অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉପକାରୀ ଇଗଲ୍

ଉପକାରୀ ଇଗଲ୍

ଉପକ୍ରମ

ଥରେ ଗୋଟିଏ ବଣରେ ଗୋଟିଏ ମୂଷା ଓ ଗୋଟିଏ ଚଢେଇ ସାଙ୍ଗ ହୋଇ ରହୁଥିଲେ । ଚଢେଇଟି ଗଛଡାଳରେ ଓ ମୂଷାଟି ଗଛ ମୂଳର ଗାତରେ ରହୁଥିଲା । ସେ ବଣରେ ଶୀତଦିନେ ଖୁବ୍ ବରଫ ପଡୁଥିବାରୁ ସେମାନଙ୍କୁ କିଛି ବି ଖାଦ୍ୟ ଶସ୍ୟ ମିଳୁନଥିଲା । ତେଣୁ ଚଢେଇ ଓ ମୂଷା ଦୁଇଜଣଯାକ ଶୀତ ଦିନ ପାଇଁ କିଛି ଖାଦ୍ୟ ସଂଗ୍ରହ କରି ଗୋଟିଏ ଗାତ ଖୋଳି ଖାଦ୍ୟ ପଦାର୍ଥ ସଂଚୟ କରିରଖିଲେ । ସେମାନେ ଦୁହେଁ ପ୍ରତିଜ୍ଞା କଲେ ଯେ କେହି କାହାର ଅଜ୍ଞାତରେ ସେ ଗାତରୁ ଖାଦ୍ୟ ଶସ୍ୟ ନେବେ ନାହିଁ ।

ବର୍ଣ୍ଣନା

ମୂଷାଟି ଚଢେଇକୁ କହିଲା ‘ଶୀତଦିନ ଆରମ୍ଭରେ ଯେମିତି ପ୍ରଥମେ ବରଫ ପଡିବାକୁ ଆରମ୍ଭ କରିବ ଆମେ ସେମିତି ଆସି ଏଠାରୁ ଖାଦ୍ୟଶସ୍ୟ ଖୋଳି ବାହାର କରିବା ।’

ଚଢେଇଟି ବଣକୁ ଉଡିଯିବା ପରେ ମୂଷାଟି ଯେଉଁଗାତରେ ଖାଦ୍ୟଶସ୍ୟ ସବୁ ପୋତା ହୋଇଥିଲା ତାକୁସେଠାରୁ ବାହାର କରି ଆଉ ଗୋଟିଏ ଗାତ ଖୋଳି ପୋତି ଦେଲା ।

ଯେମିତି ଶୀତଋତୁ ଆରମ୍ଭ ହୋଇଛି ଚଢେଇଟି ଗାତପାଖକୁ ଆସି ଦେଖିଲା ସେଠାରେ ଖାଦ୍ୟଶସ୍ୟ ନାହିଁ କିମ୍ବା ସେଠାରେ ମୂଷାଟି ମଧ୍ୟ ନାହିଁ । ଚଢେଇଟି ମୂଷାର ବିଶ୍ୱାସଘାତକତାକୁ ଜାଣିପାରି ସେଠାରୁ ମନ ଦୁଃଖରେ ଉଡି ଚାଲିଗଲା । ଚଢେଇଟି ପାଖ ଗାଁକୁ ଉଡି ଯାଇ ସେଠାରେ ଥିବା ଗୋଟିଏ ଗହମ ଖଳାରୁ କିଛି ଖାଦ୍ୟ ସଂଗ୍ରହ କରି ତାର ବସାକୁ ଫେରି ଆସିଲା । ତା କିଛି ଦିନ ପରେ ଚଢେଇଟି ମୂଷାକୁ ଦେଖି ରାଗରେ ତାର ଆଖିକୁ ଖୁମ୍ପି ପକାଇଲା ଫଳରେ ସେ ମୂଷାର ଗୋଟିଏ ଆଖି ସମ୍ପୂର୍ଣ୍ଣ ଫୁଟିଗଲା ।

ମୂଷାଟି ଖୁବ୍ ଅପମାନ ଓ ରାଗରେ ଯାଇ ବଣର ସବୁ ପଶୁ ପକ୍ଷୀମାନଙ୍କ ଉପରେ ଫେରାଦ ହେଲା । ଦିନେ ବଣର ଗୋଟିଏ ଖୋଲା ପଡିଆରେ ସବୁ ପଶୁପକ୍ଷୀ ଏକାଠି ହୋଇ ମୂଷା ଓ ଚଢେଇଙ୍କୁ ତାଙ୍କ କଳି ବିଚାର ପାଇଁ ଡକାଇଲେ ।

ଏହି ସଭାରେ ପଶୁମାନଙ୍କର ରାଜା ସିଂହ ଓ ପକ୍ଷୀମାନଙ୍କର ରାଜା ଇଗଲ୍ ସେଠାରେ ଉପସ୍ଥିତ ଥିଲେ । ଚଢେଇ ସପକ୍ଷରେ ଇଗଲ୍ ଓ ମୂଷା ସପକ୍ଷରେ ସିଂହ ସେମାନଙ୍କର ଯୁକ୍ତି ବାଢିବାକୁ ଲାଗିଲେ । ସିଂହ ଓ ଇଗଲ୍ଙ୍କର ଯୁକ୍ତିତର୍କ ଏତେ ବଢିଗଲା ଯେ ସିଂହ ରାଗରେ ଇଗଲକୁ ତାର ପଞ୍ଝାରେ ଏକ ଚାପୁଡା ପକାଇଲା ଏ ଚାପୁଡା ମାଡରେ ଇଗଲର ସବୁତକ ପକ୍ଷୀ ଝଡିଗଲା ।

ଏହା ଦେଖି ସବୁ ପକ୍ଷୀମାନେ ଭୟରେ ଡରିଗଲେ ଓ ପଶୁମାନେ ମଧ୍ୟ ବଣକୁ ଚାଲିଗଲେ । ଇଗଲଟି ବିଚରା ପକ୍ଷୀତକ ହରେଇ ସେଠାରେ ପଙ୍ଗୁହୋଇ ପଡି ରହିଲା ।

ଏଣେ ସେ ବଣ ପାଖ ଗାଁର ଜଣେ ଶିକାରୀ ସେଦିନ ବଣକୁ ଶିକାର କରିବାକୁ ଆସି ଦେଖିଲା ଇଗଲଟି ପକ୍ଷୀହରେଇ ସେଠାରେ ପଙ୍ଗୁହୋଇ ପଡି ରହିଛି । ଶିକାରୀ ବନ୍ଧୁକରୁ ଗୁଳି ଫୁଟେଇ ଇଗଲକୁ ମାରିବାକୁ ଉଦ୍ୟତ ହେଲାବେଳେ ଇଗଲଟି ସେ ଶିକାରୀକୁ ଅନୁରୋଧ କରି କହିଲା ‘ମୋତେ ମାର ନାହିଁ, ମୁଁ ବଂଚିରହିଲେ ତୁମର ବହୁତ ଉପକାର କରିବି । ତୁମେ ମୋତେ ତୁମ ଘରକୁ ନେଇ ମୋର ପକ୍ଷୀ ଉଠିବା ପର୍ଯ୍ୟନ୍ତ ରଖ ।’

ଏକଥା ଶୁଣି ଶିକାରୀଟି ଇଗଲ୍ କଥାରେ ରାଜି ହୋଇ ଇଗଲକୁ ନେଇ ଘରକୁ ଫେରିଲା ।

ଘରେ ଶିକାରୀର ସ୍ତ୍ରୀ ତାର ସ୍ୱାମୀ ଉପରେ ରାଗକରି କହିଲା ‘ତୁମେ ଏ ପଙ୍ଗୁ ପକ୍ଷୀଟିକୁ ଘରକୁ କାହିଁକି ଆଣିଲ? ସେତ ଆମର ସବୁତକ ଖାଦ୍ୟ ଶସ୍ୟ ଖାଇଦେବ, ତେବେ ଆମେ ଖାଇବା କ’ଣ?’

ହେଲେ ସେ ଶିକାରୀଟି ତାର ସ୍ତ୍ରୀ କଥା ମୋଟେ ନଶୁଣି ଇଗଲଟିକୁ ତା ଘରେ ରଖିଲା । ଦିନକୁ ଦିନ ଇଗଲଟି ସୁସ୍ଥ ହୋଇ ଉଠିଲା ଓ ତା ଡେଣାରେ ପର ସବୁ ଉଠିବାକୁ ଲାଗିଲା ।

ଗୋଟିଏ ବର୍ଷ ବିତି ଯିବାପରେ ଇଗଲଟି କହିଲା ‘ଏଥର ମୋତେ ବିଦାୟ ଦିଅନ୍ତୁ ମୁଁ ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲିଣି ।’ ଶିକାରୀଟି ଇଗଲକୁ ଛାଡି ଦେବା ମାତ୍ରେ ସେ ଆନନ୍ଦରେ ଆକାଶରେ କିଛି ବାଟ ଉଡିଗଲା ଓ ସଂଧ୍ୟାବେଳକୁ ପୁଣି ଶିକାରୀର ଘରକୁ ଫେରି ଆସିଲା ।

ଏଥର ଇଗଲଟି ଶିକାରୀକୁ କହିଲା ‘ଭାଇ, ତୁମେ ମୋର ବହୁତ ଉପକାର କରିଛ । କାଲି ସକାଳେ ମୁଁ ବଣକୁ ଉଡିଯିବି, ତୁମେ କିଛି ପିଠା ତିଆରି କରି ମୋତେ ଯେଉଁଠାରୁ ଆଣିଥିଲ ସେଠାରେ ପହଁଚିବ ।’ ଇଗଲଟି ଏହା କହିସାରି ବଣକୁ ଉଡିଗଲା ।

ତା ପରଦିନ ସକାଳୁ ଶିକାରୀଟି କିଛି ପିଠା ତିଆରି କରି ସାଙ୍ଗରେ ପିଠାତକ ନେଇ ସେ ବଣକୁ ଗଲା । ଶିକାରୀ ସେଠାରେ ପହଁଚି ଦେଖିଲା ଆଗରୁ ଇଗଲଟି ଆସି ସେଠାରେ ପ୍ରସ୍ତୁତ ହୋଇଅଛି । ଇଗଲଟି ଶିକାରୀକୁ ଦେଖି ତାକୁ ତା ପିଠି ଉପରେ ବସିବାକୁ କହିଲା । ଶିକାରୀଟି ଇଗଲର ପିଠି ଉପରେ ବସିବା ପରେ ଇଗଲଟି ଉଡିବାକୁ ଲାଗିଲା ଓ କିଛି ସମୟ ପରେ ଇଗଲଟି ଗୋଟିଏ ସହରର ଶେଷ ମୁଣ୍ଡରେ ଯାଇ ଓହ୍ଲାଇଲା ।

ଇଗଲଟି ଶିକାରୀକୁ କହିଲା ‘ତୁମେ ବର୍ତ୍ତମାନ ସହର ମଧ୍ୟକୁ ଯାଅ । ସହର ମଧ୍ୟରେ ଥିବା ମନ୍ଦିରକୁ ଯାଇ ସେଠାରେ ପ୍ରାର୍ଥନା କରିବ । ତୁମେ ପ୍ରାର୍ଥନା ସାରି ଆସି ମନ୍ଦିର ମୁଖଶାଳାରେ ଅପେକ୍ଷା କରିବ । ପ୍ରାର୍ଥନା ସାରି ମନ୍ଦିରରୁ ସବୁଲୋକ ଚାଲିଗଲାପରେ ଜଣେ ସ୍ତ୍ରୀଲୋକ ସବାଶେଷରେ ମନ୍ଦିର ମଧ୍ୟରୁ ଆସିବ । ସେ ହେଉଛି ମୋର ଭଉଣୀ । ସେ ମନ୍ଦିର ଭିତରୁ ଆସି ଯାହାକୁ ଭେଟିବ ତାକୁ ମୋକଥା ପଚାରିବ । ତୁମକୁ ମଧ୍ୟ ସେ ମୋ କଥା ପଚାରିବ । ତୁମେ ତାକୁ ହଠାତ୍ ମୋ କଥା କହିବ ନାହିଁ । ତୁମେ ତାକୁ ମୋକଥା କହିଲେ ସେ ତାକୁ ମୋ ସହିତ ଭେଟାଇଦେବାପାଇଁ ତୁମକୁ କହିବ । ମାତ୍ର ତୁମେ ତାକୁ ଗୋଟିଏ ସର୍ତ୍ତ କହିବ ସେ ସର୍ତ୍ତରେ ସେ ରାଜି ହୋଇଗଲେ ତୁମେ ତାକୁ ମୋ ପାଖକୁ ଆଣିବ ।’

ଶିକାରୀଟି ପଚାରିଲା ‘ସେ ସର୍ତ୍ତଟି କ’ଣ?’

ଇଗଲ ଉତ୍ତର ଦେଲା ‘ତୁମେ ତାକୁ କହିବ ଯଦି ସେ ତା ଘରେ ଥିବା ରୂପାର ବାକ୍ସଟି ତୁମକୁ ଦେବ ତେବେ ତୁମେ ତାକୁ ମୋ ପାଖକୁ ଆଣି ମୋ ସହିତ ଭେଟାଇ ଦେବ ।’

ତା’ପରେ ସେ ଶିକାରୀ ଜଣକ ସହର ମଧ୍ୟକୁ ଯାଇ ମନ୍ଦିରରେ ଅନ୍ୟ ମାନଙ୍କ ସହ ପ୍ରାର୍ଥନା କଲା ଓ ପ୍ରାର୍ଥନା ଶେଷରେ ମନ୍ଦିର ବାହାରେ ସେ ସ୍ତ୍ରୀଲୋକଟିକୁ ଅପେକ୍ଷାକଲା । କିଛି ସମୟ ପରେ ଯେତେବେଳେ ମନ୍ଦିରରୁ ସବୁଲୋକ ପ୍ରାର୍ଥନା ସାରି ବାହାରିଗଲେ ଶେଷରେ ଜଣେ ସୁନ୍ଦର ପୋଷାକ ପିନ୍ଧିଥିବା ସ୍ତ୍ରୀଲୋକ ମନ୍ଦିର ମଧ୍ୟରୁ ବାହାରିଲା । ଆଉ ସେ ସ୍ତ୍ରୀଲୋକଟି ମନ୍ଦିର ବାହାରେ ଯାହାକୁ ଭେଟୁଥାଏ ତାକୁ ମନଦୁଃଖରେ ତାର ଇଗଲ ଭାଇ କଥା ପଚାରୁଥାଏ । ମାତ୍ର ତା ଭାଇର ସଂଧାନ କେହି ବି ଦେଇପାରୁ ନଥାନ୍ତି ।

ସ୍ତ୍ରୀଲୋକଟି ମଧ୍ୟ ଶିକାରୀକୁ ଇଗଲର ସଂଧାନ ବିଷୟରେ ପଚାରିଲା । ଶିକାରୀଟି ସେ ସ୍ତ୍ରୀଲୋକଟିକୁ ଇଗଲର ସଂଧାନ ଯେମିତି ଜାଣିଛି ବୋଲି କହିଛି ଇଗଲର ଭଉଣୀ ଖୁବ୍ ଆନନ୍ଦରେ ନାଚି ଉଠିଲା ।

ସ୍ତ୍ରୀଲୋକଟି ଶିକାରୀକୁ କହିଲା ‘ତୁମେ ମୋଭାଇ ସହିତ ମୋତେ ଭେଟାଇ ଦେଲେ ତୁମେ ଯାହା ଚାହିଁବ ମୁଁ ତୁମକୁ ତାହା ଦେବି ।’ ଶିକାରୀ ଜଣକ ସଙ୍ଗେ ସଙ୍ଗେ ସେ ସ୍ତ୍ରୀ ଲୋକକୁ ତା ଘରେ ଥିବା ରୂପାବାକ୍ସଟିକୁ ମାଗିଲା ।

ସ୍ତ୍ରୀଲୋକଟି ଶିକାରୀ ମୁହଁରୁ ରୂପାବାକ୍ସ କଥା ଶୁଣି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା ଓ ରୂପାବାକ୍ସଟି ଦେବାକୁ ମନାକଲା । ସ୍ତ୍ରୀଲୋକଟି ରୂପାବାକ୍ସଟି ଦେବାକୁ ମନା କଲାରୁ ଶିକାରୀ ସେଠାରୁ ଫେରି ଆସିଲା । ଇଗଲଟି ପୁଣି ଶିକାରୀକୁ ପିଠିରେ ବସାଇ ବଣକୁ ଉଡିଗଲା । ଏମିତି ତିନିଦିନ ଯାଏଁ ଇଗଲଟି ଶିକାରୀକୁ ଆଣି ସେ ସହର ଉପକଣ୍ଠରେ ପହଁଚାଇ ଦିଏ ଓ ସବୁଥର ଶିକାରୀଟିର ସେ ସ୍ତ୍ରୀଲୋକ ସହିତ ଦେଖାହୁଏ । ସ୍ତ୍ରୀଲୋକଟି ତାର ଭାଇ ପାଖକୁ ଯିବାକୁ ଯେତେ ଆଗ୍ରହୀଥାଏ ରୂପାବାକ୍ସଟି ଦେବାକଥା ଶୁଣି ତାର ସବୁ ଆଗ୍ରହ ମରିଯାଏ ।

ଶେଷରେ ସ୍ତ୍ରୀଲୋକଟି ସେ ଶିକାରୀ କଥାରେ ରାଜି ହେଲା ଓ କହିଲା ତୁମେ ମୋ ଭାଇକୁ ମୋ ସହିତ ଭେଟାଇ ଦେଲେ ମୁଁ ତୁମକୁ ମୋର ରୂପାବାକ୍ସଟି ନିଶ୍ଚୟ ଦେବି ।’

ଏହା ଶୁଣି ଶିକାରୀଟି ଇଗଲ ପାଖକୁ ଫେରିଆସି ସବୁକଥା କହିଲା । ଶିକାରୀଠାରୁ ଇଗଲ ଏହା ଶୁଣି ତାକୁ ପିଠିରେ ବସାଇ ଉଡିବାକୁ ଲାଗିଲା । କିଛି ବାଟ ଉଡିଯିବାପରେ ଏକ ସୁନ୍ଦର ସହରର ଶେଷ ମୁଣ୍ଡରେ ଇଗଲଟି ଓହ୍ଲାଇ ପଡିଲା । ଶିକାରୀଟି ଇଗଲ ପିଠିରୁ ଓହ୍ଲାଇ ଆସି ଦେଖେତ ଇଗଲଟି କେଉଁ ଆଡେ ଉଭାନ୍ ହୋଇ ଯାଇଛି । ଶିକାରୀଟି ଚାରିଆଡକୁ ଚାହିଁ ଦେଖିଲା ଯେ ସେଠାରେ ଏକ ସୁନ୍ଦର ପ୍ରାସାଦଟିଏ ଠିଆହୋଇଛି । ସେତେବେଳେ ଶିକାରୀଟିକୁ ଖୁବ୍ ଶୋଷ ହେଉଥିଲା ସେ ପିଇବାପାଇଁ ଯେମିତି ସେ ପ୍ରାସାଦ ଭିତରକୁ ଯାଇଛି ସେଠାରେ ଥିବା ଲୋକମାନେ ତାକୁ ଆନନ୍ଦରେ ପାଛୋଟି ନେଇ ଅନେକ ସୁନ୍ଦର ସୁନ୍ଦର ଖାଦ୍ୟ ପଦାର୍ଥ ଖାଇବାକୁ ଦେଲେ । ଶିକାରୀଟି ଖାଇପିଇ ସୁସ୍ଥ ହେବାପରେ ସେଠାରେ ଥିବା ଲୋକମାନେ ଗୋଟିଏ ସୁନ୍ଦର ପଲଙ୍କରେ ତାପାଇଁ ଶେଯ ତିଆରି କରିଦେଲେ ଓ ଶିକାରୀଟି ସେଠାରେ ଆନନ୍ଦରେ ଶୋଇ ପଡିଲା ।

ଶିକାରୀ ଜଣକର ନିଦ ଭାଙ୍ଗିଲା ବେଳକୁ ଦେଖିଲା ଜଣେ ସୁନ୍ଦର ଯୁବକ ତା ପାଖରେ ଠିଆହୋଇ କହୁଛି ‘ଆପଣ ତ ଅନେକ ସମୟ ଶୋଇ ପଡିଲେଣି । କହି ପାରିବ ଆପଣ ଏଠାରେ କେତେ ସମୟ ଶୋଇ ପଡିଲେ?

ଶିକାରୀଟି ଉତ୍ତର ଦେଲା, ମୋତେ ଯାହା ଜଣା ପଡୁଛି ମୁଁ ଏଠାରେ ତିନି ଦିନ ଧରି ଶୋଇ ପଡିଛି, ଏହାଶୁଣି ସେ ‘ଯୁବକଟି ହସି ଉଠି କହିଲା ନା, ତିନିଦିନ ନୁହେଁ ବରଂ ଆପଣ ଏଠାରେ ତିନିବର୍ଷ ଧରି ଶୋଇ ପଡିଛନ୍ତି ।’ ଶିକାରୀ ଯୁବକର ଏଇକଥାରେ ଖୁବ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲା ‘ତୁମେ କିଏ?’

ଯୁବକଟି ହସିହସି କହିଲା ‘ମୋତେ ଚିହ୍ନି ପାରୁ ନାହାଁନ୍ତି? ମୁଁ ହେଉଛି ଆପଣଙ୍କର ସେଇ ପ୍ରିୟ ଇଗଲ ।’ ସେ ଯୁବକଟି ପୁଣି ପଚାରିଲା ‘ଆପଣ କ’ଣ ଘରକୁ ଫେରି ଯିବାକୁ ଇଚ୍ଛା କରୁଛନ୍ତି ।’

ତହୁଁ ସେ ଶିକାରୀଟି ଉତ୍ତର ଦେଲା ‘ହଁ, ମୁଁ ତ ଅନେକ ଦିନ ହେଲା ଆସିଲିଣି । ତେଣୁ ମୋର ଘରକଥା ମନେ ପଡୁଛି ଓ ମୁଁ ବି ଘରକୁ ଯିବାକୁ ଚାହୁଁଛି ।’

ଯୁବକଟି ସାଙ୍ଗେ ସାଙ୍ଗେ ଘରକୁ ଯାଇ ତା ଭଉଣୀର ରୂପାବାକ୍ସଟି ଆଣି ସେ ଶିକାରୀକୁ ଦେଲା । ଶିକାରୀଟି ସେ ରୂପାବାକ୍ସଟି ପାଇ କହିଲା, ‘ମୁଁ ଏ ବାକ୍ସଟିକୁ ନେଇ କ’ଣ କରିବି?

ଯୁବକଟି କହିଲା ‘ଏହା ଗୋଟିଏ ସାଧାରଣ ବାକ୍ସ ନୁହେଁ । ଏବାକ୍ସର ଗୋଟିଏ ଅଲୌକିକ ଶକ୍ତି ଅଛି ।’ ଏହା କହି ଯୁବକଟି ବାକ୍ସର ଗୋଟିଏ କବାଟ ଖୋଲିଦେବାକ୍ଷଣି ସଙ୍ଗେ ସଙ୍ଗେ ଏକ ସୁନ୍ଦର ଘର ତିଆରି ହୋଇଗଲା ଓ ବାକ୍ସର ଆଉ ଗୋଟିଏ କବାଟ ଖୋଲିଦେଲାକ୍ଷଣି ଦୁଇଜଣ ସୁନ୍ଦରୀ ସ୍ତ୍ରୀ ଲୋକ ବାହାରି କହିଲେ, ‘ଆପଣ ଆଦେଶ କରନ୍ତୁ ଆମେ ଆପଣଙ୍କ ପାଇଁ କ’ଣ କରିବୁ ।’

ଯୁବକଟି ସାଙ୍ଗେ ସାଙ୍ଗେ କହିଲା ‘ଆମ ପାଇଁ କିଛି ଖାଇବା ପାଇଁ ବ୍ୟବସ୍ଥା କର ।’ ସାଙ୍ଗେ ସାଙ୍ଗେ ସେ ପରିଚାରିକା ଦୁଇଜଣ ଗୋଟିଏ ଟେବୁଲ୍ରେ ଅନେକ ସୁମିଷ୍ଟ ଖାଦ୍ୟ ଆଣି ପହଁଚାଇ ଦେଲେ । ଯୁବକ ଓ ଶିକାରୀ ଦୁଇଜଣ ଖାଇ ସାରିବା ପରେ ସେମାନେଙ୍କ ପାଇଁ ଶୋଇବାର ବ୍ୟବସ୍ଥା ମଧ୍ୟ ସେ ପରିଚାରିକା ଦୁଇଜଣ କରି ଦେଲେ । ବାକ୍ସଟି ବନ୍ଦ କରି ଦେବାପରେ ତା ଭିତରେ ଏ ଘର ଓ ସେ ପରିଚାରିକାମାନେ ସବୁ ଲୁଚିଗଲେ ।

ବାକ୍ସଟିର ଏ ପ୍ରକାର ଅଲୌକିକ ଶକ୍ତି ଦେଖି ଶିକାରୀ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା ଓ ବାକ୍ସଟିକୁ ନେବାକୁ ଇଚ୍ଛା କଲା ।

ଯୁବକଟି ବାକ୍ସଟି ଖୋଲିବା ଓ ବନ୍ଦ କରିବା ଉପାୟ ବତାଇ ଦେଇ ବାକ୍ସଟିକୁ ଶିକାରୀକୁ ଦେଇଦେଲା । ଶିକାରୀଟି ବାକ୍ସକୁ ନେଇ ତାର ଘରକୁ ବାହାରିଲା । ଯାଉଯାଉ ବାଟରେ ସଂଧ୍ୟା ହୋଇଗଲା ଓ ତାକୁ ଖୁବ୍ ଭୋକ ଲାଗିଲା । ଶିକାରୀ ସେ ରୂପାବାକ୍ସର ପ୍ରଥମ କବାଟକୁ ଯେମିତି ଖୋଲି ଦେଇଛି ସେଠାରେ ଗୋଟିଏ ସୁନ୍ଦର ଘର ତିଆରି ହୋଇଗଲା ଓ ଦ୍ୱିତୀୟ କବାଟକୁ ଯେମିତି ଖୋଲି ଦେଇଛି ଦୁଇଜଣ ପରିଚାରିକା ବାହାରି ତା ପାଇଁ ଅନେକ ସୁଖାଦ୍ୟ ଆଣିଦେଲେ । ଶିକାରୀଟି ଖାଇ ସାରିବା ପରେ ଦେଖିଲା ତା ଶୋଇବା ପାଇଁ ସୁନ୍ଦର, ଶେଯର ବ୍ୟବସ୍ଥା ହୋଇଛି । ସେ ଆନନ୍ଦରେ ରାତିଟି ସେ ଘରେ ବିଶ୍ରାମ ନେଲା ।

ସକାଳ ହେବାମାତ୍ରେ ଶିକାରୀ ଜଣକ ଉଠି ବାକ୍ସଟିକୁ ବନ୍ଦ କରିବାକୁ ଚେଷ୍ଟାକଲା ମାତ୍ର ବାକ୍ସଟିକୁ ବନ୍ଦକରିବାର ଉପାୟଟି ଭୁଲିଯାଇଥିବାରୁ ସେ ବାକ୍ସଟିକୁ ଆଦୌ ବନ୍ଦ କରିପାରିଲା ନାହିଁ । ବାକ୍ସଟିକୁ ବନ୍ଦକରି ନପାରିବାରୁ ମନ ଦୁଃଖରେ ସେ ବସିରହିଲା ।

ଠିକ୍ ଏଇ ସମୟରେ ଜଣେ ବୁଢାଲୋକ ସେଇ ବାଟ ଦେଇ ଯାଉଥିଲା ଓ ଶିକାରୀଟି ମନ ଦୁଃଖରେ ବସିଥିବାରୁ ତାର ମନଦୁଃଖର କାରଣ ପଚାରିଲା । ଶିକାରୀଟି କହିଲା ‘ଆପଣ ଏ ଯେଉଁ ବାକ୍ସଟି ଦେଖୁଛନ୍ତି ମୁଁ ତାହାକୁ ବନ୍ଦ କରି ପାରୁନାହିଁ ।

ଏପରି କଥା ଶୁଣି ସେ ବୁଢାଟି କହିଲା ‘ମୁଁ ଯଦି ବାକ୍ସଟି ବନ୍ଦ କରିଦେବି ତୁମେ ମୋତେ କ’ଣ ଦେବ?’

ଶିକାରୀଟି କହିଲା ‘ତୁମେ ଯାହା ଚାହିଁବ ମୁଁ ତା ଦେବି ।’

ବୁଢାଟି କହିଲା ‘ତୁମେ ଘରକୁ ଫେରିବାପରେ ତୁମ ସ୍ତ୍ରୀ ପାଖରେ ଯାହା ଦେଖିବ ତାକୁ ମୋତେ ଦେବ ।’

ଶିକାରୀଟି ବୁଢା କଥାରେ ରାଜି ହୋଇ ଯିବାରୁ ବୁଢାଟି ସେ ବାକ୍ସଟିକୁ ବନ୍ଦ କରିଦେଲା ଓ ସେ ଶିକାରୀଟି ବାକ୍ସଟିକୁ ନେଇ ଘରକୁ ଗଲା ।

ଶିକାରୀଟି ତା’ ଘରେ ପହଁଚି ଦେଖିଲା ତା ଦାଣ୍ଡ ଦୁଆର ମୁହଁରେ ତାର ସ୍ତ୍ରୀ ଗୋଟିଏ ବାଳକକୁ କାଖେଇ ଠିଆହୋଇଛି । ସେ ଶିକାରୀ ତା ସ୍ତ୍ରୀ ନିକଟକୁ ଆସି ଦେଖିଲା ସେ ବାଳକଟି ହେଉଛି ତାର ପୁଅ ଓ ସେ ବୁଢାର ସର୍ତ୍ତ କଥା ମନେ ପକାଇ ଖୁବ୍ ମନଦୁଃଖ କଲା କାରଣ ସେ ବୁଢା ପାଖରେ ସର୍ତ୍ତକରି ଆସିଥିଲା ଯେ ଘରେ ତାର ସ୍ତ୍ରୀ ପାଖରେ ଯାହାକୁ ବି ଦେଖିବ ତାକୁ ସେ ବୁଢାକୁ ଦେବ ବୋଲି । ଏକଥା ସେ ଶିକାରୀଟି ଯେମିତି ତା ସ୍ତ୍ରୀ ଆଗରେ କହିଛି ତାର ସ୍ତ୍ରୀ ମଧ୍ୟ ମନ ଦୁଃଖ କଲା ।

ରାତିରେ ଶିକାରୀଟି ଖାଇପିଇ ଶୋଇଲା ଓ ଗୋଟିଏ ଅଦ୍ଭୁତ ସ୍ୱପ୍ନ ଦେଖିଲା । ସେ ସ୍ୱପ୍ନରେ ଦେଖିଲା ଯେ ସେଇ ବୁଢାଲୋକଟି ଆସି ତାକୁ କହୁଛି ‘କାଲି ସକାଳେ ତୁମ ଦାଣ୍ଡ ଦୁଆର ମୁହଁ ପାଖରେ ଯେଉଁ ନାଲିଆ କୁକୁରଟି ଦେଖିବ ତା ସହିତ ତୁମ ପୁଅକୁ ମୋ ପାଖକୁ ପଠାଇ ଦେବ ।’

ସତକୁ ସତ ସେ ଶିକାରୀଟି ସକାଳୁ ଉଠି ଦେଖିଲା ବେଳକୁ ତା ଦୁଆର ମୁହଁରେ ଗୋଟିଏ ନାଲିଆ କୁକୁର ଅପେକ୍ଷା କରିଛି । ଶିକାରୀଟି ରାତିର ସ୍ୱପ୍ନ କଥା ମନେ ପକାଇ ତା ପୁଅକୁ ସେ କୁକୁର ସହିତ ସେ ବୁଢା ପାଖକୁ ପଠାଇ ଦେଲା ।

ସଂଧ୍ୟା ହୋଇ ଯିବାମାତ୍ରେ ସେ ଝିଅଟିର ବୁଢାଅଜା ଏ ଯୁବକଟିକୁ ଦେଖିବା ପାଇଁ ଖବର ପଠାଇଲା । ତେଣୁ ଏ ଯୁବକଟି ଯାଇ ବୁଢା ରହୁଥିବା କୋଠରିରେ ପହଁଚିଲା । ବୁଢା ରହୁଥିବା କୋଠରିକୁ ଯାଇ ସେ ଯୁବକଟି ଯାହା ଦେଖିଲା ସେଥିରେ ସେ ଖୁବ୍ ଭୟଭୀତ ହୋଇପଡିଲା । ବୁଢାକୋଠରିରେ ବାରଟି ତୀକ୍ଷ୍ଣ ବର୍ଚ୍ଛା ଥୁଆ ହୋଇଛି ଏବଂ ଏଗାରଟି ବର୍ଚ୍ଛାରେ ଗୋଟିଏ ଲେଖାଁ କଟା ମଣିଷ ମୁଣ୍ଡ ଲାଗିଛି । ଗୋଟିଏ ମାତ୍ର ବର୍ଚ୍ଛା ଖାଲି ଥୁଆ ହୋଇଛି ।

ଯୁବକକୁ ଦେଖି ବୁଢା କହିଲା ‘ମୁଁ ତୁମକୁ କାହିଁକି ଡକାଇଛି ଜାଣ?’ ତହୁଁ ସେ ଯୁବକଟି ଉତ୍ତର ଦେଲା ‘ନାଁ, ଆପଣ କାହିଁକି ଡାକିଛନ୍ତି ମୁଁ ତ ତାହା ଜାଣିନାହିଁ ।’

ବୁଢାଟି କହିଲା ‘ଆସନ୍ତାକାଲି ସକାଳୁ ତୁମେ ମୋପାଇଁ ଏକ ସୁନ୍ଦର ପ୍ରାସାଦ ତିଆରି କରିଦେବ ନଚେତ୍ ଏ ଯେଉଁ ଖାଲି ବର୍ଚ୍ଛା ଦେଖୁଛ ସେଥିରେ ତୁମର କଟାମୁଣ୍ଡ ଝୁଲିବ ।’ବୁଢାଠାରୁ ଏକଥା ଶୁଣି ଯୁବକଟି ଆସି ଝିଅ ପାଖରେ ମନଦୁଃଖରେ ଏହା କହିଲା । ସବୁଶୁଣି ଝିଅଟି ହସିହସି କହିଲା ‘ଏଥିରେ ତ ବ୍ୟସ୍ତହେବାର କିଛି ବି ନାହିଁ । କାଲି ସକାଳୁ ଦେଖିବ ଗୋଟିଏ ସୁନ୍ଦର ପ୍ରାସାଦ ତିଆରି ହୋଇ ସାରିଥିବ ।’

ଯୁବକଟି ଝିଅଠାରୁ ଏକଥା ଶୁଣି ଆନନ୍ଦରେ ଖାଇ ପିଇ ରାତିରେ ଶୋଇଲା । ସକାଳୁ ଉଠି ଯୁବକଟି ଦେଖିଲା ବେଳକୁ ଗୋଟିଏ ସୁନ୍ଦର ପ୍ରାସାଦ ତିଆରି ହୋଇ ସାରିଛି । ଯୁବକଟି ବୁଢା ପାଖକୁ ଯାଇ ଏ ସମ୍ବାଦ ଦେବାମାତ୍ରେ ବୁଢା ସେ ପ୍ରାସାଦଟିକୁ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା ।

ବୁଢା ଏ ଯୁବକର ଆଶ୍ଚର୍ଯ୍ୟ ଗୁଣ ଦେଖି ଛଳନା କରି କହିଲା ଇରେ ବାପ, ମୁଁ ତୋ ବୁଦ୍ଧିକୁ ଖୁବ୍ ପ୍ରଶଂସା କରୁଛି । ତୁ ମୋର ଆଉ ଗୋଟିଏ କାମ କରିଦେ । ମୋର ଗୋଟିଏ ଦୁଷ୍ଟ ଘୋଡା ଅଛି, ଆଜିକୁ ପ୍ରାୟ ସାତବର୍ଷ ହେବ କେହି ହେଲେ ବି ତାକୁ ଶାସନ କରି ପାରୁନାହାଁନ୍ତି ତୁ ତାକୁ ଟିକିଏ ଶାସନ କରିଦେ ।’

ଯୁବକଟି ବୁଢାର ଏକଥା ଶୁଣି ମନେମନେ ଭାବିଲା ଯେ ଘୋଡାଟିକୁ ଶାସନ କରିବା କଥାଟା ସେତେ କଷ୍ଟ ନୁହେଁ । ଏକଥା ଭାବି ସେ ପୁଣି ଝିଅଟି ପାଖକୁ ଫେରି ଆସି ସବୁକଥା କହିଲା ।

ଝିଅଟି ଯୁବକର ଏକଥା ଶୁଣି କହିଲା ‘ତୁମେ ସେ ଘୋଡାଟିକୁ ଶାସନ କରିବା ଯେତେ ସହଜ ଭାବୁଛ ତାହା ସେତେ ସହଜ ନୁହେଁ । ବୁଢା ଯେଉଁ ଘୋଡା କଥା କହୁଛି ତାହା ପ୍ରକୃତରେ ଏକ ଘୋଡା ନୁହଁ । ବୁଢାଟି ନିଜେ ଘୋଡା ରୂପ ଧରି ତୁମକୁ ପରୀକ୍ଷା କରିବ । ହେଲେ ତୁମେ ଏ ବିଷୟରେ ବ୍ୟସ୍ତ ହେବାର କିଛି ବି ନାହିଁ, ତୁମେ ବଣକୁ ଯାଇ ଓକ୍ ଗଛର କିଛି ବଳ୍କଳ ଆଣ ।’

ଯୁବକଟି ଝିଅର କଥା ଅନୁସାରେ ବଣକୁ ଯାଇ ଓକ୍ ଗଛର କିଛି ବଳ୍କଳ ଆଣି ଦେଲା । ଝିଅଟି ସେ ଗଛର ବଳ୍କଳରେ ଗୋଟିଏ ଲଗାମ ଓ ଗୋଟିଏ ଚାବୁକ୍ ତିଆରି କରିଦେଲା ଓ ଲଗାମ ଚାବୁକକୁ ନେଇ ବୁଢା ପାଖକୁ ଯିବାକୁ କହିଲା ।

ତା ପରଦିନ ସକାଳୁ ଯୁବକଟି ପଡିଆକୁ ଯାଇ ଦେଖିଲା ବେଳକୁ ଘୋଡାଟିଏ ପଡିଆରେ ଠିଆ ହୋଇ ନାଚିକୁଦି ହେଉଛି । ଯୁବକଟି ଯେମିତି ତା ପାଖକୁ ଯାଇଛି ଘୋଡାଟି ନାତମାରି ତାକୁ ଆଘାତ କରିବାକୁ ଉଦ୍ୟମ କଲାମାତ୍ରେ ଯୁବକଟି ଓକ୍ ଗଛର ଛେଲିରେ ତିଆରି ହୋଇଥିବା ଚାବୁକ୍ରେ ଯେମିତି ତାକୁ ଗୋଟାଏ ଶକ୍ତ ପାହାର ଦେଇଛି ଘୋଡାଟି ତଳେ ପଡିଗଲା ଓ ଏହି ସମୟରେ ଯୁବକଟି ଡିଆଁ ମାରି ତା ପିଠି ଉପରେ ବସି ପଡିଲା । ଘୋଡାଟି ତଳୁ ଉଠି ବିଜୁଳି ବେଗରେ ଦୌଡିବାକୁ ଲାଗିଲା ଓ କିଛି ସମୟ ଦୌଡିବା ପରେ ସେ ଘୋଡାଟି ଅତ୍ୟନ୍ତ କ୍ଳାନ୍ତ ହୋଇ ତଳେପଡିଗଲା ଓ ଆଉ ଉଠି ପାରିଲା ନାହିଁ । ଘୋଡାଟିକୁ ଶାସନ କରି ପାରିଥିବାରୁ ଯୁବକଟି ଏକଥା ଯାଇ ସେ ବୁଢାକୁ ସମ୍ବାଦ ଦେଲା ।

ବୁଢା ଯୁବକଠାରୁ ସବୁ କଥା ଶୁଣି କହିଲା ‘ମୋ ନାତୁଣୀ ତୁମକୁ ସାହାଯ୍ୟ କରିବାରୁ ତୁମେ ଏ ସବୁ ଅଲୌକିକ କଥା ସବୁ କରିପାରିଲ । ତେଣୁ ମୁଁ ଠିକ୍ କରିଛି ଯେ, ମୋ ନାତୁଣୀ ସହ ତୁମକୁ ବାହା ଦେବି । ତୁମେ କାଲି ସକାଳେ ମୋ ନାତୁଣୀ ସହ ମୋ ଘରକୁ ଆସ ।’

ଯୁବକଟି ଯାଇ ଝିଅଟିକୁ ସବୁ କଥା କହିଲା । ଝିଅଟି ସବୁ କଥା ଶୁଣି କହିଲା ‘ମୋର ଅଜା ଜଣେ ବଡ ତାନ୍ତ୍ରିକ ଓ ସେ ଆମ ଦୁହିଁଙ୍କୁ ଜୀବନରେ ମାରି ଦେବାକୁ ଚାହୁଁଛି । ତଥାପି ବି ଆମେ କାଲି ସକାଳେ ତା ଘରକୁ ଯିବା ।’

ତାପରଦିନ ସକାଳୁ ଝିଅଟି, ଯୁବକ ଜଣକ ବୁଢା ଘରେ ପହଁଚିବା ମାତ୍ରେ ବୁଢା ସେମାନଙ୍କୁ ବସିବା ପାଇଁ ଏକ ସୁନ୍ଦର କୋଠରିକୁ ନେଇଗଲା । ସେମାନେ ସେ କୋଠରି ମଧ୍ୟକୁ ଯିବାମାତ୍ରେ ବୁଢା କବାଟବନ୍ଦ କରିଦେଇ ସେ ଘରେ ନିଆଁ ଲଗାଇ ଦେଲା । ନିଆଁ ହୁତୁହୁତୁ ହୋଇ ଜଳିଲା ବେଳକୁ ସେ ଝିଅଟି ନିଜକୁ ଗୋଟିଏ ଛୁଂଚି ଓ ସେ ଯୁବକଟିକୁ ଖଣ୍ଡେ ସୂତାରେ ପରିଣତ କରି ଘରର ଗୋଟିଏ କଣା ବାଟେ ବାହାରକୁ ବାହାରି ଆସି ପୁଣି ତାଙ୍କ ନିଜ ରୂପ ଧାରଣ କରି ଜୀବନ ରକ୍ଷା କରିବାକୁ ଦୌଡିବାକୁ ଲାଗିଲେ । ଏମିତି ଅନେକ ବାଟ ଦୌଡିବା ପରେ ରାସ୍ତା ମଝିରେ ଝିଅଟିକୁ ଶୁଣାଗଲା ଯେ ସେମାନଙ୍କୁ ଧରିବା ପାଇଁ ପଛରୁ କେତେକ ଲୋକ ଘୋଡା ଚଢି ଆସୁଛନ୍ତି । ପଛରୁ ଘୋଡାଟାପୁର ଶବ୍ଦ ଶୁଣି ଝିଅଟି ଜାଣିଲା ଯେ ତାର ବୁଢାଅଜା ସେମାନଙ୍କୁ ଧରିବା ପାଇଁ ଲୋକ ପଠାଇଛନ୍ତି ।

ଯେମିତି ଘୋଡାର ଟାପୁ ଶବ୍ଦ ପାଖେଇ ଆସିଲା ଝିଅଟି ନିଜକୁ ଗୋଟିଏ ମନ୍ଦିର ଓ ସେ ଯୁବକଟିକୁ ସେ ମନ୍ଦିରର ପୂଜକ ଭାବରେ ପରିଣତ କରିଦେଲା । ବୁଢାର ସେ ଅନୁଚରମାନେ ମନ୍ଦିର ନିକଟରେ ପହଁଚି ସେ ପୂଜକକୁ ଦେଖି ପଚାରିଲେ ‘ତୁମେ ଏ ବାଟେ ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଯିବାର ଦେଖିଛ କି?

ପୂଜକଟି କହିଲା ‘ହଁ, ସେତ ଅନେକ କାଳର କଥା, ଯେତେବେଳେ ଏ ମନ୍ଦିରଟି ତିଆରି ହେଉଥିଲା ଠିକ୍ ସେତିକି ବେଳେ ଏବାଟେ ସେମାନେ ଯାଉଥିଲେ ଏବେତ ଏ ମନ୍ଦିରର ଚାରିଆଡେ ଶିଉଳି ଲାଗିଗଲାଣି ତେଣୁ ସେମାନେ ବହୁ ଦିନ ପୂର୍ବେ ଏଇବାଟେ ଯାଇଥିଲେ । ତୁମେ ଏ ଶିଉଳିକୁ ନେଇ ତୁମ ମାଲିକଙ୍କୁ ଦେଖାଇଲେ ସେ ଏହା ବିଶ୍ୱାସ କରିବେ ।’ ଶିଉଳିକୁ ନେଇ ଅଶ୍ୱାରୋହୀମାନେ ଯେମିତି ଯାଇଛନ୍ତି ସେ ଯୁବକ ଓ ଯୁବତୀ ଦୁଇଜଣ ପୁଣି ନିଜ ରୂପ ଧାରଣ କରି ଦୌଡିବାକୁ ଲାଗିଲେ । ବୁଢାର ଅନୁଚରମାନେ ସେ ଶିଉଳିକୁ ନେଇ ଯେମିତି ବୁଢାକୁ ଦେଖାଇଛନ୍ତି ବୁଢା ସେ ଲୋକମାନଙ୍କ ଉପରେ ରାଗି ସେମାନଙ୍କୁ ଗାଳି ଦେଇ କହିଲା ‘ତୁମେମାନେ ଖୁବ୍ ବୋକା ଲୋକ । ତୁମେ ଯେଉଁ ମନ୍ଦିର ଓ ପୂଜକ ଦେଖିଲ ସେମାନେ ହେଉଛନ୍ତି ସେ ଯୁବକ ଓ ଯୁବତୀ । ସେମାନେ ମନ୍ଦିର ଓ ପୂଜକ ରୂପ ଧାରଣ କରି ତୁମକୁ ବୋକା କରିଦେଲେ । ତୁମେ ଶୀଘ୍ର ଯାଇ ସେମାନଙ୍କୁ ଧରିଆଣ ।’

ଅନୁଚରମାନେ ଖୁବ୍ ଜୋର୍ରେ ଘୋଡା ଦୌଡାଇ ସେ ମନ୍ଦିର ନିକଟରେ ପହଁଚି ଦେଖିଲେ ସେଠାରେ ମନ୍ଦିର କିମ୍ବା ପୂଜକ କେହି ବି ନାହାଁନ୍ତି । ସେମାନେ ପୁଣି ଘୋଡା ଛୁଟାଇ ସେ ଯୁବକ ଓ ଯୁବତୀ ଦୁଇଜଣଙ୍କୁ ଅନୁସରଣ କରିବାକୁ ଲାଗିଲେ ।

ଏ ଯୁବକ ଓ ଯୁବତୀ ଦୁଇଜଣ କିଛି ବାଟ ଦୌଡି ଯିବାପରେ ଝିଅଟି ରାସ୍ତାରେ କାନ ଡେରି ଶୁଣିଲା ଯେ ସେ ବୁଢାର ଅନୁଚରମାନେ ପୁଣି ତାଙ୍କୁ ଗୋଡାଉଛନ୍ତି । ସେ ଝିଅଟି ନିଜକୁ ସାଙ୍ଗେ ସାଙ୍ଗେ ଦଳେ ମେଣ୍ଢା ଓ ଯୁବକଟିକୁ ଜଣେ ମେଣ୍ଢା ଜଗୁଆଳି ରୂପରେ ପରିଣତ କରିଦେଲା ।

ବୁଢାର ଲୋକମାନେ ସେ ମେଣ୍ଢା ଜଗୁଆଳି ପାଖରେ ପହଁଚି ତାକୁ ପଚାରିଲେ ତୁମେ ଏଇବାଟେ ଜଣେ ଯୁବକ ଓ ଜଣେ ଯୁବତୀ ଯିବାର ଦେଖିଛ କି?’ ମେଣ୍ଢା ଜଗୁଆଳିଟି କହିଲା ‘ହଁ, ହେଲେ ସେ ତ ଅନେକ ଦିନର କଥା । ଯେତେବେଳେ ମୋର ମାତ୍ର ଗୋଟିଏ ମେଣ୍ଢା ଥିଲା ସେତିକି ବେଳେ ଏଇ ବାଟେ ସେମାନେ ଯାଉଥିଲେ । ବର୍ତ୍ତମାନ ସେତ ଅନେକ ଦୂରରେ ହୋଇ ଯିବେଣି । ତୁମେମାନେ ଯଦି ମୋ କଥାକୁ ଅବିଶ୍ୱାସ କରୁଛ ତେବେ ଏଇ ମେଣ୍ଢା ଲୋମରୁ କିଛିନେଇ ତୁମର ମାଲିକକୁ ଦେଖାଇଲେ ସେ ନିଶ୍ଚୟ ବିଶ୍ୱାସ କରିବେ ।’

ଏହା କହି ବୁଢା ନିଜେ ଘୋଡା ଉପରେ ବସି ସେମାନଙ୍କୁ ଖୋଜିବାକୁ ଲାଗିଲା । ସେ ଯୁବକ ଓ ଯୁବତୀ ଦୁଇଜଣ କିଛି ବାଟ ଯିବାପରେ ଝିଅଟି ରାସ୍ତାରେ କାନ ଡେରି ବୁଢା ନିଜେ ଆସୁଥିବାର ଜାଣିବାକୁ ପାଇଲା । ତାପରେ ସେ ଝିଅଟି ଯୁବକକୁ କହିଲା ‘ଏଥର ଆମର ଖରାପ ବେଳ ଆସିଲା । କାରଣ ବୁଢା ନିଜେ ଆମକୁ ଧରିବାକୁ ଆସୁଛି ।’

ସାଙ୍ଗେ ସାଙ୍ଗେ ଝିଅଟି ଯୁବକକୁ ଗୋଟିଏ ହ୍ରଦ ଓ ନିଜକୁ ଗୋଟିଏ କଉ ମାଛରେ ପରିଣତ କରିଦେଲା । ମାତ୍ର ସେ ବୁଢା ସେ ହ୍ରଦ ନିକଟରେ ପହଁଚି କହିଲା ‘ଓଃ, ତାହେଲେ ତୁମେମାନେ ଏଇଠି ଅଛ । ମୁଁ ତୁମକୁ ଠିକ୍ ଚିହ୍ନି ପାରିଛି । ଏଥର ମୁଁ ତୁମକୁ ନ ଧରି ଛାଡି ଦେବି ନାହିଁ । ଏହା କହି ବୁଢାଟି ନିଜକୁ ଗୋଟିଏ ବାଳିଆ ମାଛରେ ପରିଣତ କରି ସେ ହ୍ରଦ ମଧ୍ୟକୁ ଡେଇଁ ପଡିଲା । ବାଳିଆ ମାଛଟି ସେ ହ୍ରଦରେ ପହଁରି ସେ କଉ ମାଛଟିକୁ ଗିଳିବାକୁ ଚେଷ୍ଟା କଲା ।

କଉ ମାଛଟି ତାର କଂଟାଥିବା ଲାଞ୍ଜକୁ ଏମିତି ଘୂରାଇବାକୁ ଲାଗିଲା ଯେ ବାଳିଆ ମାଛଟି ଯେତେ ଚେଷ୍ଟା କଲେ ମଧ୍ୟ କଉ ମାଛଟିକୁ ଗିଳି ପାରିଲା ନାହିଁ ।

କ୍ଳାନ୍ତହୋଇ ବାଳିଆ ମାଛଟି କୂଳକୁ ଯାଇ ନିଜ ରୂପ ଧାରଣ କଲା ଓ କଉମାଛଟି ମଧ୍ୟ ଗୋଟିଏ ବତକ ରୂପ ଧାରଣ କରି ହ୍ରଦରେ ପହଁରିବାକୁ ଲାଗିଲା ।

ସେ ବୁଢା ଏହା ଦେଖି କହିଲା ‘ଜାଣ ମୁଁ ଜଣେ ପ୍ରସିଦ୍ଧ ତାନ୍ତ୍ରିକ । ମୁଁ ତୁମକୁ ସବୁଦିନେ ଏଠାରେ ହ୍ରଦ ଓ ବତକ ରୂପରେ ରଖିଦେଇ ଯିବି । ତୁମେ ଯେତେ ଚେଷ୍ଟାକଲେ ମଧ୍ୟ ତୁମ ନିଜ ରୂପ କେବେବି ଆଉ ଧାରଣ କରି ପାରିବ ନାହିଁ ।’

ବତକଟି କହିଲା ‘ମୋତେ ମଧ୍ୟ କିଛି ତନ୍ତ୍ର ଜଣାଅଛି । ମୁଁ ମଧ୍ୟ ତୁମକୁ ଏଠି ଖଣ୍ଡେ ପଥରରେ ପରିଣତ କରି ଦେବି ଏବଂ ତୁମେ ସବୁଦିନେ ଏଠି ପଥର ହୋଇ ପଡିଥିବ ।

ଏହା ଶୁଣି ସେ ବୁଢାଟି ଭୟରେ ସେଠାରୁ ପଳାଇଗଲା ଓ ଠିକ୍ ମୁହୂର୍ତକ ପରେ ଯୁବକ ଓ ଯୁବତୀ ଦୁଇଜଣ ସେମାନଙ୍କ ନିଜରୂପ ଧାରଣ କରି ଯୁବକର ଘରକୁ ଗଲେ । ଯୁବକଟିର ଘର ପାଖ ଯେମିତି ହୋଇଛି ଝିଅଟି ଯୁବକକୁ କହିଲା ‘ମୁଁ ତୁମ ଘର ବାହାରେ ଅପେକ୍ଷା କରିଛି ତୁମେ ଘର ଭିତରକୁ ଯାଅ । ତୁମେ ଘରେ ପହଁଚି ସମସ୍ତଙ୍କ ସହିତ ଆନନ୍ଦରେ କଥାବାର୍ତ୍ତା ହେବ ତୁମର ଭାଇର ପୁଅକୁ ତୁମେ କଥା କହିବ ନାହିଁ କି ତାକୁ ମଧ୍ୟ ଛୁଇଁବ ନାହିଁ । ଯଦି ତୁମେ ତାକୁ ଛୁଇଁ ଦିଅ-ତେବେ ମୋ କଥା ପାଶୋର ହୋଇ ଯିବ ।’

ଯୁବକଟି ଯେମିତି ଘରେ ଯାଇ ପହଁଚିଛି ଘରେ ସମସ୍ତେ ଯୁବକଟିକୁ ଦେଖି ଖୁବ୍ ଆନନ୍ଦିତ ହେଲେ । ଠିକ୍ ଏଇ ସମୟରେ ସେ ଯୁବକଟିର ମା ତା ଭାଇର ପୁଅକୁ ଆଣି ଯେମିତି ତା କୋଳକୁ ଦେଲା ସେ ତାକୁ କୋଳକୁ ନେବାକୁ ମନା କଲା ମାତ୍ର ମା ଆନନ୍ଦରେ ତା କୋଳରେ ପୁଅଟିକୁ ଛାଡିଦେଲା ଯୁବକଟି ଯେମିତି ତା ଭାଇପୁଅକୁ ଛୁଇଁ ଦେଇଛି ତାର ସେ ଝିଅଟି କଥା ସବୁ ପାଶୋର ହୋଇଗଲା ଏପରିକି ସେ ଝିଅଟିକୁ ବାହାରେ ଛାଡି ଦେଇ ଆସିଥିବା କଥା ମଧ୍ୟ ଭୁଲିଗଲା । ସେ ଝିଅଟି ଅନେକ ସମୟ ଅପେକ୍ଷା କରି ଶେଷରେ ଯୁବକଟିର କଥା ଜାଣିପାରି ଅନ୍ୟ ଜଣେ ସ୍ତ୍ରୀଲୋକ ଘରେ ଆଶ୍ରୟ ନେଲା ।

ଇତି ମଧ୍ୟରେ ସେ ଯୁବକଟିର ବାପା ଯୁବକଟିର ବିଭାଘର ପାଖ ଗାଁର ଜଣେ ସୁନ୍ଦରୀ ଝିଅ ସହିତ କରାଇଦେଲା । ବିଭାଘର ପରେ ପୁଅବୋହୂ ଘରକୁ ଫେରି ଖାଇ ବସିଲେ । ଥାଳିରେ ବଢା ହୋଇଥିବା ଗୋଟିଏ ପିଠାକୁ ସେ ଯୁବକ ଜଣଙ୍କ ଯେମିତି ଭାଙ୍ଗି ଦେଇଛି ସେଥିରୁ ଦୁଇଟି ଚଢେଇ ଫର୍କିନା ଉଡିଗଲେ । ଯୁବକ ଘରର ଲୋକ ଏହା ଦେଖି ତାଙ୍କ ପୁଅ ବୋହୂକୁ କିଏ ଗୁଣି କରିଛି ବୋଲି ଭାବି ଜଣେ ଗୁଣିଆ ଖୋଜିବାକୁ ଲାଗିଲେ । ଏହି ସମୟରେ ସେ ଝିଅଟି ଯୁବକର ଘର ପାଖରେ ପହଁଚି ନିଜକୁ ଜଣେ ତାନ୍ତ୍ରିକ ବୋଲି ପରିଚୟ ଦେଲା । ଏହା ଶୁଣି ଯୁବକର ମା’ ସେ ଝିଅଟିକୁ ତା ପୁଅ ବୋହୂ ରହୁଥିବା ଘରକୁ ନେଇଗଲା । ଝିଅଟି ସେ ଯୁବକ ପାଖରେ ପହଁଚି ଗୋଟିଏ କାଗଜରେ ଗୋଟିଏ ହ୍ରଦ ଓ ତା ମଧ୍ୟରେ ଗୋଟିଏ ବତକ ପହଁରୁଥିବା ଚିତ୍ର ଆଙ୍କି ଯୁବକଟିକୁ ଦେଖାଇଦେଲା । ଯୁବକଟି ଯେମିତି ସେ ଚିତ୍ରଟିକୁ ଦେଖିଛି ତାର ପୂର୍ବ କଥା ସବୁ ମନେ ପଡିଗଲା ଓ ଝିଅଟିକୁ ତାର ବାପ ମା’ ସାଙ୍ଗରେ ଚିହ୍ନା କରାଇ ଦେଲା । ଯୁବକର ବାପ ମା’ ଯେତେବେଳେ ଜାଣିଲେ ଯେ ସେ ଝିଅଟି ଜଣେ ତାନ୍ତ୍ରିକଠାରୁ ତାଙ୍କ ପୁଅର ଜୀବନ ରକ୍ଷା କରିଛି ସେମାନେ ସେ ଝିଅଟିକୁ ତାଙ୍କ ପୁଅ ସାଙ୍ଗରେ ବିବାହ କରାଇ ଦେଲେ । ଯୁବକଟି ସେ ଝିଅକୁ ବିବାହ କରି ଅତ୍ୟନ୍ତ ସୁଖରେ ରହିଲା ।

ଆଧାର ଓଡ଼ିଆ ଗପ

Last Modified : 10/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate