অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରୁଷ ବିପ୍ଲବ – କାରଣ ଓ ଫଳାଫଳ

ରୁଷ ବିପ୍ଲବ

୧୭୮୯ ମସିହାର ଫରାସୀ ବିପ୍ଲବ ପରେ  ୧୯୧୭ ମସିହାରେ ଘଟୁଥିବା ରୁଷ ବିପ୍ଲବ ପୃଥିବୀର ବୈପ୍ଲବିକ  ଇତିହାସର ଏକ ଗୁରୁତ୍ଵପୂର୍ଣ୍ଣ ଘଟନା   । ଫରାସୀ ବିପ୍ଲବ ସାରା ବିଶ୍ଵକୁ ମୁକ୍ତ, ସାମ୍ୟ ଓ ମୈତ୍ରୀର ବାର୍ତ୍ତା ଦେଇଥିବାବେଳେ ରୁଷ ବିପ୍ଲବ ସାମ୍ୟବାଦ , ସମାଜବାଦ ଓ ସମତାର ବାର୍ତ୍ତା ପ୍ରସାରଣ କରିଥିଲା   । ରୁଷ ବିପ୍ଳବ ପୃଥିବୀର ଅନେକ ଦେଶରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ସହାୟତା କରିଥିଲା   । ନିମ୍ନୋକ୍ତ କାରଣଗୁଡିକ ଏହି ବିପ୍ଲବ  ପାଇଁ ଦାୟୀ ଥିଲେ   ।

୧. ସ୍ଵେଛାଚାରି ଶାସନ

ରୁଷିଆରେ ଶାସନର ସମସ୍ତ କ୍ଷମତା ଜାର (ରୁଷିଆର ସମ୍ରାଟ ) ଙ୍କ ହାତରେ କେନ୍ଦ୍ରୀଭୁକ୍ତ ହୋଇଥିଲା   । ସେ ତାଙ୍କ ଦରବାରର ଅଳ୍ପ କେତେକ ଉପଦେଷ୍ଟାଙ୍କ ସାହାଯ୍ୟରେ ପ୍ରଜାମାନଙ୍କୁ ଶାସନ କରୁଥିଲେ   । ଶାସନ କ୍ଷେତ୍ରରେ ପ୍ରାୟ ସମସ୍ତ ନିଯୁକ୍ତି ଜାର ନିଜେ ହିଁ କରୁଥିଲେ  । ସେ ଥିଲେ ଦେଶର ପଦାତିକବାହୀନ ଓ ନୌବାହିନୀର ମୁଖ୍ୟ ସେନାପତି   । ସେ ରୁଷିଆ ଚର୍ଚ୍ଚର ମଧ୍ୟ ମୁଖ୍ୟ ଥିଲେ   । ସେ ଯାହାକୁ ଚାହିଁଲେ ତାକୁ ବନ୍ଦୀ କରିପାରୁଥିଲେ ବା ସୁଦୂର ବରଫାବୃତ୍ତ ସାଇବେରିଆକୁ ନିର୍ବାଚିତ କରୁଥିଲେ   ।

ସେ ବିନା ବିଚାରରେ ସେ କୌଣସି ଲୋକଙ୍କୁ ମୃତ୍ୟୁଦଣ୍ଡ ଆଦେଶ ଦେଇପାରୁଥିଲେ   । ଏହିପରିଭାବେ ରୁଷିଆରେ ଜାରମାନଙ୍କ ତ୍ରୁଟିପୂର୍ଣ୍ଣ ଏକଛାତ୍ରବାଦି ଶାସନ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କଲା     । ରୁଷ ବିପ୍ଲବ ପୂର୍ବରୁ ପ୍ରାୟ ଶହେ ବର୍ଷରୁ ଉର୍ଦ୍ଧ୍ଵ ସମୟ ରୋମାନୋଭ ବଂଶର ପାଞ୍ଚଜଣ ଜାର ରୁଷିଆରେ ସ୍ଵେଚ୍ଛାଚାରି ଶାସନକୁ ଚରମ ସୀମାରେ ପହଞ୍ଚାଇ ଦେଇଥିଲେ  । ଜାର ପ୍ରଥମ ଆଲେକଜାଣ୍ଡାର  (୧୮୦୧ -୧୮୨୫)  ପ୍ରତିକ୍ରିୟାଶୀଳ ନୀତି ପ୍ରବର୍ତ୍ତନ କରିଥିଲେ   ।  ଜାର ପ୍ରଥମ ଦ୍ଵିତୀୟ ନିକୋଲାସ (୧୮୨୫-୧୮୫୫) ଜଣେ ଅତ୍ୟାଚାରୀ ଶାସକ ଥିଲେ ଏବଂ ପ୍ରଗତିଶୀଳ ଚିନ୍ତାଧାରାର ଘୋର ବିରୋଧୀ ଥିଲେ  । ଜାର ଦ୍ଵିତୀୟ ଆଲେକଜାଣ୍ଡାର (୧୮୫୫-୧୮୮୧) ଦାସତ୍ଵ ଓ କୃଷି ଭୃତ୍ୟ  ପ୍ରଥା ଉଚ୍ଛେଦ ଓ ସାମ୍ବିଧାନିକ ସଂସ୍କାର ଭଳି କେତେକ ଉଦାରନୀତି ଅବଲମ୍ବନ କରିଥିଲେ ସୁଦ୍ଧା ରାଜତ୍ଵର ସେସ ଭାଗରେ ଦମନମୂଳକ ନୀତି ପ୍ରବର୍ତ୍ତନ କରି ଜଣେ ଆତତାୟୀ ଦ୍ଵାରା ନିହତ ହୋଇଥିଲେ   ।  ରୁଷିଆରେ ୪୫୦  ଲକ୍ଷ ଅର୍ଥାତ ଜଣସଂଖ୍ୟାର ପରୟା ଅର୍ଦ୍ଦେକ ଭାଗ କୃଷିଭୃତ୍ୟ ବା ସର୍ଫ ଥିଲେ   । ସେମାନଙ୍କ ମଧ୍ୟରୁ ୨୩୦ ଲକ୍ଷ ଥିଲେ ଜାରଙ୍କ ପ୍ରତ୍ୟକ୍ଷ ଅଧିକାରଭୁକ୍ତ ଓ ଅନ୍ୟମାନେ ଘରୋଇ ସମ୍ଭ୍ରାନ୍ତଙ୍କ ଅଧୀନରେ ରହିଥିଲେ    ।  ସମସ୍ତ ପ୍ରକାର ଅଧିକାରରୁ ବଞ୍ଚିତ ହୋଇ ସେମାନେ ଅତି ଶୋଚନୀୟ ଅବସ୍ଥାରେ ଜୀବନଜାପାନ କରୁଥିଲେ    । ୧୮୬୧ ମସିହାରେ ଜାର ଦ୍ଵିତୀୟ ଆଲେକଜାଣ୍ଡାର ଦାସତ୍ଵ ମୋଚନ ରାଜାଜ୍ଞା ଘୋଷଣା କରି କୃଷିଭୃତ୍ୟମାନଙ୍କୁ ମୁକ୍ତ କରିଥିଲେ   । ଏବଂ ସେମାନଙ୍କୁ ସାମାଜିକ ଅଧିକାର ପ୍ରଦାନ କରିଥିଲେ   । ଏଥିପାଇଁ ତାଙ୍କୁ “ମୁକ୍ତଦାତା ଜାର “ ବୋଲି ଆଖ୍ୟାୟିତ କରାଯାଇଛି   । ତାଙ୍କ ଉତ୍ତାରାଧିକାରୀ ଜାର ତୃତୀୟ ଆଲେକଜାଣ୍ଡାର (୧୮୮୧-୧୮୯୪) ଜଣେ ନିଷ୍ଠୁର ଓ ନିରଙ୍କୁଶ ଶାସକ ଥିଲେ   । ତାଙ୍କର ଦମନଲୀଳା ଦେଶରେ ଆତଙ୍କ ଖେଳାଇ ଦେଇଥିଲେ  । ତାଙ୍କ ପରେ ୧୮୯୪ ମସିହାରେ ଦ୍ଵିତୀୟ ନିକୋଲାସ (୧୮୯୪-୧୯୧୭) ରୁଷିଆରେ ଜାର ହେଲେ   ।  ସେ ଜଣେ ଉତ୍ତମ , ଚରିତ୍ର ଓ ଧାର୍ମିକ ମନୋବୃତ୍ତି ବ୍ୟକ୍ତି ଥିଲେ ସୁଦ୍ଧା ଅତ୍ୟନ୍ତ ଦୁର୍ବଳମନା ଥିଲେ   । ସେ ତାଙ୍କ ପ୍ରଜା ଓ କର୍ମଚାରୀଙ୍କ ପ୍ରତି ଖୁବ ଉଦାର ଥିଲେ କିନ୍ତୁ ସ୍ଵେଚ୍ଛାଚାରି ଥିଲେ   । ଦ୍ଵିତୀୟ ନିକୋଲାସଙ୍କ ସମୟରେ ଜାର ଶାସନ ବିରୋଧରେ ଲୋକମାନଙ୍କ ଅସନ୍ତୋଷ ଘନୀଭୂତ ହୋଇ ବିପ୍ଲବର ସୂତ୍ରପାତ ହେଲା   ।

୨.ସାମାଜିକ ବୈଷମ୍ୟ

ରୁଷିଆର ସମାଜ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ ହୋଇଥିଲା   । ଗୋଟିଏ ଥିଲା “ ଥିଲାବାଲା “ ଶ୍ରେଣୀ ଓ ଅନ୍ୟଟି ଥିଲା “ ନଥିଲାବାଲା “  ଶ୍ରେଣୀ   । ଧନିକ ଗୋଷ୍ଠୀର ଲୋକମାନେ “ ଥିଲାବାଲା “ ଶ୍ରେଣୀର ଅନ୍ତର୍ଭୁକ୍ତ  ଥିଲେ  । ସେମାନେ ଜାରଙ୍କ ଏକଛତ୍ରବାଡି ଓ ସ୍ଵେଚ୍ଛାଚାରିତାକୁ ସମର୍ଥନ କରୁଥିଲେ   । ସେମାନେ ଶାସନର ପ୍ରାୟ ସମସ୍ତ ପଦପଦବୀ ଅଧିକାର କରିଥିଲେ ଓ ଦେଶର ସମସ୍ତ ଜମିର ମାଲିକ ଥିଲେ  । ସେମାନେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଓ ପ୍ରଭୂତ କ୍ଷମତା ଉପଭୋଗ କରୁଥିଲେ   । “ନ ଥିଲାବାଲା “ ଶ୍ରେଣୀରେ ଥିଲେ କୃଶକ ଓ ଶ୍ରମିକ    । ସେମାନେ ଧନିକ ଗୋଷ୍ଠୀର ଲୋକଙ୍କ ଅମାନୁଷିକ ବ୍ୟବହାରରେ ଅତିଷ୍ଟ ହେଉଥିବା   ।ରୁଷିଆରେ ଦାସତ୍ଵ ପ୍ରଥା ଉଚ୍ଛେଦ  ହୋଇ ଯାଉଥିଲେ ସୁଦ୍ଧା ଗରିବମାନଙ୍କ ସାମାଜିକ ବ୍ୟବସ୍ଥାରେ କିଛି ଉଲ୍ଲେଖନୀୟ ପରିବର୍ତ୍ତନ  ହୋଇ ନଥିଲା   । ଶ୍ରମିକମାନେ ସହରରେ ଅତି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଛୋଟ ଛୋଟ ଘରେ ରହୁଥିଲେ ସେମାନଙ୍କ ମଧ୍ୟରେ ଅଧିକାଂଶ “ ଭୋଦକା “ ନାମକ ଏକ ଦେଶୀୟ ନିଶାକାରୀ ପାନୀୟପ୍ରତି ଆସକ୍ତଥିଲେ   ।

ଅସ୍ୱାସ୍ଥ୍ୟକର ପରିବେଶ, କ୍ଷୁଧା ଓ ନିଶାଦ୍ରବ୍ୟ ସେବନର ଅଭ୍ୟାସ ଫଳରେ ଅନେକ ରୋଗାକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁବରଣ କରୁଥିଲେ   । ଏହି ନିମ୍ନ ଶ୍ରେଣୀର ଲୋକଙ୍କ ସାମାଜିକ କଲ୍ୟାଣ ତଥା ଜୀବନଧାରଣର ଉନ୍ନତି ଦିଗରେ ଜାର ସରକାର କୌଣସି ପଦକ୍ଷେପ ନେଲେ ନାହିଁ । ରୁଷିଆର ସାମାଜିକ ବୈଷମ୍ୟ ଲୋକମାନଙ୍କ ମଧ୍ୟରେ ଶ୍ରେଣୀ ସଂଘର୍ଷ ମନୋଭାବ ସୃଷ୍ଟି କଲା  । ଦେଶର ସାମାଜିକ ବ୍ୟବସ୍ଥାରେ ବିପ୍ଲବ ମାଧ୍ୟମରେ ଏକ ପୂର୍ଣ୍ଣାଙ୍ଗ ପରିବର୍ତ୍ତନ  ଆଣିବା ପାଇଁ ନିମ୍ନ ଶ୍ରେଣୀର ଲୋକମାନେ ସଂକଳ୍ପ ନେଲେ   ।

୩. ଅର୍ଥନୈତିକ ଅସମାନତା

ସାମାଜିକ ବୈଷମ୍ୟ ହେତୁ ରୁଷବାସୀଙ୍କ ମଧ୍ୟରେ ଅର୍ଥନୈତିକ ଅସମାନତା ଦେଖାଦେଲା   । କିଛି ଲୋକ ଅତ୍ୟନ୍ତ ଧନୀ ଓ ବିଭବଶାଳି ହୋଇଥିବାବେଳେ ଅଧିକାଂଶ ଲୋକ ଗରିବ ଓ ସର୍ବହରା ହୋଇ ରହିଥିଲେ   । ଏ ପ୍ରକାର ଅସମାନତା ଶୋଷକ ଓ ଶୋଷିତ ଶ୍ରେଣୀ ସୃଷ୍ଟି କଲା   । ଧନିକ ଓ ପୁଞ୍ଜିବାଦୀମାନେ କୃଷକ ଓ ଶ୍ରମିକମାନଙ୍କୁ ଶୋଷଣ କରି ନିଜେ ବିଳାସବ୍ୟସନ ରେ କାଳ କାଟୁଥିଲେ   । ୧୮୬୧ ମସିହାରେ ଜାର ଦ୍ଵିତୀୟ ଆଲେକଜାଣ୍ଡାର କୃଷିଭୃତ୍ୟ ପ୍ରଥା ଉଚ୍ଛେଦ କରିବା ସତ୍ତ୍ୱେ କୃଷକମାନଙ୍କ ଅର୍ଥନୈତିକ ଅବସ୍ଥାରେ ବିଶେଷ ଉନ୍ନତି ହୋଇନଥିଲା  । କେତେକ ପ୍ରତ୍ୟକ୍ଷ କର ସହିତ ଜମିବାଦବ ଅର୍ଥ ସରକାରଙ୍କୁ ଦେବାଦ୍ଵାରା ସେମାନଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହେଲା   । ଚାଷ ଯାନୀର ଆବଣ୍ଟନ ଠିକଭାବେ ନ ହେବାରୁ ବହୁଲୋକ ଭୂମିହୀନ ହୋଇଗଲେ   । ସେମାନେ ସର୍ବହରା ବା “ପ୍ରୋଳେତାରିଏତ “ ଭାବେ ପରିଚିତ ହେଲେ   ।

୪. ଶିଳ୍ପ ବିପ୍ଲବ ପ୍ରଭାବ

ଶିଳ୍ପ ବିପ୍ଲବ ପରିଣାମ ସ୍ୱରୂପ ରୁଷିଆର ପ୍ରାୟ ସମସ୍ତ ସହରରେ ବହୁ ସଂଖ୍ୟାରେ କଳାକାରଖାନା ଓ ନୂତନ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠିତ ହେଲା   । ଶ୍ରମିକମାନଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇଲା   । ସ୍ୱଳ୍ପ ମଜୁରିରେ ସେମାନଙ୍କ ଠାରୁ ଅଧିକ ଶ୍ରମ ଆଦାୟ କରାଗଲା   । ଦେଶର ଉତ୍ପାଦନ ବୃଦ୍ଧି ପାଇଲା ଏବଂ ରୁଷିଆର ଅର୍ଥନୀତି ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ଘଟିଲା   । କିନ୍ତୁ ଶ୍ରମିକମାନଙ୍କ ଜୀବନ ଧାରଣରେ କୌଣସି ଉନ୍ନତି ହେଲା ନାହିଁ   । କେତେକ ଶିଳ୍ପ ଓ କଳ କରାଖାନାରେ ଅଳ୍ପ ସମୟରେ ଅଧିକ ଉତ୍ପାଦନ କରିବା ପାଇଁ ଉତ୍ପାଦନ ପଦ୍ଧତିରେ ନୂତନ ଯନ୍ତ୍ରପାତିର ବ୍ୟବହାର ହେଲା   । ଛଟେଇ ହୋଇଥିବା ଶ୍ରମିକମାନଙ୍କ ଅବସ୍ଥା ଶୋଚନୀୟ ହେବାରୁ ସେମାଏନ ଅଳ୍ପ ପାରିଶ୍ରମିକରେ ଅଧିକ ବାଧ୍ୟ ହେଲେ  ।ସାମାନ୍ୟ ମଜୁରିରେ ପରିବାର ପୋଷଣ ସମ୍ଭବ ନ ହେବାରୁ ସେମାନେ ନିଜର ସ୍ତ୍ରୀ ଓ ପିଲାମାନଙ୍କୁ ମଧ୍ୟ ଶ୍ରମିକଭାବେ କାର୍ଯ୍ୟରେ ଲଗାଇଲେ   । ପୁଞ୍ଜି ଓ ଶ୍ରମିକମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଖରାପ ହେଲା  । ଏଭଳି ପରିସ୍ଥିତିରେ ଶ୍ରମିକମାନେ ନିଜର ସଂଘ ଗଠନ କରି ସେମାନଙ୍କ ସମସ୍ୟା ଓ ତାର ଶିଳ୍ପକ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ନିଷ୍ପତ୍ତି ନେଲେ   ।

୫. ବୌଦ୍ଧିକ ଚେତନା

ପାଶ୍ଚାତ୍ୟ ଇଉରୋପର ଉଦାର ରାଜନୈତିକ ଚିନ୍ତାଧାରା ରୁଷିଆର ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀକୁ ଗଭୀରଭାବେ ପ୍ରଭାବିତ କରିଥିଲେ   । ରୁଷିଆର ପ୍ରଗତିଶୀଳ ମତବାଦ ଗୁଡିକର ପ୍ରଚାରରେ ଜାରଙ୍କ ପ୍ରତିବନ୍ଧକ ସ୍ଵତ୍ତ୍ୱେ  ଅନେକ ପାଶ୍ଚାତ୍ୟ ସାହିତ୍ୟ ରୁଷ ଭାଷାରେ ଅନୂଦିତ ହୋଇ ଶିକ୍ଷିତ ଲୋକଙ୍କ ଦ୍ଵାରା ପଠିତ ହେଲା  । ଏହାଛଡା ଲିଓ ଟଲଷ୍ଟୟ , ଲାଭରୋଭ  ଆଦି ଚିନ୍ତାଶୀଳ ଲେଖକଙ୍କ ରଚନା ଶିକ୍ଷିତ ରୁଷବାସୀଙ୍କ ଉପରେ ବିଶେଷ ପ୍ରଭାବ ପକାଇଥିଲେ  । କିନ୍ତୁ ରୁଷବାସୀ ସବୁଠାରୁ ବେଶୀ  ପ୍ରଭାବିତ ହୋଇଥିଲେ ଜର୍ମାନୀରେ ଜନ୍ମିତ ମହାନ ଚିନ୍ତାନାୟକ କାର୍ଲ ମାର୍କ୍ସଙ୍କ ଆଦର୍ଶବାଦରେ   । ବନ୍ଧୁ ଫ୍ରେଡେରିକ ଏଞ୍ଜେଲ୍ସଙ୍କ ସହ ମିଶି ୧୮୪୮ ମସିହାରେ ତାଙ୍କର ବୈପ୍ଲବିକ  ଚିନ୍ତାଧାରା ସମ୍ବଳିତ ପ୍ରସିଦ୍ଧ ପୁସ୍ତିକା “କମ୍ୟୁନିଷ୍ଟ ମାନିଫେଷ୍ଟୋ “ ପ୍ରକାଶ କଲେ   ।

ମାନବ ଜାତିର ଶୋଷକ ଓ ଶୋଷିତ ବା ପୁଞ୍ଜିପତି ଓ ସର୍ବହରା ଶ୍ରେଣୀରେ ବିଭାଜନ ଏବଂ ସମାଜରେ ହେଉଥିବା ଅବିରତ ଶ୍ରେଣୀ ସଂଘର୍ଷ ସମ୍ପର୍କରେ ଆଲୋଚନା କରିଛନ୍ତି   । ମାର୍କ୍ସଙ୍କ ମତ ଅନୁସାରେ ଦେଶର ଜମି ଓ କଳକାରଖାନା ତଥା ଅନ୍ୟାନ୍ୟଜ ଉତ୍ପାଦକ ସମ୍ପଦର ମାଲିକ ହେଉଛିଜ ସମାଜ ବା ରାଷ୍ଟ୍ର   । କୃଷକ ଓ ଶ୍ରମିକଙ୍କ ଝାଳବୁହା ପରିଶ୍ରମରେ ଉତ୍ପାଦନ ସମ୍ପତ୍ତିକୁ ପୁଞ୍ଜିପତିମାନେ ଉପଭୋଗ କରନ୍ତି ଏବଂ ସମାଜରେ ଧନିକ ଓ ଦରିଦ୍ର ଶ୍ରେଣୀ ସୃଷ୍ଟି କରନ୍ତି  ,। ଏହି ଶୋଷଣ ଓ ବୈଷମ୍ୟ ବିରୋଧରେ ବିପ୍ଲବ କରିବା ପାଇଁ କାର୍ଲ ମାର୍କ୍ସ ପ୍ରୋଲେତାରିଏତ ବା ସର୍ବହରାମାନଙ୍କୁ ଆହ୍ଵାନ ଦେଇଥିଲେ   ।  ମାର୍କ୍ସଙ୍କ ଆଦର୍ଶବାଦରେ ଉଦବୁଦ୍ଧ ହୋଇ ରୁଷିଆର ଜନସାଧାରଣ ଧନିକ ଓ ପୁଞ୍ଜିବାଦୀଙ୍କ ଶୋଷଣ ବିରୋଧରେ ବିପ୍ଲବ କରିବାକୁ ଆଗେଇ ଆସିଲେ   । ଶିଳ୍ପ ବିପ୍ଲବରୁ ଶ୍ରୂଷୀ ହୋଇଥିବା ପୁଞ୍ଜିବାଦ ଉପରେ ମଧ୍ୟ ସେ ଗବେଷଣା କରିଥିଲେ   । ୧୮୬୭ ରେ ତାଙ୍କ ରଚିତ “ଦ କ୍ୟାପିଟାଲ “ ପୁସ୍ତକର ପ୍ରଥମ ଖଣ୍ଡ ପ୍ରକାଶିତ ହୋଇଥିବା   । ଉକ୍ତ ପ୍ରସ୍ତକର ଦ୍ଵିତୀୟ ଓ ତୃତୀୟ ଖଣ୍ଡ ତାଙ୍କ ମୃତ୍ୟୁପରେ ତାଙ୍କ ବନ୍ଧୁ ଏଞ୍ଜେଲଙ୍କ ଦ୍ଵାରା ୧୮୮୫ ରୁ ୧୮୯୫ ମଧ୍ୟରେ ପ୍ରକାଶ ପାଇଥିଲା   ।

୬. ଭିନ୍ନ ଭିନ୍ନ ଦଳ ଗଠନ

ରୁଷୀୟ ସମାଜରେ ସବୁଠାରୁ ଦୁସ୍ଥ ଓ ଅବହେଳିତ ଅବସ୍ଥାରେ ଥିଲେ କୃଷକ ଓ ଶ୍ରମିକ   । ସେମାନେ ଥିଲେ ଶୋଷିତ ଶ୍ରେଣୀରେ   । ଏହି ସର୍ବହରା ଗୋଷ୍ଠୀକୁ “ ପ୍ରୋଲେତାଋଏତ “ କୁହାଯାଉଥିଲେ   । ସେମାନେ ଜାରଙ୍କ ସ୍ଵେଚ୍ଛାଚାରିତା ଓ ଶୋଷକ ଶ୍ରେଣୀୟ ଅନ୍ୟାୟ ବିରୋଧରେ ଭିନ୍ନ ଭିନ୍ନ   ଦଳରେ ସଂଗଠିତ ହେଲେ   । ୧୯୦୧ ମସିହାରେ ଭୂମିହୀନ କୃଷକମାନେ “ସାମାଜିକ ବିପ୍ଳବୀ ଦଳ “ ଗଠନ କରିଥିଲେ   । ଧନିକମାନଙ୍କ ଠାରୁ ଜମି ଛଡାଇଆଣି କୃଷକମାନଙ୍କୁ ବଣ୍ଟନ କରିବା ଥିଲା ଏହି ଦଳ ମୁଖ୍ୟ ଲକ୍ଷ୍ୟ  । ପୂର୍ବରୁ  ୧୮୯୫ ମସିହାରେ ଅସନ୍ତୁଷ୍ଟ ଶ୍ରମିକମାନେ “ ସାମାଜିକ ଗଣତାନ୍ତ୍ରିକ ଦଳ ଗଠନ କରିଥିଲେ   । ଏହି ଦଳରେ କେତେଜଣଙ୍କ ମଧ୍ୟରେ ମତଭେଦ ହେବାରୁ ୧୯୦୩ ମସିହାରେ ଦଳ ଦୁଇଭାଗ ହୋଇଗଲା   । ମୂଳ ଦଳକୁ କୁହାଗଲା ମେନସେଭିକ ଦଳ ଓ ଏହାର ନେତୃତ୍ଵ ନେଇଥିଲେ ମାରତୋଭ   । ଏହି ଦଳ ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରଚଳିତ ବ୍ୟବସ୍ଥାର ପରିବର୍ତ୍ତଣ ଚାହୁଁଥିଲେ   । ଅନ୍ୟ  ଭାଗତି “ ବୋଲସେଭିକ ଦଳ “ ଭାବରେ ନାମିତ ହେଲା   ।  ବୋଲସେଭିକମାନେ ଚରମପନ୍ଥୀ ଥିଲେ ଏବଂ ବୈପ୍ଲବିକ ଉପାୟରେ ଜାର ଶାସନର ବିଲୋପ ଘଟାଇ ପ୍ରୋଲେତାରିଏତ ଶାସନ ପ୍ରତିଷ୍ଠା କରିବାକୁ ଚାହୁଁଥିଲେ   ।  ସେମାନେ ନେତୃତ୍ଵ   ନିଇଥିଲେ ମାର୍କ୍ସବାଦର ସବୁଠାରୁ ନିଷ୍ଠାବାନ ଅନୁଗାମୀ ଲେନିନ   । ସେ ହିଁ ଥିଲେ ରୁଷର ଅକ୍ଟୋବର ବିପ୍ଲବର କର୍ଣ୍ଣଧାର   । ତାଙ୍କରି ବଳିଷ୍ଟ ନେତୃତ୍ଵ ବିପ୍ଲବର ସଫଳତା ଆଣିଥିଲା   ।

୭. ଅପାରଗ ଅମଲାତନ୍ତ୍ର

ରୁଷିଆ  ଅମଲାତନ୍ତ୍ରର ଅଧିକାଂଶ ଉଚ୍ଚ ପଦବୀଧାରୀ ଅଫିସର ଧନୀକ ଶ୍ରେଣୀର ଥିଲେ   । ସେମାନଙ୍କର ସାଧାରଣ ଲୋକଙ୍କ ପ୍ରତି କୌଣସି ସହାନୁଭୁତି ନଥିଲା   । ସେମାନେ ଗରିବ ଲୋକଙ୍କୁ ଶୋଷଣ କରୁଥିଲେ  । ସେମାନେ କେବଳ ଜରଙ୍କ ପାଇଁ କାମ କରୁଥିଲେ    । ଶାସନରେ ସେମାନଙ୍କର ଦକ୍ଷତା ନଥିଲା   । ସେମାନଙ୍କ ଅକ୍ଷମତା ଯୋଗୁଁ ଦେଶରେ ଦୁର୍ନୀତି ଓ ପ୍ରିୟାପ୍ରୀତିତୋଷଣ ବୃଦ୍ଧି ପାଇଲା   । ଲୋକମାନଙ୍କ ମଧ୍ୟରେ ଏହା ବିରକ୍ତି , ଅସନ୍ତୋଷ ଓ ହତାଶାଭାବ ସୃଷ୍ଟି କଲା   । ସମଗ୍ର ଦେଶରେ ଅଶାନ୍ତି ଓ ଅରାଜକଟା ବ୍ୟାପିଗଲା   । ରୁଷବାସୀ ଶାସନରେ ଏକ ଆମୂଲଚୂଳ ପରିବର୍ତ୍ତନ ଆଣିବା ବଦ୍ଧପରିକର ହେଲେ   ।

୮. ନିରୁତ୍ସାହିତ ସୈନ୍ୟବାହିନୀ

ରୁଷିଆର ଏକଛାତ୍ରବାଦୀ ସରକାର ଏହାର ସୈନ୍ୟବାହିନୀକୁ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ଯୋଗାଇବା ପାଇଁ ଆଗ୍ରହ ପ୍ରକାଶ କରି ନଥିଲା   ।ଯୁଦ୍ଧ କ୍ଷେତ୍ରରେ ରୁଷିଆ ସୈନ୍ୟମାନେ ଭୋକ ଉପାସ ଓ ଯୁଦ୍ଧ ଉପକରଣର ଅଭାବ ଯୋଗୁଁ ମୃତ୍ୟୁବରଣ କରୁଥିଲେ   । ରୁଷିଆର ସରକାର ଓ ଅମଲାତନ୍ତ୍ର ଦ୍ଵାରା ଯୁଦ୍ଧପାଣ୍ଠିର ଦୂରପଯୋଗ ହେଉଥିଲେ   । ୧୮୫୪ – ମସିହାରେ କ୍ରିମିଆଯୁଦ୍ଧ ଓ ୧୯୦୪ ମସିହାର ରୁଷ – ଜାପାନ ଯୁଦ୍ଧରେ ପରାସ୍ତ ହେବାଦ୍ଵାରା ରୁଷିଆର ସମ୍ମାନ କ୍ଷୁର୍ଣ୍ଣ ହୋଇଥିଲା  । ଏହି ଯୁଦ୍ଧଗୁଡିକରେ ରୁଷିଆ ଭଳି ଏକ ବୃହତଶକ୍ତିର ସୈନ୍ୟବାହିନୀର ବିଫଳତା ଜାରଶାସନର ଦୁର୍ବଳତାକୁ ପ୍ରମାଣ କଲା ଏବଂ ବ୍ୟାପକଭାବେ ପ୍ରଚାରିତ ରୁଷ ଦେଶର ଆଜେୟତାକୁ ଭଙ୍ଗକରି ଦେଶ ପ୍ରତି ଦୁର୍ନାମ ଆଣିଲା   । ରୁଷର ଜନସାଧାରଣ ଅପମାନିତ ବୋଧ କଲେ ଏବଂ ସରକାରଙ୍କ ତୀବ୍ର ସମାଲୋଚନା କରି ସାମ୍ବିଧାନିକ ସଂସ୍କାର ସପକ୍ଷରେ ଆନ୍ଦୋଳନ କଲେ   ।

୯. ରକ୍ତାକ୍ତ ରବିବାର

୧୯୦୫ ମସିହା ଜାନୁଆରୀ ୨୨ ତାରିଖ ରବିବାର ଦିନ ଧର୍ମଯାଜକ ଫାଦର ଗ୍ୟାପନଙ୍କ ନେତୃତ୍ଵରେ ବହୁ ସଂଖ୍ୟକ ବିକ୍ଷୋଭକାରୀ ଜାର ଦ୍ଵିତୀୟ ନିକୋଲାସଙ୍କୁ ଏକ ଦାବିପତ୍ର ଦେବାପାଇଁ ସେଣ୍ଟ ପିଟରସବର୍ଗସ୍ଥିତ ଜାରଙ୍କ ଶୀତକାଳୀନ ପ୍ରାସାଦ ଅଭିମୁଖେ ଏକ ଶୋଭାଯାତ୍ରାରେ ଯାଉଥିଲେ  । ଜାରଏନକେ ନିର୍ଦ୍ଦେଶରେ ସୈନିକମାନେ ଶୋଭାଯାତ୍ରାକାରୀଙ୍କ ଉପରେ ଗୁଳି ଚାଳନା କରିବା ଫଳରେ ଅନେକ ମୃତ୍ୟୁ ବରଣ କଲେ ଓ ବହୁ ସଂଖ୍ୟକ ଆହତ ହେଲେ   । ଏହି ସମ୍ବାଦ ପ୍ରଚାରିତ ହେବାମାତ୍ରେ ଦେଶସାରା ଧ୍ଵଂସଲୀଳା ଆରମ୍ଭ ହୋଇଗଲା ଏବଂ ଚାରିଆଡେ ଜଣ ଆନ୍ଦୋଳନ ବ୍ୟାପିଗଲା  । ଉକ୍ତ ଦିବସତି ରୁଷ ଇତିହାସର “ରକ୍ତାକ୍ତ ରବିବାର “ ଭାବେ ନାମିତ   ।

୧୦. କ୍ଷମତାବିହୀନ ଡୁମା

ବ୍ୟାପକ ଜନ ଆନ୍ଦୋଳନ ଆଗରେ ମୁଣ୍ଡ ନୂଆଁଇ ୧୯୦୫ ଅଗଷ୍ଟ ମାସରେ ଜାର ଦ୍ଵିତୀୟ ନିକୋଲାସ ଆଇନ ପ୍ରଣୟନ କରିବା କ୍ଷମତା ନ ଥାଇ କେବଳ ପରାମର୍ଶ ଦେବାପାଇଁ ଏକ ନିର୍ବାଚିତ ସଂସଦ ବା ଡୁମା ଆହ୍ଵାନ କରିବାକୁ ଆଦେଶ ଜାରିକଲେ   । ଏଥିରେ ସନ୍ତୁଷ୍ଟ ନ ହୋଇ ରୁଷବାସୀ ଦେଶବ୍ୟାପି ଆନ୍ଦୋଳନ କଲେ   । ବାଧ୍ୟହୋଇ ଜାର ସେହିବର୍ଷ ଅକ୍ଟୋବର ୩୦ ତାରିଖରେ ଏକ ଇସ୍ତାହାର ଘୋଷଣା କଲେ   । ଏହାକୁ “ ଅକ୍ଟୋବର ଇସ୍ତାହାର “ କୁହାଯାଏ   । ତଦନୁଯାୟୀ ଅନ୍ୟାନ୍ୟ ପ୍ରସଙ୍ଗ ବ୍ୟତୀତ “ଡୁମା” କୁ ଆଇନ ପ୍ରଣୟନ  କ୍ଷମତା ଦିଆଗଲା   । ୧୯୦୬ ମେ ମାସ ୬ତାରିଖରେ ଦ୍ଵିତୀୟ ନିକୋଲାସଙ୍କର ପ୍ରଥମ ଡୁମା ମହାସମାରୋହରେ ଉଦଘାଟିତ ହେଲା   । କିନ୍ତୁ ଡୁମା ହାତରେ ପ୍ରକୃତ କ୍ଷମତା ନ ଥିଲା   । ସଭ୍ୟମାନେ ଜାରଙ୍କ ସ୍ଵେଚ୍ଛାଚାରିଟାକୁ  ନିୟନ୍ତ୍ରଣ କରିବା ପାଇଁ ଅଧିକାର ଚାହିଁବାରୁ ସେହି ବର୍ଷ ଜୁଲାଇ ମାସରେ ଜାର ତୁମାକୁ ଭଙ୍ଗ କାଲେ   । ୧୯୦୭ ମସିହା ମାର୍ଚ୍ଚ ମାସ ରେ ଜାର ଦ୍ଵିତୀୟ ଡୁମା ଆହ୍ଵାନ କଲେ କିନ୍ତୁ ମନ୍ତ୍ରିମଣ୍ଡଳ ସଙ୍ଗେ ମତାନ୍ତର ହେବାରୁ ଚାରିମାସପରେ ଭାଙ୍ଗି ଦେଲେ   । ଭୋଟଦାତାଙ୍କ ସଂଖ୍ୟା ହ୍ରାସ କରି ଜାର ତୃତୀୟ ଡୁମା ନିର୍ବାଚିତ କରାଇଲେ   । ଏହାର ସଭ୍ୟମାନେ ଜାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ କରିବାକୁ ଏହା ପାଞ୍ଚବର୍ଷଧରି ୧୯୧୨ ମସିହା ପର୍ଯ୍ୟନ୍ତ ତିଷ୍ଠି ରହିଆ   । କିନ୍ତୁ ୧୯୧୨ ମସିହାରେ ଗଠିତ ଚତୁର୍ଥ ଡୁମାର ସଦସ୍ୟମାନେ ଅତ୍ୟନ୍ତ  ରକ୍ଷଣାଶୀଳ ଥିଲେ ଏବଂ ଜାରଙ୍କ କ୍ରୀଡନକଭାବେ କାର୍ଯ୍ୟ କଲେ   ଫଳରେ ଏହା ଏକ ବିଧାୟକ ସଭା ନ ହୋଇ କେବଳ ଏକ ପରାମର୍ଶ ସଭା ହୋଇଗଲା   ।

୧୧. ଜାରିନା ଓ ରାସଫୁଟିନଙ୍କ ହସ୍ତକ୍ଷେପ

ଜାର ଦ୍ଵିତୀୟ ନିକୋଲାସ ପତ୍ନୀ ଜାରିନୀ ଆଲେକଜନ୍ଦ୍ରା  ମଧ୍ୟ ସ୍ଵଚ୍ଚେଚାରୀ ପ୍ରକୃତିରେ ଥିଲେ   । ସେ ଜଣେ ଅହଙ୍କାରୀ ଓ ସକୀର୍ଣ୍ଣମନା ନାରୀ ଥିଲେ   ।  ଅତ୍ୟନ୍ତ କ୍ଷମତା ଲୋଭୀ ଜାରିନା ସବୁବେଳେ ଜାର ଦ୍ଵିତୀୟ ନିକୋଲାସଙ୍କୁ ନୀରଙ୍କୁସ  ଓ କଠୋର  ଶାସନ କରିବା ପାଇଁ ପ୍ରରୋଚିତ କରୁଥିଲେ   । ପରବର୍ତ୍ତୀ ସମୟରେ ଅନ୍ଧବିଶ୍ଵାସର ଶିକାର ହୋଇ ଜାରିନା ଜେନ ଭଣ୍ଡ ସନ୍ନ୍ୟାସୀଙ୍କ ପୁତ୍ତଳିକା ସଦୃଶ ହୋଇଗଲେ   । ତାଙ୍କ ନାମ ଥିଲା ଗ୍ରୀଗୋରୀ ଏଫିମୋଭିଚ କିନ୍ତୁ ସେ ରାସଫୁଟିନ ନାମରେ ପରିଚିତ ଥିଲେ  । ଜାରିନାଙ୍କ ଜରିଆରେ ରାସପୁଟିନ ଜାର ଏବଂ ଟକ ଶାସନ ଉପରେ ଅଖଣ୍ଡ ପ୍ରଭାବ ବିସ୍ତାର କଲେ   ।  ରାଜନୀତି ସମ୍ବନ୍ଧରେ ସମ୍ପୁର୍ଣ୍ଣ ଅଜ୍ଞଥାଇ ମଧ୍ୟ ସେ ସମସ୍ତ ରାଜକାର୍ଯ୍ୟରେ ହସ୍ତକ୍ଷେପ କଲେ   । ସେ ଯାହାକୁ ଚାହିଁଲେ ତାକୁ ଉଚ୍ଚ ପଦବୀରେ ରଖାଇ ପାରୁଥିଲେ   । ତାଙ୍କର ଉପଦେଶ ଅନୁସାରେ ଅନେକ ଦକ୍ଷ ଓ ଯୋଗ୍ୟ ମନ୍ତ୍ରିମଣ୍ଡଳ ବହିଷ୍କାର କଲେ   । ମନ୍ତ୍ରିମଣ୍ଡଳରେ ପ୍ରାୟତଃ ରାସପୁଟିନଙ୍କ ଚାଟୁକାରୀମାନେ ନିଯୁକ୍ତି ପାଇଲେ  ।  ପ୍ରକାରାନ୍ତେ ରୁଷକୁ ରାସପୁଟିନ ଶାସନ କଲେ   । ତାଙ୍କର ପ୍ରଭାବ ସାର ଦେଶରେ ଦୁର୍ନୀତି ଓ ବିଭ୍ରାନ୍ତ ବାତାବରଣ ସୃଷ୍ଟି କଲା   । ଫଳରେ ଜନସାଧାରଣ ରାଜପରିବାର ପ୍ରତି ଅସନ୍ତୁଷ୍ଠ ହେଲେ ଏବଂ ଦେଶର ଶାସନ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ସଂକଳ୍ପ ନେଲେ   ।

୧୨. ବିଶ୍ଵଯୁଦ୍ଧରେ ରୁଷିଆର ପରଜାୟ

ଦେଶର ଆଭ୍ୟନ୍ତରୀଣ ସମସ୍ୟାଗୁଡିକର ସମାଧାନ ଦିଗରେ କୌଣସି ଉଲ୍ଲେଖନୀୟ ପଦକ୍ଷେପ ନେବା ପରିବର୍ତ୍ତେ ରୁଷବାସୀଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ମିତ୍ରଶକ୍ତି ସପକ୍ଷରେ ଯୋଗଦେଲା  । ଯୁଦ୍ଧ ପାଇଁ ଜର୍ମାନୀ ତୁଳନାରେ ରୁଷିଆର ପ୍ରସ୍ତୁତି ଯଥେଷ୍ଟ ନଥିଲା   । ତାଛଡା ରୁଷୀୟ ସୈନ୍ୟମାନେ ନିରୁତ୍ସାହିତ ଥିଲେ  ଏବଂ ସେମାନଙ୍କ ମନୋବଳ ଦୃଢ ନଥିଲା   । ଫଳରେ ଯୁଦ୍ଧ ଆରମ୍ଭରୁ ହିଁ ରୁଷିଆ ପରାଜିତ ବାରଣ କରିବାରେ ଲାଗିଲା   । ବହୁ ସଂଖ୍ୟକ ରୁଷୀୟ ସୈନ୍ୟ ପ୍ରାଣ ହରାଇଲେଜ ଓ ବନ୍ଦୀ ହେଲେ   ।  ରୁଷୀୟ ସୈନ୍ୟବାହିନୀ କେନ୍ଦ୍ରଶକ୍ତିର ପରାଜୟର ଅପମାନ ସାଙ୍ଗକୁ ଯୁଦ୍ଧ ଯୋଗୁଁ ରୁଷିଆର ଆର୍ଥିକ ଅବସ୍ଥାର ଅବନତି ହେବାକୁ ଲାଗିଲା   । ଏହା ଅସନ୍ତୁଷ୍ଟ ଜନତାଙ୍କ ଜାରଙ୍କ ବିରୋଧରେ ବିପ୍ଲବ କରିବା ପାଇଁ ଉତ୍ତେଜିତ କଲା   ।

ବିପ୍ଲବର ସୂତ୍ରପାତ

ବିଭିନ୍ନ କାରଣରୁ ଉପୁଜିଥିବା ଜନ ଅସନ୍ତୋଷ ପୁଞ୍ଜିଭୂତ ହୋଇ ଏକ ବିପ୍ଲବ କରିବା ସପକ୍ଷରେ ରୁଷିଆରେ ଜନମତ ସୃଷ୍ଟି ହେଲା  । ଖାଦ୍ୟଶସ୍ୟ , ପୋଷାକ , ଜାଳେଣୀ ପ୍ରଭୁତି ଦୈନଦିନ ଆବଶ୍ୟକତା ଅଭାବ ବିପ୍ଲବର ଆଶୁ କାରଣ ହେଲା   । ବଜାରରେ ଜିନିଷପତ୍ରର ଘୋର ଅଭାବ  ଯୋଗୁଁ ଦରଦାମ ବହୁ ପରିମାଣରେ ବୃଦ୍ଧି ପାଇଲା   । ଗରିବ ଲୋକମାନେ ଅତି ଦୁଃଖ କଷ୍ଟରେ ଜୀବନ ଅତିବାହିତ କଲେ   । ସେମାନଙ୍କ ଦୃଢ ବିଶ୍ଵାସ ଥିଲା ଯେ ଦେଶରେ କୌଣସି ଜିନିଷର ଅଭାବ  ନଥିଲା , କିନ୍ତୁ ଅତ୍ୟାଧିକ ଲାଭ ଉଠାଇବା ପାଇଁ ଲୋଭୀ ପୁଞ୍ଜିପତିମାନେ ସେଗୁଡିକ ଲୁଚାଇ ରଖିଥିଲେ   ।  ରୁଷିଆ  ଅରାଜକତା ଓ ବିଶୃଙ୍ଖଳା ପରିସ୍ଥିତି ପାଇଁ ଜାର ଦ୍ଵିତୀୟ ନୀଲୋଲାସ ଉଦାସୀନ ଥିଲେ   । ବଜାରରେ ଜିନିଷପତ୍ରର ଅଭାବ ଦୂର କରିବା ପାଇଁ ସେ କୌଣସି ପଦକ୍ଷେପ ନେଲେ ନାହିଁ  । ଲୋକମାନେ ସେମାନଙ୍କ ଏଭଳି ଦୁର୍ଦ୍ଦଶାପାଇଁ ଜାରଙ୍କୁ ଦାୟୀ କଲେ ଏବଂ ବିପ୍ଲବ ପନ୍ଥା ଗ୍ରହଣ କଲେ   ।

ପ୍ରଥମ ପର୍ଯ୍ୟାୟ – ଫେବୃଆରୀ ବିପ୍ଲବ

୧୯୧୭ ମସିହା ମାର୍ଚ୍ଚ ମାସ ୮ ତାରିଖରେ ପ୍ରାୟ ଏକ ଲକ୍ଷ ଲୋକ ପେଟ୍ରୋଗ୍ରାଡ ସହରର ରାସ୍ତାଘାଟରେ ବିକ୍ଷୋଭ ପ୍ରଦର୍ଶନ କଲେ   । ଏହି ବିକ୍ଷୋଭରେ ହଜାର ହଜାର ସଂଖ୍ୟାରେ ମହିଳାମାନେ ମଧ୍ୟ ଯୋଗ ଦେଇଥିଲେ   । ବିକ୍ଷୋଭକାରୀ ମାନେ ଜର ଓ ଅମଲାତନ୍ତ୍ରର କର୍ମଚାରୀଙ୍କ ବିରୋଧରେ ସ୍ଲୋଗାନ ଦେଲେ   । ସରକାରୀ ଗୃହ ଓ କାର୍ଯ୍ୟାଳୟଗୁଡିକୁ ଘରେଉ କଲେ ଏବଂ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କଲେ   । ସାଂଘାତିକ ଖାଦ୍ୟ ସମସ୍ୟା ଯୋଗୁଁ ପାଊଁରୁଟି ଭାଟିଗୁଡିକ ଉପରେ ଚଢଉ କଲେ   । ଜାର ତାଙ୍କର ସାମରିକ ବାହିନୀକୁ ବିକ୍ଷୁବ୍ଧ ଜନତାଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଲେ କିନ୍ତୁ ସେମାନେ ଜାରଙ୍କ ନିର୍ଦ୍ଦେଶକୁ ମାଣିଲେ ନାହିଁ   । ଅପରନ୍ତୁ ସେମାନେ ବିକ୍ଷୋଭକାରୀଙ୍କ ସହିତ ଯୋଗ ଦେଲେ   । ସମଗ୍ର ଦେଶରେ ଆନ୍ଦୋଳନ ବ୍ୟାପିଲା  । ମାର୍ଚ୍ଚମାସ ୧୦ ତାରିଖରେ ଜାର ଡୁମାକୁ ଭଙ୍ଗ କଲେ   । ଡୁମାର ସଦସ୍ୟମାନେ କାରଙ୍କ ବିରୋଧରେ ବିଦ୍ରୋହ କରିବା ପାଇଁ ଜାଗ୍ରତ ହେଲେ ଏବଂ ଏକ କାମଚଳା ସରକାର ଗଠନ କରାଇବା ପାଇଁ ଘୋଷଣା କଲେ   । ସେହିଦିନ ସନ୍ଧ୍ୟାରେ ସୈନ୍ୟବାହିନୀ ଓ ଆନ୍ଦୋଳନକାରୀ ସେମାନଙ୍କ ପ୍ରତିନିଧିମାନଙ୍କୁ ନେଇ “ ସୋଭିଏତ “ ବା ଶାସନ ପରିଚାଳନା ପରିଷଦ ଗଠନ କଲେ   ।

ବିପ୍ଳବୀମାନେ ବଳ ପ୍ରୟୋଗ ପୂର୍ବକ ଜାର ଓ ତାଙ୍କ ସରକାର ଙ୍କୁ କ୍ଷମତାରୁ ହଟାଇ ମାର୍ଚ୍ଚମାସ ୧୨ ତାରିଖରେ ଏକ କାମଚଳା ସରକାର ପ୍ରତିଷ୍ଠା କଲେ ଏବଂ ଜାରଙ୍କୁ ରୁଷିଆର ରାଜଗାଦି ତ୍ୟାଗ କରିବା ପାଇଁ ଦାବି କଲେ   । ବିପ୍ଳବୀ ଓ ଜାରଙ୍କ ଅନୁଗତ ସାମରିକ କର୍ମଚାରୀଙ୍କ ମଧ୍ୟରେ ତୁମୁଳ ଲଢେଇ ହେଲା   । ବିପ୍ଳବୀମାନେ ସଫଳତା ହେଲେ   । ମାର୍ଚ୍ଚ ମାସ ୧୫ ତାରିଖରେ ଜାର ଦ୍ଵିତୀୟ ନୀଲୋଲାସ ରାଜଗାଦି ତ୍ୟାଗ କରିବାକୁ ବାଧ୍ୟ ହେଲେ   । ଏହିପରି ଭାବେ ରୁଷିଆରେ ତିନିଶହ ବର୍ଷରୁ ଅଧିକ ଶାସନ କରୁଥିବା ରୋମାନୋଭ ରାଜବଂଶର  ଅନ୍ତ ଘଟିଲା   । ଏହା ଥିଲା ୧୯୧୭ ମସିହାର ଫେବୃଆରୀ ବିପ୍ଲବ   ।

କାମଚଳା ସରକାର

ବିପ୍ଲବର ସୂତ୍ରପାତରେ କୃଷକ, ଶ୍ରମିକ ଓ ଗରିବ ଜନସାଧାରଣ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ କିନ୍ତୁ ରୁଷିଆର ଶାସନ କ୍ଷମତା ମଧ୍ୟବିତ୍ତ ଶ୍ରେଣୀର ହସ୍ତରେ ନ୍ୟସ୍ତ ହେଲା  । କାମଚଳା ରୁଷିଆର ତିନୋଟି ଦଳ ଏକ ମିଳିତ ସରକାର ଥିଲା   ।  ଫ୍ରିନ୍ସ ଲୋଭୋବ ଏହି ସରକାରଙ୍କ ମୁଖ୍ୟ ଥିଲେ   ।

ନୂତନ ସରକାରଙ୍କ ସାମ୍ବିଧାନିକ କାର୍ଯ୍ୟକାରିତା ଉପରେ ବିଶ୍ଵାସ ଥିଲା ଏବଂ କ୍ଷମତାକୁ ଆସିବାପରେ ଏହି ସରକାର ସଙ୍ଗେ ସଙ୍ଗେ କେତେକ ଗୁରୁତ୍ଵପୂର୍ଣ୍ଣ ସଂସ୍କାର ଘୋଷଣା କଲେ   । ନାଗରିକଙ୍କୁ ନିଜର ମତ ବ୍ୟକ୍ତ କରିବା ପାଇଁ  ଓ ସଂଘ ଗଠନ କରିବା ପାଇଁ ସ୍ଵାଧୀନତା ଦିଆଗଲା   । ଧର୍ମ ଓ ସମ୍ବାଦପତ୍ରର ସ୍ଵାଧୀନତା ଦିଆଗଲା   ।  ସମସ୍ତ ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରାଗଲା ଓ ନିର୍ବାଚିତ ଦଣ୍ଡ ଅନୁମତି ଦିଆଗଲା   । ବିନା ତଦନ୍ତରେ କାହାରୀକୁ ବନ୍ଦୀ କରିବା ନିଷେଧ ହେଲା   । ଏହା ନୂତନ ସମ୍ବିଧାନ ସଭା ଗଠନ ପାଇଁ  ଘୋଷଣା କରାଗଲା   ।  ପ୍ରାପ୍ତବୟସ୍କ ଭୋଟଦାନ ଅଧିକାର ପ୍ରଥା ଘୋଷଣା କରାଗଲା   । ଜୀଉମାନଙ୍କୁ ପୁନର୍ବାର ସେମାନଙ୍କର ରାଜନୈତିକ ,  ସାମାଜିକ ଓ ସାମରିକ ଅଧିକାର ଦିଆଗଲା   ।  ଫିନଲାଣ୍ଡର ସମ୍ବିଧାନୀକ ଅଧିକାରକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ଓ ପୋଲାଣ୍ଡକୁ ସ୍ଵୟଂଶାସନ ଅଧିକାର ପ୍ରଦାନ ପାଇଁ ଘୋଷଣା କରାଗଲା   ।

ଉଦାରନୀତି ସ୍ଵତ୍ତ୍ୱେ କାମଚଳା ସରକାର ବେଶୀ ଦିନ ତିଷ୍ଠି ପାରିଲା ନାହିଁ   । ଆରମ୍ଭରୁ ହିଁ ସରକାରଙ୍କୁ କେତେକ ପ୍ରତିବନ୍ଧକର ସମୁଖୀନ ହେବାକୁ ପଡିଥିଲା  । ସରକାର ବିଶ୍ଵଯୁଦ୍ଧରେ ରୁଷିଆର ଯୋଗଦାନରୁ ଚାଲୁ ରଖିବାକୁ ଚାହିଁଲେ କିନ୍ତୁ ଦେଶବାସୀ ଆର୍ଥିକ ଦୂରବସ୍ଥା ଓ ଖାଦ୍ୟାଭାବ କାରଣରୁ ଏବଂ ପରାଜୟଜନିତ ନିରୂତ୍ସାହିତ ସୈନ୍ୟବାହିନୀଯୋଗୁଁ ଯୁଦ୍ଧ ସପକ୍ଷରେ ନଥିଲା   । ଦ୍ଵିତୀୟତଃ ସମାଜବାଦ ନୀତି ଦ୍ଵାରା ପରିଚାଳିତ ଶ୍ରମିକମାନେ ସରକାରଙ୍କ ଘୋର ବିରୋଧ କଲେ   । ଶ୍ରମିକ ଓ ସୈନ୍ୟମାନଙ୍କର ସଂଗଠନ " ସୋଭିଏତ " ଏବଂ ଉଦାର ସରକାରଙ୍କ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ଓ ସରକାରଙ୍କ ଅନୁପଯୁକ୍ତ କାର୍ଯ୍ୟ ଶୈଳୀ ହେତୁ ସବୁବେଳେ ବିବାଦ ଦେଖାଦେଲା   । ତୃତୀୟତଃ  ବିନା କ୍ଷତି ପୂରଣରେ ଜମିମାଲିକଙ୍କ ଠାରୁ ଆଣି ଜମିକୁ କୃଷକମାନଙ୍କ ମଧ୍ୟରେ ବାଣ୍ଟିବା ବା ଶିଳ୍ପଗୁଡିକର ଜାତୀୟକରଣ କରି ତା ଉପରୁ ପୁଞ୍ଜିପତିମାନଙ୍କ ଅଧିକାର ଉଚ୍ଛେଦ କରିବା ପାଇଁ କୌଣସି ପଦକ୍ଷେପ ନହେବାରୁ କୃଷକ ଓ ଶ୍ରମିକମାନେ ସରକାରଙ୍କ ବିରୋଧୀ ହେଲେ   । ସମାଜବାଦୀ ନେତାମାନଙ୍କ ନେତୃତ୍ଵରେ ସେମାନେ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଉଗ୍ର ଓ ଧମକପୂର୍ଣ୍ଣ ପନ୍ଥା ଅବଲମ୍ବନ କଲେ  । ଏହା ଦେଶରେ ଏକ ଜଟିଳ ପରିସ୍ଥିତି ସୃଷ୍ଟି କଲା ଏବଂ ସରକାରଙ୍କ ପାଇଁ ସଫଳତାର ଶହ କାର୍ଯ୍ୟ କରିବା ଅସମ୍ଭବ ହୋଇପଡିଲା   ।

ଦ୍ଵିତୀୟ  ପର୍ଯ୍ୟାୟ - ଅକ୍ଟୋବର ବିପ୍ଲବ

ଲେନିନଙ୍କ ନେତୃତ୍ଵରେ ବୋଲସେଭିକ ଦଳଦ୍ଵାରା ଅକ୍ଟୋବର ବିପ୍ଲବ ସଂଗଠିତ ଓ ପରିଚାଳିତ ହୋଇଥିଲା ଏବଂ ବିପ୍ଲବର ସଫଳତା ପରେ ବୋଲସେଭିକ ଦଳ ରୁଷିଆର କ୍ଷମତା ଦଖଲ କରିଥିଲେ  । ସେଥିପାଇଁ ଏହି ବିପ୍ଲବକୁ " ବୋଲସେଭିକ ବିପ୍ଲବ " ବୋଲି ମଧ୍ୟ କୁହାଯାଏ   ।

୧୯୦୦ ମସିହାରେ ନିର୍ବାସନ ଦଣ୍ଡରୁ ମୁକ୍ତପାଇ ଓ ସତରବର୍ଷ ବ୍ୟାପୀ ୟୁରୋପ ବିଭିନ୍ନ ଦେଶରୁ ରୁଷିଆର ବିପ୍ଳବୀମାନଙ୍କୁ ରାଜତନ୍ତ୍ର ବିରୋଧରେ ପ୍ରେରଣା ଦେଇ ଲେନିନ ଫେବୃୟାରି ବିପ୍ଲବର ସଫଳତା ପରେ ୧୯୧୭ ଏପ୍ରିଲ ୧୬ ତାରିଖରେ ସୁଇଜରଲ୍ୟାଣ୍ଡରୁ ଆସି ପେଟ୍ରୋଗ୍ରାଡଠାରେ ପହଞ୍ଚିଲେ ଏବଂ ବିପ୍ଳବୀମାନଙ୍କୁ ପ୍ରତ୍ୟକ୍ଷ ନେତୃତ୍ଵ ଦେଲେ  । କୃଷକ, ଶ୍ରମିକ ଓ ସୈନିକ ଊତ୍ସାହିତ  ହେଲେ ଏବଂ ଲେନିନଙ୍କ ନେତୃତ୍ଵ ପ୍ରତି ବିପୁଳ ସମର୍ଥନ ଜଣାଇଲେ  । ଲେନିନ ଓ ଟ୍ରାଟସ୍କିଙ୍କ ନେତୃତ୍ଵରେ ବୋଲସେଭିକ ଦଳ କେରେନସ୍କି ସରକାରଙ୍କୁ କଠୋର ସମାଲୋଚନା କଲା ଏବଂ ତାଙ୍କ ନୀତି ବିରୋଧରେ ପ୍ରଚାର କଲା   । ବୋଲସେଭିକ ନେତୃବୃନ୍ଦ ସରକାରଙ୍କ ଉପରେ ନିୟନ୍ତ୍ରଣ ନିଜ ଅଧୀନକୁ ଆଣିବା ପାଇଁ ଯୋଜନା କଲେ  । କେରେନସ୍କି ସରକାର ଲେନିନଙ୍କୁ ବନ୍ଦୀ କରିବାପାଇଁ ଉଦ୍ୟମ କରିବାରୁ ଲେନିନ ଆତ୍ମଗୋପନ କଲେ ଏବଂ ତାଙ୍କ ଦଳକୁ ଦୁରତ୍ଵ ନେତୃତ୍ଵ ଦେଲେ   ।

୧୯୧୭  ମସିହା ନଭେମ୍ବର ୭ ତାରିଖରେ ବୋଲସେଭିକ ସ୍ଵେଛାସେବିମାନେ ପେଟ୍ରୋଗ୍ରାଡ ସହରର ରେଳଷ୍ଟେସନ , ସାମରିକ ଦୁର୍ଗ , ଟେଲିଫୋନ ଓ ଟେଲିଗ୍ରାଫ  କାର୍ଯ୍ୟାଳୟ ତଥା  ଅନ୍ୟାନ୍ୟ  ସରକାରୀ କାର୍ଯ୍ୟାଳୟ ଗୁଡିକୁ ଅକ୍ତିଆର  କରିନେଲେ   । ସୈନ୍ୟବାହିନୀର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ଅଧିକାର କଲେ   । କାମଚଳା ସରକାରଙ୍କ କାର୍ଯ୍ୟାଳୟ ଅବସ୍ଥିତ ଥିବା ଜାରଙ୍କ ଶୀତକାଳୀନ  ପ୍ରାସାଦକୁ ଅବରୋଧ କଲେ   ।  କେରେନସ୍କି ଛଦ୍ମବେଶରେ ଏକ ଅଜଣା ସ୍ଥାନକୁ ପଳାୟନ କଲେ   । ତାଙ୍କର ବହୁ ସହକର୍ମୀ ଓ ମନ୍ତ୍ରୀମାନେ ଆତ୍ମସମର୍ପଣ କରି ବନ୍ଦୀ ହେଲେ   । ଏହିପରି ଭାବେ କେରେନସ୍କି ସରକାରର ପତନ ଘଟିଲା ଏବଂ ବିନା ରକ୍ତପାତରେ ରୁଷିଆ ଶାସନ  ଉପରେ ବୋଲସେଭିକ ଦଳର ସମ୍ପୁର୍ଣ୍ଣ ନିୟନ୍ତ୍ରିତ ପ୍ରତିଷ୍ଠିତ ହେଲା   ।

୧୯୧୭ ମସିହାରେ ନଭେମ୍ବର ୭ ତାରିଖ ସନ୍ଧ୍ୟାରେ ରୁଷିଆରେ ସୋଭିଏତ ସାଧାରଣତନ୍ତ୍ର ସ୍ଥାପିତ ହେଲା ବୋଲି ଏହାର ନେତା ଲେନିନ ଘୋଷଣା କଲେ   । ରୁଷିଆରେ ସାମ୍ୟବାଦ ପ୍ରତିଷ୍ଠା ହେବ ବୋଲି ମଧ୍ୟ ସେ ଘୋଷଣା କଲେ   । ପେଟ୍ରୋଗ୍ରାଡଙ୍କ ଠାରେ ନିଖିଲ ରୁଷିଆ ସୋଭିଏତ କଂଗ୍ରେସର ସଦସ୍ୟମାନଙ୍କ ଦ୍ଵାରା ତାଙ୍କର ତିନିଗୋଟି ଆଦେଶନାମା ଅନୁମୋଦିତ କରାଇନେଲେ    । ସେଗୁଡିକ ହେଲା ଯୁଦ୍ଧରତ ରାଷ୍ଟ୍ରମାନଙ୍କ ସହିତ ଶାନ୍ତ ସ୍ଥାପନ କରିବା  , ଜମି ବ୍ୟବହାର କରାଇବା ଅଧିକାର କୃଷକମାନଙ୍କୁ ଦେବା ଏବଂ ଶିଳ୍ପ ଓ କାରଖାନାଗୁଡିକରେ ଉତ୍ପାଦନ ପରିଚାଳିନା  କ୍ଷମତା ଶ୍ରମିକମାନଙ୍କ ସମିତି ହସ୍ତରେ ନ୍ୟସ୍ତ କରିବା   ।

ନୂତନ ସରକାରରେ ଲେନିନ ପ୍ରଧାନମନ୍ତ୍ରୀ ହେଲେ ଟ୍ରଟସ୍କି ବୈଦେଶିକ ବ୍ୟାପାର ମନ୍ତ୍ରୀଭାବେ ନିଯୁକ୍ତ ହେଲେ   । ୧୯୧୭ ଫେବୃୟାରି  ବିପ୍ଲବ ଏକ ରାଜନୈତିକ ବିପ୍ଲବ ଥିଲା ଏହା ଜାରଙ୍କ ସ୍ଵଚ୍ଛେଚାରିତା କୁ ସମୂଳେ ଧ୍ଵଂସ କରି ଶାସନ ଉପରେ ମଧ୍ୟବିତ୍ତ ଶ୍ରେଣୀର ନିୟନ୍ତ୍ରଣ ପ୍ରତିଷ୍ଠା କରିଥିଲେ  । ୧୯୧୭ ଅକ୍ଟୋବର ବିପ୍ଳବ ଏକ ସାମାଜିକ ବିପ୍ଲବ ଥିଲା ଏବଂ ଏହା ପ୍ରୋଲେତାରିଏତ କୁ ଶାସନ ବ୍ୟବସ୍ଥା ନିୟନ୍ତ୍ରଣର କ୍ଷମତା ଦେଇ ଦେଶରେ ସାମ୍ୟବାଦ ଓ ସମାଜବାଦ ପ୍ରତିଷ୍ଠା କଲା   ।

ରୁଷ ବିପ୍ଲବର ଫଳାଫଳ

ଉଭୟ ଆଭ୍ୟନ୍ତରୀଣ ଓ ଆନ୍ତର୍ଜାତିକ କ୍ଷେତ୍ରରେ ରୁଷ ବିପ୍ଲବର ଫଳାଫଳ ପରିଲିଖିତ ହେଲା   ।  ଏହା ରୁଷିଆର ରାଜନୈତିକ,  ଅର୍ଥନୈତିକ ଓ ସାମାଜିକ ଅବସ୍ଥାରେ ଏକଉଲ୍ଲେଖନୀୟ ପରିବର୍ତ୍ତଣ ଆଣିଥିଲା   । ଆନ୍ତର୍ଜାତିକ କ୍ଷେତ୍ରରେ ଏହି ବିପ୍ଲବର ପ୍ରଭାବ ସୁଦୂର ପ୍ରସାରୀ ଥିଲା   ।

୧. ରାଜନୈତିକ ପରିବର୍ତ୍ତନ

ଜାର ମାନଙ୍କ ଏକଛତ୍ରଶାସନ ଲୋପ ପାଇଲା  । ଦେଶର ଶାସନ ପ୍ରୋଲେତାରିଏତଙ୍କ ହାତକୁ ଗଲା   ।  ପ୍ରଶାସନକୁ ପରିଚାଳିତ କରିବା ପାଇଁ ସହର ଓ ଜିଲ୍ଲା ସ୍ତରରେ “ ସୋଭିଏତ “ ଗଠିତ ହେଲା ।  ଆଞ୍ଚଳିକ ସ୍ତରରୁ ନିର୍ବାଚିତ ପ୍ରତିନିଧି ପ୍ରଦେଶ ସ୍ତରୀୟ “ ସୋଭିଏତ” ଏବଂ ପ୍ରାଦେଶିକ “ସୋଭିଏତ “ ଦ୍ଵାରା ନିର୍ବାଚିତ ପ୍ରତିନିଧିଙ୍କ ଦ୍ଵାରା “ ସର୍ବ ରୁଷୀୟ ସୋଭିଏତ କଂଗ୍ରେସ “ ଗଠିତ ହେଲା   । ଏହା ରୁଷ ଦେଶର ସଂସଦଭାବେ କାର୍ଯ୍ୟ କଲା  । ସର୍ବ-ରୁଷୀୟ ଶୋଭିଏତ୍ଜ କଂଗ୍ରେସ ନିର୍ବାଚନରେ କେବଳ “ ବୋଲସେଭିକ “ ଦଳ ଅଂଶଗ୍ରହଣ କଲା  । ଫଳରେ ରୁଷିଆ ଗୋଟିଏ ଏକଦଳୀୟ ରାଷ୍ଟ୍ର ହେଲା   ।ବୋଲସେଭିକ ଦଳ “ ରୁଷୀୟ କମ୍ୟୁନିଷ୍ଟ ଦଳ “ ନାମରେ ପୁନର୍ନାମିତ ହୋଇଥିଲା   । ୧୯୧୮ ମସିହା ସମ୍ବିଧାନରେ ରୁଷିଆରୁ “ ରୁଷୀୟ ସୋସିଆଲିଷ୍ଟ ଫେଡେରେଟିଭ ସୋଭିଏତ ରିପବ୍ଲିକ “ ନାମିତ କରାଯାଇଥିଲା  କିନ୍ତୁ ୧୯୨୪ ମସିହାରେ ଗୃହୀତ ସମ୍ବିଧାନ ଅନୁଯାୟୀ ରୁଷିଆର ନାମ ପରିବର୍ତ୍ତନ କରାଯାଇ ଏହାକୁ “ ଯୁନିଅନ ଅଫ ସୋଭିଏତ ସୋସିଆଲିଷ୍ଟ ରିପବ୍ଲିକସ “ କୁହାଗଲା  ।

୨. ଅର୍ଥନୈତିକ ପରିବର୍ତ୍ତନ

ସମସ୍ତ ଘରୋଇ ଶିଳ୍ପ, କାରଖାନା ତଥା ବ୍ୟାଙ୍କଗୁଡିକର ଜାତୀୟକରଣ ହେଲା ଏବଂ ସେଗୁଡିକ ସରକାରଙ୍କ ନିୟନ୍ତ୍ରଣାଧିନ ହେଲା   । ଜମିଦାରଙ୍କ ଠାରୁ ଜମିର ସ୍ଵତ୍ତ୍ଵ କାଢି ନିଆଗଲା   । ଜମିର ଜାତୀୟକରଣ କରାଯାଇ ସେଗୁଡିକର ଉପଯୁକ୍ତ ଆବଣ୍ଟନ ଓ ବ୍ୟବହାର ପାଇଁ କୃଷକମାନଙ୍କ କମିଟି ଗଠନ କରାଗଲା   । ସହରମାନଙ୍କରେ ଥିବା ପୁଞ୍ଜିପଟିମାନଙ୍କର ବଡ ବଡ ଅଟ୍ଟାଲିକାଗୁଡିକୁ ପରିବାରର ଆବଶ୍ୟକତା ଅନୁଯାୟୀ ଭାଗ ଭାଗ କରାଇ ଦିଆଗଲା   । ଦେଶର ସମସ୍ତ ସମ୍ପଦରୁ ରାଷ୍ଟ୍ରୀୟ ସମ୍ପତ୍ତି ରୂପେ ଘୋଷଣା କରାଗଲା   । ଶିଳ୍ପ ଓ କାରଖାନାମାନଙ୍କରେ ଉତ୍ପାଦନ ଓ ଆବଣ୍ଟନ ବ୍ୟବସ୍ଥାକୁ ପରିଚାଳିତ କରିବା ପାଇଁ ଶ୍ରମିକମାନଙ୍କ କମିଟି ଗଠିତ ହେଲା  । ଏହିପରି ଭାବେ ପୁଞ୍ଜିବାଦର ଅବସାନ ହେଲା ଓ ସାମ୍ୟବାଦର ଉତଥାନ ହେଲା   ।

୩। ସାମାଜିକ ପରିବର୍ତ୍ତନ

ରୁଷିଆରେ ଶିକ୍ଷାର ବ୍ୟାପକ ପ୍ରସାର ହେଲା     । ପୁରାତନ ପାଠ୍ୟକ୍ରମ ଓ ଶିକ୍ଷାଦାନ ପଦ୍ଧତିରୁ ବଦଳାଇ ଦିଆଗଲା  । ସାମ୍ୟବାଦ ଓ ସମାଜବାଦ ସମ୍ବନ୍ଧରେ ଅଧିକ ଶିକ୍ଷା ଦିଆଗଲା   ।

ରୁଷିଆର ଲୋକଙ୍କ ଉପରେ ରକ୍ଷଣଶୀଳ ଗ୍ରୀକ ଗୀର୍ଜା ବହୁତ ପ୍ରଭାବ ଥିଲା  । ଏହି ଗୀର୍ଜାକୁ ଭାଙ୍ଗି ଦିଆଗଲା ଓ ଏହାର ସମସ୍ତ ସମ୍ପତ୍ତିକୁ ବ୍ୟାଜପ୍ତି କରାଗଲା   । ଶିକ୍ଷା କ୍ଷେତ୍ରରେ ଧର୍ମର ପ୍ରଭାବକୁ ଲୋପ କରାଗଲା   ।

ବୋଲସିଭିକ ଦଳ ସାମ୍ୟବାଦ ଓ ସମାଜବାଦର ପ୍ରତିଷ୍ଠା ପାଇଁ ତଥା ରୁଷୀୟ ସମାଜର ପରିବର୍ତ୍ତନ ପାଇଁ ଆଗ୍ରହ ପ୍ରଦର୍ଶନ କରାଇବାକୁ ଅନେକ ଯୁବ ଲେଖକ ଓ କଳାକାର ଲେନିନ ସରକାରଙ୍କ ପ୍ରତି ଆକୃଷ୍ଟ ହେଲେ   । ଫଳରେ କଳା ଓ ସ୍ଥାପତ୍ୟ କ୍ଷେତ୍ରରେ ନୂତନତ୍ଵ  ଦେଖାଦେଲା   । କିନ୍ତୁ ସାହିତ୍ୟ ଓ କଳା  କ୍ଷେତ୍ରରେ ବୋଲସେଭିକ ଦଳର ନିୟନ୍ତ୍ରଣ ଅନେକଙ୍କୁ ନିରଶ କରିଥିଲେ   ।

୪। ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରଭାବ

ଅକ୍ଟୋବର ବିପ୍ଲବପରେ ରୁଷିଆର ନୂତନ ସରକାର ରାଷ୍ଟ୍ରଗଠନକୁ ଅଗ୍ରାଧିକାର ଦେଇ ପ୍ରଥମ ବିଶ୍ଵଯୁଦ୍ଧରୁ ଓହରି ଆସିବା ପାଇଁ ଜର୍ମାନୀ ସହିତ ଯୁଦ୍ଧ ବିରତି ଘୋଷଣା କଲେ   । ୧୯୧୭ ମସିହା ଡିସେମ୍ବର ୧୫ ତାରିଖରେ ବ୍ରେଷ୍ଟ –ଲିତୋଭସ୍କଠାରେ ଜର୍ମାନୀ ସହିତ ଯୁଦ୍ଧ ବିରତି ବୁଝାମଣା ସ୍ଵାକ୍ଷର କରି ରୁଷିଆକୁ ପ୍ରଥମ ବିଶ୍ଵଯୁଦ୍ଧରୁ ପ୍ରତ୍ୟାହାର କରି ଅଣାଗଲା   । ପରେ ୧୯୧୮ ମସିହା ମାର୍ଚ୍ଚ ମାସ ୩ ତାରିଖରେ ଲେନିନ ଜର୍ମାନୀ ସହିତ ବ୍ରେଷ୍ଟ ଲୋତୋଭିସ୍କ ସନ୍ଧି ସ୍ଵାକ୍ଷର କଲେ  । ଏହି ସନ୍ଧି ଫାଳରେ ରୁଷିଆକୁ ଖଣିଜ ସମ୍ପଦ ଭରା ଅର୍ଦ୍ଧ ନିୟୁତ ବର୍ଗମାଇଲ ଅଞ୍ଚଳ ଓ ପ୍ରାୟ ୬୫ ନିୟୁତ ଅଧିବାସୀ ହରାଇବାକୁ ପଡିଥିଲା   । ଏହା ଏକ ଅପମାନଜନକ ସନ୍ଧି ହୋଇଥିଲେ ମଧ୍ୟ ସେ ସମୟରେ ଦୁର୍ବଳ ସାମରିକ ଶକ୍ତି ଓ ନିରୂତ୍ସାହିତ ସୈନ୍ୟବାହିନୀ ଏବଂ ଅକ୍ଟୋବର ବିପ୍ଲବର ଉଦ୍ଦେଶ୍ୟକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାର ଆବଶ୍ୟକତା ଦ୍ରୁଷ୍ଟିରୁ ଲେନିନ ସରକାର ବାଧ୍ୟ ହୋଇ ଏହି ସନ୍ଧି ଗ୍ରହଣ କରିଥିଲେ   ।

କମ୍ୟୁନିଷ୍ଟ ରୁଷିଆର ଉତଥାନ ଫଳରେ ଆଦର୍ଶଗତ ପାର୍ଥକ୍ୟ ଦୃଷ୍ଟିରୁ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ଅସ୍ଥିର ହେଲେ   । ରୁଷିଆ ସହିତ ଇଂଲଣ୍ଡ , ଫ୍ରାନ୍ସ , ଇଟାଲୀ , ଓ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କର ଆଦର୍ଶଗତ କଳହର ସୂତ୍ରପାତ ହେଲା  । ଅନେକ ଦେଶରେ ଦରିଦ୍ର ନିଷ୍ପେସିତ ଜଣସାଧାରଣ ସାମ୍ୟବାଦ ଓ ସାମାଜିକ ସମାନତା ପ୍ରତି ଦୃଷ୍ଟି ଆକୃଷ୍ଟ ହେଲେ   । ସାରା ବିଶ୍ଵରେ ଶ୍ରମିକ ଶ୍ରେଣୀ ପାଇଁ ରୁଷ ବିପ୍ଲବ ପ୍ରେରଣା ଯୋଗାଇଲା ଓ ମାର୍କ୍ସବାଦର ସପକ୍ଷରେ ଆନ୍ଦୋଳନ ହେଲା   । ଶିଳ୍ପାୟତ ରାଷ୍ଟ୍ରମାନଙ୍କରେ ଶ୍ରମିକ ଆନ୍ଦୋଳନ ଆରମ୍ଭ ହେଲା   । ଅନେକ ସ୍ଥାନରେ ଶ୍ରମିକମାନ କାରଖାନାଗୁଡିକର ପରିଚାଳନା କରଗତ କରିବାକୁ ଉଦ୍ୟମ କଲେ   । ପୋଲାଣ୍ଡ, ହଙ୍ଗେରୀ , ଯୁଗୋସ୍ଲୋଭିଆ , ଚୀନ ଚେକୋସ୍ଲାଭିକିଆ , ରୁମାନିଆ ପ୍ରଭୁତି ଦେଶମାନଙ୍କରେ ସାମ୍ୟବାଦ ପ୍ରତିଷ୍ଠା ଲାଭ କରିପଡ଼ିଥିଲେ   ।

ପୁଞ୍ଜିବାଦୀ ରାଷ୍ଟ୍ରମାନଙ୍କରେ କମ୍ୟୁନିଷ୍ଟ ବିପ୍ଲବର ଭୟ ସଂଚରିତ ହେଲା  । ଅନେକ ଦେଶର ଚିନ୍ତାନାୟକମାନଙ୍କ ସୋଭିଏତ ଅର୍ଥନୀତି ଓ ସାମାଜିକ ବିପ୍ଲବର ଚିନ୍ତାଧାରା ପ୍ରଚଳିତ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ସମର୍ଥନ କରିବାକୁ ଉତ୍ସାହିତ କଲା  । ପୁଞ୍ଜିବାଦୀମାନେ କମ୍ୟୁନିଷ୍ଟ ଆନ୍ଦୋଳନକୁ ବିଫଳ କରିବା ପାଇଁ ଗୋପନୀୟଭାବେ କାର୍ଯ୍ୟ କଲେ   ।

ରୁଷିଆ କ୍ରମେ ଆନ୍ତର୍ଜାତିକ କ୍ଷେତ୍ରରେ ଅଧିକରୁ ଅଧିକତାର କ୍ଷମତାଶାଳି ଓ ପ୍ରଭାବଶାଳି ହେଲା   । ପ୍ରଥମ ବିଶ୍ଵଯୁଦ୍ଧପରେ ପାଶ୍ଚ୍ୟତ ଗଣତନ୍ତ୍ର ଏବଂ ଇଟାଲୀ ଓ ଜର୍ମାନୀର ଯଥାକ୍ରମେ ଫାସିବାଦ ଓ ନାଜିବାଦ ସହିତ ପ୍ରତିଦ୍ଵନ୍ଦିତା କରିବା ପାଇଁ ରୁଷିଆର କମ୍ୟୁନିଷ୍ଟବାଦ ଆହ୍ଵାନ ଜଣାଇଲେ   । ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଫାସିବାଦ ଓ ନାଜିବାଦ ବିରୋଧରେ ହୋଇଥିବା ଲଢେଇରେ ଗଣତାନ୍ତ୍ରିକ ରାଷ୍ଟ୍ରମାନେ ରୁଷିଆର ସାହାଯ୍ୟ  ଲୋଡିଥିଲେ   । ବିଶ୍ଵଯୁଦ୍ଧ ପରେ ଯୁକ୍ତରାଷ୍ଟ୍ର ଆମରିକାର ସମକକ୍ଷ ହୋଇ ରୁଷିଆ ପୃଥିବୀର ଅନ୍ୟତନ ବୃହତ ଶକ୍ତିଭାବେ ବିବେଚିତ ହେଲା ଏବଂ ଆନ୍ତର୍ଜାତିକ ବ୍ୟାପାରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଅଧିକାର କଲା   ।

ଏହିପରି ଭାବରେ ରୁଷ ବିପ୍ଲବ ଉଭୟ ଆଭ୍ୟନ୍ତରୀଣ ଓ ଆନ୍ତର୍ଜାତିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଥିଲା ଏବଂ କାର୍ଲମାର୍କ୍ସ ଙ୍କ ପ୍ରଣୀତ କମ୍ୟୁନିଷ୍ଟବାଦର ପ୍ରସାର କରି ବିଶ୍ଵ ରାଜନୀତି ଓ ଅର୍ଥନୀତିରେ ପୁଞ୍ଜିବାଦର ଏକଚାଟିଆ ଆଧିପତ୍ୟ ବିସ୍ତାରକୁ ପ୍ରତିରୋଧ କରିପାରିଥିଲା  ।

ଆଧାର – ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା   ।

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate