ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଗଣତାନ୍ତ୍ରିକ ପ୍ରକ୍ରିୟା-କେନ୍ଦ୍ର ସରକାର
ସେଆର କରନ୍ତୁ

ଗଣତାନ୍ତ୍ରିକ ପ୍ରକ୍ରିୟା-କେନ୍ଦ୍ର ସରକାର

ଗଣତାନ୍ତ୍ରିକ ପ୍ରକ୍ରିୟା-କେନ୍ଦ୍ର ସରକାର ର ସୂଚନା

କେନ୍ଦ୍ର ସରକାର

ଆମେ ବହୁସମୟରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଅନ୍ୟାନ୍ୟମନ୍ତ୍ରୀ, ସରକାରୀ କର୍ମଚାରୀ, ରାଜନୀତିଜ୍ଞ ଓ ଅନ୍ୟମାନଙ୍କ ବିଷୟରେ ଆଲୋଚନା କରିଥାଉ  । ଏ ସବୁ ଆଲୋଚନା ଆମ ଘରେ, କାର୍ଯ୍ୟାଳୟରେ ଚା ଦୋକାନରେ, ଜଳଖିଆ ଦୋକାନରେ ଏବଂ ରାସ୍ତାରେ ବିଭିନ୍ନ ସ୍ଥାନରେ ହୋଇଥାଏ  । ତୁମେ କେବେ ଚିନ୍ତାକରିଛକି, ଆମେ ବାରମ୍ବାର ଏହି ଲୋକମାନଙ୍କ ବିଷୟରେ କାହିଁକି ଆଲୋଚନା କରୁ  ? କାରଣ ସରକାରଙ୍କ ମୁଖ୍ୟ କର୍ମକର୍ତ୍ତା ହୋଇଥିବାରୁ ସେମାନଙ୍କ ଚିନ୍ତାଧାରା ଓ କାର୍ଯ୍ୟ ଆମ୍ଭମାନନକୁ କୌଣସି ଭାବରେ ପ୍ରଭାବିତ କରିଥାଏ  । ଦେଶର ଲୋକମାନଙ୍କର ଉନ୍ନତି ଓ ଜୀବନଧରଣର ମାନବୃଦ୍ଧିପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି  । ସେଥିପାଇଁ ଆମେ ତାଙ୍କ ବିଷୟରେ ଅଧିକ ଜାଣିବାକୁ ଇଚ୍ଛାକରୁ  । ଆମ ଦେଶରେ ଏକ ସଙ୍ଘୀୟ ଶାସନ ବ୍ୟବସ୍ଥା ପ୍ରଚଳିତ ଥିବାରୁ ଆମର କେନ୍ଦ୍ର ସରକାର, ରାଜ୍ୟ ସରକାର ବ୍ୟତୀତ ଗ୍ରାମ, ସହର ପ୍ରଭୃତି ପ୍ରାଥମିକ ସ୍ତରରେ ସ୍ଵାୟତଶାସନ ସରକାର ରହିଛି  । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରର ତିନୋଟି ବିଭାଗ ଯଥା କାର୍ଯ୍ୟ ନିର୍ବାହୀ, ଆଇନ ପ୍ରଣୟନ ଓ ନ୍ୟାୟିକ ବିଭାଗର ଗଠନ କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ବ୍ୟବସ୍ଥା ରହିଛି  । କେନ୍ଦ୍ରସରକାରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦ କାର୍ଯ୍ୟନିର୍ବାହୀ ବିଭାଗ, ସଂସଦ ଆଇନପ୍ରଣୟନକାରୀ ବିଭାଗ ଏବଂ ସର୍ବୋଚ୍ଚନ୍ୟାୟାଳୟ ନ୍ୟାୟିକବିଭାଗ ଅଟେ  । ଏହି ଅଧ୍ୟାୟରେ ଆମେ କେନ୍ଦ୍ରସରକାରର ଉପରୋକ୍ତ ତିନୋଟି ବିଭାଗର ଗଠନ ଓ କାର୍ଯ୍ୟଶୈଳୀ ସମ୍ପର୍କରେ ଆଲୋଚନା କରିବା  ।

ରାଷ୍ଟ୍ରପତି

ସାଧାରଣତନ୍ତ୍ର ଦିବସ ପ୍ୟାରେଡ ପ୍ରଦର୍ଶିତ ହୋଇଛି  । ଆମେ ପ୍ରତିବର୍ଷ ଜାନୁଆରୀ ୨୬ତାରିଖରେ ସାଧାରଣତନ୍ତ୍ର ଦିବସ ପାଳନ କରୁ  । ଭାରତ ଗୋଟିଏ ସାଧାରଣତନ୍ତ୍ର କାହିଁକି ? ତୁମେ କହିପାରିବ କି ? କାରଣ, ଏହାର ରାଷ୍ଟ୍ରମୁଖ୍ୟ ଭାରତର ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି  । ଇଂଲଣ୍ଡରେ ଏପରି ନୁହେଁ, ଯେଉଁଠାରେ ରାଷ୍ଟ୍ରମୁଖ୍ୟ ଜଣେ ରାଜା ଓ ରାଣୀ ହୋଇଥାନ୍ତି   । ସେମାନେ ବଂଶାନୁକ୍ରମିକଭାବେ ଏହି ପଦଲାଭ କରିଥାନ୍ତି  ।

ରାଷ୍ଟ୍ରପତି ନିର୍ବାଚନ ପଦ୍ଧତି :

ରାଷ୍ଟ୍ରପତି ପରୋକ୍ଷ ଭାବରେ ଏକ ନିର୍ବାଚକ ମଣ୍ଡଳଦ୍ଵାରା ନିର୍ବାଚିତ ହୋଇଥାନ୍ତି  । ଏହା ସଂସଦର ଉଭୟ ଗୃହ ଓ ରାଜ୍ୟବିଧାନ ସଭା ଗୁଡିକର ନିର୍ବାଚିତ ସଭ୍ୟମାନଙ୍କୁ ନେଇ ଗଠିତ  ହୋଇଥାଏ  । କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପୁଡୁଚେରୀ (ପୂର୍ବବର୍ତ୍ତୀ ନାମ ପଣ୍ଡିଚେରୀ) ବିଧାନସଭାର ନିର୍ବାଚିତ ସଦସ୍ୟମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥାନ୍ତି  । ଗୁପ୍ତମତଦାନ ମାଧ୍ୟମରେ ଏହି ନିର୍ବାଚନ ହୋଇଥାଏ  । ଏକ ଆନୁପାତିକ ଭୋଟଦାନ ପଦ୍ଧତିଦ୍ଵାରା ସେ ନିର୍ବାଚିତ ହୁଅନ୍ତି  ।

ରାଷ୍ଟ୍ରପତିଙ୍କ ଯୋଗ୍ୟତା :

ରାଷ୍ଟ୍ରପତି ପଦକୁ ନିର୍ବାଚିତ ହେବାପାଇଁ ଜଣେ ପ୍ରାର୍ଥୀ ନିଶ୍ଚିତରୂପେ –

  1. ଭାରତୀୟ ନାଗରିକ ହୋଇଥିବେ  ।
  2. ଅତିକମ୍ ରେ ୩୫ବର୍ଷବୟସ୍କ ହୋଇଥିବେ  ।
  3. ଲୋକସଭାରେ ସଦସ୍ୟ ହେବାପାଇଁ ଯୋଗ୍ୟତାଥିବ  ।
  4. ରାଜ୍ୟ, କେନ୍ଦ୍ର କିମ୍ବା ସ୍ଥାନୀୟ ସରକାର ଅଧିନସ୍ଥ କୌଣସି ଲାଭଜନକ ପଦବୀରେ ଅସୀନ ହୋଇ ନଥିବେ  ।

ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ :

ରାଷ୍ଟ୍ରପତି ୫ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି  । କିନ୍ତୁ ତାଙ୍କର କାର୍ଯ୍ୟକାଳ ସରିଯାଇଥିଲେ ମଧ୍ୟ ତାଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ ପଦବୀ ଗ୍ରହଣ କଲା ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ପଦରେ ରହିପାରିବେ  । ରାଷ୍ଟ୍ରପତି ପଦରେ କାର୍ଯ୍ୟକରୁଥିବା ବା ପୂର୍ବରୁ କାର୍ଯ୍ୟ କରିଥିବା ବ୍ୟକ୍ତି ରାଷ୍ଟ୍ରପତି ପଦକୁ ପୁନଃ ନିର୍ବାଚିତ ହେବାର ବ୍ୟବସ୍ଥା ରହିଛି  । ନିମ୍ନଲିଖିତ କୌଣସି ଏକ ପରିସ୍ଥିତିରେ ରାଷ୍ଟ୍ରପତି ପଦ ଖାଲି ରହିପାରେ  ।

  • ଯଦି ରାଷ୍ଟ୍ରପତି ମୃତ୍ୟୁ ବରଣ କରନ୍ତି
  • ଯଦି ସେ ନିଜପଦରୁ ଇସ୍ତଫା ଦିଅନ୍ତି
  • ଯଦି ତାଙ୍କୁ ବହିଷ୍କାର ଦ୍ଵାରା ପଦଚ୍ୟୁତ କରାଯାଏ  ।

ବହିଷ୍କାର (ଅସାମ୍ବିଧାନିକ କାର୍ଯ୍ୟପାଇଁ ରାଷ୍ଟ୍ରପତିଙ୍କୁ ପଦଚ୍ୟୁତ ବା ବହିଷ୍କାର କରିବାର ସିଦ୍ଧାନ୍ତ) ଯାହାକୁ ସଂସଦର ଉଭୟ ଗୃହରେ ସ୍ଵତନ୍ତ୍ର ବହୁମତରେ ଗ୍ରହଣ କରାଯାଏ  ।

ଆମ ସମ୍ବିଧାନ ବ୍ୟବସ୍ଥା ଅନୁସାରେ ଯଦି କୌଣସି କାରଣରୁ ରାଷ୍ଟ୍ରପତି ପଦଖାଲି ରହେ, ତେବେ ନୂତନ ରାଷ୍ଟ୍ରପତି ନିର୍ବାଚିତ ହୋଇ ଦାୟିତ୍ଵ ଗ୍ରହଣ କଲା ପର୍ଯ୍ୟନ୍ତ ଉପରାଷ୍ଟ୍ରପତି ରାଷ୍ଟ୍ରପତି ରୂପେ କାର୍ଯ୍ୟ କରନ୍ତି  । କିନ୍ତୁ ଉପରାଷ୍ଟ୍ରପତି ୬ମାସରୁ ଅଧିକ ସମୟ ରାଷ୍ଟ୍ରପତି ଭାବରେ କାର୍ଯ୍ୟକରିପାରିବେ ନାହିଁ  । ରାଷ୍ଟ୍ରପତିଙ୍କ ବେତନ, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସଂସଦ ଦ୍ଵାରା ସ୍ଵୀକୃତି ପାଇଥିବା ଆଇନଦ୍ଵାରା ସ୍ଥିରୀକୃତ ହୋଇଥାଏ  । ସମ୍ବିଧାନ ଅନୁସାରେ ସାଧାରଣତଃ ମାସିକ ୧୦,୦୦୦ ଟଙ୍କା ବେତନ ପାଇଥାନ୍ତି । ଏହା ୧୯୯୮ ମସିହାରେ ୫୦,୦୦୦ ଟଙ୍କାକୁ ଏବଂ ୨୦୦୮ ମସିହାରେ ପୁନର୍ବାର ୧,୫୦,୦୦୦କୁ ବୃଦ୍ଧି କରାଯାଇଛି  । ତାଙ୍କର ମଧ୍ୟ ଅନ୍ୟ ସ୍ଵତନ୍ତ୍ର ଦରମା ଓ ଭତ୍ତା ରହିଛି ଓ ସେ ଦିଲ୍ଲୀରେ ରହୁଥିବା ସରକାରୀ ବାସଭବନକୁ ରାଷ୍ଟ୍ରପତିଭବନ କୁହାଯାଏ  ।

ରାଷ୍ଟ୍ରପତିଙ୍କର କ୍ଷମତା :

ଆମେ ଆଗରୁ ଜାଣିଛୁ ଯେ, ରାଷ୍ଟ୍ରପତି ରାଷ୍ଟ୍ରମୁଖ୍ୟ  । ସେ ଦେଶର ସର୍ବୋଚ୍ଚ ପଦର ଅଧିକାରୀ  । ତାଙ୍କ ନାମରେ ଦେଶର ସମସ୍ତ ପ୍ରଶାସନିକ କାର୍ଯ୍ୟ ପରିଚାଳିତ ହୁଏ  । ରାଷ୍ଟ୍ରପତିଙ୍କର ନିମ୍ନଲିଖିତ କ୍ଷମତା ଗୁଡିକ ରହିଛି  ।

  1. କାର୍ଯ୍ୟନିର୍ବାହୀ କ୍ଷମତା : ଭାରତର ସମ୍ବିଧାନରେ କେନ୍ଦ୍ରର କାର୍ଯ୍ୟନିର୍ବାହୀ କ୍ଷମତା ରାଷ୍ଟ୍ରପତିଙ୍କ ଉପରେ ନ୍ୟସ୍ତ କରାଯାଇଛି  । ସେ ଲୋକସଭାର ସଂଖ୍ୟାଗରିଷ୍ଠ ଦଳର ବା ଯେଉଁ ଦଳ ଗୁଡିକ ଏକତ୍ରିତଭାବେ ସଂଖ୍ୟାଗରିଷ୍ଠତା ଲାଭ କରିଥାନ୍ତି, ତାଙ୍କର ନେତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରନ୍ତି  । ତାଙ୍କର ପରାମର୍ଶରେ ମନ୍ତ୍ରୀମଣ୍ଡଳର ଅନ୍ୟାନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରନ୍ତି  । ଯେହେତୁ ରାଷ୍ଟ୍ରପତି ନାମମାତ୍ର ଶାସନମୁଖ୍ୟ, ରାଷ୍ଟ୍ରର ସମସ୍ତ ପ୍ରଶାସନିକ କାର୍ଯ୍ୟ ରାଷ୍ଟ୍ରପତିଙ୍କ ନାମରେ ପରିଚାଳିତ ହୁଏ  । ସେ ରାଜ୍ୟମାନଙ୍କର ରାଜ୍ୟପାଳ, ଭାରତର ମହାନ୍ୟାୟବାଦୀ, ଭାରତ ମହା ହିସାବ ନିରିକ୍ଷକ, ରାଷ୍ଟ୍ରଦୂତ, ଉଚ୍ଚ କମିଶନର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ପ୍ରଶାସକ ମାନଙ୍କୁ ନିଯୁକ୍ତି ଦିଅନ୍ତି  । ସେ ମଧ୍ୟ କେନ୍ଦ୍ର ଲୋକସେବା ଆୟୋଗର ଚେୟାରମ୍ୟାନ ଓ ସଦସ୍ୟ ଏବଂ ଉଚ୍ଚତମ ନ୍ୟାୟାଳୟ ଓ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ଅନ୍ୟାନ୍ୟ ବିଚାରପତି ମାନଙ୍କୁ ନିଯୁକ୍ତି ଦିଅନ୍ତି  । ରାଷ୍ଟ୍ରପତି ଭାରତୀୟ ସେନାଏ ପ୍ରଧାନ ସେନାନାୟକ ଓ ସେନାର ତିନୋଟି ଶାଖା (ସ୍ଥଳ ବାହିନୀ, ଆକାଶବାହିନୀ ଓ ଜଳବାହିନୀ)ର ମୁଖ୍ୟମାନଙ୍କୁ ନିଯୁକ୍ତି ଦିଅନ୍ତି  ।

ରାଷ୍ଟ୍ରପତିଙ୍କର ମଧ୍ୟ ପଦଚ୍ୟୁତ କରିବାର ଅଧିକାର ରହିଛି  । ସେ (୧) ମନ୍ତ୍ରୀମଣ୍ଡଳର ସଦସ୍ୟ (୨) ଭାରତର ମହାନ୍ୟାୟବାଦୀ (୩) ରାଜ୍ୟପାଳ (୪) ଲୋକସେବା ଆୟୋଗର ଚେୟାରମ୍ୟାନ ଓ ସଦସ୍ୟ (ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଅନୁସାରେ), ଉଚ୍ଚତମ ନ୍ୟାୟାଳୟ ଓ ଉଚ୍ଚନ୍ୟାୟଳୟର ମୁଖ୍ୟବିଚାରପତି ଓ ବିଚାରପତି (୫) ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନିର୍ବାଚନ ଅଧିକାରୀ ଗଣଙ୍କୁ ସଂସଦର ଏକ ଘୋଷଣାନାମା ଦ୍ଵାରା ପଦଚ୍ୟୁତ କରିପାରିବେ  । ତାଙ୍କ ନାମରେ ଭାରତର ସମସ୍ତ କୂଟନୈତିକ କାର୍ଯ୍ୟ ପରିଚାଳିତ ହୋଇଥାଏ ଓ ଆନ୍ତର୍ଜାତିକ ଚୁକ୍ତି ସମ୍ପାଦିତ ହୋଇଥାଏ  ।

  1. ଆଇନ ପ୍ରଣୟନ କ୍ଷମତା

ରାଷ୍ଟ୍ରପତି ସଂସଦର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହି ପଦ ବଳରେ ସେ ଅନେକ ଆଇନ ପ୍ରଣୟନକାରୀ କ୍ଷମତା ଉପଭୋଗ କରନ୍ତି  । ସେ ପ୍ରତିବର୍ଷ ସଂସଦର ପ୍ରଥମ ଅଧିବେଶନ ଓ ପ୍ରତ୍ୟକ ଲୋକସଭା ନିର୍ବାଚନ ପରେ ଅନୁଷ୍ଠିତ ଅଧିବେଶନକୁ ଡକାନ୍ତି ଏବଂ ମୁଲତବୀ ରଖନ୍ତି ଏବଂ ମନ୍ତ୍ରୀପରିଷଦର ପରାମର୍ଶରେ ଲୋକସଭାକୁ ମଧ୍ୟ ଭାଙ୍ଗିପାରନ୍ତି  । ତାଙ୍କର ସମ୍ମିତିବିନା କୌଣସି ବିଲ୍ ଆଇନରେ ପରିଣତ ହୋଇପାରିବ ନାହିଁ  । ଯଦି ଲୋକସଭା ଓ ରାଜ୍ୟସଭା ଗୋଟିଏ ବିଲ୍ ଉପରେ ସହମତ ନହୁଅନ୍ତି, ତେବେ ରାଷ୍ଟ୍ରପତି ଏହି ସମସ୍ୟାର ସମାଧାନପାଇଁ ଏକ ସଂଯୁକ୍ତ ଅଧିବେଶନ ଡକାନ୍ତି  । ଯେତେବେଳେ ସଂସଦ ଅଧିବେଶନରେ ନଥାଏ, ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକ୍ରମେ ଅଧ୍ୟାଦେଶ ଜାରିକରି ପାରନ୍ତି ଯାହା ଆଇନଭଳି କାର୍ଯ୍ୟକରେ  ।

  1. ଆର୍ଥିକ କ୍ଷମତା :

ଉପରୋକ୍ତ କାର୍ଯ୍ୟନିର୍ବାହୀ ଓ ଆଇନପ୍ରଣୟନ କ୍ଷମତା ବ୍ୟତୀତ ରାଷ୍ଟ୍ରପତି କେତେକ ଆର୍ଥିକ କ୍ଷମତା ଉପଭୋଗ କରନ୍ତି  । କୌଣସି ଅର୍ଥବିଲ୍ ତାଙ୍କ ପୂର୍ବ ସୁପାରିଶ ବିନା ଲୋକସଭାରେ ଆଗତ ହୋଇପାରିବ ନାହିଁ  । ଅନ୍ୟ ଅର୍ଥରେ ପ୍ରତ୍ୟକ ଅର୍ଥବିଲ୍ ରାଷ୍ଟ୍ରପତିଙ୍କ ସ୍ଵୀକୃତିପାଇଲେ ଲୋକସଭାରେ ଆଗତ କରାଯାଇପାରିବ  । ତୁମେ ନିଶ୍ଚୟ ବଜେଟ ସମ୍ପର୍କରେ ଶୁଣିଥିବ  । ଏହା ଏକ ଦସ୍ତାବିଜ ଯେଉଁଥିରେ ଭାରତ ସରକାରଙ୍କର ବାର୍ଷିକ ଆୟ ଓ ବ୍ୟୟର ବିସ୍ତୃତ ବିବରଣୀ ରହିଥାଏ  । ପ୍ରତ୍ୟକବର୍ଷ ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ବଜେଟ ଲୋକସଭାରେ ଆଗତପାଇଁ ରାଷ୍ଟ୍ରପତି ସ୍ଵୀକୃତି ପ୍ରଦାନ କରନ୍ତି  ।

  1. ନ୍ୟାୟିକ କ୍ଷମତା :

ରାଷ୍ଟ୍ରମୁଖ୍ୟ ଭାବରେ ରାଷ୍ଟ୍ରପତିଙ୍କର କେତେକ ସ୍ଵତନ୍ତ୍ର ନ୍ୟାୟିକ ବିଶୋଧିକାର ରହିଛି  । ତାଙ୍କର କ୍ଷମାଦେବା ଓ ଦଣ୍ଡାଦେଶ ହ୍ରାସ କରିବାର କ୍ଷମତା ରହିଛି  । ଉଦାହରଣ ସ୍ୱରୂପ ରାଷ୍ଟ୍ରପତି ନ୍ୟାୟାଳୟ ବା ସାମାରିକ ନ୍ୟାୟାଳୟ ଦ୍ଵାରା ଦୋଷୀ ସାବ୍ୟସ୍ତ ହୋଇଥିବା କୌଣସି ଅପରାଧୀର ଦଣ୍ଡକୁ ନିଲମ୍ବିତ, ପରିବର୍ତ୍ତନ ଓ କ୍ଷମା କରିପାରନ୍ତି  ।

ରାଷ୍ଟ୍ରପତି ଓ ଜରୁରୀକାଳୀନ କ୍ଷମତା

ଆମେମାନେ ଏ ପର୍ଯ୍ୟନ୍ତ ସାଧାରଣ ସମୟରେ ଭାରତର ରାଷ୍ଟ୍ରପତି ଯେଉଁ କ୍ଷମତା ଉପଭୋଗ କରନ୍ତି, ତାହା ଆଲୋଚନା କରୁଥିଲେ  । ଏସବୁ କ୍ଷମତା ବ୍ୟତୀତ ଦେଶର କୌଣସି ଅସାଧାରଣ ପରିସ୍ଥିତିରେ ତାଙ୍କର କେତେକ ସ୍ଵତନ୍ତ୍ର ଗୁରୁତ୍ୱପୂର୍ଣ୍ଣ କ୍ଷମତା ଥାଏ, ଯାହାକୁ ଜରୁରୀକାଳୀନ କ୍ଷମତା କୁହାଯାଏ  । ଦେଶରେ ସୃଷ୍ଟି ହେଉଥିବା କେତେକ ସ୍ଵତନ୍ତ୍ର ଅସାଧାରଣ କିମ୍ବା ଅସାମାନ୍ୟ ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ସମ୍ବିଧାନରେ ଏହି କ୍ଷମତାର ବ୍ୟବସ୍ଥା କରାଯାଇଛି  । ଏହି ପରିସ୍ଥିତି ଗୁଡିକ ହେଉଛି : -

  1. ଯୁଦ୍ଧ ବା ବାହ୍ୟ ଆକ୍ରମଣ କିମ୍ବା ସଶସ୍ତ୍ର ବିଦ୍ରୋହ
  2. ଗୋଟିଏ ରାଜ୍ୟର ସାମ୍ବିଧାନିକ ବ୍ୟବସ୍ଥାରେ ବିଫଳତା
  3. ଆର୍ଥିକ ଜରୁରୀକାଳୀନ ପରିସ୍ଥିତି

ଯୁଦ୍ଧ ବା ବାହ୍ୟ ଆକ୍ରମଣ କିମ୍ବା ସଶସ୍ତ୍ର ବିଦ୍ରୋହ

ଯଦି ରାଷ୍ଟ୍ରପତି ଅନୁଭବ କରନ୍ତି ଯେ, ଭାରତ ବା ତାର କୌଣସି ଅଂଶର ସୁରକ୍ଷା ପ୍ରତି ଯୁଦ୍ଧ, ବାହ୍ୟ ଆକ୍ରମଣ ବା ସଶସ୍ତ୍ର ବିଦ୍ରୋହଦ୍ଵାରା ବିପଦ ସୃଷ୍ଟି ହେବାର ସମ୍ଭାବନା ଅଛି, ତେବେ ତାଙ୍କ ଦ୍ଵାରା ଏ ପ୍ରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଏ  । ରାଷ୍ଟ୍ରପତି ଏପରି ଘୋଷଣା କରନ୍ତି, ଯେତେବେଳେ କେନ୍ଦ୍ରକ୍ୟାବିନେଟ (ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ)ର ଏ ସମ୍ପର୍କରେ ସିଦ୍ଧାନ୍ତ ତାଙ୍କୁ ଲିଖିତଭାବରେ ଜଣାଇ ଦିଆଯାଏ  । ପ୍ରତ୍ୟକ ଘୋଷଣା ସଂସଦର ଉଭୟ ଗୃହରେ ଉପସ୍ଥାପିତ ହୁଏ ଏବଂ ଯଦି ଏକମାସ ମଧ୍ୟରେ ତାହା ଗୃହୀତ ନହୁଏ, ତେବେ ଆପେ ଆପେ ନାକଚ ହୋଇଯାଏ  । ଜରୁରୀକାଳୀନ ପରିସ୍ଥିତି ଘୋଷଣା ସହିତ କେନ୍ଦ୍ରସରକାର ରାଜ୍ୟସରକାର ମାନଙ୍କୁ ପ୍ରଶାସନିକ କ୍ଷମତା ସମ୍ପର୍କରେ ନିର୍ଦ୍ଦେଶ ଦେଇପାରିବେ ଓ ସଂସଦ ମଧ୍ୟ ରାଜ୍ୟ ବିଧାନ ସଭାର ଆଇନ ପ୍ରଣୟନ କ୍ଷମତାର ହସ୍ତକ୍ଷେପ କରିପାରିବ  । ରାଷ୍ଟ୍ରପତି ମଧ୍ୟ ମୌଳିକ ଅଧିକାରକୁ ବାତିଲ କରିବାପାଇଁ ଆଦେଶ ଦେଇପାରନ୍ତି  ।

ରାଷ୍ଟ୍ରପତିଙ୍କର ସ୍ଥିତି

ଯେତେବେଳେ କେନ୍ଦ୍ରସରାକାରର କାର୍ଯ୍ୟକାରିତା ଉପରେ ସଂସଦ କିମ୍ବା ସମ୍ବାଦପତ୍ର କିମ୍ବା ଦୂରଦର୍ଶନରେ ଆଲୋଚନା କରାଯାଏ, ସେତେବେଳେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦର ଭୂମିକା ବିଷୟରେ ଆଲୋଚନା କରାଯାଏ କିନ୍ତୁ ପୂର୍ବରୁ ଆମେ ଦେଖୁଛୁ ଯେ, ସମ୍ବିଧାନରେ ସମସ୍ତ କାର୍ଯ୍ୟନିର୍ବାହୀ କ୍ଷମତା ରାଷ୍ଟ୍ରପତିଙ୍କ ଉପରେ ନ୍ୟସ୍ତ  । ତାଙ୍କର ବିସ୍ତୃତ ଜରୁରୀ କାଳୀନ କ୍ଷମତା ରହିଛି  । ଏହାର ଅର୍ଥ କ’ଣ ସେ ସର୍ବ ଶକ୍ତିମାନ ? ନା : ପ୍ରକୃତପକ୍ଷେ ରାଷ୍ଟ୍ରପତି ରାଷ୍ଟ୍ରର ନାମ ମାନ୍ତର କାର୍ଯ୍ୟନିର୍ବାହୀ ଓ ସାମ୍ବିଧାନିକ ମୁଖ୍ୟ  । ଏହା ଦ୍ଵିଧାହୀନଯେ, ସରକାର ତାଙ୍କ ନାମରେ ପରିଚାଳିତ ହୁଏ  । କିନ୍ତୁ ଭାରତୀୟ ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ତାଙ୍କର ସମସ୍ତ କ୍ଷମତା ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ସାହାଯ୍ୟ ଓ ଉପଦେଶ ଅନୁସାରେ କାର୍ଯ୍ୟକାରୀ କରନ୍ତି  । ତାହା କେବଳ ସାଧାରଣ ଉପଦେଶ ନୁହେଁ, ତାହା ବାଧ୍ୟତାମୂଳକ  । ଏହା ସୂଚୀତକରେ ଯେ, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ କେନ୍ଦ୍ର ସରକାରରେ ପ୍ରକୃତ ଶାସକ  । ସମସ୍ତ ସିଦ୍ଧାନ୍ତ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ଦ୍ଵାରା ନିଆଯାଏ  । ସେ ସମସ୍ତ ସିଦ୍ଧାନ୍ତ ଜାଣିବାର ଅଧିକାର ରାଷ୍ଟ୍ରପତିଙ୍କର ଅଛି  । ସେହିପରି ଜରୁରୀକାଳୀନ ଅବସ୍ଥା ମଧ୍ୟ ରାଷ୍ଟ୍ରପତିଙ୍କୁ କିଛି ପ୍ରକୃତ କ୍ଷମତା ପ୍ରଦାନ କରେ ନାହିଁ  ।

“ଭାରତୀୟ ସମ୍ବିଧାନରେ ରାଷ୍ଟ୍ରପତି ଇଂଲଣ୍ଡ ସମ୍ବିଧାନର ରାଜା/ରାଣୀଙ୍କର ସ୍ଥାନ ଲାଭ କରନ୍ତି  । ସେ ରାଷ୍ଟ୍ରମୁଖ୍ୟ କିନ୍ତୁ କାର୍ଯ୍ୟନିର୍ବାହୀ ମୁଖ୍ୟ ନୁହଁନ୍ତି  । ସେ ରାଷ୍ଟ୍ରକୁ ପ୍ରତିନିଧିତ୍ଵ କରନ୍ତି, କିନ୍ତୁ ରାଷ୍ଟ୍ରକୁ ଶାସନ କରନ୍ତି ନାହିଁ  । ସେ ରାଷ୍ଟ୍ରରେ ସୂଚକ  । ଶାସନ କ୍ଷେତ୍ରରେ ତାଙ୍କର ସ୍ଥାନ ଏକ ଆଲଙ୍କାରିକ ମୁଖ୍ୟ, ଯାହା ମୋହରରେ ରାଷ୍ଟ୍ରରେ ସିଦ୍ଧାନ୍ତ ଘୋଷଣା କରାଯାଏ  ।”

ଉପରୋକ୍ତ ଉଦ୍ଧୃତ ଅନୁସାରେ କେତେକ ସମ୍ବିଧାନବିତ୍ ବିଶ୍ଵାସ କରନ୍ତି ସେ, ରାଷ୍ଟ୍ରପତିଙ୍କୁ  “ରବର ଷ୍ଟାମ୍ପ” ସହିତ ତୁଳନା କରାଯାଇପାରେ  । କିନ୍ତୁ ଏହି ସିଦ୍ଧାନ୍ତ ଠିକ୍ ନୁହେଁ  । ରାଷ୍ଟ୍ରପତିଙ୍କୁ ସମ୍ବିଧାନର ସୁରକ୍ଷା ଦାୟିତ୍ଵ ଅର୍ପଣ କରାଯାଇଛି  । ସମ୍ବିଧାନ ଅନୁସାରେ ସେ ଗଣତାନ୍ତ୍ରିକ ବ୍ୟବସ୍ଥାର ରକ୍ଷକ  । ଅନିଶ୍ଚିତ ରାଜନୈତିକ ପରିସ୍ଥିତିରେ ରାଷ୍ଟ୍ରପତି ସରକାର ଗଠନପାଇଁ ସିଦ୍ଧାନ୍ତମୂଳକ ପଦକ୍ଷେପ ନେଇଥାନ୍ତି  । କେତେକ ଘଟଣାରେ ରାଷ୍ଟ୍ରପତି ନିଜର ସ୍ଥିତି ସମ୍ପର୍କରେ ସଚେତନ ହୁଅନ୍ତି  । ପ୍ରକୃତପକ୍ଷେ କାର୍ଯ୍ୟକଲାବେଳେ ରାଷ୍ଟ୍ରପତି ଜଣେ ନାମମାତ୍ର କିମ୍ବା ସାମ୍ବିଧାନିକ ମୁଖ୍ୟ ଭାବରେ କାର୍ଯ୍ୟ କରନ୍ତି  । ଏହା ସଠିକ୍ ଭାବରେ କୁହାଯାଇପାରେ ଯେ, ଆମ ସମ୍ବିଧାନ ବ୍ୟବସ୍ଥାରେ ରାଷ୍ଟ୍ରପତି ସର୍ବୋଚ୍ଚ ସମ୍ମାନ ଓ ମର୍ଯ୍ୟାଦାର ଅଧିକାରୀ କିନ୍ତୁ ପ୍ରକୃତ କ୍ଷମତାର ଅଧିକାରୀ ନୁହଁନ୍ତି  ।

ପ୍ରଧାନମନ୍ତ୍ରୀ

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ? ହଁ, ଚା ଚା ନେହେରୁ ଓ ପୁରାନାମ ଜବାହରଲାଲ ନେହେରୁ  । ସେ ଯେତେବେଳେ ଏହି ଗୁରୁତ୍ଵପୂର୍ଣ୍ଣ ପଦଗ୍ରହଣ କଲେ, ସେ କିପରି ଅନୁଭବ କରୁଥିବେ ବୋଲି ତୁମେ ଭାବୁଛ  ? ମନେପକାଅ ଯେ, ସେତେବେଳେ ଭାରତ ଖୁବ୍ ନିକଟରେ ଇଂରେଜ ଶାସନ କବଳରୁ ସ୍ଵାଧିନତା ଲାଭ କରିଥିଲା  । ସେ କ’ଣ କ’ଣ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିଲେ  । ଚାଲଦେଖିବା ତାଙ୍କ ନିଜଭାଷାରେ ଲିଖିତ (ନିଜବହି ) “ଭାରତର ଆବିଷ୍କାର” ପୁସ୍ତକରେ ଯାହା ଲେଖାଯାଇଛି  । ଭାରତ ଗୋଟିଏ ଗରିବ ଦେଶ ନୁହେଁ  । ତାକୁ ପ୍ରତ୍ୟକ ଜିନିଷ ପ୍ରଚୁର ଯୋଗାଇ ଦିଆଯାଉଛି, ଯାହା କି ଏ ଦେଶକୁ ଧନୀ କରିଛି କିନ୍ତୁ ଏପର୍ଯ୍ୟନ୍ତ ଏହାର ଲୋକମାନେ ବହୁତ ଗରିବ - : ଭାରତରେ ପ୍ରକୃତିକ ସମ୍ପଦ ରହିଛି ଓ ତତ୍ ସହିତ ଦ୍ରୁତ ବେଗରେ ବୃଦ୍ଧି ଓ ଉନ୍ନତି କରିବା ପାଇଁ ନିପୁଣତା ଓ ଦକ୍ଷତା ରହିଛି  ।”

ସେ କହିଲେ “ଆମେମାନେ ସମାନତାପାଇଁ ଲକ୍ଷ୍ୟ ରଖିବା  । ସମସ୍ତଙ୍କୁ କେବଳ ସମାନ ସୁବିଧା ଦିଆଯିବ ନାହିଁ, ବରଂ ଶିକ୍ଷା, ଆର୍ଥିକ ଓ ସାଂସ୍କୃତିକ କ୍ଷେତ୍ରରେ ପଛୁଆ ଶ୍ରେଣୀର ଲୋକଙ୍କୁ ସ୍ଵତନ୍ତ୍ର ସୁଯୋଗ ପ୍ରଦାନକରି ତାଙ୍କଠାରୁ ଆଗୁଆଥିବା ଲୋକଙ୍କ ସହ ସମାନ ହେବାକୁ ସକ୍ଷମ କରିପାରିବେ  । ଭାରତର ସମସ୍ତଙ୍କ ପାଇଁ ସୁଯୋଗର ଦ୍ଵାର ଖୋଲିବାକୁ ଏଭଳି ଯେକୌଣସି ଉଦ୍ୟମ ଦେଶକୁ ଦ୍ରୁତବେଗରେ ପରିବର୍ତ୍ତନ କରିବା ପାଇଁ ଯଥେଷ୍ଟ ଶକ୍ତି ଓ ସାମର୍ଥ୍ୟ ଯୋଗାଇ ଦେବ  ।” ନେହେରୁ ଅନୁଭବ କରୁଥିଲେ, ଦେଶକୁ ଆଗେଇ ନେବାପାଇଁ ତାଙ୍କର ବିଶେଷ ଦାୟିତ୍ଵ ରହିଛି  । କାରଣ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଯଦି ତୁମେ ଦୂରଦର୍ଶନ ବା ରେଡିଓରୁ ସମ୍ବାଦ ଶୁଣିବ, ତୁମେ ଏବେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନାମ କେନ୍ଦ୍ରସରକାରରେ ଅନ୍ୟମାନଙ୍କଠାରୁ ଅଧିକ ଶୁଣିବାକୁ ପାଇବ  । ପ୍ରକୃତପକ୍ଷେ ପ୍ରଧାନମନ୍ତ୍ରୀ କେନ୍ଦ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଥାନ୍ତି  । ଆପଣ ସମ୍ବିଧାନ ପଢିଲେ, ଆପଣଙ୍କର ଅଲଗା ଧାରଣା ସୃଷ୍ଟିହେବ କାରଣ ସମସ୍ତ କ୍ଷମତା ରାଷ୍ଟ୍ରପତିଙ୍କ କ୍ଷମତା ବୋଲି ଲେଖାଯାଇଛି  । କିନ୍ତୁ ଗୋଟିଏ ବ୍ୟବସ୍ଥା ପରିସ୍ଥିତିକୁ ବଦଳାଇ ଦେଉଛି  । ସମ୍ବିଧାନ ଅନୁସାରେ ରାଷ୍ଟ୍ରପତିଙ୍କୁ ସାହାଯ୍ୟ କରିବା ଓ ପରାମର୍ଶ ଦେବାପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵାଧିନ ଏକ ମନ୍ତ୍ରୀ ପରିଷଦ ରହିଛି ଏବଂ ସେ ଏହି ଉପଦେଶ ଅନୁସାରେ କାର୍ଯ୍ୟକରନ୍ତି  । ପ୍ରକୃତପକ୍ଷେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵାଧିନ ମନ୍ତ୍ରୀମଣ୍ଡଳର ଉପଦେଶ ଅନୁସାରେ କାର୍ଯ୍ୟକରିବାକୁ ବାଧ୍ୟ  । ପ୍ରଧାନମନ୍ତ୍ରୀ କେନ୍ଦ୍ରପ୍ରଶାସନର ପ୍ରକୃତ ମୁଖ୍ୟ ଅଟନ୍ତି  ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଦ୍ଵାରା ନିଯୁକ୍ତି ପାଆନ୍ତି  । କିନ୍ତୁ ରାଷ୍ଟ୍ରପତି ଲୋକସଭାର ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ପ୍ରଧାନମନ୍ତ୍ରୀ ହେବାପାଇଁ ଆମନ୍ତ୍ରଣ କରନ୍ତି  । ଯାହାଙ୍କୁ ପ୍ରଧାନମନ୍ତ୍ରୀ ପଦପାଇଁ ଆମନ୍ତ୍ରଣ କରାଯାଏ, ସେ ଲୋକସଭାରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଥିବା ରାଜନୈତିକ ଦଳର ନେତା ଅଟନ୍ତି କିମ୍ବା ଯେତେବେଳେ ମିଳିତ ସରକାର ଗଠନ କରାଯାଏ, ସେତେବେଳେ ସେ ଏକତ୍ର ମିଳିତ ହୋଇଥିବା ଗୋଟିକରୁ ଅଧିକ ରାଜନୈତିକ ଦଳର ନେତା ଅଟନ୍ତି  । ପରିବର୍ତ୍ତିତ ପରିସ୍ଥିତିରେ ରାଷ୍ଟ୍ରପତି ଲୋକସଭାରେ ସବୁଠାରୁ ଅଧିକ ସଦସ୍ୟଥିବା ଦଳର ନେତା ଯେ କି ଅନ୍ୟରାଜନୈତିକ ଦଳର ସମର୍ଥନରେ ନିଜର ଆବଶ୍ୟକ ସଂଖ୍ୟାଗରିଷ୍ଠତା ପ୍ରତିପାଦାନ କରିପାରିବେ, ତାଙ୍କୁ ଆମନ୍ତ୍ରଣ କରନ୍ତି  । ପ୍ରଧାନମନ୍ତ୍ରୀ ଲୋକସଭାର ସଂଖ୍ୟାଗରିଷ୍ଠ ଦଳର ନେତା ହେବା ସହିତ ଜଣେ ସାଂସଦ ହେବା ଆବଶ୍ୟକ  । ଯଦି ନିଯୁକ୍ତିସମୟରେ ସଂସଦର ସଦସ୍ୟ ହୋଇନଥାନ୍ତି, ତେବେ ପ୍ରଧାନମନ୍ତ୍ରୀ ନିଯୁକ୍ତିର ୬ମାସ ମଧ୍ୟରେ ସଂସଦକୁ ନିର୍ବାଚିତ ହେବା ଆବଶ୍ୟକ  ।

ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟ :

ଏହା ଏକ କୌତୁହଳର ବିଷୟ ନୁହେଁ କି, କେନ୍ଦ୍ରସରକାରରେ ପ୍ରଧାନମନ୍ତ୍ରୀ ସବୁଠାରୁ ଅଧିକ କ୍ଷମତାଶାଳୀ କାର୍ଯ୍ୟନିର୍ବାହୀ ହେଲେ ମଧ୍ୟ ସମ୍ବିଧାନରେ ପ୍ରଧାନମନ୍ତ୍ରୀଙ୍କ କ୍ଷମତାର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଏ ନାହିଁ  । କେବଳ ଏତିକି ବ୍ୟବସ୍ଥା ସମ୍ବିଧାନରେ ରହିଛି ଯେ, ରାଷ୍ଟ୍ରପତି ତାଙ୍କର ସମସ୍ତ କ୍ଷମତା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵାଧୀନ ମନ୍ତ୍ରୀମଣ୍ଡଳର ସାହାଯ୍ୟ ଓ ଉପଦେଶ ଦ୍ଵାରା କାର୍ଯ୍ୟକାରୀ କରନ୍ତି ଏବଂ ଏହି ଉପଦେଶ ବାଧ୍ୟତାମୂଳକ ଅଟେ  । କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ଦେଖାଯାଏ ଯେ, ପ୍ରଧାନମନ୍ତ୍ରୀ ହିଁ ମନ୍ତ୍ରୀମଣ୍ଡଳର ଗଠନ ଓ ଭାଙ୍ଗିବା କାର୍ଯ୍ୟ କରିଥାନ୍ତି  । ତାଙ୍କ ପରାମର୍ଶ ଅନୁସାରେ ରାଷ୍ଟ୍ରପତି ମନ୍ତ୍ରୀପରିଷଦର ସଦସ୍ୟମାନଙ୍କୁ ନିଯୁକ୍ତି ଦିଅନ୍ତି ଓ ତାଙ୍କର ବିଭାଗ ବଣ୍ଟନ କରନ୍ତି  । ସେ କ୍ୟାବିନେଟ ସଭାରେ ସଭାପତିତ୍ଵ କରନ୍ତି ଓ ଏହାର ନିଷ୍ପତ୍ତି ରାଷ୍ଟ୍ରପତିଙ୍କୁ ଅବଗତ କରାନ୍ତି  । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ମନ୍ତ୍ରୀ ପରିଷଦ ମଧ୍ୟରେ ସଂଯୋଗ ଅଟନ୍ତି  । ଯଦି କୌଣସି କାରଣରୁ ପ୍ରଧାନମନ୍ତ୍ରୀ ଇସ୍ତଫା ପ୍ରଦାନ କରନ୍ତି, ସମ୍ପୂର୍ଣ୍ଣ ମନ୍ତ୍ରୀମଣ୍ଡଳ ଭାଙ୍ଗିଯାଏ  । ଯେତେବେଳେ ଆବଶ୍ୟକ ପଡେ, ଲୋକସଭା ଭାଙ୍ଗିଦେଇ ପୁନର୍ବାର ସାଧାରଣ ନିର୍ବାଚନ କରିବାପାଇଁ ସେ ରାଷ୍ଟ୍ରପତିଙ୍କୁ ସୁପାରିଶ କରିପାରନ୍ତି  । ପ୍ରକୃତପକ୍ଷେ ପ୍ରଧାନମନ୍ତ୍ରୀ କେବଳ ସଂଖ୍ୟାଗରିଷ୍ଠ ଦଳର ନେତା ନୁହଁନ୍ତି, ସେ ସଂସଦର ନେତା ଓ ସମୁଦାୟ ରାଷ୍ଟ୍ରର ନେତା ଅଟନ୍ତି  । ତାଙ୍କର କାର୍ଯ୍ୟାଳୟ କ୍ଷମତାର କାର୍ଯ୍ୟାଳୟ କିନ୍ତୁ ରାଷ୍ଟ୍ରପତିଙ୍କର ସମ୍ମାନ ଓ ମର୍ଯ୍ୟାଦାର କାର୍ଯ୍ୟାଳୟ  । ପ୍ରଧାନମନ୍ତ୍ରୀ ଯୋଜନା ଆୟୋଗର ଓ ରାଷ୍ଟ୍ରୀୟ ଉନ୍ନୟନ ପରିଷଦର ସେ ସରକାରର ମୁଖ୍ୟମାନଙ୍କର ଆନ୍ତରାଷ୍ଟ୍ରୀୟ ଆଲୋଚନା ଚକ୍ର ଗୁଡିକରେ ଦେଶର ପ୍ରତିନିଧିତ୍ଵ କରନ୍ତି  ।

କେନ୍ଦ୍ରମନ୍ତ୍ରୀ ପରିଷଦ :

ଭାରତର ସମ୍ବିଧାନ ଘୋଷଣା କରେ ଯେ, ରାଷ୍ଟ୍ରପତିଙ୍କୁ ସହଯୋଗ କରିବା ଏବଂ ପରାମର୍ଶ ଦେବାପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵାଧୀନ ଏକମନ୍ତ୍ରୀ ପରିଷଦ ରହିଛି ଏବଂ ରାଷ୍ଟ୍ରପତି ଏହାର ପରାମର୍ଶ ଅନୁସାରେ କାର୍ଯ୍ୟ କରିଥାନ୍ତି  । ରାଷ୍ଟ୍ରପତି ମନ୍ତ୍ରୀ ପରିଷଦକୁ ଏହି ଉପଦେଶର ପୁନର୍ବିଚାର ପାଇଁ କହିପାରନ୍ତି  । କିନ୍ତୁ ଏହି ପୁନର୍ବିଚାର ପରେ ପଠାଯାଇଥିବା ଉପଦେଶ ଅନୁସାରେ କାର୍ଯ୍ୟକରିବାକୁ ରାଷ୍ଟ୍ରପତି ବାଧ୍ୟ  ।

ମନ୍ତ୍ରୀପରିଷଦର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ରାଷ୍ଟ୍ରପତିଙ୍କ ଦ୍ଵାରା ନିଯୁକ୍ତି ପାଆନ୍ତି  । ମନ୍ତ୍ରୀ ପରିଷଦ ତିନୋଟି ଭିନ୍ନ ପାହ୍ୟାର ମନ୍ତ୍ରୀଙ୍କୁ ନେଇ ଗଠିତ  । ଯଥା କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ ଉପମନ୍ତ୍ରୀ  । ମନ୍ତ୍ରୀ ପରିଷଦ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଗୋଟିଏ ଦଳରେ କାର୍ଯ୍ୟକରିଥାଏ  । ରାଷ୍ଟ୍ରପତି ସନ୍ତୁଷ୍ଟ ଥିବା ପର୍ଯ୍ୟନ୍ତ ମନ୍ତ୍ରୀପରିଷଦ ତାଙ୍କର ପଦରେ ରହନ୍ତି କିନ୍ତୁ ଯେପର୍ଯ୍ୟନ୍ତ ସେମାନଙ୍କ ପ୍ରତି ଲୋକସଭାର ସଂଖ୍ୟାଗରିଷ୍ଠ ସଭ୍ୟଙ୍କର ସମର୍ଥନ ଥାଏ, ସେ ପର୍ଯ୍ୟନ୍ତ ସେମାନେ ବହିଷ୍କୃତ ହୋଇପାରିବେ ନାହିଁ  । ବସ୍ତୁତଃ ସମ୍ବିଧାନ ଅନୁସାରେ ମନ୍ତ୍ରୀମାନେ ସାମୁହିକ ଭାବରେ ଲୋକସଭା ନିକଟରେ ଉତ୍ତରଦାୟୀ  । ଯଦି ଲୋକସଭା ଏକ ଅନାସ୍ଥା ପ୍ରସ୍ତାବ ପାରିତକରେ ତେବେ ପ୍ରଧାନମନ୍ତ୍ରୀଙ୍କ ସହିତ ସମଗ୍ର ମନ୍ତ୍ରୀପରିଷଦ ଇସ୍ତଫା ଦେବାକୁ ପଡିଥାଏ  । ଅନାସ୍ଥାପ୍ରସ୍ତାବ ହେଉଛି ଏକ ଆଇନଗତ ପ୍ରସ୍ତାବ ଯାହା ଲୋକସଭାର ସଦସ୍ୟଙ୍କ ଦ୍ଵାରା ମନ୍ତ୍ରୀପରିଷଦ ଉପରେ ଅବିଶ୍ଵାସକୁ ଦର୍ଶାଇ ଆଗତ ହୁଏ  । ସେଥିପାଇଁ କୁହାଯାଇଛି ମନ୍ତ୍ରୀମାନେ ଏକତ୍ର ପହଂରନ୍ତି ଓ ଏକତ୍ର ବୁଡନ୍ତି । ମନ୍ତ୍ରୀ ପରିଷଦର  କାର୍ଯ୍ୟ ସମ୍ପର୍କରେ କୁହାଯାଇଛି ଯେ, ଏହା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସହ ସମାନ  । କ୍ୟାବିନେଟ ଓ ମନ୍ତ୍ରୀପରିଷଦର କାର୍ଯ୍ୟକ୍ରମ ଗୁପ୍ତ ରଖାଯାଏ  । ମନ୍ତ୍ରୀ ପରିଷଦ ବହୁସଂଖ୍ୟାରେ ମନ୍ତ୍ରୀଙ୍କୁ ନେଇଗଠିତ  । ବର୍ତ୍ତମାନ ସମୟରେ ଆମେମାନେ ଦେଖୁ ଯେ, ମନ୍ତ୍ରୀପରିଷଦର ସର୍ବୋଚ୍ଚ ଶ୍ରେଣୀ ଯାହାକୁ କ୍ୟାବିନେଟ କୁହାଯାଏ, ସେମାନଙ୍କ ସଂଖ୍ୟା ୨୦-୨୫ ଏବଂ ସେମାନେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ଵରେ ଥାଆନ୍ତି  । ଅନ୍ୟଗୋଟିଏ ଗୋଷ୍ଠୀର ମନ୍ତ୍ରୀଙ୍କୁ ରାଷ୍ଟ୍ରମନ୍ତ୍ରୀ କୁହାଯାଏ  । ସେମାନଙ୍କ ମଧ୍ୟରୁ କେତେକ ସ୍ଵତନ୍ତ୍ର ବିଭାଗ ଦାୟିତ୍ଵରେ ଥାଆନ୍ତି ଓ ଅନ୍ୟମାନେ କ୍ୟାବିନେଟ ମନ୍ତ୍ରୀଙ୍କ ଅଧିନରେ କାର୍ଯ୍ୟ କରନ୍ତି  । ଅନ୍ୟଗୋଟିଏ ସ୍ତରର ମନ୍ତ୍ରୀଙ୍କୁ ଉପମନ୍ତ୍ରୀ କହନ୍ତି ଓ ସେମାନେ କ୍ୟାବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମାନରିଙ୍କ ଅଧିନରେ କାର୍ଯ୍ୟ କରନ୍ତି  । କେବଳ କ୍ୟାବିନେଟ ସ୍ତରର ମନ୍ତ୍ରୀମାନେ କ୍ୟାବିନେଟ ମିଟିଂ ରେ ଯୋଗ ଦିଅନ୍ତି  । କିନ୍ତୁ ଆବଶ୍ୟକ ପଡିଲେ, ରାଷ୍ଟ୍ରମନ୍ତ୍ରୀମାନେ ମଧ୍ୟ ଏହି ସଭାକୁ ନିମନ୍ତ୍ରିତ ହୋଇଥାନ୍ତି  ।

ପ୍ରଧାନମନ୍ତ୍ରୀଙ୍କ ସ୍ଥିତି :

ଉପରୋକ୍ତ ଆଲୋଚନା ପୃଷ୍ଠଭୂମିରେ ଏହା ସ୍ପଷ୍ଟ ଯେ, ପ୍ରଧାନମନ୍ତ୍ରୀ କେନ୍ଦ୍ରସରକାରରେ ମୁଖ୍ୟସ୍ଥାନର ଅଧିକାରୀ  । ସେ ସଂସଦରେ ମୁଖ୍ୟପ୍ରବକ୍ତା ଓ ସରକାରଙ୍କ ନୀତିର ସୁରକ୍ଷାଦାତା  । ମନ୍ତ୍ରୀ ପରିଷଦ ତାଙ୍କର ଦଳ ଭାବରେ କାର୍ଯ୍ୟକରେ  । ଆବଶ୍ୟକୀୟ ନୀତିନିୟମ ପ୍ରଣୟନ ଓ କାର୍ଯ୍ୟକାରିତା ପାଇଁ ଦେଶ ତାଙ୍କ ଉପରେ ନିର୍ଭର କରେ  । ଅନ୍ୟଦେଶ ସହିତ ସମସ୍ତ ବୈଦେଶିକ ଚୁକ୍ତି ପ୍ରଧାନମନ୍ତ୍ରୀଙ୍କ ସହମତିରେ ସ୍ଵାକ୍ଷରିତ ହୁଏ  । ସରକାର ଓ ସଂସଦରେ ତାଙ୍କର ସ୍ଵତନ୍ତ୍ର ସ୍ଥାନରହିଛି  । ପ୍ରଧାନମନ୍ତ୍ରୀ ତାଙ୍କର ଦଳ (ମନ୍ତ୍ରୀପରିଷଦ) ଖୁବ୍ ସାବଧାନତାର ସହ ବାଛନ୍ତି ଏବଂ ସେମାନଙ୍କଠାରୁ ସ୍ଵତଃପ୍ରବୃତ ସହଯୋଗ ଲାଭ କରନ୍ତି  । ଏହା ସତ୍ୟ ଯେ, ଗୋଟିଏ ମିଳିତ ସରକାରରେ ପ୍ରଧାନମନ୍ତ୍ରୀ ସମଭାବାପନ୍ନ ରାଜନୈତିକ ଦଳର ସହଯୋଗ ଚାହିଁଥାଆନ୍ତି  । ବିଗତ ୧୦-୧୨ ବର୍ଷର ଅନୁଭୂତିରୁ ଜଣାଯାଏ ଯେ, ଏଭଳି ପରିସ୍ଥିତିରେ ତାଙ୍କୁ ତୀକ୍ଷ୍ନଦୃଷ୍ଟି ଓ କୂଟନୀତି ସମ୍ପନ୍ନ ହେବାକୁ ପଡିବ  । ତାଙ୍କୁ ଦେଶର ସାମରିକ ବିଭାଗ ଓ ରୂରକ୍ଷା ସମ୍ପର୍କୀୟ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ହୁଏ  । ଉନ୍ନତ ବାସୋପଯୋଗୀ ଅବସ୍ଥା ସୃଷ୍ଟି କରିବା ସହିତ ପଡୋଶୀଦେଶ ଶାନ୍ତି ଓ ବନ୍ଧୁତା ବଜାୟ ରଖିବାପାଇଁ ତାଙ୍କୁ ଆଇନ ପ୍ରଣୟନ କରିବାକୁ ପଡେ  । ଉପରଲିଖିତ ବିଷୟ ବସ୍ତୁ କାରଣରୁ ପ୍ରଧାନମନ୍ତ୍ରୀଙ୍କୁ “Key stone of the Cabinatarch” ? (ମନ୍ତ୍ରୀପରିଷଦର ମୁଖ୍ୟ) କୁହାଯାଏ  ।

ସଂସଦ

କେନ୍ଦ୍ରସରକାରର ଆଇନପ୍ରଣୟନ ବିଭାଗକୁ ସଂସଦ କୁହାଯାଏ  । ଏହା ରାଷ୍ଟ୍ରପତି, ସଂସଦର ଦୁଇଟି ସଦନ ଯଥା ଲୋକସଭା ଓ ରାଜ୍ୟସଭାକୁ ନେଇ ଗଠିତ  । ସଂସଦୀୟ ଶାସନ ପଦ୍ଧତିର ନୀତି ଓ ପ୍ରଥା ଅନୁସାରେ ରାଷ୍ଟ୍ରପତି ସଂସଦର ଏକ ଅଂଶ  । ବର୍ତ୍ତମାନ ଆମେ ସଂସଦର ଉଭୟ ସଦନର ଗଠନ, କ୍ଷମତା ଓ କାର୍ଯ୍ୟ ବିଷୟରେ ଆଲୋଚନା କରିବା  ।

ଲୋକସଭା

ଲୋକସଭାକୁ ନିମ୍ନ ସଦନ କୁହାଯାଏ  । ଏହା ଲୋକମାନଙ୍କର ପ୍ରତିନିଧିତ୍ଵ କରୁଥିବା ଅଙ୍ଗ  । ଲୋକସଭାର ସଦସ୍ୟମାନେ ପ୍ରତ୍ୟକ୍ଷଭାବରେ ଭାରତର ଲୋକମାନଙ୍କ ଦ୍ଵାରା ନିର୍ବାଚିତ ହୁଅନ୍ତି  । ଏହାର ସଭ୍ୟସଂଖ୍ୟା ୫୫୦ରୁ ଅଧିକ ହେବନାହିଁ  । ସେମାନଙ୍କ ମଧ୍ୟରୁ ୫୩୦ଜଣ ପ୍ରତ୍ୟକ୍ଷ ଭାବରେ ରାଜ୍ୟର ଲୋକମାନଙ୍କ ଦ୍ଵାରା ନିର୍ବାଚିତ ହୁଅନ୍ତି ଏବଂ ଅବଶିଷ୍ଟ ୨୦ଜଣ କେନ୍ଦ୍ରଶାସିତ ଅଞ୍ଚଳରୁ ନିର୍ବାଚିତ ହୁଅନ୍ତି  । ୧୮ବର୍ଷ କିମ୍ବା ତଦୃର୍ଦ୍ଧ୍ଵ ବୟସର ନାଗରିକ ମାନଙ୍କର ଭୋଟଦେବାର ଓ ଲୋକସଭା ସଦସ୍ୟଙ୍କୁ ନିର୍ବାଚିତ କରିବାର ଅଧିକାର ଅଛି  । ସମ୍ବିଧାନ ଅନୁସାରେ ଯଦି ଆଙ୍ଗଲୋଇଣ୍ଡିଆନ (ଭାରତୀୟ ଇଂରେଜ) ସମ୍ପ୍ରଦାୟରୁ କୌଣସି ସଭ୍ୟ ଲୋକସଭାରେ ନଥାନ୍ତି, ତେବେ ରାଷ୍ଟ୍ରପତି ଏହି ସମ୍ପ୍ରଦାୟର ଦୁଇଜଣଙ୍କୁ ମନୋନୀତ କରିବେ  । ଯେତେବେଳେ ନିର୍ବାଚନ ଘୋଷଣା କରାଯାଏ, ପ୍ରତ୍ୟକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜନସଂଖ୍ୟା ଅନୁପାତରେ କେତେଗୁଡିଏ ଆଞ୍ଚଳିକ ନିର୍ବାଚନ ମଣ୍ଡଳିର ବିଭକ୍ତ ହୋଇଥାଏ  । ତାକୁ ସଂସଦୀୟ ନିର୍ବାଚନ ମଣ୍ଡଳି କୁହାଯାଏ  । ପ୍ରତ୍ୟକ ନିର୍ବାଚନ ମଣ୍ଡଳିରୁ  ଜଣେ ଲେଖାଏଁ ପ୍ରତିନିଧି ଲୋକସଭାକୁ ନିର୍ବାଚିତ ହୋଇଆସନ୍ତି  ।

ଲୋକସଭାର କାର୍ଯ୍ୟକାଳ ୫ବର୍ଷ  । କିନ୍ତୁ ରାଷ୍ଟ୍ରପତିଙ୍କ ଦ୍ଵାରା ଏହାକୁ କାର୍ଯ୍ୟକାଳ ସରିବା ପୂର୍ବରୁ ଭଙ୍ଗ କରାଯାଇପାରେ  । ଜରୁରୀକାଳିନ ପରିସ୍ଥିତି ସମୟରେ ଏହାର କାର୍ଯ୍ୟକାଳ ଏକ ସମୟରେ ଏକବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ  ।

ଲୋକସଭାର ସଦସ୍ୟ ହେବାପାଇଁ ଯୋଗ୍ୟତା ହେଉଛି (କ) ସେ ଜଣେ ଭାରତୀୟ ନାଗରିକ ହୋଇଥିବେ (ଖ) ଅତିକମ୍ ରେ ୨୫ ବର୍ଷ ବୟସ୍କ ହୋଇଥିବେ (ଗ) କେନ୍ଦ୍ର, ରାଜ୍ୟ କିମ୍ବା ସ୍ଥାନୀୟ ସ୍ୱାୟତ୍ତଶାସନ ଅଧିନରେ କୌଣସି ଲାଭଜନକ ପଦରେ ନଥିବେ  । ଆଇନ ଅନୁଯାୟୀ ସଂସଦ ଦ୍ଵାରା ବିଭିନ୍ନ ସମୟରେ ନିର୍ଦ୍ଦେଶିତ ହେଉଥିବା ଅନ୍ୟାନ୍ୟ ଯୋଗ୍ୟତା ଗୁଡିକ ତାଙ୍କର ଥିବ  ।

ରାଜ୍ୟସଭା

ରାଜ୍ୟସଭା ସଂସଦର ଉପରିସ୍ଥ ଗୃହ  । ଏହାର ସର୍ବୋଚ୍ଚ ସଭ୍ୟସଂଖ୍ୟା ୨୫୦ରୁ ଅଧିକ ହେବନାହିଁ  । ଏମାନଙ୍କ ମଧ୍ୟରୁ ୨୩୮ଜଣ ସଦସ୍ୟ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ପ୍ରତିନିଧି ଅଟନ୍ତି ଓ ୧୨ଜଣ ଭାରତର ରାଷ୍ଟ୍ରପତିଙ୍କ ଦ୍ଵାରା ମନୋନୀତ ହୋଇଥାନ୍ତି  । ମନୋନୀତ ସଦସ୍ୟମାନେ ହେଉଛନ୍ତି, ସାହିତ୍ୟ, କଳା, ବିଜ୍ଞାନ ଓ ସମାଜସେବା ଆଦି କ୍ଷେତ୍ରରେ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ନିର୍ବାଚିତ ସଦସ୍ୟମାନେ ରାଜ୍ୟ ବିଧାନସଭା ଗୁଡିକ ଦ୍ଵାରା ଆନୁପାତିକ ଭୋଟଦାନ ପଦ୍ଧତିରେ ନିର୍ବାଚିତ ହୋଇଥାନ୍ତି  । ପ୍ରତ୍ୟକ ରାଜ୍ୟର ସଦସ୍ୟସଂଖ୍ୟା ସେ ରାଜ୍ୟର ଜନସଂଖ୍ୟା ଉପରେ ନିର୍ଭର କରେ  । ରାଜ୍ୟସଭା ଏକ ସ୍ଥାୟୀସଭା ଏବଂ ଏହାକୁ ଭଙ୍ଗ କରାଯାଇ ପାରିବ ନାହିଁ  । ରାଜ୍ୟସଭାର ସଦସ୍ୟମାନେ ୬ବର୍ଷ ପାଇଁ ନିର୍ବାଚିତ ହୋଇଥାଆନ୍ତି  । କିନ୍ତୁ ଗୋଟିଏ ବ୍ୟବସ୍ଥା ରହିଛି, ପ୍ରତିବର୍ଷ ଏହାର ଏକ ତୃତୀୟାଂଶ ସଦସ୍ୟ ଅବସର ନିଅନ୍ତି ଏବଂ ନୂତନ ସଦସ୍ୟ ନିର୍ବାଚିତ ହୋଇଥାନ୍ତି  । ଅବସର ନେଉଥିବା ସଦସ୍ୟ ମଧ୍ୟ ପୁନଃନିର୍ବାଚିତ ହୋଇପାରିବେ  । ରାଜ୍ୟସଭାର ସଦସ୍ୟ ହେବାପାଇଁଯୋଗ୍ୟତା ହେଉଛି, ଜଣେ ବ୍ୟକ୍ତି (କ) ଭାରତର ନାଗରିକ ହୋଇଥିବେ (ଖ) ଅତିକମ୍ ରେ ୩୦ବର୍ଷ ବୟସ ହୋଇଥିବା ଅନ୍ୟ ଯୋଗ୍ୟତା ଗୁଡିକ ଲୋକସଭା ସଦସ୍ୟଙ୍କ ଯୋଗ୍ୟତା ସହ ସମାନ  । ସଂସଦର ଅଧିବେଶନ ରାଷ୍ଟ୍ରପତିଙ୍କ ଦ୍ଵାରା ଆହୂତ ହୁଏ  । ଦୁଇଟି ଅଧିବେଶନ ମଧ୍ୟରେ ଛଅମାସରୁ ଅଧିକ ବ୍ୟବଧାନ ରହିପାରିବ ନାହିଁ  । ରାଷ୍ଟ୍ରପତିଙ୍କର ଅଧିବେଶନକୁ ମୁଲତବୀ କରିବାର ଅଧିକାର ଅଛି  । ଲୋକସଭା ରାଷ୍ଟ୍ରପତିଙ୍କ ଦ୍ଵାରା ଭଙ୍ଗ କରାଯାଇ ପାରିବ କିନ୍ତୁ ରାଜ୍ୟସଭାକୁ ଭଙ୍ଗକରାଯାଇ ପାରିବ ନାହିଁ, କାରଣ ଏହା ଏକ ସ୍ଥାୟୀସଭା  ।

ପୀଠାସୀନ ଅଧିକାରୀ :

ଲୋକସଭାର ପୀଠାସୀନ ଅଧିକାରୀ ହେଉଛନ୍ତି ବାଚସ୍ପତି ଓ ତାଙ୍କ ଅନୁପସ୍ଥିତିରେ ଉପବାଚସ୍ପତି  । ଲୋକସଭାର ସଦସ୍ୟଗଣ ସେମାନଙ୍କ ମଧ୍ୟରୁ ଜଣକୁ ବାଚସ୍ପତି ଓ ଜଣକୁ ଉପବାଚସ୍ପତି ନିର୍ବାଚିତ କରନ୍ତି  । ସେ ଲୋକସଭାରେ ଶୃଙ୍ଖଳା ରକ୍ଷା କରନ୍ତି ଓ ଗୃହକାର୍ଯ୍ୟର ଅଗ୍ରଗତିକୁ ତଦାରଖ କରନ୍ତି  । କିଏ ଓ କେତେ ସମୟ କହିବ, ତାହା ସେ ସ୍ଥିର କରନ୍ତି  । ସେ ସାଧାରଣତଃ ମତଦାନ କରନ୍ତି  ନାହିଁ  । କିନ୍ତୁ ପରିଣାମସମଫଳ ହେବାସ୍ଥଳେ ସେ ମତଦାନ କରିପାରନ୍ତି  । ଗୋଟିଏ ବିଲ୍, ସାଧାରଣ ବିଲ୍ କି ଅର୍ଥ ବିଲ୍ ତାହା ବାଚସ୍ପତି ସ୍ଥିରକରନ୍ତି ଓ ତାଙ୍କ ସିଦ୍ଧାନ୍ତ ହେଉଛି ସର୍ବଶେଷ ସିଦ୍ଧାନ୍ତ  । ଏହାଛଡା ସଭ୍ୟମାନଙ୍କର ଅଧିକାର ଓ ସୁବିଧାସୁଯୋଗର ରକ୍ଷକ ଅଟନ୍ତି  । ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନ ହେଲେ, ଲୋକସଭାର ବାଚସ୍ପତି ସେଥିରେ ସଭାପତିତ୍ଵ କରନ୍ତି  । ରାଜ୍ୟସଭାର ପୀଠାସୀନ ଅଧିକାରୀ ହେଉଛନ୍ତି ଉପରାଷ୍ଟ୍ରପତି  । ସେ ରାଜ୍ୟସଭାର ଅଧ୍ୟକ୍ଷ ଉପରାଷ୍ଟ୍ରପତି ରାଜ୍ୟସଭାର ସଦସ୍ୟ ନୁହଁନ୍ତି । ସଂସଦର ଉଭୟ ସଦନର ସଦସ୍ୟ ମାନଙ୍କଦ୍ଵାରା ଗଠିତ ନିର୍ବାଚନମଣ୍ଡଳି ଦ୍ଵାରା ସେ ନିର୍ବାଚିତ ହୁଅନ୍ତି  । ସେ ଅନୁପସ୍ଥିତ ଥିବା ସମୟରେ ଉପସଭାପତି ସଭାପତିତ୍ଵ କରନ୍ତି  । ଲୋକସଭାର ବାଚସ୍ପତିଙ୍କଭଳି ରାଜ୍ୟସଭାର ଅଧ୍ୟକ୍ଷ ସାଧାରଣତଃ ଭୋଟଦାନରେ ଅଂଶଗ୍ରହଣ କରନ୍ତି ନାହିଁ  । କିନ୍ତୁ ପରିଣାମ ସମଫଳ ହେବାସ୍ଥଳେ ସେ ମତଦାନ କରିପାରନ୍ତି  ।

ସଂସଦର କାର୍ଯ୍ୟ

ସଂସଦ ହେଉଛି ଦେଶର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା  । ସଂସଦର କାର୍ଯ୍ୟକୁ ନିମ୍ନୋକ୍ତ ଶ୍ରେଣୀରେ ବିଭକ୍ତ କରାଯାଇପାରେ  ।

  1. ଆଇନ ପ୍ରଣୟନ କାର୍ଯ୍ୟ : ସଂସଦ ହେଉଛି ଗୋଟିଏ ଆଇନପ୍ରଣୟନକାରୀ ସଂସ୍ଥା  । ସମ୍ବିଧାନ ଅନୁସାରେ ଏହା କେନ୍ଦ୍ର ତାଲିକାଭୁକ୍ତ ଓ ଯୁଗ୍ମତାଲିକାଭୁକ୍ତ ବିଷୟରେ ଆଇନପ୍ରଣୟନ କରେ  । ଯୁଗ୍ମତାଲିକାଭୁକ୍ତ ବିଷୟରେ କେନ୍ଦ୍ର ସରକାର ଓ ରାଜ୍ୟସରକାର  ଆଇନ ଯଦି ପରସ୍ପର ବିରୋଧୀ ହୁଏ, ତେବେ କେନ୍ଦ୍ରସରକାର ଆଇନ ବଳବତ୍ତର ରହେ  । ଏହା ବ୍ୟତୀତ ଯଦି କୌଣସି ବିଷୟରେ କୌଣସି ତାଲିକା ଅନ୍ତର୍ଭୁକ୍ତ ହୋଇନଥାଏ, ତାହାକୁ ଅବଶିଷ୍ଟ ବିଷୟ କୁହାଯାଏ ଓ ତାହା ସଂସଦର କ୍ଷେତ୍ରାଧିକାର ଭିତରେ ରହେ  । ଗୋଟିଏ ସାଧାରଣ ସଂସଦର ଦୁଇଟି ସଦନ ମଧ୍ୟରୁ ଯେକୌଣସି ଗୋଟିକରେ ପ୍ରଥମେ ଆଗତ କରାଯାଇପାରେ  । ଯଦି ବିଲ୍ ଟି ଲୋକସଭାରେ ପାରିତ ହୁଏ, ତେବେ ତାହାକୁ ରାଜ୍ୟସଭାକୁ ପଠାଯାଏ  । ରାଜ୍ୟସଭାରେ ଏହା ପାରିତ ହୁଏ କିମ୍ବା ସେଥିରେ କିଛି ସଂଶୋଧନ ପ୍ରସ୍ତାବ ଦିଆଯାଇପାରେ  । ଯଦି କୌଣସି ବିଲ୍ ଉପରେ ଉଭୟ ଗୃହରେ ମତାନ୍ତର ଲାଗିରହେ, ଏହା ଉଭୟଗୃହର ସଂଯୁକ୍ତ ଅଧିବେଶନରେ ଏହାର ସମାଧାନ ହୁଏ  । ସଂଯୁକ୍ତ ଅଧିବେଶନରେ ଲୋକସଭାର ଗୁରୁତ୍ଵ ଅଧିକ ଥାଏ କାରଣ ଲୋକସଭାରେ ୫୫୦ ସଦସ୍ୟ ଥିବା ସ୍ଥଳେ ରାଜ୍ୟସଭାରେ ଅତିବେଶୀରେ ୨୫୦ ସଦସ୍ୟ ଥାଆନ୍ତି  । ଏପର୍ଯ୍ୟନ୍ତ ମାତ୍ର ତିନିଥର ଉଭୟଗୃହର ମିଳିତ ଅଧିବେଶନ ଡକାଯାଇଛି  । ଉଭୟ ଗୃହରେ ବିଲ୍ ପାରିତ ହୋଇସାରିଲାପରେ ରାଷ୍ଟ୍ରପତିଙ୍କ ସ୍ଵୀକୃତିପାଇଁ ପଠାଯାଏ ଓ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଲାପରେ ତାହା ଆଇନରେ ପରିଣତ ହୁଏ  ।
  2. କାର୍ଯ୍ୟନିର୍ବାହୀ କାର୍ଯ୍ୟ : ସଂସଦୀୟ ପଦ୍ଧତିରେ ଆଇନପ୍ରଣୟନ ଓ କାର୍ଯ୍ୟନିର୍ବାହୀ ମଧ୍ୟରେ ବିଶେଷ ସମ୍ପର୍କ ରହିଛି  । ପୂର୍ବରୁ ଆଲୋଚିତ ହୋଇଛି ଯେ, ମନ୍ତ୍ରୀପରିଷଦ ଯେ କି ପ୍ରକୃତ କାର୍ଯ୍ୟନିର୍ବାହୀ ସାମୂହିକ ଭାବରେ ଲୋକସଭା ନିକଟରେ ଉତ୍ତରଦାୟୀ  । ଯେ କି ଏହା ବିରୁଦ୍ଧରେ ଅନାସ୍ଥାପ୍ରସ୍ତାବ ପାରିତକରି ମନ୍ତ୍ରୀପରିଷଦକୁ ଭାଙ୍ଗିଦେଇପାରେ  । ୧୯୯୯ ମସିହାରେ ଅଟଳବିହାରୀ ବାଜପେୟୀ ସରକାର ଲୋକସଭାରେ ଆସ୍ଥା ପ୍ରସ୍ତାବରେ ପରାଜିତ ହୋଇ ପଦତ୍ୟାଗ କରିଥିଲେ  । ମୋଟଉପରେ ସଂସଦର ଉଭୟ ସଂସଦ ଆହୁରି ଅନେକ ଉପାୟରେ ମନ୍ତ୍ରୀପରିଷଦ ଉପରେ ନିଜର କର୍ତ୍ତୃତ୍ଵ ରଖିଥାନ୍ତି ଯଥା : -
  • ବିଭିନ୍ନ ପ୍ରଶ୍ନ ଓ ଅତିରିକ୍ତ ପ୍ରଶ୍ନପଚାରି : ସଂସଦର ପ୍ରତ୍ୟକ କାର୍ଯ୍ୟ ଦିବସର ପ୍ରଥମ ଘଣ୍ଟାକୁ ପ୍ରଶ୍ନୋତ୍ତର ସମୟ କୁହାଯାଏ ଯେତେବେଳେ କି, ମନ୍ତ୍ରୀମାନେ ସଦସ୍ୟମାନଙ୍କ ଦ୍ଵାରା ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦିଅନ୍ତି  ।
  • ଆଲୋଚନା ଓ ପ୍ରସ୍ତାବ ପାରିତକରି : ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ, ମୁଲତବୀ ପ୍ରସ୍ତାବ ଓ ସମାଲୋଚନାମୂଳକ ପ୍ରସ୍ତାବ ଆଗତକରି ଓ ସରକାରଙ୍କ ନୀତିକୁ ଆଲୋଚନା ଓ ସମାଲୋଚନା କରି  ।
  • ଅନାସ୍ଥା ପ୍ରକାଶକରି : ଲୋକସଭା ବଜେଟ୍, ଅର୍ଥବିଲ୍ ଏପରିକି ସାଧାରଣ ବିଲ୍ କୁ ସ୍ଵୀକୃତି ପ୍ରଦାନ ନକରି କାର୍ଯ୍ୟକାରିଣୀ ପ୍ରତି ତାଙ୍କର ଆସ୍ଥାନଥିବା ପ୍ରକାଶ କରିପାରିବେ  ।
  1. ଆର୍ଥିକ କାର୍ଯ୍ୟ : ସଂସଦକୁ କେତେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକକାର୍ଯ୍ୟ ସମ୍ପାଦନର ଦାୟିତ୍ଵ ପ୍ରଦାନ କରାଯାଇଛି  । ଏହା ସାଧାରଣ ଶାସନକୁ ଦକ୍ଷତାର ସହିତ ସୂଚାରୁରୂପେ ପରିଚାଳନା କରିବାପାଇଁ ଏହା ଆବଶ୍ୟକ ସମୟରେ ଅର୍ଥ ମଞ୍ଜୁର କରନ୍ତି  । ସରକାରଙ୍କ ଦ୍ଵାରା ଉପସ୍ଥାପିତ କରାଯାଇଥିବା ଅର୍ଥଦାବୀକୁ ପାରିତ କରିପାରେ, କମାଇ ଦେଇପାରେ ବା ନାକଚ କରିଦେଇପାରେ  । ସଂସଦ ମଞ୍ଜୁରୀ ବିନା କୌଣସି ଟିକସ ଆଦାୟ କରାଯାଇପାରିବ ନାହିଁ  । କୌଣସି ଖର୍ଚ୍ଚ କରାଯାଇ ପାରିବନାହିଁ  । ଯାହାହେଉ ରାଜ୍ୟସଭା କ୍ଷେତ୍ରରେ କେତେକ ସୀମା ରହିଛି   । ସେଗୁଡିକ ହେଉଛି, (କ) କୌଣସି ଆର୍ଥିକବିଲ୍ ରାଜ୍ୟସଭାରେ ପ୍ରଥମେ ଆଗତ କରାଯାଇପାରିବ ନାହିଁ  । ଆର୍ଥିକବିଲ୍ କୁ ନାକଚ କରିବା କିମ୍ବା ସଂଶୋଧନ କରିବାର ଅଧିକାର ରାଜ୍ୟସଭାର ନାହିଁ  । ଏହା କେବଳ ଆର୍ଥିକବିଲ୍ ଉପରେ କେତେକ ସୁପାରିଶ କରିପାରିବେ  । ଯଦି ରାଜ୍ୟସଭା ତାର ସୁପାରିଶ ସହିତ ଆର୍ଥିକ ବିଲ୍ କୁ ୧୪ଦିନ ଭିତରେ ଲୋକସଭାକୁ ନ ଫେରାନ୍ତି, ତେବେ ବିଲ୍ ଉଭୟଗୃହରେ ପାରିତ ହେଲା ବୋଲି ଧରାଯାଏ  । ବାର୍ଷିକ ଆର୍ଥିକ ବିବୃତ୍ତି ଲୋକସଭାରେ ଉପସ୍ଥାପିତ ହୁଏ ଏବଂ ରାଜ୍ୟସଭା ଏହା ଉପରେ ଆଲୋଚନା କରିପାରେ କିନ୍ତୁ ଏହାକୁ ଆଇନରେ ପରିଣତ କରିବାରେ ବାଧା ସୃଷ୍ଟି କରିପାରିବ ନାହିଁ  ।
  2. ନ୍ୟାୟିକ କାର୍ଯ୍ୟ : ସଂସଦ ଆଇନଦ୍ଵାରା ଉଚ୍ଚତମ ନ୍ୟାୟାଳୟର ବିଚାରପତି ମାନଙ୍କ ସଂଖ୍ୟା ସ୍ଥିର କରିବାର କ୍ଷମତା ରହିଛି  । ଦୁଇ ବା ତତୋଧିକ ରାଜ୍ୟରେ ଗୋଟିଏ ଉଚ୍ଚନ୍ୟାୟାଳୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ଉଚ୍ଚନ୍ୟାୟାଳୟ ପ୍ରତିଷ୍ଠା କରିବାପାଇଁ ତାକୁ କ୍ଷମତାପ୍ରଦାନ କରାଯାଇଛି  । ସଂସଦର ଉଭୟ ସଦନରେ ବହିସ୍କାର ବ୍ୟବସ୍ଥା ଗୃହୀତ ହୋଇସାରିଲା ପରେ ଉଚ୍ଚତମ ନ୍ୟାୟାଳୟ ଓ ଉଚ୍ଚନ୍ୟାୟାଳୟର ପ୍ରଧାନ ବିଚାରପତି ଓ ଅନ୍ୟାନ୍ୟ ବିଚାରପତିମାନଙ୍କୁ ପଦତ୍ୟାଗ କରିବାକୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଥାନ୍ତି  ।
  3. ଅନ୍ୟାନ୍ୟ କାର୍ଯ୍ୟ : ସ୍ଵତନ୍ତ୍ର ସଂଖ୍ୟାଗରିଷ୍ଠ ସଭ୍ୟଙ୍କ ମତଦାନଦ୍ଵାରା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ପଦଚ୍ୟୁତ କରିବାରର କ୍ଷମତା ସଂସଦର ରହିଛି  । ଏହି କାର୍ଯ୍ୟକୁ ବହିଷ୍କାର କୁହାଯାଏ  । ଏହାର ମଧ୍ୟ ସମ୍ବିଧାନ ସଂଶୋଧନ କରିବାର କ୍ଷମତା ରହିଛି  । ସମ୍ବିଧାନର କେତେକଭାଗ ସାଧାରଣ ସଂଖ୍ୟା ଗରିଷ୍ଠତା ଦ୍ଵାରା ସଂଶୋଧନ କରାଯାଇପାରେ ଏବଂ ଆଉକେତେକ ଭାଗପାଇଁ ଦୁଇତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ ପଡେ  । ସମ୍ବିଧାନର ଆଉ କେତେକ ଭାଗ ସଂଶୋଧନ ପାଇଁ ସଂସଦର ସ୍ଵତନ୍ତ୍ର ସଙ୍ଖ୍ୟାଗରିଷ୍ଠତା ସହିତ ଅର୍ଦ୍ଧେକ ରାଜ୍ୟବ୍ୟବସ୍ଥାପକ ସଭାର ମଞ୍ଜୁରୀ ଆବଶ୍ୟକ ପଡେ  ।

ସଂସଦର ଉଭୟ ସଦନର ତୁଳନାତ୍ମକ ସ୍ଥିତି :

ସଂସଦୀୟ ବ୍ୟବସ୍ଥାରେ ନିମ୍ନସଦନର ସର୍ବଦା ଅଧିକ କ୍ଷମତା ଥାଏ  । ସେହି ଅନୁସାରେ ଆମଦେଶରେ ଲୋକସଭା ଅଧିକ କ୍ଷମତାଶାଳୀ ଓ ଦକ୍ଷ  । ନିମ୍ନଲିଖିତ ସୂଚନା ଗୁଡିକ ଉଭୟ ସଦନର ତୁଳନାତ୍ମକ ସ୍ଥିତି ବୁଝିବା ପାଇଁ ଅଧିକଗୁରୁତ୍ୱପୂର୍ଣ୍ଣ  ।

  1. ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ଅନୁଷ୍ଠାନ ଓ ଭାରତର ଲୋକମାନଙ୍କର ପ୍ରକୃତ ପ୍ରତିନିଧି  । ଅନ୍ୟପକ୍ଷରେ ରାଜ୍ୟସଭା ପରୋକ୍ଷଭାବରେ ନିର୍ବାଚିତ  । ମୋଟ ଉପରେ ରାଜ୍ୟସଭା ଗୋଟିଏ ସ୍ଥାୟୀ ସଭା କିନ୍ତୁ ଲୋକସଭାର ସଦସ୍ୟମାନେ ୫ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି  । ଏହାର କାର୍ଯ୍ୟକାଳ ବୃଦ୍ଧି ହୋଇପାରେ ଏବଂ ଏହାମଧ୍ୟ ନିର୍ଦ୍ଧାରିତ କାର୍ଯ୍ୟକାଳ ସମାପ୍ତିପୂର୍ବରୁ ଭଙ୍ଗ କରାଯାଇପାରେ  ।
  2. ସାଧାରଣ ବିଲ୍ କ୍ଷେତ୍ରରେ ଉଭୟ ସଦନର କ୍ଷମତା ସମାନ  । ଯଦି ଉଭୟ ସଦନ ମଧ୍ୟରେ ମତପାର୍ଥକ୍ୟ ଲାଗିରହେ, ତେବେ ଉଭୟ ସଦନର ମିଳିତ ଅଧିବେଶନ ଡକାଯାଏ  । ଏଥିରେ ଲୋକସଭା ଅଧିକ ପ୍ରଭାବ ରହେ କାରଣ ଲୋକସଭାର ସଦସ୍ୟସଂଖ୍ୟା ରାଜ୍ୟସଭାର ସଦସ୍ୟସଂଖ୍ୟାର ଦୁଇଗୁଣରୁ ଅଧିକ  ।
  3. ମନ୍ତ୍ରୀପରିଷଦ ଉପରେ ରାଜ୍ୟସଭା ଅପେକ୍ଷା ଲୋକସଭାର ପ୍ରଭାବ ଅଧିକ  । ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମକୁ ଆଲୋଚନା କରିବା ଓ ସରକାରଙ୍କୁ ସମାଲୋଚନା କରିବା ଦ୍ଵାରା ରାଜ୍ୟସଭାର କିଛି ନିୟନ୍ତ୍ରଣ ରହିଥାଏ, କିନ୍ତୁ ଅନାସ୍ଥା ପ୍ରସ୍ତାବ ପାରିତ କରିବାର ଅଧିକାର କେବଳ ଲୋକସଭାର ଅଛି  । ଯଦି ଏହା ପାରିତହୁଏ, ମନ୍ତ୍ରୀପରିଷଦପଦଚ୍ୟୁତ ହୁଅନ୍ତି  ।
  4. ସମ୍ବିଧାନର ସଂଶୋଧନ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଉଚ୍ଚତମନ୍ୟାୟାଳୟ ଓ ଉଚ୍ଚନ୍ୟାୟାଳୟର ପ୍ରଧାନବିଚାରପତି ଓ ବିଚାରପତିଙ୍କୁ ବହିଷ୍କାର କ୍ଷେତ୍ରରେ ରାଜ୍ୟସଭା ଓ ଲୋକସଭାର କ୍ଷମତା ପ୍ରାୟ ସମାନ  ।
  5. ଆର୍ଥିକ ବିଷୟ ପାଇଁ ଲୋକସଭାର ଗୁରୁତ୍ଵ ଅଧିକ  । ରାଜ୍ୟସଭା କେବଳ ଗୋଟିଏ ନୂତନ ସର୍ବଭାରତୀୟ ସେବା ସୃଷ୍ଟିକରିପାରିବ ଏବଂ ରାଜ୍ୟତାଲିକାଭୁକ୍ତ ଗୋଟିଏ ବିଷୟକୁ କେନ୍ଦ୍ରୀୟ ଗୁରୁତ୍ଵ ପ୍ରଦାନକରି ପାରିବ  ।

ଉପରଲିଖିତ ତୁଳନାରୁ ଜଣାଯାଏ ଯେ, ଲୋକସଭା ନିଶ୍ଚିତଭାବରେ ରାଜ୍ୟସଭାଠାରୁ ଅଧିକ କ୍ଷମତାଶାଳୀ । କିନ୍ତୁ ଏହା କହିବା ଯୁକ୍ତିଯୁକ୍ତ ନୁହେଁ ଯେ, ରାଜ୍ୟସଭା କେବଳ ଦ୍ଵିତୀୟ ସଦନ ନୁହେଁ, ଏହା ମଧ୍ୟ ଦ୍ଵିତୀୟ ସ୍ଥାନୀୟ ସଦନ  । ଆମେ ଦେଖୁଛୁ ରାଜ୍ୟସଭା କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକରେ ଏବଂ କେତେକ ନିର୍ଦ୍ଧିଷ୍ଟକାର୍ଯ୍ୟ ରହିଛି, ଯାହା କେବଳ ରାଜ୍ୟସଭା କରିପାରିବ  ।

ନାଗରିକ ଓ ତାଙ୍କର ନିତିଦିନିଆ ଜୀବନଶୈଳୀ ଉପରେ କେନ୍ଦ୍ରସରକାରର ପ୍ରଭାବ :

କେନ୍ଦ୍ରସରକାର କେତେଗୁଡିଏ ଜାତୀୟସ୍ତରର ଯୋଜନା ପ୍ରସ୍ତୁତକରି କାର୍ଯ୍ୟକାରୀ କରନ୍ତି, ଯାହାକି ଆମର ଜୀବନର ମାନକୁ ପ୍ରଭାବିତ କରିଥାଏ  । ଶିକ୍ଷା ଓ ଶିଶୁକଲ୍ୟାଣ ସମ୍ପର୍କୀୟ ଅନେକ ଯୋଜନା ଏହାର ଅନ୍ତର୍ଭୁକ୍ତ  । ଯଥା ସାମୂହିକ ଶିଶୁବିକାଶ ଯୋଜନା (ICDS), ଶିଶୁମାନଙ୍କର ପୁଷ୍ଟି ଓ ଯତ୍ନପାଇଁ ଅଙ୍ଗନବାଡିମାନଙ୍କ ଯୋଗଦାନ, ସାର୍ବଜନୀନ ପ୍ରାଥମିକ ଶିକ୍ଷାପାଇଁ ସର୍ବଶିକ୍ଷା ଅଭିଯାନ ଅନ୍ୟକେତେକ କେନ୍ଦ୍ରସରକାରୀ ଯୋଜନା ହେଉଛି, ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟମିଶନ, ସମ୍ପୂର୍ଣ୍ଣ ପରିମଳ କ୍ୟାମ୍ପେନ ଏବଂ ମହାତ୍ମାଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା ଇନ୍ଦିରା ଆବାସ ଯୋଜନା ପ୍ରଭୃତି  ।

ଉଚ୍ଚତମ ନ୍ୟାୟାଳୟ

ଉଚ୍ଚତମ ନ୍ୟାୟାଳୟ ହେଉଛି କେନ୍ଦ୍ରୀୟ ନ୍ୟାୟପାଳିକା  । କିନ୍ତୁ ଏହି ନ୍ୟାୟପାଳିକାର ଗଠନ ଓ କାର୍ଯ୍ୟକାରିତା, କାର୍ଯ୍ୟନିର୍ବାହୀ ଓ ଆଇନପ୍ରଣୟନ ବିଭାଗଠାରୁ ଭିନ୍ନ  । ଆଇନଗତ କାର୍ଯ୍ୟ ସମ୍ପର୍କରେ ତୁମର କିଛି ଧାରଣା ବା ଅନୁଭୂତି ଅଛି କି ? ତୁମର କୌଣସି ସମୟର ଶୁଣିଥିବ ଯେ, ନିମ୍ନ ବିଚାରାଳୟରେ ଆରମ୍ଭ ହୋଇଥିବା ମାମଲା ଜିଲ୍ଲାସ୍ତରୀୟ ଅଦାଲତରେ ବିଚାର ହୁଏ, ତାପରେ ଉଚ୍ଚନ୍ୟାୟଳୟ ଓ ସର୍ବଶେଷରେ ଉଚ୍ଚତମ ନ୍ୟାୟଳୟରେ ବିଚାର ହୁଏ  । ଏପରି ଘଟେ କାରଣ ଭାରତ ଏକ ସାମଗ୍ରିକ ବିଚାରବ୍ୟବସ୍ଥା ରହିଛି  । ଏହାର ଅର୍ଥ ଯେ, ଏଠାରେ ସ୍ତରସ୍ତର ହୋଇ ବିଚାରାଳୟ ରହିଛି ଯାହାର ସର୍ବୋଚ୍ଚ ସ୍ତରରେ ଉଚ୍ଚତମ ନ୍ୟାୟଳୟ, ରାଜ୍ୟସ୍ତରରେ ଉଚ୍ଚନ୍ୟାୟାଳୟ ଏବଂ ଜିଲ୍ଲାସ୍ତର ଓ ତାଠାରୁ ନିମ୍ନସ୍ତରରେ ଅଧସ୍ତନ ନ୍ୟାୟାଳୟମାନ ରହିଛି  ।

ସମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଉଚ୍ଚତମ ନ୍ୟାୟାଳୟ ଜଣେ ପ୍ରଧାନବିଚାରପତି ଓ ଅନ୍ୟ ବିଚାରପତିଙ୍କୁ ନେଇଗଠିତ ଯାହାର ସଂଖ୍ୟା ସମ୍ବିଧାନ ଦ୍ଵାରା ବିଭିନ୍ନ ସମୟରେ ସ୍ଥିରୀକୃତ ହୋଇଥାଏ  । ୧୯୫୦ ମସିହାରେ ଜଣେ ପ୍ରଧାନବିଚାରପତି ଓ ସାତଜଣ ବିଚାରପତି ଥିଲେ  । କିନ୍ତୁ ଆବଶ୍ୟକତା ଅନୁସାରେ ବିଚାରପତି ଓ ତିରିଶଜଣ ବିଚାରପତିଙ୍କୁ ନେଇ ଗଠିତ  ।

ଉଚ୍ଚତମ ନ୍ୟାୟାଳୟର ମୁଖ୍ୟବିଚାରପତି ଓ ଅନ୍ୟବିଚାରପତିମାନେ ଭାରତର ରାଷ୍ଟ୍ରପତିଙ୍କ ଦ୍ଵାରା ନିଯୁକ୍ତି ପାଆନ୍ତି  ।

ଭାରତର ମୁଖ୍ୟବିଚାରପତିଙ୍କୁ ନିଯୁକ୍ତି ଦେଲାବେଳେ ରାଷ୍ଟ୍ରପତି ଉଚ୍ଚତମ ନ୍ୟାୟାଳୟ ଓ ଉଚ୍ଚନ୍ୟାୟାଳୟର ବିଚାରପତି ମାନଙ୍କ ସହ ବିଚାର ବିମର୍ଷ କରିପାରନ୍ତି  । ସାଧାରଣତଃ ଉଚ୍ଚତମ ନ୍ୟାୟାଳୟର ସବୁଠାରୁ ବରିଷ୍ଠ ବିଚାରପତି ମୁଖ୍ୟବିଚାରପତି ଭାବରେ ନିଯୁକ୍ତି ପାଆନ୍ତି  । ଉଚ୍ଚତମ ନ୍ୟାୟଳୟର ଅନ୍ୟ ବିଚାରପତିମାନଙ୍କୁ ନିଯୁକ୍ତି ଦେଲାବେଳେ ମୁଖ୍ୟ ବିଚାରପତିଙ୍କ ସହ ବିଚାର ବିମର୍ଷ କରନ୍ତି  । ସାଧାରଣତଃ ମୁଖ୍ୟବିଚାରପତି ନିଜେ ଚାରିଜଣ ବରିଷ୍ଠ ବିଚାରପତିଙ୍କ ସହ ବିଚାର ବିଚାର ବିମର୍ଷ କରନ୍ତି ଏବଂ ସମସ୍ତେ ଯେଉଁଜଣଙ୍କପାଇଁ ପ୍ରକାଶ କରନ୍ତି, ତାଙ୍କୁ ବିଚାରପତି ଭାବରେ ନିଯୁକ୍ତ କରିବାକୁ ସୁପାରିଶ କରାଯାଏ  ।

ଜଣେବ୍ୟକ୍ତି ଉଚ୍ଚତମ ନ୍ୟାୟାଳୟର ବିଚାରପତି ଭବାରେ ନିଯୁକ୍ତି ପାଇପାରିବେ, ଯଦି ସେ

  • ଭାରତର ନାଗରିକ ହୋଇଥିବେ  ।
  • ଅତିକମ୍ ରେ ପାଞ୍ଚବର୍ଷ ଗୋଟିଏ ଉଚ୍ଚନ୍ୟାୟାଳୟରେ କିମ୍ବା ତଦୃର୍ଦ୍ଧ୍ଵ ଉଚ୍ଚନ୍ୟାୟାଳୟରେ ନିରବଚ୍ଛିନ୍ନ ଭାବରେ ବିଚାରପତି ପଦରେ କାର୍ଯ୍ୟ କରିଥିବେ  ।
  • ଓକିଲଭାବେ ଗୋଟିଏ ଉଚ୍ଚନ୍ୟାୟାଳୟରେ କିମ୍ବା ଦୁଇଟି କିମ୍ବା ତଦୃର୍ଦ୍ଧ୍ଵ ଉଚ୍ଚନ୍ୟାୟାଳୟରେ ନିରବଚ୍ଛିନ୍ନଭାବେ ଅନ୍ୟୁନ ଦଶବର୍ଷ କାର୍ଯ୍ୟ କରିଥିବେ  ।
  • ରାଷ୍ଟ୍ରପତିଙ୍କ ମତାନୁସାରେ ଜଣେ ଖ୍ୟାତନାମା ଆଇନଜ୍ଞ ହୋଇଥିବେ  ।

ଉଚ୍ଚତମ ନ୍ୟାୟାଳୟର ବିଚାରପତିମାନେ ୬୫ବର୍ଷ ପର୍ଯ୍ୟନ୍ତ ନିଜପଦରେ ରହିପାରନ୍ତି  । ଉଚ୍ଚତମ ନ୍ୟାୟାଳୟର ଜଣେ ବିଚାରପତି ପ୍ରମାଣିତ ଅସଦାଚାର ଓ ଅସାମର୍ଥ୍ୟ ଆଧାରରେ ରାଷ୍ଟ୍ରପତିଙ୍କର ଏକ ନିର୍ଦ୍ଦେଶ, ଯାହା ସଂସଦର ଉଭୟ ସଦନରେ ସ୍ଵତନ୍ତ୍ର ବହୁମତରେ ପାରିତ ହୁଏ, ତାହାଦ୍ଵାରା ପଦରୁ ବହିଷ୍କୃତ ହୋଇପାରନ୍ତି  । ଏହାକୁ ବହିଷ୍କାର ପଦ୍ଧତି କୁହାଯାଏ  । ଏ ପର୍ଯ୍ୟନ୍ତ ଉଚ୍ଚନ୍ୟାୟାଳୟର କୌଣସି ମୁଖ୍ୟବିଚାରପତିକିମ୍ବା ବିଚାରପତି ବହିଷ୍କୃତ ହୋଇନାହାଁନ୍ତି  । ଯେଉଁ ବିଚାରପତି ଉଚ୍ଚତମ ନ୍ୟାୟଳୟରେ କାର୍ଯ୍ୟକରନ୍ତି, ସେ ତାଙ୍କ ଅବସରପରେ ଭାରତର କୌଣସି ନ୍ୟାୟାଳୟରେ ଓକିଲ ଭବାରେ କାର୍ଯ୍ୟ କରିପାରିବେ ନାହିଁ  ।

ଉଚ୍ଚତମ ନ୍ୟାୟାଳୟର କ୍ଷେତ୍ରାଧିକାର

ଉଚ୍ଚତମ ନ୍ୟାୟାଳୟର ତିନିପ୍ରକାର କ୍ଷେତ୍ରାଧିକାର ରହିଛି  ।

୧: ମୌଳିକ ଅଧିକାର  ୨: ଅପିଲଗ୍ରହଣ   ୩: ଉପଦେଶ

ମୌଳିକ ଅଧିକାର :

କେତେକ ମାମଲାରେ ସ୍ଵତଃ ବିଚାରକରିବାର କ୍ଷମତା କେବଳ ଉଚ୍ଚତମ ନ୍ୟାୟାଳୟର ରହିଛି  । ସେଗୁଡିକ ହେଉଛି : -

  • କେନ୍ଦ୍ର ସରକାର ଓ ଏକ ବା ଏକାଧିକ ରାଜ୍ୟସରକାରଙ୍କ ମଧ୍ୟରେ ବିବାଦ  ।
  • ଦୁଇ ବା ତତୋଧିକ ରାଜ୍ୟ ମଧ୍ୟରେ ବିବାଦ  ।
  • ଭାରତସରକାର ଓ ଏକ ବା ଏକାଧିକ ରାଜ୍ୟ ଗୋଟିଏ ପକ୍ଷରେ ଏବଂ ଏକ ବା ଏକାଧିକ ରାଜ୍ୟ ଅନ୍ୟପକ୍ଷରେ ରହି ବିବାଦ  ।

ଅପିଲ ଗ୍ରହଣ କ୍ଷେତ୍ରାଧିକାର :

କୌଣସି ଉଚ୍ଚତର ନ୍ୟାୟାଳୟର ଅଧିକାର ହେଉଛି, ନିମ୍ନନ୍ୟାୟାଳୟର ରାୟ ବିରୁଦ୍ଧରେ ଅଭିଯୋଗ ଶୁଣି ତାକୁ ସମ୍ବିଧାନ କରିବା ଓ ଏହାକୁ ଅପିଲଗ୍ରହଣ କ୍ଷେତ୍ରାଧିକାର କୁହାଯାଏ  । ଉଚ୍ଚତମ ନ୍ୟାୟାଳୟରେ ସାମ୍ବିଧାନିକ, ସିଭିଲ ଓ କ୍ରିମିନାଲ ମାମଲାର ଅପିଲ କରାଯାଏ  । ଏହା ଉଚ୍ଚ ନ୍ୟାୟାଳୟରେ ରାୟ ବିରୁଦ୍ଧରେ ଅପିଲ ଶୁଣେ  । ଏହାମଧ୍ୟ ନିଜରାୟର ପୁନର୍ବିଚାର କରିପାରେ । ଏହା ନିଜର ବ୍ୟକ୍ତିଗତ କ୍ଷମତା ବଳରେ ଭାରତର ଯେ କୌଣସି ନ୍ୟାୟଳୟ ବା ଟ୍ରିବୁନାଲ ଦେଇଥିବା ରାୟ କିମ୍ବା ଆଦେଶ ବିରୁଦ୍ଧରେ ଅପିଲକରିବା ସ୍ଵତନ୍ତ୍ର ଅନୁମତି ପ୍ରଦାନ କରିଥାଆନ୍ତି  । ମୋଟ ଉପରେ କ୍ରିମିନାଲ ମାମଲାର କୌଣସି ଅପିଲ ଉଚ୍ଚତମ ନ୍ୟାୟାଳୟକୁ ଆସେ, ଯଦି ଉଚ୍ଚନ୍ୟାୟାଳୟ ମତଦିଏ ଯେ, ଏହି ମାମଲା ଉଚ୍ଚତମ ନ୍ୟାୟାଳୟକୁ ଯିବାପାଇଁ ଯୋଗ୍ୟ  । ସ୍ଵତନ୍ତ୍ର ଅପିଲ କ୍ଷମତା ବଳରେ ଏହି ନ୍ୟାୟାଳୟ ହାତରେ ନିର୍ବାଚନ, ଶ୍ରମ ଓ ଶିଳ୍ପ ତ୍ରିବୁନାଲ ପ୍ରଭୃତିର ସିଦ୍ଧାନ୍ତକୁ ପୁନର୍ବିଚାର କରିବା ପାଇଁ ଏକ ଅସ୍ତ୍ରଭଳି କାର୍ଯ୍ୟକରେ  ।

ଉପଦେଶମୂଳକ କ୍ଷେତ୍ରାଧିକାର :

ଭାରତର ରାଷ୍ଟ୍ରପତିଙ୍କ ଦ୍ଵାରା ସ୍ଵତନ୍ତ୍ରଭାବରେ ପଠାଯାଇଥିବା ବିଷୟ ଉପରେ ଉଚ୍ଚତମ ନ୍ୟାୟାଳୟର ସ୍ଵତନ୍ତ୍ର ଉପଦେଶ କ୍ଷେତ୍ରାଧିକାର ଥାଏ  । ଯଦି କୌଣସି ସମୟରେ ରାଷ୍ଟ୍ରପତିଙ୍କର ହୃଦବୋଧ ହୁଏ ଯେ, କୌଣସି ଆଇନଗତ ପ୍ରଶ୍ନ ବା ବିଷୟ ଯାହାର ଏଭଳି ସର୍ବସାଧାରଣ ଗୁରୁତ୍ଵ ଅଛି ଯେ, ଏହା ଉପରେ ଉଚ୍ଚତମ ନ୍ୟାୟାଳୟର ପରାମର୍ଶ ନେବା ଆବଶ୍ୟକ, ସେ ଏହାକୁ ଉଚ୍ଚତମ ନ୍ୟାୟାଳୟକୁ ପଠାଇ ପାରନ୍ତି  । ଉଚ୍ଚତମ ନ୍ୟାୟାଳୟ ଏହାର ଶୁଣାଣିକରି ଯାହା ଠିକ୍ ବୋଲି ଭାବନ୍ତି, ସେ ସମ୍ପର୍କରେ ନିଜର ମତାମତ ରାଷ୍ଟ୍ରପତିଙ୍କ ନିକଟକୁ ପଠାନ୍ତି  । ଅବଶ୍ୟ ଉଚ୍ଚତମ ନ୍ୟାୟାଳୟର ମତାମତ ରାଷ୍ଟ୍ରପତି ଗ୍ରହଣ କରିବାକୁ ବାଧ୍ୟ ନୁହଁନ୍ତି କିମ୍ବା ଉଚ୍ଚତମ ନ୍ୟାୟାଳୟ ମଧ୍ୟ ସେ ସମ୍ପର୍କରେ ନିଜର ଉପଦେଶ ଦେବାକୁ ବାଧ୍ୟ ନୁହଁନ୍ତି  ।

ଉଚ୍ଚତମ ନ୍ୟାୟାଳୟ ନଥିପତ୍ରର ନ୍ୟାୟାଳୟ ଅଟେ  । ଉଚ୍ଚତମ ନ୍ୟାୟାଳୟର ନଥିପତ୍ର, ଆଇନ ବା ସମିଦ୍ଧାନର ବ୍ୟାଖ୍ୟାପାଇଁ ନିମ୍ନ ନ୍ୟାୟାଳୟରେ ଉପସ୍ଥାପିତ ହେଲେ ତାହା ଗ୍ରହଣ କରାଯାଏ  । ଉପରଲିଖିତ କ୍ଷେତ୍ରାଧିକାର ଗୁଡିକ ବ୍ୟତୀତ ଆଉ କିଛି ସ୍ଵତନ୍ତ୍ର ଅଧିକାର ଉଚ୍ଚତମ ନ୍ୟାୟାଳୟର ରହିଛି  । ସେଗୁଡିକ ହେଉଛି :

ସମ୍ବିଧାନର ରକ୍ଷକ :

ସମ୍ବିଧାନର ବ୍ୟାଖ୍ୟାକାର ଭାବରେ ଉଚ୍ଚତମ ନ୍ୟାୟାଳୟର ସମ୍ବିଧାନକୁ ରକ୍ଷାକରିବାର ଅଧିକାର ରହିଛି  । ଯଦି କୌଣସି ଆଇନ ବା ନିର୍ବାହକ ନିର୍ଦ୍ଦେଶ ସମ୍ବିଧାନ ବିରୋଧି ଅଟେ, ଉଚ୍ଚତମ ନ୍ୟାୟାଳୟ ଏହାକୁ ଅସାମ୍ବିଧାନିକ ଓ ବ୍ୟର୍ଥ ବୋଲି ଘୋଷଣା କରେ  । ସେହିପରି ଉଚ୍ଚତମ ନ୍ୟାୟାଳୟ ମୌଳିକ ଅଧିକାର ଗୁଡିକର ତତ୍ତ୍ଵାବଧାରକ ଓ ରକ୍ଷକ ଭାବରେ କାର୍ଯ୍ୟକରେ  । ଯଦିକୌଣସି ନାଗରିକ ଅନୁଭବ କରନ୍ତି ଯେ, ତାଙ୍କର ମୌଳିକ ଅଧିକାର ଅପହୃତ ହେଉଛି ବା ଉଲଂଘନ ହେଉଛି, ସେ ସେଗୁଡିକର ସୁରକ୍ଷାପାଇଁ ସିଧାସଳଖ ଭବାରେ ଉଚ୍ଚତମ ନ୍ୟାୟାଳୟର ଦ୍ଵାରସ୍ଥ ହୋଇପାରିବେ  । ସାମ୍ବିଧାନିକ ପ୍ରତିକାର ଅଧିକାର ସମ୍ବିଧାନର ରକ୍ଷକ ଭାବରେ କାର୍ଯ୍ୟକରିବାକୁ ଉଚ୍ଚତମ ନ୍ୟାୟାଳୟକୁ କ୍ଷମତାପନ୍ନ କରିଅଛି  ।

ଅଦାଲତୋଚିତ ପୁନର୍ବିଚାର କ୍ଷମତା :

ଉଚ୍ଚତମ ନ୍ୟାୟାଳୟ ବିଭିନ୍ନ ଆଇନ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଗୁଡିକର ବୈଧତା ନିରୀକ୍ଷା କରିବାର ଅଧିକାର ରହିଛି  । ଉଚ୍ଚତମ ନ୍ୟାୟାଳୟର ସମ୍ବିଧାନ ବ୍ୟାଖ୍ୟା କରିବାର ଅଧିକାର ରହିଛି  । ଏହାର ନ୍ୟାୟିକ ପୁନର୍ବିଚାର ଗ୍ରହଣ କରିବାର ଅଧିକାର ରହିଛି  ।

ନ୍ୟାୟାଳୟୋଚିତ କର୍ମବାଦ :

ନ୍ୟାୟିକ କର୍ମବାଦକୁ ନ୍ୟାୟାଳୟଦ୍ଵାରା ସମ୍ବିଧାନର “ନୂତନ ବ୍ୟାଖ୍ୟା” ଭାବରେ ନାମିତ କରାଯାଏ  । ଏ ସମ୍ପର୍କରେ ବହୁସମୟରେ ସମାଲୋଚନା କରାଯାଏ ଯେ, ନ୍ୟାୟ ବିଭାଗ ଆଇନ ପ୍ରଣୟନ ବିଭାଗର କ୍ଷମତାକୁ ଅପହରଣ କରୁଛି  । କିନ୍ତୁ ଭାରତରେ ଏହା ଜନସାଧାରଣଙ୍କ ସମର୍ଥନ ଲାଭକରେ   । କାରଣ ଏହା ଅସୁବିଧାରେ ଥିବା ବ୍ୟକ୍ତିକୁ ଆଇନର ସୁବିଧାପ୍ରଦାନ କରିବାରେ ମନୋନିବେଶ କରିଥାଏ ଏହା ଜନସ୍ୱାର୍ଥ୍ୟ ମାମଲା (PIL)କୁ ଅସ୍ତ୍ରଭାବରେ ବ୍ୟବହାର କରେ  । ଜନସ୍ଵାର୍ଥ ମାମଲାରେ କେବଳ ସମସ୍ୟାଦ୍ଵାରା ପ୍ରଭାବିତ ହେଉଥିବା ବ୍ୟକ୍ତି ନୁହେଁ, ଯେ କୌଣସି ବ୍ୟକ୍ତି କୌଣସି ସମସ୍ୟା ପାଇଁ ନ୍ୟାୟାଳୟରେ ଅଭିଯୋଗ ପତ୍ର ଦାଖଲ କରିପାରିବ  । ଯେଉଁଲୋକମାନେ ଗରିବ, ସୁବିଧାସୁଯୋଗରୁ ବଞ୍ଚିତ, ବରଂ ନ୍ୟାୟାଳୟର ଆଶ୍ରୟ ନେବାପାଇଁ ଅକ୍ଷମ ସେମାନଙ୍କ ତରଫରୁ (PIL) ବହୁସମୟ ବ୍ୟବହାର କରାଯାଏ  । ନ୍ୟାୟାଳୟୋଚିତ କର୍ମବାଦ ଓ (PIL) ନ୍ୟାୟାଳୟ ଗୁଡିକ ଅପମିଶ୍ରଣ, ସମାନ ନାଗରିକ ଆଇନର ଆବଶ୍ୟକତା, ଅନଧିକାର ଭାବରେ ଅଧିକୃତ ବାସଗୃହ ଖାଲିକରିବା, ବିପଦପୂର୍ଣ୍ଣ କାର୍ଯ୍ୟରେ ଶିଶୁ ଶ୍ରମିକଙ୍କ ନିଯୁକ୍ତି ଓ ଅନ୍ୟାନ୍ୟ ବିଷୟଉପରେ ରାୟ ପ୍ରଦାନ କରିଥାଏ  ।

ଆଧାର : ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ

2.85714285714
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top