ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଉପଲକ୍ଷେ
ସେଆର କରନ୍ତୁ

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଉପଲକ୍ଷେ

ସତ୍ୟାଗ୍ରହ ଓ ଅହିଂସାର ସାଧକ ମହାତ୍ମା ଗାନ୍ଧୀଙ୍କ ଅକ୍ଟୋବର ୨ ଜନ୍ମଦିବସ ରୂପେ ପାଳନ କରାଯାଏ ।

ମହାତ୍ମା ଗାନ୍ଧୀ

ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରି ୧୯୪୮) ଭାରତୀୟ ସ୍ଵାଧିନତା ଆନ୍ଦୋଳନର ଜଣେ ମହାନ ନେତା । ଅହିଂସା ଓ ସତ୍ୟାଗ୍ରହ ଆନ୍ଦୋଳନ ଦେଇ ପରାଧିନ ଭାରତର ଆନ୍ଦୋଳନରେ ମୁଖ୍ୟ ପୁରୋଧାର କାମ ନିଭାଇଥିଲେ । ତାଙ୍କୁ ଜାତିର ପିତା ଓ ବାପୁଜୀ ବୋଲି ଆଦରରେ କୁହାଯାଏ ।

ପରାଧୀନ ଭାରତ ଓ ଭାରତୀୟଙ୍କୁ ଶକ୍ତିଶାଳୀ ଇଂରେଜ ସରକାରଙ୍କୁ ପରାସ୍ତ କରି, ଯାହାଙ୍କର ନେତୃତ୍ୱ ସ୍ୱାଧୀନତା ପ୍ରଦାନ କରିଥିଲା ସେ ଥିଲେ ଜାତିର ଜନକ ମହାତ୍ମାଗାନ୍ଧୀ। ଇଂରେଜ ସରକାରଙ୍କ ବିରୋଧରେ ବିନା ଅସ୍ତ୍ର ପ୍ରୟୋଗ କରି ଅହିଂସାକୁ ପାଥେୟ କରି ପରାସ୍ତ କରିବା, ସର୍ବୋପରି ନିଜର ଦକ୍ଷ ନେତୃତ୍ୱ ବଳରେ ସତ୍ୟକୁ ପ୍ରୟୋଗ କରି ପରାଧୀନ ଭାରତକୁ ନୂତନ ଜୀବନ୍ୟାସ ଦେବାରେ ଗାନ୍ଧିଜୀଙ୍କ ଅବଦାନ ଚୀର ସ୍ୱୀକାର୍ଯ୍ୟ। ଗାନ୍ଧିଜୀ ବର୍ଣ୍ଣବୈଷମ୍ୟବାଦ, ଉପନିବେଶବାଦ, ଜାତିପ୍ରଥା, ସାମଜରେ ମହିଳାଙ୍କର ଅବମୂଲ୍ୟାୟନ ଇତ୍ୟାଦି ବିରୋଧରେ ସ୍ୱର ଉତୋଳନ କରିଥିଲେ। ଯେ ପର୍ଯ୍ୟନ୍ତ ଆମ ସାମଜରେ ସଂଘର୍ଷ, ଆଂଚଳିକ ୈବଷମ୍ୟ , ଧାର୍ମିକ ଅସହିଷ୍ଣୁତା, ଆଭ୍ୟନ୍ତରୀଣ ଦ୍ୱନ୍ଦ ରହିଛି ଲୋକେ ସେ ପର୍ଯ୍ୟନ୍ତ ଗାନ୍ଧିଜୀଙ୍କ ଆଡକୁ ଦୃଷ୍ଟି ଦେବେ, ଯେତେଦିନ ପର୍ଯ୍ୟନ୍ତ ସଂଘର୍ଷ ରହିଛି ଗାନ୍ଧିଜୀଙ୍କର ନୀତି, ଆଦର୍ଶ ଓ ମୂଲ୍ୟବୋଧର ଆବଶ୍ୟକତା ରହିଛି। ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଏହି ମହାମାନବଙ୍କର ଜନ୍ମ ହୋଇଥିଲା। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଲାତରୁ ବାରିଷ୍ଟରୀ ପାସ କରି ସେ ଆଇନ ଜୀବନ ଆରମ୍ଭ କଲେ। ଡରବାନସ୍ଥିତ ଅବଦୁଲ୍ଲା ଆଣ୍ଡ କମ୍ପାନୀର ନିମନ୍ତ୍ରଣ କ୍ରମେ ଦକ୍ଷିଣ ଆଫ୍ରିକା ସରକାର ସହ କମ୍ପାନୀର ଆଇନଗତ ମାମଲା ଲଢିବା ପାଇଁ ଦକ୍ଷିଣ ଆଫ୍ରିକା ଯାତ୍ରା, ଡରବାନରୁ ଜୋହାନସବର୍ଗ ଯିବା ବାଟରେ ଟ୍ରେନରୁ ତାଙ୍କୁ ଫୋପାଡିଦିଆଯିବା ଘଟଣା ଗାନ୍ଧିଜୀଙ୍କ ଜୀବନରେ ଏକ ଗଭୀର ପରିବର୍ତନ ଆଣିଥିଲା। ଦୋଷ ନଥାଇ ଦଣ୍ଡ ପାଇବା ଓ ଏହାର ପ୍ରତିବାଦ ଅହିଂସା ଉପାୟରେ କରିବାର ଯେଉଁ ସୁନ୍ଦର ପ୍ରୟାସ, ତାହା ଏହିଠାରୁ ହିଁ ଆରମ୍ଭ ହୋଇଥିଲା। ସେଦିନର ପ୍ରତିକ୍ରିୟ ତାଙ୍କର ବ୍ୟକ୍ତିତ୍ୱ ଓ ନେତୃତ୍ୱର ବିକାଶ ପାଇଁ ଭିତି ପକାଇଥିଲା।

ନିଜର ଆତ୍ମ ଜୀବନୀରେ ସେ ଲେଖିଛନ୍ତି- "ମୁଁ ମୋ ନିଜର କର୍ତବ୍ୟ ସମ୍ପର୍କରେ ଚିନ୍ତା କଲି, ମୁଁ ମୋର ଅଧିକାର ପାଇଁ ଲଢିବି ନା ଭାରତ ଫେରିଯିବି, ମୋର ଦାୟିତ୍ୱ ପୂରଣ ନକରି ଭାରତକୁ ଫେରିବା ଭୀରୂତା ହେବ। ବର୍ଣ୍ଣ ବୈଷମ୍ୟଗତ ଅବିଚାର ସମସ୍ତ ବିଦ୍ୱେଷର ମୂଳକାରଣ, ମୋତେ ଏହାର ନିରାକରଣ ପାଇଁ ଲଢିବାକୁ ହେବ, ବର୍ଣ୍ଣବୈଷମ୍ୟ କିପରି ଦୂର ହେବ ସେ ଦିଗରେ କାମ କରିବାକୁ ହେବ"। ଫଳସ୍ୱରୂପ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତୀୟମାନେ ସଂଘବଦ୍ଧ ହେଲେ ଓ ଅନ୍ୟାୟର ପ୍ରତିବାଦ ଆରମ୍ଭ ହେଲା। ମହାତ୍ମାଗାନ୍ଧୀଙ୍କ ଜୀବନୀ ଲେଖକ ଲୁଇଫିଶରଙ୍କ ଭାଷାରେ ଗାନ୍ଧୀଙ୍କ ପାଇଁ ସତ୍ୟାଗ୍ରହର ଅର୍ଥ ଥିଲା ମନକୁ କୌଣସି କଷ୍ଟ ନଦେଇ ନିଜେ ସମସ୍ତ ଦୁଃଖ କଷ୍ଟ ବରଣ କରିବା, ସେଥିପାଇଁ ଆତ୍ମସଂଯମ ଲୋଡା। ସତ୍ୟାଗ୍ରହୀର ଅସ୍ତ୍ର ତା ନିଜ ଅନ୍ତର ଭିତରେ ଅଛି। ସତ୍ୟାଗ୍ରହ ଶାନ୍ତପୂର୍ଣ୍ଣ ଅଟେ, ଯଦି ପ୍ରତିପକ୍ଷକୁ ଏହା ଭାଷାରେ ବୁଝାଇ ହେବନାହିଁ ତେବେ ନମ୍ରତା ଓ ସାଧୁତା ପ୍ରଦର୍ଶନରେ ଏହା କରାଯାଇପାରିବ। ଧୈର୍ଯ୍ୟ ଓ ସହାନୁଭୂତି ବଳରେ ତାର ହୃଦୟ ପରିବର୍ତନ କରାଯାଇପାରିବ, ହତ୍ୟା କରି ବା ଦମନ କରିନୁହେଁ, କେବଳ ହୃଦୟ ପରିବର୍ତନ କରି ଏହା କରାଯାଇପାରିବ। ମଣିଷର ମୁଣ୍ଡ କାଟି ଦେଇ ତୁମେ ସେଥିରେ ନୂଆ ଭାବନା ପୁରାଇ ପାରିବ ନାହିଁ କିମ୍ବା ଛୁରି ଘାତରେ ତାର ହୃଦୟରେ ନୂଆ ଚେତନା ଭର୍ତି କରାଯାଇପାରିବ ନାହିଁ। ଏହି ସତ୍ୟାଗ୍ରହର ଜନ୍ମ ଦକ୍ଷିଣ ଆଫ୍ରିକାରେ ଅବସ୍ଥାପିତ ଭାରତୀୟଙ୍କ ପାଇଁ ଅନ୍ୟାୟର ପ୍ରତିବାଦର ପ୍ରଧାନ ଅସ୍ତ୍ର ହେଲା ଏବଂ ବହୁ କ୍ଷେତ୍ରରେ ଏହା ବିଜୟ ପ୍ରଦାନ କଲା। ୧୯୧୫ରେ ଗାନ୍ଧିଜୀ ମାତୃଭୂମିକୁ ପ୍ରତ୍ୟାବର୍ତ୍ତନ କରି ଦେଶର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେଲେ। ୧୯୧୫ ମସିହାରେ ସାବରମତୀଠାରେ ଆଶ୍ରମ ପ୍ରତିଷ୍ଠା କଲେ। ଇଂରେଜ ସରକାରଙ୍କ ବିରୋଧରେ ଭାରତୀୟମାନେ ଆନ୍ଦୋଳନ ଆରମ୍ଭ କଲେ। ଏହାର ନେତୃତ୍ୱ ନେଲେ ମହାତ୍ମାଗାନ୍ଧୀ। ଅହିଂସା ଉପାୟରେ ଭାରତୀୟମାନଙ୍କର ଅସହଯୋଗ ଆନ୍ଦୋଳନ ବ୍ରିଟିଶ ସରକାରଙ୍କୁ ବିଚଳିତ କରିଥିଲା। ଗାନ୍ଧିଜୀଙ୍କ ଦୃଷ୍ଟିରେ ଅହିଂସା ହିଁ ହେଉଛି ପ୍ରକୃତ ଯୋଦ୍ଧାର ଆୟୁଧ। ତାଙ୍କ ମତରେ ଯିଏ ଭୟ କରେ ସେ ହାରେ, ଅହିଂସା ଯୋଦ୍ଧାର ଭଗବାନଙ୍କ ଉପରେ ଅସମୀ ବିଶ୍ୱାସ ଥାଏ। କୌଣସି କଥାକୁ ସେ ଭୟ କରେନାହିଁ, ଏପରିକି ମୃତ୍ୟୁକୁ ମଧ୍ୟ ନୁହେଁ , କାରଣ ମୃତ୍ୟୁରେ ତାର ବିଜୟ ଥାଏ। ୧୯୨୨ରେ ଗାନ୍ଧିଜୀ ଗିରଫ ହୋଇଥିଲେ ଓ ୧୯୨୪ରେ ଜେଲରୁ ମୁକ୍ତିଲାଭ କଲେ। ୧୯୨୫ରେ ବେଲୁଚିସ୍ଥାନରେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଲା। ଏହାର ସମାଧାନ ପାଇଁ ଗାନ୍ଧିଜୀ ତିନି ସପ୍ତାହ କାଳ ଅନଶନ କରିଥିଲେ। ୧୯୨୬ରୁ ୧୯୩୦ ପର୍ଯ୍ୟନ୍ତ କଂଗ୍ରେସର ଗଠନମୂଳକ କାର୍ଯ୍ୟ ଉପରେ ସେ ଗୁରୁତ୍ୱ ଦେଇଥିଲେ। ୧୯୩୦ ମସିହା ମାର୍ଚ୍ଚ ମାସରେ ଗାନ୍ଧିଜୀ ଲବଣ ସତ୍ୟାଗ୍ରହ ଆରମ୍ଭ କଲେ। ସେ ଦାଣ୍ଡିଯାତ୍ରା କରି ଜନସାଧାରଣଙ୍କୁ ଲବଣ ଆଇନ ବିରୋଧରେ ଜାଗ୍ରତ କରାଇଥିଲେ। ୧୯୩୪ରେ ଗାନ୍ଧିଜୀ କଂଗ୍ରେସର ରାଜନୀତିରୁ ପୃଥକ ହୋଇ ହରିଜନ ଆନ୍ଦୋଳନ ଓ ଗ୍ରାମ ସଂଗଠନ ପ୍ରଭୃତି କାର୍ଯ୍ୟକ୍ରମରେ ମନୋନିବେଶ କରିଥିଲେ। ୧୯୪୨ ମସିହାରେ ମାହାତ୍ମାଗାନ୍ଧୀ ଭାରତ ଛାଡ ଆନ୍ଦୋଳନର ଡାକରା ଦେଇଥିଲେ। ଏହା ଦେଶସାରା ବ୍ୟାପିଗଲା। ବହୁ କଂଗ୍ରେସ ନେତା କାରାବରଣ କଲେ। ଇଂରେଜ ସରକାର କଂଗ୍ରେସକୁ ବେଆଇନ ଘୋଷଣା କଲେ। ୧୯୪୪ ମସିହା ଫେବୃଆରି ମାସ ୨୨ ତାରିଖରେ ଗାନ୍ଧିଜୀଙ୍କର ଧର୍ମପତ୍ନୀ କସ୍ତୁରବା ଇହଧାମ ତ୍ୟାଗ କଲେ। ନିଜର ଅନ୍ତରଙ୍ଗ ସହଯୋଗୀ ମହାଦେବ ଦେଶାଇଙ୍କ ମୃତ୍ୟୁ ଓ ପତ୍ନୀଙ୍କ ମୃତ୍ୟୁ ଗାନ୍ଧିଜୀଙ୍କୁ ମ୍ରିୟମ୍ରାଣ କରିଥିଲା। ଶାରିରୀକ ଅସୁସ୍ଥତା ମଧ୍ୟ ଦେଖାଦେଲା, ମାତ୍ର ନିଜ କର୍ତବ୍ୟ ପଥରୁ ସେ ଓହରି ଯାଇନଥିଲେ। ତାଙ୍କ ନେତୃତ୍ୱରେ ସ୍ୱାଧୀନତା ଆନ୍ଦୋଳନ ଆହୁରି ବ୍ୟାପକ ହେଲା। କୁଟି ଖାଅ ଓ କାଟି ପିନ୍ଧର ବାର୍ତା ସମସ୍ତ ସତ୍ୟାଗ୍ରହୀଙ୍କୁ ଆହୁରି ପ୍ରେରଣା ଯୋଗାଇଥିଲା। ଭାରତର ବିିଭିନ୍ନ ପ୍ରଦେଶକୁ ଗସ୍ତ କରି ସ୍ୱାଧୀନତାର ମୂଳମନ୍ତ୍ର, ଅହିଂସା ଓ ସତ୍ୟର ପ୍ରୟୋଗ ସର୍ବୋପରି ଖଦୀର ବ୍ୟବହାର ଓ କୁଟୀର ଶିଳ୍ପର ଆବଶ୍ୟକତା, ପ୍ରଚାର ଓ ପ୍ରସାର ବିଷୟରେ ସେ ଲୋକମାନଙ୍କୁ ବୁଝାଇଥିଲେ। ଜାତିର ଜନକ ଭାବେ ତାଙ୍କର ନେତୃତ୍ୱ ଭାରତକୁ ସ୍ୱାଧୀନତା ପ୍ରଦାନ କଲା। ତାଙ୍କର ଗୋଟିଏ ଡାକ ଥିଲା ଏ ଜାତି ପାଇଁ ମନ୍ତ୍ର, ତାଙ୍କ ଡାକରେ ସ୍କୁଲ, କଲେଜ ଛାତ୍ରଛାତ୍ରୀ, ଲକ୍ଷ ଲକ୍ଷ ଜନସାଧାରଣ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ଅବଶେଷର ଭାରତ ସ୍ୱାଧୀନ ହେଲା। ୧୯୪୮ ମସିହା ଜାନୁଆରି ୩୦ ତାରିଖରେ ଗାନ୍ଧିଜୀଙ୍କର ମହାପ୍ରୟାଣ ହୋଇଥିଲା। ଗାନ୍ଧିଜୀଙ୍କ ନୀତି, ଆଦର୍ଶ ଆଜି ମଧ୍ୟ ଅଗଣିତ ଲୋକଙ୍କୁ ପ୍ରେରଣା ଦେଉଛି କହିଲେ ଭୁଲ ହେବ ନାହିଁ।

ଓଡ଼ିଶାରେ ଗାନ୍ଧୀ

ପ୍ରଥମ ଗସ୍ତ: ୧୯୨୩ ମାର୍ଚ୍ଚ ୨୩, କଟକ

ଗୋପବନ୍ଧୁଙ୍କ ନିମନ୍ତ୍ରଣକୁ ସାଦରେ ଗ୍ରହଣ କରି ଗାନ୍ଧୀଜୀ ୨୩ ମାର୍ଚ୍ଚ ୧୯୨୩ ପ୍ରତ୍ୟୁଷରୁ ପତ୍ନୀ କସ୍ତୁରବା, କନିଷ୍ଠପୁତ୍ର ଦେବଦାସ ଓ ଅନ୍ୟ କେତେଜଣ ଅନୁଚରଙ୍କ ସହ କଟକ ରେଳ ଷ୍ଟେସନରେ ପହଞ୍ଚିଥିଲେ । ଉତ୍କଳମଣି ଗୋପବନ୍ଧୁଙ୍କ ସମେତ କଟକର ବହୁ ବିଶିଷ୍ଟ ବ୍ୟକ୍ତି ଓ କର୍ମୀମାନେ ଗାନ୍ଧିଜୀଙ୍କୁ ଏକ ପୁରୁଣା ଫୋର୍ଡ଼ ମୋଟର କାରରେ କଟକର ସ୍ଵରାଜ ଆଶ୍ରମକୁ ଘେନି ଯାଇଥିଲେ । ସେହିଦିନ ସନ୍ଧ୍ୟାରେ କଟକ କାଠଯୋଡ଼ି ନଦୀର ଗଣେଶଘାଟ ନିକଟସ୍ଥ ବାଲିଶଯ୍ୟା ଉପରେ ଗୋପବନ୍ଧୁଙ୍କ ଉଦ୍ୟମରେ କଟକବାସୀଙ୍କ ତରଫରୁ ଗାନ୍ଧିଜୀଙ୍କ ଅଭ୍ୟର୍ଥନା ଉଦ୍ଦେଶ୍ୟରେ ଏକ ବିରାଟ ସାଧାରଣ ସଭା ଆୟୋଜିତ ହୋଇଥିଲା । ସେହି ସାଧାରଣ ସଭାରେ ଗାନ୍ଧୀଜୀଙ୍କ ବାଣୀକୁ ଗ୍ରହଣ କରି ବହୁଛାତ୍ର ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହି କ୍ରମରେ ଗାନ୍ଧୀଜୀ ମାର୍ଚ୍ଚ ୨୬ତାରିଖରେ ପୁରୀରେ ପହଞ୍ଚି, ସମୁଦ୍ର ବାଲିରେ ଏକ ବିରାଟ ସାଧାରଣ ସଭାରେ ଉଦ୍‌ବୋଧନ ଦେବାପରେ, ୨୭ ତାରିଖ ଦିନ ଗୋପବନ୍ଧୁଙ୍କ ଗହଣରେ ପୁରୀ ଜିଲ୍ଲାର କେତେକ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରିଥିଲେ ।

ଦ୍ଵିତୀୟ ଗସ୍ତ: ୧୯୨୫ ଅଗଷ୍ଟ ୧୯, କଟକ

ଉତ୍କଳଗୌରବ ମଧୁସୂଦନଙ୍କ ନିମନ୍ତ୍ରଣ କ୍ରମେ ୧୯୨୫ ଅଗଷ୍ଟ ୧୯ତାରିଖରେ ଗାନ୍ଧୀଜୀ ପୁନର୍ବାର କଟକରେ ପଦାର୍ପଣ କରିଥିଲେ । ଏହି ଅବସରରେ ମଧୁବାବୁଙ୍କ ପ୍ରତିଷ୍ଠିତ ଉତ୍କଳ ଟାନେରୀ ନାମକ ଜୋତା କାରଖାନାଟି ପରିଦର୍ଶନ କରି ମୁଗ୍ଧ ହୋଇଥିଲେ ଓ ଅହମ୍ମଦାବାଦସ୍ଥିତ ସାବରମତୀ ଆଶ୍ରମରେ ଏଭଳି ଏକ କାରଖାନା ପ୍ରତିଷ୍ଠା ପାଇଁ ମନସ୍ଥ କରିଥିଲେ । ଏହି ଅବସରରେ କଟକ ଉପକଣ୍ଠରେ ଅବସ୍ଥିତ ଏକ କୁଷ୍ଠାଶ୍ରମ ପରିଦର୍ଶନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।

ତୃତୀୟ ଗସ୍ତ: ୧୯୨୭ ଡିସେମ୍ବର ୨୧, କଟକ

ତୃତୀୟ ଥର ନିମନ୍ତେ ଓଡ଼ିଶା ପରିଦର୍ଶନରେ ଆସି କଟକଠାରେ ଭାଷାକୋଶବିତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଆମନ୍ତ୍ରଣ କ୍ରମେ ତାଙ୍କ ଗୃହରେ କିଛି ସମୟ କଟାଇଥିଲେ । ପ୍ରହରାଜ ମହୋଦୟଙ୍କ ଅଧ୍ୟବସାୟ ତଥା ବ୍ୟକ୍ତିଗତ ପ୍ରଚେଷ୍ଟାରେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଭଳି ଏକ ବିରାଟ ଗ୍ରନ୍ଥ-ପ୍ରକଳ୍ପ ସଂକଳନକୁ ଗାନ୍ଧୀଜୀ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ପୂର୍ବୋକ୍ତ କୁଷ୍ଠାଶ୍ରମଟି ଦେଖି ଆଶ୍ରମବାସୀଙ୍କୁ ଗୋଟିଏ ସେବତୀଫୁଲ ତୋଡ଼ା ଓ ଏକ ଟୋକେଇପୂର୍ଣ୍ଣ କମଳାଲେମ୍ବୁ ଉପହାର ପ୍ରଦାନ କରିଥିଲେ ।

ଚତୁର୍ଥ ଗସ୍ତ: ୧୯୨୮

୧୯୨୮ର ଦାରୁଣ ବନ୍ୟା ସମୟରେ ଗାନ୍ଧୀଜୀ ଚତୁର୍ଥ ଥର ନିମନ୍ତେ ଓଡ଼ିଶା ଆସିବା ବେଳକୁ ତାଙ୍କର ସହକର୍ମୀ ଗୋପବନ୍ଧୁଙ୍କର ଦେହାନ୍ତ ହୋଇସାରିଥିଲା । ଗୋପବନ୍ଧୁଙ୍କର ନିଃସ୍ଵାର୍ଥ ଜନସେବା, ଦରିଦ୍ର-ନାରାୟଣଙ୍କ ପ୍ରତି ଗଭୀର ସମବେଦନାକୁ ସ୍ମରଣ କରି ସେହି ମହାନ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ଗାନ୍ଧୀଜୀ ତାଙ୍କର ୟଙ୍ଗ ଇଣ୍ଡିଆ ପତ୍ରିକାରେ ବର୍ଣ୍ଣନା କରିଥିଲେ । ବାଲେଶ୍ଵର ଗସ୍ତକାଳରେ ଗାନ୍ଧୀଜୀ ବହୁ ବନ୍ୟାଞ୍ଚଳ ଗସ୍ତ କରିଥିଲେ । ଏହି ଗସ୍ତକାଳରେ ଗାନ୍ଧୀଜୀଙ୍କ ଇଂରେଜ ବନ୍ଧୁ ଏସ. ଏଫ. ଆଣ୍ଡୃଜ ତାଙ୍କ ଅନୁରୋଧ କ୍ରମେ ଓଡ଼ିଶାର ବିସ୍ତୀର୍ଣ୍ଣ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ପରିଦର୍ଶନ କରି ତାଙ୍କ ଲିଖିତ ‘ଇଣ୍ଡିଆ ଆଣ୍ଡ ସାଇମନ କମିଶନ ରିପୋର୍ଟ’ରେ ଏହି ବନ୍ୟାର କରୁଣ ଚିତ୍ର ମର୍ମସ୍ପର୍ଶୀ ଭାଷାରେ ବର୍ଣ୍ଣନା କରିଥିଲେ, ଯାହା ଫଳରେ ସେ କାଳର ବିହାର-ଓଡ଼ିଶା ସରକାର ବାଧ୍ୟ ହୋଇ ଓଡ଼ିଶାକୁ ତୁରନ୍ତ ରିଲିଫ ସାମଗ୍ରୀ ପଠାଇଥିଲେ।

ଗାନ୍ଧୀ:ଜଣା-ଅଜଣା

  • ନୋବେଲ ଶାନ୍ତି ପୁରଷ୍କାର ପାଇଁ ମହାତ୍ମା ଗାନ୍ଧୀଙ୍କୁ ପାଞ୍ଚ ଥର ଚୟନ କରାଯାଇଥିଲା ।
  • ଚାରି ଦେଶ ଓ ୪ ମହାଦେଶରେ ନାଗରିକ ଅଧିକାର ପାଇଁ ସେ ଲଢ଼ିଥିଲେ ।
  • ଗାନ୍ଧୀଙ୍କ ମରଶରୀରର ଶୋଭାଯାତ୍ରା ଦୀର୍ଘ ୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା ।
  • ସ‌ହିଦ ହେବାର ୨୧ ବର୍ଷ ପରେ ଗାନ୍ଧୀଙ୍କ ସମ୍ମାନାର୍ଥେ ଗ୍ରେଟ ବ୍ରିଟେନ ପକ୍ଷରୁ ଡାକ ଟିକେଟ ପ୍ରଚଳନ ଆରମ୍ଭ ହୋଇଥିଲା ।
  • ଜୀବନ‌କାଳରେ ଗାନ୍ଧୀଙ୍କ ହାରାହାରି ଦୈନିକ ପଦ‌ଯାତ୍ରା ଥିଲା ୧୮ କିଲୋମିଟର: ଦୁଇ ଥର ବିଶ୍ୱ ଭ୍ରମଣ ପାଇଁ ଏହା ଯଥେଷ୍ଟ।
  • ଗାନ୍ଧୀଙ୍କ ନାଁଆରେ ଭାରତରେ ୫୩ଟି ଏବଂ ବିଦେଶରେ ୪୮ଟି ମୂଖ୍ୟ ରାସ୍ତା ଲୋକାର୍ପିତ ।
  • ଗାନ୍ଧୀଙ୍କ ଅସଂଖ୍ୟ ପତ୍ରବନ୍ଧୁଙ୍କ ମଧ୍ୟରେ ଥିଲେ ଟଲଷ୍ଟୟ, ଆଇନଷ୍ଟାଇନ ଓ ହିଟ୍‌ଲର୍ ।
  • ଡର୍ବାନ, ପ୍ରିଟୋରିଆ ଓ ଜୋହାନ୍ସବର୍ଗରେ ତିନୋଟି ଫୁଟ୍‌ବଲ୍ କ୍ଲବ ଗଠନରେ ଗାନ୍ଧୀ ଥିଲେ ମୂଖ୍ୟ ପୁରୋଧା ।

ଆଧାର -

  1. Gandhi Smriti — Government of India website
  2. ମହାତ୍ମା ଗାନ୍ଧୀ
3.16666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top