ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଗଣତାନ୍ତ୍ରିକ ପ୍ରକ୍ରିୟା-ରାଜ୍ୟ ସରକାର
ସେଆର କରନ୍ତୁ

ଗଣତାନ୍ତ୍ରିକ ପ୍ରକ୍ରିୟା-ରାଜ୍ୟ ସରକାର

ଗଣତାନ୍ତ୍ରିକ ପ୍ରକ୍ରିୟା-ରାଜ୍ୟ ସରକାର ର ସୂଚନା

ରାଜ୍ୟ ସରକାର

ତୁମେ ପଢିଛ ଯେ, ଭାରତ ଗୋଟିଏ ସଙ୍ଘୀୟ ରାଷ୍ଟ୍ର ଯାହାର ଦୁଇ ସ୍ତରୀୟ ସରକାର ରହିଛି ଯଥା ରାଜ୍ୟସ୍ତରରେ ଓ କେନ୍ଦ୍ର ସ୍ତରରେ  । ପ୍ରତ୍ୟକ ନାଗରିକର ଉଭୟ ସ୍ତରରେ କାର୍ଯ୍ୟକରୁଥିବା ସରକାର ସହିତ ସମ୍ପର୍କ ଅଛି ଓ ସେ ତାହାଦ୍ଵାରା ମଧ୍ୟ ପ୍ରଭାବିତ ହୁଅନ୍ତି  । ଆମେ ସମସ୍ତେ ରାଜ୍ୟ ଓ କେନ୍ଦ୍ର ଆଇନ ପ୍ରଣୟନକାରୀ ସଂସ୍ଥା ଦ୍ଵାରା ପ୍ରସ୍ତୁତ ଆଇନ ଦ୍ଵାରା ନିୟନ୍ତ୍ରିତ ହେଉ, ଉଭୟ ସରକାର ଦ୍ଵାରା ଶାସିତ ହେଉ ଓ ଉଭୟ ସ୍ତରର ନ୍ୟାୟାଳୟରୁ ନ୍ୟାୟ ପାଉ  । ସରକାରର ସମସ୍ତ ତିନୋଟି ବିଭାଗ କାର୍ଯ୍ୟନିଏବାହୀ, ଆଇନପ୍ରଣୟନକାରୀ ଓ ନ୍ୟାୟପାଳିକା ଉଭୟ ସ୍ତରରେ ରହିଛି ଓ କାର୍ଯ୍ୟ କରୁଛି  । ପ୍ରଶାସନିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଜାଣିବା ପାଇଁ ଏହି ଅଧ୍ୟାୟରେ ରାଜ୍ୟ ସରକାରର ବିଭିନ୍ନ ସଂସ୍ଥା ଓ ତାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଛି  ।

ରାଜ୍ୟପାଳ

“ସାମ୍ବିଧାନିକ ବୈଶିଷ୍ଟ୍ୟ ଓ ଭାରତୀୟ ରାଜନୈତିକ ବ୍ୟବସ୍ଥା” ଅଧ୍ୟାୟରେ ତୁମେ ପଢିଛଯେ, ଭାରତରେ ଗୋଟିଏ ସଂସଦୀୟ ଗଣତାନ୍ତ୍ରିକ ସରକାର ରହିଛି  । ଅନ୍ୟ କୌଣସି ସ୍ଥାନର ସଂସଦୀୟ ପଦ୍ଧତି ଭଳି ଏଠାରେ ମଧ୍ୟ ଉଭୟ ରାଜ୍ୟ ଓ କେନ୍ଦ୍ର ସ୍ତରରେ ଅନୁଷ୍ଠାନ ଓ ବ୍ୟବସ୍ଥା ମାନ ରହିଛି  । ରାଜ୍ୟ ସ୍ତରରେ ଜେନ ରାଜ୍ୟପାଳ ଅଛନ୍ତି ଯାହାଙ୍କ ହାତରେ ସମସ୍ତ କାର୍ଯ୍ୟନିର୍ବାହୀ କ୍ଷମତା ସମ୍ବିଧାନ ଦ୍ଵାରା ପ୍ରଦତ୍ତ ହୋଇଛି  । କିନ୍ତୁ ପ୍ରକୃତରେ ରାଜ୍ୟପାଳ ଜଣେ ନାମମାତ୍ର ମୁଖ୍ୟଭଳି କାର୍ଯ୍ୟ କରନ୍ତି  ଏହା ପ୍ରକୃତ ପ୍ରଶାସନିକ କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵାଧୀନ ମନ୍ତ୍ରୀ ପରିଷଦ ହାତରେ ନ୍ୟସ୍ତ  ।

ନିଯୁକ୍ତି

ରାଜ୍ୟର ରାଜ୍ୟପାଳ ଭାରତର ରାଷ୍ଟ୍ରପତିଙ୍କ ଦ୍ଵାରା ନିଯୁକ୍ତି ପାଆନ୍ତି  । ରାଜ୍ୟପାଳ ହେବା ପାଇଁ ଜଣେ ବ୍ୟକ୍ତିର ନିମ୍ନଲିଖିତ ଯୋଗ୍ୟତା ରହିବା ଆବଶ୍ୟକ  ।

  • ସେ ଭାରତର ନାଗରିକ ହୋଇଥିବେ  ।
  • ତାଙ୍କ ବୟସ ଅନ୍ୟୁନ ୩୫ ବର୍ଷ ହୋଇଥିବ  ।
  • ତାଙ୍କ କାର୍ଯ୍ୟକାଳ ମଧ୍ୟରେ କିମ୍ବା ରାଜ୍ୟ ସରକାରଙ୍କ ଅଧିନସ୍ଥ କୌଣସି ଲାଭଜନକ ପଦ ଗ୍ରହଣ କରି ନଥିବେ  ।

ଯଦି ଜଣେ ବ୍ୟକ୍ତି ସଂସଦର ଉଭୟ ଗୃହ କିମ୍ବା ରାଜ୍ୟ ବ୍ୟବସ୍ଥାପକ ସଭାର ସଦସ୍ୟ କିମ୍ବା କେନ୍ଦ୍ର ବା ରାଜ୍ୟ ସ୍ତରରେ ମନ୍ତ୍ରୀ ପରିଷଦର ଜଣେ ସଦସ୍ୟ ହୋଇଥିବେ, ରାଜ୍ୟପାଳ ପଦରେ ନିଯୁକ୍ତି ପାଇଲାପରେ ସେହି ପଦରୁ ଇସ୍ତଫାଦେବାକୁ ପଡିବ  । ରାଜ୍ୟପାଳ ୫ ବର୍ଷ ପାଇଁ ନିଯୁକ୍ତି ପାଆନ୍ତି କିନ୍ତୁ ସାଧାରଣତଃ ରାଷ୍ଟ୍ରପତିଙ୍କ ବିଶ୍ଵାସ ଭାଜନ ହେଲା ପର୍ଯ୍ୟନ୍ତ ଏହି ପଦରେ ରହନ୍ତି  । ଏହାର ଅର୍ଥ ରାଜ୍ୟପାଳ ତାଙ୍କର କାର୍ଯ୍ୟକାଳ ସମାପ୍ତି ପୂର୍ବରୁ ପଦଚ୍ୟୁତ ହୋଇ ପାରନ୍ତି  । ସେ ମଧ୍ୟ କାର୍ଯ୍ୟକାଳ ପୂରିବା ପୂର୍ବରୁ ଇସ୍ତଫା ଦେଇ ପାରନ୍ତି  । ପ୍ରକୃତପକ୍ଷେ ଯେତେବେଳେ ରାଜ୍ୟପାଳଙ୍କୁ ନିଯୁକ୍ତି ବା ପଦଚ୍ୟୁତ କରାଯାଏ, ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କର ପରାମର୍ଶ ଅନୁସାରେ ଏହା କରନ୍ତି ।

ରାଜ୍ୟପାଳଙ୍କ କ୍ଷମତା

ପ୍ରତ୍ୟକ ପଦବୀ ସହିତ କିଛି କ୍ଷମତା ସଂଯୋଜିତ ହୋଇଛି  । ରାଜ୍ୟର ମୁଖ୍ୟ ଭାବରେ ନିଜର କାର୍ଯ୍ୟ ଦକ୍ଷତାର ସହ ସମ୍ପାଦନ କରିବାପାଇଁ ରାଜ୍ୟପାଳଙ୍କୁ ସମ୍ବିଧାନ ଦ୍ଵାରା କେତେକ ପ୍ରଦାନ କରାଯାଇଛି  ।

ରାଜ୍ୟପାଳଙ୍କ କ୍ଷମତାକୁ ନିମ୍ନଶୀର୍ଷକ ଅନୁଯାୟୀ ଆଲୋଚନା କରି ପାରିବା  ।

  1. କାର୍ଯ୍ୟନିର୍ବାହୀ କ୍ଷମତା
  2. ଆଇନ ପ୍ରଣୟନ କ୍ଷମତା
  3. ଆର୍ଥିକ କ୍ଷମତା
  4. ନ୍ୟାୟିକ କ୍ଷମତା
  5. ଇଚ୍ଛାଧିନ କ୍ଷମତା

କାର୍ଯ୍ୟନିର୍ବାହୀ କ୍ଷମତା

ଭାରତୀୟ ସମ୍ବିଧାନରେ ରାଜ୍ୟର ସମସ୍ତ କାର୍ଯ୍ୟନିର୍ବାହୀ କ୍ଷମତା ରାଜ୍ୟପାଳଙ୍କ ଉପରେ ନ୍ୟସ୍ତ ହୋଇଛି  । ସେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ ପରିଚାଳିତ ମନ୍ତ୍ରୀପରିଷଦର ସାହାଯ୍ୟ ଓ ପରାମର୍ଶରେ ଏହି କାର୍ଯ୍ୟ ସମ୍ପାଦନ କରିଥାନ୍ତି  । ସେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି କରିଥାନ୍ତି  । ସେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦିଅନ୍ତି  । ଯଥା – ରାଜ୍ୟ ଲୋକସେବା ଆୟୋଗର ସଭାପତି ଓ ସଦସ୍ୟ, ରାଜ୍ୟ ନିର୍ବାଚନ ଆୟୋଗର ସଭାପତି ଓ ସଦସ୍ୟ, ରାଜ୍ୟ ବିତ୍ତୀୟ ଆୟୋଗର ସଭାପତି ଓ ସଦସ୍ୟ, ରାଜ୍ୟ ମହାଧିବକ୍ତା ଉଚ୍ଚନ୍ୟାୟାଳୟ ବ୍ୟତୀତ ରାଜ୍ୟର ଅନ୍ୟ ନ୍ୟାୟାଳୟର ବିଚାରପତି  । ରାଜ୍ୟର ଉଚ୍ଚନ୍ୟାୟାଳୟର ବିଚାର ପତି ନିଯୁକ୍ତି ସମୟରେ ରାଷ୍ଟ୍ରପତି ରାଜ୍ୟପାଳଙ୍କ ସହ ପରାମର୍ଶ କରନ୍ତି  , କିତନୁ ପ୍ରକୃତ କ୍ଷେତ୍ରରେ ରାଜ୍ୟପାଳଙ୍କ କ୍ଷମତା କେବଳ ନିୟମାନୁଗତ  । ରାଜ୍ୟ ବିଧାନସଭାରେ ସଂଖ୍ୟା ଗରିଷ୍ଠ ଦଳର ନେତାଙ୍କୁ ସେ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଅନ୍ତି  । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟ ମାନଙ୍କୁ ନିଯୁକ୍ତି ଦିଅନ୍ତି  । ଅନ୍ୟ ସମସ୍ତ ନିଯୁକ୍ତି ଓ କାର୍ଯ୍ୟ ନିର୍ବାହୀ କ୍ଷମତା ଗୁଡିକ ସେ ମନ୍ତ୍ରୀ ପରିଷଦ ପରାମର୍ଶରେ ସମ୍ପାଦନ କରିଥାନ୍ତି  ।

ଆଇନ ପ୍ରଣୟନ କ୍ଷମତା

ରାଜ୍ୟପାଳ ହେଉଛନ୍ତି ରାଜ୍ୟ ବ୍ୟବସ୍ଥାପକ ସଭାର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସେଥିପାଇଁ ତାଙ୍କର ଅନେକ ଗୁଡିଏ ଆଇନ ପ୍ରଣୟନକାରୀ କ୍ଷମତା ରହିଛି  । ସେ ରାଜ୍ୟ ବିଧାନସଭା ଅଧିବେଶନ ଗୁଡିକ ଡକାନ୍ତି ଓ ମୁଲତବୀ କରନ୍ତି ଏବଂ ରାଜ୍ୟ ବିଧାନ ସଭାକୁ ଭଙ୍ଗ କରି ପାରନ୍ତି  । ସେ ରାଜ୍ୟ ବିଧାନସଭାକୁ କିମ୍ବା ରାଜ୍ୟ ବ୍ୟବସ୍ଥାପକ ସଭାର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରନ୍ତି  । ସେ ଭାରତୀୟ ଇଂରେଜ ଅଧିବାସୀ ସମ୍ପ୍ରଦାୟ ର ଗୋଟିଏ ବ୍ୟକ୍ତିକୁ ବିଧାନସଭାର ସଦସ୍ୟ ରୂପେ ମନୋନୀତ କରିପାରନ୍ତି  । ଯଦି ସେହି ସମ୍ପ୍ରଦାୟର କେହି ନିର୍ବାଚିତ ହୋଇନଥାନ୍ତି  । ସେ ବିଧାନ ପରିଷଦକୁ ଏକ ଷଷ୍ଠାଂଶ ସଦସ୍ୟଙ୍କୁ ମନୋନୀତ କରନ୍ତି ଯଦି ରାଜ୍ୟରେ ବ୍ୟବସ୍ଥାପକ ସଭା ଦୁଇଟି ଗୃହ ବିଶିଷ୍ଟ ହୋଇଥାଏ  । ପ୍ରକୃତ କ୍ଷେତ୍ରରେ ରାଜ୍ୟପାଳ ଏ ସମସ୍ତ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵାଧୀନ ରାଜ୍ୟ ମନ୍ତ୍ରୀ ପରିଷଦର ସୁପାରିଶ ଅନୁସାରେ କରିଥାନ୍ତି  । ବିଧାନ ସଭାରେ ପାରିତ ହୋଇଥିବା ଗୋଟିଏ ବିଲ୍/ଚିଠା ପ୍ରସ୍ତାବକୁ ରାଜ୍ୟପାଳ ମଞ୍ଜୁରୀ ଦେଲେ, ଏହା ଆଇନରେ ପରିଣତ ହୋଇଥାଏ  ।

ଆର୍ଥିକ କ୍ଷମତା

ତୁମେ ସମ୍ବାଦ ପତ୍ରରେ ପଢିଥିବା ଯେ, ପ୍ରତିବର୍ଷ ସରକାରଙ୍କ ଦ୍ଵାରା ବାର୍ଷିକ ବିତ୍ତୀୟ ବିବୃତ୍ତି ବିଧାନ ସଭାରେ ମଞ୍ଜୁର ପାଇଁ ଉପସ୍ଥାପିତ କରାଯାଏ  । ପ୍ରକୃତ ପକ୍ଷେ ରାଜ୍ୟର ବାର୍ଷିକ ବିତ୍ତୀୟ ବିବୃତ୍ତି ରାଜ୍ୟ ପାଳଙ୍କ ତରଫରୁ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ହୋଇ ବିଧାନସଭାରେ ଉପସ୍ଥାପିତ ହୁଏ  । ରାଜ୍ୟପାଳଙ୍କ ସ୍ଵୀକୃତି ବିନା କୌଣସି ଅର୍ଥବିଲ ରାଜ୍ୟ ବିଧାନସଭାରେ ଆଗତ କରାଯାଇ ପାରିବ ନାହିଁ  । ରାଜ୍ୟର ସାମ୍ଭାବ୍ୟ ପାଣ୍ଠି ଉପରେ ମଧ୍ୟ ରାଜ୍ୟପାଳଙ୍କର ନିୟନ୍ତ୍ରଣ ଥାଏ  ।

ଇଚ୍ଛାଧିନ କ୍ଷମତା

ଆମେ ଆଗରୁ ଦେଖିଛୁ ଯେ, ରାଜ୍ୟ ମନ୍ତ୍ରୀ ପରିଷଦର ଉପଦେଶ ନୌଯାୟୀ ରାଜ୍ୟପାଳ କାର୍ଯ୍ୟ କରନ୍ତି  । ଏହାର ଅର୍ଥ ହେଉଛି, ପ୍ରକୃତ ପକ୍ଷେ ରାଜ୍ୟପାଳଙ୍କର କ୍ଷମତା ସୀମିତ  । କିନ୍ତୁ ସମ୍ବିଧାନ ଅନୁସାରେ କୌଣସି ସ୍ଵତନ୍ତ୍ର ପରିସ୍ଥିତିରେ ସେ ମଧ୍ୟ ମନ୍ତ୍ରୀପରିଷଦର ବିନା ଉପଦେଶରେ କାର୍ଯ୍ୟ କରିଥାନ୍ତି  । ଏହି ପରି ନିଜ ଇଚ୍ଛା ଅନୁସାରେ ବ୍ୟବହାର କରୁଥିବା କ୍ଷମତାକୁ ରାଜ୍ୟପାଳଙ୍କର ଇଚ୍ଛାଧିନ କ୍ଷମତା କୁହାଯାଏ  । ପ୍ରଥମତଃ ଯଦି କୌଣସି ଗୋଟିଏ ରାଜନୈତିକ ଡାକ କିମ୍ବା ମିଳିତ ଦଳ ଗୁଡିକ ବିଧାନସଭାରେ ସଂପୂର୍ଣ୍ଣ ସଂଖ୍ୟା ଗରିଷ୍ଠ ନହୁଅନ୍ତି, ସେ ନିଜର ଇଚ୍ଛାଧିନ କ୍ଷମତା ବ୍ୟବହାର କରି ଜଣକୁ ମୁଖ୍ୟମନ୍ତ୍ରୀ ହେବାପାଇଁ ଆମନ୍ତ୍ରଣ କରନ୍ତି ଦ୍ଵିତୀୟତଃ ରାଜ୍ୟପାଳ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ଵୟ ରକ୍ଷା କରନ୍ତି  । ରାଜ୍ୟ ବ୍ୟବସ୍ଥାପକ ସଭାରେ ପାରିତ ହୋଇଥିବା ଯେକୌଣସି ବିଲ୍ କୁ ରାଷ୍ଟ୍ରପତିଙ୍କର ଅନୁ ମୋଦନ ପାଇଁ ସ୍ଥଗିତ ରଖିପାରନ୍ତି  । ତୃତୀୟତଃ ଯଦି ସେ ଭାବନ୍ତି ଯେ, ରାଜ୍ୟ ସରକାର ସମ୍ବିଧାନ ଅନୁସାରେ କାର୍ଯ୍ୟ କରୁନାହାଁନ୍ତି, ସେ ରାଷ୍ଟ୍ରପତିଙ୍କୁ ସେହି ମର୍ମରେ ନିଜର ମତାମତ ପଠାନ୍ତି  । ଏହି କ୍ଷେତ୍ରରେ ଧାରା ଅନୁସାରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯାଏ  । ରାଜ୍ୟ ମନ୍ତ୍ରୀ ପରିଷଦକୁ ପଦଚ୍ୟୁତ କରାଯାଏ ଏବଂ ରାଜ୍ୟ ବିଧାନସଭାକୁ ଭାଙ୍ଗି ଦିଆଯାଏ, କିମ୍ବା ନିଲମ୍ବିତ କରାଯାଏ  । ଏହି ଜରୁରୀକାଳୀନ ଅବସ୍ଥା ସମୟରେ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ତରଫରୁ ରାଜ୍ୟ ଶାସନ କରନ୍ତି  ।

ରାଜ୍ୟପାଳ ଓ ମନ୍ତ୍ରୀପରିଷଦ ମଧ୍ୟରେ ସମ୍ପର୍କ

ଆମେ ପୂର୍ବରୁ ଦେଖିଛୁଯେ, ରାଜ୍ୟ କାର୍ଯ୍ୟନିର୍ବାହୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦକୁ ନେଇ ଗଠିତ  । ସାଧାରଣତଃ ରାଜ୍ୟପାଳ ତାଙ୍କର ସମସ୍ତ କ୍ଷମତା ମନ୍ତ୍ରୀପରିଷଦର ପରାମର୍ଶରେ କାର୍ଯ୍ୟକାରୀ କରନ୍ତି  । ଆମେ ଜାଣିଛୁ ଯେ, ସେତେବେଳେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରନ୍ତି, ରାଜ୍ୟପାଳ ନିୟମାନୁଗତ ଭାବରେ ତାଙ୍କର ଦାୟିତ୍ଵ ସମାପନ କରିଥାନ୍ତି  । ସେ ବିଧାନସଭାର ସଂଖ୍ୟା ଗରିଷ୍ଠ ଦଳର ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଆମନ୍ତ୍ରଣ କରିଥାନ୍ତି  । ମନ୍ତ୍ରୀପରିଷଦର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଅନୁସାରେ ରାଜ୍ୟପାଳଙ୍କ ଦ୍ଵାରା ନିଯୁକ୍ତି ପାଆନ୍ତି  । ବିଧାନସଭାର ସଂଖ୍ୟାଗରିଷ୍ଠ କହିଲେ ଗୋଟିଏ ଦଳ କିମ୍ବା ଅନେକ ଗୁଡିଏ ଦଳ କିମ୍ବା ନିର୍ଦ୍ଦଳୀୟ ସଭ୍ୟଙ୍କୁ ନେଇ ଗଠିତ ହୋଇପାରେ  । ଯେତେବେଳେ ବିଧାନସଭାରେ ନେତା ବାଛିବା ପାଇଁ ସମ୍ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳେନାହିଁ, ସେତେବେଳୀ ରାଜ୍ୟପାଳ ତାଙ୍କର ଇଚ୍ଛାଧୀନ କ୍ଷମତା ବ୍ୟବହାର କରନ୍ତି  । ସେହିପରି ଯଦିଓ ସାଧାରଣ ନିୟମ ଅନୁସାରେ ମନ୍ତ୍ରୀ ମାନଙ୍କ କାର୍ଯ୍ୟରେ ରାଜ୍ୟପାଳ ସନ୍ତୁଷ୍ଟ ଥିବା ପର୍ଯ୍ୟନ୍ତ ସେମାନେ ପଦବୀରେ ରହନ୍ତି, କିନ୍ତୁ ପ୍ରକୃତ କାର୍ଯ୍ୟ କ୍ଷେତ୍ରରେ ମୁଖ୍ୟ ମନ୍ତ୍ରୀ ଓ ତାଙ୍କର ମନ୍ତ୍ରୀପରିଷଦ ଯେ ପର୍ଯ୍ୟନ୍ତ ବିଧାନସଭାରେ ସଂଖ୍ୟା ଗରିଷ୍ଠ ସଦସ୍ୟଙ୍କ ସମର୍ଥନ ଲାଭ କରୁଥିବେ,  ସେ ପର୍ଯ୍ୟନ୍ତ ନିଜ ପଦରେ ରହନ୍ତି  । ଯେତେବେଳେ ରାଷ୍ଟ୍ରପତି ଶାସନ ଜାରି କରାଯାଏ, ସେତେବେଳେ ରାଜ୍ୟପାଳ ସେମାନଙ୍କୁ ବହିସ୍କାର କରିପାରିବେ  ।

ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପରିଷଦର ସମସ୍ତ ସିଦ୍ଧାନ୍ତ ରାଜ୍ୟପାଳଙ୍କୁ ଜଣାଇଥାନ୍ତି  । ସେ ମଧ୍ୟ ରାଜ୍ୟଶାସନ ସମ୍ପର୍କୀୟ ସୂଚନା ମାଗିପାରନ୍ତି  । ଯଦି ଜଣେ ମନ୍ତ୍ରୀ ଏକାକୀ କୌଣସି ସିଦ୍ଧାନ୍ତ ନେଇଥାନ୍ତି, ତେବେ ସେହି ବିଷୟକୁ ମନ୍ତ୍ରୀପରିଷଦର ବିଚାର ପାଇଁ ଉପସ୍ଥାପିତ କରିବାକୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇପାରନ୍ତି  । ଏହା ସତ୍ୟଯେ, ରାଜ୍ୟପାଳ ଜଣେ ନାମ ମାତ୍ର ମୁଖ୍ୟ ଏବଂ ପ୍ରକୃତ କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵାଧୀନ ମନ୍ତ୍ରୀପରିଷଦ ଦ୍ଵାରା କାର୍ଯ୍ୟକାରୀ ହୋଇଥାଏ  । ଏହା କୁହାଯାଇ ପାରିବ ନାହିଁ ଯେ, ରାଜ୍ୟପାଳ କେବଳ ସାମ୍ବିଧାନିକ କିମ୍ବା ଅଳଙ୍କାରିକ ମୁଖ୍ୟ  । କାରଣ ସେ ତାଙ୍କର କ୍ଷମତା ଦକ୍ଷତାର ସହିତ କେତେକ ନିର୍ଦ୍ଧିଷ୍ଟ ପରିସ୍ଥିତିରେ କାର୍ଯ୍ୟକାରୀ କରିପାରିବେ  । ଯେତେବେଳେ ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖାଯାଏ, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସଂଯୋଗ ରକ୍ଷା କରୁଥିବାରୁ ସେ ବିଶେଷ ପ୍ରଭାବଶାଳୀ ହୋଇଥାନ୍ତି ଯଦି କେନ୍ଦ୍ରସରକାର ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥାନ୍ତି  । ନିଜର ଇଚ୍ଛାଧିନ କ୍ଷମତା ବଳରେ ରାଜ୍ୟପାଳ କେତେକ ପରିସ୍ଥିତିରେ ପ୍ରକୃତ କାର୍ଯ୍ୟନିର୍ବାହୀ। ପ୍ରଶାସକ ଭଳି କାର୍ଯ୍ୟ କରନ୍ତି  ।

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ

ନିଯୁକ୍ତି

ଆମେ ପୂର୍ବରୁ ଜାନୁଛୁଯେ, ମୁଖ୍ୟମନ୍ତ୍ରୀ ଓ ତାଙ୍କ ନେତୃତ୍ଵାଧିନ ମନ୍ତ୍ରୀ ପରିଷଦ ରାଜ୍ୟର ପ୍ରକୃତ କାର୍ଯ୍ୟ ନିର୍ବାହକ  । ତୁମେ ମଧ୍ୟ ଜାଣିଛ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦର ଅନ୍ୟାନ୍ୟ ମନ୍ତ୍ରୀମାନେ କିପରି ରାଜ୍ୟପାଳଙ୍କ ଦ୍ଵାରା ନିଯୁକ୍ତି ପାଆନ୍ତି  । ତାଙ୍କର କାର୍ଯ୍ୟକାଳ ୫ବର୍ଷ  । କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ସେମାନେ ବିଧାନସଭାର ସଂଖ୍ୟାଗରିଷ୍ଠ ସମର୍ଥନ ଲାଭ କରନ୍ତି, ସେ ପର୍ଯ୍ୟନ୍ତ ପଦବୀରେ ରହନ୍ତି  । ଯଦି ଜଣେ ବ୍ୟକ୍ତି ଯେକି ମୁଖ୍ୟମତ୍ରୀ କିମ୍ବା ଜଣେ ମନ୍ତ୍ରୀ ଭାବରେ ନିଯୁକ୍ତି ପାଇଥାନ୍ତି ଏବଂ ସେ ବିଧାନସଭାର ସଦସ୍ୟ ନୁହଁନ୍ତି, ତାଙ୍କୁ ନିଯୁକ୍ତି ପାଇବାର ୬ମାସ ମଧ୍ୟରେ ବ୍ୟବସ୍ଥାପକ ସଭାର ଯେକୌଣସି ଗୋଟିଏ ସଦନର ସଭ୍ୟ ହେବାକୁ ପଡିବ  । ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶରେ ରାଜ୍ୟପାଳ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଥାନ୍ତି  ।

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର କାର୍ଯ୍ୟ

ତୁମେ ମଧ୍ୟ ଜାଣିଥିବଯେ, ଯେତେବେଳେ ରାଜ୍ୟରେ କିଛି ଘଟନା ଘଟେ, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରାଯାଏ  । ଯଦି ଭଲ କଥା ଘଟେ, ତାଙ୍କୁ ପ୍ରଶଂସା କରାଯାଏ ଓ ଯଦି ଖରାପ କଥା ଘଟେ, ତେବେ ସେ ସମାଲୋଚିତ ହୁଅନ୍ତି  । ଏପରି କାହିଁକି ହୁଏ ? ପ୍ରକୃତରେ ମୁଖ୍ୟମନ୍ତ୍ରୀ ରାଜ୍ୟସରକାରର ମୁଖ୍ୟ ଅଟନ୍ତି  । ତେଣୁ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ  । ସେ –

  • ମନ୍ତ୍ରୀପରିଷଦର ନିଯୁକ୍ତି ଓ ବିଭାଗ ବଣ୍ଟନରେ ରାଜ୍ୟପାଳଙ୍କୁ ପରାମର୍ଶ ଦିଅନ୍ତି  ।
  • ରାଜ୍ୟ ମନ୍ତ୍ରୀପରିଷଦ ସଭାରେ ସଭାପତିତ୍ଵ କରନ୍ତି ଏବଂ ବିଭିନ୍ନ ମନ୍ତ୍ରୀଙ୍କର କାର୍ଯ୍ୟ ମଧ୍ୟରେ ସମନ୍ଵୟ ରକ୍ଷା କରନ୍ତି  ।
  • ରାଜ୍ୟର ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ମାର୍ଗଦର୍ଶନ କରନ୍ତି ଓ ମନ୍ତ୍ରୀମାନଙ୍କ ଦ୍ଵାରା ବିଧାନସଭାରେ ଆଗତ କରାଯାଉଥିବା ବିଲ୍ ଗୁଡିକୁ ଅନୁମୋଦନ କରନ୍ତି  ।
  • ମନ୍ତ୍ରୀପରିଷଦ ଓ ରାଜ୍ୟପାଳଙ୍କ ମଧ୍ୟରେ ମୁଖ୍ୟ ସଂଯୋଗ  । ରାଜ୍ୟ ଶାସନ ସମ୍ପର୍କିତ ରାଜ୍ୟମନ୍ତ୍ରୀ ପରିଷଦର ସିଦ୍ଧାନ୍ତ ଓ ଆଇନ ପ୍ରଣୟନ ପାଇଁ ସମସ୍ତ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ନିକଟକୁ ପଠାଇଥାନ୍ତି  ।
  • ଯଦି ରାଜ୍ୟପାଳ ଇଚ୍ଛା କରନ୍ତି, ତେବେ ଜଣେ ମନ୍ତ୍ରୀଙ୍କ ଦ୍ଵାରା ନିଆଯାଇଥିବା ସିଦ୍ଧାନ୍ତକୁ ମନ୍ତ୍ରୀପରିଷଦର ବିଚାର ପାଇଁ ଉପସ୍ଥାପିତ କରନ୍ତି  ।

ମୁଖ୍ୟମନ୍ତ୍ରୀଙ୍କର ସ୍ଥିତି

ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରକୃତ କାର୍ଯ୍ୟନିର୍ବାହୀ ମୁଖ୍ୟ  । ସେ ରାଜ୍ୟର ନୀତିନିର୍ଦ୍ଧାରଣ କରନ୍ତି ଓ ରାଜ୍ୟ ମନ୍ତ୍ରୀ ପରିଷଦର ସଦସ୍ୟ ମାନଙ୍କୁ ତାହା କାର୍ଯ୍ୟକାରୀ କରିବା ପାଇଁ ମାର୍ଗ ପ୍ରଦର୍ଶନ କରନ୍ତି  । ମୁଖ୍ୟତଃ ଯେତେବେଳେ ଗୋଟିଏ ରାଜନୈତିକ ଦଳର ବିଧାନସଭାରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ରହିଥାଏ, ସେତେବେଳେ ସେ ସବୁଠାରୁ କ୍ଷମତାଶାଳୀ ଅଟନ୍ତି  । ଯେତେବେଳେ ସେ ଗୋଟିଏ ମିଳିତ ମନ୍ତ୍ରୀମଣ୍ଡଳର ମୁଖ୍ୟ ହୋଇଥାନ୍ତି, ତାଙ୍କର କ୍ଷମତା ମିଳିତ ସହଯୋଗୀ ଦଳର ପ୍ରଭାବଦ୍ଵାରା ସଙ୍କୁଚିତ ହୋଇଯାଏ  । ଯଦି ବିଧାନସଭାରେ ତାଙ୍କର ସଂଖ୍ୟାଗରିଷ୍ଠତା ନ୍ୟୁନ ଥାଏ, ତେବ ସେ ଅଳ୍ପ କେତେକ ନିର୍ଦ୍ଦଳୀୟ (ସ୍ଵାଧୀନ) ସଦସ୍ୟଙ୍କ ଦ୍ଵାରା ଚାପଗ୍ରସ୍ତ ହୋଇଥାନ୍ତି  ।

ରାଜ୍ୟ ବିଧାନ ସଭା

ପ୍ରତ୍ୟକ ରାଜ୍ୟରେ ଗୋଟିଏ ବ୍ୟବସ୍ଥାପକ ସଭା ରହିଛି  । ତୁମେ ନିମ୍ନରେ କର୍ଣ୍ଣାଟକର ବ୍ୟବସ୍ଥାପକ ସଭା ଦେଖୁଛ  ,

ବର୍ତ୍ତମାନ ଦେଖିବା କିପରି ରାଜ୍ୟ ବ୍ୟବସ୍ଥାପକ ସଭା ଗଠିତ ହୋଇଛି  । କେତେକ ରାଜ୍ୟରେ ଏହି ବ୍ୟବସ୍ତାହାପକସଭା ଦୁଇଗୃହ ବିଶିଷ୍ଟ  । ଅଧିକାଂଶ ରାଜ୍ୟରେ ର୍କା ଗୃହ ବିଶିଷ୍ଟ  । ରାଜ୍ୟପାଳ ରାଜ୍ୟ ବ୍ୟବସ୍ଥାପକ ସଭାର ଅବିଛେଦ୍ୟ ଅଙ୍ଗ  । ଏକ ଗୃହ ବିଶିଷ୍ଟ ବ୍ୟବସ୍ଥାପକ ସଭା ରାଜ୍ୟରେ ବିଧାନସଭା ଓ ଦୁଇ ଗୃହଥିବା ରାଜ୍ୟରେ ବିଧାନସଭା ଯାହାକି ନିମ୍ନଗୃହ ଓ ବିଧାନ ପରିଷଦ ଉଚ୍ଚତର ଗୃହ ରହିଛି  । ବର୍ତ୍ତମାନ କେବଳ ବିହାର, ଜାମ୍ମୁକାଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ଦ୍ଵିଗୃହ ବିଶିଷ୍ଟ ବ୍ୟବସ୍ଥାପକ ସଭା ରହିଛି ଏବଂ ଅବଶିଷ୍ଟ ୨୩ଟି ରାଜ୍ୟରେ ଏକ ଗୃହ ବିଶିଷ୍ଟ ବ୍ୟବସ୍ଥାପକ ସଭା ରହିଛି  ।

ବିଧାନସଭାର ଗଠନ

ବିଧାନସଭା ହେଉଛି ପ୍ରକୃତ ବ୍ୟବସ୍ଥାପକ ସଭା  । ଏପରିକି ଦୁଇ ଗୃହ ବିଶିଷ୍ଟ ବ୍ୟବସ୍ଥାପକ ସଭା ଥିବା ରାଜ୍ୟରେ ମଧ୍ୟ ବିଧାନସଭା ପ୍ରକୃତ ବ୍ୟବସ୍ଥାପକ ସଭା  । ଭାରତର ସମ୍ବିଧାନ ଅନୁସାରେ ରାଜ୍ୟବିଧାନସଭାରେ ସଭ୍ୟସଂଖ୍ୟା ୫୦୦ରୁ ଅଧିକ ହେବନାହିଁ କି ୬୦ରୁ କମ୍ ହେବନାହିଁ  । ଯାହାହେଉ ଅତି ଛୋଟରାଜ୍ୟ ଗୋଆ, ସିକିମ୍ ଓ ମିଜୋରାମର ବିଧାନସଭା ଗୁଡିକରେ ୬୦ରୁ କମ୍ ସଦସ୍ୟ ରହିବା ପାଇଁ ଅନୁମତି ଦିଆଯାଇଛି  । ବିଧାନସଭାରେ କେତେକ ସ୍ଥାନ ଅନୁସୂଚୀତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଛି  । ଯଦି ରାଜ୍ୟପାଳ ଅନୁଭବ କରନ୍ତି ଯେ, ଭାରତୀୟ ଇଂରେଜ ଅଧିବାସୀ ସମ୍ପାଦାୟକୁ ଉପଯୁକ୍ତ ପ୍ରତିନିଧିତ୍ଵ ମିଳିନାହିଁ, ତେବେ ସେ ସେହି ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ରାଜ୍ୟ ବିଧାନ ସଭାକୁ ମନୋନୀତ କରିପାରନ୍ତି  । ରାଜ୍ୟ ବିଧାନସଭା ଗୋଟିଏ ନିର୍ବାଚିତ ସଂସ୍ଥା  । ଏହାର ସଭ୍ୟମାନେ (MLA) ଲୋକମାନଙ୍କ ଦ୍ଵାରା ସାର୍ବଜନୀନ ସାବାଳକ ମତାଧିକାର ଉପରେ ଆଧାରିତ ନିୟମ ଦ୍ଵାରା ନିର୍ବାଚିତ ହୁଅନ୍ତି  । ବିଧାନସଭାର ସଦସ୍ୟ (MLA) ଭାବରେ ନିର୍ବାଚିତ ହେବାପାଇଁ ସମ୍ବିଧାନରେ କେତେକ ନିୟମ ଉଲ୍ଲିଖିତ ହୋଇଛି  । ବିଧାନସଭାର ସଦସ୍ୟ ହେବାପାଇଁ ଜଣେ ବ୍ୟକ୍ତି :

  • ଭାରତର ନାଗରିକ ହୋଇଥିବେ  ।
  • ଅନ୍ୟୁନ ୨୫ବର୍ଷ ବୟସର ହୋଇଥିବେ  ।
  • ତାଙ୍କର ନାମ ଭୋଟର ତାଲିକାରେ ଥିବ  ।
  • କୌଣସି ଲାଭଜନକ ପଦବୀ ଗ୍ରହଣ କରିନଥିବେ  ।
  • ସରକାରୀ କର୍ମଚାରୀ ହୋଇନଥିବେ  ।

ବିଧାନସଭାର କାର୍ଯ୍ୟକାଳ ୫ ବର୍ଷ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ରାଜ୍ୟପାଳ ବିଧାନସଭାକୁ ଆଗରୁ ଭାଙ୍ଗିଦେଇ ପାରନ୍ତି  । ସେହିପରି ରାଷ୍ଟ୍ରପତି ଶାସନ ଜାରୀ କରାଗଲେ, ରାଜ୍ୟପାଳଙ୍କ ଦ୍ଵାରା ବିଧାନସଭାକୁ ନିଲମ୍ବିତ କରାଯାଇପାରେ ବା ଭାଙ୍ଗିଦିଆଯାଇପାରେ  । ଜାତୀୟ ଜରୁରୀକାଳୀନ ଅବସ୍ଥା ସମୟରେ ସଂସଦ ରାଜ୍ୟବିଧାନସଭାର କାର୍ଯ୍ୟକାଳକୁ ବୃଦ୍ଧିକରି ପାରନ୍ତି କିନ୍ତୁ ତାହା ଏକାଦିକ୍ରମେ ଏକବର୍ଷରୁ ଅଧିକ ହେବନାହିଁ  ।

ବିଧାନ ପରିଷଦର ଗଠନ

ରାଜ୍ୟ ବ୍ୟବସ୍ଥାପକ ସଭାର ଉଚ୍ଚତର ଗୃହ ବିଧାନ ପରିଷଦରେ ରାଜ୍ୟ ବିଧାନସଭାର ମୋଟ ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ସଦସ୍ୟ ରହିପାରିବେ ନାହିଁ କିନ୍ତୁ କୌଣସି ସ୍ଥଳେ ଏହି ସଂଖ୍ୟା ୪୦ରୁ କମ୍ ହେବନାହିଁ  । ଜାମ୍ମୁକାଶ୍ମୀର ବିଧାନପରିଷଦରେ ୩୬ଜଣ ସଦସ୍ୟ ଅହହନ୍ତି, ଏହା ଏକ ବ୍ୟତିକ୍ରମ  । ବିଧାନପରିଷଦର କେତେକ ସଦସ୍ୟ ପରୋକ୍ଷ ପଦ୍ଧତିରେ ନିର୍ବାଚିତ ହୁଅନ୍ତି ଓ କେତେକ ମନୋନୀତ ହୁଅନ୍ତି  ।

ବିଧାନ ପରିଷଦ ନିମ୍ନ ପ୍ରକାରରେ ଗଠିତ

  • ଏକ ତୃତୀୟାଂଶ ସଦସ୍ୟ ସ୍ଥାନୀୟ ସ୍ୱାୟତ୍ତ ଶାସନ ପ୍ରତିଷ୍ଠାନ (ପୌରପାଳିକାର, ଜିଲ୍ଲାପରିଷଦ ଓ ରାଜ୍ୟରେ ଥିବା ଅନ୍ୟାନ୍ୟ) ଦ୍ଵାରା ନିର୍ବାଚିତ ହୁଅନ୍ତି  ।
  • ଏକ ତୃତୀୟାଂଶ ସଦସ୍ୟ ରାଜ୍ୟ ବିଧାନସଭା ସଦସ୍ୟଙ୍କ ଦ୍ଵାରା ନିର୍ବାଚିତ ହୁଅନ୍ତି  ।
  • ଏକ ଦ୍ଵାଦଶାଂଶ ସଦସ୍ୟ ରାଜ୍ୟର ବିଶ୍ଵବିଦ୍ୟାଳୟର ତିନି ବର୍ଷରୁ କମ୍ ସ୍ଥାୟିତ୍ଵ ନଥିବା ଉପାଧିପ୍ରାପ୍ତ ସ୍ନାତକଙ୍କ ଦ୍ଵାରା ନିର୍ବାଚିତ ହୁଅନ୍ତି  ।
  • ଏକ ଦ୍ଵାଦଶାଂଶ ସଦସ୍ୟ ଅତିକମ୍ ରେ ତିନିବର୍ଷର ଶିକ୍ଷାଦାନ ଅଭିଜ୍ଞତା ଥିବା ଏବଂ ମାଧ୍ଯମିକ ସ୍ତରରୁ ନିମ୍ନହୋଇନଥିବା ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନର ଶିକ୍ଷକମାନଙ୍କ ଦ୍ଵାରା ନିର୍ବାଚିତ ହୁଅନ୍ତି  ।
  • ଅବଶିଷ୍ଟ ଏକ ଷଷ୍ଠାଂଶ ସଭ୍ୟ ରାଜ୍ୟର ରାଜ୍ୟପାଳଙ୍କ ଦ୍ଵାରା ମନୋନୀତ ହୁଅନ୍ତି  । ଏହାର ଏକ ତୃତୀୟାଂଶ ସଭ୍ୟ ପ୍ରତି ୨ବର୍ଷ ପରେ ଅବସର ନିଅନ୍ତି  । ଅବସର ନେଉଥିବା ସଦସ୍ୟମାନେ ମଧ୍ୟ ପୁନଃ ନିର୍ବାଚିତ ହୋଇପାରିବେ  । ବିଧାନ ପରିଷଦର ସଦସ୍ୟ ହେବାପାଇଁ ଯୋଗ୍ୟତା ବିଧାନସଭା ସଦସ୍ୟର ଯୋଗ୍ୟତା ସହ ସମାନ  । କିନ୍ତୁ ସର୍ବନିମ୍ନ ବୟସ କ୍ଷେତ୍ରରେ ବିଧାନସଭାର ୨୫ବର୍ଷ କିନ୍ତୁ ବିଧାନ ପରିଷଦର ୩୦ବର୍ଷ   ।

ରାଜ୍ୟ ବ୍ୟବସ୍ଥାପକ ସଭାର ଅଧିବେଶନ ବର୍ଷକୁ ଅତି କମ୍ ରେ ଦୁଇଥର ବସେ ଓ ଦୁଇଟି ଅଧିବେଶନ ମଧ୍ୟରେ ପାର୍ଥକ୍ୟ ୬ମାସରୁ ଅଧିକ ହେବନାହିଁ  । ବିଧାନସଭା ଓ ବିଧାନ ପରିଷଦ ନିଜ ନିଜର ପୀଠାସୀନ ଅଧିକାରୀ (ବାଚସ୍ପତି ଓ ଉପବାଚସ୍ପତି, ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ) ଅଛନ୍ତି  । ଉଭୟ ଗୃହର କାର୍ଯ୍ୟ ନିଜ ନିଜର ପୀଠାସୀନ ଅଧିକାରୀଙ୍କ ଦ୍ଵାରା ପରିଚାଳିତ ହୁଏ  । ସେ ମଧ୍ୟ ଗୃହର ଶୃଙ୍ଖଳା ରକ୍ଷାକରନ୍ତି  ।

ରାଜ୍ୟ ବ୍ୟବସ୍ଥାପକ ସଭାର କାର୍ଯ୍ୟ

ରାଜ୍ୟ ବ୍ୟବସ୍ଥାପକ ସଭା ନିମ୍ନୋକ୍ତ ଶ୍ରେଣୀର କାର୍ଯ୍ୟ ସମ୍ପାଦନ କରନ୍ତି –

  • ଆଇନ ପ୍ରଣୟନ କାର୍ଯ୍ୟ : ବ୍ୟବସ୍ଥାପକ ସଭାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି, ଆଇନ ପ୍ରଣୟନ କରିବା  । ପ୍ରତ୍ୟକ ଆଇନ ଏହାଦ୍ଵାରା ପାରିତ ହୋଇଥାଏ  । ଯେଉଁଠାରେ ଦୁଇଟି ଗୃହ ବିଶିଷ୍ଠ ସଭାଥାଏ, ଏକ ସାଧାରଣ ବିଲ ଯେ କୌଣସି ଗୃହରେ ଆଗତ ହୋଇପାରେ  । ବିଧାନସଭା ଦ୍ଵାରା ପାରିତ ହୋଇଥିବା ବିଲ ବିଧାନ ପରିଷଦକୁ ପଠାଯାଏ  । ବିଧାନ ପରିଷଦ ଏହାକୁ ପାରିତ କରିପାରେ କିମ୍ବା ସେଥିରେ କିଛି ପରାମର୍ଶ ଦେଇ ବିଧାନସଭାକୁ ଫେରାଇ ଦେଇପାରେ  । ଯଦି ବିଧାନସଭା ବିଧାନ ପରିଷଦର ପରାମର୍ଶକୁ ଗ୍ରହଣ କରି ବା ନ କରି ପୁନର୍ବାର ଏହି ବିଲ୍ କୁ ପାରିତ କରେ, ତେବେ ଏହା ଉଭୟ ଗୃହରେ ପାରିତ ହେଲାବୋଲି ଧରାଯାଏ  । କିନ୍ତୁ ଗୋଟିଏ ଆର୍ଥିକବିଲ କେବଳ ବିଧାନସଭାଆରେ ହିଁ ଆଗତ ହୋଇପାରିବ  । ବିଧାନସଭାରେ ପାରିତ ହୋଇ ସାରିଲା ପରେ ଏହାକୁ ବିଧାନପରିଷଦକୁ ପଠାଯାଏ  । ବିଧାନପରିଷଦ ଏହାକୁ ପାରିତ କରେ କିମ୍ବା କିଛି ପରାମର୍ଶଦେଇ ବିଲ୍ ପଠାଇ ବାର ୧୪ଦିନ ଭିତରେ ବିଧାନସଭାକୁ ଫେରାଇ ଦେଇ ପାରେ । ବିଧାନସଭା ବିଧାନପରିଷଦ ପରାମର୍ଶକୁ ଗ୍ରହଣ ନକଲେମଧ୍ୟ ବିଲ୍ ଟି ଉଭୟ ଗୃହରେ ପାରିତ ହେଲାବୋଲି ଧରାଯାଏ । ଥରେ ବିଲ୍ ଟି ବ୍ୟବସ୍ଥାପକ ସଭା ପାରିତ ହେଲାପରେ ଏହା ରାଜ୍ୟପାଳଙ୍କ ମଞ୍ଜୁରୀ ପାଇଁ ପଠାଯାଏ  । ସେ ଆର୍ଥିକ ବିଲ୍ ର ମଞ୍ଜୁରୀକୁ ମନାକରି ପାରିବେ ନାହିଁ  । କିନ୍ତୁ ସାଧାରଣ ବିଲ୍ କୁ ପୁନର୍ବିଚାର ପାଇଁ ଫେରାଇ ଦେଇପାରିବେ କିମ୍ବା ଯେ କୌଣସି ବିଲ୍ କୁ ରାଷ୍ଟ୍ରପତିଙ୍କ ବିଚାରପାଇଁ ସଂରକ୍ଷିତ ରଖିପାରିବେ  ।
  • କାର୍ଯ୍ୟନିର୍ବାହୀ ଉପରେ ନିୟନ୍ତ୍ରଣ : ରାଜ୍ୟ ବ୍ୟବସ୍ଥାପକ ସଭା କାର୍ଯ୍ୟନିର୍ବାହୀକୁ ନିୟନ୍ତ୍ରଣ କରେ  । ରାଜ୍ୟ ମନ୍ତ୍ରୀ ପରିଷଦ ସାମୂହିକଭାବରେ ବିଧାନସଭା ନିକଟରେ ଉତ୍ତର ଦାୟୀ  । ଯେ ପର୍ଯ୍ୟନ୍ତ ଏହା ଗୃହର ବିଶ୍ଵାସଭାଜନ ହୋଇଥାଏ, ସେ ପର୍ଯ୍ୟନ୍ତ ପଦବୀରେ ରହେ  । ଯଦି ବିଧାନସଭା ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଗ୍ରହଣକରେ ତେବେ ମନ୍ତ୍ରୀ ପରିଷଦ ପଦଚ୍ୟୁତ ହୁଏ  । ମୋଟ ଉପରେ ରାଜ୍ୟ ବ୍ୟବସ୍ଥାପକ ସଭା ପ୍ରଶ୍ନ ଓ ଅତିରିକ୍ତ ପ୍ରଶ୍ନ ପଚାରି, ମୁଲତବୀ ପ୍ରସ୍ତାବ ଆଗତ କରି ଓ ଧ୍ୟାନ ଆକର୍ଷଣ କାରୀ ନୋଟିସ୍ ଦେଇ ସରକାରକୁ ନିୟନ୍ତ୍ରଣ କରେ  ।
  • ନିର୍ବାଚନ କାର୍ଯ୍ୟ : ରାଜ୍ୟ ବିଧାନସଭାର ସଦସ୍ୟମାନେ ଭାରତର ରାଷ୍ଟ୍ରପତି ନିର୍ବାଚନ ପାଇଁ ଗଠିତ ନିର୍ବାଚକ ମଣ୍ଡଳିର ସଦସ୍ୟ  । ବିଧାନସଭାର ସଦସ୍ୟମାନେ ନିଜରାଜ୍ୟର ରାଜ୍ୟସଭା ସଦସ୍ୟଙ୍କୁ ନିର୍ବାଚିତ କରନ୍ତି  । ସେମାନେ ନିଜରାଜ୍ୟ ବିଧାନ ପରିଷଦର ଏକ ତୃତୀୟାଂଶ ସଦସ୍ୟଙ୍କୁ ନିର୍ବାଚିତ କରନ୍ତି  ।
  • ସମ୍ବିଧାନ ସଂଶୋଧନ କ୍ଷମତା : ସମ୍ବିଧାନ ସଂଶୋଧନ କ୍ଷେତ୍ରରେ ରାଜ୍ୟ ବ୍ୟବସ୍ଥାପକ ସଭା ଗୁରୁତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କରେ  । ସମ୍ବିଧାନ ସଂଶୋଧନ ସଂସଦର ଉଭୟ ଗୃହର ସ୍ଵତନ୍ତ୍ର ସଂଖ୍ୟାଗରିଷ୍ଠ ସମର୍ଥନ ଏବଂ ଅର୍ଦ୍ଧେକ ରାଜ୍ୟ ବ୍ୟବସ୍ଥାପକ ସଭାର ସମର୍ଥନ ଆବଶ୍ୟକ କରେ  । ଅର୍ଥାତ୍ ଅର୍ଦ୍ଧେକ ରାଜ୍ୟର ବ୍ୟବସ୍ଥାପକ ସଭା ଏହି ସଂଶୋଧନକୁ ସ୍ଵୀକୃତି ପ୍ରଦାନ କରେ  ।

ନାଗରିକ ଓ ସେମାନଙ୍କର ନିତିଦିନିଆ ଜୀବନରେ ରାଜ୍ୟ ସରକାରର ପ୍ରଭାବ

ରାଜ୍ୟସରକାରଙ୍କ ନୀତି ଓ କାର୍ଯ୍ୟକ୍ରମ ଯାହାକି ରାଜ୍ୟ ବ୍ୟବସ୍ଥାପକ ସଭାରେ ବାରମ୍ବାର ଆଲୋଚିତ ହୁଏ  । ତାହା ଆମର ନିତିଦିନିଆ ଜୀବନକୁ କିପରି ପ୍ରଭାବିତ କରେ ? ସବୁରାଜ୍ୟ ଅନେକଗୁଡିଏ ପଦ୍ଧତି ଓ ଯୋଜନା କାର୍ଯ୍ୟକାରୀ କରନ୍ତି, ଯାହାକି ଆମକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପ୍ରଭାବିତ କରିଥାଏ  । ବିଭିନ୍ନ ରାଜ୍ୟ ସରକାର ଅନେକ ଜନମଙ୍ଗଳକାରୀ ଯୋଜନା କାର୍ଯ୍ୟକାରୀ କରିଥାନ୍ତି  । ବିଭିନ୍ନ ସମୟରେ ରାଜ୍ୟଗୁଡିକ କେନ୍ଦ୍ର ସରକାରଙ୍କର ଜନମଙ୍ଗଳର ଯୋଜନା ମାନ ଗ୍ରହଣ କରି ତାକୁ କାର୍ଯ୍ୟକାରୀ କରନ୍ତି  ।

ଉଦାହରଣ ସ୍ୱରୂପ ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନର ସ୍କୁଲ ଶିକ୍ଷା ବାହାରେ ଥିବା ପିଲାମାନଙ୍କୁ ଆବାସିକ ଶିକ୍ଷା ମାଧ୍ୟମରେ ଶିକ୍ଷାଦେବା ପାଇଁ ଏକ ନୂତନ ଉଦ୍ୟମ କରାଯାଇଛି  । ଏଥିରେ ମାନସିକ ଦୁର୍ବଳ ଶ୍ରବଣ ଓ ଦୃଷ୍ଟିଶକ୍ତି ହରାଇଥିବା ଓ ଶାରୀରିକ ଅକ୍ଷମ ପିଲାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି  । ଏହି ଚେଷ୍ଟା ପିଲାମାନଙ୍କୁ ବିଦ୍ୟାଳୟ ଶିକ୍ଷାର ମୁଖ୍ୟ ସ୍ରୋତରେ ଯୋଗ ଦେବାପାଇଁ ସକ୍ଷମ କରିପାରିଛି  । ଗ୍ରହଣ କରାଯାଇଥିବା ଏହି ଶିକ୍ଷା ବ୍ୟବସ୍ଥାରେ ଖେଳ ମାଧ୍ୟମରେ ଶିକ୍ଷା, କମ୍ପ୍ୟୁଟର ବ୍ୟବହାର ମାଧ୍ୟମରେ ଶିକ୍ଷା ପଦ୍ଧତିକୁ ଅନ୍ତର୍ଭୁକ୍ତ କରାଯାଇଛି  । କେନ୍ଦ୍ରର ମଧ୍ୟାହ୍ନ ଭୋଜନର ଅଂଶଭାବରେ ଉତ୍ତର ପ୍ରଦେଶରେ ଗରମ ରନ୍ଧା ଖାଦ୍ୟ ୯୫,୦୦୦ରୁ ଅଧିକ ପ୍ରାଥମିକ ବିଦ୍ୟାଳୟ ପିଲାମାନଙ୍କୁ ଯୋଗାଇ ଦିଆଯାଉଛି  । ନିର୍ବାଚିତ ଗ୍ରାମ ମୁଖିଆ ଏହି ଯୋଜନା ବିଦ୍ୟାଳୟରେ କାର୍ଯ୍ୟକାରୀ କରିବା ଦାୟିତ୍ଵରେ ଅଛନ୍ତି  । ରାଜ୍ୟ ବିଭିନ୍ନ ପ୍ରକାରର ଖାଦ୍ୟ ଯଥା ଗହମ, ଚାଉଳ, ପାରିବା, ସୋୟା, ଡାଲି ଆଦି ଯୋଗାଇ ଦେବାକୁ ଉଦ୍ୟମ କରୁଛି  । ମହାରାଷ୍ଟ୍ର ଗୋଟିଏ ବିଦ୍ୟାଳୟ ପରିଚ୍ଛନ୍ନତାଓ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରଚାଳନ କରୁଅଛି, ଯାହା ମାଧ୍ୟମରେ ପିଲାମାନେ ପରିବର୍ତ୍ତନର ନେତୃତ୍ଵ ନେଉଛନ୍ତି  । ପିଲାମାନେ ଯେଉଁମାନଙ୍କ “ସ୍ଵେଚ୍ଛତାଦୂତ” କୁହାଯାଉଛି, ସେମାନେ ବିଦ୍ୟାଳୟ, ପରିବାର, ସମ୍ପ୍ରଦାୟ ରେ ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟର ରକ୍ଷା ସଚେତନତା ଆଣୁଛନ୍ତୁ । ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ କେନ୍ଦ୍ର ସରକାରର ସମ୍ପୂର୍ଣ୍ଣ ପରିମଳ ଅଭିଯାନ ର ଅଂଶବିଶେଷ ଭାବେ କାର୍ଯ୍ୟକାରୀ କରାଯାଉଛି  ।

ନାଗାଲାଣ୍ଡ ସରକାର ଲୋକମାନଙ୍କ ସହ ସରକାରୀ ପ୍ରତିଷ୍ଠାନ (ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ ଆଦି) ଗୁଡିକର ପରିଚାଳନା ଓ ନିୟନ୍ତ୍ରଣରେ ଅଂଶଗ୍ରହଣ କରୁଛନ୍ତି  ।

ଉଚ୍ଚନ୍ୟାୟାଳୟ ଓ ଅଧସ୍ତନ ନ୍ୟାୟାଳୟ

ତୁମେ ନିଶ୍ଚିତ ଭାବରେ ତୁମରାଜ୍ୟର ଉଚ୍ଚନ୍ୟାୟାଳୟ ବିଷୟ ଶୁଣିଥିବ  । ସମ୍ବିଧାନ ଅନୁସାରେ ପ୍ରତ୍ୟକ ରାଜ୍ୟରେ ଗୋଟିଏ ଉଚ୍ଚ ନ୍ୟାୟଳୟ ରହିଛି  । ଗୋଟିଏ ଉଚ୍ଚନ୍ୟାୟାଳୟର କ୍ଷେତ୍ରାଧିକାର ମଧ୍ୟରେ ଏକାଧିକ ରାଜ୍ୟ ଥାଇପାରେ  । ଉଦାହରଣ ସ୍ୱରୂପ ଗୌହାଟୀ ଉଚ୍ଚନ୍ୟାୟାଳୟ ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମିଜୋରାମ, ମଣିପୁର ଓ ତ୍ରିପୁରା ଆଦି ରାଜ୍ୟମାନଙ୍କ ପାଇଁ ସାଧାରଣ ଉଚ୍ଚନ୍ୟାୟାଳୟ ରୂପେ କାର୍ଯ୍ୟ କରିଥାଏ  । କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ପ୍ରାୟତଃ ପଡୋଶୀ ରାଜ୍ୟର ଉଚ୍ଚ ନ୍ୟାୟାଳୟର କ୍ଷେତ୍ରାଧିକାର ମଧ୍ୟରେ ଆସିଥାଏ  ।

ଉଚ୍ଚନ୍ୟାୟାଳୟର ଗଠନ

ପ୍ରତ୍ୟକ ଉଚ୍ଚନ୍ୟାୟାଳୟରେ ଜଣେ ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତି ରୁହନ୍ତି  । ପ୍ରତ୍ୟକ ଉଚ୍ଚନ୍ୟାୟାଳୟର ବିଚାରପତି ସଂଖ୍ୟା ରାଷ୍ଟ୍ରପତିଙ୍କ ଦ୍ଵାରା ସମୟକୁ ସମୟ ନିର୍ଦ୍ଧାରିତ ହୋଇଥାଏ  । ସବୁ ଉଚ୍ଚନ୍ୟାୟାଳୟର ବିଚାରପତି ସଂଖ୍ୟା ସମାନ ନୁହେଁ  । ଉଚ୍ଚନ୍ୟାୟାଳୟର ପ୍ରଧାନ ବିଚାରପତି ଓ ବିଚାର ପତିମାନେ ରାଷ୍ଟ୍ରପତିଙ୍କ ଦ୍ଵାରା ନିଯୁକ୍ତ ହୁଅନ୍ତି  । ଉଚ୍ଚନ୍ୟାୟାଳୟର ମୁଖ୍ୟବିଚାରପତି ନିଯୁକ୍ତି କଲାବେଳେ ରାଷ୍ଟ୍ରପତି ଉଚ୍ଚତମ ନ୍ୟାୟାଳୟ ମୁଖ୍ୟ ବିଚାରପତିଙ୍କର ପରାମର୍ଶ ନିଅନ୍ତି  । ଅନ୍ୟାନ୍ୟ ବିଚାରପତି ନିଯୁକ୍ତି ସମୟରେ ରାଷ୍ଟ୍ରପତି ସଂପୃକ୍ତ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କର ପରାମର୍ଶ ନିଅନ୍ତି  । ଉଚ୍ଚନ୍ୟାୟାଳୟ ବିଚାରପତି ନିଯୁକ୍ତି ସମୟରେ ସଂପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ପରାମର୍ଶ ନିଆଯାଏ  । ଭାରତର ମୁଖ୍ୟ ବିଚାରପତିଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ଗୋଟିଏ ଉଚ୍ଚନ୍ୟାୟାଳୟର ବିଚାର ପତିଙ୍କୁ ଅନ୍ୟ ଉଚ୍ଚନ୍ୟାୟାଳୟକୁ ସ୍ଥାନାନ୍ତର କରିପାରନ୍ତି  । ଉଚ୍ଚନ୍ୟାୟାଳୟର ବିଚାରପତି ଭାବରେ ନିଯୁକ୍ତି ପାଇବା ପାଇଁ ଜଣେ ବ୍ୟକ୍ତିର ନିମ୍ନଲିଖିତ ଯୋଗ୍ୟତା ରହିବା ଆବଶ୍ୟକ  ।

  • ସେ ଭାରତର ନାଗରିକ ହୋଇଥିବେ  ।
  • ଅତିକମ୍ ରେ ୧୦ ବର୍ଷ ଧରି ଭାରତରେ ଏକ ନ୍ୟାୟିକ ପଦବୀରେ ରହିଥିବେ  ।
  • ଅତିକମ୍ ରେ ୧୦ ବର୍ଷ କାଳ ନିରବଚ୍ଛିନ୍ନଭାବରେ ଏକ ବା ଏକାଧିକ ଉଚ୍ଚନ୍ୟାୟାଳୟରେ ଓକିଲାତି କରିଥିବେ  ।

ଉଚ୍ଚନ୍ୟାୟାଳୟର ବିଚାରପତି ୬୫ ବର୍ଷ ବୟସ ପର୍ଯ୍ୟନ୍ତ ନିଜ ପଦରେ ରହନ୍ତି  । ଜଣେ ମୁଖ୍ୟ ବିଚାରପତି ବା ଅନ୍ୟ ବିଚାରପତି ଚାହିଁଲେ ଏହା ପୂର୍ବରୁ ପଦତ୍ୟାଗ କରିପାରନ୍ତି  । ଅସଦାଚରଣ ବା ଅସାମର୍ଥ୍ୟ ପ୍ରମାଣିତ ହେଲେ ଜଣେ ବିଚାର ପରି ସଂସଦର ବହିଷ୍କାର ପଦ୍ଧତି ଦ୍ଵାରା ନିଜ ପଦବୀରୁ ବହିଷ୍କୃତ ହୋଇଥାନ୍ତି  । ମୁଖ୍ୟ ବିଚାରପତିମାନେ ସଂସଦ ଦ୍ଵାରା ସ୍ଥିରୀକୃତ ହେଉଥିବା ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ପାଆନ୍ତି  । ଅବସର ପରେ ସେମାନେ ଓକିଲ ଭାବରେ ଉଚ୍ଚତ୍ତମ ନ୍ୟାୟାଳୟ କିମ୍ବା ଅନ୍ୟ କୌଣସି ଉଚ୍ଚନ୍ୟାୟାଳୟରେ କାର୍ଯ୍ୟ କରି ପାରିବେ  । କିନ୍ତୁ ଯେଉଁ ଉଚ୍ଚନ୍ୟାୟାଳୟରେ ସେମାନେ ବିଚାର ପତିବରେ କାର୍ଯ୍ୟ କରିଥିବେ, ସେଠାରେ ଓକିଲାତି କରିପାରିବ ନାହିଁ  ।

ଉଚ୍ଚନ୍ୟାୟାଳୟରେ କ୍ଷେତ୍ରାଧିକାର

ଉଚ୍ଚନ୍ୟାୟାଳୟର କ୍ଷେତ୍ରାଧିକାର ସଂପୃକ୍ତ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳର ସୀମା ପର୍ଯ୍ୟନ୍ତ ବିସ୍ତୃତ  । ଗୋଟିଏ ଉଚ୍ଚନ୍ୟାୟାଳୟର ମୌଳିକ ଓ ଅପିଲ ଗ୍ରହଣ କାରୀ ଅଧିକାର ରହିଛି  । ମୌଳିକ ଅଧିକାର ଅଧିନରେ କେତେକ ପ୍ରକାରର ମାମଲା ଉଚ୍ଚନ୍ୟାୟଳୟକୁ ସିଧାସଳଖ ଭାବରେ ଅଣାଯାଇ ପାରେ  ।

ଗୋଟିଏ ଉଚ୍ଚନ୍ୟାୟାଳୟ ତାର ମୌଳିକ କ୍ଷେତ୍ରାଧିକାରକୁ ମୌଳିକ ଅଧିକାର ଏବଂ ଅନ୍ୟାନ୍ୟ ନ୍ୟାୟିକ ଅଧିକାରର ପ୍ରବର୍ତ୍ତନ ପାଇଁ ପ୍ରୟୋଗ କରିପାରିବ  । ଏହି ପ୍ରସଙ୍ଗରେ ଲିଖିତ ନିର୍ଦ୍ଦେଶନାମା ଜାରୀ କରିବାର କ୍ଷମତା ଉଚ୍ଚନ୍ୟାୟଳୟର ରହିଛି  । ଯଦି କୌଣସି ବ୍ୟକ୍ତିର ଅଧିକାର ବ୍ୟବସ୍ଥାପକ, କାର୍ଯ୍ୟନିର୍ବାହୀ ବା ଅନ୍ୟକୌଣସି ଅଧିକାରୀଙ୍କ ଦ୍ଵାରା ଅପହରଣ କରାଯାଉଥାଏ, ତେବେ ଏହି ଲିଖିତ ନିର୍ଦ୍ଦେଶନାମା ଦ୍ଵାରା ସେହି ଅଧିକାରର ସୁରକ୍ଷା ପ୍ରଦାନ କରାଯାଇ ପାରିବ  । ଗୋଟିଏ ଉଚ୍ଚନ୍ୟାୟାଳୟ ମଧ୍ୟ ନିଜର ମୌଳିକ କ୍ଷେତ୍ରାଧିକାର ଅଧୀନରେ ଜଣେ ବିଧାନସଭା ସଦସ୍ୟଙ୍କ ନିର୍ବାଚନକୁ ଆହ୍ଵାନ କରୁଥିବା ନିର୍ବାଚନ ଆବେଦନ ପତ୍ରକୁ ଶୁଣାଣି କରିପାରେ  ।

ଅପିଲ୍ କ୍ଷେତ୍ରାଧିକାର ଅଧିନରେ ଉଚ୍ଚନ୍ୟାୟାଳୟ ଜିଲ୍ଲାସ୍ତରରେ ଥିବା ଅଧସ୍ତନ ନ୍ୟାୟାଳୟର ରାୟ ବିରୁଦ୍ଧରେ ଅପିଲ ଶୁଣାଣି କରିପାରେ । ଦେବାନୀ ମାମଲାଗୁଡିକରେ ଜିଲ୍ଲାବିଚାରପତିଙ୍କ ରାୟ ବିରୁଦ୍ଧରେ ଉଚ୍ଚନ୍ୟାୟାଳୟରେ ଅପିଲ କରାଯାଇପାରେ  । ଫୌଜଦାରୀ ମାମଲାରେ ଦୌରାଜଜ୍ ନ୍ୟାୟାଳୟ ରାୟ ବିରୁଦ୍ଧରେ (ଯେଉଁଠାରେ ଜେଲଦଣ୍ଡ ୭ବର୍ଷରୁ ଅଧିକ ହୋଇଥାଏ) ଉଚ୍ଚନ୍ୟାୟାଳୟରେ ଅପିଲ କରାଯାଏ  । ଅଧସ୍ତନ ବିଚରାଳୟ ଦ୍ଵାରା ପ୍ରଦତ୍ତ ପ୍ରତ୍ୟକ ମୃତ୍ୟୁଦଣ୍ଡ ଉଚ୍ଚନ୍ୟାୟାଳୟ ଦ୍ଵାରା ଅନୁମୋଦନ ହେବା ଆବଶ୍ୟକ  । ଗୋଟିଏ ଉଚ୍ଚନ୍ୟାୟାଳୟ ତା’ର କ୍ଷେତ୍ରାଧିକାରରେ ଆସୁଥିବା ନ୍ୟାୟାଳୟ ଉପରେ ନିୟନ୍ତ୍ରଣ ଓ ତତ୍ତ୍ଵାବଧାନ କ୍ଷମତା ପ୍ରୟୋଗ କରେ  । ଉଚ୍ଚନ୍ୟାୟାଳୟ ମଧ୍ୟ ନଥିପତ୍ର ଏକ ଦରବାର  । ତେଣୁ ସମସ୍ତ ଅଧସ୍ତନ ବିଚରାଳୟ ଉଚ୍ଚନ୍ୟାୟାଳୟର ରାୟକୁ ଅନୁସରଣ କରନ୍ତି  । ଉଚ୍ଚନ୍ୟାୟାଳୟ ମଧ୍ୟ ଅବମାନନା ଓ ଅସମ୍ମାନ ପାଇଁ ଦଣ୍ଡିତ ହୋଇପାରେ  ।

ଅଧସ୍ତନ ନ୍ୟାୟାଳୟ

ଜିଲ୍ଲା ଓ ସବଡିଭିଜନ ଅଧସ୍ତନ ନ୍ୟାୟାଳୟ ମାନରହିଛି  । ପ୍ରତ୍ୟକ ଜିଲ୍ଲାରେ ଜିଲାଜଜ୍ ଓ ଦୌରାଜଜ୍ ଅଛନ୍ତି  । ତାଙ୍କ ଅଧୀନରେ ସ୍ତରସ୍ତର ହୋଇ ବିଚାର ବିଭାଗୀୟ ପଦାଧିକାରୀମାନେ ଅଛନ୍ତି  । ଭାରତରେ ଅଧସ୍ତନ ନ୍ୟାୟାଳୟ ଗୁଡିକର ଗଠନ ଓ କାର୍ଯ୍ୟ ପ୍ରକ୍ରିୟା ଊଣା ଅଧିକେ ଦେଶସାରା ପ୍ରାୟ ଏକ ପ୍ରକାରର

ଅଧସ୍ତନ ନ୍ୟାୟାଳୟ ୩ ପ୍ରକାର

  • ଦେୱାନୀ  ନ୍ୟାୟାଳୟ
  • ଫୌଜଦାରୀ ନ୍ୟାୟାଳୟ
  • ରାଜସ୍ୱ ନ୍ୟାୟାଳୟ

ଉପରବର୍ଣ୍ଣନାରୁ ଯାହା ଜଣାଯାଏ, ଏହି ଅଧସ୍ତନ ନ୍ୟାୟାଳୟଗୁଡିକ ଦେୱାନୀ, ଫୌଜଦାରୀ ଓ ରାଜସ୍ୱ ମକଦ୍ଦମାର ବିଚାର କରନ୍ତି  ।

ଦେୱାନୀ ମକଦ୍ଦମା – ଦେୱାନୀ ନ୍ୟାୟାଳୟରେ ବିଚାର ପାଇଁ ଆଗତ ମକଦ୍ଦମା (ଅଭିଯୋଗ) ଗୁଡିକ ଦୁଇ ବା ତତୋଧିକ ବ୍ୟକ୍ତିଙ୍କ ମଧ୍ୟରେ ସମ୍ପତ୍ତି ଅଧିକାର, ଚୁକ୍ତି ଖିଲାପ, ବିବାହ ଓ ବିଚ୍ଛେଦ, ଜମିମାଲିକ ଓ ଭାଗ ଚାଷୀଙ୍କ ମଧ୍ୟରେ ବିବାଦ ଅନ୍ତର୍ଭୁକ୍ତ  । ଏହି ସମସ୍ତ ମକଦ୍ଦମା ଦେୱାନୀ ନ୍ୟାୟାଳୟ ଦ୍ଵାରା ସମାଧାନ କରାଯାଏ  । ଏହି ସବୁଦେୱାନୀ ମକଦ୍ଦମାରେ ନ୍ୟାୟାଳୟ କୌଣସି ପ୍ରକାର ପ୍ରକାର ଦଣ୍ଡ ପ୍ରଦାନ କରେ ନାହିଁ କାରଣ ଏହା ସହିତ କୌଣସି ଆଇନଭଙ୍ଗ ସଂପୃକ୍ତ ନୁହେଁ  ।

ଫୌଜଦାରୀ ମକଦ୍ଦମା – ଏହି ମକଦ୍ଦମା ଗୁଡିକ ଚୋରି, ଡକାୟତି, ଶାରୀରିକ ଉତ୍ପୀଡନ, ପକେଟମାରୁ, ହତ୍ୟା ପ୍ରଭୃତି ଏହି ମକଦ୍ଦମା ଗୁଡିକର ଅଭିଯୋଗ ଫୌଜଦାରୀ ନ୍ୟାୟାଳୟରେ ରାଜ୍ୟତରଫରୁ ପୋଲିସ ଦ୍ଵାରା ଦୋଷୀ ବିରୁଦ୍ଧରେ ଆଗତ କରାଯାଏ  । ଏସବୁ ମକଦ୍ଦମାରେ ନ୍ୟାୟାଳୟ ଯଦି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରେ, ତାକୁ ଦଣ୍ଡ ବିଧାନ କରାଯାଏ  ।

ରାଜସ୍ୱ ଅଦାଲତ – ବୋର୍ଡ ଅଫ ରେଭିନ୍ୟୁ ରାଜ୍ୟସ୍ତରରେ ଅବସ୍ଥିତ  । ତାଙ୍କ ଅଧିନରେ ସଚିବ, ଜିଲ୍ଲାପାଳ, ତହସିଲଦାର, ଆସିଷ୍ଟାଣ୍ଟ ତହସିଲଦାର ବିଚରାଳୟ ରହିଛି  । ରେଭିନ୍ୟୁ ବୋର୍ଡ ତା’ର  ଅଧିନରେ ଥିବା ସମସ୍ତ ରାଜସ୍ୱ ବିଚରାଳୟ ବିରୁଦ୍ଧରେ ଅଭିଯୋଗର ସର୍ବଶେଷ ଅପିଲର ଶୁଣାଣି କରେ  । ସବୁ ରାଜ୍ୟରେ ରେଭିନ୍ୟୁ ବୋର୍ଡନାହିଁ  । ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ରରେ ରାଜସ୍ୱ ଟ୍ରିବୁନାଲ ଅଛ  । ହରିଆନା, ପଞ୍ଜାବ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀରରେ ବୋର୍ଡ ପରିବର୍ତ୍ତେ ଆର୍ଥିକ କମିଶନର ଅଛନ୍ତି  ।

ଆଧାର : ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ

3.14285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top