ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଗାନ୍ଧିଜୀ ଓ ସ୍ଵାଧୀନତା ଆନ୍ଦୋଳନ
ସେଆର କରନ୍ତୁ

ଗାନ୍ଧିଜୀ ଓ ସ୍ଵାଧୀନତା ଆନ୍ଦୋଳନ

ଗାନ୍ଧିଜୀ ଓ ସ୍ଵାଧୀନତା ଆନ୍ଦୋଳନ ବିଷୟରେ ସୂଚନା I

ବିଶ୍ୱ ଇତିହାସରେ ଭାରତର ସ୍ଵାଧୀନତା ସଂଗ୍ରାମ ଏକ ଅନନ୍ୟ ସାଧାରଣ ଘଟଣା। ବିଶ୍ୱର ବିଭିନ୍ନ ଅଂଶରେ ସଂଗଠିତ ହୋଇଥିବା ସବୁ ସ୍ଵାଧୀନତା ସଂଗ୍ରାମ ତଥା ରାଷ୍ଟ୍ର ବିପ୍ଳବ ରକ୍ତପାତରେ ସମାହିତ ହୋଇଛି । ଫରାସୀ ରାଷ୍ଟ୍ର ବିପ୍ଲବ, ଆମେରିକା ସ୍ଵାଧୀନତା ସଂଗ୍ରାମ, ଋଷ ବିପ୍ଳବ ତଥା ବହୁରାଷ୍ଟ୍ରର ସ୍ଵାଧୀନତା ସଂଗ୍ରାମର ପରିଣତି ପ୍ରାୟ ଏକାପରି । ଦୁଇଶହ ବର୍ଷର ପରାଧୀନ ଭାରତ ବର୍ଷରୁ ବ୍ରିଟିଶ୍ ରାଜଶକ୍ତିକୁ ତଡ଼ିବା ପାଇଁ ଗାନ୍ଧିଜୀଙ୍କ ନେତୃତ୍ଵରେ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ତା’ର ମାର୍ଗ ଥିଲା ଭିନ୍ନ।

ଗାନ୍ଧିଜୀଙ୍କ ଭୂମିକା

ଅହିଂସା, ସତ୍ୟାଗ୍ରହ ଓ ଅସହଯୋଗ ଆନ୍ଦୋଳନ ଭିଭିରେ ଭାରତ ମାଟିରୁ ବ୍ରିଟିଶ୍ ରାଜଶକ୍ତିକୁ ହଟାଇବା ପାଇଁ ଗାନ୍ଧିଜୀ ଏହି ପନ୍ଥା ବାଛି ନେଇଥିଲେ । ଅହିଂସା, ସତ୍ୟାଗ୍ରହ ଓ ଅସହଯୋଗ ଆନ୍ଦୋଳନ ଜରିଆରେ ସ୍ଵାଧୀନତା କିଭଳି ହାସଲ କରାଯାଇପାରେ ସେ ତା’ର ଏକ ନୂତନ ଦିଗଦର୍ଶନ ଦେଇଯାଇଛନ୍ତି । ଗାନ୍ଧିଜୀଙ୍କ ଉଦ୍ଦେଶ୍ୟରେ ପ୍ରଖ୍ୟାତ ପରମାଣୁ ବିଜ୍ଞାନୀ ଆଇନ୍‌ଷ୍ଟାଇନ୍ କହିଲେ – ଆମର ଉତ୍ତରପୁରୁଷ ମାନେ ଯେତେବେଳେ ଗାନ୍ଧିଜୀଙ୍କ ବିଷୟରେ ଜାଣିବେ, ସେତେବେଳେ ସେମାନେ ଚିନ୍ତା କରିପାରିବେ ନାହିଁ, ପୃଥିବୀ ପୃଷ୍ଠରେ ଏଭଳି ଜଣେ ମହାମାନବ ପଦପାତ କରିଥିଲେ । ବାପୁ କବିତାରେ ପ୍ରଖ୍ୟାତ କବି ମାୟାଧର ମାନସିଂହ ଭାବବିହ୍ଵଳ ହୋଇ ଲେଖିଥିଲେ –

“ଆଧ୍ୟାତ୍ମିକ  ବଳେ ଲାଗିଛି ଲଢ଼େଇ

ଭାଙ୍ଗିବାକୁ ପଶୁବଳର ବଡ଼େଇ ।””

ଗାନ୍ଧିଜୀ ଭାରତବର୍ଷରେ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଏକ ସାମୟିକ ବିପ୍ଳବ ଚାହିଁ ଥିଲେ । ସେ ଭାରତର ମୁକ୍ତି ସଂଗ୍ରାମକୁ ସଫଳତାର ସହିତ ଶେଷ କରାଇଥିଲେ । ରାଜନୈତିକ କ୍ଷେତ୍ରରେ ଗାନ୍ଧିଜୀଙ୍କର ଦାନ ହେଉଛି ଭାରତବର୍ଷକୁ ଏକ ଗ୍ରାମଭିଭିକ ଗଣତନ୍ତ୍ର । ଅର୍ଥନୈତିକ କ୍ଷେତ୍ରରେ ସବୁଠାରୁ ଗରିବ, ନିସ୍କ, ଦଳିତ, ନିଖେସିତଙ୍କ ପାଇଁ କିଛି ନା କିଛି ରୋଜଗାର ପନ୍ଥା ବାହାର କରିବାକୁ ଗାନ୍ଧିଜୀ ଚାହିଁଥିଲେ । ଗାନ୍ଧିଜୀଙ୍କର ତୃତୀୟ ଅବଦାନ ହେଉଛି ସାମାଜିକ ପରିବର୍ତ୍ତନ  । ସେ ଜାତିଭେଦ ପ୍ରଥାର ଘୋର ବିରୋଧୀ ଥିଲେ । ଅସ୍ପୃଶ୍ୟତା ରୂପକ ସାମାଜିକ କଳଙ୍କ ବିରୁଦ୍ଧରେ ସେ ସଂଗ୍ରାମ ଆରମ୍ଭ କରିଥିଲେ । ଏତଦ୍‌ବ୍ୟତୀତ ସେ ଚାହିଁଲେ ନାରୀ ଜାତିର ଉତ୍ଥାନ ।

ସ୍ଵାଧୀନତା ଆନ୍ଦୋଳନରେ ଭାରତର ନାରୀ ନିଜକୁ ସମ୍ମାନର ସହିତ ପୁରୁଷର କାନ୍ଧକୁ କାନ୍ଧ ମିଶାଇ ଲଢ଼ିବାର କୌଶଳ ଶିକ୍ଷା କଲା କେବଳ ଗାନ୍ଧିଜୀଙ୍କ ଯୋଗୁଁ । ତାଙ୍କର ସେହି ସ୍ଵପ୍ନ ସାକାର ହେଉ, ଆଜିର ଦିବସରେ ଏତିକି ଅନୁଚିନ୍ତା ।

ଏହି ୫୮ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ଆମେ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ଅମର ଶହୀଦମାନଙ୍କ ପ୍ରତି ଗଭୀର ଭକ୍ତିପୂର୍ଣ୍ଣ ପ୍ରଣିପାତ ଜଣାଉଛୁ । ଯେଉଁ ବୀର ସଂଗ୍ରାମୀମାନେ ସର୍ବସ୍ତ୍ର ତ୍ୟାଗ କରି ମୁକ୍ତି ସଂଗ୍ରାମରେ ଝାସ ଦେଇଥିଲେ, ବ୍ରିଟିଶ୍ ଶାସନର ଦାରୁଣ ଦମନ ଓ ନିର୍ମମ ନିର୍ଯ୍ୟାତନା ସହିଲେ, ସେମାନେ ଏ ଜାତିର ଚିର ନମସ୍ୟ ଓ ସ୍ମରଣୀୟ ହୋଇ ରହିବେ । ଯେଉଁ ମହାନ୍ ଲକ୍ଷ୍ୟ ଓ ଆଶା ଆକାଂକ୍ଷା ନେଇ ଏତେ ଦୁଃଖ-କଷ୍ଟ ବରଣ କରି ଦୀର୍ଘକାଳର । ପରାଧୀନତାରୁ ଏ ଦେଶକୁ ମୁକ୍ତ କରିଥିଲେ, ସେମାନଙ୍କର ସ୍ଵପ୍ନ, ସଂକଳ୍ପ ସ୍ଵାଧୀନ ଭାରତରେ ସାର୍ଥକ ହୋଇଛିକି ? ଏହି ପ୍ରଶ୍ନ ଦେଶବାସୀଙ୍କ ମନକୁ ଶତତ ଆଲୋଡ଼ିତ କରି ଆସିଛି । ସ୍ୱାଧୀନତା ପ୍ରାପ୍ତିର ୫୮ ବର୍ଷ ମଧ୍ୟରେ ପ୍ରଗତି ପଥରେ ଆମେ କେତେ ଦୂର ଅଗ୍ରସର ହୋଇଛୁ, ପୂର୍ବସୂରୀ ମାନଙ୍କର ଆଶା ଆକାଂକ୍ଷା ପୂରଣ କରିଛୁ, ସେମାନଙ୍କର ଆଦର୍ଶ ଓ ଉପଦେଶକୁ ପାଳନ କରିଛୁ, ଆଜି ତାହାର ଆତ୍ମ ସମୀକ୍ଷା କରିବା ଆମର କର୍ତ୍ତବ୍ୟ ।

ଗାନ୍ଧିଜୀଙ୍କ ବାର୍ତ୍ତା

ଗାନ୍ଧିଜୀ କହିଥିଲେ, ଯେଉଁଦିନ ଦରିଦ୍ର ଲୋକଟିର ଆଖୁରୁ ଅଶୁ ପୋଛି ହୋଇଯିବ, ପ୍ରକୃତ ସ୍ଵାଧୀନତା ମିଳିଛି ବୋଲି । ସେ ସେହିଦିନ ଅନୁଭବ କରିବ । ଆଜି ସ୍ଵାଧୀନତା ସଂଗ୍ରାମୀମାନଙ୍କର ଦେଶ ପାଇଁ ନିଜର ତ୍ୟାଗ, ତପସ୍ୟା ଓ ସଂଗ୍ରାମର ସ୍ମୃତିଚାରଣ କଲାବେଳେ ସମାଜର ନୈତିକ ଅଧୋଗତି, ଆଦର୍ଶବୋଧର ଅବକ୍ଷୟ ଅତ୍ୟନ୍ତ ପ୍ରିୟମାଣ ହୋଇ ଉଠିଛି । ଯେଉଁ ନିଭୀକ, ନିଃସ୍ୱାର୍ଥପର, ଉତ୍ସର୍ଗୀକୃତ ଭାବନା, ସଂଗଠିତ ପ୍ରାଣଶକ୍ତି ବ୍ରିଟିଶ୍ ସାମ୍ରାଜ୍ୟର ପତନର କାରଣ ହୋଇଥିଲା, । ସେ ଭାବନା ଆଜି ଦୁର୍ଲଭ ହୋଇ ପଡ଼ିଛି । ସେକାଳର ଦେଶପ୍ରୀତି, ଜାତୀୟତାବୋଧ, ମୈତ୍ରୀ ଓ ସଂହତି ଭାବ ଆମ ମନରୁ ଦୂରେଇ ଯାଇଛି । ମହାତ୍ମା, ମହାପୁରୁଷମାନଙ୍କ ପ୍ରଦର୍ଶିତ ମାର୍ଗରୁ ଆମେ ଦୂରେଇ ଯାଇଛୁ । ଆଜି ସମାଜର ସବୁ ସ୍ତରରେ ସୃଷ୍ଟି ହୋଇଛି ଏକ ଅଶ୍ଵସ୍ତି, ଅସନ୍ତୋଷ ଓ ଅବଶୋଷର ବାତାବରଣ । ଏହି ନୈତିକ ଅଧୋଗତି ଓ ଅପସଂସ୍କୃତିରୁ ଭାରତୀୟ ମହାଜାତିକୁ ରକ୍ଷା କରିବା ଉତ୍ତରପୁରୁଷଙ୍କ ବ୍ରତ ହେଉ । ସ୍ଵାଧୀନତାର ୫୮ତମ ଜୟନ୍ତୀ ଅବସରରେ ଆତ୍ମ ସନ୍ତୋଷ ନୁହେଁ, । ଆମ ସମୀକ୍ଷାର ବର୍ଷ ରୂପେ ଏ ଜାତିକୁ ଦିଗ୍‌ଦର୍ଶନ ଦେଉ, ଆଜିର ପୁଣ୍ୟ ଦିବସରେ ଏହା ହିଁ କାମନା ।

ଆଧାର - ଇ ମଗାଜିନ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top