ସେଆର କରନ୍ତୁ

ଗଙ୍ଗାଧର ମେହେର

ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪), ଜଣେ ଓଡ଼ିଆ ରୀତି କବି ।

ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪), ଜଣେ ଓଡ଼ିଆ ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ଵଭାବ କବି ଭାବେ ପରିଚିତ । ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୯ ଅଗଷ୍ଟ ୧୮୬୨) ରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ ।

୧୮୮୫ ମସିହାରେ ଅମିନ ଭାବେ ଚାକିରି ଆରମ୍ଭ କରି ୧୯୧୭ ମସିହାରେ ମୋହରିର ଭାବେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ । ତା ୪ ଅପ୍ରେଲ ୧୯୨୪ ଚୈତ୍ର ଅମାବାସ୍ୟା ତିଥିରେ ସେ ମୃତ୍ୟୁବରଣ କରିଥିଲେ ।

ଓଡ଼ିଆ ସାହିତ୍ୟରେ ପ୍ରବେଶ

ବାଲ୍ୟକାଳରୁ ଗଙ୍ଗାଧର କବିତା ଲେଖିବା ଆରମ୍ଭ କରିଥିଲେ। ଓଡ଼ିଶାର ପୁରାତନ କବି ମାନଙ୍କର ପଦାଙ୍କ ଅନୁସରଣ କରି ସେମାନଙ୍କ ଶୈଳୀରେ ସେ ନିଜର ପ୍ରଥମ ଲେଖା ସବୁ ଲେଖିଥିଲେ । ତାଙ୍କର ଆଦ୍ୟ ରଚନାବଳୀ ଭିତରେ ରସ ରତ୍ନାକର ଓ ଅହଲ୍ୟା ସ୍ତବ ଆଦି ଅନ୍ୟତମ। ଏ ଗୁଡ଼ିକ ରୀତି ଯୁଗୀୟ ଶୈଳୀରେ ରଚନା କରାଯାଇଥିଲା। ଏହା ପରେ କବିବର ରାଧାନାଥ ରାୟଙ୍କ ପ୍ରରୋଚନାରେ ସେ ଆଧୁନିକ ଶୈଳୀରେ ଇନ୍ଦୁମତୀ ନାମକ କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟର ଆଧୁନିକ କବିମାନଙ୍କ ଭିତରେ ନିଜର ସ୍ଥାନ ସ୍ଥାପିତ କରି ପାରିଥିଲେ। ତାଙ୍କ ଲେଖା ସବୁ ଉତ୍କଳ ଭାରତୀର ଅମୂଲ୍ୟ ରତ୍ନ।

ସାହିତ୍ୟ ସର୍ଜନା

ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପକୁ ବର୍ଣ୍ଣନା କରିବାରେ କବିଙ୍କର କୃତିତ୍ୱ ପ୍ରଶଂସିତ ହୋଇଛି । ସେ ନିଜ ଲେଖାରେ କେବଳ ଉଚ୍ଚ ଆଦର୍ଶକୁ ସ୍ଥାନ ଦେଇ ନାହାନ୍ତି, ସେଥିରେ ସେ ମାନବତାର ଜୟଗାନ ମଧ୍ୟ କରିଛନ୍ତି । ଛନ୍ଦମାଧୁର୍ଯର ଆଧୁନିକୀକରଣ କରି ସେ ଓଡ଼ିଆ କବିତାରେ ଗାନଯୋଗ୍ୟତା ଭରିଛନ୍ତି । ଅର୍ଘ୍ୟଥାଳି କବିତାମାଳାର ଭକ୍ତି, ଅମୃତମୟ ଓ ମଧୁମୟ କବିତା ଓଡ଼ିଶାର ପୁରପଲ୍ଲୀରେ ଅତି ପରିଚିତ କବିତାମାନଙ୍କ ଭିତରୁ ଅନ୍ୟତମ ।

କାବ୍ୟ

  • ଇନ୍ଦୁମତୀ, (୧୮୯୩, ପ୍ରଥମ ପ୍ରକାଶିତ ଆଧୁନିକ କାବ୍ୟ)
  • ଉତ୍କଳ ଲକ୍ଷ୍ମୀ (୧୮୯୪)
  • କୀଚକ ବଧ (୧୯୦୩)
  • ତପସ୍ଵିନୀ (୧୯୧୨, ସର୍ବାଧିକ ଲୋକପ୍ରିୟ କାବ୍ୟ)
  • ପ୍ରଣୟ ବଲ୍ଲରୀ (୧୯୧୫, ମହାକବି କାଳିଦାସଙ୍କ 'ଅଭିଜ୍ଞାନ ଶାକୁନ୍ତଳମ' ନାଟକର ଅନୁସରଣରେ ରଚିତ)
  • ରସ ରତ୍ନାକର ('ର' ଆଦ୍ୟ-ପ୍ରାନ୍ତ-ନିୟମରେ ରଚିତ)
  • ମହିମା
  • କବିତା କଲ୍ଲୋଳ
  • ଅଯୋଧ୍ୟା ଦୃଶ୍ୟ
  • ବଳରାମଦେବ
  • ପଦ୍ମିନୀ (ଶେଷ କୃତି)

କବିତା

  • ଅହଲ୍ୟାସ୍ତବ, ୧୮୯୨(ସଂସ୍କୃତ ବୃତ୍ତ ଅନୁସରଣରେ ରଚିତ)
  • ଅର୍ଘ୍ୟଥାଳି (ସର୍ବାଧିକ ଲୋକପ୍ରିୟ କବିତା ସଂଗ୍ରହ)
  • ଭକ୍ତି
  • ଅମୃତମୟ
  • ମଧୁମୟ
  • ମାତୃଭୂମି
  • ଅର୍ପଣ
  • ଆଶ୍ରମେ ପ୍ରଭାତ
  • ଉତ୍କଳ-ଲକ୍ଷ୍ମୀ
  • ଖଦ୍ୟୋତର ଖେଦ ଓ ସୂର୍ଯ୍ୟ ପ୍ରତି ଦୀପ
  • ଭାରତୀ ଭାବନା
  • ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର
  • ମହାଜନ
  • ସୁଭାବ ଓ ସ୍ଵଭାବ
  • ଉତ୍କଳ ଭାରତୀଙ୍କ ଉକ୍ତି
  • ନର ଓ ମୟୂର
  • ଭରସା
  • ମଧୁପର ମଧୁଭିକ୍ଷା
  • ଧନପ୍ରତି
  • ବସନ୍ତ ବ୍ରତ

ଆଧାର –

  1. "ଶୋଭାବ କବି ଗଙ୍ଗାଧର ମେହେର "
  2. "ଗଙ୍ଗାଧର ମେହେର"
3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top