ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଆମ ଜୀବନରେ ଗଛର ଭୂମିକା
ସେଆର କରନ୍ତୁ

ଆମ ଜୀବନରେ ଗଛର ଭୂମିକା

ଆମ ଜୀବନରେ ଗଛର ବହୁତ ମୂଲ୍ୟ ରହିଛି । ଗଛ ବିନା ଆମେ ବଞ୍ଚିପାରିବନି। ଗୋଟିଏ ଗଛ କାଟିଲେ ଦଶଟି ଗଛ ପୋତି, ତାକୁ ବଢାଅ, ସମାଜକୁ ସବୁଜ କର ।

ଗଛ ବଞ୍ଚାଇଲା ଜୀବନ

ସେଦିନ ଥାଏ ରବିବାର । ସାଥୀପିଲାଙ୍କୁ ଧରି ବବ୍ଲୁ ବାହାରିଲା ଭୋଜି କରି । ସବୁ ସାଙ୍ଗସାଥିଙ୍କ ମତ ଯେ ବଣରେ ଭୋଜି ହେବ । ବବ୍ଲୁ ବା କିପରି ଏକମତ ନ ହୁଅନ୍ତା । ସମସ୍ତେ ଚାଲିଲେ ସକାଳୁ ସକାଳୁ । ସାଇକେଲ ପଛରେ ସବୁ ଜିନିଷ ବନ୍ଧା ହୋଇଥାଏ । ଘରଠାରୁ ୩୦ କି.ମି. ଦୂରରେ ଅଛି ଜଙ୍ଗଲ । ଏହା ଏତେ ଦୂରକୁ ଲମ୍ବିଛି ଯେ ଆଖି ପାଇବ ନାହିଁ। ଚାରିଆଡ଼େ ଖାଲି ଗଛ ଆଉ ଗଛ । ଛୋଟିଆ ଝରଣାଟିଏ ବହି ଯାଉଛି । ବବ୍ଲୁ ଓ ତାର ସାଥୀମାନେ ଜଙ୍ଗଲରେ ପହଞ୍ଚି ରୋଷେଇ ପାଇଁ ପ୍ରସ୍ତୁତ ହେଲେ । କିଏ କାଠ ଆଣିବାକୁ ଗଲା ତ କିଏ ପତ୍ର ଆଣିବାକୁ ଗଲା । ବବ୍ଲୁ ତା’ର ସାଙ୍ଗ ଶିବୁକୁ ଧରି ଜଙ୍ଗଲ ଭିତରକୁ ଶୁଖିଲାକାଠ ଆଣିବାକୁ ଚାଲିଲା । ଘଞ୍ଚ ଜଙ୍ଗଲ । ସେ ଜଙ୍ଗଲର କେଉଁଠାରେ ପହଞ୍ଚିଛି ତାହା ମଧ୍ୟ ଜାଣିପାରୁ ନଥାଏ । କେବଳ ଗଛ ଡାଳମାନ ଭାଙ୍ଗି ଚିହ୍ନ ଦେଇ ଦେଇ ଯାଉଥାଏ । ହଠାତ୍ ଏକ ଧୂମାଳ ଆସିଲା । କିଏ କୁଆଡେ ଚାଲିଗଲେ । ଗଛ ମଡ୍ମଡ୍ ଭାଙ୍ଗିବା ଶବ୍ଦ ଶୁଭୁଥାଏ । ଜଙ୍ଗଲରେ ଗଛଗୁଡିକ ସତେ ଯେପରି ବିକଳରେ ଗର୍ଜନ କରୁଥାନ୍ତି । ବବ୍ଲୁ ତା’ ସାଙ୍ଗକୁ ପାଇଲା ନାହିଁ। ତା’ର ଛାତି ଭିତରଟା ଦାଉଁକିନା ହେଲା । ସେ କ’ଣ କରିବ କିଛି ଚିନ୍ତା କରିପାରିଲା ନାହିଁ । ତେଣୁ କାନ୍ଦିବାକୁ ଲାଗିଲା । ଜଙ୍ଗଲରେ ଦିନ କି ରାତି ଜଣାପଡିଲା ନାହିଁ । ପବନର ସୁ ସୁ ଶବ୍ଦରେ ଜଙ୍ଗଲ ଭିତରଟା କମ୍ପୁଥାଏ । ବର୍ଷା ଆରମ୍ଭ ହୋଇଗଲା । କିଛି ବୁଦ୍ଧିବାଟ ନପାଇ ବବ୍ଲୁ ଗୋଟିଏ ଝଙ୍କା ଆମ୍ବଗଛ ମୂଳରେ ବସିପଡିଲା । ବର୍ଷାରୁ ସିନା ରକ୍ଷା ପାଇଲା । ହେଲେ ବଣର ଜୀବଜନ୍ତୁଙ୍କ ଶବ୍ଦ ତାକୁ ଛାନିଆ କରିଦେଲା । ସେ ଆସ୍ତେ ଆସ୍ତେ ଗଛ ଉପରେ ଚଢି ଗୋଟିଏ ଡାଳକୁ ଧରି ବସିରହିଲା । ଏହିପରି ଘଣ୍ଟା ପରେ ଘଣ୍ଟା ବିତିଗଲା । ବବ୍ଲୁ ବୁଝିଲା, ସକାଳ ହେଲାଣି । ତଳକୁ ଆସି ଦେଖିଲା ଚାରିଆଡେ ଶୁନଶାନ୍ ଖାଲି ଗଛପତର । ଆସ୍ତେ ଆସ୍ତେ ସେ ଗଛ ଡାଳଗୁଡିକୁ ଘୁଞ୍ଚାଇ ଚାଲିଲା । ପ୍ରବଳ ଭୋକ ହେଉଥାଏ । କ’ଣ କ୍ଷୟବ ? ଦେଖିଲା ଜଙ୍ଗଲରେ ଆମ୍ବସବୁ ପାଚି ତଳେ ପଡିଛି । ମନଇଚ୍ଛା ଖାଇଲା। କିଛି ଦୂରରେ ପାଚିଲା କୋଳି ଗଛରୁ କୋଳି ଝଡି ପଡିଛି, ସେଗୁଡିକ ଖାଇଲା। ଝରଣାର ପାଣି ପିଇ ଆଗକୁ ଆଗକୁ ଚାଲିଲା । ସେ ବାଟ ପାଉ ନଥାଏ । ଚାଲି ଚାଲି ହାଲିଆ ବସି ପଡିଲା । କିଛି କାଠୁରିଆକୁ ଦେଖିଲା । ତା’ ମନରେ ଦମ୍ଭ ଆସିଲା । ସେମାନେ ଆସି ପହଞ୍ଚିଲେ ଏବଂ ତାକୁ ବାଟ ବତାଇଦେଲେ । ସେ କାଠୁରିଆଙ୍କୁ ଅନୁରୋଧ କଲା, ଭାଇମାନେ ସବୁଗଛକୁ କାଟ ନାହିଁ । ଅନାବନା ଗଛ କାଟ ଯେତିକି ଦରକାର, ସେତିକି ଗଛ କାଟ। କାରଣ ଏହି ଗଛ, ମୋ ଜୀବନ ବଞ୍ଚାଇଦେଲା । ବବ୍ଲୁ ଯାହା ଘଟିଥିଲା ସବୁ କହିଗଲା । କାଠୁରିଆମାନେ ଠିକ୍ ଭାବିଲେ ଏବଂ ଦରକାରୀ ଗଛଗୁଡିକ ରକ୍ଷା କରିବା ପାଇଁ ଚେଷ୍ଟା କଲେ ।

ଗଛ ବଞ୍ଚାଇଲା ଅଂଶୁଘାତ

ସଦାର ବୟସ ମାତ୍ର ୨୪ ରୁ ୨୫। ଅଧାରୁ ପାଠ ଛାଡିଲା । ବାପା ମା’ ବେଶି ପାଠ ପଢିନାହାନ୍ତି । ତେଣୁ ସଦାକୁ ମଧ୍ୟ ପଢେଇବାକୁ ଇଚ୍ଛା କଲେ ନାହିଁ । ମଜୁରିଆ ଭାବରେ କାମ କରି ପେଟ ପୋଷନ୍ତି । ସାନ ଭଉଣୀଟି ବିଦ୍ୟାଳୟକୁ ଯିବା ଆରମ୍ଭ କରିଛି ।

ଘରଠାରୁ ୧୦ କି.ମି. ଦୂରରେ ଜଙ୍ଗଲ । ପ୍ରତିଦିନ ସଦା ତା’ ସାଇକେଲଟି ଧରି ଜଙ୍ଗଲକୁ ଯାଏ । କାଠ କାଟେ ସେଗୁଡିକ ଆଣି ବଜାରରେ ବିକ୍ରି କରେ । ବେଳେବେଳେ ଜଙ୍ଗଲରେ ନିଆଁ ଲଗାଇ କାଠ କୋଇଲା ଆଣି ଦୋକାନ ବଜାରରେ ଦେଇ ବେଶ୍ ଦି ପଇସା କମାଏ । ଏଗୁଡିକ ଚୋରା କାରବାର ଜାଣି ମଧ୍ୟ ସେ ଖାତିର କରେ ନାହିଁ । ଏପରିକି ଥରେ ଦୁଇଥର ଥାନାବାବୁ ତା ସାଇକେଲ ସହ ତାକୁ ଥାନାରେ ଭର୍ତ୍ତି କରିଛନ୍ତି । ତଥାପି ସେ ମୋହ ସେ ତୁଟାଇ ପାରିନାହିଁ ।

ବାପା କୁହନ୍ତି ଘର ପାଖରେ ଜଙ୍ଗଲ ଥିଲା । ବିଲୁଆ ଠେକୁଆ ଆଦିଙ୍କୁ ଗହିରରେ ଦେଖିବାକୁ ମିଳୁଥିଲା । ଏହି ଜଙ୍ଗଲ କଟା ଯୋଗୁ ସେ ସବୁ ଦେଖିବା ସାତ ସପନ । ତେଣୁ ତାଙ୍କୁ ଜାଳକାଠ ପାଇଁ ଏତେବାଟ ଯିବାକୁ ପଡୁଛି ।

ଖରାଦିନ ହୋଇଥାଏ । ସକାଳୁ ସକାଳୁ ସାଇକେଲ ଓ ଟାଙ୍ଗିଆଟା ଧରି ସଦା ବାହାରି ପଡିଲା ଗଛ କାଟିବା ପାଇଁ ଜଙ୍ଗଲକୁ । ଜଙ୍ଗଲରେ ପହଞ୍ଚିଲା ବେଳକୁ ଦେହସାରା ଗୋଟା ଗୋଟା ଝାଳ, କ’ଣ କରିବ । ଟିକେ ପୋଛିପାଛି ହୋଇ ନିଜ କାମରେ ଲାଗିଗଲା । ଜାଣିପାରିଲା ନାହିଁ କେତେବେଳେ ହେଲାଣି । ସୂର୍ଯ୍ୟଦେବତା ମୁଣ୍ଡଉପରକୁ ଉଠିଗଲେଣି । ପ୍ରବଳ ଖରା। ଚାରିଆଡ଼େ ତାତି ଲାଗିଲାଣି । ଆଉ ଅଧିକ ବିଳମ୍ବ ନ କରି କାଟିଥିବା କାଠକୁ ସାଇକେଲରେ ଲଦି ଆଗକୁ ଚାଲିଲା ସଦା । କିଛି ବାଟ ଗଲା । ଚାରିଆଡ଼େ ଗଛ କଟା ହୋଇ ଖୁଣ୍ଟାମାନ ଠିଆ ହୋଇଥାଏ । ଶୂନ ଶାନ ଲାଗୁଥାଏ । ଆଉ ଡେରି ନ କରି ସଦା ସାଇକେଲଟା ତଳକୁ ଗଡାଇଲା । ହଠାତ୍ ସାଇକେଲ ଚକରୁ ପବନ ଚାଲିଗଲା । ସଦାର ମନ ଅସ୍ଥିର ହେଲା ସେ ବାରମ୍ବାର ଏପାଖ ସେପାଖ ଚାହିଁଲା । କେହି କୁଆଡେ ନାହାନ୍ତି । ତଥାପି ସାଇକେଲ ଧରି ଚାଲିଥାଏ । ମୁଣ୍ଡଟା ବୁଲାଇବାକୁ ଆରମ୍ଭ କଲା ଜିଭଶୁଖି ଆସିଲା । କିଛି ଦୂରରେ ଗୋଟିଏ ପୋଖରୀ ହୁଡାରେ ଗଛଟିଏ ଦେଖିଲା । ସଦା ଜୀବନ ବିକଳରେ ସେଠାରେ ପହଞ୍ଚିବାକୁ ଚାହିଁଲା । ପାଦ ଦୁଇଟା ତଳେ ନ ଲାଗିଲା ପରି ଲାଗିଲା । ଆକାଶଟା ଘୁରି ଯାଉଥିଲା । ସେ ଜୀବନ ବିକଳରେ ପାଦର ଗତି ବଢାଇଲା । ଆଉ ଦୁଇଗଜ ଦୂରରେ ଗଛ । ହଠାତ୍ ସାଇକେଲଟା ତା ହାତରୁ ପଡିଗଲା । ଘୁଷୁରି ଘୁଷୁରି ଗଛ ମୂଳରେ ବସିପଡିଲା । ଗଛର ଛାଇ ତାକୁ ଟିକେ ଆରାମ ଲାଗିଲା ସେ ବାରମ୍ବାର ଗଛକୁ ଚାହୁଁଥାଏ ।

ଏହି ଗଛମାନଙ୍କୁ ନିଷ୍ଠୁର ଭାବେ କେତେ ସେ ନ ହାଣିଛି । ଆଜି କିନ୍ତୁ ସେମାନେ ହିଁ ତା’ର ସହାୟକ । ହଠାତ୍ ତା’ର ଚେତା ଚାଲିଗଲା । ଚେତା ଆସିଲା ବେଳକୁ ଦେଖିଲା ସେ ଘରେ ଶୋଇଛି । ସେ ଜାଣିପାରିଲା ତାଙ୍କ ଘର ପାଖର ଅନ୍ୟ କାଠୁରିଆମାନେ ତାକୁ ଘରକୁ ଆଣିଛନ୍ତି ।

ସେହିଦିନ ଠାରୁ ସେ ଗଛ ନ କାଟିବାକୁ ଶପଥ ନେଲା । ଅନ୍ୟମାନଙ୍କୁ ବୁଝାଇଲା । ନୂଆ ଜଙ୍ଗଲ ପାଇଁ ନଣ୍ଡା ପାହାଡ଼ରେ ଗଛ ଲଗାଇବାକୁ ଚେଷ୍ଟା କଲା । ଆଜି ତା’ର ଫଳ ସ୍ୱରୂପ ଘରଠାରୁ ଅଳ୍ପ ଦୂରରେ ହସି ଉଠିଛି ଗୋଟିଏ ନୂଆ ଜଙ୍ଗଲ। ଚଢେଇମାନଙ୍କର କିଚିରି ମିଚିରି ଶବ୍ଦ ଆଉ ସୁଲୁସୁଲିଆ ପବନର ଶବ୍ଦ ସମସ୍ତଙ୍କୁ ଆନନ୍ଦ ଦେଉଛି।

ଗଛ ଆମର ବିଶ୍ଵାସୀ ବନ୍ଧୁ

ଗଛ ଆମର ବିଶ୍ଵାସୀ ବନ୍ଧୁ

ଚିଣ୍ଟୁର ଘର ସାବରୀ ନଈ କୂଳରେ । ନଈରେ ପହଁରିବା, ନଈ କୂଳରେ ବିରାଟ ବରଗଛ ଓହଳରେ ଦୋଳି ଖେଳିବା, ବାଗୁଡି ଖେଳିବା, ସାଙ୍ଗସାଥୀ ସହ ମିଶି ଗଛ ଉପରେ ଚଢି ନଈ ଭିତରକୁ ଡେଇଁବାକୁ ସେ ଭାରି ଭଲପାଏ ।

ସେ ବର୍ଷ ଅଶିଣ ମାସ । ଉପର ମୁଣ୍ଡରେ ପ୍ରବଳ ବର୍ଷା । ତୁହାକୁ ତୁହା ପବନ । ଏହିପରି ସାତ ଦିନ ଧରି ଚାଲିଲା । ନଈ କୂଳ ଲଂଘିଲା । ଚିଣ୍ଟୁ ଆସ୍ତେ ଆସ୍ତେ ପାଣି ଗାଁ ଭିତରକୁ ଆସିଲା । ଘରର ଚାଳମାନ ଭାସିଗଲା । ଗାଈଗୋରୁ ଭାସିଭାସି ଚାଲିଗଲେ । ଚିଣ୍ଟୁ କ’ଣ କରିବ ? ଯାହା ଘରେ ଚୁଡା, ଗୁଡ ଥିଲା ତାକୁ ଧରି ବାପା ମା’ ଆଉ ସାନ ଭାଇ ସହ ସେ ବରଗଛ ଉପରକୁ ଜୀବନ ବିକଳରେ ଚଢିଗଲା । ପାଣି ବଢୁଥାଏ । ସୁ-ସୁ ପବନ ବହୁଥାଏ । କଲିଜା ଥରୁଥାଏ । ସେ ଠାକୁରଙ୍କୁ ଡାକୁଥାଏ । ରାତି ପାହି ସକାଳ ହେଲା । ସୂର୍ଯ୍ୟ ଦେଖାଗଲେ । ନଈ ସେପାଖରୁ ଡଙ୍ଗା ଦେଖାଗଲା । ଉଧାରକାରୀ ଦଳ ବରଗଛରୁ ଏମାନଙ୍କୁ ଉଦ୍ଧାର କଲେ । ଡଙ୍ଗାରେ ବସିଲା ବେଳକୁ ବରଗଛକୁ ଚାହିଁଛି । ଚିଣ୍ଟୁ ଭାବିଲା ସତରେ କେତେ ବିଶ୍ଵାସୀ ଏ ଗଛ । ନିଜ ଜୀବନକୁ ରକ୍ଷା କରିବା ସହ ଚାରିପ୍ରାଣୀଙ୍କୁ ବଞ୍ଚାଇଲା । ସେ ଶପଥ କଲା ନିଶ୍ଚୟ ଗଛ ଲଗାଇବ । ବନ୍ୟା ଗଲା । ହେଲେ ଚିଣ୍ଟୁ ତା ପ୍ରତିଜ୍ଞା ଭୁଲି ନଥିଲା । ସେ ନଈ କୂଳରେ ସାଙ୍ଗ ସାଥୀମାନଙ୍କୁ ଧରି ଗଛମାନ ଲଗାଇ ଚାଲିଲା । ବୟସ୍କ ଲୋକେ ମଧ୍ୟ ଏହା ଦେଖି ଗଚମାନ ଲଗାଇଲେ । ବନ୍ୟା ଆସିଲେ ବି ଆଉ ଭୟଙ୍କର ରୂପ ନେଲା ନାହିଁ କାରଣ ଗଛ ସେସବୁକୁ ଅଟକାଇ ଦେଲା । ସମସ୍ତେ ଚିଣ୍ଟୁକୁ ବାଃ ବାଃ କହିଲେ ।

ସହରୀ ଗଛର ଜୀବନ

ସହରୀ ଗଛର ଜୀବନ

ରମେଶ ନୂଆ ନୂଆ ସହରକୁ ଆସିଥାଏ । ଚାରିଆଡେ ଗାଡ଼ି ମଟର । ତାଙ୍କ କୋଠା ଆଗରେ ଲମ୍ବି ଯାଇଛି ଦୀର୍ଘ ରାସ୍ତାଟିଏ । ସବୁବେଳେ ଗାଡ଼ିମଟର ପେଁ ପାଁ ।ବୁଲାଣି ପାଖରେ ଏକ ବଡ ନିମ୍ବଗଛ ତଳେ ମଦନ ସାହୁର ଜଳଖିଆ ଦୋକାନ । କେତେ ରିକ୍ସାବାଲା, ଟଲିବାଲା, ଝୁମ୍ପୁଡ଼ିବାଲା, ଆଉ ମଜୁରିଆ ସେଠାରେ ଖାଆନ୍ତି । ସେଦିନ କ’ଣ ହେଲା କେଜାଣି ରମେଶ ବାପାଙ୍କୁ ପଚାରିଲା । ବାପା କହିଲେ ଚାରିଟିକିଆ ରାସ୍ତା ହେବ ତ ତେଣୁ ରାସ୍ତାକଡରେ ଗଛସବୁ ହଣା ହେବ । ଲୋକମାନେ ଏହାର ବିରୋଧ କରୁଛନ୍ତି। ରମେଶ ମନକୁ କଥାଟା ପାଇଲା । ସତରେ ତ ଗଛ  ଥିବାରୁ ଏ ଲୋକେ ଖରାରୁ ଟିକେ ରକ୍ଷା ପାଉଥିଲେ । ଲୋକମାନେ ଏମାନଙ୍କ ଗଛ ଛାଇରେ ଗଡିଯାଆନ୍ତି । ଖରାଦିନେ ତ ଖରାବେଳେ ବସିବାକୁ ଜାଗା ନ ଥାଏ । ଗାଡ଼ି ମଟରରୁ ବାହାରୁଥିବା ଧୂଆଁ ଅପେକ୍ଷା ଏ ସ୍ଥାନଟି ଖୁବ୍ ଥଣ୍ଡା । ଅବସ୍ଥା ହେବ କ’ଣ ? କିଏ ଏମାନଙ୍କୁ  ରକ୍ଷା କରିବ? କେତେ ଗାଈଗୋରୁ ମଣିଷ ଟିକେ ବସିଯାଉଥିଲେ । କ’ଣ ନା ରାସ୍ତା ଚଉଡା ହେବ ।  ବିଜୁଳିବତୀ କେବୁଲ ଯିବ । ରମେଶକୁ  ଲାଗିଲା ତା’ ଗାଁ ଜୀବନ ବହୁତ ଭଲ ।

ସେ ଭିଡ ଠେଲି ଚାଲିଲା ଆଗକୁ ଆଗକୁ । ଠିଆ ହୋଇଥିବା ଅଫିସରଙ୍କୁ କହିଲା –“ ଆପଣମାନେ କ’ଣ ଏ ଗଛଠାରୁ କିଛି ଉପକାର ପାଇନାହାଁନ୍ତି ।

ଅଫିସରମାନେ ବିସ୍ମିତ ହୋଇ କହିଲେ, ‘ହଁ ତ’ । ତେବେ ଏ ଗଛ କାଟୁଛ କାହିଁକି ? ଅଫିସରମାନେ କହିଲେ – “ଜନସଂଖ୍ୟା ବଢିଲା, ଯାନବାହାନ ବଢିଲା, ତେଣୁ ରାସ୍ତା ଚଉଡା ହେବା ପାଇଁ ଗଛ ସଂଖ୍ୟା ବଢାଉ ନାହାନ୍ତି କାହିଁକି ? ଆପଣମାନେ ଜାଣନ୍ତି ଯେଉଁଗଛ କାଟୁଛନ୍ତି ତାହା ଶହଶହ ବର୍ଷର । ଆମ ଶିକ୍ଷକ କହୁଥିଲେ ଏ ଗଛଗୁଡିକର ଉପକାରିତା । ଆପଣମାନେ କ’ଣ ପାଠରେ ପଢିନାହାନ୍ତି  ?”

ଅଫିସରମାନେ ରମେଶର ମନକଥା ଜାଣି ପାରିଲେ ଏବଂ ତାକୁ ବୁଝାଇବାକୁ ଚେଷ୍ଟା କଲେ । ସେମାନେ କହିଲେ – “ରାସ୍ତା ମଝିରେ ଗଛମାନ ଲାଗିବ । ସରକାରଙ୍କ ତରଫରୁ ଖୁବ୍ କମ୍ ଦିନରେ ଝଙ୍କାଳିଆ ହୋଇ ବଢିପାରୁଥିବା ଗଛମାନ ଲଗାଯିବ। ଖରାଦିନେ ବାଟୋଇମାନେ କ୍ଳାନ୍ତ ଅନୁଭବ କରିବେ ନାହିଁ । ଏହାଦ୍ଵାରା ଯାନବାହାନର ଧୂଆଁରେ ବାୟୁ ମଧ୍ୟ ପ୍ରଦୂଷିତ ହେବ ନାହିଁ ।“

ରମେଶ ଆଜି ସେସବୁ କଥା ଦେଖୁଛି । ବାପାଙ୍କ ସାଥୀରେ ଗଲାବେଳେ ରାସ୍ତାର ମଝିରେ ଗଛମାନ ପୋତା ହୋଇ ପାଣି ଦିଆଚାଲିଛି । ଗଛ ବଡ ହୋଇ ଝଙ୍କାଳିଆ ହେଲାଣି ।

ଆଜି ରମେଶ ସମସ୍ତଙ୍କୁ କହୁଛି –“ଗୋଟିଏ ଗଛ କାଟିଲେ ଦଶଟି ଗଛ ପୋତି, ତାକୁ ବଢାଅ, ସମାଜକୁ ସବୁଜ କର ।“

ପଶୁପକ୍ଷୀଙ୍କ ଯଶୋଦା –‘ଗଛ’

ସେଦିନ  ଶୀତୁଆ ସଞ୍ଜରେ ଘୋଡେଇ ହୋଇ ନିଆଁ ପାଖରେ ବସିଥାନ୍ତି କୁନି, ତା’ ବୋଉ, ସାନଭାଇ ଆଉ ଜେଜେମା । ହାତପାପୁଲି ଦିଓଟିକୁ ନିଆଁକୁ ଦେଖାଇ ଉଷୁମ ଟାଣୁଥିବା  ଜେଜେମା କହି ଚାଲିଥାନ୍ତି – ତାଙ୍କ ଗାଁ ପାଖରେ କିପରି ଜଙ୍ଗଲ ଥିଲା । ସେମାନେ କିପରି କୋଳି ତୋଳିବାକୁ ବଣକୁ ଯାଉଥିଲେ । ଠେକୁଆ, କୁଟୁରା, ହରିଣ ସହ ହାତୀମାନଙ୍କର  ଜଙ୍ଗଲରେ ବୁଲିବା, ଝରଣାପାଣି ପିଇବା ଆଦିରେ  କି ମଜା ଥିଲା । ଆଜି ଜଙ୍ଗଲସବୁ ପଦା ହୋଇଗଲାଣି । ପଶୁପକ୍ଷୀମାନେ ଖାଇବାକୁ ପାଉନାହାନ୍ତି। ହଠାତ୍ ପାଟି ଶୁଭିଲା । ଗାଁ ମୁଣ୍ଡ ପୋଟଳେଇ ଠାକୁରାଣୀ ପଟୁ ଧଇଁ ସଇଁ ହୋଇ ମକରା ଦଉଡି ଦଉଡି ଆସି ଏକା ନିଃଶ୍ଵାସରେ କହିଚାଲିଲା – ହାତୀପଲ ବିଲବାଡି ପାରି ହୋଇ ଗାଁ ଆଡକୁ ମୁହାଁଉଛନ୍ତି । ସମସ୍ତଙ୍କୁ ଛାନିଆଁ ଲାଗିଲା । ସେମାନେ ଯିଏ ଯୁଆଡେ ପାରିଲେ ଜୀବନ ନେଇ ଦଉଡୁଥାନ୍ତି । ଜେଜେମା କିନ୍ତୁ ବିଚଳିତ ହେଲେ ନାହିଁ । ସେ ସମସ୍ତଙ୍କୁଧରି ଘରପଛପଟ ବାଉଁଶ ବୁଦା ଭିତରେ ପଶିଗଲେ । ସେ ଜାଣିଥିଲେ ହାତୀର ବାଉଁଶ ବୁଦାକୁ ଭାରିଭୟ । ବୁଦା ଭିତରେ ଥାଇ ସେମାନେ ଦେଖିଲେ । ଦଳେହାତୀ ମାଡିଆସିଲେ । ସବା ଆଗରେ ଦନ୍ତାହାତୀ ତା’ ପଛପଟେ ପାଞ୍ଚଟି ମାଈହାତୀ ତାଙ୍କ ସହିତ ତିନୋଟି ହାତୀଛୁଆ ମାଟିକାନ୍ଥଟାକୁ ଠେଲି ଭାଙ୍ଗିଦେଲେ । ଧାନସବୁ ଖାଇଗଲେ । ଚାଳଛପରକୁ ଟାଣି ଗଦା କରିଦେଲେ । କିଛି ସମୟ ଏହିପରି କାଣ୍ଡ ଘଟାଇ ସେମାନେ ନିଜ ବାଟରେ ଫେରିଗଲେ ।

ଜେଜେମା ସହିତ ସମସ୍ତେ ପଦାକୁ ବାହାରି ଆସିଲେ । ଜେଜେମା କହିଲେ, ଦେଖିଲୁ, କୁନି ମୁଁ ଯାହା କହୁଥିଲି ତାହା କିପରି ସତ ହେଲା । ଜଙ୍ଗଲ ନଥିବାରୁ ଜୀବଜନ୍ତୁମାନେ ଖାଇବାକୁ ନପାଇ ଗାଁ ଭୂଇଁରେ ପହଞ୍ଚିଲେଣି । ଏସବୁ ମଣିଷ ହିଁ  କରିଛି । ତେଣୁ କଥାରେ ଅଛି –

ଆପଣା ହସ୍ତେ ଜିହ୍ଵା ଛେଦି ।

କେ ତା’ରେ ଅଛି ପ୍ରତିବାଦୀ ?

ତେଣୁ ମଣିଷ ସତର୍କ ନହେଲେ, ଜଙ୍ଗଲ ନ ବଢାଇଲେ ସେ ମଧ୍ୟ ବଞ୍ଚିପାରିବ ନାହିଁ । ପାଣିପାଗ ବଦଳିଯିବ । ଖାଇବାକୁ ମିଳିବ ନାହିଁ । ପଶୁମାନେ ସେମାନଙ୍କର କ୍ଷତି କରିବେ । ତେଣୁ ଜଙ୍ଗଲ ବଢାଇବା ଉଚିତ୍ । ଗଛ ଲଗାଇବା ନିହାତି ଦରକାର । ଏ କଥାଗୁଡିକ କୁନି ମନକୁ ଖୁବ୍ ପାଇଲା ।

କିଛିଦିନ ଗଲା । ବନାମହୋତ୍ସବ ତାଙ୍କ ବିଦ୍ୟାଳୟରେ ପାଳିତ ହେଉଥିଲା । ସରକାରଙ୍କ ଦ୍ଵାରା ମାଗଣା ଗଛଚାରା ବଣ୍ଟା ହେଲା । କୁନି ତା’ ସାଙ୍ଗସାଥୀଙ୍କ ସହ ବିଦ୍ୟାଳୟ ଭିତରେ ଓ ପାଖଆଖ ଖାଲି ଜାଗାରେ ଚାରାମାନ ଲଗାଇଲା ।  ତା’ର ସାଙ୍ଗସାଥୀମାନେ ମିଶି ଆଖପାଖ ଗାଁରେ ଲୋକମାନଙ୍କୁ ଗଛଲଗାଇବାର ଉପକାରିତା ବୁଝାଇଲେ । ଛୋଟ ଛୋଟ ପିଲାଙ୍କଠାରୁ ଏପରି ଭଲକଥା ଶୁଣି ଗାଁ  ଲୋକେ ସରପଞ୍ଚଙ୍କୁ ଭେଟିଲେ । ଶେଷରେ ସମସ୍ତଙ୍କ ମିଳିତ ସହଯୋଗରେ ଖାଲିପଡିଥିବା ଜାଗାଗୁଡିକରେ  ପୁଣି ଗଛ ଲଗାହେଲା । କିଛିଦିନ ଗଲା, ସେ ଜାଗାଗୁଡିକ ଗଛରେ ପୂରି ଉଠିଲା ।  ନାନା ଜାତିର ଗଛରେ ସେ ଅଞ୍ଚଳ ହସିଉଠିଲା । ପୁଣି ଠେକୁଆ, ହରିଣ, ହାତୀ ଆଦି ଆନନ୍ଦରେ ଦୌଡା ଦୌଡି କଲେ ଆଉ ହାତୀମାନେ ଜଙ୍ଗଲଭିତରୁ ପଦାକୁ ଆସିବାକୁ ଚାହିଁଲେ ନାହିଁ। ତେଣୁ ଲୋକମାନଙ୍କର କିଛି କ୍ଷତି ହେଲାନାହିଁ ।  ସେମାନେ ଆନନ୍ଦରେ ରହିଲେ ।

ସହରୀ ବଗିଚା

ସେଦିନ ଥାଏ ଗଣେଶ ପୂଜା । ପୁଷ୍ପାଞ୍ଜଳି ପାଇଁ ଫୁଲ  ଦରକାର । କ’ଣ କରିବ ରିଙ୍କୁ । ମନଟା ଡହଳ ବିକଳ ହେଉଥାଏ। ଇଏ କଟକ । ଚାରିଆଡେ ଖାଲି କୋଠା । ମାଟି ଟିକେ ଦେଖିବାକୁ ମିଳେ ନାହିଁ । ତାଙ୍କ କୋଠା ଚାରିପଟେ ବିରାଟ ପାଚେରୀ,ହେଲେ ଗଛଟିଏ ବି ନାହିଁ ।

ବୁଢୀମା ଗାଁରୁ ଆସିଲେ ଠାକୁର ପୂଜା ପାଇଁ ଫୁଲଟିଏ ପାଆନ୍ତି ନାହିଁ । ବାପା ଚାନ୍ଦିନୀଚୌକ ଅଫିସ ପାଖରୁ ଫୁଲ କିଣି ଆଣନ୍ତି । ସେଦିନ ପୁଷ୍ପାଞ୍ଜଳି ପାଇଁ ଫୁଲ ନ ମିଳିବାକୁ ବହୁତ କଷ୍ଟ ଲାଗିଲା ।

ସଂନ୍ଧ୍ୟା ବେଳକୁ ବାପା ଟୁର୍ ରୁ ଫେରିଲେ । ରାତିକୁ ନିମନ୍ତ୍ରଣ ଥାଏ ବନ୍ଧୁ ମିତ୍ରଭାନୁଙ୍କ ଘରେ । ମିତ୍ରାଭାନୁ ବଙ୍ଗାଳୀ ଲୋକ। ସଂନ୍ଧ୍ୟାରେ ବାପା ଓ ମାଆଙ୍କ ସହ ରିଙ୍କୁ ତାଙ୍କ ଘରକୁ ଗଲା । କୋଠା ଉପରେ ବାପା ଓ ମିତ୍ରଭାନୁ ଅଙ୍କଲ ବସିଥାନ୍ତି । ପାଖରେ ବସି ଗପୁଥାନ୍ତି ମାଆ ଏବଂ ଆଣ୍ଟି । ରିଙ୍କୁର ଆଖି କୋଠା ଉପରେ ଲଗା ଯାଇଥିବା ଭଳିକି ଭଳି ଗଛ ଉପରେ ପଡୁଥାଏ । ବିଭିନ୍ନ ଜାତିର ବିଭିନ୍ନ ରଙ୍ଗର ଫୁଲ ହସିଉଠୁଥାଏ । ଘାସ ଗାଲିଚାଟିଏ କୋଠା ଉପରେ ହୋଇଥାଏ । ଏସବୁ ଦେଖି ରିଙ୍କୁ ଭାବି ପାରିଲା ନାହିଁ ଯେ ସେ ଗୋଟାଏ ଛାତ ଉପରେ ବସିଛି । ତାକୁ ଲାଗିଲା କେଉଁ ପାର୍କରେ  ବସିଲା ପରି । ସେ ବାପାଙ୍କ ପାଖକୁ ଲାଗିଗଲା ଏବଂ ଗଛ ବିଷୟରେ ଜାଣିବାକୁ ଚାହିଁଲା । ମିତ୍ରଭାନୁ ବାବୁ ରିଙ୍କୁର ମନକଥା ବୁଝିଲେ ଏବଂ ସରଳଭାବରେ ବୁଝାଇଦେଲେ କିପରି ଜରିପଡ଼ି ତା’ ଉପରେ ମାଟି ଦେଇ ଗଛ ଲଗାଯାଇଛି । ଘାସ ମଞ୍ଜିମାନ ବୁଣି ଗାଲିଚା ପରି କରାଯାଇଛି । ସେଦିନ ଘରକୁ ଫେରିବା ପରଠାରୁ ରିଙ୍କୁ ବାପାଙ୍କ ସହ ଜିଦ୍ ଧରି କୋଠା ଉପରେ କେତେକ ଫୁଲ ଗଛ କୁଣ୍ଡରେ ଲଗାଇଲା । ଉପଯୁକ୍ତ ପାଣି, ସାର, ମାଟି ଦେବାରୁ ଗଛଗୁଡିକ ସୁନ୍ଦର ଭାବରେ ବଢିଲା । ଫୁଲ ଫୁଟିଲା, ପ୍ରଜାପତିମାନେ ଉଡିଆସିଲେ । ସୁନ୍ଦର ବଗିଚାଟିଏ ହେଲା । ବାପାଙ୍କୁ ଆଉ ପଇସା ଖର୍ଚ୍ଚ କରି ପରିଶ୍ରମ କରି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଫୁଲ କିଣିବାକୁ ପଡିଲା ନାହିଁ । ବୁଢୀମା  କାର୍ତ୍ତିକ ମାସରେ ଆସିଲେ । ବଗିଚାଟି ଦେଖି ଖୁସି  ହେଲେ ଏବଂ ରିଙ୍କକୁ ପ୍ରଶଂସା କରିବା ସହ ଠାକୁରଙ୍କୁ ଏ ଭଲ ବୁଦ୍ଧିଦେଇଥିବାରୁ ମୁଣ୍ଡିଆ ମାରିଲେ ।

ଗଛ ଆଣିଲା ପୁରସ୍କାର

ଆଜି ରିମା ପୁରସ୍କାର ଗ୍ରହଣ କରୁଛି ରାଜ୍ୟପାଳଙ୍କଠାରୁ । କେତେ ଖୁସିର କଥା । ଛାତି ତା’ର ଗର୍ବରେ ଫାଟି ପଡିଛି । ସେ ପିଲାଦିନର କଥା ମନେ ପକାଇଲା । ସେତେବେଳେ ତା’ର ବୟସ ପାଞ୍ଚ ବର୍ଷ । ତୁଲସୀ ଚଉରା ମୂଳରେ ବୋଉ ପାଣି ଦେଇ ଠିକ୍ ଉଠିଯାଉଥାନ୍ତି । ରିମା ତା’ ସାଥୀମାନଙ୍କ ସହ ଖେଳୁଥାଏ । ଟିକିଏ ଦୂରରେ ବସିଥାନ୍ତି ତାଙ୍କର ମାଆ। ସେ ଖେଳୁଖେଳୁ ଚଉରା ପିଣ୍ଡି ଉପରକୁ ଉଠିଗଲା ଏବଂ ତୁଲସୀପତ୍ର ନିଜେ ଖାଇବା ସହ ଅନ୍ୟମାନଙ୍କୁ ବାଣ୍ଟିଲା । ଆସ୍ତେ ଆସ୍ତେ ଗଛଟି ପତ୍ର ଶୂନ୍ୟ ହୋଇଗଲା ପରେ ସେ ଡାଳ ଏବଂ ପରେ ମୂଳକୁ ଧରି ଓପାଡି ଦେଲା । ସାଙ୍ଗସାଥୀମାନେ ଆନନ୍ଦରେ ତାଳି ମାରୁଥାନ୍ତି ।

ମାଆ ଆଉ ସମ୍ଭାଳି ପାରିଲେ ନାହିଁ । ସାଙ୍ଗେ ସାଙ୍ଗେ ଦୌଡି ଆସିଲେ । ଆଉ ମନଇଚ୍ଛା ପାଟି କଲେ । ତୁଲସୀ କିପରି ଆମର ଉପକାର କରେ, ସର୍ଦ୍ଦି କାସ ଦୂର କରେ, ଅନ୍ୟାନ୍ୟ ରୋଗ ଉପଶମ କରେ ସେ ବିଷୟରେ ବୁଝାଇଲେ ।  ସାଙ୍ଗମାନଙ୍କର ମନ ତରଳି ଗଲା । ସେହିଦିନଠାରୁ ରିମା ସେହି ସାଙ୍ଗମାନଙ୍କୁ ଧରି ନିଜ ଗାଁ ପାଖ ମନ୍ଦିର ଏବଂ ବିଦ୍ୟାଳୟ ଠାରେ ଗଛମାନ ପୋତି ଚାଲିଲା ଏବଂ ଅଳ୍ପଦିନ ମଧ୍ୟରେ ଏକ ସବୁଜ ଚାଦର ବିଛାଗଲା ପରି ଲାଗିଲା । ମନ୍ଦିରକୁ ଆସୁଥିବା ଲୋକେ, ବିଦ୍ୟାଳୟର  ଶିକ୍ଷକ ଛାତ୍ରୀଛାତ୍ରମାନେ ତାକୁ ବହୁତ ପ୍ରଶଂସା କଲେ ।

ଥରେ ତାଙ୍କ ବିଦ୍ୟାଳୟକୁ ବିଶିଷ୍ଟ ପରିବେଶବିତ୍ ଆସିଥିଲେ । ସେ ଏପରି କାର୍ଯ୍ୟ ଦେଖି ରିମାକୁ ପ୍ରଶଂସା କଲେ ଏବଂ ତାଙ୍କର ନାମ ପୁରସ୍କାର ପାଇଁ ସୁପାରିଶ କଲେ । ସେଦିନ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥାଏ । ସ୍ଵତନ୍ତ୍ର ଭାବେ ରିମା ନିମନ୍ତ୍ରିତ ହୋଇଥାଏ । ରାଜ୍ୟପାଳ ଆସିଲେ । ମାତ୍ର ପାଞ୍ଚ ବର୍ଷର ଝିଅ ନିକଟରେ ଏ ପ୍ରକାର ଗୁଣ ଦେଖି ଖୁବ୍ ଖୁସି ହେଲେ । ପୁରସ୍କାର ଦେବା ସମୟରେ ସେ ଝିଅଟିକୁ ଆହୁରି ଭବିଷ୍ୟତରେ ଏଭଳି କାର୍ଯ୍ୟ କରିବାକୁ ଉପଦେଶ ଦେଲେ । ରୀମା ସେହିଦିନଠାରୁ ଆହୁରି ଗଛ ଲଗାଇବା ସହ ସୁନ୍ଦର ସୁନ୍ଦର ଚିତ୍ର କରି ଗଛର ଉପକାର ଲୋକକମାନଙ୍କୁ ଦେଖାଇଲା ଲୋକମାନେ ରୀମାକୁ ଖୁବ୍ ପସନ୍ଦ କଲେ ।

ବିଦାୟ ବେଳାର ଅଭୂଲା ସାଥୀ

ଲକି ଚାହିଁଛି ଆମ୍ବଗଛଟିକୁ । ଝୁଲି ପଡିଛି ପେନ୍ଥାପେନ୍ଥା ଆମ୍ବ । ବାସନାରେ ବାସିଉଠୁଛି ବଗିଚା । ଆଜି ସେ ଶାଶୂଘରକୁ ଯିବ । ବାଜିଉଠୁଛି ଶାହାନାଇ । ସେ ଭାବୁଛି ଅତୀତକୁ ସେଦିନ ତା’ର ଷୋହଳ ବୟସ ଥିଲା । ଷୋହଳ ବୟସ ପାଇଁ ବାପା କରିଥିବା ମାନସିକ ଅନୁସାରେ ପୂଜାର୍ଚ୍ଚନା ଚାଲିଥାଏ ।

ପାଲା ହେଉଥାଏ, ସମସ୍ତେ ବନ୍ଧୁବାନ୍ଧବ ଯୋଗ ଦେଇଥାନ୍ତି । ବିଭିନ୍ନ ଉପହାରମାନ ଦେଉଥାନ୍ତି । ଉପହାରଗୁଡିକ ଦେଖି ତା’ର ପେଟ ପୂରିଉଠୁଥାଏ । ଏହି ସମୟରେ ତାଙ୍କ ବିଦ୍ୟାଳୟର ସାର୍ ପହଞ୍ଚିଲେ । ଆଗରୁସେ ବାରମ୍ବାର ସାର୍ ଙ୍କୁ ଆସିବାକୁ କହିଥିଲା । ସାର୍ ଙ୍କର ସେ ସବୁଠାରୁ ପ୍ରିୟ ଛାତ୍ରୀ । ସାର୍ ନିଜ ଜୀବନଠାରୁ ବଳି ସ୍ନେହ କରନ୍ତି । ଲକି ଭାବିଥିଲା ସାର୍ ନିଶ୍ଚୟ ଆସିବେ ।

ସତକୁ ସତ ସାର୍ ଠିକ୍ ସମୟରେ ପହଞ୍ଚିଲେ । ବନ୍ଧୁବାନ୍ଧବ ସାଙ୍ଗସାଥୀ ଥାନ୍ତି । ସେ ଆଣିଥିବା ଉପହାରଟି ନିଆରା ଥିଲା। ସମସ୍ତେ ଚାହିଁ ରହିଥିଲେ । ଗୋଟିଏ ଛୋଟିଆ  କୁଣ୍ଡରେ ଥିବା ଏକ ଆମ୍ବଗଛଟିଏ । ଏହା ଦେଖି ଲକିକୁ ଟିକେ ସଙ୍କୋଚ ଲାଗିଲା, ସାର୍ ଙ୍କୁ  ମୁଣ୍ଡିଆ ମାରିବା ବେଳେ ।  ସାର୍ ଗଛଟିର ମହତ୍ତ୍ଵ ବିଷୟରେ ସଂକ୍ଷେପରେ ତାଙ୍କୁ କହିଥିଲେ ।

ଲକି ବାପାଙ୍କୁ  ଆମ୍ବଗଛଟି ଦେଖାଇବା ମାତ୍ରେ ସେ ଆନନ୍ଦ ହେଲେ ଏବଂ ଲକି ସହିତ  ଯାଇ ବଗିଚାରେ ଗଛଟିକୁ ପୋତିଦେଲେ । ସବୁଦିନ ଗଛମୂଳେ ପାଣି ଦେବା ତା’ର ଅଭ୍ୟାସ । ଯେତେହେଲେ ବି ସାର୍ ଙ୍କ ସ୍ମୃତି ମନେ ରଖିବାକୁ ହେବ । ଆସ୍ତେ ଆସ୍ତେ ଗଛଟି ବଡ ହେଲା, କଅଁଳିଆ ପତ୍ର ଦେଲା ଏବଂ ସମୟକ୍ରମେ ବଉଳ ଆସିଲା ଏବଂ ବଗିଚାଟି ମହକି ଉଠିଲା । ତା’ପରେ ପେନ୍ଥା ପେନ୍ଥା ଆମ୍ବ ପବନରେ ଦୋଳିଖେଳିଲା । ଆମ୍ବ  ପାଚିଗଲେ ତା’ର ସୁଆଦ ମନମୁଗ୍ଧକର ଥିଲା । ସେଦିନର ସେ ଉପହାରର ପ୍ରକୃତ ମୂଲ୍ୟ ବୁଝିପାରିଲା । ଅନ୍ୟସବୁ ଉପହାର ଅପେକ୍ଷା ଗଛର ଉପହାର ଯେ କେତେ ମୂଲ୍ୟବାନ୍ ତାହା ସେ ଅଙ୍ଗେ ଲିଭାଇଲା ।

ସାଙ୍ଗସାଥୀମାନେ ଡାକ ପକାଇଲେ-ବର ଆସୁଛି । ଲକି ଭାବନା ରାଇଜରୁ ଫେରିଆସିଲା । ସେ ଚିନ୍ତାକଲା ସେ ପରଘରକୁ ଗଲେ ମଧ୍ୟ କିଛି ସ୍ମୃତି ନେଇଯିବ । ଯେଉଁଠାରେ ଜନ୍ମକଲା ବାପା, ମାଆ, ଭାଇ ଭଉଣୀ କେହି ନଥିଲେ ବି ସେହି ସ୍ମୃତିକୁ ନେଇ ବଞ୍ଚିବ । ବୋଉ ପାଖକୁ ଆସିଥାନ୍ତି । ଝିଅର ମନକଥା କେବଳ ମାଆ ବୁଝିପାରେ । ଲକି ବୋଉକୁ ଗୋଟି ଗୋଟି କରି ସବୁ କଥା କହିଲା ଏବଂ ପର ଗାଆଁକୁ ଗଲେ ମଧ୍ୟ ସେଠାରେ ସେ ବଗିଚାଟିଏ କରି ନିଜର ସୁଖ  ସଂସାର କରିବା ସହ ଶାନ୍ତିରେ ରହି ଅନ୍ୟର ଆଦର୍ଶ ହେବ ବୋଲି ଜଣାଇଲା । ମାଆ ସଙ୍ଗେ ସଙ୍ଗେ ପାଖ ପଡୋଶୀଙ୍କ ଘରୁ କେତୋଟି ଦରକାରୀ  ଗଛ ଯୋଗାଡ଼ କଲେ ଏବଂ ସେଗୁଡିକ ଯତ୍ନରେ ରଖିଲେ ଏବଂ ସେଗୁଡିକ ଯେପରି ଝିଅକୁ ଦେବାକୁ ନ ଭୁଲନ୍ତି ବୋଲି ବାପାଙ୍କୁ କହିଲେ । ବାସ୍ତବିକ ସ୍ନେହର ଡୋର ଯେ ଏତେ ପବିତ୍ର ତାକୁ କେହି କାଟିପାରିବେ ନାହିଁ  ବରଂ ଦୂରେଇ ଗଲେ ସ୍ନେହ ଅଧିକ ହୁଏ ଆଜି ତାହା ଜଣାପଡିଲା ।

ଗଛରୁ ହେଲେ ଜଗନ୍ନାଥ

ସେଦିନ ଥାଏ ରବିବାର ।ବାପା ବସି ଦୂରଦର୍ଶନରେ ସମ୍ବାଦ  ଦେଖୁଥାନ୍ତି । ଇଜି ବାପାଙ୍କ ପାଖରେ ବସିଥାଏ  । ଦୂରଦର୍ଶନରେ  ସମ୍ବାଦ ଦେଖୁଥାନ୍ତି । ଇଜି ବାପାଙ୍କ ପାଖରେ ବସିଥାଏ । ଦୂରଦର୍ଶନରେ ମୁଖ୍ୟ ପ୍ରସଙ୍ଗ ଥାଏ ଦାରୁ । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ମା’ ସୁଭଦ୍ରା ଆଉ ସୁଦର୍ଶନଙ୍କ ଦାରୁ ଚିହ୍ନଟ । ବନଯାଗ ଦଳ ଦେଉଳୀମଠରୁ ବାହାରି ଦାରୁ ଖୋଜୁଥାନ୍ତି । ଇଜି ବାପାଙ୍କ ଠାରୁ ‘ଦାରୁ’ ହେବା ପାଇଁ ଗଛର କେଉଁ କେଉଁ ଲକ୍ଷଣ ଥିବା ଦରକାର ସେ କଥା ବୁଝୁଥାଏ । ଗଛଟି ନିମ୍ବଗଛ ହେବା କାହିଁକି ଆବଶ୍ୟକ –ସେ ବିଷୟରେ ଗୋଟିଏ ଗୋଟି ପଚାରୁଥାଏ । ବାପା ମଧ୍ୟ ବୁଝାଇ ଚାଲିଥାନ୍ତି । ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଦାରୁ ଚିହ୍ନଟ ସରି ଶେଷକୁ ଥାଏ ଶ୍ରୀଜଗନ୍ନାଥଙ୍କ ଦାରୁ । ଜଗତସିଂହପୁର ଖରିପଡିଆରୁ ସେ ଦାରୁଟି ଚିହ୍ନଟ ହୋଇଥାଏ । ଦୂରଦର୍ଶନରେ ଦେଖାଯାଉଥାଏ କିଭଳି ସେଠାରେ ଲୋକମାନେ ଏକାଠି ହେଉଛନ୍ତି । ଯଜ୍ଞମଣ୍ଡପ ତିଆରି ହୋଇ ଯଜ୍ଞ ହେଉଛି । ଦଇତାପତିମାନେ ସେଠାରେ ଉପସ୍ଥିତ ଅଛନ୍ତି । ବିଦ୍ୟାପତି ନରସିଂହ ପତି ମହାପାତ୍ର, ବିଶ୍ଵାବସୁ ବିନାୟକ ଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ହୋଇ ଦାରୁଙ୍କର ସେବାବିଧି କରୁଛନ୍ତି ।

ଇଜିର ମନ ସେ ଜାଗାଟି ଦେଖିବାକୁ ଅଥୟ ହେଲା । ବାପାଙ୍କ ପାଖରେ ଜିଦ୍ କରିବସିଲା । ବାପା ଶେଷରେ ରାଜି ହେଲେ । ଇଜି ତା’ର ବୋଉ ଏବଂ ବାପାଙ୍କ ଶ ଖରିପଡିଆକୁ ବାହାରିଲା । ସେ ସ୍ଥାନଟି ତାଙ୍କର ଘରଠାରୁ ମାତ୍ର ୧୦ କି.ମି. ଦୂର । ଅଳ୍ପ ସମୟ ମଧ୍ୟରେ ସେଠାରେ ପହଞ୍ଚିଗଲେ । ସେଠାରେ ସେମାନେ ଦେଖିଲେ  ବଡଦାଣ୍ଡରେ ରଥଯାତ୍ରା ପରି ଗହଳି ଲାଗିଛି ।  ଦାରୁ ଥିବା ସ୍ଥାନକୁ ଲୋକଙ୍କ ସୁଅ ଛୁଟିଛି । ପିଲାଠାରୁ ବୁଢାଯାଏ ସମସ୍ତଙ୍କ ମନ ଚଞ୍ଚଳ । କେମିତି ଟିକେ ଦାରୁ ଦେବତାଙ୍କୁ ଦେଖିବୁ, ମୁଣ୍ଡିଆଟିଏ  ମାରିବୁ। ସେଠାରେ ବିଭିନ୍ନ ଉଠାଦୋକାନମାନ ବସିଛି । ଦାରୁ  ଦେବତାଙ୍କର ଫଟୋଚିତ୍ର ଚାଲିଛି । ତାଳସଜ, ପଇଡ ରାସ୍ତାର ଦୁଇପଟେ ଥୁଆ ହୋଇ ବିକ୍ରି ହେଉଛି । ଏସବୁ  ଦୃଶ୍ୟ ଦେଖି ଇଜିକୁ ଖୁବ୍ ଭଲ ଲାଗିଲା । ଟାଇଁ ଟାଇଁଆ ଖରା ଆଉ ଅସହ୍ୟ ଗୁଳୁଗୁଳିକୁ ଖାତିର ନ କରି ଇଜି ମାଡିଚାଲିଥାଏ ଆଗକୁ ଆଗକୁ । ଶେଷରେ ପହଞ୍ଚିଲେ ଶ୍ରୀଜଗନ୍ନାଥଙ୍କ ଦାରୁ ନିକଟରେ । ଇଜିକୁ ସବୁ ଆଶ୍ଚର୍ଯ୍ୟ ଲାଗୁଥାଏ । ହରିବୋଲ ହୁଳହୁଳି ପଡୁଥାଏ । ଦୀପମାନ ଜଳା ହେଉଥାଏ । ସମସ୍ତଙ୍କର ଆଖି ଲାଖି ରହିଥାଏ ଶ୍ରୀଜଗନ୍ନାଥଙ୍କ ଦାରୁ ଠାରେ ।

ମନଭରି ଶ୍ରୀଜଗନ୍ନାଥଙ୍କ ଦାରୁକୁ  ଦେଖିଲା ପରେ ଟଙ୍କତୋରାଣି ପିଇ, ଦାରୁମାନଙ୍କର ଫଟୋଚିତ୍ର ଧରି ଫେରୁଥାଏ । ଦେଖୁଥାଏ ରାସ୍ତାରେ ଉଭୟ ପାଖରେ ଗଛ ନାହିଁ । ତେଣୁ ତାତି ପ୍ରବଳ ହେଉଛି । ଲୋକମାନେ ଛାଇ ଟିକେ ପାଇଁ ଡହଳ ବିକଳ ହେଉଛନ୍ତି । ତେଣୁ ସେ ଭାବିଲା ଯଦି ରାସ୍ତାକଡରେ ଗଛ ଲଗାଯାଆନ୍ତା ତେବେ ଏ କଷ୍ଟ ମଧ୍ୟ ଦୂର ହୁଅନ୍ତା। ଆଉ ଯଦି କିଛି ନିମ୍ବଗଛ ଲଗାଯାଆନ୍ତା ତେବେ ସେଥିରୁ ମଧ୍ୟ ଭାଗ୍ୟରେ ଥିଲେ ଦାରୁଦେବତା ମିଳନ୍ତେ । ତେଣୁ ବାପାଙ୍କୁ ସବୁ ମନକଥା କହିଲା । ଇଜିର କଥା ବାପାଙ୍କ ମନକୁ ଛୁଇଁଲା । ବାପା ତାଙ୍କ କ୍ଲବ୍ ର ସଭ୍ୟମାନଙ୍କୁ ଏକାଠି କଲେ ଏବଂ ବର୍ଷାଦିନ ଆରମ୍ଭରୁ  ଏହି କାର୍ଯ୍ୟ କରିବେ ବୋଲି ସ୍ଥିର କଲେ ଏବଂ ପ୍ରଥମ ଗଛଟି ଇଜି ପୋତି ଏହି ଶୁଭକାର୍ଯ୍ୟ ଆରମ୍ଭ କରିବ ବୋଲି  ସିଦ୍ଧାନ୍ତ ହେଲା । ଇଜି ଏ କଥାଟିଏ ଏକମତ ହେବା ସହ ନିଜ ସାଙ୍ଗସାଥୀମାନଙ୍କୁ ଧରି ତାଙ୍କର ଗାଁ ପାଖ ନଈବନ୍ଧ ରାସ୍ତାରେ ଗଛ ଲାଗାଇବ ବୋଲି ବାପାଙ୍କ ନିକଟରେ ମଧ୍ୟ ଶପଥ କଲା । ବାଟଯାକ ଭାବୁଥାଏ ଏ ଜଗତରେ ସୁନା,ରୁପା, ତମ୍ବା,ହୀରା, ନୀଳା ପରି ଅମୂଲ୍ୟ ଜିନିଷ ଥିଲେ ମଧ୍ୟ ଜଗତର ନାଥ ଜଗନ୍ନାଥ ଗଛରୁ ତିଆରି ହେଉଛନ୍ତି  । ମୂଲ୍ୟବାନ୍ ଧାତୁକୁ କେହି ପୂଜା ତ କରୁନାହାନ୍ତି, ପୂଜା କରୁଛନ୍ତି ଗଛକୁ । ତେଣୁ ଗଛର ମୂଲ୍ୟ, ମୂଲ୍ୟବାନ୍ ଧାତୁଠାରୁ ବହୁ ଗୁଣରେ ଅଧିକ । ଏହାର ପ୍ରତ୍ୟେକ ଅଂଶ ଲୋକଙ୍କର ସେବା କରେ । ପ୍ରକୃତରେ ଗଛ ହିଁ ଆମର ସବୁକିଛି । ଗଛ ଆମର ଅତି ନିଜର ।

 

ଆଧାର – ଦି’ ପ୍ରିଣ୍ଟ ଏଣ୍ଡ ପ୍ରସେସ୍

3.6
Sagarika Bardhan Apr 08, 2016 12:51 PM

ଆମ ଜୀବନରେ ଗଛର ବହୁତ ମୂଲ୍ୟ ରହିଛି । ଏହି ଛୋଟ ଛୋଟ ଗପ ମାଧ୍ୟମରେ ପିଲା ଗଛର ମୂଲ୍ୟ ବୁଝିପାରିବେ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top