ତୁଳସୀପୁର ବୋଲି ଏକ ଗାଁରେ ଗୋଟିଏ ଧୋବା ଗୋଟିଏ ଗଧ ଓ ଆଉ ଗୋଟିଏ ଛେଳି ପାଳୁ ଥିଲେ । ଗଧ ପିଠିରେ ବୋଝ ଲଦି ସେ ନଈକୁ ନେଇ ଯାଏ ତାର ଲୁଗା ସଫା କରିବାକୁ । ସେଥି ପାଇଁ ସେ ଗଧର ଉପଯୁକ୍ତ ଧ୍ୟାନ ନେବାକୁ ଯାଇ ତାକୁ ଦାନା, ପାଣି, ଘାସ ଇତ୍ୟାଦି ଖାଇବାକୁ ଦଉ ଥିଲା ।
ଏ ସବୁ ଛେଳି ଦେଖି ଗଧ ଉପରେ ତା’ର ହିଂସା ହେଉ ଥିଲା । ସେ ଚାହୁଁ ଥିଲା କିଭଳି ଭାବରେ ଗଧଉପରେ ମାଲିକର ବିତୃଷ୍ଣା ଭାବ ସୃଷ୍ଟି କରି ପାରିବ ।
ଏହି ପରି ଭାବୁ ଭାବୁ ଛେଳିର ଏକ ଉପାୟ ମୁଣ୍ଡରେ ଜୁଟିଲା । ଦିନେ ସୁଯୋଗ ଦେଖି ଗଧକୁ କହିଲା ଭାଈ! ମାଲିକ ମୋତେ ଖୋଲା ଛାଡି ଦଉ ଛନ୍ତି । ଫଳରେ ମୁଁ ଯେଉଁଠିକୁ ଚାହେଁ ସେଠାକୁ ଯାଇ ପାରେ । ନିଜ ମନ ଇଚ୍ଛା ନିଜେ ବିଚରଣ କରି ପାରେ । ପରନ୍ତୁ ମୋର ମନରେ ପ୍ରଶ୍ନ ଉଠେ ଯେ ମାଲିକ ତୁମ ସହିତ ଏତେ ଖରାପ ବ୍ୟବହାର କାହିଁକି କରୁଛନ୍ତି? ସବୁ ଦିନ ତୁମ ପିଠି ଉପରେ ବୋଝ ଥୋଇ ଦୂରରେ ଥିବା ନଈକୁ ନେଇ ଯାଆନ୍ତି । ପୁଣି ତୁମ ପିଠିକୁ ବାଡିରେ ପିଟନ୍ତି । ସେ କାହିଁକି ଏଭଳି ତୁମ ସାଥେ କରନ୍ତି ମୁଁ କିଛି ବୁଝି ପାରେନା?
ସତରେ ଛେଳି ଭାଈ ମାଲିକର ଏଭଳି ବ୍ୟବହାରରେ ମୁଁ ବହୁତ ଦୁଃଖ ପାଏ । କିନ୍ତୁ ଉପାୟ କ’ଣ? କିପରି ଏଥିରୁ ମୁକ୍ତି ପାଇ ପାରିବି?
ଏଥିରୁ ବଂଚିବାର ଉପାୟ? ଆରେ ଉପାୟତ ବହୁତ ସରଳ । ଦିନେ ରୋଗ ହୋଇଛି ବୋଲି ବାହାନା ସୃଷ୍ଟି କର । କୌଣସି ଏକ ଗାତରେ ପଡି ଯାଅ । ପୁଣି କିଛି ଦିନ ପର୍ଯ୍ୟନ୍ତ ଆରାମ୍ରେ ଗୁହାଳରେ ରୁହ । ବସି ବସି ଖାଅ ଆଉ ପିଅ ।
ଗଧ ପାଖରେ ବୁଦ୍ଧିର ଅଭାବ ଥିଲା । ସେ ସରଳ ପ୍ରକୃତିର ପଶୁ । ତେଣୁ ତା’ପରଦିନ ସେ ଜାଣି ଶୁଣି ଗୋଟିଏ ଗାତରେ ଆସି ପଡି ଗଲା । ପରିଣାମ ସ୍ୱରୂପ ସେହି ଗଧଟି ଏତେ ଘାଇଲା ହୋଇ ଗଲା ଯେ, କିଛି ଦିନ ପର୍ଯ୍ୟନ୍ତ ସେ ଚାଲି ବୁଲି ପାରିଲା ନାହିଁ । ଶେଷରେ ମାଲିକ ପଶୁ ଡାକ୍ତରଙ୍କୁ ଡକାଇଲେ । ଡାକ୍ତର ଗଧକୁ ଦେଖି ସାରିଲା ପରେ ମାଲିକକୁ ପାଖକୁ ଡାକି କହିଲେ – କିଛି ଦିନ ପାଇଁ ତାକୁ ଆରାମ୍ କରିବାକୁ ଦିଅ । ଘା’ ହୋଇ ଥିବା ସ୍ଥାନରେ ଛେଳି ଚର୍ବିର ଘିଅ ତିଆରି କରି ତାକୁ ମାଲିସ୍ କର । ଧୀରେ ଧୀରେ ଗଧର କ୍ଷତ ସ୍ଥାନ ଭଲ ହୋଇଯିବ ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ ।
ମାଲିକ ଡାକ୍ତରଙ୍କ କଥା ଶୁଣି ସଂଗେ ସଂଗେ ଛେଳିକୁ କାଟିବାକୁ ନେଲେ । ଗଲା ବେଳେ ଛେଳି କାନ୍ଦି କାନ୍ଦି କହିଲା – ହାୟ ହାୟ! ମୋର ବୁଦ୍ଧିରେ ନିଆଁ ଲାଗି ଥିଲା ଯେ ଗଧକୁ ଓଲଟା ବୁଦ୍ଧି ଦେଇଥିଲି । ଫଳରେ ମୋତେ ହିଁ ଜୀବନ ଦେବାକୁ ପଡିଲା । ଭଲ କରିବାକୁ ଯାଇ ଓଲଟା ଫଳ ହେଲା ।
ଆଧାର ଓଡ଼ିଆ ଗପ
Last Modified : 7/11/2020