ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଗବେଷଣା ଯାହାର ନିଶା
ସେଆର କରନ୍ତୁ

ଗବେଷଣା ଯାହାର ନିଶା

ବିଜ୍ଞାନ ଶିକ୍ଷା ଓ ଗବେଷଣାକୁ ତାଙ୍କର ଅବଦାନ ଲାଗି ପ୍ରଫେସର ନନ୍ଦଙ୍କୁ ମିଳିଛି ବହୁ ସ୍ଵିକୃତି ଓ ସମ୍ମାନ

ପ୍ରଫେସର ନନ୍ଦ ର ସରଳ ଜୀବନ

ବିଜ୍ଞାନ ଶିକ୍ଷା ଓ ଗବେଷଣାକୁ ତାଙ୍କର ଅବଦାନ ଲାଗି ପ୍ରଫେସର ନନ୍ଦଙ୍କୁ ମିଳିଛି ବହୁ ସ୍ଵିକୃତି ଓ ସମ୍ମାନ  । ତନ୍ମଧ୍ୟରୁ କେତୋଟି ହେଲା ଭାରତୀୟ ରସାୟନ ବିଜ୍ଞାନ ଦ୍ଵାରା ପ୍ରଦତ୍ତ ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ର ବୋଷ ସ୍ମୃତି ପଦକ (୧୯୯୨) ଏବଂ ଓଡିଶା ବିଜ୍ଞାନ ଏକାଡେମୀର ରାଜ୍ୟ ବରିଷ୍ଠ ବୈଜ୍ଞାନିକ ସମ୍ମାନ (୧୯୯୮)  ।

ବୈଜ୍ଞାନିକ ବୋଲି କହିଲେ ଯେଉଁ ଭାବମୂର୍ତ୍ତିଟି ମନକୁ ଆବୋରି ବସେ ତାହା ହେଲା ଜଣେ ସ୍ଥିତପ୍ରଜ୍ଞର  । ସେ ଜଣେ କର୍ମଯୋଗୀ, ଯାହାଙ୍କୁ ଛୁଇଁପାରେନି ସାଧାରଣ ଜୀବନର ସୁଖଦୁଃଖ  । ବିଜ୍ଞାପନର ଆଢୁଆଳରେ ରହି ସେ ବିତାଇଥାନ୍ତି ସରଳ ଜୀବନ ଏବଂ ନିମଗ୍ନ ରହିଥାନ୍ତି ଉଚ୍ଚ ଚିନ୍ତାରେ । ଏ ସମସ୍ତ ଉପାଦାନରେ ସମୃଦ୍ଧ ଥିଲା ପ୍ରଫେସର ରବୀନ୍ଦ୍ର କୁମାର ନନ୍ଦଙ୍କ ବ୍ୟକ୍ତିତ୍ଵ ।

ବାଲ୍ୟାବସ୍ଥା

ଯାମିନୀ ମୋହନ ନନ୍ଦ ଓ କୌଶଲ୍ୟାଙ୍କ କୋଳ ମଣ୍ଡନକରି ୧ଅଗଷ୍ଟ, ୧୯୩୦ରେ ରବୀନ୍ଦ୍ର ଅନୁଗୋଳଠାରେ  ଜନ୍ମଲାଭ କରିଥିଲେ ଏବଂ ସେହିଠାରେ ହିଁ କଟିଥିଲା ତାଙ୍କର ବାଲ୍ୟାବସ୍ଥା ଓ ସମାପ୍ତ ହୋଇଥିଲା ପ୍ରାଥମିକ ଶିକ୍ଷା  । ପୂର୍ତ୍ତ  ବିଭାଗରେ କାର୍ଯ୍ୟରତ ପିତାଙ୍କ ବଦଳି ହେବାରୁ ସେ ବ୍ରହ୍ମପୁର ଆସିଲେ ଏବଂ ସେଠାରେ କଲେଜିଏଟ୍ ବିଦ୍ୟାଳୟରୁ ୧୯୪୫ରେ ସମଗ୍ର ରାଜ୍ୟରେ ଦଶମ ସ୍ଥାନ ଅଧିକାର କରି ମାଧ୍ୟମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ  । ତାଙ୍କ କଲେଜ ଶିକ୍ଷା ଆରମ୍ଭ ହୋଇଥିଲା ପାରଳାଖେମୁଣ୍ଡିସ୍ଥିତ ଏମ୍.କେ.ସି.ଜି. ମହାବିଦ୍ୟାଳୟରୁ  । ସେଠାରୁ କୃତିତ୍ଵର ସହ ଉଚ୍ଚ ମାଧ୍ୟମିକରେ ଉତ୍ତୀର୍ଣ୍ଣ ହେଲା ପରେ ସେ ଯୋଗଦେଲେ ରେଭେନ୍ସା ମହାବିଦ୍ୟାଳୟରେ ଏବଂ ସେଠାରୁ ୧୯୫୦ ମସିହାରେ ରସାୟନ ବିଜ୍ଞାନରେ ‘ସମ୍ମାନ’ ସହିତ ସ୍ନାତକ ଓ ୧୯୫୨ ମସିହାରେ ସ୍ନାତକୋତ୍ତର ଉପାଧି ଲାଭ କରିଥିଲେ  । ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ ଏ ଉଭୟ ପରୀକ୍ଷାରେ ସେ ସମଗ୍ର ରାଜ୍ୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ଯୋୟ ସ୍ଵର୍ଣ୍ଣପଦକ ହାସଲ କରିଥିଲେ  ।

ଶିକ୍ଷାଦାନ ସହିତ ଗବେଷଣା

ଏହାପରେ ସେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପକ ରୂପେ ଯୋଗଦେଲେ (୧୯୫୨) ଏବଂ ଶିକ୍ଷାଦାନ ସହିତ ଗବେଷଣାରେ ନିଜକୁ ନିୟୋଜିତ କରିଦେଲେ  । ତଦାନୀନ୍ତନ ସୁବିଖ୍ୟାତ ରସାୟନ ବିଜ୍ଞାନ ପ୍ରଫେସର ସୁକୁମାର ଆଦିତ୍ୟଙ୍କ ତତ୍ତ୍ଵାବଧାନରେ ‘କମ୍ପ୍ଲେକ୍ସ’ ଜାତୀୟ ଯୌଗିକ ଉପରେ  ଗବେଷଣା କରି ସେ ୧୯୬୨ ମସିହାରେ ଡକ୍ଟରେଟ୍ ଉପାଧି ହାସଲ କଲେ  । ତାଙ୍କୁ ୧୯୬୩ ମସିହାରେ ମିଳିଲା  କମନୱେଲ୍ ଥ ଫେଲୋଶିପ୍  । ସେ ଇଂଲଣ୍ଡର ସେଫିଲ୍ଡ ବିଶ୍ଵବିଦ୍ୟାଳୟରୁ ୧୯୬୪ ମସିହା ପର୍ଯ୍ୟନ୍ତ ‘ବୋରନ୍ ହାଇଡ୍ରାଇଡ ଡେରିଭେଟିବସ୍’ ଉପରେ ଗବେଷଣା କଲାପରେ ୧୯୬୪-୬୫ ରେ ୟୁନିଭର୍ସିଟି କଲେଜ ଅଫ ଲଣ୍ଡନରେ ‘କୋବାଲ୍ଟ – ଆରୋସିନ୍ କମ୍ପ୍ଲେକ୍ସ’ ର ପ୍ରତିକ୍ରିୟାଶୀଳତା ସମ୍ପର୍କରେ ଅଧ୍ୟୟନ ଚଳାଇଥିଲେ  । ଏହିସବୁ ପଦାର୍ଥ ମଧ୍ୟରୁ ଅନେକର ବିଭିନ୍ନ ରାସାୟନିକ ପ୍ରକ୍ରିୟାକୁ ଉତ୍ ପ୍ରେରିତ କରିବାର ଏବଂ ଆଉ କେତେକର ଔଷଧୀୟ ଗୁଣ ଥିଲା  । ଏହା ତାଙ୍କୁ ଅଜୈବ- ରସାୟନ ବିଜ୍ଞାନ, ବିଶେଷକରି ‘କମ୍ପ୍ଲେକ୍ସ’ ଅଧ୍ୟୟନ କ୍ଷେତ୍ରରେ ସୁପ୍ରତିଷ୍ଠିତ କଲା  ।

ଇତିମଧ୍ୟରେ ତାଙ୍କର ବିବାହ ସମ୍ପନ୍ନ ହୋଇ ସାରିଥିଲା ଅନସୂୟାଙ୍କ ସହିତ ଏବଂ ଗଢିଉଠିଥିଲା ତିନିଝିଅ ସୁନନ୍ଦା, ସୁସ୍ମିତା ଏବଂ ନନ୍ଦିତାଙ୍କୁ ନେଇ ତାଙ୍କ ସଂସାର  ।

ପ୍ରଫେସର ନନ୍ଦ ୧୯୬୫ରେ ଇଂଲଣ୍ଡରୁ ଫେରି ରେଭେନ୍ସା ମହାବିଦ୍ୟାଳୟରେ ଯୋଗଦେଲେ  । ୧୯୬୭ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଗି ବ୍ୟବସ୍ଥା ଆରମ୍ଭ ହେଲା  । ସେ ସେଠାରେ ଯୋଗଦେଇ ପ୍ରାଥମିକ ଅବସ୍ଥାରେ ଏହି ବିଭାଗର ସୁଦୃଢ ମୂଳଦୁଆ ସ୍ଥାପନରେ ପ୍ରମୁଖ ଭୂମିକା ଗ୍ରହଣ କଲେ  ।

ତତ୍ପରେ ୧୯୭୯ରୁ ୧୯୮୧ ପର୍ଯ୍ୟନ୍ତ ସେ ଯୋଗଦେଲେ ଆମେରିକାର ଟେକାସାସ୍ ସ୍ଥିତ ଏ ଆଣ୍ଡ ଏମ୍ ବିଶ୍ଵବିଦ୍ୟାଳୟରେ ଭିଜିଟିଂ ପ୍ରଫେସର ରୂପେ ଏବଂ ୬ ମାସ ପାଇଁ ଇଣ୍ଡୋ-ଆମେରିକାନ୍ ଏକ୍ସଚେଞ୍ଜ ପ୍ରୋଗ୍ରାମରେ ଯୋଗଦେଇ ଉଚ୍ଚତର ଗବେଷଣର ବିଷୟବସ୍ତୁ ଥିଲା ‘ଇକ୍ଵିଲବ୍ରିୟମ  ଆଣ୍ଡ ଡାଇନାମିକ କୋଅର୍ଡିନେଶନକମ୍ପ୍ଲେକସେସ୍ ଇନ୍ ଆକ୍ସିଅସ ଆଣ୍ଡ ମିକ୍ସଡ ସଲଭେଣ୍ଟ ମିଡିଆ  । ସେଠାରୁ ଫେରିଲା ପରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ତାଙ୍କୁ ପ୍ରଫେସର ପଦକୁ ପଦୋନ୍ନତି ମିଳିଲା  ।’

ସ୍ଵିକୃତି ଓ ସମ୍ମାନ

ବିଜ୍ଞାନ ଶିକ୍ଷା ଓ ଗବେଷଣାକୁ ତାଙ୍କର ଅବଦାନ ଲାଗି ପ୍ରଫେସର ନନ୍ଦଙ୍କୁ ମିଳିଛି ବହୁ ସ୍ଵିକୃତି ଓ ସମ୍ମାନ  । ତନ୍ମଧ୍ୟରୁ କେତୋଟି ହେଲା ଭାରତୀୟ ରସାୟନ ବିଜ୍ଞାନ ଦ୍ଵାରା ପ୍ରଦତ୍ତ ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ର ବୋଷ ସ୍ମୃତି ପଦକ (୧୯୯୨) ଏବଂ ଓଡିଶା ବିଜ୍ଞାନ ଏକାଡେମୀର ରାଜ୍ୟ ବରିଷ୍ଠ ବୈଜ୍ଞାନିକ ସମ୍ମାନ (୧୯୯୮)  । ଉତ୍କଳ ବିଶ୍ଵବିଦ୍ୟାଳୟରୁ ଅବସର ଗ୍ରହଣ ପରେ ଦୀର୍ଘ ୪ବର୍ଷ ଧରି ସେ ଓଡିଶା ବିଜ୍ଞାନ ଏକାଡେମୀର ଉପାଧ୍ୟକ୍ଷ ଭାବେ କାର୍ଯ୍ୟକରି ଏହାକୁ ରାଜ୍ୟର ଏକ ପ୍ରମୁଖ ଅନୁଷ୍ଠାନରେ ପ୍ରବର୍ତ୍ତିତ କରିବାରେ ବରିଷ୍ଠ ଭୂମିକା ନେଇଥିଲେ  ।

ପ୍ରଫେସର ନନ୍ଦ ବହୁ ସୁନାମଧନ୍ୟ ଜାତୀୟ ଏବଂ ଆନ୍ତର୍ଜାତୀୟ ଗବେଷଣା ପତ୍ରିକାରେ ପ୍ରକାଶ କରିଥିଲେ ୯୦ରୁ ଉର୍ଦ୍ଧ୍ଵ ଗବେଷଣା ପତ୍ର । ତାଙ୍କ ତତ୍ତ୍ଵାବଧାନରେ ୧୨ ଜଣ ଗବେଷକ ଡକ୍ଟରେଟ ଉପାଧି ଲାଭ କରିଥିଲେ  । ସେ ଥିଲେ ଜଣେ ସଚ୍ଚୋଟ ଏବଂ ପ୍ରତିଶ୍ରୁତିବଦ୍ଧ  ଗବେଷକ  । ଗବେଷଣାଲବ୍ଧ ଫଳାଫଳକୁ ସୁବିଧା ଅନୁସାରେ ବଦଳାଇ ଉପସ୍ଥାପିତ କରିବା ଏବେ ଏକ ସାଧାରଣ କଥା ହେଲାଣି  । ସେ ଥିଲେ ଏହାର ଘୋର ବିରୋଧୀ  । ସତ୍ୟ ସିଦ୍ଧତା ଥିଲା ତାଙ୍କ ଚରିତ୍ରର ପ୍ରଧାନ ଉପାଦାନ; ଯାହାକି ତାଙ୍କ ଗବେଷଣା ଓ ବ୍ୟକ୍ତିଗତ ଜୀବନରେ ପ୍ରକଟିତ ହୋଇଥିଲା  ଅତି ଉଜ୍ଜ୍ଵଳ ଭାବେ  । ସେ ମଧ୍ୟ ଥିଲେ ଜଣେ ଉଚ୍ଚକୋଟୀର ଶିକ୍ଷକ  ।

ଦେହାବସାନ

୬ ଏପ୍ରିଲ, ୨୦୧୮ରେ ଏହି କର୍ମଯୋଗୀଙ୍କର ଦେହାବସାନ ଘଟିଛି  । ଫଳରେ ଆମ ରାଜ୍ୟ ହରାଇଛି ଜଣେ ଉଚ୍ଚକୋଟୀର ବୈଜ୍ଞାନିକ ଓ ଶିକ୍ଷାବିତ୍ ଙ୍କୁ ଏବଂ ତାଙ୍କ ଶହଶହ ଛାତ୍ରୀଛାତ୍ର  ହରେଇଛନ୍ତି ଜଣେ ଆଦର୍ଶ ଦିଗଦର୍ଶକଙ୍କୁ  । ତାଙ୍କ ଅବର୍ତ୍ତମାନରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ପୂରଣ ସହଜନୁହେଁ  । ଚାଲନ୍ତୁ, ଏହି ଅବସରରେ ଆମେ ଏ ମହାନ୍ ପୁରୁଷଙ୍କର ଆତ୍ମାର ସଦ୍ ଗତି ଲାଗି ପ୍ରାର୍ଥନା କରିବା  ।

ଆଧାର – ପ୍ର. ରମେଶ ଚନ୍ଦ୍ର ପରିଡା

 

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top