অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଚିତ୍ର ବଂଶୀ

ବିଚିତ୍ର ବଂଶୀ

ଉପକ୍ରମ

ଏକଦା ନିଶା ଗରଜୁ ଥାଏ, ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେତିକିବେଳେ ଆଖପାଖ ଅରଣ୍ୟରୁ ଭାସି ଆସୁଥାଏ ସାଇଁ ସାଇଁ ଶବ୍ଦ, ଘଡଘଡି, ଶ୍ୱାନ, ଶ୍ୱାପଦଙ୍କ ରଡି ସହିତ ଅଶରିରୀ ମାନଙ୍କର ଅଟ୍ଟହାସ୍ୟ ବି ଭାସି ଆସୁଥାଏ, ତଥା ଭୟଙ୍କର ମୁଖଟିମାନ ଘନ ଘନ ବିଜୁଳି ଆଲୁଅରେ ଝଲ୍ସି ଉଠୁଥାଏ ।

ବର୍ଣ୍ଣନା

କିନ୍ତୁ ରାଜା ବିକ୍ରମାର୍କ ଅବଚଳିତ ଭାବେ, ପୁନର୍ବାର ସେହି ବୃକ୍ଷଟି ପାଖକୁ ଲେଉଟି ଆସିଲେ । ରାଜନ୍ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ପୂର୍ବବତ୍ ସେଇ ଶୁନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭକରନ୍ତେ ଶବସ୍ଥିତ ସେହି ବେତାଳ କହିଲା, “ପ୍ରତ୍ୟେକ ଥର ତୁମେ ଅସଫଳ ହେଉଛ । ତୁମ ଆଶା ଭଗ୍ନ ହେଉଛି, ତଥାପି ବି ନିଜର ଜିଦ୍ରୁ ତୁମେ କଦାପି ଓହରିଯାଇନାହଁ । ଏହା ଦେଖି ମୋର ହୃଦବୋଧହେଉଛି, ତୁମେ ଅନ୍ତଃପୁର ଠାରୁ ଏହି ଭୟାନକ ଶ୍ମଶାନକୁ ଅଧିକ ଭଲ ପାଉଛ । ଯଦି ଏହା ସତ୍ୟ, ତେବେ ତୁମେ ଏକ ବିଚିତ୍ର ମାନସିକତାର ବ୍ୟକ୍ତିତ୍ୱ । ଜଣେ ରାଜାର ଅଭିଳାଷ ଥାଏ, ସେ ଜଣେ ସମ୍ରାଟ ହେବ । ଜଣେ ଗରିବ କୃଷକର ଜମି ମାଲିକ ହେବା ପାଇଁ ଭାରି ଲାଳସା ଥାଏ । ଏହା ଅସ୍ୱାଭାବିକତା ନୁହେଁ । ସରଳ କଥା ଏମାନଙ୍କ ଭିତରୁ କିଛି ଶକ୍ତି ବୌଦ୍ଧିକ ବଳ ବା ଭଗବତ୍ କୃପାରୁ ବି ସଫଳ ହୁଅନ୍ତି । କିନ୍ତୁ ସଫଳତାର ଶୀର୍ଷରେ ଅବତୀର୍ଣ୍ଣ ହେବା ବେଳକୁ କିଛି ଲୋକଙ୍କର ବୁଦ୍ଧିଭ୍ରଷ୍ଟ ହୁଏ, ପଲକ ମାତ୍ରେ ତାଙ୍କ ସଫଳତାର ସୌଧ ଭାଙ୍ଗି ଚୁରମାର୍ ହୋଇଯାଏ । ସ୍ୱୟଂ ସେଇ ବ୍ୟକ୍ତିଟି ଅଧିକନ୍ତୁ ଏହି ଅସଫଳତାର କାରଣ ହୁଏ । ତାର କାରଣ ସେ ସମୟରେ ସେ ବ୍ୟକ୍ତିର ଚେତନାକୁ ଆଚ୍ଛାଦିତ କରିଥିବା ଅଜ୍ଞତା ବା ଦୂର୍ବଳ ମାନସିକତା । ଉଦାହରଣ ସ୍ୱରୂପ, ମୋହନକୃଷ୍ଣର କାହାଣୀଟି ମନଦେଇ ଶୁଣ ।”

ଗୋକୁଳପୁର ଗ୍ରାମରେ ମୋହନକୃଷ୍ଣ ନାମକ ଜଣେ ଯୁବକ ରହୁଥିଲେ । ଗୁରୁକୁଳରେ ତାଙ୍କ ବିଦ୍ୟାଭ୍ୟାସ ସମାପ୍ତ ହେବାପରେ ଘରକୁ ସେ ପ୍ରତ୍ୟାବର୍ତ୍ତନ କଲେ । ଦିବାକରଙ୍କର ସେ ଏକମାତ୍ର ସନ୍ତାନ । ଦଶ ଏକର ଜମିର ମାଲିକ ଦିବାକର ଆଶାପୋଷଣ କରିଥିଲେ ଯେ, ଶିକ୍ଷା ସମାପ୍ତି ପରେ, ତାଙ୍କ ପୁତ୍ର କୃଷି କାର୍ଯ୍ୟରେ ତାଙ୍କୁ ସହାୟତା କରିବ । କିନ୍ତୁ ତାଙ୍କର ସମସ୍ତ ଆଶା ବ୍ୟର୍ଥ ହେଲା, କାରଣ ମୋହନକୃଷ୍ଣ ଗୁରୁକୁଳରୁ ଫେରିବା ପରଠାରୁ ସେ ଏକ ବରବୃକ୍ଷ ତଳେ ବସିରହି, ନାନାଦି ଦିବାସ୍ୱପ୍ନରେ ବିଭୋର ହୋଇ ସମୟ ବିତାଏ । ଏମିତି ଚାହୁଁ ଚାହୁଁ ମାସ ଟିଏ ବିତିଗଲା, ପିତା ଦିବାକରଙ୍କୁ ତାଙ୍କ ପୁତ୍ରର ଏଭଳି ଆଚରଣ ଆଦୌ ସୁଖ ଲାଗୁ ନ ଥାଏ । ଦିନେ ସେ ମୋହନକୃଷ୍ଣଙ୍କୁ ପାଖକୁ ଡାକି କହିଲେ, “ଆଳସ୍ୟରେ ତୁ ଆଉ ଏପରି କେତେ ଦିନ ବିତାଇବୁ? ମୁଁ ତ କ୍ରମଶଃ ବୃଦ୍ଧ ହୋଇ ଯାଉଛି । କୃଷି କାମରେ ମୋତେ ସହାୟତା କରି କର୍ମଠ ଓ ଚଂଚଳ ଜୀବନ ଯାପନ କର ।”

ପିତାଙ୍କର କଥା ମୋହନକୃଷ୍ଣଙ୍କୁ ଆଦୌ ପସନ୍ଦ ହେଲା ନାହିଁ । ସେ କହିଲେ, “ଯେତେ ପରିଶ୍ରମ କଲେବି, ଏ କ୍ଷେତରେ ଆମକୁ ଅଧିକ ବା ଆଉ କଣ ମିଳିବ? ଯେତିକିରେ ଅଛେ ସେତିକିରେ ରହିବ । ମୋତେ ଏକମାସ ସମୟ ଦିଅନ୍ତୁ, ମୁଁ ହିମାଳୟ ନିକଟବର୍ତ୍ତୀ ଅରଣ୍ୟକୁ ଯିବି, ଓ ସେଠାରେ ତପସ୍ୟାରେ ନିମଜ୍ଜିତ ରହିବି । ନିଜ ତପୋବଳ ପ୍ରଭାବରେ, କୌଣସି ମହାମୁନିଙ୍କର ଆର୍ଶୀବାଦ ଲାଭକରିବି । ତତ୍ ପରେ ଆମେ ଐଶ୍ୱର୍ଯ୍ୟବାନ ଓ ସମୃଦ୍ଧିସମ୍ପନ୍ନ ହୋଇ ପାରିବା ।”

ଏଥିରୁ ସେ ଦିବାକର ତତ୍କ୍ଷଣାତ୍ ବୁଝିଗଲେ, ଗୁରୁକୁଳର ବିଦ୍ୟାଭ୍ୟାସ ତାଙ୍କ ପୁତ୍ରକୁ ଉଚ୍ଚଭିଳାଷୀ କରି ଗଢିତୋଳିଛି, କିନ୍ତୁ ଏପରି ପରିସ୍ଥିତିରେ ସେ କଣ ବା କରି ପାରିବେ । ଅବଶେଷରେ ସେ ସ୍ୱୀକୃତି ପ୍ରଦାନ କଲେ । ମୋହନକୃଷ୍ଣଙ୍କ ମା’ ଚିନ୍ତାଗ୍ରସ୍ତ ହୋଇବି କିଛି କରି ପାରିଲେନି ।

ପରଦିନ ସକାଳର ଭୋଜନ ଅନ୍ତେ, ରାସ୍ତାରେ ଖାଇବା ପାଇଁ ଏକ ଖାଦ୍ୟପୁଟୁଳି ଧରି ସେ ବାହାରି ପଡିଲେ । ଦ୍ୱିପହର ବେଳକୁ ଜଙ୍ଗଲସ୍ଥ ଏକ ସରୋବର ନିକଟରେ ସେ ଯାଇ ପହଁଚିଲେ । ଅକସ୍ମାତ୍ ଏକ ମର୍କଟ ଗଛ ତଳକୁ ଡେଇଁ ପଡିଲା । ତା’ର ହାତରେ ଏକ ରୌପ୍ୟାଚ୍ଛାଦିତ ବିଚିତ୍ର ବଂଶୀଟିଏ ଥିଲା । ମୋହନକୃଷ୍ଣ ଆଶ୍ଚର୍ଯ୍ୟ ଚକିତ ଭାବେ ସେ ବଂଶୀଟି ଦେଖୁଛନ୍ତି ତ, ମର୍କଟ ସେଇଟିକୁ ମାଟି ଉପରେ ପକେଇ ଦେଇ, ତାଙ୍କର ଖାଦ୍ୟ ପୁଟୁଳି ନେଇ ଡେଇଁ ଡେଇଁ ସେଠାରୁ ଚାଲିଗଲା । ସେ ବ୍ୟସ୍ତ ହୋଇ ବୃକ୍ଷ ଉପରକୁ ଚାହିଁଲେ । ମାତ୍ର ସେ ମର୍କଟ ଆଉ ଦୃଷ୍ଟି ଗୋଚର ହେଲା ନାହିଁ । ପଡିଥିବା ବଂଶୀଟିକୁ ସେ ମୋହନକୃଷ୍ଣ ଉଠାଇ ନେଲେ ଓ ସରୋବରରେ ଜଳ ପାନ କରି ଆଗକୁ ଚାଲିଲେ ।

କିନ୍ତୁ କିଛି ଦୂର ଯିବାପରେ ସେ ଦେଖିଲେ, ବୃଦ୍ଧମୁନି ତାଙ୍କ ଆଡକୁ ଆସୁଛନ୍ତି । ତାଙ୍କର ପକ୍ୱକେଶ, ପକ୍ୱଶ୍ମଶ୍ରୁ, ଜ୍ଞାନ- ଦୀପ୍ତ ଚକ୍ଷୁର ଜ୍ୟୋତି ତାଙ୍କର ମହାନତା ପ୍ରକଟ କରୁଥାଏ । ମୋହନକୃଷ୍ଣ ଗଭୀର ଭକ୍ତିର ସହ ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ । ମୁନିପ୍ରସନ୍ନତାପୂର୍ବକ ତାଙ୍କୁ ଭୂମିରୁ ଉଠେଇ କହିଲେ, “ମୁଁ ସମସ୍ତ ବିଷୟ ଜାଣେ । ଏଠାକୁ ତୁମେ କେଉଁ ମୁନିଙ୍କର ଆଶୀର୍ବାଦ ପ୍ରାପ୍ତି ଉଦ୍ଧେଶ୍ୟରେ ଆସିଛ ଓ ତୁମ ହାତରେ ଏବେ ଯେଉଁ ବଂଶୀଟି ତୁମେ ଧରିଛ ତାହାଏକ ସାଧାରଣ ବଂଶୀ ନୁହେଁ । ଏହା ବହୁତ ମହତପୂର୍ଣ୍ଣ ଓ ମହିମାବାନ ବଂଶୀ ଅଟେ । କେବଳ ବାଦକକୁ ଛାଡି, ଏହାର ସ୍ୱର ଯାହାର ବି ଶ୍ରୁତି ଗୋଚର ହେବ, ସେ ସେହିକ୍ଷଣି ନିଦ୍ରାଭିଭୂତ ହେବ । ପଶୁ ପକ୍ଷୀ ରାକ୍ଷସ ସମସ୍ତେ ଏହା ଦ୍ୱାରା ପ୍ରଭାବିତ ହେବେ । ହଁ, ଆଉ ଏକ କଥା ମଣିଷର ଆଶା, ତା’ର ଶକ୍ତି, ସାମର୍ଥ୍ୟ ବୁଦ୍ଧି ବିବେକର ଅନୁରୂପ ହେବା ଆବଶ୍ୟକ । ଅନ୍ୟଥା, ଅପମାନ, ନିରାଶା ହିଁ ପ୍ରାପ୍ତି ହେବ । ମୁଁ ତୁମକୁ ଏହି ଚେତାବନୀ ଦେଉଛି ।” ଏତିକି କହି ମୁନି ସେଠାରୁ ହଠାତ୍ ଅର୍ନ୍ତହିତ ହୋଇ ଗଲେ ।

ମୋହନକୃଷ୍ଣ ମୁନିଙ୍କ ବଚନରେ ଆତ୍ମ ସନ୍ତୋଷ ଅନୁଭବ କଲା । ସେ ପୁନଶ୍ଚ ଗ୍ରାମାଭିମୁଖେ ଯାତ୍ରା ଆରମ୍ଭ କଲା । ଦଶକୋଶ ପଥ ଅତିକ୍ରମ କରିଛି କି ନାହିଁ, ସିଂହ ଭାଲୁଙ୍କର ଗର୍ଜନ ସେ ଶୁଣିଲା । ଗୋଟିଏ ହରିଣ ପଛରେ ସିଂହ ଗୋଡାଇ ଥାଏ ମୋହନକୃଷ୍ଣ ଭୟଭୀତ ହୋଇ ଗଛ ଉପରକୁ ଚଢିଗଲେ । ଠିକ୍ ଏହି ସମୟରେ ମହିମାମୟ ବଂଶୀର କଥା ତାଙ୍କର ମନେ ପଡିଲା ଓ ସେ ବଂଶୀ ବାଦନ ଆରମ୍ଭ କଲେ । ଫଳରେ ସିଂହ ଓ ହରିଣ ଉଭୟେ ଗାଢ ନିଦ୍ରାରେ ଶୋଇପଡିଲେ । କିଛି ସମୟ ବଂଶୀ ବାଦନ କଲା ପରେ ସେ କ୍ଳାନ୍ତ ଅନୁଭବ କରି ବଂଶୀ ବାଦନ ବନ୍ଦ କଲେ । ବଂଶୀସ୍ୱର ବନ୍ଦ ହେବା ମାତ୍ରେ ସିଂହ ଓ ହରିଣ ଉଭୟ ପୁଣି ଜାଗ୍ରତ ହେଲେ । ଦୌଡି ପଳାଉ ଥିବା ହରିଣ ପଛରେ ସିଂହ ଅନୁଧାବନ କରି ଚାଲିଗଲା ।

ଏହି ସମୟରେ ପାଖରେ ଥିବା ଏକ ବୃକ୍ଷରୁ ଏକ ରାକ୍ଷସ ମୋହନକୃଷ୍ଣଙ୍କ ଆଗରେ ଆସି ଉଭା ହେଲା । ତାକୁ ଦେଖି ମୋହନକୃଷ୍ଣ ଭୟରେ ଖାଲି ଥରିବାକୁ ଲାଗିଲେ । ରାକ୍ଷସ କହିଲା, “ମତେ ଖୁବ୍ ଭୋକ ଲାଗୁଛି । ଏମିତି ଥରି ଥରି ସମୟ ନଷ୍ଟ ନ କରି ଶୀଘ୍ର ବେହୋସ ହୋଇଯା, ତେବେ ସିନା ମୁଁ ତୋତେ ଖାଇ ମୋର ଭୋକ ମେଂଟାଇବି ।”

ମୋହନକୃଷ୍ଣ ଅନୁମାନ କରି ନେଲେ, ଏହା ପଛରେ ନିଶ୍ଚୟ କିଛି ରହସ୍ୟ ଅଛି । ସାହସ ବାନ୍ଧି ପଚାରିଲେ, “ମୁଁ ବେହୋସ ନ ହେଲେ ତୁମେ କଣ ମୋତେ ଖାଇ ପାରିବନି?”

ରାକ୍ଷସ ଦୀର୍ଘଶ୍ୱାସ ପକେଇ କହିଲା, “କଣ କହିବି, ଥରେ ଜଙ୍ଗଲରେ ଗୋଟିଏ ମଇଁଷି ଖାଇ, ତାର ହାଡ ଦୂରକୁ ମୁଁ ଫୋପାଡି ଦେଲି । ତାହା ଯାଇ ଜଣେ ମୁନିଙ୍କ ଆଶ୍ରମରେ ପଡିଲା । ତା’ପରେ ସେ ମୁନି ଅଗ୍ନିଶର୍ମା ହୋଇ ମୋତେ ଅଭିଶାପ ଦେଲେ । ହୋସ୍ରେ ଥିବା କୌଣସି ପ୍ରାଣୀକୁ ଯଦି ମୁଁ କେବେବି ଖାଏ, ତାହେଲେ ମୋର ଶିର ଖଣ୍ଡ ଖଣ୍ଡ ହୋଇ ଯିବ । ମୋହନକୃଷ୍ଣଙ୍କର ଏବେ ନିଜ ବଂଶୀ କଥା ମନେ ପଡିଲା । ସେ ତାକୁ ଓଠରେ ଲଗାଇ ଫୁଙ୍କିବାକୁ ଯାଉଛନ୍ତି ତ, ରାକ୍ଷସ ତାଙ୍କ ହାତରୁ ତାହା ଛଡେଇ ନେଲା । ଏପଟ ସେପଟ କରି ବଂଶୀଟିକୁ ଦେଖିବାକୁ ଲାଗିଲା । “ଆରେ, ଏଥିରେ ବି ତ ରୂପାର ଆବରଣ ଲାଗିଛି ।” – ଏହା କହି ତାହା ବଜାଇବାକୁ ସେ ଆରମ୍ଭ କଲା ।

ମୋହନକୃଷ୍ଣ ସେ ବଂଶୀର ସ୍ୱର ନ ଶୁଣି ପାରିବା ପାଇଁ ଦୁଇ କାନରେ ହାତ ଦେଇଦେଲେ । ରାକ୍ଷସ ଏହା ଦେଖି କ୍ରୁଧ ହୋଇ କହିଲା, “ମୁଁ ବଂଶୀଟିକୁ ବଜେଇଲା ବେଳେ ତୁ କାନ ବନ୍ଦ କରିଛୁ । ଅପମାନ, ଘୋର ଅପମାନ, ମୁଁ ଏବେ ଦେଖିବି ତୁ କେତେ ଭଲ ବଜାଇ ପାରୁ” – ଏତିକି କହି ବଂଶୀଟି ମୋହନକୃଷ୍ଣ ଉପରକୁ ସେ ଫିଙ୍ଗି ଦେଲା ।

ପ୍ରାଣରକ୍ଷାହୋଇଗଲା ଭାବି, ମୋହନକୃଷ୍ଣ ଭଗବାନଙ୍କୁ କୃତଜ୍ଞତା ଜଣେଇଲେ । ବଂଶୀଟି ବଜାଇବା ମାତ୍ରେ, ରାକ୍ଷସ ଅଚେତ ହୋଇ ଭୂମିରେ ଶୋଇଗଲା ।

ଜନୈକ ସୈନିକ କହିଲେ, “ମହାଶୟ, ଆମର ଦୁର୍ଭାଗ୍ୟ ସମୟ ଆଗତ ହୋଇଛି । ଆମେ ସୂର୍ଯ୍ୟଗିରିର ଅଧିବାସୀ । ଆମ ପଡୋଶୀ ରାଜ୍ୟ ମକରଗିରି ଆମ ରାଜ୍ୟ ଉପରେ ଆକ୍ରମଣ କରିଛନ୍ତି । ଏକ ସପ୍ତାହ ଧରି ଯୁଦ୍ଧ ଚାଲିଲାଣି, ହଜାର ହଜାର ସଂଖ୍ୟାରେ ସୈନିକ ନିହତ ହେଉଛନ୍ତି । ଆମର ପରାଜୟ ସୁନିଶ୍ଚିତ, ତେଣୁ ରାଜକୁମାରୀଙ୍କ ପ୍ରାଣରକ୍ଷା ଉଦ୍ଧେଶ୍ୟରେ ଗୁପ୍ତପଥ ଦେଇ ଆମେ ସବୁ ବାହାରି ଆସିଛୁ । ଏହି ଅରଣ୍ୟରେ ଆମେ ଏବେ ଆତ୍ମଗୋପନ କରିବୁ ।”

ମୋହନକୃଷ୍ଣ ଆପଣାର ପରିଚୟ ଦେଇ କହିଲେ, “ମୋତେ ମହାରାଜାଙ୍କ ପାଖକୁ ନେଇଚାଲ । ଯଥାଶୀଘ୍ର ମୁଁ ତାଙ୍କ ସହିତ ଯୁଦ୍ଧ ତନ୍ତ୍ର ବିଷୟରେ ଆଲୋଚନା କରିବି । ଯୁଦ୍ଧରେ ବିଜୟର ଉପାୟ ମୋତେ ଠିକ୍ ଜଣା ଅଛି ।”

ରାଜକୁମାରୀଙ୍କ ଅନୁମତି ନେଇ ସୈନିକମାନେ ସେହିଠାରୁ ରାଜଧାନୀ ଫେରିଗଲେ । ଜଣେ ସୈନିକଙ୍କ ଘୋଡା ପଛରେ ବସି ମୋହନକୃଷ୍ଣ ସେମାନଙ୍କୁ ଅନୁସରଣ କଲେ । ପ୍ରଭାତ ପୂର୍ବରୁ ସେମାନେ ରାଜଧାନୀରେ ଆସି ପହଁଚିଗଲେ । ଗୁପ୍ତଦ୍ୱାର ଦେଇ ସେମାନେ ଦୁର୍ଗଭିତରକୁ ପ୍ରବେଶ କଲେ ।

ରାଜା ସେତେବେଳେ ଚିନ୍ତାଗ୍ରସ୍ତ ହୋଇ ତାଙ୍କ ଆସନରେ ଉପବିଷ୍ଟ ଥାଆନ୍ତି । ରାଜକୁମାରୀ ତାଙ୍କ ସମ୍ମୁଖରେ ଉପସ୍ଥିତ ହୁଅନ୍ତେ ରାଜା ନିଜ କନ୍ୟାକୁ ଦେଖି ଚକିତ ହୋଇଗଲେ । କିଛି ପଚାରିବା ପୂର୍ବରୁ ରାଜକୁମାରୀ ସବିସ୍ତାର ସମସ୍ତବୃତ୍ତାନ୍ତ ଜଣାଇଲେ । ରାଜକୁମାରୀ କହିଲେ “ଏହି ଯୁବକ ଦାବି କରୁଛନ୍ତି ଯେ ଯୁଦ୍ଧରେ ବିଜୟୀ ହେବାର ମାର୍ଗ ତାଙ୍କୁ ଜଣାଅଛି । ଆପଣଙ୍କ ଅନୁମତି ମାତ୍ରେ ସେ ଭିତରକୁ ଆସିବେ, ବାହାରେ ସେ ଆପଣଙ୍କର ଆଜ୍ଞାର ପ୍ରତୀକ୍ଷା କରୁଛନ୍ତି ।”

ସମସ୍ତ କଥା ଶୁଣିବା ପରେ ରାଜା କହିଲେ, “ଏକ ସାଧାରଣ ନାଗରିକ ମୋ ସହିତ ଯୁଦ୍ଧତନ୍ତ୍ରର କି ଆଲୋଚନା କରିବ! ବିଜୟ ମାର୍ଗ ତାକୁ ଜ୍ଞାତ । ଏପରି ତାର ଦାବୀ ଅସମ୍ଭବ । କିନ୍ତୁ ତୁମ କଥାରୁ ମୁଁ ଅନୁମାନ କରୁଛି, ସେ ନିଶ୍ଚୟ ବୀର ପୁରୁଷ । ମହାବୀର ହୋଇ ନ ଥିଲେ ତୁମମାନଙ୍କୁ ରାକ୍ଷସ କବଳରୁ ସେ କିପରି ରକ୍ଷାକରି ଥାଆନ୍ତା ।” ଏହା କହି ସେ ମୋହନକୃଷ୍ଣଙ୍କୁ ଭିତରକୁ ଆସିବାକୁ ଅନୁମତି ପ୍ରଦାନ କଲେ ।

ରାଜା ମୋହନକୃଷ୍ଣଙ୍କୁ ନିରେଖି ଚାହିଁ କହିଲେ, “ଶୁଣିଲି, ତୁମେ ଏକ ଯୁଦ୍ଧ-ତନ୍ତ୍ର ଜଣାଇବାକୁ ଚାହୁଁଛ? ଏବେ ତାହା ପ୍ରକାଶ କର ।”

ରାଜକୁମାରୀଙ୍କ ସୌନ୍ଦର୍ଯ୍ୟରେ ବିମୁଗ୍ଧ ମୋହନକୃଷ୍ଣ, ତାଙ୍କୁ ବିବାହ କରିବାର ପ୍ରବଳଇଚ୍ଛା ପୋଷଣ କରୁଥାନ୍ତି, କିନ୍ତୁ ସଙ୍କୋଚ ବଶତଃ ସେ କଥା ନ କହି ପ୍ରଥମେ ସେ ବିଚିତ୍ର ବଂଶୀର ମହିମା ବର୍ଣ୍ଣନା କଲେ । କହିଲେ, “ମହାରାଜ, ଯୁଦ୍ଧରେ ମୋର ବିଜୟ ସୁନିଶ୍ଚିତ । ମାତ୍ର ଏହାର ପ୍ରତିଦାନରେ ଆପଣ ମୋର ଗୋଟିଏ ଇଚ୍ଛା ପୁରଣ କରିବେ । ଆପଣ ବଚନ ଦିଅନ୍ତୁ, ମୋର ସେହି ଇଚ୍ଛା ପୂରଣ ଯେପରି ଅନ୍ୟଥା ନହୁଏ ।”

କ୍ଷଣକ ପାଇଁ ମୌନରହି ରାଜା ପ୍ରସନ୍ନଚିତରେ କହିଲେ, “ମୋହନକୃଷ୍ଣ, ଶତ୍ରୁ ଉପରେ ତୁମର ବିଜୟ, ଆମ ସମସ୍ତଙ୍କର ବିଜୟ । ଏହି ବିଜୟ ଦ୍ୱାରା ଏହି ସୂର୍ଯ୍ୟଗିରି ରାଜ୍ୟ, ଏହାର ନାଗରିକ, ମୋର ପରିବାର ସମସ୍ତେ ରକ୍ଷା ପାଇବେ । ନିଜ କୁଳଦେବତାଙ୍କ ନାମରେ ମୁଁ ଶପଥ ନେଉଛି ତୁମର ଇଚ୍ଛା ମୁଁ ଅବଶ୍ୟ ପୁରଣ କରିବି ।”

ପରଦିନ ଯୁଦ୍ଧର ପ୍ରାରମ୍ଭରେ ମୋହନକୃଷ୍ଣ ଯୁଦ୍ଧ ଭୂମିରେ ଏକ ରଥ ଉପରେ ଉପବିଷ୍ଟ ହୋଇ ସେହି ମହିମାମୟ ବଂଶୀ ବାଦନ ଆରମ୍ଭ କଲେ । ସୂର୍ଯ୍ୟଗିରିର ମହାରାଜା, ସେନାପତି, ସୈନିକଗଣ, ତାଙ୍କ କଥା ଅନୁଯାୟୀ ନିଜ କାନରେ ଭଲକରି ତୁଳା ଦେଇ ଥାନ୍ତି ତେଣୁ ବଂଶୀବାଦନର ପ୍ରଭାବ ତାଙ୍କ ଉପରେ ପଡୁ ନଥାଏ । ପରନ୍ତୁ ମକରଗିରିର ରାଜା, ସୈନିକ, ସେନାପତି, ସମସ୍ତେ ଶୋଇ ପଡିଲେ । ଏହି ସୁଯୋଗରେ ସୂର୍ଯ୍ୟଗିରିର ସୈନ୍ୟମାନେ ଶତ୍ରୁସଂହାର କଲେ । ସୂର୍ଯ୍ୟଗିରିର ମହାରାଜ ମକରଗିରିର ମହାରାଜାଙ୍କୁ ବନ୍ଦି କରି କାରାଗାରରେ ନିକ୍ଷେପ କଲେ ।

ସେହିଦିନ ସାୟଂକାଳରେ ମୋହନକୃଷ୍ଣଙ୍କ ସମ୍ମାନାର୍ଥେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହେଲା । ମହାରାଜା, ପଣ୍ଡିତଗଣ, ମନ୍ତ୍ରୀବୃନ୍ଦ ସମସ୍ତେ ତାଙ୍କର ପ୍ରଶଂସାରେ ଶତମୁଖର ହୋଇଉଠିଲେ । ତାଙ୍କୁ ମହାବୀର, ରକ୍ଷାକାରୀ ନାମରେ ସମସ୍ତେ ସମ୍ବୋଧନ କଲେ । ମାତ୍ର ଜଣେ ସେନାପତି ନୀରବରେ ଏସବୁ ଲକ୍ଷ୍ୟ କରୁଥାନ୍ତି । ସତେକି ଏହା ଏକ ପ୍ରହସନ । ମୋହନକୃଷ୍ଣ ତାଙ୍କର ଏପରି ଭାବାନ୍ତର ଦେଖି ବିଚଳିତ ହୋଇ ପଡିଲେ । ତାଙ୍କର ମନ ଓ ବିବେକ ଆନ୍ଦୋଳିତ ହେଲା । ରାଜା ସର୍ବସମ୍ମୁଖରେ ନିଜ ଶପଥ-ବୃତ୍ତାନ୍ତ କହିଲେ । ମୋହନକୃଷ୍ଣଙ୍କୁ ପଚାରିଲେ, “ତୁମର ଏକମାତ୍ର ଅଭିଳାଷ ଏବେ ପ୍ରକାଶ କର । ମୋର ସତ୍ୟ ଅନୁଯାୟୀ ମୁଁ ତାହା ନିଶ୍ଚୟ ପୂରଣ କରିବି ।” ମୋହନକୃଷ୍ଣ ରାଜାଙ୍କୁ ପ୍ରଣାମ କରି କହିଲେ, “ମହାରାଜ, କ୍ଷମା କରନ୍ତୁ । ମୋର ଅଭିଳାଷ ମୁଁ ଆପଣଙ୍କୁ ଆସନ୍ତା କାଲି ଜଣାଇବି ।” ଏହାପରେ ମୋହନକୃଷ୍ଣ ଅତିଥି ଭବନକୁ ଚାଲିଗଲେ । ପରଦିନ ସୂର୍ଯ୍ୟୋଦୟ ପୂର୍ବରୁ ସେ ସେହି ମହିମାମୟ ବଂଶୀଟିକୁ ଦୁଇ ଖଣ୍ଡ କରି ଦୂର୍ଗର ଗଡଖାଇ ଜଳରେ ପକେଇ ଦେଲେ । ସେ ସ୍ଥାନ ତତ୍କ୍ଷଣାତ୍ ପରିତ୍ୟାଗ କରି ନିଜ ଗ୍ରାମକୁ ଫେରି ଆସିଲେ ।

ବେତାଳ କାହାଣୀଟି ଶୁଣେଇବା ପରେ ହଠାତ୍ ଉଚ୍ଚସ୍ୱରରେ ରାଜା ବିକ୍ରମାର୍କଙ୍କୁ ପ୍ରଶ୍ନକଲା, “ରାଜନ୍, ମୋହନକୃଷ୍ଣ ତ ଜଙ୍ଗଲରେ ରାଜକୁମାରୀଙ୍କ ପ୍ରଥମଦର୍ଶନରେ ହିଁ ବିମୋହିତ ହୋଇ ତାଙ୍କୁ ବିବାହ କରିବାର ଅଭିଳାଷ ପୋଷଣ କରିଥିଲା । ଯୁଦ୍ଧର ଆରମ୍ଭରୁ ସେ ରାଜାଙ୍କୁ ସର୍ତ୍ତରଖିଥିଲା, ଯୁଦ୍ଧ ଅନ୍ତେ ତାହାର ଏକ ଇଚ୍ଛା ପୂରଣ କରାଯିବ । କିନ୍ତୁ ଯେତେବେଳେ ରାଜା ତାଙ୍କର ଇଚ୍ଛା ପ୍ରକାଶ କରିବାକୁ ସୁଯୋଗ ଦେଲେ, ସେ ପରଦିନ ଜଣାଇବ ବୋଲି କହି କଥା ଟାଳି ଦେଲା । ପରଦିନ ଇଚ୍ଛା ପୂରଣ ପରିବର୍ତ୍ତେ ସେହି ଦୁଃଷ୍ପ୍ରାପ୍ୟ, ମୋହନ ବଂଶୀଟିକୁ ଦୁଇଖଣ୍ଡ କରି ଫିଙ୍ଗିଦେଇ ନିଜ ଗ୍ରାମକୁ ଫେରିଗଲେ କାହିଁକି? ସଫଳତାର ଶେଷ ମୁହୂର୍ତ୍ତଟିକୁ ସେ କାହିଁକି ସଦୁପଯୋଗ କଲେ ନାହିଁ? ଏହା ଏକ ପ୍ରକାର ମାନସିକ ଜଡତା, ଦୁର୍ବଳତା ନୁହେଁ କି? ରାଜନ୍! ମୋର ସଂଶୟ ଦୂର କରିବାର ସାମର୍ଥ୍ୟ ଥାଇ ମଧ୍ୟ ତୁମେ ଯଦି ନୀରବ ରୁହ ତେବେ ତୁମର ମସ୍ତକ ନିଶ୍ଚୟ ଶତଧା ବିଦୀର୍ଣ୍ଣ ହେବ ।”

ବିକ୍ରମାର୍କ ଚଟାପଟ୍ ଉତ୍ତର ଦେଲେ, “ମୋହନକୃଷ୍ଣ ଗୁରୁକୁଳରେ ପାଠପଢିଥିଲେ ମଧ୍ୟ ଜୀବନର ବାସ୍ତବ ସମସ୍ୟା ସହ ସେ ଅପରିଚିତ ଥିଲେ । ମୁନିଙ୍କ ଆର୍ଶୀବାଦ ଲାଭ କରିବା ପାଇଁ, ଅରଣ୍ୟ ଯାତ୍ରାରୁ ଏହା ସ୍ପଷ୍ଟ ପ୍ରତୀୟ ହେଉଛି । ଜଣେ ଅରଣ୍ୟରେ ଆବିର୍ଭୂତ ହୋଇଥିବା ମହାମୁନି ଏହି ସତ୍ୟ ଜାଣିଥିବାରୁ, ମୋହନ କୃଷ୍ଣଙ୍କୁ ପ୍ରଥମରୁ ହିଁ ସେ ସଚେତନ କରି କହିଥିଲେ । ମନୁଷ୍ୟର ଇଚ୍ଛା ତା’ର ଶକ୍ତି, ସାମର୍ଥର ଅନୁରୂପ ହେବା ଆବଶ୍ୟକ । ସୂର୍ଯ୍ୟଗିରିର ରାଜକୁମାରୀଙ୍କ ସଂଦର୍ଶନ ମାତ୍ରେ, ମୋହନକୃଷ୍ଣ ବିବାହର ଆଶାପୋଷଣ କରି ଥିଲେ । ସେ ଚାହିଁଥିଲେ, ଯୁଦ୍ଧ ଆରମ୍ଭ ପୂର୍ବରୁ ରାଜାଙ୍କୁ ସତ୍ୟ କୁହାଇ ନେଇ ଥାନ୍ତେ । କିନ୍ତୁ ସେ ତାହା କରି ନଥିଲେ । କାରଣ ମୁନିଙ୍କର ଚେତାବନୀ ତାଙ୍କର ସ୍ମରଣ ଥିଲା । ଭରପୂର ସଭାରେ, ସମସ୍ତେ ଯେତେବେଳେ ତାଙ୍କର ପ୍ରଶଂସା ଗାନ କରୁଥିଲେ, ଠିକ୍ ସେହି ସମୟରେ ଏକମାତ୍ର ସେନାପତିଙ୍କ ଭାବହୀନ ମୁଖମଣ୍ଡଳ, ଓ ନୀରବତାରୁ ସେ ଅନୁମାନ କରି ନେଲେ ଯେ, ନିଜର ବୀରତ୍ୱ, ଶକ୍ତିସାମର୍ଥ୍ୟ କେଉଁ ସ୍ତରର ଅଟେ । ମନ୍ତ୍ର, ତନ୍ତ୍ର, ସମ୍ମୋହନ ବା କୌଣସି ମାୟାବଳରେ ଶତ୍ରୁ ପକ୍ଷକୁ ନିଦ୍ରାଗ୍ରସ୍ତ କରି ହତ୍ୟା କରିବା ଯୁଦ୍ଧର ଧର୍ମ ନୁହେଁ । ଏକଥା ମଧ୍ୟ ସେ ବୁଝିଥିଲେ । ରାଜକୁମାରୀଙ୍କର ବିବାହ ଯୋଗ୍ୟ ପାତ୍ର ସେ ନୁହଁନ୍ତି । ସେ ଜାଣିପାରିଲେ, ମହିମାନ୍ୱିତ ବଂଶୀ ହୁଏତ ତାଙ୍କର ଅନର୍ଥର କାରଣ ହୋଇ ପାରେ । ନିଜ ଶକ୍ତି ସାମର୍ଥ୍ୟର ଅପହଂଚ କିଛି ଦୁରାଶା ତାଙ୍କୁ ବିପଦ ଗ୍ରସ୍ତ କରାଇପାରେ । ତେଣୁ ସେ ବଂଶୀଟିକୁ ଖଣ୍ଡ ଖଣ୍ଡ କରି ଗଡଖାଇରେ ଫିଙ୍ଗି ଦେଲେ । ଏବେ ତୁମେ ସ୍ପଷ୍ଟ ଭାବେ ବୁଝିପାରୁଥିବ, ତାଙ୍କର ଏହି ଆଚରଣ କି ପ୍ରକାର ମାନସିକ ଦୁର୍ବଳତା! ମୋର ଦୃଢବିଶ୍ୱାସ ଯେ ଏହା ଏକ ସମ୍ପୂର୍ଣ୍ଣ ଜ୍ଞାନୀର ଲକ୍ଷଣ ।”

ରାଜାଙ୍କର ମୌନଭଙ୍ଗ ହେବା ମାତ୍ରେ, ଶବସହ ଶବସ୍ଥିତ ସେ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ସେ ବୃକ୍ଷଡାଳରେ ଝୁଲି ପଡିଲା ।

ଆଧାର - ଓଡ଼ିଆ ଗପ

Last Modified : 8/22/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate