ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / କୁନ୍ତଳା କୁମାରୀ ସାବତ
ସେଆର କରନ୍ତୁ

କୁନ୍ତଳା କୁମାରୀ ସାବତ

ସାହିତ୍ୟ ଭାରତୀ କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି ।

ସାହିତ୍ୟ ଭାରତୀ କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି । ଓଡ଼ିଶାରେ ସ୍ଵାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକା ଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ ।

ଜନ୍ମ

ସେ ୧୯୦୧ ମସିହା ଫେବୃଆରି ୮ ତାରିଖରେ ବସ୍ତର ରାଜ୍ୟ (ବର୍ତ୍ତମାନ ଛତିଶଗଡ଼ର ବସ୍ତର ଜିଲ୍ଲା)ର ଜଗଦଳପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଡାନିଏଲ ସାବତ, ସେ ଜାତିରେ ବ୍ରାହ୍ମଣ ଓ ପେଷାରେ ଡାକ୍ତର ଥିଲେ । ତାଙ୍କର ମାତାଙ୍କ ନାମ ମୋନିକା ସାବତ ଥିଲା ଓ ସେ ବିବାହ ପୂର୍ବରୁ ସେ କରଣ ଜାତିର ଥିଲେ । ତାଙ୍କ ପିତାମହ ପୁରୀ ଜିଲ୍ଲାର ଦାଣ୍ଡମୁକୁନ୍ଦ ପୁରର ବାସିନ୍ଦା ଥିଲେ ।  କୌଣସି କାରଣବଶତଃ ତାଙ୍କ ପିତା ବସ୍ତର ଜିଲ୍ଲାକୁ ଚାଲି ଯାଇଥିଲେ ଓ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମର ଅଳ୍ପଦିନ ପରେ ତାଙ୍କ ପରିବାର ବର୍ମା ଚାଲି ଯାଇଥିଲେ ଓ କୁନ୍ତଳାଙ୍କୁ ୧୪ ବର୍ଷ ହେବା ପର୍ଯ୍ୟନ୍ତ ସେଠାରେ ଥିଲେ । ସେଠାରେ ତାଙ୍କ ପିତା ପୁନର୍ବିବାହ କରିବାରୁ ସେ ନିଜ ମାତାଙ୍କ ସହ ଓଡ଼ିଶାକୁ ଫେରିଆସିଥିଲେ ।

ଶିକ୍ଷା

ବର୍ମାରୁ ଫେରିବା ପରେ କୁନ୍ତଳା ନିଜ ମାତାଙ୍କ ସହ କିଛି ଦିନ ନିମନ୍ତେ ଖୋର୍ଦ୍ଧାରେ ରହୁଥିଲେ । ସେ ରେଭେନସା ଗାର୍ଲ ସ୍କୁଲରେ ଶିକ୍ଷା ଲାଭ କଲା ପରେ କଟକ ମେଡିକାଲ ସ୍କୁଲରେ (ବର୍ତ୍ତମାନ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ବିଦ୍ୟାଳୟ) ଡାକ୍ତରୀ ଶିକ୍ଷା ଗ୍ରହଣ କରି ୧୯୨୧ ମସିହାରେ ସ୍ଵର୍ଣ୍ଣ ପଦକ ସହ ଏଲ୍.ଏମ୍.ପି, ଡିଗ୍ରୀ ପାଇ ଉତ୍ତୀର୍ଣ୍ଣ ହେଲେ । ସେ ଯୁଗରେ ନାରୀ ଶିକ୍ଷା ଆଦୌ ନ ଥିଲା । ଏହି ଶିକ୍ଷା ନିମନ୍ତେ ତାଙ୍କର ମାଆଙ୍କର ଅଦମ୍ୟ ଇଚ୍ଛା ଯୋଗୁ ସମ୍ଭବ ହୋଇଥିଲା । ଓଡ଼ିଆ ଭାଷା ଛଡ଼ା ସେ ବଙ୍ଗଳା, ଇଂରାଜୀ ଓ ବର୍ମାର ଭାଷା ଶିଖିଥିଲେ ।

ଜୀବନ

ମେଡିକାଲ ଶିକ୍ଷା ପରେ ଡାକ୍ତର କୈଳାସ ଚନ୍ଦ୍ର ରାଓଙ୍କ ତତ୍ତ୍ଵାବଧାନରେ କଟକରେ ଚିକିତ୍ସା ସେବା ୧୯୨୧ ରୁ ୧୯୨୮ ପର୍ଯ୍ୟନ୍ତ କରୁଥିଲେ । ତା ପରେ ସେ ନିଜେ ନିଜର ବ୍ୟବସାୟ କଟକରେ ଆରମ୍ଭ କରିଥିଲେ । ୧୯୨୫ ମସିହାରେ ସେ ରେଡ୍‌କ୍ରସ ସୋସାଇଟିର ଲେଡି ହେଲଥ ଭିଜିଟର ଥିଲେ । ୧୯୨୮ ମସିହାରେ ସେ ଦିଲ୍ଲି ଚାଲିଗଲେ । ଡଃ କୈଳାସ ଚନ୍ଦ୍ରଙ୍କୁ ପ୍ରେମ କରି ବିବାହ କରିବା ନିମନ୍ତେ ବ୍ରାହ୍ମ ଧର୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କୁ ବିବାହ କରି ପାରି ନ ଥିଲେ । ତା ପରେ ସେ ଆର୍ଯ୍ୟ ଧର୍ମ ଗ୍ରହଣ କରି ବ୍ରହ୍ମଚାରୀ କୃଷ୍ଣ ପ୍ରସାଦ ଦାସଙ୍କୁ ୮ ଅଗଷ୍ଟ ୧୯୨୮ ମସିହାରେ ବିବାହ କରିଥିଲେ । ସେ ଦୁଇ ପୁତ୍ର ଓ ଦୁଇ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ଘୃଣ୍ୟ ଜାତିପ୍ରଥା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରୁଥିଲେ । ଅନେକ କାଳଜୟୀ କବିତା ଲେଖିଥିଲେ । ସେ ଦେଶାତ୍ମବୋଧକ କବିତା ମଧ୍ୟ ଲେଖୁଥିଲେ । ପରଦା ପ୍ରଥା, ବାଲ୍ୟ ବିବାହ ଓ ମହିଳା ପ୍ରଭେଦ ବିରୁଦ୍ଧରେ ଲେଖୁଥିଲେ । ଏହା ଛଡା ବିଧବା ବିବାହ ଓ ନାରୀ ସଶକ୍ତିକରଣ ନିମନ୍ତେ କାମ କରୁଥିଲେ । ଜାତୀୟ ସ୍ଵାଧୀନତା ଆନ୍ଦୋଳନରେ ସେ ଜଣେ ଉଜ୍ଜ୍ଵଳ ତାରକା ଥିଲେ । ସେ ୨୩ ଅଗଷ୍ଟ ୧୯୩୮ ମସିହାରେ ମାତ୍ର ୩୭ ବର୍ଷ ବୟସରେ ସେ ଅଗଣିତ ପାଠକ ତଥା ପ୍ରଶଂସକମାନଙ୍କୁ ଶୋକ ସାଗରରେ ଭସେଇ ମୃତ୍ୟୁ ବରଣ କରିଥିଲେ ।

ପ୍ରଶଂସା

ଓଡ଼ିଆରେ ଲେଖିବା ସହ ସେ ହିନ୍ଦୀ ସାହିତ୍ୟରେ ମଧ୍ୟ ଲେଖା ଲେଖି କରୁଥିଲେ । ମହାବୀର, ଜୀବନ ଓ ନାରୀ ଭାରତୀ ଭଳି ହିନ୍ଦି ପତ୍ରିକାମାନଙ୍କର ସେ ସମ୍ପାଦିକା ଥିଲେ । ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ ଓ ଆଲ୍ହାବାଦ ୟୁନିଭରସିଟିର ସମାବର୍ତ୍ତନ ଉତ୍ସବରେ ସେ ବକ୍ତୃତା ଦେବା ନିମନ୍ତେ ନିମନ୍ତ୍ରିତ ହୋଇଥିଲେ । ଓଡ଼ିଆ ଭାଷାର ଉନ୍ନତି କଳ୍ପେ ଦିଲ୍ଲୀରେ ସେ ଭାରତୀ ତପୋବନ ସଂଘ ନାମରେ ଏକ ସମିତି ଗଢିଥିଲେ । ୧୯୨୫ ମସିହାରେ ମହିଳା ବନ୍ଧୁ ସମିତି ତାଙ୍କୁ ଉତ୍କଳ ଭାରତୀ ନାମରେ ସମ୍ମାନିତ କରିଥିଲେ । ତାଙ୍କର ଅନେକ ରଚନା ଇଂରାଜୀ ତଥା ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁଦିତ ହୋଇଥିଲା । ତାଙ୍କୁ ଅନେକ ସମୟରେ ସରୋଜିନୀ ନାଇଡୁଙ୍କ ସହ ତୁଳନା କରା ଯାଉଥିଲା ।

ରଚନା ବଳୀ

କବିତା

ଆହାଃ କି ସୁନ୍ଦର ଶିଶୁ ଭାବନା ବିହୀନ,

ସୁଧାରସ ସିକ୍ତ ତବ ଏ ନବଜୀବନ,
ପ୍ରାତଃ ସମ ସୁମଧୁର ପ୍ରଶାନ୍ତ ଉଜ୍ଜ୍ଵଳ,
ଏ ନବଜୀବନେ ନାହିଁ ସଂସାର ଜଞ୍ଜାଳ

—କୁନ୍ତଳା କୁମାରୀ ସାବତ

 

'ତୋ' ପରି କ୍ଷୁଦ୍ର ମୁହିଁ 'ତୋ' ପରି କ୍ଷଣିକ,

ହସେ, ରସେ, ବାସେ ମାତ୍ର ଫୁଟିଅଛି ଘଡ଼ିକ।
ଶେଫାଳି ପ୍ରତି

—କୁନ୍ତଳା କୁମାରୀ ସାବତ

 

  • ଅଞ୍ଜଳି
  • ଉଚ୍ଛ୍ଵାସ (୧୯୨୪)
  • ଅର୍ଚନା (୧୯୨୭)
  • ସ୍ଫୁଲିଙ୍ଗ (୧୯୨୯)
  • ଆହ୍ଵାନ (୧୯୩୦)
  • ଆଜି ବାପା ତୋତେ କହିବି କଥାଟି
  • ପ୍ରେମ ଚିନ୍ତାମଣି (୧୯୩୦)
  • ଓଡ଼ିଆଙ୍କ କାନ୍ଦଣା (୧୯୩୭)
  • ଗଡଜାତ କୃଷକ (୧୯୩୯)
  • ଶେଫାଳି ପ୍ରତି
  • ତାରା ପ୍ରତି

ଉପନ୍ୟାସ

  • ଭ୍ରାନ୍ତି
  • ନଅତୁଣ୍ଡୀ
  • କାଳୀବୋହୁ
  • ରଘୁ ଅରଖିତ
  • ପରଶମଣି
  • ଚିତ୍ରପଟ

ଆଧାର -

  1. କୁନ୍ତଳା କୁମାରୀ ସାବତ
  2. "ଓଡ଼ିଆ କବି କୁନ୍ତଳା କୁମାରୀ ସାବତ"
4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top