অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରଙ୍ଗୀନ୍ ମୟୂର

ରଙ୍ଗୀନ୍ ମୟୂର

ଉପକ୍ରମ

ବିଜୟନଗର ରାଜ୍ୟର ରାଜା କୃଷ୍ଣଦେବରାୟଙ୍କର ନାନାଦି କିସମର ଅଦ୍ଭୁତ ଜିନିଷ ସବୁ ସଂଗ୍ରହ କରିବାରେ ସଉକ୍ ଥିଲା । ରାଜାଙ୍କର ଏହି ସଉକ୍ ପୂରଣ କରିବାପାଇଁ ରାଜାଙ୍କ ପାରିଷଦ ବର୍ଗ ମଧ୍ୟ ସବୁ ସମୟରେ କେବଳ ଚେଷ୍ଟା କରୁଥାଆନ୍ତି । ମହାରାଜଙ୍କର ମନ କିଣିବା ସମସ୍ତଙ୍କର ଯେପରି ଗୋଟିଏ ଉଦ୍ଧେଶ୍ୟ । ଦିନେ ରାଜାଙ୍କର ଜଣେ ସେବକ ଆସି ରାଜାଙ୍କୁ କହିଲା, “ମହାରାଜ! ମୁଁ ଆପଣଙ୍କ ପାଇଁ ଏକ ଅଦ୍ଭୁତ୍ ଜିନିଷ ଆଣିଛି । ଆପଣ ତ କେବେବି ଲାଲ୍ ରଙ୍ଗର ମୟୂର ଦେଖି ନଥିବେ । ମୁଁ ଆପଣଙ୍କ ପାଇଁ ଏକ ସେଇ ଲାଲ୍ ରଙ୍ଗର ମୟୂର ଆଣିଛି । ଏହି ମୟୂରକୁ ମୁଁ ମଧ୍ୟପ୍ରଦେଶର ଘନ ଜଙ୍ଗଲରୁ ପାଇଲି ।” ସେବକର କଥା ଶୁଣିସାରିବା ପରେ ରାଜା ସେହି ମୟୂରଟିକୁ କିଛି ସମୟପାଇଁ ଚାହିଁଲେ । ରାଜାଙ୍କୁ ବଡ ତାଜୁବ୍ ଲାଗିଲା ଏହି ନାଲି ମୟୂରଟିକୁ ଦେଖି । ତାପରେ ରାଜା କହିଲେ, “ବାସ୍ତବିକ୍ ତୁମେ ମୋ ପାଇଁ ଏକ ଅଦ୍ଭୁତ ଜିନିଷ ଆଣିପାରିଛ । ମୁଁ ଏହାକୁ ଖୁବ୍ ଯତ୍ନର ସହିତ ରାଷ୍ଟ୍ରୀୟ ଉଦ୍ୟାନରେ ରଖିବି । ଆଚ୍ଛା! ତୁମେ କୁହ ଏହି ମୟୂର ସଂଗ୍ରହ କରିବାରେ ତୁମର କେତେ ଅର୍ଥ ଖର୍ଚ୍ଚ ହୋଇଛି?”

ବର୍ଣ୍ଣନା

ରାଜାଙ୍କ ପାଖରୁ ନିଜର ପ୍ରଶଂସା ଶୁଣି ସେ ସେବକଟିର ମନ ପୁରାପୁରି କୁଣ୍ଢେମୋଟ ହୋଇଗଲା । ତାପରେ ସେ ବିନମ୍ର ସହକାରେ ରାଜାଙ୍କୁ କହିଲା, “ମହାରାଜ! ଆପଣଙ୍କ ପାଇଁ ମୁଁ ମୋର ଦୁଇଜଣ ସେବକଙ୍କୁ ପୁରା ଇଣ୍ଡିଆ ବୁଲିବାପାଇଁ ପଠାଇଥିଲି । ଗୋଟିଏ ବର୍ଷ ସେମାନେ ଅଦ୍ଭୁତ ଦ୍ରବ୍ୟ ଖୋଜିବାରେ ଲାଗିଲେ । ଶେଷରେ ଯାଇ ମଧ୍ୟପ୍ରଦେଶର ଜଙ୍ଗଲରୁ ଆପଣଙ୍କ ପାଇଁ ଏହି ଲାଲ୍ ରଙ୍ଗର ମୟୂର ସେମାନେ ଆଣିଲେ । ମୁଁ ସେମାନଙ୍କ ପାଇଁ ପ୍ରାୟ ପଚାଶ ହଜାର ଟଙ୍କା ଖର୍ଚ୍ଚ କରିଛି ।” ସେବକର କଥା ଶୁଣି ରାଜା କୃଷ୍ଣଦେବରାୟ ସଂଗେ ସଂଗେ ତାଙ୍କ ମନ୍ତ୍ରୀଙ୍କୁ ଆଦେଶ ଦେଲେ, ରାଜକୋଷରୁ ତୁରନ୍ତ ପଚାଶହଜାର ଟଙ୍କା ଆଣି ସେ ସେବକକୁ ଦେବାକୁ । କେବଳ ସେତିକି ନୁହେଁ, ରାଜା ଆକର୍ଷଣୀୟ ପୁରସ୍କାର ଦେବା ପାଇଁ ମଧ୍ୟ ଘୋଷଣା କଲେ । ରାଜାଙ୍କ କଥା ଶୁଣି ସେ ସେବକର ମନ ପୁରା ଖୁସି । ତାପରେ ସେ ସେବକ ଜଣକ ତେନାଲୀରାମାଙ୍କ ଆଡକୁ କିପରି ଏକ ଅନ୍ୟ ପ୍ରକାର ଭାବରେ ଚାହିଁ ସେ ଦରବାର ତ୍ୟାଗ କଲେ । ତେନାଲୀରାମା ସେ ସେବକର ଏପରି ଚାହିଁବାରୁ ହିଁ ଜାଣିଦେଲେ ଯେ ଏହା ମଧ୍ୟରେ କିଛି ଗୋଟେ ଉଦ୍ଧେଶ୍ୟ ନିଶ୍ଚୟ ଅଛି ।

ତା’ପର ଦିନ ଠାରୁ ତେନାଲୀରାମା ତାଙ୍କର କାର୍ଯ୍ୟରେ ଲାଗିପଡିଲେ । ଅନୁସନ୍ଧାନ କରି ସେ ଜାଣିଲେ ଯେ, ଜଣେ ଚିତ୍ରକର ହିଁ ସେହି ମୟୂରର ବର୍ଣ୍ଣକୁ ଲାଲ୍ ରଙ୍ଗ ସାହାଯ୍ୟରେ ବଦଳାଇ ଦେଇପାରୁଛି । କାହିଁକି ନା’ ଆଜି ପର୍ଯ୍ୟନ୍ତ ଏହି ଧରାପୃଷ୍ଠରେ ଲାଲ୍ ରଙ୍ଗର ମୟୂର ସୃଷ୍ଟି ହିଁ ହୋଇନାହଁନ୍ତି । ତେନାଲୀରାମା ସଂଗେ ସଂଗେ ଆଉ ଚାରୋଟି ଲାଲ୍ ମୟୂର କରିବା ପାଇଁ ବରାଦ୍ ଦେଲେ । ତହିଁ ଆରଦିନ ଲାଲ୍ ମୟୂରମାନଙ୍କ ସହିତ ଚିତ୍ରକରକୁ ଧରି ତେନାଲୀରାମା ରାଜାଙ୍କ ଦରବାରରେ ଯାଇ ପହଁଚିଲେ । ତାପରେ ସେ ରାଜାଙ୍କୁ କହିଲେ, “ମହାରାଜ୍! ଦେଖନ୍ତୁ ମୁଁ ଆପଣଙ୍କ ପାଇଁ ଗୋଟେ ନୁହେଁ ଚାରି ଚାରିଟା ଲାଲ୍ ମୟୂର ନେଇ ଆସିଛି ।” ତେନାଲୀରାମାଙ୍କ ସହିତ ପୁଣି ଆଉ ଚାରିଟା ମୟୂର ଦେଖି ରାଜା ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲେ । ତେଣୁ ରାଜା ସଂଗେ ସଂଗେ ତାଙ୍କ ମନ୍ତ୍ରୀଙ୍କୁ କହି ତେନାଲୀରାମାଙ୍କ ପାଇଁ ପଚାଶହଜାର ଟଙ୍କାର ଅର୍ଥ ବ୍ୟବସ୍ଥା କରିଦେଲେ । ରାଜା ଏହି ଅର୍ଥ ପ୍ରଦାନ କରିବା ସମୟରେ ତେନାଲୀରାମା ରାଜାଙ୍କୁ କହିଲେ, “ମହାରାଜ! ପ୍ରକୃତ ପୁରସ୍କାରର ଯୋଗ୍ୟ ହେଉଛନ୍ତି ଏହି ଚିତ୍ରକର ଜଣକ । ଯିଏ କି ନିଜ କଳାର ଯାଦୁ ବଳରେ ମୟୂରର ଅସଲ ରଙ୍ଗ ପରିବର୍ତ୍ତନ କରି ଲାଲ୍ ରଙ୍ଗ ଦେଇ ପାରନ୍ତି । ସେବକ ଜଣକ ଯେଉଁ ମୟୂରକୁ ମଧ୍ୟପ୍ରଦେଶର ଘଂଚ ଜଙ୍ଗଲ ମଧ୍ୟରୁ ପାଇଥିଲେ ବୋଲି କହିଥିଲେ, ପ୍ରକୃତରେ ସେ ସେଠାରୁ ତାକୁ ନଆଣି ଏହି ବ୍ୟକ୍ତିଙ୍କ ଠାରୁ ଆଣିଛନ୍ତି ।” ରାଜା ଏଥର ପ୍ରକୃତ ସତ କଥା ଜାଣିପାରି ଉକ୍ତ ବ୍ୟକ୍ତିକୁ ପଚାଶ ହଜାର ଟଙ୍କା ଫେରାଇବାକୁ ଆଦେଶ ଦେବା ସଂଗେ ସଂଗେ ତାକୁ ପାଂଚହଜାର ଟଙ୍କା ଜୋରିମାନା ମଧ୍ୟ ଦେବାକୁ କହିଲେ । ବିଚରା ସେବକଟି ଏବେ କରିବ ବା କ’ଣ? ଏଣିକି ସେ କେବଳ ନିଜର କାନମୁଣ୍ଡ ଆଉଁସି ତା ଘରକୁ ଫେରିଲା । ରାଜା ତେନାଲୀରାମାଙ୍କ ବିଚକ୍ଷଣ ବୁଦ୍ଧିକୁ ପ୍ରଶଂସା କରିବା ସଂଗେ ସଂଗେ ସେ ଚିତ୍ରକରକୁ ମଧ୍ୟ ଉପସ୍କାର ପୁରସ୍କାର ପ୍ରଦାନ କଲେ ।

ଆଧାର ଓଡ଼ିଆ ଗପ

Last Modified : 1/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate