অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯୋଗ୍ୟତା ଓ ଯଶ

ଯୋଗ୍ୟତା ଓ ଯଶ

ଉପକ୍ରମ

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ମଧ୍ୟ ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କର ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ ।

ବର୍ଣ୍ଣନା

କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ବାହାରକରି ଆଣିଲେ । ତା’ପରେ ତାକୁ କାନ୍ଧରେ ପକାଇ ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ହେ ରାଜନ୍, ମୁଁ କଦାପି ବୁଝିପାରୁନାହିଁ କି ତୁମେ ଏତେ କଷ୍ଟ କାହିଁକି କରୁଛ? ତୁମେ କୌଣସି ଗୁରୁଙ୍କର ଆଦେଶ ପାଇ ବୋଧେ ଏ କାର୍ଯ୍ୟ କରୁଛ । କିନ୍ତୁ ଏପରି ଗୁରୁ ବି ଅଛନ୍ତି ଯାହାଙ୍କର ବିଚାର ପ୍ରମାଦପୂର୍ଣ୍ଣ ହୋଇପାରେ ଏବଂ ସେତେବେଳେ ତୁମେ କେବଳ ପଶ୍ଚାତାପରେ ହିଁ ଦଗ୍ଧ ହେବ! ମୁଁ ମିତ୍ରସିଦ୍ଧ ନାମକ ଗୁରୁଙ୍କ କଥା ତୁମକୁ ଶୁଣାଉଛି, ଯିଏ କି ତାଙ୍କର ଦୁଇଜଣ ଶିଷ୍ୟଙ୍କ ସହ ବିଦ୍ୱେଷ ପୂର୍ଣ୍ଣ ବ୍ୟବହାର କରିଥିଲେ । ମନଦେଇ ଶୁଣ । ଶୁଣିଲେ ତୁମର ଶ୍ରମଲାଘବ ହେବ ।” ତା’ପରେ ବେତାଳ କହିଲା –

“ଦୂର ଜଙ୍ଗଲରେ ମିତ୍ରସିଦ୍ଧ ନାମକ ଜଣେ ସିଦ୍ଧଯୋଗୀଙ୍କ ଆଶ୍ରମରେ ଅନେକ ଶିଷ୍ୟ ଥିଲେ । ସେମାନଙ୍କ ମଧ୍ୟରୁ ଲୋକପ୍ରିୟ ଓ ଶକ୍ତିକିରଣ ସେ ମୁନିଙ୍କର ଅତି ପ୍ରିୟ ଶିଷ୍ୟ ଥିଲେ । ସେମାନଙ୍କୁ ସେ ମୁନି ସବୁ ଆଶ୍ଚର୍ଯ୍ୟ ଶକ୍ତିମାନ ପ୍ରଦାନ କରିଥିଲେ ।”

ଦିନେ ମୁନି ସେ ଦୁଇଜଣଙ୍କୁ ପାଖକୁ ଡାକି କହିଲେ, “ଏବେ ତୁମର ଶିକ୍ଷା ସମାପ୍ତ ହୋଇଛି । ତୁମେ ଦୁହେଁ ମୋର ଶିଷ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସ୍ଥାନ ପ୍ରାପ୍ତ କରିଛ । ଏଥର ତୁମେମାନେ ନିଜ ନିଜ ଘରକୁ ଫେରି ଗୃହସ୍ଥ ଜୀବନ ଯାପନ କର ।”

ଦୁଇଜଣ ଶିଷ୍ୟ ଗୁରୁଙ୍କ ଆଜ୍ଞା ପାଳନ କଲେ । ସେମାନେ ଗୁରୁଙ୍କୁ କହିଲେ, “ଗୁରୁଦେବ, ଆପଣ ଆମକୁ ଅଦ୍ଭୁତ ଶକ୍ତି ସମ୍ପନ୍ନ କରିଛନ୍ତି ଓ ଅଭିଶାପ ଦେବା ଶିଖାଇଛନ୍ତି । କିନ୍ତୁ ଅଭିଶାପ ଫେରାଇ ନେବାକୁ ଶିଖାଇ ନାହାଁନ୍ତି । କୃପାକରି ସେତକ ଶିଖାଇ ଦିଅନ୍ତୁ, ନହେଲେ ଘୋର୍ ଅନର୍ଥ ଘଟିବ ।”

ଏକଥା ଶୁଣି ମୁନି ସେମାନଙ୍କୁ ଆହୁରି କିଛିଦିନ ତାଙ୍କ ଆଶ୍ରମରେ ରହିବାକୁ କହିଲେ । ଦିନେ ସେ ଶକ୍ତିକିରଣଙ୍କୁ କହିଲେ, “ଅଭିଶାପରୁ ମୁକ୍ତ କରିବାର ଶିକ୍ଷା ପାଇଁ ତୁମକୁ କଠୋର ଶାଧନା କରିବାକୁ ହେବ । ଯେକୌଣସି ଲୋକ ସେଥିରେ ସିଦ୍ଧିପ୍ରାପ୍ତ କରିପାରିବ ନାହିଁ । କିନ୍ତୁ ମୁଁ ତୁମକୁ ତାହା ଅବଶ୍ୟ ଶିଖାଇବି ।”

ଶକ୍ତିକିରଣ ଏହା ଶୁଣି ବହୁତ ଖୁସି ହେଲେ । ତପସ୍ୟା ଆରମ୍ଭ ହେଲା । ଲୋକପ୍ରିୟଙ୍କୁ ମିତ୍ରସିଦ୍ଧ କହିଲେ, “ବତ୍ସ, ତୁମକୁ ମୁଁ ଏହି ବିଧି ଶିଖାଇ ପାରିବି ନାହିଁ, ତେଣୁ ତୁମର ଅଧିକ ସମୟ ଏଠାରେ ରହିବାର ଆଉ କୌଣସି ଆବଶ୍ୟକତା ନାହିଁ, ତୁମେ ଏଥର ଯାଇପାର । କିନ୍ତୁ ମନେ ରଖିଥିବ ବହୁତ ସାବଧାନତାର ସହିତ ଶକ୍ତି ପ୍ରୟୋଗ କରିବ ।” ଏତିକି କହିବା ପରେ ଆର୍ଶିବାଦ ଦେଇ ଲୋକପ୍ରିୟଙ୍କୁ ଗୁରୁ ମିତ୍ରସିଦ୍ଧ ଘରକୁ ପଠାଇ ଦେଲେ । ତା’ର କିଛିଦିନ ପରେ ଶାପମୋଚନର ବିଧି ଶିଖି ସାରିବା ପରେ ଶକ୍ତିକିରଣ ମଧ୍ୟ ଆପଣା ଘରକୁ ଫେରିଗଲେ ।

ଇତିମଧ୍ୟରେ ପାଞ୍ଚବର୍ଷ ବିତିଗଲା । ଦିନେ ରାଜା ଚାରୁସେନ୍ ମିତ୍ରଶିଦ୍ଧଙ୍କ ପାଖକୁ ରଥ ପଠାଇ ତାଙ୍କୁ ନିଜ ନଅରକୁ ନିମନ୍ତ୍ରଣ କଲେ । ପ୍ରକୃତରେ ରାଜା ରାଜଗୁରୁ ପଦ ପାଇଁ ଜଣେ ସିଦ୍ଧ ଗୁରୁଙ୍କୁ ରଖିବାକୁ ଚାହୁଁଥିଲେ । ତାଙ୍କ ପାଶ୍ୱର୍ଦ କର୍ମଚାରୀମାନେ ରାଜାଙ୍କୁ କହିଲେ ସେ ପଦବୀ ପାଇଁ ରାଜ୍ୟରେ ମାତ୍ର ଦୁଇଜଣ ହିଁ ସମର୍ଥ । ଜଣେ ଲୋକପ୍ରିୟ, ଓ ଅନ୍ୟଟି ଶକ୍ତିକିରଣ । ଇତିମଧ୍ୟରେ ଶକ୍ତିକିରଣଙ୍କ ନାମ ଖୁବ୍ ବିଖ୍ୟାତ ହୋଇଥାଏ । ତାଙ୍କ ଶକ୍ତି ବିଷୟରେ ତ ସମସ୍ତେ ଜାଣିଥିଲେ । ତେଣୁ ସମସ୍ତେ ତାଙ୍କୁ ସମ୍ମାନ କରୁଥିଲେ । କେହି କିଛି ଭୁଲ୍ କାମ ତାଙ୍କ ଉପସ୍ଥିତିରେ କରିବାକୁ ମୋଟେ ସାହସ କରୁ ନଥିଲେ । ସମସ୍ତେ ଠିକ୍ ଭାବରେ ସବୁକାମ କରି ଯାଉଥିଲେ । ତାଙ୍କର ମଧ୍ୟ ଶତାଧିକ ଶିଷ୍ୟ ଥିଲେ । ସେମାନଙ୍କ ମଧ୍ୟରୁ କେତେକ ଶକ୍ତିସେନା ବାହିନୀ ଗଠନ କରିଥିଲେ ଓ ଦେଶରେ କେଉଁଠି କିଛି ଗୋଳମାଳ ହେଲେ ସେମାନେ ସାହାଯ୍ୟ କରୁଥିଲେ ଓ ଦୋଷୀକୁ ଉପଯୁକ୍ତ ଦଣ୍ଡ ମଧ୍ୟ ଦେଉଥିଲେ । ତାଙ୍କର ଅଭିଶାପ ଦେବାର ଶକ୍ତି ବିଷୟ ଲୋକମାନେ ଅଳ୍ପ ବହୁତ ପରିଚିତ ଥିଲେ । ସେଥିପାଇଁ ତାଙ୍କ ସମ୍ମୁଖକୁ ଆସିବାକୁ ସମସ୍ତେ ଡରୁଥିଲେ ।

ମାତ୍ର ଲୋକପ୍ରିୟଙ୍କୁ ଲୋକମାନେ ଏତେଟା ସମ୍ମାନ ଦେଉନଥିଲେ । ତାଙ୍କର ମଧ୍ୟ କେତେକ ଶିଷ୍ୟ ଥିଲେ । ସେ ମଝିରେ ମଝିରେ ଜନତାଙ୍କ ଭିତରେ ଯାଇ ଧର୍ମ ପ୍ରଚାର କରୁଥିଲେ ଓ ନାନା ପ୍ରକାର ଧର୍ମତତ୍ତ୍ୱମୂଳକ ଗଳ୍ପ ସବୁ ଶୁଣାଉଥିଲେ; ଯାହା ଦ୍ୱାରା କି ଜନତା ସର୍ବଦା ସତ୍ମାର୍ଗରେ ଚାଲନ୍ତି । ସେମାନେ ତାଙ୍କୁ ବଡ ସ୍ନେହ କରୁଥିଲେ କିନ୍ତୁ ତାଙ୍କର ଅଦ୍ଭୁତ ଶକ୍ତି ବିଷୟରେ କେହି କିଛି ବି ଜାଣି ନଥିଲେ ।

ଚାରୁସେନ୍ ଶକ୍ତିକିରଣଙ୍କୁହିଁ ରାଜଗୁରୁ ପଦ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ, କିନ୍ତୁ ଶକ୍ତିକିରଣ ଚାହୁଁଥିଲେ କି ଏ ସମ୍ମାନ ତାଙ୍କ ବନ୍ଧୁ ଲୋକପ୍ରିୟକୁ ମିଳୁ । ତେଣୁ ସେ ରାଜାଙ୍କୁ କହିଲେ, “ଆମେ ଦୁହେଁ ପ୍ରାୟ ସବୁ ଦିଗରୁ ସମାନ । ତେଣୁ ରାଜଗୁରୁ ପଦ ପାଇଁ ଆମର ଯୋଗ୍ୟତା ବିଷୟ କେବଳ ଆମ ଗୁରୁ ହିଁ କହିପାରିବେ ।”

ତା’ପରେ ସେ ରାଜା ଏସବୁ କଥା ମୁନି ମିତ୍ରସିଦ୍ଧଙ୍କୁ କହିଲେ । ସେ କହିଲେ, “ଏକଥା ଠିକ୍ ନୁହେଁ ଯେ ମୋର ଦୁଇ ଶିଷ୍ୟ ସମାନ ଭାବରେ ଯୋଗ୍ୟ । ଯୋଗ୍ୟତା ଦୃଷ୍ଟିରୁ ଦେଖିଲେ ଲୋକପ୍ରିୟ ଅଧିକ ଶକ୍ତିସମ୍ପନ୍ନ । ତେଣୁ ତାକୁହିଁ ରାଜଗୁରୁ ପଦ ଦିଅନ୍ତୁ, ଏହାହିଁ ମୋର ଇଚ୍ଛା ।” ରାଜା ଆଉ କୌଣସି ଦ୍ୱନ୍ଦ ମନରେ ନ ରଖି ଶେଷରେ ଲୋକପ୍ରିୟଙ୍କୁ ହିଁ ରାଜଗୁରୁ ପଦ ଦେଲେ ।

ଗଳ୍ପଟି ଶେଷ କରି ବେତାଳ କହିଲା, “ରାଜନ୍, ଗୁରୁଙ୍କ ବ୍ୟବହାରରେ ତୁମେ କିଛି ଆଶ୍ଚର୍ଯ୍ୟ କଥା ଦେଖୁନାହଁ? ଏକଥା ମଧ୍ୟ ପ୍ରମାଣିତ ହୋଇଗଲା ଯେ ଗୁରୁ ଦୁଇ ଶିଷ୍ୟଙ୍କ ପ୍ରତି ନିରପେକ୍ଷ ନଥିଲେ, ପ୍ରଥମେ ସେ ଲୋକପ୍ରିୟକୁ ଘରକୁ ପଠାଇ ଦେଇ ଶକ୍ତିକିରଣଙ୍କୁ ଶାପମୁକ୍ତିର ଉପାୟ ଶିଖାଇ ଥିଲେ । ଏବେ ରାଜଗୁରୁ ପଦ ପାଇଁ ସେ ଲୋକପ୍ରିୟଙ୍କର ନାମ ଦେଇଥିଲେ । ଏହାର ଅର୍ଥ ଗୁରୁଙ୍କର କଥାରେ ଆଦୌ କିଛି ବି ଠିକ୍ ଠିକଣା ନାହିଁ । ମୁଁ ଏହାର ଅର୍ଥ କିଛି ବୁଝିପାରୁ ନାହିଁ । ରାଜନ୍ ତମେ ଏହାର ଉତ୍ତର ଜାଣିଥିଲେ ଦିଅ, ଆଉ ଜାଣି ଯଦି ନୀରବ ରହିବ, ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମ ଏଥର ମୌନଭଙ୍ଗ କରି କହିଲେ, “ବେତାଳ, ଶିଷ୍ୟ ଦୁଇଜଣ ଗୁରୁଙ୍କ କୃପାରୁ ସବୁଥିରେ ଯୋଗ୍ୟ ଥିଲେ । କିନ୍ତୁ ଶକ୍ତିକିରଣ କାହିଁକି ଶାପମୋଚନ ବିଦ୍ୟା ଶିଖିଲେ? ଯେହେତୁ ବରାବର ଶାପ ଦେଇ ଦେଇ ତାଙ୍କର ଶକ୍ତି ନିଃଶେଷ ହୋଇଯିବ ତେଣୁ ଶାପମୋଚନ ବିଦ୍ୟା ଶିଖାଇ ଗୁରୁ ଏଠାରେ ପକ୍ଷପାତିତା କରି ନାହାଁନ୍ତି ବରଂ ତଦ୍ୱାରା ଅନେକ ପରିସ୍ଥିତିରେ ସେ ନିଜକୁ ସମ୍ଭାଳିବାକୁ ଶିଖିଲା । ଲୋକପ୍ରିୟଙ୍କ ସକାଶେ ଶାପମୋଚନ ଶିଖିବାର କୌଣସି ଆବଶ୍ୟକତା ନାହିଁ । ଯେହେତୁ ସେ ଶାପ କେବେ ଦିଅନ୍ତି ନାହିଁ । ସେଥିପାଇଁ ଗୁରୁଙ୍କ ଚେତନାରେ ଲୋକପ୍ରିୟର ସ୍ଥାନ ଅଧିକ ଉଚ୍ଚରେ ଥିଲା । ସେହି କାରଣରୁ ରାଜପଦବୀ ପାଇଁ ସେ ଲୋକପ୍ରିୟର ନାମ ପ୍ରସ୍ତାବ କରିଦେଲେ । ଗୁରୁ ଶକ୍ତିକିରଣଙ୍କୁ ଶାପ ମୋଚନର ବିଧି ଶିଖାଇଥିଲେ, କାରଣ ଶାପ ଦେଇ ଅଯଥା ଅନର୍ଥ ସୃଷ୍ଟି କରି ପାପ କରିବାରୁ ନିଜକୁ ଅନ୍ତତଃ ସେ ରକ୍ଷା କରିପାରିବ । ଲୋକପ୍ରିୟ ଥିଲେ ଜ୍ଞାନୀ ଓ ସତ୍ସ୍ୱଭାବର । କ୍ରୋଧ ଓ ଶାପଦେବା ତାଙ୍କ ସ୍ୱଭାବ ପାଇଁ ଏକ ପ୍ରକାର ଅସମ୍ଭବ କଥା ଥିଲା । କାରଣ ତାଙ୍କର ଯେତେ ଶକ୍ତି ଥିଲେ ମଧ୍ୟ ସେ ସେସବୁର ଦୁରୁପଯୋଗ କରିବେ ନାହିଁ ବୋଲି ଗୁରୁ ଭଲ ଭାବରେ ଜାଣିଥିଲେ । ସେଥିପାଇଁ ଲୋକପ୍ରିୟଙ୍କୁ ରାଜଗୁରୁ ପଦ ଦେବାପାଇଁ ଗୁରୁ କହିଲେ । ଏଥିରୁ ପ୍ରମାଣ ହେଉଛି ଯେ ଯୋଗ୍ୟତାର ବା ଶ୍ରେଷ୍ଠତାର ବେଶି ମୂଲ୍ୟ ନାହିଁ । ସର୍ବାପେକ୍ଷା ମୂଲ୍ୟବାନ୍ ଗୁଣ ହେଲା ମଣିଷର ଚେତନା ଓ ସଂଯମ । ସେତକ ଲୋକପ୍ରିୟଙ୍କ ପାଖରେ ଥିଲା ।”

ବେତାଳ ଉତ୍ତର ପାଇ ଖୁସି ହୋଇ କହିଲା, “ରାଜନ୍, ସର୍ତ୍ତ ଅନୁସାରେ ତୁମର ମୌନଭଙ୍ଗ ହୋଇଛି – ଯଦିଓ ମୋର ପ୍ରଶ୍ନର ତୁମେ ସନ୍ତୋଷଜନକ ଉତ୍ତର ଦେଇଛି । ଏଥର ମୁଁ ଚାଲିଲି ।” ଏତିକି କହି ଶବ ସହିତ ବେତାଳ ବିକ୍ରମଙ୍କ କାନ୍ଧ ଉପରୁ ଖସିଯାଇ ପୁଣି ସେହି ବୃକ୍ଷ ଡାଳରେ ଝୁଲି ପଡିଲା

ଆଧାର ଓଡ଼ିଆ ଗପ

Last Modified : 10/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate