ଦୁଇଶହ ପୂର୍ବେ ବସନ୍ତ ରୋଗରେ ପ୍ରତିବର୍ଷ ସାରା ପୃଥିବୀରେ ଲକ୍ଷ ଲକ୍ଷ ଲୋକ ମରୁଥିଲେ । ଜନବସତିମାନ ପଦା ହୋଇଯାଉଥିଲା । ଠାକୁରାଣୀଙ୍କ କୋପ କଥା ଭାରତୀୟ ମାନଙ୍କ ମାନରୁ ଏବେ ବି ତାଜା ଅଛି । ଶହେ ବର୍ଷ ପୂର୍ବେ କେତେ ଭାରତୀୟ ବସନ୍ତରେ ପ୍ରାଣ ହରାଉଥିଲେ ତାର ସୀମାନାହିଁ । ଆଜି ବସନ୍ତ ରୋଗ ଅତୀତ ପୃଥିବୀର ଏକ ଇତିହାସ , ଏକ ଭୟଙ୍କର ଦୁଃସ୍ଵପ୍ନ । ଯେଉଁ ବିଜ୍ଞାନୀଙ୍କ ପାଇଁ ଏହା ସମ୍ଭବ ହୋଇଛି ତାଙ୍କ ନାମ ଏଡୱାର୍ଡ ଜେନର ।
ଇଂଲଣ୍ଡର ଗ୍ଳୁ ସେଷ୍ଟରସାୟାର ଅନ୍ତର୍ଗତ ବର୍କଲେ ସହରରେ ଜେନରଙ୍କ ଜନ୍ମ । ବାପା ଜଣେ ଧର୍ମଯାଜକ । ପିଲାଦିନୁ ବାପାଙ୍କୁ ହରାଇ ସେ ବଡଭାଇଙ୍କ ପାଖରେ ବଢିଥିଲେ । ସ୍କୁଲରେ ପଢିବା ଦିନୁ ଜେନର ପଶୁପକ୍ଷୀଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ । ବସନ୍ତ ରୋଗର ଟୀକା ଆବିଷ୍କାରକ ଭାବେ ସେ ବିଖ୍ୟାତ, ମାତ୍ର ଚିକିତ୍ସକ ଭାବେ ଲୋକଙ୍କର ଚିକିତ୍ସାରେ ଆଗ୍ରହ ବ୍ୟତୀତ ପଶୁପକ୍ଷୀଙ୍କ ସମ୍ପର୍କରେ ଜାଣିବାର ଆଗ୍ରହ ଜେନରଙ୍କ ଠାରେ ବଡ ଦିନେ ମଧ୍ୟ ଅତୁଟ ରହିଲା । ଡାକ୍ତର ହଣ୍ଟର ତାଙ୍କର ଗୁରୁଥିଲେ । ଗୁରୁଶିଷ୍ୟଙ୍କ ମଧ୍ୟରେ ଗଭୀର ସମ୍ପର୍କ ତୁଟିବାର ନୁହେଁ, ମାତ୍ର ଗୁରୁଙ୍କ କଥା ନ ମାନି ତିନିବର୍ଷ ରହଣି ପରେ ଜେନର କୋଳାହଳପୂର୍ଣ୍ଣ ଲଣ୍ଡନ ସହର ଛାଡି ଜଣେ ଗାଉଁଲି ଡାକ୍ତର ହେବାକୁ ପସନ୍ଦ କୃ ବର୍କଲେ ଫେରି ଆସିଲେ । ସେଭର୍ଣ୍ଣ ନଦୀ କୂଳର ମନୋରମ ପ୍ରାକୃତିକ ପରିବେଶ ତାଙ୍କୁ ବର୍କଲେ ଟାଣି ଆଣିଲା ।
ରୋଗୀଙ୍କ ଘର ଲୋକେ ଭୋରୁ ଡାକ୍ତରଙ୍କ ପାଖରୁ ଧାଇଁ ବୁଦା ଗହଳି ଭିତରୁ ଜେନରଙ୍କୁ ଖୋଜି ବାହାର କରନ୍ତି । ଜେନର କୋଇଲିଙ୍କ ପିଛା କରି ବଣ ବୁଦା ଭିତରେ ବୁଲୁଥିଲେ । ତାଙ୍କର ଅବଶୋଷ ଯେ ଦୀର୍ଘକାଳ ଧର୍ଯ୍ୟର ସହିତ ସାଧନା କରି ମଧ୍ୟ ସେ ଗୋଟିଏ କୋଇଲି ଧରିପାରିଲେ ନାହିଁ । ଧରି ସିନା ପରିଲେନି , ମାତ୍ର କୋଇଲିଙ୍କ ପିଛା ପଡିତାଙ୍କ ବିଷୟରେ ଅନେକ କଥା ଜାଣିପାରିଲେ । କୋଇଲିଙ୍କ ସମ୍ପର୍କରେ ଏକ ସୁନ୍ଦର ଲେଖାଟିଏ ରୟାଲ ସୋସାଇଟିକୁ ପଠାଇଥିଲେ । ତାଙ୍କର ଏ ଲେଖାଟିର ବେସ ଆଦର ହେଲା ।
ଜେନର ନିଜେ ପିଲାଦିନେ ସେତେବଳେ ପ୍ରଚଳିତ ବସନ୍ତ ଟୀକା ନେଇଥିଲେ । ଟୀକା ନେଇ ତାଙ୍କୁ ଜର ହେଲା, ମୁଣ୍ଡ ବିନ୍ଧିଲା , ତଣ୍ଟି ଶୁଖିଗଲା । ଚାରିଆଡ ହଳଦିଆ ପୁଣି କେବେ କେବେ ଲାଲ ବା କଳା ଦିଶିଲା । ପୁଣି ବଡ ଦିନେ ବସନ୍ତ ହେଲା ! ଏ ଅଭିଜ୍ଞତା ସେ ଭୁଲି ନଥିଲେ । ଡାକ୍ତର ହିସାବରେ ବସନ୍ତ ରୋଗରେ ତାଙ୍କ ଆଖିଆଗରେ ଶହ ଶହ ଲୋକ ମାରିବାର ସେ ଦେଖିଲେ । ସେତେବେଳେ ସାଧାରଣ ଲୋକଙ୍କର ଗୋଟିଏ ବିଶ୍ଵାସ ଥାଏ ଯେ ଯାହାକୁ ଗାଈ ବସନ୍ତ ହୁଏ, ତାକୁ କେବେ ବସନ୍ତ ରୋଗ ଧରେନା । ଗାଈ ବସନ୍ତକୁ ଧରୁଥିବା ବସନ୍ତ ପାରି ଆଦୌ ସାଂଘାତିକ ହୁଏ । ଗାଈଙ୍କୁ ବିଶେଷ କଷ୍ଟ ହୁଏନା । ଗାଈ ଠାରୁ ଏ ବେମାରି ମଣିଷକୁ ଡେଇଁଲେ ତା ‘ ଦେହ ହାତରେ ଛୋଟ ଛୋଟ ଫୋଟକା ହୁଏ ଓ ସେ ସବୁକୁ ଦିନ କେଇଟାରେ ଶୁଖିଯାଏ । ଜେନର ଅନୁସନ୍ଧାନ କରି ଦେଖିଲେ ଯେ ଗାଈ ବସନ୍ତ ହେଉଥିବା ଲୋକକୁ କେବେ ବସନ୍ତ ଧରୁ ନଥିବା କଥାଟି ସତ । ଅର୍ଥାତ ଗାଈଆ ବସନ୍ତର ଭୂତାଣୁ ମଣିଷ ଶରୀରରେ ବସନ୍ତର ପ୍ରତିଷେଧକ ଭାବେ କାମ କରେ, ମାତ୍ର ପରୀକ୍ଷା କରି ଏ କଥାଟି ପ୍ରମାଣ କରିବା କାଠିକର ପାଠ । କଳ୍ପନା କର ସେ ଯୁଗରେ କିଏ କାହିଁକି ନିଜ ଦେହରେ ବସନ୍ତର ଲସା ପୁରାଇବାକୁ ହେବ, ଯାହାହେଉ ବ୍କୁ ଖୋସାମତ ଓ କିଛି ଅର୍ଥ ପ୍ରଦାନ ପୂର୍ବକ ଗୋଟିଏ ବାଳକ ଉପରେ ଏହି ପରୀକ୍ଷା କରିବା ପାଇଁ ଜେନର ପିଲାର ବାପାମାଙ୍କୁ ରାଜି କରାଇଲେ । ଏହି ବାଳକର ବାହୁକୁ ଟିକିଏ ଚିରି ସେ ବାଟେ ଗୋଟିଏ ଗଉଡୁଣୀ ହାତରେ ହୋଇଥିଲା ଗାଈ ବସନ୍ତକୁ ଫୋଟକା ଲସା ପ୍ରବେଶ କରାଗଲା । ସାତଦିନ ପରେ ପିଲାଟିକୁ ସାମାନ୍ୟ ଜନ, ଭୋକ ହେଲାଣି । ନଅ ଦିନ ବେଳକୁ ତାର ଯନ୍ତ୍ରଣା ବଢିଲା । ଦୁଃଶ୍ଚିନ୍ତାରେ ଜେନର ମଧ୍ୟ ଛାତ । ଯାହାହେଉ, ଏହାର ଦି ଦିନ ପରେ ପିଲାଟି ସୁସ୍ଥ ହୋଇ ଉଠିଲା । ଏହା ୧୭୯୭ ମସିହା ମେ ମାସର ଘଟନା । ତେବେ ପିଲାକୁ ଭବିଷ୍ୟରେ ବସନ୍ତ ଆକ୍ରମଣ କରିବ ନାହିଁ ଏହାର ପ୍ରମାଣ କଣ ? ଦେଢ ମାସ ପରେ ପିଲା ଦେହରେ ବସନ୍ତ ପୂଜ ପୁରାଇ ଜେନର ଦେଖିଲେ ଯେ ତାର କିଛି ହେଉ ନାହିଁ । ତାଙ୍କର ଏ ସାଫଲ୍ୟକୁ ଡାକ୍ତରମାନେ କିନ୍ତୁ ମାଣିବାକୁ ପ୍ରସ୍ତୁତ ନଥିଲେ ।
ସତ୍ୟ ଥରେ ପ୍ରକାଶିତ ହେଲେ ତାକୁ ଅଧିକ କାଳ ଢାଙ୍କି ରଖିବା ସମ୍ଭବ ନୁହେଁ । ଜେନରଙ୍କ ସାଫଲ୍ୟର ବର୍ଷକ ପରେ ଘୋଡାଙ୍କୁ ବସନ୍ତ ଧରିଲା । ଘୋଡାଙ୍କ ଠାରୁ ବସନ୍ତ ଗାଈଙ୍କୁ ଡିଏଁ ଓ ଗାଈ ଠାରୁ ମଣିଷ ପାଖକୁ ଆସେ । ଘୋଡାଙ୍କ ବସନ୍ତକୁ ଗ୍ରୀଜ ରୋଗ କୁହନ୍ତି । ଏହି ରୋଗ ହେଲେ ଘୋଡାର ଗୋଡ ଗଣ୍ଠି ଫୁଲେ ଓ ପାଚି ପୂଜ ବାହାରେ । ଘୋଡା ବେଶୀ ହଇରାଣ ନ ହୋଇ ଭଲ ହୋଇଯାଏ । ଘୋଡା ଠାରୁ ଏ ରୋଗ ବସନ୍ତ ଆକାରରେ ଗାଈ ଓ ମଣିଷକୁ ଡିଏଁ । ଘୋଡାଙ୍କୁ ବସନ୍ତ ଧରିବାରୁ ମଣିଷମାନେ ଅସମ୍ଭାଳ ହେଲେ । ଜେନରଙ୍କୁ ଖୋଜା ପଡିଲା । ବାବୁ ! ଏମିତି ମାରିବା ଅପେକ୍ଷା ତମ ଟୀକା ନେଇ କାଳେ ବଞ୍ଚିଯିବୁ । ଏଇ ମନୋଭାବରେ ଲୋକେ ଜେନରଙ୍କ ପାଖରେ ଭିଡ କଲେ । ଗୋ ବସନ୍ତ ସଂଗ୍ରହ କରି ସେ ଯେଉଁମାନଙ୍କୁ ଟୀକା ଦେଇଥିଲେ ସେମାନେ ବସନ୍ତ ଭୋଗିଲେ ନାହିଁ ।
ଚାରି ପାଞ୍ଚ ବର୍ଷ ଭିତରେ ଜେନର ଏକ ଅଦ୍ଭୁତ ଆବିଷ୍କାର କରିଛନ୍ତି ବୋଲି ଲୋକଙ୍କର ବିଶ୍ଵାସ ଆସିଗଲା । ୧୮୦୨ ରେ ଜେନରଙ୍କ ପ୍ରତି ସମ୍ମାନ ଜ୍ଞାପନ କରି ବ୍ରିଟିଶ ପାର୍ଲାମେଣ୍ଟ ତାଙ୍କୁ ଦଶ ହଜାର ପାଉଣ୍ଡ ପୁରସ୍କାର ଦେବା ପାଇଁ ପ୍ରସ୍ତାବ ଗ୍ରହଣ କଲେ । କିଛି ବର୍ଷ ପରେ ବ୍ରିଟିଶ ପାର୍ଲାମେଣ୍ଟ ତାଙ୍କୁ ଆଉଥରେ କୋଡିଏ ହଜାର ପାଉଣ୍ଡ ପ୍ରଦାନ କରିଥିଲା । ଅନେକ ବର୍ଷ ପର୍ଯ୍ୟନ୍ତ ଜର୍ମାନୀମାନେ ନିଜ ଦେଶରେ ଜେନରଙ୍କ ଜନ୍ମଦିବସକୁ ମହା ଆଡମ୍ବରରେ ପାଳନ କଲେ । ଟୀକାର ଆବିଷ୍କାର ପ୍ରତି କୃତଜ୍ଞତା ଜଣାଇ ରୋମାନ କ୍ୟାଥଲିକ ଦେଶମାନଙ୍କରେ ଧାର୍ମିକ ପଟୁଆର ବାହାରିଲେ ।
ପ୍ରକୃତ ବିଜ୍ଞାନୀ ସାରା ପୃଥିବୀର ଓ ପୃଥିବୀର ସବୁ ଦେଶ ଲୋକେ ତାଙ୍କୁ ଆପଣାର ମଣନ୍ତି । ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ଘମାଘୋଟ ଲଢେଇ ଚାଲିଥାଏ । ସେତେବେଳେ ଫ୍ରାନ୍ସ ର ଅଧିପତି ସର୍ବ ଶକ୍ତିମାନ ନେପୋନିୟନ । ଦୁଇଜଣ ଇଂରେଜ ଫ୍ରାନ୍ସରେ ଅଟକ ଥାଆନ୍ତି । ଦୁହିଁଙ୍କୁ ଖଲାସ କରିଦେବା ପାଇଁ ଇଂରେଜ ସରକାରଙ୍କ ଅନୁରୋଧ କୁ ନେପୋଲିୟନ ପ୍ରତ୍ୟାଖ୍ୟାନ କରିଦେଲେ । ଶେଷରେ ଏଇ ଅନୁରୋଧ ଜେନର ନେପୋଲିୟନଙ୍କୁ କଲେ । ବନ୍ଦୀ ଦ୍ୱୟ ତତକ୍ଷଣାତ ଖଲାସ ।
ଜେନରଙ୍କ ମୃତ୍ୟୁ ୧୮୨୩ ରେ ଘଟିଥିଲା । ଏହାର ଶହେବର୍ଷ ପରେ ଅଗ୍ରଣୀ ବୀଜାଣୁ ତତ୍ତ୍ଵଜ୍ଞମାନେ ଜେନରଙ୍କ ପଦାକୁ ଅନୁସରଣ କରି ଅନ୍ୟାନ୍ୟ ସାଂଘାତିକ ବେମାରୀର ପ୍ରତିଷେଧକ ବାହାର କରିବା ପାଇଁ ଅଣ୍ଟା ଭିଡି ବାହାରିଲେ ।
ସଂଗୃହିତ - ଶରତ କୁମାର ମହାନ୍ତି
Last Modified : 10/29/2019