ସେଆର କରନ୍ତୁ

ଓଡ଼ିଶା

ଓଡ଼ିଶାର ସ୍ଥିତି ଭୌଗଳିକ ଅବସ୍ଥିତି ଓ ଜିଲ୍ଲା ଇତ୍ୟାଦି ସମ୍ବନ୍ଧରେ ସୂଚନା ଦିଆଯାଇଛି ।

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ମିଲିୟନ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱ ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ ।

ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗ ଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି ।  ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା,  ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।

ଓଡ଼ିଶାର ଇତିହାସ ଓଡ଼ିଶାର ଆରମ୍ଭ,ଓଡ଼ିଆ ସଭ୍ୟତାର ସୃଷ୍ଟି ଓ ବିକାଶ,ଭାଷା, ସାହିତ୍ୟ, ପରିବେଶ, ଲୋକଙ୍କର ଜୀବନଯାପନ, ଚଳଣି ଆଦିର କ୍ରମାନୁସାରେ ଥିବା ଘଟଣାସବୁକୁ ନେଇ ଗଠିତ ।

ଇତିହାସ

ନାମକରଣ

ଓଡ଼ିଶା ଶବ୍ଦଟି ମୂଳ ଶବ୍ଦ ଓର/ଉର ବା ଓଡ୍ର, ଉଡ୍ର ଦେଶରୁ, ସୁମେରୀୟ, ଓଡ୍ର ବିଷୟ ଆଦି ପୁରାତନ ନାମରୁ ଆସିଅଛି । ଏହାର ପ୍ରମାଣ ଆକାରରେ ସବୁଠାରୁ ପୁରାତନ ଲେଖ 'ଉତ୍ତର ତୋଷାଳି' ଅନ୍ତର୍ଗତ ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ସୋରଠାରୁ ମିଳିଥିବା ତମ୍ବାପଟାରେ ଓଡ୍ର ବିଷୟର ସୂଚନା ମିଳିଛି । ପାଳି ଓ ସଂସ୍କୃତ ସାହିତ୍ୟରେ ଓଡ଼ିଆ ଲୋକଙ୍କୁ ଯଥାକ୍ରମେ 'ଓଡ଼କ' ଓ 'ଓଡ୍ର' ନାମରେ ନାମିତ କରାଯାଇଛି । ପୁରାତନ ଲେଖକ ଓ ଗବେଷକ ପ୍ଲିନି ଦି ଏଲ୍ଡର ଓ  ଟଲେମି ଓଡ୍ର ଜଣଙ୍କୁ 'ଓରେଟସ' ବୋଲି ନାମିତ କରିଛନ୍ତି ।

ନାମ ବଦଳ

ଇଂରାଜୀ ଓ ହିନ୍ଦୀରେ "ଓଡ଼ିଶା" ଓ "ଓଡ଼ିଆ"କୁ Orissa ଓ Oriya ତଥା उड़ीसा ଓ उड़ीआ ଭାବେ ସମ୍ବିଧାନରେ ତଥା ସାଧାରଣରେ ବ୍ୟବହାର କରାଯାଉଥିଲା । ୨୦୦୮ ମସିହା ଜୁନ ୯ରେ ପ୍ରଥମେ ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଓ ଓଡ଼ିଆକୁ ଇଂରାଜୀରେ Orissa ଓ Oriya ବଦଳରେ Odisha ଓ Odia ତଥା ହିନ୍ଦୀରେ उड़ीसा ଓ उड़ीआ ବଦଳରେ ओड़िशा ଓ ओड़ीआ ଲେଖିବା ପାଇଁ ପ୍ରସ୍ତାବ ଆଗତ କରଯାଇଥିଲା । ୨୦୦୮ ଅଗଷ୍ଟରେ ରାଜ୍ୟ ବିଧାନ ସଭାରେ ଏହି ପ୍ରସ୍ତାବ ଆସିଥିଲା ଓ ବହୁମତରେ ଏହାକୁ ଗ୍ରହଣ କରାଯାଇଥିଲା । ପରେ ନୂଆ ଲୋକ ସଭା ଗଠନ ପରେ ଏହାକୁ ବିଧାନ ସଭାରେ ଆଉଥରେ ଆଗତ କରଯାଇଥିଲା । ଏହି ସଂଶୋଧିତ ପ୍ରସ୍ତାବକୁ ୨୦୧୦ ବଜେଟ ଅଧିବେଶନରେ ଲୋକ ସଭାରେ ଆଗତ କରଯାଇଥିଲା । ୨୦୧୦ ଶୀତକାଳୀନ ଅଧିବେଶନରେ ପ୍ରଥମ ଦିନ (ଅକ୍ଟୋବର ୯, ୨୦୧୦) ରେ ସ୍ଵରାଷ୍ଟ୍ର ମନ୍ତ୍ରୀ ପି. ଚିଦମ୍ବରମ ଏହାକୁ ଲୋକ ସଭାରେ ଆଗତ କରିଥିଲେ । ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ଯାହା ୨୦୧୧ମସିହା ୪ ନଭେମ୍ବରରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା ।

ସଂକ୍ଷେପରେ

  • ବୈଦିକ ଓଡ଼ିଶା - କୃଷ୍ଣ ଯଜୁର୍ବେଦ ବୌଧାୟନ କଳ୍ପସୂତ୍ର କହେ (ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ), ବୈଦିକ ସଭ୍ୟତା ବାହାରେ କଳିଙ୍ଗ ଥିଲା ଭିନ୍ନ ଏକ ସଭ୍ୟତା (ନା ଆର୍ଯ୍ୟ ନା ଦ୍ରାବିଡ଼)
  • ପୌରାଣିକ ଓଡ଼ିଶା - ମହାଭାରତ କହେ, କଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା ।
  • କିମ୍ବଦନ୍ତୀରେ ଓଡ଼ିଶା - ଓଡ଼ିଶାରେ ପ୍ରଚଳିତ ଲୋକକଥା ଅନୁସାରେ ଏଠି କଳା ଓ ବାଣିଜ୍ୟର ସଂସ୍କୃତି ପ୍ରଭାବ ବିସ୍ତାର କରିଥିଲା । ସିଂହଳ(ଶ୍ରୀଲଙ୍କା), ଜାଭା, ସୁମାତେରା, ବାଲି, ବ୍ରହ୍ମଦେଶ (ମିଆଁମାର), ସାମ (ଥାଇଲାଣ୍ଡ), କାମ୍ବୋଡ଼ିଆ, ଅନାମ (ଭିଏତନାମ), ଚୀନ, ଜବନ (ଜାପାନ), କୁକୁଟ (କୋରିଆ), ମକ୍କସିଖ (ମେକ୍ସିକୋ), ମିସର (ଇଜିପ୍ଟ), ସିମିଳି (ଆରବ), ବାବିଲନ (ଇରାକ) ପ୍ରଭୃତି ସ୍ଥାନରେ କଳିଙ୍ଗର ନିର୍ମାଣ-କଳା ଓ ବାଣିଜ୍ୟ-ସଂସ୍କୃତି-ଇତିହାସର ଚିହ୍ନ ଏବେ ବି ଦେଖିବାକୁ ମିଳେ । ସଂମ୍ଭବତଃ ଲୋକତନ୍ତ୍ର ପ୍ରଚଳିତ ଥିଲା ।
  • ଖ୍ରୀ.ପୂ. ୩୬୦-୨୬୦ - ନନ୍ଦ-ସାମ୍ରାଜ୍ୟରେ ଓଡ଼ିଶାର ଏକ ବଡ଼ ଭାଗ ଅନ୍ତର୍ଭୁକ୍ତ ।
  • ଖ୍ରୀ.ପୂ. ୨୬୧ - ପୃଥିବୀ ବିଖ୍ୟାତ କଳିଙ୍ଗ ଯୁଗ
  • ଖ୍ରୀ.ପୂ. ୧ମ ଶତାବ୍ଦୀ - ଚେଦୀ ରାଜବଂଶର ସମ୍ରାଟ ମହାମେଘବାହାନ ଐର ଖାରବେଳଙ୍କ ରାଜତ୍ଵ, କଳିଙ୍ଗର ପରିସୀମା ଆଗଙ୍ଗା-କାବେରୀ, ତଥା ପଶ୍ଚିମ ଓ ମଧ୍ୟ ଭାରତକୁ ବିସ୍ତାରିତ । ଜୈନ ଧର୍ମର ପ୍ରସାର ।
  • ୩ୟ-ଷଷ୍ଠ ଶତାବ୍ଦୀ - ଗୁପ୍ତ-ରାଜବଂଶ, ହର୍ଷବର୍ଦ୍ଧନ, ଦ୍ୱିତୀୟ ପୁଲକେଶୀ, ମାଠର, ଭୌମକର ଇତ୍ୟାଦି ବିଭିନ୍ନ ରାଜାଙ୍କ ଶାସନାଧୀନ
  • ୭୯୫ ଖ୍ରୀ. - କେଶରୀ ରାଜବଂଶ । ଯଯାତି କେଶରୀ କଳିଙ୍ଗ, କୋଶଳ ଓ ଉତ୍କଳକୁ ଏକତ୍ର କଲେ ।  ଯାଜପୁର ରେ ରାଜଧାନୀ ସ୍ଥାପନ ।
  • ୧୦୭୮-୧୪୩୪ ଖ୍ରୀ. - ଗଙ୍ଗବଂଶର ଅନନ୍ତବର୍ମା ଚୋଳଗଙ୍ଗ ଦେବଙ୍କ ରାଜତ୍ୱ ପ୍ରାରମ୍ଭ ।
  • ୧୦୭୮-୧୧୫୦ ଖ୍ରୀ. - ଚୋଡ଼ଗଙ୍ଗ ଦେବଙ୍କ ରାଜୁତି । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ନବୀକରଣ ପ୍ରାରମ୍ଭ । କଟକ ହେଲା ନୂଆ ରାଜଧାନୀ (ପ୍ରାୟ ୧୧୭୦ ଖ୍ରୀ.) ।
  • ୧୧୭୦-୧୧୯୮ ଖ୍ରୀ. - ଦ୍ୱିତୀୟ ଅନଙ୍ଗଭୀମଦେବ । ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ।
  • ୧୨୨୯ ଖ୍ରୀ. - ତୃତୀୟ ଅନଙ୍ଗଭୀମଦେବଙ୍କ ଦ୍ୱାରା ବାରବାଟି ଦୁର୍ଗ ନିର୍ମିତ ।
  • ୧୨୩୮-୧୨୬୪ ଖ୍ରୀ. - ଲାଙ୍ଗୁଳା ନରସିଂହଦେବ । କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମିତ |
  • ୧୪୩୫-୧୫୪୧ ଖ୍ରୀ. - ଗଜପତି ରାଜବଂଶ । ଆଗଙ୍ଗା-ଗୋଦାବରୀ ସାମ୍ରାଜ୍ୟ ।
  • ୧୪୩୫-୧୪୬୬ ଖ୍ରୀ. - (ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର) କପିଳେନ୍ଦ୍ରଦେବ ।
  • ୧୪୯୭-୧୫୪୧ ଖ୍ରୀ. - ରାଜା ପୁରୁଷୋତ୍ତମଦେବ ଓ ତାଙ୍କପରେ ପ୍ରତାପରୂଦ୍ରଦେବ ।
  • ୧୫୬୮ ଖ୍ରୀ. - ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ଶାସକ ମୁକୁନ୍ଦଦେବ ପରାସ୍ତ । ବଙ୍ଗର ମୁସଲିମ ଶାସକ ସୁଲେମାନ କରାଣୀ ତଥା ତାଙ୍କ ସେନାପତି କଳାପାହାଡ଼ ଦ୍ୱାରା ଓଡ଼ିଶା ଅଧିକୃତ ।
  • ୧୫୭୬ ଖ୍ରୀ. - ମୋଗଲମାନଙ୍କର ଓଡ଼ିଶା ଅଧିକାର ।
  • ୧୭୫୧ ଖ୍ରୀ. - ମରହଟ୍ଟାମାନଙ୍କର ଓଡ଼ିଶା ଅଧିକାର ।
  • ୧୮୦୩ ଖ୍ରୀ. - ୧୪ ଅକ୍ଟୋବର: ବ୍ରିଟିଶମାନଙ୍କର ଓଡ଼ିଶା ଅଧିକାର(ଏହା ବ୍ରିଟିଶ ଅଧିକୃତ ଶେଷ ଭାରତୀୟ ରାଜ୍ୟ)।
  • ୧୯୧୨ ଖ୍ରୀ. - ବିହାର-ଓଡ଼ିଶା ବଙ୍ଗରୁ ଅଲଗା ପ୍ରାନ୍ତ ଭାବେ ଗଠିତ ।
  • ୧୯୩୬ ଖ୍ରୀ. - ସ୍ୱତନ୍ତ୍ର ଓଡ଼ିଶା ପ୍ରାନ୍ତ ଗଠିତ । ଭାଷା ଭିତ୍ତିରେ ଗଠିତ ପ୍ରଥମ ଭାରତୀୟ ରାଜ୍ୟ ।
  • ୧୯୪୬ ଖ୍ରୀ. - ଓଡ଼ିଶା ସ୍ଵାୟତ ଶାସନ ସୁବିଧା ହାସଲ କଲା ।
  • ୧୯୪୭ ଖ୍ରୀ. - ସ୍ୱାଧୀନ ଭାରତର ଏକ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା-ପ୍ରାପ୍ତ ।
  • ୧୯୪୮ ଖ୍ରୀ. - ଭୁବନେଶ୍ୱର ନୂତନ ରାଜଧାନୀ (ଏପ୍ରିଲ୍ ୧୩) ।

୭ ମ ଶତାବ୍ଦୀ

୭ମ ଶତାବ୍ଦୀ କାଳରେ ଓଡ଼ିଶାର ଶାସକମାନେ ସ୍ୱାଧୀନ ଥିଲେ । ସେତେବେଳେ ଗଙ୍ଗ ବଂଶର ରାଜାମାନେ ଓଡ଼ିଶାରେ ଶାସନ କରୁଥିଲେ , ୭୯୫ ଖ୍ରୀଷ୍ଟାବ୍ଦରେ ୨ୟ ଯଯାତି (ମହାସିବ ଗୁପ୍ତ) ସିଂହାସନ ଆରୋହଣ କରିଥିଲେ । ଓଡ଼ିଶା ଇତିହାସରେ ଏହାକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଇଥାଏ । ସେ ସମଗ୍ର ଖାରବେଳଦେଇ ଅନୁପ୍ରାଣିତ ହୋଇ କଳିଙ୍ଗ,କାରଗୋଡ଼ା, ଉତ୍କଳ ଓ କୋଶଳ ଏହି ଚାରିଗୋଟି ଭୂଖଣ୍ଡକୁ ମିଶାଇ ବିଶାଳ ସାମ୍ରାଜ୍ୟ ଗଠନ କରିଥିଲେ । ଓଡ଼ିଶାରେ ଏହି ରାଜବଂଶର ଶାସନ ଖ୍ରୀ. ୩୫୦ରୁ ଆରମ୍ଭ କରି ସୋମ ବଂଶର ଶେଷ ପର୍ଯ୍ୟନ୍ତ ଥିଲା । ଏହି ରାଜ୍ୟକୁ ନେଇ ଗଠିତ ବିଶାଳ ଓଡ଼ିଶାରେ ଅନେକ ଜାତି ଓ ଉପଜାତିରେ ବିଭାଜିତ ହୋଇଥିବାରୁ ଏକ ବିଶେଷ ବଣିକ ଜାତି ଜନ୍ମ ହେଲା ଓ ସେମାନେ ସାଧବ ଭାବରେ ପରିଚିତ ହେଲେ । ଏପରିକି ପ୍ରଥମ ଜନ୍ମଜୟ ମହାଭବ ଗୁପ୍ତ ଗୁପ୍ତ (ଖ୍ରୀ. ୮୮୨-୯୨୨)ଙ୍କ ସୋନପୁର ଅଞ୍ଚଳରେ ପ୍ରଚୁର ବଣିକ ସଙ୍ଘ ଥିବାର ପ୍ରମାଣ ମିଳିଥାଏ । କିନ୍ତୁ ୮ ଶତାବ୍ଦୀରେ ପ୍ରଚୁର ସମ୍ବଳ ଯୋଗୁଁ ଏହି ବାହାର ବାଣିଜ୍ୟ ଲୋପ ପାଇଗଲା ।

ବୈଶ୍ୟ, ଶୂଦ୍ର ଜାତିର ଲୋକମାନେ ରାଜ୍ୟର ଅନ୍ତ-ବାଣିଜ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ସେମାନେ ଚାଷୀମାନଙ୍କ ଠାରୁ କୃଷିଜାତ ସାମଗ୍ରୀ ଆଣି ପେସାଗତ ବେପାରୀଙ୍କୁ କୃଷିଜାତ ଓ ଶିଳ୍ପଜାତ ଦ୍ରବ୍ୟ ଯୋଗାଇବାରେ ସାହାଯ୍ୟ କରୁଥିଲେ । ଏହି କିଣା-ବିକାର ମୁଖ୍ୟ ମାଧ୍ୟମ ଥିଲା ସୁନା, ରୂପା, ମୁଦ୍ରା ଓ କଉଡ଼ି । ଏହି ସମୟରେ ବଙ୍ଗୋପସାଗର କୂଳରେ ଚରିତ୍ରପୁର ନାମକ ବନ୍ଦର ଖୁବ ପ୍ରସିଦ୍ଧି ଲାଭ କରିଥିଲ । ଏହି ବନ୍ଦରଟି ଦେଇ ଚୀନ,ଶ୍ରୀଲଙ୍କା, ଜାଭା ଆଦି ସହ କଳିଙ୍ଗର ବେପାର ବଣିଜ ଚାଲୁଥିଲା । ଓଡ଼ିଶାରେ ଗଙ୍ଗବଂଶ ୧୪୩୪ ଯାଏଁ ଥିଲା । ତାହା ପରେ କପିଳେନ୍ଦ୍ରଦେବ, ପ୍ରତାପରୁଦ୍ରଦେବ, ଗୋବିନ୍ଦ ବିଦ୍ୟାଧର, ମୁକୁନ୍ଦ ହରିଚନ୍ଦନ ଓଡ଼ିଶାର ଶାସକ ଥିଲେ ।

ଆଫଗାନ ଓ ମୋଗଲ ଶାସନ

ପରେ ଓଡ଼ିଶା ଆଫଗାନମାନଙ୍କ ହାତକୁ ଆସିଲା ଓ ୧୫୬୮ରେ ଓଡ଼ିଶା ମୋଗଲମାନଙ୍କ ଶାସନାଧୀନ ହେଲା । ଏହି ସମୟରେ ୧୭୫୫ ଖ୍ରୀ. ବେଳକୁ ଓଡ଼ିଶାରେ ଅତ୍ୟାଚାର, ଲୁଣ୍ଠନ, ଅରାଜକତା ଆଦି ବହୁ ମାତ୍ରାରେ ବ୍ୟାପୀ ଯାଇଥିଲା । ୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ୧୮୧୭ ଖ୍ରୀ. ରେ ପାଇକମାନେ ଇଂରେଜ ବିରୋଧରେ ଲଢ଼େଇ ଆରମ୍ଭ କଲେ । ଇଂରେଜମାନେ ନିର୍ମମ ଭାବରେ ଏହି ବିଦ୍ରୋହକୁ ଦମନ କରିଥିଲେ । ୧୮୧୭ରେ ଖୋର୍ଦ୍ଧା ରାଜା ମୁକୁନ୍ଦଦେବ ବନ୍ଦୀ ବେଳେ ମୃତୁ ବରଣ କଲେ ।

ଯଦିଓ ୧୬ଶ ଓ ୧୭ଶ ଶତାବ୍ଦୀରେ ଓଡ଼ିଶାର ବାହାର-ବାଣିଜ୍ୟ ଉନ୍ନତି ସାଧନ କରିଥିଲା, ତଥାପି କେଇ ବର୍ଷର ରାଜନୀତିକ ଅସ୍ଥିରତା ସକାଶେ ଅର୍ଥନୀତିର ପ୍ରଗତି ବାଧା ପାଇଥିଲା ।

ଇଂରେଜ ଶାସନ

୧୮୦୩ ବେଳକୁ ଇଂରେଜମାନେ ଓଡ଼ିଶା ଅଧିକାର କଲାବେଳକୁ ଓଡ଼ିଶାର ଏହି ଅର୍ଥନୀତିର ଅଧପତନ ଚରମ ସୀମାରେ ପହଞ୍ଚି ଥିଲା । ଇଂରେଜମାନେ ବଣିକ ଥିଲେ, ତେଣୁ ଓଡ଼ିଶାକୁ ସେମାନେ ନିଜର କର ଆଦାୟର ମୁଖ୍ୟ ଭାବରେ ଗ୍ରହଣ କରି ୧୮୦୫ ମସିହା ବେଳକୁ ରେଗୁଲେସନ ଆକ୍ଟ (Regulation Act) ଓ ୧୮୦୮ ରେ ଭୂରାଜସ୍ଵ ବନ୍ଦୋବସ୍ତ ପ୍ରଚଳନ କରିଥିଲେ । ୧୮୨୫ ବେଳକୁ ଏକାଧିକ ବନ୍ଦୋବସ୍ତ ପ୍ରଚଳନ ଫଳରେ ଓଡ଼ିଶା ଶିଳ୍ପ ଓ ବାଣିଜ୍ୟର ଧ୍ଵଂସ ସାଧନ ଲକ୍ଷ୍ୟ ରେ ଏଠାରୁ ବିଲାତକୁ କଞ୍ଚାମାଲ ନେଇ ସେଠାରୁ ଓଡ଼ିଶାକୁ କଳ କବଜା ଆମଦାନୀ ବାଣିଜ୍ୟ କାରବାର ଆରମ୍ଭ କରାଯାଇଥିଲା । ଏଠି ସହିତ ଲବଣ କର ଜନସାଧାରଣଙ୍କ ଉପରେ ଲାଗୁ କରାଯାଇଥିଲା ଯାହା ଓଡ଼ିଶାର ସାମାଜିକ ଓ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ଦେଇଥିଲା ।

ଇଂରେଜ ଅମଳରେ ସମଗ୍ର ଭାରତୀୟ ଉପମହାଦେଶରେ ମାରୁଆଡ଼ି ଓ ଗୁଜରାଟୀ ବେପାରୀ ଗୋଷ୍ଠୀର ଅଭୂଦୟ ହୋଇଥିଲା । ସେମାନେ ବିଶେଷ କରି ବଙ୍ଗାଳୀ ଓକିଲ ଓ ଅନ୍ୟ ବୁଦ୍ଧିଜୀବୀଙ୍କ ପ୍ରରୋଚନାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ କଞ୍ଚାମାଲ ସଂଗ୍ରହ କରି ଓଡ଼ିଶାର ଅର୍ଥନୀତିର ବଜାରକୁ ନିୟନ୍ତ୍ରଣ କରୁଥିଲେ । ଏଥିରେ ବିଦେଶୀମାନେ ହିଁ ଲାଭବାନ ହେଉଥିଲେ ।

ନଅଙ୍କ ଦୁର୍ଭିକ୍ଷ

ଓଡ଼ିଶାର ଅର୍ଥନୀତି, ସାମାଜିକ ବିଧିବ୍ୟବସ୍ଥା, ଧାର୍ମିକ ବିଶ୍ଵାସର ଅଧପତନ ଘଟାଇବାକୁ ଚେଷ୍ଟିତ ଇଂରେଜ କମ୍ପାନୀ ସରକାର ୧୮୬୬ରେ ନଅଙ୍କ ଦୁର୍ଭିକ୍ଷ ସୃଷ୍ଟି କରିଥିଲେ । ଯାହାଫଳରେ ଓଡ଼ିଶାର ଦୁଇତୃତୀୟାଂଶ ଲୋକ ଖାଇବାକୁ ନ ପାଇ ପୋକମାଛି ପରି ମରିଗଲେ ।

ଜିଲ୍ଲା

ଓଡ଼ିଶାରେ ୩୦ଟି ଜିଲ୍ଲା ଅଛି ବୌଦ୍ଧ,  ଭଦ୍ରକ,  ବଲାଙ୍ଗୀର,  ବରଗଡ଼,  ବାଲେଶ୍ଵର,  କଟକ,  ଦେବଗଡ଼,  ଢେଙ୍କାନାଳ,  ଗଞ୍ଜାମ,  ଗଜପତି,  ଝାରସୁଗୁଡ଼ା,  ଯାଜପୁର,  ଜଗତସିଂହପୁର,  ଖୋର୍ଦ୍ଧା, କେନ୍ଦୁଝର,  କଳାହାଣ୍ଡି,  କନ୍ଧମାଳ,କୋରାପୁଟ,କେନ୍ଦ୍ରାପଡ଼ା, ମାଲକାନଗିରି,ମୟୂରଭଞ୍ଜ,ନବରଙ୍ଗପୁର ନୂଆପଡ଼ା, ନୟାଗଡ, ପୁରୀ, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ।

ପ୍ରତି ଜିଲ୍ଲାର ଶାସନମୁଖ୍ୟଙ୍କୁ ଜିଲ୍ଲାପାଳ କୁହାଯାଏ । ଜିଲ୍ଲାପାଳ, ଭାରତୀୟ ପ୍ରଶାସନିକ ସେବା ଅଥବା ଓଡ଼ିଶା ପ୍ରଶାସନିକ ସେବା ମାଧ୍ୟମରେ ନିଯୁକ୍ତି ପାଆନ୍ତି । ଶାସନକଳର ସୁବିଧା ପାଇଁ ପ୍ରତିଟି ଜିଲ୍ଲାକୁ କେତେଗୁଡ଼ିଏ ଉପଖଣ୍ଡ (ସବ-ଡିଭିଜନ)ରେ, ପୁଣି, ପ୍ରତ୍ୟେକ ଉପଖଣ୍ଡକୁ କେତେଗୁଡ଼ିଏ ବ୍ଲକରେ ଏବଂ ପ୍ରତ୍ୟେକ ବ୍ଲକକୁ କେତେଗୁଡ଼ିଏ ପଞ୍ଚାୟତରେ ବିଭକ୍ତ କରାଯାଇଛି ।

ଓଡ଼ିଶାର ସବୁଠୁ ବଡ଼ ସହର ଭୁବନେଶ୍ୱର ଏହାର ରାଜଧାନୀ ଅଟେ । ଅନ୍ୟ ମୁଖ୍ୟ ସହରମାନେ ହେଲେ କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ବାଲେଶ୍ଵର, ବାରିପଦା,ବଲାଙ୍ଗୀର ଇତ୍ୟାଦି ।

ଭୌଗୋଳିକ ସ୍ଥିତି

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ (୧୫୫୭୦୭ ବର୍ଗ କି. ମି) ଅଟେ । ଏହାର ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ, ପଶ୍ଚିମରେ ଛତିଶଗଡ଼, ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗ ଏବଂ ପୂର୍ବରେ ବଙ୍ଗୋପ ସାଗର ରହିଅଛି ।

ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଅଟେ। ଓଡ଼ିଶାର ପୁରାତନ ରାଜଧାନୀ କଟକ, ଭୁବନେଶ୍ୱରରୁ ମାତ୍ର ୨୯ କି.ମି. ଦୂରରେ ଅବସ୍ଥିତ । ଏହି ଦୁଇ ସହରର କ୍ରମାଗତ ବିସ୍ତାର ଓ ଉତ୍ତମ ସଡ଼କ ଯୋଗାଯୋଗ କାରଣରୁ ଏହି ଦୁଇ ସହରରେ ଦ୍ୱୈତ ନଗରୀ ନାମରେ ବିଖ୍ୟାତ । ପୁରୀ, ଯାହାକି ଏକ ବିଶ୍ୱବିଖ୍ୟାତ ହିନ୍ଦୁ ଧର୍ମପୀଠ, ଏଠାରୁ ପ୍ରାୟ ୬୦ କି.ମି. ଦୂରରେ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ । ହିନ୍ଦୁଙ୍କ ଚାରିଧାମ ମଧ୍ୟରୁ ଏହା ଅନ୍ୟତମ । ଏହା ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଲାଗି ବିଶ୍ୱବିଖ୍ୟାତ ।

ରାଜ୍ୟର ପଶ୍ଚିମ ଓ ଉତ୍ତରାଂଶ ଛୋଟନାଗପୁର ମାଳଭୂମିର ଅଂଶବିଶେଷ । ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀ ପ୍ରଭୃତିର ମୁହାଣରେ ଉର୍ବର ପଟୁମୃତ୍ତିକା ଯୁକ୍ତ ସମତଳ ଭୂମି ଦେଖାଯାଏ । ଏହି ସମତଳ ଭୂମିରେ ମୂଖ୍ୟତଃ ଧାନଚାଷ କରାଯାଏ ।

ଓଡ଼ିଶାର ପ୍ରାୟ ୩୪% ଭୂମି ଅରଣ୍ୟ ଆଚ୍ଛାଦିତ, କିନ୍ତୁ ବିଭିନ୍ନ କାରଣମାନଙ୍କ ହେତୁ ଏହା କ୍ରମାଗତ ଭାବେ ହ୍ରାସ ପା‍ଇ ଚାଲିଛି । ଓଡ଼ିଶାରେ ଅନେକ ଅଭୟାରଣ୍ୟମାନ ରହିଛି । ଏଥିମଧ୍ୟରୁ ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଭାବେ ପ୍ରସିଦ୍ଧ । ବ୍ୟାଘ୍ର ବ୍ୟତୀତ ଝରଣା ଓ ସବୁଜିମା ପୂର୍ଣ୍ଣ ଏହି ଜଙ୍ଗଲରେ ହାତୀ ଓ ଅନ୍ୟାନ୍ୟ ପଶୁପକ୍ଷୀ ବାସ କରନ୍ତି । ଭିତରକନିକା ଅଭୟାରଣ୍ୟ ୧୯୭୫ରୁ ଘଡ଼ିଆଳ କୁମ୍ଭୀରମାନଙ୍କୁ ସୁରକ୍ଷା ଯୋଗାଇ ଆସୁଛି । ଗହୀରମଥା, ଦେବୀ ନଦୀ ଏବଂ ଋଷିକୁଲ୍ୟା ନଦୀ ମୁହାଣକୁ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡ଼ଲେ କଇଁଛ ଅଣ୍ଡା ଦେବାପାଇଁ ଆସନ୍ତି ।

ମହାନଦୀର ଦକ୍ଷିଣ ମୁହାଣରେ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ହ୍ରଦ ଚିଲିକା ହେଉଛି ଏସିଆ ମହାଦେଶର ସର୍ବବୃହତ୍ ଲବଣାକ୍ତ ହ୍ରଦ । ଏହାକୁ ପକ୍ଷୀ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଛି । ଏଠାରେ ପ୍ରତିବର୍ଷ ପ୍ରାୟ ୧୬୦ ପ୍ରଜାତିର ସ୍ଥାନୀୟ ଓ ପ୍ରବାସୀ ପକ୍ଷୀଙ୍କ ସମାଗମ ହୋ‍ଇଥାଏ । ଚିଲିକାରେ ଏକ ନୌ-ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ରହିଛି ।

ଓଡ଼ିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ ହେଉଛି ଦେଓମାଳୀ (୧୬୭୨ ମି.) ଯାହାକି ଦକ୍ଷିଣ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ ଏବଂ ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳାର ଅନ୍ତର୍ଗତ । ଏହା ମଧ୍ୟ ପୂର୍ବଘାଟ ପର୍ବତମାଳାର ସର୍ବୋଚ୍ଚ ଶୃଙ୍ଗ । ଅବସ୍ଥିତି: ୧୮°୪୦'୩"ଉ ୮୨°୫୮'୫୯"ପୂ ।

ପର୍ଯ୍ୟଟନ

ଓଡ଼ିଶାରେ ମୋଟ ୩୪୭ଟି ପର୍ଯ୍ୟଟନସ୍ଥଳୀ ରହିଛି । ନନ୍ଦନ କାନନ, ଚିଲିକା, ପୁରୀ, ଧଉଳି ଗିରି, ଖଣ୍ଡଗିରି, କୋଣାର୍କ, କାକଟପୁର, ଅସ୍ତରଙ୍ଗ, ରାମଚଣ୍ଡୀ, ନିମାପଡ଼ା, ବାରବାଟୀ, ଖଣ୍ଡାଧାର, ଗୁପ୍ତେଶ୍ୱର, ଘଟଗାଁ, ଶିମିଳିପାଳ, ଗହୀରମଥା, ଭିତରକନିକା, କପିଳାସ, ରତ୍ନଗିରି, ମଣିକ, ଲିଙ୍ଗରାଜ, ଗୋପାଳପୁର, ଦେଓମାଳି, ହରିଶଙ୍କର, ସମେଲସ୍ଵରୀ, ହୀରାକୁଦ, ଫୁଲ ଝରଣ, ନାରୟଣୀ, ଚାନ୍ଦିପୁର, ଭଟ୍ଟାରିକା, ଥେରୁବାଲି, ବେଦବ୍ୟାସ, ସାତକୋଶିଆ, ଟିକରପଡ଼ା, ସାତପଡ଼ା, ଅଲାରନାଥ, ତପ୍ତପାଣି,ଚନ୍ଦକା, ଧବଳେଶ୍ଵର ଆଦି ଓଡ଼ିଶାର ମୁଖ୍ୟ ପର୍ଯ୍ୟଟନସ୍ଥଳୀ ।

ଓଡ଼ିଶା ଏହାର ମନ୍ଦିର ମାନଙ୍କ ପାଇଁ ପୃଥିବୀ ପ୍ରସିଦ୍ଧ ଅଟେ । ଓଡ଼ିଶାର ମନ୍ଦିର ଗୁଡିକ ଆର୍ଯ୍ୟ ସଂପ୍ରଦାୟର ଏବଂ ଏଗୁଡିକ ସଂପ୍ରଦାୟର ଅନୁସାରେ ଦେଖିବାକୁ ଅଲଗା ଅଲଗା ପ୍ରକାରର । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରର ଉଚ୍ଚତା ୧୫୦-ଫୁଟ ଏବଂ ପୁରୀର ଜଗନ୍ନାଥ ମନ୍ଦିରର ଉଚ୍ଚତା ୨୦୦-ଫୁଟ, ଯାହାକି ଓଡ଼ିଶାର ସବୁଠୁ ଉଚ୍ଚତମ ମନ୍ଦିର । ଠିକ ସେହିପରି କୋଣାର୍କର ସୂର୍ଯ୍ୟ ମନ୍ଦିର ପୃଥିବୀ ପ୍ରସିଦ୍ଧ । ବୌଦ୍ଧ ଏବଂ ଜୈନ ମନ୍ଦିର ମାନଙ୍କ ପାଇଁ ମଧ୍ୟ ଓଡ଼ିଶା ପ୍ରସିଦ୍ଧ ଅଟେ । ଭୁବନେଶ୍ୱରରେ ଖଣ୍ଡଗିରି ଏବଂ ଉଦୟଗିରି ନାମକ ଦୁଇଟି ଗୁମ୍ଫା ରହିଛି । ଯାହାକି ପୁରାତନ ବୌଦ୍ଧ ଧର୍ମର ମୂକସାକ୍ଷୀ । ଠିକ ସେହି ପରି ଧଉଳିଗିରି ଠାରେ ଥିବା ବିଶାଳ ବୌଦ୍ଧ ମୂର୍ତି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଠିକ ସେହି ପରି ଓଡ଼ିଶାର ଟିକରପଡା ଘଡ଼ିଆଳ କୁମ୍ଭୀର ପାଇଁ ପ୍ରସିଦ୍ଧ ଅଟେ ।

ଜନ ଗଣନା

୨୦୧୧ ମସିହା ଭାରତର ଜନଗଣନା ଅନୁଯାଈ ଓଡ଼ିଶାର ସମୁଦାୟ ଜନସଂଖ୍ୟା ୪୧,୯୪୭,୩୫୮, ମଧ୍ୟରୁ ୨୧,୨୦୧,୬୭୮ (୫୦.୫୪%)ଜଣ ପୁରୁଷ ଓ ୨୦,୭୪୫,୬୮୦ (୪୯.୪୬) ଜଣ ମହିଳା, ଏବଂ ପ୍ରତି ୧୦୦୦ ପୁରୁଷରେ ୯୭୮ ଜଣ ମହିଳା ଅଛନ୍ତି । ୨୦୦୧ ମସିହା ଜନଗଣନା ତୁଳନା ବର୍ତମାନ ଜନସଂଖ୍ୟାରେ ୧୩.୯୭% ବୃଦ୍ଧି ହୋଇଛି । ସବୁଠାରୁ ଅଧିକ ଓଡ଼ିଆ ଭାଷା ଭାଷି ଲୋକ ଏଠାରେ ବାସ କରନ୍ତି ଓ ଓଡ଼ିଆ ଭାଷା ଏହି ରାଜ୍ୟର ମୁଖ୍ୟ ଭାଷା ରୁପେ ପରିଚିତ ଏବଂ ଏହି ରଜ୍ୟର ୭୩% ଲୋକମାନେ ଓଡ଼ିଆ ଭାଷାକୁ ନିଜର ମାତୃଭାଷା ରୁପେ ବ୍ୟବହାର କରନ୍ତି । ଏହି ରାଜ୍ୟର କେତେକ ଆଦିବାସୀ ଜନଜାତି ମଧ୍ୟରୁ ସାନ୍ତାଳ, ବଣ୍ଡା , ମୁଣ୍ଡା, ଓରାଣ ଓ ମହାଲି ପ୍ରମୁଖ । ୨୦୧୧ ମସିହା ଜନଗଣନା ଅନୁଯାୟୀ ଏହି ରଜ୍ୟର ସାକ୍ଷରତା ହାର ୭୩.୪୫% ଏବଂ ୮୨.୪% ପୁରୁଷ ଓ ୬୪.୩୬ ମହିଳା ସାକ୍ଷର ଅଟନ୍ତି ।

ଆଧାର -

  1. "ଓଡ଼ିଶାର ଇତିହାସ"
  2. "ଇଂରେଜ ଶାସନ ଭାରତରେ"

 

3.0
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top