଦେଶଗୁଡିକ ନିଜର ସାମ୍ରାଜ୍ୟବାଦୀ ଲାଭ ପାଇଁ ପୃଥିବୀକୁ ପୁନଃବିଭାଜନ କରିବାକୁ ଇଚ୍ଛା କଲେ ଏବଂ ସେଥିପାଇଁ ପ୍ରତିଷ୍ଠିତ ଶକ୍ତିଗୁଡିକ ସହ ସେମାନଙ୍କର ମତଭେଦ ହେଲା  । ଆମେ ଜାଣୁ ଯେ, ଭର୍ସାଇଲସ ଚୁକ୍ତିଦ୍ଵାରା ଜର୍ମାନୀ ରାଜନୈତିକ, ଅର୍ଥନୈତିକ ଓ ସାମରିକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲା  । ସେ ପ୍ରତିଶୋଧ ଚାହୁଁଥିଲା ଏବଂ ମିଳିତ ଶକ୍ତି ସହ ଏକ ଶକ୍ତି ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଲା  । ଇଟାଲୀର ପରିସ୍ଥିତି ମଧ୍ୟ ଭିନ୍ନ ନଥିଲା  । ଯଦିଓ ଇଟାଲୀ ସାମ୍ରାଜ୍ୟଲାଭ ଆଶାରେ ଯୁଦ୍ଧରେ ମିଳିତ ଶକ୍ତି ସପକ୍ଷରେ ଯୋଗ ଦେଇଥିଲା, ଯୁଦ୍ଧ ପରେ କୌଣସି ଉପନିବେଶ ଲାଭ କରି ନଥିଲା  । ସେ ଯୁଦ୍ଧରେ ପ୍ରାୟ ୬୦୦୦୦୦ ଲୋକ ହରାଇଥିଲା  । ଉଭୟ ଫାସିଷ୍ଟ ଓ ନାଜୀ ଦଳମାନେ ଯୁଦ୍ଧର ପ୍ରଶଂସା କରୁଥିଲେ ଏବଂ ଲୋକମାନଙ୍କୁ ଯୁଦ୍ଧ ମାଧ୍ୟମରେ ସେମାନଙ୍କ ଦେଶର ପୂର୍ବଗୌରବ ଫେରାଇ ଆଣିବାକୁ ଆଶ୍ଵାସନା ଦେଇଥିଲେ  । ସେମାନେ ବିଜୟ ମାଧ୍ୟମରେ ସାମ୍ରାଜ୍ୟ ବିସ୍ତାରର ନୀତି ଅବଲମ୍ବନ କଲେ  । ଜର୍ମାନୀ ୧୯୩୬ରେ ରାଇନ୍ ଅଞ୍ଚଳ, ୧୯୩୮ରେ ଅଷ୍ଟ୍ରିଆ ଓ ୧୯୩୮ରେ ଚେକୋସ୍ଲୋଭାକିଆ ଅଧିକାର କଲା । ଇଟାଲୀ ଇଥିଓପିଆ ଆକ୍ରମଣ କଲା । ଏହା ଇଉରୋପୀୟ ଦେଶଗୁଡିକ ମଧ୍ୟରେ ସାମାଜିକ ଅସ୍ଥିରତା କଳହ ସୃଷ୍ଟି କଲା ।

ତୁମେମାନେ ସାମରିକ ଶକ୍ତି ରୂପେ ଜାପାନର ବିକାଶ ସମ୍ପର୍କରେ ପଢିଛ ଏବଂ ତାହାର ଫାସିଷ୍ଟ ଶକ୍ତିମାନଙ୍କୁ ସମର୍ଥନ ବିଷୟରେ ମଧ୍ୟ ଜାଣିଛ  । ରୋମ – ବର୍ଲିନ – ଟୋକିଓ ଚୁକ୍ତି ସ୍ଵାକ୍ଷର କରି ଏହି ଶକ୍ତିମାନେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ପ୍ରତିଶୃତିବଦ୍ଧ ହେଲେ  । ଜାପାନକୁ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମ୍ରାଜ୍ୟ ବିସ୍ତାର ପାଇଁ ସମ୍ପୂର୍ଣ୍ଣ ଅଧିକାର ଦିଆଗଲା, ଯେତେବେଳେ ଜର୍ମାନୀ ଓ ଇଟାଲୀକୁ ସେଥିପାଇଁ ମୁକ୍ତହସ୍ତ ମିଳିଲା  ।

ସୋଭିଏତ ସଂଘର ସଫଳତା ପାଶ୍ଚାତ୍ୟ ଦେଶମାନଙ୍କୁ ଚିନ୍ତିତ କରିଥିଲା  । ପୁଞ୍ଜିପତି ରାଷ୍ଟ୍ର ହୋଇଥିବାରୁ ସେମାନେ ସେମାନଙ୍କ ଦେଶରେ ସାମ୍ରାଜ୍ୟବାଦର ପ୍ରସାର ରୋକିବାକୁ ଚାହୁଁଥିଲେ  । ତେଣୁ ସେମାନେ ଇଟାଲୀ ଓ ଜର୍ମାନୀକୁ ସମର୍ଥନ କରି ଏକ ନିୟମିତ ନୀତି ଅବଲମ୍ବନ କଲେ, କାରଣ ସେମାନେ ସାମ୍ୟବାଦ ବିରୋଧି ଥିଲେ  । ଏହି ନୀତିକୁ ତୁଷ୍ଟିକରଣ ବା ପ୍ରଶମନନୀତି କୁହାଯାଏ  । ଜର୍ମାନୀର ସୈନ୍ୟବାହିନୀ ଯାହାକି ପ୍ରଥମ ବିଶ୍ଵଯୁଦ୍ଧ ପରେ ୧,୦୦,୦୦୦ରେ ସୀମିତ ଥିଲା, ତାହା ତାର ଶକ୍ତିକୁ ୮,୦୦,୦୦୦କୁ ବୃଦ୍ଧି କଲା  । କିନ୍ତୁ କୌଣସି ପାଶ୍ଚାତ୍ୟଶକ୍ତି ତାକୁ ବିରୋଧ କଲେ ନାହିଁ   । ଏପରିକି ଯେତେବେଳେ ହିଟଲର ଭର୍ସାଇଲସ ଚୁକ୍ତିକୁ ଅବମାନନା କରି ଚାଇନ୍ ଅଞ୍ଚଳ ଓ ଅଷ୍ଟ୍ରିଆ ଅଧିକାର କଲେ, ସେତେବେଳେ ପାଶ୍ଚାତ୍ୟ ଶକ୍ତିମାନେ ନୀରବ ଦର୍ଶକ ହୋଇ ରହିଲେ  । ୧୯୩୭ ମସିହାରେ ସ୍ପେନରେ ଯେତେବେଳେ ଲୋକପ୍ରିୟ ନିର୍ବାଚିତ ସରକାର ଓ ଫାସିଷ୍ଟ ନେତା ଜେନେରାଲ ଫ୍ରାଙ୍କୋଙ୍କ ମଧ୍ୟରେ ଗୃହଯୁଦ୍ଧ ଆରମ୍ଭ ହେଲା, ହିଟଲର ସ୍ପେନର ଗଣତାନ୍ତ୍ରିକ ରୀତିରେ ନିର୍ବାଚିତ ସରକାରକୁ କ୍ଷମତାସୀନ କରିବାକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲେ  । ସୋଭିଏତ ସଂଘ ଜେନେରାଲ ଫ୍ରାଙ୍କୋଙ୍କ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଇଂଲଣ୍ଡକୁ ଆନେଦନ କଲେ  । ସମଗ୍ର ବିଶ୍ଵର ଲୋକମାନେ ପ୍ରଚଳିତ ସରକାରକୁ ସମର୍ଥନ କଲେ କିନ୍ତୁ ଫ୍ରାନ୍ସ ଓ ଇଂଲଣ୍ଡ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ  । ଏହି ତୋଷଣନୀତି ଚରମ ସୀମାରେ ପହଞ୍ଚିଲା ଯେତେବେଳେ ହିଟଲର ୧୯୩୮ ମସିହାରେ ଇଂଲଣ୍ଡ ଓ ଫ୍ରାନ୍ସର ପ୍ରଧାନମନ୍ତ୍ରୀଙ୍କୁ ମ୍ୟୁନିକକୁ ଆମନ୍ତ୍ରଣ କରିଥିଲେ  । ମ୍ୟୁନିକ ଚୁକ୍ତିଟି ୧୯୩୮ ମସିହାରେ ସ୍ଵାକ୍ଷରିତ ହଲା ଏବଂ ଜର୍ମାନୀକୁ ଚେକୋସ୍ଲୋଭାକିଆର ଉତ୍ତର ସ୍ଥିତ ମୁଜିତାନ ଲ୍ୟାଣ୍ଡର ଅଧିକାର ପାଇଁ ଅନୁମତି ଦିଆଗଲା  । ପରେ ସମଗ୍ର ଚେକୋସ୍ଲୋଭାକିଆକୁ ଅଧିକାର କରାଗଲା  । ଏହି ତୋଷରନୀତି ଫାସିଷ୍ଟଶକ୍ତିମାନଙ୍କୁ ଶକ୍ତିଶାଳୀ କରିଥିଲା  ।

ଏହା ବର୍ତ୍ତମାନ ସ୍ପଷ୍ଟ ହୋଇଗଲା ଯେ, ବ୍ରିଟେନ ଓ ଫ୍ରାନ୍ସ ଚାହୁଁଛନ୍ତି ଯେ, ଇଆତଳି ଓ ଜର୍ମାନୀ ଋଷିଆ ବିରୁଦ୍ଧରେ କାର୍ଯ୍ୟ କରନ୍ତୁ  । ଏହି ଯୋଜନାକୁ ରୋକିବା ପାଇଁ ସୋଭିଏତ ସଂଘ ଜର୍ମାନୀ ସହ ଏକ ଚୁକ୍ତି ସ୍ଵାକ୍ଷର କଲା ଯଦ୍ୱାରା ଉଭୟ ପରସ୍ପରକୁ ଆକ୍ରମଣ ନକରିବା ପାଇଁ ରାଜି ହେଲେ  । ଏହାଦ୍ଵାରା ସୋଭିଏତ ସଂଘ ଭବିଷ୍ୟତ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କିଛି ସମୟ ପାଇଲା ଓ ଜର୍ମାନୀ ସୋଭିଏତ ସଂହାର ନିରପେକ୍ଷତା ଲାଭ କଲା  । ଦ୍ଵିତୀୟ ବିଶ୍ଵଯୁଦ୍ଧ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଗଲା ଯେତେବେଳେ ୧୯୩୯ ସେପ୍ଟେମ୍ବର ୧ ତାରିଖରେ ଜର୍ମାନୀ ପୋଲାଣ୍ଡ ଆକ୍ରମଣ କଲା ଏବଂ ବ୍ରିଟେନ ଜର୍ମାନୀ ଉପରେ ୧୯୩୯ ମସିହା ସେପ୍ଟେମ୍ବର ୩ ତାରିଖରେ ଯୁଦ୍ଧ ଘୋଷଣା କଲା  ।

ଦ୍ଵିତୀୟ ବିଶ୍ଵଯୁଦ୍ଧର ପରିଣାମ

ଏହି ଯୁଦ୍ଧର  ୧୯୪୫ ମସିହାରେ ପରିସମାପ୍ତି ଘଟିଥିଲା  । ଏହି ଯୁଦ୍ଧ ମାନବ ଇତିହାସରେ ସଂଘଟିତ ହୋଇଥିବା ସବୁଠାରୁ ବିଧ୍ଵଂସିକାରୀ ଯୁଦ୍ଧ ଥିଲା  । ଏହା ଅତୁଳନୀୟ ଧାନ, ଜନ ଓ ସମ୍ପଦର କ୍ଷୟକ୍ଷତି ଘଟାଇଥିଲା  । ବଡ ବଡ ଅଟ୍ଟାଳିକାଗୁଡିକ ଧ୍ଵଂସ ପାଇଲା ଓ ହଜାର ଲୋକ ସ୍ଵଦେଶରୁ ମୂଳୋତ୍ପାଟନ ହୋଇଥିଲେ  । ଜର୍ମାନର ଇହୁଦୀମାନଙ୍କୁ ସଂପୂର୍ଣ୍ଣ ଉଚ୍ଛେଦ କରାଗଲା କିମ୍ବା ସେମାନଙ୍କୁ ବନ୍ଦୀ ଶିବିରରେ ରଖାଗଲା  । ଜାପାନୀ ସହର ଦ୍ୱୟ ହିରୋସୀମା ଏବଂ ନାଗାସାକୀ ସମ୍ପୂର୍ଣ୍ଣ ଧ୍ଵଂସ ପାଇଲା ଯେତେବେଳେ ପରମାଣୁ ବୋମା ତାଙ୍କ ଉପରେ ନିକ୍ଷେପ କରାଗଲା  । ପରମାଣୁ ଶକ୍ତି ଦ୍ଵାରା ସମୂହ ଧ୍ଵଂସର ବିପଦ ଏହି ଯୁଦ୍ଧର ଏକ ମୁଖ୍ୟ ପରିଣାମ ଥିଲା  । ଜର୍ମାନୀକୁ ଚାରିଭାଗରେ ବିଭକ୍ତ କରାଗଲା ଓ ଗୋଟିଏ ଲେଖାଏଁ ଭାଗ ଗୋଟିଏ ବିଜିତ ଶକ୍ତି ଅଧିନରେ ରହିଲା  । ନାଜିଦଳକୁ ନିଷେଧ କରାଗଲା ଓ ଜର୍ମାନୀକୁ ଭାଙ୍ଗି ଦିଆଗଲା  । ଜାପାନକୁ ଯୁକ୍ତରାଷ୍ଟ୍ର ଆମେରିକାର ତତ୍ତ୍ଵାବଧାନରେ ରଖାଗଲା  । ୧୯୪୯ ମସିହାରେ ଯେତେବେଳେ ରାଜତନ୍ତ୍ର ପୁନଃ ପ୍ରତିଷ୍ଠା ହେଲା, ସେତେବେଳେ ଯୁକ୍ତରାଷ୍ଟ୍ରର ସୈନ୍ୟବାହିନୀ ପ୍ରତ୍ୟାହୃତ ହେଲେ  ।

ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ ସଂଘ ମହାଶକ୍ତି ରୂପେ ବିକଶିତ ହେବା ଫଳରେ ସାମ୍ରାଜ୍ୟବାଦ ଦୁର୍ବଳ ହୋଇଗଲା  । ପୃଥିବୀ ବର୍ତ୍ତମାନ ଦୁଇଟି କ୍ଷମତା ଗୋଷ୍ଠୀରେ ବିଭକ୍ତ ହେଲା ଯଥା – ସୋଭିଏତ ସଂଘର ନେତୃତ୍ଵରେ କମ୍ୟୁନିଷ୍ଟ ଗୋଷ୍ଠୀ ଓ ଯୁକ୍ତରାଷ୍ଟ୍ର ଆମେରିକାର ନେତୃତ୍ଵରେ ପାଶ୍ଚାତ୍ୟଗୋଷ୍ଠୀ  । ଏହି ଦୁଇଟି ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ଅସ୍ଥିରତା ଓ ଅସ୍ତ୍ରବିହୀନ ଯୁଦ୍ଧକୁ ଶୀତଳଯୁଦ୍ଧ ଆଖ୍ୟା ଦିଆଗଲା  । ଯାହାକି ଦୀର୍ଘ ଦିନଧରି ଲାଗି ରହିଲା  ।

ଏହି ଯୁଦ୍ଧର ଗୋଟିଏ ପ୍ରଭାବ ହେଉଛି ମିଳିତ ଜାତିସଂଘର ପ୍ରତିଷ୍ଠା  । ଯାହା ବିଷୟ ତୁମେ ପରବର୍ତ୍ତୀ ବିଭାଗରେ ପଢିବ  । ସେହିଦିନଠାରୁ ପୃଥିବୀରେ ବହୁ ପରିବର୍ତ୍ତନ ଘଟିଲାଣି  । ଏହାର ରାଜନୈତିକ ମାନଚିତ୍ର ବଦଳି ଗଲାଣି ଏସିଆ ଓ ଆଫ୍ରିକାର ବହୁସଂଖ୍ୟାରେ ଦେଶ ଯେଉଁମାନେକି ଉପନିବେଶଶାସନ ଦ୍ଵାରା କ୍ଷତିଗ୍ରସ୍ତ ହୋଇଥିଲେ, ସେମାନେ ବର୍ତ୍ତମାନ ସ୍ଵାଧୀନ ହେଲେଣି  । ସମଷ୍ଟିଗତ ଭାବରେ ସେମାନେ ପୃଥିବୀର ଗୋଟିଏ ମୁଖ୍ୟ ଶକ୍ତି  ।

ମିଳିତ ଜାତିସଂଘର ପ୍ରତିଷ୍ଠା

ଯୁଦ୍ଧର ଭୟାବହତା ବିଶ୍ଵନେତାମାନଙ୍କୁ ଏକ ଆନ୍ତର୍ଜାତିକ ଶାନ୍ତି ସଂଗଠନର ଆବଶ୍ୟକତା ଅନୁଭବ କରାଇଥିଲା  । ବିଶ୍ଵନେତୃବୃନ୍ଦ ଯଥା – ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଉଇନଷ୍ଟନ ଚର୍ଚ୍ଚିଲ, ସୋଭିଏତ ନେତା ଷ୍ଟାଲିନ ଓ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ରୁବଭେଲଟ ବିଭିନ୍ନ ସମ୍ମେଳନୀରେ ଯୋଗଦେଇ ଏହି ସଂଗଠନର ନିର୍ମାଣ ପାଇଁ ସିଦ୍ଧାନ୍ତ ନେଇଥିଲେ  । ପରିଶେଷରେ ୧୯୪୫ ମସିହା ଅକ୍ଟୋବର ୨୪ ତାରିଖରେ ସାନଫ୍ରାନସିସକୋ ସମ୍ମେଳନୀରେ ମିଳିତ ଜାତିସଂଘ ସନନ୍ଦ ୫୦ଟି ରାଷ୍ଟ୍ରଙ୍କ ଦ୍ଵାରା ଅନୁମୋଦିତ ହୋଇ ମିଳିତ ଜାତିସଂଘ ଗଠିତ ହେଲା  । ସେହିଦିନଠାରୁ ଅକ୍ଟୋବର ୨୪ ତାରିଖକୁ ବିଶ୍ଵଜାତିସଂଘ ଦିବସ ରୂପେ ପାଳନ କରାଯାଏ  । ଜାତିସଂଘ ସମସ୍ତ ରାଷ୍ଟ୍ରର ସାର୍ବଭୌମତ୍ଵ ଓ ସମାନତା ନୀତି ଉପରେ ଆଧାରିତ  । ଜାତିସଂଘର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ବିଶ୍ଵରର ଶାନ୍ତି ଓ ସୁରକ୍ଷା ରକ୍ଷା କରିବା, ଭବିଷ୍ୟତ ଯୁଦ୍ଧକୁ ଅଟକାଇବା, ଆନ୍ତର୍ଜାତିକ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବା, ଆନ୍ତର୍ଜାତିକ ସହଯୋଗ ବୃଦ୍ଧି କରିବା  ।

ମିଳିତ ଜାତି ସଂଘର ଲକ୍ଷ୍ୟ

ଜାତିସଂଘ ଯାହା ପ୍ରଥମ ବିଶ୍ଵଯୁଦ୍ଧ ପରେ ପ୍ରତିଷ୍ଠା ହୋଇଥିଲା, ସେହିଭଳି ମିଳିତ ଜାତିସଂଘର ମୁଖ୍ୟ ଲକ୍ଷ୍ୟ ହେଉଛି, ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ରକ୍ଷା କରିବା  । ଏହାର ମଧ୍ୟ ଅନ୍ୟଗୋଟିଏ ମୁଖ୍ୟ ଲକ୍ଷ୍ୟ ହେଉଛି, ସମାନତା ଆଧାରରେ ରାଷ୍ଟ୍ରମାନଙ୍କ ମଧ୍ୟରେ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ବୃଦ୍ଧି କରିବା ଏବଂ ଆର୍ଥିକ, ସାମାଜିକ, ସଂସ୍କୃତିକ, ମାନବୋଚିତ ସମସ୍ୟାଗୁଡିକ ସମାଧାନ କରି ଆନ୍ତର୍ଜାତିକ ସହଯୋଗ ଲାଭ କରିବା  । ବ୍ୟକ୍ତି ଅଧିକାର ଏବଂ ପୃଥିବୀର ଲୋକମାନଙ୍କ ପାଇଁ ମୌଳିକ ସ୍ଵାଧୀନତାର ଉନ୍ନତି କରିବା ଜାତିସଂଘର ଅନ୍ୟଏକ ଲକ୍ଷ୍ୟ  । ଜାତିସଂଘର ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ମଧ୍ୟରେ ସମନ୍ଵୟ ରକ୍ଷା କରିବା ପାଇଁ ଏହା ଏକ ସାଧାରଣ ମଞ୍ଚ ଭାବରେ କାର୍ଯ୍ୟ କରେ  ।

ଆଧାର :ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top