অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରୀକ୍ଷା ନୁହେଁ ପ୍ରତିବନ୍ଧକ

ଉପକ୍ରମ

ଚାଲିଛି ପରୀକ୍ଷା ଋତୁ । ପରୀକ୍ଷା ପରେ ରେଜଲ୍ଟ ଭଲ ବା ଖରାପ ହୋଇପାରେ । ସଫଳତା ଏକ ସୁଖଦ ଅନୁଭୂତି ଦେବ । ସେମିତି ବିଫଳତା କଷ୍ଟ ପହଞ୍ଚାଇବ । ମାତ୍ର ଏଇ ପରୀକ୍ଷା ଜୀବନର ଶେଷ ପରୀକ୍ଷା ନୁହେଁ । ଏହା ଏକ ଅଭିଜ୍ଞତା । ଆଗାମୀ ଜୀବନରେ ଆହୁରି ଅନେକ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ । ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଗୋଟିଏ କଥା କୁହାଯାଉଛି ଯେ ଏହି ପରୀକ୍ଷାର ରେଜଲ୍ଟକୁ ନେଇ ଏବେଠୁ ଚିନ୍ତା କରିବା ଠିକ୍ ନୁହେଁ ।

ପରୀକ୍ଷା ଫଳାଫଳ

ତାମିଲନାଡୁ ଇରୋଦେରେ ଏକ ଦରିଦ୍ର ପରିବାରରେ ଜନ୍ମ ହୋଇଥିବା ପିଲାଟି ଯେ ଦିନେ ଜଣେ ମହାନ ଗଣିତଜ୍ଞ ହେବ ସେକଥା ସେ ସମୟରେ କେହି ଭାବିନଥିଲେ ।  ମାତ୍ର ଏହା ସମ୍ଭବ କରି ଦେଖାଇଥିଲେ ଶ୍ରୀନିବାସ ରାମାନୁଜମ ।  ରାମାନୁଜମଙ୍କ ବାପା ଏକ କପଡା  ଦୋକାନରେ ସାଧାରଣ ଚାକିରିଟିଏ କରିଥିଲେ । ମାସକୁ ଯେତିକି ଆୟ କରୁଥିଲେ ତାହା ପରିବାର ଚଳାଇବା ପାଇଁ ସମ୍ଭବ ନଥିଲା । ସେଥିପାଇଁ ରାମାନୁଜମଙ୍କୁ ପିଲା ଦିନରୁ  ମାମୁଁଘରେ ବଢିବାକୁ ପଡିଥିଲା । ମାତ୍ର ସ୍କୁଲ ଯିବା କଥା ଶୁଣିଲା ମାତ୍ରେ ରାମାନୁଜମଙ୍କୁ ଭୟ ଲାଗୁଥିଲା । ବାଧ୍ୟବାଧକତାରେ ସେ ସ୍କୁଲ ଯାଉଥିଲେ । ପଢିବା ପାଇଁ ମନରେ ଥିବା ଭୟ ବି ଦୂରେଇଲା । ଯେଉଁ ଗଣିତକୁ ଭୟ କରୁଥିଲେ ସେହି ଗଣିତ ହିଁ ହୋଇଗଲା ତାଙ୍କର ସବୁଠୁ ପ୍ରିୟ ବିଷୟ ଯାହା ତାଙ୍କୁ ବିଶ୍ଵବିଖ୍ୟାତ ଗଣିତଜ୍ଞ କରିପାରିଥିଲା । ରାମାନୁଜମଙ୍କ  ଉଦାହରଣରୁ ଏକଥା ଶିକ୍ଷା ମିଳେ ଯେ ପାଠ୍ୟ ପୁସ୍ତକ, ପରୀକ୍ଷା, ରେଜଲ୍ଟ, କ୍ୟାରିଅର ମଧ୍ୟରେ ସୀମିତ ନୁହେଁ ଭବିଷ୍ୟତ । ତେଣୁ ପରୀକ୍ଷାରେ ବିଫଳ ହୋଇଗଲେ ଜୀବନର ଗତିପଥ ଅଟକିଯାଏନି। ବରଂ ପରୀକ୍ଷା ଫଳାଫଳକୁ ଏକ ଅଭିଜ୍ଞତା ଭାବେ ବିଚାର କରି ଆଗେଇବାକୁ ପଡ଼ିବ । ଆଗକୁ ବଢିବାର ନାଁ ଜୀବନ । ଜୀବନର ଗତିପଥରେ ଛୋଟ, ବଡ ଅନେକ ବିଫଳତା ଆଗକୁ ବଢିବା ରାସ୍ତାରେ  ପ୍ରତିବନ୍ଧକ ସୃଷ୍ଟି କରିଥାଏ । ଏହା ସତ୍ତ୍ୱେ ଆଗେଇବାକୁ ହୋଇଥାଏ । ଗୋଟିଏ ବିଫଳତା କେବେ ବି ଜୀବନରେ ପୂର୍ଣ୍ଣଚ୍ଛେଦ ଟାଣିଦିଏ ନାହିଁ । ହୁଏତ ତାହା ମନରେ ଗଭୀର ଆଘାତ ସୃଷ୍ଟି କରିପାରେ । ମାତ୍ର ସମୟ କ୍ରମେ ସେହି ଆଘାତର ଜଖମ କରିଯାଏ । ଏହି ପ୍ରସଙ୍ଗରେ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ କଥା କୁହାଯାଇ ପାରିବ । ପରୀକ୍ଷା କେବଳ ବହି, ଖାତା ବା ସିଲାବସ୍ ମଧ୍ୟରେ ସୀମିତ ନୁହେଁ । ତେଣୁ ସ୍କୁଲ ବା କଲେଜ୍ ପରୀକ୍ଷାରେ କୃତକାର୍ଯ୍ୟ ନହେଲେ ବା ଆଶାନୁରୂପ ସଫଳତା ନ ମିଳିଲେ ହତାଶ ହେବା ଠିକ୍ ନୁହେଁ । ଆମ ପ୍ରେରଣାର ଉତ୍ସ ବୋଲାଉଥିବା ଅନେକ ବିଖ୍ୟାତ ବ୍ୟକ୍ତି ମଧ୍ୟ ଜୀବନର ପ୍ରାଥମିକ ପର୍ଯ୍ୟାୟରେ ବିଫଳ ହୋଇଛନ୍ତି । ପରିବର୍ତ୍ତୀ ସମୟରେ ମହାନ ପାଲଟିଛନ୍ତି । ବିଶ୍ଵ ବିଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନ ବି ଦିନେ ଗଣିତରେ ଫେଲ୍ ହୋଇଥିଲେ । ଚାର୍ଲସ ଡାରୱିନଙ୍କର ତ ପାଠ ପ୍ରତି ଆଗ୍ରହ ନଥିଲା ।

ପରୀକ୍ଷା ଏକ ଅଭିଜ୍ଞତା

ପରୀକ୍ଷାରେ ଫେଲ୍ ହେବା ବା ଆଶାନୁରୂପ ସଫଳତା ହାସଲ ନ କରିବା ହେଉଛି ଜୀବନର ଏକ ଅଭିଜ୍ଞତା । ହୁଏତ ଏହି ଅଭିଜ୍ଞତା ସମସ୍ତଙ୍କ ପାଇଁ ସମାନ ହୋଇନପାରେ । ଛାତ୍ରଛାତ୍ରୀମାନେ ରାତି ଅନିଦ୍ରା ରହି, ଖିଆପିଆ ଭୁଲି ପାଠ ପଢିବା ଯେମିତି ଏକ ଅଭିଜ୍ଞତା, ପରୀକ୍ଷାର ଫଳ ମଧ୍ୟ ସେହିଭଳି ଏକ ଅଭିଜ୍ଞତା । ଏମିତି ଅନେକ ତିକ୍ତ, ମଧୁର ଅଭିଜ୍ଞତାକୁ ପାଥେୟ କରି ଜୀବନରେ ଆଗକୁ ବଢିବା ହେଉଛି ବାସ୍ତବତା । ବିଫଳତା କେବେ ବି ସଫଳତାର ଯାତ୍ରାପଥରେ ପ୍ରତିବନ୍ଧକ ସାଜିପାରେନି । ଯଦିଓ କେତେକାଂଶରେ ବାଧା ସୃଷ୍ଟି କରିଥାଏ, ତେବେ ତାହା ସାମୟିକ । ସଫଳତା ନିଶ୍ଚିତ ଭାବେ ଖୁସି ଦେଇଥାଏ । ମାତ୍ର ବିଫଳତା ଦେଖାଇଥାଏ ଆଗକୁ ବଢିବାର ରାସ୍ତା ।

ସ୍କୁଲ ବା କଲେଜରେ ପରୀକ୍ଷା ଫଳ ଗ୍ରେଡ୍,ଡିଭିଜନ୍, ନମ୍ବର ଭିତରେ ସୀମିତ । ମାତ୍ର ବାସ୍ତବ ଦୁନିଆରେ ଅଭିଜ୍ଞତା ତଥାକଥିତ ନମ୍ବର, ଡିଭିଜନ୍ ଓ ଗ୍ରେଡ୍ ଥୁ ଅଧିକ କାମ ଦେଇଥାଏ । ଉଦାହରଣ ସ୍ୱରୂପ ଥରେ ପାସ୍ କରିସାରିବା ପରେ କେଉଁ ବିଷୟରେ କେତେ ମାର୍କ ରହିଛି ବା କେଉଁ ବିଷୟରେ ଅଧିକ ମାର୍କ ରହିଥିଲେ ଆହୁରି ଭଲ ହୋଇଥାନ୍ତା ସେ ବିଷୟରେ ଚିନ୍ତା କରି ମନକୁ ଅଧିକ ଭାରାକ୍ରାନ୍ତ କରିବା ଆବଶ୍ୟକ ନୁହେଁ । ‘ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ’(ସିବିଏସ୍ଇ)  ପିଲାଙ୍କ ମୁଣ୍ଡରୁ ପରୀକ୍ଷାର ଭୂତ ଛଡାଇବା ପାଇଁ ପାସ୍,ଫେଲ୍ ବ୍ୟବସ୍ଥାଟିକୁ ସମ୍ପୂର୍ଣ୍ଣ ଉଠାଇ ଦେଇଛି । ସିବିଏସ୍ଇ ଢାଞ୍ଚାରେ ପରିଚାଳିତ ଅଧିକାଂଶ ଆଞ୍ଚଳିକ ବୋର୍ଡଗୁଡିକ ମଧ୍ୟ ପାସ୍, ଫେଲ୍ ବ୍ୟବସ୍ଥା ପରିବର୍ତ୍ତେ ଗ୍ରେଡ଼େସନ୍ ଶୈଳୀ ଲାଗୁ କରିଛନ୍ତି । ସିବିଏସ୍ଇର ବରିଷ୍ଠ ଶିକ୍ଷାବିତ୍ ମାନେ ଅନୁଭବ କରିଥିଲେ ଯେ ଦଶମ ଓ ଦ୍ଵାଦଶ ବୋର୍ଡ ଯୋଗୁ ଅଧିକାଂଶ ଛାତ୍ରଛାତ୍ରୀ ଚାପ ଗ୍ରସ୍ତ ରହୁଛନ୍ତି । ପରୀକ୍ଷାରେ  ଅକୃତକାର୍ଯ୍ୟ ହେବା ଏବଂ ଆଶାନୁରୂପ ସଫଳତା ହାସଲ ନ କରିବା ଯୋଗୁ ଅତି ଅଳ୍ପ ବୟସରେ  କେତେଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା   କରିବାର ନିଜର ମଧ୍ୟ ରହିଛି । ତେଣୁ ଛାତ୍ରଛାତ୍ରୀମାନଙ୍କ ମାନସିକତା ସହିତ ସାମଞ୍ଜସ୍ୟ ରଖି ଏବେ ପରୀକ୍ଷାର ପ୍ରଶ୍ନପତ୍ର, ସିଲାବସ୍, ଶିକ୍ଷାଦାନର ଢାଞ୍ଚା ଆଦି ପ୍ରସ୍ତୁତ ହେଉଛି । ଏକ ଅଧ୍ୟୟନରୁ ଏକଥା ଜଣାଯାଉଛି ଯେ ଭାରତୀୟ ଛାତ୍ରମାନଙ୍କ ମଧ୍ୟରେ ବାର୍ଷିକ ପରୀକ୍ଷା ତୁଳନାରେ ଏହାର ଫଳାଫଳକୁ ନେଇ ଉଦ୍ ବେଗ ଅଧିକ ଥାଏ । ତେଣୁ ଫଳାଫଳ କଥା ପ୍ରଥମରୁ ଚିନ୍ତାକରି ପରୀକ୍ଷା ସମୟରେ ହିଁ ଅନେକ ପିଲା ଭୁଲ ଉତ୍ତର ଲେଖିଥାନ୍ତି । ଆମ ଦେଶର ଅନେକ ପ୍ରତିଷ୍ଠିତ ବିଦ୍ୟାଳୟରେ ଆଜିକାଲି ପରୀକ୍ଷାର ତିନି ଚାରି ଦିନ ପୂର୍ବରୁ ପାଠ ପଢା ବନ୍ଦ କରି ଯୋଗ, ପ୍ରାଣାୟମ, ଧ୍ୟାନ ଆଦି ଶିକ୍ଷା ଦିଆଯାଉଛି । ଏହା ଫଳରେ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କ ମନରୁ ଉଦ୍ ବେଗ କମିବା ସହିତ ଏକାଗ୍ରତା ବୃଦ୍ଧି ପାଉଛି।

ପରୀକ୍ଷାରେ ସୀମିତ ନୁହେଁ ଭବିଷ୍ୟତ

ଇଂରାଜୀରେ ଏକ ଉକ୍ତି ଅଛି । ‘ଏକ୍ସାମସ୍ ଟେଷ୍ଟ ଇଓର୍ ମେମୋରୀ, ଲାଇଫ୍ ଟେଷ୍ଟ୍ସ ଇଓର୍ ଲର୍ଣ୍ଣିଂ, ଅଦର୍ସ ୱିଲ୍ ଟେଷ୍ଟ ଇଓର୍ ପେସେନ୍ସ ।‘ ଏହି ପରିପ୍ରେକ୍ଷୀରେ ଗୋଟିଏ କଥା କୁହାଯାଇ ପାରିବ ଧୈର୍ଯ୍ୟହରା ହେବା ଆଦୌ ଉଚିତ ନୁହେଁ । ଯଦି ପରୀକ୍ଷାରେ ଭଲ ରେଜଲ୍ଟ ନ ହେଲା ତେବେ ଭବିଷ୍ୟତରେ କ’ଣ ହେବ? ଭଲ କଲେଜ୍ ରେ ସିଟ୍ ମିଳିବନି । ଭଲ ଚାକିରି କରିହେବନି । ଜୀବନଟା ବେକାର ହୋଇଯିବ । ଦିନ ରାତି ଏକାଠି କରି ପଢିଲା ପରେ ବି ଯଦି ରେଜଲ୍ଟ ଭଲ ନ ହେଲା ତା’ ହେଲେ ଏତେ ପଢିବା କ’ଣ ଦରକାର ଥିଲା । ଏହିଭଳି ନାନା ଭାବନା ଉଙ୍କି ମାରିଥାଏ ପରୀକ୍ଷା ଦେଇଥିବା ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ମନରେ ଏକ ଧାରଣା ରହିଛି ସୁନେଲି ଭବିଷ୍ୟତ ପାଇଁ ସ୍କୁଲ ଓ କଲେଜ ପରୀକ୍ଷାରେ ନିଶ୍ଚିତ ଭାବେ ଭଲ ରେଜଲ୍ଟ କରିବାକୁ  ହେବ । ଛାତ୍ରଛାତ୍ରୀ ନୁହନ୍ତି, ସେମାନଙ୍କ ଅଭିଭାବକମାନେ ମଧ୍ୟ ପିଲାଦିନରୁ ସେମାନଙ୍କ ମନରେ ପରୀକ୍ଷା ଫଳକୁ ନେଇ ଏମିତି ଚିନ୍ତାର ମଞ୍ଜି ବୁଣି ଦେଇଥାନ୍ତି । ଏକଥା ସତ ଯେ ବୋର୍ଡ ପରୀକ୍ଷାର ଗୁରୁତ୍ଵ ନିଶ୍ଚିତ ଭାବେ ରହିଛି । ମାତ୍ର ବୋର୍ଡ ପରୀକ୍ଷା ଜଣକ  ଜୀବନର ଅନ୍ତିମ ପରୀକ୍ଷା ଆଦୌ ନୁହେଁ । ଆଶାନୁରୂପ ସଫଳତା ହାସଲ କରି ନପାରିଲେ ହୁଏତ ମନପସନ୍ଦର କରେଜ୍ ରେ ନାଁ ଲେଖାଇବାର ସୁଯୋଗ ମିଳିନପାରେ । ଏମିତି ବି ହୋଇପାରେ ପସନ୍ଦଯୋଗ୍ୟ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ପାଇଁ ଆସୁବିଧା ହୋଇପାରେ । ମୋଟ୍ ଉପରେ କହିବାକୁ ଗଲେ ଭଲ ଗ୍ରେଡ୍, ମାର୍କ ନ ରଖିଲେ ଅସୁବିଧା ହୋଇପାରେ । କିନ୍ତୁ ଟିକେ ଚିନ୍ତା କରନ୍ତୁ। ପରୀକ୍ଷାରେ ଭଲ ଗ୍ରେଡ୍ ନ ମିଳିଲେ ବା ନମ୍ବର କମିଗଲେ ବା ଫେଲ୍ ହୋଇଗଲେ କ’ଣ ଜୀବନ ସେଇଠି ଅଟକିଯିବ । ଏମିତି ଯଦି ହୁଅନ୍ତା, ତେବେ ଆଜି ଉଦାହରଣ ସାଜିଥିବା ଦେଶ ବିଦେଶର ବହୁ ବିଖ୍ୟାତ ବ୍ୟକ୍ତିଙ୍କୁ ହୁଏତ ଇତିହାସ ମନେ ରଖିନଥାନ୍ତା । କାରଣ ସେଇ ସବୁ ବ୍ୟକ୍ତିମାନେ ବିଫଳତାକୁ ପ୍ରେରଣା  ପାଇ ସଫଳତାର ଶିଖର ସ୍ଥାନରେ ପହଞ୍ଚି ପାରିଥିଲେ । କେବଳ ଯେ ବିଜ୍ଞାନରେ ଭଲ କ୍ୟାରିୟର କରିହେବ ସେକଥା ଭାବିବା ବି ଠିକ୍ ନୁହେଁ । ବାଣିଜ୍ୟ ଓ କଳା ଭଳି ବିଭାଗରେ ମଧ୍ୟ କ୍ୟାରିଅର କରିବା ସମ୍ଭବ । ଏହା ବ୍ୟତୀତ ଆହୁରି ଅନେକ ପାଠ୍ୟକ୍ରମ ଆମ ଦେଶରେ ପ୍ରଚଳନ ହେଲାଣି ଯେଉଁଥିରେ ଛାତ୍ରଛାତ୍ରୀମାନେ ଖୁବ୍ ଭଲ କ୍ୟାରିଅର୍ କରିପାରୁଛନ୍ତି । କେବଳ କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଉ ସୀମିତ ନାହିଁ ବୋର୍ଡ ପରବର୍ତ୍ତୀ ଉଚ୍ଚଶିକ୍ଷା  । ତେଣୁ ବୋର୍ଡ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ବା ଆଶାନୁରୂପ ସଫଳତା ହାସଲ କରିନଥିବା ପିଲାମାନେ କେବେ ବି ଭାବନ୍ତୁ ନାହିଁ ଯେ ସେମାନଙ୍କ ଜୀବନ ଗୋଟିଏ ପରୀକ୍ଷାର ଫଳ ମଧ୍ୟରେ ହିଁ  ଅଟକିଯିବ । ଆମ ସମସାମୟିକ ବିଖ୍ୟାତ   ବ୍ୟକ୍ତିମାନଙ୍କ  ମଧ୍ୟରୁ ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ପାଠ ପଢା ସମ୍ପୂର୍ଣ୍ଣ କରି ପାରିନାହାନ୍ତି । ମାତ୍ର ସେମାନଙ୍କ ନଭଶ୍ଚୁମ୍ବୀ ସଫଳତା ସାରା ବିଶ୍ଵବାସୀଙ୍କ ପାଇଁ ପ୍ରେରଣା ପାଲଟିଛି ।

ଆଲବର୍ଟ ଆଇନଷ୍ଟାଇନ

ବିଶ୍ଵ ବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ଥରେ କହିଥିଲେ,’ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ କିଛି ନା କିଛି ମେଧା ଥାଏ । ମାତ୍ର ମାଛଟିଏ ଗଛ ଚଢି ପାରେ ନାହିଁ ବୋଲି ତାକୁ ମୂର୍ଖ କହିବା ମଧ୍ୟ ଠିକ୍ ନୁହେଁ । ଏପରି ଭାବନା ରଖୁଥିବା ବ୍ୟକ୍ତି ନିହାତି ନିର୍ବୋଧ।‘ ଏଠାରେ ଏହି ଉଦାହରଣ ଦେବାର ଅର୍ଥ ହେଲା ଜଣେ ଛାତ୍ର ନିର୍ଦ୍ଦିଷ୍ଟ ଗୋଟିଏ ବା ଦୁଇଟି ବିଷୟରେ ଦୁର୍ବଳ ବୋଲି ସେ ପାଠପଢାରେ ପଛୁଆ ଭାବିବା ଉଚିତ ନୁହେଁ । ଉଦାହରଣ ସ୍ୱରୂପ ଯଦି ଜଣେ ଗଣିତରେ ଦୁର୍ବଳ, ହୁଏତ ସେ ସାହିତ୍ୟ ବା ଇତିହାସରେ ଖୁବ୍ ଭଲ କରୁଥିବ । ତେଣୁ ଦୁର୍ବଳ ଥିବା ବିଷୟଟି ପ୍ରତି ଟିକେ ଅଧିକ ଧ୍ୟାନ ଡେକେ ପରୀକ୍ଷା ବେଳକୁ ସେହି ବିଷୟଟି ପ୍ରତି ଥିବା ଭୟ ମନରୁ ଦୂର ହୋଇଯାଇଥିବ । ଏହା ସତ୍ତ୍ୱେ ଯଦି ବିଫଳତା ଦେଖିବାକୁ ପଡେ ତେବେ କଷ୍ଟ ହେବ ନିଶ୍ଚୟ ।  ପ୍ରତ୍ୟାଶା ଓ ପ୍ରତ୍ୟୟ ଯେତେବେଳେ ନୈରାଶ୍ୟରେ ପରିଣତ ହୁଏ ସେତେବେଳେ ଜଣେ ଭାଙ୍ଗିପଡିବା ସ୍ଵାଭାବିକ । କିନ୍ତୁ ଏହି ନୈରାଶ୍ୟକୁ ସାଥୀ କରି ଅଯଥାରେ ମନସ୍ତାପ କଲେ ଆଗକୁ ବଢିବା ସମ୍ଭବ ହେବନି । ଥରେ ବିଫଳତାର ବୋଝ ମୁଣ୍ଡରେ ଲଦି ହୋଇଗଲେ ସେହି ବୋଝକୁ ମୁଣ୍ଡରୁ ହଟାଇବା କଷ୍ଟକର ହୋଇପଡେ । ଅକୃତକାର୍ଯ୍ୟ ହୋଇଥିବା ପିଲା ‘ଦୀର୍ଘଦିନ ଧରି ଗୋଟିଏ କାରଣକୁ ନେଇ ମନସ୍ତାପ କାଲେ ମାନସିକ କଲେ ମାନସିକ ସ୍ତରରେ ଦୁର୍ବଳତା ଗ୍ରାମ କରିନିଏ । ସେତେବେଳେ ବିଭିନ୍ନ ପ୍ରକାରର ନକରାତ୍ମାକ  ଚିନ୍ତା ଉଙ୍କିମାରେ । ବେଳେ ପରୀକ୍ଷାରେ  ଭଲ ରେଜଲ୍ଟ କରିନଥିବା କାରଣରୁ ପ୍ରତିବର୍ଷ କେଉଁଠି ନା କେଉଁଠି ଛାତ୍ର ଛାତ୍ରୀ ଆତ୍ମହତ୍ୟା କରୁଥିବାର ଖବର ନଜରକୁ ଆସେ ।  ଏହି ପ୍ରସଙ୍ଗରେ ରାଜସ୍ଥାନର ଜଣେ ବ୍ୟକ୍ତିଙ୍କ ଉଦାହରଣ ଦିଆଯାଇପାରେ । ଉକ୍ତ ବ୍ୟକ୍ତିଙ୍କ ବୟସ ୮୦ରୁ ଅଧିକ । ମାତ୍ର ସେ ତାଙ୍କ ଜୀବନ କାଳ ମଧ୍ୟରେ ୪୬ ଥର ଦଶମ ଶ୍ରେଣୀ ବୋର୍ଡ  ପରୀକ୍ଷା ଦେଇଛନ୍ତି । ରାଜସ୍ଥାନର  ଅଲୱର ନିବାସୀ ଶିବ ଚରଣ ଯାଦବ ନାମକ ଏହି ବ୍ୟକ୍ତିଙ୍କ କହିବା ହେଲା ସେ ମାଟ୍ରିକୁଲେଟ୍ ଣ ହେବା ପର୍ଯ୍ୟନ୍ତ ବିବାହ କରିବେନି । ପରିଣତ ବୟସରେ ପହଞ୍ଚି ସାରିବା ପରେ ବି ମ୍ୟାଟ୍ରିକୁଲେଟ୍ ହେବାର ନିଶା ତାଙ୍କ ମନରୁ କାହିଁକି ଯାଇନି ବୋଲି ଅନେକ ତାଙ୍କୁ ପ୍ରଶ୍ନ କରିଛନ୍ତି । କୌଣସି ପ୍ରକାରର ଛଳନା ନ କରି ଅତି ଅକପଟ ସ୍ଵରରେ ସେ କହିଛନ୍ତି ଏବେ ତ ଆଉ ତାଙ୍କର ବିବାହ କରିବାର ବୟସ ନାହିଁ । ମାତ୍ର ପାସ୍ ନ କଳା ପର୍ଯ୍ୟନ୍ତ ଦଶମ ବୋର୍ଡ ପରୀକ୍ଷା ଦେଇ ସେ ହୁଏତ ରେକର୍ଡ କରିପାରିବେ । ଏହି ରେକର୍ଡ କରିବାର ନିଶା ତାଙ୍କୁ ବୃଦ୍ଧ ବୟସରେ ବି ପରୀକ୍ଷା ଦେବାକୁ ବଞ୍ଚିତ କରିପାରିନି । ତେଣୁ ତରୁଣ ବୟସରେ ପରୀକ୍ଷାରେ ଆଶାନୁରୂପ ସଫଳତା ନ ମିଳିଲା ଯୋଗୁ ମନସ୍ତାପ  ଓ ଅନ୍ତର୍ଦାହ ମଧ୍ୟରେ ନିଜକୁ ତିଳ ତିଳ କରି ଜାଳିବା ପରିବର୍ତ୍ତେ ନୂଆ କିଛି କରି ଦେଖାଇବା ଉଚିତ । ବର୍ତ୍ତମାନ ଅନେକ ଛାତ୍ରଛାତ୍ରୀ କଲେଜ ସ୍ତରରେ ଯେଉଁ ପାଠ ପଢୁଛନ୍ତି, ସେହି ପାଠକୁ ନେଇ କ୍ୟାରିଅର୍ ବିକଳ୍ପ ଏବେ ବ୍ୟାପକ ହେବାରେ  ଲାଗିଛି । ଉଦାହରଣସ୍ୱରୂପ ଆଇଆଇଟି ଭଳି ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନରୁ ପ୍ରଶିକ୍ଷିତ ଛାତ୍ର  ପରିବର୍ତ୍ତୀ ସମୟରେ ମ୍ୟାନେଜମେଣ୍ଟ, ମେଡିକାଲ ପଢୁଥିବା ଛାତ୍ରଛାତ୍ରୀ ପ୍ରଶାସନିକ ସେବାରେ ଯୋଗ ଦେଉଛନ୍ତି ।

ବାପା,ମା’ ଙ୍କ ଇଚ୍ଛାର ଚାପ

‘ଆମେ ତୋ ଉପରେ କେତେ ଭରସା ରଖିଛୁ । ଆମ ଜୀବନରେ ତ କରିପାରିଲୁନି । ତୁ ଆମର ସ୍ଵପ୍ନ । ତତେ ନେଇ ଆମ ଭବିଷ୍ୟତ । ତୋ ପାଠକୁ ନେଇ ତୁ ଯେତେ ଚିନ୍ତିତ ନୁହେଁ, ତା’ଠାରୁ ଅଧିକ ଚିନ୍ତାରେ ଆମେ ରହୁଛୁ । ସବୁ କିଛି ଭୁଲି ଏବେ ଖାଲି ପରୀକ୍ଷା କଥା ଭାବ । ମନଦେଇ ପାଠ ପଢ ଯେମିତିକି ସବୁଠୁ ଭଲ ଗ୍ରେଡ୍ ଆଣିବୁ । ‘ସ୍କୁଲରେ ପଢୁଥିବା ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାମାନଙ୍କୁ ଏମିତି କଥା ସବୁ କହିଥାନ୍ତି । ନିଜ ଜୀବନରେ ଥିବା ଆଶା, ଆକାଂକ୍ଷାକୁ ପିଲାଙ୍କ ଦ୍ଵାରା ପୂରଣ କରିବାକୁ ଚାହାନ୍ତି ଅନେକ ଅଭିଭାବକ । ମାତ୍ର ଏପରି କରି ସେମାନେ ପ୍ରଥମରୁ ପିଲାଟି କ’ଣ ଚାହୁଁଛି ସେକଥା ଚିନ୍ତା କରନ୍ତି ନାହିଁ । ଉଦାହରଣ ସ୍ୱରୂପ ଡାକ୍ତର ହେବାର ସ୍ଵପ୍ନ ଦେଖିଥିବା ଅଭିଭାବକ ପରବର୍ତ୍ତୀ ସମୟରେ ନିଜ ସ୍ଵପ୍ନ ପୂରଣ ନକରି ପାରିଲେ, ନିଜ ପିଲାଙ୍କୁ ସେହି ସ୍ଵପ୍ନ ଦେଖିବା ପାଇଁ ଏକ ପ୍ରକାର ବାଧ୍ୟ କରନ୍ତି ।

ବିଫଳତାରୁ ପ୍ରେରଣା

ସଫଳତା ରାସ୍ତା ବେଶ୍ ଲମ୍ବା । ସଫଳତା ଗୋଟିଏ ରାତିର ସ୍ଵପ୍ନ ନୁହେଁ । ବରଂ ଦୀର୍ଘ ଅଧ୍ୟବସାୟର ଫଳ ।  ସଫଳତାର ଶିଖର ସ୍ଥାନରେ ପହଞ୍ଚିବାକୁ ହେଲେ ବହୁ ଘାତ ପ୍ରତିଘାତ ବାଟ ଓଗାଳିଥାଏ । ମାତ୍ର ସେହି ସବୁ ବାଧାକୁ ଅତିକ୍ରମ କରି ଯିଏ ଆଗକୁ ବଢିପାରେ ସିଏ ହିଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାଏ । ପ୍ରଥମରୁ ବିଫଳତାରେ ଭାଙ୍ଗି ପଡିଲେ ସଫଳତାର ପଥ ଆହୁରି କଣ୍ଟକିତ ହୋଇପଡେ । ଆମ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିବା ବିଶ୍ଵର ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ କିନ୍ତୁ ଗୋଟିଏ ଦିନରେ ସଫଳତା ହାସଲ କରିନାହାନ୍ତି । ବିଫଳତାରେ ଭାଙ୍ଗି ପଡିନାହାନ୍ତି । ବରଂ ବିଫଳତା ହିଁ ସେମାନଙ୍କୁ ଚ୍ୟାଲେଞ୍ଜକୁ ସାମ୍ନା କରିବାର ସାହସ ଯୋଗାଇଛି । ସେମାନେ ହାରିନାହାନ୍ତି । ବରଂ ଅନ୍ୟମାନଙ୍କ ପାଇଁ ଜିତିବାର ପ୍ରେରଣା ପାଲଟିଛନ୍ତି । ଏହି ପ୍ରସଙ୍ଗରେ କେତେଜଣ ବ୍ୟକ୍ତିତ୍ଵଙ୍କୁ ଉଦାହରଣ ଭାବେ ନେଇଛୁ  ଯେଉଁମାନଙ୍କ ପାଇଁ ବିଫଳତା ହିଁ ଲକ୍ଷ୍ୟ ହାସଲ କ୍ଷେତ୍ରରେ ପ୍ରେରଣା ସାଜିଛି ।

କଷ୍ଟରେ ମାଟ୍ରିକ୍ ପାସ୍ କରିଥିଲେ

ଦେଶର ଅନ୍ୟତମ ଆଣ୍ଟିଭାଇରସ୍ କମ୍ପାନି ‘କ୍ଵିକ୍ ହିଲ୍ ଟେକ୍ନୋଲୋଜି’ ର ନାଁ ଇଣ୍ଟରନେଟ୍ ବ୍ୟବହାର କରୁଥିବା ପ୍ରାୟ ଅଧିକାଂଶ ଲୋକ ଜାଣିଥିବେ । ୧୯୯୩ ମସିହାରେ ପ୍ରତିଷ୍ଠିତ ଏହି କମ୍ପାନିରେ ସେବା ଏବେ ସାରା ବିଶ୍ଵକୁ ପ୍ରସାରିତ । ଏହାର ପ୍ରତିଷ୍ଠାତା ହେଉଛନ୍ତି କୈଳାସ କାଟକର । ମହାରାଷ୍ଟ୍ରର ରହିମତପୁର ସହର ପାଖରେ ଥିବା ଏକ ଛୋଟ ଗାଁରେ ଜନ୍ମ ହୋଇଥିଲେ କୈଳାସ । ବାପା ପୁନେସ୍ଥିତ ଫିଲିପ୍ସ କମ୍ପାନିରେ ଜଣେ ମେକାନିକ୍ ଭାବେ କାମ କରୁଥିଲେ । ପରିବାରର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିଲା । ୧୯୮୫ ମସିହାରେ ଖୁବ କଷ୍ଟରେ ମାଟ୍ରିକ୍ ପାସ୍ କରିଥିଲେ କୈଳାସ । ପେଟପାଟଣା ପାଇଁ ସେ ସ୍ଥାନୀୟ ଏକ ରେଡିଓ ଓ କାଲକୁଲେଟର ମରାମତି ଦୋକାନରେ ଚାକିରି କରିଥିଲେ । କିଛିଦିନ ପରେ ସେ ନିଜେ ଏକ କାଲକୁଲେଟର ମରାମତି ଦୋକାନ ଆରମ୍ଭ କରିଥିଲେ । ଏହା ଥିଲା ଆରମ୍ଭ । ବହୁତ ଘାତ ପ୍ରତିଘାତ ମଧ୍ୟ ଦେଇ ଧୀରେ ଧୀରେ ଆଗକୁ ବଢୁଥିଲେ କୈଳାସ । ସାନ ଭାଇକୁ କମ୍ପ୍ୟୁଟର ଇଞ୍ଜିନିୟରିଂ ପଢାଇଥିଲେ ଯାହା ପରବର୍ତ୍ତୀ ସମୟରେ କୈଳାସଙ୍କ କାମରେ ଆସିଲା । ତାଙ୍କ ସଫଳତାର କାହାଣୀ ବେଶ୍ ଲମ୍ବା । ଆଜି ସେ ଦେଶର ଏକ ବଡ ଆଣ୍ଟି-ଭାଇରସ କମ୍ପାନିର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ।

ପାଠ ପ୍ରତି ଆଗ୍ରହ ନଥିଲା

ପିଲାଙ୍କ ଖେଳକୁଦ କରିବା ବୟସରେ ସେ ଆରମ୍ଭ କରିଥିଲେ ବ୍ୟବସାୟ । ପାଠ ପଢା ପ୍ରତି ଆଗ୍ରହ ନଥିବାରୁ ସେ ସ୍କୁଲ ଶିକ୍ଷା ପରେ ହିଁ  ପାଠ ଛାଡି ଦେଇଥିଲେ । ଓଡିଶାର ବିଷମ କଟକରେ ଜନ୍ମିତ ରିତେଶ ଅଗ୍ରୱାଲ ମାତ୍ର ୧୭ ବର୍ଷ ବୟସରେ ହୋଇଥିଲେ ଦେଶର ସର୍ବକନିଷ୍ଠ  ସିଇଓ । ଏବେ ସେ ଫୋର୍ବସ୍ ତାଲିକାର ‘ଅଣ୍ଡର୍ ୩୦’ ତାଲିକାଭୁକ୍ତ ହୋଇଛନ୍ତି । ରିତେଶ ଓୟୋ ରୁମ୍ବର ପ୍ରତିଷ୍ଠାତା । ତାଙ୍କର ଏହି ସୁବିଧା ଦେଶର ପ୍ରାୟ ୧୬୦ଟି ସହରରେ ଉପଲବ୍ଧ । ବିଦେଶକୁ ମଧ୍ୟ ଏହା ପ୍ରସାରିତ ହେବାରେ ଲାଗିଛି ।

ଅଡିସନ୍ ଟେଷ୍ଟରେ ବିଫଳ

ଅମିତାଭ ବଚ୍ଚନ । ନାଁଟି ଯଥେଷ୍ଟ । ବଲିଉଡ୍ ରୁ ହଲିଉଡ୍ ସବୁଠି ପ୍ରସିଦ୍ଧ ପାଇଛନ୍ତି ଭାରତୀୟ ସିନେମା ଜଗତର ଏହି ମହାନ ଅଭିନେତା । ମାତ୍ର ଜାଣନ୍ତି କି ଅଭିନୟ ଦୁନିଆରେ ପାଦ ରଖିବା ପୂର୍ବରୁ ଅମିତାଭ କୋଲକାତାରେ ସାଧାରଣ ଚାକିରି କରୁଥିଲେ । ଯେଉଁ କଣ୍ଠସ୍ଵର ପାଇଁ ସେ ବିଖ୍ୟାତ, ସେହି କଣ୍ଠସ୍ଵର ପାଇଁ ଦିନେ ତାଙ୍କୁ ଆକାଶବାଣୀର ଅଡିସନ୍ ଟେଷ୍ଟରେ ବିଫଳ ହେବାକୁ ପଡିଥିଲା । ମାତ୍ର ଧୈର୍ଯ୍ୟ  ଓ ଆତ୍ମବିଶ୍ଵାସ ହିଁ  ତାଙ୍କୁ ସଫଳତାର ଶିଖରରେ ପହଞ୍ଚାଇ ପାରିଥିଲା । ସଫଳତା ପରେ ବିଫଳତା । ପୁଣି ସେଇ ବିଫଳତାକୁ ଶିକ୍ଷା ଲାଭ କରି ଆଗକୁ ବଢିବା  ବୋଧହୁଏ ଅମିତାଭ ବଚ୍ଚନଙ୍କଠାରୁ  ଶିଖିବାକୁ ପଡିବ । ତାଙ୍କ ଡ୍ରିମ୍ ପ୍ରୋଜେକ୍ଟ ଏବସିଏଲ୍ ଦେବାଳିଆ ହୋଇଗଲା  ପରେ ବି ଭାଙ୍ଗି ପଡିନଥିଲେ ଅମିତାଭ । ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି, ତାହା କେବଳ ତାଙ୍କର  ଧୈର୍ଯ୍ୟ ଓ ନିଷ୍ଠା ପାଇଁ । କେବଳ ଅମିତାଭ ନୁହନ୍ତି, ପୁଅ ଅଭିଷେକଙ୍କ କ୍ଷେତ୍ରରେ ମଧ୍ୟ ଏହି କଥାଟି ଲାଗୁ ହେବ । ଅଭିଷେକ ପିଲାଦିନେ ଡିସ୍ଲେସ୍କିଆ ଭୋଗୁଥିଲେ । ଡିସ୍ଲେସ୍କିଆ ଏପରି ଏକ ରୋଗ ଯେଉଁଥିରେ ପିଲାମାନେ ଲେଖାପଢା କରିବାରେ ସମସ୍ୟା ଭୋଗିଥାନ୍ତି । ଅକ୍ଷରଗୁଡିକ ଭଲ ଭାବେ ବୁଝି ପାରନ୍ତି ନାହିଁ । ଅକ୍ଷରଗୁଡିକ ଭଲ ଭାବେ ବୁଝି ପାରନ୍ତି ନାହିଁ । ଶବ୍ଦ ବା ବାକ୍ୟ ଗଠନ କରିବାରେ ଅସୁବିଧା ହୋଇଥାଏ । ମାତ୍ର ସେହି ଶାରୀରିକ ସମସ୍ୟାକୁ ଅତିକ୍ରମ କରି ଅଭିଷେକ ଭଲ ପାଠ ପଢିଥିଲେ । ଏପରିକି ବିଦେଶ ଯାଇ ମ୍ୟାନେଜମେଣ୍ଟରେ ମଧ୍ୟ ଡିଗ୍ରୀ ହାସଲ କରିଥିଲେ ।

ଅଧାରୁ ଛାଡିଥିଲେ ପାଠ

ଭାରତୀୟ ବିତ୍ତଶାଳୀ ବ୍ୟକ୍ତିମାନଙ୍କ ମଧ୍ୟରେ ଗୌତମ ଆଦାନି ଅନ୍ୟତମ । ଏକ ଗୁଜରାଟି ଜୈନ୍ ପରିବାରରେ ଜନ୍ମ ହୋଇଥିବା ଗୌତମ ଅବମ୍ମଦାବାଦାର ସି.ଏନ୍ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା କରିଥିଲେ । ଛାତ୍ର ଭାବେ ଅତି ସାଧାରଣ ଥିଲେ ଗୌତମ । ଗୁଜରାଟ ୟୁନିଭର୍ସିଟିରେ ଗ୍ରାଜୁଏସନ୍ କଲା ବେଳେ ଅଧାରୁ ପାଠ ଛାଡି ଦେଇଥିଲେ । ଗୁଜରାଟ ମାଧ୍ୟମରେ ପଢୁଥିବାରୁ ଇଂରାଜୀରେ କଥାବାର୍ତ୍ତା କରିବାରେ ମଧ୍ୟ ସେ ଦକ୍ଷ ନଥିଲେ । ପାଠ ଛାଡିଦେବା ପରେ ସେ ପାରିବାରିକ ବ୍ୟବସାୟରେ ଯୋଗ ଦେଇଥିଲେ । ଆଜି  ସେ ଆଦାନି ଗ୍ରୁପ୍ ର ଅଧ୍ୟକ୍ଷ । ଏବେ ବି ସେ କୌଣସି ସାକ୍ଷାତକାର ଦେବା ଅବସରେ ହିନ୍ଦୀରେ ହିଁ କଥାବାର୍ତ୍ତା କରନ୍ତି । ସ୍ୱଳ୍ପ ଶିକ୍ଷା, ଇଂରାଜୀରେ କଥା ହୋଇ ନପାରିବା କେବେ ବି ତାଙ୍କୁ କଷ୍ଟ ଦେଇନଥିଲା । ବରଂ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିନେଇଥିଲେ । ଗୌତମ ଆଦାନିଙ୍କ କାହାଣୀରୁ ଏହି ଶିକ୍ଷା ମିଳୁଛି ଯେ ପାଠରେ ଦୁର୍ବଳ ହେଲେ, ଇଂରାଜୀରେ ଭଲ କଥା ହୋଇ ନପାରିଲେ, କୌଣସି କରାଣବଶତଃ ଅଧାରୁ ପାଠ ଛାଡିଦେଲେ ଭବିଷ୍ୟତରେ ପୂର୍ଣ୍ଣଚ୍ଛେଦ ପଡିଯାଏନି ।

ବୋର୍ଡ ପରୀକ୍ଷାରେ ଫେଲ୍

ଶିବ ଖେରା । ଜଣେ ‘ମୋଟିଭେସନାଲ୍ ସ୍ପିକର୍’ ଭାବେ ସାରା ବିଶ୍ଵରେ ଏକ ଶ୍ରଦ୍ଧେୟ ନାଁ । ଆଜି ସିଏ ଅନ୍ୟମାନଙ୍କୁ ସୁନେଲି ଭବିଷ୍ୟତ ପାଇଁ ପ୍ରେରଣା ଦେଇ ଚାଲିଛନ୍ତି । ମାତ୍ର ତାଙ୍କ ଅତୀତ ଖୁବ୍ କଷ୍ଟଦାୟକ ଥିଲା । ଖଣିଜ ଦ୍ରବ୍ୟ ଉତ୍ତୋଳନ କରିବା ଥିଲା ତାଙ୍କର ପାରିବାରିକ ବ୍ୟବସାୟ । ମାତ୍ର ତାହା ବି ଅଚାନକ ବନ୍ଦ ହୋଇଗଲା । ଘରର ଆର୍ଥିକ ସ୍ଥିତି ଖୁବ୍  ଆଘାତ ଦେଇଥିଲା ଶିବଙ୍କୁ । ଦଶମ ଶ୍ରେଣୀ ପରେ ବିଜ୍ଞାନ ବିଭାଗରେ ପଢିବା ପାଇଁ ଘରେ ବାଧ୍ୟ କରିଥିଲେ । ବିଜ୍ଞାନକୁ ଆଦୌ ପସନ୍ଦ କରୁନଥିଲେ ସେ । ସେଥିପାଇଁ ବୋର୍ଡ ପରୀକ୍ଷାରେ ଫେଲ୍ ହୋଇଥିଲେ । ଏହାପରେ ସେ ନିଜ ଇଚ୍ଛାରେ କଳା ପଢିଥିଲେ । ସେତେବେଳେ ଶିକ୍ଷକ କହିଥିଲେ ବିଜ୍ଞାନ ପାଠ୍ୟକ୍ରମରୁ କଳାକୁ ପରିବର୍ତ୍ତନ କଲେ ସେ ପାସ୍ କରିପାରିବେନି । ମାତ୍ର ସେ ପାସ୍ କରିଥିଲେ । ତାହା ପୁଣି ପ୍ରଥମ ଶ୍ରେଣୀରେ । ବିଦେଶ ଯାଇ ଅଧିକ ପଢିବା ପାଇଁ ଇଚ୍ଛା ଥିଲେ ବି ସମ୍ବଳ ନଥିଲା । ଖୁବ କଷ୍ଟରେ ଅର୍ଥ ଯୋଗାଡ କରି ଟରଣ୍ଟୋ  ଯାଇଥିଲେ । ସେଠାରେ ଜଣେ କାର୍ ୱାଶର୍ (କାର୍ ସଫା କରୁଥିବା ବ୍ୟକ୍ତି ) ଭାବେ କାମ କରିଥିଲେ । ସେଠି ପ୍ରସିଦ୍ଧ ଦାର୍ଶନିକ ନର୍ମାନ ଭିନସେଣ୍ଟ ପିଲ୍(ଦ ପାୱାର ଅଫ୍ ଥିଙ୍କିଙ୍ଗ୍ ର ଲେଖକ)ଙ୍କ ଏକ ବକ୍ତତା ହିଁ ଶିବଙ୍କ ଚିନ୍ତାଧାରା ବଦଳାଇ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ସେ ୧୨ ଟି  ସେଲ୍ଫ ହେଲ୍ଫ ପୁସ୍ତକ ରଚନା କରିସାରିଛନ୍ତି । ସେଥି ମଧ୍ୟରୁ କେତୋଟି ବେଷ୍ଟ ସେଲର୍ ମଧ୍ୟ ହୋଇପାରିଛି ।

ଆଧାର – କ୍ୟାରିୟର ବ୍ୟୁରୋ

Last Modified : 12/25/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate