ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ପରୀକ୍ଷା ପାଇଁ ଲାଗିଥିବା ପିଲାର ଚାପକୁ ବୁଝନ୍ତୁ
ସେଆର କରନ୍ତୁ

ପରୀକ୍ଷା ପାଇଁ ଲାଗିଥିବା ପିଲାର ଚାପକୁ ବୁଝନ୍ତୁ

ପରୀକ୍ଷା ପାଇଁ ଲାଗିଥିବା ପିଲାର ଚାପକୁ ବୁଝନ୍ତୁ

ଉପକ୍ରମ

ବାପା , ମା  ମାନେ  ଥରେ  ଧ୍ୟାନ  ଦିଅନ୍ତୁ   । ଆପଣଙ୍କ  ପିଲା  ଯଦି  କହୁଛି , ମୋତେ ଭାରି  ନର୍ଭସ୍  ଲାଗିଲାଣି  ବା ଏଥର  ପରୀକ୍ଷାରେ  କଷ୍ଟ  ପ୍ରଶ୍ନ  ଆସିଲା  ଭଳି  ଲାଗୁଛି  କିମ୍ବା  ଆର  ମାସ  ଏତିକି  ବେଳକୁ  ମୁଁ  ପରୀକ୍ଷା  ହଲ୍ ରେ  ବସିଥିବି  ବା  ଏମିତି  କିଛି , ତେବେ  ଆପଣମାନେ  ପିଲାର  ପରିସ୍ଥିତିକୁ   ଟିକିଏ  ଗମ୍ଭୀରତାର  ସହ  ବିଚାର   କରନ୍ତୁ  । ପିଲାଟି  ଉପରେ   ପରୀକ୍ଷାର  ଚାପ  ମାଡି  ବସିବା  ଆରମ୍ଭ  କଲାଣି  ବୋଲି  ଜାଣନ୍ତୁ   । ପିଲା  ଉପରେ  ଯଦି  ପରୀକ୍ଷାର  ଚାପ  ମାଡି  ବସେ  ତେବେ  ତାର  ପରୀକ୍ଷା  ଖରାପ  ହେବାର  ଆଶା  ଅଧିକ   । ଯଦିଓ , ଏମିତି ବି  ପିଲା  ଅଛନ୍ତି , ଯେଉଁମାନେ  କି  ଚାପରେ   ରହିଲେ  ବି  ପରୀକ୍ଷାରେ  ଭଲ  କରନ୍ତି   ।

ମନୋବୈଜ୍ଞାନିକ   ମାନଙ୍କ  ମତରେ  ପରୀକ୍ଷାର  ଚାପ  ସାଧାରଣତଃ   ଦୁଇ  ପ୍ରକାର  ହୋଇଥାଏ   । ଗୋଟିଏ  ହେଲା  ଦୀର୍ଘ କାଳୀନ  ଚାପ  । ପରୀକ୍ଷା  ପାଇଁ  ପ୍ରସ୍ତୁତ  ହେଲା  ବେଳକୁ   ପିଲାଟି  ଏହି  ଚାପ  ଭୋଗେ   । ଆଉ  ଏକ  ଚାପ  ପରୀକ୍ଷା  ହିଁ ଆରମ୍ଭ  ହୁଏ  । ଅନେକ  ଡାକ୍ତରୀ  ପରୀକ୍ଷା  ଏହା  ପ୍ରମାଣ  କରିସାରିଲାଣି  ଯେ  ପରୀକ୍ଷା  ଜନିତ  ଚାପ  ଯୋଗୁ  ପିଲାଟିର  ଶରୀରରେ  ସାଲିଭାରି  ଏସଇମୁନୋଗ୍ଲୋବିନ  ବା  ଏସଏଲଜିଏ  ନାମକ  ଏକ  ଆଣ୍ଟିବଡ଼ି  କମିଯାଏ   । ଏହି  ଆନ୍ତବଡି  ଶରୀରକୁ  ବିଭିନ୍ନ  ରୋଗ  ସଂକ୍ରମଣରୁ  ସୁରକ୍ଷା   ପ୍ରଦାନ   କରେ   । ସେଥିପାଇଁ  ଅନେକ  ସ୍ଥଳରେ  ଦେଖାଯାଏ  ଯେ  ପରୀକ୍ଷା  ସମୟରେ   ହିଁ  ପିଲାମାନେ   ରୋଗ  ସଂକ୍ରମଣର  ଅଧିକ  ଶିକାର  ହୋଇଥାନ୍ତି  । ମନୋବିଜ୍ଞାନୀମାନେ   କୁହନ୍ତି  ଯେ  ଛାତ୍ର  ବା  ଛାତ୍ରୀମାନଙ୍କୁ  ଶୃଙ୍ଖଳିତ  କରିବା  ପାଇଁ  ମଧ୍ୟମ  ଧରଣର  ଚାପ  ନିତାନ୍ତ  ଆବଶ୍ୟକ   । କିନ୍ତୁ  ପିଲାମାନଙ୍କ  ଉପରେ  ମାତ୍ରାଧିକ  ଚାପ  ଦିଆଯିବା  ଉଚିତ  ନୁହେଁ   । ଅନେକ  ବାପା  ମା ’  ଯେଉଁ  ଲକ୍ଷ୍ୟ  ନିଜେ  ସାଧନ   କରିବାରେ   ବିଫଳ  ହୋଇଥାନ୍ତି , ସେମାନେ  ନିଜ  ପିଲାମାନଙ୍କ  ଦ୍ଵାରା  ତାହା  ହାସଲ  କରିବାକୁ  ଚେଷ୍ଟା   କରନ୍ତି   । ଏଭଳି  ବାପା  ମା  ପିଲାମାନଙ୍କ   ଉପରେ  ଅଧିକ  ଚାପ  ପ୍ରୟୋଗ   କରନ୍ତି   । ପିଲାଟି  କେଉଁ  କ୍ଷେତ୍ରରେ  ପାରଦର୍ଶିତା  ଦେଖାଇବାର  ସମ୍ଭାବନା  ରଖିଛି , ସେ  ଦିଗରେ  ଧ୍ୟାନ  ନଦେଇ  ସେମାନେ  ନିଜ  ଦ୍ଵାରା  ନିର୍ବାଚିତ   କ୍ଷେତ୍ରରେ  ପିଲାଟି  ଭଲ  କରୁ  ବୋଲି  ଚାହାନ୍ତି   । ତାହା  ହିଁ  ପିଲାଟି  ପାଇଁ  କାଳ   ହୋଇପଡେ   ।

ପିଲାଦିନରୁ  ଜାଣିହେବ

ପିଲା  ଦିନରୁ  ଜାଣିହେବ  ପିଲାଟି  କେଉଁ  ବିଷୟରେ  ଭଲ  କରିବ   । ତୃତୀୟ   ଶ୍ରେଣୀରେ   ପଢିଲା  ବେଳକୁ   ସେମାନେ   ବିଭିନ୍ନ   ବିଷୟ  ପ୍ରତି  ଆଗ୍ରହ  ବା  ଅନାଗ୍ରହ  ଦେଖାଇ  ଥାନ୍ତି    । ଜେନ  ସମ୍ବେଦନଶୀଳ  ବାପା ମା  ଏ  ସମ୍ପର୍କରେ   ଧାରଣା   କରିପାରେ   । ପିଲାଟି  ପ୍ରଥମ  ଶ୍ରେଣୀ  ପଢିଲା  ବେଳକୁ  ବାପା  ମା  ମାନେ   ପିଲାଟି  କେଉଁ  ବିଷୟରେ  ଭଲ   କରିବ  ବା  କେଉଁ  କ୍ଷେତ୍ରରେ   ପିଲାଟିର   ପ୍ରତିଭା  ରହିଛି , ତାହା  ଜାଣିପାରିବେ   ।

ପିଲା  ଚାପରେ  ନ ଆସିବା  ପାଇଁ  କଣ  କରିବେ ? : ଏ  ଦିଗରେ  ବାପା ମା ’ ମାନଙ୍କର  ଦାୟିତ୍ଵ ଅନେକ   । ଅନେକ  ବାପା ମା  ପିଲାଟି  ଦିନରୁ  ଏ  ଦାୟିତ୍ଵକୁ  ଠିକ୍  ଭାବେ   ତୁଲାଇ   ଥାନ୍ତି   । ସେମାନଙ୍କ  ପିଲାମାନେ   ପରୀକ୍ଷା  ବେଳେ  ହଇରାଣରେ  ପଡନ୍ତି   ନାହିଁ  । ସାନବେଳୁ   ପିଲାମାନେ  ଯେମିତି  ସେମାନଙ୍କ  ଭିତରେ  ଏକ  ଭଲ  ସଉକ  ବା  ‘ ହବି ’ ବିକାଶ  କରନ୍ତି  ତାହା ଦେଖିବା  କଥା । ଗପ  ବହି  ପଢିବାକୁ   ଉତ୍ସାହିତ  କରିବା , ଖବର  କାଗଜ  ପଢିବାର  ଅଭ୍ୟାସ  କରାଇବା , କୌଣସି  ଏକ  ଭଲ  ବାଦ୍ୟଯନ୍ତ୍ର   ବଜାଇବାର  ତାଲିମ  ଦେବା  ଏଭଳି  ସଉକର  ଅନ୍ତର୍ଭୁକ୍ତ   । ଯେତେବେଳେ   ପାଠରୁ  ଫୁର୍ସତ  ମିଳିବ  ସେତିକି ବେଳେ  ପିଲାଟିଏ  ଯଦି  ସେ  ଭଲ ପାଉଥିବା  କୌଣସି  ଏକ  କାମରେ  ଲାଗିବ , ତେବେ  ତାର  ମନକୁ  ହାଲୁକା  ହେବ  ଏବଂ  ପରବର୍ତ୍ତୀ  ସମୟରେ  ଆଉ  ଠାରେ  ପଢାପଢି  ଆରମ୍ଭ  କଲା  ବେଳକୁ  ସେ  ସତେଜ   ହୋଇପାରିବ   । ପିଲାଟି  ଦିନରୁ  ପ୍ରତି  ଦିନ  ତିନିରୁ   ଚାରି  ଘଣ୍ଟା  ପଧାରା  ଅଭ୍ୟାସ  କରାଇବା  ଭଲ  । ଜଣେ  ଯଦି  ବର୍ଷ  ଆରମ୍ଭରୁ  ତିନିରୁ  ଚାରି  ଘଣ୍ଟା  ପଢେ , ତେବେ  ତାକୁ  ପରୀକ୍ଷା  ବେଳକୁ  ଅତି  ଅଧିକ  ପରିଶ୍ରମ   କରିବାକୁ  ପଡିବ   ନାହିଁ    । କ୍ଲାନ୍ତି  ମେଣ୍ଟାଇବା  ପାଇଁ  ପିଲା ଭଲ  ଭାବେ   ଶୋଇବା   ଉଚିତ୍  । ପିଲାଟି   ଭଲ  ଗୀତ  ଶୁଣି  ବି  ମନକୁ  ପ୍ରଫୁଲ୍ଲ   କରିପାରେ   । କିନ୍ତୁ  ଟିଭି   ଦେଖି  ମନକୁ   ଖୁସି  କରିବାର  ଅଭ୍ୟାସ  ଯେମିତି   ନହୁଏ , ସେ  ଦିଗରେ  ବାପା  ମା ’ ମାନେ  ଧ୍ୟାନ  ଦେବା  ଉଚିତ୍  ।

ମାନସିକ  ସାହସ

ପିଲାକୁ  ମାନସିକ  ସାହସ  ବା  ପ୍ରତ୍ୟୟ ଦେବା  ପ୍ରତି  ବାପାମାନଙ୍କ  ଦାୟିତ୍ଵ   । ଏଇ  ପରୀକ୍ଷାଟି  ଗୁରୁତ୍ୱପୂର୍ଣ୍ଣ  ମାତ୍ର  ଖରାପ  ହୋଇଗଲେ  ସବୁ  ବାଟ  ବନ୍ଦ  ହୋଇଯିବ  ନାହିଁ  ବୋଲି  ବାପା ମା   ମାନେ   ବୁଝାଇବା  ଦରକାର  । ଏହା  ମଧ୍ୟ  ସତ  ଯେ  ଗୁରୁତ୍ୱପୂର୍ଣ୍ଣ  ହେଲେ  ବି ଏହା  ଏକମାତ୍ର  କଥା  ନୁହେଁ   । ସବୁ  ପରିସ୍ଥିତିର  କିଛି  ନା  କିଛି  ବିକଳ୍ପ  ଅଛି   ।

ଚାପର  ପରିଣାମ

ଚାପଗ୍ରସ୍ତ  ପିଲାମାନଙ୍କ  ଉପରେ  ଏହାର  ପ୍ରଭାବ   ନକରାତ୍ମକ  ହୋଇଥାଏ   । ଏହା  ସେମାନଙ୍କ  ଆତ୍ମପ୍ରତ୍ୟୟକୁ  ଆକ୍ରାନ୍ତ   କରେ   । ବଡ  ହେଲା  ପରେ  ବି  ଏହା  ସେମାନଙ୍କ  ବ୍ୟକ୍ତିତ୍ଵକୁ  ପ୍ରଭାବିତ  କରିଥାଏ   । ଜଣା  ପଡିଛି  ଯେ ଅତ୍ୟଧିକ  ଚାପଗ୍ରସ୍ତ  ପିଲାମାନଙ୍କ  ଭିତରୁ  ପଚାଶ  ପ୍ରତିଶତ  କୌଣସି  ନା  କୌଣସି  ସମୟରେ  ଆତ୍ମହତ୍ୟା  କରିବା  ସମ୍ପର୍କରେ  ଗମ୍ଭୀରତାର  ସହ  ବିଚାର  କରନ୍ତି   । ସାଧାରଣତଃ  ଏଭଳି  ଆତ୍ମହତ୍ୟା  କରୁଥିବା  ପିଲାମାନଙ୍କ  ଭିତରେ   ପୁଅମାନଙ୍କ  ସଂଖ୍ୟା  ଝିଅମାନଙ୍କ ଠାରୁ  ଅଧିକ  । ଏହା  ପଛରେ  ଥିବା  କାରଣଟି  ହେଉଛି  ପୁଅମାନଙ୍କ  ଉପରେ  କିଛି  କରି  ଦେଖାଇବାର  ଚାପ  ଅଧିକ  ଥାଏ  ।

ବାପା ମା ମାନେ  କଣ   ଜାଣିବା   ଉଚିତ୍

ଆଜି  କାଲି  ସହରୀ  ବାପା  ମା’  ମାନଙ୍କ  ଭିତରୁ   ଅଧିକାଂଶ  ଉଚ୍ଚଶିକ୍ଷିତ   । ମାତ୍ର , ସେମାନଙ୍କ   ଭିତରୁ  ବେଶି  ଭାଗ  ପିଲାର  ସାମଗ୍ରିକ  ବିକାଶକୁ  ନେଇ  ଚିନ୍ତିତ   ନୁହନ୍ତି  ବା  ସଚେତନ   ନୁହନ୍ତି   । ଅଧିକାଂଶ  ମନୋବୈଜ୍ଞାନିକଙ୍କ  ମତାନୁସାରେ  ଏହା  ହିଁ  ହେଉଛି  ପିଲାମାନଙ୍କ   ଉପରେ  ଚାପର  ପ୍ରଧାନ  କାରଣ  । ସେମାନେ  କୁହନ୍ତି  ଯେ  ପିଲାର  ପ୍ରତିଭାକୁ   ଏବେ  ଗ୍ରେଡ  ଅନୁସାରେ  ମପା  ଯାଉଛି    । ପିଲାର  ଜୀବନ  ଏବେ   ହୋଇପଡୁଛି  ଗ୍ରେଡ  ସର୍ବସ୍ଵ   । କିନ୍ତୁ , କୌଣସି  ବିଦ୍ୟାଳୟରେ  ଶିକ୍ଷକ  ବା  ପିଲାମାନଙ୍କ  ବାପା ମା ’  ମାନେ  ପିଲାର  ସୃଜନଶୀଳ  ପ୍ରତିଭାର  ବିକାଶ  ଦିଗରେ  ନଜର  ଦିଅନ୍ତି  ନାହିଁ   । ଏହା  ହିଁ  ହେଉଛି  ପିଲା  ଉପରେ  ବଢୁଥିବା  ଚାପର  ପ୍ରଥମ  କାରଣ   । ପୂର୍ବେ  ପିଲାଟି  କେବଳ   ପରୀକ୍ଷାରେ  ଭଲ  କରୁ  ବୋଲି  ବାପା  ମା ’  ଏବଂ  ଗୁରୁଜନମାନେ  ଆଶା  କରୁଥିଲେ , ମାତ୍ର  ଏବେ  ଯେଉଁ  ପିଲାଟି  ଭଲ  ଖେଳୁଛି , ତା  ଉପରେ  ବି  ଏତେ  ଚାପ  ପଡୁଛି , ସେ  ତାର  ମୁକାବିଲା   କରିବାକୁ  ଅସମର୍ଥ  ହେଉଛି   ।

ପରୀକ୍ଷା  ପାଇଁ  ପ୍ରସ୍ତୁତ  ହେଉଥିବା  ପିଲାମାନଙ୍କୁ  କଣ  ଖାଇବାକୁ  ହେବ ?

ପରୀକ୍ଷା  ପାଇଁ  ହେଉଥିବା  ପିଲାମାନଙ୍କ  ଖାଦ୍ୟ  ତାଲିକା  ଚିକିତ୍ସା  ବିଜ୍ଞାନରେ  ସେପରି  କିଛି  ସ୍ଵତନ୍ତ୍ର  ତାଲିକାରେ  ନାହିଁ  କିନ୍ତୁ  ଏହି  ସମୟରେ  ଫାଷ୍ଟଫୁଡ , ଅତ୍ୟଧିକ  ଗରିଷ୍ଠ  ଖାଦ୍ୟ  ଦିଅନ୍ତୁ  ନାହିଁ   । ଅଳ୍ପ  ଅଳ୍ପ  ଭାବରେ  ବରଂ  ଦିନକୁ  ଚାରି  ପାଞ୍ଚଥର  ଖାଦ୍ୟ  ଦେଲେ  ଭଲ   । ରାତିରେ  ବିଶ୍ରାମ  ବେଳେ  ପିଲାକୁ  କ୍ଷୀର  ପିଇବା  ପାଇଁ  ଦିଅନ୍ତୁ   । ବର୍ତ୍ତମାନ  ସାହାଜେ  ଗ୍ରୀସ୍ମର  ଉତ୍ତାପ  ବଢୁଥିବାରୁ  ପିଲାମାନଙ୍କୁ  ଫଳଜୁସ୍ , ପଇଡପାଣି  ଦେବା  ଭଲ   । ଥଣ୍ଡାପାନୀୟ  ବା  ଥଣ୍ଡାଖାଦ୍ୟ  ଦିଅନ୍ତୁ  ନାହିଁ  ମିଠା  ଆଇସ୍କ୍ରିମ  ନଦେଲେ   ଭଲ   । ସୁଷମ  ଖାଦ୍ୟ  ଦିଅନ୍ତୁ , ତଟକା   ପନିପରିବାରେ  ଖାଦ୍ୟ  ତିଆରି  କରନ୍ତୁ   । ପିଲାଟିର  ଯେପରି  ଖାଦ୍ୟଜନିତ   କୋଷ୍ଠକାଠିନ୍ୟ  ନ ହୁଏ   ସେ  ଦିଗକୁ  ଭୁଲନ୍ତୁ  ନାହିଁ   । ପିଲାକୁ  କୌଣସି  ଖାଦ୍ୟ  ପାଇଁ  ଜବରଦସ୍ତ  କରନ୍ତୁ  ନାହିଁ  ବା  ବାଧ୍ୟ  କରନ୍ତୁ  ନାହିଁ   । ବାସି  ଖାଦ୍ୟ , ତେଲଭାଜି   ନଦେଲେ  ଭଲ   । ଆମିଷ   ଦିଅନ୍ତୁ  କିନ୍ତୁ  ଏହାର  ପରିମାଣ  କମ   ରଖନ୍ତୁ   । ଆମିଷରେ  ଛୋଟମାଛ  ବା ଦେଶୀ  ଅଣ୍ଡା  ଭଲ  । ପିଲାଟିର  କୌଣସି  ଦୀର୍ଘକାଳୀନ   ଅସୁସ୍ଥତା  ଥିଲେ  ତୁରନ୍ତ   ଶିଶୁ  ବିଶେଷଜ୍ଞଙ୍କ  ପରାମର୍ଶ  ନିଅନ୍ତୁ   । ଏହି  ସମୟରେ   ପିଲାର  ମନସ୍ତାତ୍ତ୍ଵିକ  ଦିଗକୁ  ଆପଣ   ଜଣେ  ଅଭିଭାବକ  ନୁହେଁ  ବରଂ  ଜଣେ  ବନ୍ଧୁ  ଭାବରେ  ତା   ସହିତ   ସମୟ  ଦେଲେ , ଭାବର  ଆଦାନ  ପ୍ରଦାନ  କଲେ  ଏହା  ପିଲା  ଉପରେ  ଭଲ  ପ୍ରଭାବ  ପକାଇବ  । ଉପରୋକ୍ତ  କଥା  ଗୁଡିକ  ମାନି   ଚଳନ୍ତୁ   ଦେଖିବେ  ଆପଣଙ୍କ   ପିଲା  ନିଶ୍ଚିନ୍ତ  ଭାବରେ  ଭଲ  ଫଳ  ପାଇବା   ।

ଆଧାର : ଡାକ୍ତର ଜ୍ୟୋତିରଞ୍ଜନ ଚମ୍ପତିରାୟ

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top