ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଯୁଗେ ଯୁଗେ ଭାରତ ଓ ପୃଥିବୀ (ପାଠ ୩ )
ସେଆର କରନ୍ତୁ

ଯୁଗେ ଯୁଗେ ଭାରତ ଓ ପୃଥିବୀ (ପାଠ ୩ )

ଆଧୁନିକ ପୃଥିବୀ – ୧ ର ସୂଚନା

ଆଧୁନିକ ପୃଥିବୀ

ଚତୁର୍ଥ ଶତାବ୍ଦୀ ପରବର୍ତ୍ତୀ ସମୟରେ ୟୁରୋପରେ ସାଂସ୍କୃତିକ ଓ ବୌଦ୍ଧିକ ଜୀବନରେ ଏକ ବଡ ଧରଣର ପରିବର୍ତ୍ତନ ପରିଲ୍ଲଖିତ ହେଲା ଯାହାକି ଆଧୁନିକ ଯୁଗର ଆଗମନ ପାଇଁ ସହାୟକ ହୋଇଥିଲା  । ଏହା ନବଜାଗରଣର ସମୟ ଯାହାକି, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଚିନ୍ତନ ଓ ଯୁକ୍ତିକୁ ଉତ୍ସାହିତ କରିଥିଲା ଏବଂ ସାମୁହିକ ଜୀବନ ପ୍ରଣାଳୀକୁ ଆଲୋଡିତ କରିଥିଲା  । ଆରବ ଦେଶଗୁଡିକରେ ଯୌକ୍ତିକତା ଏବଂ ବୈଜ୍ଞାନିକ ଅନୁସନ୍ଧାନକୁ ଭିତ୍ତିକରି ଏକ ଯୁଗ ଆରମ୍ଭ ହୋଇ ସାରିଥିଲା  । ତଥାପି ନବଜାଗରଣ ସମୟରେ ୟୁରୋପରେ ଯେଉଁ ପରିବର୍ତ୍ତନ ଘଟିଥିଲା, ତାହା ସାରା ବିଶ୍ଵକୁ ପ୍ରଭାବିତ କରିଥିଲା  । ଏହି ପରିବର୍ତ୍ତନ ସାମନ୍ତ ପ୍ରଥାର ବିପର୍ଯ୍ୟୟ ପରେ ଆରମ୍ଭ ହୋଇଥିଲା  । ଯାହାକି ତୁମେ ପୂର୍ବବର୍ତ୍ତୀ ଅଧ୍ୟାୟରେ ବିସ୍ତ୍ରୁତ ଭାବରେ ପଢିଛ  । ଏହି ଅଧ୍ୟାୟରେ ଆମ୍ଭେମାନେ ଏହିପରି କେତେକ ପରିବର୍ତ୍ତନ ଓ ଉନ୍ନତି ସମ୍ପର୍କରେ ଆଲୋଚନା କରିବା ଯାହାକି ମଧ୍ୟଯୁଗୀୟ ସମାଜକୁ ଆଧୁନିକ ଯୁଗରେ ପରିଣତ କରିଥିଲା  । ଆମ୍ଭେମାନେ ମଧ୍ୟ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଆଧୁନିକ ଯୁଗରେ ଘଟିଥିବା ଘଟଣାଗୁଡିକୁ ଚିହ୍ନିତ କରିବା  ।

ଉଦ୍ଦେଶ୍ୟ

  • ସାମନ୍ତବାଦର ପତନର ପ୍ରଭାବ ସମ୍ପର୍କରେ ଆଲୋଚନା କରିବା;
  • ପୁନର୍ଜାଗରଣର ଅର୍ଥ ଏବଂ ଲକ୍ଷଣଗୁଡିକୁ ବର୍ଣ୍ଣନା କରିବା;
  • ସଂସ୍କାରର କାରଣ ଏବଂ ଏହାର ପ୍ରଭାବ ସମ୍ପର୍କରେ ବ୍ୟାଖ୍ୟା କରିବା;
  • ବିଜ୍ଞାନର ଉନ୍ନତି ବିଷୟରେ ବର୍ଣ୍ଣନା କରିବା;
  • ସେହି ଯୁଗର ମୁଖ୍ୟ ବୈଜ୍ଞାନିକ ଆବିଷ୍କାର ଏବଂ କେତେକ ମୁଖ୍ୟ ଜଳପଥ ଆବିଷ୍କାର ସମ୍ପର୍କରେ ଉଲ୍ଲେଖ କରିବା;
  • ଇଉରୋପ ଏବଂ ଅବଶିଷ୍ଟ ବିଶ୍ଵ ନିମିତ୍ତ ଶିଲ୍ପା ବିପ୍ଲବର ତାତ୍ପର୍ଯ୍ୟକୁ ବ୍ୟାଖ୍ୟା କରିବା;
  • ଆମେରିକୀୟ ଓ ଫରାସୀ ବିପ୍ଳବର କାରଣ ଓ ପ୍ରଭାବ ବର୍ଣ୍ଣନା କରିବା;
  • ଜର୍ମାନୀ ଓ ଇଟାଲୀର ଜାତୀୟ ଏକତ୍ରୀକରଣର ସଂଘର୍ଷ ସମ୍ପର୍କରେ ଆଲୋଚନା କରିବା;
  • ସାମ୍ୟବାଦୀ ଚିନ୍ତାଧାରାର ବୃଦ୍ଧି ଓ ରକ୍ଷ ବିପ୍ଳବର ନିରୀକ୍ଷଣ କରିବା ;

ସାମନ୍ତବାଦ ପତନର ପ୍ରଭାବ

ମଧ୍ୟଯୁଗରେ ମୁଖ୍ୟ ଅନୁଷ୍ଠାନଗୁଡିକ ମଧ୍ୟରେ ସାମନ୍ତବାଦ ଅନ୍ୟତମ  । ପୂର୍ବ ଅଧ୍ୟାୟରେ ତୁମେ ଏହା ବିଷୟରେ ବିସ୍ତ୍ରୁତ ଭାବରେ ଅଧ୍ୟୟନ କରିଛ  । ବହୁ ଶତାବ୍ଦୀ ଧରି ଇଉରୋପରେ ସାମନ୍ତ ପ୍ରଥାର ଉତ୍ଥାନ ଘଟିଥିଲା  । କିନ୍ତୁ ମଧ୍ୟବିତ୍ତ ଶ୍ରେଣୀର ଉତ୍ଥାନ ଫଳରେ ଏହାର ପତନ ଆରମ୍ଭ ହେଲା  । କ୍ଷମତାଶାଳୀ ରାଜ୍ୟଗୁଡିକର ଉତ୍ଥାନ ଓ ସାମନ୍ତ ଶାସକମାନଙ୍କ ମଧ୍ୟରେ ଯୁଦ୍ଧ ହେବା ଫଳରେ ଏହାର ପତନ ଘଟିଲା  । ନୂତନ ସହର ଓ ମହାନଗରଗୁଡିକର ବିକାଶ ଓ ବାଣିଜ୍ୟ ବ୍ୟବସାୟର ପୁନରୁଥାନ ଯୋଗୁଁ ମଧ୍ୟ ସାମନ୍ତପ୍ରଥାର ଅବସାନ ଘଟିଲା  । ଏହି ସହରଗୁଡିକ ଉତ୍ପାଦନର କେନ୍ଦ୍ର ଥିଲା ଓ ଏଗୁଡିକ ନିର୍ବାଚିତ ପ୍ରତିନିଧିଙ୍କ ଦ୍ଵାରା ଶାସିତ ହେଉଥିଲା  । ଏହି ସହରଗୁଡିକର ପରିବେଶ ସାମନ୍ତମାନଙ୍କ ନିୟନ୍ତ୍ରଣ ଓ କଟକଣାରୁ ମୁକ୍ତ ଥିଲା ଏବଂ ଲୋକମାନେ ମୁକ୍ତ ଭାବରେ ଚାରିଆଡେ ଯାଇ ପାରୁଥିଲେ ଓ ଯେକୌଣସି ବୃତ୍ତି ଅବଲମ୍ବନ କରିପାରୁଥିଲେ  । ସହରଗୁଡିକ ଗ୍ରାମାଞ୍ଚଳର କାରିଗର ଓ କୃଷକମାନଙ୍କୁ ଆକର୍ଷଣ କରୁଥିଲା କାରଣ ସେଗୁଡିକ ଜୀବନଯାପନ ପାଇଁ ଉତ୍ତମ ଭବିଷ୍ୟତ ଯୋଗାଇବା ସହିତ ସାମନ୍ତମାନଙ୍କର ଶୋଷଣରୁ ବଞ୍ଚିବା ପାଇଁ ଆଶ୍ରୟସ୍ଥଳ ରୂପେ କାର୍ଯ୍ୟ କରୁଥିଲା  । ଏହି ସହର ଓ ମହାନଗରଗୁଡିକ ମଧ୍ୟ କପା ଓ ଆଖୁ ଭଳି ଫସଲ ଉତ୍ପାଦନ କରିବା ପାଇଁ ପ୍ରୋସାହିତ କରୁଥିଲା  । କୃଷକମାନଙ୍କୁ ସେମାନଙ୍କର ଉତ୍ପାଦନର ମୂଲ୍ୟ ଅର୍ଥ ଆକାରରେ ପ୍ରଦାନ କରାଯାଉଥିଲା  । ଅନ୍ୟ ପକ୍ଷରେ ନିର୍ମିତ ଜିନିଷଗୁଡିକ ବଜାରରେ ବିକ୍ରୟ କରାଯାଉଥିଲା  । ଯେଉଁଠାରେ କି ମୁଦ୍ରା ବିନିମୟର ମାଧ୍ୟମ ଥିଲା  । ମାଲିକମାନେ ସେମାନଙ୍କ ପ୍ରଜାମାନଙ୍କଠାରୁ ଶ୍ରମ ବଦଳରେ ମୁଦ୍ରା ଗ୍ରହଣ କରିବାକୁ ଆରମ୍ଭ କଲେ, କାରଣ ସେମାନେ ମଧ୍ୟ ବିଭିନ୍ନ ବିଳାସପୂର୍ଣ୍ଣ ସାମଗ୍ରୀ କ୍ରୟ କରିବାକୁ ମୁଦ୍ରା ବ୍ୟବହାର କଲେ  । ଏହାଦ୍ଵାରା ଏକ ଶକ୍ତିଶାଳୀ ବଣିକ ଗୋଷ୍ଠୀର ସୃଷ୍ଟି ହେଲା  । ସେମାନେ ସାମାଜିକ ଶ୍ରେଣୀ ବ୍ୟବସ୍ଥାରେ ଉଚ୍ଚସ୍ତର ପାଇବା ପାଇଁ ଇଚ୍ଛା କଲେ  । ସେମାନେ ସାମନ୍ତଶ୍ରେଣୀର ମୁଖ୍ୟମାନଙ୍କୁ ଉପେକ୍ଷା କରିବା ପାଇଁ ଶକ୍ତିଶାଳୀ ରାଜାମାନଙ୍କୁ ସମର୍ଥନ କଲେ ଯାହାକି ସାମନ୍ତବାଦକୁ ଦୁର୍ବଳ କରି ଦେବାରେ ସହାୟକ ହୋଇଥିଲା  ।

ନୂତନ ଚିନ୍ତାଧାରାର ଅଭ୍ୟୁଦୟ ଏକ ନୂତନ ଜାଗରଣ ସୃଷ୍ଟି କରିଥିଲା  । ଏଥିରୁ ଏକ ନୂତନ ଆନ୍ଦୋଳନ ଜନ୍ମ ନେଲା ଯାହାକୁ ପୁନର୍ଜାଗରଣ ବା ରେନାସାଂକୁହାଯାଏ  । ଯାହା ବିଷୟରେ ଆମେ ପଢିବାକୁ ଯାଉଛୁ  ।

ପୁନର୍ଜାଗରଣ

ଆଧୁନିକ ଯୁଗରେ ବିଶ୍ଵାସର ଯୁଗର ପରିସମାପ୍ତି ଘଟିଲା ଓ ହେତୁବାଦୀ ଯୁଗର ଅଭ୍ୟୁଦୟ ହେଲା  । ଏହା ‘ରେନାସାଂ’ ବା ପୁନର୍ଜାଗରଣ ଓ ସଂସ୍କାରଧର୍ମୀ ଆନ୍ଦୋଳନମାନ ପରିଲ୍ଲଖିତ ହେଲା  । ଏହି ଆନ୍ଦୋଳନ ସାରାବିଶ୍ଵର ଲୋକମାନଙ୍କର ସାଂସ୍କୃତିକ, ବୌଦ୍ଧିକ, ଧାର୍ମିକ, ସାମାଜିକ ଓ ରାଜନୈତିକ ଜୀବନରେ ଅନେକ ପରିବର୍ତ୍ତନ ଆଣିଲା  । ଏହି ଯୁଗରେ ସହରୀକରଣ, ଦ୍ରୁତ ପରିବହନ ଓ ଯୋଗାଯୋଗ, ଗଣତାନ୍ତ୍ରିକ ବ୍ୟବସ୍ଥା, ସମାନତା ଉପରେ ପ୍ରତିଷ୍ଠିତ ଏକ ପ୍ରକାର ଆଇନ ଆଦି ଚାରିତ୍ରିକ ଗୁଣ ପରିଲଖିତ ହୁଏ  ।

ରେନାସାଂ ଆକ୍ଷରିକ ଅର୍ଥ ହେଉଛି, ‘ପୁନର୍ଜନ୍ମ’  । ପ୍ରାୟ ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ଏହା ଇଟାଲୀରେ ଆରମ୍ଭ ହେଲା  । ସେ ସମୟରେ ଇଟାଲୀ ଅନେକଗୁଡିଏ କ୍ଷୁଦ୍ର ନଗର ରାଜ୍ୟରେ ବିଭକ୍ତ ହୋଇଥିଲା  । ସେଗୁଡିକ ମଧ୍ୟରୁ ଅନେକ ପ୍ରାଚୀନ ରୋମର ସୌଧଗୁଡିକର ଧ୍ଵଂସାବଶେଷ ଉପରେ ଗଢି ଉଠିଥିଲା  । ଇଟାଲୀୟ ସହରଗୁଡିକର ଭୌଗଳିକ ଅବସ୍ଥିତି ସେଗୁଡିକୁ ବୃହତ୍ ବାଣିଜ୍ୟିକ ଓ ବୌଦ୍ଧିକ କେନ୍ଦ୍ରରେ ପରିଣତ କରିଥିଲା  । ମୋଟ ଉପରେ ଭେନିସ୍ ଭଳି ଇଟାଲୀୟ ସହରର ଅବସ୍ଥିତି ଏଗୁଡ଼ିକୁ ବାଣିଜ୍ୟ ଓ ବୌଦ୍ଧିକ କେନ୍ଦ୍ରରେ ପରିଣତ କଲା  । ପୃଥିବୀର ବିଭିନ୍ନ କୋଣରୁ ବଣିକମାନେ ନୂତନ ଉନ୍ନତ ଚିନ୍ତାଧାରା ଓ ଧାନ ସମ୍ପଦ ଏଠାକୁ ଆନୁଥିଲେ  । ଏହି ନୂତନ ଆକାରର ରାଜନୈତିକ ଓ ସାମାଜିକ ଅନୁଷ୍ଠାନଗୁଡିକ ଶୈକ୍ଷିକ, କଳାତ୍ମକ ଓ ସାଂସ୍କୃତିକ ବିକାଶ ପାଇଁ ରାଜନୈତିକ ସ୍ଵାଧୀନତା ଓ ଉପଯୁକ୍ତ ପରିବେଶ ପ୍ରଦାନ କଲା  । ଲୋକମାନେ ଅଧ୍ୟୟନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଅଧିକ ମୁକ୍ତ ସମୟ ପାଇଲେ  ।

ଏହାମଧ୍ୟ ଆର୍ଥିକ ବିସ୍ତାରର ସମୟ  । ଶୃଙ୍ଖଳିତ ଭାବେ ହିସାବ ରଖିବା ବିଦ୍ୟା, ବିନିମୟ ନିୟମ ଓ ସର୍ବସାଧାରଣ ଋଣ ଆଦି କେତେକ ବାଣିଜ୍ୟିକ ଓ ଆର୍ଥିକ କୌଶଳ ବାଣିଜ୍ୟ ବିକାଶ ପାଇଁ ଆବିଷ୍କୃତ ହୋଇଥିଲା  । ଏହା ଇଟାଲୀକୁ ନବଜାଗରଣର କେନ୍ଦ୍ରସ୍ଥଳୀ କରାଇଥିଲା  । ଏହି ଯୁଗର ଗୁରୁତ୍ଵପୂର୍ଣ୍ଣ ଉନ୍ନତିଗୁଡିକ ହେଉଛି, ସହର ଜୀବନର ପୁନରୁଦ୍ଧାର, ବ୍ୟକ୍ତିଗତ ପୁଞ୍ଜିକୁ ନେଇ ବାଣିଜ୍ୟ, ବ୍ୟାଙ୍କବ୍ୟବସ୍ଥା, ଜାତୀୟରାଷ୍ଟ୍ର ଗଠନ, ନୂତନପଥ ଓ ଅଞ୍ଚଳ ଆବିଷ୍କାର ଏବଂ ମାତୃଭାଷା ସାହିତ୍ୟର ବିକାଶ ଯାହାକି ଛାପାଖାନା ଦ୍ଵାରା ବିଶେଷ ଜନପ୍ରିୟ ହୋଇପାରିଥିଲା  । ଏହି ନୂତନ ବଣିକ ସମାଜଗୁଡିକ କମ୍ ବଂଶାନୁକ୍ରମିକ ଥିଲା ଓ ଅଧିକ ଧର୍ମନିରପେକ୍ଷ ଲକ୍ଷ୍ୟ ଭିତ୍ତିକ ଥିଲା  । ଏହା ପ୍ରାଚୀନ ଗ୍ରାମାଞ୍ଚଳ ପ୍ରଥା ଦ୍ଵାରା ସୀମିତ ସମାଜଠାରୁ ସମ୍ପୂର୍ଣ୍ଣ ବିପରୀତ ଥିଲା  । ଦୁଃସାହାସିକ ଆବିଷ୍କାରମାନେ ବିଶ୍ଵ ଆର୍ଥିକ ବ୍ୟବସ୍ଥା ଆରମ୍ଭ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କଲେ  । ବାଣିଜ୍ୟପଥ ଆବିଷ୍କାର ପରେ ଆମେରିକା, ଏସିଆ ଓ ଆଫ୍ରିକାରୁ ବହୁ ନୂତନ ପଦାର୍ଥ ଆମଦାନୀ କରାଗଲା  । ଏହି ଦ୍ରବ୍ୟଗୁଡିକ ୟୁରୋପୀୟମାନଙ୍କ ଜୀବନର ମାନବୃଦ୍ଧି କଲା ଏବଂ ସେଗୁଡିକ ବହୁଳ ଭବାରେ ଉତ୍ପାଦନ କରି ଲାଭବାନ ହେବା ପାଇଁ ନୂତନ ଉପାୟର ବିକାଶ କରିବା ପାଇଁ ପ୍ରେରଣା ଦେଲା  । ଫଳରେ ବଣିକ, ବାଣିଜ୍ୟିକ ସଂସ୍ଥା, ପରିଚାଳକ ବ୍ୟାଙ୍କଗୁଡିକ ଏକତ୍ର କାର୍ଯ୍ୟ କଲେ ଓ ରାଜନୈତିକ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପଦ ଲାଭ କରିବା ସହିତ ଅନ୍ୟ ଦେଶ ସହ ସମ୍ପର୍କ ରକ୍ଷା କରିବା ପାଇଁ ‘ପୁଞ୍ଜି’ ଲାଭ କଲେ  ।

ଏହି ଯୁଗରେ ସୃଷ୍ଟି ହୋଇଥିବା ନୂତନ ଚିନ୍ତାଧାରା ଯଥା – ମାନବବାଦ, ହେତୁବାଦ ଓ ଅନୁସନ୍ଧିତ୍ସା ପ୍ରଭୃତି ଲୋକମାନଙ୍କ ଚିନ୍ତାଧାରାରେ ଏକ ବଡ ଧାରଣର ପରିବର୍ତ୍ତନ ଆଣିଲା  । ଗ୍ରୀସ୍ ଓ ରୋମର ପ୍ରାଚୀନ ସଭ୍ୟତାମାନଙ୍କର ସାଂସ୍କୃତିକ କୃତିତ୍ଵ ପ୍ରତି ଗଭୀର ଅଗହ ଦେଖାଦେଲା  । ଏହି ନୂତନ ପଣ୍ଡିତମାନଙ୍କର ଚିନ୍ତାର ମୁଖ୍ୟ କେନ୍ଦ୍ର ହେଲା ମନୁଷ୍ୟ ଜାତି  । ମନୁଷ୍ୟଠାରେ ଥିବା ସର୍ଜନା କରିବାର ଅନ୍ତର୍ନିହିତ ଶକ୍ତି ଏବଂ ଏହି ପୃଥିବୀରେ ଆନନ୍ଦ ଖୋଜିବାରେ ଥିବା ସେମାନଙ୍କର ଅଧିକାର ଉପରେ ସେମାନେ ବିଶ୍ଵାସ କରୁଥିଲେ  । ଏହା ମଧ୍ୟଯୁଗୀୟ ଚର୍ଚ୍ଚ ଯେଉଁମାନେ ପାର୍ଥିବ ସୁଖର ବିରୋଧ କରୁଥିଲେ, ତାର ପରିପନ୍ଥୀ ଥିଲେ  । ମନୁଷ୍ୟ ଜାତି ପ୍ରତି ଏହି ସମ୍ମାନବୋଧ କଳା, ଭାଷା, ସାହିତ୍ୟ ଓ ଧର୍ମ ପ୍ରଭୃତି ପ୍ରତି ଆଗ୍ରହ ସୃଷ୍ଟି ପାଇଁ ଉତ୍ସାହିତ କରିଥିଲା  । ତୁମେ ଜାଣକି ଏହି ସମୟରେ ମାନବ ଧର୍ମୀ ନୈତିକ ଶିକ୍ଷା ଜନ୍ମ ଲାଭ କଲା  ।

ମାନବବାଦର ପ୍ରବାବ କଳା ଓ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଅନୁଭୂତ ହୋଇଥିଲା  । ରେନାସାଂକଳାକାରମାନଙ୍କର ପ୍ରମୁଖ କୃତିତ୍ଵ ଚିତ୍ରାଙ୍କନ କ୍ଷେତ୍ରରେ ଥିଲା  । ଚିତ୍ରକରମାନେ ଶରୀର ବିଜ୍ଞାନ ସଙ୍ଗେ ସଙ୍ଗେ ଶରୀରର ଆନୁପାତିକ ଗଠନ ପ୍ରଣାଳୀ ମଧ୍ୟ ଅଧ୍ୟୟନ କରୁଥିଲେ  । ସେମାନେ ଚାହୁଁଥିଲେ, ମନୁଷ୍ୟମାନଙ୍କର ଅବିକଳ ଚିତ୍ର ଠିକ୍ ଆକୃତି ଓ ଅନୁପାତରେ ଗଠନ କରାଯାଉ  । ସେ ସମୟରେ କେତେକ ପ୍ରମୁଖ କଳାକାର ହେଉଛନ୍ତି, ଲିଓନାଡୋ ଦାଭିନସି, ମାଇକେଲ ଏନ୍ ଜୋଲ, ରାଫେଲ, ବଟିସେଲିଓ ଟାଇଟାନ୍  । ସ୍ଥାପତ୍ୟ କ୍ଷେତ୍ରରେ ମଧ୍ୟ କଳାକାରମାନେ ଖୋଲାରେ ଠିଆ ହୋଇଥିବା ମୂର୍ତ୍ତିମାନ ନିର୍ମାଣ କଲେ  । ଏହି ସ୍ଥାପତ୍ୟଗୁଡିକ ବର୍ତ୍ତମାନ ଅଟ୍ଟାଳିକା କିମ୍ବା ଆଢୁଆଳରେ ସଂଲଗ୍ନ ନହୋଇ ସ୍ଵତନ୍ତ୍ର ଭବାରେ ଠିଆ ହୋଇ ରହିଥିବା କଳାକୃତି ଅଟେ  । ରେନାସାଂର ପ୍ରଥମ ପ୍ରଖ୍ୟାତ ମୂର୍ତ୍ତିକାର ଥିଲେ ଡୋନାଟେଲୋ ଯେକି ‘ଡେଭିଡ’ ନାମରେ ମୂର୍ତ୍ତି ଗଠନ କରିଥିଲେ  ।

ରେନାସାଂର ପ୍ରଭାବ ୟୁରୋପରେ ଜାତୀୟତାବାଦର ଅଭ୍ୟୁତ୍ଥାନରେ ସହାୟକ ହୋଇଥିଲା  । ଲୋକମାନେ ସେମାନଙ୍କୁ ମଧ୍ୟଯୁଗୀୟ ଧାର୍ମିକ କଟକଣା ଓ ବନ୍ଧନରୁ ମୁକ୍ତ କରିବାକୁ ଉଦ୍ୟମ କରିଥିଲେ  । ଜାତୀୟ ପରିଚୟ ଦୃଢତାର ସହ ବିକାଶ ଲାଭ କଲା  ଓ ଏହା ଆଧୁନିକ ୟୁରୋପୀୟ ଭାଷା ଯଥା – ଇଟାଲୀୟ, ସ୍ପେନ, ଜର୍ମାନୀ, ଇଂରାଜୀ ପ୍ରଭୃତି ଭାଷା ସାହିତ୍ୟର ବିକାଶରେ ପ୍ରତିଫଳିତ ହେଲା  । ବର୍ତ୍ତମାନ ଲେଖକମାନେ ଲାଟିନ ଭାଷା ପରିବର୍ତ୍ତନରେ ପଦ୍ୟ, ନାଟକ ଓ ଗଦ୍ୟ ରଚନା କ୍ଷେତ୍ରରେ ଆଞ୍ଚଳିକ ଭାଷା ବ୍ୟବହାର କଲେ  । ମାତୃଭାଷାର ବ୍ୟବହାର ଓ ଛାପାଖାନାର ପ୍ରଚାଳନ ଫଳରେ ରେନାସାଂ ଲେଖକମାନଙ୍କର କୃତୀ ବହୁସଂଖ୍ୟାରେ ଲୋକମାନଙ୍କର ବୋଧଗମ୍ୟ ହୋଇପାରିଲା  । ବାଇବେଲକୁ ଛପାଗଲା ଓ ତାକୁ ବହୁ ସଂଖ୍ୟାରେ ଲୋକ ତାକୁ ପଢିପାରିଲେ  । ଆଧୁନିକ ୟୁରୋପୀୟ ଭାଷାରେ ପ୍ରସ୍ତୁତ ସେ ସମୟର ପ୍ରମୁଖ କୃତୀଗୁଡିକ ହେଉଛି, ଦାନ୍ତେଙ୍କର ‘ଡିଜାଇନ କମେଡି’, ଇରାସମସ୍ ଙ୍କ ‘ଇନପ୍ରେଜ ଅଫ ପୋଲି’, ମାକିଆ ଭେଲିଙ୍କର ‘ଦି ପ୍ରିନ୍ସ’, ସେରଭାଣ୍ଟସଙ୍କର ‘ଡନ କ୍ଵିକ୍ଵଟ’ ।

ରେନାସାଂର ଉତ୍ତର ଭାଗ ଆଡକୁ ଇଉରୋପ ଇତିହାସରେ ଦୁଇଟି ମୁଖ୍ୟ ଉନ୍ନତି ଘଟିଲା  । ପ୍ରଥମଟି ହେଉଛି, ପ୍ରୋଟେଷ୍ଟାଣ୍ଟ ସଂସ୍କାର ଆନ୍ଦୋଳନ ଯାହାକି, ଖ୍ରୀଷ୍ଟଧର୍ମରେ ବିଭାଜନ ଆଣିଲା  । ଦ୍ଵିତୀୟ ସଂସ୍କାର ସମ୍ପର୍କିତ ଉନ୍ନତି ରୋମାନ କାଥଲିକ ଚର୍ଚ୍ଚରେ ହୋଇଥିଲା  । ସାଧାରଣତଃ ଯାହାକୁ କ୍ୟାଥଲିକ୍ ସଂସ୍କାର କିମ୍ବା ବିରୁଦ୍ଧବାଦୀ ଯାହାକି, ଆଧୁନିକ ବିଶ୍ଵର ଅଭ୍ୟୁଦୟ ପାଇଁ ସାହାଯ୍ୟ କଲା  ।

ପୁନର୍ଗଠନ

ମଧ୍ୟଯୁଗୀୟ କ୍ୟାଥଲିକ ଚର୍ଚ୍ଚ ଅନ୍ଧବିଶ୍ଵାସ, ଭ୍ରଷ୍ଟାଚାର ଏବଂ ଧନଳାଳସାରେଲିପ୍ତ ହୋଇଥିଲା  । ଅନ୍ଧବିଶ୍ଵାସୀ କୃଷକମାନଙ୍କୁ ଚର୍ଚ୍ଚ ଦ୍ଵାରା ହୃଦବୋଧ କରାଯାଉଥିଲା ଯେ ଏହା ହେଉଛି ପ୍ରକୃତ ‘କ୍ରିସ୍’ ର ଅଧିକାରୀ  । ଲୋକମାନେ ଏକ କାଠଖଣ୍ଡକୁ ପ୍ରକୃତ ‘ଲ୍ରସ’ ବୋଲି ଦେଖିବାକୁ ଦକ୍ଷିଣା ପ୍ରଦାନ କରୁଥିଲେ । କାରଣ ଏହା ବିଶ୍ଵାସ କରାଯାଉଥିଲା ଯେ, ଏହି ପବିତ୍ର ବସ୍ତୁଟିର ଆରୋଗ୍ୟ କରିବାର ଶକ୍ତିରହିଥିଲା  । ଚର୍ଚ୍ଚ ଯୁକ୍ତି ଅପେକ୍ଷା ଅନ୍ଧବିଶ୍ଵାସ ଉପରେ ଅଧିକ ଗୁରୁତ୍ଵ ଦେଉଥିଲା, କାରଣ ଏହା ଭକ୍ତମାନଙ୍କଠାରୁ ଅର୍ଥ ଆହରଣ କରିବାର ମାଧ୍ୟମ ଥିଲା  । ରେନାସାଂ ବା ପୁନର୍ଜାଗରଣର ପ୍ରଭାବରେ ଏସମସ୍ତ ବଦଳିଗଲା  । ରେନାସାଂର ନୂତନ ଚିନ୍ତାଧାରା ଫଳରେ କୌଣସି କଥାକୁ ଅନ୍ଧ ଭାବରେ ଗ୍ରହଣ କରାଯାଇ ପାରିଲା ନାହିଁ  । ତୁମେ ଜାଣକି ୧୫୧୭ ମସିହାରେ ମାର୍ଟିନ ଲୁଥର ନାମକ ଜଣେ ଜର୍ମାନୀ ଧର୍ମଯାଜକ ପ୍ରଥମେ ରୋମାନ କ୍ୟାଥଲିକ ଚର୍ଚ୍ଚର କ୍ଷମତାକୁ ବିରୋଧ କରିଥିଲେ  । ତାଙ୍କ ମତରେ ବାଇବେଲ ଏକମାତ୍ର ଧାର୍ମିକ ପ୍ରଭୁତ୍ଵର ଉତ୍ସ  । ସେ ବିଶ୍ଵାସ କରୁଥିଲେ ଯେ, ଚର୍ଚ୍ଚ ଉପରେ ଅନ୍ଧ ବିଶ୍ଵାସ ନରଖି କେବଳ ଯୀଶୁଖ୍ରୀଷ୍ଟଙ୍କ ଉପରେ ବିଶ୍ଵାସ ଦ୍ଵାରା ମୁକ୍ତିଲାଭ କରାଯାଇପାରିବ  । ସେ ଚର୍ଚ୍ଚରେ ପ୍ରଚଳିତ କେତେକ ପ୍ରଥାକୁ ବିରୋଧ କରିଥିଲେ  । ଯଥା – ଚର୍ଚ୍ଚରେ ସ୍ଥାନ ବିକ୍ରୟ କରିବା, ସବୁଠାରୁ ଅଧିକ ଅର୍ଥ ପ୍ରଦାନକାରୀ ବ୍ୟକ୍ତିକୁ ମୁକ୍ତିପତ୍ର ପ୍ରଦାନ କରିବା  । ଜର୍ମାନ ରାଜକୁମାର ତାଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ କାରଣ ଚର୍ଚ୍ଚର ସମ୍ପତ୍ତି ଅଧିକାର କରିବାକୁ ସେ ଚାହୁଁଥିଲେ  । କିନ୍ତୁ ୧୫୨୧ ମସିହା ଜାନୁଆରୀ ୩ ତାରିଖରେ ତାଙ୍କୁ ପୋପ୍ ଲିଓ ଦଶମ ଚର୍ଚ୍ଚର ସମ୍ପତ୍ତିକୁ ପୃଥକ୍ କରିଦେଲେ କାରଣ ସେ ଚର୍ଚ୍ଚ ବିରୁଦ୍ଧରେ ଲେଖିବାର ବାରଣକୁ ପ୍ରତ୍ୟାଖ୍ୟାନ କଲେ  । ଲୁଥରଙ୍କର ଚିନ୍ତାଧାରା ପାଶ୍ଚାତ୍ୟ ଦେଶରେ ପ୍ରୋଟେଷ୍ଟାଣ୍ଟ ଆନ୍ଦୋଳନ ଆରମ୍ଭ କଲା ଏବଂ ଏହା ଖ୍ରୀଷ୍ଟିଆନ ଜଗତକୁ ଦୁଇଭାଗରେ ବିଭକ୍ତ କଲା ଯଥା – ପ୍ରୋଟେଷ୍ଟାଣ୍ଟ ଓ ରୋମାନ କ୍ୟାଥଲିକ  । ତାଙ୍କ ମତରେ ଖ୍ରୀଷ୍ଟିଆନମାନେ ଯୀଶୁଖ୍ରୀଷ୍ଟଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କରି ମୁକ୍ତି ପାଇପାରିବେ ମୁକ୍ତିପତ୍ର କ୍ରୟ କରିବା ଦ୍ଵାରା ନୁହେଁ  । ଇଉରୋପରେ ପ୍ରୋଟେଷ୍ଟାଣ୍ଟ ଆନ୍ଦୋଳନ ଲୁଥରଙ୍କର ଚିନ୍ତାଧାରା ଦ୍ଵାରା ପ୍ରଭାବିତ ହୋଇଥିଲା  । କିନ୍ତୁ ଇଂଲଣ୍ଡର ଏହି ପୁନର୍ଗଠନ ଆନ୍ଦୋଳନ ରାଜା ଅଷ୍ଟମ ହେନେରୀଙ୍କର ତାଙ୍କର ପ୍ରଥମ ସ୍ତ୍ରୀ କ୍ୟାଥରାଇନଙ୍କୁ ଛାଡପତ୍ର ଦେବାର ଉଦ୍ୟମର ପ୍ରତ୍ୟକ୍ଷ ଫଳାଫଳରୁ ଆରମ୍ଭ ହୋଇଥିଲା  । ରାଜାଙ୍କର ପ୍ରଧାନମନ୍ତ୍ରୀ ଥମାସ କର୍ଣ୍ଣୱେଲ ପାର୍ଲାମେଣ୍ଟରେ ଗୋଟିଏ ‘Act’ ପାରିତ କରିବାରେ ସାହାଯ୍ୟ କରିଥିଲେ  । ଯାହାକି ଚର୍ଚ୍ଚ ଉପରେ ରାଜକୀୟ କ୍ଷମତା ଅର୍ପଣ କରିଥିଲା  । ରାଜା ମାନେ ବୋଲେନ ନାମ୍ନୀ ଜଣେ ସାଧାରଣ ନାଗରିକଙ୍କୁ ବିବାହ କରିବାକୁ ଅନୁମତି ପ୍ରାପ୍ତ ହୋଇଥିଲା  ।

ଏହି ପୁନର୍ଗଠନ ଆନ୍ଦୋଳନ ଦ୍ଵାରା ଧାର୍ମିକ ପୁନରୁଦ୍ଧାର କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ପରିଲ୍ଲଖିତ ହେଲା  । ଏହି ଆନ୍ଦୋଳନ କ୍ୟାଥଲିକ ଚର୍ଚ୍ଚ ମଧ୍ୟରେ ଆରମ୍ଭ ହେଲା  । ଏହାକୁ ବିରୁଦ୍ଧବାଦୀ ପୁନର୍ଗଠନ କୁହାଯାଏ  । ଏହାର ଲକ୍ଷ୍ୟ ଥିଲା ଦୁର୍ନୀତି ଦୂର କରିବା ଓ କ୍ୟାଥଲିକ ଚର୍ଚ୍ଚରୁ ଉନ୍ନତ ଓ ଶକ୍ତିଶାଳୀ କରିବା  । ଏହା ସ୍ପେନରେ ଆରମ୍ଭ ହେଲା ଯେଉଁଠାରେ ଇଗ୍ନାସିୟସ ଲାୟାର ‘ସୋସାଇଟ ଅଫ ବେସସ’ ନାମକ ଏକ ସଂସ୍ଥା ଗଠନ କଲେ ଯାହା ଇଶ୍ଵର ସେବା, ଦାନ, ବିଶୁଦ୍ଧତା ଓ ଧର୍ମ ସଂଘର କାର୍ଯ୍ୟ ଉପରେ ଗୂରୁତ୍ଵାରୋପ କଲା  । ମାର୍ଟିନ ଲୁଥରଙ୍କ ଦ୍ଵାରା ହୋଇଥିବା ଆନ୍ଦୋଳନ ଇଂଲଣ୍ଡର ରାଜ ଅଷ୍ଟମ ହେନେରୀ, ହଲଡିଚ ଜୁଇଙ୍ଗଲିଓଜନ କାଲଭିନ୍ ଙ୍କ ଉଦ୍ୟମ ଫଳରେ ଇଉରୋପର ବିଭିନ୍ନ ଦେଶକୁ ବ୍ୟାପିଥିଲା  ।

ବିଜ୍ଞାନର ଉନ୍ନତି

ରେନାସାଂ ସମୟରେ ବିଜ୍ଞାନ କ୍ଷେତ୍ରରେ ଅସାଧାରଣ ଉନ୍ନତି ସାଧନ ହୋଇଥିଲା  । ଆମେ ଅଧ୍ୟୟନ କଲେ ଯେ, ରେନାସାଂର ଚିନ୍ତା  ନାୟକମାନେ ଅନ୍ଧ ବିଶ୍ଵାସ ଅପେକ୍ଷା କାରଣ ଉପରେ ଅଧିକ ଗୁରୁତ୍ଵ ଦେଉଥିଲେ ଏବଂ ବିଶ୍ଵାସ କରୁଥିଲେ ଯେ, ଅନୁସନ୍ଧାନ ଓ ପର୍ଯ୍ୟବେକ୍ଷଣ ଦ୍ଵାରା ପ୍ରକୃତ ଜ୍ଞାନ ଆହରଣ କରାଯାଇ ପାରିବ  । ସେମାନେ ପରମ୍ପରାଗତ ଅନ୍ଧ ବିଶ୍ଵାସ ଓ ପ୍ରତିଷ୍ଠିତ ବିଶ୍ଵାସକୁ ଗ୍ରହଣ କରୁନଥିଲେ  । ଯାହା ଫଳରେ ବୈଜ୍ଞାନିକ ଅନୁସନ୍ଧାନ ପ୍ରାୟ ବିଲୁପ୍ତ ହୋଇସାରିଥିଲା  । ରେନାସାଂ ସମୟରେ ବୈଜ୍ଞାନିକ ବିପ୍ଳବ ଆରମ୍ଭ ହେଲା  । ଲିଓନାଡୋ ଦାଭିନ୍ସଙ୍କ ଭଳି ଶିଳ୍ପୀମାନେ ଶରୀର ତତ୍ତ୍ଵ ଓ ପ୍ରକୃତି ଉପରେ ପର୍ଯ୍ୟବେକ୍ଷଣ ଦ୍ଵାରା ଚିତ୍ରକଳା ପ୍ରସ୍ତୁତ କଲେ, ଯାହାକି କଳା ଓ ବିଜ୍ଞାନର ଅପୂର୍ବ ସମନ୍ଵୟ  । ଏହି ସମୟରେ ମଧ୍ୟ ଭେଷଜ ବିଦ୍ୟା ଓ ମନୁଷ୍ୟ ଶରୀର ତତ୍ତ୍ଵ ଉପରେ ବିଶେଷ ସଫଳତା ମିଳିଥିଲା  । ଜଣେ ଇଂରେଜ ଯେ କି, ରକ୍ତ ପରିଷ୍କାର ଓ ଧମନୀ ମଧ୍ୟରେ ତାର ସଂଚାଳନ କ୍ଷେତ୍ରରେ ହୃତପିଣ୍ଡର କାର୍ଯ୍ୟ ବର୍ଣ୍ଣନା କଲେ  । ରେନାସାଂ ବୈଜ୍ଞାନିକମାନେ ଯାହା ଆରମ୍ଭ କରିଦେଇ ଗଲେ, ତାହା ଜ୍ଞାନ ଆହରଣ କ୍ଷେତ୍ରରେ ଅନୁସନ୍ଧାନ ଓ ପର୍ଯ୍ୟବେକ୍ଷଣ ପାଇଁ ପଥ ପରିଷ୍କାର କରିଦେଲା  ।

ରେନାସାଂ ବିଜ୍ଞାନ କ୍ଷେତ୍ରରେ ଗୋଟିଏ ଅତି ଗୁରୁତ୍ଵପୂର୍ଣ୍ଣ ସଫଳତା ହେଉଛି ଜ୍ୟୋତିର୍ବିଜ୍ଞାନ । ତୁମେ କୋପରନିକସ, କେପଲର ଏବଂ ଗାଲିରିଙ୍କ ବିଷୟରେ ଶୁଣିଛ ତ ? ସେମାନେ ଖୁବ୍ ବଡ ଜ୍ୟୋତିର୍ବିଦ  । ସେମାନେ ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ ଯେ, ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରୁଛି  । ରେନାସାଂ ପୂର୍ବରୁ ବିଶ୍ଵାସ କରାଯାଉଥିଲା ଯେ, ସୂର୍ଯ୍ୟ, ପୃଥିବୀ ଚାରିପଟେ ଘୂରୁଛି ଏବଂ ଯିଏ ଏହାକୁ ପ୍ରଶ୍ନ କରୁଥିଲା ତାକୁ ଧର୍ମ ବିରୋଧୀ ବୋଲି ନିନ୍ଦା କରାଯାଉଥିଲା  । କୋପରନିକସ୍ ତାଙ୍କର ପୁସ୍ତକ ‘ଅନଦି ରିଭୋଲ୍ୟୁସନ ଅଫଦି ହେଭେନ୍ ଲି ସ୍ପିଅର’ ରେ ପୃଥିବୀ ଓ ଅନ୍ୟ ଗ୍ରହମାନେ ସୂର୍ଯ୍ୟ ଚାରିପଟେ ଏକ ସମକେନ୍ଦ୍ରୀୟ ପରିଧିରେ ବୁଲୁଛନ୍ତି ବୋଲି ଯୁକ୍ତି ବାଢିଥିଲେ  । ଯଦିଓ ଏହି ମତବାଦ ତ୍ରୁଟିପୂର୍ଣ୍ଣ ଥିଲା ତଥାପି ଏହା ଏକ ଚିନ୍ତା ଓ ଯୁକ୍ତିକୁ ଜନ୍ମ ଦେଇଥିଲା  । କେପଲର ପୁନଶ୍ଚ ଏହି ମତବାଦର ବିକାଶ ଅରିଥିଲେ ଓ କହିଲେ ଯେ, ଅନ୍ୟ ଗ୍ରହଗୁଡିକ ସୂର୍ଯ୍ୟ ଚାରିପଟେ ଏକ ଉପବୃତ୍ତାକାର ପଥରେ ଗତି କରୁଛନ୍ତି  । ସେ ମଧ୍ୟ ଯୁକ୍ତି ବାଢିଥିଲେ ଯେ, ସୂର୍ଯ୍ୟ ଓ ଅନ୍ୟ ଗ୍ରହମାନଙ୍କ ମଧ୍ୟରେ ଥିବା ଚୁମ୍ବକୀୟ ଆକର୍ଷଣ ଏହି ଆକାଶସ୍ଥ ଗ୍ରହଗୁଡିକୁ ନିଜନିଜ କକ୍ଷରେ ଗତି କରାଇଥାଏ  । ପରେ ଏହି ଆନୁମାନିକ ମତବାଦ ଉପରେ ଆଇଜାକ ନିଉଟନ ମାଧ୍ୟାକର୍ଷଣ ଶକ୍ତିର ସୂତ୍ର ବାହାର କରିଥିଲେ  । ଗାଲିଲିଓ ତାଙ୍କ ନିଜସ୍ଵ ପ୍ରସ୍ତୁତ ଦୂରବୀକ୍ଷଣ ଯନ୍ତ୍ରରେ ବୃହସ୍ପତିର ଚନ୍ଦ୍ର, ଶନିଗ୍ରହର ବଳୟ ଓ ସୂର୍ଯ୍ୟରେ ଥିବା ଚିହ୍ନମାନ ଆବିଷ୍କାର କରିଥିଲେ  । ସେ କୋପରନିକସଙ୍କ ଅନୁସନ୍ଧାନର ସତ୍ୟତା ପ୍ରମାଣ କରିଥିଲେ  । ରେନାସାଂ ଇଉରୋପୀୟମାନଙ୍କ ମନରେ ଅନ୍ୟ ଅଞ୍ଚଳ ଓ ଅନ୍ୟ ଲୋକମାନଙ୍କ ସମ୍ପର୍କରେ କୌତୁହଳ ସୃଷ୍ଟି କଲା  । ବର୍ତ୍ତମାନ ଦେଖିବା ଏହା କିପରି ଘଟିଲା  ।

ନୂତନ ଅଞ୍ଚଳର ଆବିଷ୍କାର

ଅନୁସନ୍ଧିତ୍ସା ପ୍ରବୃତ୍ତି ନୂତନ ଦେଶ ଆବିଷ୍କାର କରିବା ପାଇଁ ଅନେକ ଦୁଃସାହାସିକ ବ୍ୟକ୍ତିଙ୍କୁ ପ୍ରେରଣା ଯୋଗାଇଲା  । ନୂତନ ବାଣିଜ୍ୟ ପଥ ଆବିଷ୍କାର ଫଳରେ ପୃଥିବୀର ଇତିହାସ ବଦଳିଗଲା  । ଏହା କୁହାଯାଉଥିଲା ଯେ, “ଇଶ୍ଵର ଖ୍ୟାତି ଓ ସୁବର୍ଣ୍ଣ” ଏହି ଆବିଷ୍କାରକଙ୍କ ପଛରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା  । କିନ୍ତୁ ସୁନା ବା ଆର୍ଥିକ ଆବଶ୍ୟକତା ଥିଲା ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ  । ଭୌଗଳିକ ଆବିଷ୍କାର ପୂର୍ବରୁ ଇଉରୋପୀୟମାନେ ମସଲା, କାର୍ପାସ, ମୂଲ୍ୟବାନ ରତ୍ନ, ରେଶମ ପ୍ରଭୃତି ବସ୍ତୁଗୁଡିକ ବିଶ୍ଵର ପୂର୍ବାଞ୍ଚଳରୁ ସଂଗ୍ରହ କରୁଥିଲେ  । ସେହି ବସ୍ତୁଗୁଡିକର ଯୋଗାଣ ପାଇଁ ସେମାନଙ୍କୁ ଆରବ ଏବଂ ଇସଲାମୀୟ ଅଞ୍ଚଳ ମଧ୍ୟଦେଇ ଯାତ୍ରା କରିବାକୁ ପଡୁଥିଲା  । ଏହା ସୁବିଧାଜନକ ନଥିଲା ଓ ଅନିଶ୍ଚିତତାର ସମ୍ମୁଖୀନ ହେବାକୁ ପଡୁଥିଲା  । ତେଣୁ ଦକ୍ଷିଣପୂର୍ବ ଏସିଆକୁ ସିଧା ସାମୁଦ୍ରିକ ପଥ ଆବିଷ୍କୃତ ହେଲା କାରଣ ଏହାଦ୍ଵାରା ଲାଭଜନକ ବ୍ୟବସାୟର ସମ୍ଭାବନା ଥିଲା  । ଏହି ଆବିଷ୍କାରକମାନଙ୍କର ମଧ୍ୟ ଆଉ ଗୋଟିଏ ଉଦ୍ଦେଶ୍ୟ ଥିଲା  । ସେମାନେ ନୂତନ ଆବିଷ୍କୃତ ଅଞ୍ଚଳର ଲୋକମାନଙ୍କୁ ଖ୍ରୀଷ୍ଟଧର୍ମକୁ ପ୍ରବର୍ତ୍ତନ କରିବାକୁ ଚାହୁଁଥିଲେ  । ଏହା ସେମାନଙ୍କ ପାଇଁ ଇଶ୍ଵର ସେବାର ଏକ ମାଧ୍ୟମ ଥିଲା  । ଏହା ସହିତ ସେମାନେ ନୂତନ ଅଞ୍ଚଳ ଆବିଷ୍କାର ଦ୍ଵାରା ଖ୍ୟାତି ଅର୍ଜନ ଚାହୁଁଥିଲେ  । କେତେକ ମଧ୍ୟ ପ୍ରକୃତରେ ସୁନାମ ଅର୍ଜନ କରିଥିଲେ  । ତୁମେ ଭାସ୍କୋଡାଗାମା ଭାରତ ଆବିଷ୍କାର କରିଥିଲେ ଓ କଲମ୍ବସ ଭାରତ ଆବିଷ୍କାର କରିବାକୁ ବାହାରି ଥିଲେ; କିନ୍ତୁ ଆମେରିକା ଆବିଷ୍କାର କଲେ ? ତୁମେ ଜାଣକି ଫର୍ଡିନାଣ୍ଡ ମ୍ୟାଗେଲାନ ହେଉଛନ୍ତି ପ୍ରଥମ ଆବିଷ୍କାରକ ଯେ କି ସାରା ପୃଥିବୀ ପରିକ୍ରମା କରିଥିଲେ  ? ବାର୍ଥେଲୋମିଉଡାୟାଜ ହେଉଛନ୍ତି ଅନ୍ୟ ଜଣେ ବିଖ୍ୟାତ ଆବିଷ୍କାରକ  ।

ତୁମେ କାହିଁକି ଭାବୁଛ ଯେ, ଏହି ଦୁଃସାହାସିକ ଅନୁସନ୍ଧାନ ଓ ଜଳଯାତ୍ରାଗୁଡିକ ରାଜା ଓ ଧନଶାଳୀ ବ୍ୟକ୍ତିମାନଙ୍କ ଦ୍ଵାରା ପ୍ରୟୋଜିତ ହେଉଥିଲା  । ବାଣିଜ୍ୟ ବ୍ୟବସାୟ ଓ ଔପନିବେଶିକ ସାମ୍ରାଜ୍ୟର ଦ୍ରୁତ ଅଭିବୃଦ୍ଧି ଇଉରୋପର ଧନସମ୍ପଦ ବୃଦ୍ଧି ଉପରେ ଗଭୀର ପ୍ରଭାବ ପକାଇ ଥିଲା  । ପର୍ତ୍ତୁଗୀଜ ରାଜା ହେନେରୀ ହେଉଛନ୍ତି ଜଣେ ପ୍ରସିଦ୍ଧ ରାଜା ଯେ କି ଜଳଯାତ୍ରା ଆରମ୍ଭ କରିଥିଲେ  । ସେ ନାବିକ ହେନେରୀ ନାମରେ ପ୍ରସିଦ୍ଧ  । ଏହି ଆବିଷ୍କାରକମାନଙ୍କର ବୈଷୟିକ ଭିତ୍ତି ଦିଗନିର୍ଣ୍ଣୟ ବା କମ୍ପାସ, ଗ୍ରହ ନକ୍ଷେତ୍ର ସ୍ଥାନ ନିରୂପଣ ଯନ୍ତ୍ର ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧୀୟ ଟେବୁଲ ଏବଂ ନକ୍ସା ତିଆରି କଲା ପ୍ରଭୃତି ଉଦ୍ଭାବନରୁ ସମ୍ଭବ ହେଲା  । ଏହି ଜଳଯାତ୍ରା ଆଫ୍ରିକା, ଆମେରିକା ଓ ଏସିଆର ବିଭିନ୍ନ ଅଞ୍ଚଳରେ ବାଣିଜ୍ୟ କେନ୍ଦ୍ର ଓ ଔପନୈବେଶିକ ସାମ୍ରାଜ୍ୟ ପ୍ରତିଷ୍ଠାରେ ସହାୟକ ହୋଇଥିଲା  । ବର୍ତ୍ତମାନ ବାଣିଜ୍ୟ ବ୍ୟବସାୟର କେନ୍ଦ୍ରବିନ୍ଦୁ ଭୂମଧ୍ୟସାରରୁ ପରିବର୍ତ୍ତିତ ହୋଇ ଆଟଲାଣ୍ଟିକା ମହାସାଗରରେ ଅବସ୍ଥାପିତ ହୋଇଛି  । ଅନେକ ନୂତନ ପଣ୍ୟଦ୍ରବ୍ୟ ଏହା ସହିତ ସଂଯୋଜିତ ହୋଇଛି ଯଥା – ତମାଖୁ, ଗୁଡ ଓଟପକ୍ଷୀର ପର ଓ ଆଳୁ ପ୍ରଭୃତି  । ଏହା ମଧ୍ୟ ଆମେରିକାରେ ଅମାନୁଷିକ କ୍ରୀତଦାସ ବ୍ୟବସାୟ ଆରମ୍ଭ କରିଥିଲା  । କ୍ରୀତଦାସମାନଙ୍କୁ ଆଫ୍ରିକାରୁ ଧରାଯାଇଥିଲା, ଆଟଲାଣ୍ଟିକା ମହାସାଗର ପାରକରି ପଠାଯାଉଥିଲା ଓ ଉତ୍ତର ଆମେରିକାର କୃଷିକ୍ଷେତ୍ରରେ କାମ କରିବା ପାଇଁ ବିକ୍ରୟ କରାଯାଉଥିଲା  । ଏହି ବାଣିଜ୍ୟ ବ୍ୟବସାୟର ବିସ୍ତାର ଓ ନୂତନ ଜଳପଥର ଆବିଷ୍କାର ଇଉରୋପର ବଣିକମାନଙ୍କୁ ପ୍ରଚୁର ଧନସମ୍ପଦ ଠୁଳ କରିବାରେ ସହାୟକ ହୋଇଥିଲା, ଯାହାକୁ ସେମାନେ ନୂତନ ଯନ୍ତ୍ରପାତି ବିକାଶ କରିବାରେ ବିନିଯୋଗ କଲେ  । ଏହା ଶିଳ୍ପ ବିପ୍ଳବର ଆଗମନରେ ସହାୟକ ହୋଇଥିଲା ଏବଂ ଏହା ସେମାନଙ୍କୁ ଅଧିକ କ୍ଷମତାଶାଳୀ ଓ ବିତ୍ତଶାଳୀ କଲା   ।

ଶିଳ୍ପ ବିପ୍ଳବ

ଶିଳ୍ପ ବିପ୍ଳବ ପ୍ରାୟ ୧୭୫୦ ଖ୍ରୀଷ୍ଟାବ୍ଦ ବେଳକୁ ଇଂଲଣ୍ଡରେ ଆରମ୍ଭ ହେଲା  । ଏହା ସମ୍ଭବ ହେଲା କାରଣ ଇଂରେଜ ବଣିକମାନେ ଦରିଆପାରି ବାଣିଜ୍ୟ କରି ପ୍ରଚୁର ସମ୍ପତ୍ତି ଠୁଳ କରିଥିଲେ ଏବଂ ଉପନିବେଶରୁ ପ୍ରଚୁର କଞ୍ଚାମାଲ ମିଳୁଥିଲା  । ଉପନିବେଶଗୁଡିକ ମଧ୍ୟ ତିଆରି ଜିନିଷର ସମ୍ଭାବ୍ୟ ବଜାର ଭାବରେ କାର୍ଯ୍ୟ କରୁଥିଲା  । ମୋଟ ଉପରେ ଇଂଲଣ୍ଡରେ କାରଖାନା ଚଳାଇବା ପାଇଁ କୋଇଲା ଓ ଲୁହାଭଳି ଆବଶ୍ୟକୀୟ ସମ୍ପଦ ପ୍ରଚୁର ପରିମାଣରେ ଭରି ରହିଥିଲା  । ତେଣୁ ପୁଞ୍ଜିପତିମାନେ ନୂତନ ଯନ୍ତ୍ରପାତି ନିର୍ମାଣରେ ଅର୍ଥ ବିନିଯୋଗ କରି ଅଧିକ ଲାଭ ପାଇବା ଆଶାରେ ଉତ୍ପାଦନକୁ ତ୍ୱରାନ୍ୱିତ କଲେ  । ବର୍ତ୍ତମାନ ଉତ୍ପାଦନ ପାଇଁ ମନୁଷ୍ୟ ଓ ପଶୁମାନେ କରୁଥିବା କେତେକ କାର୍ଯ୍ୟ କଳକାରଖାନା ଦ୍ଵାରା କରାଗଲା  । ଯଦିଓ ନୂତନ ବିକାଶ ଘଟିଲା ଓ ଉତ୍ପାଦନ ବୃଦ୍ଧି ପାଇଁ ନୂତନ କଳକାରଖାନା ବସାଗଲା କିନ୍ତୁ ସମାଜରେ ଅସମତା ବୃଦ୍ଧି ପାଇଲା  । ଏହା ସମାଜରେ ବିଭାଜନ ଆଣିଲା ଓ ଦୁଇଟି ଶ୍ରେଣୀର ସୃଷ୍ଟି ହେଲା ଯଥା – ପୁଞ୍ଜିପତି ବା ବୁର୍ଜୁଆ ଓ ଶ୍ରମିକ ଗୋଷ୍ଠୀ ବା ପ୍ରୋଲେଟାରିଏଟ  ।

ବିପ୍ଳବର ଯୁଗ

୧୮୪୮ ମସିହାରେ ଇଉରୋପୀୟ ବିପ୍ଳବ ବହୁ ସଂଖ୍ୟାରେ ରାଜନୈତିକ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହିତ ପରମ୍ପରାଗତ କ୍ଷମତାର ବିରୋଧ କରିଥିଲା  । ରାଜନୈତିକ ନେତୃତ୍ଵ  ମଧ୍ୟରେ ଦୃଢ ଅସନ୍ତୋଷ ଦେଖାଦେଲା ଓ ଲୋକମାନେ ରାଜ୍ୟଗୁଡିକର କାର୍ଯ୍ୟକ୍ରମଗୁଡିକରେ ଅଧିକ ଯୋଗଦାନ ପାଇଁ ଦାବୀ କଲେ  । ରାଜନୈତିକ ସଚେତନତା ଯଥା – ସ୍ଵାଧୀନତା, ସମାନତା, ଓ ଭ୍ରାତୃଭାବ ଛାପାଖାନା ମାଧ୍ୟମରେ ଜନପ୍ରିୟ ହେବାରେ ଲାଗିଲା  । ଆମେରିକା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ଋଷିଆରେ ସଂଗଠିତ ହୋଇଥିବା ବିପ୍ଳବଗୁଡିକ ବିଶେଷ ଗୁରୁତ୍ୱପୂର୍ଣ୍ଣ  । ମହତ୍ଵପୂର୍ଣ୍ଣ ବିପ୍ଳବ ଦ୍ଵାରା ଇଂଲଣ୍ଡରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇ ସାରିଥିଲା  । ଆମେରିକା ସ୍ଵାଧୀନତା ସଂଗ୍ରାମପରେ ଯୁକ୍ତରାଷ୍ଟ୍ର ଆମେରିକାର ସୃଷ୍ଟି ହେଲା ଏବଂ ଋଷିଆରେ ଗୋଟିଏ ଶ୍ରମିକ ବିପ୍ଳବ ଘଟିଲା  । ଯାହାକି ଗୋଟିଏ ସାମ୍ୟବାଦୀ ସରକାର ପ୍ରତିଷ୍ଠାରେ ସାହାଯ୍ୟ କଲା  । ଏହି ବୈପ୍ଳବିକ ପରିବର୍ତ୍ତନ ସହିତ କେତେକ ରାଷ୍ଟ୍ରର ଲୋକମାନଙ୍କ ମଧ୍ୟରେ ଜାତୀୟବାଦୀ ଚିନ୍ତାଧାରା ସୃଷ୍ଟି ହେଲା ଯାହାକି ନୂତନ ଚିନ୍ତାଧାରା ଦ୍ଵାରା ଉତ୍ସାହିତ ହେଲା  । ଆମେମାନେ ବର୍ତ୍ତମାନ ଏହି ବିପ୍ଳବଗୁଡିକ ବିଷୟରେ ପାଠ କରିବା  ।

ମହାନ ବିପ୍ଲବ

୧୬୮୮ ମସିହାର ମହାନ ବିପ୍ଲବ ଇଂଲଣ୍ଡରେ ବିପ୍ଳବ ଯୁଗର ବହୁ ପୂର୍ବରୁ ହୋଇଥିଲା ଓ ଏହା ସାରା ପୃଥିବୀ ପାଇଁ ଏକ ପ୍ରେରଣାର ଉତ୍ସ ଭାବରେ ପ୍ରମାଣିତ ହୋଇଥିଲା  । ଏହାକୁ ମହାନ ବିପ୍ଲବ କୁହାଯାଏ କାରଣ, ସଫଳତା ହାସଲ ପାଇଁ ଏଥିରେ ଆଦୌ ରକ୍ତପାତ ହୋଇନଥିଲା  । ସ୍ପୁଆର୍ଟର ରାଜା ୨ୟ ଜେମ୍ସ ଦେଶର ଲୋକମାନଙ୍କର ଜନସମର୍ଥନ ହରାଇଲେ  । ଏହାର କାରଣ ହେଉଛି ଲୋକମାନଙ୍କ ପ୍ରତି ତାଙ୍କର କଠୋର ବ୍ୟବହାର  । ଏକ ବ୍ୟୟବହୁଳ ସାମରିକ  ବାହିନୀ ସୃଷ୍ଟି ଓ ସରକାର ସାମରିକ ବାହିନୀ ଓ ବିଶ୍ଵବିଦ୍ୟାଳୟଗୁଡିକରେ ରୋମାନ କ୍ୟାଥଲିକମାନଙ୍କର ନିଯୁକ୍ତି ବୃଦ୍ଧି ଲୋକମାନଙ୍କୁ କ୍ରୋଧାନ୍ଵିତ କଲା  । ପାର୍ଲାମେଣ୍ଟ ରାଜା ୨ୟ ଜେମ୍ସଙ୍କୁ ଗାଦିଚ୍ୟୁତ କରି ତାଙ୍କ ସ୍ଥାନରେ ତାଙ୍କ ଝିଅ ୨ୟ ମେରୀ ଓ ତାଙ୍କ ସ୍ଵାମିଅରେଞ୍ଜର ରାଜକୁମାର, ୨ଯ ଉଇଲିୟମଙ୍କୁ ଆସୀନ କଲେ  । ୨ୟ ଜେମ୍ସଙ୍କର ସ୍ଵେଚ୍ଛାଚାରୀ ଶାସନ ସାମ୍ବିଧାନିକ ସରକାରରେ ପରିବର୍ତ୍ତିତ ହେଲା  । ଏହା ଦର୍ଶାଇଲା ଯେ, ପାର୍ଲାମେଣ୍ଟର ରାଜାଙ୍କୁ ପରିବର୍ତ୍ତନ କରିବାର ଅଧିକାର ରହିଛି  ।

ଆମେରିକା ସ୍ଵାଧୀନତା ସଂଗ୍ରାମ

ତୁମେ ଜାଣିବାକୁ ଆଗ୍ରହୀ ହେବ ଯେ, ଆମେ ଆଜି ଉପଭୋଗ କରୁଥିବା କେତେକ ରାଜନୈତିକ ଅଧିକାର ଅଷ୍ଟାଦଶ ଶତାବ୍ଦୀର ଉତ୍ତର ଭାଗରେ ସଂଗଠିତ ହୋଇଥିବା ଦୁଇଟି ମହତ୍ଵପୂର୍ଣ୍ଣ ବିପ୍ଳବର ପ୍ରତ୍ୟକ୍ଷ ଫଳାଫଳ ଅଟେ  । ଆଧୁନିକ ପୃଥିବୀକୁ ସଂଗଠିତ କରିବା ପାଇଁ ସେଗୁଡିକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ  । ସେଗୁଡିକ ହେଉଛି ଆମେରିକା ବିପ୍ଳବ ଓ ଫରାସୀ ବିପ୍ଳବ  । ଏହି ବିପ୍ଳବଗୁଡିକ ମଧ୍ୟରେ ଲୋକମାନେ ସେମାନଙ୍କର ଅଧିକାର ପ୍ରତି ସଚେତନ ହେଲେ ଓ ଶୋଷଣର ଅନ୍ତ ଘଟିଲା  । ଷୋଡଶ ଶତାବ୍ଦୀ ସୁଦ୍ଧା ଅନେକ ଇଉରୋପୀୟ ଇଂଲଣ୍ଡରେ ଧାର୍ମିକ ଅତ୍ୟାଚାର କାରଣରୁ ଆମେରିକାରେ ବସତି ସ୍ଥାପନ କରିଥିଲେ  । କେତେକ ମଧ୍ୟ ଅର୍ଥନୈତିକ ସୁଯୋଗ ଦ୍ଵାରା ଆକର୍ଷିତ ହୋଇଥିଲେ  । ସେମାନେ ୧୩ଟି ଉପନିବେଶରେ ବାସ କରୁଥିଲେ ଏବଂ ସେମାନଙ୍କର ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ସଭାମାନ ରହିଥିଲା  । ଏହି ଉପନିବେଶଗୁଡିକ ଇଂଲଣ୍ଡର ବାଣିଜ୍ୟ ଭିତ୍ତିକ ଅର୍ଥନୈତିକ ନୀତି ଦ୍ଵାରା କ୍ଷତିଗ୍ରସ୍ତ ହେଉଥିଲା କାରଣ ଏହି ନୀତି ମାଧ୍ୟମରେ ସେମାନେ ଇଂଲଣ୍ଡର ସ୍ଵାର୍ଥପାଇଁ ଉପନିବେଶଗୁଡିକର ବାଣିଜ୍ୟକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ  । ଉପନିବେଶଗୁଡିକ ମଧ୍ୟ ନିଜର ଶିଳ୍ପ ପ୍ରତିଷ୍ଠା କରି ପାରୁନଥିଲେ କାରଣ ଏହା ଫଳରେ ଲୁହା ଓ ବୟନ ଶିଳ୍ପ ଆଦି କ୍ଷେତ୍ରରେ ଇଂଲଣ୍ଡର ଶିଳ୍ପ ସହ ପ୍ରତିଯୋଗିତା ଆରମ୍ଭ ହେବ  । ସେମାନେ ମୂଳ ଦେଶ ଇଂଲଣ୍ଡ ଦ୍ଵାରା ସ୍ଥିରୀକୃତ ମୂଲ୍ୟରେ ଚିନି, ତମାଖୁ ଓ କାର୍ପାସ ପ୍ରଭୃତି କେବଳ ଇଂଲଣ୍ଡକୁ ରାପାନ୍ତି କରିପାରିବେ  । ଏହାକୁ ଇଂରେଜ ଆମେରିୟକୀୟ ଉପନିବେଶଗୁଡିକ ବିରୋଧ କଲେ  ।

ଅଷ୍ଟାଦଶ ଶତାବ୍ଦୀ ସୁଦ୍ଧା ଫ୍ରାନ୍ସ ସହିତ ଓ ଭାରତରେ ଯୁଦ୍ଧ ଯୋଗୁଁ ଇଂଲଣ୍ଡକୁ ବହୁ ଅର୍ଥ ବ୍ୟୟ କରିବାକୁ ପଡିଲା  । ଏହି ଯୁଦ୍ଧ ପାଇଁ ତାର ଅର୍ଥର ଆବଶ୍ୟକତା ପଡିଲା ଓ ଏହି ଅର୍ଥ ଆମେରିକାର ଉପନିବେଶଗୁଡିକ ଉପରେ ଟିକସ ବସାଇ ଆଦାୟ କରାଗଲା  । ୧୭୬୫ରେ ଇଂଲଣ୍ଡ ପାର୍ଲାମେଣ୍ଟରେ ଷ୍ଟାମ୍ପ ଆଇନ ପ୍ରଣିତ ହୋଇ ସମସ୍ତ ବ୍ୟବସାୟିକ କାରବାର ଯଥା କାର୍ଯ୍ୟାକୟର  ଦସ୍ତାବିଜ, କବଲା, ଦଲିଲ, ସମ୍ବାଦପତ୍ର ଓ ପ୍ରଚାରପତ୍ର ପ୍ରଭୃତି ଉପରେ ଟିକସ ବସାଗଲା  । ସେହି ଟିକସର ଆୟ ଆମେରିକାରେ ରହିଥିବା ୧୦,୦୦୦ ଇଂଲଣ୍ଡ ସେନାବାହିନୀର ପରିଚାଳନା ଖର୍ଚ୍ଚ ତୁଲାଇବା ପାଇଁ ଖର୍ଚ୍ଚ କରାଗଲା  । ଆମେରିକୀୟମାନେ ଏହାର ତୀବ୍ର ବିରୋଧ କଲେ  । ଉପନିବେଶର ବାଣିଜ୍ୟ ସହରଗୁଡିକରେ ହଣାକଟା ଆରମ୍ଭ ହୋଇଗଲା  । ଉପନିବେଶର ବିଧାନସଭାରେ ଷ୍ଟାମ୍ପ ଆକ୍ଟ ବିରୁଦ୍ଧରେ ପ୍ରସ୍ତାବ ଗୃହୀତ ହେଲା  ।ଇଂଲଣ୍ଡ ପାର୍ଲାମେଣ୍ଟ ୧୭୬୬ ଖ୍ରୀଷ୍ଟାବ୍ଦରେ ଷ୍ଟାମ୍ପ ଆକ୍ଟକୁ ପ୍ରତ୍ୟାହାର କରିବାକୁ ବାଧ୍ୟହେଲା  । ତଥାପି ପାର୍ଲାମେଣ୍ଟ ଚା ଉପରେ ଶୁଳ୍କ ବଜାୟ ରଖିଲେ  । ୧୭୭୩ ମସିହାରେ ଡିସେମ୍ବର ୧୬ ତାରିଖରେ କେତେକ ଆମେରିକୀୟ ଲୋହିତ ଭାରତୀୟର ଛଦ୍ମବେଶରେ ଇଷ୍ଟଇଣ୍ଡିଆ କମ୍ପାନୀର ତିନୋଟି ଜାହାଜରେ ପ୍ରବେଶ କଲେ ଓ ଚା ବାକ୍ସଗୁଡିକୁ ସମୁଦ୍ରକୁ ଫୋପାଡି ଦେଲେ  । ଏହି ଘଟନା ‘ବୋଷ୍ଟନ ଟି ପାର୍ଟି’ ନାମରେ ପରିଚିତ ତାପରେ ଇଂଲଣ୍ଡ ପାର୍ଲାମେଣ୍ଟ ବୋଷ୍ଟନ  ବନ୍ଦରକୁ ବନ୍ଦ କରି ଦେଲେ କିନ୍ତୁ ସେହି ଘଟନାକୁ ଆମେରିକା ସ୍ଵାଧିନତା ସଂଗ୍ରାମର ପ୍ରସ୍ତୁତି ଆରମ୍ଭ ହେଲା  ।

ତାପରେ ୧୩ଟି ଉପନିବେଶର ପ୍ରତିନିଧିମାନେ ୧୭୭୪ ମସିହାରେ ଫିଲାଡେଲଫିଆଠାରେ ପ୍ରଥମ ମହାଦେଶୀୟ କଂଗ୍ରେସ ର ଏକ ସଭା ଡକାଇଲେ ଏବଂ ତାଙ୍କ ବିନା ଅନୁମତିରେ କୌଣସି ଶୁଳ୍କ ନବାସାଇବା ପାଇଁ ଇଂଲଣ୍ଡର ରାଜାଙ୍କୁ ଅନୁରୋଧ କଲେ  । ରାଜା ଏହାକୁ ଏକ ବିଦ୍ରୋହ ବୋଲି ବିବେଚନା କଲେ ଓ ଯୁଦ୍ଧ ଘୋଷଣା କଲେ  । ଏହା ଯୁଦ୍ଧର ରୂପ ନେଲା ଓ ସର୍ବଶେଷରେ ୧୭୭୬ ମସିହା ଜୁଲାଇ ୪ ତାରିଖରେ ଫିଲାଡେଲଫିଆ କଂଗ୍ରେସରେ ‘ସ୍ଵାଧୀନତା ଘୋଷଣା’ କରାଗଲା ଓ ଇଂଲଣ୍ଡଠାରୁ ସ୍ଵାଧୀନତା ଘୋଷଣା ସହିତ ଏକ ସଂଯୁକ୍ତ ରାଷ୍ଟ୍ରରେ ପରିଣତ ହେଲା  । ଏହା ସାରାବିଶ୍ଵକୁ ସ୍ଵାଧୀନତା ଉପରେ ଏହାର ଗୁରୁତ୍ଵ, ଜୀବନ ପ୍ରତି  । ଅଧିକାର, ସ୍ଵାଚ୍ଛନ୍ଦପୂର୍ଣ୍ଣ ଜୀବନଯାପନ କରିବାର ଅଧିକାର ଦ୍ଵାରା ଉତ୍ସାହିତ କରିଥିଲା  । ଅଧିକାର ପତ୍ର ଅନେକ ସ୍ଵାଧୀନତାକୁ  ଅନୁମୋଦନ କରୁଥିଲା ଯଥା – ସ୍ଵାଧୀନ ମତ ପ୍ରକାଶର ଅଧିକାର, ସମ୍ବାଦପତ୍ରର ସ୍ଵାଧୀନତା, ଧର୍ମାବଲମ୍ବନର ସ୍ଵାଧୀନତା, ଆଇନ ଅନୁଯାୟୀ ନ୍ୟାୟ ପ୍ରଦାନ  । ଆମେରିକାର ବିପ୍ଲବ ଏକ ସଂଗ୍ରାମ ଯାହାଦ୍ଵାରା ୧୩ଟି ଆମେରିକାର ଉପନିବେଶ ଇଂଲଣ୍ଡଠାରୁ ସ୍ଵାଧୀନତା ଲାଭ କଲେ ଏବଂ ଏହା ଏକ ନୂତନ ରାଷ୍ଟ୍ରକୁ ଜନ୍ମଦେଲା ଯାହାକୁ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକା କୁହାଯାଉଛି  ।

ଫରାସୀ ବିପ୍ଳବ

ଅଷ୍ଟାଦଶ ଶତାବ୍ଦୀରେ ଫରାସୀ ସମାଜ ମଧ୍ୟ ସାମନ୍ତବାଦୀ ଚରିତ୍ରର ଥିଲା ଓ ରାଜା ସର୍ବମୟ କର୍ତ୍ତା ଥିଲେ  । ଏହା ତିନୋଟି ଶ୍ରେଣୀରେ ବିଭକ୍ତ ହୋଇଥିଲା  । ପ୍ରଥମ ଶ୍ରେଣୀ ଧର୍ମଯାଜକ ଗୋଷ୍ଠୀ ବା ଚର୍ଚ୍ଚ ଏବଂ ଦ୍ଵିତୀୟ ଶ୍ରେଣୀ ସାମନ୍ତ ଗୋଷ୍ଠୀ ଯେଉଁମାନେ ସମସ୍ତ ବିଳାସବ୍ୟସନର ଅଧିକାରୀ ଥିଲେ ଏବଂ ଧର୍ମ ଓ ଦେଶ ଶାସନ କ୍ଷେତ୍ରରେ କେତେକ ସୁବିଧା ବା ବିଶେଷ ଅଧିକାର ପ୍ରାପ୍ତ ହୋଇଥିଲେ  । ତୃତୀୟ ଶ୍ରେଣୀ ଥିଲେ ସାଧାରଣ ପ୍ରଜା ଯଥା -  କୃଷକ, ସହର ଶ୍ରମିକ ଓ ମଧ୍ୟବିତ୍ତଶ୍ରେଣୀ ଯେଉଁମାନେ ପ୍ରଚୁର କରବୋଝ ଦ୍ଵାରା ଛାପି ହୋଇ ରହିଥିଲେ  ।

ଫ୍ରାନ୍ସର ଆଭ୍ୟନ୍ତରୀଣ ଅବସ୍ଥା ଗୋଟିଏ ବିପ୍ଳବ ସଂଗଠିତ ହେବା ପାଇଁ ଏକ ଉପଯୁକ୍ତ ମଞ୍ଚ ସୃଷ୍ଟି କରିଥିଲା  । ରାଜା ଷୋଡଶ ଲୁଇ ଏବଂ ତାଙ୍କ ପତ୍ନୀ ମେରୀ ଆଣ୍ଟୋନେଟଙ୍କ ବିଳାସପୂର୍ଣ୍ଣ ଜୀବନଚର୍ଯ୍ୟା ଦେଶର ରାଜକୋଷକୁ ଶୂନ୍ୟ କରିଦେଲା ଓ ଦେଶକୁ ଦେବାଳିଆ କରିଦେଲା  । ୧୭୮୯ ଖ୍ରୀଷ୍ଟାବ୍ଦରେ ଷୋଡଶ ଲୁଇଙ୍କୁ ତିନିଶ୍ରେଣୀ ଯଥା – ଧର୍ମଯାଜକ, ସମଭାନ୍ତ ଓ ସାଧାରଣ ପ୍ରଜାଙ୍କର ପ୍ରତିନିଧିମାନଙ୍କର ଏକ ସଭା ଡାକିବାକୁ ବାଧ୍ୟ କରାଗଲା  । ସେ ନୂତନ କର ଆଇନକୁ ଅନୁମୋଦିତ କରିବା ପାଇଁ ଚାହିଁଲେ  । ତୃତୀୟ ଶ୍ରେଣୀ କର ହାରରେ ସମାନତା ଓ ପ୍ରଥମ ଦୁଇ ଶ୍ରେଣୀ ଭୋଗ କରୁଥିବା ସ୍ଵତନ୍ତ୍ର ସୁବିଧା ଉଚ୍ଛେଦ ପାଇଁ ଦାବୀ କଲେ  । ଏମାନେ ନିଜେ ଗୋଟିଏ ଜାତୀୟ ସଭା ଘୋଷଣା କରି ରାଜାଙ୍କଠାରୁ ସାର୍ବଭୌମ କ୍ଷମତା ଗ୍ରହଣ କଲେ  । ଐତିହାସିକ ଫରାସୀ ଦସ୍ତାବିଜ ‘ମନୁଷ୍ୟ ଓ ନାଗରିକଙ୍କ ଅଧିକାରର ଘୋଷଣା ପତ୍ର’ କୁ ଗ୍ରହଣ କରାଗଲା  । ପରେ ୧୭୯୧ ମସିହାରେ ଏହା ଫରାସୀ ସମ୍ବିଧାନରେ ମୁଖବନ୍ଧରେ ସ୍ଥାନ ପାଇଲା  । ଯୁକ୍ତରାଷ୍ଟ୍ରର ସ୍ଵାଧୀନତାର ଘୋଷଣା ପତ୍ର, ସବୁ ମଣିଷର ସମାନ ଅଧିକାର, ଲୋକମାନଙ୍କର ସାର୍ବଭୌମ କ୍ଷମତା ଓ ସ୍ଵାଧୀନତା ସମ୍ପତ୍ତି ଓ ସୁରକ୍ଷାର ଅଧିକାର, ଶିକ୍ଷାଗତ ଅଧିକାର, ମୁକ୍ତ ମତଦାନ ଅଧିକାର, ସୂଚୀତ ହେବାର ଅଧିକାର, ଗରିବମାନଙ୍କ ପାଇଁ ସର୍ବସାଧାରଣ ସାହାଯ୍ୟ ଅଧିକାର, ଶାରୀରିକ ଓ ମାନସିକ ଯନ୍ତ୍ରଣା ଓ କ୍ରୀତଦାସ ପ୍ରଥା ଉଚ୍ଛେଦ, ସରକାର ବାଛିବାରେ ଲୋକମାନଙ୍କର ଅଧିକାରର ସ୍ଵିକୃତି ଏବଂ ସାଧାରଣ କାର୍ଯ୍ୟାଳୟରେ ନିଯୁକ୍ତି ପାଇଁ ସମସ୍ତ ନାଗରିକଙ୍କର ଯୋଗ୍ୟତା ଆଦି ଦ୍ଵାରା ପ୍ରଭାବିତ ହୋଇଥିଲା  ।

ଫରାସୀ ବିପ୍ଳବର ଯୁଦ୍ଧ ଓ ନେପୋଲିୟନଙ୍କର ଯୁଦ୍ଧ ୧୭୮୯ ମସିହାରୁ ଆରମ୍ଭ ହୋଇ ପ୍ରାୟ ୧୫ ବର୍ଷ ଲାଗି ରହିଲା ଓ ଏହାର ଫଳ ସ୍ୱରୂପ ଫ୍ରାନ୍ସ ସାଧାରଣତନ୍ତ୍ର  ଗଠିତ ହେଲା  । ଏହି ଫରାସୀ ବିପ୍ଳବ ମଧ୍ୟଯୁଗୀୟ ବ୍ୟବସ୍ଥାର ସମାପ୍ତି ଘଟାଇଲା ଓ ଜାତୀୟତାବାଦ ଭଳି ନୂତନ ଚିନ୍ତାଧାରାର ଉଦ୍ଭବ ହେଲା  । ଫ୍ରାନ୍ସରେ ସରକାର, ଶାସନ ବ୍ୟବସ୍ଥା, ସାମରିକ ବ୍ୟବସ୍ଥା, ସମାଜ ଓ ସଂସ୍କୃତି ଆଦି କ୍ଷେତ୍ରରେ ଏକ ସମ୍ପୂର୍ଣ୍ଣ ପରିବର୍ତ୍ତନ ଘଟିଲା  । ନେପୋଲିୟନ ବୋନାପାର୍ଟଙ୍କ ଅଧୀନରେ ଫ୍ରାନ୍ସ ଏକ ସାଧାରଣତନ୍ତ୍ରରେ ପରିଣତ ହେଲା  । ଫରାସୀ ବିପ୍ଳବକୁ ନିୟନ୍ତ୍ରିତ କରୁଥିବା ନୀତିଗୁଡିକ ହେଉଛି, ସ୍ଵାଧୀନତା ଭ୍ରାତୃତ୍ଵ ଓ ସମାନତା  । ବିପ୍ଳବୀଗଣ ଭୋଲତେୟାର, ମଣ୍ଟେସ୍କୁଓ ଋଷୋ ଆଦି ଜ୍ଞାନୀ ଚିନ୍ତାନାୟକ ଓ ଦାର୍ଶନିକମାନଙ୍କର ଚିନ୍ତାଧାରା ଦ୍ଵାରା ଉତ୍ସାହିତ ହୋଇଥିଲେ  ।

ଆମେରିକା ସ୍ଵାଧୀନତା ସଂଗ୍ରାମ ଓ ଫରାସୀ ବିପ୍ଲବ ସାରା ବିଶ୍ଵରେ ଜାତୀୟତାଭାବକୁ ଜନପ୍ରିୟ କରାଇଥିଲା  । ଆମେରିକା, ଫ୍ରାନ୍ସ ଓ ଇଂଲଣ୍ଡର ଜାତୀୟତାଭାବ ଇଟାଲୀୟମାନଙ୍କୁ ପ୍ରଭାବିତ କଲା  । ଯାହା ଫଳରେ ଇଟାଲୀ ଏକତ୍ରୀକରଣ ପାଇଁ ୧୮୬୧ରେ ଏକ ବିପ୍ଳବ ଆରମ୍ଭ ହେଲା  ।

ଇଟାଲୀ ଏକତ୍ରୀକରଣ

ଅଷ୍ଟାଦଶ ଶତାବ୍ଦୀରେ ଇଟାଲୀ ଅନେକଗୁଡିଏ ଛୋଟ ଛୋଟ ରାଜ୍ୟର ସମଷ୍ଟି ଥିଲା ଓ ପ୍ରତ୍ୟକ ରାଜ୍ୟର ସ୍ଵତନ୍ତ୍ର ରାଜା ଓ ପ୍ରଥାମାନ ରହିଥିଲା  । ସେଗୁଡିକ ମଧ୍ୟରୁ କେତେକ ହେଉଛି, ଭେନେସିଆ, ଦୁଇରାଜ୍ୟ ବିଶିଷ୍ଟ ସିସିଲ, ପୋପ୍ ଙ୍କର ରାଜ୍ୟ, ସାର୍ଡିନିଆ, ଟୁସ୍କାନି ପ୍ରଭୃତି  । ମଧ୍ୟଯୁଗରେ ପପ ଉଭୟ ଧର୍ମ ଓ ରାଜନୀତି  କ୍ଷେତ୍ରରେ ତାଙ୍କର ପ୍ରଭାବ ବଢାଇଲେ  । ପୋପ୍ ନିଜର ରାଜନୈତିକ ଶାସନାଧିକାର ପ୍ରତିଷ୍ଠା କଲେ ଯାହାକୁ ଆମେ ପୋପ୍ ଙ୍କ ରାଜ୍ୟ ବୋଲି କହୁ  । ଖୁବ୍ ଶୀଘ୍ର ଇଟାଲୀ ତାର ଗୁରୁତ୍ଵ ବଢାଇବାରେ ଲାଗିଲା  । ସେଗୁଡିକ ରାଜନୈତିକ ଜୀବନ, ବ୍ୟାଙ୍କବ୍ୟବସ୍ଥା ଓ ବୈଦେଶିକ ବାଣିଜ୍ୟ କେନ୍ଦ୍ରରେ ପରିଣତ ହେଲା  । ରେନାସାଂ ସମୟରେ ଇଟାଲୀ ଅନ୍ୟ ରାଷ୍ଟ୍ରଗୁଡିକଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ଯେଉଁ ବିଷୟରେ ତୁମେ ଆଗରୁ ପଢିଛ ବହୁବର୍ଷ ଧରି ଫ୍ରାନ୍ସ ଓ ପବିତ୍ର ରୋମ ରାଜ୍ୟ ଇଟାଲୀ ଉପରେ ନିଜର ପ୍ରଭାବ ବିସ୍ତାର ପାଇଁ ଯୁଦ୍ଧରେ ଲାଗିରହିଥିଲେ  । ୧୭୮୯ ଫରାସୀ ବିପ୍ଳବ ଇଟାଲୀର ଇତିହାସରେ ଏକ ମୁଖ୍ୟ ଭୂମିକା ଗ୍ରହଣ କଲା  । ଇଟାଲୀର ଶାସକମାନେ ନିଜ ଦେଶରେ ବିପଦର ଉପଲବ୍ଧ କରି ଯେଉଁ ଇଉରୋପୀୟ ରାଜାମାନେ ଫ୍ରାନ୍ସକୁ ବିରୋଧ କରୁଥିଲେ, ସେମାନଙ୍କ ସହ ସମ୍ପର୍କ ସ୍ଥାପନ କଲେ  । ଫ୍ରାନ୍ସ ଗୋଟିଏ ସାଧାରଣତନ୍ତ୍ର ହେବାପରେ ଇଟାଲୀ ସାଧାରଣତନ୍ତ୍ରକୁ ସମର୍ଥନ କରି ଗୁପ୍ତା ସମିତିମାନ ସମୁଦାୟ ଇଟାଲୀରେ ଗଠିତ ହେଲା  । ୧୭୯୬ ରୁ ୧୮୧୪ ମଧ୍ୟରେ ଯେତେବେଳେ ନେପୋଲିୟନ ବୋନାପାର୍ଟ ଇଉରୋପୀୟ ଶକ୍ତିମାନଙ୍କ ଦ୍ଵାରା ପରାଜିତ ହେଲେ, ସେତେବେଳେ ଇଟାଲୀୟମାନେ ବିଦେଶୀ ଶାସନରୁ ମୁକ୍ତ ହୋଇ ଗୋଟିଏ ସଂଯୁକ୍ତ ଇଟାଲୀ ପାଇବାର ସମ୍ଭାବନା ଦେଖିବାକୁ ଆରମ୍ଭ କଲେ  ।

ମାଜିନି ଓ ଗାରିବାଲଡିଙ୍କ ଭଳି ଅନେକ ବିପ୍ଳବୀ ଏବଂ କେତେକ ଗୁପ୍ତା ସମିତି ଇଟାଲୀୟମାନଙ୍କ ମଧ୍ୟରେ ଗୋଟିଏ ସ୍ଵାଧୀନ ସଂଯୁକ୍ତ ଇଟାଲୀର ଚିନ୍ତାଧାରା ପ୍ରସାର କରିବାରେ ଲାଗିଲେ  । ୧୮୪୯ ପରବର୍ତ୍ତୀ ସମୟରେ ଭିକ୍ଟର ଏମାନୁଏଲଙ୍କ ଅଧୀନରେ ଶାସିତ ହେଉଥିବା ପିଡମଣ୍ଟସାର୍ଡିନିଆ ରାଜ୍ୟ ଏହି ଏକତ୍ରୀକରଣରେ ମୁଖ୍ୟ ଭୂମିକା ଗ୍ରହଣ କଲେ । ଏହା ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଯେ, ଇଟାଲୀ ଏକତ୍ରୀକରଣରେ ଜଣେ ରାଜା ନେତୃତ୍ଵ ନେଇଥିଲେ  । ତାଙ୍କ ନେତୃତ୍ଵରେ ତାଙ୍କର ପ୍ରଧାନମନ୍ତ୍ରୀ କାଭୁର ଲୋମ୍ବାର୍ଡି, ଟୁଷ୍ଟାନୀ, ମୋଡେନା ପ୍ରଭୃତିରୁ ଅଷ୍ଟ୍ରିଆକୁ ବହିସ୍କାର କରିଥିଲେ  । ଗାରିବାଲଡି ବିଦ୍ରୋହ ଚଳାଇ ରଖି ସିସିଲ ଓ ନେପଲସକୁ ମୁକ୍ତ କରିଥିଲେ  । ସେ ଏହି ଦୁଇଟି ରାଜ୍ୟର ଦାୟିତ୍ଵ ଏମାନୁଏଲଙ୍କୁ ଅର୍ପଣ କଲେ ଓ ତାଙ୍କୁ ଇଟାଲୀର ରାଜା ବୋଲି ଘୋଷଣା କଲେ  । ପରେ ରୋମ ଓ ଭେନିସିଆ ଇଟାଲୀ  ରାଜ୍ୟ ସଂଘରେ ଯୋଗ ଦେଲେ  । ଇଟାଲୀ ଏକତ୍ରୀକରଣ ପ୍ରକ୍ରିୟା ୧୮୧୫ରେ ଭିଏନା କଂଗ୍ରେସରୁ ଆରମ୍ଭ ହୋଇଥିଲା  ଓ ୧୮୭୧ରେ ଫ୍ରାଙ୍କୋ ପୃସିଆ ଯୁଦ୍ଧରେ ପରିସମାପ୍ତି ଘଟିଲା  ।

ଜର୍ମାନୀ ଏକତ୍ରୀକରଣ

୧୮୧୫ରେ ନେପୋଲିଅନଙ୍କର ପରାଜୟ ପରେ ଅନେକ ଜର୍ମାନୀ ଲୋକ ଗୋଟିଏ ସ୍ଵାଧୀନ ଜର୍ମାନୀ ପାଇବାକୁ ଇଚ୍ଛା ପ୍ରକାଶ କଲେ  । ଦରମାନୀ ୩୯ଟି ରାଜ୍ୟର ଏକ ମିଳିତ ସଂଘ ଥିଲା  । ଯାହାକି ଅଷ୍ଟ୍ରିଆ ଓ ପୃସିଆ ଦ୍ଵାରା ପରିଚାଳିତ ହେଉଥିଲା  । ଏହି ରାଜ୍ୟଗୁଡିକ ସର୍ବଦା ପରସ୍ପର ଭିତରେ ଯୁଦ୍ଧ କରୁଥିଲେ ଯାହାକି ଜର୍ମାନୀର ଅର୍ଥନୈତିକ ପ୍ରଗତି ହ୍ରାସ କରୁଥିଲା  । ପୃସିଆ ଅଧିନରେ ରାଜା କାଇଜର ପ୍ରଥମ ଉଇଲିଯମ ଅଷ୍ଟ୍ରିଆ ଓ ଫ୍ରାନ୍ସରୁ ଅଲଗା କରି ପୃସିଆ ଅଧିନରେ ଜର୍ମାନୀକୁ ଏକତ୍ରୀକରଣ କରିବା ପାଇଁ ବିସ୍ମାର୍କଙ୍କୁ ପ୍ରଧାନମନ୍ତ୍ରୀ ରୂପେ ବାଛିଲେ  । ବିସ୍ମାର୍କ ସମ୍ପୂର୍ଣ୍ଣ ନିର୍ଭୀକ ଥିଲେ ଏବଂ ଜର୍ମାନୀର ଏକତ୍ରୀକରଣ ତ୍ଵରିତ ଆବଶ୍ୟକ ବୋଲି ବିଶ୍ଵାସ କରୁଥିଲେ  । ସେ ପାର୍ଲାମେଣ୍ଟର ନିର୍ଦ୍ଦେଶ ଅବଜ୍ଞା କରି ଲୋକମାନଙ୍କଠାରୁ ଶୁଳ୍କ ଆଦାୟ କରି ସୈନ୍ୟବାହିନୀର ଆଧୁନିକିକରଣ କାର୍ଯ୍ୟ ଆରମ୍ଭ କଲେ  । ତାଙ୍କର ପଦ୍ଧତି ‘ରକ୍ତ ଓ ଲୌହ’ ପଦ୍ଧତି ଭାବରେ ପରିଚିତ ଏବଂ ତାଙ୍କ ପାଇଁ ଏକ ଡାକନାମ ‘ଲୌହ ଚାନସେଲର’  । ଏହି ଉନ୍ନତ ସୈନ୍ୟବାହିନୀ ସହିତ ବିସ୍ମାର୍କ ସେଲସଉଲଗ୍ ଓ ହଲିଷ୍ଟିନର ଜର୍ମାନୀ ଳିକାମାନଙ୍କୁ ଡେନମାର୍କ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କରିବାକୁ ଉତ୍ସାହିତ କଲେ  । ବିସ୍ମାର୍କଙ୍କର ପରବର୍ତ୍ତୀ ଲକ୍ଷ୍ୟ ଥିଲା ଅଷ୍ଟ୍ରିଆ  । ପୃଷ୍ଟିଆ ଅଷ୍ଟ୍ରିଆକୁ ପରାଜିତ କଲା ଓ ଉତ୍ତର ଜର୍ମାନୀ ରାଷ୍ଟ୍ର ସଂଘ ଗଠନ କଲା  । ବିସ୍ମାର୍କ ଇଟାଲୀକୁ ଭେନିସ୍ ପ୍ରଦେଶ ଦେବେ ବୋଲି କହି ତାକୁ ଯୁଦ୍ଧରୁ ବିରାଟ ରଖିଲେ  । ଅଷ୍ଟ୍ରିଆକୁ ଭେନିସ୍ ଉପରୁ ନିଜର ଅଧିକାର ତ୍ୟାଗ କରି ଭେନିସ୍ କୁ ଇଟାଲୀକୁ ଦେବାପାଇଁ ବାଧ୍ୟ କରାଗଲା  । ସେ ମଧ୍ୟ ଫ୍ରାନ୍ସର ରାଜା ତୃତୀୟ ନେପୋଲିୟନଙ୍କୁ କିଛି ଅଞ୍ଚଳ ଦେବାର ପ୍ରତିଶୃତି ଦେଇ ଯୁଦ୍ଧରୁ ବିରାଟ ରଖିଥିଲେ  । ଋଷିଆ ଅଧିନସ୍ଥ ପୋଲାଣ୍ଡରେ ଗୋଟିଏ ବିଦ୍ରୋହ ଦମନ ପାଇଁ ଋଷିଆକୁ ସାହାଯ୍ୟ କରି ସେ ଋଷିଆର ସମର୍ଥନ ପାଇସାରିଥିଲେ  ।

ଜର୍ମାନୀ ଉପରେ ପୃସିଆର ପ୍ରଭାବ ବିସ୍ତାର ପାଇଁ କେବଳ ପ୍ରତିବନ୍ଧକ ଥିଲା ଦକ୍ଷିଣ ଜର୍ମାନୀରେ ଥିବା ୪ଟି କ୍ଷୁଦ୍ର ରାଜ୍ୟ ଓ ଫ୍ରାନ୍ସର ରାଜା ତୃତୀୟ ନେପୋଲିୟନଙ୍କର ଏହାକୁ ଗ୍ରହଣ ନକରିବା  । କିନ୍ତୁ ଏହି ଦୁଇ ଦେଶ ମଧ୍ୟରେ ଅସମ୍ମତି ଫଳରେ ଫ୍ରାନ୍ସ ପୃସିଆ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା  । ଏହି ଫ୍ରାଙ୍କୋ – ପୃସିଆନ ଯୁଦ୍ଧ ଖୁବ୍ କମ୍ ଦିନ ମଧ୍ୟରେ ସମାପ୍ତ ଘଟିଲା ଓ ୧୮୭୧ ମସିହାରେ ପୃସିଆ ଫ୍ରାନ୍ସ ଆକ୍ରମଣ କଲା ଓ ଫରାସୀମାନଙ୍କୁ ପରାସ୍ତ କଲା  । ତୃତୀୟ ନେପୋଲିୟନ ସିଂହାସନ ତ୍ୟାଗ କଲେ  ଓ ଫ୍ରାନ୍ସ ଆଲସେସ ଓ ଲୋରେନ ତ୍ୟାଗ କରିବାକୁ ବାଧ୍ୟ ହେଲା  । ଅଷ୍ଟ୍ରିଆ ବ୍ଯତୀତ ଅବଶିଷ୍ଟ ଜର୍ମାନ ରାଜ୍ୟ ଅଧିକୃତ ହୋଇ ଜର୍ମାନୀରେ ମିଶିଲା  । କାଇଜର ପ୍ରଥମ ଉଇଲୋୟମଙ୍କ ଅଧିନରେ ଜର୍ମାନୀ ଏକତ୍ରୀକରଣ ସମ୍ପୂର୍ଣ୍ଣ ହେଲା  । ଖୁବ୍ ଶୀଘ୍ର ଜର୍ମାନୀ ଇଉରୋପରେ ଗୋଟିଏ ପ୍ରଭାବଶାଳୀ ଶକ୍ତି ଭାବରେ ଆତ୍ମାପ୍ରକାଶ କରି ଜର୍ମାନୀର ଆର୍ଥିକ ସ୍ଵାର୍ଥ ଓ ବିଶ୍ଵରେ ଜର୍ମାନୀର ପ୍ରଭାବ ବୃଦ୍ଧି ପାଇଁ ଉପନିବେଶବାଦୀ ସାମ୍ରାଜ୍ୟ ଗଠନ କଲା  ।

ସମାଜବାଦୀ ଆନ୍ଦୋଳନ ଓ ଋଷ ବିପ୍ଳବ

ଶିଳ୍ପ ବିପ୍ଳବ ଫଳରେ ସମାଜରେ ଅସମତା ସୃଷ୍ଟି ହେଲା  । ଗୋଟିଏ ପକ୍ଷରେ ଶ୍ରମିକମାନେ ଯେଉଁମାନେ ଗରିବ, ଶୋଷିତ ଏବଂ ସେମାନେ ସମସ୍ତ ଅଧିକାରରୁ ବଞ୍ଚିତ, ଅନ୍ୟ ପକ୍ଷରେ ପୁଞ୍ଜିପତିମାନେ ଯେଉଁମାନେ କି ସମସ୍ତ ସୁବିଧା ସୁଯୋଗ ଉପଭୋଗ କରନ୍ତି  । ସେହି ସମୟରେ କେତେକ ଲୋକ ସମାଜ ବିଷୟରେ ଚିନ୍ତା କରିବାକୁ ଆରମ୍ଭ କଲେ ଯେ, ସମାଜ ସାମାଜିକ ଓ ଆର୍ଥିକ ସମାନତା ଉପରେ ପ୍ରତିଷ୍ଠିତ ହେବା ଉଚିତ  । ସମାନତା, ମତ ପ୍ରକାଶ କରିବାର ସ୍ଵାଧୀନତା ଓ ଗଣତନ୍ତ୍ର ଆଦି ଚିନ୍ତାଧାରା ଏଥିପାଇଁ ଉତ୍ସାହ ପ୍ରଦାନ କଲା  । ସମାଜବାଦୀ ଚିନ୍ତାଧାରା ଯାହାକି ସାମାଜିକ ସମତା ଆଣିବାକୁ ଉଦ୍ୟମ କରେ, ତାକୁ ମୌଳିକ ଚିନ୍ତାଧାରା ଭାବରେ ଗ୍ରହଣ କରାଗଲା  । ସମାଜବାଦ ସମ୍ପର୍କରେ ସବୁଠାରୁ ଶକ୍ତିଶାଳୀ ଓ ପ୍ରଭାବଶାଳୀ ଚିନ୍ତାଧାରା କାର୍ଲମାର୍କ୍ସ ଓ ଫେଡେରିକ ଏଙ୍ଗେଲସଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା  । କାର୍ଲମାର୍କ୍ସ ତାଙ୍କର ବହି ‘ଦାସ କ୍ୟାପିଟାଲ’ ରେ ସୂଚୀତ କରିଥିଲେ ଯେ, ସମାଜର ଇତିହାସ ହେଉଛି, ଶ୍ରେଣୀ ସଂଘର୍ଷ ସୃଷ୍ଟି କରିଥାଏ  । ସେ ସୂଚନା ଦେଇଥିଲେ ଯେ, ପୁଞ୍ଜିବାଦର ବିଲୟ ଓ ସମାଜବାଦର ଆରମ୍ଭ ଦ୍ଵାରା ଏହି ସଂଘର୍ଷ ସଫଳ ହୋଇଥାଏ  । ଏହାର ଫଳ ସ୍ୱରୂପ ଉତ୍ପାଦନ ମାଧ୍ୟମଗୁଡିକର ମାଲିକାନା ରାଷ୍ଟ୍ର ହାତରେ ରହିଥାଏ  ଓ ଏକ ସମତୁଲ ସମାଜ ଜନ୍ମ ନେଇଥାଏ  ।

ଏହାର ପ୍ରଥମ ପ୍ରୟୋଗାତ୍ମକ ଉଦାହରଣ ହେଉଛି, ଋଷ ବିପ୍ଳବ ଯାହାର ଫଳ ସ୍ୱରୂପ ପୃଥିବୀର ପ୍ରଥମ ସମାଜବାଦୀ ସରକାର ପ୍ରତିଷ୍ଠିତ ହୋଇଥିଲା  । ଋଷିଆ ଶିଳ୍ପ କ୍ଷେତ୍ରରେ ପଛୁଆ ଥିଲା ଏବଂ ଏହା କୃଷିଭିତ୍ତିକ ଅର୍ଥନୀତି ଉପରେ ନିର୍ଭର କରୁଥିଲା  । ଜାର ଜଣେ ସ୍ଵେଚ୍ଛାଚାରୀ ଓ ଅତ୍ୟାଚାରୀ ଶାସକ ଥିଲେ  । ତେଣୁ ଶ୍ରମିକ ଓ କୃଷକମାନେ ବିଶେଷ କଷ୍ଟ ଭୋଗ କରୁଥିଲେ  । ୧୯୦୫ ମସିହାର ବିପ୍ଳବ ଦ୍ଵାରା ଏକ ସାମ୍ବିଧାନିକ ରାଜତନ୍ତ୍ର ଗଠିତ ହେବା ସହିତ କୃଷକ, ସହରାଞ୍ଚଳ ଲୋକ ଓ ସମାଜର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ପ୍ରତିନିଧିମାନକୁ ନେଇ ଡୁମା ଗଠିତ ହୋଇଥିଲା  । ୧୯୦୫ ବିପ୍ଳବ ପରେ ମଧ୍ୟ ନାଗରିକ ଅଧିକାର ଗଣତାନ୍ତ୍ରିକ ପ୍ରତିନିଧିତ୍ଵ ଖୁବ୍ ସୀମିତ ଥିଲା  ।

୧୯୧୭ ମସିହାରେ ଋଷିଆରେ ଆଉ ଗୋଟିଏ ବିପ୍ଳବ ସଂଗଠିତ ହେଲା  । ଏହା ଘଟିଲା କାରଣ ଜାର ଦ୍ଵିତୀୟ ନିକୋଲାସଙ୍କ ଏକଛତ୍ରବାଦ ଶାସନ ସମୟରେ ଋଷିଆର ଶ୍ରମିକ, କୃଷକ ଓ ଅଣ ରୁଷୀୟ ଯେଉଁମାନେ ଋଷିଆରେ ରହୁଥିଲେ, ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଦୂରବୀସହ ହୋଇଗଲା  । ଶୋଷଣ, ଅମାନୁଷିକ ଭାବରେ କାର୍ଯ୍ୟକରିବାର ଅବସ୍ଥା, ଅତ୍ୟଧିକ ଶୁଳ୍କ ଆଦାୟ ଆଦି ଲୋକମାନଙ୍କୁ ତାଙ୍କ ବିରୋଧୀ କରିଦେଲା  । ଲୋକମାନଙ୍କୁ ମଧ୍ୟ ସମସ୍ତ ରାଜନୈତିକ ଅଧିକାରରୁ ବଞ୍ଚିତ କରାଯାଉଥିଲା  । ଋଷିଆ ମଧ୍ୟ ସାମ୍ରାଜ୍ୟବାଦୀ ଲାଭ ପାଇଁ ପ୍ରଥମ ବିଶ୍ଵଯୁଦ୍ଧରେ ଯୋଗ ଦେଲା  । କିନ୍ତୁ ସେ ସେଥିପାଇଁ ଆଦୌ ପ୍ରସ୍ତୁତ ନଥିଲା  । ହଜାର ହଜାର ସଂଖ୍ୟାରେ ଋଷିଆର ସୈନ୍ୟମାନେ ପ୍ରଥମ ବିଶ୍ଵଯୁଦ୍ଧରେ ମୃତ୍ୟୁବରଣ କଲେ କାରଣ ସାଇବେରିଆର ଶୀତଳ ମରୁଭୂମିରେ ଯୁଦ୍ଧ କରିବା ପାଇଁ ତାଙ୍କ ପାଖରେ ଉପଯୁକ୍ତ ଗରମ ପୋଷାକ ଏବଂ ଯୁଦ୍ଧ ସରଞ୍ଜାମ ନଥିଲା  । ଅନେକ କୁଶଳୀ କାରିଗରମାନଙ୍କୁ ସୈନ୍ୟବାହିନୀରେ ଯୋଗଦେଇ ଯୁଦ୍ଧ କରିବାକୁ ବାଧ୍ୟ କରାଗଲା  । ଫଳରେ ସେମାନେ ମୃତ୍ୟୁବରଣ କଲେ  । ସମ୍ଭ୍ରାନ୍ତମାନେ ମଧ୍ୟ ଜାର ଦ୍ଵିତୀୟ ନିକୋଲାସଙ୍କ ଉପରେ ତାଙ୍କର ଏକଛତ୍ରବାଦୀ ଶାସନ ପାଇଁ ଅସନ୍ତୁଷ୍ଟ ହେଲେ  । ଦୁର୍ଭିକ୍ଷ ଦେଶର ଅବସ୍ଥାକୁ ଆହୁରି ଅଧିକ ଖରାପ କରିଦେଲା  । ଏହା ଫଳରେ ଶ୍ରମିକ ବିଦ୍ରୋହ ଓ ଆନ୍ଦୋଳନ ଦେଖାଦେଲା  । ଆନ୍ଦୋଳନରତ ଲୋକମାନେ ନ୍ୟାୟାଳୟ, ଜେଲଖାନା ଓ କାର୍ଯ୍ୟାଳୟମାନ ଆକ୍ରମଣ କଲେ  । ଚାରିଆଡେ ଓ ସମାଜର ସବୁ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ଅଶାନ୍ତ ଅବସ୍ଥା ଦେଖାଦେଲା  । ସୈନିକମାନଙ୍କ ପାଖରେ ଯଥେଷ୍ଟ ଯୁଦ୍ଧ ସରଞ୍ଜାମ ନଥିଲା, ସହରାଞ୍ଚଳଗୁଡିକରେ ଖାଦ୍ୟର ଅଭାବ ଦେଖାଦେଲା ଓ କୃଷକମାନେ ସେମାନଙ୍କର ଉତ୍ପାଦିତ ପଦାର୍ଥ ପାଇଁ ଉପଯୁକ୍ତ ମୂଲ୍ୟ ପାଇଲେ ନାହିଁ  । ଏହି ସମୟରେ ସରକାର ବହୁ ସଂଖ୍ଯାରେ ରୁବଲ ନୋଟ ଛାପିବା ଫଳରେ ମୁଦ୍ରାସ୍ଫିତି ଦେଖାଦେଲା  । ପରିସ୍ଥିତି ଆଉ ଜାରଙ୍କ ନିୟନ୍ତ୍ରଣାଧିନ ରହିଲା ନାହିଁ  ।

ଏହି ଅବସ୍ଥା ଆହୁରି ଖରାପ ହୋଇଗଲା  ଯେତେବେଳେ ମାର୍କସ ଓଟଲଷ୍ଟୟଙ୍କ ଲେଖାଗୁଡିକ ଲୋକମାନଙ୍କୁ ବିଶେଷ ପ୍ରଭାବିତ କଲା  । ମୁଖ୍ୟତଃ ଶ୍ରମିକମାନଙ୍କୁ ଏବଂ ସେମାନଙ୍କ ମଧ୍ୟରେ ରାଜନୈତିକ ଚେତନା ସୃଷ୍ଟି କଲା  । ଏହା ଶ୍ରମିକ ମାନଙ୍କର ସଭା ଓ ସୋଭିଏତ ଗଠନ ପାଇଁ ପ୍ରେରଣା ଯୋଗାଇଲା  । ୧୯୧୭ ମସିହା ଫେବୃୟାରୀରେ ଜାର ଗାଦିଚ୍ୟୁତ ହେଲେ ଓ ପ୍ରାଦେଶିକ ସରକାର ମେନସେଭିକ୍ ଦଳର ନିୟନ୍ତ୍ରଣରେ ଗଠିତ ହେଲା  । କିନ୍ତୁ ସେହି  ସରକାର ଲୋକମାନଙ୍କର ଦାବୀକୁ ପୂରଣ କରିବା ପାଇଁ ବିଫଳ ହେଲା  । ଅନ୍ୟ ଗୋଟିଏ ଦଳ ଲେନିନ୍ ଙ୍କ ନେତୃତ୍ଵାଧିନ ବଲସେଭିକ୍ ଦଳ ସୋଭିଏତଗୁଡିକୁ ସଂଗଠିତ କରି ୧୯୧୭ ଅକ୍ଟୋବର ମାସରେ ସରକାରଙ୍କୁ ଗାଦିଚ୍ୟୁତ କରି ସରକାରର ଦାୟିତ୍ଵ ଗ୍ରହଣ କଲେ  । ଏହି ଅକ୍ଟୋବର ବିପ୍ଲବ ଋଷ ବିପ୍ଳବର ସର୍ବଶେଷ ସ୍ତର  । ଏହା ଜାର ଶାସନର ପରିସମାପ୍ତି ଘଟାଇଲା ଓ ୟୁ.ଏସ୍.ଏସ୍.ଆର୍ ଗଠନ କରାଗଲା  ।

ପରବର୍ତ୍ତୀ ଅଧ୍ୟାୟରେ ତୁମେ ଔଦ୍ୟଗିକତା, ସାମ୍ରାଜ୍ୟବାଦ ଓ ବିଶ୍ଵଯୁଦ୍ଧ ସମ୍ପର୍କରେ ଅଧିକ ଅଧ୍ୟୟନ କରିବ  । ଶିଳ୍ପ ବିପ୍ଳବ କିପାଳି ପୃଥିବୀର ରୂପ ବଦଳାଇ ଦେଲା  ଓ ଲୋକମାନଙ୍କର ଜୀବନ ଧାରଣ ପଦ୍ଧତିରେ କିପରି ବିରାଟ ପରିବର୍ତ୍ତନ ଆଣିଲା ତାହା ଜାଣିପାରିବା  ।ପୃଥିବୀର ଔଦ୍ୟଗିକ ବିକାଶ ଘଟି ନଥିବା ଦେଶ ଉପରେ ଏହାର ପ୍ରଭାବ କ’ଣ ଓ ଏହା କିପରି ବିବାଦ ସୃଷ୍ଟି କରିଥିଲା, ଯାହାକି ବର୍ତ୍ତମାନ ମଧ୍ୟ ପୃଥିବୀର କେତେକ ଭୟଙ୍କର ଯୁଦ୍ଧର କାରଣ ବିବେଚନା କରାଯାଏ, ତାହା ତୁମେ ଅଧ୍ୟୟନ କରିବ  ।

ଆଧାର : ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top