ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / କୃପାସିନ୍ଧୁ ମିଶ୍ର
ସେଆର କରନ୍ତୁ

କୃପାସିନ୍ଧୁ ମିଶ୍ର

କୃପାସିନ୍ଧୁ ମିଶ୍ର, (୨୭ ଜୁନ ୧୮୮୭ - ୧୨ ଫେବୃଆରୀ ୧୯୨୬) ସତ୍ୟବାଦୀ ଯୁଗର ଜଣେ ଓଡ଼ିଆ ସାହିତ୍ୟିକ, ଐତିହାସିକ, ଓ ସମାଜସେବୀ ଥିଲେ ।

କୃପାସିନ୍ଧୁ ମିଶ୍ର, (୨୭ ଜୁନ ୧୮୮୭ - ୧୨ ଫେବୃଆରୀ ୧୯୨୬) ସତ୍ୟବାଦୀ ଯୁଗର ଜଣେ ଓଡ଼ିଆ ସାହିତ୍ୟିକ, ଐତିହାସିକ, ଓ ସମାଜସେବୀ ଥିଲେ ।"ମଣିଷ ତିଆରି କାରଖାନା" ଭାବରେ ପରିଚିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା ଓ ପ୍ରଧାନ ଶିକ୍ଷକତ୍ଵ ତାଙ୍କର ଅନ୍ୟ ପରିଚୟ ।

ବାଲ୍ୟଜୀବନ ଓ ଶିକ୍ଷା

କୃପାସିନ୍ଧୁ, ୧୮୮୭ ମସିହା ଜୁନ ୨୭ ତାରିଖ ଦିନ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ବ୍ଳକସ୍ଥିତ ବୀରହରେକୃଷ୍ଣପୁର ଗ୍ରାମର ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ହରିହର ଓ କୃଷ୍ଣଚନ୍ଦ୍ର ତାଙ୍କର ଅନ୍ୟ ଦୁଇ ଭାଇଥିଲେ । ବାଲ୍ୟକାଳରୁ ତାଙ୍କର ପିତାଙ୍କର ଦେହାନ୍ତ ଘଟିଥିଲା ଓ ସେ ନିଜ ମାଉସୀ ଘରକୁ ପୋଷ୍ୟପୁତ୍ର ହୋଇଯାଇଥିଲେ । ତାଙ୍କ ନିଜ ସାଙ୍ଗିଆ "ଦାଶ" ଥିଲା ଓ ପୋଷ୍ୟପୁତ୍ର ହୋଇଆସିବା ପରେ ତାହା "ମିଶ୍ର"କୁ ପରିବର୍ତ୍ତିତ ହୋଇଥିଲା । ନିଜ ମାଉସୀଙ୍କ ଦ୍ଵାରା ଉପେକ୍ଷିତ ହୋଇ, ସେ କ୍ରମେ ନିଜ ମାମୁଁ ଘରେ ଆଶ୍ରା ପାଇଥିଲେ । ମାମୁଁ ଘର ଅତ୍ୟନ୍ତ ସ୍ଵଚ୍ଛଳ ନଥିଲେ ମଧ୍ୟ, କୃପାସିନ୍ଧୁଙ୍କ ଶିକ୍ଷାଦିକ୍ଷାରେ କିଛି ଅଭାବ କରିନଥିଲେ । କୃପାସିନ୍ଧୁ ଗାଁ ସ୍କୁଲରୁ ଉତ୍ତୀନ୍ନ ହୋଇ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଥିଲେ । ସେଠାରେ ପ୍ରଧାନ ଶିକ୍ଷକ ଦଣ୍ଡ ସ୍ଵରୂପ କୃପାସିନ୍ଧୁଙ୍କୁ ଗୋଟିଏ ଦିନ ସମଗ୍ର ସ୍କୁଲ ସମୟ ବେଞ୍ଚରେ ଠିଆ କରେଇ ଦେଇଥିଲେ । ଏହା ଦ୍ଵାରା ବାଳକ କୃପାସିନ୍ଧୁଙ୍କ ଗୋଡ଼କୁ ରକ୍ତଗଡ଼ି, ସେ ବାତଜ୍ଵରରେ ଆକ୍ରାନ୍ତ ହୋଇ, ସମଗ୍ର ଜୀବନକାଳ ଏହି ରୋଗ ଭୋଗିଥିଲେ ଓ ଗୋଡ଼ରେ ସବୁ ସମୟରେ ତାଙ୍କୁ ଏକ ପଟି ବାନ୍ଧି ରଖିବାକୁ ପଡ଼ିଥିଲା । ଏହି ଘଟଣା ପରେ, କୃପାସିନ୍ଧୁ ପୁରୀ ଜିଲ୍ଲା ସ୍କୁଲରୁ ନିଜ ନାମ କଟେଇ, କଟକର ରେଭେନ୍‌ସା କଲିଜିଏଟ ସ୍କୁଲରେ ନାମ ଲେଖାଇଲେ । ଏହା ତାଙ୍କ ଜୀବନର ଗତିପଥକରେ କିଛି ପରିବର୍ତ୍ତନ ଆଣିଦେଲା । ଆତ୍ମନିର୍ଭରଶୀଳ ହେବା ପାଇଁ, ସେ ଟିଉସନ କରୁଥିଲେ । ଏଣ୍ଟ୍ରାନ୍ସ ପରୀକ୍ଷାରେ ପାସ କରି, ସେ ୧୫ଟଙ୍କା ବୃତ୍ତି ପାଉଥିଲେ । ପରବର୍ତ୍ତୀ ସମୟରେ ସେ ରେଭେନ୍ସା ମହାବିଦ୍ୟାଳୟରୁ ଏଫ.ଏ ଓ ବି.ଏ ପାସ କରିଥିଲେ । ୧୯୧୪ ମସିହାରେ ସେ କଲିକତା ବିଶ୍ଵବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ।

ସତ୍ୟବାଦୀ ବନ ବିଦ୍ୟାଳୟ

ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, କୃପାସିନ୍ଧୁ ୧୯୧୪ ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟରେ ଜଣେ ସହକାରୀ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ । ତାଙ୍କ ଯୋଗଦେବା ବେଳକୁ ପଣ୍ଡିତ ନୀଳକଣ୍ଠ ଦାସ ଓ ପଣ୍ଡିତ ଗୋଦାବରୀଶ ମହାପାତ୍ର ସେଠାରେ ଯୋଗ ଦେଇ ସାରିଥାନ୍ତି । ଏମାନଙ୍କ ଦ୍ଵାରା କୃପାସିନ୍ଧୁ ଗଭିର ଭାବରେ ପ୍ରଭାବିତ ହୋଇଥିଲେ । ପଢ଼ିବା ଓ ପଢ଼େଇବାରେ କୃପାସିନ୍ଧୁଙ୍କର ଆନନ୍ଦ ଥିଲା । ତାଙ୍କର ସଂସ୍କୃତ, ଓଡ଼ିଆ ଓ ଇଂରାଜୀ ଭାଷାରେ ଅଗାଧ ପାଣ୍ଡିତ୍ୟ ଥିଲା ଓ ସେ ଅନର୍ଗଳ ବକ୍ତୃତା ଦେଇ ପାରୁଥିଲେ । ସର୍ବଦା ଧୋତି କୂର୍ତ୍ତା ପରିଧାନ କରିଥିବା କୃପାସିନ୍ଧୁଙ୍କର ନିରାଡ଼ମ୍ବର ଜୀବନଶୈଳୀ ଓ ସରଳ ବ୍ୟକ୍ତିତ୍ଵ ଛାତ୍ରମାନଙ୍କୁ ପ୍ରଭାବିତ କରୁଥିଲା । ଛାତ୍ରମାନଙ୍କ ମନରେ ଦେଶପ୍ରେମ ଓ ସେବାମୂଳକ ମନୋଭାବ ଜାଗ୍ରତ କରାଇବା ପାଇଁ ସେ ଥିଲେ ଯତ୍ନଶୀଳ । ୧୯୨୦ମସିହାରେ ସେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ଵ ଗ୍ରହଣ କରିଥି ମୃତ୍ୟୁପର୍ଯ୍ୟନ୍ତ ଏହି ଦାୟିତ୍ଵ ତୁଲାଇଥିଲେ । ବ୍ୟାସକବି ଫକୀର ମୋହନ ସେନାପତି, ସତ୍ୟବାଦୀ ବନ ବିଦ୍ୟାଳୟ ପରିଭ୍ରମଣରେ ଆସି 'ଉତ୍କଳ ଭ୍ରମଣ'ରେ ଲେଖିଥିଲେ :

“କୃପାମୟ କୃପାସିନ୍ଧୁ ଜନହିତକର,
କାର୍ଯ୍ୟସାଧନରେ ଅବତୀର୍ଣ୍ଣ ଧରାଧାମେ,
ସମବେତ ସେମାନେ ତ ସତ୍ୟବାଦୀ ଗ୍ରାମେ,
ଜ୍ଞାନରାଶି, ପବିତ୍ରତା, ଉଭୟ ତ ଠୁଳ
ଉଦ୍ଧରିବେ ଭଗୀରଥ ସମାନରେ କୂଳ ।“

 

ସାହିତ୍ୟ କୃତି

  • ବାରବାଟୀ ଦୁର୍ଗ (ଏହା ପ୍ରଥମେ ମୁକୁର ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶିତ ହୋଇ, ପରେ ଏକ ଗ୍ରନ୍ଥର ରୂପ ନେଇଥିଲା)
  • କୋଣାର୍କ (ଉତ୍କଳର ଗୌରବମୟ ଇତିହାସର ଗଭୀର ଅନୁଶୀଳନ)
  • ଉତ୍କଳ ଇତିହାସ (କୃପାସିନ୍ଧୁଙ୍କ ମୃତ୍ୟୁପରେ ଅସମ୍ପୂର୍ଣ୍ଣ ଭାବରେ ପ୍ରକାଶିତ)
  • ନବ ଯୌବନର ବିପଦ
  • କା
  • ଅଦୃଷ୍ଟ ବାଦ
  • ଲୀଳା
  • କବିତା
  • ରାଜଭକ୍ତି
  • ପ୍ରାଚ୍ୟ ଭୂଖଣ୍ଡର ଅଭ୍ୟୁତଥାନ
  • ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର
  • ଭାରତ ଇତିହାସରେ ବୈଦେଶିକ ଆକ୍ରମଣ
  • ହିନ୍ଦୁର ସମାଜ ବିଧାନ

୧୯୨୬ ମସିହା ଫେବୃଆରୀ ୧୨ତାରିଖରେ, ୩୮ବର୍ଷ ବୟସରେ ତାଙ୍କର ତିରୋଧାନ ଘଟିଥିଲା । ତାଙ୍କ ମୃତ୍ୟୁରେ ମର୍ମାହତ ହୋଇ ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିଲେ : ଉତ୍କଳର ଶିକ୍ଷକ ସମାଜରୁ ଗୋଟିଏ ଉଜ୍ଜ୍ଵଳ ନକ୍ଷତ୍ର ଖସି ପଡିଲା ।

ଆଧାର- ଓଡିଆ ସାହିତ୍ୟ

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top