ସେଆର କରନ୍ତୁ

ମନୋଜ ଦାସ

ଓଡ଼ିଆ ସାହିତ୍ୟକ ମନୋଜ ଦାସ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ମନୋଜ ଦାସ ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଖ୍ୟାତନାମା ଗାଳ୍ପିକ ଓ ଔପନ୍ୟାସିକ । ସେ ନିଜସ୍ୱ ପରିଚିତି ନେଇ ଗଳ୍ପ ସାମ୍ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ମନୋଜ ଦାସ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଓ ଅନେକ ସମ୍ମାନଜନକ ପୁରସ୍କାର ପ୍ରାପ୍ତ ଲେଖକ । ସେ ପାଞ୍ଚଟି ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡୀ ଜଗନ୍ନାଥ ଦାସ ସମ୍ମାନ , ପଦ୍ମଶ୍ରୀ, ସରସ୍ଵତୀ ସମ୍ମାନ ଓ ଭାରତ ସରକାରଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି ।

ପରିବାର ଓ ପ୍ରାଥମିକ ଜୀବନ

ମନୋଜ ଦାସ ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ଶଙ୍ଖାରି ଗ୍ରାମଠାରେ ୧୯୩୪ ମସିହା ଫେବୃଆରୀ ୨୭ ତାରିଖଦିନ ଗୋଟିଏ ସଂଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପରିବାରରେ ପ୍ରଥମ ଦୁଇ ସନ୍ତାନ ପୁଅ, ତାପର ଦୁଇ ସନ୍ତାନ ଝିଅ ସେ ପଞ୍ଚମ ତଥା କନିଷ୍ଠ ସନ୍ତାନ ଅଟନ୍ତି । ମାତା କାଦମ୍ବିନୀ ଦେବୀଙ୍କ ପ୍ରଭାବରେ ବାଲ୍ୟକାଳରୁ ମନୋଜ ଦାସ ରାମାୟଣ ଓ ମହାଭାରତ ପ୍ରତି ଶ୍ରଦ୍ଧା ଜାତ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ଏହି ଦୁଇଟି ଗ୍ରନ୍ଥକୁ 'ଅଲୌକିକ ଶକ୍ତିର ଉତ୍ସ' ଭାବେ ଅଭିହିତ କରିଛନ୍ତି । ବାଲେଶ୍ଵର ଜିଲ୍ଲା ସ୍କୁଲରେ ପଢିବା ସମୟରେ ତାଙ୍କ ବ୍ୟକ୍ତିତ୍ଵର ବିଭିନ୍ନ ଦିଗ ବିକଶିତ ହୋଇଥିଲା । ସେତେବେଳେ ବଡ଼ଭାଇ ମନ୍ମଥ ନାଥ ଦାସ ଫକୀର ମୋହନ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ । ସେମାନେ ଯେଉଁ ଘରେ ରହୁଥିଲେ, ତାହା ଥିଲା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ବାସଗୃହ । ଏହା ଜାଣିବା ପରେ ମନୋଜ ଦାସଙ୍କ ହୃଦୟ, ସୃଜନ ସମ୍ଭାରର ପରିବ୍ୟାପ୍ତ ହୋଇଯାଇଥିଲା । ବାଲେଶ୍ଵରରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ପ୍ରଥମ ଗ୍ରନ୍ଥ ସଂକଳନ 'ସମୁଦ୍ରର କ୍ଷୁଧା' ପ୍ରକାଶ ପାଇଲା ଏବଂ ସେହି ସମୟରେ 'ଦିଗନ୍ତ' ପତ୍ରିକା ସମ୍ପାଦନା ଆରମ୍ଭ କରିଥିଲେ । ପରେ ସେ ବାମପନ୍ଥୀ ଆନ୍ଦୋଳନ ସହିତ ଯୋଗ ଦେଇଥିଲେ । ୧୯୫୨ ମସିହାରେ ଫକୀର ମୋହନ ମହାବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର ସମୟରେ ସେ ଛାତ୍ର ୟୁନିୟନର ସଭାପତି ଏବଂ ରାଜ୍ୟ ଛାତ୍ର ଫେଡେରେସନର ଉପସଭାପତି ନିର୍ବାଚିତ ହୋଇଥିଲେ । ୧୯୫୫ ମସିହାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି କଟକରେ ଆଇନ ଅଧ୍ୟୟନ କଲେ । ସେତେବେଳକୁ 'ଜୀବନର ସ୍ଵାଦ' ଗଳ୍ପ ସଂକଳନ ସହିତ ବିଭିନ୍ନ ଇଂରାଜୀ ପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହେଉଥାଏ । ୧୯୫୬ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟ ଆଇନ କଲେଜର ଛାତ୍ର ସଂଘର ସଭପତି ରୂପେ ଇଣ୍ଡୋନେସିଆରେ ଆୟୋଜିତ ଛାତ୍ର ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ସ୍ନାତକୋତ୍ତର ଅଧ୍ୟୟନ ପରେ ୧୯୫୯ ମସିହାରେ ଖ୍ରୀଷ୍ଟ ମହବିଦ୍ୟାଳୟରେ ଅଧ୍ୟାପନା କଲେ । ସେହି ବର୍ଷ ତାଙ୍କ ଜୀବନର ଦୁଇଟି ଗୁରୁତ୍ଵପୂର୍ଣ୍ଣ ଘଟଣାର ସୂତ୍ରପାତ ହୋଇଥିଲା । ଦିଗନ୍ତ ମାସିକ ପତ୍ରିକାର ପୁନଃ ପ୍ରକାଶ ଏବଂ କୁଜଙ୍ଗ ରାଜପରିବାରର କନ୍ୟା ପ୍ରତିଜ୍ଞା ଦେବୀଙ୍କ ସହିତ ବିବାହ । ସମଗ୍ର ଭାରତବର୍ଷରେ ରାଜାରାଜୁଡାଙ୍କ ମଧ୍ୟରୁ କୁଜଙ୍ଗ ରାଜପରିବାର ସ୍ଵାଧୀନତା ଆନ୍ଦୋଳନରେ ସମ୍ପୂର୍ଣ୍ଣ ଭାବେ ସାମିଲ ହୋଇଥିଲେ । ୧୯୬୧ ମସିହାରେ 'ଆରଣ୍ୟକ' ପ୍ରକାଶ ପାଇବା ପରେ ଓଡି଼ଆ ଗଳ୍ପ ସାହିତ୍ୟର ମାନଦଣ୍ଡ ନିରୂପିତ ହୋଇଥିଲା । ୧୯୬୩ ମସିହାରେ ମନୋଜ ଦାସ ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମରେ ଇଂରାଜୀ ସାହିତ୍ୟର ଅଧ୍ୟାପକ ଏବଂ ପ୍ରତିଜ୍ଞା ଦେବୀ ମନସ୍ତତ୍ଵ ବିଭାଗରେ ଅଧ୍ୟାପିକା ଭାବେ ଯୋଗ ଦେଲେ । ୧୯୬୫ ମସିହାରେ 'ଶେଷ ବସନ୍ତର ଚିଠି' ପ୍ରକାଶ ପାଇବା ପରେ ୧୯୬୬ ମସିହାରେ ଓଡ଼ିଶା ସାହିତ୍ୟ ଅକାଦେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

ନିଜସ୍ଵ ଭାବନା

ଇଂରାଜୀ ଏବଂ ଓଡ଼ିଆ ଉଭୟ ଭାଷାରେ ମନୋଜ ଦାସ ସିଦ୍ଧହସ୍ତ । ଗୋଟିଏ ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା- ଇଂରାଜୀ ଏବଂ ଓଡ଼ିଆ ଉଭୟ ଭାଷାରେ ଆପଣଙ୍କର ପାରଦର୍ଶିତା ରହିଛି । କିନ୍ତୁ ଆପଣ କେଉଁଥିରେ ଚିନ୍ତା କରନ୍ତି ? ଉତ୍ତର ଥିଲା ନିରବତାରେ । ମନୋଜ ଦାସ ବିଶ୍ଵାସ କରନ୍ତି ସମଗ୍ର ଜୀବନ ଅଲୌକିକତାର ଶକ୍ତିରେ ସମୃଦ୍ଧ । ନିରବତା ହିଁ ତାହାକୁ ଋଦ୍ଧିମନ୍ତ କରେ । ସୃଜନ କଳା ସମ୍ପର୍କରେ ନିଜର ଅଭିଜ୍ଞତାରୁ ମନୋଜ ଦାସ କହନ୍ତି- ' ପ୍ରତ୍ୟେକ ସଚ୍ଚା ସୃଜନ ଏକ ଅଲୌକିକତା । ଅଲୌକିକତାର ବହୁ ପର୍ଯ୍ୟାୟ ରହିଛି । ମୋର ଗୋଟିଏ ଗଳ୍ପ ଅଛି 'ଉତ୍ତର ଉପତ୍ୟକାରେ ବୃଦ୍ଧଜନେ ।' ଏହା ପ୍ରଥମେ ଇଂରାଜୀରେ ଲେଖିଥିଲି 'ଓଲ୍‌ଡ ଫ୍ଲୋକ୍‌ସ୍ ଅଫ୍ ଦି ନରଦର୍ଣ୍ଣ ଭେଲ୍ଲୀ' । ଦିନେ ମୁଁ ନିରବରେ ଏକ ଉପତ୍ୟକା ପ୍ରାୟ ସ୍ଥାନରେ ଏକାକୀ ବସିଛି । ହଠାତ୍ ଗୋଟିଏ ଭସା ମେଘ ଭଳି ସମଗ୍ର ଗପଟି ଯେମିତି ମୋ ଭିତରେ ଅନୁପ୍ରବେଶ କରିଗଲା । ମୁଁ ବୁଝିଲି ସେ ଗଳ୍ପର ପଟ୍ଟଭୂମି, ଚରିତ୍ର କିଛି ମୋର ଉଦ୍ଭାବନ ନୁହେଁ । ହୁଏତ ଜଣେ ମହାନ ଲେଖକ ସେ ଗଳ୍ପଟି ପରିକଳ୍ପନା କରିଥିଲେ । ବଳିଷ୍ଠ କଳ୍ପନା ତତ୍‌କ୍ଷଣାତ୍ ଅତିଭୌତିକ ଜଗତରେ ଗୋଟିଏ ଅଦୃଶ୍ୟ, ଅପ୍ରକଟ ରୂପ ନେଇଯାଏ । କିନ୍ତୁ ସେ ଲେଖକ ହୁଏତ ଗଳ୍ପଟି ଲେଖିବାର ଅବସର ପାଇବା ପୂର୍ବରୁ ଏ ପୃଥିବୀ ପୃଷ୍ଠରୁ ବିଦାୟ ନେଇଛନ୍ତି । ଗଳ୍ପଟିର ସେହି ଅପ୍ରଟିତ ଖସଡା, ଏକ ଆଧାର ଅନ୍ଵେଷଣରେ, କୌଣସି କାରଣରୁ ସେହି ଅଦୃଶ୍ୟ ଜଗତ ପ୍ରତି ଉତ୍ସୁକ ରହିଥିବା ଏକ ଚେତନା ଭିତରକୁ ପ୍ରବେଶ କରି ଆସିପାରେ । ଏହା ଅଲୌକିକତାର ଏକ ମାମୁଲି ଦୃଷ୍ଟାନ୍ତ ମାତ୍ର । ମହତ୍ତର ଏବଂ ବୃହତ୍ତର ଅଲୌକିକତାର ଅଭିଜ୍ଞତା ପାଇଛି ଲେଖକ ଭାବରେ ନୁହେଁ, ପାଠକ ଭାବରେ । ଶ୍ରୀମଦ୍ ଭଗବତ୍ ଗୀତା ଭଳି ମାନ୍ତ୍ରିକ ସାହିତ୍ୟ ଏବଂ ରାମାୟଣ ମହାଭାରତର କିଛି ଅଂଶ ପଠନ ବେଳେ ଏବଂ ସର୍ବୋପରି ଶ୍ରୀ ଅରବିନ୍ଦଙ୍କ ମହାକାବ୍ୟ ସାବିତ୍ରୀ ପଠନ ବେଳେ, ଯେଉଁ ଶକ୍ତିର ପ୍ରଭାବ ଅନୁଭବ କରିଛି, ତାହା ହିଁ ମୋର ସୃଜନ କଳାର ଅନୁପ୍ରେରଣା ।' ତାଙ୍କର ଉଚ୍ଚକୋଟୀର ସାରସ୍ଵତ ସମ୍ଭାର ପାଇଁ ବହୁ ପାଠକୀୟ ଶ୍ରଦ୍ଧାର ଅଧିକାରୀ ହୋଇଛନ୍ତି । କିଛି ଗୁଣଗ୍ରାହୀ ପାଠକ ଅତି ଯତ୍ନର ସହିତ ତାଙ୍କ ଜୀବନୀ ଆଧାରିତ ଗୋଟିଏ web site ପ୍ରସ୍ତୁତ କରିଛନ୍ତି- www. worldofmanojdas.in । ଏଥିରେ ତାଙ୍କର ଜୀବନୀ, ସାହିତ୍ୟ କୃତି, ସମସ୍ତ ପାଞ୍ଚବର୍ଷର ହେରିଟେଜ ପତ୍ରିକା, ବିଭିନ୍ନ ସମ୍ମିଳନୀରେ ପ୍ରଦତ୍ତ ଅଭିଭାଷଣ, ସାକ୍ଷାତ୍‌କାର, ସାହିତ୍ୟ ଆକାଦେମୀ ପ୍ରୟୋଜିତ ତଥା ପ୍ରଫୁଲ୍ଲ କୁମାର ମହାନ୍ତି ନିର୍ଦ୍ଦେଶିତ ବୃତ୍ତଚିତ୍ର, ତାଙ୍କ ଉପରେ ପ୍ରକାଶିତ ପୁସ୍ତକାବଳୀ ଆଦି ସଂରକ୍ଷିତ ରହିଛି । ମନୋଜ ଦାସଙ୍କ ଇଂରାଜୀ ଉପନ୍ୟାସ ' the escapist' ଆମାଦାନ୍ ଡଟ୍ କମ୍ web siteରେ e-formatରେ ଉପଲବ୍ଧ । କ୍ରମଶଃ ତାଙ୍କର ଇଂରାଜୀ ପୁସ୍ତକ ସବୁ e-formatରେ ରଖାଯିବାର ପ୍ରଯତ୍ନ କରାଯାଉଛି ।  ୧୯୬୩ ମସିହାଠାରୁ ସେ ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମଠାରେ ଅବସ୍ଥାନ କରୁଅଛନ୍ତି । ସେ ସେଠାକାର ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ରରେ ଇଂରାଜୀ ଭାଷା ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରୁଅଛନ୍ତି।

ମନୋଜ ଦାସଙ୍କୁ ତାଙ୍କର ନିଆରା ଲେଖା ଶୈଳୀ ପାଇଁ ଓଡ଼ିଆ ସାହିତ୍ୟର ବିଷ୍ଣୁ ଶର୍ମା ବୋଲି କୁହାଯାଏ ଆଉ ସେଥି ନିମନ୍ତେ ସେ ଭାରତର ଜଣେ ସୁଗାଳ୍ପିକ ଭାବରେ ଜଣାଶୁଣା ।

ମନୋଜ ଦାସଙ୍କ ମୋବାଇଲ ଆପ 'ରେନବୋ’

ଏହି ଆପ ଡାଉନଲୋଡ଼ କରି ପାଠକ ମନୋଜ ଦାସଙ୍କ ପ୍ରତିଦିନ ନୂଆ ନୂଆ କାହାଣୀ, କ୍ଷୁଦ୍ରଗଳ୍ପ, ଉପନ୍ୟାସ, ଭ୍ରମଣକାହାଣୀ, ଶିଶୁ ସହିତ୍ୟ, ସମ୍ବାଦ ପତ୍ର ଅଲେଖ୍ୟ ଆଦି ପଢ଼ିପାରିବେ । । ଆପର ହୋମ ପେଜରେ ଲେଖାଯାଇଛି ଯେ, କାହିଁକି ହଜାର ହଜାର ପାଠକ ମନୋଜ ଦାସଙ୍କ ଲେଖା ପଢ଼ିବାକୁ ଭଲ ପାଆନ୍ତି । ଓଡ଼ିଆ ଲେଖକଙ୍କ କ୍ଷେତ୍ରରେ ଏହା ପ୍ରଥମ ।

ରଚନାବଳୀ

ଗଳ୍ପ ସଙ୍କଳନ

  • ମନୋଜ ଦାସଙ୍କ ଗଳ୍ପ (୧୯୯)
  • ଅବୋଲକରା କାହାଣୀ (୧୯୯୧)
  • ଚତୁର୍ଥ ବନ୍ଧୁ ଓ ଅନ୍ୟାନ୍ୟ କାହାଣୀ (୧୯୯୦)
  • ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ (୧୯୮୭)
  • ମନୋଜ ପଞ୍ଚବିଂଶତି (୧୯୮୩)
  • ଧୂମ୍ରାଭ ଦିଗନ୍ତ ଓ ଅନ୍ୟ କାହାଣୀ (୧୯୭୭)
  • ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ (୧୯୭୫)
  • ଲକ୍ଷ୍ମୀର ଅଭିସାର (୧୯୭୪)
  • ମନୋଜ ଦାସଙ୍କ କଥା ଓ କାହାଣୀ, (୧୯୭୧)
  • ଶେଷ ବସନ୍ତର ଚିଠି (୧୯୬୫)
  • ଆରଣ୍ୟକ (୧୯୬୧)
  • ବିଷକନ୍ୟାର କାହାଣୀ (୧୯୫୪)
  • ଜୀବନର ସ୍ଵାଦ (୧୯୫୩)
  • ସମୁଦ୍ରର କ୍ଷୁଧା (୧୯୫୨)

କବିତା ସଙ୍କଳନ

  • କବିତା ଉତ୍କଳ (୨୦୦୩)
  • ତୁମଗାଁ ଓ ଅନ୍ୟାନ୍ୟ କବିତା (୧୯୯୨)
  • ଉପନିବେଶ (୧୯୬୬)
  • ନନ୍ଦାବତୀର ମାଝି (୧୯୫୭)
  • ପଦଧ୍ଵନୀ (୧୯୫୦)
  • ବିପ୍ଳବୀ ଫକୀରମୋହନ (୧୯୫୦)
  • ଶତାବ୍ଦୀର ଆର୍ତ୍ତନାଦ (୧୯୪୯)

ଉପନ୍ୟାସ

  • ତନ୍ଦ୍ରାଲୋକର ପ୍ରହରୀ - ୨୦୦୦
  • ଆକାଶର ଇସାରା - ୧୯୯୭
  • ଅମୃତ ଫଳ - ୧୯୯୬ (ସରସ୍ୱତୀ ସମ୍ମାନ)
  • ଗୋଧୁଳିର ବାଘ -୧୯୯୫
  • ପ୍ରଭଞ୍ଜନ -୧୯୯୨
  • ବୁଲଡୋଜର୍ସ -୧୯୮୯

ପ୍ରବନ୍ଧ, ରମ୍ୟରଚନା ଓ ଅନ୍ୟାନ୍ୟ

  • ପ୍ରଜ୍ଞା - ପ୍ରଦୀପିକା (୨୦୧୨)
  • ଉପକଥା ଶତକ (୨୦୦୨)
  • ସତ୍ୟ-ଅସତ୍ୟ ଓ ଅନ୍ୟାନ୍ୟ ପ୍ରସଙ୍ଗ (୨୦୦୨)
  • ସ୍ମୃତି ଓ ବିସ୍ମୃତିର ସାରନାଥ
  • ଅରଣ୍ୟ ଉଲ୍ଲାସ (୧୯୯୯)
  • ଭାରତର ଐତିହ୍ୟ: ଶତେକ ପ୍ରଶ୍ନର ଉତ୍ତର (୧୯୯୮)
  • ମହାଯୋଗୀ ଶ୍ରୀ ଅରବିନ୍ଦ (୧୯୯୭)
  • ସମୁଦ୍ର କୂଳର ଏକ ଗ୍ରାମ (୧୯୯୬)
  • ସନ୍ଧାନ ଓ ସଙ୍କେତ (୧୯୯୯)
  • ବିପୁଳାଚ ପୃଥ୍ଵୀ (୧୯୯୪)
  • କେତେ ଦିଗନ୍ତ (୧୯୮୬)

ଶିଶୁ ସାହିତ୍ୟ

  • ରାକ୍ଷସର ସନ୍ଧାନରେ (୨୦୧୦)
  • କନକ ଉପତ୍ୟକାର କାହାଣୀ (୧୯୯୪)
  • ଅମର ସାହିତ୍ୟ (୧୯୭୩)
  • ଆଲୋକ ଓ ଆନନ୍ଦର କାହାଣୀ (୧୯୭୦)

ଇଂରାଜୀ ରଚନାବଳୀ

  • ଚେଜିଙ୍ଗ ଦି ରେନବୋ: ଗ୍ରୋଇଙ୍ଗ ଅପ ଇନ ଆନ ଇଣ୍ଡିଆନ ଭିଲେଜ, ୨୦୦୪
  • ଲେଜେଣ୍ଡ ଅଫ ଦି ଗୋଲ୍ଡେନ ଭ୍ୟାଲି, ୧୯୯୬
  • ଦି ସବମର୍ଜଡ ଭ୍ୟାଲି ଆଣ୍ଡ ଅଦର ଷ୍ଟୋରିଜ, ୧୯୮୬
  • ଫେଆରବେଲ ଟୁ ଅ ଘୋଷ୍ଟ: ସର୍ଟ ଷ୍ଟୋରିଜ ଆଣ୍ଡ ଅ ନଭେଲେଟେ, ୧୯୯୪
  • ଦି କ୍ରୋକୋଡାଇଲ ଲେଡି: ଏ କଲେକସନ ଅଫ ଷ୍ଟୋରିଜ, ୧୯୭୫
  • ଏ ଟାଇଗର ଆଟ ଟୁଇଲାଇଟ

ସମ୍ମାନ ଓ ପୁରସ୍କାର

  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୦୭
  • ସାହିତ୍ୟ ଏକାଡେମୀ ଫେଲୋସିପ, ୨୦୦୬
  • ପଦ୍ମଶ୍ରୀ, ୨୦୦୧
  • ଉତ୍କଳ ରତ୍ନ ସମ୍ମାନ, ୨୦୦୧
  • ସରସ୍ଵତୀ ସମ୍ମାନ - (ଅମୃତ ଫଳ, ୨୦୦୦)
  • ପ୍ରଜାତନ୍ତ୍ର ବିଷୁବ ମିଳନ ପୁରସ୍କାର, ୧୯୮୬
  • ଶାରଳା ପୁରସ୍କାର (୧୯୮୧)
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - (ମନୋଜ ଦାସଙ୍କ କଥା ଓ କାହାଣୀ, ୧୯୭୨)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଦୁଇ ଥର), ୧୯୬୫ ଓ ୧୯୮୯

ଆଧାର - "ଓଡ଼ିଆ ସାହିତ୍ୟକ ମନୋଜ ଦାସ"

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top