ସେଆର କରନ୍ତୁ

ପୁଅ ମନେ ପଡୁଛି

ପୁଅ ମନେ ପଡୁଛି ପିଲାଙ୍କ ପାଇଁ ଗପ ।

ଉପକ୍ରମ

ଘଟଣା ଘଟିବାର ଦୀର୍ଘ ଅଠେଇଶି ବର୍ଷ ପରେ ଯାଇ ସନାତନ ବାବୁଙ୍କର ଏକଥାଟା ହୃଦ୍ ବୋଧ ହେଲାଯେ,ମଇଳା ପରି ଦେଖା ଯାଉଥିବା ସବୁଜିନିଷ ପ୍ରକୃତରେ ମଇଳା ନୁହେଁ ଆଉ ମହକ ନଥିବା ଫୁଲମାନଙ୍କୁ ନେଇ ଫୁଲଦାନୀରେ ସଜେଇ ଦେଲେବି,ସେ ଫୁଲଦାନୀଟା ଦେଖିବାକୁ ଭାରି ସୁନ୍ଦର ଲାଗେ। ଅଥଚ...! ଫୁଲ ବଦଳରେ ଫୁଲଦାନୀଟାରେ ଆଉକିଛି ରଖିଦେଲେ ଅସୁନ୍ଦରର ସୀମାବି ନଥାଏ।

ପୁଅ ଶୋଇଛି ଗପ

କିନ୍ତୁ ଦୀର୍ଘ ଅଠେଇଶି ବର୍ଷ ତଳର ଘଟଣାକୁ ଆଜି କାହିଁକି ଏତେ ମନେ ପକୋଉଛନ୍ତି ସେ? ପାଗଳଙ୍କ ପରି ବେଳେବେଳେ ନିଜକୁ ନିଜେ କେତେ କଅଣ ପ୍ରଶ୍ନ କରୁଛନ୍ତି,ଆଉ ମନେମନେ କିଛିନା କିଛି ଉତ୍ତରବି ଦେଇ ଦେଉଛନ୍ତି। କେବେକେବେ ପୁଣି ହାଆହାଆ ହୋଇ ହସୁଛନ୍ତିତ,ଆଉ କେବେକେବେ ପିଲାଙ୍କ ପରି ମନେମନେ କାହାକୁ ସୁମରି କାନ୍ଦୁଛନ୍ତି। ସେକଥାବା କାହାକୁ କହନ୍ତେ? କହିଲେବି କିଏ ତାଙ୍କକଥା ବିଶ୍ୱାସ କରନ୍ତା? “ଆପଣା କଲା କର୍ମମାନ,କାହୁଁ ହୁଅନ୍ତା ସମାଧାନ? “ସିଡ଼ିପରେ ସିଡ଼ିଚଢ଼ି ସବା ଶେଷସିଡ଼ିରେ ପାଦ ଥାପିଦେଲେ,ଇଚ୍ଛାକଲେ ପୁନର୍ବାର ପ୍ରଥମ ସିଡ଼ିକୁ ସିନା ଫେରିହୁଏ। କିନ୍ତୁ ବୟସର ଉପର ସିଡ଼ିରେ ଥରେ ପାଦ ଦେଲାପରେ ଆଉ ତଳସିଡ଼ିକୁ ଜମାରୁବି ଫେରିହୁଏନା ବୋଲି ସନାତନ ବାବୁ ଏତେ ଦିନପରେ ଆଜିହିଁ ଅନୁତାପ କରୁଛନ୍ତି। ତାଙ୍କର ସେ ବୟସଟା କାହିଁ କେବେଠୁ ଚାଲିଯାଇଛି ତା’ରାସ୍ତାରେ। ଚାହିଁଲେବି ସେ ଆଉ ଫେରି ପାଇ ପାରିବେନି କେବେବି।

ଅଠେଇଶି ବର୍ଷତଳର ସେ ଘଟଣାକୁ କେବଳ ଜଣେ ନର୍ସ ହିଁ ଜାଣିଥିଲେ ଯେ,ସେ’ବି ଆଜି ନାହାଁନ୍ତି ଆଉ। ଭୁବନେଶ୍ୱରରୁ ଗୋଟେ ଜରୁରୀ କାମସାରି ଫେରିଲା ବେଳକୁ ସେ ଶୁଣିଲେଯେ,ନର୍ସ ରୀନା ପଣ୍ଡା କ୍ୟାନସର୍ ରେ ମରିଗଲେ। ସେ ବିଚାରୀଟାର ବା ଦୋଷ କ’ଣ? ସବୁ ଦୋଷତ ତାଙ୍କ ନିଜର। ସେ’ତ ତାଙ୍କୁ ଅନେକ ବୁଝେଇଥିଲେ। ହେଲେ ସନାତନ ବାବୁ କ’ଣ ବୁଝିଲେ ସେକଥା? ଧର୍ମପତ୍ନୀ ‘ପଦ୍ମା’ର ଅଗୋଚରରେ ଘଟିଯାଇଥିଲା ଏତେସବୁ।

ସେଦିନ ସେଇଟା ଥିଲା ପଦ୍ମାର ପ୍ରଥମ ଗର୍ଭ। ଝାରସୁଗୁଡ଼ାରେ ଚାକିରୀ କଲାବେଳେ ସେଇଠିହିଁ ଗର୍ଭବତୀ ହୋଇଥିଲେ ପଦ୍ମା। ଡାକ୍ତରଖାନାରେ ପ୍ରସୂତୀ କରାଇବା ନିରାପଦ ବୋଲି ସରକାରଙ୍କ ଘନଘନ ଘୋଷଣା ସନାତନ ବାବୁଙ୍କ ଉପରେ ଯେତିକି ପ୍ରଭାବ ପକାଇ ନଥିଲା,ବରଂ ଡାକ୍ତରଖାନାରେ ଗର୍ଭଟା କରେଇଲେ ସେଠି କାହାକୁ କେମିତି ଧରାଧରି କରି କାମଟା ସହଜରେ କରିହେବ ବୋଲି ନିଜର ଅନିଚ୍ଛା ସତ୍ୱେ,ପଦ୍ମାକୁ ନେଇ ଭୁବନେଶ୍ୱର ଫେରିଆସି ସର୍କାରୀ ଡାକ୍ତରଖାନାର ପ୍ରସୂତୀ ବିଭାଗରେ ଭର୍ତି କରେଇଥିଲେ ସେ।

ତାଙ୍କର ଯାହା ମନେଅଛି ପଦ୍ମାର ଗର୍ଭଯନ୍ତ୍ରଣା ଆସିବା ବେଳକୁ ରାତ୍ରି ସେତେବେଳକୁ ପ୍ରାୟ ଗୋଟାଏ ବାଜି କୋଡ଼ିଏ ମିନିଟ୍ ହୋଇଥିଲା। ସେଦିନ ରାତି ଡିଉଟିରେ ଥାଆନ୍ତି ନର୍ସ ରୀନା ପଣ୍ଡା।

ପ୍ରସୂତୀ ବିଭାଗର କୋଠରୀଟା ପାଖରେ ଏପଟ ସେପଟ ହୋଇ ବୁଲୁବୁଲୁ ଡାକ୍ତରଖାନା ବାରଣ୍ଡାର ଗୋଟିଏ କୋଣରେ ଇଂଜେକ୍ ସନ୍ ଟେ ନେଇ ନର୍ସଙ୍କୁ ଆସୁଥିବାର ଦେଖି ସନାତନ ବାବୁ ଆସ୍ତେ ପାଟିରେ ଡାକିଲେ ତାଙ୍କୁ, “ମ୍ୟାଡାମ୍ ଆପଣଙ୍କ ସହ ଟିକେ କଥାଥିଲା।” ତାଙ୍କ କଥାକୁ କିଛି ନଶୁଣିଲା ପରି ପଲେଇଯାଇ ଇଂଜେକ୍ ସନ୍ ଟା ଦେଇସାରି ପାଂଚ/ସାତ ମିନିଟ୍ ପରେ ଫେରିଆସି,ନର୍ସ କହିଲେ,”ଆଜ୍ଞା.. କିଛି ଭାବିବେନି। ଇଂଜେକ୍ ସନ୍ ଟା ଜରୁରୀ ଦେବାର ଥିଲାତ। ସେଇଥିପାଇଁ ପଳେଇ ଗଲି। ହଁ ଆପଣ ମୋତେ ଡାକୁଥିଲେ ପରା, କ’ଣ କିଛି କହିବେ?” ଆଗେ ଥଙ୍ଗଥଙ୍ଗ ହୋଇ ସନାତନ ବାବୁ କହିଲେ,‘ହଁ.. ଅଁ.. ହଁ.ହଁ..।’ ତା’ପରେ ମନରେ ସାହାସ ବାନ୍ଧି ତାଙ୍କୁ ଗୋଟେ କୋଣକୁ ଡାକିନେଇ କହିଲେ,”ମୁଁ ଆପଣଙ୍କୁ ଯଥା ସମ୍ଭବ ଖୁସି କରେଇଦେବି। ଆପଣ ମୋ’ ପାଇଁ ଗୋଟେ କାମ କରିଦେବେ? ହେଲେ... କଥାଟା ଯେମିତି ଆପଣ ଆଉ ମୋ’ ଛଡ଼ା ତୃତୀୟ ବ୍ୟକ୍ତି କେହି ନଜାଣନ୍ତି।”ସନାତନ ବାବୁଙ୍କ ପାଟିରୁ କଥାଟା ନସରୁଣୁ ନର୍ସ ଟିକିଏ ମୁରୁକାହସ ହସି ଦେଉଦେଉ ସନାତନ ବାବୁ ପଚାରିଲେ,”ଆପଣ ହସିଲେଯେ.. !”

-”ଜାଣେ ଆପଣ ଯାହା କହିବାକୁ ଚାହାଁନ୍ତି। ସେଇଥିପାଇଁ ହସିଦେଲି। ଆପଣଙ୍କର ‘ପୁଅ’ ଦର୍କାରତ? କାମ ହେଇଯିବ।”ନର୍ସ ଜବାବ ଦେଲେ ସନାତନ ବାବୁଙ୍କୁ।”

-”ଆରେ ନାଇଁ ନାଇଁ ମ୍ୟାଡାମ୍ ମୋତେ ପୁଅ ନୁହେଁ, ବରଂ ଗୋଟେ ଝିଅ ଦର୍କାର।” ସନାତନ ବାବୁ କହିଲେ।

-”ଝିଅ...!” ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନକଲେ ନର୍ସ। ତା’ପରେ ସନାତନ ବାବୁ ନର୍ସଙ୍କୁ କହିଲେ, “ହଁ..ଝିଅ।”

-”ଓଲଟା କଥା! ପାଗଳ ହୋଇଗଲେନା କ’ଣ ଆପଣ? ଆଗରୁ କହୁଥିଲେ ପରା ଏଇଟା ଆପଣଙ୍କ ସ୍ତ୍ରୀ’ଙ୍କର ପ୍ରଥମ ଗର୍ଭବୋଲି? ତଥାପି... ! ଆଚ୍ଛା ଏକଥା କ’ଣ ଆପଣଙ୍କର ସ୍ତ୍ରୀ’ ବି ଚାହାଁନ୍ତି? “

-”ନାଇଁ ଆଜ୍ଞା। ସେ ତ ମୂଳରୁ ହିଁ କହୁଛନ୍ତି ଯେ,ତାଙ୍କର ପୁଅ ହେଲେ ଭଲ ହୁଅନ୍ତା ବୋଲି। ମୁଁ କିନ୍ତୁ ତା’ ଫର୍ ରେ ନାହିଁ। ମୋ’ର ଦର୍କାର ନାହିଁ ସେ ପୁଅ ଆଜ୍ଞା। ଯଦି ମୋ’ ପତ୍ନୀଙ୍କର ପୁଅବି ହୁଏ,ତେବେ କୁହନ୍ତୁ ଆପଣ; ପାରିବେକି ଝିଅଟେ ବଦଳ କରି ତା’ ଯାଗାରେ?”

ସନାତନ ବାବୁଙ୍କ ପାଟିରୁ ଏତକ କଥା ଶୁଣିବା ପରେ ଆଶ୍ଚର୍ଯ୍ୟରେ ତାଙ୍କ ମୁହଁକୁ ଚାହିଁ ରହିଥିଲେ ନର୍ସ। “କାହିଁକିନା ଆଗରୁ ଏଇଭଳି ଚୋରା ଲୁଚାରେ ଛୁଆ ବଦଳ କାମ କରିବାରେ ଯଦିଓ ସେ ଥିଲେ ସିଦ୍ଧହସ୍ତ, ତଥାପି ସନାତନ ବାବୁଙ୍କ ପରି ଲୋକ ଦେଖିବା ତାଙ୍କ ଜୀବନରେ ପ୍ରଥମ। କାରଣ କିଛି ମୁହଁମଗା ପାଉଣା ବଦଳରେ ଅନେକ ଲୋକ ଝିଅ ଯାଗାରେ ପୁଅଟେ ବଦଳ କରିଦେବା ଲାଗି ତାଙ୍କୁ ଅନୁରୋଧ କରିଛନ୍ତି। ଆଉ ସେ’ବି ପାଉଣା ନେଇ ଅନେକଙ୍କ ପାଇଁ କରିଦେଇଛନ୍ତି ସେତକ। ସେ ନିଜେ ଜଣେ ଝିଅ ହିସାବରେ ତାଙ୍କୁବି ଏକଥା ଭଲଭାବେ ଜଣାଯେ, ଲୋକେ ଚାହାଁନ୍ତି ପୁଅଟିଏ।

ଲୋକେ କ’ଣ? ସେ ନିଜେ ପରା ସେୟା ଚାହାଁନ୍ତି। ବୁଢ଼ାବୁଢ଼ୀ ବୟସରେ ସେ ହିଁ ତ ହେବ ନିଜର ସାହା ଭରସା। ବଂଶରକ୍ଷା ଝିଅନୁହେଁ, କରେ ‘ପୁଅ’। ହାତଗୋଡ଼ ନଚଳିବା ବେଳକୁ କୋଉ ଝିଅ ଅବା ତା’ ଶାଶୁଘରୁ ଦଉଡ଼ିଆସି ବାପା, ମାଆଙ୍କର ଦେହରେ ମୁଣ୍ଡରେ ଦେଇ ସେବା କରି ପକୋଉଚି? ଦିନକରୁ ଦିଇଦିନ ହୋଇଗଲେ ପରା ଶାଶୁଘରର ଯାବତୀୟ କଥା ମନେ ପକେଇ ବାପା,ମାଆଙ୍କୁ ପଛକରି ଘରୁ ଗୋଡ଼ କାଢ଼ିବାକୁ ତର ଅଂଟୁନି। ସେ ନିଜେ ପରା ୟା’ର ଭୁକ୍ତଭୋଗୀ। ବାହାହବା ଦିନଠୁ କ’ଣଟେ ଅବା ସେବା କରି ପକେଇଛନ୍ତି ସିଏ ନିଜ ବାପା,ମାଆଙ୍କର? ଯାହା ହେଲେବି ଝିଅଟା ଝିଅ, ଆଉ ପୁଅଟା ନିତିକାଳେ ପୁଅ। ଶାଶୁ ଘରକୁ ଚାଲିଗଲା ପରେ ଝିଅର ସଂସାର କହିଲେ ତା’ ଶାଶୁଘର। ଯାହାର ପୁଅନାହିଁ,ତା’ର କୋଉ ଝିଅଟାବା ତାଙ୍କୁ ତାଙ୍କର ବୁଢ଼ା ବୟସରେ ବାପା ମାଆ ବୋଲି ନିଜ ପାଖରେ ନେଇ ସାଇତି ଦଉଚି? ସମସ୍ତଙ୍କୁ ଜଣାବି ଏକଥା। ବାହାହେଲା ଝିଅର ତା’ ଶାଶୁଘର ପ୍ରତି ଯେତେ ଆନ୍ତରିକତା ଥାଏ,ସେତିକି ତା’ବାପା,ମାଆଙ୍କ ପ୍ରତିବି ନଥାଏ।” ମନେମନେ ଏତକ ଭାବୁଥିଲେ ନର୍ସ।

ନର୍ସଙ୍କ ନୀରବତାକୁ ଦେଖି ନିଜଆଡ଼ୁ ଆଉଥରେ ବଖାଣିଲେ ସନାତନ ବାବୁ। “ମୋ’ର ଲୋଡ଼ାନାହିଁ ସେ ପୁଅ ଆଜ୍ଞା। ଆମ ଗାଁ ହାଲୁଆ ପିଇସାଙ୍କ ପୁଅ, ‘ରବି’। ବିଚାରା ରବିଟା ପାଇଁ ହାଲୁଆ ପିଇସା କ’ଣବା ନକରିଥିଲେ? ଏବେ ମୁଣ୍ଡକୁ ତା’ର ହାତ ପାଇଗଲା ବୋଲି ବୋପାଟାକୁ ହାତ ଉଠେଇ ପିଟୁଚି। ଉପରସାହି ‘ନକୁଳି’। କେତେ ଦିଅଁ ଦେବତା କରି ମାଆ ତା’ର ତାକୁ ଅନ୍ତଫାଡ଼ି ଜନମ କରିଥିଲା, ନକୁଳିଟା ଜନ୍ମହେଲା ପରେ ବାପଟାର ଗୋଡ଼ ଖୁସିରେ ତଳେ ଲାଗୁ ନଥିଲା। ପଇସା ଅଭାବରୁ ଏକୋଇସିଆଟା ଯାହିତାହିରେ କରିଦେଲା ବୋଲି ବୁଢ଼ାର ମନଟା ଭାରି ଖରାପ ହୋଇଗଲାଯେ,ସେଇଥିପାଇଁ ପୁଅର ବରଷ ପୂରଣୀ ସ୍ୱନକ୍ଷେତ୍ରକୁ ଗାଁଟା ଯାକର ଲୋକକୁ ପେଟଭରି କେତେ କଅଣ ଖାଇବାକୁ ଦେଇଥିଲା। ସେଇ କାମପାଇଁ ଗାଁ ମୁଣ୍ଡ ଦିମାଣିଆ କିଆରୀଟାକୁ ବନ୍ଧା ପକେଇଦେଲାଯେ, ତାକୁ ଶେଷରେ ବିଚାରା ଆଉ ମୁକୁଳେଇ ମଧ୍ୟ ପାରିଲାନି। ଗାଁ’ଟା ଯାକ ଲୋକଙ୍କ ଆଗରେ କହି ବୁଲୁଥିଲା,”ଜମି ଗଲେ ଯାଉମ। ମୋ’ ପୁଅଟା ଆଗ ନା ଜମି? ପୁଅଥିଲେ ଏମିତି କେତେଜମି ଆସିବ।” କିନ୍ତୁ କ’ଣ ହେଲା? ଗଲା ଦିଇବର୍ଷ ତଳୁ ବୁଢ଼ୀଟା ମଲାପରେ ଏବେ ବୁଢ଼ାଟା ଗାଁର ସେଇ ଭଙ୍ଗା ଘରଟାରେ ଏକା ପଡ଼ିଚି। ଦେଖିଲା ବେଳକୁ ପୁଅଯାଇ କଟକରେ ମାଇପ ସାଙ୍ଗେରେ ରହୁଚିଯେ,ବାପଟା ମଲାକି ବଂଚିଲା ତା’ ଖବରଟିକେ ରଖିଚିକି? ଆଉ କାହାକଥା ଶୁଣିବ? ଦାମ ଭାଇନା ପୁଅ ‘ବିଜୁ’, ଅଭିମନ୍ୟୁ ଦାଦାଙ୍କ ପୁଅ ‘ବିରଂଚି’ ନା ରଘୁ ମାଷ୍ଟ୍ରେଙ୍କ ପୁଅ ‘ଶରତ’ କଥା? କହି ବସିଲେ କଥା ସରିବନି ଆଜ୍ଞା। କାହାକଥା କହିବି? ପଚାରୁ ନାହାଁନ୍ତି। ସବୁ ହିସାବ ରଖିଛି ମୁଁ। ହେଲା?”

ନର୍ସ ଅବଶ୍ୟ ସନାତନ ବାବୁଙ୍କ କଥାରେ ଜୋର୍ କରି ବିରୋଧ କରିନଥିଲେ। କଥାଟାକୁ ଟିକେ ସହଜ କରି ସେ ତାଙ୍କୁ ଟିକେ ବୁଝାଇବାକୁ ଚେଷ୍ଟା କରିଥିଲେ କେବଳ।

“ସନାତନ ବାବୁ,ଦୁନିଆଟା ଏତେ ଛୋଟ ନୁହେଁଯେ,ରବି,ନକୁଳି,ବିଜୁ,ବିରଂଚି କି ଶରତ ପରିକା ଆପଣ ଦେଖିଥିବା ଦିଚାରିଟା କୁଳଙ୍ଗାର ପୁଅଙ୍କ ଠାରେହିଁ ସଂସାରଟା ସରି ଯାଇଛି। ଆପଣଙ୍କ ନଜରରେ କ’ଣ ସେଇମାନେହିଁ କେବଳ ପୁଅ? ଆଜ୍ଞା ‘ମହୁଲିପଡ଼ା’ ପରା ଆପଣ ଯେଉଁଠି ରହୁଛନ୍ତି ସେଇଠୁ ଜମାରୁ ଦୁଇଶ ମିଟର ଦୂର। ଦେଖି ନଥିଲେବି କାହାଠୁତ ଶୁଣିଥିବେ ଆପଣ? ସେ ଗାଁର ଦିଗାମ୍ବର ମହାନ୍ତି; ଯିଏ ରଘୁନାଥପୁର ହାଇସ୍କୁଲ୍ ରେ ପ୍ରଧାନ ଶିକ୍ଷକ ଥିଲେ,ତାଙ୍କପୁଅ ବିଶୁଆ ଭାଇନା କ’ଣ ଆଉ କରି ଥାଆନ୍ତେ ତାଙ୍କପାଇଁ? ଆଜ୍ଞା...ବାପାର ଝାଡ଼ା,ପରିସ୍ରାକୁବି ପରା ନିଜ ହାତରେ ସଫା କରିଛନ୍ତି ସେ। କାହିଁ ସେକଥାଟାତ ଦେଖା ଗଲାନି ଆପଣଙ୍କୁ?ପୁଅ ନାହାଁନ୍ତି କାହିଁକି? ଅନେକ ଅଛନ୍ତି ଆଜ୍ଞା। “ଗର୍ଭଯନ୍ତ୍ରଣା ଆସିବାର ପାଖାପାଖି ଦିଇଘଣ୍ଟା ପୂର୍ବରୁ ଏସବୁ କଥା ଚାଲିଥିଲା।

ନର୍ସ ଏଭଳି ଆହୁରି ଅନେକ ଗୁଡ଼ାଏ ଉଦାହରଣ ଦେବା ସତ୍ୱେବି ସନାତନ ବାବୁ କିନ୍ତୁ ତାଙ୍କର ସେଇ ଏକା ଜିଦ୍ ରେ ଅଟଳ ଥିଲେ। ଯୋଗକୁ ପଦ୍ମାବି ପୁତ୍ର ସନ୍ତାନଟିଏ ଜନ୍ମ ଦେଇଥିଲେ। ଏଣେ ବିନା ପାଉଣାରେବି ନର୍ସ ଚୋରା ଲୁଚାରେ ଏ କାମଟା ତାଙ୍କର କରି ଦେଇଥିଲେ। କାହିଁକିନା ସମସ୍ତେ ଚାହାଁନ୍ତି ପୁଅଟିଏ। ଏଣୁ ପୁଅଟେ କୋଉଠୁ ବଦଳ କରି ଆଣିବା ସିନା କଷ୍ଟ। ହେଲେ ଝିଅଟେ ଆଣିବାତ ଭାରି ସହଜ। ପୁଅଟାକୁ ଜନ୍ମଦେଲା ପରେ ପଦ୍ମାର ଅସମ୍ଭାଳ ପରିସ୍ଥିତି ସକାଶେ ଡାକ୍ତର ତାଙ୍କୁ ନିଶା ଔଷଧ ଦେଇଥିବାରୁ ସେତେବେଳକୁ ସେ ଶୋଇ ଯାଇଥିଲେ ଗାଢ଼ ନିଦ୍ରାରେ। ପଦ୍ମାର କୋଳରେ ଝିଅଟିଏ ଆଣି ଶୁଆଇଦେଇ,ବଦଳରେ ପୁଅଟିକୁ ଉଠାଇ ନର୍ସ ପଳେଇ ଗଲାବେଳେ ନିଷ୍ପାପ ଶିଶୁପୁତ୍ରଟି କୁଆଁକୁଆଁ କାନ୍ଦି ହାତ ହଲେଇ ସତେ ଯେମିତିକି ବାହାରେ ଛିଡ଼ା ହୋଇଥିବା ସନାତନଙ୍କ ଉଦ୍ଦେଶ୍ୟରେ କହୁଥିଲା,”ବାପା ବାପା ତମେ ସେମିତି କରନା। ଏହା ଅନ୍ୟାୟ।” ଏକଥା ସ୍ପଷ୍ଟ ମନେପଡ଼ି ଯାଉଥିଲା ତାଙ୍କର। ଡାକ୍ତରଙ୍କୁ ପାଉଣା ଦେଇ ପଦ୍ମାର ଫ୍ୟାମିଲିପ୍ଲାନିଂ ଅପରେସନ୍ ଟାବି କରେଇଥିଲେ ସନାତନ ବାବୁ। ଯେମିତିକି ଭବିଷ୍ୟତରେ ସେ ଆଉ ଛୁଆଜନ୍ମ କରି ପାରିବେନି କି ତାଙ୍କରବି ଆଉ ପୁନର୍ବାର ପୁଅର ବାପାହୋଇ ତା’ଠୁ ମାଡ଼ ଖାଇବାର ଟେନ୍ ସନ୍ ନଥିବ।

କାମ ସରିଗଲା ପରେ ସନାତନ ବାବୁଙ୍କ ଅନୁରୋଧରେ ନର୍ସ ଗୁପ୍ତରେ କେବଳ ଚିହ୍ନେଇ ଦେଇଥିଲେ ଝିଅଟିର ଅସଲ ମାଆ,ବାପାଙ୍କୁ। ଅର୍ଥାତ୍ ବଦଳରେ ପୁଅଟା ତାଙ୍କର ଯେଉଁଠିକୁ ଯାଇଥିଲା। ସେତେବେଳେ ସନାତନ ବାବୁ ଚିହ୍ନି ପକେଇଥିଲେ ସେଇ ଲୋକଟାକୁ। ଝିଅଟିର ଅସଲ ମାଆ ହେଲା ତାଙ୍କ ନିଜଗାଁର ପାଖାପାଖି ଗୋଟେ ଗାଁ ‘ନଛିପଡ଼ା’ର ବଳରାମ ପ୍ରଧାନର ସ୍ତ୍ରୀ। ବଳରାମ ବସ୍ ଷ୍ଟାଣ୍ଡ୍ ରେ ଭଜାବାଦାମ ଓ ପାଚିଲା କଦଳୀ ଇତ୍ୟାଦି ବିକ୍ରିକରି ପରିବାର ଚଳାଏ। ଆଉ ଭଲମନ୍ଦ କଥାଛାଡ଼। ଲୋକଟାର ଜମିବାଡ଼ିବି ସେମିତି କିଛି ନାହିଁ କହିଲେ ଚଳେ। ଭଲହେଲା ସେ ଲୋକଟା ଦେଖିପାରିନି ତାଙ୍କୁ କି ଜାଣିବି ପାରିନି ଅସଲ ଗୁପ୍ତଭେଦ କାଣ୍ଡ କାରଖାନାଟା ତାଙ୍କର ବୋଲି। ନବଜାତ ଶିଶୁପୁତ୍ରକୁ ସାଙ୍ଗରେ ନେଇ ବଳରାମ ଓ ତା’ର ପତ୍ନୀ ନିଜ ଗାଁକୁ ଫେରିଗଲା ବେଳେ ମନେମନେ ଆଶ୍ୱସ୍ତ ହୋଇ,ତା’ ଉଦ୍ଦେଶ୍ୟରେ ପ୍ରଭୁଙ୍କ ପାଖରେ ଟିକେଖାଲି କ୍ଷମା ପ୍ରାର୍ଥନା କଲେ ସେ। ଯେହେତୁ ନିଜର ପୁଅ ରୂପକ ବୋଝଟାକୁ ତାଙ୍କ ଉପରେ ଲଦିଦେଇ ତା’ ଝିଅଟାକୁ ହାତେଇ ନିଜର ବୃହତ ସ୍ୱାର୍ଥକୁ ଚରିତାର୍ଥ କରି ପାରିଥିଲେ ସେ।

ଝିଅଟାକୁ ପାଇଗଲା ପରଠୁ ସନାତନ ବାବୁ ତାକୁ ନେଇ ନିଜ ମନରେ କରିଥିଲେ ଅନେକ କଳ୍ପନା। ଗେହ୍ଲାରେ ତା’ନାଁ ରଖିଥିଲେ ‘ଗେହ୍ଲୀ’। ନିଜେ ଯେହେତୁ ଜଣେ ଇଣ୍ଟିଲ୍ ଜେନ୍ ସ୍ ଅଫିସର ତେଣୁ ପଇସାପତ୍ରର ବି କିଛି ଅସୁବିଧା ନଥିଲା ତାଙ୍କର। ତା’ ଛଡ଼ା ସରକାରବି ପକ୍ଷପାତ ବିଚାରରେ କେବଳ ଝିଅମାନଙ୍କପାଇଁ ଅନେକ ପ୍ରକାର ଯୋଜନା କରିଛନ୍ତି। ସତେ ଯେମିତିକି ପୁଅଗୁଡ଼ାକ ଅଳିଆଯେ,ସେମାନେ କୋଉଥିରେ କିଛି କାର୍ଯ୍ୟରେ ଆସନ୍ତିନି ଏ ଦେଶର। ଏମିତିକି ପାଠପଢ଼ା ଖର୍ଚ୍ଚଟାବି ଝିଅଙ୍କ ପାଇଁ ଗୋଟେଗୋଟେ ଯାଗାରେ ହାତରୁ ପଡ଼ିବାର ନାହିଁ। ସବୁଠିତ ମହିଳାଙ୍କୁ କୋହଳ ସୁବିଧା ମିଳୁଛି। ତା’ପରେ ମହିଳା କୋର୍ଟାରେ ଯୋଉଠି ହେଲେ ଚାକିରୀଟେବି ତାକୁ ସହଜରେ ମିଳିଯିବ। ବାକି ରହିଲା ବରପାତ୍ର କଥା। ମିଳିଲେତ ମିଳିଲା ଘରଜୋଇଁଆ ବରପାତ୍ରଟେ। ନହେଲେ ନାଇଁ ବଢ଼ିଆ

ଚାକିରିଆ ଜୋଇଁଗୋଟେ ଦେଖି ବାହା କରିଦେଲେ କାମ ସରିଲା। ମହିଳାଙ୍କ ପାଇଁତ ଅନେକ ନିତି ନୀୟମ ଅଛିନା ଏଦେଶରେ। ଚାଲାକିରେ ଏମିତି କାମ କରିଦେବେଯେ ସେ,ଆଇନ୍ ଡରରେତ ଟୋକା ଘରଜୋଇଁଆଙ୍କ ପରି ମୋ’ରି ଘରେ ମୋ’ରି ଝିଅ ପାଖେରେ କୁକୁରପରି ପଡ଼ି ରହିବାକୁ ବାଧ୍ୟହେବ ! ଯିବ ଆଉ କୁଆଡ଼େ? ଆଉ ସେ ବାଦାମ ବିକାଳୀ ବଳରାମ... ! ଘରେ ଯାହାର ଦିଇଓଳି ଦିମୁଠା ଖାଇବାକୁ ନାହିଁ,ସେ ପୁଣି ପାଠ କଅଣ ପଢ଼େଇବ ପୁଅକୁ? ପଢ଼େଇଲେ ବେଶିହେଲେ ଚତୁର୍ଥ କି ପଂଚମ ଶ୍ରେଣୀ ଯାଏଁ ପଢ଼େଇ ସେଇ ବାଦାମ କଦଳୀ ବିକାରେ ଲଗେଇବ। ନହେଲେ ନାଇଁ କୋଉଠି ମିସ୍ତ୍ରୀ କି ଦିନ ମଜୁରିଆଟେ ହେବ। ମୁଣ୍ଡକୁ ହାତ ପାଇଲା ପରେ ବାପା ବାହା କରିଦେବ। ଟିକେଟିକେ କଥାରେ ବାପକୁ ରବି,ନକୁଳିଙ୍କ ପରି ହାତ ଉଠେଇ ପିଟିବ। ଏତକ ଛଡ଼ା ଆଉ ଅଧିକଟେବା କ’ଣ ହୁଅନ୍ତା ସେ?

କିନ୍ତୁ; ଚୁର୍ ମାର୍ ହୋଇ ଯାଇଥିଲା ସବୁସ୍ୱପ୍ନ ତାଙ୍କର। ଲାଜରେ ସାଙ୍ଗ,ସାଥି,ବନ୍ଧୁବାନ୍ଧବ କାହାରି ଆଗରେ ମୁହଁବି ଦେଖେଇ ପାରୁ ନଥିଲେ ସନାତନ ବାବୁ। ଭଲ ସ୍କୁଲ୍ ରେ ଆଡ୍ ମିସନ୍ କରି,ଯୋଡ଼ାଯୋଡ଼ା ଟିଉସନ ମାଷ୍ଟ୍ର ଖଞ୍ଜି,ସବୁ ବ୍ୟବସ୍ଥା ପରେବି ଝିଅଟା ଡେଇଁ ପାରିଲାନି ମାଟ୍ରିକ୍ ଖଣ୍ଡକ। ଥରେ ଫେଲ୍ ହେଲାପରେ ଆଉ ତିନି/ଚାରିଥରବି ପରୀକ୍ଷା ଦେବାସତ୍ୱେ କୃତକାର୍ଯ୍ୟ ହେଇ ନପାରିବାରୁ ଘରେ ବସି ରହିଲାଯେ,ପଦ୍ମାକୁ ରୋଷେଇ କାମରେ ହେଲେ ଟିକେ ସାହାଯ୍ୟ କରି ଥାଆନ୍ତା,ସେତକବି ହେଲାନି ତା’ ଦ୍ୱାରା।

ସେତିକିରେ କଥା ସରି ଥାଆନ୍ତା ଭଲା। ସମସ୍ତେ ସବୁଆଡ଼େ ଏକଥା ଟୁପୁରୁଟାପୁରୁ ହେବାକଥା ତାଙ୍କ କାନରେ ମଧ୍ୟ କେତେଥର ପଡ଼ିସାରିଥିଲାଯେ,”ସନା ଭାଇନାଙ୍କ ଝିଅଟା,କେତେକୋଉ ଟୋକାଙ୍କ ସାଙ୍ଗରେ କାନ୍ଧରେ ହାତ ପକେଇ ବୁଲୁଚି। ବେଳେବେଳେତ ସେମାନଙ୍କ ବାଇକ୍ ରେ ଏମିତି ଯୋଡ଼ାଯୋଡ଼ି ହେଇ ଦେହକୁଦେହ ଘସି ବସିକିରି ଯାଉଚିଯେ,ତାକୁ ଦେଖିଲେ ଆମକୁବି ଲାଜ ଲାଗୁଚି।”ସେକଥାର ପ୍ରମାଣ ସେ ନିଜେବି ପାଇ ଯାଇଥିଲେ। ଡରଭୟ ଛାଡ଼ି ଘରକୁବି ଥରେଗୋଟେ ଟୋକାକୁ ଆଣିଥିଲାଯେ,ପଚାରିଲାରୁ ଅଲାଜୁକୀଙ୍କ ପରି କହିଲା କ’ଣନା ସେ ଟୋକାଟା କୁଆଡ଼େ ତା’ ବୟଫ୍ରେଣ୍ଡ୍। ଥରେ ଗୋଟେ ଯାଗାରେ ଗୋଟେ ଟୋକାସହ ଅସଞ୍ଜତ ଅବସ୍ଥାରେ ଦେଖି,ସମ୍ଭାଳି ନପାରିବାରୁ ତାକୁ ଦିଚାପୁଡ଼ା ଦେବାରୁ ଓଲଟି ଧମକ ଦେଇ ତାଙ୍କୁ କହିଲା କ’ଣନା,”ଆଉଥରେ ମୋ’ଦେହରେ ହାତଦେଲେ ତମ ନାଁରେ ଥାନାରେ ଅଭିଯୋଗ କରିବିଯେ,ତମେ ମୋ’ସାଙ୍ଗେ ଯୌନ ବ୍ୟଭିଚାର କରୁଚ ବୋଲି। ସେଇଦିନ ଜାଣିବ ମୋତେ। ବାପାଫାପା କିଛି ମାନିବିନି।” ହେଲା? ଖାଲି ନିଜ ଇଜ୍ଜତକୁ ଡରି ସେଇଦିନଠୁ ତାକୁ କିଛବି ନକହି ସନାତନ ବାବୁ ସବୁ ସହି ଯିବାକୁ ଏକରକମ ବାଧ୍ୟ ହେଉଥିଲେ। ରାମଚନ୍ଦ୍ରଙ୍କୁ ଗୋଇଠା ମାରି ପୁତନାକୁ ବରଣତ ନିଜେହିଁ ସେ କରିଛନ୍ତି। ଦୋଷତେଣୁ ଦିଅନ୍ତେ କାହାକୁ?

ଏସବୁ ହୃଦ୍ ବୋଧ କରି ଝିଅପାଇଁ ଗୋଟେ ଯାଗାରେ ବରପାତ୍ରଟେ ଯୋଗାଡ଼ କରି ଝିଅକୁ ଜଣାଇବାରୁ ଝିଅ ଯାହା କାଣ୍ଡକଲା ସେ ଚଡ଼କ ସନାତନ ବାବୁଙ୍କୁ ଆହୁରି ଅସହ୍ୟ କରିଥିଲା। ଲାଜସରମ ଛାଡ଼ି ଝିଅ ସିଧାସିଧା କହିଲା,”ତମେ ମୋ’ପାଇଁ ବରପାତ୍ର ଠିକ୍ କରିବା ଦର୍କାର ନାହିଁ। ସେକାମ ମୁଁ ମୋ’ପାଇଁ ନିଜେ କରି ପାରିବି।” ତଥାପିବି ସେ ତା’ମାମୁଁକୁ ଟିକେ ଡରେବୋଲି ତାଙ୍କୁକହି ସନାତନ ବାବୁ କୌଣସିମତେ ତା’ ବାବହାଘରଟା ସ୍ଥିର କରି ଦେଇଥିଲେ ଗୋଟେ ରେଲ୍ ୱେ ଚାକିରିଆ ଥିଲାବାଲା ଘରର ପୁଅ ସାଙ୍ଗେରେ। ଧନୀଘରର ପୁଅ ଆଉ ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ଚାକିରିଆ ବୋଲି ଜାଣିବା ପରେ ଗେହ୍ଲୀବି ସେ ପ୍ରସ୍ତାବରେ ରାଜି ହୋଇ ଯାଇଥିଲା। ଦେଖାଦେଖି ସରି,ପୁଅଆସି ମୁଦି ପିନେ୍ଧଇ ଯାଇଥିଲା ତାକୁ। ଖାଲି ବାହାଘରଟା ବାକି ଥିଲା।

ସନାତନ ବାବୁ ସିନା ନିଜଗାଁ ଛାଡ଼ି ଆସି ଭୁବନେଶ୍ୱରରେ ଘରଦ୍ୱାର କରି ରହୁଥିଲେ। ହେଲେ ବଳରାମ ପ୍ରଧାନ କିନ୍ତୁ ତା’ଗାଁରେ ରହେ। ସନାତନ ବାବୁ ସେଦିନଠୁ ତା’ଖବର କିଛି ରଖନ୍ତିନି। କିନ୍ତୁ ଅଚାନକଯେ,ତା’ଖବର ଆପେଆପେ ଆସି ପହଂଚିଯିବ ତାଙ୍କପାଖେ ଏକଥା ସ୍ୱପ୍ନରେବି ଭାବି ନଥିଲେ ସେ। ଟି.ଭିରେ ଓଡ଼ିଆ ସମାଚାର ଦେଖୁଦେଖୁ ହଠାତ୍ ଆଖି ପଡ଼ିଲା ତାଙ୍କର ନଛିପଡ଼ାର ବଳରାମ ପ୍ରଧାନ ସହ ସାକ୍ଷାତକାର। ତାକୁଦେଖି ସହଜରେ ଚିହ୍ନି ପକେଇଥିଲେ ସେ। ଅଠେଇସି ବର୍ଷପରେବି ମୁହଁର ହୁଲିଆଟା ତା’ର ସେମିତି ଏକାପରି ଥିଲା। ଖବରଟା ସବୁ ନ୍ୟୁଜ୍ ଚ୍ୟାନେଲ୍ ରେ ଘନଘନ ପ୍ରସାରଣ ହଉଥିଲା। ନଛିପଡ଼ାର ଜଣେ ସାଧାରଣ ବାଦାମ ବିକାଳିର ପୁଅ ‘କୃର୍ଷ୍ଣଚନ୍ଦ୍ର ପ୍ରଧାନ’ କୋଉଠିକୁ କୋଚିଂ ନଯାଇବି ନିଜର ନିଷ୍ଠା ଓ କଠିନ ପରିଶ୍ରମ ବଳରେ ସାରାଦେଶରେ ଆଇ.ଏ.ଏସ୍ ଟପର୍ ହେଇଚି ବୋଲି। ପରେପରେ ଯେତେବେଳେ ‘କୃର୍ଷ୍ଣଚନ୍ଦ୍ର’କୁ ଟି.ଭି ପରଦାରେ ଦେଖେଇ ଦେଲା ସେତେବେଳେ ତାଙ୍କର ମନେ ପଡ଼ିଗଲା ଆଗରୁବି କେତେଥର ତାକୁ ସେ ଟି.ଭି ଓ ଖବରକାଗଜ ଇତ୍ୟାଦିରେ ଦେଖିଥିଲେଯେ,କିନ୍ତୁ ଇଏ ସେଇ ବାଦାମ ବିକାଳି ବଳରାମର ପୁଅବୋଲି ଏକଥା ସେ ଆଜି ଜାଣୁଛନ୍ତି। ମାଟ୍ରିକ୍ ରେ ଅନେଶ୍ୱତ ପ୍ରତିଶତ ନମ୍ବର ରଖି,ଆଉ ଯୁକ୍ତଦୁଇରେ ସର୍ବାଧିକ ନମ୍ବର ରଖି ଟପର୍ ସାଙ୍ଗକୁ ପଦାର୍ଥବିଜ୍ଞାନ ଅନର୍ସରେ ସାରା ୟୁନିଭର୍ ସିଟିରେବି ସେଇପିଲା ପାଇଥିଲା ଗୋଲ୍ଡ୍ ମେଡଲ୍। କିଛି ଗବେଷଣା ପାଇଁ ଆମେରିକା ସରକାର ଏବେ ତାର ଆଉ ତା’ ବାପା,ମାଆଙ୍କର ସବୁ ଖର୍ଚ୍ଚ ବହନ କରି ତାକୁନେଇ ନିଜ ଦେଶରେ ପାଠ ପଢ଼େଇବାକୁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ବୋଲି ନ୍ୟୁଜ୍ ରେ କହିଲା। କୃର୍ଷ୍ଣଚନ୍ଦ୍ର ସାମ୍ବାଦିକଙ୍କୁ କହୁଥିଲା,”ମୋ’ବାପା,ମାଆ ହିଁ ମୋର ଆଦର୍ଶ। କେବଳ ତାଙ୍କପାଇଁ ହିଁ ମୁଁ ଆଜି ଏ ସ୍ଥାନରେ ପହଂଚି ପାରିଛି। ମୋ’ ଜୀବନେର ମୁଁ କେବେବି ତାଙ୍କୁ ଅବହେଳା କରିବିନି। ଯାହାହେଲେ ବାପା,ମାଆ ପରା ଚଳନ୍ତି ଦେବତା।”

ଟି.ଭି ପରଦାରେ ବଳରାମର ଖୁସି ଓ ଭାବ ବିହ୍ୱଳତାକୁ ଦେଖି ନିଜ ଉପରେ ଘୃଣା ଆସୁଥିଲା ସନାତନ ବାବୁଙ୍କର। ସେତେବେଳକୁ ପଦ୍ମା କେତେବେଳେ ଆସି ଚା’କପ୍ ଟା ତାଙ୍କ ହାତକୁ ବଢ଼େଇ ଦେଉଦେଉ କହିଥିଲେ,”ଏମିତି ପୁଅର ବାପ,ମାଆ ହେବା ସତରେ ଭାଗ୍ୟରେ ଥିଲେ ମିଳେ। କେତେ ଭକ୍ତି ଆଉ ସମ୍ମାନ ତା’ ବାପା,ମାଆଙ୍କ ପ୍ରତି ତା’ର ଦେଖିଲ। ସେ ପୁଅ.! ନହେଲେ ନାଇଁ ଆମେ ଜନମ କରିଛେ ଗୋଟେ ଝିଅ।” ପଦ୍ମାଙ୍କ ପାଟିରୁ ଏତକ କଥା ଶୁଣୁଶୁଣୁ କେହି ଯେମିତି ତାଙ୍କୁ କାଠ ଫାଳିଆରେ ପିଟି ପକେଇବା ପରି ଅନୁଭବ କରୁଥିଲେ ସନାତନ ବାବୁ। କୃର୍ଷ୍ଣଚନ୍ଦ୍ରର ଫଟୋ ବାହାରିଥିବା ଖବରକାଗଜକୁ ପଦ୍ମାର ଅଜଣାରେ ଲୁଚେଇ ଲୁଚେଇ ଚୁମା ଦେଇ ଦେଇଥିଲେ ସେ। ମଝିରେ ମଝିରେ ଯେତେବେଳେ କୃର୍ଷ୍ଣଚନ୍ଦ୍ର ସଂପର୍କରେ ଖବର ବାହାରେ, ସେତେବେଳେ ଗେହ୍ଲୀର କଳା କାରନାମା ସହ ତାକୁ ତୁଳନା କରି ଅନେକ ଧିକ୍କାର କରୁଥିଲେ ସେ ନିଜେ ନିଜକୁ ଓ ନିଜର ପୂର୍ବ କରୋତି କର୍ମକୁ।

ତେଣେ ଆଉ ମାତ୍ର ବାରଟା ଦିନପରେ,ଆସନ୍ତାମାସ ସାତ ତାରିଖରେ ଗେହ୍ଲୀର ବାହାଘର ଧାର୍ଯ୍ୟ ହୋଇ ଯାଇଥିବାରୁ ମନେମନେ ଭଗବାନଙ୍କୁ ଧନ୍ୟବାଦ ଦେଉଥିଲେ ସନାତନ ବାବୁ। କିନ୍ତୁ; ତାଙ୍କ ପିଲାଦିନର ସାଙ୍ଗ ଡକ୍ଟର ଲାବଣ୍ୟ ବେହେରାଙ୍କର ଅଚାନକ ଏକ ଫୋନ୍ କଲ୍ ରେ ସବୁ ନିଦ ଯେମିତି ହଜିଗଲା ତାଙ୍କ ଆଖିରୁ।

“ଆରେ ସନାତନ... ଦୁଃଖର ସହିତ ତତେ ମୁଁ ଗୋଟେ କଥା କହୁଚି। କିଛି ଭାବିନୁନି। ତୁ ମୋ’ ସାଙ୍ଗଟା ନହେଇଥିଲେ ତତେ ଏତକ କହି ନଥାନ୍ତି।” ସାମାନ୍ୟ ଭୟଭୀତ ଓ ଆଶ୍ଚର୍ଯ୍ୟରେ ସନାତନ ବାବୁ ପଚାରିଲେ,”ଆରେ ଲାବଣ୍ୟ? କ’ଣ ଏତେଦିନ ପରେ? କ’ଣ କହିବୁ କିରେ? କୋଉକଥା... କହୁନୁ?” “ଆଚ୍ଛା ମୁଁ ତ ଶୁଣୁଥିଲି ତୋ ଝିଅର ବାହାଘର ଆସନ୍ତା ମାସ ସାତ ତାରିଖରେ।”ଡାକ୍ତର ବନ୍ଧୁ ଲାବଣ୍ୟ ବେହେରା ଏତକ କହିଲା ପରେ ସନାତନ ବାବୁ ଉତର ଦେଲେ,”ଆରେ ଠିକ୍ ସମୟରେ ମୁଁ ତତେ କହି ଥାଆନ୍ତି। ତୁ କ’ଣ ଭାବିଲୁ ମୁଁ ତତେ ଭୁଲି ଯାଇଚି ନା କ’ଣ?” “ନାଇଁ ସେକଥା ନୁହେଁଯେ... !”ଡାକ୍ତର କହିଲେ।

-”ତେବେ କ’ଣ ଆଉ କହୁଚୁ?” ପଚାରିଲେ ସନାତନ ବାବୁ। -”କାଲି ସକାଳେ ତୋ’ଝିଅ ଗେହ୍ଲୀ କ’ଣ ଡାକ୍ତରଖାନା ଆସିଥିଲା ଆବର୍ସନ କରିବାକୁ? ସାଙ୍ଗରେ ତା’ର ଚାରିଜଣ ଟୋକାବି ଥିଲେ। ସେତେବେଳେ ଡ୍ୟୁଟି ମୋର ଥିଲା। ମୁଁ ତାକୁ ଚିହ୍ନି ପକେଇଲି। ମୋ’ରତ ତୋ’ ଘରକୁବି ପାଖାପାଖି ଛଅ/ସାତବର୍ଷ ହେବ ପ୍ରାୟ ଯିବା ଆସିବା ନାହିଁ। ଖାଲିଯାହା ଫୋନ୍ ରେ କଥାବାର୍ତ୍ତା। ତେଣୁ ଆଗରୁ ମୁଁ ତାକୁ ଚିହ୍ନିଥିଲି ବୋଲି ଜାଣିଦେଲି। ସେ କିନ୍ତୁ ମୋତେ ଚିହ୍ନି ପାରିନି। ତୁ ମୋର ପିଲାଦିନର ସାଙ୍ଗଟା ଯେତେବେଳେ ତେଣୁ ତୋ’ସମ୍ମାନକୁ ଦେଖି ବହୁତ ଚେଷ୍ଟାକଲି କାମଟା କରିଦେବା ପାଇଁଯେ,ତା’ର କିନ୍ତୁ ସାଢେ ଚାରିମାସ ଗଡ଼ି ଗଲାଣି। ଆଉ ତାକୁ ଆବର୍ସନ କରିବା ଅସମ୍ଭବ। କଥାଟା କିନ୍ତୁ ଟିକେ ସିରିଏସ୍ ହୋଇ ଯାଇଚିରେ। ତା’ସାଙ୍ଗେରେ ଆସିଥିବା ଚାରିଟାଯାକ ଟୋକା ଆଉ ତୋ’ଝିଅଙ୍କ ଭିତରେ ମୋ’ୱାର୍ଡ଼ର ବାହାରେ ଯୁକ୍ତିତର୍କ ହେବାଟା ମୋ’କାନରେ ଟିକେ ପଡ଼ିଥିଲା। ସେମାନେ କୁଆଡ଼େ ପରସ୍ପରକୁ ଦୋଷ ଦଉଥିଲେଯେ,ଛୁଆଟା ମୋ’ର ନୁହେଁ ତୋ’ର। ଛୁଆଟା କାହାର ବୋଲି ତାଙ୍କଭିତରୁ କେହିବି ମାନିବାକୁ ରାଜିନୁହଁନ୍ତି। ତୋ’ ଝିଅକୁ ଚିହ୍ନା ନଦେଇ କଥାଟା ତତେ ମୁଁ ଜଣାଇଦେଲି। ଏଣିକି ତୁ ଯାହା କରିବୁ।” କହିଲେ ଡାକ୍ତର ବନ୍ଧୁ ଲାବଣ୍ୟ ବେହେରା।

ହଠାତ୍ ଫୋନ୍ ଟା ହାତରୁ ତାଙ୍କର ତଳେ ପଡ଼ିଗଲା। ମୁଣ୍ଡ ଉପରେ ପାହାଡ଼ଟେ ଛିଡ଼ି ପଡ଼ିଲା ପରି ଲାଗୁଥିଲା ତାଙ୍କୁ। ଇଚ୍ଛା ହେଉଥିଲା କହି ଦେବାକୁ,”ଆରେ ଲାବଣ୍ୟ ତୁ ତାକୁ ବିଷ ଇଞ୍ଜେକ୍ ସନ୍ ଟେ ଦେଇ ମାରି ଦେ’ରେ।” ସନାତନ ବାବୁ ଦୁମ୍ କରି ତଳେ ପଡି ଯିବାରୁ,ସେପଟ ଘରୁ ପଦ୍ମା ଆସି ପାଣିଟିକେ ତାଙ୍କ ମୁହଁରେ ସିଂଚି,ଘଟଣା ସମ୍ପର୍କରେ ପଚାରିବାରେ ତାଙ୍କୁ ସବୁକଥା କାନ୍ଦକାନ୍ଦ ହୋଇ ବଖାଣିଗଲେ ସେ। କାନ୍ଦିକାନ୍ଦି ନିଜକୁ ଓ ସନାତନ ବାବୁଙ୍କୁ ସାନ୍ତ୍ୱନା ଦେଉଥିଲା ପଦ୍ମା। ସନାତନ ବାବୁ ଭାବୁଥିଲେ,ପଦ୍ମାରବା ଦୋଷ କ’ଣ? ସେ ବିଚାରୀ ଯଦି ଏକଥା ଜାଣେଯେ,ଗେହ୍ଲୀ ପ୍ରକୃତରେ ତାଙ୍କ ନିଜ ଝିଅନୁହେଁ ବରଂ ଟି.ଭିରେ ଦେଖିଥିବା ପିତୃମାତୃ ଭକ୍ତ ସେଇ ମେଧାବୀ ପୁଅ କୃର୍ଷ୍ଣଚନ୍ଦ୍ର ହିଁ ତାଙ୍କପୁଅ ଆଉ ଏସବୁ ତାଙ୍କରି କରୋତି କର୍ମର ଫଳବୋଲି,ତେବେ ସେଦିନ ସେ କ୍ଷମା କରିବେତ ତାଙ୍କୁ? ନିଜେ କୃର୍ଷ୍ଣଚନ୍ଦ୍ର ଏକଥା ଜାଣିଲେ ତାକୁ ଯେତିକି କଷ୍ଟ ନହେବ ବରଂ ତା’ଠୁ ଅଧିକ କଷ୍ଟହେବ ପଦ୍ମାକୁ।

ଯୁଗେଯୁଗେ ଅନେକ ଆଶାନେଇ କୃର୍ଷ୍ଣମାନେ ଜନ୍ମ ନିଅନ୍ତି ପଦ୍ମାପରି ଦେବକୀ ମାନଙ୍କ ଗର୍ଭରେ। କିନ୍ତୁ ପୁତ୍ରଦ୍ରୋହୀ ପିତାମାନେ ହାତଗଣତି କଂସ,ମହିଷାସୁର ପରି କେତେଟା ପୁତ୍ରଙ୍କୁ ଦେଖି ଦୁନିଆର ସବୁ ପୁଅଙ୍କୁ ସେୟା ଭାବି ଟେକି ଦିଅନ୍ତି ଯଶୋଦାଙ୍କ ହାତରେ ପରୋକ୍ଷରେ ସେମାନଙ୍କୁ ନିପାତ କରି ଦେବାକୁ କଂସପରି ରାକ୍ଷସଙ୍କ ହାତରେ। କିନ୍ତୁ ନିଜର ଗଭୀର ଆତ୍ମବିଶ୍ୱାସ ଓ ନିଷ୍ଠା ବଳରେ ସେମାନେ ଓଲଟି ନିପାତ କରିପକାନ୍ତି ସେଇ କଂସ ମାନଙ୍କୁ। ଶେଷରେ କିନ୍ତୁ କୃର୍ଷ୍ଣ ମାନଙ୍କୁ ହିଁ ପୂଜା କରନ୍ତି ଦୁନିଆ ସାରା ଲୋକେ। ଠିକ୍ ଏତକିବେଳେ ମନେ ପଡ଼ିଗଲା ତାଙ୍କର ଓଡ଼ିଆ ସାହିତ୍ୟର ଜଣେ ପ୍ରତିଷ୍ଠିତ ଗାଳ୍ପିକଙ୍କ ପଢ଼ିଥିବା ଗୋଟେ ଗଳ୍ପର ସାରାଂଶ କଥା। ପୁଅ ଗୁଡ଼ାକ କୁଆଡ଼େ କୁଳାଙ୍ଗାର,ବାପା ମାଆକୁ ହାତଉଠେଇ ମାରନ୍ତି ବୋଲି। ସେମାନେ କୁଆଡ଼େ ପାଠରେ,ଶାଠରେ ସବୁଥିରେ ଅସଫଳ ମଧ୍ୟ। ମାତ୍ର ଅପର ପକ୍ଷରେ ଝିଅମାନେହିଁ ସବୁ କ୍ଷେତ୍ରରେ ସଫଳ। ପୁଅ ଗୁଡ଼ାକ ଅପଦାର୍ଥ ବୋଲି ସେ ଗାଳ୍ପିକଙ୍କ ଗଳ୍ପରୁ ଜାଣିବା ପରେ,ଯେହେତୁ ସେ ବେଶି ପ୍ରଭାବିତ ହୋଇ ପୁଅ ଯାଗାରେ ଝିଅଟେ ବଦଳକରି ଅସହ୍ୟ ମାନସିକ କଷ୍ଟ ଭୋଗିଥିଲେ; ସେହେତୁ ସେ ଭାବୁଥିଲେ ସେ ଗାଳ୍ପିକ ନିଶ୍ଚୟ ଗୋଟେ ଅଣପୁରୁଷ ହୋଇଥିବେ ବୋଧହୁଏ। ତା’ ନହୋଇଥିଲେ ସେ ନିଜେ ଜଣେ ପୁଅହୋଇ ଏତକ କହିପାରି ଥାଆନ୍ତେ କେମିତି? ସେ ବି ତାହାଲେ ତାଙ୍କ ବାପା ମାଆ ଉପରକୁ ହାତ ଉଠେଇଥିବେ ନିହାତି ! ଅସଫଳ ହୋଇଥିବେ ସବୁଠି ! ପୁଅ ଗୁଡ଼ାକ ଯଦି ଅପଦାର୍ଥ,ତେବେ ନିଜ ବାପାର ପୁଅଟିଏ ହୋଇବି ଏତେବଡ଼ ଗାଳ୍ପିକ ସେ ହେଲେ କେମିତି? ଇଚ୍ଛା ହେଉଥିଲା ତାଙ୍କର,”ସେ ଗାଳ୍ପିକ ମହାଶୟଙ୍କୁ ବୁଝେଇ ଦେବାକୁଯେ,ଜଣେଲୋକ ଚୋରିକଲେ ସେ ଲୋକଟାର ଗାଁଟା ଯାକର ଲୋକ ଚୋର ହୋଇ ଯାଆନ୍ତିନିରେ ନିର୍ବୋଧ। ବରଂ ପୁଅ ଓ ଝିଅ ଉଭୟ ହିଁ ଆବଶ୍ୟକ ଏ ସଂସାର ପାଇଁ। ଏଣୁ ସ୍ୱତବ ଭାବେ ପୁଅ କି ଝିଅ ଆଶା ନକରି ବରଂ ବାପାମାଆ ମାନେ ପିଲାଙ୍କୁ ଭଲ ମଣିଷ କରି ଗଢ଼ିବାକୁ ଉପଯୁକ୍ତ ଶିକ୍ଷା ହିଁ ଦେବା ଆବଶ୍ୟକ ବୋଲି ଗଳ୍ପରେ ବାର୍ତ୍ତାଦେବା ଆବଶ୍ୟକ।”

ସେଦିନ ରାତିଟା ଆଉ ଶୋଇ ପାରିଲେନି ସନାତନ ବାବୁ। ପଦ୍ମା କିନ୍ତୁ ଶୋଇ ପଡ଼ିଥିଲା ନିଘୋଡ଼ ନିଦରେ। ସେପାଖ ଘରେବି ଶୋଇଥିଲା ଗେହ୍ଲୀ। କୋଉ ଟୋକାଙ୍କ ସାଙ୍ଗେରେ ମିଶି ମଦଗୁଡ଼େ ପିଇଦେଇ ଆସିଥିଲାକି କ’ଣ କେଜାଣି ପାଟିରୁ ତା’ର ଗନ୍ଧ ବାହାରୁ ଥିଲା ଭଣଭଣ ହେଇ। ସନାତନ ବାବୁ ଭାବୁଥିଲେ ତାଙ୍କର ଆଉ ବଂଚିକିରି ରହିବାରେ ଲାଭ କ’ଣଅଛି? କାହାକୁ ସେ ଆଉ ମୁହଁ ଦେଖେଇବେ?

ମାଛି ଅନ୍ଧାରୁ ସମସ୍ତଙ୍କ ଅଜଣାରେ ଗୋଟିଏ ଲକ୍ଷ୍ୟରେ ଘରୁ ପାଦ କାଢ଼ିଲେ ସେ। ଷ୍ଟେସନ୍ ଠାରୁ ଟିକିଏ ଦୂରରେ ଥିବା ଲେବୁଲ୍ କ୍ରସିଂ ଆଡ଼କୁ। ଯେଉଁଠି ତାଙ୍କୁ କେହି ନଦେଖି ପାରିବେ। ସେ ଟ୍ରେନ୍ ଲାଇନ୍ କୁ ଡେଇଁ ଆତ୍ମହତ୍ୟା କରିବେ ଏହାହିଁ ତାଙ୍କର ଶେଷ ସିଦ୍ଧାନ୍ତ। ଅନ୍ଧାର ଯୋଗୁଁ ଠିକ୍ ରେ ଦେଖା ନଯିବାରୁ ଝୁଣ୍ଟି ପଡ଼ି ଯାଉଯାଉ କରମଣ୍ଡଳ ଏକ୍ସପ୍ରେସ୍ ଟା ତାଙ୍କୁ ଅତିକ୍ରମ କରି ପଳେଇ ଗଲା। ଗାଡ଼ିଟା ଏତେ ଭିଡ଼ଥିଲାଯେ,କୋଉଠି ଆଉ ପାଦ ପକେଇବାକୁବି ଯାଗା ନଥିଲା। ଭୂଇଁରୁ ଭରାଦେଇ ଉଠି ପଡ଼ୁପଡ଼ୁ ଦେହରେ ତାଙ୍କର ଧକ୍କାଦେଇ ଛୋଟ ପିଲାଟିଏ ଗଡ଼ିଗଡ଼ି ଯାଇ ପଡ଼ିଲା ଖଣ୍ଡେ ଦୂରରେ ଥିବା ଏକ ବୁଦା ଉପରେ। କାହାର କ’ଣଟେ ଖସି ପଡ଼ିଲା ବୋଲି ସାଙ୍ଗେସାଙ୍ଗେ ମୁହଁ ଉଠେଇ ଟ୍ରେନ୍ ଆଡ଼କୁ ଚାହୁଁଚାହୁଁ କାନରେ ତାଙ୍କର ପଡ଼ିଲା କେଉଁଏକ ଅଚିହ୍ନା ମହିଳାଙ୍କ କରୁଣ ଚିତ୍କାର। ମହିଳା ଜଣକ କାନ୍ଦିକାନ୍ଦି କହୁଥିଲେ,”ଆରେ କୋଇ ହେ... ଗାଡ଼ି ରୋକୋ ଭେୟା। ମେରା ବଚ୍ଚା ଗିର୍ ଗୟା ଭେୟା ଜୀ।” ଅଥଚ ଗାଡ଼ି ନରହି ଦଉଡ଼ି ପଳେଇଥିଲା ପୂର୍ବବତ୍ ଦ୍ରୁତ ଗତିରେ ଅନେକ ଆଗକୁ। ସନାତନ ବାବୁ ବୁଝି ଯାଇଥିଲେ ଭିଡ଼ ସକାଶେ କୋଉ ମାଆ ହାତରୁ ତା’ ଛୁଆଟି ଖସି ପଡ଼ିଲା ବୋଧେ। ମହିଳା ଜଣକ ‘ବଚ୍ଚା’ବୋଲି ଚିତ୍କାର କରୁଥିଲେ ମାନେ ଛୁଆଟି ‘ପୁଅଟିଏ’ ହୋଇଥିବ ନିଶ୍ଚୟ।

ଗାଡ଼ିଟା ଯାଇ ସାରିବା ପରେ ତାକୁ ବଂଚେଇବା ଉଦ୍ଦେଶ୍ୟରେ ଦଉଡ଼ିଗଲେ ସେ। ପାଖରେ ପହଂଚି ଦେଖିଲେ ସତରେ କୁନି ପୁଅଟାଏ। ଯାହାହେଉ ବଂଚିଛି ଛୁଆଟା। କାନ୍ଦୁଥିଲା କୁଆଁକୁଆଁ ହୋଇ। କେବଳ ଯାହା ଦେହଟା ଟିକେ ଖଣ୍ଡିଆ ଖାବରା ହୋଇ ଯାଇଥିଲା। ସେ ତାକୁ ତଳୁ ଉଠାଇ ଆଣି ଧରିଲେ ଡାକ୍ତରଖାନା ନେଇ ଚିକିତ୍ସା କରିବାକୁ। ମନେମନେ ଧନ୍ୟବାଦ ଦେଲେ ଭଗବାନଙ୍କୁ। “ଯାହାହେଉ ପ୍ରଭୁ ମୋତେ ଆଉଗୋଟେ ପୁଅ ଦେଇଛନ୍ତି। ତାକୁନେଇ ପାଳିବେ ସେ।” ନିକଟସ୍ଥ ଡାକ୍ତରଖାନା ପହଂଚିବା ପରେପରେ ପୁଅଟାର କାନ୍ଦ ବନ୍ଦ ହୋଇଗଲା। ଡାକ୍ତର ପରୀକ୍ଷା କରି ତାକୁ ମୃତ ଘୋଷଣା କଲାପରେ ଧୈର୍ଯ୍ୟହରା ହୋଇ କେବଳ କାନ୍ଦୁଥିଲେ ସେ। ସେତେବେଳକୁ ତାଙ୍କୁ ଖୋଜିଖୋଜି ସେଇ ବାଟଦେଇ ଆସି ସେଇଠି ପହଁଚିଥିଲେ ପଦ୍ମା। ନିଜକୁ ଦୋଷୀଟିଏ ମନେକରି ପାଗଳଙ୍କ ପରି ସନାତନ ବାବୁ ପଦ୍ମାକୁ କହୁଥିଲେ,”ପଦ୍ମା, ମୁଁ ଗୋଟେ ଅପଦାର୍ଥ। ମୁଁ ହେଲି ପୁତ୍ରଦ୍ରୋହୀ। ମୋ’ କୋଳରେ ଆଉ ଦୁନିଆର କୋଉବି ପୁଅ ଚେଇଁବେନି। ଶୋଇଯିବେ ସବୁଦିନ ପାଇଁ। ହେଇ ଦେଖୁନ... କେମିତି ଚିରନିଦ୍ରାରେ ମୋ’ ପୁଅ ଶୋଇଛି....।”

ସବୁ ଘଟଣା ଜାଣିଲା ପରେ ପାଗଳ ସନାତନ ବାବୁଙ୍କୁ ପଦ୍ମା କେବଳ ସାନ୍ତ୍ୱନା ଦେଇ ଘରକୁ ଡାକିନେବା ବ୍ୟତୀତ ଅନ୍ୟ ଉପାୟ ଆଉ କିଛି ହିଁ ନଥିଲା।

ଆଧାର - ଅଧ୍ୟାପକ ଟି.ହୃଷୀକେଶ,ମୋ-୯୬୫୮୦-୯୩୪୭୪, ଇମେଲ ଠିକଣା -adhyapakt.hrusikesh@gmail.com

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top