ସେଆର କରନ୍ତୁ

ଭାରତ

ଭାରତ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।

ଭାରତର ଅବସ୍ଥିତ

ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।

ପ୍ରସିଦ୍ଧ ସିନ୍ଧୁ ସଭ୍ୟତାର ଉତ୍ଥାନ ପ୍ରାଚୀନ ଭାରତରୁ ହୋଇଥିଲା । ପ୍ରାଚୀନ ଭାରତ ବହୁ ବୈଦେଶିକ ବ୍ୟବସାୟୀଙ୍କ ମୁଖ୍ୟ ଆକର୍ଷଣ ଥିଲା । ନିଜର ବ୍ୟବସାୟ ଓ ସଂସ୍କୃତି ପାଇଁ ଭାରତୀୟ ଉପମହାଦେଶ ସାରା ବିଶ୍ୱରେ ଜଣାଶୁଣା ଥିଲା । ବିଶ୍ୱର ପ୍ରମୁଖ ଧର୍ମ (ଯଥା ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ୍ ) ର ଉତ୍ପତ୍ତି ଭାରତରୁ ହୋଇଥିଲା । ଷଷ୍ଠ ଖ୍ରୀ.ପୂ. ରେ ଜୀଉମାନେ ଭାରତକୁ ଆଗମନ କଲେ । ପ୍ରଥମ ଶତାବ୍ଦୀରେ ପାର୍ସୀ, ଖ୍ରୀଷ୍ଟିଆନ ଓ ମୁସଲମାନମାନଙ୍କ ଆଗମନ ପରେ ପ୍ରଚୀନ ଭାରତର ରୂପରେଖରେ ଉନ୍ନତି ଘଟିଥିଲା । ୧୮ଶ ଶତାବ୍ଦୀରେ ଇଂରେଜମାନଙ୍କ ରାଜୁତିର ପ୍ରାରମ୍ଭ ହୋଇ ଭାରତ ପରାଧୀନତାର ଶିକାର ହୋଇଥିଲା । ଭାରତର ବହୁ ବରପୁତ୍ରଙ୍କ ସଂଗ୍ରାମ ପରେ ୧୯ଶ ଶତାବ୍ଦୀର ମଧ୍ୟ ଭାଗରେ (୧୯୪୭ ରେ) ଭାରତ ସ୍ୱାଧୀନତା ଫେରି ପାଇଥିଲା ।

ପ୍ରାଚୀନ ସିନ୍ଧୁ ଉପତ୍ୟକାର ସଭ୍ୟତା, ଇତିହାସ ପ୍ରସିଦ୍ଧ ସମ୍ରାଟ ଓ ରାଜାମାନଙ୍କର ବିଚରଣ ଭୂମି, ଧନଧାନ୍ୟରେ ସମୃଦ୍ଧି, ବାଣିଜ୍ୟ ଓ ସଂସ୍କୃତିର କେନ୍ଦ୍ରରୂପେ ଭାରତ ସାରା ବିଶ୍ୱରେ ସୁପରିଚିତ । ହିନ୍ଦୁ,ବୌଦ୍ଧ, ଜୈନ ଓ ଶିଖ ଧର୍ମ ପରି ବିଶ୍ୱର ଚାରିଟି ପ୍ରଧାନ ଧର୍ମର ଉତ୍ପତ୍ତିସ୍ଥଳ ହେଉଛି ଏହି ଦେଶ । ଏହାଛଡ଼ା ଜୁଦା, ଜୋରାଷ୍ଟ୍ରୀୟ, ଖ୍ରୀଷ୍ଟ ତଥା ଇସଲାମ ଆଦି ଅନ୍ୟ ଧର୍ମର ଅନେକ ଧର୍ମାବଲମ୍ବୀମାନଙ୍କୁ ଦେଖିଲେ ଭାରତୀୟ ସଂସ୍କୃତିର ବ୍ୟାପକତା ଆକଳନ କରିହୁଏ ।

ମୋଟ ଜାତୀୟ ଉତ୍ପାଦ (Gross Domestic Product) ହିସାବରେ ଭାରତ ପୃଥିବୀର ଏକାଦଶ ବୃହତ ଅର୍ଥନୀତି ଓ କ୍ରୟ-ଶକ୍ତି-ସମତା (Purchasing Power Parity) ହିସାବରେ ଭାରତ ପୃଥିବୀର ତୃତୀୟ ବୃହତ ଅର୍ଥନୀତି । ଭାରତ ଏକ ଦ୍ରୁତ ବିକାଶଶୀଳ ଦେଶ ହେଲେ ମଧ୍ୟ ଦାରିଦ୍ର୍ୟ, ନିରକ୍ଷରତା, ଭ୍ରଷ୍ଟାଚାର ଓ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇ ପାରିନାହିଁ ।

ପ୍ରତିରକ୍ଷା ଦୃଷ୍ଟିରୁ ଦେଖିଲେ ଭାରତ ପୃଥିବୀର ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ରମାନଙ୍କ ଭିତରେ ଗୋଟିଏ । ଏହାର ସ୍ଥଳସେନା ପୃଥିବୀରେ ତୃତୀୟ ବୃହତ୍ତମ ଓ ପ୍ରତିରକ୍ଷାରେ ଭାରତ କରୁଥିବା ଖର୍ଚ୍ଚରେ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କ ଭିତରେ ଭାରତର ସ୍ଥାନ ନବମ । ରାଜନୈତିକ ଦୃଷ୍ଟିରୁ ଭାରତ ଏକ ସାର୍ବଭୌମ, ସାଂସଦୀୟ ଗଣତାନ୍ତ୍ରିକ, ପନ୍ଥନିରପେକ୍ଷ ରାଷ୍ଟ୍ର ଅଟେ । ୨୯ ଗୋଟି ପ୍ରଦେଶ ଓ ୭ ଗୋଟି କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ ଗଠିତ ଏହି ଦେଶର ଭାଷା, ଚଳଣି, ପରମ୍ପରା, ଜଳବାୟୁ ଓ ଧର୍ମମତର ବିଭିନ୍ନତାକୁ ଲକ୍ଷ୍ୟ କରି ଅବିଭାଜିତ ଭାରତକୁ ଉପମହାଦେଶର ଆଖ୍ୟା ଦିଆଯାଏ । ଏହି ଦେଶରେ ବିବିଧ ପ୍ରକାରର ପଶୁପକ୍ଷୀ ଓ ସଂରକ୍ଷିତ ଜୀବଜନ୍ତୁ ଦେଖିବାକୁ ମିଳିଥାନ୍ତି ।

ପ୍ରାକୃତିକ ଗଠନ

ହିମାବୃତ ଉତ୍ତୁଙ୍ଗ ପର୍ବତମାଳା,ବିସ୍ତୀର୍ଣ୍ଣ ଉର୍ବର ସମତଳ ଭୂମି, ଉଚ୍ଚ ମାଳଭୂମି, ଦିଗନ୍ତବିସ୍ତାରୀ ଶୁଷ୍କ ମରୁଭୂମି, ନିବିଡ଼ ବନରାଜି, ମନୋହର ହ୍ରଦ,ଗଭୀର ସାଗର ଓ ମହାସାଗର, ଉର୍ବର ଉପକୂଳ, ସୁବିସ୍ତୃତ ନଦୀ ଅବବାହିକା ଆଦି ପ୍ରାକୃତିକ ପରିବେଶରେ ଭାରତବର୍ଷର ଭୂଗୋଳ ଗଠନ । ଏହି ପ୍ରାକୃତିକ ଆବେଷ୍ଟନୀ ଭାରତର ଜଳବାୟୁ ଓ ମୃତ୍ତିକା ଗଠନକୁ ନିୟନ୍ତ୍ରଣ କରେ । ଏତଦବ୍ୟତିତ ଏହା ଭାରତକୁ ଏକ ଆପାତସ୍ଵତନ୍ତ୍ର ପରିବେଷ୍ଟନୀ ମଧ୍ୟରେ ଭୌଗଳିକ ଏକତ୍ଵ ଦେବା ସଙ୍ଗେ ସଙ୍ଗେ ବହିର୍ଜଗତରୁ ଅନେକାଂଶରେ ବିଚ୍ଛିନ୍ନ କରିଛି ।

ନାମକରଣ

ପୁରାଣରୁ ଜଣାଯାଏ , ପ୍ରାଚୀନ କାଳରେ ପୃଥିବୀ ସାତୋଟି ଦ୍ଵୀପରେ ବିଭକ୍ତ ଥିଲା । ତନ୍ମଧ୍ୟରୁ ଜମ୍ବୁ ଦ୍ଵୀପ ଅନ୍ୟତମ । ଜମ୍ବୁ ଦ୍ଵୀପ ନଅଟି ଦେଶରେ ବିଭକ୍ତ । ଭାରତ ଏହି ନଅଟି ଦେଶ ଅନ୍ତର୍ଗତ ବୋଲି କେତେକ ଐତିହାସିକ ମତ ବ୍ୟକ୍ତ କରନ୍ତି । ମହାଭାରତ ଓ ପୌରାଣିକ ଯୁଗରେ ଚନ୍ଦ୍ରବଂଶର ରାଜା ଦୁଷ୍ମନ୍ତଙ୍କ ପୁତ୍ର ଭରତ ଆମ ଦେଶର ସର୍ବ ପ୍ରଥମ ଚତ୍ରବର୍ତ୍ତୀ ବା ସମ୍ରାଟ ଥିଲେ । ତାଙ୍କରି ନାମାନୁଯାୟୀ ଆମ ଦେଶ ଭାରତ ବର୍ଷ ନାମରେ ଅଭିହିତ ।  ବୈଦିକ ଯୁଗରେ ଏହାକୁ ଆର୍ଯ୍ୟାବର୍ତ୍ତ, ଜମ୍ବୁଦ୍ଵୀପ ଓ ଅଜନାଭ ଦେଶ ବୋଲି ମଧ୍ୟ କୁହାଯାଇଛି।

ବ୍ୟୁତ୍ପତ୍ତି

ମାନବ ସଭ୍ୟତାର ପ୍ରଥମ ଦେଶ ହୋଇଥିବାରୁ ଏହାକୁ ସନାତନ ରାଷ୍ଟ୍ର କୁହାଯାଏ । ଶ୍ରୀମଦ ଭାଗବତର ପଞ୍ଚମ ସ୍କନ୍ଧରେ ଏହାର ସ୍ଥାପନା ସମ୍ବନ୍ଧରେ ଉଲ୍ଲେଖ ରହିଛି। ଭାରତୀୟ ଦର୍ଶନ ଅନୁସାରେ ସୃଷ୍ଟି ରଚନା ପରେ ବ୍ରହ୍ମା ଜଗତର ଭାର ତାଙ୍କ ପୁତ୍ର ସ୍ୱୟଂଭୁବ ମନୁଙ୍କୁ ଅର୍ପଣ କଲେ। ତାଙ୍କର ଦୁଇପୁତ୍ର ଥିଲେ ପ୍ରିୟବ୍ରତ ଓ ଉତ୍ତାନପାଦ। ପ୍ରିୟବ୍ରତଙ୍କର ଦଶପୁତ୍ର ଥିଲେ । ଏମାନଙ୍କ ଭିତରୁ ତିନିଜଣ ସଂସାର ପ୍ରତି ବୈରାଗ୍ୟ ଭାବ ରଖିଥିବାରୁ ବିଶ୍ୱକୁ ସାତ ଖଣ୍ଡରେ ବିଭାଜିତ କରି ପ୍ରିୟବ୍ରତ ପୁତ୍ରମାନଙ୍କୁ ଅର୍ପଣ କରିଥିଲେ। ଏମାନଙ୍କ ଭିତରୁ ଜମ୍ବୁଦ୍ୱୀପର ରାଜାଥିଲେ ଅଗ୍ନୀଧ୍ର, ଯିଏ ଜମ୍ବୁଦ୍ୱୀପର ଭିନ୍ନ ଭିନ୍ନ ନଅ ଭାଗର ଦାୟିତ୍ୱ ନିଜର ନଅ ପୁତ୍ରଙ୍କୁ ସମର୍ପି ଥିଲେ। ସେମାନଙ୍କ ଭିତରୁ ହିମବର୍ଷର ଶାସକ ଥିଲେ ନାଭି। ସେ ନିଜ ନାମ (ନାଭି ବା ଅଜନାଭ) ସହିତ ରାଜ୍ୟର ନାମକୁ ଯୋଡ଼ି ଅଜନାଭବର୍ଷ ନାମରେ ପ୍ରଚାର କଲେ। ରାଜା ନାଭିଙ୍କ ଶତପୁତ୍ରଙ୍କ ଭିତରେ ଜ୍ୟେଷ୍ଠ ଓ ଉତ୍ତମ ଥିଲେ ଋଷଭଦେବ। ତାଙ୍କର ପୁତ୍ର ଭରତ ଲୋକପ୍ରିୟ ଓ ପ୍ରଜାପାଳକ ରାଜାଥିଲେ। ତାଙ୍କ ନାମ ଅନୁସାରେ ଏହି ଅଜନାଭ ବର୍ଷହିଁ ପରବର୍ତ୍ତୀକାଳରେ ଭାରତ ନାମରେ ପରିଚିତ ହେଲା।

ସଭ୍ୟତା

୫୦୦୦ ବର୍ଷ ପୁରୁଣା ସଭ୍ୟତା

  • ସିନ୍ଧୁ ଉପତ୍ୟକାର ସଭ୍ୟତା – ୩୩୦୦ ଖ୍ରୀ.ପୂ., ବିଶ୍ୱର ହାତଗଣତି ବିକଶିତ ପ୍ରାଚୀନ ସହରୀ ସଭ୍ୟତା ମଧ୍ୟରେ ଅନ୍ୟତମ
  • ହରପ୍ପାର ସଭ୍ୟତା – ୨୭୦୦ ଖ୍ରୀ.ପୂ.
  • ବିଶ୍ୱର ପ୍ରଥମ ବିଶ୍ୱବିଦ୍ୟାଳୟ – ତକ୍ଷଶିଳା ୭୦୦ ଖ୍ରୀ.ପୂ.
  • ଆୟୁର୍ବେଦ – ମାନବ ଇତିହାସରେ ସର୍ବପୁରାତନ ଚିକିତ୍ସା ପଦ୍ଧତି

ବିଶେଷତା

  • ୩୨୫ଟି ଭାଷା ଓ ୧୬୫୨ଟି ବୋଲି (ଉପଭାଷା), ୧୮ଟି ରାଜକୀୟ ଭାଷା
    • ପ୍ରଥମ ଭାରତୀୟ ଧର୍ମଶାସ୍ତ୍ର ରାମାୟଣ
    • ବିଶ୍ୱର ସର୍ବବୃହତ ପୁରାଣ ମହାଭାରତ – ୧୦୦,୦୦୦ଟି ଶ୍ଳୋକ
    • ୭ଟି ଶାସ୍ତ୍ରୀୟ ନୃତ୍ୟ (ଓଡ଼ିଶୀ, ଭାରତନାଟ୍ୟମ, କଥକ, କଥାକଳି, କୁଚିପୁଡ଼ି, ମଣିପୁରୀ, ମୋହିନୀଆଟ୍ଟମ)
    • ୬୫ରୁ ଅଧିକ ପର୍ବ ପର୍ବାଣୀ
    • ୧୭୦୦ ଖ୍ରୀଷ୍ଟାବ୍ଦ: ଇଂରେଜ ଶାସନର ସୂତ୍ରପାତ
    • ୧୫ ଅଗଷ୍ଟ ୧୯୪୭: ଭାରତର ସ୍ୱାଧୀନତା ଦିବସ
    • ୨୬ ଜାନୁଆରୀ ୧୯୫୦: ଭାରତର ଜନରାଜ୍ୟ ଦିବସ

କଳା ଓ ସଂସ୍କୃତି

୪୫ରୁ ଅଧିକ ଲୋକ ନୃତ୍ୟ ।୭୦୦୦ ଖ୍ରୀ.ପୂ.ର ମଧ୍ୟ ପ୍ରଦେଶସ୍ଥ ପାଷାଣ ଯୁଗର ଭୀମବେଟକାଗୁମ୍ଫା ଭାରତରେ ମାନବ ଜୀବନରେ ପ୍ରାଚୀନତମ ପ୍ରମାଣ ଅଟେ । ପ୍ରଥମ ସ୍ଥାୟୀ ବସ୍ତିଗୁଡ଼ିକ ପରେ ପରେ ସିନ୍ଧୁ ଘାଟୀ ସଭ୍ୟତା ରୂପେ ଖ୍ରୀଷ୍ଟପୂର୍ବ ବିଂଶ ଶତାବ୍ଦୀରେ ବିକଶିତ ହୋଇଥିଲେ ।

ଭୌଗଳିକ ଅବସ୍ଥିତି ଓ ପ୍ରଭାବ

  • ହିମାଳୟ
  • ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳ
  • ୩.୨୮ ନିୟୁତ ବର୍ଗ କି.ମି. କ୍ଷେତ୍ରଫଳ
  • ୭୫୧୬ କି.ମି. ସାମୁଦ୍ରିକ ସୀମା
  • ୧୧୩୨୪୪୬,୦୦୦ ଲୋକସଂଖ୍ୟା ୨୦୦୮ରେ

ଆୟତନ ଓ ଜନସଂଖ୍ୟା ଦୃଷ୍ଟିରୁ ଭାରତକୁ ସାଧାରଣତଃ ଏକ ଉପମହାଦେଶ ବୋଲି କୁହାଯାଏ । ପୃଥିବୀର ବୃହତ୍ତମ ମହାଦେଶ ଏସିଆର ଦକ୍ଷିଣାଂଶର କେନ୍ଦ୍ରସ୍ଥଳୀରେ ଭାରତବର୍ଷ ଅବସ୍ଥିତ ।

ଭାରତର ଉତ୍ତରରେ ସୁଦୀର୍ଘ ହିମାଳୟ ପର୍ବତଶ୍ରେଣୀ ଦୁର୍ଭେଦ୍ୟ ପ୍ରଚୀର ସଦୃଶ ଦଣ୍ଡାୟମାନ । ତାହା ଭାରତବର୍ଷକୁ ଏସିଆ ମହାଦେଶର ଅନ୍ୟ ଅନ୍ୟ ଅଞ୍ଚଳମାନଙ୍କରୁ ପ୍ରାୟ ବିଚ୍ଛିନ୍ନ କରି ରଖିଛି । ଉତ୍ତର-ପଶ୍ଚିମରେ ସୁଲେମାନ ଓ ହିନ୍ଦୁକୁସ ପର୍ବତମାଳା ଅବସ୍ଥିତ । ଏହା ଭରତ ଉପଦେଶକୁ ଋଷିଆ,ଆଫଗାନିସ୍ଥାନ ଓ ଇରାନ ଠାରୁ ପୃଥକ୍ କରିଅଛି ।

ଇତିହାସ ସହିତ ଭୂଗୋଳ ଅଙ୍ଗାଙ୍ଗୀ ଭାବେ ଜଡିତ । ଭୌଗଳିକ ଅବସ୍ଥିତି ଓ ପ୍ରାକୃତିକ ଗଠନ ଭାରତର ଇତିହାସର ଗତି ନିର୍ଦ୍ଧାରଣ କରିଅଛି । ହିମାଳୟ ପର୍ବତ ଏକ ପ୍ରାଚୀର ସଦୃଶ । ଏହାର ଦୁର୍ଗମ ଗିରିପଥ ଅତିକ୍ରମ କରିବା କଷ୍ଟସାଧ୍ୟ । ଗିରିପଥ ଗୁଡିକ ବର୍ଷର ଅଧିକାଂଶ ସମୟ ତୁଷାରାଚ୍ଛନ୍ନ ରହେ । ତେଣୁ ହିମାଳୟ ପର୍ବତ ଅତିକ୍ରମ କରି ଅତୀତରେ ବୈଦେଶିକ ଶତ୍ରୁମାନେ ଭାରତ ଆକ୍ରମଣ କରିବା ଦୁଃସାଧ୍ୟ ଥିଲା ।

ଭାରତର ସୈନ୍ଧବ-ଗାଙ୍ଗେୟ ସମତଳ ଭୂମି ସିନ୍ଧୁ,ଗଙ୍ଗା, ବ୍ରହ୍ମପୁତ୍ର ଏବଂ ସେମାନଙ୍କର ଉପନଦୀଗୁଡିକର ଅବବାହିକା ଦ୍ଵାରା ଗଠିତ । ଏହି ଅଞ୍ଚଳର ଜଳବାୟୁ ସ୍ଵାସ୍ଥ୍ୟକର ଏବ, ମୃତ୍ତିକା ଉର୍ବର ଓ କୃଷୀ ଉପଯୋଗୀ । ତେଣୁ ଏଠାରେ ପ୍ରଥମେ ଦ୍ରାବିଡ଼ ଓ ଆର୍ଯ୍ୟ ସଭ୍ୟତାର ଅଭ୍ୟୁଦୟ ହୋଇଥିଲା । ପରବର୍ତ୍ତୀ କାଳରେ ଏହି ଅଞ୍ଚଳରେ ନନ୍ଦ,ମୌର୍ଯ୍ୟ, କୁଶାଣ ଗୁପ୍ତ, ଆଫଗାନ୍ ଓ ମୋଗଲ୍ ସାମ୍ରାଜ୍ୟ ବିସ୍ତାର ଲାଭ କରିଥିଲା । ଉତ୍ତର-ପଶ୍ଚିମରେ ଖାଇବର ଓ ବୋଲାନ୍ ଗିରିପଥ ଅତିକ୍ରମକରି ପ୍ରଥମେ ଦ୍ରାବିଡ଼ ଓ ଆର୍ଯ୍ୟମାନେ ଭାରତରେ ପ୍ରବେଶ କରିଥିଲେ ।

ବଙ୍ଗୋପସାଗର ,ଆରବ ସାଗର ଏବଂ ଭାରତ ମହାସାଗରରେ ନୈଯାତ୍ରା କରି ଭାରତୀୟମାନେ ଚୀନ, ଜାପାନ ସମେତ ଦକ୍ଷିଣ-ପୂର୍ବ ଏସିଆ ଏବଂ ପଶ୍ଚିମ ଏସିଆ ଅନ୍ତର୍ଗତ ବିଭିନ୍ନ ଦେଶ ଏବଂ ଉଇରୋପର ବିଭିନ୍ନ ଅଞ୍ଚଳ ସହିତ ବାଣିଜ୍ୟ ବେବସାୟ କରିବାକୁ ସମର୍ଥ ହୋଇଥିଲେ । ବିଶେଷତଃ ଜାଭା,ସୁମାତ୍ରା, ବାଲି, ବର୍ଣ୍ଣିଓ ଆଦି ପୂର୍ବ ଭାରତୀୟ ଦୀପପୁଞ୍ଜ ଓ ମାଳୟ ଉପଦ୍ଵୀପରେ ବାଣିଜ୍ୟକେନ୍ଦ୍ର ଓ ବସତିସ୍ଥାପନ କରିଥିଲେ । ସେମାନଙ୍କ ଦ୍ଵାରା ହିନ୍ଦୁ, ବୌଦ୍ଧ ଧର୍ମ ଆଦି ଧର୍ମ ସଂସ୍କୃତି ସେହି ଦେଶ ଗୁଡିକରେ ପ୍ରସାର ଲାଭ କରିଥିଲା । ସେହିପରି ଭାରତର ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ୧୪୯୮ ଖ୍ରୀଷ୍ଟାବ୍ଦରୁ ୧୬୯୨ ଖ୍ରୀଷ୍ଟାବ୍ଦ ମଧ୍ୟରେ ପର୍ତ୍ତୁଗୀଜ, ଓଲନ୍ଦାଜ, ଇଂରେଜ ଓ ଫରାସୀ ପ୍ରଭୃତି ଇଉରୋପୀୟମାନେ ବାଣିଜ୍ୟକୋଠି ତଥା ଉପନିବେଶମାନ ସ୍ଥାପନ କରିଥିଲେ ।

ରାଜନୀତି

ଭାରତ ବିଶ୍ଵର ସର୍ବବୃହତ୍ତ ଗଣତାନ୍ତ୍ରୀକ ରାଷ୍ଟ୍ର ଅଟେ । ଏକ ସଂସଦୀୟ ଲୋକତନ୍ତ୍ର ହିସାବରେ, ଏହା ୬ ଗୋଟି ସ୍ଵୀକୃତିପ୍ରାପ୍ତ ଜାତୀୟ ରାଜନୈତିକ ଦଳକୁ ନେଇ ଗଠିତ । ତନ୍ମଧ୍ୟରେ ଭାରତୀୟ ଜନତା ପାର୍ଟି, ଭାରତୀୟ ଜାତୀୟ କଂଗ୍ରେସ ଭଳି ପ୍ରମୁଖ ଦଳଗୁଡିକ ସହ ୪୦ଟି ପ୍ରାଦେଶିକ ଦଳ ମଧ୍ୟ ଅନ୍ତର୍ଭୁକ୍ତ । ଭାରତକୁ ୧୯୫୦ ମସିହାରେ ଏକ ଗଣତନ୍ତ୍ର ରାଷ୍ଟ୍ର ଭାବେ ଘୋଷଣା କରିବା ପରଠାରୁ ନେଇ ୧୯୮୦ ମସିହା ପର୍ଯ୍ୟନ୍ତ, ଭାରତୀୟ ଜାତୀୟ କଂଗ୍ରେସ ଦଳ ସଂସଦରେ ଏକମାତ୍ର ଦଳ ହିସାବରେ ପୂର୍ଣ୍ଣବହୁମତ ହାସିଲ କରି ଆସୁଥିଲା । ପରବର୍ତ୍ତୀ ଅନେକାଂଶ ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟିବହୁ ପ୍ରାଦେଶିକ ଦଳମାନଙ୍କ ସହ ମିଶି ଗଠବନ୍ଧନ ଜରିଆରେ ବହୁମତ ହାସିଲ କରିଥିଲା । ୨୦୧୪ ମସିହା ସାଧାରଣ ଲୋକ ସଭା ନିର୍ବାଚନ ପରଠାରୁ ବର୍ତ୍ତମାନ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ଶାସନ କ୍ଷମତାରେ ରହିଅଛି ।

ସରକାର

ଭାରତ ହେଉଛି ଏକ ସାର୍ବଭୌମ ଗଣତାନ୍ତ୍ରିକ ଦେଶ । ଦେଶର ସମ୍ବିଧାନ ଭାରତରେ ସଂଘୀୟ ଶାସନ ପରିଚାଳିତ। ସଂଘର ସର୍ବୋଚ୍ଚ ପ୍ରଧାନ ରାଷ୍ଟ୍ରପତି ଅଟନ୍ତି । ତାଙ୍କର ସହାୟତା ପାଇଁ ଉପରାଷ୍ଟ୍ରପତି ରହିଥାନ୍ତି ।

ଭାରତୀୟ ପ୍ରଶାସନ ବ୍ୟବସ୍ଥାର ତିନିଟି ମୁଖ୍ୟ ଅଙ୍ଗ ରହିଛି :

  1. ବିଧାୟିକା(Legislature)ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଧାରଣ ଜନତାଙ୍କ ହାତରେ ହିଁ ସବୁ ଶକ୍ତି ରହିଥାଏ। ସେମାନେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ମାଧ୍ୟମରେ ସେମାନଙ୍କର ପ୍ରତିନିଧି ବାଛି ଥାନ୍ତି । ୧୮ ବର୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟେକ ନାଗରିକ ଦେଶର ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ଭିତରୁ (କେନ୍ଦ୍ର ସ୍ତରରେ) ସାଂସଦ (Member of Parliament) ଓ (ରାଜ୍ୟ ସ୍ତରରେ) ବିଧାୟକ (Member of Legislative Assembly)ମାନଙ୍କର ନିର୍ବାଚନ କରିଥାନ୍ତି। ଏହି ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ରୂପେ ଚଲାଇବା ପାଇଁ ନିର୍ବାଚନ ଆୟୋଗ ସ୍ଥାପନା କରା ଯାଇଛି।
  2. ଭାରତର ସରକାର ଦେଶ ଓ ଜନତାର ହିତରେ କାମ କରିଥାଏ। ସରକାରୀ ତନ୍ତ୍ରର ଢାଞ୍ଚା ଭାରତରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଏକା ପ୍ରକାର ହୋଇଥାଏ । କେନ୍ଦ୍ରର ସଂସଦ ଦୁଇ ଭାଗରେ ବିଭକ୍ତ – ଲୋକ ସଭା ଓ ରାଜ୍ୟ ସଭା । ଲୋକ ସଭାର ସଞ୍ଚାଳନ ଅଧ୍ୟକ୍ଷ ଓ ରାଜ୍ୟ ସଭାର ସଞ୍ଚାଳନ ଉପ ରାଷ୍ଟ୍ରପତି କରିଥାନ୍ତି। ସେହିପରି କେତକ ରାଜ୍ୟର ବିଧାୟିକା ମଧ୍ୟ ଦୁଇ ଭାଗରେ ବିଭକ୍ତ – ବିଧାନ ସଭା ଓ ବିଧାନ ପରିଷଦ ।

    କାର୍ଯ୍ୟପାଳିକା ଭାରତର ପ୍ରଶାସନିକ ପ୍ରଧାନ ହେଉଛନ୍ତି ରାଷ୍ଟ୍ରପତି । ଦେଶର ସମସ୍ତ ପ୍ରଶାସନିକ ରାଷ୍ଟ୍ରପତିଙ୍କ ନାମରେ ଚାଲିଥାଏ । ରାଷ୍ଟ୍ରପତି ବହୁମତ ପ୍ରାପ୍ତ କରିଥିବା ରାଜନୈତିକ ଦଳର ନେତାମାନଙ୍କୁ ସରକାର ଗଠନ କରିବାପାଇଁ ଆମନ୍ତ୍ରଣ ଦେଇଥାନ୍ତି । ଯେତେବେଳେ ଗୋଟିଏ ଦଳକୁ ବହୁମତ ମିଳି ନ ଥାଏ, ସେତେବେଳେ କେତେଗୋଟି ଦଳ ପରସ୍ପର ସହିତ ମିଶି ସରକାର ଗଠନ କରିଥାନ୍ତି । ଏମାନଙ୍କର ନେତାଙ୍କୁ ସେ ପ୍ରଧାନ ମନ୍ତ୍ରୀ ରୂପେ ନିଯୁକ୍ତ କରିଥାନ୍ତି । ପ୍ରଧାନ ମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ମନ୍ତ୍ରୀମଣ୍ଡଳ ଗଠନ କରିଥାନ୍ତି ।

    ମନ୍ତ୍ରୀମଣ୍ଡଳରେ ଦୁଇ ସ୍ତରର ମନ୍ତ୍ରୀ ରହିଥାନ୍ତି :

    • କେନ୍ଦ୍ର ସ୍ତରର ମନ୍ତ୍ରୀ
    • ରାଜ୍ୟ ସ୍ତରର ମନ୍ତ୍ରୀ
  3. ନ୍ୟାୟପାଳିକା ଭାରତୀୟ ସମ୍ବିଧାନ ନ୍ୟାୟ ପାଳିକାକୁ ପୂର୍ଣ୍ଣ ସ୍ୱତନ୍ତ୍ରତା ଏବଂ ନିଷ୍ପକ୍ଷତା ପ୍ରଦାନ କରିଛି । କେନ୍ଦ୍ର ସ୍ତରରେ ଉଚ୍ଚତମ ନ୍ୟାୟାଳୟ ଓ ରାଜ୍ୟ ସ୍ତରରେ ଉଚ୍ଚ ନ୍ୟାୟାଳୟର ବ୍ୟବସ୍ଥା ରହିଛି । ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟର ବିଚାର ପତିମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଥାନ୍ତି ।
  4. ସରକାରୀ କାର୍ଯ୍ୟର ଆବଣ୍ଟନ : ସରକାରୀ ତନ୍ତ୍ରକୁ ଠିକ୍ ଭାବେ ଚଳାଇବାପାଇଁ ସମସ୍ତ କାମକୁ ବିଭିନ୍ନ ଭାଗରେ ବଣ୍ଟା ଯାଇଥାଏ । ଏଥିପାଇଁ ଅନେକ ମନ୍ତ୍ରଣାଳୟ ଗଠିତ ହୋଇଛି । ମନ୍ତ୍ରଣାଳୟର ପ୍ରଧାନ ଜଣେ କେନ୍ଦ୍ର ସ୍ତରୀୟ ମନ୍ତ୍ରୀ ହୋଇଥାନ୍ତି । କେବେ କେବେ ଏକାଧିକ କେନ୍ଦ୍ର ସ୍ତରୀୟ ମନ୍ତ୍ରୀ ଗୋଟିଏ ମନ୍ତ୍ରଣାଳୟର ପ୍ରମୁଖ ହୋଇଥାନ୍ତି । ଏହା ନିମ୍ନ ସାରଣୀରୁ ସ୍ପଷ୍ଟ ଜଣାପଡ଼େ।

    ଆବଣ୍ଟନର ସ୍ତର

    ପ୍ରଶାସନିକ ପ୍ରଧାନ

    ମନ୍ତ୍ରଣାଳୟ

    ସଚୀବ (Secretary)

    ସ୍କନ୍ଧ

    ସଂଯୁକ୍ତ ସଚୀବ (Joint Secretary)

    ପ୍ରଭାଗ

    ଉପ ସଚୀବ/ ନିର୍ଦ୍ଦେଶକ (Deputy Secretary)

    ଶାଖା

    ଅନୁକର୍ମ ସଚୀବ (Under Secretary)

    ଅନୁଭାଗ

    ଅନୁଭାଗ ଅଧିକାରୀ (Section Officer)

    ଗୋଟିଏ ଅନୁଭାଗରେ ସହାୟକ, ଲିପିକ, ଟାଇପିଷ୍ଟ ଆଦି କର୍ମଚାରୀ ରହିଥାନ୍ତି । ସିଧା ମନ୍ତ୍ରାଳୟର ନିୟନ୍ତ୍ରଣରେ ମଧ୍ୟ କେତେକ ଶାଖା କାମ କରିଥାନ୍ତି, ଏଗୁଡ଼ିକୁ କକ୍ଷ ବା ପ୍ରକୋଷ୍ଠ (Cell) କୁହାଯାଇଥାଏ।

    ସରକାରଙ୍କର ନୀତିକୁ କାର୍ଯ୍ୟକାରୀ କରିବାପାଇଁ ମନ୍ତ୍ରାଳୟ ଅଧିନରେ ଦୁଇପ୍ରକାରର କାର୍ଯ୍ୟାଳୟ ରହିଥାଏ – ସଂଲଗ୍ନ (Attached) ଓ ଅଧିନସ୍ଥ (Subordinate)। ଏମାନେ ପ୍ରଶାସନିକ ରୂପରେ ମନ୍ତ୍ରାଳୟ ଅଧିନରେ କାମ କରିଥାନ୍ତି । ଏହାର ଅଧ୍ୟକ୍ଷ ନିର୍ଦ୍ଦେଶକ (Director) ହୋଇଥାନ୍ତି । ସମ୍ବନ୍ଧିତ କାର୍ଯ୍ୟାଳୟ ଟେକନିକାଲ ସୂଚନା ସଂଗ୍ରହର କେନ୍ଦ୍ର ହୋଇଥାନ୍ତି ଓ ଟେକ୍ନିକାଲ ଦିଗରେ ମନ୍ତ୍ରାଳୟକୁ ପରାମର୍ଶ ମଧ୍ୟ ଦେଇଥାନ୍ତି ତଥା ଅଧିନସ୍ଥ କାର୍ଯ୍ୟାଳୟ ମନ୍ତ୍ରାଳୟର ନିଷ୍ପତ୍ତିକୁ କାମରେ ଲଗାଇଥାନ୍ତି ।

    ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଭାରତରେ ୨୯ ଟି ରାଜ୍ୟ ଓ ୭ଗୋଟି କେନ୍ଦ୍ର ଶାସିତ ଅଞ୍ଚଳ ରହିଛି।

ରାଜ୍ୟ

  • ଆନ୍ଧ୍ର ପ୍ରଦେଶ
  • ଅରୁଣାଚଳ ପ୍ରଦେଶ
  • ଆସାମ
  • ବିହାର
  • ଛତିଶଗଡ଼
  • ଗୋଆ
  • ଗୁଜରାଟ
  • ହରିୟାଣା

 

  • ହିମାଚଳ ପ୍ରଦେଶ
  • ଜମ୍ମୁ ଓ କଶ୍ମୀର
  • ଝାଡ଼ଖଣ୍ଡ
  • କର୍ଣ୍ଣାଟକ
  • କେରଳ
  • ମଧ୍ୟ ପ୍ରଦେଶ
  • ମହାରାଷ୍ଟ୍ର
  • ମଣିପୁର

 

  • ମେଘାଳୟ
  • ମିଜୋରାମ
  • ନାଗାଲାଣ୍ଡ
  • ଓଡ଼ିଶା
  • ପଞ୍ଜାବ
  • ରାଜସ୍ଥାନ
  • ସିକିମ
  • ତାମିଲନାଡୁ

 

 

କେନ୍ଦ୍ରଶାସିତ ଅଞ୍ଚଳ

  1. ଆଣ୍ଡମାନ ଓ ନିକୋବର ଦ୍ଵୀପପୁଞ୍ଜ
  2. ଚଣ୍ଡୀଗଡ଼
  3. ଦାଦ୍ରା ଓ ନଗର ହବେଳୀ
  4. ଡାମନ ଓ ଡିଉ
  5. ଲାକ୍ଷାଦ୍ଵୀପ
  6. ଦିଲ୍ଲୀ
  7. ପୁଡୁଚେରୀ

ଜାତୀୟ ଚିହ୍ନ

ଭାରତର ତ୍ରିରଙ୍ଗା ଜାତୀୟ ପତାକା

ଗେରୁଆ ରଙ୍ଗ : ସାହସ, ତ୍ୟାଗ ଓ ବୈରାଗ୍ୟର ପ୍ରତୀକ, ଧଳା ରଙ୍ଗ : ଶୁଦ୍ଧତା ଓ ସତ୍ୟର ପ୍ରତୀକ, ସବୁଜ ରଙ୍ଗ : ବିଶ୍ୱାସ ଓ ସୃଜନର ପ୍ରତୀକ, ନୀଳ ରଙ୍ଗର ଚକ୍ର : ଚକ୍ର ଦେଶର ପ୍ରଗତିର ପ୍ରତୀକ ଓ ନୀଳ ରଙ୍ଗ ଆକାଶର ବିଶାଳତା ଓ ସମୁଦ୍ରର ବ୍ୟାପ୍ତିର ପ୍ରତୀକ ।

  • ଜାତୀୟ ଚିହ୍ନ - ଅଶୋକ ଚକ୍ର – ସତ୍ୟମେବ ଜୟତେ, ସତ୍ୟର ଜୟ ହେଉ
  • ଜାତୀୟ ପଶୁ – ବାଘ
  • ଜାତୀୟ ପକ୍ଷୀ – ମୟୁର
  • ଜାତୀୟ ଫୁଲ – ପଦ୍ମ
  • ଜାତୀୟ ବୃକ୍ଷ – ବରଗଛ
  • ଜାତୀୟ କ୍ରୀଡ଼ା – ହକି
  • ଜାତୀୟ ଫୁଳ- ଆମ୍ବ(MANGO)

ମହାନ ଭାରତୀୟ

  • ଆର୍ଯ୍ୟଭଟ୍ଟ – ଶୂନ୍ୟ ଆବିଷ୍କାର କରିଥିଲେ
  • ରାମାନୁଜନ – ବିଖ୍ୟାତ ଗଣିତଜ୍ଞ – ୩୫୪୨ଟି ଉପପାଦ୍ୟର ରଚନା ଓ ପ୍ରମାଣ
  • ସ୍ଵାମୀ ବିବେକାନନ୍ଦ – ସନ୍ଥ,ରାମକୃଷ୍ଣ ପରମହଂସଙ୍କର ଶିଷ୍ୟ, ଚିକାଗୋ ବିଶ୍ୱ ଧର୍ମସଭାରେ ଯୋଗଦେଇ ଭାରତୀୟ ସନାତନ ଧର୍ମର ବ୍ୟାଖ୍ୟା ପ୍ରଦାନ କରିଥିଲେ।
  • ଜାତିର ପିତା - ମହାତ୍ମା ଗାନ୍ଧୀ - ଅହିଂସାର ପ୍ରତୀକ
  • ରବୀନ୍ଦ୍ରନାଥ ଠାକୁର – ସାହିତ୍ୟରେ ନୋବେଲ ପୁରସ୍କାର – ୧୯୧୩
  • ସି.ଭି. ରମଣ – ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର
  • ମଦର ଟେରେସା – ୧୯୩୯ରେ ନୋବେଲ ପୁରସ୍କାର ଶାନ୍ତି ପାଇଁ
  • ହର ଗୋବିନ୍ଦ ଖୋରାନା – ଚିକିତ୍ସା ବିଜ୍ଞାନରେ ନୋବେଲ ପୁରସ୍କାର – ଜେନେଟିକ କୋଡ଼
  • ସୁବ୍ରମଣ୍ୟମ ଚନ୍ଦ୍ର ଶେଖର – ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର – ୧୯୮୩

ଦର୍ଶନୀୟ ସ୍ଥାନ

  • ପୁରୀର ଶ୍ରୀଜଗନ୍ନାଥ ମନ୍ଦିର
  • ଦ୍ଵାରକାଧୀଶ ମନ୍ଦିର
  • ବାରଣାସୀର କାଶୀ ବିଶ୍ଵନାଥ ମନ୍ଦିର
  • ବଦ୍ରିନାଥର ବଦ୍ରୀନାଥ ମନ୍ଦିର
  • ରାମେଶ୍ଵରମର ରାମନାଥସ୍ଵାମୀ ମନ୍ଦିର
  • ଆସାମର କାମାକ୍ଷା ମନ୍ଦିର
  • କୋଣାର୍କର ସୂର୍ଯ୍ୟ ମନ୍ଦିର
  • ଅମୃତସରର ସ୍ଵର୍ଣ୍ଣ ମନ୍ଦିର
  • ତିରୁମାଲା ତିରୁପତି ମନ୍ଦିର – ବିଶ୍ଵର ଦ୍ଵିତୀୟ ଧନଶାଳୀ ମନ୍ଦିର
  • ସନ୍ଥ ଥୋମାସ କ୍ୟାଥେଡ୍ରାଲ, କୁମାରୀ ମେରୀଙ୍କର ମୂର୍ତ୍ତି – ଯାହା ପର୍ତ୍ତୁଗାଲରୁ ଆସିଥିଲା
  • ଅଜନ୍ତା ଏଲୋରାର ଗୁମ୍ଫା
  • ଜାମା ମସଜିଦ – ଭାରତର ବୃହତ୍ତମ ମସଜିଦ
  • ସହସ୍ର ଖମ୍ବ ବିଶିଷ୍ଟ ମନ୍ଦିର,
  • ୯୭୦୦୦ ବତୀଯୁକ୍ତ ମହିଶୁର ପ୍ୟାଲେସ,
  • ଏକକ ପ୍ରସ୍ତର ନିର୍ମିତ ବୁଦ୍ଧଙ୍କ ପ୍ରତିମା, ଏସିଆରେ ବୃହତ୍ତମ
  • କାଶ୍ମୀରର ଡାଲ ହ୍ରଦ,
  • ଆଗ୍ରାର ତାଜମହଲ,କଲିକତା, ଆନନ୍ଦର ସହର,ସର୍ବାଧିକ ବୃଷ୍ଟି ବହୁଳ ଅଞ୍ଚଳ- ଚେରାପୁଞ୍ଜି,

ଖେଳ

ଭାରତ ରେ ବହୁ ସ୍ଥାନୀୟ ଖେଳ ରହିଛି ଯାହା ଏବେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇରହିଛି ଯଥା: କବାଡି, ଖୋ-ଖୋ, କୁସ୍ତି ଓ ଗିଲି-ଦଣ୍ଡା. ଆଉ କେତେକ ଯୁଦ୍ଧ କୌଶଳ କୁ ମଧ୍ୟ ଖେଳ ଭାବରେ ଖେଳାଯାଉଥିଲା ଯେପରିକି କଳରିପୟୁଟୁ, ମୁଷ୍ଟି ଯୁଦ୍ଦ, ସିଲାମ୍ବ୍ମମ ଓ ମର୍ଦମି, । ରାଜୀବ ଗାନ୍ଧୀ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ଭାରତ ରେ ଖେଳ ନିମନ୍ତେ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାର। ଦ୍ରୋଣାଚାର୍ୟ ପୁରସ୍କାର ଶ୍ରେଷ୍ଠ କୋଚ ଙ୍କୁ ଦିଆଯାଇଥାଏ । ଚେସ, ଭାରତ ରେ ଖୁବ ଲୋକପ୍ରିୟ ଏହାକୁ ଚତୁରାଙ୍ଗ ମଧ୍ୟ କୁହାଯାଏ, ଚେସ ରେ ଭାରତ ରୁ ବହୁ ଗ୍ରାଣ୍ଡମାଷ୍ଟର ଥିବାରୁ ଏହା ବହୁ ଲୋକପ୍ରିୟ ହୋଇପାରିଛି। ଅନ୍ୟ ଖେଳ ମଧ୍ୟରୁ ଭାରତ ବ୍ୟାଡମିନ୍ଟନ, ଟେନିସ, ବନ୍ଧୁକ ଚାଳଣା ରେ ବହୁ ସଫଳତା ହାସଲ କରିଛି। କୁସ୍ତି ଓ ଫୁଟବଲ ଭାରତ ର ଗୋଆ, ତାମିଲନାଡୁ, କେରଳ, ଉତ୍ତର-ପୂର୍ବ ଭାରତ ରେ ଖୁବ ଲୋକପ୍ରିୟ ।

ଭାରତ ର ରାଷ୍ଟ୍ରୀୟ ଖେଳ ହେଉଛି ହକି । ଭାରତୀୟ ହକି ଦଳ ୧୯୭୫ ହକି ବିଶ୍ଵକପ ଓ ଅଲମ୍ପିକ କ୍ରୀଡାରେ ଆଜି ପର୍ଯ୍ୟନ୍ତ ଆଠ ଥର ସ୍ଵର୍ଣ୍ଣ, ଥରେ ରୌପ୍ୟ ଏବଂ ଦୁଇଥର ବ୍ରୋଞ୍ଜ ପଦକ ଜିତିସାରିଛି । କ୍ରିକେଟ ଭାରତ ର ସବୁଠାରୁ ଲୋକପ୍ରିୟ ଖେଳ ଭାରତ ଏଥିରେ ୧୯୮୩ ଓ ୨୦୧୧ ରେ କ୍ରିକେଟ ବିଶ୍ଵକପ ଓ ୨୦୦୭ ରେ ୨୦-୨୦ ବିଶ୍ଵକପ ଜିତିଛି ।

ଆଧାର -

"National Anthem– Know India portal""

""State Emblem -Inscription""

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top