ସେଆର କରନ୍ତୁ

କମ୍ପ୍ୟୁଟର

କମ୍ପ୍ୟୁଟର ସମ୍ବନ୍ଧରେ ସୂଚନା ଦିଆଯାଇଛି ।

ଉପକ୍ରମ

କମ୍ପ୍ୟୁଟରକମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷ ଠାରୁ ତଥ୍ୟ (Data) ମାନଙ୍କୁ ନିଏ, ସେସବୁକୁ ସାଇତି ରଖେ ଆଉ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟ(Data)କୁ ବ୍ୟବହାର କରି ଉତ୍ତର ଦିଏ । କମ୍ପ୍ୟୁଟର ଏକ ସମୟରେ ଗାଣିତିକ ଏବଂ ଲଜିକ୍ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।

କେତେଗୁଡିଏ ବିଶେଷ ଅଂଶ କୁ ନେଇ କମ୍ପ୍ୟୁଟର ତିଆରି ହୋଇଥାଏ । ସେଥିମଧ୍ୟରୁ CPU (Central Processing Unit) ଅନ୍ୟତମ । ଏହା ସହିତ କମ୍ପ୍ୟୁଟରରେ ମେମୋରୀ ଇଉନିଟ୍, ALU (Arithmetic and Logic Unit), କଣ୍ଟ୍ରୋଲ୍ ଇଉନିଟ୍ ଇତ୍ୟାଦି ମଧ୍ୟ ରହିଥାଏ । କମ୍ପ୍ୟୁଟର ପ୍ରଥମେ ଇନପୁଟ୍ ଗ୍ରହଣ କରେ, ଏହାକୁ ଦିଆଯାଇଥିବା ସୂଚନା ଅନୁସାରେ କାର୍ଯ୍ୟ ସମ୍ପାଦନ କରେ, ଏହା ପରେ ଉତ୍ତରଟିକୁ ଅଉଟ୍‌ପୁଟ୍ ହିସାବରେ ବ୍ୟବହାରକାରୀକୁ ପ୍ରଦାନ କରିଥାଏ ।

ପ୍ରଥମ ଶତାବ୍ଦୀରୁ ହିଁ କମ୍ପ୍ୟୁଟରର ବ୍ୟବହାର ହୋଇ ଆସୁଛି ।କିନ୍ତୁ ସେତେବେଳର କମ୍ପ୍ୟୁଟର ଏବଂ ଆଜିର କମ୍ପ୍ୟୁଟର ମଧ୍ୟରେ ଆକାଶ ପାତାଳ ତପାଥ ରହିଛି । ସେତେବେଳେ କମ୍ପ୍ୟୁଟର କେବଳ ଗଣନା ପାଇଁ ବ୍ୟବହାର ହେଉଥିଲା । ଆଜି କମ୍ପ୍ୟୁଟର ଏକ ଶହରୁ ଅଧିକ ଭିନ୍ନ ଭିନ୍ନ କାମ ପାଇଁ ବ୍ୟବହାର ହେଉଅଛି ।

ଆଧୁନିକ କମ୍ପ୍ୟୁଟର ସବୁ ଖୁବ କମ ଜାଗାରେ ରହି ପାରେ, ଅଳ୍ପ ସମୟରେ ଖୁବ ଅଧିକ ତଥ୍ୟ ଖୋଜିପାରେ ଆଉ କଠିନ ଗଣିତସବୁ ସହଜରେ ସମାଧାନ କରିପାରେ । ଆଜିକାଲି ମୋବାଇଲ ଠାରୁ ଆରମ୍ଭ କରି ବହୁତ ବଡ ଧରଣର କମ୍ପ୍ୟୁଟର ଦେଖିବାକୁ ମିଳୁଛି ।

ଯେମିତି କୁହାଯାଏ ଯେ ମଣିଷ ହେଉଛି ପ୍ରକୃତିର ଶ୍ରେଷ୍ଠ ସୃଷ୍ଟି, ସେମିତି କୁହାଯାଇପାରେ ଯେ କମ୍ପ୍ୟୁଟର ମଣିଷର ଶ୍ରେଷ୍ଠ ସୃଷ୍ଟି ।

ଗଠନ

କମ୍ପ୍ୟୁଟର ପ୍ରଣାଳୀ ମୁଖ୍ୟତଃ ୩ଟି ଉପାଦାନକୁ ନେଇ ଗଠିତ। ଏଗୁଡ଼ିକ ହେଉଛି : ହାର୍ଡୱେର, ସଫ୍ଟୱେର ଓ ମାନବ ବ୍ୟବହାରକାରୀ । ହାର୍ଡ୍ଵେର୍ ହେଉଛି କମ୍ପ୍ୟୁଟର ପ୍ରଣାଳୀର ସେହି ସବୁ ଉପାଦାନ ଯାହା ସ୍ଥାବର, ଅର୍ଥାତ ଯାହାକୁ ସ୍ପର୍ଶ କରିହୁଏ । ସଫ୍ଟୱେର ସେହିପରି ସ୍ପର୍ଶ କରି ହେଉ ନଥିବା ଉପାଦାନ ସବୁକୁ ବୁଝାଇଥାଏ । ଯେହେତୁ କମ୍ପ୍ୟୁଟରର ନିଜସ୍ଵ ବୁଦ୍ଧି ନାହିଁ, ଏହା ମାନବ ବ୍ୟବହାରକାରୀର ଆଦେଶ ବା କମାଣ୍ଡ ଅନୁସାରେ ପରିଚାଳିତ ହୋଇଥାଏ ।

ନାମକରଣର ଯଥାର୍ଥତା

କମ୍ପ୍ୟୁଟର ନାମଟି କମ୍ପୁଟ ନାମକ ଏକ ଶବ୍ଦରୁ ଆସିଛି ଯାହାର ଅର୍ଥ ହେଉଛି ଗଣନା କରିବା । ଏଣୁ ସଂକ୍ଷିପ୍ତରେ କମ୍ପ୍ୟୁଟର ଏକ ଗଣନା କରିବା ଯନ୍ତ୍ର । କମ୍ପ୍ୟୁଟର ଶବ୍ଦଟି ପ୍ରଥମ କରି ୧୬୧୩ ମସିହାରେ Richard Braithwait ଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକ The Yong Mans Gleanings ରେ ହୋଇଥିଲା । ଏଥିରେ କମ୍ପ୍ୟୁଟର ଏକ ବ୍ୟକ୍ତି କୁ ଦର୍ଶାଉଥିଲା ଯେ କି ଗଣନା କରୁଥିଲେ ।

ଇତିହାସ

  1. ପ୍ରାକ୍ ବିଂଶ ଶତାବ୍ଦୀ
  2. ସହସ୍ର ବର୍ଷ ଧରି ମାନବ ବିଭିନ୍ନ ଯନ୍ତ୍ର ଗଣନରେ ସାହାଯ୍ୟ ପାଇଁ ବ୍ୟବହାର କରି ଆସିଛି, ତନ୍ମଧ୍ୟରୁ ଅଧିକାଂଶ ଆଙ୍ଗୁଳି ସହିତ ଏକୈକ ତୁଳନା ଉପରେ ପର୍ଯ୍ୟବଶିତ । ଟ୍ଯାଲି ଷ୍ଟିକ୍ ସର୍ବପୁରାତନ ଗଣନ ଯନ୍ତ୍ର ରୂପେ ବିବେଚିତ ହୁଏ । ଐତିହାସିକ କାଳରୁ ମାନବ ଶସ୍ୟ, ଗୃହପାଳିତ ପଶୁ ଇତ୍ଯଦି ଗଣିବା ପାଇଁ ମାଟିରେ ତିଆରି କୋନ୍, ଗୋଲକ, ଗଣନ ରଡ୍ ଆଦି ବ୍ୟବହାର କରି ଆସିଛି ।

    ଆବାକସ୍ ପ୍ରଥମେ ଗାଣିତିକ କାର୍ଯ୍ୟରେ ବ୍ୟବହୃତ ହେଉଥିଲା । ଖ୍ରୀଷ୍ଟପୁର୍ବ ୨୪୦୦ରେ ରୋମାନ୍ ଆବାକସ୍ ବାବିଲୋନିଆରେ ବ୍ୟବହୃତ ହେଉଥିବାର ପ୍ରମାଣ ରହିଛି । ଆବାକସ୍‌ର ଉଦ୍ଭାବନ ପର ଠାରୁ ବିଭିନ୍ନ ଗଣନ ବୋର୍ଡ୍ ଏବଂ ଗଣନ ଟେବଲ୍‌ର ଉଦ୍ଭାବନ ହୋଇଛି । ମଧ୍ୟଯୁଗୀୟ ଇଉରୋପରେ ଆର୍ଥିକ ଗଣନା ପାଇଁ ଚେକ୍ ଲୁଗାର ବ୍ୟବହାର ହେଉଥିଲା ।

    ନକ୍ଷତ୍ର ବିଜ୍ଞାନ ଏବଂ ଗଣନା କ୍ଷେତ୍ରରେ ଅନେକ ଗଣନା ଯନ୍ତ୍ରର ଉଦ୍ଭାବନା ହୋଇଥିଲା । ପ୍ଲାନିସ୍ପେର ଏକ ନକ୍ଷତ୍ର ସୂଚୀ ଯାହା କି ଅବୁ ରେହାନ୍ ଅଲ ବିରୁନି ଙ୍କ ଦ୍ୱାରା ଏକାଦଶ ଶତାବ୍ଦୀରେ ତିଆରି ହୋଇଥିଲା । ଆଷ୍ତ୍ରୋଲେବ ନାମକ ଏକ ଗଣନା ଯନ୍ତ୍ର ଖ୍ରୀଷ୍ଟ ପୂର୍ବ ପ୍ରଥମ କିମ୍ବା ଦ୍ଵିତୀୟ ଶତାବ୍ଦୀରେ ତିଆରି ହୋଇଥିବାର ମଧ୍ୟ ସୂଚନା ମିଳିଅଛି ।

  3. ପ୍ରଥମ ପୀଢି(୧୯୫୬-୧୯୫୯)
  4. ପ୍ରଥମ ପୀଢିର କମ୍ପ୍ୟୁଟରରେ କମ୍ପ୍ୟୁଟର ସିପିଉ ଓ ମେମୋରି ବଦଳରେ, ଭାକ୍ୟୁମ୍ ଟ୍ୟୁବ୍ ର ବ୍ୟଭହାର କରାଯାଊଥିଲା । ଇଲେକ୍ଟ୍ରିକ୍ ବଲ୍ବ ପରି ହୋଇଥିବା ଏହି ଭାକ୍ୟୁମ୍ ଟ୍ୟୁବ୍ ଗୁଡିକର ଆକାର ବହୁତ ବଡ ଥିଲା ଏବଂ ସେମାନେ ପ୍ରବଳ ମାତ୍ରାରେ ଉତ୍ତାପ ମଧ୍ୟ ଉତ୍ପନ୍ନ କରୁଥିଲେ । ଏହି କମ୍ପ୍ୟୁଟର ବହୁତ ସ୍ଥାନ ନେଉ ଥିଲା ଏବଂ ଏହାର ଓଜନ ମଧ୍ୟ ବହୁତ ଅଧିକ ଥିଲା । ଏଥିରେ ମିଳୁଥିବା ତଥ୍ୟକୁ ସଙ୍ଗୃହିତ କରି ରାଖିବାର କୌଣସି ବ୍ୟବସ୍ଥା ନାଥିଲା ।

  5. ଦ୍ୱିତୀୟ ପୀଢି
  6. ଦ୍ଵିତୀୟ ପିଢ଼ିର କମ୍ପୁଟରରେ ଭକ୍ୟୁମ ଟିଉବ ବଦଳରେ ଟ୍ରାଞ୍ଜିଷ୍ଟରର ବ୍ୟବହାର ହୋଇଥିଲା ।

  7. ତୃତୀୟ ପୀଢି
  8. ପ୍ରଥମ ପିଢ଼ି ର କମ୍ପୁଟର ର ସିପିଉ ଓ ମେମୋରି ବଦଳ ରେ ଭ୍ୟାକ୍ୟୁମ୍ ଟ୍ୟିୁବ୍ ଵ୍ୟବହାର କରାଯାଇଥିଲା । ଏହି କମ୍ପୁଟର ର ବହୁତ ସ୍ଥାନ ନେଉଥିଲା ଏବଂ ଏହାର ଓଜନ ମଧ୍ୟ ବହୁତ ଅଧିକ ଥିଲା ।

କମ୍ପ୍ୟୁଟରର ବୈଶିଷ୍ଟ୍ୟ

ବର୍ତ୍ତମାନ ମନୁଷ୍ୟର ପ୍ରତିଟି କ୍ଷେତ୍ରରେ କମ୍ପ୍ୟୁଟର ସାଥି ହୋଇ ଛିଡ଼ା ହେଉଥିବାବେଳେ ମନୁଷ୍ୟ ମଧ୍ୟ ତା'ର ପ୍ରତି ମୁହୁର୍ତ୍ତରେ କମ୍ପ୍ୟୁଟରର ସାହାଯ୍ୟ ନେଉଛି। କାରଣ ଏହି ଯନ୍ତ୍ରଟିର ବହୁବିଧ ବିଶେଷତ୍ୱ ମନୁଷ୍ୟକୁ ବହୁମାତ୍ରାରେ ପ୍ରଭାବିତ କରୁଅଛି।ତେବେ ଏହି ଯନ୍ତ୍ରଟିର ବିଶେଷ ଗୁଣଗୁଡ଼ିକ କ'ଣ,ଯାହା ଫଳରେ ମନୁଷ୍ୟ କମ୍ପ୍ୟୁଟର ଉପରେ ଏତେ ନିର୍ଭରଶୀଳ ହୋଇପଡ଼ିଛି।କମ୍ପ୍ୟୁଟରର ଯେଉଁ ସବୁ ବିଶେଷ ଗୁଣ ରହିଛି ସେଗୁଡ଼ିକ ହେଲା:-

  • ତିବ୍ରବେଗ(speed)
  • ସଠିକତା(accuracy)
  • ମନେରଖିବାର କ୍ଷମତା ବା ବୃହତ୍ ସ୍ମୃତିକୋଷ(storage)
  • ବହୁକାର୍ଯ୍ୟ ନିପୁଣତା(versatility)
  • ଅଭିନିବେଶ(diligence)
  1. ତୀବ୍ରବେଗ(speed)
  2. କମ୍ପ୍ୟୁଟରର ପ୍ରଥମ ବିଶେଷତ୍ୱ ହେଉଛି ତାହାର ତୀବ୍ରବେଗ। ଏହି ବିଶେଷ ଗୁଣ ଯୋଗୁଁ କମ୍ପ୍ୟୁଟର ଯେକୌଣସି କାର୍ଯ୍ୟକୁ ବା ହିସାବପତ୍ରକୁ ତୀବ୍ରତାର ସହ ସମ୍ପାଦିତ କରିଥାଏ। କାରଣ କମ୍ପ୍ୟୁଟର ଗୋଟିଏ ଇଲେକ୍ଟ୍ରୋନିକ ଯନ୍ତ୍ର ହୋଇଥିବାରୁ ତଥ୍ୟଗୁଡ଼ିକ ବିଦ୍ୟୁତ୍ ସିଗନାଲ ଜରିଆରେ ପ୍ରବାହିତ ହୋଇଥାଏ। ଆଉ ଏହି ବିଦ୍ୟୁତ୍ ସିଗନାଲର ବେଗ ବହୁତ ଅଧିକ, ଯଦି ସଠିକ୍ ତଥ୍ୟ ଦିଆଯାଇଥାଏ ତେବେ ଗୋଟିଏ ସୁପର କମ୍ପ୍ୟୁଟର ଏକ ସେକେଣ୍ଡରେ ଲକ୍ଷ ଲକ୍ଷ ହିସାବପତ୍ର କରିପାରିବ। ଏହାର ଗତି ପିକୋ ସେକେଣ୍ଡରେ (୧ ସେକେଣ୍ଡ ଲକ୍ଷ କୋଟି) ମପା ହୋଇଥାଏ। ଏହା ଛଡ଼ା କମ୍ପ୍ୟୁଟର ଇଣ୍ଟରନେଟ୍ ସାହାଯ୍ୟରେ ଯେକୌଣସି ତଥ୍ୟକୁ ଅନୁସନ୍ଧାନ କରି ଆମ ଆଖିଆଗରେ ଆଣି ରଖିଦିଏ,ଯେଉଁ ତଥ୍ୟକୁ ଖୋଜିବା ପାଇଁ ଆମକୁ ବହିର ପୃଷ୍ଟା ପରେ ପୃଷ୍ଟା ଓଲଟାଇବାକୁ ପଡ଼ୁଥିଲା। କହିବାକୁ ଗଲେ କମ୍ପ୍ୟୁଟରକୁ ମନୁଷ୍ୟ ତିଆରି କରିଥିଲେ ମଧ୍ୟ ଆଜି କମ୍ପ୍ୟୁଟର ମନୁଷ୍ୟ ତୁଳନାରେ ବହୁତ ଶୀଘ୍ର କାର୍ଯ୍ୟ ସମ୍ପନ୍ନ କରିଥାଏ।

  3. ସଠିକତା(accuracy)
  4. କମ୍ପ୍ୟୁଟର ବହୁତ ପରିମାଣର କାମ ଖୁବ କମ୍ ସମୟ ମଧ୍ୟରେ ଏବଂ ସଠିକ ଭାବେ କରି ପରେ । ଏହା ଜଟିଳ ରୁ ଜଟିଳ ଅଙ୍କ ମଧ୍ୟ ଗୋଟେ ସେକେଣ୍ଡ ସମୟ ମଧ୍ୟରେ ସମାଧାନ କରିବାରେ ସମର୍ଥ । ଏବଂ କମ୍ପ୍ୟୁଟରରେ ତ୍ରୁଟିର ପରିମାଣ ବହୁତ କମ । ହେଉଥିବା ତ୍ରୁଟି ଗୁଡିକ ମୁଖ୍ୟତଃ ମଣିଷର ଭୁଲ ଯୋଗୁଁ ହିଁ ଘଟିଥାଏ ।

  5. ବୃହତ୍ ସ୍ମୃତିକୋଷ(storage)
  6. କମ୍ପ୍ୟୁଟରର ଆଉ ଗୋଟିଏ ମୁଖ୍ୟ ଗୁଣ ହେଲା ଏହାର ମନୁଷ୍ୟମାନଙ୍କ ପରି ସ୍ମୃତିକୋଷ ବା ମେମୋରୀ ସେଲ୍ ରହିଛି,ଯେଉଁ ଥିରେ ଅସଂଖ୍ୟ ତଥ୍ୟ ଓ ନିର୍ଦ୍ଦେଶାବଳୀ ଗଚ୍ଛିତ କରି ରଖିପାରେ। ମନୁଷ୍ୟର ସ୍ମୃତିଶକ୍ତି ସୀମିତ ହୋଇଥିବା ବେଳେ କମ୍ପ୍ୟୁଟରର ସ୍ମୃତିଶକ୍ତି ମନୁଷ୍ୟ ତୁଳନାରେ ଯଥେଷ୍ଟ ଅଧିକ। ଏଥିରେ ବହୁତ ତଥ୍ୟ ଗଚ୍ଛିତ ହୋଇପାରେ ଏବଂ ଆବଶ୍ୟକ ସ୍ଥଳେ ଯେକୌଣସି ତଥ୍ୟକୁ ଖୁବ୍ ଶୀଘ୍ର ମନେପକାଇ ପାରେ।

  7. ବହୁକାର୍ଯ୍ୟ ନିପୁଣତା(versatility)
  8. କମ୍ପ୍ୟୁଟେ ସାହାଯ୍ୟରେ ଆମେ କେବଳ ହିସାବ କରିପାରୁ ତାହା ନୁହେଁ,ଏଥିରେ ଆମେ ଚିତ୍ର ଆଙ୍କିପାରୁ,ଖେଳିପାରୁ,ଭିଡ଼ିଓ ଦେଖିପାରୁ,ଗୀତ ଶୁଣିପାରୁ,ବିଭିନ୍ନ ବର୍ଗର ଲୋକଙ୍କ ସହିତ ଇଣ୍ଟରନେଟରେ ଭାବର ଆଦାନ ପ୍ରଦାନ କରିପାରୁ। ଆଜିକାଲି ଏହି କମ୍ପ୍ୟୁଟର ସହାୟତାରେ ପାଣିପାଗ,ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ଆମେ ଜାଣିବାକୁ ପାଇଥାଉ।ଘରେ ବସି ଦୂରଦୂରାନ୍ତରୁ ଜିନିଷପତ୍ର କିଣାବିକା କରିପାରୁ। ଏହିପରି ଶିକ୍ଷା,ବିଜ୍ଞାନ,ଅଫିସ୍,ବ୍ୟାଙ୍କ,ବ୍ୟବସାୟ ଇତ୍ୟାଦି କ୍ଷେତ୍ରରେ ଭିନ୍ନ ଭିନ୍ନ କାମ କରିଥାଏ।

  9. ଅଭିନିବେଶ(diligence)
  10. କମ୍ପ୍ୟୁଟର ପୂରାପୂରି ସ୍ୱୟଂକ୍ରିୟ ଅଟେ। କମ୍ପ୍ୟୁଟର ଚାଳକ ଇନପୁଟ୍ ଡ଼ିଭାଇସ୍ ସାହାଯ୍ୟରେ ତଥ୍ୟ ଓ ନିର୍ଦ୍ଦେଶବଳୀକୁ ଇନପୁଟ୍ କରିସାରିବା ପରେ କମ୍ପ୍ୟୁଟର ପ୍ରଦତ୍ତ ନିର୍ଦ୍ଦେଶବଳୀ ଅନୁସାରେ ତଥ୍ୟକୁ କାର୍ଯ୍ୟକାରୀ କରି ଉତ୍ତର ପ୍ରଦାନ କରିଥାଏ। ଏହି କାର୍ଯ୍ୟକୁ ଯେତେଥର ବା ଯେତେ ସମୟ ପର୍ଯ୍ୟନ୍ତ କଲେ ମଧ୍ୟ କମ୍ପ୍ୟୁଟର ଥକେ ନାହିଁ। କାରଣ ତାହାର ଧୈର୍ଯ୍ୟ ବା ଅଭିନିବେଶ ମନୁଷ୍ୟଠାରୁ ଅଧିକ। ଯଦି କୌଣସି ଯାନ୍ତ୍ରିକ ତ୍ରୁଟି ଥାଏ ତେବେ ବେଳେ ବେଳେ କମ୍ପ୍ୟୁଟର କାମକରେ ନାହିଁ।

କମ୍ପୁଟରର ବିଭିନ୍ନ ଅଂଶ

  1. ସଫ୍ଟୱେର
  2. କମ୍ପ୍ୟୁଟର ସଫ୍ଟ‌ୱେର କିମ୍ବା ସଫ୍ଟ‌ୱେର, କମ୍ପ୍ୟୁଟର ପ୍ରୋଗ୍ରାମ, ଲାଇବ୍ରେରି ଏବଂ ସେମାନଙ୍କ ସମ୍ବନ୍ଧିତ ନଥିକରଣକୁ ନେଇ ଗଠିତ । "ସଫ୍ଟୱେର" ଶବ୍ଦଟି କେବେ କେବେ ସଙ୍କୁଚିତ ଅର୍ଥରେ ଆପ୍ଲିକେସନ ସଫ୍ଟୱେରକୁ ମଧ୍ୟ ବୁଝାଇଥାଏ । ସଫ୍ଟୱେର କମ୍ପ୍ୟୁଟର ମେମୋରିରେ ସାଇତା ହୋଇ ରହିଥାଏ ଏବଂ ଏହାକୁ କେହି ଛୁଇଁପାରିବେ ନାହିଁ ।

    ନିମ୍ନତମ ସୋପାନରେ, ଏକ୍ସକ୍ୟୁଟ କରାହୋଇପାରିବା କୋଡ଼ସମୂହ ଏକ ନିର୍ଦ୍ଦିଷ୍ଟ ପ୍ରସେସର – ସାଧାରଣତଃ ଏକ ସେଣ୍ଟ୍ରାଲ ପ୍ରୋସେସିଙ୍ଗ ୟୁନିଟ(ସିପିୟୁ) ସହ ସମ୍ବନ୍ଧିତ ମେସିନ ଲାଙ୍ଗୁଏଜକୁ ନେଇ ଗଠିତ । ଏକ ମେସିନ ଲାଙ୍ଗୁଏଜ ପ୍ରୋସେସର ସୂଚନାକୁ ସୂଚାଉଥିବା ବାଇନାରି ମୂଲ୍ୟକୁ ନେଇ ଗଠିତ ଦଳମାନଙ୍କୁ ନେଇ ତିଆରି । ଏହି ମୂଲ୍ୟସବୁ କମ୍ପ୍ୟୁଟରର ପୂର୍ବ ଅବସ୍ଥାକୁ ବଦଳାଇଥାଏ ।

    ସଫ୍ଟୱେର ମୁଖ୍ୟାତଃ ୨ ପ୍ରକାରର । ପ୍ରଥମଟି ହେଉଛି ସିଷ୍ଟମ୍ ସଫ୍ଟୱେର ଓ ଅନ୍ୟଟି ହେଉଛି ଆପ୍ପଲିକେସନ୍ ସଫ୍ଟୱେର । କମ୍ପ୍ୟୁଟର ଅରାମ୍ଭ ହେବା ପାଇଁ ପ୍ରଥମେ ଯେଉଁ ସାବୁ ସଫ୍ଟୱେରର ଅବସ୍ୟକତା ରହିଥାଏ ତାହାକୁ ସିଷ୍ଟମ୍ ସଫ୍ଟୱେର କୁହାଯାଏ । ଅପାରେଟିଙ୍ଗ୍ ସିଷ୍ଟମ ଏହାର ଏକ ଉଦାହରଣ ।

  3. ଅପାରେଟିଙ୍ଗ୍ ସିଷ୍ଟମ
  4. ଅପରେଙ୍ଗ ସିଷ୍ଟମ କମ୍ପ୍ୟୁଟରର ବିଭିନ୍ନ ରିସୋର୍ସ ଯେପରିକି ମେମୋରୀ, ସି.ପି.ଇଉ., ଅନ୍ୟାନ୍ୟ ହାର୍ଡୱେର ଇତ୍ୟାଦିଙ୍କୁ ସଠିକ ଭାବେ ପରିଚାଳନା କରି ଏକ କମ୍ପ୍ୟୁଟରକୁ ସମ୍ପୂର୍ଣଭାବେ କାର୍ଯ୍ୟକାରୀ କରିବାରେ ସାହାଯ୍ୟକରେ । ଏହା ବିଭିନ୍ନ ପ୍ରୋଗ୍ରାମ, ହାର୍ଡୱେର ମଧ୍ୟରେ ତାଳ ମେଳ ରକ୍ଷା କରି ସେମାନଙ୍କୁ ଆବଶ୍ୟକୀୟ ରିସୋର୍ସ ପ୍ରଦାନ କରେ, ଯାହାଦ୍ଵାରା କମ୍ପ୍ୟୁଟରଟି ସୁରୁଖୁରରେ କାର୍ଯ୍ୟ କରିପାରେ । ବିଭିନ୍ନ ଅପରେଟିଂ ସିଷ୍ଟମ ଶ୍ରେଣୀର ଉଦାହରଣ ହେଲେ ୱିନଡୋଜ, ଲିନକ୍ସ, ଇଉନିକ୍ସ ଇତ୍ୟାଦି ଇତ୍ୟାଦି । ଏହି ଶ୍ରେଣୀଗୁଡିକରେ ବିଭିନ୍ନ ଅପରେଟିଂ ସିଷ୍ଟମ ଅଛନ୍ତି ।

  5. ଆପ୍ଲିକେସନ୍ ସଫ୍ଟୱେର
  6. କମ୍ପ୍ୟୁଟରରେ ବିଭିନ୍ନ କାମ କରିବା ପାଇଁ ଯେଉଁ ସବୁ ସଫ୍ଟୱେର ମାନଙ୍କ ବ୍ୟବହାର କରାଯାଏ ସେଗୁଡିକୁ ଆପ୍ଲିକେସନ୍ ସଫ୍ଟୱେର ବୋଲି କୁହାଯାଏ । ଆଜି କାଲି ଲକ୍ଷାଧିକ ଆପ୍ଲିକେସନ୍ ସଫ୍ଟୱେର ବଜାରରେ ଉପଲବ୍ଧ ହେଲାଣି । ମଣିଷ ଜୀବନର ଅଧିକାଂଶ କାମ ସୁରୁଖୁରୁରେ କରିବାରେ ଆପ୍ଲିକେସନ୍ ସଫ୍ଟୱେର ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛି । ଏହି ଆପ୍ଲିକେସନ୍ ସଫ୍ଟୱେରକୁ କେତେ ଜାଗାରେ ଆପ୍ଲିକେସନ୍ ପ୍ରୋଗ୍ରାମ ବୋଲି ମଧ୍ୟ କୁହାଯାଏ । ଏହାର କେତେକ ଉଦାହରଣ ହେଉଛି କମ୍ପ୍ୟୁଟର ଗେମ୍, ଏମ୍ ଏସ୍ ୱାର୍ଡ, ପାୱାର୍ ପୋଏନ୍ଟ ଇତ୍ୟାଦି ।

    ଆଜିକାଲି ଏହି ଆପ୍ଲିକେସନ ସଫ୍ଟୱେର ଗୁଡିକ କମ୍ପୁଟର ସାଙ୍ଗରେ ଆସୁଛି । ଜଣେ ବ୍ୟକ୍ତି ଚାହିଁଲେ ଆବଶ୍ୟକତା ମୁତାବକ ଅନ୍ୟାନ୍ୟ ଆପ୍ଲିକେସନ ସଫ୍ଟୱେର ମଧ୍ୟ କମ୍ପ୍ୟୁଟରରେ ଯୋଡି ପାରିବ ।

    କମ୍ପ୍ୟୁଟରରେ ଆପ୍ଲିକେସନ ସଫ୍ଟୱେର ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟ ସମ୍ପାଦନା କରିବା ପାଇଁ ତିଆରି ହୋଇଥାଏ । ତେଣୁ ସଂକ୍ଷିପ୍ତରେ ଆପ୍ଲିକେସନ ସଫ୍ଟୱେର ଏକ ପ୍ରୋଗ୍ରାମ ଯାହାକି କମ୍ପ୍ୟୁଟରରେ ଏକ ନିର୍ଦ୍ଧିଷ୍ଟ କାମ କରିଥାଏ ।

ହାର୍ଡୱେର

ହାର୍ଡୱେର ହେଉଛି କମ୍ପ୍ୟୁଟର ପ୍ରଣାଳୀର ସେହି ସବୁ ଉପାଦାନ ଯାହା ସ୍ଥାବର, ଅର୍ଥାତ ଯାହାକୁ ସ୍ପର୍ଶ କରିହୁଏ, ଯେମିତିକି କମ୍ପ୍ୟୁଟର ମନିଟର, କି-ବୋର୍ଡ଼, ମାଉସ, ପ୍ରିଣ୍ଟର ଆଦି । ଗୋଟିଏ ସାଧାରଣ କମ୍ପ୍ୟୁଟର ହାର୍ଡ୍ଵେର୍ ସାଧାରଣତଃ ଚାରି ପ୍ରକାର ପଦାର୍ଥରେ ଗଢା, ଯେମିତିକି :

  1. ଅର୍କଗଣିତ ତର୍କ ସଂସ୍ଥା (Arithimetic Logic Unit)
  2. ନିୟନ୍ତ୍ରଣ ସଂସ୍ଥା (Control Unit)
  3. ସ୍ମ୍ରୁତି (Memory)
  4. ନିବେଶ ଓ ନିଗମ ଉପକରଣ (Input and Ouput devices)

ଏ ସବୁ ଉପର ହାର୍ଡ୍ଵେର୍ "ତାର" ଦ୍ଵାରା ନିଜ ନିଜ ଭିତରେ ସଂଯୁକ୍ତ ହୋଇଥାନ୍ତି । ଏଇ ସବୁ ଉପକରଣରେ ଲକ୍ଷ ଲକ୍ଷ ଇଲେକ୍ଟ୍ରୋନିକ୍ସ ଟ୍ରାଞ୍ଜିଷ୍ଟର ଅଛି ଯାହାକୁ କି ଅନ ବା ଅଫ ଅବସ୍ଥାରେ ରଖି ହୁଏ । ପ୍ରତ୍ୟେକ ଟ୍ରାଞ୍ଜିଷ୍ଟର ଗୋଟିଏ ଦ୍ଵିଆଧାରି (Binary) ସଂଖ୍ୟା କୁ ଦର୍ଶାଏ ଜେମିତିକି '୧' ବା '୦'।

  1. ଅର୍କଗଣିତ ତର୍କ ସଂସ୍ଥା
  2. କମ୍ପ୍ୟୁଟରର ଏହି ବିଭାଗଟି କମ୍ପୁଟରରେ ହେଉଥିବା ସମସ୍ଥ ଗାଣିତିକ ଏବୋ ତର୍କ ଯୁକ୍ତ ସମସ୍ୟାର ସମାଧାନ କରିଥାଏ । ଏହା ଏକ ଇଲେକ୍ଟ୍ରୋନିକ୍ ସରକିଟ୍ ଯାହାକି ୧୍ ଏବଂ ୦ କୁ ବ୍ୟବହାର କରି ସମସ୍ଥ ସମସ୍ୟାର ସମାଧାନ କରିଥାଏ ।

    • ଅର୍କଗଣିତ ସମାଧାନ:
      1. ଯୋଗ
        1. କ + ଖ = ଗ
        2. ବିୟୋଗ
          1. କ - ଖ = ଗ
        3. ଇନ୍କ୍ରିମେଣ୍ଟ
        4. ଡିକ୍ରିମେଣ୍ଟ
        5. ଗୁଣନ
          1. କ * ଖ = ଗ
        6. ହରଣ
          1. କ / ଖ = ଗ
        7. ଭାଗଶେଷ ନିରୁପଣ
          1. କ % ଖ = ଗ
    • ତର୍କ ଯୁକ୍ତ ସମାଧାନ:
      1. Logical AND
      2. Logical OR
      3. Logical Not
  3. ନିୟନ୍ତ୍ରଣ ସଂସ୍ଥା
  4. କାମ୍ପୁଟରରେ ହେଉଥିବା ସମସ୍ତ କାର୍ଯ୍ୟକୁ ନିୟନ୍ତ୍ରଣ ସଂସ୍ଥା ନିୟନ୍ତ୍ରଣ କାରିଥାଏ । ଏହା ସେଣ୍ଟ୍ରାଲ ପ୍ରୋସେସିଙ୍ଗ ସଂସ୍ଥାର ଏକ ଅଂଶ । ଯାହାକି ପ୍ରୋସେସର୍ ରେ ହେଉଥିବା ସମସ୍ଥ କାର୍ଯ୍ୟକୁ ନିୟନ୍ତ୍ରଣ କାରିଥାଏ । ଏହା ନିବେଶ ଯନ୍ତ୍ରାଂଶକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କାରିଥାଏ ।

  5. ସ୍ମ୍ରୁତି ସଂସ୍ଥା
  6. କମ୍ପୁଟର କେବଳ ଗଣନା କାରେ ଏହା କହିଲେ ଭୁଲ ହୋଇଯିବ । ଅଜିକାଲି କମ୍ପୁଟର ନିଜକୁ ଦିଆଯାଇଥିବା ତଥ୍ୟ ଏବଂ ଇନଫୋରମେସନ୍ ଗୁଡିକୁ ନିଜ ମଧ୍ୟରେ ସାଇତିକରି ରଖିପରୁଛି । ଏହି କାର୍ଯ୍ୟଟି ସମ୍ପାଦନା କରିବା ସ୍ମତି ସଂସ୍ଥାର କାମ । ଏଠାରେ ରଖାଯାଇଥିବା ତଥ୍ୟ ଗୁଡିକୁ ବର୍ଷ ବର୍ଷ ପରେ ମଧ୍ୟ ଦେଖି ହୁଏ । ମଣିଷର କର୍ମକୁ ଲାଘବ କରିବାରେ ଏହି ସ୍ମତି ସଂସ୍ଥା ଏକ ପ୍ରମୁଖ ଭୁମିକ ଗ୍ରହଣ କରିଛି । ଏହି ସଂସ୍ଥାଟି ଦୁଇ ଭାଗରେ ବିଭକ୍ତ,

    • ପ୍ରାଥମିକ ସ୍ମ୍ରୁତି:
    • ଏହା ଏକ ଭୁଲା ସ୍ମ୍ରୁତି । କମ୍ପୁଟରରି ନିଜ ଶକ୍ତି ହରାଇବା ପରେ ଏହା ମଧ୍ୟରେ ସ୍ଥାନ ପାଇଥିବା ସମସ୍ଥ ବିସୟ ବସ୍ଠୁ କୁ ଏହି ସ୍ମ୍ରୁତି ସମ୍ପୁର୍ଣ ଭାବରେ ଭୁଲିଯାଏ । କମ୍ପୁଟର ଚାଲିଥିବା ଅବସ୍ଥାରେ ସମସ୍ଥ ତଥ୍ୟ ଏହି ସ୍ମ୍ରୁତିରେ ହିଁ ରହିଥାଏ । ସାଧାରଣତଃ RAM(Random Access Memory) କୁ ପ୍ରାଥମିକ ସ୍ମ୍ରୁତି ବୋଲି କୁହାଯାଏ ।

    • ଦ୍ଵିତୀୟକ ସ୍ମ୍ରୁତି:
    • କମ୍ପ୍ୟୁଟରରେ ସାଇତା ଗଲାପରେ ତଥ୍ୟ ସବୁ ଯେଉଁଠାରେ ଯାଇ ରହିଥାଏ ତାହାକୁ ଦ୍ଵିତୀୟକ ସ୍ମ୍ରୁତି ବୋଲି କୁହାଯାଏ ।

କମ୍ପ୍ୟୁଟର କିବୋର୍ଡ଼

କମ୍ପ୍ୟୁଟରକମ୍ପ୍ୟୁଟରରେ ଯେଉଁ କି-ବୋର୍ଡ଼ ବ୍ୟବହାର ହୁଏ ତାହା ଦେଖିବାକୁ ପୁରା ଟାଇପ ରାଇଟରର କି-ବୋର୍ଡ଼ ଭଳି । କି-ବୋର୍ଡ଼କୁ ଓଡ଼ିଆରେ କୁଞ୍ଚିପଟା କୁହାଯାଇଥାଏ । ଏହାକୁ ସାଧାରଣତଃ "କ୍ଵେରଟି"(QWERTY) କି-ବୋର୍ଡ଼ କୁହାଯାଏ କାରଣ ଏହାର ଅକ୍ଷର କୁଞ୍ଚି ଗୁଡ଼ିକ ଇଂରାଜୀ ଅକ୍ଷର Q,W,E,R,T,Y ରୁ ଆରମ୍ଭ ହଉଛି । କି-ବୋର୍ଡ଼ ଅନେକ ଗୁଡ଼ିଏ "କି"(Key) ବା କୁଞ୍ଚି ର ସମାହାର । ଏହା କମ୍ପ୍ୟୁଟରକୁ ଯାନ୍ତ୍ରୀକ ଯକୃତ(Mechanical Lever) ଭାବେ ବୈଦ୍ୟୁତିକ ସୁଇଚ (Electronic Switch) ଦ୍ଵାରା ପରିକଳିତ କରେ । ଏହା ମୋଟ ଉପରେ କମ୍ପ୍ୟୁଟର ପାଇଁ ଏକ ନିବେଶକାରୀ (Input) ଉପକରଣ ଅଟେ ।

ଅନେକ ବିକଳ୍ପ ନିବେଶକାରୀ(Input) ଉପକରଣ ଯଥା କମ୍ପ୍ୟୁଟର ମାଉସ, ଟାବଲେଟ ଉପକରଣ, ଅକ୍ଷର ଚିହ୍ନକ ଯନ୍ତ୍ର , ଶବ୍ଦ ଚିହ୍ନକ ଯନ୍ତ୍ର ଇତ୍ୟାଦି ବାହାରିଥିଲେ ମଧ୍ୟ କି-ବୋର୍ଡ଼ ଆଜି ମଧ୍ୟ ମଣିଷ ଦ୍ଵାରା ସର୍ବାଧିକ ବ୍ୟବହୃତ ନିବେଶକାରୀ(Input) ଉପକରଣ ଭାବେ ପରିଚିତ ।

ପ୍ରତ୍ୟେକ "କି" ବା "କୁଞ୍ଚି" ଏକ ଏକ ଅକ୍ଷରକୁ ପ୍ରତିଫଳିତ କରେ। "କି"କୁ ଥରେ ଚିପିଲେ ସେହି "କି" ରେ ଥିବା ଅକ୍ଷରକୁ ଥରେ ମାତ୍ର ଦେଖାଏ । କିନ୍ତୁ ଏକାଧିକ ପ୍ରତୀକକୁ ଦେଖେଇବା ପାଇଁ ଆମକୁ ଅନେକ ଗୁଡ଼ିଏ "କି" ଏକା ସଙ୍ଗେ ଅଥବା ଗୋଟେ ପରେ ଗୋଟେ ଏକ କ୍ରମାନୁସାରେ ଟିପିବାକୁ ପଡ଼େ । ଏକ କମ୍ପ୍ୟୁଟର କି-ବୋର୍ଡ଼ ଅକ୍ଷର (a-z),ସଂଖ୍ୟା (0-9), ଚିହ୍ନାକ୍ଷର(!,@,# ,+ ଇତ୍ୟାଦି) ଏବଂ ଅନ୍ୟ "କି" ର ସମାହାର, ଯାହାକୁ ଦବେଇଲେ କମ୍ପ୍ୟୁଟର ମଧ୍ୟକୁ ସୂଚନା (Information) ତଥା ଆଦେଶ (Command) ଯାଇଥାଏ ।

ସାଧାରଣତଃ କି-ବୋର୍ଡ଼ କୁ "ଶବ୍ଦ କାର୍ଯ୍ୟବାହକ" (Word Processor) ବା "ଲେଖା ସମ୍ପାଦକ" (Text Editor) ରେ ଲେଖିବା ନିମନ୍ତେ ବ୍ୟବହାର କରାଯାଏ । କିନ୍ତୁ ଆଧୁନିକ କମ୍ପ୍ୟୁଟରରେ "କି"ର ବ୍ୟବହାର ସଫ୍ଟୱେର ଉପରେ ନିର୍ଭର କରେ। କମ୍ପ୍ୟୁଟର ନିଜେ "କି"ର ଅଲଗା ଅଲଗା ବ୍ୟବହାରକୁ ଜାଣିରଖେ ଏବଂ ସେହି ବାଟରେରେ ସଫ୍ଟୱେର ପରିଚାଳିତ ହୁଏ । ବର୍ତ୍ତମାନ ଆମେ କି-ବୋର୍ଡ଼ରେ ଟାଇପ କରିବା ଛଡ଼ା କମ୍ପ୍ୟୁଟର ଉପରେ ପର୍ଯ୍ୟବେଷିତ ଖେଳ (Computer Game) ବି ଖେଳିପାରୁଛେ । ଆଜିକାଲି ଖେଳିବା ପାଇଁ ସ୍ଵତନ୍ତ୍ର "କି-ବୋର୍ଡ଼" ମଧ୍ୟ ମିଳୁଛି । କି-ବୋର୍ଡ଼କୁ କମ୍ପ୍ୟୁଟରର ସଂଚାଳକ ପ୍ରଣାଳୀ (Operating System)କୁ ଆଦେଶ ଦେବାପାଇଁ ବ୍ୟବହାର କରାଯାଏ ଯଥା ମାଇକ୍ରୋସଫ୍ଟ ଉଇଣ୍ଡୋଜର କଣ୍ଟ୍ରୋଲ-ଅଲ୍ଟ-ଡିଲିଟ କି ଗୁଡ଼ିକର ସମଷ୍ଟି ବ୍ୟବହାର କମ୍ପ୍ୟୁଟରରେ ଚାଲିଥିବା କାର୍ଯ୍ୟଗୁଡ଼ିକୁ (Computer Programs) ବନ୍ଦ କରିବାରେ ସାହାଯ୍ୟ କରେ । କି-ବୋର୍ଡ଼ କେବଳ ଗୋଟିଏ ହିଁ ବାଟ ଯାହା କମାଣ୍ଡ-ଲାଇନ-ଇଣ୍ଟରଫେସ ଦ୍ଵାରା ଆଦେଶ(Command) ପଠାଇ ଥାଏ ।

ଅବିକଳ "କି" ର ସଂଖ୍ୟା କିବୋର୍ଡ଼ର ଆକାର ନିରୂପଣ କରିବାର ଏକ ପ୍ରମୁଖ ଭୂମିକା ଯଥା ସଂଖ୍ୟା ଲେଖିବା ପାଇଁ ଅଲଗା କିବୋର୍ଡ଼ । କିବୋର୍ଡ଼ର ଆକାର ମଧ୍ୟ ତାହା ଉପରେ ନିର୍ଭର କରେ ଯାହା ଦୁଇ ପ୍ରକାରର ଟାଇପକୁ ପ୍ରଶ୍ରୟ ଦିଏ ଯଥା ବହୁତ ଗୁଡ଼ିଏ "କି" କୁ ଏକାଧାର ରେ ଟାଇପ କରିବା ଅଥବା ଗୋଟିଏ "କି" କୁ ଏକାଧିକ ଥର ଟାଇପ କରିବା । କିବୋର୍ଡ ଯାହାର କିଛି "କି" ଥାଏ ତାକୁ ଆମେ "କିପ୍ୟାଡ" ବୋଲି କହିଥାଉ ।

କିବୋର୍ଡ଼ ର ଆକାର ଆଉ ଏକ କାରଣ ଉପରେ ମଧ୍ୟ ନିର୍ଭର କରେ ତାହା ହେଉଛି "କି" ଗୁଡ଼ିକ ମଧ୍ୟରେ ଥିବା ଦୂରତା । "କି" ର ଆକାର ସେତିକି ହବା ଦରକାର ଯାହାଫଳରେ ତାହା ଅଙ୍ଗୁଳି ସହ ଖାପ ଖୁଆଇବାରେ ସହଜ ହବ । ଛୋଟ ଛୋଟ "କି " ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ।

କିବୋର୍ଡ଼ରେ ବ୍ୟବହୃତ ସୁଇଚ୍ ଗୁଡ଼ିକର ବିକାଶ ବିଷୟରେ ମଧ୍ୟ ଏକ ନିଆରା ଇତିହାସ ଅଛି। ୧୯୭୦ମସିହାର ପ୍ରାରମ୍ଭିକ କାଳରେ ଧାତବ ଫ୍ରେମ ଉପରେ ଅଲଗା ଅଲଗା ଛୋଟ ଗାତ କରି ସେଥିରେ କି ସୁଇଚ୍ ଗୁଡ଼ିକୁ ଖଞ୍ଜା ଯାଉଥିଲା। ଏ ଗୁଡ଼ିକର ଦାମ୍ ୮୦ରୁ ୧୨୦ ଆମେରିକୀୟ ଡ଼ଲାର ରହିଥିଲା। ଏ ଗୁଡ଼ିକ କମ୍ପ୍ୟୁଟର ଟର୍ମିନାଲ ବା ଡାଟା ଟର୍ମିନାଲ ଆଦି ଜାଗାରେ ବ୍ୟବହାର କରାଯାଉଥିଲା। ତେବେ ଏହାର ପରବର୍ତ୍ତୀକାଳରେ ବିକଶିତ ରିଡ ସୁଇଚ (ବାୟୁଶୂନ୍ୟ ଏକ ଆବଦ୍ଧ କାଚ କେପସୁଲ ଭିତରେ ଖଞ୍ଜା ଯାଇଥିବା ଚୁମ୍ବକୀୟ କି)ଗୁଡ଼ିକ ଲୋକ ପ୍ରିୟ ହୋଇ ପାରିଥିଲା। ଏହି କୌଶଳକୁ ଆଧାର କରି ସି.ପି. କ୍ଲାୟର କମ୍ପାନୀ ସାଧାରଣ ଉପକରଣପାଇଁ ମଧ୍ୟ ରିଡ୍ ସୁଇଚ୍ ବନେଇବା ଆରମ୍ଭ କରିଦେଲା। ଇଲିନୋଇସ୍, ସ୍ପୋକାନେ ୱାସିଂଟନର କି-ଟ୍ରୋନିକ କର୍ପୋରେସନ ଏକ ଅର୍ଧପରିବାହୀ ଭିତରେ ଚୁମ୍ବକୀୟ ଶକ୍ତି ପ୍ରବାହିତ କରି ବୈଦ୍ୟୁତିକ ଊର୍ଜ୍ଜା ସୃଷ୍ଟି କରି ପାରିଲେ ଓ ଏଇ କୌଶଳର ଆଧାରରେ ମାଇକ୍ରୋସୁଇଚରୁ ହଲ-ଇଫେକ୍ଟ ସୁଇଚ୍ ତିଆରି କଲେ।  ଏହଛଡ଼ା ଏକ ଇଣ୍ଡକ୍ଟିଭ କୋର ସୁଇଚର ମଧ୍ୟ ନିର୍ମାଣ ହେଲା। ଯାହା ଇଲିନୋଇସ ଟୁଲ ୱାର୍କସ ଅନ୍ତର୍ଗତ ଥିଲା। ୧୦୦ ନିୟୁତ ଥର ଚାପ ସମ୍ଭାଳିବାର କ୍ଷମତା ଏଇ ସୁଇଚ ଗୁଡ଼ିକର ଅଛି ବୋଲି ନିର୍ଦ୍ଧାରଣ କରାଯାଇଥିଲା। ଏହି କି ଗୁଡ଼ିକର ଗତି ୦.୧୮୭ ଇଞ୍ଚ(୪.୭୫ ମି.ମି.) ଗଭୀରତା ଯାଏଁ ଥିଲା। ଏହା ସହିତ ତୁଳନା କଲେ ଜଣାପଡ଼େ ଆଜିର କିବୋର୍ଡ଼ରେ ବ୍ୟବହୃତ କି ର ଗତି ୦.୧୧୦ ଇଞ୍ଚ(୨.୭୯ ମି.ମି.) ଗଭୀରତା ପର୍ଯ୍ୟନ୍ତ ହୋଇଥାଏ।

୧୯୭୦ର ମଧ୍ୟବର୍ତ୍ତୀ କାଳରେ କମ୍ ଦାମର ସିଧା-ସମ୍ପର୍କିତ କି ସୁଇଚ୍ ନିର୍ମାଣ କରାଗଲା। ତେବେ ଏହାର ଆୟୁ ତୁଳନାତ୍ମକ ଭାବେ କମ୍ ଥିଲା(ପାଖାପାଖି ୧୦ ନିୟୁତ ଥର)। ତଥାପି ବି ଏହା ଲୋକପ୍ରିୟ ହୋଇ ପାରିଥିଲା।

୧୯୭୮ରେ କି-ଟ୍ରୋନିକ କର୍ପୋରେସନ ପ୍ରତିଟି କି ପାଇଁ ଅଲଗା ଅଲଗା ସୁଇଚ ବଦଳରେ କ୍ୟାପାସିଟାନ୍ସ ଭିତ୍ତିରେ ଏକ ଅଭିନବ କି-ବୋର୍ଡ଼ ନିର୍ମାଣ କଲେ, ଯେଉଁଥିରେ ସବୁଯାକ କି ଏକ ସ୍ପଞ୍ଜପ୍ୟାଡ ଉପରେ ରଖାଯାଉଥିଲା । ଏହି ସ୍ପଞ୍ଜ ପ୍ୟାଡର ଗୋଟିଏ ପାଖରେ ବିଦ୍ୟୁତ ସୁପରିବାହି ଧାତୁ ଝଳା ହୋଇଥିବା ପ୍ଲାଷ୍ଟିକ ଲଗାଯାଇଥିଲା। ଏହା ତଳେ, ପ୍ରତିଟି ‘କି’ର ଠିକ୍ ସାମନାରେ ଅର୍ଦ୍ଧଚନ୍ଦ୍ରାକାର ଆକୃତି ମୁଦ୍ରିତ ସର୍କିଟ ବୋର୍ଡ଼ ରହିଥିଲା । କୌଣସି ବି କି ବା କୁଞ୍ଚିକୁ ଦବାଇଲେ ତାହାର ପ୍ରଭାବ ତଳେ ରହିଥିବା ସର୍କିଟ୍ ବୋର୍ଡ଼ ଉପରେ ନିର୍ଦ୍ଦିଷ୍ଟ ଜାଗାରେ ପଡୁଥିଲା ଓ କ୍ୟାପାସିଟାନ୍ସ ସେଇ ଅନୁସାରେ ବଦଳୁଥିଲା, ଯାହାକୁ ଆଇ. ସି. (integrated circuits – IC) ମାଧ୍ୟମରେ ଚିହ୍ନିତ କରା ଯାଇ ପାରୁଥିଲା। ଏଇ କିବୋର୍ଡ଼ ଗୁଡ଼ିକର ମୂଲ୍ୟ ୬୦ ଡଲାର ରହିଥିଲା ଓ କାଳକ୍ରମେ କି-ଟ୍ରୋନିକ ସର୍ବାଧିକ କିବୋର୍ଡ଼ ନିର୍ମାତା ରୂପେ ଖ୍ୟାତି ଲାଭ କଲା।

ଇତି ମଧ୍ୟରେ ଆଇ.ବି.ଏମ୍.(IBM)ନିଜର ପ୍ୟାଟେଣ୍ଟ କୌଶଳ ଭିତ୍ତିରେ ନିଜସ୍ୱ କି-ବୋର୍ଡ଼ ନିର୍ମାଣ ଆରମ୍ଭ କରିଦେଲା। ପୁରୁଣା ଆଇ.ବି.ଏମ୍. କି-ବୋର୍ଡ଼ର ସୁଇଚ ଗୁଡ଼ିକ ସ୍ପ୍ରିଂ ସାହାଯ୍ୟରେ ନିର୍ମାଣ କରାଯାଇଥିଲା । ବ୍ୟବହାରକାରୀର ଆଙ୍ଗୁଠି ଚାପରେ ସ୍ପ୍ରିଂ ଉପରେଥିବା କୁଞ୍ଚିଟି ଦବିଗଲେ କୁଞ୍ଚିତଳେ ଓ ମୂଖ୍ୟ ବୋର୍ଡ଼ ଉପରେ ଥିବା ସୁପରିବାହୀ ପରଦାଦୁଇଟି ମିଳିତ ହେଉଥିଲେ ଓ ବୈଦ୍ୟୁତିକ ସର୍କିଟ ପରିପୂର୍ଣ୍ଣ ହେଉଥିଲା। ଏହା ଏକ ପ୍ରକାର କ୍ଲିକ୍ ଶବ୍ଦ ସୃଷ୍ଟି କରୁଥିଲା, ଯାହାକୁ ଶୁଣି କୁଞ୍ଚିଟି ଠିକ୍ ଭାବରେ ଚାପି ହୋଇଛି କି ନା, ଟାଇପିଷ୍ଟ ସହଜରେ ଜାଣି ପାରୁଥିଲା।

ପ୍ରଥମ ଇଲେକ୍ଟ୍ରୋନିକ କି-ବୋର୍ଡ଼ର କୁଞ୍ଚିର ଚାପ ୦.୧୮୭ ଇଞ୍ଚ(୪.୭୫ ମି.ମି.) ଗଭୀରତା ପର୍ଯ୍ୟନ୍ତ ଥିଲା। କୁଞ୍ଚିର ଉଚ୍ଚତା ୧୨.୭ ମି.ମି. ଥିଲା ଓ କି-ବୋର୍ଡ଼ଟି ୫ ସେ.ମି. ମୋଟାଥିଲା। ସମୟକ୍ରମେ କୁଞ୍ଚିଚାପର ଗଭୀରତା ଆହୁରି କମ୍ ହେଲା (୦.୧୧୦ ଇଞ୍ଚ(୨.୭୯ ମି.ମି.) ଓ ବଜାରରେ ଏହାର ଚାହିଦା ବଢିଲା। ଯୋଗକୁ କି-ଟ୍ରୋନିକ୍ ଏମିତି ଏକ କି-ବୋର୍ଡ଼ ତିଆରି କରିଥିଲା ଯାହା କେବଳ ଏକ ଇଞ୍ଚ ମୋଟା ଥିଲା। ଆଜିକାଲିତ ଅଧଇଞ୍ଚ ମୋଟାର କି-ବୋର୍ଡ଼ ମାର୍କେଟରେ ମିଳୁଛି ।

କି-ବୋର୍ଡ଼ର ଉପଯୋଗୀତାକୁ ଲକ୍ଷ୍ୟକଲେ କୁଞ୍ଚିର ଅଗ୍ରଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ କୁଞ୍ଚିଗୁଡ଼ିକର ଉପରିଭାଗ ସେ କାଳର ଟାଇପରାଇଟରର କି ପରି, ଥାଳିଭଳି ଚେପଟା ଥିଲା। ଆଉ ଏହି କୁଞ୍ଚି ଉପରେ ଲେଖାଯାଇଥିବା ଅକ୍ଷରଟିର ଆୟୁ ମଧ୍ୟ ସେହି ଅନୁପାତରେ ଅଧିକ ହେବା (ପାଖାପାଖି ଦଶ ନିୟୁତ ଥର)ର ଆବଶ୍ୟକତା ରହିଥିଲା। କାରଣ ଏହା ଉପରେ ହାତ ଆଙ୍ଗୁଳି, ନଖ, ତେଲ, କ୍ରିମ୍ ଲାଗି ଏହାର ସ୍ପଷ୍ଟତାକୁ କ୍ରମେ କ୍ରମେ ଅସ୍ପଷ୍ଟ କରିଦିଏ। ତେଣୁ କୁଞ୍ଚିର ଉପରିଭାଗକୁ ଖୋଦେଇକରି ସେଥିଲେ ରଙ୍ଗ ଭରି ପ୍ରଥମେ ଯେଉଁ କୁଞ୍ଚି ଗୁଡ଼ିକ ତିଆରି ହେଉଥିଲା, ତାକୁ ଲୋକେ ପସନ୍ଦ କଲେ ନାହିଁ, ଫଳରେ ମୋଲ୍ଡେଡ କି ସବୁ ତିଆରି ହେଲା। ଇଞ୍ଜେକ୍ସନ ମୋଲ୍ଂ ନାମକ ପ୍ରଣାଳୀରେ କୁଞ୍ଚି ଓ ସେଥିଲେ ଲେଖାଥିବା ସଙ୍କେତ ବା ଅକ୍ଷରକୁ କ୍ରମାନ୍ୱୟରେ ମୋଲ୍ଡ କରାଯାଉଥିଲା। ଏହା ବ୍ୟୟବହୁଳ ହୋଇଥିବାରୁ ରଙ୍ଗ-ସବ୍ଲିମେସନ ପ୍ରିଣ୍ଟିଂ, ଲେଜର ଖୋଦେଇ ପରି ପ୍ରଣାଳୀ ବିକଶିତ ହେଲା। ଏହାଦ୍ୱାରା ପୁରା କି-ବୋର୍ଡ଼କୁ ଏକା ସାଙ୍ଗରେ ମୁଦ୍ରିତ କରିବା ସମ୍ଭବପର ହୋଇ ପାରିଲା। ପ୍ରଥମେ ପ୍ରଥମେ ସବ୍ଲିମେସନ ପ୍ରିଣ୍ଟିଂ ପାଇଁ ଏକ ସ୍ୱତନ୍ତ୍ର ପ୍ରକାରର କାଳିକୁ କୁଞ୍ଚିର ଉପରିଭାଗରେ ଉତ୍ତାପଦେଇ ଏମିତି ଭାବେ ମୁଦ୍ରିତ କରା ଯାଉଥିଲା ଯେ କାଳିର ଅଣୁ କୁଞ୍ଚିର ଅଣୁକୁ ଭେଦ କରି ଅଙ୍କିତ ହୋଇ ଯାଉଥିଲା। କିନ୍ତୁ ଏହା ଏତେଟା ଲୋକପ୍ରିୟ ହୋଇ ପାରିଲା ନାହିଁ କାରଣ ତେଲ ଲାଗିବାଦ୍ୱାରା ଏହି କାଳି ଚରି ଯାଉଥିଲା। ସେଥିପାଇଁ ପରବର୍ତ୍ତୀ କାଳରେ ଏହାକୁ ରୋକିବାପାଇଁ ମୁଦ୍ରଣ କରିସାରିଲା ପରେ କୁଞ୍ଚିର ଉପରିଭାଗରେ ଏକ ପ୍ରକାର ଆସ୍ତରଣ (କୋଟିଂ) ଦିଆଯାଉଥିଲା। ଏହି କୌଶଳ ଆଧାରରେ ଆଇ.ବି.ଏମ୍. ନିଜର କି-ବୋର୍ଡ଼ ନିର୍ମାଣ ଆରମ୍ଭ କରିଦେଲା ଓ କୁଞ୍ଚିର ଅଗ୍ରଭାଗକୁ ଚେପଟା ନ କରି ସାମାନ୍ୟ ବକ୍ରାକାର (ଗହୀରିଆ) କରିଦେଲା। ଏହି ମୁଦ୍ରଣ ପ୍ରଣାଳୀର ସବୁଠାରୁ ବଡ ଦୁର୍ଗୁଣ ଥିଲା ଯେ ଏହା କେବଳ ଗାଢ଼ରଙ୍ଗର କାଳିକୁ ହାଲକା ରଙ୍ଗର କି-ବୋର୍ଡ଼ ଉପରେ ମୁଦ୍ରଣ କରି ପାରୁଥିଲା ଓ ଏଥିପାଇଁ ବହୁତ ସମୟ ଲାଗୁଥିଲା। ଏହାପରେ ଆଇ.ବି.ଏମ୍. ପ୍ରତ୍ୟେକ କୁଞ୍ଚିର ଅଗ୍ରଭାଗପାଇଁ ସ୍ୱତନ୍ତ୍ର କୁଞ୍ଚି-ଟୋପି (keycap) ତିଆରି କଲା। ଏଥିପାଇଁ ବ୍ୟବହୃତ ପ୍ଲାଷ୍ଟିକ ସାଧାରଣ ଏ.ବି.ଏସ. କି-ବୋର୍ଡ଼ଠାରୁ ଭିନ୍ନ ଥିଲା।

ଅନ୍ତତଃ ଅଳ୍ପ ଦାମର (୧୦ ଡଲାରରୁ କମ୍) ଆଧୁନିକ କି-ବୋର୍ଡ଼ ନିର୍ମାଣ ହେଲା। ଏହା ପଛରେ ତିନୋଟି ଯାନ୍ତ୍ରୀକ କୌଶଳର ପ୍ରମୁଖ ଅବଦାନ ରହିଛି:

  1. "ଏକକ ଢାଞ୍ଚା - ମୋନୋବ୍ଲକ" କି-ବୋର୍ଡ଼ର ପ୍ରାରୂପ, ଯେଉଁଠି ପ୍ରତିଟି କୁଞ୍ଚିପାଇଁ ଅଲଗା ଅଲଗା ଢାଞ୍ଚା ବଦଳରେ ଗୋଟିଏ "ମୋନୋବ୍ଲକ" ଢାଞ୍ଚାର ବ୍ୟବହାର କରାଗଲା । ମୋଲ୍ଡ଼ିଂ କୌଶଳଦ୍ୱାରା ଏହା ସମ୍ଭବ ହୋଇ ପାରିଲା।
  2. ମୋନୋବ୍ଲକ ତଳେ ସମ୍ପର୍କ ସୁଇଚ୍ ପରଦା (contact-switch membrane)ର ପ୍ରଚଳନ। ସୁଇଚର ତଳେ ଓ ମୋନୋବ୍ଲକର ଉପରେ ଥିବା ପରିବାହୀ ପରଦା ଭିତରେ ଏକ ଖାଲି ସ୍ଥାନ ରହିଲା, ଯେପରିକି କୁଞ୍ଚିଟିକୁ ଚାପିଲେ ହିଁ ଏକ ପ୍ରକାର ବୈଦ୍ୟୁତିକ ସମ୍ପର୍କ ସୃଷ୍ଟି ହେବ। ଏଇ ପରଦା ଗୁଡ଼ିକ ବହୁ ପରିମାଣରେ ‘ରିଲ୍ ରୁ ରିଲ୍’ ମୁଦ୍ରଣ କଳଦ୍ୱାରା ମୁଦ୍ରିତ କରାଗଲା ଓ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତିଟି କି-ବୋର୍ଡ଼ରେ ଖଣ୍ଡ ଖଣ୍ଡ କରି କାଟି ଲଗାଇ ଦିଆଗଲା।
  3. କୁଞ୍ଚିର ଅଗ୍ରଭାଗର ପ୍ୟାଡ ପ୍ରିଣ୍ଟିଂ ଯାହାକୁ ଟେମ୍ପୋ  ବୋଲି କୁହାଯାଏ, ତାହା ସବୁଠାରୁ ଲୋକପ୍ରିୟ ଉପକରଣ ତିଆରି ସଂସ୍ଥାଥିଲା। ପ୍ରଥମେ ସବ୍ଲିମେସନ କାଳି ବ୍ୟବହାର କରାଯାଉଥିଲା (ଉପରେ ଦେଖନ୍ତୁ) କିନ୍ତୁ ଏହାକୁ ସୁରକ୍ଷା ଦେବାପାଇଁ ଅଧିକ ଦିନ ସ୍ଥାୟୀ ସ୍ୱଚ୍ଛ ଆବରଣ ଏବେ ଏହା ଉପରେ ମୁଦ୍ରିତ କରାଯାଉଛି। ଏହି ଆବରଣର ଆଉ ଏକ କାମ ହେଲା ଏହା ଉଜ୍ଜ୍ୱଳତାକୁ କମ କରିଦିଏ ଓ ଅନେକ ସ୍ଥାନରେ ଏହା ଏକ ଜୀବାଣୁ ନାଶକ ତତ୍ତ୍ୱଯୁକ୍ତ ହୋଇଥାଏ ଯାହା ବ୍ୟବହାରକାରୀପାଇଁ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଉପଯୋଗୀ।

ଇଲେକ୍ଟ୍ରୋନିକ କି-ବୋର୍ଡ଼ ନିର୍ମାଣରେ ପ୍ଲାଷ୍ଟିକ ଜିନିଷର ଉପଯୋଗୀତା ବହୁତ ବେଶି । ମୋନୋବ୍ଲକ ଆସିବା ଆଗରୁ ଡର୍ଲିନ ନାମକ ବସ୍ତୁ (Polyoxymethylene plastic) କିବୋର୍ଡ଼ ତିଆରି ପାଇଁ ବ୍ୟବହୃତ ହେଉଥିଲା, ଯାହା ଏହା ଉପରେ ବାରମ୍ବାର ପଡୁଥିବା ଚାପକୁ ସହ୍ୟ କରିବାକୁ ସକ୍ଷମ ଥିଲା। କି ସୁଇଚରେ ସ୍ପ୍ରିଂ ପ୍ରଭାବ ଉତ୍ପନ୍ନ କରିବାପାଇଁ ଗ୍ରୀଜ ପରି କୌଣସି ଜିନିଷ ବ୍ୟବହାର କରିବା ଉପଯୁକ୍ତ ନୁହେଁ । କାରଣ ଏହା ଦ୍ୱାରା କିବୋର୍ଡ଼ ସହଜରେ ମଇଳା ହୋଇଯାଏ ଓ ଉପରର ଲେଖା ଦିଶେନାହିଁ । ତେବେ ଏହି ସ୍ପ୍ରିଂ ପ୍ରଭାବକୁ ସୁଚାରୁରୂପେ ଚଲାଇବାପାଇଁ ଉପଲବ୍ଧ ଏକମାତ୍ର ଜିନିଷ ଥିଲା ଡର୍ଲିନ । କିନ୍ତୁ ଏହା ଏତେ ନରମ ଯେ ଏହା କୁଞ୍ଚିର ଅଗ୍ରଭାଗରେ ବ୍ୟବହାର କରାଯାଇ ନ ପାରେ। ତେଣୁ ଅଗ୍ରଭାଗପାଇଁ ଏ.ବି.ଏସ୍. (Acrylonitrile butadiene styrene-ABS) ପ୍ଲାଷ୍ଟିକ ବ୍ୟବହାର କରା ଯାଉଥିଲା । କାଳକ୍ରମେ ପ୍ଲାଷ୍ଟିକ ମୋଲ୍ଂ ବିକଶିତ ହେଲା ପରେ କୁଞ୍ଚି ଚାପର ଗଭୀରତା ୦.୧୮୭ ଇଞ୍ଚରୁ ୦.୧୧୦ ଇଞ୍ଚ କମ କରି ବି ସ୍ପ୍ରିଂ ପ୍ରଭାବକୁ ଆଗଭଳି ରଖିହେଲା ଓ ମୋନୋବ୍ଲକ କିବୋର୍ଡ଼ ତଥା ଭିନ୍ନ ଭିନ୍ନ ଏକକ-କୁଞ୍ଚ୍ୟାଗ୍ର ( single-part keytop/plungers)ର ପ୍ରଚଳନ ଏ.ବି.ଏସ୍. ପ୍ଲାଷ୍ଟିକଦ୍ୱାରା ସମ୍ଭବ ହୋଇ ପାରିଲା।

ମାଉସ୍

ମାଉସ୍ ଏକ ଲକ୍ଷ୍ୟ କରି ଦେଖାଉଥିବା ଯନ୍ତ୍ର ଯାହା ଏକ ସମତଳ ରେ ଦୁଇ ଦିଗ ରେ ଗତିକରି କାମ କରିଥାଏ । ମାଉସ ଏକ ବସ୍ତୁ ସିଯାହାକୁ ହାତରେ ଧରାଯାଏ ଯେଉଁଥିରେ ଏକାଧିକ ବଟନ ଅଛି । ବେଳେ ବେଳେ ଏଥିରେ ଚକ ଭଳିଆ କିଛି ଜିନିଷ ଥାଏ ଯାହା ବ୍ୟବହାରକାରୀକୁ ଯନ୍ତ୍ର କରାଉଥିବା କାମ ଗୁଡିକ କରେଇଥାଏ, ଆଉ କିଛି ଅତିରିକ୍ତ ବଟନ ମଧ୍ୟ ଥାଏ ଯାହା ମାଉସକୁ କିଛି ଅଧିକ କ୍ଷମତା ପ୍ରଦାନ କରିଥାଏ । ମାଉସର ଗତି ସାଧାରତଃ ଏକ ତୀର ଚିହ୍ନ ଦ୍ଵାରା କମ୍ପୁଟର ପରଦାରେ ଦେଖାଇ ଥାଏ ଯାହା ଆରେଖୀୟ ପ୍ରୟୋଗୀ ଅନ୍ତରପୃଷ୍ଠ(Graphical User Interface)ର ଉତ୍ତମ ବ୍ୟବହାର ଦର୍ଶାଇଥାଏ ।

ମାଉସ କୁ ଏକ ପୋଏନ୍ଟିଙ୍ଗ ଡିଭାଇସ ଭାବେ ବିଲ ଇଙ୍ଗ୍ଲିସ ର ୧୯୬୫ତମ ସଂସ୍କରଣ ରେ "କମ୍ପୁଟର -ଏଡେଡ ଡିସ୍ପ୍ଲେ କଣ୍ଟ୍ରୋଲ " ରେ ବାହାରିଥିଲା। ୧୯୬୮ ରେ ଜେ.ସି.ଆର ଲିକଲିଡର "ଦି କମ୍ପୁଟର ଏଜ ଏ କମ୍ୟୁନିକେଶନ ଡିଭାଇସ" ରେ ମାଇସ ବୋଲି ଲେଖାଯାଇଛି। ଦି ଆମେରିକାନ ହେରିଟେଜ ଅଭିଧାନ ର ଚତୁର୍ଥ ସଂସ୍କରଣ ରେ କମ୍ପୁଟର ମାଉସ ର ବହୁବଚନ ଭାବେ ଉଭୟ ମାଉସେସ ଓ ମାଇସ କୁ ଠିକ ବୋଲି କୁହାଯାଇଛି।କେତେକ ଲେଖକ ବୈଷୟିକ ଲେଖା ରେ ବୈଷୟିକ ଶବ୍ଦ ଭାବେ ମାଉସ ଡିଭାଇସେସ କିମ୍ବା ପୋଏଣ୍ଟିଙ୍ଗ ଡିଭାଇସେସ ଭାବରେ ବ୍ୟବହାର କରନ୍ତି।ଇଂରାଜୀ ରେ ମାଉସେସ କମ୍ପୁଟର ମାଉସ କୁ "ହେଡଲେସ ନାଉନ" ଭାବେ ।

ଟ୍ରାକବଲ ଏକ ପଏଣ୍ଟିଙ୍ଗ ଡିଭାଇସ ଯାହା ୧୯୫୨ ରେ ଟମ କ୍ରାନ୍ସଟନ,ଫ୍ରେଡ ଲଙ୍ଗଷ୍ଟାଫ ଓ କେନୟୋନ ଟେଲର ଙ୍କ ଦ୍ଵାରା ରୟାଲ କାନାଡିୟ ନୌ ବାହିନୀ ର ଡ଼ି.ଏ.ଟି.ଏ.ଆର ପ୍ରକଳ୍ପ ରେ ଉଦ୍ଭାବିତ ହେଇଥିଲା ।ଏହା କାନାଡିୟ ମାନକ ୫ ପିନ ବିଶିଷ୍ଟ ବୋଲିଂ ବଲ ବ୍ୟବହାର କରୁଥିଲା।ଏହାକୁ ବଜାରକୁ ଛଡ଼ାଯାଇନଥିଲା କାରଣ ଏହା ଏକ ଗୁପ୍ତ ସାମରିକ ପ୍ରକଳ୍ପ ଥିଲା।

ଅପଟିକାଲ ମାଉସ ଗୁଡିକ ଏଲ.ଇ.ଡି ବା ଲାଇଟ ଏମିଟିଂ ଡାଇଓଡ ଓ ଏକ ଫୋଟୋ ଡାଇଓଡ ର ଇମେଜିଙ୍ଗ ଆରେ ବ୍ୟବହାର କରେ ,ତଳେ ଥିବା ସମତଳ ର ଅବସ୍ଥା ଜାଣିବା ପାଇଁ।ମେକନିକାଲ ମାଉସ ଏକ ଗତିଶୀଳ ଅଂଶ ବ୍ୟବହାର କରିଲା ବେଳେ ଲେଜର ମାଉସ ଜଉଟା ମଧ୍ୟ ଅପଟିକାଲ ମାଉସ ଲେଜର ଆଲୋକ କୁ ବ୍ୟବହାର କରେ। ୨୦୦୦ ରେ ଲଗିଟେକ "ଟାକଟାଇଲ ମାଉସ" ବାହାର କରିଥିଲା, ଯେଉଁଥିରେ ଏକ ଛୋଟ ଆକଟୁଏଟୋର ଲାଗିଥିଲା ଯାହା ମାଉସ କୁ ଥରାଉଥିଲା।ଏହା ବାରମ୍ବାର ଇଉଜର କୁ ଜଣାଉଥିଲେ ଯତେବେଳେ ମାଉସ ପରଦା ର ସୀମାରେଖା କୁ ଛୁଇଁ ଯାଉଥିଲା। ମାଉସ କୁ ଛୁଇଁ କରି ବ୍ୟବହାର କରିବା ପାଇଁ ଏକ ଇଲେକଟ୍ରହିଓଲଜିକାଲ ଟାକଟାଇଲ ମାଉସ ବାହାରିଥିଲା କିନ୍ତୁ ଏକ ବଜାର କୁ ଆସିପାରିନଥିଲା। ମାନକ ପି.ସି ମାଉସ ଗୁଡିକ ଆର.ଏସ-୨୩୨ସି ସିରିଏଲ ପୋର୍ଟ , ଡି-ସବମିନୀଏଚର କାନେକ୍ଟର ଭୟାରେ ବ୍ୟବହୃତ ହଉଥିଲେ ,ଯାହା ମାଉସ ର ସର୍କିଟ କୁ ଚାଲୁ ରଖିବାରେ ଓ ମାଉସ କୁ ଗତି କରେଇବା ଦ୍ଵାରା ତଥ୍ୟ ବଦଳ ରେ ସାହାଯ୍ୟ କରୁଥିଲା। ମାଉସ ଶିଷ୍ଟମ୍ସ କର୍ପୋରେସନ ଭର୍ଶନ ଏକ ୫ ବାଇଟ ନିୟମ ଓ ୩ ଟା ବଟନ କୁ ସାହା ଦେଉଥିଲା ବେଳେ ମାଇକ୍ରୋସଫ୍ଟ ଭର୍ଶନ ୩ ବାଇଟ ନିୟମ ଓ ୨ ଟା ବଟନ ବ୍ୟବହାର କରୁଥିଲା।ଏହି ଦୁଇଟି ନିୟମ ମଧ୍ୟ ରେ ଅମେଳ ଯୋଗୁଁ ମାଉସ ତିଆରି କରୁଥିବା କମ୍ପାନୀ ୨ ପ୍ରକାର ସୁଇଚ ମାଉସ ବିକିଲେ: "ପି.ସି" ଏମ.ଏସ.ସି ପାଇଁ ଓ "ଏମ.ଏସ" ମାଇକ୍ରୋସଫ୍ଟ ପାଇଁ।

୧୯୮୬ ରେ ଏପଲ କମ୍ପାନୀ ୧୬ ଟି ଯନ୍ତ୍ର କୁ ଡେଜି ଚେନିଙ୍ଗ ରେ ଲଗେଇ ପ୍ରଥମେ ଏପଲ ଡେସ୍କଟପ ବସ କୁ କାମ ରେ ଲଗେଇଥିଲା।ସେହି ଗୋଟିଏ ବସ ରେ ଅନେକ ଗୁଡିଏ ମାଉସ କୁ ଲଗାଯାଇଥିଲା ଯାହାର କୌଣସି କାରିଗରୀ ନଥିଲା।ଏକ ମାତ୍ର ଡେଟା ପିନ କୁ ବ୍ୟବହାର କରି ଏଥିରେ ଅନେକ ମାଉସ ବ୍ୟବହାର କରିହଉଥିଲା ଯାହା କି ମାଉସ ର ମଡେଲମାନଙ୍କ ମୁଖ୍ୟସ୍ରୋତ ରେ ନିଜକୁ ମିଶେଇବା ରେ ସାହାଯ୍ୟ କଲା, ଏପରିକି ଏହା ଅଣ-ଏପଲ କମ୍ପାନୀ ରେ ମଧ୍ୟ ବ୍ୟବହୃତ ହେଲା ଏହା ୧୯୯୮ ଯାଏଁ ଚାଲୁ ରହିଲା।ଯେତେବେଳେ ଆଇ-ମାକ ଶିଳ୍ପ ର ଆରମ୍ଭ ହେଲା ୟୁ.ଏସ.ବି ର ସମୟ ଆରମ୍ଭ ହେଲା।୧୯୯୯ ମେ ରେ "କାଂସ୍ୟ କିବୋର୍ଡ" ର ଆରମ୍ଭ ରୁ ପାୱାର ବୁକ ଜି୩ ଯାହା ଏପଲ ର ଏକ ସୃଷ୍ଟି ଡେସ୍କଟପ ବସ ର ବ୍ୟବହାର କୁ ପ୍ରତ୍ୟାହାର କଲା ୟୁ.ଏସ.ବି ର ପ୍ରଚାଳନ ପାଇଁ।କିନ୍ତୁ ଏହାର ସ୍ଥାନ୨୦୦୫ ରେ ପାୱାରବୁକ ଜି୪ ଯାଏଁ ରହିଲା ।ଶିଳ୍ପ-ମାନକ ୟୁ.ଏସ.ବି (ୟୁନିଭର୍ସାଲ ସିରିଆଲ ବସ ) ନିୟମ ଓ ଏହାର ସଂଯୋଗ ଏବେ ବହୁଳ ଭାବରେ ମାଉସ ପାଇଁ ବ୍ୟବହାର ହଉଛି।ଏହା ଏବେ ବିଖ୍ୟାତ ମାଉସମାନଙ୍କ ମଧ୍ୟରେ ଅନ୍ୟତମ।ନୋଟବୁକ୍ କମ୍ପୁଟର ପାଇଁ ବେତାର ମାଉସର ବହୁଳ ବ୍ୟବହାର ହେଉଛି । ବେତାର ମାଉସ ଗୁଡିକ ଲୋହିତ ରଶ୍ମୀ ବା ରେଡିଓ ରଶ୍ମୀ ଦ୍ଵାରା ସଂଯୁକ୍ତ ହୁଅନ୍ତି।ଏହାର ଏକ ରିସିଭର ଥାଏ ଯାହା କମ୍ପୁଟର ରେ ସିରିଏଲ ବା ୟୁ.ଏସ.ବି ପୋର୍ଟ ରେ ଲାଗିଥାଏ ଯାହା ରଶ୍ମୀ କୁ ଗ୍ରହଣ କରିଥାଏ।ଏବେ ନୂଆ ନୂଆ ଅତି ଛୋଟ ନାନୋ ରିସିଭର ବାହାରିଛି ଯାହା ଲାପଟପ ନୋଟବୁକ ରେ ବ୍ୟବହାର କରିବା ପାଇଁ ସହଜସାଧ୍ୟ।

ଏମିଗା ଓ ଅଟାରି , ଅଟାରି ଏସ.ଟି ମାନକ ଡି.ଇ ସଂଯୋଗ ମାଉସ ଗୁଡିକ ପାଇଁ ବ୍ୟବହାର କରନ୍ତି । ସେହି ସଂଯୋଗ ସମାନ କମ୍ପୁଟର ଓ ହାତ ଗଣତି ୮ ବିଟ ସିଷ୍ଟମ ରେ ଯଏଷ୍ଟିକ ରେ ସଂଯୋଗ ହେଇଥାଏ ଯଥା କମୋଡୋର ୬୪ ଓ ଅଟାରି ୨୬୦୦।ମାଉସ ପାଇଁ ଯାଉ ସଂକେତ ବ୍ୟବହାର କରାଯାଏ ଯଏଷ୍ଟିକ ପାଇଁ ଅଲଗା ସଂକେତ ବ୍ୟବହାର କରାଯାଏ । ତେଣୁ ଯଏଷ୍ଟିକ ର ସଂଯୋଗ କରିବା ଜାଗା ରେ ଯଦି ମାଉସ ଲଗା ଯାଏ ତାହା କରସର ଗତି କୁ ଗୋଟିଏ ଦିଗ କୁ ବଢାଇ ଥାଏ ,ଯଦିଓ ମାଉସ ସ୍ଥିର ଥାଏ।କିନ୍ତୁ ଯଏଷ୍ଟିକ କୁ ମାଉସ ଜାଗା ରେ ଲଗେଇଲେ ଏହା କରସର କୁ କିଛି ବାଟ ଗତି କରାଇଥାଏ ।

୧୯୮୮ରେ ଭି.ଟେକ ସକ୍ରେଟିସ ,ଏକ ଶିକ୍ଷଣୀୟ ଭିଡିଓ ଗେମ ବ୍ୟବସ୍ଥା ଯାହା ବେତର ମାଉସ କୁ ପ୍ରଥମେ ବଜାର କୁ ଆଣିଥିଲା ଓ ତା ସହିତ ଏକ ମାଉସପ୍ୟାଡ ମଧ୍ୟ ଆସିଥିଲା ,ଏହି ମାଉସ ଗେମ ଗୁଡିକ ର ଅତିରିକ୍ତ ପରିଚାଳକ ଥିଲା।୧୯୯୦ ର ପ୍ରାରମ୍ଭ ରେ ସୁପର ନିଣ୍ଟେଣ୍ଡୋ ଏଣ୍ଟରଟେନମେଣ୍ଟ ସିଷ୍ଟମ ,ଏକ ଭିଡିଓ ଗେମ କମ୍ପାନୀ ମାଉସ କୁ ଗେମ ର ଅନ୍ୟତମ ମୁଖ୍ୟ ପରିଚାଳକ ଭାବେ ଆଣିଲା।ନିଣ୍ଟେଣ୍ଡୋ ୬୪ ପରେ ମାରିଓ ପେଣ୍ଟ ଗେମ ମାଉସ ର କ୍ଷମତା କୁ ଭଲଭାବେ ବ୍ୟବହାର କରିଥିଲା।ସେଗା କମ୍ପାନୀ ତାର ନିଜର ମାଉସ ବଜାରକୁ ଛାଡିଥିଲା ଜେନେସିସ/ମେଗା ଡ୍ରାଇଭ ,ସାଟର୍ଣ୍ଣ ଓ ଡ୍ରିମକଷ୍ଟ କନସୋଲ ପାଇଁ।ଏନ.ଇ.ସି ତାର ନିଜର ପି.ସି ଇଞ୍ଜିନ ଓ ପି.ସି - ଏଫ.ଏକ୍ସ କନସୋଲ ପାଇଁ ସ୍ଵତନ୍ତ୍ର ମାଉସ ଛାଡିଥିଲା।ପ୍ଲେ-ଷ୍ଟେସନ ପାଇଁ ସୋନି କମ୍ପୁଟର ଏଣ୍ଟରଟେନମେଣ୍ଟ ଏକ ମାଉସ ବାହାର କରିଥିଲା ଏବଂ ସେଥିରେ ଲିନକ୍ସ ଓ ପ୍ଲେ-ଷ୍ଟେସନ ୨ର ସରଞ୍ଜାମ ରହିଥିଲା।ବ୍ୟବହାରକାରୀ ଯେକୌଣସି ଭାବେ ୟୁ.ଏସ.ବି ମାଉସ କୁ ପ୍ଲେ-ଷ୍ଟେସନ ୨ ରେ ସଂଯୋଗ କରିପାରୁଥିଲେ।ପ୍ଲେ -ଷ୍ଟେସନ ୩ ସଂପୂର୍ଣ୍ଣ ଭାବେ ୟୁ.ଏସ.ବି ମାଉସ ର ଅଧିନକୁ ଆସିଗଲା ।

ମନିଟର

ଟେଲିଭିଜନ ଭଳି ଦେଖିବାକୁ ବସ୍ତୁଟି ହିଁ କମ୍ପ୍ୟୁଟରର ମନିଟର।କମ୍ପ୍ୟୁଟରରେ କାମର ଫଳାଫଳ ବା ଆଉଟପୁଟ୍ ଏଇ ମନିଟରରେ ଫୁଟିଉଠେ ଏବଂ କମ୍ପ୍ୟୁଟରକୁ ଆପଣ ଯାହା ନିର୍ଦ୍ଦେଶ ଦେବେ ବା କୌଣସି ତଥ୍ୟ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦେବେ,ତାହା ବି ମନିଟରରେ ଦେଖାଦେବ। ଟେଲିଭିଜନ ଭଳି କମ୍ପ୍ୟୁଟରର ମନିଟର ବି କଳା-ଧଳା ଏବଂ ରଙ୍ଗିନ ହୁଏ ଏବଂ ବିଭିନ୍ନ ସାଇଜର ବି ହୁଏ।

ଆଧାର -

"computer,n."

4.2
Nirod Chandra Sandha Jul 03, 2017 12:37 PM

କମ୍ପୁଟର ବିଷୟରେ ବହୁତ କିଛି ଜାଣିବାକୁ ପାଇଲୁ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top