ସେଆର କରନ୍ତୁ

ଅପାତ୍ର ଦାନ

ଅପାତ୍ର ଦାନ ର କାହାଣୀ

ଉପକ୍ରମ

ଶ୍ରାବସ୍ତିର ରାଜା ସୁକେତୁ ରାଜ୍ୟକାର୍ଯ୍ୟ ମଧ୍ୟରେ ଅବସର ପାଇବା ମାତ୍ରେ ଶିକାର କରିବାକୁ ସେ ଚାଲିଯାଉଥିଲେ । ଦିନେ ଶିକାର କରୁ କରୁ ସେ ରାଜା ନିଜ ପରିଜନ ଓ ଦେହରକ୍ଷୀମାନଙ୍କଠାରୁ ବହୁ ଦୂରକୁ ଚାଲି ଯାଇଥିଲେ । ଯାଉ ଯାଉ ସେ ଦେଖିଲେ ଗଛ ଛାଇରେ ଅତି ଗଭୀର ନିଦ୍ରାରେ ଗାଈଆଳ ପିଲାଟିଏ ଶୋଇଛି ଆଉ ତା’ର ଚିତ୍ର, ନିକଟରେ ଜଣେ ଚିତ୍ରକର ବସି ଆଙ୍କୁଛନ୍ତି ।

ରାଜା ନୀରବରେ ଯାଇ ସେ ଚିତ୍ରକର ପାଖରେ ପହଁଚି ତା’ ଚିତ୍ରଟିକୁ ଦେଖି ତାକୁ ଅତି ପ୍ରଶଂସା କଲେ । ଚିତ୍ରକାର ମଧ୍ୟ ସେ ରାଜାଙ୍କୁ ଚିହ୍ନି ପକାଇ ତାଙ୍କୁ ଅଭିନନ୍ଦନ କରି କହିଲେ, “ମହାରାଜ, ମୋ ନାମ ଅନନ୍ତ । ଦେଖନ୍ତୁ କି ଆଶ୍ଚର୍ଯ୍ୟ କଥା । ଏ ଜଙ୍ଗଲ ବାଘଭାଲୁରେ ପୂର୍ଣ୍ଣ । ତଥାପି ମଧ୍ୟ କୌଣସି ଭୟ ମନରେ ନ ରଖି ଅତି ନିଶ୍ଚିନ୍ତରେ ସେ କିପରି ଶୋଇ ଯାଇଛି । ମୋତେ ଏକଥା ଦେଖି ଏତେ ଖୁସି ଲାଗିଲା ଯେ ମୁଁ ତା’ର ଚିତ୍ରଟି ଆଙ୍କି ବସିଲି ।”

ବର୍ଣ୍ଣନା

ସେ ରାଜା ମଧ୍ୟ ଏଭଳି କଥା ଶୁଣି ଖୁବ୍ ବିସ୍ମିତ ହେଲେ ଓ କହିଲେ, “ଅନନ୍ତ, ତୁମର ଏ ଚିତ୍ର ମୁଁ ନେଇ ଯାଉଛି । ଏହାର ମୂଲ୍ୟ ସ୍ୱରୂପ ମୁଁ ମୋର ରତ୍ନହାର ତୁମକୁ ଦେଲି ।”

ଅନନ୍ତ ସେ ପିଲାକୁ ଉଠାଇ ହାରଟିକୁ ତାକୁହିଁ ଦେଇ ଦେଇ ରାଜାଙ୍କୁ କହିଲେ, “ମହାରାଜ, ମୁଁ ଜଣେ ପ୍ରବୀଣ ଚିତ୍ରକାର ହୋଇ ପାରିଥାଏ । କିନ୍ତୁ ମୋ ଚିତ୍ର କେବଳ ଏ ପିଲାଟିର ସରଳପଣିଆ ଯୋଗୁଁ ହିଁ ସୁନ୍ଦର ହୋଇଛି ।”

ରାଜା ନିଜ ଆଙ୍ଗୁଠିରୁ ହୀରକ ଅଙ୍ଗୁରୀୟଟି ବାହାର କରି ଅନନ୍ତଙ୍କୁ ପ୍ରଦାନ କରି ତାକୁ କହିଲେ, “ଅନନ୍ତ, ଏଇଟି ତୁମେ ସ୍ମୃତି ସ୍ୱରୂପ ରଖ । ତମେ ଅନ୍ୟ ଏକ ଛବି ମୋ ପାଇଁ ତିଆରି କରିଦେବ, ଯାହା କି କୌଣସି ବାସ୍ତବତାକୁ ପ୍ରକାଶ କରୁଥିବ ।”

ଇତିମଧ୍ୟରେ ରାଜାଙ୍କୁ ଖୋଜି ଖୋଜି ତାଙ୍କର ପରିଜନମାନେ ସେଠାରେ ଆସି ପହଁଚିଗଲେ । ତା’ପରେ ସେ ରାଜା ସମସ୍ତଙ୍କୁ ନେଇ ରାଜପ୍ରାସାଦକୁ ବାହୁଡି ଆସିଲେ ।

ପ୍ରାୟ ପଚିଶ ବର୍ଷ ପରେ ଦିନେ ଅନନ୍ତ ରାଜାଙ୍କ ଦରବାରରେ ଯାଇ ପହଁଚିଲେ । ସେତେବେଳେ ତ ସେ ରାଜା ଏକ ଭୟାନକ ଡାକୁର ବିଚାର କରି ତା’ଲାଗି ମୃତ୍ୟୁଦଣ୍ଡର ଆଦେଶ ଦେଉଥିଲେ । ତେଣୁ ସେ ରାଜା କହିଲେ, “ପାଂଚଦିନ ପରେ ଏହି ଡାକୁର ଯେପରି ଶିରଚ୍ଛେଦ ହୁଏ ।”

ସେତେବେଳେ ତ ଅନନ୍ତ ସେ ଡାକୁକୁ ଏକ କଳାକାରର ଦୃଷ୍ଟିରେ ଦେଖୁଥା’ନ୍ତି । ଇତିମଧ୍ୟରେ ରାଜା ତାଙ୍କୁ ଚିହ୍ନି ପାରି କହିଲେ, “ଚିତ୍ରକାରଙ୍କୁ ସ୍ୱାଗତ କରୁଛି । କିଛି ସଜୀବ ଓ ପ୍ରାକୃତିକ ଚିତ୍ର ଆଙ୍କି କରି ଆଣିଛ?” ସେତେବେଳେ ବନ୍ଦୀଶାଳାର ପ୍ରହରୀମାନେ ସେ ଡାକୁକୁ ଟାଣି ଟାଣି ନେଇ ଯାଉଥା’ନ୍ତି । ଅନନ୍ତ ରାଜାଙ୍କ ସ୍ୱାଗତ ବାକ୍ୟ ଶୁଣି କହିଲେ, “ମହାରାଜ, କ୍ରୁରତା ଓ ପାଶବିକତା କିପରି ଚରମ ରୂପ ଧାରଣ କରିପାରେ ଏହି ଡାକୁର ଚେହେରା ହିଁ ତା’ର ଜ୍ୱଳନ୍ତ ଉଦାହରଣ । ମଣିଷର ଏହି ରୂପ ମଧ୍ୟ ମୁଁ ଆଙ୍କିବାକୁ ଚାହୁଁଛି । ଆପଣ ଅନୁମତି ଦେଲେ ମୁଁ ଏଥର ମୋ କାର୍ଯ୍ୟ ଆରମ୍ଭ କରିବି ।”

ତା’ପରେ ସେ ରାଜା ଚିତ୍ରକାରକୁ ଅନୁମତି ଦେଲେ । ଅନନ୍ତ କାରାଗାରରେ ପ୍ରବେଶ କରିବା ମାତ୍ରେ ଡାକୁ ତା’ ମୁହଁ ଅନ୍ୟ ଦିଗକୁ ବୁଲାଇ ନେଲା । ତା’ପରେ ଅନନ୍ତ ତାକୁ ବୁଝାଇଲେ ସେ କାହିଁକି ସେଠାକୁ ଆସିଛନ୍ତି । ବୋଧହୁଏ ଡାକୁ ବୁଝିଲା ଓ ଅବିଚଳିତ ଭାବରେ ଘଂଟା ଘଂଟା ଧରି ଠିଆ ହୋଇ ରହିଲା । ଅନନ୍ତ ଚିତ୍ରପଟଟି ଆଙ୍କି ଆଙ୍କି ଶେଷ କଲେ ।

ଅନନ୍ତ ନିଜର ଚିତ୍ରକଳାର ସାଫଲ୍ୟରେ ଏତେ ମୁଗ୍ଧ ହୋଇଥିଲେ ଯେ ସେ ପଚିଶ ବର୍ଷ ତଳେ ରାଜା ଦେଇଥିବା ସେହି ହୀରକ ମୁଦିଟି ଡାକୁକୁ ଦେବାକୁ ଚାହିଁଲେ । ଡାକୁ ତ ସେ ମୁଦି ଗ୍ରହଣ କଲାନାହିଁ; କିନ୍ତୁ ଏକ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଅନନ୍ତଙ୍କୁ ସେ ଚାହିଁରହି ପଚାରିଲା, “କ’ଣ, ସତରେ ଆପଣ ମୋତେ ଚିହ୍ନିପାରୁ ନାହାଁନ୍ତି?”

ଡାକୁର ଏ ପ୍ରକାର ପ୍ରଶ୍ନରେ ଅନନ୍ତ ଖୁବ୍ ଆଶ୍ଚର୍ଯ୍ୟ ହେଲେ ଓ ତାକୁ କେବେ ଦେଖିଥିବାର ସେ ଆଦୌ ମନେ ପକାଇ ପାରିଲେ ନାହିଁ । ଡାକୁ ଅତି ବ୍ୟଙ୍ଗ ଭାବରେ ପ୍ରଥମେ ହସିଲା ଓ ପରେ ସେ ତା’ ଭଗ୍ନସ୍ୱରରେ କହିଲା, “ମୋର ଦୁର୍ଭାଗ୍ୟ ଯେ ଆପଣ ମୋତେ ଚିହ୍ନିପାରୁ ନାହାଁନ୍ତି ଓ ମହାରାଜା ମଧ୍ୟ ମୋତେ ଚିହ୍ନିପାରୁ ନାହାଁନ୍ତି ।”

ଅନନ୍ତ ତା’ କଥାର ଅର୍ଥ କିଛି ବୁଝି ନ ପାରି କହିଲେ, “ତମକୁ ରାଜା ଯେତେବେଳେ ମୃତ୍ୟୁଦଣ୍ଡ ଶୁଣାଇଲେ, ତୁମେ ତ ଚୁପ୍ଚାପ୍ ତାହା ସ୍ୱୀକାର କରି ଚାଲି ଆସିଲ । ଯଦି ତମେ ଭାବୁଛ କି ରାଜା ତୁମକୁ ଆଗରୁ ଜାଣନ୍ତି ତେବେ ଦରବାରରେ ତୁମେ ସେକଥା କାହିଁକି କହିଲ ନାହିଁ?”

ତହୁଁ ସେ ଡାକୁ କହିଲା “ମୁଁ ଭାବିଲି ସେଥିପାଇଁ ବୋଧେ ଆଉ ସମୟ ନାହିଁ । କିନ୍ତୁ ଏବେ ଆପଣଙ୍କୁ ଦେଖି ମୋ ମନରେ ଟିକେ ଆଶା ଜାଗ୍ରତ ହୋଇଛି ଯେ ମୃତ୍ୟୁ ପୂର୍ବରୁ ମୁଁ ସବୁ କଥା କହିଦେଇ ମରିବି । ଆପଣ କ’ଣ ଦୟାକରି ମୋତେ ଥରେ ରାଜାଙ୍କ ପାଖକୁ ନେଇଯାଇ ପାରିବେ କି?”

ଡାକୁ କଥା ଶୁଣି ଅନନ୍ତ କହିଲେ “ନିଶ୍ଚୟ? ଅନ୍ତତଃ ମୁଁ ସେଥିପାଇଁ ଯତ୍ପରୋନାସ୍ତି ଚେଷ୍ଟା ତ କରିବି ।” ଏହା କହିସାରି ଚିତ୍ରପଟଟି ଧରି ସେ ରାଜାଙ୍କ ପାଖକୁ ଗଲେ ।

ସେ ଯାଇ ରାଜାଙ୍କ ପାଖରେ ପହଁଚି ତାଙ୍କୁ ସବୁକଥା କହିଲେ । ଅନନ୍ତଙ୍କ ସବୁକଥା ଶୁଣି ରାଜାଙ୍କ ମନରେ ମଧ୍ୟ ଭାରି କୌତୁହଳ ସୃଷ୍ଟି ହେଲା । ତେଣୁ ସେ ତତ୍କ୍ଷଣାତ୍ ଡାକୁକୁ ସେଠାକୁ ଆଣିବାକୁ ନିଜ ସୈନ୍ୟମାନଙ୍କୁ ଆଦେଶ କଲେ ।

କିଛି ସମୟ ପରେ ଡାକୁକୁ ରାଜାଙ୍କ ସମ୍ମୁଖରେ ଆଣି ରଖାଗଲା । ଡାକୁ କହିଲା, “ମହାରାଜ, କେବଳ ଏହି ଚିତ୍ରକାରହିଁ ମୋର ଏପରି ଦୂରବସ୍ଥାର କାରଣ । ମାତ୍ର ସେ ସେତିକିରେ ବି ସନ୍ତୁଷ୍ଟ ନ ହୋଇ ଆହୁରି ପୁଣି ମୋତେ ଧନର ଲୋଭ ଦେଖାଉଛନ୍ତି । ଆପଣ ତାଙ୍କୁ ଯେଉଁ ହୀରା ମୁଦିଟି ପୁରସ୍କାର ଦେଇଥିଲେ ତାହା ଏବେ ସେ ତାଙ୍କର ଦ୍ୱିତୀୟ ଚିତ୍ରର ସାଫଲ୍ୟ ଯୋଗୁଁ ମୋତେ ଦେବାକୁ ଚାହୁଁଛନ୍ତି ।”

ଡାକୁର ଏଭଳି କଥା ଶୁଣି ସେ ରାଜା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ତାକୁ ପଚାରିଲେ, “ତମେ କିପରି ଜାଣିଲ ଯେ ମୁଁ ଚିତ୍ରକାରଙ୍କୁ ଏହି ମୁଦଟି ଉପହାର ଦେଇଥିଲି ବୋଲି?”

ତହୁଁ ସେ ଡାକୁ ଅଳ୍ପ ହସି କିଛି ସମୟ ଚୁପ୍ ରହିଲା, ତା’ପରେ ସେ କହିଲା, “ମହାରାଜ, ଆଜିକୁ ପ୍ରାୟ ପଚିଶ ବର୍ଷ ତଳେ ମୁଁ ଏକ ସରଳ, ଅବୋଧ, ଗାଈଜଗୁଆଳ ପିଲା ଥିଲି । ଦୁନିଆର ଦୁଃଖ କଷ୍ଟ, ମୁଁ କିଛି ବି ବୁଝୁ ନଥିଲି । ଦିନେ ହଠାତ୍ ଏହି ଚିତ୍ରକାର ପହଁଚି ମୋର ନିଶ୍ଚିନ୍ତରେ ନିଦ୍ରା ଯାଇଥିବା ଅବସ୍ଥା ଦେଖି ଆଙ୍କି ପକାଇଲେ । ସେଇଠି ଆପଣ ମଧ୍ୟ ପହଁଚି ଏହି ଚିତ୍ରକାରଙ୍କ ପ୍ରତିଭାରେ ଖୁବ୍ ମୁଗ୍ଧ ହୋଇ ଆପଣଙ୍କ ରତ୍ନହାର ତାଙ୍କୁ ଉପହାର ସ୍ୱରୂପ ଦେଲେ । ତା’ପରେ ସେଇଟି ସେ ମୋତେ ଦେଇଦେଲେ । ଆଉ ଆଜିକା ଦିନରେ ସେଇ ରତ୍ନହାର ଏବେ ମୋର କାଳଫାଶୀରେ ପରିଣତ ହୋଇଛି ।”

ସେ ଡାକୁଠାରୁ ଏକଥା ଶୁଣି ରାଜା ଓ ଅନନ୍ତ ଦୁହେଁ ସବୁକଥା ସ୍ମରଣ କରି ପାରିଲେ । ହେଲେ ତଥାପି ବି ସେମାନେ ବୁଝିପାରିଲେ ନାହିଁ ଯେ ସେଦିନର ସେ ସରଳ, ନିଷ୍ପାପ, ତଥା ଅବୋଧ ବାଳକଟିର ଆଜି ଏ ପରିଣତି କିପରି ହେଲା । ତେଣୁ ରାଜା ସେ ଡାକୁକୁ ତା’ର ସାରା ବୃତାନ୍ତ ତଥା ଜୀବନ କାହାଣୀ ବିସ୍ତାର କରି କହିବାକୁ ଅନୁରୋଧ କଲେ ।

ତା’ପରେ ସେ ଡାକୁ କହିଲା, “ମହାରାଜ, ଆପଣ ଚିତ୍ରକାରଙ୍କୁ ଦେଇଥିବା ରତ୍ନହାରଟି ତ ସେ ମୋତେ ଦେଇଦେଲେ । ପରେ ମୁଁ ତାକୁ ନେଇ ଏକ ବଡ ସହରକୁ ବିକିବା ପାଇଁ ଗଲି । ସେଠାରେ ବଣିଆ ମୋତେ ସନ୍ଦେହ କରି କଟୁଆଳକୁ ଡାକି ତାକୁ ସେ ସବୁକଥା କହିଲା । ଫଳରେ ସେମାନେ ମୋତେ ନେଇ ବନ୍ଦୀଶାଳାରେ ରଖିଲେ । ସେଠାରେ ଥିବା ଡାକୁମାନଙ୍କ ସହିତ ମୋର କ୍ରମେ ବନ୍ଧୁତା ଓ ଘନିଷ୍ଠତା ବଢିଲା । ସେଠାରୁ ବାହାରକୁ ଆସି ମୁଁ ସେମାନଙ୍କ ଦଳରେ ଯୋଗ ଦେଇ ଏକ ବଡ ଡାକୁ ବନିଗଲି ।”

ତା’ର ସବୁ କଥା ଶୁଣି ରାଜା ଚିନ୍ତାକଲେ, “ହାୟ ଏକ ସରଳ ଅବୋଧ ବାଳକ ପାଇଁ ଏକ ମୂଲ୍ୟବାନ ଦାନର କି ଭୟଙ୍କର ପରିଣତି ।”

ରାଜା ପୁଣି ସେ ଡାକୁକୁ ପ୍ରଶ୍ନକଲେ, “କିନ୍ତୁ ତମେ କରିଥିବା ଚୋରୀ, ହତ୍ୟା ଇତ୍ୟାଦି ଜଘନ୍ୟ ପାପ ସବୁ ପାଇଁ ତମର ପଶ୍ଚାତାପ ହୁଏ କି ନାହିଁ?” ଏହା ଶୁଣି ସେ ଡାକୁ କହିଲା – ସେଥିଲାଗି ତ ମୁଁ ଖୁବ୍ ପଶ୍ଚାତାପ କରୁଛି । କିନ୍ତୁ ସେସବୁ କଥା ଭାବି ଏବେ ଆଉ ମୋର କ’ଣ ବା ଲାଭ? ଦୁଇ ଦିନ ପରେ ତ ମୋର ମୃତ୍ୟୁ ହେବ ।”

ଏଥର ରାଜା କହିଲେ, “ଯାଅ, ଆଜି ମୁଁ ତୁମକୁ ମୁକ୍ତି ଦେଲି ଓ ଆମର ସମସ୍ତ ପଶୁପାଳକମାନଙ୍କ ଉପରେ ତୁମେ ଅଧିପତି ହୋଇ ରହିବ । ଆଉ ଆଜିଠାରୁ ତୁମେ ଏକ ନୂଆ ଜୀବନ ଆରମ୍ଭ କର ।” ଡାକୁର ନୂତନ କାର୍ଯ୍ୟ ଆରମ୍ଭ ସମ୍ପର୍କରେ ରାଜା ତାଙ୍କ ମନ୍ତ୍ରୀଙ୍କୁ ମଧ୍ୟ ନିର୍ଦ୍ଧେଶ ଦେଲେ । ତା’ପରେ ସେ ରାଜା ଚିତ୍ରକାରଙ୍କୁ ଆହୁରି ଏକ ଅତ୍ୟନ୍ତ ମୂଲ୍ୟବାନ୍ ହାର ଦେଇ କହିଲେ, “ଅନନ୍ତ, ବିଦ୍ୱାନମାନେ ଯେ କହିଛନ୍ତି ଅପାତ୍ରରେ ଦିଆଯିବା ଦାନ ସଦା ସର୍ବଦା ହାନୀକାରକ ହୁଏ, ତାହା ସତ୍ୟ । ଅପାତ୍ର ଦାନ ଅର୍ଥ ଦାନୀ ଯେତେବେଳେ ସ୍ଥାନ, କାଳ, ପାତ୍ର ସବୁ ଭୁଲିଯାଇ ଦାନ ଦିଏ । ତେଣୁ ମୁଁ ଏବେ ତୁମକୁ ଯେଉଁ ରତ୍ନହାରଟି ଉପହାର ସ୍ୱରୂପ ଦେଉଛି ତାକୁ ଆଉ ତୁମେ ଏପରି ମନୁଷ୍ୟକୁ ଦେବନାହିଁ ଯାହା କି ତା’ ଜୀବନ ପାଇଁ ଘୋର୍ ସଂକଟ ରୂପେ ଦେଖାଦେବ ।”

ଆଧାର : ଓଡ଼ିଆ ଗପ

2.95454545455
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top