ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଭାରତର ଗୁରୁ ପରମ୍ପରା
ସେଆର କରନ୍ତୁ

ଭାରତର ଗୁରୁ ପରମ୍ପରା

ମାନବ ସଭ୍ୟତାର ପ୍ରାରମ୍ଭରୁ ଭାରତବର୍ଷରେ ଗୁରୁବାଦର ପ୍ରଚଳନ ।

ମାନବ  ସଭ୍ୟତାର  ପ୍ରାରମ୍ଭ

ମାନବ  ସଭ୍ୟତାର  ପ୍ରାରମ୍ଭରୁ  ଭାରତବର୍ଷରେ  ଗୁରୁବାଦର  ପ୍ରଚଳନ  । ଅବଶ୍ୟ  ପ୍ରାଚୀନ  ଓ  ଆଧୁନିକ ଯୁଗର  ଗୁରୁ  ଉପାସନା  ମଧ୍ୟରେ ଅନେକ   ତଫାତ୍   । ତଥାପି  ପୁରୁଣା   ଯୁଗରୁ  ସାମ୍ପ୍ରତିକ  ସମୟ  ପର୍ଯ୍ୟନ୍ତ ଗୁରୁ  ଗୁରୁ ହୋଇ  ରହିଛନ୍ତି , ରହିଥିବେ  ମଧ୍ୟ  । ଗୁରୁବାଦ  ସେହିଦିନ  ଲୋପ  ପାଇବ, ଯେଉଁଦିନ  ପୃଥିବୀ  ପୃଷ୍ଠରୁ  ମାନବ ସଭ୍ୟତାର   ବିଲୟ  ଘଟିବ  ।

ଗୁରୁ  ଆଶୀର୍ବାଦର ମହତ୍ଵ  ଚିର  ଭାସ୍ଵର  । ଏହାର  ପ୍ରଭାବ  ଅନିର୍ବଚନୀୟ  ଓ ସଞ୍ଜିବନୀଠାରୁ  ଅଧିକ  କାର୍ଯ୍ୟକ୍ଷମ  । ଏହା  ଦୁରାରୋଗ୍ୟ  ବ୍ୟାଧିରୁ  ରକ୍ଷା  କରିପାରେ  ଓ ରୌରବ  ନର୍କରୁ  ମୁକ୍ତି  ଦେଇପାରେ   । ଅପରପକ୍ଷେ  ଗୁରୁ ଅଭିଶାପ   କ୍ଵଚିତ୍  ପରିଦୃଷ୍ଟ  । କାରଣ  ଗୁରୁ  ସହନଶୀଳତାର ଜୀବନ୍ତ  ପ୍ରତୀକ  । ସେ  ସାମୟିକ  ଅସନ୍ତୋଷ  ପ୍ରକାଶ  କରିପାରନ୍ତି , ଯାହା କେବଳ  ଶିଷ୍ୟର ମଙ୍ଗଳ  ପାଇଁ  ଅଭିପ୍ରେତ  । ପୁରାଣ  କହେ  ଯଦି  ଗୁରୁ  କ୍ରୋଧବଶତଃ  କେବେ ଅଭିଶାପ  ଦିଅନ୍ତି , ତେବେ  ପୃଥିବୀର  କୌଣସି  ଶକ୍ତି  ନାହିଂ  ତାଙ୍କୁ ଏଥିରୁ   ମୁକ୍ତି  ଦେଇପାରିବ  । ଗୁରୁ  ପର୍ଶୁରାମ  ଯେତେବେଳେ  ଜାଣିଲେ ଯେ  ତାଙ୍କ  ପ୍ରିୟ  ଶିଷ୍ୟ  କର୍ଣ୍ଣ  ବ୍ରାହ୍ମଣ  ନୁହନ୍ତି ,  ସେ  ତାଙ୍କୁ  ଅଭିଶାପ  ଦେଲେ ଯେ  ଅତି  ପ୍ରୟୋଜନ  ବେଳେ  ତାଙ୍କର  ବିଦ୍ୟା  ମନେ ପଡିବ ନାହିଂ  । ତାହା  ହିଁ  ହେଲା  । ସର୍ବଶ୍ରେଷ୍ଠ  ଧନୁର୍ଯୋଦ୍ଧା  ହୋଇ ମଧ୍ୟ  ମହାଭାରତ  ଯୁଦ୍ଧ  ସମୟରେ  ଅତି ପ୍ରୟୋଜନ  ବେଳେ ତାଙ୍କର  ଏକ ମନ୍ତ୍ର   ମନେପଡିଲା  ନାହିଂ  ଏବଂ  ଅର୍ଜୁନଙ୍କ  ଦ୍ଵାରା  ସେ  ପରାସ୍ତ  ହେଲେ   ଓ  ମୃତ୍ୟୁବରଣ   କଲେ  ।

ଗୁରୁଙ୍କ ଆସନ

ଭାରତୀୟ  ସଂସ୍କୃତିରେ  ଗୁରୁଙ୍କୁ  ପିତାଙ୍କର  ଆସନ  ପ୍ରଦାନ  କରାଯାଇଛି  । ସେ ବିଦ୍ୟାଦାନ  କରି  ମୁକ୍ତିର  ମାର୍ଗ  ଉନ୍ମୋଚନ  କରନ୍ତି   । ଗୁରୁଙ୍କ  ଠାରେ  ସଂପୂର୍ଣ୍ଣ  ସମର୍ପଣ  ହିଁ  ମୁକ୍ତିର  ଆବାହନ ଓ ସଂସାରରୂପକ  ସିନ୍ଧୁର  କରାଳ  ଲହରିକୁ  ଅକ୍ଲେଶରେ  ପାର  ହେବାର  ପ୍ରକୃଷ୍ଟ  ମାଧ୍ୟମ  । ଗୁରୁ  ପ୍ରଦର୍ଶିତ  ମାର୍ଗ  ମୁକ୍ତିର  ରାଜପଥ   । ଶ୍ରୀ ଶ୍ରୀ  ଠାକୁର  ଅନୁକୂଳଚନ୍ଦ୍ର  କହନ୍ତି , “ସଦ୍ ଗୁରୁ  ଗ୍ରହଣ  କର , ସତ୍ ନାମ  ମନନ କର  ଏବଂ  ସତ୍ ସଙ୍ଗର  ଆଶ୍ରୟ  ଗ୍ରହଣ  କର  । ମୁ  ନିଶ୍ଚୟ  କରି  କହୁଛି  ତୁମର  ଉନ୍ନୟନ  ପାଇଁ  ତୁମକୁ  ଆଉ  ଭାବିବାକୁ  ହେବନାହିଁ ।”  ବୌଦ୍ଧ  ଦର୍ଶନରେ ସେହି  ଏକା  କଥା  ଅଛି – ବୁଦ୍ଧ ଶରଣ  ଗଚ୍ଚ୍ହାମି , ଧମ୍ମ  ଶରଣ  ଗଚ୍ଚ୍ହାମି , ସଙ୍ଘ  ଶରଣ  ଗଚ୍ଚ୍ହାମି  ।

ଗୁରୁଙ୍କର  ସନ୍ତୁଷ୍ଟି  ପାଇଁ  ଶିଷ୍ୟକୁ   ଜୀବନର   ସବୁକିଛି   ତ୍ୟାଗ  କରିବାକୁ ହେବ  । ଗୁରୁ  ରାମଦାସଙ୍କ  ଆଜ୍ଞାରେ  ଛତ୍ରପତି  ଶିବାଜୀ  ସିଂହୀଠାରୁ  ଦୁଗ୍ଧ  ଦୋହନ  କରି  ଆଣିଥିଲେ   । ଚନ୍ଦ୍ରଗୁପ୍ତ  ମୌର୍ଯ୍ୟଙ୍କର  ଗୁରୁଭକ୍ତି  ହିଁ  ତାଙ୍କୁ  ସାଧାରଣ  ବାଳକରୁ  ଅଖଣ୍ଡ  ଭାରତର   ଅଧୀଶ୍ଵର  କରାଇଥିଲା  । ହରିଶ୍ଚନ୍ଦ୍ର  ଉପାଖ୍ୟାନରେ ବିଶ୍ଵାମିତ୍ର  ପଚାରିଥିଲେ – “ଜଣେ  ଶିଷ୍ୟ   ଗୁରୁଙ୍କୁ  କଣ  ଦେଇପାରିବ  ?” ଉତ୍ତରରେ  ହରିଶ୍ଚନ୍ଦ୍ର   କହିଥିଲେ , “ହିରଣ୍ୟ  ବା  ସୁବର୍ଣ୍ଣ ବା  ପତ୍ନୀପୁତ୍ର  କଳେବରମ୍  । ” ଅର୍ଥାତ୍  ଜଣେ  ଶିଷ୍ୟର  ଯାହାକିଛି  ଥିବ  ସେ ସବୁ  ଦାନ  କରିପାରିବ । ଏପରିକି  ସୁନାରୁପାଠାରୁ  ଆରମ୍ଭ  କରି  ପତ୍ନୀ , ପୁତ୍ର  ଓ ନିଜ  ଶରୀରକୁ  ମଧ୍ୟ  ଦାନ  କରିପାରେ   । ଗୁରୁଙ୍କର  ଗୁରୁତ୍ଵ  ଓ  ଶିଷ୍ୟଙ୍କ  ଶିଷ୍ୟତ୍ଵର ମହିମାମଣ୍ଡିତ  କାହାଣୀ  ଭାରତବର୍ଷରେ  ପୁରାଣ ଓ  ଇତିହାସର  ପୃଷ୍ଠା  ମଣ୍ଡନ  କରି ଆସିଛି   । ଏଠାରେ  ଏକ  କାହାଣୀର  ଅବତାରଣା   କରୁଛି  । ଥରେ  ଜଣେ କୁଳୀନ  ନବବଧୂ ଜାଣିବାକୁ  ପାଇଲେ ଯେ ତାଙ୍କ  ଗୁରୁ  ବହୁଦିନ ପରେ  ତାଙ୍କ  ଶାଶୁଘର  ଅଞ୍ଚଳକୁ  ଆସି  ନଦୀ  ଆରପାରି  ଗାଁରେ  ପ୍ରବଚନ   ଦେଉଛନ୍ତି  । ପ୍ରବଚନ  ଶୁଣିବାର  ଇଚ୍ଛା  ଶାଶୁଙ୍କ  ସମକ୍ଷରେ  ପ୍ରକାଶ  କରନ୍ତେ   ଶାଶୁ  ମଧ୍ୟ  ସେଠାକୁ  ଯାଇ  ପ୍ରବଚନ  ଶୁଣିବାକୁ  ମନ  ବଳାଇଲେ  । ନଦୀର କ୍ଷୀଣ  ଜଳରାଶି  ପାର  ହୋଇ ଗ୍ରାମବାସୀଙ୍କ  ସହ  ସେ ଦୁହେଁ  ପ୍ରବଚନ  ସ୍ଥଳୀରେ   ପହଞ୍ଚିଲେ   । ପ୍ରବଚନ   ଶୁଣି  ନିଶାର୍ଦ୍ଧରେ   ନଦୀକୂଳରେ  ପହଞ୍ଚି  ଦେଖିଲେ  ନଦୀରେ  ପ୍ରଖର   ଜଳସ୍ରୋତ  । ନଦୀ   ଦୁଇକୂଳ  ଖାଉଛି  । ପାଖରେ  ଡଙ୍ଗା  ନାହିଂ  । ସମସ୍ତେ   ଚିନ୍ତାମଗ୍ନ  ହୋଇପଡିଲେ   । ବୋହୁଟି  ଶାଶୁଙ୍କ  ହାତଧରି  ଗୁରୁଙ୍କୁ  ସ୍ମରଣ  କରି  ନଦୀ  ମଧ୍ୟକୁ  ପ୍ରବେଶ  କଲେ  । ନଦୀରେ  ବାଟ  ଫିଟିଗଲା  ଓ  ଦୁହେଁ  ଅକ୍ଲେଶରେ   ନଦୀ  ପାର  ହେଲେ   ।  ସମସ୍ତେ  ବିସ୍ମିତ  ହେଲେ  ଓ ଫେରିଯାଇ  ଏକଥା   ଗୁରୁଙ୍କୁ   କହିଲେ  । ଗୁରୁଜୀ  ଏହା   ଶୁଣିବା  ମାତ୍ରକେ  ତାଙ୍କ  ମନରେ  ଗର୍ବ  ଓ ଆତ୍ମାଭିମାନ  ସୃଷ୍ଟିହେଲା  । ସେ କହିଲେ  ଯଦି  ମୋର  ନାମ ଜପ କରି  ଜଣେ  ନାରୀ  ଉତ୍ତାଳ   ତରଙ୍ଗକୁ  ପାର   ହୋଇପାରିଲା , ତେବେ ତ ଏହା  ମୋ ପାଇଁ  ଅତି  ସହଜ  କଥା  ।  ପରଦିନ  ଗୁରୁଜୀଙ୍କର  ନଦୀ  ପାର  ହେବାର   ଥିଲା   ସେ ଅତି  ଗର୍ବର  ସହ  ନଦୀର  ଅଥଳ  ଜଳକୁ   ପ୍ରବେଶ  କଲେ  । କିନ୍ତୁ  ହାୟ : ଜଳର  କରାଳ  ସ୍ରୋତରେ  ସେ  ଭାସିବାକୁ  ଲାଗିଲେ   ।  ନବବଧୂଙ୍କୁ  ତତ୍ କ୍ଷଣାତ୍  ଡକା ହେଲା  । ଗୁରୁଜୀ  ସ୍ରୋତରେ  ଭାସିଯାଉଥିବା  ଦେଖି  ସେ  ଜଳରାଶିକୁ  ଲମ୍ଫ  ଦେଲେ  ଓ ଗୁରୁଜୀଙ୍କୁ  ଉଦ୍ଧାର  କଲେ  । ଗୁରୁ  ଆଶ୍ଚର୍ଯ୍ୟ  ହୋଇ  ଏହାର  କାରଣ  ପଚାରନ୍ତେ , ନବବଧୂ  ଉତ୍ତର  ଦେଲେ – “ମୁଁ  ସର୍ବାନ୍ତଃକରଣରେ  ଗୁରୁଙ୍କ  ଠାରେ  ସମର୍ପିତ   । ଗୁରୁଙ୍କ  ଉପରେ  ଥିବା  ବିଶ୍ଵାସ  ହିଁ  ମୋତେ  ସକଳ  ବିପଦରୁ  ରକ୍ଷା  କରେ   । ଗୁରୁଙ୍କ  ନାମ ସ୍ମରଣ  ମାତ୍ରକେ ଅସାଧ୍ୟ ସାଧନ କରିପାରେ  ।” ଗୁରୁ ଏ କଥା   ବୁଝିଲେ  ଓ ନିଜ  ଅହଙ୍କାର  ପାଇଁ  ଲଜ୍ଜିତ ହେଲେ  ।

ଆଜି  ହେଉଛି   ସେହି  ପବିତ୍ର  ଗୁରୁଦିବସ  । ଗୁରୁଙ୍କୁ  ସ୍ମରଣ  କରିବାର  ଦିନଟିଏ  । ଭାରତର  ଜଣେ  ସର୍ବମାନ୍ୟ ଗୁରୁ   ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍- ଭାରତର ପ୍ରଥମ  ଉପରାଷ୍ଟ୍ରପତି  ଓ ଦ୍ଵିତୀୟ  ରାଷ୍ଟ୍ରପତିଙ୍କ  ପବିତ୍ର  ଜନ୍ମଦିବସ  । ଆଧୁନିକ  ତାମିଲନାଡ଼ୁର  ମାଡ୍ରାସ  ପ୍ରେସିଡେନ୍ ସି  ଅଧୀନ  ଏକ କ୍ଷୁଦ୍ର  ଗ୍ରାମରେ   ବାସ   କରୁଥିଲେ  ବିରସ୍ଵାମୀ  ନାମକ  ଏକ  ନୈଷ୍ଠିକ  ବ୍ରାହ୍ମଣ  । ତାଙ୍କର  ପାଞ୍ଚଟି  ସନ୍ତାନ   ମଧ୍ୟରୁ  ରାଧାକ୍ରିଷ୍ଣନ୍  ଥିଲେ  ଦ୍ଵିତୀୟ   । ପରିବାରର  ଘୋର  ଆର୍ଥିକ  ସଙ୍କଟ   ସତ୍ତ୍ୱେ  ରାଧାକ୍ରିଷ୍ଣନ୍ ଙ୍କର  ଶିକ୍ଷା  ପ୍ରତି  ଆଗ୍ରହ  ତାଙ୍କ  ଦାରିଦ୍ର୍ୟ  ପ୍ରତି  ଥିଲା  ଏକ  ଶକ୍ତ  ଆହ୍ଵାନ  । ଖ୍ରୀଷ୍ଟିଆନ  ମିଶନାରୀ  ସ୍କୁଲରେ   ଅବୈତନିକ ଶିକ୍ଷା  ପ୍ରଦାନ  କରାଯାଉଥିବାରୁ  ବିରସ୍ଵାମୀ  ପୁତ୍ର ରାଧାକ୍ରିଷ୍ଣନ୍  ଙ୍କ  ନାମ  ସେହିଠାରେ   ହିଁ  ଲେଖାଇଦେଲେ   । ପିଲାଦିନୁ  ଖ୍ରୀଷ୍ଟଧର୍ମ  ପ୍ରତି   ଅନୁରକ୍ତ  ଥିଲେ  ମଧ୍ୟ  ହିନ୍ଦୁଧର୍ମକୁ   ସେ ଅତ୍ୟନ୍ତ  ଶ୍ରଦ୍ଧା  କରୁଥିଲେ  । ଦର୍ଶନଶାସ୍ତ୍ରରେ  ସେ  ଉଲ୍ଲେଖନୀୟ  ସଫଳତା  ପାଇଁ  ଭାରତର  ବିଭିନ୍ନ  ଖ୍ୟାତନାମା  ମହାବିଦ୍ୟାଳୟ  ଓ  ବିଶ୍ବବିଦ୍ୟାଳୟରେ  ଅଧ୍ୟାପନା  କରି  ଅନେକ   ସମ୍ମାନର   ଅଧିକାରୀ  ହୋଇଥିଲେ   ।

ପ୍ରଥମେ  ମାନ୍ଦ୍ରାଜ   ପ୍ରେସିଡେନ୍ ସି  କଲେଜରେ  କିଛିଦିନର  ଶିକ୍ଷକତା  ପରେ  କଲିକତା ବିଶ୍ବବିଦ୍ୟାଳୟ   ଓ ପରେ  ଆନ୍ଧ୍ର  ବିଶ୍ବବିଦ୍ୟାଳୟର  କୁଳପତି  ଆସନ  ଅଳଙ୍କୃତ  କରି  କେବଳ  ଛାତ୍ର ସମାଜରେ   ନୁହେଁ , ସମକାଳୀନ  ନେତୃବୃନ୍ଦ  ଓ ପ୍ରଶାସନିକ   ବ୍ୟକ୍ତିବିଶେଷଙ୍କ  ପ୍ରଶଂସାର  ପାତ୍ର   ହୋଇଗଲେ  । ଦାରିଦ୍ର୍ୟକୁ  ଅତି  ନିବିଡତାର  ସହ  ଅଙ୍ଗେ ନିଭାଇଥିବା  ରାଧାକ୍ରିଷ୍ଣନ୍  ବୁଝିଥିଲେ  ଦାରିଦ୍ର୍ୟ  ଉଚ୍ଚତର  ଅଧ୍ୟୟନ  ପାଇଁ   କେତେ   ବଡ   ପ୍ରତିବନ୍ଧକ   । ତେଣୁ  ସେ  ତାଙ୍କ  ବେତନର  ଏକ  ସିହଭାଗ ଦାରିଦ୍ର୍ୟ  ପ୍ରପୀଡିତ ମେଧାବୀ  ଛାତ୍ରର  ଶୈକ୍ଷିକ  ବିକାଶ  ପାଇଁ   ବେୟ  କରୁଥିଲେ   ବାସ୍ତବରେ  ସେ  ଥିଲେ  ଭାରତରତ୍ନ  । ବେଦ  ଓ  ଉପନିଷଦକୁ  ଅତି  ସୁନ୍ଦର  ଭାବେ   ବ୍ୟାଖ୍ୟା  କରିପାରିଥିଲେ   । ଭଗବତ୍  ଗୀତାକୁ  ଇଂଲିଶ  ଭାଷାରେ  ଅନୁବାଦ  କରି  ଭାରତୀୟ  ଦର୍ଶନକୁ  ବିଶ୍ଵର  ପ୍ରଚାର  ଓ  ପ୍ରସାର  କରାଇବାରେ  ତାଙ୍କୁ  ମିଳିଛି   ଅନନ୍ୟ  ସଫଳତା  । ରାଧାକ୍ରିଷ୍ଣନ୍  ଥିଲେ  ପଣ୍ଡିତ  ନେହେରୁଙ୍କରଅତି  ପ୍ରିୟ  ଓ ଅଘୋଷିତ   ପରାମର୍ଶଦାତା   । ନେହେରୁଙ୍କ  ଅନୁରୋଧକ୍ରମେ   ସେ  ରୁଷର   ରାଷ୍ଟ୍ରଦୂତ  ଭାବେ ଭାରତ – ରୁଷ  ମୈତ୍ରୀ  ସ୍ଥାପନର  ମୂଳଦୁଆ   ପକାଇଥିଲେ , ଯାହା  ରୁଷକୁ  ପରବର୍ତ୍ତୀ  ସମୟରେ   ଭାରତ  ସହ  ବନ୍ଧୁତା ପାଇଁ   ଉତ୍ସାହିତ   କରିଥିଲା  ।  ସମ୍ପୁର୍ଣ୍ଣ  ନିରାଡମ୍ବର  ଜୀବନଯାପନ  ସହ  ସତ୍ୟାନୁରାଗୀ  ଓ ସଦାଚାରୀ  ରାଧାକ୍ରିଷ୍ଣନ୍ ଭାରତ   ତଥା  ପୃଥିବୀର  କୋଟି  କୋଟି  ଲୋକଙ୍କ   ପାଖରେ   ଚିର  ନମସ୍ୟ  ହୋଇ  ରହିଛନ୍ତି   । ତାଙ୍କ  ମତରେ  ଗୁରୁ  ଯେତେ  ପ୍ରତିଭାବାନ୍  ହେବେ  ସ୍ସେ  ସେତେ   ପ୍ରତିଭାସମ୍ପନ୍ନ  ଶିଷ୍ୟ  ସୃଷ୍ଟି  କରିପାରିବେ   । ତାଙ୍କର  ଛାତ୍ରବତ୍ସଳତା , ନିଷ୍ଠା  ଓ ମଣିଷ  ଚିହ୍ନିବାର  ଅନନ୍ୟ  ଗୁଣ  ଟିକିକ  ତାଙ୍କୁ ମହାନ୍  କରି ତୋଳିଥିଲା  । ସେ  କହନ୍ତି  “ସେ  ଦେଶ  ଧନ୍ୟ ଯେଉଁ  ଦେଶରେ  ଶିଷ୍ୟ  ଗୁରୁଙ୍କୁ  ଟପିଯାଏ  ଓ  ପୁତ୍ର  ପିତାଙ୍କୁ  ଟପିଯାଏ ।” ସେ ପୁଣି  କହନ୍ତି  “ ମୁଁ ସର୍ବଦା  ଶିଷ୍ୟଠାରୁ  ପରାସ୍ତ  ହେବାକୁ  ପସନ୍ଦ  କରେ ।” ସେ ଥିଲେ   ବାସ୍ତବରେ   ଯୋଗ୍ୟ ଗୁରୁ ; ସେଥିପାଇଁ  ପଣ୍ଡିତ  ନେହେରୁଙ୍କ  ପରାମର୍ଶ  କ୍ରମେ  ୧୯୬୨ ମସିହାରୁ  ତାଙ୍କର ଜନ୍ମଦିବସ  ସେପ୍ଟେମ୍ବର  ୫ କୁ  ଗୁରୁଦିବସ ରୂପେ  ପାଳନ କରାଯାଇଆସୁଛି  । ଆଜିର  ଏହି  ପବିତ୍ର   ଦିବସରେ  ଆମେ  ତାଙ୍କର  ଆଦର୍ଶ  ଅନୁସରଣ  କରିବା  ସହ  ଶିକ୍ଷକ  ଜାତିର  ସମ୍ମାନ  ବୃଦ୍ଧି  ଓ  ଦୁର୍ଦ୍ଦଶା  ଦୂର  ଲାଗି   ସଂକଳ୍ପବଦ୍ଧ  ହେବା  ଆବଶ୍ୟକ   ।

ଆଧାର  - ଧରିତ୍ରୀ

2.5
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top