ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଚାରୋନ୍ ର ରେବତୀ ଗର୍ତ୍ତ
ସେଆର କରନ୍ତୁ

ଚାରୋନ୍ ର ରେବତୀ ଗର୍ତ୍ତ

ଚାରୋନ୍ ର ରେବତୀ ଗର୍ତ୍ତ ର ସୂଚନା

ଉପକ୍ରମ

“ଚାରୋନ୍ ହେଉଛି ବାମନ ଗ୍ରହ ପ୍ଲୁଟୋର ୫ଟି ଉପଗ୍ରହ ମଧ୍ୟରେ ବୃହତ୍ତମ  । ଏହାର ବ୍ୟାସ ହେଉଛି ୧୨୧୨ କି.ମି.  । ପ୍ଲୁଟୋଠାରୁ ଏହାର ଦୂରତା ୧୯୫୭୦ କି.ମି. ଏବଂ ପ୍ଲୁଟୋ ଚାରିପାଖେ ଥରେ ଘୂରି ଆସିବା ପାଇଁ ଏହା ୬ ଦିନ ୯ ଘଣ୍ଟା ନେଇଥାଏ  । ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ସଂସ୍ଥା ନାସା ପଠାଇଥିବା ନିଉ ହୋରିଜୋନସ ଯାନ ୨୦୧୫ ମସିହାରେ ପ୍ଲୁଟୋ ନିକଟ ଦେଇ ଯାଇଥିଲା ଏବଂ ପ୍ଲୁଟୋ ଓ ଏହାର ଉପଗ୍ରହଗୁଡିକ ସମ୍ବନ୍ଧରେ ବିଶଦ ବିବରଣୀ ପଠାଇଥିଲା  । ଏଥିରୁ ଚାରୋନ୍ ରେ ଅନେକ ଗର୍ତ୍ତ ଆବିଷ୍କୃତ ହୋଇଛି  । ”

ଚାରୋନ୍ ର ସୃଷ୍ଟି

ଏହା ଛୋଟ ଛୋଟ ଗ୍ରହାଣୁର ସଂଘର୍ଷ ଯୋଗୁ ଏହା ସୃଷ୍ଟି ହୋଇଥିବାର ଅନୁମାନ କରାଯାଉଛି  । ନିଉ ହୋରିଜୋନସ ଅଭିଯାନର ବୈଜ୍ଞାନିକମାନେ ଚାରୋନ୍ ପୃଷ୍ଠରେ ଥିବା ବାରଟି ଗର୍ତ୍ତର ନାମକରଣ କରି ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘର ଅଛି  । ନାସା ବୈଜ୍ଞାନିକମାନେ ପଠାଇଥିବା ଚାରୋନ୍ ର ଗର୍ତ୍ତଗୁଡିକର ନାମକୁ ଏହା ଏପ୍ରିଲ ୧୨ ତାରିଖରେ ସ୍ଵୀକୃତି ଦେଇଛି  । ବିଶ୍ଵ ସାହିତ୍ୟ ଓ ପୁରାଣରେ ଥିବା କିମ୍ବଦନ୍ତୀମୂଳକ ଅଭିଯାନକାରୀ ଚରିତ୍ରର ନାମାନୁସାରେ ଏହି ନାମକରଣ କରାଯାଇଛି  । ଏଥିରେ ଥିବା ଗୋଟିଏ ଗର୍ତ୍ତର ନାମ ହେଉଛି  ରେବତୀ  ।

ରେବତୀ ନାମ ସହିତ ପ୍ରାୟ ସମସ୍ତ ଭାରତୀୟ ପରିଚିତ  । ମହାଭାରତର ଏକ ବଳିଷ୍ଠ ଚରିତ୍ର ହେଉଛନ୍ତି ରେବତୀ  । ସେ ହେଉଛନ୍ତି କୃଷ୍ଣଙ୍କ ବଡ ଭାଇ ବଳରାମଙ୍କ ପତ୍ନୀ  । ପୁରାଣ ଅନୁଯାୟୀ ରେବତୀଙ୍କ କୁଶସ୍ଥଳୀର ମହାନ୍ ପ୍ରତାପୀ ରାଜା କାକୁଦମି ତାଙ୍କ ବିବାହ ପାଇଁ କେତେଜଣ ବରପାତ୍ର ବାଛିଥିଲେ ସେମାନଙ୍କ ମଧ୍ୟରୁ ଅଧିକ ଉପଯୁକ୍ତ କିଏ, ତାହା ଜାଣିବା ନିମିତ୍ତ ସେ ବ୍ରହ୍ମାଙ୍କ ଉପଦେଶ ନେବା ପାଇଁ ରେବତୀଙ୍କୁ ସାଥିରେ ନେଇ ବ୍ରହ୍ମଲୋକ ଗଲେ ସେତେବେଳେ ବ୍ରହ୍ମା ଗାନ୍ଧର୍ବମାନଙ୍କଠାରୁ ଅଙ୍ଗିତା ଶୁଣୁଥିଲେ  । ଏଣୁ କିଛି ସମୟ ଅପେକ୍ଷା କରି ସଙ୍ଗୀତ ସଭା ସମାପ୍ତ ହେବା ପରେ କାକୁଦମି ବ୍ରହ୍ମାଙ୍କୁ ସାକ୍ଷାତ କରି ନିଜର ଆସିବାର ଅଭିପ୍ରାୟ ଜଣାଇଲେ ଏବଂ ସେ ବାଛିଥିବା ବରପାତ୍ରମାନଙ୍କ ମଧ୍ୟରୁ ରେବତୀ ପାଇଁ ଜଣଙ୍କୁ ବାଛିବା ନିମିତ୍ତ ଅନୁରୋଧ କଲେ  ।

ବ୍ରହ୍ମା ରାଜାଙ୍କୁ କହିଲେ ଯେ ସେ ପୃଥିବୀ ଛାଡିବା ପର ସମୟଠାରୁ ସେଠାରେ ସେ ଯେତିକି ସମୟ ଅପେକ୍ଷା କଲେ ପୃଥିବୀରେ ୧୦୮ଟି ଯୁଗ ଅତିବାହିତ ହୋଇଗଲାଣି  । କାରଣ ସମୟର ବେଗ ବ୍ରହ୍ମଲୋକ ଓ ପୃଥିବୀରେ ଅଲଗା  । ବ୍ରହ୍ମଲୋକରେ ଏକଦିନ ହେଉଛି ଏକ କଳ୍ପ ଯାହା ପୃଥିବୀର ୪୩୨ କୋଟି ବର୍ଷ ସହ ସମାନ  । ଏଣୁ ରାଜା ରେବତୀ ପାଇଁ ବାଛିଥିବା ବରପାତ୍ରମାନେ ଏବଂ ରାଜାଙ୍କ ପାତ୍ର, ମନ୍ତ୍ରୀ, ରାଣୀ, ସଭାସଦ ଓ ପ୍ରଜାମାନେ କେବେଠୁ ମୃତ୍ୟୁବରଣ କଲେଣି  । କାକୁଦମିଙ୍କୁ ସାନ୍ତ୍ଵନା ଦେଇ ସେହି ଯୁଗରେ ପୃଥିବୀରେ ଜନ୍ମଗ୍ରହଣ କରିଥିବା ବଳରାମଙ୍କ ସହ ରେବତୀଙ୍କ ବିବାହ କରିବା ପାଇଁ ବ୍ରହ୍ମା ପ୍ରସ୍ତାବ ଦେଲେ  । ରାଜା ଓ ରେବତୀ ପୃଥିବୀକୁ ଫେରିବା ପରେ ସେଠାରେ ସବୁକିଛି ପରିବର୍ତ୍ତନ ହୋଇଯାଇଥିଲା  । ସେମାନେ ମାତ୍ର ଗୋଟିଏ ଦିନ ପାଇଁ ବ୍ରହ୍ମଲୋକକୁ ଯାଇଥିଲେ  । କିନ୍ତୁ ପୃଥିବୀରେ ସେତେବେଳକୁ ଲକ୍ଷ ଲକ୍ଷ ବର୍ଷ ଅତିବାହିତ ହୋଇଯାଇଥିଲା  । ବଳରାମଙ୍କ ସହ ରେବତୀଙ୍କର ବିବାହ ହେଲା  । ଏହି ବିବାହରେ ଦୁଇ ପୃଥକ ଯୁଗର ଦୁଇ ଲୋକଙ୍କର ମିଳନ ହେଲା ମହାଭାରତରେ ଅନେକ ଜାଗାରେ ରେବତୀଙ୍କୁ ଅନ୍ୟ ଯୁଗର ମନୁଷ୍ୟ ଭାବେ ଚିତ୍ରଣ କରାଯାଇଛି  । ବିଜ୍ଞାନ ଗପ ଦୃଷ୍ଟିରୁ ଏହା ବୈଜ୍ଞାନିକ ଓ ଗବେଷକମାନଙ୍କୁ ଆକର୍ଷିତ କରିଛି  ।

ମହାଭାରତର ଉପରୋକ୍ତ କାହାଣୀରେ ‘ସମୟ ଭ୍ରମଣ’ ବୃତ୍ତାନ୍ତ ରହିଛି  । ଆଇନଷ୍ଟାଇନଙ୍କ ଆପେକ୍ଷିକ ତତ୍ତ୍ଵ ଅନୁଯାୟୀ ଜେନ ବ୍ୟକ୍ତି ଯଦି ଆଲୋକ ବେଗର ନିକଟତର ବେଗରେ ଗତିକରେ, ତାହା ହେଲେ ପୃଥିବୀ ଅପେକ୍ଷା ତାହାର ସମୟ ଧୀର ହୋଇଯିବ  । ଏଥିରୁ ‘ଯମଜ ବିରୋଧାଭାସ’ ର ସୃଷ୍ଟି ହୋଇଛି  । ଯଦି ଦୁଇଜଣ ଯମଜ ଭ୍ରାତାଙ୍କ ମଧ୍ୟରୁ ଜଣେ ଆଲୋକର ନିକଟତର ବେଗରେ ମହାକାଶ ଯାନରେ ଅନ୍ତରକ୍ଷୀକୁ ଯାଇ ଅଳ୍ପ ବର୍ଷ ଭିତରେ ଫେରିଆସେ  । ସେ ଦେଖିବ ଯେ ପୃଥିବୀରେ ତାହାର ଯମଜ ଭ୍ରାତା ବୃଦ୍ଧ ହୋଇଯାଇଥିବ  । ଅର୍ଥାତ୍ ସେ ମହାକାଶରେ ତିନିବର୍ଷ ଅତିବାହିତ କରିଥିବା ବେଳେ ପୃଥିବୀରେ ସେତେବେଳକୁ ଷାଠିଏରୁ ଅଧିକବର୍ଷ ବିତି ଯାଇଥିବ  ।

ଆନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ପ୍ରକାଶ କରିଛି ଯେ ଖ୍ରୀ.ପୂ. ଚତୁର୍ଥ ‘ସମୟ ଭ୍ରମଣ’ ଅବଧାରଣା ପ୍ରଥମ ଦେଖିବାକୁ ମିଳେ  । କାହାଣୀଟି କାଳ୍ପନିକ ହୋଇପାରେ, କିନ୍ତୁ ଏହା ପଛରେ ନିହିତ ଥିବା ବୈଜ୍ଞାନିକ ଧାରଣା ଆଧୁନିକ ବୈଜ୍ଞାନିକ ଧାରଣା ସହ ମିଶିଯାଉଛି  ।

ଏଠାରେ ସୂଚନାଯୋଗ୍ୟ ଯେ ଆମ ପ୍ରାଚୀନ ପୁରାଣରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧରେ ଅନେକ ତଥ୍ୟ ଉଲ୍ଲେଖ ରହିଛି, ଯାହା ବିଂଶ ଶତାବ୍ଦୀରେ ବାସ୍ତବରେ ପରିଣତ ହୋଇଛି  । ଉଦାହରଣ ସ୍ୱରୂପ କୁରୁକ୍ଷେତ୍ରରେ ଘଟୁଥିବା ମହାଭାରତ ଯୁଦ୍ଧର ଧାରା ବିବରଣୀ ହସ୍ତିନାପୁର ରାଜପ୍ରସାଦରେ ମହାରାଜା ଧ୍ରୁତରାଷ୍ଟ୍ରଙ୍କୁ ସଞ୍ଜୟ ଶୁଣାଉଥିଲେ  । କାହାଣୀ ଅନୁଯାୟୀ ସଞ୍ଜୟଙ୍କୁ ବେଦବ୍ୟାସ ଏହି କ୍ଷମତା ପ୍ରଦାନ କରିଥିଲେ  । ଏହାକୁ ନେଇ ନିକଟରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଏକ ସଭାରେ କହିଲେ ଯେ ସେତେବେଳେ ଭାରତରେ ଇନ୍ତରନେଟର ସୁବିଧା ଥିଲା  । ସେତେବେଳେ ଇନ୍ତରନେଟ ବାସ୍ତବରେ ଥିଲା ନା ଏହା କେବଳ ଏକ କାଳ୍ପନିକ କାହାଣୀ, ତାହାର କୌଣସି ପ୍ରମାଣ ନାହିଁ  । କିନ୍ତୁ ଯେ କୌଣସି ସାଧାରଣ ବ୍ୟକ୍ତି ବିଜ୍ଞାନ ବିକାଶର ଇତିହାସକୁ ଦେଖିଲେ ଏହାକୁ ସତ ମଣିବ ନାହିଁ  । କିନ୍ତୁ ଗୋଟିଏ କଥା ସତ ଯେ ଏହି ପ୍ରକାରର ଧାରାବିବରଣୀର ଧାରଣା ମହାଭାରତ ମାହାକାବ୍ୟର ସ୍ରଷ୍ଟା ବେଦବ୍ୟାସଙ୍କ ମନକୁ ଆସିଥିଲା  । ସେ କଳ୍ପ ନା ବଳରେ ଏହାର ସମ୍ଭାବନାକୁ ଜାଣି ପାରିଥିଲେ  । ସେହିପରି ଆମ ପୁରାଣରେ ଅନେକ ବିଜ୍ଞାନ ଧାରଣା ରହିଛି  । ଗାନ୍ଧାରୀଙ୍କ ଶତପୁତ୍ର ଜନ୍ମ ମୂଳରେ କ୍ଳୋନିଂ ପଦ୍ଧତି ରହିଛି ଏବଂ ବ୍ରହ୍ମାସ୍ତ୍ର ସହିତ ଆଧୁନିକ ଆଣବିକ ଅସ୍ତ୍ରକୁ ତୁଳନା କରାଯାଇପାରେ  । ସେହିପରି ଆନ୍ତଃଗ୍ରହ ଭ୍ରମଣର ଧାରଣା ନାରଦଙ୍କ ବିଭିନ୍ନ ଗ୍ରହ ଭ୍ରମଣରୁ ଜଣାପଡେ  । ଏପରି କି ଅନେକ ରାଜା, ଋଷି ଆଦି ସ୍ଵର୍ଗପୁରା ଓ ବ୍ରହ୍ମଲୋକକୁ ଯିବାର ଲିଖିତ ଅଛି  । ରାବଣର ପୁଷ୍ପକ ବିମାନ ବାସ୍ତବ ହେଉ ବା ନାହିଁ,  ଆକାଶରେ ଯାନ ଚଳାଇ ଯିବାର ଧାରଣା ଆଜିକୁ ତିନି ହଜାର ବର୍ଷ ପୂର୍ବେ ଭାରତରେ ରହିଥିଲା ମସ୍ତିଷ୍କର ଧାରଣାରୁ (ଯାହାକୁ ତାତ୍ତ୍ଵିକ ବିଜ୍ଞାନ କୁହାଯାଏ) ପ୍ରାୟୋଗିକ ବିଜ୍ଞାନର ଅଗ୍ରଗତି ହୋଇଥାଏ  ।

ଆଜି ଆନ୍ତର୍ଜାତୀୟ ସ୍ତରରେ ରେବତୀ ଚରିତ୍ରର ବୈଜ୍ଞାନିକ ଅବଧାରଣାକୁ ସ୍ଵୀକୃତି ମିଳିଛି ଏଣୁ ଆମ ପୂର୍ବ ସୂରୀମାନେ ପ୍ରକୃତରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଜାଣିଥିଲେ ନା ନାହିଁ, ତାହା ବଡ କଥାନୁହେଁ  । ସେମାନେ ଭବିଷ୍ୟତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର କଳ୍ପନା ଓ ଅବଧାରଣା କରିପାରିଥିଲେ  । ତାହା ତାଙ୍କୁ ଏକ ଶ୍ରେଷ୍ଠ ଉନ୍ନତ ଜାତିର ସମ୍ମାନ ଦେବା ପାଇଁ ଯଥେଷ୍ଟ  ।

ସଂଗୃହୀତ – ଇଂ. ମାୟାଧର ସ୍ଵାଇଁ
3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top