ସେଆର କରନ୍ତୁ

ଉପେନ୍ଦ୍ର ଭଞ୍ଜ

ଉପେନ୍ଦ୍ର ଭଞ୍ଜ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧୀରେ ଭୂଷିତ କରାଯାଇଅଛି । ରଚନାବଳୀ ଓ ଜୀବନୀ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

ଉପେନ୍ଦ୍ର ଭଞ୍ଜ (୧୬୭୦ - ୧୭୪୦) ପୁରାତନ ରାଜଶାସିତ ଓଡ଼ିଶାର ଘୁମୁସୁରର କୁଲାଡ଼ ଠାରେ ଜନ୍ମିତ ଜଣେ ରୀତି ଓଡ଼ିଆ କବି  । ତାଙ୍କର ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧୀରେ ଭୂଷିତ କରାଯାଇଅଛି । ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର  ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ ।

ପ୍ରାରମ୍ଭିକ ଜୀବନ

ବଂଶାବଳି ଓ ଜନ୍ମ

ଆଧୁନିକ ଗଞ୍ଜାମ ଜିଲ୍ଲାରେ ଗୁମୁସର (ଘୁମୁସର) ବୋଲି ଗୋଟିଏ ରାଜ୍ୟ ଥିଲା ଏବଂ ସେହି ରାଜ୍ୟରେ ଭଞ୍ଜବଂଶୀୟ ରାଜାମାନେ ରାଜ୍ୟଶାସନ କରୁଥିଲେ । ସେମାନଙ୍କ ମଧ୍ୟରେ ଧନଞ୍ଜୟ ଭଞ୍ଜ (ପ୍ରତାପ ଧନଞ୍ଜୟ) ବୋଲି ଜଣେ ରାଜା ଥିଲେ । ସେ ଜଣେ କବି ଓ ଶାସକ ଥିଲେ। ସେ ରଘୁନାଥ ବିଳାସ, ତ୍ରିପୁର ସୁନ୍ଦରୀ, ଇଚ୍ଛାବତୀ, ମଦନମଞ୍ଜରୀ ଆଦି କାବ୍ୟମାନ ରଚନା କରିଥିଲେ। ଧନଞ୍ଜୟ ଓ ତାଙ୍କ ରାଣୀ ମଣ୍ଡାଦେବୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ନୀଳକଣ୍ଠ ଭଞ୍ଜ । ନୀଳକଣ୍ଠ ଭଞ୍ଜଙ୍କ ପୁଅ ହେଉଛନ୍ତି ଉପେନ୍ଦ୍ର ଭଞ୍ଜ । ଘୁମୁସରର ରାଜାମାନେ ଯେଉଁ କେତେଗୁଡିଏ ଦୁର୍ଗ ଗଢ଼ିଥିଲେ, ତା ମଧ୍ୟରେ ଗୁମୁସରଗଡ଼, ଅନ୍ଧାରଗଡ଼, ଦୁର୍ଗାପ୍ରସାଦଗଡ଼, କୁଲାଡଗଡ଼ ପ୍ରଧାନ । କୁଲାଡଗଡ଼ ଦୁର୍ଗମଧ୍ୟରେ ନୀଳକଣ୍ଠ ଭଞ୍ଜ ବାସ କରୁଥିଲେ । ୧୬୮୦ ଖ୍ରୀଷ୍ଟାବ୍ଦର କୁଲାଡଗଡ଼ରେ ରାଜା ନୀଳକଣ୍ଠ ଭଞ୍ଜଙ୍କର ପୁଅଟିଏ ଜନ୍ମ ହେଲା ଯାହାର ନାମକରଣ କରାଗଲା "ଉପେନ୍ଦ୍ର ଭଞ୍ଜ" ।

ବାଲ୍ୟଶିକ୍ଷା

ଉପେନ୍ଦ୍ରଙ୍କର ବାଲ୍ୟଶିକ୍ଷା ଚାହାଳୀରେ ଆରମ୍ଭ ହୋଇଥିଲା । ବାପା ନୀଳକଣ୍ଠ ଓ ଜେଜେ ଧନଞ୍ଜୟଙ୍କଠାରୁ ସେ ବିଭିନ୍ନ ଶାସ୍ତ୍ର ପଢ଼ିଥିଲେ । ଧନଞ୍ଜୟ ଭଞ୍ଜ ଜଣେ କବି ହୋଇଥିବାରୁ ତାଙ୍କ ଦରବାରକୁ ଅନେକ କବି, ପଣ୍ଡିତ, ସାଧୁସନ୍ଥ ବିଭିନ୍ନ ସମୟରେ ଆସୁଥିଲେ ଓ ସେଠାରେ ରହି ସାହିତ୍ୟ ସଙ୍ଗୀତ ବିଷୟରେ ଚର୍ଚ୍ଚା କରୁଥିଲେ । ଉପେନ୍ଦ୍ର ମଧ୍ୟ ଜେଜେଙ୍କ ପାଖରେ ବସି ସେଗୁଡିକ ଶୁଣୁଥିଲେ ଓ ଧୀରେ ଧୀରେ ସେମାନଙ୍କ ଦ୍ଵାରା ପ୍ରଭାବିତ ହୋଇ ସେ ଶାସ୍ତ୍ରମାନ ଆୟତ୍ତ କରିଥିଲେ । ଚାହାଳୀରେ ପଢୁଥିବା ସମୟରେ ଉପେନ୍ଦ୍ର କବିତା ଲେଖିବା ଆରମ୍ଭ କରି ଦେଇଥିଲେ ଯାହା ଜେଜେ ଧନଞ୍ଜୟ ବେଶ୍ ପସନ୍ଦ କରିଥିଲେ ଓ ନାତିକୁ ଆହୁରି ଲେଖିବାକୁ ପ୍ରେରଣା ଦେଲେ । ଉପେନ୍ଦ୍ର ଯାହା ଯେତେବେଳେ ଲେଖୁଥିଲେ ଜେଜେଙ୍କୁ ନେଇ ଦେଖାଉଥିଲେ ଓ ତାଙ୍କର ପରାମର୍ଶ ନେଉଥିଲେ । ସେ ଜେଜେଙ୍କୁ ନିଜର କାବ୍ୟଗୁରୁ ଭାବରେ ବିଚାର କରି ନିଜ ସାଧନାରେ ଆଗେଇ ଯାଉଥିଲେ ।

ରାଜା ଧନଞ୍ଜୟଙ୍କ ଦରବାରକୁ ଥରେ ରଘୁନାଥ ନାମରେ ଜଣେ ସିଦ୍ଧପୁରୁଷ ସନ୍ୟାସୀ ଅସିଥିଲେ । ସେ ଉପେନ୍ଦ୍ରଙ୍କର ପାଠପଢ଼ା ଓ କବିତା ଲେଖିବାର ଆଗ୍ରହ ଦେଖି ତାଙ୍କୁ "ତାରକ ମନ୍ତ୍ର" ବୋଲି ଏକ ସିଦ୍ଧ ମନ୍ତ୍ର ଶିଖାଇ ଏହାକୁ କେମିତି ସାଧନା କରିବାକୁ ହେବ ବତାଇଦେଲେ । ମନ୍ତ୍ରଟି ଶିଖିବା ପାଇଁ ଉପେନ୍ଦ୍ର କୁଲାଡ଼ଗଡ଼ ଛାଡ଼ି ଅଳ୍ପ ଦୂରରେ ଥିବା ଏକ ନିର୍ଜନ ସ୍ଥାନକୁ ଚାଲିଗଲେ । ହିଂସ୍ରଜନ୍ତୁପୂର୍ଣ୍ଣ ଓ ପାହାଡ ପର୍ବତଘେରା ସେହି ସ୍ଥାନରେ ଗୋଟିଏ ଗୁମ୍ଫା ଭିତରେ ବସି କିଛିଦିନ ଗୁରୁମନ୍ତ୍ର ସାଧନା କରିବାପରେ ସିଦ୍ଧିଲାଭ କରି ସେ ରାଜପ୍ରସାଦକୁ ଫେରି ଆସିଲେ । ସେହି ସ୍ଥାନଟି ଏବେ "ବାଘବଲି" ଓ "ଡାମଣ ଝୋଲି" ନାମରେ ପରିଚିତ ।

ସାଧନା କରି ଫେରିବା ପରେ ଉପେନ୍ଦ୍ରଙ୍କର ଆଗ ଅପେକ୍ଷା ଆହୁରି କାବ୍ୟ ଲେଖିବା ଓ କାବ୍ୟକବିତା ବିଷୟରେ ଜାଣିବାରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଲା । କାବ୍ୟ ଆଲୋଚନା ପାଇଁ ସେ ଜେଜେ ଧନଞ୍ଜୟ ଭଞ୍ଜଙ୍କ ସହିତ ସମୟ ବିତାଉଥିଲେ । ଦିନେ ସାହିତ୍ୟ ଆଲୋଚନା ହେଉଥିଲା ବେଳେ ଧନଞ୍ଜୟ ନିଜର ଶ୍ରେଷ୍ଠ କାବ୍ୟ 'ରଘୁନାଥ ବିଳାସ' ଉପେନ୍ଦ୍ରଙ୍କୁ ଦେଲେ ଓ କିଛି ଦୋଷତୃଟି ଥିଲେ ନିର୍ଭୟରେ ତାଙ୍କୁ ଜଣେଇବାକୁ କହିଲେ । ଉପେନ୍ଦ୍ର କାବ୍ୟଟିକୁ ମନଦେଇ ପଢ଼ିସାରିଲାପରେ ଅଳଙ୍କାରର ପ୍ରୟୋଗ କରିଥିଲେ ଆହୁରି ଭଲ ହୋଇଥାନ୍ତା ବୋଲି କହିଲେ, ଧନଞ୍ଜୟ ଭଞ୍ଜ ଏକଥା ଶୁଣି ଖୁସି ହେଲେ ।

ରାଣୀ ମଣ୍ଡାଦେବୀ ତାଙ୍କ ପୁଅ ନୀଳକଣ୍ଠଙ୍କୁ ଭଞ୍ଜବଂଶର ରାଜସିଂହାସନରେ ବସାଇବାକୁ ଚାହୁଁଥିଲେ, ତେଣୁ ସେ ଷଡଯନ୍ତ୍ର କରି ଧନଞ୍ଜୟଙ୍କୁ ବିଷ ଦେଇ ହତ୍ୟା କରାଇଲେ । ନୀଳକଣ୍ଠ ଭଞ୍ଜ ରାଜଗାଦିରେ ବସାଇବାରେ ସଫଳ ହେଲେ ଓ କିଛିଦିନ ପାଇଁ ରାଜ୍ୟଶାସନ କଲେ । ହେଲେ ତାଙ୍କର କାକାପୁଅ ଭାଇ ଘନଭଞ୍ଜ ଧରାକୋଟରେ ଥାଇ ନୀଳକଣ୍ଠଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଦେଲେ ଏବଂ ସୈନ୍ୟସାମନ୍ତ ଧରି ଘୁମୁସରକୁ ଆକ୍ରମଣ କଲେ । ରଣକ୍ଷେତ୍ରରେ ନୀଳକଣ୍ଠ ଘନଭଞ୍ଜଙ୍କଠାରୁ ପରାସ୍ତ ହୋଇ ରାଜ୍ୟ ଛାଡ଼ି ଚାଲିଗଲେ । ନିଜର ସ୍ତ୍ରୀ ଓ ଯୋଗ୍ୟପୁତ୍ର ଉପେନ୍ଦ୍ରଙ୍କୁ ଧରି ନୀଳକଣ୍ଠ ନୟାଗଡ଼ର ମାଳିସାହି ଢେଙ୍କଣା ଗ୍ରାମରେ ଘରଟିଏ କରି ଅତି ସାଧାରଣ ଭାବରେ ଜୀବନ ଅତିବାହିତ କରିବାକୁ ଲାଗିଲେ । ନୀଳକଣ୍ଠ ଭଞ୍ଜ ଏହି ସମୟରେ ଉପେନ୍ଦ୍ରଙ୍କୁ ଘୋଡାଚଢା, ଖଣ୍ଡା, ତରବାରୀ ଚାଳନାରେ ଧୁରନ୍ଧର କରାଇଥିଲେ । ଉପେନ୍ଦ୍ର ଭଞ୍ଜ କାବ୍ୟ କବିତା ରଚନାରେ ଧ୍ୟାନ ଦେଲେ । ମାତ୍ର ୧୫ ବର୍ଷ ବୟସରେ ଉପେନ୍ଦ୍ର ପିତା ନୀଳକଣ୍ଠ ଭଞ୍ଜଙ୍କୁ ହରାଇଲେ ଓ ତାଙ୍କ ମାମୁଙ୍କ ଘରେ ରହିବାକୁ ଲାଗିଲେ ।

ବିବାହ

୧୮ ବର୍ଷ ବୟସରେ ଉପେନ୍ଦ୍ରଙ୍କର ବିବାହ ନୟାଗଡ଼ ରାଜା ପୁରୁଷୋତ୍ତମ ମାନ୍ଧାତାଙ୍କ ଭଉଣୀ ଲାବଣ୍ୟବତୀଙ୍କ ସହ ସମ୍ପନ୍ନ ହେଲା । ଲାବଣ୍ୟବତୀ ସୁନ୍ଦରୀ, ବୁଦ୍ଧିମତୀ ଓ ସସ୍କୃତ ସାହିତ୍ୟରେ ନିପୁଣ ଥିଲେ । କୁଲାଡ଼ଗଡ ପାଖରେ ଅନ୍ଧାରଗଡ ବୋଲି ଦୂର୍ଗଟିଏ, ପାହାଡ଼ ଓ ସବୁଜିମା ଭରା ଜଙ୍ଗଲ ଦ୍ଵାରା ଘେରି ରହିଥିଲା । ଉପେନ୍ଦ୍ର ସେହି ସ୍ଥାନକୁ ସବୁବେଳେ ଏକୁଟିଆ ଚାଲିଯାଉଥିଲେ ଏବଂ କିଛିଦିନ ସେଠାରେ ରହିବା ପରେ ଫେରି ଆସୁଥିଲେ । ଥରେ ଉପେନ୍ଦ୍ର ସେହି ସ୍ଥାନକୁ ଯାଇ ବହୁଦିନ ପର୍ଯ୍ୟନ୍ତ ରାଜଉଆସକୁ ଫେରିଲେ ନାହିଁ । ଏଣେ ରାଜପ୍ରାସାଦରେ ଲାବଣ୍ୟବତୀ ବ୍ୟସ୍ତ ହୋଇପଡିଲେ ଓ ପତିଙ୍କୁ ଖୋଜି ଆଣିବା ପାଇଁ ଦୂତଟିଏ ପଠାଇଲେ । ଦୂତଟି ଗଡ଼ ଭିତରକୁ ନଯାଇ ଅଳ୍ପବାଟରୁ ଫେରି ଆସିଲା ଓ କହିଲା ଯେ ସେ ଗୋଟିଏ ମହାବଳ ବାଘ ଦେଖିଲା । ତା ପାଖରେ ମଣିଷର ରକ୍ତାକ୍ତ ଶବ ପଡିଥିବାର ଦେଖି ଭୟରେ ଫେରି ଆସିଲା । ଦୂତଠାରୁ ଏପରି ଖବର ଶୁଣି ଲାବଣ୍ୟବତୀ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ, ତାଙ୍କର ସଙ୍ଗେ ସଙ୍ଗେ ଚେତା ବୁଡିଗଲା ଓ ଚାହୁଁ ଚାହୁଁ ତାଙ୍କର ପ୍ରାଣବାୟୁ ଉଡିଗଲା । କିଛିଦିନ ପରେ ଉପେନ୍ଦ୍ର ରାଜପୁରକୁ ଫେରିଲା ପରେ ପତ୍ନୀ ଲାବଣ୍ୟବତୀଙ୍କ ସ୍ଵର୍ଗବାସ କଥା ଜାଣି ବହୁତ ମର୍ମାହତ ହେଲେ । ଉପେନ୍ଦ୍ରଙ୍କ ଶଳାଭାଉଜ ଶୋଭବତୀଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ବୋଲି ଜଣେ ସୁନ୍ଦରୀ ଓ ବୁଦ୍ଧିମତୀ ଭଉଣୀଟିଏ ଥିଲେ, ତାଙ୍କ ସହିତ ଉପେନ୍ଦ୍ରଙ୍କ ଦ୍ଵିତୀୟଥର ବିବାହ ଉତ୍ସବ ଅନୁଷ୍ଠିତ ହେଲା । କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଉପେନ୍ଦ୍ରଙ୍କୁ କାବ୍ୟ ଲେଖିବାରେ ସାହାଯ୍ୟ କରୁଥିଲେ, ତାଙ୍କର ପରାମର୍ଶରେ ଉପେନ୍ଦ୍ର ମଧ୍ୟ ନିଜର କାବ୍ୟକବିତାକୁ ସଂଶୋଧନ କରି ଆହୁରି ଉନ୍ନତି କରିବାରେ ସମର୍ଥ ହେଉଥିଲେ ।

ରାଜ୍ୟ ପ୍ରତ୍ୟାବର୍ତ୍ତନ

କବି ଭାବରେ ବେଶ୍ ନାଁ କରିସାରିଥିବା ଉପେନ୍ଦ୍ରଙ୍କର ଖ୍ୟାତି ବିଷୟରେ କାକା ଘନଭଞ ଶୁଣିବାକୁ ପାଇଲେ । ଘନଭଞ୍ଜ ଜଣେ ରାଜା ହେବା ସହ ଜଣେ କବି ମଧ୍ୟ ଥିଲେ, ତେଣୁ ସେ ପୁତୁରା ଉପେନ୍ଦ୍ରଙ୍କୁ ସମ୍ମାନର ସହିତ କୁଲାଡ଼ଗଡକୁ ଫେରାଇ ଆଣିଲେ ତଥା ଅନ୍ୟ କବି ଓ ପଣ୍ଡିତମାନଙ୍କ ସହିତ କାବ୍ୟଶାସ୍ତ୍ର ଆଦି ଆଲୋଚନା କରି ସମୟ କଟାଇଲେ.

ବୀରବର ଉପାଧି ଲାଭ

କାବ୍ୟକବିତା ଲେଖି ଉପେନ୍ଦ୍ର ସାରା ଓଡିଶରେ ବେଶ୍ ପ୍ରସିଦ୍ଧି ଲାଭ କରିସାରିଥିଲେ । ପୁରୀର ତତ୍କାଳୀନ ଗଜପତି ରାଜା ଦିବ୍ୟସିଂହ ଦେବ କବିଙ୍କ ବିଷୟରେ ଶୁଣିବାକୁ ପାଇଲେ ଓ ତାଙ୍କୁ ସମ୍ମାନିତ କରିବା ପାଇଁ ପୁରୀକୁ ଡକାଇଲେ. ରାଜାଙ୍କ ନିମନ୍ତ୍ରଣ ରକ୍ଷା କରି ଉପେନ୍ଦ୍ର ପୁରୀ ଆସିଲେ । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ରାଜଦରବାରରେ କାବ୍ୟ ଆଲୋଚନା କଲେ । ତାଙ୍କର କାବ୍ୟ ଆଲୋଚନା ଏତେ ପାଣ୍ଡିତ୍ୟପୁର୍ଣ୍ଣ ଥିଲା ଯେ ଖାଲି ରାଜା କାହିଁକି ବଡ ବଡ ପଣ୍ଡିତମାନେ ମଧ୍ୟ ତାହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ. ଶେଷରେ ରାଜା ଦରବାର ଭିତରେ ଉପେନ୍ଦ୍ରଙ୍କ ମୁଣ୍ଡରେ ପାଟଶାଢୀ ବାନ୍ଧିଦେଇ କହିଲେ "ଧନ୍ୟ ଉପେନ୍ଦ୍ର. ତୁମେ ଖାଲି ରାଜପୁତ୍ର ନୁହଁ, ତୁମେ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ. ତୁମକୁ ଆଜି ମୁଁ "ବୀରବର" ଉପାଧିରେ ଭୁଷିତ କରୁଛି". ଉପେନ୍ଦ୍ର ଗଜପତି ଦିବ୍ୟସିଂହ ଦେବଙ୍କର ସେହି ଉପାଧିକୁ ଆଗ୍ରହର ସହିତ ଗ୍ରହଣ କଲେ ।

ପୁରୀରେ ରହିଥିବାବେଳେ ଉପେନ୍ଦ୍ରଙ୍କର ପରିଚୟ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ସହିତ ହୋଇଥିଲା । ଦୀନକୃଷ୍ଣ ଦାସ ସେତେବେଳକୁ "ରସକଲ୍ଲୋଳ" କାବ୍ୟଟିକୁ ସମ୍ପୁର୍ଣ୍ଣ ରୁପେ ଲେଖିସାରିଥାନ୍ତି । କବି ଉପେନ୍ଦ୍ର ଯେତେବେଳେ ପୁରୀକୁ ଆସିଛନ୍ତି, ତାଙ୍କୁ ଟିକେ ନିଜର କାବ୍ୟଟିକୁ ଦେଖାଇ ମତାମତ ହେବାକୁ ଦୀନକୃଷ୍ଣଙ୍କର ଭାରି ମନ ହେଲା । ତେଣୁ "ରସକଲ୍ଲୋଳ" କାବ୍ୟଟିକୁ ନେଇ ସେ ଉପେନ୍ଦ୍ର ଭଞଙ୍କୁ ଦେଖାଇଲେ । ଉପେନ୍ଦ୍ର ପୋଥିକୁ ଭଲ କରି ପଢିଲେ, ତାପରେ ହସି ହସି କହିଲେ - "ବୁଝିଲେ ଦାସେ ଆପଣେ, ଦିବ୍ୟସୁନ୍ଦର କାବ୍ୟଟିଏ ଲେଖିଲେ ସିନା ହେଲେ ଭଲ ନାଁଟିଏ ଦେଇପାରିଲେ ନାହିଁ । ପ୍ରତି ଅକ୍ଷର ଯେତେବେଳେ "କ" ଅକ୍ଷରରେ ଆରମ୍ଭ କରିଛନ୍ତି, ତା ନା "କଳକଲ୍ଲୋଳ" ବା "କୃଷ୍ଣକଲ୍ଲୋଳ" ରଖିଥିଲେ ଭଲ ହୋଇଥାନ୍ତା"।

ପୁରୀରୁ ଫେରିଲା ପରେ ଉପେନ୍ଦ୍ର 'କ' ଅକ୍ଷରକୁ ପ୍ରଥମରେ ରଖି "କଳାକୌତୁକ" ନାମରେ କବିତାଟିଏ ଲେଖିଲେ ଯାହାର ମୂଳରେ "କ" ଅକ୍ଷରକୁ ରଖି କୃଷ୍ଣଙ୍କର ସମସ୍ତ ଲୀଳାଖେଳା ବର୍ଣ୍ଣିତ.

ରାଧାକୃଷ୍ଣଙ୍କ ପରେ ସୀତାରାମ

ଉପେନ୍ଦ୍ର ଭଞଙ୍କ ପୂର୍ବବର୍ତ୍ତୀ କବିମାନେ ତତ୍କାଳିନ ପାଠକମାନଙ୍କର ପସନ୍ଦକୁ ଅନୁସାରେ କେବଳ ରାଧାକୃଷ୍ଣଙ୍କ ଉପରେ ବର୍ଣିତ କାବ୍ୟକବିତା ଲେଖିଥିଲେ । ଉପେନ୍ଦ୍ର ପ୍ରଥମ କରି ଓଡ଼ିଆ ସାହିତ୍ୟରେ ସୀତାରାମଙ୍କୁ ନେଇ କାବ୍ୟ ଲେଖିଲେ । ନୂଆ ପ୍ରକାରର କାବ୍ୟ ରସାମୃତ ପରିବେଷଣ ହେବା ଫଳରେ ସେତେବେଳର ସମାଜରେ ତାହା ବେଶ୍ ଅଲୋଡନ ସୃଷ୍ଟି କରିବା ସହିତ ପାଠକମାନଙ୍କ ଦ୍ଵାରା ଆଦରଲାଭ ମଧ୍ୟ କଲା । ନିଜର ଆରାଧ୍ୟ ଠାକୁର ରାମସୀତାଙ୍କ ଲୀଳା ବର୍ଣ୍ଣନା କରିବାରେ ତାଙ୍କର ଲେଖନୀ ଚଳଚଞ୍ଛଳ ହୋଇ ଉଠିଲା । ନିପୁଣ ଭାବରେ ସେ ରାମସୀତା ଚରିତ ବିଭିନ୍ନ ଛନ୍ଦରେ ମାଳଟିଏ ଗୁନ୍ଥିଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । ସାଧାରଣ ପାଠକଟିଏ ଏହି କାବ୍ୟଟି ପଢିବା ଦ୍ଵାରା ତାର ଆଧ୍ୟାତ୍ମ୍ୟ ଜ୍ଞାନ ବୃଦ୍ଧି ପାଇଲା ।

ପ୍ରକୃତରେ ସେ କବି ସମ୍ରାଟ

ଉପେନ୍ଦ୍ର ଭଞ ବହୁ ଶାସ୍ତ୍ର ପଢିଥିଲେ, ଯାହାଫଳରେ ସେଗୁଡିକ ନିଜ କାବ୍ୟକବିତାରେ ପ୍ରୟୋଗ କରିବାରେ ସଫଳ ହୋଇପାରିଥିଲେ । ତାଙ୍କ ପୁର୍ବରୁ ଯେଉଁ କାବ୍ୟକବିତା ଲେଖା ହୋଇଥିଲା ସେଥିମଧ୍ୟରୁ ଅଧିକାଂଶ ସଂସ୍କୃତରେ ଲେଖା ହୋଇଥିଲା । ତେଣୁ ଓଡ଼ିଆ ଭାଷୀ ଲୋକନମାନଙ୍କ ପକ୍ଷରେ ବୁଝିବା ଟିକେ କଷ୍ଟ ହୋଇପଡୁଥିଲା । ତାଛଡା ସଂସ୍କୃତ ଅଳଙ୍କାରକୁ ନେଇ ଓଡ଼ିଆ କାବ୍ୟରେ ପ୍ରୟୋଗ କରିବାରେ ଉପେନ୍ଦ୍ର ଥିଲେ ପ୍ରଥମ ଓ ସିଦ୍ଧହସ୍ତ । ତାଙ୍କ ରଚନାବଳୀରେ ଯେଉଁ ବହୁଳ ଶବ୍ଦ ଭଣ୍ଡାରର ପ୍ରୟୋଗ ହୋଇଛି, ତାହା ମଧ୍ୟ ପଢିଲେ ଆଶ୍ଚର୍ଯ଼୍ୟ ଲାଗେ । ବିଭିନ୍ନ ଛନ୍ଦ ଓ ବୃତ୍ତର ବ୍ୟବହାର କରିବା ଦ୍ଵାରା ତାଙ୍କ କାବ୍ୟଗୁଡିକ ସଙ୍ଗୀତ ଜଗତରେ ଏକ ଉଜ୍ଵଳ ମଣିତୁଲ୍ୟ ଶୋଭାପାଉଛି । କବି ସମାଜରେ ଉପେନ୍ଦ୍ର ଭଞଙ୍କ ସ୍ଥାନ ସମସ୍ତଙ୍କଠାରୁ ବହୁ ଉଚ୍ଚରେ ରହିଲା । ସମସ୍ତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରି କାବ୍ୟମାନ ଲେଖିଥିବାରୁ ଆଜି ସେ ବାସ୍ତବରେ କବି ସମ୍ରାଟ ଭାବରେ ସବୁଆଡେ ପରିଚିତ।

ରଚନାବଳୀ

ଲାବଣ୍ୟବତୀ

ଉପେନ୍ଦ୍ରଙ୍କ ପତ୍ନି ଲାବଣ୍ୟବତୀଙ୍କର ଭାଇ ପୁରୁଷୋତ୍ତମ ଜଣେ ପ୍ରସିଦ୍ଧ କବି ଓ ଭାଉଜ ଶୋଭାବତୀ ଜଣେ ବିଦୁଷୀ ନାରୀ ଥିଲେ । ଥରେ ପୁରୁଷୋତ୍ତମ "ଶୋଭାବତୀ" ନାମରେ କାବ୍ୟଟିଏ ଲେଖି ଉପେନ୍ଦ୍ରଙ୍କ ପାଖକୁ ପଠାଇଥିଲେ । ଉପେନ୍ଦ୍ର କାବ୍ୟଟିକୁ ନେଇ ଲାବଣ୍ୟବତୀଙ୍କୁ ଦେଖାଇଲେ, କବିତାଟି ପଢି ଲାବଣ୍ୟବତୀ ମନେ ମନେ ଭାଉଜଙ୍କୁ ଈର୍ଷା କଲେ । ଭାଉଜଙ୍କଠାରୁ ସେ ଥିଲେ ବହୁତ ସୁନ୍ଦର, ହେଲେ ତାଙ୍କ ନାଁରେ କଣ ଏମିତି ଗୋଟାଏ କାବ୍ୟ ତାଙ୍କ ସ୍ଵାମୀ ଲେଖି ପାରିବେ? ଲାବଣ୍ୟବତୀ ଅଭିମାନରେ ନିଜ ଶୋଇବା ଘରେ ମୁହଁମାଡି ଶୋଇଲେ. ଉପେନ୍ଦ୍ର ସ୍ତ୍ରୀଙ୍କ ମନଦୁଃଖ ହୋଇଥିବା କଥା ଜାଣିପାରି ତାଙ୍କୁ କହିଲେ "କିଛିଦିନ ସମୟ ଦିଅ. ତୁମକୁ ମୁଁ ଏହାଠାରୁ ଅଧିକ ସୁନ୍ଦର ଓ ଉନ୍ନତମାନର କାବ୍ୟଟିଏ ଲେଖି ଉପହାର ଦେବି"। ସ୍ଵାମୀଙ୍କଠାରୁ ଭରସା ପାଇ ଲାବଣ୍ୟବତୀ ଅଭିମାନ ଛାଡି ଉଠିଲେ । ମାତ୍ର ଦୁଇ ମାସ ପରେ ଉପେନ୍ଦ୍ର "ଲାବଣ୍ୟବତୀ" ନାମରେ କାବ୍ୟଟିଏ ଲେଖି ଆଣି ସ୍ତ୍ରୀଙ୍କ ହାତରେ ଅର୍ପଣ କଲେ । ଲାବଣ୍ୟବତୀ ନିଜ ନାମରେ ଲେଖା ଯାଇଥିବା କାବ୍ୟଟିକୁ ହାତରେ ପାଇ ନିଜକୁ ଗର୍ବିତ ମନେ କଲେ. ଉପେନ୍ଦ୍ର ସେହି କାବ୍ୟରୁ ଗୋଟିଏ ପୋଥି ନିଜ ଶଳା ଓ ଶଳା ଭାଉଜଙ୍କ ପାଖକୁ ମଧ୍ୟ ପଠାଇଲେ. ଏକ କାଳ୍ପନିକ ବିଷୟବସ୍ତୁକୁ ନେଇ ଲେଖାଯାଇଥିବା "ଲାବଣ୍ୟବତୀ" କାବ୍ୟଟିକୁ ପଢି ରସପ୍ରେମୀ ପାଠକମାନେ ମୁଗ୍ଧ ହୋଇଯାଆନ୍ତି । ବିଷୟବସ୍ତୁ, ଅଳଙ୍କାର, ଶବ୍ଦ ବିନ୍ୟାସ କୌଣସି କ୍ଷେତ୍ରରେ କାବ୍ୟଟି କମ୍ ନୁହେଁ. ଓଡ଼ିଶାର ପୁରପଲ୍ଲୀର ଚିତ୍ର ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ବର୍ଣ୍ଣନାରେ କାବ୍ୟଟିର ବିଷୟବସ୍ତୁ ପ୍ରତ୍ୟେକ ପାଠକର ମନକୁ ହରି ନେଇଥାଏ. କାବ୍ୟଟି ଯଦିଓ କାଳ୍ପନିକ ବିଷୟବସ୍ତୁକୁ ନେଇ ଆଧାରିତ ତଥାପି ଏଥିରେ ନାରୀ ଚରିତ୍ରର ସମସ୍ତ ଗୁଣ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି. ତେଣୁ ଏହା ତତ୍କାଳିନ କବିସମାଜକୁ ନତମସ୍ତକ ହେବାକୁ ବାଧ୍ୟ କରିଥିଲା.

ବୈଦେହୀଶ ବିଳାସ

ଉପେନ୍ଦ୍ର ନିଜର ଆରାଧ୍ୟ ରାମସୀତାଙ୍କର ଲୀଳାକୁ ନେଇ ଗୋଟିଏ ସୁନ୍ଦର କାବ୍ୟ ଲେଖି ତା'ର ନାଁ ଦେଲେ "ବୈଦେହୀଶ ବିଳାସ" । କାବ୍ୟଟିର ବିଶେଷତା ହେଲା ପ୍ରତି ଛନ୍ଦର ପ୍ରଥମ ଅକ୍ଷରଟି "ବ"ରେ ଆରମ୍ଭ ହେଉଥିଲା । ନାନା ପ୍ରକାର ଅଳଙ୍କାର ଓ ଛନ୍ଦର ପ୍ରୟୋଗ ହୋଇଥିବା ଯୋଗୁଁ କାବ୍ୟଟି ପଣ୍ଡିତ ସମାଜରେ ବେଶ୍ ଆଦରଲାଭ କଲା । "ବୈଦେହୀଶ ବିଳାସ"ରେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ, ବିବାହ, ବନବାସ ସହିତ ଅଯୋଧ୍ୟାରେ ଅଭିଷେକ ହେବା ପ୍ରଭୃତି ମୁଖ୍ୟ ଘଟଣାଗୁଡିକୁ ତାଛଡା ସୀତାଙ୍କର ନିର୍ବାସନ, ବାଲ୍ମୀକି ଆଶ୍ରମରେ ଲବକୁଶଙ୍କର ଜନ୍ମ, ଲବକୁଶଙ୍କ ଦ୍ଵାରା ହନୁମାନ ଓ ଶ୍ରୀରାମଙ୍କ ପରାଜୟ, ସୀତାଙ୍କର ଅଗ୍ନି ପରୀକ୍ଷା ଓ ପାତାଳପୁରକୁ ଗମନ, ରାମଚନ୍ଦ୍ରଙ୍କର ସ୍ଵର୍ଗପ୍ରାପ୍ତି ଆଦି ଘଟଣା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଆଇଅଛି । ଜେଜେ ଧନଞୟ ଭଞଙ୍କୁ ଦେଇଥିବା କଥାଟିକୁ ପୂରଣ କରିପାରିଥିବାରୁ ଉପେନ୍ଦ୍ର ନିଜର ପରିଶ୍ରମକୁ ସାର୍ଥକ ମଣିଲେ ।

କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ

"ବୈଦେହୀଶ ବିଳାସ", "ଲାବଣ୍ୟବତୀ" ଭଳି ଦୁଇଟି ପ୍ରସିଦ୍ଧ କାବ୍ୟ ଲେଖିସାରିଲା ପରେ ଉପେନ୍ଦ୍ର ନିଜର ତୃତୀୟ କାବ୍ୟ "କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ" ଲେଖିଲେ । କାବ୍ୟଟିରେ କବି ଚମ୍ପାନଗରୀର ରାଜା ବିଶ୍ଵାସନନ୍ଦକ ଓ ରାଣୀ ବିଚିତ୍ରକଳାଙ୍କର କନ୍ୟା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କର କଥାକୁ ବର୍ଣ୍ଣନା କରିଛନ୍ତି. ରାଜାରାଣୀ ଝିଅଟିକୁ କେମିତି ଲାଭ କଲେ, କିପରି ତାର ଲାଳନ ପାଳନ କଲେ ଏସବୁ କଥା ଅତି ସୁନ୍ଦର ଭାବରେ ଲେଖିଛନ୍ତି । ପାଟଳିପୁତ୍ରର ରାଜପୁତ୍ର ପୁଷ୍ପକେତୁଙ୍କ ସହିତ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ବିବାହ କବିଙ୍କ ଲେଖନୀମୁନରେ ଅତ୍ୟନ୍ତ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି. ବିଭିନ୍ନ ଅଳଙ୍କାର, ରସ, ଭାବ ଓ ଶବ୍ଦ ବିନ୍ୟାସ ଦ୍ଵାରା କାବ୍ୟଟି ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇପାରିଛି. ଜଗନ୍ନାଥଙ୍କର ଲୀଳାକୁ ମଧ୍ୟ ଉପେନ୍ଦ୍ର ଏହି କାବ୍ୟରେ ଅତି ସୁନ୍ଦର ଭାବରେ ରୁପାୟିତ କରିପାରିଛନ୍ତି. କାବ୍ୟଟିର ବିଷୟବସ୍ତୁ ସମ୍ପୁର୍ଣ୍ଣ କାଳ୍ପନିକ ହେଲେ ମଧ୍ୟ ପଢିଲେ ପାଠକଙ୍କୁ ସତ ବୋଲି ମନେ ହୁଏ. ଶ୍ରୀଜଗନ୍ନାଥଙ୍କ ଲୀଳାଚରିତ ବର୍ଣ୍ଣନା ପାଠକକୁ ଆତ୍ମହରା କରିଦିଏ. ଉପେନ୍ଦ୍ରଙ୍କର ସମସ୍ତ କାବ୍ୟ ରସଯୁକ୍ତ, ଛନ୍ଦମୟ ଓ ସୁର-ତାଳରେ ପରିବେଷିତ।

ତିନୋଟି ଉନ୍ନତ ଧରଣର କାବ୍ୟ ଲେଖିସାରି ଉପେନ୍ଦ୍ର "ପ୍ରେମ ସୁଧାନିଧି", "ସୁବର୍ଣ୍ଣରେଖା", "ଅବନା ରସତରଙ୍ଗ" ଆଦି କାବ୍ୟ ମଧ୍ୟ ଲେଖିଲେ. "ଅବନା ରସତରଙ୍ଗ" କାବ୍ୟରେ ସଂପୂର୍ଣ୍ଣଖାର ନାକ କାନ କାଟିବାଠାରୁ ରାମଚନ୍ଦ୍ରଙ୍କର ଅଯୋଧ୍ୟା ଅଭିଷେକ ହେବା ପର୍ଯ଼୍ୟନ୍ତ ରାମାୟଣର ବିଷୟବସ୍ତୁ ଲେଖାଯାଇଛି. କାବ୍ୟଟିରେ ଏକ ଭିନ୍ନପ୍ରକାରର କାବ୍ୟିକ କୌଶଳର ଉପଯୋଗ କରାଯାଇଛି, ଏଥିରେ ସମସ୍ତ ଛନ୍ଦ ଅବନାରେ ଲେଖାଯାଆଇଛି ଯାହା ଓଡ଼ିଆ ସାହିତ୍ୟରେ ଏକ ମାଇଲ ଖୁଣ୍ଟ ।

ସେହିପରି  ପ୍ରତି ପଦର ପ୍ରଥମ ଅକ୍ଷରରେ "ସ" ରଖି ଉପେନ୍ଦ୍ର ଏକ ନୁଆ ଧରଣର କାବ୍ୟ "ସୁଭଦ୍ରା ପରିଣୟ" ଲେଖିଥିଲେ ଯେଉଁଥିରେ ସୁଭଦ୍ରା ଓ ଅର୍ଜୁନଙ୍କ ବିଭାଘର ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି. ଶ୍ରୀକୃଷ୍ଣଙ୍କର ସଖା ଭାବେ ଅର୍ଜୁନ ସଦାସର୍ବଦା ତାଙ୍କ ପାଖେ ପାଖେ ରହୁଥିଲେ. ଶ୍ରୀକୃଷ୍ଣ ମଧ୍ୟ ଅର୍ଜୁନଙ୍କୁ ପ୍ରାଣଠାରୁ ଅଧିକ ଭଲ ପାଉଥିଲେ, ତେଣୁ ନିଜର ଭଉଣୀ ସୁଭଦ୍ରାଙ୍କୁ ଅର୍ଜୁନଙ୍କ ସହ ବିବାହ ଦେଲେ. ଏହି କଥାବସ୍ତୁର ଲାଳିତ୍ୟପୁର୍ଣ୍ଣ ବର୍ଣ୍ଣନା ଅତ୍ୟନ୍ତ ମନୋମୁଗ୍ଧକର ଥିଲା.

ଉପେନ୍ଦ୍ର ଭଞ୍ଜ ଲେଖିଥିବା ସର୍ବମୋଟ ୫୨ ଖଣ୍ଡରୁ କେବଳ ୨୦-୨୫ ଖଣ୍ଡ ଏବେ ପଢ଼ିବା ପାଇଁ ମିଳୁଛି । ଛାପାକଳର ଅଭାବରୁ ଅନେକ ବହି କ୍ରମେ ନଷ୍ଟହୋଇ ଯାଇଛି । ତାଙ୍କର କେତୋଟି ପ୍ରମୁଖ କାବ୍ୟ ହେଲା:

  • ବୈଦେହୀଶ ବିଳାସ ("ବ"ରେ ଆରମ୍ଭ ହୋଇଥିବା ସବୁ ପଦ)
  • ରାସଲୀଳା
  • ବ୍ରଜଲୀଳା
  • ସୁଭଦ୍ରା ପରିଣୟ ("ସ"ରେ ଆରମ୍ଭ ହୋଇଥିବା ସବୁ ପଦ)
  • ଲାବଣ୍ୟବତୀ
  • ପ୍ରେମ ସୁଧାନିଧି
  • ରସିକହାରାବଳୀ
  • ଚିତ୍ରକାବ୍ୟ-ବନ୍ଦୋଧ୍ୟ ଲାବଣ୍ୟବତୀ
  • କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ
  • କଳା କୌତୁକ ("କ"ରେ ଆରମ୍ଭ ହୋଇଥିବା ସବୁ ପଦ)
  • ସତୀଶ ବିଳାସ ("ସ"ରେ ଆରମ୍ଭ ହୋଇଥିବା ସବୁ ପଦ)
  • ଦମୟନ୍ତୀ ବିଳାସ ("ଦ"ରେ ଆରମ୍ଭ ହୋଇଥିବା ସବୁ ପଦ)
  • ପଦ୍ମାବତୀ ପରିଣୟ ("ପ"ରେ ଆରମ୍ଭ ହୋଇଥିବା ସବୁ ପଦ)

ଆଧାର - "କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ"

 

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top