অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସିଂହ ଏବଂ ଗଧ କଥା

ସିଂହ ଏବଂ ଗଧ କଥା

ଉପକ୍ରମ

ଗୋଟିଏ ଜଙ୍ଗଲରେ ‘କରାଳ କେଶର’ ନାମକ ଏକ ସିଂହ ବାସ କରୁଥାଏ । ଏହି ସିଂହ ନିକଟରେ ‘ଧୂସରକ’ ନାମକ ଏକ ଶୃଗାଳ ସେବକ ଭାବେ କାର୍ଯ୍ୟ କରୁଥାଏ । ଦିନେ କରାଳ କେଶରର ଏକ ହାତୀ ସହିତ ଭୀଷଣ ଲଢେଇ ହେଲା । ଏହି ଲଢେଇରେ ସିଂହଟି ଭୀଷଣ ଭାବରେ ଆଘାତପ୍ରାପ୍ତ ହୋଇଥାଏ । ଏତେ ଆଘାତ ପାଇଥାଏ ଯେ ସେ ଚାଲିବାକୁ ମଧ୍ୟ ଶକ୍ତି ପାଉନଥାଏ । ସିଂହଟି ଅସୁସ୍ଥ ହେବାରୁ ଖାଦ୍ୟ ସଂଗ୍ରହ ମଧ୍ୟ କରିପାରିଲା ନାହିଁ । ନିଜେ ଦୁର୍ବଳ ହେବା ସହିତ ପାଖରେ ଥିବା ସେବକଟି ମଧ୍ୟ ଖାଦ୍ୟ ବିନା ଦୁର୍ବଳ ହୋଇପଡିଲା ।

ବର୍ଣ୍ଣନା

ଦିନେ ଧୂସରକ ସିଂହକୁ କହିଲେ, ମହାରାଜ! ଏମିତି କେତେଦିନ ଭୋକ ଉପାସରେ କାଳ କାଟିବା?ସେବକର ଦୁଃଖ ସହିନପାରି ମହାରାଜ କହିଲେ, ମୁଁ ଜାଣେ ତୁମେ ଖୁବ୍ ବୁଦ୍ଧିମାନ । ତେଣୁ ତୁମେ ଯାଇ ଯେ କୌଣସି ପ୍ରାଣୀକୁ ଏଠାକୁ ଡାକିଆଣ । ମୁଁ ଏହି ଗୁହା ମଧ୍ୟରେ ଲୁଚି ବସିଛି । ଏହା ଶୁଣିସାରିବାପରେ ଧୂସରକ ସଂଗେ ସଂଗେ ଖାଦ୍ୟ ଅନ୍ୱେଷଣରେ ବାହାରିପଡିଲେ । କିଛିବାଟ ଅତିକ୍ରମ କରିଯିବାପରେ ଏକ ଗାଁ ପଡିଲା । ସେଠାରେ ସେ ଦେଖିବାକୁ ପାଇଲା ଏକ ପୋଖରୀ ହୁଡାରେ ଲମ୍ବକର୍ଣ୍ଣ ଗଧ ଘାସ ଚରୁଛି । ଏହି ସମୟରେ ବିଲୁଆ ଯାଇ ଗଧ ନିକଟରେ ପହଁଚିଲା ଏବଂ କହିଲା, ମାମୁଁ! ନମସ୍କାର! ମୁଁ ତୁମକୁ ଅନେକ ଦିନ ହେବ ଦେଖି ନଥିଲି । ତୁମେ କ’ଣ ଏଠାରେ ରହୁନଥିଲ କି? ତୁମେ ଏତେ ଦୁର୍ବଳ କାହିଁକି ହୋଇଯାଇଛ?

ଲମ୍ବକର୍ଣ୍ଣ କହିଲେ, ‘କଣ କରିବିରେ ଭଣଜା! ମୋର ମାଲିକ ମୋତେ ବହୁତ ଖଟଉଛି । ପ୍ରତିଦିନ ଓଜନଦାର ଲୁଗାପଟା ମୋ ଉପରେ ଲଦି ଦେଉଛି । କିନ୍ତୁ ମୋତେ ପେଟପୂରା ଖାଇବାକୁ ଦେଉନାହିଁ । ତେଣୁ ମୁଁ ଏଠାରେ ଏହି ଧୂଳି ମିଶା ଘାସ ଖାଉଛି । ଏହି ଘାସ ଖାଇଲେ ମୁଁ ଦୁର୍ବଳ ନହୋଇ କ’ଣ ବଳଶାଳୀ ହୋଇପାରିବି । ମାମୁର ଦୁଃଖ ସହିନପାରି ବିଚରା ଭଣଜାଟି କହିଲା, ‘ମାମୁଁ ତୁମେ ମୋ ସହିତ ଚାଲ । ଗୋଟାଏ ଭଲ ଜାଗା ଅଛି । ମୋର ଘର ପାଖରେ ନଦୀ କୂଳରେ କଅଁଳ ସବୁଜ ଘାସ ପୂରିରହିଛି । ତୁମେ ସେଠାରେ ରହି ମନଭରି ଘାସ ଖାଇବ । ଭଣଜାର କଥାଶୁଣି ମାମୁଁ ଲମ୍ବକର୍ଣ୍ଣ କହିଲା, ତୋର କଥା ଠିକ୍ । କିନ୍ତୁ ତୋର ଘର ତ’ ବଣ ଜଙ୍ଗଲରେ । ସେଠାରେ ସବୁ ସମୟରେ ହିଂସ୍ର ଜନ୍ତୁମାନେ ବିଚରଣ କରୁଥାଆନ୍ତି । ମୁଁ ସେଠାରେ କ’ଣ ନିର୍ଭୟରେ ଚରାବୁଲା କରିପାରିବି?

ଲମ୍ବକର୍ଣ୍ଣର କଥା ଶୁଣି ବିଲୁଆ କହିଲା, ମାମୁଁ ତୁମେ ସେପରି କୁହନାହିଁ । ତୁମର ସେଠାରେ କୌଣସି ଅସୁବିଧା ହେବ ନାହିଁ । ମୋ ବାସଗୃହ ଏପରି ଏକ ସୁରକ୍ଷିତ ସ୍ଥାନରେ ଅବସ୍ଥିତ ଯେ ଶତ୍ରୁ କଦାପି ସେଠାରେ ପହଁଚି ପାରିବ ନାହିଁ । ସବୁଠାରୁ ଭଲ କଥା ହେଲା ମାମୁଁ ମୁଁ ରହୁଥିବା ସ୍ଥାନରେ ତିନିଟା ମାଇଁ ଅଛନ୍ତି । ସେମାନେ ମୋତେ ତୁମର ସନ୍ଧାନରେ ଏଠାକୁ ପଠାଇଛନ୍ତି । ସେମାନେ ମଧ୍ୟ ତୁମକୁ ବିଭା ହେବାପାଇଁ ଇଚ୍ଛୁକ । ତୁମେ ମୋ ସାଙ୍ଗରେ ଗଲେ, ସେଠାରେ ସେମାନଙ୍କୁ ବିଭା ହୋଇ ଆନନ୍ଦରେ ରହିବ । ଭଣଜାର କଥା ଶୁଣି ମାମୁଁ ଲମ୍ବକର୍ଣ୍ଣ ମନେ ମନେ ବହୁତ ଖୁସି ହେଲେ । ଭଣଜା ସହିତ ଖୁସି ମନରେ ଯିବାପାଇଁ ବାହାରିଲେ । ବିଲୁଆ ଆଗେ ଆଗେ ଚାଲିଲା । ପଛେ ପଛେ ମାମୁଁ ଲମ୍ବକର୍ଣ୍ଣ ଚାଲିଲେ । ଯେତେବେଳେ ଲମ୍ବକର୍ଣ୍ଣ ସିଂହର ଗୁହା ନିକଟରେ ଯାଇ ପହଁଚିଲେ, ସିଂହ ସଂଗେ ସଂଗେ ଗଧକୁ ଧରିବା ପାଇଁ ଉଦ୍ୟତ ହେଲେ । ଗଧ ଏହା ଦେଖି ଏକ ଡିଆଁରେ ଆସି ଜଙ୍ଗଲ ମଧ୍ୟରେ ।

ଏହା ଦେଖି ବିଲୁଆଟି ମନେ ମନେ ବହୁତ ଦୁଃଖିତ ହେଲା ଏବଂ ସିଂହକୁ କହିଲା, ‘ମହାରାଜ’! ଆପଣ ଏପରି କାହିଁକି କଲେ? ସିଂହଟି କହିଲା, ପ୍ରକୃତରେ ମୁଁ ଶିକାର ପାଇଁ ପ୍ରସ୍ତୁତ ହୋଇନଥିଲି । ତାକୁ ହଠାତ୍ ଦେଖି ମୁଁ ତା’ଉପରକୁ ଡେଇଁବି କ’ଣ ସେ ମୋତେ ଦେଖି ପକାଇଲା । ତୁ ଯଦି ତାକୁ ଆଉଥରେ ଡାକି ଆଣିପାରିବୁ ମୁଁ ତାକୁ ନିଶ୍ଚୟ ମାରିପାରିବି । ବିଲୁଆ ପୁଣି ବାହାରିଲା ଲମ୍ବକର୍ଣ୍ଣ ନିକଟକୁ । ଗଧ ବିଲୁଆକୁ ଦେଖି କହିଲା, ‘ଭଣଜା’! ତୁ ତ’ ଭଲ କଲୁ । ମୋତେ ତ’ ତୁ ମାରି ଦେଇଥାଆନ୍ତୁ । ଯାହାହେଉ ଭଗବାନଙ୍କ ଆଶୀର୍ବାଦ ହେତୁ ମୁଁ ବଂଚିଗଲି । ବିଲୁଆ ଲମ୍ବକର୍ଣ୍ଣଙ୍କୁ ଭୁଲାଇବାକୁ ଯାଇ କହିଲା, ‘ମାମୁଁ’! ତୁମେ ଏତେ ବୋକା ବୋଲି ମୁଁ ଜାଣିନଥିଲି । ମାଇଁ ମାନେ ପରା ତୁମକୁ ଅଭ୍ୟର୍ଥନା ଜଣାଇବା ପାଇଁ ସେଠାରେ ଠିଆ ହୋଇ ହାତ ବଢାଇଥିଲେ । ତମେ ସେମାନଙ୍କୁ ଦେଖି ଏମିତି ଡିଆଁମାରି ପଳାଇ ଆସିଲ କାହିଁକି? ତମେ ସେଠାରୁ ଆସିବା ପରେ ମାଇଁମାନେ ବହୁତ କାନ୍ଦୁଛନ୍ତି । ତେଣୁ ତୁମେ ପୁଣିଥରେ ସେଠାକୁ ଚାଲ ।

ଗଧଟି ବିଚରା ବିଲୁଆର କୁଚକ୍ରାନ୍ତ କଥା ବୁଝିବ କିପରି? ସେ ବିବାହ କରିବା ଆଶାରେ ପୁଣିଥରେ ଯାଇ ଗୁହା ନିକଟରେ ପହଁଚିଲା । ସିଂହ ଗୁହାମଧ୍ୟରେ ଲୁଚି ବସିଥିଲା । ଗଧଟି ସେଠାରେ ପହଁଚିବା ପରେ ସିଂହ ସଂଗେ ସଂଗେ ତାକୁ ମାରିଦେଲା । ଗଧକୁ ମାରିସାରିବା ପରେ ସିଂହ ବିଲୁଆକୁ ଗଧ ପାଖରେ ଜଗାଇ ଦେଇ ଗାଧୋଇବା ପାଇଁ ନଦୀକୁ ଗଲା । ବିଲୁଆ ମଧ୍ୟ ସୁଯୋଗ ଅପେକ୍ଷାରେ ଥାଏ । ସିଂହ ଯେମିତି ଯାଇଛି ଲୋଭ ସମ୍ଭାଳି ନପାରି ଗଧର କାନ ଓ କଲିଜା ବାହାର କରି ଖାଇଦେଲା । ସିଂହ ଆସି ଯେତେବେଳେ ଦେଖିଲା ଗଧର କାନ ଓ କଲିଜା ନାହିଁ, ସେ ବିଲୁଆ ଉପରେ ରାଗିଯାଇ ଗାଳି ଦେଲା । ମାତ୍ର ଚତୁର ବିଲୁଆ ସିଂହକୁ ବୁଝାଇବାକୁ ଯାଇ କହିଲା, ‘ମହାରାଜ’! ଏହି ଗଧଟିର କାନ ଓ କଲିଜା ନଥିଲା । ଯଦି ତାର କାନ ଓ କଲିଜା ଥାଆନ୍ତା ସେ କେବେ ଏଠାକୁ ଆସି ନଥାନ୍ତା । ସିଂହ ସଂଗେ ସଂଗେ ବିଲୁଆର କଥାକୁ ବିଶ୍ୱାସ କରିପକାଇଲା । ଦୁହେଁ ମନଖୁସିରେ ବସି ଗଧ ମାଂସ ଖାଇଲେ । କାହାଣୀଟି କହିସାରି ମାଙ୍କଡ କହିଲା, ‘ତୁମେ ପ୍ରଥମେ ମୋ ସହିତ ବିଶ୍ୱାସ ଘାତକତା କଲ । କିନ୍ତୁ ଯୁଧିଷ୍ଠିର କୁମ୍ଭାର ପରି ସତ କଥାଟା କହିଦେଇ କପଟ ପଣିଆଟା ନାଶ କଲା । କୁମ୍ଭୀର ଏହା ଶୁଣି କହିଲା, କିପରି ଯୁଧିଷ୍ଠିରର ସମ୍ମାନ ଗଲା’? ମାଙ୍କଡଟି କାହାଣୀ କହିବା ଆରମ୍ଭ କଲା ।

ଆଧାର: ଓଡ଼ିଆ ଗପ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate