ସେଆର କରନ୍ତୁ

ଜଗନ୍ନାଥ ଦାସ

ଜଗନ୍ନାଥ ଦାସ ଜଣେ ଓଡ଼ିଆ କବି ଓ ସାଧକ ଥିଲେ ।

ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର;  ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ: "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ"‌) । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।

ଜୀବନ କାଳ

ପ୍ରାରମ୍ଭିକ ଜୀବନ

୧୪୯୦ ଖ୍ରୀଷ୍ଟାଦ୍ଦ ଭାଦ୍ରବମାସ ଶୁକ୍ଲପକ୍ଷ ଅଷ୍ଟମୀ ଅନୁରାଧା ନକ୍ଷତ୍ର ବୁଧବାର ଦିନ ମଧ୍ୟାହ୍ନ ସମୟରେ କପିଳେଶ୍ଵରପୁର ଶାସନରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିଲେ । ଯେଉଁ କ୍ଷଣରେ ବୃଷଭାନୁ ନନ୍ଦିନୀ ରାଧା ଦେବୀଙ୍କର ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି, ଠିକ ସେହିକ୍ଷଣରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ରାଧାଙ୍କର ଅଂଶାବତାର ବୋଲି ଲୋକେ ବିଶ୍ଵାସ କରନ୍ତି । ତାଙ୍କ ପିତାଙ୍କ ନାମ ଭଗବାନ ଦାସ ଓ ମାତାଙ୍କ ନାମ ପଦ୍ମାବତୀ । ଭଗବାନ ଦାଶ ମହାରାଜା ପୁରୁଷୋତ୍ତମ ଦେବଙ୍କର ପୌରାଣିକ ଥିଲେ ।

ଶିକ୍ଷା

ଶିଶୁଟି ଜଗନ୍ନାଥ ଦେବଙ୍କ ପ୍ରସାଦରୁ ଲବ୍ଧ ବୋଲି ଭାବି ଭଗବାନ ଦାସ ପଣ୍ଡିତମାନଙ୍କ ପରାମର୍ଶକ୍ରମେ ତାହାର ଜଗନ୍ନାଥ ବୋଲି ନାମକରଣ କଲେ । ଶିଶୁ ଜଗନ୍ନାଥ ଚତୁର୍ଥ ବୟସରେ ପଦାର୍ପଣ କରିବା ବେଳକୁ ପିତା ତାଙ୍କର ଚୂଡ଼ାକର୍ମ, କଣ୍ଣବୋଧ ଆଦି ଶେଷ କରିଥିଲେ । ପଞ୍ଚମ ବର୍ଷରେ ସେ ବିଦ୍ୟାରମ୍ଭ କରିଥିଲେ । ସେ ପ୍ରଥମେ ଗ୍ରାମ ଚାଟଶାଳୀରେ ବର୍ଣ୍ଣପାଠ ଓ ଅଙ୍କ ଆଦି ଶିଖିଥିଲେ । ଉପନୟନ ଉତ୍ତାରେ ପିତାଙ୍କ ନିକଟରେ ଅମରକୋଷ, ଅଭିଧାନ ଏବଂ କଳାପ ଓ ବର୍ଦ୍ଧମାନ ନାମକ ଦୁଇଟି ସଂସ୍କୃତ ବ୍ୟାକରଣ ସମ୍ପୂର୍ଣ୍ଣ କଣ୍ଠସ୍ଥ କରିଥିଲେ । ନିକଟବର୍ତ୍ତୀ ବ୍ରାହ୍ମଣ ଶାସନକୁ ପ୍ରତିଦିନ ଯାଇ ଯଜୁର୍ବେଦ ଓ ସାମବେଦର ସଂହିତାମାନ ମଧ୍ୟ ସେ ଅଧ୍ୟୟନ ଓ କଣ୍ଠସ୍ଥ କରିଥିଲେ । ନ୍ୟାୟ ବେଦାନ୍ତ ଆଦି ଦର୍ଶନଶାସ୍ତ୍ର ଏବଂ ମହାଭାରତ ରାମାୟଣ ଆଦି ଧର୍ମଶାସ୍ତ୍ର ସମସ୍ତ ପଢ଼ିବା ପରେ ସେ ଭାଗବତ ଅଧ୍ୟୟନ କରିଥିଲେ । ଏହି ସମୟରେ ପିତା ଭଗବାନ ଦାସ ଜଗନ୍ନାଥଙ୍କର ବିବାହ ପ୍ରସ୍ତାବ ଉଠାଇଲେ । ଜଗନ୍ନାଥ ଆଉ କେତେକ ଶାସ୍ତ୍ରର ଅଧ୍ୟୟନ ସମାପ୍ତ କରି ବିବାହ କରିବା ପାଇଁ ପିତାଙ୍କୁ ଅନୁରୋଧ କରିଥିଲେ । ସେ ଜଗନ୍ନାଥ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ର ପୁରୀକୁ ନିତି ଆସୁଥିଲେ । ମନ୍ଦିର ଭିତର ବେଢ଼ାରେ ସେ ବଟଗଣେଶଙ୍କ ନିକଟରେ ବସି ଶ୍ରାମଦ୍ ଭାଗବତ ପାଠ କରୁଥିଲେ । ବଟବିହାରୀ ନାମକ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିଙ୍କ ନିକଟରେ ଆଜି ପର୍ଯ୍ୟନ୍ତ ପୁରାଣ ପାଠ ହେଉଅଛି ଓ ପୁରାଣ ପାଠକଙ୍କ ପାଇଁ ରାଜପ୍ରଦତ୍ତ ବୃତ୍ତି ମଧ୍ୟ ଖଞ୍ଜା ଅଛି ।

ଚୈତନ୍ୟ ଦେବଙ୍କ ସହ ସାକ୍ଷାତ

୧୫୦୯ ଖ୍ରାଷ୍ଟାଦ୍ଦରେ ଶ୍ରୀ ଚୈତନ୍ୟଦେବ ସନ୍ନ୍ୟାସ ଗ୍ରହଣ କରି ଭକ୍ତି ସମେତ ଶ୍ରୀଜଗନ୍ନାଥ ଦେବଙ୍କ ଦର୍ଶନ ନିମନ୍ତେ ପୁରୀକୁ ଆଗମନ କରିଥିଲେ । ସେତେବେଳକୁ ଜଗନ୍ନାଥ ଦାସଙ୍କ ବୟସ ଉଣେଇଶ । ଶ୍ରୀଚୈତନ୍ୟ ଦେବ ବଡ଼ଦେଉଳରେ ପ୍ରବେଶ କରି ବଟ ମୂଳରେ ପ୍ରଥମେ ଏହାଙ୍କୁ ଭେଟିଥିଲେ । ଅଢ଼ାଇ ଦିନ ପର୍ଯ୍ୟନ୍ତ ଦୁହେଁ ଏକତ୍ର ବାସ କଲେ । ସେହି କାଳରେ ଅନ୍ୟ କାହା ସହିତ ସାକ୍ଷାତ ହେଉନଥିଲା ।

ଜଗନ୍ନାଥ ଦାସ ଓ ମଠ

ଦିନେ ଉତ୍କଳର ମହାରାଜା ପ୍ରତାପରୁଦ୍ର ଦେବ ଜଗନ୍ନାଥ ଦର୍ଶନକୁ ଯାଇଥିଲେ, ଏମନ୍ତ ସମୟରେ ଶ୍ରୀଚୈତନ୍ୟଙ୍କ ସଙ୍ଗେ ମନ୍ଦିରରେ ତାଙ୍କର ଭେଟ ହେଲା ମହାରାଜ ଶ୍ରୀଚୈତନଙ୍କୁ ପଚାରିଲେ, "ଜଗନ୍ନାଥ ମୂର୍ତ୍ତିରେ କିପରି ରାଧାକୃଷ୍ଣଙ୍କର ଯୁଗଳମୂର୍ତ୍ତି ଭାବ ଉପଲବ୍ଧି କରି ପାରିବି, ଏହା ମୋତେ ଅନୁଗ୍ରହ କରି ବୁଝାଇ ଦିଅନ୍ତୁ" । ଏହା ଶୁଣି ଶ୍ରୀଚୈତନ୍ୟ ଦେବ ଉତ୍ତର ଦେଲେ 'ଆମ୍ଭ ଅତିବଡ଼ି ସ୍ଵାମୀ ତାହା ଆପଣଙ୍କୁ ସ୍ପଷ୍ଟଭାବେ ବୁଝାଇ ଦେବେ" । ତହୁଁ ଅତିବଡ଼ି ସ୍ଵାମୀ ଶ୍ରୀ ଜଗନ୍ନାଥ ଦାସ ମହାରାଜ ପ୍ରତାପରୁଦ୍ର ଦେବଙ୍କୁ ତାହା ବୁଝାଇ ଦେବାରୁ ରାଜା ତାଙ୍କଠାରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତାଙ୍କର ଭକ୍ତ ଓ ବଶୀଭୂତ ହେଲେ ଶ୍ରୀ ଜଗନ୍ନାଥ ମନ୍ଦିରର ବାୟୁ କୋଣରେ ମାର୍କଣ୍ଡେୟ ତୀର୍ଥର ଅନତିଦୂର ଦକ୍ଷିଣରେ ନିଜ ରାଣୀଙ୍କର ଶ୍ରୀକ୍ଷେତ୍ରରେ ଅବସ୍ଥାନ ନିମନ୍ତେ ମହାରାଜାଙ୍କର ୟେଉଁ ରାଜପ୍ରସାଦ ନିର୍ମିତ ହୋଇଥିଲା, ତହିଁରେ ଜଗନ୍ନାଥ ଦାସଙ୍କୁ ରହିବାକୁ ମହାରାଜ ପ୍ରାର୍ଥନା କଲେ । ଅତିବଡ଼ି ପ୍ରଥମେ ସେଠାରେ ରହିବାକୁ ଅନିଚ୍ଛୁକ ଥିଲେ ସୁଦ୍ଧା ମହରାଜଙ୍କର ସେବାରେ ଓ ଭକ୍ତିରେ ସନ୍ତୁଷ୍ଟ ହୋଇ କିଛି କାଳ ସେଠାରେ ଅବସ୍ଥାନ କଲେ ବର୍ତ୍ତମାନ ତାହା ଓଡ଼ିଆମଠ ନାମରେ ଖ୍ୟାତ ।

ଜଗନ୍ନାଥ ଦାସ ସଂସାର କୋଳାହଳ ବର୍ଜ୍ଜିତ ସମୁଦ୍ରତୀରବର୍ତ୍ତୀ ବାଲୁକାମୟ ଭୂମିରେ ଏକ ନିର୍ଜନ ଭଜନକୁଟୀ ସ୍ଥାପନ କଲେ । ଏହାର ଆଧୁନିକ ନାମ ସାତଲହଡ଼ି ମଠ । ଏହି ମଠଟି ଶଙ୍କରାଚାର୍ଯ୍ୟମଠର ଦକ୍ଷିଣରେ ଅବସ୍ଥିତ । ଏଠାରେ ଜଗନ୍ନାଥ ଦାସଙ୍କର ମଣିବିଗ୍ରହ (ପ୍ରସ୍ତର—ମୂର୍ତ୍ତି) ବିଦ୍ୟମାନ । କଥିତ ଅଛି ଜଗନ୍ନାଥ ଦାସ ସମୁଦ୍ର ତରଙ୍ଗର ଘୋର ଗର୍ଜନ ଯୋଗୁଁ ଭଜନସ୍ମରଣରେ ଅସୁବିଧା ଅନୁଭବ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କୃପାପ୍ରାର୍ଥୀ ହେବାରୁ ପ୍ରଭୁଙ୍କ ଆଜ୍ଞାରେ ସମୁଦ୍ର ସାତ ସ୍ତର ଲହରୀର ଦୂରତା ପର୍ଯ୍ୟନ୍ତ ଦୂରକୁ ଘୁଞ୍ଚି ଯାଇଥିଲା । ତେଣୁ ସେହି ଦିନଠାରୁ ଉକ୍ତ ମଠଟିର ନାମ ସାତଲହଡ଼ି ମଠ ହୋଇଅଛି । ଗୋସ୍ଵାମୀ ମୁକୁନ୍ଦ ଦାସ ୫ ଗୋଟି ଶିଷ୍ୟ କରି ପ୍ରଧାନ ଶିଷ୍ୟଙ୍କୁ ନିଜ ମଠରେ ଗାଦିନସୀନ କରାଇ ଅପର ୪ ଗୋଟିଙ୍କୁ ମଠର ଚତୁଃପାର୍ଶ୍ଵରେ ରଖାଇ ପୁରୀ, କଟକ, ବାଲେଶ୍ଵର ଓ ଖୋରଧା ଅଞ୍ଚଳରେ ସେମାନଙ୍କ ଚଳାଚଳ ପାଇଁ କେତେକ ଭୂସମ୍ପତ୍ତି ଖଞ୍ଜି ଦେଇ ଯାଇଅଛନ୍ତି ଉକ୍ତ ୪ଗୋଟି ମଠ ଅଦ୍ୟାବଧି ବଡ଼ ଓଡ଼ିଆ ମଠର ଅଧୀନ ଥାଇ ଚଳି ଆସୁଅଛି ଯଥା:

  1. ସାନ ଓଡ଼ିଆ ମଠ
  2. ମଧୁ ଦାସ ମଠ
  3. ବନମାଳି ଦାସ ମଠ
  4. ଭାଗବତ ଦାସ ମଠ

ଏହା ଛଡ଼ା ପୁରୀ କୁଣ୍ଢାଇବେଣ୍ଟସାହୀ ଓ ଦାଣ୍ଡିମାଳ ସାହୀରେ ଆହୁରି ୧୫/୧୬ଟି ମଠ ଅଛି ସେହି ସବୁ ମଠର ଅଧିକାରିଗଣ ବଡ଼ ଓଡ଼ିଆ ମଠର ନେତୃତ୍ଵ ସ୍ଵୀକାର କରି ଥାଆନ୍ତି । ଏହି ସବୁ ମଠର ଅଧିକାରୀମାନଙ୍କ ମୁଣ୍ଡରେ ବଡ଼ ଓଡ଼ିଆ ମଠର ଅଧିକାରୀ ମହୋଦୟ ଶାଢ଼ି ବାନ୍ଧିଲେ ସେମାନେ ନିଜ ନିଜ ମଠରେ ଅଧିକାରୀ ହୁଅନ୍ତି । ଏହି ବଡ଼ ଓଡ଼ିଆ ମଠର ମତାବଲମ୍ବୀ ଶିଷ୍ୟମାନେ ମୋଗଲବନ୍ଦି ଓ ଗଡ଼ଜାତମାନଙ୍କର ନାନାସ୍ଥାନରେ ପ୍ରାୟ ୨ହଜାର ପର୍ଯ୍ୟନ୍ତ ଅଛନ୍ତି । ବର୍ତ୍ତମାନ ଅଧିକାରୀ ବୃନ୍ଦାବନ ଦାସ ଗୋସ୍ଵାମୀ ଭାଷାକୋଷର ଜଣେ ପରମସ୍ନେହୀ ପୃଷ୍ଠପୋଷକ ଅଟନ୍ତି ।

୧୬୫୦ ଖ୍ରାଷ୍ଟାଦ୍ଦରେ ମାଘ ଶୁକ୍ଲପକ୍ଷ ସପ୍ତମୀ ଦିନ ଜଗନ୍ନାଥ ଦାସଙ୍କର ତିରୋଧାନ ହେଲା ।

ରଚନାବଳୀ

ଭାଗବତ ଲିଖନ

ବ୍ୟାସଦେବ ରଚିତ ସଂସ୍କୃତ ଶ୍ରୀମଦ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ଆଦୃତ ହୋଇପାରିନଥିଲା । ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ଦେଉଳରେ ପୁରାଣପଣ୍ଡା ଥିଲେ । ତାଙ୍କ ପରେ ଜଗନ୍ନାଥ ଦାସ ପୁରାଣପଣ୍ଡା ହେଲେ । ସେ ସଂସ୍କୃତ ଭାଗବତକୁ ସରଳଭାଷାରେ ବୁଝାଇ ଦେଉଥିଲେ । ଜଗନ୍ନାଥଙ୍କ ବୋଉ ଓଡ଼ିଆ ଭାଷାରେ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ ନିର୍ଦ୍ଦେଶ ଦିଅନ୍ତି । ବିଧବା ମା’ ବାର୍ଦ୍ଧକ୍ୟର ପୁଣ୍ୟ ସଞ୍ଚୟ ଆଶାରେ କୃଷ୍ଣଚରିତ ଶୁଣିବାକୁ ଆଶାୟୀ ହେବାରୁ ଜଗନ୍ନାଥ ଦାସ ଜନନୀର ଅଭିଳାଷ ପୂରଣ ନିମନ୍ତେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା । ଜଗନ୍ନାଥ ଦାସ ଗୋସ୍ଵାମୀ ବଟ ଗଶେଶଙ୍କ ନିକଟରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ ।

ଅନ୍ୟାନ୍ୟ ରଚନାବଳୀ

ଏହା ଛଡ଼ା ସେ ସଂସ୍କୃତ ଓ ଓଡ଼ିଆ ଭାଷାରେ ଭକ୍ତି-ଗ୍ରନ୍ଥମାନ ରଚନା କରିଥିଲେ ।

  1. ଅର୍ଥ କୋଇଲି
  2. ଫୁଲତୋଳା ଚଉତିଶା
  3. ଦୁତି ବୋଧ
  4. ଶ୍ରୀ ସତସଙ୍ଗ
  5. ତୁଳା ଭିଣା (ଗଦ୍ୟ)
  6. ପସନ୍ଦ ଦଳନ
  7. ଗଜ ନିସ୍ତରଣ
  8. ଶ୍ରୀମଦ ଭାଗବତ
  9. ଜଗନ୍ନାଥ କରିକ
  10. ଧ୍ରୁବ ସ୍ତୁତି
  11. ମନଶିକ୍ଷା
  12. କୃଷ୍ଣ ଭକ୍ତି କଳ୍ପଲତା
  13. କୃଷ୍ଣ ଭକ୍ତି କଳ୍ପଲତା ଫଳମ
  14. ନିତ୍ୟ ଗୁପ୍ତମାଳା
  15. ଉପସନା ଶତକ
  16. ପ୍ରେମ ସୁଧମ୍ବୁଧା
  17. ନିତ୍ୟାଚାର ଦିକ୍ଷା ସହିତ ଉପାସନା ବିଧି
  18. ଶୀର ରାଧା ରସମଞ୍ଜରୀ
  19. ନିଳାଦ୍ରିଶତକମ
  20. ନାମ ଚନ୍ଦ୍ରିକା
  21. ଅନାମୟ କୁଣ୍ଠଳି
  22. ଭୂଗୋଳ ଏକାଦଶ ସ୍କନ୍ଦ
  23. ବ୍ରହ୍ମ ଗୀତା
  24. ଗୁପ୍ତ ଗୀତା
  25. ଦାରୁବ୍ରହ୍ମ ଗୀତା
  26. ପଞ୍ଚଭୂତ ଗୀତା
  27. ଷଡ଼ରସ ଭାଗବତ
  28. ନିତ୍ୟ ନୀଳାଦ୍ରି ବିଳାସ
  29. ମୃଗୁଣୀ ସ୍ତୁତି
  30. ପାହାନ୍ତି ଅବକାଶ
  31. ଗୁଣ୍ଡିଚା ବିଜେ
  32. ହାତୀ ଝୁଲେରେ
  33. ଉଷା ହରଣ

ସର୍ଜନା

ସଂସ୍କୃତ

  • ଉପାସନାଶତକମ୍
  • କୃଷ୍ଣଭକ୍ତି-କଳ୍ପଲତା
  • ଜଗନ୍ନାଥ ଚରଣମ୍ବୋଧି ସରଣୀ
  • ନିତ୍ୟ ଗୁପ୍ତମାଳା
  • ନିଳାଦ୍ରିଶତକମ୍
  • ପ୍ରେମସୂଧାମ୍ବୁଧି
  • ଶ୍ରୀରାଧା ରସମଞ୍ଜରୀ
  • ମୃଗୁଣୀ ସ୍ତୁତି

ଓଡ଼ିଆ

  • ଭାଗବତ (ମୂଳ ଭାଗବତର ଏଗାରଗୋଟି ସ୍କନ୍ଧର ଓଡ଼ିଆଭାଷାରେ ବ୍ୟାଖ୍ୟା ପ୍ରଦାନ କରିଅଛନ୍ତି)
  • ଗୁପ୍ତଭାଗବତ
  • ଦାରୁବ୍ରହ୍ମଗୀତା
  • ଗୁଣ୍ଡିଚାବିଜେ
  • ଗୋଲକ ସାରୋଦ୍ଧାର
  • ଶୈବାଗମ ଭାଗବତ
  • ଷୋଳ ଚଉପଦୀ
  • ସତ୍‌ସଙ୍ଗ ବର୍ଣ୍ଣନ
  • ଅର୍ଥକୋଇଲି (କବି ମାର୍କଣ୍ଡଙ୍କ ରଚିତ କେଶବକୋଇଲିର ଆଧ୍ୟାତ୍ମିକ ବ୍ୟାଖ୍ୟା)
  • ତୁଳାଭିଣା (ଶିବ-ପାର୍ବତୀଙ୍କ କଥୋପକଥନ ଛଳରେ ଉତ୍କଳୀୟ ବୈଷ୍ଣବ ଧର୍ମର ବିଶେତ୍ଵମାନ ବର୍ଣ୍ଣିତ ହୋଇଅଛି)

କାବ୍ୟ

  • ଉଷାହରଣ (ଅଷ୍ଟ ଛାନ୍ଦବିଶିଷ୍ଟ)

ବାଣୀ

ପ୍ରାଣୀର ଭଲ ମନ୍ଦ ବାଣୀ ।

ମରଣକାଳେ ତାହା ଜାଣି ॥
ମର୍ତ୍ତ୍ୟମଣ୍ଡଳେ ଦେହ ବହି ।
ଦେବତା ହୋଇଲେ ମରଇ ॥
ଉତ୍ତମ ସଙ୍ଗେ ସଙ୍ଗ ଯାର ।
ସେ କରେ ଉତ୍ତମ ବିଚାର ॥
ଗୋବିନ୍ଦ ନାମ ଭେଳାକରି ।
ହେଲେ ତରିବ ଭବ ବାରି ॥

 

ଆଧାର - "ଓଡିଶା ଡାଏରୀ"

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top