ସେଆର କରନ୍ତୁ

ପୃଥିବୀ

ପୃଥିବୀ ହେଉଛି, ସୌରମଣ୍ଡଳର ତୃତୀୟ ଗ୍ରହ । ପୃଥିବୀ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।

ପୃଥିବୀ ସମ୍ବନ୍ଧରେ ସୂଚନା

ପୃଥିବୀ ହେଉଛି, ସୌରମଣ୍ଡଳର ତୃତୀୟ ଗ୍ରହ । ସୌରମଣ୍ଡଳର ଚାରୋଟି କଠିନ ଗ୍ରହ ମଧ୍ୟରୁ ଏହା ଗୋଟିଏ । ଅର୍ଥାତ୍‌ ଏହାର ଅଧିକାଂଶ ହେଉଛି କଠିନ । ଅନ୍ୟ ତିନୋଟି ହେଉଛି ବୁଧ, ଶୁକ୍ର ଓ ମଙ୍ଗଳ ।

ମାନବ ସମେତ ଲକ୍ଷାଧିକ ଉଦ୍ଭିଦ ଓ ପ୍ରାଣୀ ପ୍ରଜାତିର ଘର ହେଉଛି ପୃଥିବୀ । ବ୍ରହ୍ମାଣ୍ଡରେ ପୃଥିବୀ ହେଉଛି ଏକମାତ୍ର ସ୍ଥାନ ଯେଉଁଠି ଜୀବନ ଅଛି । ପୃଥିବୀ ପ୍ରାୟ ୪.୫ ଅର୍ବୁଦ ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲା । ପୃଥିବୀର ଜୀବମାନେ ଗ୍ରହକୁ ଅନେକାଂଶରେ ପ୍ରଭାବିତ କରନ୍ତି । ଦୃଷ୍ଟାନ୍ତ ସ୍ୱରୂପ, ପୂର୍ବରୁ ଜୀବମାନେ ବାୟୁମଣ୍ଡଳକୁ ସମ୍ପୂର୍ଣ ପରିବର୍ତ୍ତନ କରିଦେଇଥିଲେ । ସମସ୍ତ ଜୀବଙ୍କୁ ନେଇ ଜୀବମଣ୍ଡଳ ଗଠିତ ।

ପୃଥିବୀର ପ୍ରାୟ ୭୧% ଲୁଣିଆ ମହାସାଗର ଦ୍ୱାରା ଆଚ୍ଛାଦିତ । ବର୍ତ୍ତମାନ କେବଳ ପୃଥିବୀରେ ତରଳ ଜଳ ଥିବାର ଜଣାଯାଇଛି ।

ବାକି ୨୯% ହେଉଛି ମହାଦେଶ ଓ ଦ୍ୱୀପ । ପୃଥିବୀ ସୌରମଣ୍ଡଳର ଅନ୍ୟ ବସ୍ତୁ, ମୁଖ୍ୟତଃ ସୂର୍ଯ୍ୟ ଓ ଚନ୍ଦ୍ର ଦ୍ୱାରା ପ୍ରଭାବିତ ହୁଏ । ପୃଥିବୀ ସୂର୍ଯ୍ୟକୁ ପ୍ରାୟ ୩୬୫.୨୫ ଦିନରେ ପରିକ୍ରମା କରେ । ପୃଥିବୀର ଗୋଟିଏ ଆବର୍ତ୍ତନକୁ ଗୋଟିଏ ଦିନ ଓ ସୂର୍ଯ୍ୟ ଚାରିପଟେ ଗୋଟିଏ ପରିକ୍ରମଣକୁ ବର୍ଷ କୁହାଯାଏ । ସେଥିପାଇଁ ଗୋଟିଏ ବର୍ଷ ୩୬୫ ଦିନ ଅଟେ । ପୃଥିବୀର ଏକମାତ୍ର ଉପଗ୍ରହ ହେଉଛି ଚନ୍ଦ୍ର ।

ଇତିହାସ

ପୃଥିବୀ ଓ ଅନ୍ୟ ଗ୍ରହମାନେ ପ୍ରାୟ ୪.୬ ଅର୍ବୁଦ ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲେ । ସୂର୍ଯ୍ୟକୁ ସୃଷ୍ଟି କରିଥିବା ନିହାରିକାର ବଳକା ଗ୍ୟାସ୍‌ରୁ ଗ୍ରହମାନେ ସୃଷ୍ଟି ହୋଇଥିଲେ । ଚନ୍ଦ୍ର ସମ୍ଭବତଃ ପୃଥିବୀ ସହ ଅନ୍ୟ ଏକ ଛୋଟ ଗ୍ରହର ସଂଘର୍ଷରୁ ସୃଷ୍ଟି ହୋଇଥିଲା । ଉଭୟ ଗ୍ରହର ଭଗ୍ନାଂଶରୁ ଚନ୍ଦ୍ରର ସୃଷ୍ଟି ବୋଲି ବୈଜ୍ଞାନିକଙ୍କ ବିଶ୍ୱାସ ।

ଧୂମକେତୁ, ଗ୍ରହାଣୁମାନଙ୍କ ଆଘାତ ଓ ଜଳ ଘନିଭୂତ ହେବାରୁ ମହାସାଗର ତିଆରି ହେଲା । ପୃଥିବୀ ସୃଷ୍ଟିର ୧ ଅର୍ବୁଦ ବର୍ଷ ପରେ ଅର୍ଥାତ୍‌ ପ୍ରାୟ ୩.୬ ଅର୍ବୁଦ ବର୍ଷ ପୂର୍ବେ ପ୍ରଥମ ଜୀବ ସୃଷ୍ଟି ହେଲା । କିଛି ବୀଜାଣୁ ସୂର୍ଯ୍ୟରଶ୍ମୀ ଓ ଜଳରୁ ଆଲୋକଶ୍ଳେଷଣ ମାଧ୍ୟମରେ ଖାଦ୍ୟ ତିଆରି କଲେ । ଏହି ପ୍ରକ୍ରିୟାରେ ନିର୍ଗତ ପ୍ରଚୁର ଅମ୍ଳଜାନରୁ କିଛି ଲୌହ ଶୋଷଣ କରିନେଲା । ବଳକା ଅମ୍ଳଜାନ ବାୟୁମଣ୍ଡଳ ତିଆରି କରି ଜୀବଜଗତ ପାଇଁ ଉପଯୁକ୍ତ ସ୍ଥାନ ତିଆରି କଲା । ସୂର୍ଯ୍ୟର କ୍ଷତିକାରକ ଅତିବାଇଗଣୀ ରଶ୍ମିରୁ ରକ୍ଷା କରୁଥିବା ଓଜୋନ୍‌ ସ୍ତର ମଧ୍ୟ ଏହି ଅମ୍ଳଜାନରୁ ତିଆରି ହେଲା । ଏହି ସୁରକ୍ଷା ଯୋଗୁ ଜୀବନ ଅତଳ ମହାସାଗରରୁ ଭୂପୃଷ୍ଠକୁ ଆସିଲା ।

ପୂର୍ବେ ସ୍ଥଳଭାଗ ଗୋଟିଏ ସ୍ଥାନରେ ଥିଲା । ତାହାକୁ ବୃହତ ମହାଦେଶ କୁହାଯାଏ । ଏହି ବୃହତ ମହାଦେଶକୁ ରୋଡିନା କୁହାଯାଏ । ଏହା ପରେ ପୃଥିବୀ ବରଫର ମୋଟା ଆସ୍ତରଣରେ ଆଚ୍ଛାଦିତ ଥିଲା ବୋଲି ବୈଜ୍ଞାନିକମାନଙ୍କ ବିଶ୍ୱାସ । ଏହାକୁ ପୃଥିବୀର ବରଫପେଣ୍ଡୁ ତତ୍ତ୍ୱ କୁହାଯାଏ ।

ପୃଥିବୀର ଗଠନ

ପୃଥିବୀ ଗୋଟିଏ କଠିନ ଗ୍ରହ ଅଟେ ।

ଅର୍ଥାତ୍‌ ଏହା ବୃହସ୍ପତି ପରି ଗ୍ୟାସ ପିଣ୍ଡୁଳା ନହୋଇ କଠିନ ମୃତ୍ତିକାରେ ତିଆରି ।

ବସ୍ତୁତ୍ୱ ଓ ବ୍ୟାସ ହିସାବରେ ଚାରିଟିଯାକ କଠିନ ଗ୍ରହ ମଧ୍ୟରୁ ଏହା ସର୍ବବୃହତ ।

ରାସାୟନିକ ସଂଗଠନ

ପୃଥିବୀ ମୁଖ୍ୟତଃ ଲୌହ (୩୨.୧%), ଅମ୍ଳଜାନ (୩୦.୧%), ସିଲିକନ୍‌ (୧୫.୧%), ମାଗ୍ନେସିୟମ୍‌ (୧୩.୯%), ସଲ୍‌ଫର୍‌ (୨.୯%), ନିକେଲ୍‌ (୧.୮%), କ୍ୟାଲ୍‌ସିୟମ୍‌ (୧.୫%), ଆଲୁମିନିୟମ୍‌ (୧.୪%) ଓ ଅନ୍ୟାନ୍ୟ ମୌଳିକ (୧.୨%) କୁ ନେଇ ଗଠିତ । କେନ୍ଦ୍ରାଞ୍ଚଳ ମୁଖ୍ୟତଃ ଲୌହ (୮୮.୮%), ନିକେଲ୍‌ (୫.୮%), ସଲ୍‌ଫର୍‌ (୪.୫%) ଓ ୧% ଅନ୍ୟ ମୋଳିକକୁ ନେଇ ଗଠିତ ।

ଭୂତ୍ୱକ୍‌ର ୪୭% ରୁ ଅଧିକ ଅମ୍ଳଜାନରେ ତିଆରି । ଭୂତ୍ୱକ୍‌ର ପ୍ରାୟ ଅଂଶ ଅମ୍ଳଜାନର ଯୌଗିକ ଅଟନ୍ତି । ମୁଖ୍ୟ ଅମ୍ଳଜାନ ଯୌଗିକମାନେ ହେଲେ ସିଲିକା, ଆଲୁମିନା, ଲୌହ ଅକ୍ସାଇଡ୍‌, ଚୂନ, ମାଗ୍ନେସିଆ, ପଟାସ୍‌ ଓ ସୋଡ଼ା । ଶିଳା ପରୀକ୍ଷଣରୁ ଜଣାପଡ଼େ ଯେ ୯୯.୨୨% ମାତ୍ର ୧୧ଟି ଅମ୍ଳଜାନ ଯୌଗିକରୁ ତିଆରି ।

ଆକୃତି

ପୃଥିବୀର ଆକୃତି କମଳା ଲେମ୍ବୁ ପରି ଚେପ୍‌ଟା । ଏହାର ମଝି ଅଂଶ ସାମାନ୍ୟ ସ୍ଫୀତ ଅଟେ । ପୃଥିବୀର ପରିଧି ପ୍ରାୟ ୪୦,୦୦୦ କିମି ଓ ବ୍ୟାସ ପ୍ରାୟ ୧୨,୭୦୦ କିମି ଅଟେ । ସମୁଦ୍ରପତନ ଠାରୁ ୮,୮୪୮ ମି ଉଚ୍ଚରେ ଥିବା ଏଭେରେଷ୍ଟ୍ ଶୃଙ୍ଗ ହେଉଛି ପୃଥିବୀର ଉଚ୍ଚତମ ସ୍ଥାନ । ମାରିଆନା ଟ୍ରେଞ୍ଚର ୧୦,୯୧୧ମି ଗଭୀରତା ହେଉଛି ପୃଥିବୀର ନିମ୍ନତମ ସ୍ଥାନ । ବିଷୁବ ଅଞ୍ଚଳରେ ସ୍ଫୀତ ହେତୁ ଇକ୍ୱେଡର୍‌ର ଚିମ୍ବୋରାଜୋ ଶୃଙ୍ଗ ହେଉଛି ପୃଥିବୀର କେନ୍ଦ୍ରଠାରୁ ଦୂରତମ ସ୍ଥାନ ।

ଆଭ୍ୟନ୍ତରୀଣ ଗଠନ

ପୃଥିବୀର ଆଭ୍ୟନ୍ତରୀଣ ଗଠନ ଅନ୍ୟ କଠିନ ଗ୍ରହ ପରି ଅଟେ । ଏହାର ବାହ୍ୟ କଠିନ ସ୍ତରକୁ ଭୂତ୍ୱକ୍‌ କୁହାଯାଏ । ସମସ୍ତ ଜୀବ ଭୂତ୍ୱକ୍‌ ଉପରେ ବାସ କରନ୍ତି । ଏହି ସ୍ତର ତଳେ ଏକ ପତଳା ଅର୍ଦ୍ଧତରଳ ସ୍ତର ଥାଏ ।

ତାହାର ତଳେ ଏକ ପତଳା ତରଳ ସ୍ତର ଓ ଶେଷରେ କଠିନ ଲୌହ ଆଭ୍ୟନ୍ତରୀଣ କେନ୍ଦ୍ର ଥାଏ । ଭୂତ୍ୱକ୍‌ର ମୋଟେଇ ପରିବର୍ତ୍ତନଶୀଳ । ସ୍ଥଳଭାଗରେ ଏହା ୩୦-୫୦ କିମି ମୋଟା ଥାଏ । ମହାସାଗର ତଳେ କେତେକ ସ୍ଥାନରେ ଏହା ମାତ୍ର ୬ କିମି ମୋଟା ଥାଏ । ପୃଥିବୀର ଆଭ୍ୟନ୍ତରୀଣ ଅତ୍ୟନ୍ତ ଗରମ ଥାଏ ।

ଭୂଚଳନ ସ୍ତର

ପୃଥିବୀ ହେଉଛି ସକ୍ରିୟ ଭୂଚଳନ ସ୍ତର ଥିବା ଏକମାତ୍ର ଗ୍ରହ । ଭୂତ୍ୱକ୍‌, ତଳେ ଥିବା ତରଳ ଶିଳାସ୍ତର ଉପରେ ଭାସୁଥାଏ । ଭୂତ୍ୱକ୍‌ କେତେକ ଅଂଶ ବା ସ୍ତରରେ ବିଭକ୍ତ । ସ୍ତରମାନେ ଗତି କଲାବେଳେ ପରସ୍ପର ପ୍ରଭାବ ଦ୍ୱାରା ଭୂକମ୍ପ, ଆଗ୍ନେୟଗିରି, ପର୍ବତଶ୍ରେଣୀ ଆଦି ତିଆରି ହୋଇଥାଏ । ସ୍ତରମାନଙ୍କର ମିଳନସ୍ଥଳରେ ସୀମାରେଖା ଥାଏ । ନିର୍ମାଣ, ବିନାଶ ଓ ପରିବର୍ତ୍ତନ ଭାବରେ ତିନି ପ୍ରକାରର ସୀମାରେଖା ଥାଏ ।

  • ଦୁଇଟି ସ୍ତର ପରସ୍ପରଠାରୁ ଦୂରେଇଯାଇ ଫାଟ ସୃଷ୍ଟି କରନ୍ତି, ଫଳରେ ଆଗ୍ନେୟଗିରି ସୃଷ୍ଟି ହୁଏ ଓ ତରଳ ମାଗ୍ମା ବାହରକୁ ଆସେ । ଏହିପରି ସୀମାରେଖା ଗଭୀର ସମୁଦ୍ର, ସମୁଦ୍ରତଳ ଆଗ୍ନେୟଗିରି ଆଦି ସୃଷ୍ଟି କରନ୍ତି । ଉଦାହରଣ: ସମୁଦ୍ର ବନ୍ଧ
  • ବିନାଶକାରୀ ସୀମାରେଖା ପରସ୍ପରର ନିକଟବର୍ତ୍ତୀ ହୁଅନ୍ତି । ଏହା ଦ୍ୱୀପ, ଆଗ୍ନେୟଗିରି, ଓ ଉଚ୍ଚ ପର୍ବତ ଶ୍ରେଣୀ ତିଆରି କରେ । ଉଦାହରଣ: ହିମାଳୟ, ଆଣ୍ଡିସ୍‌
  • ପରିବର୍ତ୍ତନଶୀଳ ସୀମାରେଖା ପରସ୍ପର ସମାନ୍ତରାଳ ଭାବେ ଗତି କରନ୍ତି । ଗତି କଲାବେଳେ ଉଭୟ ସ୍ତରର ଘର୍ଷଣ ମଧ୍ୟ ହୁଏ । ଏପରି ସୀମାରେଖା ଭୂକମ୍ପ ସୃଷ୍ଟି କରେ । ଉଦାହରଣ: ସାନ୍‌ ଆଣ୍ଡ୍ରିଆସ୍‌ ଫଲ୍‌ଟ୍‌

ପୃଷ୍ଠତଳ

ପୃଥିବୀର ପୃଷ୍ଠତଳରେ ସ୍ଥଳବିଶେଷରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । ପୃଥିବୀର ୭୦% ରୁ ଅଧିକ ଜଳରେ ଆଚ୍ଛାଦିତ । ସମୁଦ୍ରତଳ ଅନେକାଂଶରେ ସ୍ଥଳଭାଗ ସହିତ ସମାନ । ୩୦% ସ୍ଥଳଭାଗ ଜଙ୍ଗଲ, ମରୁଭୂମି, ସମତଳ, ପର୍ବତ ଓ ମାଳଭୂମିକୁ ନେଇ ଗଠିତ । ମାନବ ସଭ୍ୟତା ସହରୀକରଣର ମାୟାରେ ମୋହିତ ।

ଭୂପୃଷ୍ଠକୁ ପରିବର୍ତ୍ତନ କରିବା ପାଇଁ ଅନେକ କାରକ ଅଛି । ମୁଖ୍ୟ କାରକ ହେଉଛି ଭୂଚଳନ, ଅନ୍ୟ କାରକମାନେ ହେଲେ ପବନ, ଜଳ, ସାଗର ଦ୍ୱାରା ମୃତ୍ତିକା କ୍ଷୟ, ଗ୍ରହାଣୁ ସଂଘାତ ଇତ୍ୟାଦି । ପୃଥିବୀପୃଷ୍ଠ ସାଧାରଣତଃ ୩ ପ୍ରକାରର ଶିଳାକୁ ନେଇ ଗଠିତ ।

  • ଭୂଗର୍ଭର ଲାଭା ବା ମାଗ୍ମା ଭୂପୃଷ୍ଠରେ ଥଣ୍ଡା ହେଲେ ଆଗ୍ନେୟ ଶିଳା ତିଆରି ହୁଏ । ଥଣ୍ଡା ହେଲେ ଏହା ଶିଳା ରୂପ ଧାରଣ କରେ ।
  • ବାଲି ଓ କ୍ଷୁଦ୍ର ଶିଳା ଚାପି ହୋଇ ସ୍ତରୀଭୂତ ଶିଳା ଗଠନ କରନ୍ତି ।
  • ଅନ୍ୟ ଦୁଇ ପ୍ରକାରର ଶିଳା ଚାପ ଓ ତାପ ପ୍ରଭାବରେ ପରିବର୍ତ୍ତିତ ହୋଇ ରୂପାନ୍ତରିତ ଶିଳା ତିଆରି କରନ୍ତି ।

ଜଳମଣ୍ଡଳ

ପୃଥିବୀର ସମସ୍ତ ଜଳ, ଜଳମଣ୍ଡଳର ଅନ୍ତର୍ଭୁକ୍ତ । ପ୍ରାୟ ୯୭.୫% ହେଉଛି ଲୁଣିଆ ଜଳ । ମଧୁର ଜଳର ଅର୍ଦ୍ଧେକ ଏବେ ବରଫ ଆକାରରେ ଅଛି । ମହାସାଗର ଅଙ୍ଗାରକାମ୍ଳ ଶୋଷିନେଇ ସବୁଜ କୋଠରୀ ପ୍ରଭାବ ଓ ବିଶ୍ୱତାପନରେ ସାହାଯ୍ୟ କରେ ।

ବାୟୁମଣ୍ଡଳ

ଗ୍ରହର ଚାରିପାଖରେ ଥିବା ବାୟୁକୁ ବାୟୁମଣ୍ଡଳ କୁହାଯାଏ । ମାଧ୍ୟାକର୍ଷଣ ଏହାକୁ ଧରି ରଖେ । ପୃଥିବୀର ବାୟୁମଣ୍ଡଳ ୭୮% ଯବକ୍ଷାରଜାନ, ୨୧% ଅମ୍ଳଜାନ ଓ ଅନ୍ୟ ଗ୍ୟାସମାନଙ୍କୁ ନେଇ ଗଠିତ । ବାୟୁ ହେଉଛି ଗ୍ୟାସ୍‌ମାନଙ୍କର ଏକ ମିଶ୍ରଣ । ବାୟୁମଣ୍ଡଳରେ ଓଜୋନ୍‌ ଗ୍ୟାସ ବିଶିଷ୍ଟ ଏକ ଓଜୋନ୍‌ ସ୍ତର ଅଛି । ସୂର୍ଯ୍ୟର ଅତିବାଇଗଣୀ ରଶ୍ମିକୁ ଓଜୋନ୍‌ ଶୋଷିନିଏ । ଅତିବାଇଗଣୀ ରଶ୍ମି ଜୀବନ ପାଇଁ ବିପଜ୍ଜନକ ହୋଇଥିବାରୁ ଓଜୋନ୍‌ ବିନା ଜୀବନ ସମ୍ଭବ ନୁହେଁ । ଉଲ୍‌କା ଓ କ୍ଷୁଦ୍ର ଗ୍ରହାଣୁ ସଂଘାତରୁ ମଧ୍ୟ ବାୟୁମଣ୍ଡଳ ପୃଥିବୀକୁ ରକ୍ଷା କରେ । କାରଣ ଏଗୁଡ଼ିକ ବାୟୁମଣ୍ଡଳରେ ଘଷି ହୋଇ ପୋଡ଼ିଯାଆନ୍ତି । ବାୟୁମଣ୍ଡଳ ପୃଥିବୀକୁ ଉଷ୍ଣ ରଖେ । ମିଥେନ୍‌, ଅଙ୍ଗାରକାମ୍ଳ ପରି ଗ୍ୟାସ୍‌ମାନେ ତାପକୁ ଧରିରଖି ପୃଥିବୀକୁ ଉଷ୍ଣ ରଖନ୍ତି । ଏହାକୁ ପ୍ରାକୃତିକ ସବୁଜ କୋଠରୀ ପ୍ରଭାବ କୁହାଯାଏ । ମଣିଷମାନେ ଜାରଣ ପ୍ରକ୍ରିୟା ସମ୍ବଳିତ କାରଖାନା ତିଆରି କରନ୍ତି । ଜାରଣ ପ୍ରଚୁର ଅଙ୍ଗାରକାମ୍ଳ ଛାଡ଼େ । ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ଅଧିକ ତାପ ଧରି ରଖେ । ଏହାକୁ ବିଶ୍ୱ ତାପନ କୁହାଯାଏ ।

ଜଳବାୟୁ, ପାଣିପାଗ ଓ ଜଳଚକ୍ର

ଉତ୍ତପ୍ତ ବାୟୁ ଉପରକୁ ଉଠେ । ଉପରକୁ ଗଲେ ଧିରେ ଧିରେ ଥଣ୍ଡା ହୋଇ ପୁଣି ତଳକୁ ଖସେ । ଏହାକୁ ପରିଚଳନ ସ୍ରୋତ କୁହାଯାଏ । ଉତ୍ତପ୍ତ ଓ ଶୀତଳ ବାୟୁ ପ୍ରଭାବରେ ପାଣିପାଗ ପରିବର୍ତ୍ତନ ହୁଏ । ପୃଥିବୀର ପ୍ରାୟ ସବୁ ପାଣିପାଗ ପାଇଁ ପରିଚଳନ ବାୟୁ ଦାୟୀ । ଜଳସ୍ତର ଉତ୍ତପ୍ତ ହୋଇ ବାଷ୍ପୀଭୂତ ହୁଏ ଓ ଜଳୀୟବାଷ୍ପରେ ପରିଣତ ହୁଏ । ଜଳୀୟବାଷ୍ପ ବାୟୁମଣ୍ଡଳର ଉପରକୁ ଗତି କରେ । ଉପରକୁ ଗଲେ ଧିରେ ଧିରେ ଥଣ୍ଡା ହୁଏ । ଯଥେଷ୍ଟ ଥଣ୍ଡା ହେଲେ ଏହା ଜଳରେ ପରିବର୍ତ୍ତିତ ହୁଏ । ମେଘ ଓ ବର୍ଷାର ସୃଷ୍ଟି ଏମିତି ହୁଏ । ଏହାକୁ ଜଳଚକ୍ର କୁହାଯାଏ ।

ଗତିପଥ ଓ ଆବର୍ତ୍ତନ

ପୃଥିବୀରେ ଦିନ ୨୪ ଘଣ୍ଟା ଓ ବର୍ଷ ୩୬୫ ଦିନ ହୋଇଥାଏ । ପୃଥିବୀ ସୂର୍ଯ୍ୟକୁ ପରିକ୍ରମା କରିବା ପାଇଁ ୩୬୫.୨୪ ଦିନ ନିଏ । ବଳକା ସମୟକୁ ମିଶାଇ ୪ ବର୍ଷରେ ଥରେ ବର୍ଷକ ୩୬୬ ଦିନ କରାଯାଏ । ଏହାକୁ ଅଧିବର୍ଷ କୁହାଯାଏ । ପୃଥିବୀ ସୂର୍ଯ୍ୟଠାରୁ ହାରାହାରି ୧୫ କୋଟି କିମି ଦୂରରେ ଅବସ୍ଥିତ ଓ ୩୦ କିମି/ସେ (୬୬,୧୬୬ ମାଇଲ୍/ଘ) ରେ ସୂର୍ଯ୍ୟକୁ ପରିକ୍ରମା କରୁଛି ।

ଚନ୍ଦ୍ର ହାରାହାରି ୨,୫୦,୦୦୦ କିମି ଦୂରରେ ପୃଥିବୀକୁ ପରିକ୍ରମା କରୁଛି । ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ପୃଥିବୀକୁ ଦେଖାଯାଏ । ଚନ୍ଦ୍ର ପରିକ୍ରମା କରିବା ପାଇଁ ପ୍ରାୟ ୧ ମାସ ନିଏ ।

ପୃଥିବୀ ସୌରମଣ୍ଡଳର ଅଂଶ ଭାବରେ ସୂର୍ଯ୍ୟ ଚାରିପାଖରେ ଅନ୍ୟ ୭ଟି ଗ୍ରହ ଓ ସହସ୍ରାଧିକ କ୍ଷୁଦ୍ର ବସ୍ତୁମାନଙ୍କ ସହିତ ଘୁରୁଛି । ସୌରମଣ୍ଡଳ ଏବେ ଓ ଆସନ୍ତା ୧୦,୦୦୦ ବର୍ଷ ପାଇଁ ଆକାଶଗଙ୍ଗାର କାଳପୁରୁଷ ପାର୍ଶ୍ୱ ଦେଇ ଗତି କରୁଛି ।

ଆଧାର -

"Allen's Astrophysical Quantities"

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top