ସେଆର କରନ୍ତୁ

କୁହୁକ ଦ୍ୱୀପ

କୁହୁକ ଦ୍ୱୀପ ର କାହାଣୀ

ଉପକ୍ରମ

ସମୁଦ୍ର ତଟରେ ଥିବା ଏକ ଗ୍ରାମରେ କେଶବ ନାମକ ଏକ ଗରିବ ଯୁବକ ଥାଏ । ସେ ତା’ ମନେ ମନେ ଭାବିଲା ଯେ ବାଣିଜ୍ୟ କରିବାକୁ ଯାଉଥିବା ଜାହାଜରେ ଦୂର ଦେଶକୁ ଯାଇ ସେ କିଛି ଧନ ଅର୍ଜନ କରିବ । ଏହିପରି ମନ ନେଇ ସୁବିଧା ଦେଖି ଗୋଟିଏ ଜାହାଜରେ ସେ ଚଢିଲା ।

ବର୍ଣ୍ଣନା

କିଛିଦିନ ସମୁଦ୍ରଯାତ୍ରା କରିବା ପରେ ଭୟଙ୍କର ଏକ ତୋଫାନ ହେଲା ଓ ସେ ଜାହଜଟି ବୁଡିଗଲା । କେଶବ ଭାସି ଭାସି ଆସି ଗୋଟିଏ ଦ୍ୱୀପରେ ଲାଗିଲା । ଚାରିଆଡେ ବୁଲି ସେ ଦେଖିଲା ତାହା ଗୋଟିଏ ଜନମାନଶୂନ୍ୟ ଦ୍ୱୀପ । ମାତ୍ର ସେ ସ୍ଥାନଟି ନଡିଆଗଛରେ ଭରପୁର । ସେ ନଡିଆ ତୋଳି ଖାଇ, ନଡିଆ ପିଇ ବଂଚି ରହିଥାଏ ।

ଦିନେ ନଡିଆ ଗଛରେ ଚଢି ସେ ଦୂରକୁ ଚାହିଁଥାଏ; ମନରେ ତା’ର ଆଶା ଥାଏ ଯଦି କୌଣସି ଜାହାଜ ଆସେ ତେବେ ସେ ହୁଏତ ତା’ର ପରିବାର ପାଖକୁ ପୁଣି ଥରେ ଫେରି ଯାଇ ପାରିବ । ଠିକ୍ ସେହି ସମୟରେ ସେ ଏକ ବିଚିତ୍ର ଦୃଶ୍ୟ ଦେଖିଲା । ଗୋଟିଏ ବଣୁଆ ଘୁଷୁରୀ ଆକାଶ ମାର୍ଗରେ ଉଡି ଉଡି ସେହି ଦ୍ୱୀପକୁ ଆସିଲା ଓ ଶୁଖିଲା ପତ୍ରଗଦା ଉପରେ ଆରାମରେ ସେ ଶୋଇଗଲା । କେଶବ ଯାଇ ଦେଖିଲା ଯେ ସେ ତ ଗୋଟିଏ ସାଧାରଣ ଘୁଷୁରୀ ପରି ଦିଶୁଛି । କେବଳ ତା’ର ଦାନ୍ତ ଦି’ଟା ଖୁବ୍ ଟାଣ । ତା’ର ଆଗ ଗୋଡ ପାଖରେ ବଡ ଖଣ୍ଡେ ହୀରା ରଖା ହୋଇଛି ।

କେଶବ ତାକୁ ଉଠାଇ ଆଣିଲା । ମନେ ମନେ ଭାବିଲା – “ଏଇଟିକୁ ଯଦି ମୁଁ ନେଇଯିବି ତେବେ ମୁଁ ବଡ ଧନୀ ହୋଇଯିବି ।” ଏତିକି ସମୟ ମଧ୍ୟରେ ସେ ଘୁଷୁରୀ ତା’କଡ ଲେଉଟାଇଲା । ଏସବୁ ଦେଖି କେଶବ ଭାବିଲା, “ଏବେ ତ ତା’ ପ୍ରାଣଟି ନିଶ୍ଚୟ ଯିବ । ଗଛ ଉପରେ ଥିଲେ କେତେ ଭଲ ହୋଇଥାନ୍ତା ।” ଏମିତି କେତେ କଥା ଭାବି କେଶବ ଭୟରେ ଥରିଲା । ଏତିକି ଭାବୁ ଭାବୁ ସେ ଶୂନ୍ୟରେ ଉଠି ସିଧା ଗଛ ଉପରେ ଯାଇ ବସିପଡିଲା ।

ସେ ଭାବିଲା, “ଏହି ହୀରାର ମହିମାରୁ ବୋଧେ ଏପରି ହେଲା । ତା’ପରେ ସେ ଜାଣିପାରିଲା ଯେ ଏଇଟି କୁହୁକ ହୀରା । ଇଚ୍ଛା ହେବା ମାତ୍ରେ ତାହା ଅବଶ୍ୟ ପୂର୍ଣ୍ଣ ହେବ । କୌଣସି ସିଦ୍ଧ ତାନ୍ତ୍ରିକ ଏହା ମଧ୍ୟରେ କୁହୁକ ଶକ୍ତି ରଖିଛି । ତେଣୁ ଏହି ହୀରା ପାଖରେ ଥିଲେ ମନରେ ଥିବା ସମସ୍ତ ଇଚ୍ଛା ଅବିଳମ୍ବେ ପୂର୍ଣ୍ଣ ହେବ ।” ଇତିମଧ୍ୟରେ ସେ ଘୁଷୁରୀଟି ଉଠିପଡିଲା । ଚାରିପଟକୁ ବୁଲିବୁଲି ସେ ତା’ ହୀରା ଖୋଜିବାକୁ ଲାଗିଲା । ହୀରା ନପାଇ ରାଗରେ ଗରଗର ହୋଇ ସେ ଗଛ ଉପରକୁ ଚାହିଁ ଦେବା ମାତ୍ରେ କେଶବକୁ ଦେଖିଲା । ସେ ଏଥର ଠିକ୍ ଜାଣିପାରିଲା । ପ୍ରକୃତରେ ହୀରାଚୋର କିଏ । ତେଣୁ ସେ ଗଛ ମୂଳକୁ ଆସି ଗର୍ଜନ ତର୍ଜନ କରି ଖୁବ୍ ଡିଆଁ  କୁଦା କଲା । ଗଛ ପାଖର ମାଟି ସବୁ ସେ ତାଡି ପକାଇଲା ।

ଏଣେ କେଶବ ଏକ ବୁଦ୍ଧି ପାଂଚିଲା । ବଡ ନଡିଆଟିଏ ବାଛି ବାଛି ସେ ତୋଳିଲା ଓ ଘୁଷୁରୀ ଉପରେ ତାକୁ ଜୋର୍ରେ ସେ ଫିଙ୍ଗିଲା । ଏହାର ଫଳସ୍ୱରୂପ ସେ ଘୁଷୁରୀଟି ଆହତ ହୋଇ ବେହୋସ ହୋଇଗଲା । ଏହାପରେ କେଶବ ଗଛରୁ ଓହ୍ଲାଇ ଏକ ବଡ ପଥର ଧରି ଘୁଷୁରୀ ଉପରେ ତାକୁ ଛେଚି ଦେଲା । ଯାହାଦ୍ୱାରାକି ସେ ଘୁଷୁରୀ ମରିଗଲା । ମରିବା ସମୟରେ ସେ ଏକ ମଣିଷ ରୂପ ଧାରଣ କଲା । ପ୍ରକୃତରେ ସେ ଜଣେ ତାନ୍ତ୍ରିକ, ସେ ଘୁଷୁରୀ ରୂପ ଧରି ଏପରି ଆକାଶରେ ଉଡିବାକୁ ଭାରି ଭଲ ପାଉଥିଲା ।

ତାନ୍ତ୍ରିକ ମରିବା ପରେ ସେ ହୀରାଟି ପୁରାପୁରି କେଶବର ହୋଇଗଲା । କେଶବ ମଧ୍ୟ ନିର୍ଭୟ ହୋଇଗଲା । ସେ ଭାବିଲା “ହୀରାଟି ଧରି ଆକାଶ ମାର୍ଗରେ ଉଡି ଉଡି ମୁଁ ସାରା ଦ୍ୱୀପଟିକୁ ଦେଖିବି ।” ସେ ବୁଲି ବୁଲି ଦେଖୁଥାଏ; କିଛି ଦୂରରେ ଧୂଆଁ ଦେଖାଗଲା । ସେଠାରେ କେହି ମଣିଷ ଥିବେ ଭାବି କେଶବ ସେହି ଆଡକୁ ଗଲା ।

ସେଠାରେ ପହଁଚି ସେ ଦେଖିଲା, ଗୋଟିଏ କୁଡିଆର ଦୁଆର ପାଖରେ ଛୋଟା ଲୋକଟାଏ ବସି ଗୋଟାଏ ଛୋଟ ଛେଳିକୁ ନିଆଁରେ ପୋଡୁଛି ।

କେଶବ ତା’ ପାଖକୁ ଯାଇ କହିଲା, “ମହାଶୟ, ମୋତେ ରହିବାକୁ ଟିକିଏ ଜାଗା ଓ କିଛି ଖାଦ୍ୟ ଦେଇ ପାରିବେ କି?”

“ମୋ ପାଖରେ ଯାହା ଅଛି, ସେଇଥିରୁ ଅଧା ତୁମେ ଖାଅ ।” ଏହା କହି ପୋଡା ଛେଳିରୁ ଅଧାଭାଗ ସେ ଲୋକଟି କେଶବକୁ ଦେଲା । ସେ ଲୋକଟିର ଭୟଙ୍କର ଆଖି ଦେଖି ଲାଗିଲା ସତେ ଯେମିତି ସେ କେଶବକୁ ମଧ୍ୟ ଖାଇ ଦେବ । ତା’ପରେ ସେ ପଚାରିଲା, “ତୁମେ ଏଠାକୁ କିପରି ଆସିଲ?”

କେଶବ ତାକୁ ସମସ୍ତ ଘଟଣା କହିଲା ଓ ହୀରାଟି ଦେଖାଇଲା । ତା’ପରେ ସେ ଲୋକଟି କହିଲା, “ମୁଁ ତ ଛୋଟା ଲୋକ, ଚାଲିପାରୁ ନାହିଁ, ତୁମେ ମୋତେ ତୁମ ହୀରାଟି ଦିଅ ମୁଁ ତୁମକୁ ଏକ କୁହୁକ କୁରାଢି ଦେବି । କୁରାଢିର କାଠକୁ ଧରି ଯଦି ଆଜ୍ଞା ଦେବ ତେବେ ଏହା କାଠ ବି କାଟିବ ଓ କୌଣସି ମନୁଷ୍ୟର ମୁଣ୍ଡ ମଧ୍ୟ କାଟି ଉଡାଇ ଦେବ ।”

“ଆଚ୍ଛା ଏପରି ଦିଆନିଆ ମୋର ମଧ୍ୟ ଭାରି ପସନ୍ଦ ।” ଏତିକି କହି କେଶବ ସେ ଛୋଟା ଲୋକକୁ ହୀରାଟି ଦେଇ ତା’ଠାରୁ କୁରାଢିଟି ଅନ୍ୟ ହାତରେ ଧରି କହିଲା, “ଏହି ଛୋଟା ଲୋକର ମୁଣ୍ଡ ଉଡେଇ ଦେ ।” ତା’କଥାରେ କୁରାଢି ସଙ୍ଗେ ସଙ୍ଗେ ଆଜ୍ଞା ପାଳନ କଲା ।

କେଶବ ବୁଦ୍ଧି ଖର୍ଚ୍ଚ କରି ସେପରି ନକରିଥିଲେ ହୁଏତ ହୀରାର ପ୍ରଭାବରୁ ତାନ୍ତ୍ରିକ ତାକୁ ପୋଡି ଦେଇଥାନ୍ତା । ଏବେ ନିଃଶଙ୍କ ହୋଇ କେଶବ ହୀରା ଓ କୁରାଢି ଧରି ଆଗକୁ ଚାଲିଲା । କିଛି ଦୂର ଯିବା ପରେ ଏକ ଚାଳି ଘର ଦେଖାଗଲା । ସେଠାରେ ପହଁଚି କେଶବ ଦେଖିଲା ଜଣେ ଲୋକ ବସିଛି; ତା’ ପାଖରେ ଅଛି କଳସୀଟିଏ; ଲୋକଟିର ହାତ ନାହିଁ । କେଶବ ପାଖକୁ ଆସୁଥିବାର ଦେଖି ସେ କଳସୀକୁ ଠେଲି ଦେଲା  ଯେ ଅଳ୍ପ ପାଣି ଢାଳି ହୋଇଗଲା । ସେହି ପାଣି ବଢିବଢି ଚାରିଆଡ ବନ୍ୟା ହୋଇଗଲା । କେଶବ ତ ଆଗରୁ ସାବଧାନ ଥିଲା । ସେ ଆକାଶମାର୍ଗକୁ ଉଠି ଯାଇ ପୁଣି ଲୋକଟି ପାଖକୁ ଫେରି ଆସିଲା । ସେ ଜାଣିପାରିଲା ଯେ ସେଇଟି କୁହୁକ କଳସୀ । କେଶବକୁ ଦେଖି ସେ ଲୋକଟି ପଚାରିଲା, “ବାଃ ଅନେକ ବିଦ୍ୟା ତ ଶିଖିଛ?”

କେଶବ ହୀରାଟି ଦେଖାଇ କହିଲା, “ଏଇଟି ହାତରେ ଥିଲେ ଯାହା ଚାହିଁବ ତାହା ମିଳିବ ।”

ଲୋକଟି କହିଲା, “ହୀରାଟି ମୋତେ ଦିଅ ଓ ତା’ବଦଳରେ ମୋ କଳସୀଟି ନିଅ । ଏହି କଳସୀକୁ ଯେଉଁ ଖାଦ୍ୟ ମାଗିବ ତାହା ଦେବ; ପୁଣି ଯଦି ଏହାକୁ ଓଲଟାଇ ଦେଇ ପାଣି ଢାଳିବ ତ ବନ୍ୟା ହୋଇଯିବ ।”

କେଶବ ହୀରା ଦେଇ କଳସୀକୁ ନେଲା ଓ କୁରାଢିକୁ ସେହି ଲୋକର ମୁଣ୍ଡ କାଟି ଦେବାକୁ ଆଜ୍ଞା ଦେଲା । କୁରାଢିଟି ବି ତୁରନ୍ତ ତା’ର ମୁଣ୍ଡ କାଟି ଦେଲା । ଏବେ କେଶବର ତିନିଟି କୁହୁକ ବସ୍ତୁ ହସ୍ତଗତ ହେଲା । ଆଗ ଅପେକ୍ଷା ତାର ସାହସ ଆହୁରି ବୃଦ୍ଧି ପାଇଲା । ଏଇ ତିନୋଟି ଜିନିଷ ସହାୟତାରେ ଅଚିରେ ଦୁନିଆ ଜୟ କରିପାରିବା ଭଳି ତାର ମନ ହେଲା । ସେଦିନ ସେ ସେଇଠି ଶୋଇଗଲା; ପରଦିନ ସେ ଜଙ୍ଗଲରେ ବୁଲୁଛି; ବହୁତ ହାତତାଳିର ଆବାଜ୍ ସେ ଶୁଣିବାକୁ ପାଇଲା; ପୁଣି ଦେଖିଲା ପଶୁମାନେ ଆତଙ୍କରେ ଏପଟସେପଟ ହୋଇ ଧାଉଁଛନ୍ତି ।

ତାଳିର ଶବ୍ଦ କ୍ରମେ ବନ୍ଦ ହୋଇଗଲା । କେଶବ ସେହି ଶବ୍ଦ ଆଡକୁ ଆଗେଇଲା । ଦୂରରୁ କେଶବ ଦେଖିଲା, ଗୋଟିଏ ଗଛ ମୂଳରେ ଏକ ରାକ୍ଷସ ବସିଛି । ତା’ ଆଗରେ ଢୋଲ ପରି ବାଦ୍ୟଟିଏ ରଖା ହୋଇଛି । କେଶବକୁ ଦେଖି ରାକ୍ଷସ ତାକୁ ପ୍ରଶ୍ନ ପଚାରିଲା, “ତୁମେ କିଏ? ଆଉ ଏ ଦ୍ୱୀପକୁ ତୁମେ କିପରି ଆସିଲ?” ଏହାର ଉତ୍ତରରେ କେଶବ କହିଲା, “ଜାହଜ ବୁଡିଯିବାରୁ ଏଠାରେ ମୁଁ ଭାସି ଭାସି ଆସି ଲାଗିଲି । ସେହିଦିନଠାରୁ ତ ମୁଁ ଏହିଠାରେ ଅଛି । ଅପେକ୍ଷା କରୁଛି, ଜାହାଜଟିଏ ମିଳିଲେ ମୁଁ ଏଠାରୁ ପଳାନ୍ତି ।” ସବୁକଥା ଶୁଣି ସେ ରାକ୍ଷସ କହିଲା, “ତୁମକୁ ତ ଭୋକ ଲାଗୁଥିବ, ତେବେ ଆସ ସାଙ୍ଗ ହୋଇ ଖାଇବା ।”

“ନିଶ୍ଚୟ, ନିଶ୍ଚୟ” ଏହା କହି କେଶବ ସେ ରାକ୍ଷସଠାରୁ କିଛି ଦୂରରେ ଯାଇ ବସି ପଡିଲା । କାରଣ କେଶବ ଠିକ୍ ଜାଣିଥିଲା ଯେତେ କୁହୁକ ଶକ୍ତି ଥିଲେ ବି ଅଳ୍ପ ଦୂରତ୍ୱ ରଖିବା ଉଚିତ୍ । ସହଜେ ଜାତିରେ ତ ସେ ଜଣେ ରାକ୍ଷସ; ହଠାତ୍ ହାତରେ ଉଠାଇ ନେଇ ଗିଳିପକାଇବା ସେମାନଙ୍କ ପକ୍ଷେ କିଛି ବି ଅସମ୍ଭବ କଥା ନୁହେଁ । ରାକ୍ଷସ ତାକୁ ରନ୍ଧାମାଂସ ଦେଲା । କେଶବର ସନ୍ଦେହ ହେଲା ବୋଧହୁଏ ତାହା ନରମାଂସ । ଏଣୁ ସେ କହିଲା, “ମୁଁ ତ ଏସବୁ ଆଦୌ ଖାଏ ନାହିଁ । ମୁଁ ଶାକାହାରୀ ।” ଏହାପରେ ସେ କେଶବ କଳସୀରୁ ନାନା ଖାଦ୍ୟ ବାହାର କରି ସେସବୁ ଖାଇଲା । ଏସବୁ ଦେଖି ସେ ରାକ୍ଷସ ପଚାରିଲା, “ଇଏ କି ପ୍ରକାର କଳସୀ?” ତହୁଁ କେଶବ କହିଲା, “ଯେଉଁ ଖାଦ୍ୟ ମୋର ଦରକାର ହୁଏ ତାହା ମୋତେ ଏଇଥିରୁହିଁ ମିଳେ ।”

ରାକ୍ଷସ କହିଲା “ଏହି କଳସୀଟି ମୋତେ ଦିଅ ଓ ମୋ ଢୋଲଟି ନିଅ । ଏହାର ଗୋଟିଏ ପାଖରେ ବଜାଇଲେ ଡରରେ ସମସ୍ତ ପ୍ରାଣୀ ଧାଇଁ ପଳାଇବେ । ଅନ୍ୟ ପଟଟି ବଜାଇଲେ ଅସଂଖ୍ୟ ସୈନ୍ୟ ସୃଷ୍ଟି ହେବେ ଓ ତୁମକୁ ରକ୍ଷା କରିବେ ।”

କେଶବ “ଠିକ୍ ଅଛି” ବୋଲି କହି କଳସୀଟି ରାକ୍ଷସକୁ ଦେଇ ତା’ଠାରୁ ଢୋଲଟି ଆଣିଲା; କୁରାଢିକୁ ଆଦେଶ ଦେଲା ସେ ରାକ୍ଷସର ମୁଣ୍ଡ କାଟିବାକୁ ଏବଂ ତା’ର ଆଦେଶ ସଙ୍ଗେସଙ୍ଗେ କାର୍ଯ୍ୟକାରୀ ହେଲା ।

ଏହିପରି ଚାରିଟି କୁହୁକ ଜିନିଷ ଧରି କେଶବ ଅନେକ ରାଜ୍ୟରେ ଘୂରି ବୁଲିଲା । ଶେଷକୁ ସେ ଗୋଟିଏ ରାଜ୍ୟରେ ଯାଇ ପହଁଚିଲା ଯେଉଁ ଦେଶର ରାଜା ବଡ ପାପୀ ଥିଲେ । ପ୍ରଜାମାନଙ୍କ ସମ୍ପତ୍ତି ଦଖଲ କରି ତାଙ୍କୁ ସେ ହତ୍ୟା କରୁଥିଲେ । ରାଜ୍ୟକୁ କିଏ ନୂଆ ଲୋକ ଆସିଲେ ତାଙ୍କୁ ସେ ବନ୍ଦୀ କରୁଥିଲେ ।

କେଶବକୁ ଧରିବାକୁ ବାରଜଣ ସିପାହୀ ଆସିଲେ । କେଶବ ବାଜା ବଜାଇଲା । ଫଳରେ ଭୟରେ ସେମାନେ ସେଠୁ ପଳାଇଲେ । ଏହାପରେ ରାଜା ଅଧିକ ସେନା ପଠାଇଲେ । କେଶବ ପୁଣି ବାଜା ବଜାଇ ସେମାନଙ୍କୁ ତଡି ଦେଲା । ପୁଣି ରାଜା ବିରାଟ ସୈନ୍ୟବାହିନୀ ପଠାଇଲେ । ଏଥର କେଶବ କଳସୀ ଓଲଟାଇ ଦେବାରୁ ବନ୍ୟା ହୋଇ ତହିଁରେ ସମସ୍ତେ ଭାସି ଗଲେ । ଏବେ ଏକଲା ଖାଲି ରାଜା ରହିଲେ ଓ ଅଚିରେ ତାଙ୍କର ଶିର ଛେଦ କରାଗଲା । ଏତେ ଅଳ୍ପ ସମୟରେ ଏତେ ସବୁ କଥା ଘଟିଗଲା ଯେ ପ୍ରଜାମାନେ ନିଜ ଚକ୍ଷୁ କର୍ଣ୍ଣକୁ ମୋଟେ ବିଶ୍ୱାସ କରିପାରିଲେ ନାହିଁ । ସେମାନେ ଏଥିରୁ ଭାବିଲେ ବୋଧହୁଏ ସେମାନଙ୍କ ଆର୍ତ୍ତ  ଚିତ୍କାର ଶୁଣି ଭଗବାନ୍ ନିଜେ ତାଙ୍କ ଦେବଦୂତ ପଠାଇଛନ୍ତି ।

ପ୍ରଜାମାନେ ଅତ୍ୟନ୍ତ ଖୁସି ହୋଇ କେଶବକୁ ତାଙ୍କର ରାଜାକଲେ ଓ ମହାଆଡମ୍ବର ସହକାରେ କେଶବ ଯାଇ ସିଂହାସନରେ ବସିଲା ।

ମନ୍ତ୍ରୀମାନେ କେଶବକୁ କହିଲେ, “ମହାରାଜ, କୁହୁକବନ୍ୟାରେ ତ ସମସ୍ତ ସୈନ୍ୟ କୁଆଡେ ଭାସି ଗଲେ । ଏବେ କେଉଁଠୁ ଏତେ ସୈନ୍ୟ ଯୋଗାଡ ହେବେ? ସେମାନଙ୍କୁ ପୁଣି ଅସ୍ତ୍ର ଶସ୍ତ୍ର ଶିକ୍ଷା ଦେବାକୁ ବି ହେବ ।”

ମନ୍ତ୍ରୀମାନଙ୍କ ଏଭଳି କଥା ଶୁଣି କେଶବ ଅଳ୍ପ ହସି କହିଲା, “ସେ ଦାୟିତ୍ୱ ମୋର । ତୁମମାନଙ୍କର ସେ ବିଷୟରେ ଚିନ୍ତିତ ହେବାର କୌଣସି ବି ଆବଶ୍ୟକତା ନାହିଁ ।”

କେଶବ ଢୋଲର ଅନ୍ୟପଟଟି ବଜାଇ ଅନେକ ସୈନ୍ୟ ସୃଷ୍ଟି କଲା । ସମସ୍ତେ ସନ୍ତୁଷ୍ଟ ହୋଇ ରହିଲେ ଓ ନୂଆରାଜାଙ୍କୁ ବହୁତ ଆଦର ସମ୍ମାନ କଲେ ।

ଆଧାର: ଓଡ଼ିଆ ଗପ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top