ସେଆର କରନ୍ତୁ

ଗୋପବନ୍ଧୁ ଦାସ

ଗୋପବନ୍ଧୁ ଦାସ ଓଡ଼ିଶାର ଜଣେ ସ୍ଵାଧିନତା ସଂଗ୍ରାମୀ, କବି, ଲେଖକ ଓ ଦୈନିକ ଖବର କାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଥିଲେ ।

ଉପକ୍ରମ

ଗୋପବନ୍ଧୁ ଦାସ (୧୮୭୭–୧୯୨୮) ଉତ୍କଳମଣି (ଓଡ଼ିଶାର ମଣି) ନାମରେ ଖ୍ୟାତ । ଓଡ଼ିଶାର ଜଣେ ସ୍ଵାଧିନତା ସଂଗ୍ରାମୀ,  କବି, ଲେଖକ ଓ ଦୈନିକ ଖବର କାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଥିଲେ ।

ପିଲା ବେଳ ଓ ଛାତ୍ରାବସ୍ଥା

ଗୋପବନ୍ଧୁ, ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପିତା ଦୈତାରି ଦାସ ଓ ମାତା ସ୍ଵର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ମାତାଙ୍କ ମୃତ୍ୟୁ ପରେ, ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ସେଠାରେ ତାଙ୍କର ଗୁରୁ ମୁକ୍ତିଆର ରାମଚନ୍ଦ୍ର ଦାଶଙ୍କ ସହିତ ପରିଚୟ ହେଲା, ଯାହଙ୍କ ଠାରୁ ପରେ ସେ ଦେଶ ସେବାର ଶିକ୍ଷା ପାଇଲେ । ଗୋପବନ୍ଧୁଙ୍କ ଦ୍ୱାରା ହିଁ ପୁରୀରେ ସେତେବେଳେ, ହଇଜା ରୋଗରେ ପୀଡ଼ିତ ଲୋକମାଙ୍କର ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରାଯାଇଥିଲା । ପୁରୀ ସେବା ସମିତି ଗଠନ କରି, ସେ ଆପଣା ଜୀବନକୁ ବିପନ୍ନ କରି ସାଥୀମାନଙ୍କ ସହ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମରେ ଲାଗିପଡ଼ିଥିଲେ ।

ପଣ୍ଡିତେ ମାତ୍ର ୧୨ ବର୍ଷ ବୟସରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ପାଠ ପଢ଼ା ଜାରିରଖିଥିଲେ । ପୁରୀରୁ ମାଟ୍ରିକ ପାସ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ । ଏହି ସମୟରେ ତାଙ୍କର ପିତୃବିୟୋଗ ଘଟିଥିଲା । କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଗୋପବନ୍ଧୁ, 'କର୍ତବ୍ୟ ବୋଧିନୀ ସମିତି' ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କଲେ । ତାଙ୍କର ଆହ୍ଵାନ ଥିଲା, 'ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା । ଭାଷାହିଁ ଜାତିର ପ୍ରାଣସ୍ପନ୍ଦନ ।' ରମ୍ଭାଠାରେ ରାମଚନ୍ଦ୍ର ଦାଶ ଓ ଗୋପବନ୍ଧୁଙ୍କ ଉଦ୍ୟମରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା । ୧୯୦୩ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ଵାରା ଆହୂତ ଉତ୍କଳ ସମ୍ମିଳନୀରେ ଗୋପବନ୍ଧୁ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ସମୟରେ, ତାଙ୍କର ପ୍ରଥମ ପୁତ୍ରସନ୍ତାନଟିର ମୃତ୍ୟୁ ଘଟିଥିଲା । ଏହିପରି ନାନାଦି ବାଧାବିଘ୍ନ ସତ୍ତ୍ଵେ ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ କଲେ ଓ କଲିକତାରେ ବିଏଲ ପଢ଼ିଲେ । ସେଠାରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖଦୁର୍ଦ୍ଦଶାରେ ବ୍ୟଥିତ ହୋଇ, ସେ 'ଓଡ଼ିଆ ଶ୍ରମିକ ସଂଘ' ଓ 'ସାନ୍ଧ୍ୟ ବିଦ୍ୟାଳୟ' ପ୍ରତିଷ୍ଠା କରିଥିଲେ । ଇତି ମଧ୍ୟରେ ତାଙ୍କର ଦ୍ଵିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା । ଏପରିକି, ଯେଉଁଦିନ ସେ ବିଏଲ ପାସ କରିଛନ୍ତି ବୋଲି ଖବର ପାଇଥିଲେ, ସେହିଦିନ ତାଙ୍କୁ ନିଜ ପତ୍ନୀଙ୍କର ମୃତ୍ୟୁ ସମ୍ବାଦ ମଧ୍ୟ ମିଳିଥିଲା । ଏତେ ସବୁ ଦୁଃଖ କିନ୍ତୁ ତାଙ୍କୁ ନିଜ କର୍ମରୁ ବିଚ୍ୟୁତ କରିପାରିନଥିଲା । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଥିଲା ।

କର୍ମଜୀବନ

ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟ ରେ ସେ ଅନ୍ୟତମ ଥିଲେ । ଭକ୍ତକବି, ମଧୁସୂଦନ ରାଓଙ୍କ ନିଷ୍ପତି କ୍ରମେ, ଗୋପବନ୍ଧୁ ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା କୁଞ୍ଜରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ଵାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା । ୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ସଂଘଟିତ ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା । ସେ ଚୁଡ଼ା, ଚାଉଳ ଧରି ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିଥିଲେ ।

ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବାର ଅଭିପ୍ରାୟରେ, ଗୋପବନ୍ଧୁ ୧୯୧୯ ଅକ୍ଟୋବର ମାସ ୪ ତାରିଖ, ଦଶହରା ତିଥିରେ ପ୍ରକାଶ କଲେ 'ସାପ୍ତାହିକ ସମାଜ' । ପ୍ରଥମେ ଏହା ସତ୍ୟବାଦୀରୁ, ୧୯୨୪ ମସିହାରେ ପୁରୀରୁ ଓ ୧୯୨୭ ମସିହାରେ କଟକରୁ ପ୍ରକାଶିତ ହେଉଥିଲା । 'ସମାଜ'ର ପ୍ରଥମ ସମ୍ପାଦକୀୟରେ, ମାନବବାଦୀ ଗୋପବନ୍ଧୁ ସମାଜର ସକଳ ଶ୍ରେଣୀ ମାନବଙ୍କର ସ୍ନେହ, ପ୍ରୀତି ଓ ସଦିଚ୍ଛା କାମନା କରିଥିଲେ । ୧୯୩୦ରେ 'ସାପ୍ତାହିକ ସମାଜ', 'ଦୈନିକ ସମାଜ'ରେ ପରିଣତ ହୋଇଥିଲା । 'ସମାଜ'ରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ଇଂରେଜ ସରକାରଙ୍କ ଅବିଚାର ସମ୍ପର୍କରେ ନିର୍ଭୀକ ସମ୍ବାଦ ପରିବେଷଣ କରି, ସେ ୧୯୨୨ ମସିହାରେ କାରାବରଣ କରିଥିଲେ । କାରାଗାରରେ ତାଙ୍କ ଲେଖନୀରୁ ନିଃସୃତ ହୋଇଥିଲା 'କାରାକବିତା' ଓ 'ବନ୍ଦୀର ଆତ୍ମକଥା' । ୧୯୨୪ରେ ଜେଲରୁ ଖଲାସ ହେବାପରେ କଟକଠାରେ ଅନୁଷ୍ଠିତ ବିଶାଳ ସମ୍ବର୍ଦ୍ଧନା ସଭାରେ, ବିଶିଷ୍ଟ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ 'ଉତ୍କଳମଣି' ବୋଲି ସମ୍ବୋଧନ କରିଥିଲେ । ସମବେତ ଜନତା କରତାଳି ମାଧ୍ୟମରେ ଏହି ଉପାଧିକୁ ସ୍ଵିକୃତି ଦେଇଥିଲେ । ଗୋପବନ୍ଧୁଙ୍କ ସେବା, ତ୍ୟାଗ ଓ ଦରଦୀ ହୃଦୟରେ ପ୍ରୀତ ହୋଇ, ଲାଲା ଲାଜପତ ରାୟ, ତାଙ୍କୁ ଲୋକସେବକ ମଣ୍ଡଳର ସଦସ୍ୟ ରୂପେ ଗ୍ରହଣ କରିଥିଲେ । ପରେ, ସେ ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ ।

୧୯୨୮ ମସିହାରେ ଲୋକସେବକ ମଣ୍ଡଳର ବୈଠକରେ ଯୋଗଦାନ କରିବା ପାଇଁ, ଲାହୋର ଯିବାବାଟରେ, ଗୋପବନ୍ଧୁ କଲିକତାଠାରେ ଆନ୍ତ୍ରିକ ଜ୍ଵରରେ ଆକ୍ରାନ୍ତ ହୋଇ ସତ୍ୟବାଦୀ ଫେରିଆସିଥିଲେ । ଦିନକୁ ଦିନ ତାଙ୍କର ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ମୃତ୍ୟୁ ପୂର୍ବରୁ, ସେ ନିଜର ଇଚ୍ଛାପତ୍ରରେ, 'ସମାଜ' ଓ 'ସତ୍ୟବାଦୀ ପ୍ରେସ'ର ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ । ଇଚ୍ଛାପତ୍ର ସମ୍ପାଦନର ଦୁଇ ଘଣ୍ଟାପରେ ୧୯୨୮ ମସିହା ଜୁନ ୧୭ ତାରିଖ, ରବିବାର ସନ୍ଧ୍ୟା ଘ.୭-୨୫ମିନିଟରେ, ଗୋପବନ୍ଧୁ ଶେଷନିଃଶ୍ଵାସ ତ୍ୟାଗ କରିଥିଲେ ।

ରାଜନୀତି ଜୀବନ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରରୋଚନାରେ ଗୋପବନ୍ଧୁ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନ ସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୨୧ ମସିହାରେ ଗୋପବନ୍ଧୁ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ।

  1. ସାହିତ୍ୟ ସର୍ଜନ
    • ଧର୍ମପଦ
    • ଗୋମହାତ୍ମ୍ୟ
    • ବ୍ରହ୍ମତତ୍ତ୍ଵ
    • ବନ୍ଦୀର ଆତ୍ମକଥା
    • କାରାକବିତା
    • ଅବକାଶଚିନ୍ତା
    • (ପ୍ରବନ୍ଧ) ଓଡ଼ିଆର ଜାତୀୟତା
  2. ଗୋପବନ୍ଧୁଙ୍କ ଲେଖନୀରୁ
  3. ମିଶୁ ମୋର ଦେହ ଏ ଦେଶ ମାଟିର ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ |

    ଗୁଣ ଥିଲେ ରୂପରେ କି ଅଛି ପ୍ରୟୋଜନ ରୂପ ଅଟଇ କେବଳ ବାହ୍ୟ ଆବରଣ ।

    ନ ହୋଇ ବ୍ୟାକୁଳଗ୍ରାମହିତେ କୁଳ,ବରଜନ୍ତି ସାଧୁଜନ,ଦେଶହିତେ ଗ୍ରାମ, ଜଗତ କଲ୍ୟାଣ,କର ଦେଶ ବିସର୍ଜନ ।

    କାପୁରୁଷ ପରି ମରିବା ଜଗତେ,ନୁହେଁ ନର-ପଉରୁଷ

    ପରହିତ ସାଧି ମରେ ଯେ ମହୀରେ,ସେହି ଏକା ସୁପୁରୁଷ ।

    ଏ ଜଗତେ କାହା ପୁଅ ବା କାହାର,ସମସ୍ତେ ମାୟା ଭିଆଣ

    ସାର୍ଥକ ଜନମ ତାର ଏକା ସିନା,ପରହିତେ ଯାର ପ୍ରାଣ ।

ଆଧାର -

"Utkalmani Gopabandhu Das"

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top