ସେଆର କରନ୍ତୁ

ସମ୍ରାଟ ଅଶୋକ

ସମ୍ରାଟ ଅଶୋକ ର କାହାଣୀ

ଉପକ୍ରମ

(ମଗଧ ସିଂହାସନର ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିବା ପୂର୍ବରୁହିଁ ବିନ୍ଦୁସାରଙ୍କର ଦେହାନ୍ତ ଘଟିଲା । ସୁଶେମ ମହାରାଜାଙ୍କ ମୃତ୍ୟୁ ଖବର ପାଇଲେ ମଧ୍ୟ ସେ ଆଉ ତକ୍ଷଶିଳାରୁ ଯାତ୍ରା କଲେ ନାହିଁ । ଉଜ୍ଜୟିନୀରୁ କିଛି ସୈନିକଙ୍କୁ ସଙ୍ଗରେ ଧରି ଅଶୋକ ପାଟଳିପୁତ୍ରରେ ଯାଇ ପହଁଚିଲେ । ତାଙ୍କୁ ମାରିବା ପାଇଁ ହୋଇଥିବା ଷଡଯନ୍ତ୍ର ବିଫଳ ହେଲା । ଏହି ସଂଘର୍ଷରେ ଛଅଜଣଯାକ ରାଜ କୁମାର ନିଜ ପ୍ରାଣ ହରାଇଲେ । ବରିଷ୍ଠ ଲୋକମାନଙ୍କର ନିର୍ଣ୍ଣୟ ଓ ଆଦେଶ ଅନୁସାରେ ଅଶୋକ ତାଙ୍କ ପିତାଙ୍କ ଚିତାରେ ଅଗ୍ନି ସଂଯୋଗ କଲେ । ପ୍ରଧାନମନ୍ତ୍ରୀ, ରାଜ ପରାମର୍ଶଦାତା ଓ ସେନାଧ୍ୟକ୍ଷଙ୍କ ସହ ପରାମର୍ଶ କରି ସ୍ଥିର ନିଶ୍ଚିତ ହେଲେ ଯେ ରାଜସିଂହାସନ ଆରୋହଣର ଯୋଗ୍ୟତା କେବଳ ଯୁବରାଜ ଅଶୋକଙ୍କ ଠାରେହିଁ ରହିଛି । ତେଣୁ ତାଙ୍କର ରାଜ୍ୟାଭିଷେକ ହେବ । ଏହା ପରେ ଆଗକୁ ପଢନ୍ତୁ -)

ବର୍ଣ୍ଣନା

ମହାରାଜା ବିନ୍ଦୁସାରଙ୍କ ମୃତ୍ୟୁ ଖବର ମଗଧବାସୀଙ୍କୁ ଦାରୁଣ ଆଘାତ ଦେଲା । ତତ୍ ସହିତ ଛଅଜଣ ରାଜ କୁମାରଙ୍କର ବିନାଣ ଆହୁରି ଅଧିକ ମର୍ମସ୍ପର୍ଶୀ ଥିଲା । କିନ୍ତୁ ସେମାନେଯେତେବେଳେ ଏହା ଜାଣି ପାରିଲେ ଯେ, ରାଜ କୁମାରଙ୍କର ଦୁରାଶା ଓ ବିନାଶକାରୀ ବୁଦ୍ଧି ହିଁ ସେମାନଙ୍କର ଦୁଃଖର କାରଣ, ତାହା ସେମାନଙ୍କୁ କେତେକାଂଶରେ ଆଶ୍ୱସ୍ତ କଲା ।

ଠିକ୍ ଅର୍ଦ୍ଧରାତ୍ର ସମୟରେ ପ୍ରଧାନମନ୍ତ୍ରୀ ଅଶୋକଙ୍କୁ ରାଜ୍ୟାଧିକାର ଅର୍ପଣ କଲେ । ଅଶୋକ ସିଂହାସନ ଆରୂଢ ହେଲେ ମଧ୍ୟ ସେ ମୁକୁଟ ପରିଧାନ କଲେ ନାହିଁ । ସେ କହିଲେ “ଏପରି ବିଷାଦପୂର୍ଣ୍ଣ ପରିସ୍ଥିତିରେ ରାଜ୍ୟାଭିଷେକ ପାଇଁ ମୁଁ ମୋଟେ ଇଚ୍ଛା ପ୍ରକାଶ କରୁନାହିଁ । ଏହି ସମୟ ମୁକୁଟାଭିଷେକର ଉତ୍ସବ ପାଇଁ ଯମା ଅନୁକୂଳ ନୁହେଁ ।”

ମନ୍ତ୍ରୀଗଣ, ସେନାଧ୍ୟକ୍ଷ ଆଦି ଅଶୋକଙ୍କର ଏହି ଅଭିପ୍ରାୟକୁ ଅଭିନନ୍ଦନ ଜଣାଇଲେ । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ନିଶ୍ଚିନ୍ତ ଅନୁଭବ କରୁ ନ ଥିଲେ । ସେମାନଙ୍କର ଚିନ୍ତାର ମୁଖ୍ୟ କାରଣ ଥିଲା ବିନ୍ଦୁସାରଙ୍କ ଜ୍ୟେଷ୍ଠପୁତ୍ର ସୁଶେମ ଯେ କୌଣସି ମୁହୂର୍ତ୍ତରେ ତକ୍ଷଶିଳାରେ ଆସି ପହଁଚିବେ ଓ କେଉଁ ପ୍ରକାରର ତାଣ୍ଡବଲୀଳା ଆରମ୍ଭ କରିବେ । ତକ୍ଷଶିଳା ଠାରେ ସୁଶେମ ଏବେଯାଏଁ ନର୍ତ୍ତକୀମାନଙ୍କର କଥାକୁ ବିଶ୍ୱାସ କରୁଥିଲେ ଯେ ଅଶୋକ ପକ୍ଷାଘାତ ରୋଗଗ୍ରସ୍ତ ଓ ଚଳତ୍ଶକ୍ତିହୀନ । ତେଣୁ ସେ ନିଶ୍ଚିନ୍ତ ମନରେ ସେଠାରେ ନିଜର ସମୟ ବିତାଉ ଥିଲେ । ଏହା ପରେ ସୁଶେମଙ୍କ ମା’ ଗୋପନୀୟ ଭାବରେ ତାଙ୍କ ପୁତ୍ର ନିକଟକୁ ଏକ ପତ୍ର ପଠାଇଲେ, ଯେଉଥିରେକି ଲେଖାଥିଲା “ତୁମର ପିତାଶ୍ରୀଙ୍କର ଦେହାନ୍ତ ଘଟିଛି । କିନ୍ତୁ ତୁମେ ଏବେ ପାଟଳିପୁତ୍ର ଆସିବ ନାହିଁ ।” ସେହି ପତ୍ର ପଢି ସୁଶେମ କ୍ଷଣକ ପାଇଁ ସ୍ତମ୍ଭିତ ରହିଗଲେ । ପତ୍ରବାହକ ଉପରେ ତାଙ୍କର ସନ୍ଦେହ ହେଲା ।

ମହାରାଜାଙ୍କ ମୃତ୍ୟୁ, ତାଙ୍କର ଦାହ-ସଂସ୍କାର ପୂର୍ବର ସଂଘର୍ଷ ରାଜକୁମାରମାନଙ୍କର ନିହତ ହେବା କଥା ଓ ଶେଷରେ ଅଶୋକଙ୍କର ରାଜସିଂହାସନ ଆରୋହଣ ଆଦି ବିବରଣୀ ଦୂତଠାରୁ ସୁଶେମ ସବିସ୍ତାରେ ଶୁଣିଲେ । ଏହା ପରେ ସେ ଗର୍ଜିଉଠି କହିଲେ, “ରେ ବିଧାତା! କେତେ ବଡ ଦୁର୍ଘଟଣା ଘଟିଗଲା? ମୁଁ ସେ ଦାସୀ-ପୁତ୍ରକୁ ଜୀବନରେ ଆଉ ରଖିବି ନାହିଁ । ଏବେ ଏଇ ମୁହୂର୍ତ୍ତରେ ତାକୁ ମୋ ଖଡ୍ଗରେ ଖଣ୍ଡ ଖଣ୍ଡ କରିଦେବି, ଯଥାଶୀଘ୍ର ପାଟଳୀପୁତ୍ର ଯାତ୍ରାର ଆୟୋଜନ କର । ଦଳପତିଙ୍କୁ ଖବର ଦିଅ ।”

ପତ୍ରବାହକ ବିନୀତ ହୋଇ ହାତ ଯୋଡି କହିଲା “ମହାରାଣୀ ଆପଣଙ୍କୁ ପାଟଳୀପୁତ୍ର ଯାତ୍ରା ନ କରିବା ପାଇଁ ଚେତାବନୀ ଦେଇଛନ୍ତି ।”

“ଚୁପ୍ କର ।” ଏହା କହି ସେ ପତ୍ରବାହକକୁ ଏକ ଧକ୍କା ପକାଇ ସୁଶେମ କହିଲେ, “ମୋର କଥା ଚୁପ୍ଚାପ୍ ପାଳନ କର । ପିତାଶ୍ରୀ ତ ପ୍ରଥମରୁ ନିର୍ଣ୍ଣୟ କରିଥିଲେ ଯେ ମୁଁ ହିଁ ଏ ଦେଶର ଭାବୀ ମହାରାଜ । ଦାହ ସଂସ୍କାର ସମୟରେ ମୋର ଅନୁପସ୍ଥିତିରୁ ସୁଯୋଗ ନେଇ ଆଉ କେହି ମଧ୍ୟ ତାଙ୍କର ସେ ନିଷ୍ପତିକୁ ବଦଳାଇ ପାରିବେ ନାହିଁ । ଏପରି ମନମୁଖୀ ନିଷ୍ପତି ଶୁଣାଇବାର ଧୃଷ୍ଟତା କିଏ କରିପାରେ? ନିଶ୍ଚୟ ଏହା ସେହି ଧୂର୍ତ୍ତ, ଶୃଗାଳ ଭଲ୍ଲାଟକର ଷଡଯନ୍ତ୍ର ଅଟେ ।” ଏପରି କହି ସୁଶେମ ତାଙ୍କ ପାଦକୁ ଭୂଇଁରେ କଚାଡି କଚାଡି ଆହତ ସର୍ପ ପରି ଉତ୍ତେଜିତ ହୋଇ ଉଠୁଥିଲେ ।

ପ୍ରଧାନମନ୍ତ୍ରୀ, ସେନାଧ୍ୟକ୍ଷଙ୍କୁ ଯୁବରାଜ ସୁଶେମଙ୍କର ଏକ ବିଶାଳ ସୈନ୍ୟବାହିନୀ ସହ ପାଟଳୀପୁତ୍ର ଆଗମନ ସମାଚାର ଅତ୍ୟନ୍ତ ବିଚଳିତ କଲା । କେଉଁ ପ୍ରକାର ପଦକ୍ଷେପ ନେବା ସମୁଚିତ ହେବ, ତାହା ସ୍ଥିର କରିବା ପାଇଁ ଅଶୋକ ସମସ୍ତଙ୍କୁ ଗୋପନ କକ୍ଷକୁ ଡକାଇଲେ । ଅଶୋକ ସେମାନଙ୍କୁ କହିଲେ, “ଆପଣ ସମସ୍ତେ ତ ଜାଣି ସାରିଥିବେ ଯେ ସୁଶେମ ସେନା ବାହିନୀ ସହ ପାଟଳିପୁତ୍ର ଅଭିମୁଖେ ଯାତ୍ରା କରିଛନ୍ତି । ଏବେ ଆମ ପକ୍ଷରେ କ’ଣ କରିବା ସମୁଚିତ ତାହା ଆପଣମାନେ ସ୍ଥିର କରନ୍ତୁ ।”

କାହାରି ଠାରୁ କିଛି ହେଲେବି ପ୍ରତ୍ୟୁତ୍ତର ମିଳିଲା ନାହିଁ । ସମସ୍ତେ ନିରୁତ୍ତର ରହିଲେ । ଅଶୋକ ନିରବତାର ବାତାବରଣ ଭଗ୍ନ କରି ପୁନଶ୍ଚ କହିଲେ, “ବନ୍ଧୁଗଣ, ମୌନ ରହିବାର ସମୟ ଏ ନୁହେଁ । ଆପଣମାନେ ମଗଧର ଶୁଭାକାଂକ୍ଷୀ ଅଟନ୍ତି । ମୁଁ ଆପଣଙ୍କର ପରାମର୍ଶ ଲୋଡୁଛି ।”

“ପ୍ରଭୁ, ଆପଣ ମୁକୁଟାଭିଷେକ ପାଇଁ ଅସମ୍ମତ ହେଲେ । ତେବେ ମଧ୍ୟ ଆପଣ ଆମର ମହାରାଜ । ଶତ୍ରୁ ଆକ୍ରମଣ ସମୟରେ ରାଜାଙ୍କର ଯାହା କର୍ତ୍ତବ୍ୟ, ତାହା ଆପଣ ପାଳନ କରନ୍ତୁ । ମହାରାଜ ଭାବରେ ଏପରି ନିର୍ଣ୍ଣୟ ନେବାର ସମସ୍ତ ଅଧିକାର ଆପଣଙ୍କର ରହିଛି ।” ଏପରି କହି ଭଲ୍ଲାଟକ ଅନ୍ୟ ପାରିଷଦ ବର୍ଗଙ୍କୁ ଚାହିଁଲେ । ସମସ୍ତେ ସମସ୍ୱରରେ କହିଲେ, “ଯୁଦ୍ଧ ହିଁ ଏକମାତ୍ର ମାର୍ଗ ।”

ଅଶୋକ କହିଲେ “ଆପଣଙ୍କ ଏହି ପରାମର୍ଶ ପାଇଁ ଅଶେଷ ଧନ୍ୟବାଦ । କିନ୍ତୁ ମୁଁ ସୁଶେମଙ୍କୁ ଆଉ ଏକ ସୁଯୋଗ ଦେବା ପାଇଁ ଚାହୁଁଛି ।”

ପ୍ରଧାନମନ୍ତ୍ରୀ ପ୍ରଶ୍ନ କଲେ “କିପରି ସୁଯୋଗ?”

ଅଶୋକ କହିଲେ “ସୁଶେମ ବିନା ଆକ୍ରମଣରେ ଏଠାରୁ ଫେରିଗଲେ, ସେ ପୂର୍ବବତ୍ ତକ୍ଷଶିଳାର ରାଜ ପ୍ରତିନିଧି ରୂପେ କାମ କରିବେ ।”

“ଆପଣଙ୍କ ଅଧୀନରେ ରାଜପ୍ରତିନିଧି ରୂପେ କାମ କରିବା ତାଙ୍କ ପକ୍ଷରେ ଆଦୌ ସମ୍ଭବ ନୁହେଁ । ସେ ଏଠାରୁ ଫେରିଯିବା ମାତ୍ରେ ନିଶ୍ଚୟ ନିଜକୁ ସ୍ୱାଧୀନ ଘୋଷଣା କରିବେ ଓ ନିଶ୍ଚୟ କିଛି ଷଡଯନ୍ତ୍ର ଭିଆଇବେ । ଏହା ଫଳରେ ସାରା ଦେଶରେ ଅଶାନ୍ତି ବ୍ୟାପିବ ଓ ରାଜ୍ୟର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହେବ ।” ଜଣେ ମନ୍ତ୍ରୀ ଏପରି କହିଲେ ।

ପ୍ରଧାନମନ୍ତ୍ରୀ କିଛି ସମୟ ଚିନ୍ତା କରିବା ପରେ କହିଲେ, “ମନ୍ତ୍ରୀଙ୍କର ଏହି ମତ ଆଦୌ ଅତିଶୟୋକ୍ତି ନୁହେଁ । ତାଙ୍କର ଆଶଙ୍କା ଶତ ପ୍ରତିଶତ ସତ୍ୟ ଅଟେ । ମହାରାଜା ଅଶୋକଙ୍କର ଉଦାରତାର କୌଣସି ପଟାନ୍ତର ନାହିଁ । ତେଣୁ ସୁଶେମଙ୍କୁ ଆଉ ଗୋଟିଏ ଥର ସୁଯୋଗ ଦିଆ ଯାଉ । ସେ ତକ୍ଷଶିଳା ପ୍ରତ୍ୟାବର୍ତ୍ତନ କରି ଯଥାବତ୍ ରାଜ ପ୍ରତିନିଧିର ଦାୟିତ୍ୱ ତୁଲାଇବେ । ମାତ୍ର ସେ ଯଦି ନିଜକୁ ସ୍ୱାଧୀନ ଘୋଷଣା କରି କିଛି ଅନିଷ୍ଟ କରି ବସନ୍ତି, ତେବେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାହେବ ।”

ଅଶୋକ ପ୍ରଶ୍ନ କଲେ “ଆମେ ଆମର ଏହି ସିଦ୍ଧାନ୍ତ ସମ୍ବନ୍ଧରେ ସୁଶେମଙ୍କୁ କିପରି ଜଣାଇ ପାରିବା?”

ପ୍ରଧାନମନ୍ତ୍ରୀ ଭଲ୍ଲାଟକ ପ୍ରସ୍ତାବ ଦେଲେ “ମୁଁ ଏହି ଦାୟିତ୍ୱ ଗ୍ରହଣ କରୁଛି । ନଗରର ସୀମାରେଖା ନିକଟରେ ହାତରେ ପୁଷ୍ପହାର ଧରି ମୁଁ ତାଙ୍କୁ ସ୍ୱାଗତ କରିବି । ସେଠାରେ ଦ୍ୱାର ଓ ତୋରଣର ବନ୍ଦୋବସ୍ତ ହେବ । ଜଣେ, ଦୁଇଜଣ ପ୍ରମୁଖ ରାଜ୍ୟାଧିକାରୀ ମୋ ସହିତ ରହିବେ । ଅସ୍ତ୍ରଧାରୀ ସୈନିକଙ୍କର ସେଠାରେ ରହିବା ଠିକ୍ ନୁହେଁ । ଏହା ଦେଖି ସୁଶେମ ଠିକ୍ ବୁଝି ପାରିବେ ଯେ, ଯୁଦ୍ଧ ନୁହେଁ ବରଂ ଶାନ୍ତି ଆମର ଅଭିପ୍ରାୟ ଅଟେ । ତାଙ୍କ ନିକଟକୁ ଯାଇ ପୁଷ୍ପହାର ପିନ୍ଧାଇବା ପରେ ମୁଁ ଆପଣଙ୍କ ପ୍ରସ୍ତାବ ତାଙ୍କୁ ଜଣାଇବି ।”

ଅଶୋକ କହିଲେ “ଆପଣଙ୍କ ଧୈର୍ଯ୍ୟକୁ ମୁଁ ପ୍ରଶଂସା ନ କରି ଆଉ ରହି ପାରୁ ନାହିଁ । ତେବେ ମୋ ମନରେ ଭୟ ଜାତ ହେଉଛି ଯେ ଏହା ଆପଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ।”

ପ୍ରଧାନମନ୍ତ୍ରୀ କହିଲେ “ମୁଁ ଯେଉଁ ପଦକ୍ଷେପ ନେବାକୁ ଯାଉଛି ତାହା ବିପଦପୂର୍ଣ୍ଣ ଅଟେ । ତେବେ ମୋତେ ମାରିଦେଲେ ଯୁବରାଜଙ୍କର କ’ଣ ବା ଏମିତି ଲାଭ ହେବ? ବରଂ ଏହା ତାଙ୍କ ଜୀବନ ପାଇଁ ଅଧିକ ବିପଦ ସୃଷ୍ଟି କରିବ । ମଗଧ ସାମ୍ରାଜ୍ୟର ରକ୍ଷା ତଥା ଶାନ୍ତି ସ୍ଥାପନା ନିମନ୍ତେ ମୁଁ ମୋର ପ୍ରାଣବଳୀ ମଧ୍ୟ ଦେବା ପାଇଁ ସଦା ପ୍ରସ୍ତୁତ ।”

ଅଶୋକ କହିଲେ “ଆପଣଙ୍କର ରାଜଭକ୍ତି ଅତୁଳନୀୟ । ଆପଣଙ୍କର ଏହି ସାହସିକ ପଦକ୍ଷେପ ସାଫଲ୍ୟମଣ୍ଡିତ ହେଉ । ଏହା ହିଁ ମୋର ଆନ୍ତରିକ କାମନା”

ସୁଶେମ ନଗରର ଦ୍ୱାର ଦେଶରେ ପହଁଚିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଭଲ୍ଲାଟକ ହାତରେ ପୁଷ୍ପହାର ଧରି ସେଠାରେ ଉପସ୍ଥିତ ଥିଲେ । ସୁଶେମଙ୍କୁ ଦେଖିବାକ୍ଷଣି ସେ ପୁଷ୍ପହାର ପିନ୍ଧାଇବା ଉଦ୍ଧେଶ୍ୟରେ ଆଗକୁ ଗଲେ ।

ନଗର ନିକଟତର ହେବା ସମୟରୁ ସୁଶେମଙ୍କର କ୍ରୋଧ ବହୁଗୁଣିତ ହୋଇ ଉଠୁଥାଏ । ସେ ତାଙ୍କର ସଙ୍ଗୀମାନଙ୍କୁ କହୁଥାନ୍ତି, “ଯେତେବେଳେ ଯାଏଁ ମୁଁ ରାଜଭବନରେ ପ୍ରବେଶ କରି ସିଂହାସନାସୀନ ହୋଇନାହିଁ, ସେତେବେଳଯାଏଁ ଆମର ଗତିପଥରେ ଯିଏ ବି ବାଧା ସୃଷ୍ଟି କରିବ, ତା’କୁ ମୁଁ ହତ୍ୟା କରିବି ।” ଦ୍ୱାର ଦେଶରେ ପ୍ରଧାନମନ୍ତ୍ରୀ ଭଲ୍ଲାଟକଙ୍କୁ ଠିଆ ହୋଇଥିବାର ଦେଖି ସୁଶେମ କ୍ରୋଧରେ ଅନ୍ଧ ହୋଇଗଲେ । ତତ୍କ୍ଷଣାତ୍ ତରବାରୀରେ ସେ ତାଙ୍କର ଶିର ସ୍କନ୍ଧଚ୍ୟୁତ କଲେ ।

ପ୍ରଧାନମନ୍ତ୍ରୀଙ୍କ ପୁତ୍ର ତଥା ଜଣେ ଦଳନାୟକ କିଛି ଦୂରରେ ଠିଆ ହୋଇଥିଲେ । ସେ ତାଙ୍କ ପିତାଙ୍କର ଏପରି ଦୁର୍ଦ୍ଦଶା ଦେଖି ନିକଟସ୍ଥ ସୈନିକଙ୍କୁ ସୁଶେମଙ୍କର ଶିରଚ୍ଛେଦ ପାଇଁ ଆଦେଶ ଦେଲେ । ସୁଶେମ ଆଉ ପାଦଟିଏ ବି ଆଗକୁ ବଢି ପାରିଲେ ନାହିଁ । ସେହିଠାରେହିଁ ତାଙ୍କର ମୁଣ୍ଡକାଟ ହେଲା । ତକ୍ଷଶିଳାରୁ ଆଗତ ସୈନିକମାନେ ଆଉ ପାଦଟିଏ ମଧ୍ୟ ଆଗକୁ ଆସି ପାରିଲେ ନାହିଁ । ସେମାନେ କ୍ଷମାଭିକ୍ଷା କରି ମଗଧ ସୈନ୍ୟବାହିନୀ ସହ ସାମିଲ୍ ହୋଇଗଲେ ।

ଶାନ୍ତିର ଦୂତରୂପେ ଦଣ୍ଡାୟମାନ ନିରାୟୁଧ ପ୍ରଧାନମନ୍ତ୍ରୀଙ୍କୁ ଏପରି ନିର୍ଦ୍ଦୟରୂପେ ହତ୍ୟା କରିବା ସମ୍ବନ୍ଧରେ ଜାଣିଲା ପରେ ଅଶୋକ ଅତ୍ୟନ୍ତ ବ୍ୟଥିତ ହେଲେ । ତାଙ୍କ ପଦରେ ରଥଗୁପ୍ତଙ୍କୁ ନିଯୁକ୍ତ କରାହେଲା । ଶତ୍ରୁଗଣଙ୍କର ସମୂଳେ ବିନାଶ ଘଟିବାରୁ ରାଜ୍ୟରେ ଶାନ୍ତି ସ୍ଥାପନା ସମ୍ଭବପର ହେଲା । ଅଶୋକ ତାଙ୍କ ପ୍ରଜାମାନଙ୍କ ପାଇଁ ସକଳ ପ୍ରକାରର ସୁଖ ସୁବିଧାର ବ୍ୟବସ୍ଥା କରାଇଲେ, କ୍ରମେ ଅଶୋକଙ୍କର ଶାସନ-ପଦ୍ଧତି ବେଶ୍ ଲୋକପ୍ରିୟ ହେଲା । ପୁରୁଖା ପ୍ରଜାଗଣ କହିଲେ ଅଶୋକ ମହାରାଜା ହିସାବରେ ସମ୍ରାଟ ଚନ୍ଦ୍ରଗୁପ୍ତଙ୍କ ସହିତ ତୁଳନୀୟ ଅଟନ୍ତି ।

ଅଶୋକଙ୍କ ମୁକୁଟାଭିଷେକର ଶୁଭ ମୁହୂର୍ତ୍ତ ସ୍ଥିର ହେଲା । ମହାରାଣୀ ବିଦିଶା ଦେବୀ ବୌଦ୍ଧ ଧର୍ମାବଲମ୍ବୀ ଥିଲେ । ଏହା ବ୍ୟତୀତ ବିଦିଶା ଦେବୀଙ୍କର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଏତେ ଭଲ ରହୁ ନ ଥିଲା । ବୈଦ୍ୟଙ୍କ ପରାମର୍ଶ ଅନୁଯାୟୀ, ତାଙ୍କ ପକ୍ଷରେ ଦୂରଯାତ୍ରାକୁ ବାରଣ କରାଯାଇଥିଲା । କିନ୍ତୁ ଏତେ ସବୁ ସମସ୍ୟା ସତ୍ତ୍ୱେ ମୁକୁଟାଭିଷେକ ସ୍ଥଗିତ ରଖିବା ମଧ୍ୟ ସମ୍ଭବ ନ ଥିଲା । ଏହି ସବୁ ଘଟଣାକୁ ଆଖି ଆଗରେ ରଖି ନୂତନ ପ୍ରଧାନମନ୍ତ୍ରୀ ରଥଗୁପ୍ତ ଅଶୋକଙ୍କୁ କହିଲେ, “ପ୍ରଭୁ, କ୍ଷମା କରିବେ, ପରିସ୍ଥିତି ମୋତେ ଏହା କହିବା ପାଇଁ ବାଧ୍ୟ କରୁଛି । ଆପଣ ତ ନିଶ୍ଚୟ ଅବଗତ ଥିବେ ଯେ ବିଦିଶା ଦେବୀଙ୍କ ସ୍ୱାସ୍ଥ୍ୟ ଏବେ କିଛି ଦିନ ହେଲା ମୋଟେ ଭଲ ରହୁନାହିଁ । ଆପଣଙ୍କ ପୁତ୍ର ଯୁବରାଜ ମହେନ୍ଦ୍ରଙ୍କୁ ମଧ୍ୟ ବୌଦ୍ଧ ଧର୍ମର ନିୟମାବଳୀ ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରାଯାଉଛି । ଯେଉଁ ଯୁବରାଜଙ୍କର ଯୁଦ୍ଧ ଉପରେ ଆସ୍ଥା ରହିବ ନାହିଁ, ସେ ଭବିଷ୍ୟତରେ ରାଜ୍ୟର ପ୍ରତିରକ୍ଷା କିପରି କରିବେ ସେ ଉପରେ ଆମେ ସନ୍ଦିହାନ । ଆପଣ ଏହି ସତ୍ୟ ସହିତ ଭଲଭାବେ ପରିଚିତ ଅଟନ୍ତି ଯେ – ବୀରଭୋଗ୍ୟା ବସୁନ୍ଧରା । ତେଣୁ ରାଜ୍ୟର ଭବିଷ୍ୟତକୁ ଦୃଷ୍ଟିରେ ରଖି ଆପଣ ଅନ୍ୟ ଏକ ବିବାହ କରନ୍ତୁ । ଏହା ବ୍ୟତୀତ କାହିଁ ଅନ୍ୟ କୌଣସି ଉପାୟ ମୋ ବିଚାରକୁ ଆସୁନାହିଁ ।”

ଅଶୋକ ମନ୍ତ୍ରୀଙ୍କ ପ୍ରସ୍ତାବ ସଙ୍ଗେ ସଙ୍ଗେ ପ୍ରତ୍ୟାଖ୍ୟାନ କଲେ । କିନ୍ତୁ ଏହି କଥା ବିଦିଶା ଦେବୀ ଜାଣିବା ପରେ ଯଶଙ୍କ ହାତରେ ଅଶୋକଙ୍କ ନିକଟକୁ ସେ ଏକ ସନ୍ଦେଶ ପ୍ରେରଣ କଲେ, “ଦିନକୁ ଦିନ ମୋର ସ୍ୱାସ୍ଥ୍ୟ ତ କ୍ଷୀଣ ହୋଇ ଆସୁଛି । ରାଜପତ୍ନୀ ରୂପେ ମୋର ଯାହା କର୍ତ୍ତବ୍ୟ ତାହା ମୁଁ ପାଳନ କରିବା ସମ୍ଭବ ହେଉନାହିଁ । ତେଣୁ ମୁଁ ଭାବୁଛି ଯେ, ଆପଣ ଅନ୍ୟ କେଉଁ ରାଜକୁମାରୀଙ୍କୁ ବିବାହ କରିବା ଶ୍ରେୟସ୍କର ହେବ ।” ବିଦିଶା ତାଙ୍କର ଅନୁରୋଧ ପାଳନ କରିବା ପାଇଁ ଅଶୋକଙ୍କୁ ଅନେକ ବିନତି କରି ପତ୍ର ଲେଖୁଥିଲେ । ଶେଷରେ ଅଶୋକ ନିଜର ପୁନର୍ବିବାହ ପାଇଁ ସ୍ୱୀକୃତି ଦେଲେ । ତାଙ୍କର ବିବାହ ଆନନ୍ଦମିତ୍ରାଙ୍କ ସହ ସମ୍ପନ୍ନ ହେଲା । ଏହାର କିଛି ଦିନ ପରେ ଅଶୋକଙ୍କର ମୁକୁଟାଭିଷେକ ସମ୍ପନ୍ନ ହେଲା ।

ପରନ୍ତୁ ଅଶୋକ ବିଦିଶାଦେବୀ ଓ ପୁତ୍ର, କନ୍ୟା ଦୁହିଁଙ୍କୁ ନିଜ ମନରୁ ଆଦୌ ପାସୋରି ପାରିଲେ ନାହିଁ । ମାନସିକ ଅସ୍ଥିରତା ବଢିଚାଲିବାରୁ ସେ ଶାସନ ସମ୍ବନ୍ଧୀୟ କାର୍ଯ୍ୟରେ ବୀତସ୍ପୃହ ହେଲେ ।

ଅଶୋକଙ୍କର ଏପରି ଅବସ୍ଥା ଦେଖି ପ୍ରଧାନ ମନ୍ତ୍ରୀ ସେନାଧିପତିଙ୍କର ପରାମର୍ଶ ଲୋଡିଲେ । ସେ ସେନାଧିପତିଙ୍କୁ କହିଲେ, “ଆମ୍ଭର ମହାରାଜା ସର୍ବଦା ବିଷର୍ଣ୍ଣ ରହୁଛନ୍ତି । ବିଦିଶା ଦେବୀଙ୍କ ବିରହରେ ସେ ରାଜ୍ୟ-କାର୍ଯ୍ୟ ପରିଚାଳନାରେ ଉଦାସୀନ ରହୁଛନ୍ତି । ଏହିପରି ଅବସ୍ଥାରେ ହୁଏତ ସେ ଦିନେ ଅକସ୍ମାତ୍ ସିଂହାସନ ପରିତ୍ୟାଗ କରି ଉଜ୍ଜୟିନୀ ଫେରି ଯିବେ ଓ ଶାନ୍ତିରେ ପାରିବାରିକ ଜୀବନ ବିତାଇବେ । ଆମର କର୍ତ୍ତବ୍ୟ ହେଉଛି, ତାଙ୍କ ମନରେ ରାଜ୍ୟ ପ୍ରତି ଆସକ୍ତି ଜନ୍ମାଇବା, କ୍ଷମତା ପ୍ରତି ଲୋଭ ବଢାଇବା ଓ ରାଜ୍ୟ ବିଜୟର ଲାଳସାର ଉଦ୍ରେକ କରାଇବା । ଯୁଦ୍ଧରେ ବିଜୟ ହାସଲ କରିବା ପରେ ଯେ କେହି ରାଜା ନିଜକୁ ଉତ୍ସାହିତ ମନେ କରିବେ । ଶତୃକୁ ପରାଜିତ କରିବାରେ ଜଣେ ରାଜା ଯେଉଁ ଆନନ୍ଦ ଲାଭ କରେ, ତାହା ବର୍ଣ୍ଣନାତୀତ, ଅଦ୍ଭୁତ, ଅନିର୍ବଚନୀୟ ଅଟେ ।”

ପ୍ରଧାନ ମନ୍ତ୍ରୀ କହିଲେ “ଆପଣଙ୍କ ବିଚାର ଯଥାଯଥ ମନେ ହେଉଛି । ସୁଯୋଗ ଦେଖି ରାଜ୍ୟଜୟର ଲାଳସା ପ୍ରତି ମହାରାଜଙ୍କୁ ମୁଁ ଆକୃଷ୍ଟ କରାଇବି ।”

ଇତ୍ୟବସରରେ ଏହି ସମାଚାର ପ୍ରାପ୍ତ ହେଲା ଯେ କଳିଙ୍ଗ ରାଜା ଉତ୍ତରାଧିକାରୀ ଚୟନ କରିବା ପୂର୍ବରୁ ମୃତ୍ୟୁବରଣ କରିଥାନ୍ତି । କେତେକ ଉଚ୍ଚ ରାଜକର୍ମଚାରୀ ଏବେ କଳିଙ୍ଗର ଶାସନ ଦାୟିତ୍ୱ ତୁଲାଉଛନ୍ତି ।

ଦିନେ ସାୟଂକାଳରେ ଅଶୋକ ତାଙ୍କ ଉପବନରେ ବିଚରଣ କରୁଥାନ୍ତି । ପ୍ରଧାନମନ୍ତ୍ରୀ ରଥଗୁପ୍ତ ସେଠାରେ ଉପସ୍ଥିତ ହୋଇ ତାଙ୍କୁ କହିଲେ, “ମହାରାଜ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଓ ମହାରାଜ ବିନ୍ଦୁସାର କଳିଙ୍ଗ ବିଜୟ କରିବାର ସ୍ୱପ୍ନ ଦେଖୁଥିଲେ । କିନ୍ତୁ ତାହା ସାକାର ହୋଇ ପାରି ନଥିଲା । କଳିଙ୍ଗ ଏକ ସୁସମ୍ପନ୍ନ ରାଜ୍ୟ । ଏହାର ଜାଭା, ସୁମାତ୍ରା, ବାଲିଦ୍ୱୀପ ସହ ବାଣିଜ୍ୟ କାରବାର ଚାଲିଛି । ରାଜା ଅଧିନସ୍ଥ ଉଚ୍ଚ କର୍ମଚାରୀବର୍ଗଙ୍କ ମଧ୍ୟରେ ମୈତ୍ରୀଭାବ ରହିଛି । ସେହି ଏକତାର ଭାବନା ରହିଥିବାରୁ ରାଜାଙ୍କ ଅନୁପସ୍ଥିତିରେ ମଧ୍ୟ ରାଜ୍ୟ ଶାସନ ସୁପରିଚାଳିତ ହୋଇ ପାରିଛି । ମାତ୍ର ରାଜାଙ୍କ ଦେହାନ୍ତର ସୁଯୋଗ ନେଇ ଆମେ କଳିଙ୍ଗ ଆକ୍ରମଣ କରିବା ଓ ତାହାକୁ ଖଣ୍ଡ ବିଖଣ୍ଡିତ କରିଦେବା । କଳିଙ୍ଗ ବିଜୟ ପାଇଁ ଆମକୁ ଏହାଠାରୁ ବଳି ସୁବର୍ଣ୍ଣ ଅବକାଶ ଆଉ କେବେ ମଧ୍ୟ ମିଳିବ ନାହିଁ ।”

ଏହି ସମୟରେ ସେନାଧିପତି ସେଠାରେ ଆସି ପହଁଚିଲେ । ଅଶୋକ ମନ୍ତ୍ରୀଙ୍କ କଥା ଶୁଣିଲେ । କିନ୍ତୁ କିଛିବି ଉତ୍ତର ଦେଲେ ନାହିଁ । ନୀରବରେ ଚିନ୍ତା କଲେ ।

ସେନାଧିପତି କହିଲେ “ଆମ ଦେଶର ସେନାଗଣ ଦୀର୍ଘକାଳ ହେବ କୌଣସି ଯୁଦ୍ଧରେ ଲିପ୍ତ ହୋଇ ନାହାଁନ୍ତି । ଏପରି ଅବସ୍ଥା ଲାଗି ରହିଲେ ତାହା ଆମର ସୈନ୍ୟ ମାନଙ୍କର ସ୍ୱାସ୍ଥ୍ୟ ତଥା ମନୋବଳ ଉପରେ ଗଭୀର ପ୍ରଭାବ ପକାଇବ । ସେମାନଙ୍କୁ ପ୍ରତ୍ୟକ୍ଷ ଯୁଦ୍ଧର ଭୟାବହତାର ପ୍ରମାଣ ଦେଇ ଯୁଦ୍ଧ ବଦଳରେ ଶାନ୍ତି ପାଇଁ ଚେଷ୍ଟା କରିବାକୁ ପଡିବ ।”

ମହାରାଜ ଅଶୋକ କହିଲେ “ତେବେ ଠିକ୍ ଅଛି, କଳିଙ୍ଗ ଆକ୍ରମଣ ପାଇଁ ଯଥାବିଧି ଆୟୋଜନ ଆରମ୍ଭ କରନ୍ତୁ । ପ୍ରଥମେ ଆମର ଗୁପ୍ତଚରଙ୍କୁ କଳିଙ୍ଗ ଦେଶକୁ ପ୍ରେରଣ କରାଯାଉ । ସୈନ୍ୟ ସଂଖ୍ୟା, ସେମାନଙ୍କର କ୍ଷମତା କିପରି ଓ ସେମାନେ କେଉଁ ଧରଣର ଅସ୍ତ୍ରଶସ୍ତ୍ର ବ୍ୟବହାର କରନ୍ତି, ତାହା ବୁଝିବା ସହିତ ସେଠାକାର ଶାସକଙ୍କ ମନରେ ଭୟର ବାତାବରଣ ଉତ୍ପନ୍ନ କରିବାକୁ ହେବ । ଯାହା ଫଳରେ ସେମାନେ ପରସ୍ପର କଳହରତ ହେବେ ଓ ସେ ରାଜ୍ୟର ଏକତା କ୍ଷୂର୍ଣ୍ଣ ହୋଇଯିବ ।”

ପ୍ରଧାନମନ୍ତ୍ରୀ କହିଲେ “ଆପଣଙ୍କ ଯେପରି ଇଚ୍ଛା, ଆପଣଙ୍କ ଆଜ୍ଞା ସଙ୍ଗେ ସଙ୍ଗେ ପାଳିତ ହେବ ।”

ଏହାପରେ କଳିଙ୍ଗ ଉପରେ ଆକ୍ରମଣ କରି   ବା ପାଇଁ ମଗଧ ସବୁ ଦିଗରୁ ନିଜକୁ ସଜାଗ ଓ ପ୍ରସ୍ତୁତ କରିବାରେ ଲାଗି ପଡିଲେ । ଏଣେ ପ୍ରଧାନମନ୍ତ୍ରୀ ଓ ସେନାଧିପତି ମହାରାଜାଙ୍କର ମନୋଭାବରେ ପରିବର୍ତ୍ତନ ଲକ୍ଷ କରି ବହୁତ ଖୁସୀ ହେଲେ । କଳିଙ୍ଗ ରାଜ୍ୟକୁ ଗୁପ୍ତଚର ପ୍ରେରଣ କରି ସେ ରାଜ୍ୟର ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କରେ ଖବର ସଂଗ୍ରହ କରି ଅଶୋକଙ୍କୁ ସେମାନେ ଜଣାଇଲେ । ଅଶୋକଙ୍କ ମନରେ ଯୁଦ୍ଧ ପ୍ରତି ଯେତିକି ଆଶକ୍ତି ଆସୁଥାଏ, ବିଦିଶାଙ୍କ କଥା ମନେ ପକାଇ ସେ ସେତିକି ବିଷର୍ଣ୍ଣ ହୋଇ ପଡୁଥାନ୍ତି । ଅନ୍ୟ ପକ୍ଷରେ ଯୁଦ୍ଧ ଅଭିଯାନର ଆୟୋଜନ ବେଶ୍ ସରଗରମ୍ ହୋଇ ଉଠୁଥାଏ ।

ଆଧାର: ଓଡ଼ିଆ ଗପ

2.97872340426
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top